Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶାର ୫ ଲୋକସଭା ୩୫ଟି ବିଧାନସଭାରେ ହେବ ନିର୍ବାଚନ, ଗତଥର ବାଜି ମାରିଥିଲା ବିଜେଡି

ଭୁବନେଶ୍ବର: ଆସନ୍ତାକାଲି ଦେଶର ପଞ୍ଚମ ପର୍ଯ୍ୟାୟ ଏବଂ ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ଓଡିଶାର ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ।

ତେବେ ଏହି ନିର୍ବାଚନରେ କିଏ କେତେ ଆସନ ହାସଲ କରିବ ଭିନ୍ନ କଥା। ହେଲେ ଗତଥର ଏହିସବୁ ଆସନରେ ବିଜେଡି ବାଜିମାତ କରିଥିଲା। ନିର୍ବାଚନ ହେବାକୁ ଥିବା ଏହି ୩୫ଟି ବିଧାନସଭାରେ ବିଜେଡି ଏକାକୀ ୨୬ ଟି ଆସନରେ ଜିତିଥିବା ବେଳେ ବିଜେପି କଂଗ୍ରେସ ୪ଟି ଲେଖାଏଁ ଆସନରେ ଜିତିଥିଲେ। ବିଜେପି ତଲସରା, ଲୋଇସିଂହା, ସୁନ୍ଦରଗଡ ଏବଂ  ବୀରମିତ୍ରପୁରରେ ଜିତିଥିଲା। ସେହିପରି ଗତ ନିର୍ବାଚନରେ କଂଗ୍ରେସ ରାଜଗାଙ୍ଗପୁର, ବଲାଙ୍ଗିରୀ, କଣ୍ଟାବାଞ୍ଜୀ ଏବଂ ସାନଖେମୁଣ୍ଡି ଆସନରେ ବିଜୟ ଲାଭ କରିଥିଲା। ଏକମାତ୍ର ବଣେଇ ଆସନଟି ସିପିଆଇଏମ ଜିତିଥିଲା।

ନିର୍ବାଚନ ହେବାକୁ ଯାଉଥିବା ୫ ଗୋଟି ଲୋକସଭା ଆସନ ମଧ୍ୟରୁ ଗତ ନିର୍ବାଚନରେ ବିଜେଡି ଦୁଇଟି ଆସନରେ ବିଜୟ ଲାଭ କରିଥିଲା। ସେଦୁଇଟି ହେଲା କନ୍ଧମାଳ ଆସ୍କା। ସୁନ୍ଦରଗଡ, ବଲାଙ୍ଗୀର, ବରଗଡରେ ବିଜେପି ବିଜୟଲାଭ କରିଥିଲା।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଡ୍ରିମଗାର୍ଲ ତଥା ସାଂସଦ ହେମାମାଳିନୀଙ୍କର ପ୍ରଚାରରେ କଣ ରହିବ ପ୍ରଭାବ !!

ଭୁବନେଶ୍ୱର: ଗତକାଲି ଓଡିଶାରେ ମାରଥନ ପ୍ରଚାର କରିଛନ୍ତି ଡ୍ରିମଗାର୍ଲ ତଥା ସାଂସଦ ହେମାମାଳିନୀ। ସେ ପ୍ରଥମେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ସାଲିଆ ସାହିର ଜନସଭାକୁ ସମ୍ବୋଧିତ କରି ଭଗବାନ ଶ୍ରୀକୃଷ୍ଣନଗର ମଥୁରା ସାଂସଦ ତଥା ଅଭିନେତା ହେମା ମାଳିନୀ ରାଧେ ରାଧେ କହି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମୁଁ ଓଡ଼ିଶାକୁ ୨୦୧୯ରୁ ଆସୁଛି। ଓଡ଼ିଶାର କଳା, ସଂସ୍କୃତିରେ ମୁଁ ପ୍ରଭାବିତ। ଓଡ଼ିଶାର ନୃତ୍ୟଗୁରୁଙ୍କ ସହ ମୋର ସାକ୍ଷାତ ହୋଇଛି। ନିର୍ବାଚନ ବେଳେ କେଳୁଚରଣ ମହାପାତ୍ରଙ୍କ କଥାକୁ ମଧ୍ୟ ସ୍ମରଣ କରିଛନ୍ତି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି। ପୂରା ଭାରତର ନୂଆ ନିର୍ମାଣ ହେଉଛି। ଦେଶର ଏମିତି ବିକଶ ଦେଖି ବିଶ୍ୱ ବି ଚକିତ। ଗରିବ, ମହିଳା, ଦଳିତଙ୍କ ପାଇଁ ମୋଦି ଅନେକ ଯୋଜନା କରିଛନ୍ତି। ଓଡ଼ିଶାରେ ଏଥର ବିଜେପି ସରକାର କରିବ। ରାଜ୍ୟର ୨୫ବର୍ଷ ସରକାର ପରିବର୍ତନ ହେବାର ସମୟ ଆସିଛି। ଓଡ଼ିଶାରେ ବର୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି। ଓଡିଶାର ବିକାଶ ପାଇଁ ମୋଦି ସରକାର ଗତ ୧୦ ବର୍ଷରେ ୧୮ଲକ୍ଷ କୋଟି ଟଙ୍କା ଓଡିଶାକୁ ଦେଇଛନ୍ତି।

