Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ

ଭୁବନେଶ୍ବର: ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷର (2022-23 ଆର୍ଥିକ ବର୍ଷରେ) ମାତ୍ର 310 ଦିନରେ ତଥା ଆର୍ଥିକ ବର୍ଷ ସମାପ୍ତ ହେବାର 55 ଦିନ ପୂର୍ବରୁ ଏହାର ପରିସୀମା ମଧ୍ୟରୁ 200.43 ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ଆକଳନ ହାସଲ କରିବାକୁ 2021-22 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 320 ଦିନ ସମୟ ନେଇଥିବାବେଳେ 2020-21 ରେ 360 ଦିନ ଏବଂ 2019-20 ଆର୍ଥିକ ବର୍ଷରେ 366 ଦିନ ସମୟ ଲାଗିଥିଲା।

ଏହି ସମୟ ମଧ୍ୟରେ ପଣ୍ୟ ବୋଝେଇରୁ ଆୟ ବାବଦରେ ପୂର୍ବତଟ ରେଳପଥ 20635 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷର 19204 କୋଟି ଟଙ୍କା ତୁଳନାରେ 7.5% ବୃଦ୍ଧି ହୋଇଛି।

ପାନ୍ୟ ବୋଝେଇ ଏବଂ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଏବଂ ପ୍ରତିକୂଳ ପ୍ରଭାବ ସତ୍ୱେ ପୂର୍ବତଟ ରେଳପଥ ଏହି ମାଇଲଖୁଣ୍ଟ ହାସଲ କରିଛି। ରେଳ ମନ୍ତ୍ରଣାଳୟର ଅଭିନବ ପଦକ୍ଷେପ ଏବଂ ପ୍ରମୁଖ ହସ୍ତକ୍ଷେପ ଉପରେ ଧ୍ୟାନ ଦେଇ 200 ନିୟୁତ ଟନ ପାନ୍ୟ ବୋଝେଇକୁ ଅତିକ୍ରମ କରି ହାସଲ କରାଯାଇଛି ଯାହା ଏହାକୁ ଫାଷ୍ଟ-ଟ୍ରାକରେ ପହଞ୍ଚାଇବାରେ ସାହାଯ୍ୟ କରିଛି।

ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 126.18 ନିୟୁତ ଟନ କୋଇଲା, 20.22 ନିୟୁତ ଟନ ଲୁହାପଥର, 18.16 ନିୟୁତ ଟନ ଅନ୍ୟାନ୍ୟ ସାମଗ୍ରୀ, 15.74 ନିୟୁତ ଟନ ଫିନିସଡ଼ ଇସ୍ପାତ, 6.27 ନିୟୁତ ଟନ ଇସ୍ପାତ କାରଖାନାକୁ କଞ୍ଚାମାଲ, 5.11 ନିୟୁତ ଟନ ସାର, କଣ୍ଟେନେରରେ 3.17 ନିୟୁତ ଟନ, 2.37ନିୟୁତ ଟନ ଖଣିଜ ତେଲ, 2.13 ନିୟୁତ ଟନ ଖାଦ୍ୟ ଶସ୍ୟ ଏବଂ 1.09 ନିୟୁତ ଟନ ସିମେଣ୍ଟ ପରିବହନ କରାଯାଇଅଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ 129.93 ନିୟୁତ ଟନ ପାନ୍ୟ ପରିବହନ କରିଛି। ସେହିଭଳି ୱାଲଟିୟର ରେଳ ମଣ୍ଡଳ 57.03 ନିୟୁତ ଟନ ଏବଂ ସମ୍ବଲପୁର ରେଳ ମଣ୍ଡଳ ଏହି ସମୟ ମଧ୍ୟରେ 13.47ନିୟୁତ ଟନ ମାଲ ପରିବହନ କରିଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ଏହାର ତିନିଟି ରେଳ ମଣ୍ଡଳ ଓ ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି। ଏହା ସହିତ ସେ ରେଳପଥର ସହଭାଗୀ କୋଲିୟାରୀ, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଖାଦ୍ୟ ନିଗମ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗ ଯୋଗୁଁ ଏହି ସଫଳତା ମିଳି ପାରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ୩୦% ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏଥିରେ କରୋନା ମହାମାରୀ ପରେ ଦେଶରେ ଅର୍ଥନୀତିକ କାର୍ଯ୍ୟକଳାପ ସ୍ୱାଭାବିକ ଅବସ୍ଥାକୁ ଫେରିଥିବାର ସ୍ପଷ୍ଟ ସୂଚନା ମିଳୁଛି। ଏହା ମଧ୍ୟ ସରକାରଙ୍କ ସ୍ଥିର ନୀତି ଏବଂ ଟିକସ ବ୍ୟବସ୍ଥାର ସରଳୀକରଣ ତଥା ସୁଦୃଢୀକରଣର ଲାଭକୁ ସୂଚାଇବା ସହିତ ଏଥିରେ ନୂଆ ଟେକ୍‌ନୋଲୋଜି ପ୍ରୟୋଗର ସଫଳତାକୁ ପ୍ରମାଣିତ କରୁଛି।

ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ସଂଗ୍ରହ ହୋଇଥିବା ମୋଟ ଟିକସ ତଥ୍ୟ ଅନୁସାରେ ନିଟ୍ ଟିକସ ସଂଗ୍ରହ ପରିମାଣ ୭୦୦, ୬୬୯ କୋଟିରେ ପହଞ୍ଚିଛି। ଏହା ବିଗତ ଆର୍ଥିକ ବର୍ଷର ଏହି ସମୟର ଟିକସ ଆଦାୟଠାରୁ ୨୩% ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ  ଥିଲା ୫, ୬୮, ୧୪୭ କୋଟି ଟଙ୍କା। ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ଆଦାୟ ହୋଇଥିବା ମୋଟ ନିଟ୍ ପ୍ରତ୍ୟକ୍ଷ ଟିକସ ୭୦୦,୬୬୯ କୋଟି ଟଙ୍କା (ରିଫଣ୍ଡକୁ ବାଦ ଦେଇ) ମଧ୍ୟରେ ରହିଛି ୩, ୬୮, ୪୮୪ କୋଟିର କର୍ପୋରେସନ ଟିକସ ବା ସିଆଇଟି, ୩, ୬୮, ୪୮୪କୋଟିର ବ୍ୟକ୍ତିଗତ ଆୟକର ବା ପିଆଇଟି ଓ ପ୍ରତିଭୂତି କାରବାର ବାବଦ ୩,୩୦, ୪୯୦ କୋଟି ଟଙ୍କାର ଟିକସ।

ରିଫଣ୍ଡ ବାବଦ ଦେୟ ଫେରସ୍ତ ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷର ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ଥିଲା ୮, ୩୬, ୨୨୫ କୋଟି ଟଙ୍କା। ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ଏ ବାବଦରେ ମୋଟ ଟିକସ ଆଦାୟ ପରିମାଣ ଥିଲା ୬,୪୨, ୨୮୭କୋଟି ଟଙ୍କା। ଅତଏବ ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଏହି ଟିକସ ଆଦାୟ ପରିମାଣରେ ୩୦% ଅଭିବୃଦ୍ଧି ଘଟିଛି।

ଏଯାବତ୍ ଆଦାୟ ହୋଇଥିବା ମୋଟ ୮, ୩୬, ୨୨୫କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ମଧରେ ରହିଛି, ୪, ୩୬, ୦୨୦ କୋଟି ଟଙ୍କାର କର୍ପୋରେସନ ଟ୍ୟାକ୍ସ ବା ସିଆଇଟି ଏବଂ ୩୯୮,୪୪୦ କୋଟିର ବ୍ୟକ୍ତିଗତ ଆୟକର ଓ ପ୍ରତିଭୂତି କାରବାର ଜନିତ ଟିକସ। ଏହା ଛଡା ଅନ୍ୟାନ୍ୟ ଟିକସ ମଧ୍ୟରେ ରହିଛି ଅଗ୍ରିମ ଟିକସ ବାବଦରେ ୨, ୯୫, ୩୦୮ କୋଟି, ଉତ୍ସରୁ କଟାଯାଉଥିବା ଟିକସ (ଟ୍ୟାକ୍ସ ଡିଡକ୍ସନ ଆଟ୍ ସୋର୍ସ) ୪, ୩୪, ୭୪୦କୋଟି, ସେଲ୍ଫ ଆସେସମେଣ୍ଟ ଟିକସ ୭୭,୧୬୪କୋଟି, ନିୟମିତ ଆସେସେମେଣ୍ଟ ଟିକସ ୨୦, ୦୮୦ କୋଟି ଏବଂ ଅନ୍ୟାନ୍ୟ ଛୋଟମୋଟ ଟିକସ ବାବଦରେ ୮,୯୩୩ କୋଟି ଟଙ୍କା।

୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ୱିତୀୟ ତ୍ରୈମାସିକରେ ଆଦାୟ ହୋଇଥିବା କ୍ରମ ବର୍ଦ୍ଧମାନ ଅଗ୍ରିମ ଟିକସର ପରିମାଣ ୨୦୨୨ସେପ୍ଟେମ୍ବର ୧୭ ସୁଦ୍ଧା ଥିଲା ୨, ୯୫, ୩୦୮ କୋଟି ଟଙ୍କା। ପୂର୍ବ ବର୍ଷର ଏହି ସମୟ ମଧ୍ୟରେ ଏ ବାବଦ ଟିକସ ଆଦାୟ ପରିମାଣ ଥିଲା ୨,୫୨,୦୭୭ କୋଟି ଟଙ୍କା। ଆର୍ଥତ୍ ଏହି ଟିକସ ଆଦାୟରେ ୧୭% ଅଭିବୃଦ୍ଧି ଘଟିଛି। ଏଥର ଆଦାୟ ହୋଇଥିବା ଏହି ୨,୯୫,୩୦୮ କୋଟି ଟଙ୍କାର ଅଗ୍ରୀମ ଟିକସ ମଧ୍ୟରେ ରହିଛି ୨, ୨୯,୧୩୨କୋଟି ଟଙ୍କାର କର୍ପୋରେସନ ଓ ୬୬,୧୭୬ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର।

ଚଳିତବର୍ଷ ଆୟକର ରିଟର୍ଣ୍ଣ ପ୍ରକ୍ରିୟାକୁ ଯଥେଷ୍ଟ ତ୍ୱରାନ୍ୱିତ ଓ ବେଗଗାମୀ କରାଯାଇଛି। ଯେଉଁମାନେ ରିଫଣ୍ଡ ପାଇଁ ରିଟର୍ଣ୍ଣ  କରିଥିଲେ ସେଥିରୁ ୯୩%କୁ ତନଖି କରି ଦେଖିବା ପରେ ସେମାନଙ୍କ ଅର୍ଥ ଫେରସ୍ତ କରିବା ପ୍ରକ୍ରିୟାରେ ପ୍ରାୟ ୪୬୮% ବୃଦ୍ଧି ଘଟିଛି ଏବଂ ଆବେଦନକାରୀ ଅଧିକ ସଂଖ୍ୟାରେ ସେମାନଙ୍କ ପ୍ରାପ୍ୟ ପାଉଛନ୍ତି। ୨୦୨୨ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ୧,୩୫, ୫୫୬ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରାଯାଇଛି। ଗତବର୍ଷ ଏହି ସମୟ ମଧ୍ୟରେ ମାତ୍ର ୭୪, ୧୪୦ କୋଟି ଟଙ୍କାର ରିଫଣ୍ଡ କରଦାତାଙ୍କୁ ପ୍ରଦାନ କରାଯାଇଥିଲା। ଗତବର୍ଷ ତୁଳନାରେ ଏ କ୍ଷେତ୍ରରେ ଚଳିତବର୍ଷ ୫୩% ଅଭିବୃଦ୍ଧି ଘଟିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବଫର ଷ୍ଟକ ପାଇଁ ୨୦୨୨-୨୩ରେ ଚାଷୀଙ୍କ ଠାରୁ ସର୍ବାଧିକ ୨. ୫୦ ଲକ୍ଷ ଟନ୍ ପିଆଜ ସଂଗ୍ରହ

ନୂଆଦିଲ୍ଲୀ: ଅତୀତର ସବୁ ରେକର୍ଡ ଭଙ୍ଗ କରି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷୀଙ୍କଠାରୁ ୨.୫୦ଲକ୍ଷ ଟନ୍ ପିଆଜ ସଂଗ୍ରହ କରିଛନ୍ତି। ଭବିଷ୍ୟତରେ ତିରୋଟ ସମୟର ଆବଶ୍ୟକତା ପୂରଣ କରିବାକୁ ଏହି ପିଆଜକୁ ମହଜୁଦ (ବଫର ଷ୍ଟକ) ରଖାଯାଇଛି। ୨୦୨୧-୨୨ରେ କେନ୍ଦ୍ର ସରକାର ୨ଲକ୍ଷ ଟନ୍ ପିଆଜ ମହଜୁଦ ରଖିଥିଲେ। ଚଳିତବର୍ଷ ଏହାକୁ ଆଉ ୦.୫୦ଲକ୍ଷ ଟନ୍ ବଢାଇ ଦିଆଯାଇଛି। ଚଳିତ ରବି ଋତୁରେ ଅମଳ ହୋଇଥିବା ପିଆଜକୁ ସଂଗ୍ରହ କରି ସରକାର ଏହାର ମୂଲ୍ୟ ସ୍ଥିର ରଖିବାକୁ ଏହି ମହଜୁଦ ବ୍ୟବସ୍ଥା କରିଛନ୍ତି। ଜାତୀୟ ଭାରତୀୟ କୃଷି ସମବାୟ ବିପଣନ ସହଯୋଗ ମହାସଂଘ ବା ନାଫେଡ ସହାୟତାରେ କୃଷକ ଉତ୍ପାଦନ ସଂଗଠନ(ଏଫ୍‌ପିଓ) ମାଧ୍ୟମରେ ଏହି ପିଆଜ ସବୁ ସରକାର ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ପିଆଜ ଉତ୍ପାଦନକାରୀ ରାଜ୍ୟର ଚାଷୀଙ୍କଠାରୁ କିଣିଛନ୍ତି।

ଆସନ୍ତା ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ପିଆଜ ଉତ୍ପାଦନ ପ୍ରାୟତଃ କମ୍ ରହିବ। ଏହି ନିଅଣ୍ଟିଆ ସମୟରେ ମହଜୁଦ ରହିଥିବା ଏହି ପିଆଜକୁ ବିଭିନ୍ନ ରାଜ୍ୟ ଓ ସରକାରୀ ସଂସ୍ଥାଙ୍କୁ ଆବଶ୍ୟକତା ଅନୁସାରେ କେନ୍ଦ୍ର ଯୋଗାଇବା ସହିତ ଖୋଲା ବଜାରରେ ବିକ୍ରି ପାଇଁ ଯୋଗାଇ ଦିଆଯିବ। ତିରୋଟ ବା ନିଅଣ୍ଟିଆ ସମୟରେ ପିଆଜର ମୂଲ୍ୟ ଯେପରି ଅସ୍ୱାଭାବିକ ଭାବେ ଅତି ଅଧିକ ନ ରହେ ସେଥି ପାଇଁ ସରକାର ଦେଶର ବିଭିନ୍ନ ବଡ ବଡ ମଣ୍ଡି ଏବଂ ଅନ୍ୟାନ୍ୟ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ  ପିଆଜ ଖୋଲା ବଜାରକୁ ଛାଡିବେ।

ଏହି ମହଜୁଦ(ବଫର ଷ୍ଟକ) ଦ୍ୱାରା ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ସାଧିତ ହେବ। ପ୍ରଥମତଃ ଚାଷୀଙ୍କଠାରୁ ଲାଭଦାୟକ ମୂଲ୍ୟରେ ସରକାର ପିଆଜ ସଂଗ୍ରହ କରିବା ଦ୍ୱାରା ସେମାନେ ଉପକୃତ ହେବେ। ଦ୍ୱିତୀୟତଃ ସମଗ୍ର ଦେଶର ଖାଉଟିଙ୍କୁ ମଧ୍ୟ ସୁଲଭ ମୂଲ୍ୟରେ ପିଆଜ ମିଳିବ। ପିଆଜ ଏକ ପଚାସଢା ସାମଗ୍ରୀ ଏବଂ ଏହା ଅଧିକ ଦିନ ରହେ ନାହିଁ। ଏହା ଶୁଖିଯିବା ଫଳରେ ଓଜନ କମିଯାଏ, ଗଜା ହୋଇଯାଏ ଓ ପ୍ରାୟତଃ ପଚିସଢି ଯାଇଥାଏ।

