Categories
ଆଜିର ଖବର ଜାତୀୟ ଖବର

ଜାନୁଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ସାଗର ପରିକ୍ରମା ପର୍ଯ୍ୟାୟ- XI

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ସାଗର ପରିକ୍ରମା ପର୍ଯ୍ୟାୟ – XI କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ ସହ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରଗତିଶୀଳ ମତ୍ସ୍ୟଜୀବୀ, ବିଶେଷକରି ଉପକୂଳ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀ, ଯୁବ ମତ୍ସ୍ୟ ଉଦ୍ୟୋଗୀ ଆଦି କିଷାନ କ୍ରେଡିଟ୍ କାର୍ଡ (କେସିସି) ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବେ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, କେସିସି ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ନିଆଯାଇଥିବା ସର୍ବୋତ୍ତମ ଅଭ୍ୟାସ ଓ ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ନିକଟରେ ବ୍ୟାପକ ଭାବେ ପହଞ୍ଚାଯିବ।

ସାଗର ପରିକ୍ରମା ଫେଜ୍- XI ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ଆୟୋଜିତ ହେବ । ଏହି ଅବସରରେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ, ଓଡ଼ିଶା ସରକାରଙ୍କ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ସର୍ବେକ୍ଷଣ ସଂସ୍ଥା, ମତ୍ସ୍ୟଜୀବୀ ସଂଘର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

ସାଗର ପରିକ୍ରମା ଯାତ୍ରାରେ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଂଶୀଦାରଙ୍କ ସହ ସମୀକ୍ଷା ବୈଠକ ଏବଂ ଆଲୋଚନା କରାଯାଇଥାଏ । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କେସିସି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଯାନ କରାଯିବ। ରାଜ୍ୟ ମତ୍ସ୍ୟ ଅଧିକାରୀ, ମତ୍ସ୍ୟଜୀବୀ ପ୍ରତିନିଧି, ମତ୍ସ୍ୟ ଚାଷୀ, ଉଦ୍ୟୋଗୀ, ମତ୍ସ୍ୟଜୀବୀ ସମବାୟ ସମିତିର ନେତା, ପେସାଦାର, ବୈଜ୍ଞାନିକ ଏବଂ ଦେଶର ବିଭିନ୍ନ ଅଂଶୀଦାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଓଡ଼ିଶାରେ ୪୮୦ କିଲୋମିଟର ସମୁଦ୍ର କୂଳ, ୨୪ ହଜାର କିଲୋମିଟର ମହାଦେଶୀୟ ସେଲ୍‌ଫ ଏରିଆ,୦.୦୧୭ ନିୟୁତ କିଲୋମିଟର  ସ୍ୱତନ୍ତ୍ର ଅର୍ଥନୈତିକ ଜୋନ, ୩୩ଟି ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା, ୫୭ ଟି ବରଫ କାରଖାନା ଏବଂ ୩ ଟି ମାଛ ଓ ଚିଙ୍ଗୁଡ଼ି ଖାଦ୍ୟ ମିଲ୍‌ସ ରହିଛି। ଓଡ଼ିଶାର ଜଳଜ ଜୈବ ବିବିଧତା ଏବଂ ମତ୍ସ୍ୟ ସମ୍ପଦ ୧୬ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କୁ ପୋଷଣ କରିଥାଏ ଏବଂ ବାଣିଜ୍ୟିକ ମାଛଚାଷ, ମାଛଚାଷ ସହ ଜଡ଼ିତ ଅତିରିକ୍ତ କାର୍ଯ୍ୟକଳାପକୁ ସମର୍ଥନ କରେ ।

“ସାଗର ପରିକ୍ରମା”ର ପ୍ରଥମ ପର୍ଯ୍ୟାୟ ଯାତ୍ରା ୫ ମାର୍ଚ୍ଚ ୨୦୨୨ରେ ଗୁଜରାଟର ମାଣ୍ଡଭିରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ସାଗର ପରିକ୍ରମାର ମୋଟ ୧୦ଟି ପର୍ଯ୍ୟାୟ ଉପକୂଳବର୍ତ୍ତୀ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ଗୁଜରାଟ, ଡାମନ ଏବଂ ଡିଉ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ଆଣ୍ଡାମାନ ଏବଂ ନିକୋବର, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ଅନ୍ତର୍ଭୁକ୍ତ ହୋଇଛି ।

ସାଗର ପରିକ୍ରମା ଲୋକଙ୍କ ଅସୁବିଧାକୁ ସ୍ୱୀକାର କରି ସେମାନଙ୍କ ଜୀବନଧାରଣ ମାନ ଏବଂ ଅର୍ଥନୈତିକ କଲ୍ୟାଣରେ ଉନ୍ନତି ଆଣିଥାଏ ଏବଂ ଏହା ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କ ଦ୍ୱାରରେ ଥିବା ସରକାରୀ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରିବାର ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଥାଏ । ସାଗର ପରିକ୍ରମା ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀଙ୍କ ସମସ୍ୟାର ସମାଧାନ ଏବଂ ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ), କିଷାନ କ୍ରେଡିଟ୍ କାର୍ଡ (କେସିସି) ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଆର୍ଥିକ ଉନ୍ନତିରେ ନିରନ୍ତର ସହଯୋଗ କରିବ ।

ମତ୍ସ୍ୟ ଚାଷ କ୍ଷେତ୍ରକୁ ଏକ ସୂର୍ଯ୍ୟୋଦୟ କ୍ଷେତ୍ର ଭାବରେ ବିବେଚନା କରାଯାଏ ଏବଂ ସମାଜର ଦୁର୍ବଳ ବର୍ଗର ଅର୍ଥନୈତିକ ସଶକ୍ତୀକରଣ ଦ୍ୱାରା ସମାନ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଆଣିବାର ପ୍ରଚୁର ସମ୍ଭାବନା ରହିଛି । ବିଶ୍ୱମାଛ ଉତ୍ପାଦନରେ ୮% ଅଂଶ ସହ ଭାରତ ତୃତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ, ୨ ବୃହତ୍ତମ ଜଳଚାଷ ଉତ୍ପାଦନକାରୀ, ବୃହତ୍ତମ ଚିଙ୍ଗୁଡ଼ି ଉତ୍ପାଦନକାରୀ ଏବଂ ବିଶ୍ୱର ଚତୁର୍ଥ ବୃହତ୍ତମ ଶୀର୍ଷ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ।

ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ସମୁଦାୟ ଏବଂ ଅଂଶୀଦାରମାନଙ୍କ ସହ ଯୋଗାଯୋଗ କରି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ମତ୍ସ୍ୟ ସମ୍ବନ୍ଧୀୟ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରସାର କରିବା ଏବଂ ମତ୍ସ୍ୟଜୀବୀଙ୍କ ସମସ୍ୟା ବୁଝିବା ସାଗର ପରିକ୍ରମାର ଉଦ୍ଦେଶ୍ୟ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଅକ୍ଟୋବରରେ ଓଡ଼ିଶାରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ରାଜ୍ୟରେ ସର୍ବାଧିକ ପସନ୍ଦର ଏବଂ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଆଧିପତ୍ୟ ବଜାୟ ରଖି ଅକ୍ଟୋବର ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଲଗାତାର ଦ୍ୱିତୀୟ ମାସ ପାଇଁ ଜିଓ ଏକମାତ୍ର ସେବା ପ୍ରଦାନକାରୀ ଭାବେ ଓଡ଼ିଶାରେ ନୂଆ ମୋବାଇଲ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍‌, ବିଏସ୍‌ଏନ୍‌ଏଲ୍ ଓ ଭୋଡାଫୋନ୍ ଆଇଡିଆ (ୱି) ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ବୁଧବାର ପ୍ରକାଶିତ ଏହି ତଥ୍ୟରୁ ଜଣାପଡ଼ିଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ଅକ୍ଟୋବର ମାସରେ ଜିଓ ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି । ଏହା ସହିତ ୨୦୨୩ ଅକ୍ଟୋବର ୩୧ ସୁଦ୍ଧା ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୧.୪୭ କୋଟିରେ ପହଞ୍ଚିଛି । ଅକ୍ଟୋବରରେ ଓଡ଼ିଶାରେ ଟେଲିକମ୍ ଗ୍ରାହକ ସଂଖ୍ୟାରେ ୧.୪୯ ଲକ୍ଷ ବୃଦ୍ଧି ଫଳରେ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଅକ୍ଟୋବର ଶେଷ ସୁଦ୍ଧା ୩.୩୩ କୋଟିକୁ ବୃଦ୍ଧି ହୋଇଛି । ଜିଓ କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ୨୦୨୩ର ପ୍ରଥମ ୧୦ ମାସରେ ୭.୩୫ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ି ଓଡ଼ିଶା ଟେଲିକମ୍ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି ।

ଜିଓ ଜାତୀୟ ସ୍ତରରେ ମଧ୍ୟ ଅକ୍ଟୋବରରେ ସର୍ବାଧିକ ୩୧.୫୯ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି । ଏଥିସହିତ ଦେଶରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୫.୨୩ କୋଟିକୁ ବୃଦ୍ଧି ପାଇଛି ଏବଂ କଂପାନି ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୪୪% ଗ୍ରାହକ ବଜାର ଅଂଶ ଏବଂ ଶିଳ୍ପରେ ସର୍ବାଧିକ ୫୨% ରାଜସ୍ୱ ବଜାର ଅଂଶ ସହିତ ଓଡ଼ିଶାର ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି । ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଏହାର ଟ୍ରୁ-୫ଜି ନେଟୱାର୍କ ଏବଂ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓଫାଇବରକୁ ସାରା ଓଡ଼ିଶାରେ ଦ୍ରୁତ ଗତିରେ ବିସ୍ତାର କରୁଛି ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟ୍‌ୱାର୍କ ଉପସ୍ଥିତି ସୁନିଶ୍ଚିତ କରିବାରେ ପ୍ରଥମ ଟେଲିକମ୍ ଅପରେଟର ହୋଇଛି ।

ଜିଓ ନିକଟରେ ଓଡ଼ିଶାରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ହୋମ୍ ମନୋରଞ୍ଜନ, ସ୍ମାର୍ଟ ହୋମ୍ ସେବା ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ପାଇଁ ଜିଓ ଏୟାରଫାଇବର ସେବାର ଶୁଭାରମ୍ଭ କରିଛି । ଜିଓ ଏୟାରଫାଇବର ଦୂରଦୂରାନ୍ତ ସଂଯୋଗର ଆହ୍ୱାନକୁ ଦୂର କରିବାରେ ସହାୟକ ହୋଇଛି ଏବଂ ପ୍ରତ୍ୟେକ ଘର ଏବଂ କ୍ଷୁଦ୍ର ବ୍ୟବସାୟକୁ ସଂଯୋଗ ପ୍ରଦାନ କରିବାରେ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଅପ୍ଟିକାଲ-ଫାଇବରକୁ ନିଜ ପରିସର ପର୍ଯ୍ୟନ୍ତ ଆଣିବାରେ ଜଟିଳତା ଏବଂ ବିଳମ୍ବ ଯୋଗୁଁ ଯେଉଁ ଗ୍ରାହକମାନଙ୍କ ପାଖରେ ପୂର୍ବରୁ ଗୁଣାତ୍ମକ ହୋମ୍ ବ୍ରଡବ୍ୟାଣ୍ଡର ସୁବିଧା ପହଞ୍ଚିପାରୁନଥିଲା ସେମାନେ ଜିଓ ଏୟାରଫାଇବର ଦ୍ୱାରା ଉପକୃତ ହୋଇଛନ୍ତି । ଜିଓ ଏୟାରଫାଇବର ଏବେ ଭୁବନେଶ୍ୱର ଏବଂ କଟକ ଟୁଇନ ସିଟିରେ ଉପଲବ୍ଧ ହେଉଛି । ଉଭୟ ସହରର ସମସ୍ତ ଘର ଏବଂ ବ୍ୟବସାୟ ବର୍ତ୍ତମାନ ଏକ ସମନ୍ୱିତ ସେବା ମାଧ୍ୟମରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଘରୋଇ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅଭିଜ୍ଞତା ଉପଭୋଗ କରିବାର ସୁଯୋଗ ଲାଭ କରିଛନ୍ତି ।

Categories
ବିଶେଷ ଖବର

କଂଗ୍ରେସର ଭାରତ ଯୋଡୋ ନ୍ୟାୟଯାତ୍ରା: ଓଡ଼ିଶାରେ ୩୪୧ କିମି, ୪ ଜିଲ୍ଲା ଓ ୪ ଦିନ ଚାଲିବ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଅର୍ଥାତ୍ କ୍ଷମତା ପାଇଁ ଚୂଡ଼ାନ୍ତ ମୁକାବିଲା ପୂର୍ବରୁ କଂଗ୍ରେସ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କରିବାକୁ ଯାଉଛି। କଂଗ୍ରେସର ଏହି ଯାତ୍ରା ୬୭୦୦ କିଲୋମିଟର। ଏହା ଭାରତ ଯୋଡ଼ୋ ଯାତ୍ରାଠାରୁ ଅଧିକ ଦୂରତା ଅତିକ୍ରମ କରିବ। ୬୭ ଦିନ ଧରି ୧୧୦ଟି ଜିଲ୍ଲା, ୧୦୦ଟି ଲୋକସଭା ଆସନ ଓ ୩୩୭ଟି ବିଧାନସଭା ଆସନରେ ଏହି ଯାତ୍ରା ଚାଲିବ। ଏହି ପଦଯାତ୍ରା ଜାନୁଆରୀ ୧୪ରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ରେ ମୁମ୍ବାଇରେ ଶେଷ ହେବ । ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମଗ୍ର ରୁଟ୍ ମ୍ୟାପ୍ ବୁଝାଇଛନ୍ତି।
ଏହି ଯାତ୍ରା ସମୟରେ ଓଡ଼ିଶାରେ ୩୪୧ କିମି ଅତିକ୍ରମ କରିବ। ଏହି ଯାତ୍ରା ଓଡ଼ିଶାର ୪ଟି ଜିଲ୍ଲାରେ ୪ ଦିନ ଧରି ଚାଲିବ। ଉତ୍ତରପ୍ରଦେଶର ସର୍ବାଧିକ ୨୦ଟି ଜିଲ୍ଲାକୁ ସାମିଲ କରାଯିବ। ୟୁପିରେ କଂଗ୍ରେସର ପ୍ରଦର୍ଶନ ସବୁଠାରୁ ଖରାପ ରହିଛି।

‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ର ନାମକରଣ କରାଯିବ

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ କଂଗ୍ରେସ ଦଳର ରାଜ୍ୟ ସଭାପତି ଏବଂ ସିଏଲପି ନେତାମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଏବଂ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ରାହୁଲ ଗାନ୍ଧିଙ୍କଦ୍ୱାରା କରାଯାଉଥିବା ଯାତ୍ରା ବିଷୟରେ ଆଲୋଚନା କରାଯାଇଥିଲା। ଆଜିର ବୈଠକରେ କଂଗ୍ରେସ ସଭାପତି ଖଡଗେ ଏବଂ ସମସ୍ତ ନେତା ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ ଏହି ଯାତ୍ରାର ନାମ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ରହିବ। ଏହି ଯାତ୍ରା ସାହାଯ୍ୟରେ ସାରାଦେଶରେ ଭାରତ ଯୋଡ଼ୋ ଯାତ୍ରା ଦେଇଥିବା ବାର୍ତା୍ୱକୁ ଆମେ ଆଗକୁ ନେବୁ। ଏହି ଯାତ୍ରାରେ ରାହୁଲ ଗାନ୍ଧୀ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ଉପରେ ନିଜର ମତ ଜନସାଧାରଣଙ୍କ ସମ୍ମୁଖରେ ରଖିବେ।