ରାଜ୍ୟରେ ବିକାଶର ବାଧକ ସାଜିଛି ବିଜେଡି ସରକାର। ଓଡ଼ିଶାର ବିକାଶ ପାଇଁ ବିଜେପି ସରକାର ଆବଶ୍ୟକ ଅଛି। ଏଠାରେ ପୂର୍ବରୁ କଂଗ୍ରେସର ସରକାର ଥିଲା। ତା’ପରେ ୨୫ବର୍ଷ ଧରି ବିଜେଡି ଶାସନ କରୁଛି। ଓଡ଼ିଶା ଏବେ କେଉଁ ସ୍ଥିତିରେ ଅଛି। ଭ୍ରଷ୍ଟାଚାର ବଢ଼ୁଛି, ବେରୋଜଗାର ବଢ଼ୁଛି। ଓଡ଼ିଶାରେ ସାଂସ୍କୃତିକ ସ୍ଥାନ, ପ୍ରାକୃତିକ ଉପାଦାନ ରହିଛି। ବିଜେଡି ଦୀର୍ଘଦିନ ସରକାର ରହି ମଧ୍ୟ ପର୍ଯ୍ୟଟନର ବିକାଶ କରିନାହିଁ। ପର୍ଯ୍ୟଟନ ପ୍ରତି ବିଜେଡି ସରକାରର ଧ୍ୟାନ ନାହିଁ ବୋଲି ସାଂସଦ ଶ୍ରୀମତୀ ହେମାମାଲିନୀ କହିଛନ୍ତି।

ସେ କହିଛନ୍ତି ଯେ, ମୁଁ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସିଛି। ଓଡିଶାର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟର ସଠିକ ପ୍ରଚାର କରିବାରେ ବିଜେଡି ସରକାର ବିଫଳ ହୋଇଛି।ଓଡିଶାରେ ବିଜେପି ସରକାର ହେବ, ଓଡ଼ିଶାର ଲୋକେ ବିକାଶର ସ୍ୱାଦ ଚାଖିବେ ବୋଲି ହେମା ମାଳିନୀ କହିଛନ୍ତି। ଶ୍ରୀମତୀ ହେମାମାଳିନୀ ଆଜି କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗର ଏବଂ ପୁରୀ ଲୋକସଭା ଅନ୍ତର୍ଗତ ପିପିଲିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି।

ଏହି ଜନସଭାରେ ସାଂସଦ ଅପରାଜିତା ଷଡଙ୍ଗୀ, ପୁରୀ ସାଂସଦ ପ୍ରାର୍ଥୀ ଡା.ସମ୍ବିତ ପାତ୍ର, ଉତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର, ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ, କଟକ ସଦର ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀ ପ୍ରମୁଖଙ୍କ ସମେତ ଅନେକ ନେତା ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ତେବେ ହେମାମାଳନୀଙ୍କର ଏହି ମାରଥନ ପ୍ରଚାର କେତେଦୂର ପ୍ରଭାବ ପକାଇବ ତାହା ଭୋଟ ପରେ ଜଣାପଡିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ବର/ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଆଜି ସମ୍ୱଲପୁର ସହିତ ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜୁ ଜନତା ଦଳ ପାଇଁ ଭୋଟ ମାଗିଛନ୍ତି । ଏହି ସବୁ ସ୍ଥାନରେ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଲୋକମାନେ ଭବ୍ୟ ସ୍ୱାଗତ କରିଥିଲେ ।

ବିଜୁ ଜନତା ଦଳର ସମ୍ୱଲପୁର ଓ ଢେଙ୍କାନାଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ସଭାରେ ବିରୋଧୀ ଦଳକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସେମାନଙ୍କ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ଥିଲେ ଏସବୁ ଯୋଜନା ଭଲ କି ? ଜନତାଙ୍କ ସମୂହ ଉତ୍ତର ଥିଲା ‘ହଁ’ । ଯେତେବେଳେ ସେ ପଚାରିଲେ ନବୀନ ପଟ୍ଟନାୟକ ଭଲ କି ? ‘ହଁ’ ଧ୍ୱନିରେ ପ୍ରତିଧ୍ୱନିତ ହୋଇଥିଲା ସଭାସ୍ଥଳ ।

ସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଜୁଲାଇରୁ ଆଉ ବିଜୁଳି ବିଲ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣା ବିଜୁଳି ଦେବ। ଆପଣମାନେ ଖୁସି ତ ? ତା’ପରେ ସେ ପୁଣି କହିଲେ ମା ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ ? ପୁରୀ ପରିକ୍ରମା ପ୍ରକଳ୍ପ ଭଲ ହେଇଛି ତ ? ବହୁତ ଭଲ ବୋଲି ଉଚ୍ଛ୍ୱସିତ ସ୍ୱରରେ ଜନତା ଉତ୍ତର ଦେଲେ। କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ପ୍ୟାକେଜ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ବିଜେପିର ସମସ୍ତେ କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ, ସେମାନେ ପ୍ରଥମେ ଆଗେ ତାଙ୍କ ପାର୍ଲାମେଣ୍ଟାରି ପାର୍ଟିର ବୈଠକ କରି ନିଷ୍ପତ୍ତି କରନ୍ତୁ – କେଉଁ ରାଜ୍ୟକୁ ଏକ ନମ୍ୱର କରିବେ ? ତା’ପରେ ଓଡ଼ିଶା ଆସି ଆମର ଏକ ନମ୍ୱର ମୁଖ୍ୟମନ୍ତ୍ରୀଙ୍କ ଠାରୁ ପରାମର୍ଶ ନିଅନ୍ତୁ।

ପ୍ରଧାନମନ୍ତ୍ରୀ ନିଜେ କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ବର କରିବେ । ତେଣୁ ସେମାନେ କୁହନ୍ତୁ, ତାଙ୍କ ରାଜ୍ୟକୁ କ’ଣ କରିବେ ? କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ କହୁଛନ୍ତି, କର୍ଣ୍ଣାଟକକୁ, ତେଲେଙ୍ଗାନାକୁ ଏକ ନମ୍ୱର କରିବେ । କିନ୍ତୁ ଗୁଜରାଟକୁ ଏକ ନମ୍ୱର କରିପାରିଲେ କି ?