ରବିଋତୁରେ ପିଆଜ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଅମଳ ହୋଇଥାଏ। ଏହି ସମୟରେ ଭାରତର ମୋଟ ପିଆଜ ଚାହିଦାର ୬୫% ଉତ୍ପାଦିତ ହୋଇଥାଏ ଏବଂ ଏହା ଖରିଫ ପିଆଜ ଅମଳ ହେବା ପର୍ଯ୍ୟନ୍ତ ଅକ୍ଟୋବର – ନଭେମ୍ବର ଯାଏ ବଜାର ଆବଶ୍ୟକତା ପୂରଣ କରେ। ଅତଏବ ନିୟମିତ ପିଆଜ ଯୋଗାଣ ପାଇଁ ଏହାର ଉପଯୁକ୍ତ ସଂରକ୍ଷଣ ଓ ଭଣ୍ଡାରଣ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ପିଆଜ ଅମଳ ପରବର୍ତ୍ତୀ କ୍ଷତିକୁ ଯଥାସମ୍ଭବ ହ୍ରାସ କରିବାକୁ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ଟେକ୍‌ନୋଲୋଜି ବିକଶିତ କରିବାକୁ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କୁ ପ୍ରସ୍ତାବ ଦେବା ସହିତ ଏ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛି। ଏଥିରେ ପିଆଜର ପ୍ରାଥମିକ ପ୍ରକ୍ରିୟାକରଣ, ଭଣ୍ଡାରଣ ଓ ମୂଲ୍ୟ ବର୍ଦ୍ଧନକୁ ଗୁୁରୁତ୍ୱ ଦିଆଯାଇଛି। ଅମଳ ପରବର୍ତ୍ତୀ କ୍ଷତିକୁ କମାଇବା ପାଇଁ କି ପ୍ରକାର ସମ୍ଭାବ୍ୟ ଉପାୟ ଓ ଟେକ୍‌ନୋଲୋଜି ବାହାର କରାଯାଇପାରିବ ସେଥିପାଇଁ ଖାଉଟି କଲ୍ୟାଣ ବିଭାଗ ୟୁଜି/ପିଜି/ସ୍ତରର ବିଦ୍ୟାର୍ଥୀ, ଗବେଷକ ଓ ଷ୍ଟାର୍ଟଅପଗୁଡିକ ସହ କଥାବାର୍ତ୍ତା କରୁଛି। ଏବେ ଯେଉଁ ଭଣ୍ଡାରଣ ଢାଞ୍ଚା ରହିଛି ତାହାର ବିକାଶ, ପ୍ରାକ୍ ଅମଳ ସ୍ତରର ଯତ୍ନ ଓ ନଷ୍ଟ ହେଉଥିବା ପିଆଜ ବର୍ଜ୍ୟବସ୍ତୁର ଉପଯୋଗ କରିବା ଉପରେ ଗବେଷଣା କରି ଉପାୟ ବାହାର କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସରକାର ଏଥିପାଇଁ  ଯେଉଁ ପ୍ରସ୍ତାବ ଦେଇଛନ୍ତି  ତାହା ତିନିସ୍ତରୀୟ। ପ୍ରଥମେ ଏଥିପାଇଁ ଆଗ୍ରହୀ ପକ୍ଷ ସରକାରଙ୍କୁ ପ୍ରସ୍ତାବ ଦେବେ ଓ ତାହାକୁ ପରୀକ୍ଷା କରି ଦେଖାଯିବ। ଏହା ପରେ ପ୍ରସ୍ତାବର ରୂପାୟନ ଓ ଟେକ୍‌ନୋଲୋଜି ବିକାଶ ଜନିତ ପ୍ରସ୍ତାବକୁ ସରକାର ବିଚାର କରି ଦେଖିବେ। ଏହା ଯଦି ଗ୍ରହଣୀୟ ହୁଏ, ତାହେଲେ ତାହାର ନିର୍ମାଣ କରି ପରୀକ୍ଷାମୂଳକ ପ୍ରୟୋଗ ପାଇଁ ସମ୍ପୃକ୍ତ ପକ୍ଷଙ୍କୁ ଅନୁମତି ପ୍ରଦାନ କରାଯିବ। ଏହି ପ୍ରକ୍ରିୟାରେ ନିର୍ବାଚିତ ଅଂଶଗ୍ରହଣକାରୀଙ୍କୁ ପ୍ରତ୍ୟେକ ସ୍ତରରେ ଆକର୍ଷଣୀୟ ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଏହି ଯୋଜନା /କାର୍ଯ୍ୟକ୍ରମ ସମ୍ପର୍କରେ ଦେଶର ସବୁ କୃଷି ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଟେକ୍‌ନୋଲୋଜି ବିକାଶ କ୍ଷେତ୍ରରେ ଅଧିକରୁ ଅଧିକ ପକ୍ଷ ଯେପରି ସମ୍ପୃକ୍ତ ହୁଅନ୍ତି ସେଥିପାଇଁ ସରକାର ଉତ୍ସାହିତ କରୁଛନ୍ତି। ଆଗ୍ରହୀ ପକ୍ଷ ଏଥିପାଇଁ … ମାଧ୍ୟମରେ ନିଜର ପଞ୍ଜୀକରଣ କରିପାରିବେ।

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ ପ୍ରତିଦିନ ଖୋଲିଛି ୭ ନୂଆ ଷ୍ଟୋର, ଦେଇଛି ମୋଟ ୧.୫ ଲକ୍ଷ ନୂଆ ନିଯୁକ୍ତି 

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ର ଚମତ୍କାର ପ୍ରଦର୍ଶନ ଲଗାତାର ଜାରି ରହିଛି। କମ୍ପାନି ଗତ ଆର୍ଥିକ ବର୍ଷରେ ରେକର୍ଡ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି ଏବଂ ଏହା ସେତେବେଳେ ହୋଇଛି ଯେତେବେଳେ ସାରା ବିଶ୍ୱ କରୋନା ମହାମାରୀର ପ୍ରଭାବ ଦେଇ ଗତି କରୁଥିଲା। କମ୍ପାନି ପକ୍ଷରୁ ନିକଟରେ ଘୋଷିତ ଆର୍ଥିକ ଫଳାଫଳ ଅନୁଯାୟୀ, ରିଲାଏନ୍ସ ରିଟେଲ ର କର୍ମଚାରୀ ସଂଖ୍ୟା ୭୦ ପ୍ରତିଶତ ବଢ଼ି ୩ ଲକ୍ଷ ୬୧ ହଜାର ହୋଇଛି। ରିଟେଲ ଓ ଅନ୍ୟ ବ୍ୟବସାୟକୁ ମିଶାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨ ଲକ୍ଷ ୧୦ ହଜାର ନୂଆ ନିଯୁକ୍ତି ଦେଇଛି। କମ୍ପାନିର ଆର୍ଥିକ ଫଳାଫଳରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଉଲ୍ଲେଖନୀୟ ବିଷୟ ଏହା ଯେ ରିଲାଏନ୍ସ ରିଟେଲ ଯେଉଁ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ଦେଇଛି ସେଥିରୁ ଏକ ଲକ୍ଷ ନିଯୁକ୍ତି ଛୋଟ ଏବଂ ମଧ୍ୟମ ଧରଣର ସହରରେ ଦିଆଯାଇଛି। କମ୍ପାନିର ସୂଚନା ଅନୁଯାୟୀ, ଛୋଟ ଏବଂ ମଧ୍ୟମ ଧରଣର ସହରରେ ରିଟେଲ ନେଟୱାର୍କ ଦ୍ରୁତଗତିରେ ବଢ଼ିଥିବାରୁୁ ଏହି ନିଯୁକ୍ତି ଦିଆଯାଇପାରିଛି। ଷ୍ଟୋର ସମେତ ଏସବୁ ସହରରେ ଡିଜିଟାଲ ଏବଂ ନ୍ୟୁ କମର୍ସ ପ୍ଲାଟଫର୍ମର ଦ୍ରୁତ ସଂପ୍ରସାରଣ ହୋଇଛି।

ଗତ ଆର୍ଥିକ ବର୍ଷରେ ଆଶ୍ଚର୍ଯ୍ୟ କଲାଭଳି ଗତିରେ ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା ଖୋଲିଛି । କମ୍ପାନି ପ୍ରତିଦିନ ହାରାହାରି ୭ ନୂଆ ଷ୍ଟୋର ହିସାବରେ ମୋଟ ୨୫୦୦ରୁ ଅଧିକ ଷ୍ଟୋର ଖୋଲିଛି। କେବଳ ଗତ ତ୍ରୟମାସରେ କମ୍ପାନି ୭୯୩ ନୂଆ ଷ୍ଟୋର ଯୋଡ଼ିଛି। ଏଥିସହିତ କମ୍ପାନିର ମୋଟ ଷ୍ଟୋର ସଂଖ୍ୟା ୧୫ ହଜାର ଟପିଯାଇଛି। ଷ୍ଟୋର ଏବଂ ଡିଜିଟାଲ ପ୍ଲାଟଫର୍ମରେ ରିଲାଏନ୍ସ ରିଟେଲର ପଞ୍ଜୀକୃତ ଗ୍ରାହକଙ୍କ ସଂଖ୍ୟା ୧୯ କୋଟି ୩୦ ଲକ୍ଷରୁ ଅଧିକରେ ପହଂଚିଛି।