ଜୟରାମ ରମେଶ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୪୦୦୦ କିଲୋମିଟର ନିର୍ମାଣ କରାଯାଇଥିଲା। ଦୀର୍ଘ ଦିନ ଧରି ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ବାହାରିଥିଲା। ଭାରତ ଯୋଡ଼ୋ ଯାତ୍ରା ସମଗ୍ର ଦେଶର ବାତାବରଣକୁ ବଦଳାଇ ଦେଇଥିଲା ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂତନ ଶକ୍ତି ସୃଷ୍ଟି କରିଥିଲା। ଏହି ଗସ୍ତ ଦଳ ଓ ଦେଶର ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ବୈଠକରେ କଂଗ୍ରେସ ଦଳର ସମସ୍ତ ନେତା ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ବୋଲି ରମେଶ କହିଛନ୍ତି। ସେମାନେ ମଧ୍ୟ ଆମ ସହ ଇମ୍ଫାଲରେ ରହିବେ। ଖୁବଶୀଘ୍ର ଆପଣଙ୍କୁ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ର ଥିମ୍ ମିଳିବ। ଭାରତ ଯୋଡ଼ୋ ଯାତ୍ରା ଯେପରି ଦେଶ ପାଇଁ ପ୍ରଭାବଶାଳୀ ଥିଲା, ସେହିଭଳି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମଧ୍ୟ ଆମ ଦେଶ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ।

ଭାରତ ଯୋଡୋ ନ୍ୟାୟ ଯାତ୍ରାର ରୁଟ୍ ମ୍ୟାପ୍
ମଣିପୁରରୁ ମୁମ୍ବାଇ (ଜାନୁଆରୀ ୧୪-ମାର୍ଚ୍ଚ ୨୦)

ମଣିପୁର ୧୦୭ କିମି ୪ ଜିଲ୍ଲା
ନାଗାଲାଣ୍ଡ ୨୫୭ କିଲୋମିଟର ୫ ଜିଲ୍ଲା
ଆସାମ ୮୩୩ କିଲୋମିଟର ୧୭ ଜିଲ୍ଲା
ଅରୁଣାଚଳ ପ୍ରଦେଶ ୫୫ କିଲୋମିଟର ୧ ଜିଲ୍ଲା
ମେଘାଳୟ ୫ କିଲୋମିଟର ୧ ଜିଲ୍ଲା
ପଶ୍ଚିମବଙ୍ଗ ୫୨୩ କିଲୋମିଟର ୭ ଜିଲ୍ଲା
ବିହାର ୪୨୫ କିଲୋମିଟର ୭ ଜିଲ୍ଲା
ଝାଡ଼ଖଣ୍ଡ ୮୦୪ କିମି ୧୩ ଜିଲ୍ଲା
ଓଡ଼ିଶା ୩୪୧ କିମି ୪ ଜିଲ୍ଲା
ଛତିଶଗଡ଼ ୫୩୬ କିଲୋମିଟର ୭ ଜିଲ୍ଲା
ଉତ୍ତରପ୍ରଦେଶ ୧,୦୭୪ କିଲୋମିଟର ୨୦ ଜିଲ୍ଲା
ମଧ୍ୟପ୍ରଦେଶ ୬୯୮ କିଲୋମିଟର ୯ ଜିଲ୍ଲା
ରାଜସ୍ଥାନ ୧୨୮ କିମି ୨ ଜିଲ୍ଲା
ଗୁଜରାଟ ୪୪୫ କିଲୋମିଟର ୭ ଜିଲ୍ଲା
ମହାରାଷ୍ଟ୍ର ୪୮୦ କିଲୋମିଟର ୬ ଜିଲ୍ଲା

ଯାତ୍ରା ଦୂରତା: ୬,୭୦୦ କି.ମି. ୬୭ ଦିନରୁ ଅଧିକ, ୧୧୦ ଜିଲ୍ଲା, ୧୦୦ ଲୋକସଭା,  ୩୩୭ ବିଧାନସଭା ଅତିକ୍ରମ କରିବ ବୋଲି ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କମ୍ୟୁନିଟି ରେଡିଓର ନିର୍ଦ୍ଦେଶିକା ରାଜ୍ୟ କମ୍ୟୁନିଟି ରେଡ଼ିଓ ସଂଘର ଉପସଭାପତି ମନୋନୀତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ନିର୍ଦ୍ଦେଶିକା ହନୀ ପଟ୍ଟନାୟକ ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି।

ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ଅନୁମୋଦନ କ୍ରମେ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ସଂଘ ଗଠନ ହୋଇଥିବା ବେଳେ ନୟାଗଡ ଜିଲ୍ଲାର ଦଶପଲ୍ଲା ସ୍ଥିତ ‘ରେଡିଓ ସୁରଭି’ ର ମୁଖ୍ୟ ଶିଶିର କୁମାର ଦାସଙ୍କୁ ରାଜ୍ୟ ସଭାପତି, ‘ରେଡିଓ ଉତ୍କଳ’ର ମୁଖ୍ୟ ଅମିୟ ଭୂଷଣ ବିଶ୍ୱାଳଙ୍କୁ ସମ୍ପାଦକ, ‘ରେଡିଓ ମୁସ୍କାନ’ ର ଧନେଶ୍ୱର ସାହୁଙ୍କୁ କୋଷାଧ୍ୟକ୍ଷ, ‘ସୋଆ କମ୍ୟୁନିଟି ରେଡିଓ’ ର ନିର୍ଦ୍ଦେଶିକା ହନି ପଟ୍ଟନାୟକଙ୍କୁ ଉପସଭାପତି ଓ ‘ରେଡିଓ ବାଘାଯତୀନ’ର ମିନତି ବିନ୍ଧାଣିଙ୍କୁ ସହ-ସମ୍ପାଦକ ଭାବେ ମନୋନୀତ କରାଯାଇଛି।

ଏ ନେଇ ନିକଟରେ ଅନୁଷ୍ଠିତ ସଂଘର ଜାତୀୟ ଉପ-ସଭାପତି ପ୍ରଦୀପ୍ତ ଦତଙ୍କ ଅଧ୍ୟକ୍ଷତାରେ ସଭାରେ ଓଡିଶାର ସମସ୍ତ କମ୍ୟୁନିଟି ରେଡିଓ ସଭ୍ୟମାନେ ଉପସ୍ଥିତ ଥିଲେ।

ଏହା ଛଡ଼ା ରାଜ୍ୟର ବିଭିନ୍ନ ଅଂଚଳର କମ୍ୟୁନିଟି ରେଡିଓ ମୁଖ୍ୟ ବିକାଶ ମହାପାତ୍ର, ସୁଜିତ ପଟ୍ଟନାୟକ, ପ୍ରଭାସ ସାମନ୍ତରାୟ, ସୌମ୍ୟ ରଂଜନ ନାୟକ, ପ୍ରତାପ ବାରିକ ଓ ଲିଙ୍ଗରାଜ ସାମନ୍ତରାୟଙ୍କୁ ସଭ୍ୟ ଭାବେ ଚୟନ କରାଯାଇଛି। ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟରେ ବର୍ତମାନ ମୋଟ ୩୭ଟି କମ୍ୟୁନିଟି ରେଡିଓ କାର୍ଯ୍ୟ କରୁଛି।

Categories
ଜାତୀୟ ଖବର ରାଜ୍ୟ ଖବର

ସମ୍ବଲପୁରରେ ୩ଟି କୌଶଳ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ଇଂରାଜୀ ନବବର୍ଷର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଯୁବବର୍ଗଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ସହ ସେମାନଙ୍କୁ ଦକ୍ଷତା ବଢାଇବା ଲକ୍ଷ୍ୟରେ ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଗୋଶାଳା ଛକରୁ ଏନଏସଡିସି ଦ୍ୱାରା ୩ଟି ଅତ୍ୟାଧୁନିକ କୌଶଳ ରଥ (Skills on Wheels)ର ଶୁଭାରମ୍ଭ କରିଛନ୍ତି। ଏ ରଥ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଡ଼ିବ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ଦେଖିଥିବା ବେଳେ ଦେଶ ପ୍ରଗତିର ପଥରେ ଅଗ୍ରସର ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂର ଚାହିଦା ବଢୁଛି। ମୋଦି ସରକାରରେ ଦେଶରେ ଡିଜିଟାଲ କାରବାରର ନୂଆ ରୂପରେଖ ପରିବର୍ତ୍ତନ ହୋଇଛି। ବିଶ୍ୱର ଉତ୍ପାଦନର କାରଖାନା ଭାରତ ହେବା ପାଇଁ ଯାଉଛି। ଭାରତର ଯୁବଶକ୍ତିଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କୁ ଦକ୍ଷ କରିବା ପାଇଁ ପଡିବ। ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଶୁଭାରମ୍ଭ ହୋଇଥିବା ରଥ ସମ୍ବଲପୁର ସମେତ ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଯିବ। ନିର୍ଦ୍ଦିଷ୍ଟ ସମୟ ଅବଧିରେ ପଞ୍ଜିକରଣ କରିଥିବା ଯୁବକ ଯୁବତୀ ମାନଙ୍କୁ ଟ୍ରେନିଂ ଦିଆଯିବ। ଆତ୍ମନିର୍ଭର ହେବା ପାଇଁ ଉଦ୍ୟମିତାର ପ୍ରଶିକ୍ଷଣ ଦିଆଯିବ। ଗାଁ ବିଶେଷ ଭାବରେ ଗରିବ ଯୁବକ ଯୁବତୀ ମାନଙ୍କ ଦକ୍ଷତା ବଢାଇବା ଦିଗରେ ଏହି ରଥ କାମ କରିବ।

ଆଗାମୀ ଦିନର ପରିବର୍ତ୍ତିତ ଦୁନିଆରେ ନୂତନ ଟେକ୍ନୋଲୋଜି ଓ ସ୍କିଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଅତ୍ୟାଧୁନିକ ଉପକରଣରେ ସୁସଜ୍ଜିତ ଏହି ସ୍କିଲ୍ ରଥ ଯୁବବର୍ଗଙ୍କୁ ବହୁତ ଲାଭ ଦେବ। କମ ସମୟ ମଧ୍ୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନାରେ ସ୍କିଲ୍ ଇଣ୍ଡିଆ ମିଶନକୁ ବଡ ଗତି ଦେବ। ଯେଉଁ ସମୟରେ ୨ କୋଟି ଲକ୍ଷପତି ଓ ନମୋ ଡ୍ରୋନ୍ ଦିଦି ଦେଶରେ ମହିଳାଙ୍କୁ ସଶକ୍ତିକରଣ କରିବାର ନୂଆ ପଥ ଦେଖାଇଛି, ସେହି ସମୟରେ ଏହି ରଥ ସ୍ଥାନୀୟ ଗ୍ରାମୀଣ ଯୁବକ ଯୁବତୀ, ବିଶେଷ କରି ଝିଅ ଓ ମହିଳାମାନଙ୍କୁ ଡିଜିଟାଲ ଦକ୍ଷତା ତାଲିମ୍ ଦେଇ ସଶକ୍ତ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ହୈ ତ ମୁମକିନ୍ ହୈ। ଏହି ଦକ୍ଷତା ରଥ ଆମ ଯୁବପିଢ଼ିଙ୍କୁ କୁଶଳ କରିବା ଭଳି ସମସ୍ତ ସୂଚନା ପ୍ରଦାନ କରିବ। ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅତ୍ୟାଧୁନିକ କୌଶଳ ରଥ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ। ଏହା ଯୁବବର୍ଗଙ୍କ ପାଇଁ ଆର୍ଥିକ ସାକ୍ଷରତା, ଡିଜିଟାଲ ସାକ୍ଷରତା, ରିଟେଲ ଦକ୍ଷତା ଏବଂ ଉଦ୍ୟମିତା ଆଦିର ଏକ ବଡ଼ ପ୍ଲାଟଫର୍ମ ଭାବେ କାମ କରିବ। ଏହି କୌଶଳ ରଥ ଉପକ୍ରମ ଯୁବ ସଶକ୍ତୀକରଣ ପ୍ରତି ମୋଦି ଗ୍ୟାରେଣ୍ଟିର ସବୁଠୁ ବଡ଼ ପ୍ରମାଣ। ଆଗାମୀ ଦିନରେ ଗାଁ ଗାଁରେ ଏଭଳି ରଥ ଚଳାଇବାର ଯୋଜନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଛକରେ ଜି.ଚିନି ରାଓ ବାବୁଙ୍କ ଦୋକାନରେ ଚା’ ପିଇବା ସହ ଡିଜିଟାଲ କାରବାରକୁ କଲେ ପ୍ରଶଂସା କରିଥିଲେ। ମୋଦି ସରକାରରେ ଭାରତ ଡିଜିଟାଲ କାରବାରରେ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସହ ଜୀବନଶୈଳୀ ସହଜ କରିଥିବା ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗାଁ ଠୁ ସହର ପର୍ଯ୍ୟନ୍ତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବଢ଼ୁଛି ଜନଭାଗିଦାରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ସହ ସାରା ଦେଶରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହିତ ଆଗେଇ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ନେଇ ଓଡ଼ିଶାରେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାର ସହରାଞ୍ଚଳରେ ବିଭିନ୍ନ ୱାର୍ଡ ଏବଂ ଗ୍ରାମାଞ୍ଚଳର ପଞ୍ଚାୟତରେ ସଂକଳ୍ପଯାତ୍ରାର ସଚେତନତା ରଥକୁ ଭବ୍ୟ ସ୍ୱାଗତ କରାଯାଉଛି। ଖୁବଶୀଘ୍ର ଯାତ୍ରାରେ ଓଡ଼ିଶାର ୧ କୋଟିରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯାତ୍ରା ରହଣୀ ସ୍ଥଳରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି।

