Categories
ଆଜିର ଖବର ଜାତୀୟ ଖବର

ବିଦେଶରୁ ଫେରିଥିବା ଗର୍ଭବତୀଙ୍କୁ ଆପାର୍ଟମେଣ୍ଟ ଓ ହସ୍ପିଟାଲରେ ମିଳିଲାନି ପ୍ରବେଶ ଅନୁମତି : ଗର୍ଭସ୍ଥ ସନ୍ତାନର ମୃତ୍ୟୁ

ମାଙ୍ଗାଲୋର୍‌ : କରୋନା ସଂକଟ ସମୟରେ ସମେସ୍ତ ଭେଦଭାବ ଭୁଲି ମାନବତା ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଏହି ସଂକଟ ସମୟରେ ଲୋକଙ୍କ କଠୋରତା ମଧ୍ୟ ଦେଖିବାକୁ ମିଳୁଛି । ଏପରି ଏକ ମାମଲା ମାଙ୍ଗଲୋର୍‌ରେ ଘଟିଥିବାର ସାମ୍ନାକୁ ଆସିଛି । ବନ୍ଦେ ଭାରତ ଫ୍ଲାଇଟରେ ଜଣେ ଗର୍ଭବତୀ ମହିଳା ଭାରତ ଫେରିଥିବାବେଳେ ତାଙ୍କୁ ପ୍ରଥମେ ଆପାର୍ଟମେଣ୍ଟ ଓ ପରେ ତାଙ୍କୁ ପ୍ରାଇଭେଟ୍‌ ହସ୍ପିଟାଲକୁ ପ୍ରବେଶ ଅନୁମତି ନ ମିଳିବା ଫଳରେ ତାଙ୍କ ଗର୍ଭସ୍ଥ ସନ୍ତାନର ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁସାରେ ବନ୍ଦେ ଭାରତ ମିଶନ ଯୋଜନା ଆାଧାରରେ ଜଣେ ଗର୍ଭବତୀ ମହିଳା ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସମୟରେ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହା ପରେ ମଙ୍ଗଲୋର୍‌ ସ୍ଥିତ ରହୁଥିବା ଆପାର୍ଟମେଣ୍ଟରେ ତାଙ୍କୁ ଯିବାକୁ ଅନୁମତି ମିଳିଲା ନାହିଁ । ଆପାର୍ଟମେଣ୍ଟ ଆସୋସିଏସନ୍‌ ତାଙ୍କୁ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ ଅନୁମତି ଦେଲେ ନାହିଁ । ଏହି ଆପାର୍ଟମେଣ୍ଟରେ ତାଙ୍କ ପୂରା ପରିବାର ରହୁଥିବାବେଳେ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିନଥିଲା । ଏହାପରେ ମହିଳା ଜଣକ ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ପହଞ୍ଚିଥିଲେ । କିନ୍ତୁ ସେ ବିଦେଶରୁ ଫେରିଥିବା କାରଣରୁ ହସ୍ପିଟାଲ ମଧ୍ୟ ତାଙ୍କ ଚିକିତ୍ସା କରିବା ପାଇଁ ମନା କରିଥିଲେ । ଘରୋଇ ହସ୍ପିଟାଲର ଏପରି ଅମାନବୀୟତା କାର୍ଯ୍ୟ ପାଇଁ ମହିଳାଙ୍କ ଗର୍ଭରେ ତାଙ୍କ ସନ୍ତାନର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ତେବେ ଏହି ଘଟଣା ପାଇଁ ମାଙ୍ଗଲୋର୍‌ ନଗର ନିଗମ କମିଶନର ସମ୍ପୃକ୍ତ ଆପାର୍ଟମେଣ୍ଟ ଆସୋସିଏସନ୍‌କୁ ନୋଟିସ୍‌ ଜାରି କରିଛନ୍ତି । ଏହା ସହିତ ମହିଳା ଜଣକ ତାଙ୍କ ଘରକୁ ଯିବାରେ କେହି ବି ପ୍ରତିବନ୍ଧକ ଲଗାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏପରି କେହି କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନି ନିଆଯିବ ବୋଲି ସୂଚନା ଦେଇଛନ୍ତି ନଗର ନିଗମ କମିଶନର । (ଏଜେନ୍ସି)