ରିଲାଏନ୍ସ ଷ୍ଟୋର ସଂଖ୍ୟା ୧୫ ହଜାରରେ ପହଂଚିିବା ଏବଂ ନୂଆ ନିଯୁକ୍ତି ନେଇ ଖୁସି ବ୍ୟକ୍ତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଚଳିତବର୍ଷ ମଧ୍ୟ ରିଲାଏନ୍ସ ଦେଶର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇଛି ଏବଂ ଭାରତରେ ସବୁଠୁ ଅଧିକ ନିଯୁକ୍ତି ପ୍ରଦାନ କରୁଥିବା କମ୍ପାନି ମଧ୍ୟରେ ଅନ୍ୟତମ ହୋଇପାରିଛି। ଗତ ଏକ ବର୍ଷ ମଧ୍ୟରେ ଆମେ ୨ ଲକ୍ଷ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଯୋଡ଼ି ପାରିଛୁ। ନୂଆ ନିଯୁକ୍ତି ସୃଷ୍ଟି କରିବାରେ ରିଟେଲ ଏବଂ ଟେକ୍ନୋଲୋଜି ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ନୂଆ ଷ୍ଟୋର ଖୋଲିବା ଏବଂ ନୂଆ ନିଯୁକ୍ତି ଦେବା ସହିତ ରିଲାଏନ୍ସ ରିଟେଲ ଚଳିତ ଆର୍ଥିକ ବର୍ଷରେ ଭଲ ଉପାର୍ଜନ ମଧ୍ୟ କରିଛି। ରିଟେଲ ବ୍ୟବସାୟରେ ମୋଟ ବାର୍ଷିକ ରାଜସ୍ୱ ପ୍ରାୟ ୨୦୦,୦୦୦ କୋଟି ଟଙ୍କା ରହିଛି। କମ୍ପାନିର ଆୟରେ ମଧ୍ୟ ବୃଦ୍ଧି ଘଟିଛି। ତ୍ରୟମାସିକ ଆଧାରରେ ୨୦୨୨ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସ ରିଟେଲର ଆୟ ବୃଦ୍ଧିପାଇ ୫୮,୦୧୯ କୋଟି ଟଙ୍କାରେ ପହଂଚିଛି। ଏହାର ପୂର୍ବ ତ୍ରୟମାସ ଅର୍ଥାତ୍ ୨୦୨୧ ଡିସେମ୍ବର ତ୍ରୟମାସରେ କମ୍ପାନିର ଆୟ ୫୭,୭୧୭ କୋଟି ଟଙ୍କା ରହିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲର ନେଟ୍ ଲାଭ ୭୦୫୫ କୋଟି ଟଙ୍କା ଏବଂ ଚତୁର୍ଥ ତ୍ରୟମାସର ନେଟ୍ ଲାଭ ୨୧୩୯ କୋଟି ଟଙ୍କା ରହିଛି।

Categories
ଆଜିର ଖବର ବ୍ୟବସାୟ

ଗତ ଆର୍ଥିକ ବର୍ଷ ପଣ୍ୟ ବୋଝେଇ ଠାରୁ ଅଧିକ ପରିବହନ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ଶେଷ ହେବାର 38 ଦିନ ପୂର୍ବରୁ ଅର୍ଥାତ୍ 1 ଏପ୍ରିଲ୍ 2021 ରୁ 21 ଫେବୃଆରୀ, 2022 ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇକୁ ଅତିକ୍ରମ କରିସାରିଛି। ନୂତନ ଭାବେ ଜୋନ୍ ଆରମ୍ଭ ହେବା ଦିନଠାରୁ ପୂର୍ବତଟ ରେଳପଥ କ୍ରମାଗତ ଭାବରେ ପୂର୍ବବର୍ଷ ତୁଳନାରେ ପଣ୍ୟ ବୋଝେଇରେ ବର୍ଦ୍ଧିତ ବୋଝେଇ ପ୍ରଦର୍ଶନ କରିଆସୁଅଛି।

ଏପ୍ରିଲ ପହିଲା 2021 ଠାରୁ 21 ଫେବୃଆରୀ, 2022 ସୁଦ୍ଧା ପୂର୍ବତଟ ରେଳପଥ 205.37 ନିୟୁତ ଟନ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ 204.90 ନିୟୁତ ଟନ ମାଲ ପରିବହନକୁ ଅତିକ୍ରମ କରି 0.23% ଅଭିବୃଦ୍ଧି ଆଣିପାରିଛି। ମୋଟାମୋଟି ଭାବେ ଗତ ଆର୍ଥିକ ବର୍ଷର ସମାନ ସମୟ ଅପେକ୍ଷା ପୂର୍ବତଟ ରେଳପଥ 15% ଅଧିକ ମାଲ ପରିବହନ କରିଛି।

ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ 116.10 ନିୟୁତ ଟନ କୋଇଲା, 7.29 ନିୟୁତ ଟନ ଷ୍ଟିଲ୍ ପ୍ଲାଣ୍ଟ ପାଇଁ କଞ୍ଚାମାଲ, 18.87 ନିୟୁତ ଟନ ଆଇରନ୍ ଆଣ୍ଡ ଷ୍ଟିଲ୍, 27.92 ନିୟୁତ ଟନ ଲୁହ ପଥର, 1.17 ନିୟୁତ ଟନ ସିମେଣ୍ଟ, 2.61 ନିୟୁତ ଟନ ଖାଦ୍ୟ ଶସ୍ୟ, 5.1 ନିୟୁତ ଟନ ଫର୍ଟିଲାଇଜର, 2.38 ନିୟୁତ ଟନ ଖଣିଜ ତୈଳ ଏବଂ 23.94 ନିୟୁତ ଟନ କଣ୍ଟେନରରେ ମାଲ ପରିବହନ ସାମଗ୍ରୀ ସହିତ ଅନ୍ୟାନ୍ୟ କାର୍ଗୋ ପରିବହନ। ଉପରୋକ୍ତ ପରିବହନ ଗୁଡିକରୁ, ପୂର୍ବତଟ ରେଳପଥ 20368.3 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷର ଅନୁରୂପ ସମୟ ତୁଳନାରେ 19.7% ବୃଦ୍ଧି ପଞ୍ଜିକରଣ କରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇବାକୁ ପୂର୍ବତଟ ରେଳପଥ ଦୈନିକ 9472 ୱାଗନ୍ ବ୍ୟବହାର ଯାହାକି ଯାହା ପ୍ରତିଦିନ ପ୍ରାୟ 174.6 ରେକ୍ (ମାଲବାହୀ ଟ୍ରେନ୍) ସହିତ ସମାନ।

ପୂର୍ବ ତଟ ରେଳବାଇର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ର ଉଲ୍ଲେଖନୀୟ ପ୍ରଦର୍ଶନ ହେତୁ ଏହା ସମ୍ଭବ ହୋଇପାରିଛି। 24 ଘଣ୍ଟିଆ ନିରନ୍ତର ଭାବେ ପରିଚାଳନା ସମୀକ୍ଷା ତଦାରଖ, ଉତ୍ସର୍ଗୀକୃତ ଏବଂ ଦୃଢ କାର୍ଯ୍ୟ ଶକ୍ତି ଏହି ପ୍ରଦର୍ଶନକୁ ହାସଲ କରିପାରିଛି।

କୋଭିଡ 19 ମହାମାରୀର ଆହ୍ୱାନ, ଲୁହାପଥର ରପ୍ତାନି ଏବଂ କୋଇଲାରେ ସଙ୍କଟ ଓ ଚାହିଦା ହ୍ରାସ ସତ୍ୱେ ପୂର୍ବତଟ ରେଳପଥ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଦେଶର ପାୱାର ହାଉସ ଉପରେ ଧ୍ୟାନ ଦେଇଛି ଯାହା ଦ୍ୱାରା ମହାମାରୀ ସମୟରେ ଆବଶ୍ୟକ ସେବାରେ ବାଧା ସୃଷ୍ଟି ହୋଇନପାରିବ। ଏହା ବ୍ୟତୀତ ପୂର୍ବତଟ ରେଳପଥ କୋଭିଡ ମହାମାରୀ ସମୟରେ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ 44 ଟି ଅମ୍ଳଜାନ ସ୍ପେଶାଲ ଟ୍ରେନର ଚଳାଚଳ କରାଇଅଛି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରେକର୍ଡ ଲାଭ ହାସଲ