ଏଥିସହିତ ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କର ପଞ୍ଜୀକରଣ ମଧ୍ୟ କରାଯାଉଛି। ଘର ପାଖରେ ସରକାରୀ ଯୋଜନାର ଲାଭ ପାଇବାର ସୁବିଧା ପହଞ୍ଚି ଥିବାରୁ ଓଡ଼ିଶାର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳ ୱାର୍ଡରେ ସ୍ଥାନୀୟ ମହିଳା ଓ ପୁରୁଷମାନେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପାରମ୍ପରିକ ଢଙ୍ଗରେ, ଘଣ୍ଟଘଣ୍ଟା, ହୁଳହୁଳି ଓ ବାଦ୍ୟ ବଜାଇ ସ୍ୱାଗତ କରୁଥିବା ଦେଖାଯାଇଛି। କିଛି ସ୍ଥାନରେ ଲୋକମାନେ ଗାଁ ବାହାରକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପାଛୋଟି ଆଣୁଛନ୍ତି। ନିକଟରେ ଏହାର ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତରେ। ପଞ୍ଚାୟତକୁ ଯିବା ପାଇଁ ଝୁଲା ପୋଲ ପାର ହେବାକୁ ପଡ଼ୁଥିବା କାରଣରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ସେଠାକୁ ଯାଇପାରିନଥିଲା। ଏଥିପାଇଁ ସ୍ଥାନୀୟ ଲୋକ ଓ ମହିଳାମାନେ ୨ କିଲୋମିଟର ରାସ୍ତା ଅତିକ୍ରମ କରି ଆସି ସଂକଳ୍ପ ଯାତ୍ରା ଗାଡ଼ି ପାଖରେ ପହଞ୍ଚି ଥିଲେ।

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଂକଳ୍ପ ଯାତ୍ରା ରଥ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସଚେତନତା ବାହନରେ ଲାଗିଥିବା ଏଲଇଡି ସ୍କ୍ରିନ୍‌ରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସାରଣ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ଯୋଜନାର ନୋଡାଲ ଅଧିକାରୀ, ବ୍ୟାଙ୍କ ଓ ଡାକ ବିଭାଗର କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, କୃଷି ବିଭାଗ କର୍ମଚାରୀମାନେ ଯାତ୍ରା ରହଣୀ ସ୍ଥଳରେ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରୁଛନ୍ତି । ଘର ପାଖରେ ମୌଳିକ ସୁବିଧାସୁଯୋଗ ପାଇବାର ଅବସର ଜୁଟିଥିବାରୁ ଯାତ୍ରାରେ ଅଧିକରୁ ଅଧିକ ଲୋକଙ୍କ ଭାଗିଦାରୀ ଦେଖିବାକୁ ମିଳୁଛି । ସଂକଳ୍ପ ଯାତ୍ରାର ସଚେତନତା ରଥ ଗୋଟିଏ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ଯିବା ସହିତ କେନ୍ଦ୍ର ସରକାରଙ୍କ ପିଏମ ଆବାସ, ଉଜ୍ଜ୍ୱଳା, ବୀମା ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି । ଯାତ୍ରା ରହଣୀ ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଶିବିରରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଯକ୍ଷ୍ମା, ମଧୁମେହ, ଉଚ୍ଚରକ୍ତଚାପ, ସିକଲ୍‌ ସେଲ୍‌ ଏନିମିଆ ଭଳି ରୋଗ ପାଇଁ ଆବଶ୍ୟକ ଚିକିତ୍ସା ପରାମର୍ଶ ଦିଆଯାଉଛି । ଆବଶ୍ୟକ ସ୍ଥଳେ ଲକ୍ଷଣଯୁକ୍ତ ରୋଗୀଙ୍କୁ ଉଚ୍ଚତର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି । ଏହି ସ୍ୱାସ୍ଥ୍ୟ ଶିବିରରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରର ଯୋଜନାର ସୁବିଧା ପାଇବା ଲାଗି ନିଜର ପଞ୍ଜୀକରଣ କରାଉଛନ୍ତି । ଡାକ ବିଭାଗ ଓ ବ୍ୟାଙ୍କ ପକ୍ଷରୁ ମିଳୁଥିବା ସଞ୍ଚୟ ଓ ବୀମା ଯୋଜନା ସମ୍ପର୍କରେ ଲୋକମାନେ ଅବଗତ ହେଉଥିବା ମଧ୍ୟ ଦେଖାଯାଇଛି । ମାତୃ ଓ ଶିଶୁ ବିକାଶ ଯୋଜନା, ପୋଷଣ ଯୋଜନା ଆଦି ସହ ଜଡ଼ିତ ଖାଦ୍ୟ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଉଛି । ସାଧାରଣ ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରୁଛନ୍ତି । କିଛି ସ୍ଥାନରେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ମଧ୍ୟ କରାଯାଉଛି । ଏଥିସହିତ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ଶପଥ ପାଠ ମଧ୍ୟ କରାଯାଉଛି । ଏଥିରେ ବିପୁଳ ଜନଭାଗିଦାରୀ ଦେଖିବାକୁ ମିଳୁଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ଟେଲିକମ ବଜାରରେ ଜିଓର ଜୟଯାତ୍ରା ଜାରି, ସେପ୍ଟେମ୍ବରରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ସେପ୍ଟେମ୍ବର ମାସରେ ସର୍ବାଧିକ ସଂଖ୍ୟକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ରାଜ୍ୟରେ ସେପ୍ଟେମ୍ବର ମାସରେ ନୂତନ ମୋବାଇଲ ଗ୍ରାହକ ଯୋଡ଼ିବାରେ ଜିଓ ଏକମାତ୍ର ସେବା ପ୍ରଦାନକାରୀ ରହିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ୯୮,୦୦୦ରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ, ବିଏସ୍‌ଏନ୍‌ଏଲ୍ ଏବଂ ୱି ଏହି ସମୟରେ ହଜାର ହଜାର ଗ୍ରାହକ ହରାଇଛନ୍ତି । ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ଜିଓର ମୋଟ ପ୍ରାୟ ୧.୪୫ କୋଟି ମୋବାଇଲ ଗ୍ରାହକ ଏବଂ ୨.୪୫ ଲକ୍ଷ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତା ରହିଥିବା ଏଥିରେ ପ୍ରକାଶ ପାଇଛି । ଏଥିସହିତ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ କ୍ଷେତ୍ରରେ ରାଜ୍ୟରେ ଜିଓ ନିଜର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ତେବେ ଜିଓ ବ୍ୟତୀତ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ ସେପ୍ଟେମ୍ବର ମାସରେ ଗ୍ରାହକ ହରାଇବା ଫଳରେ ଓଡ଼ିଶାରେ ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୪ ଲକ୍ଷରୁ ଅଧିକ ହ୍ରାସ ପାଇ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩.୩୨ କୋଟିରେ ପହଁଚିଥିବା ଜଣାପଡିଛି ।

ଜାତୀୟ ସ୍ତରରେ ମଧ୍ୟ ଜିଓ ସେପ୍ଟେମ୍ବର ମାସରେ ସର୍ବାଧିକ ଗ୍ରାହକ ଯୋଡ଼ି ନିଜର ଆଧିପତ୍ୟ ବଜାୟ ରଖିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ଜିଓ ଦେଶରେ ୩୪ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି, ଯାହା ଫଳରେ ଏହାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୪୯ ନିୟୁତରୁ ଅଧିକ ହୋଇଛି ଏବଂ ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ଏହା ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ଟେଲିକମ କ୍ଷେତ୍ରରେ ସର୍ବାଧିକ ୪୩.୬% ଗ୍ରାହକ ବଜାର ଅଂଶ ଏବଂ ସର୍ବାଧିକ ୫୨% ରାଜସ୍ୱ ବଜାର ଅଂଶ ସହିତ ଓଡ଼ିଶାର ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି । ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଓଡ଼ିଶାରେ ଦ୍ରୁତ ଗତିରେ ନିଜର ଟ୍ରୁ-୫ଜି ନେଟୱାର୍କକୁ ବିସ୍ତାର କରୁଛି ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟୱାର୍କ ଉପସ୍ଥିତି ଥିବା ପ୍ରଥମ ଟେଲିକମ ଅପରେଟର ଅଟେ ।

ଜିଓ ନିକଟରେ ଓଡ଼ିଶାରେ ବିଶ୍ୱସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ, ସ୍ମାର୍ଟ ଗୃହ ସେବା ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସମନ୍ୱିତ ଏଣ୍ଡ-ଟୁ-ଏଣ୍ଡ୍ ସମାଧାନ ଜିଓ ଏୟାରଫାଇବର୍ ସେବା ଆରମ୍ଭ କରିଛି । ଜିଓଏୟାରଫାଇବ‍ର୍ ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‍ ବ୍ରଡବ୍ୟାଣ୍ଡ୍‌‍ ସୁବିଧା ବିଭିନ୍ନ ଜଟିଳତା ତଥା ସେମାନଙ୍କ ପରିସରକୁ ଅପ୍‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ବିଳମ୍ବ ଘଟିବା କାରଣରୁ ଉପଲବ୍ଧ ହେଉନଥିଲା ସେଭଳି ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ଏହା ସଂଯୋଗ କରିବ । ଭୁବନେଶ୍ୱର ଓ କଟକ ସହରରେ ଜିଓ ଏୟାରଫାଇବର ସେବା ବେଶ ଆଦୃତ ହେବା ସହିତ ଉଭୟ ସହରର ସମସ୍ତ ଘର ଓ ବ୍ୟବସାୟଗୁଡିକୁ ଗୋଟିଏ ସମନ୍ୱିତ ସେବା ମାଧ୍ୟମରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅଭିଜ୍ଞତା ଉପଭୋଗ କରିପାରିବ ସୁଯୋଗ ପ୍ରଦାନ କରୁଛି ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ଯୁବପିଢ଼ିଙ୍କ କ୍ୟାରିୟର ସ୍ୱପ୍ନ ପୂରଣରେ ବିଶେଷ ସହାୟକ ହେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: “ବିଦେଶରେ ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରିବା ମୋ’ ପାଇଁ ସ୍ୱପ୍ନ ଥିଲା। ହେଲେ ତାହା ଆଜି ସତ ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ତାଲିମ ନେବା ଫଳରେ ମୁଁ ଦୁବାଇର ଏମରିଲ୍ କମ୍ପାନିରେ ନିଯୁକ୍ତି ପାଇଛି। ଏହି ସଫଳତା ମୋ’ ଜୀବନକୁ ଏକ ନୂଆ ମୋଡ଼ ଦେଇଛି”, କହନ୍ତି ଭରତ ମୁଣ୍ଡାରୀ।

ସୁନ୍ଦରଗଡ଼ ଜିଲ୍ଲାର ଭରତ ମୁଣ୍ଡାରୀ ପିଲାଟି ଦିନରୁ ଏକ ଅନାଥାଶ୍ରମରେ ବଢ଼ିଥିଲେ। ରାଉରକେଲା ସରକାରୀ ଆଇଟିଆଇରେ ଫିଟର ଟ୍ରେଡରେ ତାଲିମ ଶେଷ କରିବା ପରେ ସେ ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମ ଲେଖାଇଥିଲେ। ସେଠାରେ ସେ ଅତ୍ୟାଧୁନିକ “ଇଲେକ୍ଟ୍ରିକାଲ ଟେକ୍ନୋଲୋଜି’ ବିଷୟରେ ତାଲିମ ନେଇ ନିଜ ଦକ୍ଷତାକୁ ଆଉ ଏକ ଉଚ୍ଚତାକୁ ନେବା ସହ ବିଦେଶରେ ନିଯୁକ୍ତି ପାଇଛନ୍ତି।

ସେହିପରି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ରେଖା କୁମ୍ଭାରଙ୍କ କ୍ୟାରିୟର ସ୍ୱପ୍ନ ସାକାର ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ “ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା” ବିଷୟରେ ତାଲିମ ନେଇ ରେଖା ଭାରତର ଅଗ୍ରଣୀ ସ୍ପା ସେବା ପ୍ରଦାନକାରୀ ସଂସ୍ଥା ମେଘାଭି ୱେଲନେସ୍ କମ୍ପାନିରେ ଚାକିରି ପାଇଛନ୍ତି।

ସୁନ୍ଦରଗଡ଼ର ଭରତ ଓ ଝାରସୁଗୁଡ଼ା ଜିଲ୍ଲାର ରେଖାଙ୍କ ଭଳି ଓଡ଼ିଶାର ବିଭିନ୍ନ ଗାଁ ଓ ସହରରୁ ଆସୁଥିବା ଅନେକ ଯୁବକ ଯୁବତୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ମାନର ତାଲିମ ନେଇ ନିଜ ସ୍ୱପ୍ନକୁ ପୂରଣ କରିବାରେ ସଫଳ ହେଉଛନ୍ତି । ପାଠ୍ୟକ୍ରମ ଶେଷ ହେବା ପରେ ଛାତ୍ରଛାତ୍ରୀମାନଙ୍କୁ ପ୍ଲେସମେଣ୍ଟ ଇଣ୍ଟରଭିଉ ମାଧ୍ୟମରେ ଦେଶ ବିଦେଶର ପ୍ରମୁଖ କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି ।

୨୦୨୨-୨୩ ବ୍ୟାଚରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୯୩ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଦେଶ ବିଦେଶର ପ୍ରମୁଖ କମ୍ପାନିରେ ନିଯୁକ୍ତି ମିଳିଛି । ତା\’ଭିତରେ ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ୨୫ ପ୍ରତିଶତ ନିଯୁକ୍ତି ସୁଯୋଗ ପାଇଛନ୍ତି ।

“ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ଚାକିରି କରିବାକୁ ମୋର ଲକ୍ଷ୍ୟ ଥିଲା । ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ୍ ନେବା ଫଳରେ ମୋର ସେ ସ୍ୱପ୍ନ ପୂରଣ ହୋଇପାରିଛି । ମୁଁ ଦୁବାଇର ପ୍ରତିଷ୍ଠିତ ତାନସେକ୍ ଗ୍ରୁପ୍ କମ୍ପାନିରେ ଚାକିରି ପାଇଛି । ଏଥିରେ ମୁଁ ବହୁତ ଖୁସି ଅଛି”, କହନ୍ତି ଇନ୍ଦ୍ର ତିର୍କୀ । ସୁନ୍ଦରଗଡ଼ର ଏକ ଚାଷୀ ପରିବାରରୁ ଆସିଥିବା ଇନ୍ଦ୍ର ଦୁବାଇରେ ଚାକିରି ସୁଯୋଗ ପାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ \”ସ୍କିଲ୍ଡ ଇନ୍ ଓଡ଼ିଶା\’ ପରିକଳ୍ପନାର ସଫଳ ରୂପାୟନ ଦେବା ଲାଗି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି । ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ପରିଚାଳିତ ଏହି କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ବିଷୟରେ ତାଲିମ ପାଠ୍ୟକ୍ରମ ଦିଆଯାଇ ଛାତ୍ରଛାତ୍ରୀମାନଙ୍କ ଦକ୍ଷତାକୁ ଆହୁରି ଶାଣିତ କରାଯାଉଛି ।
ଏହି ପାଠ୍ୟକ୍ରମ ଅଧୀନରେ କେନ୍ଦ୍ରର ୪୦ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୧୫ ଦିନ ଲାଗି \”ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ\’ କାର୍ଯ୍ୟକ୍ରମରେ ପ୍ରତିବର୍ଷ ସିଙ୍ଗାପୁର ପଠାଯାଉଛି । ସେହିପରି ପ୍ରତିବର୍ଷ ୨୪ ଜଣଙ୍କୁ ବାଛି ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ୬ ମାସିଆ ପେଡ୍‌-ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ଦିଆଯାଉଛି ।