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ଭଲପାଇବା ଓ ଜୋସ୍‍ ଦେଖି ଏ ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଡରିକି ନିଜକୁ ସମ୍ବଲପୁରକୁ କୋରିଅର କରିଦେଲେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ତା’ପରେ ସେ କହିଥିଲେ ଯେ ଓଡ଼ିଶା ୧ ନମ୍ବର ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସହଯୋଗରେ ଓଡ଼ିଶାକୁ ଏକ ନମ୍ୱର କରିବେ। ଯେଉଁ ରାଜ୍ୟମାନଙ୍କରେ ଡବଲ ଇଞ୍ଜିନ ଚାଲୁଥିଲା । ସବୁ ବନ୍ଦ ହୋଇଗଲାଣି।

ଜୁନ ୯ ତାରିଖରେ ୧୧.୩୦ରୁ ଗୋଟାଏ ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍‍ ଛାଡ୍‍, ଓଡ଼ିଶାର ୯୦ ପ୍ରତିଶତ ପରିବାର ଉପକୃତ ହେବେ। ଜୁଲାଇରୁ ବିଜୁଳି ବିଲ ଆସିବନାହିଁ, ଏହା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି । ନବୀନ ବାବୁଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପିକୁ କରେଣ୍ଟ ଲାଗିଲାଣି। କହୁଛନ୍ତି, ସୋଲାର ପ୍ୟାନେଲ ବସାଇ ମାଗଣା ବିଜୁଳି ଦେବେ। ଏଥିପାଇଁ ଆପଣମାନଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବିଜେପି ଦଳ ଦିନରେ ଲଣ୍ଠନ ଦେଖାଉଛନ୍ତି।

ତା’ପରେ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ। ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ୬୦ ବର୍ଷରେ ଭତ୍ତା ବ୍ୟବସ୍ଥା ହେବ। ଏହି ତିନୋଟି ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି। ଏହାକୁ ଘରେ ଘରେ ପହଞ୍ଚାନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।

ଏହାପରେ ସେ ପଚାରିଥିଲେ କେନ୍ଦୁପତ୍ର ତୋଳାଳୀଙ୍କ ବୋନସ୍‍ କିଏ ଡବଲ କରିଛନ୍ତି ? ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିପୀଠ ଓ ଜନ୍ମସ୍ଥାନର କିଏ ରୂପାନ୍ତରଣ କରିଛନ୍ତି ? ରେଢ଼ାଖୋଲରେ ବ୍ୟାପକ ଜଳସେଚନର ସୁବିଧା କିଏ କରିଛନ୍ତି ? ପାଣ୍ଡିଆନଙ୍କ ପ୍ରଶ୍ନରେ ଲୋକଙ୍କ ଠାରୁ ଉତ୍ତର ଆସିଥିଲା ‘ମୁଖ୍ୟମନ୍ତ୍ରୀ’ ଓ ମୁଖ୍ୟମନ୍ତ୍ରୀ। ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିପୁଳ ଜନ ସମାବେଶ ଦେଖି ବିରୋଧୀଙ୍କ ଆତ୍ମବିଶ୍ୱାସ ଭାଙ୍ଗି ଗଲାଣି । ତେଣୁ ବାହାରୁ ଆସି ସେମାନଙକ ନେତାମାନେ ନବୀନ ବାବୁଙ୍କୁ ଅସମ୍ମାନିତ କରୁଛନ୍ତି । ଆପଣମାନେ ସେହିବ୍ୟକ୍ତିମାନଙ୍କୁ କଡ଼ା ଜବାବ ଦିଅନ୍ତୁ ।

ସମ୍ୱଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ ଗୋଟିଏ ପଟେ ବିରୋଧୀଙ୍କ ମିଥ୍ୟା ପ୍ରଚାର ଚାଲିଛି, ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଲୋକମତକୁ ସମ୍ମାନ ଦେଇ କାମ କରିବାର ଚିନ୍ତାଧାରା । ଏବେ ସମୟ ଆସିଛି ବିଚାର କରିବା ପାଇଁ, ଆମେ କାହାକୁ ବାଛିବା।

କାର୍ଯ୍ୟକ୍ରମରେ ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ଅନୁଗୋଳ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ, ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମୁକେଶ କୁମାର ପାଳ, ଢେଙ୍କାନାଳ ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟକ ପ୍ରାର୍ଥୀ ମହେଶ ସାହୁ, କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲୀକ, ପରଜଙ୍ଗ ବିଧାୟକ ପ୍ରାର୍ଥୀ ଡଃ ନୃସିଂହ ସାହୁ ଏବଂ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ପ୍ରମୁଖ ନିଜ ନିଜ ସପକ୍ଷରେ ଭୋଟ ପ୍ରଚାର କରି ସେମାନଙ୍କ ଅଭିଭାଷଣ ରଖିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପରବର୍ତ୍ତି ନିର୍ବାଚନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାଜନୈତିକ ଦଳମାନଙ୍କ ସହ ସିଇଓଙ୍କ ବୈଠକ

ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆଜି ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଥିଲେ। ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇବା ସହ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ଉତ୍ସାହ ମଧ୍ୟରେ ହୋଇଥିବା ମତଦାନ ବିଷୟରେ ସୂଚିତ କରିଥିଲେ।