ମୁମ୍ବାଇ / ଭୁବନେଶ୍ୱର: ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ରେକର୍ଡ ଆର୍ଥିକ ପ୍ରଦର୍ଶନ କରିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହି ତିନିମାସରେ କମ୍ପାନୀର ସମସ୍ତ ବ୍ୟବସାୟରେ ଦମ୍‌ଦାର ଅଭିବୃଦ୍ଧି ଘଟିଛି। କମ୍ପାନୀ ଏଯାବତ୍ ସର୍ବାଧିକ କନସୋଲିଡେଟେଡ ନେଟ୍ ଲାଭ ୨୦,୫୩୯ କୋଟି ଟଙ୍କା ଏବଂ ଇବିଆଇଟିଡିଏ ୩୩,୮୮୬ କୋଟି ଟଙ୍କା ଉପାର୍ଜନ କରିବା ସହିତ ଏହାର ରାଜସ୍ୱ ଆୟ ସର୍ବକାଳୀନ ସର୍ବାଧିକ ୨୦୯,୮୨୩ କୋଟି ଟଙ୍କା ରେ ପହଂଚିଛି। ଏହାର କ୍ରମାନ୍ୱୟ ଅଭିବୃଦ୍ଧିରେ ଓ-ଟୁ-ସି ଏବଂ ଇଆଣ୍ଡ୍‌ପି ବ୍ୟବସାୟର ସର୍ବବୃହତ ଅବଦାନ ରହିଥିବାବେଳେ ଉଭୟ ଜିଓ ଏବଂ ରିଟେଲ ବ୍ୟବସାୟ ମଜଭୁତ ଅଭିବୃଦ୍ଧି ହାସଲ କରି ଏପର୍ଯ୍ୟନ୍ତର ସର୍ବୋତମ ତ୍ର୍ରୟମାସିକ ଫଳାଫଳ ପ୍ରଦର୍ଶନ କରିଛନ୍ତି।

ରିଲାଏନ୍ସର ଓ-ଟୁ-ସି ବ୍ୟବସାୟ ପାରମ୍ପରିକ ଭାବରେ କମ୍ପାନୀର ମୋଟାମୋଟି ଲାଭରେ ସର୍ବବୃହତ ଅବଦାନ ରଖୁଥିବାବେଳେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପୁନରୁଦ୍ଧାର ଘଟିଛି ଏବଂ ଇବିଆଇଟିଡିଏ ଗତ ବର୍ଷ ସମାନ ସମୟ ତୁଳନାରେ ୩୮.୭ ପ୍ରତିଶତ ବଢିବା ସହ ୧୩,୫୩୦ କୋଟି ଟଙ୍କା (୧.୮ ବିଲିଅନ୍‌) କୁ ବୃଦ୍ଧିପାଇଛି ଓ ତାହା ମୁଖ୍ୟତଃ ଉନ୍ନତ ଟ୍ରାନ୍ସପୋର୍ଟେସନ ଫୁଏଲ କ୍ରାକ୍ସ, ଉଚ୍ଚତର ପଲିଏଷ୍ଟର ଚେନ୍ ଡେଲ୍‌ଟା ଏବଂ ଉଚ୍ଚତର ଉତ୍ପାଦନ ଯୋଗୁଁ ସମ୍ଭବ ହୋଇଛି।

କମ୍ପାନୀର ଇଆଣ୍ଡ୍‌ପି ବ୍ୟବସାୟ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଏବଂ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଏବଂ ଉନ୍ନତ ମୂଲ୍ୟ ନିର୍ଦ୍ଧାରଣ ବଳରେ ଏହାର ଇବିଆଇଟିଡିଏ ନୂତନ ଶିଖର ୨୦୩୩ କୋଟି ଟଙ୍କାରେ ପହଂଚିଛି। ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକରେ ଉତ୍ପାଦନ ଗତବର୍ଷ ତୁଳନାରେ ୮୭ ପ୍ରତିଶତ ବୃଦ୍ଧିପାଇ ୫୩.୩ ବିଲିୟନ୍ କ୍ୟୁବିକ୍ ଫୁଟ୍ ସମାନ୍ତର ହୋଇଥିବାବେଳେ ହାରାହାରି କେଜିଡି୬ ପ୍ରାକୃତିକ ଗ୍ୟାସ ମୂଲ୍ୟ ବର୍ଷକ ପୂର୍ବ ସମୟ ତୁଳନାରେ ୭୪ ପ୍ରତିଶତ ବୃଦ୍ଧି ପାଇଥିଲା।

ଜିଓ ପ୍ଲାଟଫର୍ମସ ଲିମିଟେଡ ଅଧୀନରେ କମ୍ପାନୀର ଡିଜିଟାଲ ବ୍ୟବସାୟ ମଧ୍ୟ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକରେ ଏହାର ସର୍ବୋତମ ପ୍ରଦର୍ଶନ ସ୍ତରରେ ପହଂଚିଥିଲା ଏବଂ ଏହାର ଇବିଆଇଟିଡିଏ ୧୦,୦୦୮ କୋଟି ଟଙ୍କା ରେ ପହଂଚିବା ସହିତ ସେଥିରେ ଗତବର୍ଷ ତୁଳନାରେ ୧୮.୧ ପ୍ରତିଶତ ବୃଦ୍ଧି ଘଟିଥିଲା। ଗ୍ରାହକ ସଂଖ୍ୟା ବୃଦ୍ଧି ଏବଂ ଗ୍ରାହକ ପିଛା ମାସିକ ରାଜସ୍ୱରେ ଉନ୍ନତି କାରଣରୁ ଇବିଆଇଟିଡିଏ ପରିମାଣରେ ତୀକ୍ଷ୍‌ଣ ୫୦୦+ ବିପିଏସ୍ ବୃଦ୍ଧି ସମ୍ଭବ ହୋଇଥିଲା।
ଆଲୋଚ୍ୟ ତ୍ରୟମାସିକରେ ଜିଓର ଗ୍ରାହକ ସଂଖ୍ୟା ୪୨୧ ନିୟୁତରେ ପହଂଚିଥିଲା, ଯେଉଁଥିରେ ପୂର୍ବ ବର୍ଷ ତୁଳନାରେ ୧୦ ନିୟୁତ ବୃଦ୍ଧି ଘଟିଥିଲା। ଉନ୍ନତ ମିଶ୍ରିତ ଗ୍ରାହକ ଆଧାର ଏବଂ ୨୦୨୧ ଡିସେମ୍ବର ୧ ତାରିଖରୁ ଶୁଳ୍କରେ ୨୦% ବୃଦ୍ଧି ବଳରେ ଗ୍ରାହକ ପିଛା ମାସିକ ହାରାହାରି ରାଜସ୍ୱ (ଏଆରପିୟୁ) ପୂର୍ବ ୧୬ଟି ତ୍ରୟମାସଠାରୁ ସର୍ବାଧିକ ୧୫୧.୬ ଟଙ୍କାକୁ ବୃଦ୍ଧିପାଇଛି।

ଜିଓର ଗ୍ରାହକ ନିୟୋଜନତାରେ ନିରନ୍ତର ଉନ୍ନତି ଘଟିବା ସହିତ ପ୍ରତି ବ୍ୟବହାରକାରୀ ପିଛା ପ୍ରତି ମାସରେ ହାରାହାରି ଡାଟା ଓ ଭଏସ୍ ବ୍ୟବହାର ୧୮.୪ ଜିବି ଏବଂ ୯୦୧ ମିନିଟକୁ ବୃଦ୍ଧିପାଇଛି, ଯେଉଁଥିରେ ଯଥାକ୍ରମେ ୪୨.୬% ଏବଂ ୧୩.୨% ଅଭିବୃଦ୍ଧି ଘଟିଛି। ଜିଓ ମଧ୍ୟ ଏହାର ଜିଓଫାଇବର ଅଧୀନରେ ଓୟାରଲାଇନ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୫ ନିୟୁତରେ ପହଂଚିଥିବା ଘୋଷଣା କରିଛି, ଯେଉଁଥିରେ ଦ୍ରୁତ ଅଭିବୃଦ୍ଧି ଘଟୁଛି।

ଜିଓ ୫ଜିର ପରୀକ୍ଷଣରେ ଅଗ୍ରଗତି ହାସଲ କରିଚାଲିଛି ଏବଂ ଦେଶରେ ପ୍ରାୟ ୧ହଜାର ଶୀର୍ଷ ସହରଗୁଡିକ ପାଇଁ ୫ଜି ସେବା ପ୍ରଚଳନ ଯୋଜନା ସମ୍ପୂର୍ଣ୍ଣ ହୋଇଛି। କମ୍ପାନୀ ସଂପ୍ରତି ଏହାର ୫ଜି ନେଟୱର୍କରେ ସ୍ୱାସ୍ଥ୍ୟସେବା ଏବଂ ଶିଳ୍ପକ୍ଷେତ୍ରର ଅଟୋମେସନ ନିମନ୍ତେ ଉନ୍ନତ ବ୍ୟବହାରର ପରୀକ୍ଷଣ କରୁଛି।