“ବିଶ୍ୱ ଦକ୍ଷତା କେନ୍ଦ୍ରରେ \”ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍‌\’ ବିଷୟରେ ତାଲିମ ନେଇ ମୁଁ ନୂଆ ନୂଆ କଥା ଶିଖିବାକୁ ପାଇଛି । ଥିଓରି ସହିତ ପ୍ରାକ୍ଟିକାଲ ସୁବିଧା ନେଇ ମୁଁ ମୋର ଦକ୍ଷତାକୁ ବଢ଼ାଇ ପାରିଛି । ଏବେ ମୁଁ \”ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍‌\’ କାର୍ଯ୍ୟକ୍ରମରେ ସିଙ୍ଗାପୁର ଆସିଛି । ସେଠାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଅଧିକ ଜ୍ଞାନ ଆହରଣ କରିବାର ସୁଯୋଗ ମିଳୁଛି”, କହନ୍ତି ଜଗତସିଂହପୁର ଜିଲ୍ଲାର ଶ୍ରୀନାଥ ଦାସ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ ରହିଛି । ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରିଚିତ ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗକ୍ରମେ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି ।

ସେହିପରି ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ବ୍ୟାପକ କରିବା ପାଇଁ \”ଜୀବନ କୌଶଳ\’ କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କୁ ଯୋଗାଯୋଗ ଦକ୍ଷତା, କମ୍ପ୍ୟୁଟର ଓ ଡିଜିଟାଲ ପ୍ରୟୋଗ, ବ୍ୟକ୍ତିତ୍ୱ ବିକାଶ ଏବଂ ଉଦ୍ୟୋଗ ବିକାଶ ଭଳି ବିଷୟରେ ପ୍ରସ୍ତୁତ କରାଯାଉଛି । ଫଳରେ ବିଶ୍ୱସ୍ତରୀୟ ମାନବ ସମ୍ବଳ ପ୍ରସ୍ତୁତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବିଶ୍ୱ ଦକ୍ଷତା କେନ୍ଦ୍ର ।

Categories
EDUCATION ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ ହାଇସ୍କୁଲର ବଦଳୁଛି ରୂପରେଖ

ଭୁବନେଶ୍ୱର/ସୁନ୍ଦରଗଡ଼: ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଏହି କ୍ରମରେ ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସରକାରୀ ହାଇସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ନୂଆ ରୂପ ଦିଆଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି।

ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ହାଇସ୍କୁଲଗୁଡ଼ିକର ରୂପରେଖ ବଦଳିଛି। ଓମ୍ବାଡସି ସହାୟତାରେ ୩୪୭ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର, ଆଇସିଟି ଲ୍ୟାବ୍ ଏବଂ ଇ-ଲାଇବ୍ରେରି ଆଦି ବ୍ୟବସ୍ଥା କରାଯାଇଛି।

ପିଲାମାନେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ିବା ସହ ଆଧୁନିକ ବିଜ୍ଞାନାଗାରରେ ଉପଲବ୍ଧ ନୂଆ ନୂଆ ବିଜ୍ଞାନ ଉପକରଣର ବ୍ୟବହାର କରୁଛନ୍ତି। ଆଇସିଟି ଲ୍ୟାବ ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ ସ୍ତରରୁ କମ୍ପ୍ୟୁଟର ଶିକ୍ଷା ପାଉଛନ୍ତି। ସେହିପରି ଇ-ଲାଇବ୍ରେରି ସୁବିଧା ଯୋଗୁଁ ସେମାନେ ଦେଶ ଦୁନିଆ ବିଷୟରେ ଆଜି ଜାଣିପାରୁଛନ୍ତି।

‘‘ଶିକ୍ଷକମାନେ ଆମକୁ ସ୍କୁଲରେ ସ୍ମାର୍ଟ ବୋର୍ଡ ସାହାଯ୍ୟରେ ପାଠ ପଢ଼ାଉଛନ୍ତି। ଫଳରେ ପାଠ ବୁଝିବା ଅଧିକ ସହଜ ହେଉଛି। ଯେଉଁ ବିଷୟ ଆମେ କେବଳ ବହିରେ ପଢୁଥିଲୁ ଏବଂ ଚିତ୍ର ଦେଖୁଥିଲୁ ତାହାକୁ ଏବେ ବିଜ୍ଞାନାଗାରରେ ନିଜ ହାତରେ ପ୍ରୟୋଗ କରିପାରୁଛୁ। ଏହା ଦ୍ୱାରା ବିଜ୍ଞାନ ସମ୍ପର୍କରେ ଆମେ ଅଧିକ ଜ୍ଞାନ ପାଇପାରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ବରୁଆ।

ଓମ୍ବାଡସି ସହାୟତାରେ ସରକାରୀ ହାଇସ୍କୁଲରେ ଖେଳ ପଡ଼ିଆର ବିକାଶ ଓ କ୍ରୀଡ଼ା ଉପକରଣ ବ୍ୟବସ୍ଥା କରାଯାଉଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା କ୍ରୀଡ଼ା ପ୍ରତିଭା ଦେଖାଇବାର ସୁଯୋଗ ପାଉଛନ୍ତି। ଓମ୍ବାଡସି ସହଯୋଗରେ ରାଜ୍ୟର ୭ଟି ଖଣି ପ୍ରଭାବିତ ଜିଲ୍ଲାର ୧୬ ଶହରୁ ଅଧିକ ସରକାରୀ ହାଇସ୍କୁଲ ଏହି ରୂପାନ୍ତରଣ ପ୍ରକ୍ରିୟାରେ ଯୋଡ଼ି ହୋଇଛି।

ଗ୍ରାମାଞ୍ଚଳର ପିଲାଙ୍କୁ ଇଂଲିସ୍ ମିଡିୟମ ସ୍କୁଲ ଢାଞ୍ଚାରେ ଉନ୍ନତ ମାନର ଶିକ୍ଷା ଦେବା ପାଇଁ ପ୍ରତି ବ୍ଲକରେ ପ୍ରତିଷ୍ଠା କରାଯାଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଳକରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲାଗି ଓମ୍ବାଡସି ଆର୍ଥିକ ସହାୟତା ଦେଉଛି।

‘‘ଘରୋଇ ସ୍କୁଲଠାରୁ ଆମ ସ୍କୁଲ କୌଣସି ଗୁଣରେ କମ୍ ନୁହେଁ। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଆଧୁନିକ ବ୍ୟବସ୍ଥା ରହିଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ହୋଇପାରୁଛି’’, କହିଛନ୍ତି ସିମଡେଗାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଆଶିଷ କୁମାର ନାୟକ। ଏଥିପାଇଁ ସେ ଓମ୍ବାଡସିକୁ ଧନ୍ୟବାଦ ଜଣାଇଛନ୍ତି।

ଓମ୍ବାଡସି ସହାୟତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ଲାଗି ହଷ୍ଟେଲ ନିର୍ମାଣ କରାଯାଉଛି। ଦୂରବାଟ ଯୋଗୁଁ ଯେଉଁମାନେ ଦିନେ ସ୍କୁଲକୁ ଆସିବାକୁ ଅସୁବିଧା ହେଉଥିଲା, ଆଜି ସେମାନେ ହଷ୍ଟେଲରେ ରହି ସୁବିଧାରେ ପାଠ ପଢ଼ିପାରୁଛନ୍ତି। ସେହିପରି କିଚେନ୍, ଡାଇନିଙ୍ଗ ହଲ୍ ଓ ସାଇକେଲ୍ ଷ୍ଟାଣ୍ଡ ଆଦି ନିର୍ମାଣ କରାଯାଇଥିବାରୁ ସ୍କୁଲ ପରିବେଶ ଆହୁରି ଆକର୍ଷଣୀୟ ହୋଇପାରୁଛି।

‘‘ଓମ୍ବାଡସି ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ସ୍ୱାଗତଯୋଗ୍ୟ। ଏଭଳି ପଦକ୍ଷେପ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇପାରୁଛି। ଫଳରେ ସେମାନେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ।

ହାଇସ୍କୁଲ ରୂପାନ୍ତରଣ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆଧୁନିକୀକରଣ ଯୋଗୁଁ ଓଡ଼ିଶାର ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଶିକ୍ଷାର ମାନ ଉନ୍ନତ ହୋଇପାରିଛି। ଏଥିରେ ଆର୍ଥିକ ସହାୟତା ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ ବାଟ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିଛି ଓମ୍ବାଡସି।

Categories
ଆଜିର ଖବର ବିଶେଷ ଖବର

ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, କହିଲେ ଓଡିଶାର ରୂପାନ୍ତରିକରଣ ତାଙ୍କ ଆଖିକୁ ଦେଖାଯାଉନି

ଭୁବନେଶ୍ବର: ରାଜନୈତିକ ମଞ୍ଚରେ ପଦାର୍ପଣ କରି ପୁରା ନେତାଙ୍କ ପରି ଭାଷଣ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦୁଇଦିନିଆ ଗଂଜାମ ଗସ୍ତ କାଳରେ ସେ ଆଜି ଛତ୍ରପୁରରେ ଏକ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ସିଧା ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ସେ ବିରୋଧୀ ବୋଲି ନାଁ ନ ନେଇ କହିଛନ୍ତି ଯେ, ଓଡିଶାର ଯେଉଁ ରୂପାନ୍ତରିକରଣ ହେଉଛି ତାହା କେତେକଙ୍କ ଆଖିକୁ ଦେଖାଯାଉ ନାହିଁ। ସେମାନେ ଭଲ ଭାବରେ ଦେଖିଲେ ଜାଣିପାରିବେ ଯେ, ଓଡିଶା କିପରି ବିକାଶ ହେଉଛି। ସେ କହିଥିଲେ ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାଇ ଦେଖନ୍ତୁ, କିପରି ଦେଖାଯାଉଛି ନିଜେ ହୃଦୟଙ୍ଗମ କରନ୍ତୁ।

ମା ସମଲେଶ୍ବରୀ, ମା ତାରାତାରିଣୀ, ମା ଚଣ୍ଡି ମନ୍ଦିରର କିପରି ରୂପାନ୍ତରିକରଣ ହୋଇଛି ତାହା ଗୋଟିଏ ଗୋଟିଏ ପ୍ରମାଣ ବୋଲି ସେ କହିଥିଲେ। ଏଥିସହିତ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନଶକ୍ତି, ଆହାର ଏବଂ ସ୍କୁଲ ରୂପାନ୍ତରିକରଣ ଆଜି ଓଡିଶା ବିକାଶର ଏକ ଏକ ମାଇଲ ଖୁଣ୍ଟ।

ସେହିପରି ନେତାଙ୍କ ପରି ପାଣ୍ଡିଆନ ଭାଷଣ ମଝିରେ ଲୋକଙ୍କୁ ପ୍ରଶ୍ନ ମଧ୍ୟ ପଚାରିଥିଲେ। କେଉଁମାନେଙ୍କର ବିଏସକେୱା କାର୍ଡ ନାହିଁ ହାତ ଟେକ ବୋଲି କହିଥିଲେ। ଏଥିରେ ଶହଶହ ଦର୍ଶକଙ୍କ ମଧ୍ୟରୁ ତିନି ଚାରିଜଣ ହାତ ଟେକିଥିଲେ। ସେହିପରି ଆହାର କେନ୍ଦ୍ରରେ କେତେ ଟଙ୍କାରେ ଖାଇବା ମିଳୁଛି ବୋଲି ସେ ପଚାରିଥିଲେ।

ଏସବୁ କାର୍ଯ୍ୟ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମ୍ଭବ ହୋଇପାରିଛି। ସେ ସବୁବେଳେ ଆମକୁ ଗରିବର ବିକାଶ କଥା ଚିନ୍ତା କର ବୋଲି କହିଆସୁଛନ୍ତି। ସେହି ଅନୁସାରେ ଆମେମାନେ କାମ କରୁଛୁ। ଏଥିରେ ଆପଣମାନଙ୍କର ମଧ୍ୟ ବେଶ ସହଯୋଗ ରହିଛି ବୋଲି ସେ କହିଥିଲେ।

ପାଣ୍ଡିଆନ ଆଜି ଗସ୍ତ ଶେଷ କରି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର ଆୟକର ଚଢ଼ାଉ: ଜବତ ହେବ ଭାରତର ସର୍ବାଧିକ ଟଙ୍କା

ନୂଆଦିଲ୍ଲୀ: ଜନସାଧାରଣଙ୍କଠାରୁ ଲୁଟ୍ ହୋଇଥିବା ଟଙ୍କା ଫେରାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେବାର ଗୋଟିଏ ଦିନ ପରେ ଆୟକର ବିଭାଗ ଶନିବାର ଓଡ଼ିଶାର ମଦ ବ୍ୟବସାୟୀ ଗ୍ରୁପ୍ ଏବଂ ଏହାର ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ବୌଦ୍ଧ ଡିଷ୍ଟିଲରୀ ପ୍ରାଇଭେଟ ଲିମିଟେଡ୍ ଓ ଅନ୍ୟମାନଙ୍କ ବିରୋଧରେ ଚଢ଼ାଉ ପରେ ‘ବେହିସାବ’ ନଗଦ ଟଙ୍କା ଜବତ ୨୯୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

ବୁଧବାରଠାରୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଚଢ଼ାଉ ଆରମ୍ଭ ହୋଇଛି। ଏହି କମ୍ପାନି ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହ ଜଡ଼ିତ ବୋଲି ଆୟକର ଅଧିକାରୀମାନେ କହିଛନ୍ତି। ଧୀରଜଙ୍କ ପୁଅ ରିତେଶ ସାହୁ ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କ ବଡ଼ ଭାଇ ଉଦୟ ଶଙ୍କର ପ୍ରସାଦ ଏକ୍ସଟ୍ରା ନ୍ୟୁଟ୍ରାଲ ଓ୍ୱାଇନ ଉତ୍ପାଦନ କରୁଥିବା କମ୍ପାନୀର ଅଧ୍ୟକ୍ଷ ଅଛନ୍ତି।

ବୌଦ୍ଧ ଡିଷ୍ଟିଲରି ପ୍ରାଇଭେଟ ଲିମିଟେଡ୍ ମଧ୍ୟ ବଳଦେବ ସାହୁ ଆଣ୍ଡ ଗ୍ରୁପ୍ ଅଫ୍ କମ୍ପାନି (ବୌଦ୍ଧରେ ଅବସ୍ଥିତ)ର ଏକ ଭାଗିଦାରୀ ସଂସ୍ଥା, ଯାହା ଉପରେ ଟିକସ ଠକେଇ ଅଭିଯୋଗ ରହିଛି ଏବଂ ଆୟକର ବିଭାଗର କର୍ମଚାରୀମାନେ ମଧ୍ୟ ଚଢ଼ାଉ କରିଥିଲେ।

ଓଡ଼ିଶା ନଗଦ ରାଶି ଜବତ ସମ୍ପର୍କରେ ଟପ୍ ଅପଡେଟ୍

ଶୁକ୍ରବାର ସୁଦ୍ଧା ପ୍ରାୟ ୨୨୫ କୋଟି ଟଙ୍କା ଜବତ କରିବା ପରେ ବଲାଙ୍ଗୀର ଜିଲ୍ଲା ସୁଦାପଡ଼ା ଅଞ୍ଚଳର ଜଣେ ଦେଶୀ ମଦ ନିର୍ମାତାଙ୍କ ଘରୁ ଆୟକର ବିଭାଗ ଶନିବାର ଆଉ ୨୦ ବସ୍ତା ନଗଦ ଟଙ୍କା ଜବତ କରିଛି।