ଏହି ପର୍ଯ୍ୟାୟରେ ହାରାହାରି ମତଦାନ ହାର ୭୫.୬୮ ପ୍ରତିଶତ ଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସ୍ୱାଭିମାନ ଅଞ୍ଚଳଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ କିପରି ସବୁବର୍ଗର ମତଦାତାମାନେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଶ୍ରୀ ଧଳ ସେ ବିଷୟରେ ଅବଗତ କରାଇଥିଲେ।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ଖଲିକୋଟଠାରେ ହୋଇଥିବା ପ୍ରାକ୍‌ନିର୍ବାଚନୀ ହିଂସା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଚିନ୍ତା ପ୍ରକଟ କରିଥିଲେ। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ଏବଂ କୌଣସି ପ୍ରକାରର ଆଇନଶୃଙ୍ଖଳା ପରିସ୍ଥିତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ।

ଏହି ବିଷୟରେ ଭାରତ ନିର୍ବାଚନ ଆୟୋଗ ଉଦ୍‌ବେଗ ପ୍ରକାଶ କରିଥିବା ଜଣାଇଥିଲେ। ଏହି ଅବସରରେ ଶାନ୍ତିଶୃଙ୍ଖଳା ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସଖି ବୁଥ୍‌ରେ ମହିଳା ପୋଲିଂ ଏଜେଣ୍ଟ ଦେବା ପାଇଁ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଥିଲେ। ଏହା ସହ ସମସ୍ତ ପୋଲିଂ ଏଜେଣ୍ଟମାନଙ୍କୁ ‘ପରିଚୟ ପତ୍ର’ ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ।

ଏହି ଅବସରରେ ରାଜନୈତିକ ଦଳର ପ୍ରତିିନିଧିମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସଦିଚ୍ଛା ଓ ଉଦ୍ୟମ ପାଇଁ ସାଧୁବାଦ ଜଣାଇବା ସହ ଆଦର୍ଶ ଆଚରଣ ବିଧିର ଅନୁପାଳନପୂର୍ବକ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ନେଇ ମତପ୍ରକାଶ କରିଥିଲେ। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିହିର ପ୍ରସାଦ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ୱଲପୁର ଲୋକସଭା ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର, ପ୍ରଣବ ପ୍ରକାଶଙ୍କ ପାଇଁ କଲେ ଭୋଟ ଭିକ୍ଷା

ଭୁବନେଶ୍ବର/ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଠାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ସମ୍ୱଲପୁର ପି.ଏଚ୍‍.ଡି. ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ମାଗଣା ଦେବ । ଆପଣମାନଙ୍କ ପାଖକୁ ଆଉ ବିଜୁଳି ବିଲ୍‍ ଆସିବ ନାହିଁ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବି.ଏସ୍‍.କେ.ୱାଇ., ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‍ସନ, ଚାଉଳ କାର୍ଡ ଇତ୍ୟାଦିର ସୁଫଳ ବିଷୟରେ ମତାମତ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପଚାରିଥିଲେ ଯେ, ମା ସମଲେଇଙ୍କ ପ୍ରକଳ୍ପ କାମ କିପରି ହୋଇଛି ? ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କିପରି ହୋଇଛି ? ସମସ୍ତ ଉପସ୍ଥିତ ଜନତା ଉଚ୍ଛ୍ୱସିତ ସ୍ୱରରେ ବହୁତ ଭଲ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଭଲ କି ପ୍ରଶ୍ନର ଉତ୍ତରରେ ଭାବବିହ୍ୱଳ ହୋଇଯାଇଥିଲେ ଉପସ୍ଥିତ ଜନତା। କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ପ୍ୟାକେଜ୍‍ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ବିରୋଧି ଦଳର ନେତାମାନେ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁରର ସାଂସଦ ପ୍ରାର୍ଥୀଙ୍କୁ ଶାଣିତ ପ୍ରଶ୍ନ ମାଧ୍ୟମରେ ପଚାରିଥିଲେ ଯେ ଆପଣ ଏ ଅଞ୍ଚଳ ପାଇଁ, ମହାନଦୀ ପାଇଁ ମା ସମଲେଇଙ୍କ ପାଇଁ କ’ଣ କରିଛନ୍ତି, ଏହାର ଉତ୍ତର ରଖିବେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ଅଞ୍ଚଳର ପରିଚୟ ହେଉଛି ସମ୍ୱଲପୁରୀ କୋଶଳୀ ଭାଷା। ସମ୍ୱିଧାନର ଅଷ୍ଟମ ପରିଚ୍ଛେଦରେ ଏହାକୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପାଞ୍ଚ ଥର କେନ୍ଦ୍ରକୁ ପ୍ରସ୍ତାବ ପଠାଇଥିଲେ। କେନ୍ଦ୍ରମନ୍ତ୍ରୀ ଉତ୍ତର ଦେଇପାରିବେ କି ? କାହିଁକି ଅନ୍ତର୍ଭୁକ୍ତ ହେଲା ନାହିଁ ?

ସେ ଆହୁରି ମଧ୍ୟ ପଚାରିଥିଲେ, ସମ୍ୱଲପୁରୀ ଶାଢ଼ୀ ଏ ଅଞ୍ଚଳର ମୁଖ୍ୟ ପରିଚୟ। ସମ୍ୱଲପୁରୀ ଶାଢ଼ୀର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କଳାଭୂମିଠାରେ ମ୍ୟୁଜିୟମ୍‍ କରିଛନ୍ତି।ସେ କ’ଣ କରିଛନ୍ତି ? ସମ୍ୱଲପୁରୀ ଶାଢ଼ୀ ଡିଜାଇନରେ ଭୁବନେଶ୍ୱର ଠାରେ କୃଷିଭବନ ମୁଖ୍ୟମନ୍ତ୍ରୀ ତିଆରି କରିଛନ୍ତି। ଏହି ଭବନ ସାରା ବିଶ୍ୱରେ ଏକ ନମ୍ୱର ହୋଇ ଆୱାର୍ଡ ପାଇଛି, ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସମ୍ୱଲପୁରୀ ଶାଢ଼ୀ ପାଇଁ।