କୋଭିଡ ପ୍ରଭାବ ହ୍ରାସହୋଇ ପରିଚାଳନା ପରିବେଶ ସାମାନ୍ୟ ସ୍ୱାଭାବିକ ସ୍ଥିତିକୁ ଫେରିବା ପରେ ରିଲାଏନ୍ସ ରିଟେଲ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକରେ ଏଯାବତ୍ ସର୍ବାଧିକ ରାଜସ୍ୱ ଆୟ କରିଛି। ଷ୍ଟୋରଗୁଡିକରେ ସର୍ବାଧିକ ବିକ୍ରି ସହିତ ଡିଜିଟାଲ ଏବଂ ନୂଆ ବ୍ୟବସାୟରେ ନିରନ୍ତର ଅଭିବୃଦ୍ଧି ବଳରେ ସମସ୍ତ ଆହରଣ କ୍ଷେତ୍ରରେ ସର୍ବୋତମ ରାଜସ୍ୱ ଆୟ କରାଯାଇପାରିଛି।
ରିଲାଏନ୍ସ  ରିଟେଲର ମୋଟ ରାଜସ୍ୱ ଆୟ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ଗତବର୍ଷ ତୁଳନାରେ ୫୨.୫ ପ୍ରତିଶତ ବୃଦ୍ଧିପାଇ ୫୭,୭୧୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଇବିଆଇଟିଡିଏ ଗତବର୍ଷ ତୁଳନାରେ ୨୩.୮ ପ୍ରତିଶତ ବୃଦ୍ଧି ସହ ୩,୮୨୨ କୋଟି ଟଙ୍କାକୁ ବୃଦ୍ଧିପାଇଛି।

ରିଲାଏନ୍ସ ରିଟେଲ ତାହାର ଉପସ୍ଥିତି ସମ୍ପ୍ରସାରିତ କରିଚାଲିବା ସହିତ ୮୩୭ଟି ଷ୍ଟୋର ଯୋଗ କରିଛି ଏବଂ ଏଥିସହିତ ଏହାର ମୋଟ ଷ୍ଟୋର ସଂଖ୍ୟା ୧୪,୪୧୨ରେ ପହଞ୍ଚାଇଛି ଯାହା ୪୦ ନିୟୁତ ବର୍ଗଫୁଟ ପରିମିତ ସ୍ଥାନରେ ଅବସ୍ଥିତ। ଫିଜିକାଲ ରିଟେଲ ଭିତିିଭୂମି ସହିତ କମ୍ପାନୀ ମଧ୍ୟ ତାହାର ଡିଜିଟାଲ ଉପସ୍ଥିତିକୁ ମଜଭୁତ କରିଛି। କମ୍ପାନୀ ତା’ର ନୂତନ ବ୍ୟବସାୟ ପ୍ଲାଟଫର୍ମରେ ବ୍ୟବସାୟିକ ସହଯୋଗୀ କ୍ଷେତ୍ରରେ ପୂର୍ବବର୍ଷ ତୁଳନାରେ ଚାରିଗୁଣ ଅଭିବୃଦ୍ଧି ହାସଲ କରିଛି। ସେହି ସମୟରେ ଡିଜିଟାଲ ବ୍ୟବସାୟ ପ୍ଲାଟଫର୍ମରେ ଅର୍ଡର ଟିୟର-୨ ଅଥବା କ୍ଷୁଦ୍ର ସହରାଞ୍ଚଳରୁ ଦୁଇଗୁଣ ହୋଇଛି, ଯାହା ଡିଜିଟାଲ ବ୍ୟବସାୟ ଅର୍ଡରଗୁଡିକ ମଧ୍ୟରେ ୫୦%ରୁ ଅଧିକକୁ ପ୍ରତିନିଧିତ୍ୱ କରୁଛି।

ଏହି ତ୍ରୟମାସିକରେ ରିଲାଏନ୍ସ ଶେଲ୍ ଗ୍ୟାସ ବ୍ୟବସାୟରେ ଏହାର ଅବଶିଷ୍ଟ ଅଂଶକୁ ବିକ୍ରି କରିବା ଦ୍ୱାରା ଏଥିରୁ ଓହରି ଯାଇଛି, ଯେଉଁଥିରୁ ଏହାର ନେଟ୍ ଲାଭରେ ୨,୮୭୨ କୋଟି ଟଙ୍କାର ଲାଭ ମିଳିପାରିଛି।

୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ବ୍ୟବସାୟିକ ପ୍ରଦର୍ଶନ ସମ୍ପର୍କରେ ମତ ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ୍ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି.ଅମ୍ବାନି କହିଛନ୍ତି, “ରିଲାଏନ୍ସ ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକରେ ଆଉ ଏକ ଦମ୍‌ଦାର ପ୍ରଦର୍ଶନ କରିଥିବା ମୁଁ ଆନନ୍ଦର ସହିତ ଘୋଷଣା କରୁଛି। ଆମର ସମସ୍ତ ବ୍ୟବସାୟ କ୍ଷେତ୍ରରୁ ମଜଭୁତ ଅବଦାନ ସହିତ ଆମେ ରେକର୍ଡ ପରିଚାଳନାଗଗତ ଫଳାଫଳ ହାସଲ ପାରିଛୁ।”

“ଆମର ଡିଜିଟାଲ ସେବା ବ୍ୟବସାୟ ଉନ୍ନତ ଗ୍ରାହକ ନିୟୋଜନ ଏବଂ ମିଶ୍ରିତ ଗ୍ରାହକ ଆଧାରିକୁ ନେଇ ପରିବ୍ୟାପ୍ତ, ଦୀର୍ଘସ୍ଥାୟୀ ଏବଂ ଲାଭଜନକ ଅଭିବୃଦ୍ଧି ହାସଲ କରିପାରିଛି” ବୋଲି ସେ କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, “ରିଟେଲ ବ୍ୟବସାୟ କାର୍ଯ୍ୟକଳାପ ସ୍ୱାଭାବିକ ସ୍ଥିତିକୁ ଫେରିଛି ଏବଂ ପାର୍ବଣ ଋତୁ ସହିତ ଦେଶବ୍ୟାପୀ ତାଲାବନ୍ଦ କଟକଣା କୋହଳ କରାଯିବା କାରଣରୁ ପ୍ରମୁଖ ଉପଭୋକ୍ତା କ୍ଷେତ୍ରରେ ଦୃଢ ଅଭିବୃଦ୍ଧି ସାଧିତ ହୋଇଛି।”

“୨୦୩୫ ସୁଦ୍ଧା ନେଟ୍ ଶୂନ୍ୟ କାର୍ବନ କମ୍ପାନୀରେ ପରିଣତ ହେବାକୁ ଆମ ଲକ୍ଷ୍ୟ ହାସଲ ଦିଗରେ ଆମେ ନିରନ୍ତର ଅଗ୍ରଗତି କରୁଛୁ। ସୋଲାର ଏବଂ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ପ୍ରଯୁକ୍ତି ଦୃଷ୍ଟିରୁ ଅଗ୍ରଣୀ ସ୍ଥାନରେ ଥିବା କମ୍ପାନୀଗୁଡିକ ସହିତ ନିକଟରେ ଆମର ସହଭାଗିତା ଏବଂ ପୁଞ୍ଜିନିବେଶ ସ୍ୱଚ୍ଛ ଏବଂ ସବୁଜ ଶକ୍ତିକୁ ରୂପାନ୍ତରିତ ହେବା କ୍ଷେତ୍ରରେ ଭାରତ ଏବଂ ସମୁଦାୟ ବିଶ୍ୱ ସହିତ ସହଭାଗୀ ହେବା କ୍ଷେତ୍ରରେ ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ଆମେ ଅଭିବୃଦ୍ଧିମୂଳକ ପ୍ରୟାସ ଜାରି ରଖିଛୁ ଏବଂ ଆମର ଗ୍ରହ ପାଇଁ ଏକ ଅଧିକ ଦୀର୍ଘସ୍ଥାୟୀ ଭବିଷ୍ୟତ ମିଳିତ ଭାବରେ ବିକଶିତ କରିବାରେ ଆମ ସହିତ ସମାନ ଲକ୍ଷ୍ୟ ରଖୁଥିବା ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନୀଗୁଡିକ ସହିତ ମିଳିତ ଭାବରେ କାର୍ଯ୍ୟ କରୁଛୁ,” ବୋଲି ମୁକେଶ ଡି.ଅମ୍ବାନି କହିଛନ୍ତି।

ଏଥିସହିତ ସେ କହିଛନ୍ତି, “ଆମର ତୈଳ ଓ ଗ୍ୟାସ ବିଭାଗ ଉଲ୍ଲେଖନୀୟ ଲାଭ ଉପାର୍ଜନକାରୀ ହୋଇପାରିଛି, ପରିମାଣ କ୍ଷେତ୍ରରେ ଅଭିବୃଦ୍ଧି ସହିତ ସେଥିରୁ ଅଧିକ ଆୟ ମିଳିଛି।”