ବର୍ତ୍ତମାନ ସୁଦ୍ଧା ୨୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି ଏବଂ ଓଡ଼ିଶାର ସରକାରୀ ବ୍ୟାଙ୍କ ଶାଖାଗୁଡ଼ିକରେ କ୍ରମାଗତଭାବେ ନଗଦ ଟଙ୍କା ଜମା କରାଯାଉଛି। ଏହି ନୋଟଗୁଡ଼ିକ ମୁଖ୍ୟତଃ ୫୦୦ ଟଙ୍କିଆ ନୋଟ।

ସୁଦାପଡ଼ାରୁ ଆଦାୟ ହୋଇଥିବା ଟଙ୍କା ହିସାବ କରାଯାଉଥିବାବେଳେ ଏହାର ପରିମାଣ ୫୦ କୋଟିରୁ ଅଧିକ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଆୟକର ବିଭାଗ ଅଧିକାରୀମାନେ ୧୫୬ଟି ନଗଦ ବୋଝେଇ ବ୍ୟାଗ୍ ଗଣତି ପାଇଁ ବଲାଙ୍ଗୀର ସ୍ଥିତ ଏସବିଆଇ ମୁଖ୍ୟ ଶାଖାକୁ ନେଇଥିଲେ।

ଗତ ୩ ଦିନ ଧରି ଭୁବନେଶ୍ୱରରେ ଡେରା ପକାଇଥିବା ଆୟକର ମହାନିର୍ଦ୍ଦେଶକ ସଞ୍ଜୟ ବାହାଦୁର ଚଢ଼ାଉ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି।

ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ୍ ଓ ଅନ୍ୟମାନଙ୍କ ବିରୋଧରେ ଚଢ଼ଉ ପରେ ଡିସେମ୍ବର ୬ତାରିଖରୁ ଆରମ୍ଭ ହୋଇଥିବା ଗଣତି ପ୍ରକ୍ରିୟା ଶେଷ କରିବା ପାଇଁ ଆୟକର ବିଭାଗ ପ୍ରାୟ ୪୦ଟି ଛୋଟ ବଡ଼ ମେସିନ୍ ନିୟୋଜିତ କରିବା ସହ ନୋଟ ଗଣନା ପ୍ରକ୍ରିୟା ଶେଷ କରିବା ପାଇଁ ଅଧିକ ବିଭାଗୀୟ କର୍ମଚାରୀ ଓ ବ୍ୟାଙ୍କ କର୍ମଚାରୀଙ୍କୁ ଆଣିଛି।

ଜବତ ଟଙ୍କାକୁ ରାଜ୍ୟର ସରକାରୀ ବ୍ୟାଙ୍କକୁ ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ଅଧିକ ଗାଡ଼ି ମଗାଯାଇଛି।

ଆୟକର ବିଭାଗ ଅଧିକାରୀମାନେ ବର୍ତ୍ତମାନ କମ୍ପାନୀର ବିଭିନ୍ନ ଅଧିକାରୀ ଏବଂ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ବୟାନ ରେକର୍ଡ କରୁଛନ୍ତି।

ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ଏକ ବିବୃତିରେ ଟିକସ ଚଢ଼ାଉକୁ ସ୍ୱାଗତ କରିଛି। ଝାଡ଼ଖଣ୍ଡ ବିଜେପି ନେତାମାନେ କହୁଛନ୍ତି ଯେ ଜବତ ଟଙ୍କା କଂଗ୍ରେସ ନେତାଙ୍କର।

ଅନ୍ୟପକ୍ଷରେ କଂଗ୍ରେସ ନେତାମାନେ ଏହାକୁ ବିଜେପି ନେତାଙ୍କ ବୋଲି କହୁଛନ୍ତି। ଦୁହେଁ ପରସ୍ପରକୁ ଦୋଷ ଦେଉଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ନେତା ଏହି ବ୍ୟବସାୟୀଙ୍କ ପାଖରେ ଟଙ୍କା ଲୁଚାଇ ରଖିଥିବା ଜଣାପଡ଼ିଛି।

ରାଞ୍ଚିରେ ଥିବା ଧୀରଜ ସାହୁଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିବାବେଳେ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଉଭୟ ବୌଦ୍ଧ ଡିଷ୍ଟିଲରୀ ପ୍ରାଇଭେଟ ଲିମିଟେଡ୍ ଓ ବଳଦେବ ସାହୁ ଆଣ୍ଡ ଗ୍ରୁପ୍ ଅଫ୍ କମ୍ପାନି ଏ ପର୍ଯ୍ୟନ୍ତ ଏ ନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏଥର ଐତିହାସିକ କଟକ ବାଲିଯାତ୍ରାରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବାରେ ପୁଣି ସଫଳ

ଭୁବନେଶ୍ଵର: ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ତଥା ଗୌରବମୟ ଇତିହାସର ପ୍ରତୀକ, ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ପଡିଆରେ ‘ଜୀ ସାର୍ଥକ’ର ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ଦର୍ଶକଙ୍କ ସହିତ ତା’ର ସମ୍ପର୍କ ଆହୁରି ମଜବୁତ୍ କରିଛି। ବାଲିଯାତ୍ରା ଏଥର ଆହୁରି ବଡ ଆକାରରେ ହେଇଥିବା ବେଳେ ‘ଜୀ ସାର୍ଥକ’ର ଷ୍ଟଲ ମଧ୍ୟ ଓଡ଼ିଶାର ପରମ୍ପରା, ଡଙ୍ଗା ଭାଷା ତଥା କାର୍ତ୍ତିକ ପୂର୍ଣ୍ଣିମା ଥିମ୍ ରେ ହୋଇଥିଲା ଯାହା ଲୋକଙ୍କୁ ଆହୁରି ଅଧିକ ଆକୃଷ୍ଟ କରିଥିଲା।

ଏହି ଷ୍ଟଲରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ମେଗା ଲକି ଡ୍ର ଓ ଛୋଟ ଛୋଟ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକମାନେ ଆକର୍ଷଣୀୟ ପୁରସ୍କାର ଜିତିବା ସହ ଜୀ ସାର୍ଥକର ଫିଲ୍ମ ଓ ମେଗା ଧାରାବାହିକର ଲୋକପ୍ରିୟ କଳାକାରମାନଙ୍କୁ ଭେଟି ତାଙ୍କ ସହ ସେଲଫି ମଧ୍ୟ ନେଇଥିଲେ।

ଗତ ୯ ଦିନ ଧରି ଚାଲିଥିବା ଏହି ଯାତ୍ରାରେ ପ୍ରତିଦିନ ଜୀ ସାର୍ଥକରେ ପ୍ରସାରିତ ରିଆଲିଟି ସୋ “ସାରେଗାମାପା”ର କଣ୍ଠଶିଳ୍ପୀମାନେ ଏହି ଠାରେ ଆୟାଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇବା ସହ ଏବଂ ଲୋକପ୍ରିୟ ସୋ “ଦିଦି ନମସ୍କାର” ଫର୍ମାଟରେ ଦର୍ଶକଙ୍କ ସହ କୌତୁହଳ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରେ ମଧ୍ୟ ଭାଗ ନେଇଥିଲେ। ଦର୍ଶକ ନିଜ ପ୍ରିୟ କଳାକାରମାନଙ୍କୁ ପାଖରେ ଦେଖିବା ସହ ସେମାନଙ୍କ ସହ କଥା ମଧ୍ୟ ହୋଇଥିଲେ ଓ ଦର୍ଶକ ଢ଼େର ସାରା ମଜା ମସ୍ତି କରିଥିଲେ।

ଏହି ଷ୍ଟଲରେ ଜୀ ସାର୍ଥକର ସନ୍ଧ୍ୟା ରାଗିଣୀ, ତୁ ମୋ ସାଥିରେ, ସୁନା ଝିଅ, ଶକ୍ତି, ତୁ ଖରା ମୁଁ ଛାଇ ଓ ଖୁସିର ଛୁଙ୍କ ମେଗା ଧାରାବାହିକର ଲୋକପ୍ରିୟ କଳାକାରମାନେ ବାଲିଯାତ୍ରା ବୁଲିବାକୁ ଆସିଥିବା ଦର୍ଶକଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ ଓ ସେମାନଙ୍କ ବହୁତ ମନୋରଞ୍ଜନ କରିଥିଲେ। କିଛି ଦର୍ଶକ ଏହି କଳାକାର ମାନଙ୍କ ସହ ସେଲଫି ନେବ ସହ ନିଜର ପ୍ରିୟ ଧାରାବାହିକ ସମ୍ପର୍କରେ ମଧ୍ୟ କଥା ହୋଇଥିଲେ।

ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, କଟକ ବାଲିଯାତ୍ରା ସାରା ବିଶ୍ବରେ ପରିଚିତ ଓ ଜୀ-ସାର୍ଥକ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇଥାଏ ତେଣୁ ଏହି ବାଲିଯାତ୍ରା ଏକ ବଡ଼ ମାଧ୍ୟମ ହୋଇଥିଲା ଆମ ଦର୍ଶକ ସେମାନଙ୍କ ପ୍ରିୟ କଳାକାରଙ୍କ ସହ ଭେଟିବା ପାଇଁ। ଏହି କାର୍ଯକ୍ରମ ଦ୍ବାରା, ଦର୍ଶକଙ୍କ ସହିତ ଜୀ-ସାର୍ଥକର ସମ୍ପର୍କ ଆହୁରି ମଜବୁତ ହୋଇଥିଲା। ଆଗକୁ ମଧ୍ୟ ଆମେ ଏହିପରି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଜାରି ରଖିବୁ ଯାହା ଜୀ-ସାର୍ଥକ ଓ ତାର ଦର୍ଶକଙ୍କ ସମ୍ପର୍କ ଅଧିକରୁ ଅଧିକ ମଜବୁତ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି: କେନ୍ଦ୍ର ଶକ୍ତି ମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି (ଗିଗାୱାଟ୍‌ ପିକ୍‌) ସୌର ଶକ୍ତିଉତ୍ପାଦନ ସମ୍ଭାବନା ରହିଥିବା କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ଓ ଶକ୍ତି ମନ୍ତ୍ରୀ ଆର.କେ ସିଂ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ସୌର ଶକ୍ତି ଉତ୍ପାଦନ ସମ୍ଭାବନାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟପରିବେଶ, ଦୀର୍ଘସ୍ଥାୟିତ୍ୱ ଓ ପ୍ରଯୁକ୍ତି ଫୋରମ୍‌ (ଆଇଫରେଷ୍ଟ) ଓଡ଼ିଶାରେ ସୌର ଶକ୍ତି ଉତ୍ପାଦନ ସମ୍ଭାବନା ୧୬୯ ଜିଡବ୍ଲୁପିଥିବା ଆକଳନ କରିଛି ବୋଲି ଓଡ଼ିଶା ସରକାର ରିପୋର୍ଟଦେଇଛନ୍ତି।

ସେ କହିଛନ୍ତି, ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନଆଇଏସଇ) ଦ୍ୱାରା ବିଭିନ୍ନ ଆଧାରକୁ ନେଇ ରାଜ୍ୟମାନଙ୍କର ସୌର ଶକ୍ତିଉତ୍ପାଦନ ସମ୍ଭାବନାକୁ ଆକଳନ କରାଯାଇଥାଏ। ଏହି ଆଧାରଗୁଡ଼ିକ ହେଲା, କୌଣସି ରାଜ୍ୟର ୩% ଅନୁର୍ବର ଜମିକୁସୌର ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ। ଅନୁର୍ବର ଜମି ମାନଚିତ୍ର ୨୦୧୦ ଅନୁଯାୟୀ, ଏଥିପାଇଁ ଉଦ୍ଦିଷ୍ଟଜମି ଚିହ୍ନଟ କରାଯିବ। ଏସପିଭି ମଡ୍ୟୁଲ ଦକ୍ଷତାକୁ ୧୫% ସମ୍ଭାବନା ହିସାବରେ ବିବେଚନା କରାଯାଏ ଏବଂ ପ୍ରତ୍ୟେକ ୧ ବର୍ଗକିମି ଅନୁର୍ବର ଜମିରେ ୫୦ ମେଗାୱାଟ୍‌ ପିକ୍‌ କ୍ଷମତାବିଶିଷ୍ଟଏସପିଭି ପ୍ଲାଣ୍ଟ ସ୍ଥାପନ କରାଯାଇପାରିବ। ଅନୁରୂପ ଭାବେ୨୦୧୧ ଜନଗଣନାକୁ ଆଧାର କରି ଘର ଛାତ ଉପରେ ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ମାଧ୍ୟମରେ ସୌର ଶକ୍ତି ଉତ୍ପାଦନସମ୍ଭାବନାକୁ ଆକଳନ କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ଆର.କେ ସିଂ ଏହି ଅବସରରେ କହିଛନ୍ତି, କେନ୍ଦ୍ରସରକାର ଓଡ଼ିଶା ସମେତ ସବୁ ରାଜ୍ୟକୁ ସୌର ଇନ୍ଧନ ଏବଂଅକ୍ଷୟ ଶକ୍ତି ଭିତ୍ତିଭୂମି ଉନ୍ନତିକରଣ ପାଇଁ ବିଭିନ୍ନ ପ୍ରକାରସହଯୋଗ ଯୋଗାଇ ଦେଉଛନ୍ତି। ସୌର ଶକ୍ତି କ୍ଷେତ୍ରରେସ୍ୱୟଂକ୍ରିୟ ମାର୍ଗରେ ଶତପ୍ରତିଶତ ବିଦେଶୀ ପୁଞ୍ଜିନିବେଶକୁଅନୁମତି ମିଳିଛି। ୩୦ ଜୁନ୍‌ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁଥିବା ପ୍ରକଳ୍ପରୁ ସୌର ଏବଂ ପବନ ବିଦ୍ୟୁତ ଶକ୍ତିର ଆନ୍ତଃରାଜ୍ୟବିକ୍ରୟ ଉପରେ କୌଣସି ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ ଶୁଳ୍କଲାଗୁ ହେବ ନାହିଁ। ବଡ଼ ଅକ୍ଷୟ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଲାଗି ଅକ୍ଷୟ ଶକ୍ତି ଉତ୍ପାଦନକାରୀମାନଙ୍କୁ ଜମି ଓ ସଞ୍ଚାରଣ ସୁବିଧାଯୋଗାଇ ଦେବା ପାଇଁ ଅଲଟ୍ରା ମେଗା ଅକ୍ଷୟ ଶକ୍ତି ପାର୍କ ପ୍ରତିଷ୍ଠାକରାଯିବାର ପ୍ରସ୍ତାବ ରହିଛି। ପିଏମ୍‌-କୁସୁମ, ଛାତ ଉପରେସୌର ଶକ୍ତି ଉତ୍ପାଦନ ଯୋଜନା ପର୍ଯ୍ୟାୟ-୨, ୧୨ ହଜାରମେଗାୱାଟ୍‌ ସିପିଏସୟୁ ଯୋଜନା ପର୍ଯ୍ୟାୟ ୨ ଆଦି କାର୍ଯ୍ୟକାରୀକରାଯାଉଛି।