ମୁଖ୍ୟମନ୍ତ୍ରୀ ବୁଣାକାରମାନଙ୍କ ଉନ୍ନତି ପାଇଁ ଗୁଡ଼ାଏ ପ୍ୟାକେଜ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କଣ କରିଛନ୍ତି ? ଚାହିଁଥିଲେ ଟେକ୍‍ସଟାଇଲ ପାର୍କ କରିପାରିଥାନ୍ତେ ? ରପ୍ତାନୀ ପାଇଁ ଉଦ୍ୟମ କରିପାରିଥାନ୍ତେ। କିଛି କଲେ ନାହିଁ। ଏ ଅଞ୍ଚଳର ବୀର ସୁରେନ୍ଦ୍ର ସାଏ, ଭୀମ ଭୋଇ, ଗଂଗାଧର ମେହେର, ପାର୍ବତୀ ଗିରିଙ୍କ ପରି ବରପୁତ୍ରମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ବିଜେପି ସରକାର କ’ଣ କରିଛି ? ଆମ ସରକାର ଏହି ବରପୁତ୍ରମାନଙ୍କ ସ୍ମୃତି ପୀଠର ଉନ୍ନତି କରୁଛନ୍ତି। ସେମାନଙ୍କ ସମ୍ମାନାର୍ଥେ ବହୁ ଯୋଜନା ମଧ୍ୟ ନାମିତ କରିଛନ୍ତି।

ମହାନଦୀ ଆମ ଓଡ଼ିଆଙ୍କ ଅସ୍ମିତା । ଓଡ଼ିଶାର ମହାନଦୀ ଆନ୍ଦୋଳନ ବେଳେ ବିଜେପି ସରକାର ଛତିଶ୍‍ଗଡ଼ ସହିତ ଠିଆ ହେଲା, ଅଥଚ ଓଡ଼ିଶାକୁ ଭୁଲିଗଲା। ମହାନଦୀ ଟ୍ରିବୁନାଲ ଗଠନକୁ ବିରୋଧ କଲା। ଓଡ଼ିଶାବାସୀ ଓ ଓଡ଼ିଶାର ଚାଷିକୁଳଙ୍କୁ ସେ ସମୟରେ ବିଜେପି ସରକାର ଭୁଲିଗଲା।

ସେ ଆହୁରି ମଧ୍ୟ କହିଲେ ଯେ, ମା ସମଲେଇ ପ୍ରକଳ୍ପ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ସ୍ୱପ୍ନର କାର୍ଯ୍ୟକ୍ରମ ଥିଲା। ସେତେବେଳେ ମଧ୍ୟ ଏହାକୁ ବିରୋଧ କଲେ। ବିରୋଧ କରି ସୁପ୍ରିମ୍‍ କୋର୍ଟ ପର୍ଯନ୍ତ ଗଲେ। ମା ସମଲେଇଙ୍କ କୃପାରୁ ସେମାନେ ଏଥିରେ ସଫଳ ହେଲେ ନାହିଁ। ସୁରୁଖୁରୁରେ ସମଲେଇ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହେଲା। ଏହି ପ୍ରକଳ୍ପ ପାଇଁ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବହୁ ପରିଶ୍ରମ କରିଛନ୍ତି ।

ସମ୍ୱଲପୁର ଅଞ୍ଚଳର ବହୁ ଗରିବ ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରିଥାନ୍ତି । କେନ୍ଦୁପତ୍ର ତୋଳାଳୀ ଉପରେ କେନ୍ଦ୍ରସରକାର ଜି.ଏସ୍‍.ଟି. ଲାଗୁ କଲେ। ବଡ଼ ବଡ଼ କମ୍ପାନୀ ଓ ପୁଞ୍ଜୀନିବେଶକାରୀଙ୍କ ଠାରୁ ସିନା ଜି.ଏସ୍‍.ଟି. ନେବେ, ଜଙ୍ଗଲ ଉପରେ ନିର୍ଭର କରୁଥିବା ଗରିବ ଲୋକଙ୍କ ଠାରୁ ଜି.ଏସ୍‍.ଟି. ନେବା ଉଚିତ କି ବୋଲି ସେ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରୁ ରାଜ୍ୟ ଜି.ଏସ୍‍.ଟି. ଫେରାଇ ନେଇଛନ୍ତି । ସେମାନଙ୍କ ପାଇଁ ବହୁତ ବଡ଼ ବଡ଼ ପ୍ୟାକେଜ କରିଛନ୍ତି। ଏ ବାବଦରେ କେବେ ସ୍ୱର ଉତ୍ତୋଳନ କରିଛନ୍ତି କି, କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରାର୍ଥୀ।

କହିଥିଲେ ଏମ୍‍.ଏସ୍‍.ପି. ଦୁଇଗୁଣ ହେବ, ହେଲା କି ? ଏବେ ଇଲେକ୍‍ସନ ୧୦ ଦିନ ଅଛି, ପୁଣି ମନେ ପଡ଼ୁଛି, ୧୦ ବର୍ଷ ହେଲା କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଥିଲେ ।