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆସନ୍ତା ବର୍ଷ ସମାପ୍ତ ହୋଇପାରେ ଇନ୍ଧନ ସବସିଡି: ସରକାରୀ ଭଣ୍ଡାର ଉପରେ ପଡୁଥିଲା ୧.୬୪ ଲକ୍ଷ କୋଟି ବୋଝ

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଇନ୍ଧନ ସବସିଡି ଶେଷ କରିପାରନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଇନ୍ଧନ ସବସିଡି ପାଇଁ ୧.୬୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ସମୟରେ ଏହି ଖର୍ଚ୍ଚ ୧୨,୨୩୧ କୋଟି ଟଙ୍କାକୁ ଖସି ଆସିଛି।

୨୦୧୨-୧୩ ମଧ୍ୟରେ ତୈଳ କମ୍ପାନୀଗୁଡିକ ସର୍ବାଧିକ ଅଣ୍ଡର-ରିକୋଭରୀ (ପେଟ୍ରୋଲିୟମ ଦ୍ରବ୍ୟ ବିକ୍ରିରେ କ୍ଷତି) ୧.୬୪ ଲକ୍ଷ କୋଟି ଟଙ୍କା ରିପୋର୍ଟ କରିଛନ୍ତି। ଏହା ପରେ ୟୁପିଏ ସରକାରଙ୍କୁ ୧.୦୩ ଲକ୍ଷ କୋଟି ଟଙ୍କା ଦେବାକୁ ପଡୁଥିବାବେଳେ ଅଶୋଧିତ ତୈଳ କମ୍ପାନୀଗୁଡ଼ିକୁ ୬୦ ହଜାର କୋଟି ଟଙ୍କା ଏବଂ ବାକି ୧୦୨୯ କୋଟି ଟଙ୍କା ଓଏମସି ଦ୍ଵାରା ବହନ କରିବାକୁ ପଡିଥିଲା।

୨୦୧୩-୧୪ ଆର୍ଥିକ ବର୍ଷରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଇନ୍ଧନ ସବସିଡି ବିଲ୍ ୧.୪୭ ଲକ୍ଷ କୋଟିରେ ପହଞ୍ଚିଥିଲା। ମୋଦୀ ସରକାର କରିଥିବା ପ୍ରଥମ କାର୍ଯ୍ୟ ମଧ୍ୟରୁ ଗୋଟିଏ ହେଲା ଅକ୍ଟୋବର ୧୯ ତାରିଖ ୨୦୧୪ ରୁ ଡିଜେଲର ମୂଲ୍ୟ ହ୍ରାସ କରିବା। ୨୦୧୪-୧୫ ରେ, ଗୋଟିଏ ଷ୍ଟ୍ରୋକରେ ଇନ୍ଧନ ସବସିଡି ପ୍ରାୟ ଅଧା ହ୍ରାସ ପାଇ ୭୭ ହଜାର ୭୩ କୋଟି ଟଙ୍କା ହୋଇଛି। ୭୭ ହଜାର ୭୩ କୋଟି ଟଙ୍କା ମଧ୍ୟରୁ ସରକାରକୁ ୩୨ ହଜାର ୬୭ କୋଟି ଟଙ୍କା ଦେବାକୁ ପଡୁଥିବା ବେଳେ ବାକି ଅଶୋଧିତ ତୈଳ କମ୍ପାନୀ ଏବଂ ଓଏମସି ବହନ କରିଥିଲେ।

ମନମୋହନ ସିଂ ସରକାର ୨୦୧୦ ପୂର୍ବରୁ ପେଟ୍ରୋଲର ମୂଲ୍ୟକୁ ନିୟନ୍ତ୍ରଣ ମୁକ୍ତ କରିଥିଲା, ତେଣୁ ପରବର୍ତ୍ତୀ ବର୍ଷରେ ଘରୋଇ ରନ୍ଧନ ଗ୍ୟାସ ଏବଂ କିରୋସିନ ପାଇଁ ନରେନ୍ଦ୍ର ମୋଦୀ ସରକାରଙ୍କୁ ସବସିଡି ବହନ କରିବାକୁ ପଡିଥିଲା।

ଡିଜେଲ ମୂଲ୍ୟ ହ୍ରାସ ପରେ, ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଅଣ-ପୁନରୁଦ୍ଧାର ଅଧାରୁ ଅଧିକ ହ୍ରାସ ପାଇ ୩୪ ହଜାର ୩୦୭ କୋଟିରେ ପହଞ୍ଚିଥିଲା। ୨୦୧୬-୧୭ ପାଇଁ ପୁନରୁଦ୍ଧାର ଅଧୀନରେ ୨୭ ହଜାର ୩୦୦ କୋଟି, ୨୦୧୭-୧୮ ପାଇଁ ୨୮ ହଜାର ୮୬୪ କୋଟି, ୨୦୧୮-୧୯ ପାଇଁ ୪୩ ହଜାର ୮୧୪ କୋଟି, ୨୦୧୯-୨୦ ପାଇଁ ୨୬ ହଜାର ୬୨୧ କୋଟି ଟଙ୍କା ଥିଲା।

ଏଲପିଜି ଉପରେ ସବସିଡିର ସ୍ଥିତି:

ସରକାରଙ୍କ ଅନୁଯାୟୀ, ମେ ୨୦୨୦ ରୁ ଦିଲ୍ଲୀ ଭଳି କେତେକ ବଜାରରେ ଏଲପିଜି ଗ୍ରାହକଙ୍କ ପାଇଁ ସବସିଡି ଶୂନ ରହିଛି। ଜୁନ୍ ଶେଷ ହୋଇଥିବା ପ୍ରଥମ ତ୍ରୟ ମାସିକରେ ସରକାର ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାତ୍ର ୩୩ କୋଟି ଟଙ୍କା ଏଲପିଜି ସବସିଡି ପଠାଇଛନ୍ତି। ଏହା ସୂଚିତ କରେ ଯେ, ଇନ୍ଧନ ସବସିଡି ବ୍ୟବସ୍ଥା ଶୀଘ୍ର ଶେଷ ହୋଇପାରେ। ସେହିଭଳି, ୨୦୧୯-୨୦ ରେ ପିଡିଏସ କିରୋସିନ ସବସିଡି ପରିମାଣ ୧୮୮୩ କୋଟି ଟଙ୍କା ଥିଲା, ଯାହା ୨୦୨୦-୨୧ ରେ ଶୂନ ହୋଇଗଲା।

ଏହା କୁହାଯାଇପାରେ ଯେ, ସରକାର ଇନ୍ଧନ ସବସିଡି ବ୍ୟବସ୍ଥା ହଟାଇବାକୁ ସକ୍ଷମ ଅଟନ୍ତି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ କିରୋସିନ ପାଇଁ ଗ୍ରାହକ ସର୍ବାଧିକ ମୂଲ୍ୟ ଦିଅନ୍ତି। ତେବେ ୟୁପିଏ ସରକାର ତୁଳନାରେ ଏନଡିଏ ଶାସନ ଅଧୀନରେ ଅଶୋଧିତ ତୈଳର ମୂଲ୍ୟ କମ୍ ରହିଥିଲା।

ୟୁପିଏ ଶାସନ କାଳରେ, ୨୦୧୧-୧୨ ରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୧ ଡଲାରରେ ଥିଲା। ୨୦୧୨-୧୩ ଏବଂ ୨୦୧୩-୧୪ ମଧ୍ୟରେ ମଧ୍ୟ ମୂଲ୍ୟ ୧୦୦ ଡଲାର ରୁ ଅଧିକ ରହିଲା। ୨୦୧୪-୧୫ ରେ ଏନଡିଏ ଶାସନ ସମୟରେ ଅଶୋଧିତ ତୈଳ ବ୍ୟାରେଲ ପିଛା ପ୍ରାୟ ୮୪ ଡଲାରକୁ ବୃଦ୍ଧି ପାଇଲା। ଏହା ପରେ ୨୦୧୫-୧୬ ରେ ବ୍ୟାରେଲ ୪୬ ଡଲାର, ୨୦୧୬-୧୭ ରେ ବ୍ୟାରେଲ ୪୭.୫ ଡଲାର, ୨୧୦୭-୧୮ ରେ ବ୍ୟାରେଲ ୫୬ ଡଲାର, ୨୦୧୮-୧୯ ରେ ବ୍ୟାରେଲ ୭୦ ଡଲାର, ୨୦୧୯-୨୦ ରେ ବ୍ୟାରେଲ ୬୦ ଡଲାର ଏବଂ ୨୦୧୬ ରେ ପ୍ରତି ବ୍ୟାରେଲ୍ ପିଛା ୪୫ ଡଲାରରେ ପହଞ୍ଚିଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ପ୍ରଥମ ତ୍ରୟମାସ ନିଟ୍ ଲାଭ ୪୫ ପ୍ରତିଶତ ବୃଦ୍ଧି ପାଇ ୩୬୫୧ କୋଟି ଟଙ୍କା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଟେଲିକମ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଚଳିତ ଆର୍ଥିକ ବର୍ଷର ୨୦୨୧ ଏପ୍ରିଲ୍‌ରୁ ଜୁନ୍ ପର୍ଯ୍ୟନ୍ତର ପ୍ରଥମ ତ୍ରୟମାସରେ ନିଟ୍ ଲାଭରେ ୪୪.୯% ବୃଦ୍ଧି ସହ ୩୬୫୧ କୋଟି ଟଙ୍କା ନିଟ୍ ଲାଭ ହାସଲ କରିଥିବା କଂପାନି ପକ୍ଷରୁ ଆଜି ଘୋଷଣା କରାଯାଇଥିବା ତ୍ରୟମାସିକ ଆର୍ଥିକ ଫଳାଫଳରୁ ଜଣାପଡ଼ିଛି। ଗତବର୍ଷର ପ୍ରଥମ ତ୍ରୟମାସରେ କଂପାନି ୨୫୧୯ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିଲା।