ସବୁଜ ଇନ୍ଧନ କରିଡର ଯୋଜନା ଅଧୀନରେନୂଆ ବିଦ୍ୟୁତ ସଞ୍ଚାରଣ ଲାଇନ ଏବଂ ନୂଆ ସବଷ୍ଟେସନ କ୍ଷମତାବିକଶିତ କରାଯାଉଛି। ସେହିପରି ସବୁଜ ହାଇଡ୍ରୋଜେନ ଏବଂ ଏହାର ଯୌଗିକ ଉତ୍ପାଦନ, ଉପଯୋଗ ଏବଂ ରପ୍ତାନି ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ରେ ପରିଣତ କରିବା ଉଦ୍ଦେଶ୍ୟରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଆରମ୍ଭ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲୀରେ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଓଡ଼ିଶା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଚାଲିଛି ତିନିଦିନିଆ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୨୩’ ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି) ପକ୍ଷରୁ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ କରାଯାଉଛି। ଏହା ୬ ତାରିଖ ଯାଏଁ ଚାଲିବ।

ଏହି କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏଥିରେ ସାମିଲ ହୋଇ ଓଡ଼ିଶା, ରାଜ୍ୟର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି। ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ର ବିଶ୍ୱ ଅର୍ଥନୀତିକୁ ବିଶେଷ ଭାବେ ପ୍ରଭାବିତ କରିବାକୁ ଯାଉଛି। ଏହି ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓଡ଼ିଶାର ‘ବାୟୋ-ଅର୍ଥନୀତି’କୁ ସମୃଦ୍ଧ କରିବ।

ଗ୍ଲୋବାଲ ବାୟୋ-ଇଣ୍ଡିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହୋଇଛି। ଏଠାରେ ଚାଲିଥିବା ପ୍ରଦର୍ଶନୀରେ ରାଜ୍ୟର ୧୦ଟି ପ୍ରମୁଖ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ) ଏବଂ କିଟ୍ ଟିବିଆଇ ଭଳି ଇନକ୍ୟୁବେଟରରେ ରହିଥିବା ଉଦ୍ୟୋଗ। ଏହି ଷ୍ଟାର୍ଟଅପଗୁଡ଼ିକୁ ନେଇ ଖୋଲାଯାଇଥିବା ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନକୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ।

ଏହି ଅବସରରେ ଆୟୋଜିତ ପ୍ଲେନାରି ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ, ‘‘ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ଆଜି ବିଶେଷ ସଫଳତା ହାସଲ କରିପାରିଛି। ରାଜ୍ୟରେ ଥିବା ବ୍ୟାପକ ଜୈବ ସମ୍ପଦ, ଜଳ ଏବଂ ସାମୁଦ୍ରିକ ସମ୍ପଦ ବାୟୋଟେକ୍ନୋଲୋଜିର ପରିସରକୁ ସମୃଦ୍ଧ କରିଛି। ଏହାସହିତ ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପନୀତି, ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଆଦି ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ନେଇଛି।

ସେ ଆହୁରି କହିଥିଲେ ଯେ, ଓଡ଼ିଶା ମିଲେଟ୍ସ ମିଶନ ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଆଗାମୀ ଦିନରେ ପୁଷ୍ଟିଶସ୍ୟକୁ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।

ବାୟୋଟେକ୍ନାଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟ ଆଣିଥିବା ସ୍ୱତନ୍ତ୍ର ନୀତି ତଥା ନିବେଶ କାର୍ଯ୍ୟକ୍ରମକୁ ନେଇ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ’ର ପ୍ରଥମ ଦିନରେ ଏକ ବିଶେଷ ଅଧିବେଶନ ହୋଇଥିଲା। ଏହି ସମ୍ମିଳନୀରେ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ କହିଥିଲେ।

‘‘ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟରେ ଥିବା ବିଭିନ୍ନ ଟେକ୍ନୋଲୋଜି ଇନକ୍ୟୁବେଟର ମାଧ୍ୟମରେ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି। ସେହିପରି ଭୁବନେଶ୍ୱର ନିକଟସ୍ଥ ଅନ୍ଧାରୁଆଠାରେ ସ୍ୱତନ୍ତ୍ର ବାୟୋଟେକ୍ ପାର୍କ ନିର୍ମାଣ କରାଯାଉଛି। ଆଗାମୀ ଦିନରେ ସେଠାରୁ ଟିକା ଉତ୍ପାଦନ ହେବ ଏହାସହିତ ରାଜ୍ୟ ସରକାର ଯେଉଁ ସଂଶୋଧିତ ବାୟୋଟେକ୍ନୋଲୋଜି ନୀତି ଆଣିବାକୁ ଯାଉଛନ୍ତି, ତାହା ଏ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ବିଶେଷ ସହାୟକ ହୋଇପାରିବ’’, କହିଛନ୍ତି ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍।

ସୋମବାର ଦିନ ଓଡ଼ିଶା ପାଭିଲିୟନ ବୁଲି ଦେଖିଥିଲେ ଭାରତୀୟ ବାୟୋଟେକ୍ନାଲୋଜି ଜଗତର ପରିଚିତ ବ୍ୟକ୍ତିତ୍ୱ ତଥା ବାୟୋକନ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କିରଣ ମଜୁମଦାର ସ’। ସେ ଓଡ଼ିଶାରୁ ଆସିଥିବା ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ଦେଖିବା ସହ ଏହି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ନେଇ ପ୍ରଶଂସା କରିଥିଲେ।

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ପୂଜା ମିଶ୍ର, ଉପନିର୍ଦ୍ଦେଶକ (ବାୟୋଟେକ୍ନୋଲୋଜି) ଡକ୍ଟର ଶଶିକାନ୍ତ ଦାଶ, ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ, ବିସିକେଆଇସିର ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ପ୍ରମୁଖ ଯୋଗ ଦେଇଛନ୍ତି। ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟର (ବିସିକେଆଇସି) ଏହି କାର୍ଯ୍ୟକ୍ରମ ଲାଗି ବିଭାଗ ସହିତ ନଲେଜ ପାର୍ଟନର୍ ଭାବେ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନର ଅଧ୍ୟାପକ ଓ ଗବେଷକମାନେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

“ଗ୍ଲୋବାଲ ବାୟୋ ଇଣ୍ଡିଆ” କାର୍ଯ୍ୟକ୍ରମ: ବାୟୋଟେକ୍ନୋଲୋଜିର ବିକାଶ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ତିନିଦିନିଆ “ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩”। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି) ପକ୍ଷରୁ “ଗ୍ଲୋବାଲ ବାୟୋ ଇଣ୍ଡିଆ କନକ୍ଲେଭ” କରାଯାଉଛି।

ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏଥିରେ ସାମିଲ ହୋଇ ଓଡ଼ିଶା, ରାଜ୍ୟର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରର ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି।

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହୋଇଛି। ଏହି ପ୍ରଦର୍ଶନୀରେ ରାଜ୍ୟର ୧୦ଟି ପ୍ରମୁଖ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ) ଏବଂ କିଟ୍ ଟିବିଆଇ ଭଳି ଇନକ୍ୟୁବେଟରରେ ରହିଥିବା ଉଦ୍ୟୋଗ। ଏହି ଷ୍ଟାର୍ଟଅପଗୁଡ଼ିକୁ ନେଇ ଖୋଲାଯାଇଥିବା ଓଡ଼ିଶା ପାଭିଲିୟନକୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ।

ଏହି ଅବସରରେ ଆୟୋଜିତ ପ୍ଲେନାରି ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ, “ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ଆଜି ବିଶେଷ ସଫଳତା ହାସଲ କରିପାରିଛି । ରାଜ୍ୟରେ ଥିବା ବ୍ୟାପକ ଜୈବ ସମ୍ପଦ, ଜଳ ସମ୍ପଦ ଏବଂ ସମୁଦ୍ର ବାୟୋଟେକ୍ନୋଲୋଜିର ପରିସରକୁ ସମୃଦ୍ଧ କରିଛି । ଏହାସହିତ ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପନୀତି, ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ବାୟୋଟେକ୍ନୋଲୋଜି ପାର୍କ ଆଦି ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ନେଇଛି।”

ସେ ଆହୁରି କହିଥିଲେ ଯେ, ଓଡ଼ିଶା ମିଲେଟ୍ସ ମିଶନ ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଆଗାମୀ ଦିନରେ ପୁଷ୍ଟିଶସ୍ୟକୁ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।

ବାୟୋଟେକ୍ନାଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟ ଆଣିଥିବା ସ୍ୱତନ୍ତ୍ର ନୀତି ତଥା ନିବେଶ କାର୍ଯ୍ୟକ୍ରମକୁ ନେଇ ସୋମବାର ଦିନ ଏକ ବିଶେଷ ଅଧିବେଶନ ହୋଇଥିଲା। ଏହି ସମ୍ମିଳନୀରେ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ କହିଥିଲେ।

“ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟରେ ଥିବା ବିଭିନ୍ନ ଟେକ୍ନୋଲୋଜି ଇନକ୍ୟୁବେଟର ମାଧ୍ୟମରେ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି। ସେହିପରି ଭୁବନେଶ୍ୱର ନିକଟସ୍ଥ ଅନ୍ଧାରୁଆଠାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବାୟୋଟେକ୍ ପାର୍କ ନିର୍ମାଣ କରାଯାଇଛି। ଆଗାମୀ ଦିନରେ ସେଠାରୁ ଭାରତ ବାୟୋଟେକ୍ କମ୍ପାନି ଟିକା ଉତ୍ପାଦନ କରିବାକୁ ଯାଉଛି। ଏହାସହିତ ରାଜ୍ୟ ସରକାର ଯେଉଁ ସଂଶୋଧିତ ବାୟୋଟେକ୍ନୋଲୋଜି ନୀତି ଆଣିବାକୁ ଯାଉଛନ୍ତି, ତାହା ଏ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ବିଶେଷ ସହାୟକ ହୋଇପାରିବ”, କହିଛନ୍ତି ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍।

ସୋମବାର ଦିନ ଓଡ଼ିଶା ପାଭିଲିୟନ ବୁଲି ଦେଖିଥିଲେ ଭାରତୀୟ ବାୟୋଟେକ୍ନାଲୋଜି ଜଗତର ପରିଚିତ ବ୍ୟକ୍ତିତ୍ୱ ତଥା ବାୟୋକନ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କିରଣ ମଜୁମଦାର ସ। ସେ ଓଡ଼ିଶାରୁ ଆଥିବା ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ଦେଖିବା ସହ ଏହି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ନେଇ ପ୍ରଶଂସା କରିଥିଲେ।

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ପୂଜା ମିଶ୍ର, ଉପନିର୍ଦ୍ଦେଶକ (ବାୟୋଟେକ୍ନୋଲୋଜି) ଡକ୍ଟର ଶଶିକାନ୍ତ ଦାଶ, ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ, ବିସିକେଆଇସିର ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ପ୍ରମୁଖ ଯୋଗ ଦେଇଛନ୍ତି। ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟର (ବିସିକେଆଇସି) ଏହି କାର୍ଯ୍ୟକ୍ରମ ଲାଗି ବିଭାଗ ସହିତ ନଲେଜ ପାର୍ଟନର୍ ଭାବେ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନର ଅଧ୍ୟାପକ ଓ ଗବେଷକମାନେ ମଧ୍ୟ ଯୋଗ ଦେଇଛନ୍ତି।

ଆଧୁନିକ ଜୀବନଶୈଳୀ, ଶିଳ୍ପ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟାପକ ପ୍ରୟୋଗ ତଥା ଆଜିର ବିକଶିତ ଅର୍ଥନୀତି କ୍ଷେତ୍ରରେ “ବାୟୋ-ଇକୋନମି” ଏକ ନୂତନ ବିଷୟ ଭାବେ ପରିଚିତ ହେଉଛି। ତେଣୁ ବିଶ୍ୱ ଅର୍ଥନୀତି ପାଇଁ ଆଜି ବାୟୋଟେକ୍ନୋଲୋଜି ଏକ ନୂଆ ଦିଗ ଆଣିଦେଇଛି।

Categories
ଆଞ୍ଚଳିକ

ପ୍ରମେୟର ପାର୍ବଣ କୁଇଜ ପ୍ରତିଯୋଗିତାରେ ରଣପୁରର ରାଜଶ୍ରୀ ସମ୍ମାନୀତ

ରଣପୁର: ଓଡ଼ିଶାର ଅଗ୍ରଣୀ ଖବର କାଗଜ ପ୍ରମେୟ ତରଫରୁ ପାର୍ବଣ କୁଇଜ ସିଜିନ-୩ ପ୍ରତିଯୋଗିତା ଦୁର୍ଗା ପୂଜା ଉପଲକ୍ଷେ କରଯାଇଥିଲା। ଏହି ପ୍ରତିଯୋଗିତା ଦୀର୍ଘ ୨୫ ଦିନ ଧରି ଚାଲୁ ରହିଥିଲା। ପ୍ରତିଦିନ ୫ଟି ଲେଖାଏଁ ପ୍ରଶ୍ନ ପଚାରା ଯାଈଥିଲା। ଏହି ପ୍ରତିଯୋଗିତାରେ ପ୍ରାୟ ୫୦ ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରି ଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ୧୦୦ ଜଣ ବିଜୟୀ ପ୍ରତିଯୋଗୀଙ୍କୁ ଆଜି ଆଇ.ଟି.ଆର. କଲେଜରେ ସମ୍ମାନୀତ କରିବା ସହ ଉପହାର ଦିଆଯାଇଥିଲା। ଏହି ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ରଣପୁର ସମୁକସାହିର ରାଜଶ୍ରୀ ନାୟକ ସମ୍ମାନିତ ହୋଇଛନ୍ତି।