ମୁଖ୍ୟମନ୍ତ୍ରୀ ସମ୍ୱଲପୁରର ସବୁ ହାଇସ୍କୁଲକୁ 5T ରୂପାନ୍ତରଣ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଗୋଟିଏ ସ୍କୁଲ କରିଛନ୍ତି କି ? ଅଞ୍ଚଳ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଆଣିଛନ୍ତି କି ? ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ସମ୍ୱଲପୁର କିମ୍ୱା ଦେଗଗଡ଼ରେ ଦକ୍ଷତା ବିକାଶ କେନ୍ଦ୍ର ଗୋଟିଏ ଖୋଲିଲେ କି ? ଏ ଅଞ୍ଚଳକୁ କାହିଁକି ଅବହେଳା କଲେ ? ତୈଳମନ୍ତ୍ରୀ ଥିବା ବେଳେ ୨ ମାସକୁ ଥରେ ତାଙ୍କ ଦସ୍ତଖତରେ ପେଟ୍ରୋଲ, ଡିଜେଲ ଓ ଏଲ୍‍.ପି.ଜି. ଦର ବଢ଼ୁଥିଲା। ସାଧାରଣ ଖାଉଟିର କଷ୍ଟକୁ ସେତେବେଳେ ସେ କ’ଣ ଅନୁଭବ କରିପାରୁନଥିଲେ । କେନ୍ଦ୍ରମନ୍ତ୍ରୀ ଆତ୍ମସମୀକ୍ଷା କରନ୍ତୁ, ଲୋକଙ୍କ ପାଖରେ ଉତ୍ତରଦାୟୀ ହୁଅନ୍ତୁ ।

ମୁଖ୍ୟମନ୍ତ୍ରୀ ୩ ବର୍ଷ ମଧ୍ୟରେ ବିଜୁ ଏକ୍‍ସପ୍ରେସ୍‍ ୱେ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ । ଅଥଚ କଟକ-ସମ୍ୱଲପୁର ରାସ୍ତା ୧୦ ବର୍ଷ ହେଲା ହୋଇପାରୁନାହିଁ। ଲୋକଙ୍କ ଯିବାଆସିବା ଅସୁବିଧା ଠାରୁ ଆରମ୍ଭ କରି ବହୁ ଧନଜୀବନ ଏଥିପାଇଁ କ୍ଷୟକ୍ଷତି ଘଟୁଛି।

କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରି ସେ ପୁଣି କହିଥିଲେ ଯେ, ଏମ୍‍.ସି.ଏଲ୍‍. ପ୍ରତିବର୍ଷ କୋଇଲା ବାବଦକୁ ଓଡ଼ିଶାରୁ ୨୭ ହଜାର କୋଟି ଟଙ୍କା ପାଉଛି। କିନ୍ତୁ ଓଡ଼ିଶାବାସୀ ପାଉଛନ୍ତି ପ୍ରଦୂଷଣ ଏବଂ ଓଡ଼ିଶା ପାଉଛି ମାତ୍ର ୪ ହଜାର କୋଟି ଟଙ୍କା। ଏଇଟା କ’ଣ ଉଚିତ ହେଉଛି କି ?

ସମ୍ୱଲପୁର ଓ ରେଙ୍ଗାଲୀର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ବହୁତ ବଡ଼ ମାଷ୍ଟର ପ୍ଲାନ ରହିଛି ବୋଲି ସେ ସୂଚନା ଦେଇ ବିଜୁ ଜନତା ଦଳର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଶ୍ରୀ ପାଣ୍ଡିଆନ ଅନୁରୋଧ କରିଥିଲେ ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଉପକୂଳ ଓଡିଶାରେ ମାରାଥନ ପ୍ରଚାର, ବିଜେପିକୁ ପ୍ରଚଣ୍ଡ ଆକ୍ରମଣ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଉପକୂଳ ଓଡ଼ିଶାରେ ଧୂଆଁଧାର ପ୍ରଚାର କରି ବିରୋଧୀ ବିଜେପି ଦଳକୁ ଶାଣିତ ଆକ୍ରମଣ କରିଛନ୍ତି । ବିଜେପିର ମିଛ ଧରା ପକାଇଛନ୍ତି ।

କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବଡ଼ମ୍ୱା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କୀରେ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ ତିଗିରିଆରେ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସଦରରେ ଚନ୍ଦ୍ର ସାରଥୀ ବେହେରା ଓ କଟକ ଚୌଦ୍ୱାର ବିଧାୟକ ପ୍ରାର୍ଥୀ ସୌଭିକ୍‍ ବିଶ୍ୱାଳଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଆୟୋଜିତ ଜନସଭାରେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲା ବିଶାଳ ଜନସମୁଦ୍ର । କଟକ ସଦରରେ ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି, ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଦିନରାତି କାମ କରୁଛନ୍ତି । ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ସେ ଚିନ୍ତା କରୁଛନ୍ତି । କିନ୍ତୁ ବିଜେପି ଦଳ ଯାହା କରୁଛି ସେମାନେ ଓଡ଼ିଶା ୨୫ ବର୍ଷ ପଛକୁ ନେଇଯିବେ ।

ସେ ପୁଣି କହିଲେ ଯେ ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, ଓ କୁମ୍ଭୀର କାନ୍ଦଣା କାନ୍ଦିବେ । ଏମାନେ ସମସ୍ତେ ନିର୍ବାଚନ ପର୍ଯ୍ୟଟକ । ନିର୍ବାଚନ ସରିଗଲେ ଖୋଜିଲେ ବି ମିଳିବେ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷତମାମ ଦିନରାତି ୨୪ ଘଣ୍ଟା ଆପଣଙ୍କ ସୁଖଦୁଃଖରେ ଛିଡ଼ା ହୋଇ ରହିଛନ୍ତି । ସେ କହିଲେ ଯେ ଯିଏ ବି ଭତ୍ତା, ପକ୍କାଘର, ବି.ଏସ୍‍.କେ.ୱାଇ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସମସ୍ତେ ସାମିଲ ହେବେ, ସମସ୍ତଙ୍କ ପାଇଁ ନବୀନବାବୁଙ୍କ ଗ୍ୟାରେଣ୍ଟି ଅଛି ।

ଦୃଢ଼ୋକ୍ତି ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ଦିନ ୧୧.୩୦ରୁ ଦିନ ଗୋଟାଏ ମଧ୍ୟରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତରେ ହିଁ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‍ ଛାଡ଼ କରିବେ । ଆପଣମାନେ ବିଜୁଳି ପାଇବେ ଆଉ ବିରୋଧୀଙ୍କୁ ଲାଗିବ ସକ୍‍ । ଆପଣମାନେ ଖୁସି ତ !