ଯୋଗାଯୋଗ (କନେକ୍ଟିଭିଟି) ବ୍ୟବସାୟରେ ଗ୍ରାହକ ଯୋଡ଼ି ହେବା ଜାରି ରହିଥିବାରୁ ଆଇୟୁସି ସମାୟୋଜିତ ୧୯% ଅଭିବୃଦ୍ଧି ସହ ତ୍ରୟମାସିକ ରାଜସ୍ୱ ୧୮,୯୫୨ କୋଟି ଟଙ୍କା (୨.୫ ବିଲିଅନ୍ ଡଲାର) ହୋଇଛି। ୨୦୨୧ ଜୁନ୍ ୩୦ ସୁଦ୍ଧା ଦେଶରେ ଜିଓର ମୋଟ ଗ୍ରାହକ ସଂଖ୍ୟା ୪୪ କୋଟିକୁ ବୃଦ୍ଧି ପାଇଛି। ଏହି ତ୍ରୟମାସରେ ଇବିଆଇଟିଡିଏ ୮୮୯୨ କୋଟି ଟଙ୍କା (୧.୨ ବିଲିଅନ ଡଲାର) ରହିଛି ଯାହା ଗତବର୍ଷର ପ୍ରଥମ ତ୍ରୟମାସ ଇବିଆଇଟିଡିଏ ତୁଳନାରେ ୨୧.୩% ଅଧିକ। ଏହି ତ୍ରୟମାସରେ ଗ୍ରାହକ ପିଛା ହାରାହାରି ରାଜସ୍ୱ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ୧୩୮.୪ ଟଙ୍କା ରହିଛି।

ଜିଓ ନେଟ୍‌ୱର୍କରେ ମୋଟ ଡାଟା ଟ୍ରାଫିକ୍ ୩୮.୫% ବୃଦ୍ଧି ପାଇଛି ଏବଂ ଏହି ତ୍ରୟମାସରେ ତାହା ୨୦.୩ ବିଲିଅନ ଜିବି ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ହାରାହାରି ଡାଟା ବ୍ୟବହାର ୧୫.୬ ଜିବିକୁ ବୃଦ୍ଧି ପାଇଥିବା ବେଳେ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ହାରାହାରି ଭଏସ୍ ଉପଯୋଗିତା ୮୧୮ ମିନିଟ୍ ରହିଛି। ଏହି ତ୍ରୟମାସରେ କୋଭିଡ୍ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଭାବକୁ ହ୍ରାସ କରିବା ଲାଗି ଜିଓ ତରଫରୁ ଅନେକ ଗ୍ରାହକ କୈନ୍ଦ୍ରୀକ ସେବା ଶୁଭାରମ୍ଭ କରାଯାଇଥିଲା ଯେଉଁଥିରେ ସାମିଲ ରହିଛି ଜିଓଫୋନ୍ ବ୍ୟବହାରକାରୀମାନଙ୍କ ଲାଗି ମାଗଣା ଅଫର, ଜରୁରୀକାଳୀନ ଡାଟା ଲୋନ, ହ୍ୱାଟସ୍‌ଆପ୍ ରିଚାର୍ଜ ସୁବିଧା ଏବଂ କୌଣସି ଦୈନିକ ସୀମା ନଥିବା ଫ୍ରିଡମ୍ ପ୍ଲାନ୍। କ୍ଷେତ୍ର ଭିତିରେ କାର୍ଯ୍ୟ କରିବାର ଆହ୍ୱାନ ରହିଥିବା ସତ୍ତ୍ୱେ ନିକଟ ମାସଗୁଡ଼ିକରେ ଗ୍ରାହକ ଯୋଡ଼ିବାରେ ଉନ୍ନତ ଧାରା ଜାରି ରହିଥିବାରୁ ଜିଓଫାଇବର୍‌ର ଏବେ ୩ ନିୟୁତରୁ ଅଧିକ ଘରକୁ ସଂଯୋଗ କରିପାରିଛି।

ଏହି ତ୍ରୟମାସିକ ଫଳାଫଳ ସମ୍ପର୍କରେ ମୁକେଶ ଧିରୁଭାଇି ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କହିଛନ୍ତି ଯେ, “କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁଁ ପରିଚାଳନା ପରିବେଶରେ ଅତ୍ୟଧିକ ଆହ୍ୱାନକୁ ସାମ୍ନା କରିବା ସତ୍ୱେ କଂପାନି ଦୃଢ଼ ଅଭିବୃଦ୍ଧି ପ୍ରଦାନ କରିଥିବାରୁ ମୁଁ ଆନନ୍ଦିତ। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ଫଳାଫଳ ରିଲାଏନ୍ସର ବିବିଧ ବ୍ୟବସାୟ ପୋର୍ଟଫୋଲିଓର ସବୁ ସମୟରେ ସହନଶୀଳତାକୁ ପ୍ରତିଫଳିତ କରୁଛି।

ଜିଓ ଟେଲିକମ୍ ଓ ଡିଜିଟାଲ୍ ଶିଳ୍ପର ଅଗ୍ରଣୀ ପରିଚାଳନା ସୂଚୀ ସହ ଆଉ ଏକ ରେକର୍ଡ ତ୍ରୟମାସ ପ୍ରଦର୍ଶନ କରିଛି। ମୁଁ ଜିଓ ପରିବାରର ବିଶ୍ୱସ୍ତ ଗ୍ରାହକମାନଙ୍କ ପ୍ରତି କୃତଜ୍ଞ ଯେଉଁମାନଙ୍କ ସଂଖ୍ୟା ଏହି ତ୍ରୟମାସରେ ଆହୁରି ବୃଦ୍ଧି ପାଇଛି, ଏବଂ ଯାହା ଭାରତର ଏକ ନମ୍ବର ଡିଜିଟାଲ୍ ସଂଯୋଗ ଓ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ସୁଦୃଢ଼ କରିଛି। ଉତ୍କୃଷ୍ଟ ସେବା ମାନର ସ୍ତରରେ ଉନ୍ନତି ଆଣିବା ଉପରେ ଆମର ନିରନ୍ତର ଗୁରୁତ୍ୱକୁ ସେମାନେ ପସନ୍ଦ କରୁଛନ୍ତି।

ଆମର ଓ୨ସି (ଅଏଲ୍ ଟୁ କେମିକାଲ୍ସ) ବ୍ୟବସାୟରେ ରହିଥିବା ସମନ୍ୱିତ ପୋର୍ଟଫୋଲିଓ ଓ ଉତ୍କୃଷ୍ଟ ଉତ୍ପାଦ ଉପସ୍ଥାପନ ଦକ୍ଷତା ଜରିଆରେ ଆମେ ଆୟ ଦୃଢ଼ କରିପାରିଛୁ। ଆମର ସହଯୋଗୀ ବିପି ସହିତ ଆମେ କେଜି ଡି୬ ରେ ସାଟେଲାଇଟ୍ କ୍ଲଷ୍ଟର କାର୍ଯ୍ୟକ୍ଷମ କରିଛୁ ଓ ଉତ୍ପାଦନରେ ବୃଦ୍ଧି ଜାରି ରଖି ଭାରତର ଗ୍ୟାସ୍ ଉତ୍ପାଦନକୁ ୨୦% ଅବଦାନ ପ୍ରଦାନ କରିଛୁ। ଦେଶର ଉଜ୍ୱର୍ା ସୁରକ୍ଷାରେ ଏହା ହେଉଛି ଏକ ପ୍ରମୁଖ ଯୋଗଦାନ।’’