ଏହି ସମ୍ମାନିତ କାର୍ଯ୍ୟକ୍ରମରେ ପ୍ରମେୟ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ମାର୍କେଟିଙ୍ଗ ସେଲ୍ସ ହେଡ଼ ହିମାଂଶୁ ହୋତା, ଭୁବନେଶ୍ୱର ବ୍ୟୁରୋ ହେଡ଼ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ତରଫରୁ ଗଜେନ୍ଦ୍ର ଦାଶ, ରମାକାନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବିଜୟୀ ପ୍ରତିଯୋଗମାନଙ୍କୁ ସମ୍ମାନୀତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ରରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଉପଯୁକ୍ତ ସୁଯୋଗ ମିଳିଲେ ଆଗାମୀ ଦିନରେ ଓଡ଼ିଶା ଓ ପୂର୍ବ ଭାରତ ‘ବିକଶିତ ଭାରତ’ର ନେତୃତ୍ୱ ନେବା ସହ ଗ୍ଲୋବାଲ୍ ବେଞ୍ଚମାର୍କ ତିଆରି କରିବାର ସାମର୍ଥ୍ୟ ରଖିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ  ଆଲୋଚନା ଚକ୍ରର ଉଦଘାଟନୀ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ଏବଂ ଏନର୍ଜି ଫୋରମ ଇଣ୍ଡିଆର ମିଳିତ ଉଦ୍ୟମରେ ଆୟୋଜିତ ଏହି ସେମିନାରର ଶୀର୍ଷକ ରହିଛି  “ପୂର୍ବୋଦୟ ସମ୍ଭାବନା : ଆଞ୍ଚଳିକ ଯୋଗାଯୋଗ ସ୍ଥାପନ ଉପରେ ପ୍ରତିଫଳନ” । ଏହା ଉପରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ପୂର୍ବୋଦୟକୁ ଗୁରୁତ୍ୱ ଦେଉଥିବା ବେଳେ ଏହି ସମ୍ମିଳନୀ ପୂର୍ବ ଭାରତର ସାମଗ୍ରିକ ବିକାଶ ଏବଂ ସମୃଦ୍ଧି ଦିଗରେ ଆମର ସାମୂହିକ ପ୍ରୟାସର ଏକ ଅଂଶବିଶେଷ । ପୂର୍ବୋଦୟ ମିଶନର ସବୁଠାରୁ ବଡ଼ ଲାଭାର୍ଥୀ ଓଡ଼ିଶା ହୋଇଛି । ମିଶନ ପୂର୍ବୋଦୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଦୃଷ୍ଟିକୋଣ ନୂତନ ସୁଯୋଗ ସୃଷ୍ଟି କରୁଛି ।  ପ୍ରାକୃତିକ ସମ୍ପଦ, ପ୍ରତିଭାସମ୍ପନ୍ନ ମାନବ ପୁଞ୍ଜି ଏବଂ ଭୌଗଳିକ ଅବସ୍ଥିତି ସହ ପୂର୍ବ ଭାରତ ଓ ଓଡ଼ିଶା ଆଗାମୀ ଦିନରେ ବିକଶିତ ଭାରତର ଅଭିବୃଦ୍ଧିର ନେତୃତ୍ୱ ନେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ୮୦୦ କୋଟି ଜନସଂଖ୍ୟା ମଧ୍ୟରୁ ପାଖାପାଖି ୧୦ କୋଟି ଲୋକ “ପୂର୍ବୋଦୟ” ଅର୍ଥାତ୍ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବ ରାଜ୍ୟସମୂହରେ ବସବାସ କରନ୍ତି । ଆମର ପଡୋଶୀ ରାଷ୍ଟ୍ର ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶର ସଂସ୍କୃତି ପ୍ରାୟ ସବୁ ଏକାପରି । ଏହି ଅଞ୍ଚଳର ସମ୍ଭାବନା ହିମାଳୟ ଠାରୁ ବି ବଡ । ଓଡ଼ିଶା ସମେତ ଏହି ରାଜ୍ୟ ସମୂହରେ ଦକ୍ଷତାର କୌଣସି ଅଭାବ ନାହିଁ । ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଏହି ଅଞ୍ଚଳରେ ପରିଶ୍ରମୀ ମାନବ ସମ୍ବଳ ବସବାସ କରନ୍ତି । ଅତୀତରେ ଏଠାରେ ଅନେକ ବଡ ବଡ କୀର୍ତ୍ତିମାନ ସ୍ଥାପନ ହୋଇଛି । ଏହି ସବୁ ଅଞ୍ଚଳର ସାମଗ୍ରିକ ବିକାଶର ରାସ୍ତା ଭାରତ ଦେଇ ହେବ । ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶ ଭଳି ଅଞ୍ଚଳରେ ବନ୍ଦର ସଂଯୋଗୀକରଣ, ବୌଦ୍ଧିକ କ୍ଷମତାର ନେଟଓ୍ୱାର୍କିଂ, ସମ୍ବଳ ପରିଚାଳନା ଅଛି ତଥା ବିଶ୍ୱର ଅନ୍ୟ ଅଞ୍ଚଳକୁ ଯୋଡିହେବାର ରାସ୍ତା ଭାରତ ଦେଇ ଅଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ‘ଆକ୍ଟ ଇଷ୍ଟ’ ନୀତିର ଯୁଗ ଆରମ୍ଭ ହୋଇଛି । ଯୋଗାଯୋଗ ମୋଦି ସରକାରଙ୍କ ବୈଦେଶିକ ନୀତିର ଏକ ପ୍ରମୁଖ ସ୍ତମ୍ଭ ହୋଇଛି । ବିକଶିତ ଭାରତ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇସାରିଛି । ଭାରତକୁ ବିକଶିତ କରିବା ପାଇଁ ହେଲେ ପୂର୍ବ ଉତ୍ତର ତଥା ଭାରତର ପୂର୍ବାଞ୍ଚଳରେ ଯୋଗାଯୋଗ ସ୍ଥାପନକୁ ମଜଭୂତ୍ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ମତ ଦେଇଛନ୍ତି । “ପୂର୍ବୋଦୟ” କେବଳ ଭାରତର ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳର ଏକତ୍ରୀକରଣ ନୁହେଁ, ବରଂ ନଦୀ ଏବଂ ସମୁଦ୍ରର ନେଟଓ୍ୱାର୍କକୁ ଉପଯୋଗ କରି ଏହି ରାଜ୍ୟଗୁଡ଼ିକୁ ଏସିଆର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ସହିତ ଅବିଚ୍ଛେଦ୍ୟ ଭାବରେ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ପଡୋଶୀ ଦେଶ ଗୁଡିକ ସହ ଯେତେବେଳେ ଭାରତ ସମ୍ପର୍କ ମଜଭୂତ୍ ହେଉଛି ସେହି ସମୟରେ ପୂର୍ବୋଦୟର ସମ୍ଭାବନାକୁ ଉପଯୋଗ କରି ଭାରତକୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଭାବରେ ପରିଣତ କରିବା ଆମର ଦାୟିତ୍ୱ ।

ଆମର ଗୌରବମୟ ବାଲିଯାତ୍ରା ହେଉଛି ଯୋଗାଯୋଗର ପ୍ରତୀକ  ଓ ମିଶନ ପୂର୍ବୋଦୟ ହେଉଛି ପୁନରୁତ୍ଥାନ ଏବଂ ପୁନଃଆବିଷ୍କାରର ପ୍ରତୀକ ।  ଯୋଗାଯୋଗ ସ୍ଥାପନାକୁ ବିକଶିତ କରିବାର ଅର୍ଥ ଅର୍ଥନୈତିକ ଏବଂ ସାମାଜିକ ବିକାଶ କରିବା । ଆମେ ଯେତେବେଳେ ବାଲିଯାତ୍ରା ପାଳନ କରୁଛେ ଏକବିଂଶ ଶତାବ୍ଦୀରେ ନିଜର ବିଚାର ଆଧାରରେ ପୃଥିବୀର ନେତୃତ୍ୱ ନେବାର କ୍ଷମତା ଆମ ପାଖରେ ଅଛି । ଆଜି ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀତାକୁ ଆଗକୁ ନେବା ପାଇଁ ଏହି ସେମିନାରର ଆୟୋଜନ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ; ଏନର୍ଜି ଫୋରମ ଇଣ୍ଡିଆ ସହିତ ମିଶି “ପୂର୍ବୋଦୟ”ର ଲାଭ ଉଠାଇବା ଏବଂ ଏହାକୁ ବିଶ୍ୱର ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ଏକ କାର୍ଯ୍ୟକାରୀ ଚିନ୍ତାଧାରା ଏବଂ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଞ୍ଚଳିକ ସ୍ତରରେ ଯୋଗାଯୋଗ ସ୍ଥାପନ ବିଶ୍ୱ ଅର୍ଥନୀତିରେ ପ୍ରଭାବ ପକାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବୈଦେଶିକ ବ୍ୟାପାର ଓ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭି ମୂରଲିଧରଣ କହିଛନ୍ତି ଯେ ଏହି ସମ୍ମିଳନୀ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବ ସମୂହ ଅଞ୍ଚଳର ବିକାଶ କ୍ଷେତ୍ରରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ମାଇଲଷ୍ଟୋନ ହେବ । ଭାରତ ଏବଂ ପୂର୍ବ ଏସିଆର ଦେଶ ମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି କରିବାରେ ସହାୟକ ହେବ । ବିଶେଷତଃ ଯୋଗାଯୋଗ, ସାମୁଦ୍ରିକ ବାଣିଜ୍ୟ ଓ ଅର୍ଥନୀତି ଭଳି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ରୋଡମ୍ୟାପ ପ୍ରସ୍ତୁତ କରିବାରେ ସହାୟକ ହେବ । ପୂର୍ବ ଭାରତ ଏବଂ ଏହାର ପଡୋଶୀ ଦେଶ ଗୁଡ଼ିକ ବିଶ୍ଵ ଦରବାରରେ ବିକଶିତ ହୋଇପାରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଉତ୍ତର ପୂର୍ବ ଓ ପୂର୍ବାଞ୍ଚଳ ରାଜ୍ୟ ସମୂହରେ ନିଯୁକ୍ତି ସୁଯୋଗକୁ ତ୍ୱରାନ୍ୱିତ କରାଇବା ଦିଗରେ  ଏନଏସଡିସି ସହ ବ୍ଲିନକିଟ୍, ଅପନା,କ୍ୟୁଇଜ୍ କ୍ରପ୍ ମଧ୍ୟରେ ପୃଥକ ପୃଥକ ତିନୋଟି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଉଲ୍ଲେଖନୀୟ, ଆଜିର ପ୍ରଥମ ଅଧିବେଶନରେ ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋଓ୍ୱାରୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସୌରଭ କୁମାର, ବାଂଲାଦେଶର ହାଇକମିଶନର ମୁସ୍ତାଫିଜୁର ରେହମାନ, ବୈଦେଶିକ ମନ୍ତ୍ରଣାଳୟର ସଚିବ(ଇଷ୍ଟ) ସୌରଭ କୁମାର, ବୈଜ୍ଞାନିକ ପଦ୍ମବିଭୂଷଣ ଡକ୍ଟର ଅନିଲ କାକୋଡକର, ସିଆଇଆଇର ସଭାପତି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରୂପାନ୍ତରିକରଣ ହେବ ଓଡ଼ିଶା ପ୍ରସିଦ୍ଧ ଶକ୍ତିପିଠ: ନୂଆ ରୂପ ପାଇବ ମା’ ଭଗବତୀ ମନ୍ଦିର

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶା ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ମନ୍ଦିରର ହେବ ରୂପାନ୍ତରିକରଣ। ନୂଆ ରୂପ ପାଇବ ବାଣପୁରର ଆରାଧ୍ୟ ଦେବୀ ମା ‘ ଭଗବତୀଙ୍କ ମନ୍ଦିର।

ଶନିବାର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଦ୍ୱାରା ତାହାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଶ୍ରୀଯୁକ୍ତ ମଙ୍ଗରାଜ ଆଜି ଅପରାହ୍ନରେ ମନ୍ଦିରରେ ପହଞ୍ଚି ପୂଜକ ଓ ପାଳିଆ ମାଳିଙ୍କ ମାଧ୍ୟମରେ ମା’ଙ୍କର ପୂଜାର୍ଚ୍ଚନା କରିବା ପରେ ନଡ଼ିଆ ବାଡେଇ ମନ୍ଦିରର ଉନ୍ନୟନ କାର୍ଯ୍ୟରମ୍ଭ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ତାଙ୍କ ସହିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, ସମସ୍ତ କାଉନସିଲର ଏବଂ ବିଜେଡିର ତୁଙ୍ଗ ନେତୃତ୍ୱ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ଗତ ଡିସେମ୍ବରରେ ତତ୍କାଳୀନ ୫ଟି ସଚିବ ଏବଂ ବର୍ତ୍ତମାନର ୫ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ମନ୍ଦିର ଗସ୍ତ କରି ତାହାର ରୂପରେଖ ବଦଳାଇବା ପାଇଁ ଚୂଡାନ୍ତ ନିଷ୍ପତ୍ତି ନେଇଥିଲେ। ମନ୍ଦିରର ଉନ୍ନତି ପାଇଁ ୫ଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ତାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରି ୨୫ କୋଟି ୯୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ।

ଏହି ଉନ୍ନୟନ କାର୍ଯ୍ୟ ସମ୍ପାଦନ ପାଇଁ ଓବିସିସି ପୁର୍ବରୁ ଏକାଧିକ ଥର ଟେଣ୍ଡର ଆହ୍ୱାନ କରିଥିବା ସତ୍ବେ ତାହା ବାତିଲ ହୋଇଯାଉଥିଲା ଏବଂ ପରିଶେଷରେ ଠିକାଦାର ବଳଦେବ ପଣ୍ଡା ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ପାଇଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ମନ୍ଦିର ପ୍ରାଙ୍ଗଣର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟ କରଣ,ଶ୍ରୀ ଜଗନ୍ନାଥ, ମା’ ପୋଲକାଶୁଣି, ମା’ ବିରଜାଈ, ମା’ ଭୈରବୀ ଓ ଶ୍ରୀରାମ ମନ୍ଦିର ନିର୍ମାଣ,ତୀର୍ଥଯାତ୍ରୀ ନିବାସ,ନୂତନ ଭାବେ ସିଂହଦ୍ୱାର ଓ ଦୋଳବେଦୀ ନିର୍ମାଣ,ଶାଳିଆ ନଦୀ ଘାଟର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ, ଶୌଚାଳୟ ଓ ପାର୍କିଂ ସ୍ଥଳର ବିକାଶ ସହ ପ୍ରମୋଦ କେନ୍ଦ୍ର ନିର୍ମାଣ ହେବ।  ଯାହାଫଳରେ ମନ୍ଦିରର ସମ୍ପୂର୍ଣ୍ଣ ରୂପରେଖ ବଦଳିଯିବ ବୋଲି ଶ୍ରୀଯୁକ୍ତ ମଙ୍ଗରାଜ ମତ ଦେଇଥିଲେ। ଯାହାଦ୍ୱାରା ଓଡ଼ିଶାର କୋଣ ଅନୁକୋଣରୁ ବହୁ ଭକ୍ତ ଉକ୍ତ ମନ୍ଦିରର ଦର୍ଶନ ନିମନ୍ତେ ଆଗ୍ରହ ପ୍ରକାଶ କରିବେ। ତେବେ ଯାହା ହେଉ ଦୀର୍ଘ ଦିନ ପରେ ମନ୍ଦିରର ଉନ୍ନତ୍ତି ନେଇ ଶୁଭ ଦିଆଯାଇଥିବାରୁ ସାଧାରଣରେ ଆନନ୍ଦ ଦେଖାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଦର୍ଶକଙ୍କ ଘରେ ପହଁଚିଲେ ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମାନିନୀ ଓ ଏଜେ 

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ ଓ ସବୁବେଳେ ଛୋଟ ବଡ଼ କାର୍ଯକ୍ରମ ଦ୍ବାରା ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରି ଆସିଛି।

ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକ, ଗତ ଜନ୍ମାଷ୍ଟମୀରେ ଆୟୋଜିତ କରିଥିଲା ଏକ ନିଆରା ପ୍ରତିଯୋଗିତା ଯେଉଁଥିରେ ଦର୍ଶକ ନିଜ ପିଲା ମାନଙ୍କୁ ରାଧା କିମ୍ବା କୃଷ୍ଣ ବେଶରେ ସଜାଇ ଫଟୋ ଉଠାଇବେ ଓ ସେହି ଫଟୋକୁ ଜୀ-ସାର୍ଥକ ସହିତ ଶେୟାର କରିବେ। ଏହି ପ୍ରତିଯୋଗିତାରେ ବହୁମାତ୍ରାରେ ଓଡ଼ିଶା ଓ ଓଡ଼ିଶା ବାହାରର ଦର୍ଶକ ଭାଗ ନେଇଥିଲେ ହେଲେ ପ୍ରତିଯୋଗିତାର ଭାଗ୍ୟବାନ ବିଜେତା ହୋଇଥିଲେ କଟକ, ଶ୍ରୀରାମ ନଗରର ସସ୍ମିତା ନାୟକ। ସର୍ତ୍ତାବଳୀ ଅନୁଯାୟୀ, ଜୀ-ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମୁଖ୍ୟ କଳାକାର ମାନିନୀ ଓ ଏଜେ ପହଞ୍ଚିବେ ସସ୍ମିତାଙ୍କ ଘରେ ଓ ତାଙ୍କୁ ପୁରସ୍କୃତ କରିବେ।

ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, ଜୀ-ସାର୍ଥକ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇପାରିଛି । ଗତ ଜନ୍ମାଷ୍ଟମୀ ସମୟରେ ଆୟୋଜିତ ପ୍ରତିଯୋଗିତା ହେଉଛି ଏହାର ଉଦାହରଣ । ଆଗକୁ ମଧ୍ୟ ଜୀ-ସାର୍ଥକର ଏହି ପରି ଚେଷ୍ଟା ଜାରିରହିବ ଓ ଦର୍ଶକଙ୍କ ସହିତ ଜୀ-ସାର୍ଥକର ସମ୍ପର୍କ ଆହୁରି ମଜବୁତ ହେବ ।

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷାଗତ ସଫଳତା ସର୍ବେକ୍ଷଣରୁ ନିଜକୁ ଦୂରେଇ ରଖିଲେ ଓଡ଼ିଶା ସମେତ ୫ଟି ରାଜ୍ୟ 

ନୂଆଦିଲ୍ଲୀ: ଜାତୀୟ ମୂଲ୍ୟାୟନ ନିୟାମକ ପାରଖ ଦ୍ୱାରା ପ୍ରଥମ ଥର ପାଇଁ କରାଯାଇଥିବା ରାଜ୍ୟ ଶିକ୍ଷାଗତ ସଫଳତା ସର୍ବେକ୍ଷଣରେ ଓଡ଼ିଶା ସମେତ ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ରାଜସ୍ଥାନ ଭଳି ଅଣ-ବିଜେପି ଶାସିତ ପାଞ୍ଚଟି ରାଜ୍ୟ ଅଂଶ ଗ୍ରହଣ କରିନାହାନ୍ତି। ଫଳରେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ଦକ୍ଷତା ଆକଳନରୁ ବଞ୍ଚିତ ହୋଇଛନ୍ତି।

ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ଅନୁଯାୟୀ, ବିଦ୍ୟାଳୟ ଶିକ୍ଷାଦାନ ଓ ଶିକ୍ଷଣରେ ଉନ୍ନତି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏହି ସର୍ଭେ କରାଯାଇଛି। ନଭେମ୍ବର ୩ ତାରିଖରେ ହୋଇଥିବା ଏହି ସର୍ଭେରେ ଭାରତରେ ବ୍ଲକସ୍ତରରେ ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ଆକଳନ କରାଯାଇଥିଲା।

ଏହି ସର୍ଭେରେ ପାଖାପାଖି ୮୦ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ

ଏହି ସର୍ବେକ୍ଷଣରେ ଦେଶର ୫୯୧୭ଟି ବ୍ଲକର ୩ ଲକ୍ଷ ସ୍କୁଲର ପ୍ରାୟ ୮୦ ଲକ୍ଷ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ଏଥିରେ ୬ ଲକ୍ଷ ଶିକ୍ଷକ ଓ ୩ ଲକ୍ଷରୁ ଅଧିକ ଆଞ୍ଚଳିକ ଅନୁସନ୍ଧାନକାରୀ ରହିଛନ୍ତି। ଶିକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସର୍ଭେର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଭାଷା ଓ ଗଣିତ ଉପରେ ପ୍ରାଥମିକ ଧ୍ୟାନ ଦେଇ ପ୍ରତ୍ୟେକ ଶିକ୍ଷାଗତ ପର୍ଯ୍ୟାୟ ଅର୍ଥାତ୍ ମୌଳିକ, ପ୍ରାଥମିକ ଓ ମଧ୍ୟମ ସ୍ତରରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ କ୍ଷମତାର ଆକଳନ କରାଯିବ।

ଏହି ରାଜ୍ୟଗୁଡ଼ିକ ସର୍ଭେରେ ଅଂଶଗ୍ରହଣ କରିନଥିଲେ

ଛତିଶଗଡ଼, ଦିଲ୍ଲୀ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ ଓ ପଶ୍ଚିମବଙ୍ଗକୁ ବାଦ୍ ଦେଲେ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ସର୍ଭେରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ଶିକ୍ଷା ସଚିବ ସଞ୍ଜୟ କୁମାର କହିଛନ୍ତି ଯେ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ଏବଂ ପ୍ରଦର୍ଶନକୁ ଗଭୀର ସ୍ତରରେ ପ୍ରଭାବଶାଳୀ ଭାବରେ ବୁଝିବା ଉଦ୍ଦେଶ୍ୟରେ ଏହି ସର୍ଭେ କରାଯାଇଥିଲା। ଏହାବ୍ୟତୀତ ବ୍ଲକସ୍ତରରେ ଶିକ୍ଷକମାନଙ୍କ ବୃତ୍ତିଗତ ବିକାଶ କାର୍ଯ୍ୟକ୍ରମ ମଧ୍ୟ ଏହି ପଦ୍ଧତିରେ ଅନ୍ତର୍ଭୁକ୍ତ।

ପରଖ ପକ୍ଷରୁ କରାଯାଇଥିବା ଏଭଳି ସର୍ବେକ୍ଷଣ ଏହା ହେଉଛି ପ୍ରଥମ

ବିଦ୍ୟାଳୟ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ବିପିନ କୁମାର କହିଛନ୍ତି ଯେ ଏହି ମୂଲ୍ୟାୟନ, ଶିକ୍ଷାଗତ ବ୍ଲକକୁ ବିଶ୍ଳେଷଣର ଶ୍ରେଷ୍ଠ ଏକକ ଭାବରେ ଗ୍ରହଣ କରି ଶିକ୍ଷା ନୀତି, ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଶିକ୍ଷାଦାନ ଏବଂ ଶିକ୍ଷଣ ସହାୟତା ସମ୍ବଳ ସୃଷ୍ଟି ଉପରେ ଗଭୀର ପ୍ରଭାବ ପକାଇବ। ଏନସିଇଆରଟି ଅଧୀନରେ ଥିବା ଏକ ସଂସ୍ଥା ପରଫର୍ମାନ୍ସ ଆସେସମେଣ୍ଟ, ରିଭ୍ୟୁ ଆଣ୍ଡ ଆନାଲିସିସ୍ ଅଫ୍ ନଲେଜ୍ ଫର୍ ହୋଲିଷ୍ଟିକ୍ ଡେଭଲପମେଣ୍ଟ (ପରଖ) ପକ୍ଷରୁ ଏହା ହେଉଛି ପ୍ରଥମ ସର୍ବେକ୍ଷଣ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ୬୩ଟି କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୧ କୋଟି ପିଲାଙ୍କ ଭଭିଷ୍ୟତକୁ ଗଢିବା ସହ ତାଙ୍କ ମନରେ ବଢୁଥିବା ଆତ୍ମବିଶ୍ୱାସ ଶିଖରକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରବିବାର ଭୁବନେଶ୍ୱର ଠାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱକାଂକ୍ଷୀ ପିଏମ ଶ୍ରୀ ଯୋଜନାକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟବରାଦରେ ସମଗ୍ର ଦେଶରେ ୧୪ ହଜାର ୫୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ସରିଛି ଏବଂ ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪ ହଜାର ସ୍କୁଲକୁ ଚୟନ କରାଯିବ । ଆଜି  ଓଡ଼ିଶାରେ ଥିବା ୯୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୬୩ଟି ତଥା ୩୭ କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ନବୋଦୟ ବିଦ୍ୟାଳୟକୁ ଆଜି ଠାରୁ ପିଏମ – ଶ୍ରୀ ସ୍କୁଲ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ସ୍କୁଲ ପାଇଁ ପାଖାପାଖି ୫୦.୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ୧୨.୭ କୋଟି ଟଙ୍କା ଏହି ବିଦ୍ୟାଳୟଗୁଡ଼ିକୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଛି । ୩୭ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ  ମୋଟ ୭.୨୭ କୋଟି ଟଙ୍କା ଏବଂ ୨୬ଟି ନବୋଦୟ ବିଦ୍ୟାଳୟ ପାଇଁ ୫.୪୩ କୋଟି ଟଙ୍କା ବ୍ୟୟ କରାଯାଇ ସ୍କୁଲର ଉନ୍ନତିକରଣ ଆରମ୍ଭ କରାଯିବ ।

ପିଲା ମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କର ବୈଜ୍ଞାନିକ ମନୋଭାବକୁ ବଢାଇବା ପାଇଁ ଏବଂ କଳା, ସାହିତ୍ୟ ବିଜ୍ଞାନରେ ସୃଜନଶୀଳତା ବଢାଇବା ସହ ସବୁ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବଢାଇବା ଦିଗରେ ପିଏମ ଶ୍ରୀର ଯୋଜନା । ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ହୋଇଥିବା ପାଠ୍ୟକ୍ରମ ଓ ପାଠପଢାର ପଦ୍ଧତି, ଶିକ୍ଷକ ମାନଙ୍କର ପରିବର୍ଦ୍ଧିତ ଦକ୍ଷତାକୁ ଗୋଟିଏ ସ୍କୁଲରେ ପରିପ୍ରକାଶ କରିବ ।  ସ୍କୁଲ ଗୁଡିକୁ ପ୍ରତିଯୋଗିତା ଆଧାରରେ ରାଜ୍ୟମାନେ କେନ୍ଦ୍ରକୁ ନାଁ ପଠାଇବାର ଆବଶ୍ୟକତା ଅଛି । ମାତ୍ର ଓଡ଼ିଶା ସରକାର ପିଏମ ଶ୍ରୀ ପାଇଁ ଏମଓୟୁ କରିନାହାନ୍ତି । ଏଥିପାଇଁ ଗତ ୧ ବର୍ଷ ମଧ୍ୟରେ ୩ ଥର ବ୍ୟକ୍ତିଗତ ଭାବରେ ଚିଠି ଲେଖାଯାଇଛି । କୌଣସି ନା କୌଣସି କାରଣରୁ ଓଡ଼ିଶା ଏହି ଯୋଜନା ଲାଗୁ କରୁନାହାନ୍ତି । ଗୋଟିଏ ଦୁଇଟି ରାଜ୍ୟ ରାଜନୈତିକ ଉଦ୍ଦେଶ୍ୟ ରଖି ପିଏମ ଶ୍ରୀ ଯୋଜନା ଲାଗୁ କରୁନାହାନ୍ତି । ସେ ରାଜ୍ୟ ଗୁଡ଼ିକ ଭଳି ଓଡ଼ିଶା ସରକାରଙ୍କର ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବ ବୋଲି ଭାବୁଛି ।

ଏହି ମର୍ମରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ସରକାରୀ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଯୋଜନା ପିଏମ ଶ୍ରୀ ଯୋଜନାକୁ ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପିଏମ ଶ୍ରୀ ଯୋଜନା ଓଡ଼ିଶା ସରକାର ଲାଗୁ କଲେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏ ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯିବ । ଗୋଟିଏ ସ୍କୁଲରେ ୨ କୋଟି ଟଙ୍କାର ଅନୁଦାନର ଦାୟିତ୍ଵ ନେବେ କେନ୍ଦ୍ର ସରକାର । ଓଡ଼ିଶାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୦୦ କୋଟିରୁ ଅଧିକ ଟଙ୍କା ଆସିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସର୍ବମୋଟ ୬୨, ୨୯୧ ସ୍କୁଲ ଥିବା ବେଳେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ହେଉଛି ୭୬ ଲକ୍ଷ । ସରକାରୀ ସ୍କୁଲ ୪୯,୦୭୨ଟି ଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି  ୫୩ ଲକ୍ଷ । ଉଚ୍ଚ ଶିକ୍ଷାରେ ପଢୁଥିବା ଛାତ୍ରଛାତ୍ରୀ ସଂଖ୍ୟା ୧୧ ଲକ୍ଷ । ସାମଗ୍ରିକ ଭାବେ ଓଡିଆ ପିଲା ମାନଙ୍କୁ ବୈଶ୍ୱିକ ନେତୃତ୍ୱ ଦେବା ପାଇଁ ପ୍ରସ୍ତୁତ କରାଇବାକୁ ହେବ ।  ଓଡିଶାରୁ ବିଶ୍ୱକୁ ବିଜୟ କଲା ଭଳି ପିଲା ତିଆରି ହେବେ । ଏଥିରେ ବାଛ ବିଚାର ଏବଂ ଭେଦଭାବ ନ ହେବା ଉଚିତ । ମୁଖ୍ୟମନ୍ତ୍ରୀ ଏହା ଉପରେ ସହୃଦୟ ସହ ବିଚାର କରନ୍ତୁ । ରାଜନୀତି ତା ବାଟରେ ଥାଇପାରେ । ପ୍ରତିଯୋଗିତା ତା’ ବାଟରେ ଥାଇପାରେ । କିନ୍ତୁ ୧ କୋଟି ଓଡ଼ିଆ ପିଲା ମାନଙ୍କୁ ତାଙ୍କ ଭବିଷ୍ୟତ ତିଆରି କରିବା ପାଇଁ ସମସ୍ତଙ୍କୁ ଦାୟିତ୍ଵ ନେବାର ଆବଶ୍ୟକତା ଅଛି । ଓଡ଼ିଶା ସରକାର ଏଥିପ୍ରତି ଯତ୍ନବାନ ହେବେ ବୋଲି ବିଶ୍ୱାସ ।

୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ଆମର ଶିକ୍ଷା କ୍ଷେତ୍ରକୁ ଆଗକୁ ନେବା ପାଇଁ ପଡିବ । ବିଶେଷ ଭାବରେ ଗ୍ରାମାଞ୍ଚଳର ପିଲା ମାନଙ୍କୁ ଏକବିଂଶ ଶତାବ୍ଦୀରେ ଉଚ୍ଚଶିକ୍ଷିତ କରି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ହେବ । ଜାତୀୟ ଶିକ୍ଷା ନୀତିର ବିଚାରରେ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରାଯିବ, ଯେଉଁମାନେ ମାନବତାର କଲ୍ୟାଣ ପାଇଁ ବୈଶ୍ୱିକ ସମସ୍ୟାର ସମାଧାନର ସୂତ୍ର ବାହାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।