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍‍ ଛାଡ଼୍‍ ଗ୍ୟାରେଣ୍ଟି ବିଜେପି ଦଳକୁ ସକ୍‍ ଦେଇଛି ବୋଲି ମତ ଦେଇ ସେ କହିଲେ ସେଥିପାଇଁ ସେମାନେ ସୋଲାର ପ୍ୟାନେଲ ଜରିଆରେ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି । ବିଜେପି କହୁଛି ମାଗଣା ବିଜୁଳି ଦେବ । କିନ୍ତୁ କେମିତି ହେବ ଜାଣିଛନ୍ତି ? ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ । ତା’ପରେ ଆପଣ ସୋଲାର ପ୍ୟାନେଲ ଲଗାଇ ପାରିବେ । ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ । ଏମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି ।

ବିଜେପି ଉପରେ ଆକ୍ରମଣ ଜାରିରଖି ସେ କହିଲେ ଯେ ଏହି ଦଳ ୧୦ ବର୍ଷ କ୍ଷମତାରେ ରହିଲା । ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ, ମିଳିଲା କି ? ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ, ମିଳିଲା କି ? ପେଟ୍ରୋଲ, ଡିଜେଲ ଦର କମିବା କଥା ସବୁ ଭୁଲିଗଲେ । ଏଲ୍‍.ପି.ଜି ଦର ଯୋଗୁଁ ମା’ମାନେ କାନ୍ଦୁଛନ୍ତି, ସେମାନେ କିଛି ଶୁଣିଲେ କି ? କିଛି କଲେ କି ?

ନବୀନ ବାବୁ ପ୍ରତିଶ୍ରୁତି ଦିଅନ୍ତି ଓ ରଖନ୍ତି ମଧ୍ୟ । ମୁଖ୍ୟମନ୍ତ୍ରୀ କଥା କମ୍‌, କାମ ଅଧିକା କରିଥାନ୍ତି, ଆପଣଙ୍କ ଆଶୀର୍ବାଦରେ ସେ ଆହୁରି ସଶକ୍ତ ହୋଇ କାମ କରିବେ। ଶ୍ରୀମନ୍ଦିରର ରୂପାନ୍ତର କାମ ସମସ୍ତଙ୍କୁ ଦିଶୁଛି, କିନ୍ତୁ ଶୋଇ ରହିଥିବା ବିରୋଧୀଙ୍କୁ ଦିଶୁନି ।
ଚାଷୀଙ୍କୁ ଦେବେ ବିନା ସୁଧରେ ୧.୫୦ ଲକ୍ଷ ଟଙ୍କାର ଋଣ ଓ ଚାଷୀ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ଦେବେ ।

କଟକରେ ଶ୍ରୀ ପାଣ୍ଡିଆନ କହିଲେ ଯେ କଟକ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଭୂମି । ସାରା ଓଡ଼ିଶା ତାଙ୍କ କର୍ମଭୂମି । ବସ୍ତିବାସିନ୍ଦାଙ୍କ ପାଇଁ ଅନେକ ଲୋକ ଅନେକ କଥା କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତିବାସିନ୍ଦାକୁ ସମ୍ମାନ ଦେବାରେ ସାରା ଭାରତ ବର୍ଷ ଏକ ନମ୍ବର । ବସ୍ତିବାସିନ୍ଦାଙ୍କୁ ପଟ୍ଟା ଆବଣ୍ଟନ, ବିଜୁ ଆଦର୍ଶ କଲୋନି ନିର୍ମାଣ, ଜାଗା ମିଶନ କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଆରୋପ କରି କାମ କରିଛନ୍ତି । ସେ କହିଲେ ଯେ କଟକ ସବୁବେଳେ ବିଜେଡିର ଗଡ଼ ହୋଇ ରହିଛି ଓ ରହିଥିବ ।

ସାଂସଦ ପ୍ରାର୍ଥୀ ଶ୍ରୀ ସଂତୃପ୍ତ ମିଶ୍ରଙ୍କ ଉଚ୍ଚ ପ୍ରଶଂସା କରି ସେ କହିଲେ ଆପଣଙ୍କ ସାଂସଦ ପ୍ରାର୍ଥୀ ରାଜନୀତିକୁ ଆସିଛନ୍ତି କେବଳ ସେବା କରିବା ପାଇଁ । ଆପଣଙ୍କ ସେବା କରିବେ ଓ ଏ ଅଞ୍ଚଳକୁ ପୁଞ୍ଜି ଆଣିବେ । ଯୁବପୀଢ଼ିଙ୍କୁ ରୋଜଗାର ଦେବେ ।

ଭୋଟ ଦିନ ବିପୁଳ ସଂଖ୍ୟାରେ ଆସି ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ । ସବୁଯାଗାରେ ୫୦ ହଜାରରୁ ଲକ୍ଷେ ବ୍ୟବଧାନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଅନୁରୋଧ କରିଥିଲେ ।

