Categories
ଆଜିର ଖବର ଜାତୀୟ ଖବର

ସଂଶୋଧନ ପରେ କୁକୁର ଫଟୋ ସହିତ ମିଳିଲା ଭୋଟର କାର୍ଡ

ମୁର୍ଶିଦାବାଦ : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବେଳେ ବେଳେ ଭୋଟର କାର୍ଡରେ ନାମ ବା ଘରର ଠିକଣା ଭୁଲ୍‌ ରହିଥାଏ ମାତ୍ର ମୁର୍ଶିଦାବାଦରେ ଜଣେ ବ୍ୟକ୍ତିଙ୍କ ଫଟୋ ଜାଗାରେ ଆଉ ଏକ ଫଟୋ ରହିଛି । ତେବେ ଏହା କୌଣସି ମଣିଷର ଫଟୋ ନୁହେଁ ବରଂ ଏକ କୁକୁରର ଫଟୋ । ଉଲ୍ଲେଖଯୋଗ୍ୟ ଯେ, ମୁର୍ଶିବାଦର ଜନୈକ ବ୍ୟକ୍ତି ନିଜ ଭୋଟର କାର୍ଡ ସଂଶୋଧନ କରିବା ପାଇଁ ଆବେଦନ କରିଥିଲେ । ସଂଶୋଧିତ ଭୋଟର କାର୍ଡ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କ ଫଟୋ ସ୍ଥାନରେ ଗୋଟିଏ କୁକୁରର ଫଟୋ ରହିଥିବା ଦେଖିବାକୁ ମିଳିଥିଲା ।

ଘଟଣାଟି ଏହିପରି ମୁର୍ଶିଦାବାଦର ରାମନଗର ଗ୍ରାମର ସୁନୀଲ କର୍ମକାର ନିଜର ଭୋଟର କାର୍ଡରେ ସଂଶୋଧନ ପାଇଁ ଆବେଦନ କରିଥିଲେ । ଏପରିକି ଦୁଲାଲ ସ୍ମୃତି ସ୍କୁଲର ଶିକ୍ଷକ ଏବଂ ବିଡିଓ କାର୍ଡରେ ଫଟୋକୁ ନଦେଖି ତରବରିଆ ଭାବରେ ଦସ୍ତଖତ କରି କାର୍ଡ ଦେଇଥିଲେ । ଏହି ଘଟଣା ପରେ ନିର୍ବାଚନ କମିଶନ, ବିଡିଓ ଏବଂ ସ୍କୁଲ ଶିକ୍ଷକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ପାଇଁ କର୍ମକାର ସୂଚନା ଦେଇଛନ୍ତି । ତେବେ ଫଟୋରେ ସଂଶୋଧନ କରାଯାଇଛି ଏବଂ ସଂଶୋଧିତ କାର୍ଡ ଉକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ବୋଲି ବିଡିଓ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ଆପଣଙ୍କ ଭୋଟର ଆଇଡି କାର୍ଡରେ କିଛି ଭୁଲ ଅଛି କି, ଏବେ ଠିକ୍ କରି ନିଅନ୍ତୁ କାରଣ ଆଜିଠାରୁ ଆରମ୍ଭ ହେଲା ସଂଶୋଧନ କାର୍ଯ୍ୟ

ସମୀକ୍ଷା ବ୍ୟୁରୋ

ଆଜିଠାରୁ ଭୋଟର୍‌ ଆଇଡି କାର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏହି ଯାଞ୍ଚ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ଯାଏଁ ଚାଲିବ । ଜନ ଭାଗୀଦାରୀ ଜରିଆରେ ଭୋଟର୍ ତାଲିକା କରାଯିବ । ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ଯାଞ୍ଚ କରାଇ ହେବ । ଏଥିରେ ଗୋଟିଏ ପରିବାରରେ ଜଣେ ଭୋଟଙ୍କୁ ୟୁଜର୍‌ ନେମ୍‌ ଏବଂ ପାସୱାର୍ଡ ଦିଆଯିବ । ଏହା ଦ୍ୱାରା ଜଣେ ବ୍ୟକ୍ତି ନିଜର ଏବଂ ପରିବାର ଲୋକଙ୍କ ସମସ୍ତ ତଥ୍ୟ ସେଥିରେ ଦେଇପାରିବେ ବୋଲି ନିର୍ବାଚନ ଅଧିକାରୀ ରଣବୀର ସିଂହ କହିଛନ୍ତି । ରାଜ୍ୟ ସ୍ତରରେ ୩୬ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ, ୭୪୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପ୍ରାୟ ୧୦ ଲକ୍ଷ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏଥିରେ ନିୟୋଜିତ ହେବେ । ଏହାକୁ ବ୍ଲକ୍‌ ସ୍ତରୀୟ ଅଧିକାରୀ ଯାଞ୍ଚ କରିବେ। ୨୦୧୯ ଜାନୁୟାରୀ ୧ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ହୋଇଥିବ ସେମାନେ ଭୋଟର ତାଲିକାରେ ନାମ ପଞ୍ଜୀକୃତ କରିପାରିବେ। କୌଣସି ଭୋଟରଙ୍କ ମୃତ୍ୟୁ ହୋଇଥିଲେ ସେମାନଙ୍କ ନାମ ତାଲିକାରୁ କାଟିଦିଆଯିବ। ସେହିପରି କେହି ନିଜର ଠିକଣା କିମ୍ବା ଅନ୍ୟାନ୍ୟ ସଂଶୋଧନ ଚାହିଁଲେ କରିପାରିବେ। ଏଥିପାଇଁ ଭୋଟର ହେଲ୍ପଲାଇନ ଆପ୍‌ କିମ୍ବା ଏନ୍‌ଭିଏସ୍‌ପି ପୋର୍ଟାଲର ସହାୟତା ନେଇପାରିବେ। ଅକ୍ଟୋବର ୧୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ଏକ କେନ୍ଦ୍ରରେ ଖୋଦ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିଜର ନାମ ଯାଞ୍ଚ କରିଛନ୍ତି।