ଖଣ୍ଡପଡ଼ାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ୩୧ କୋଟି ଟଙ୍କା, ଖଣ୍ଡପଡ଼ା ଚାଷୀଭାଇଙ୍କ ପାଇଁ ବୃତଙ୍ଗ ଜଳସେଚନ ପ୍ରକଳ୍ପରେ ୧୬୬୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଖଣ୍ଡପଡ଼ା, ଭାପୁର ଓ ନୟାଗଡ଼ ବ୍ଲକର ଚାଷୀଭାଇମାନଙ୍କ ପାଇଁ ୩୩୦ କୋଟି ଟଙ୍କାରେ କୁସୁମୀ ଜଳସେଚନ ପ୍ରକଳ୍ପ କରାଯାଉଛି । ଡିମିରିଆ-ରାଉତପଡ଼ା ମହାନଦୀ ଆଡ଼ିବନ୍ଧ ପାଇଁ ୧୫୨୦ କୋଟି ଟଙ୍କା ଦିଆଯାଇଛି । ଖଣ୍ଡପଡ଼ାରେ ରାମ ମନ୍ଦିରକୁ ଐତିହ୍ୟ ସ୍ଥଳ ଭାବରେ ବିକାଶ କରାଯିବ, ନୀଳମାଧବ ମନ୍ଦିରର ଆହୁରି ବିକାଶ ହେବ, ଦକ୍ଷତା ବିକାଶ କେନ୍ଦ୍ର କରାଯିବ

ବଡ଼ମ୍ୱାରେ ବଡ଼ମ୍ୱା ନିର୍ବାଚନ ମଣ୍ଡଳୀରେ ମନ୍ଦିର ବିକାଶ ପାଇଁ ସବୁଠୁଁ ଅଧିକ ଟଙ୍କା ଦିଆଯାଇଛି ବୋଲି ସେ କହିଥିଲେ । ସେହିପରି ମା ଭଟ୍ଟାରିକା ମନ୍ଦିର ବିକାଶ ପାଇଁ ୮.୫୦ କୋଟି ଟଙ୍କା, ମା ପ୍ରଗଳା ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା, ସିଂହନାଥ ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି, ୧୪୦ କୋଟି ଟଙ୍କାରେ ଗୋପୀନାଥପୁର-ବୈଦେଶ୍ୱର ଟି-ବ୍ରିଜ୍‍ ନିର୍ମାଣ, ବଡ଼ମ୍ୱାରେ ପିଇବା ପାଣି ସମସ୍ୟା ଦୂର ହେବ ବୋଲି ସେ କହିଥିଲେ ।

ନୂଆ ଓଡ଼ିଶାରେ ବାଙ୍କୀରେ ହେବ ମେଟ୍ରୋ ରେଲ୍‍ ଗଡ଼ିବ ବୋଲି ପ୍ରକାଶ କରି ସେ କହିଲେ ଯେ ଏ ମାଟିର ପରିଚୟ ଆହୁରି ଉଜ୍ୱଳ ହେବ । ପ୍ରଭାତ ତ୍ରିପାଠୀ ଏ ଅଞ୍ଚଳର ବହୁତ ସମ୍ମାନିତ ନେତା ବୋଲି ମତ ଦେଇ ସେ କହିଲେ ମୁଁ ତାଙ୍କୁ ବହୁତ ସମ୍ମାନ ଦିଏ । ଦଳର ସଂକଟ ସମୟରେ ସେ ଦଳ ପାଇଁ ଖୁବ୍‍ କାମ କରିଛନ୍ତି, ସହାୟତା କରିଛନ୍ତି । ଦେବୀ ରଞ୍ଜନ ତ୍ରିପାଠୀ ଛାତ୍ର ସମାଜର ସେନାପତି, ସେ ଆପଣଙ୍କ ଅଞ୍ଚଳର ଯୁବ ସମାଜର ନେତୃତ୍ୱ ନେଇଛନ୍ତି । ଏ ଦୁଇ ସେନାପତିଙ୍କୁ ଆପଣ ୨୫ ତାରିଖରେ ୫୦ ହଜାର ଭୋଟରେ ଜିତାନ୍ତୁ ବୋଲି ସେ ଅନୁରୋଧ କରିଥିଲେ ।

ଆଠଗଡ଼ରେ ସେ କହିଲେ ଯେ ଧବଳେଶ୍ୱର ପୀଠର ବିକାଶ ପାଇଁ ୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ପିଇବା ପାଣି ପାଇଁ ୩୦୦ କୋଟି ଟଙ୍କା । କାଳିଆ ଯୋଜନାରେ ଆଠଗଡ ତିଗିରିଆର ୪୬ ହଜାର ଚାଷୀ ଉପକାର ପାଉଛନ୍ତି, ଚାଷୀ ପରିବାରର ପିଲାମାନେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ପାଉଛନ୍ତି । ଚାଷୀଙ୍କ ପାଇଁ ବିନା ସୁଧରେ ୧.୫ ଲକ୍ଷ ଟଙ୍କା ଋଣ । ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା । ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ବିଜୁ ଜନତା ଦଳର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ୧ ଲକ୍ଷ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ପାଣ୍ଡିଆନଙ୍କ ନିବେଦନ କରିଥିଲେ ।

ଚୌଦ୍ୱାର-କଟକରେ ସେ କହିଲେ ଯେ କଟକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ବହୁତ ଗୁରୁତ୍ୱ ଦେଇଛନ୍ତି । ୪୫୦୦ କୋଟିରେ ଏସ୍‍.ସି.ବି. ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରାଯାଇଛି । କଟକ ନେତାଜୀ ସୁବାଷ ବସ୍‍ ଟରମିନାଲ, ତାଳଦଣ୍ଡା କେନାଲର ରୂପାନ୍ତର, ଅର୍ବାନ ହାଟ ଓ ଅନେକ ବିକାଶ କାମ କରାଯାଇଛି । ପୁରୀ ପରେ କଟକକୁ ମୁଁ ସବୁଠୁଁ ଅଧିକ ଥର ଆସିଛି ବିକାଶ କାମର ସମୀକ୍ଷା କରିଛି ।

ଲୋକସଭା ପ୍ରାର୍ଥୀ ଶ୍ରୀ ସଂତୃପ୍ତ ମିଶ୍ର କହିଲେ ଯେ ୨୦୨୪ର ନିର୍ବାଚନ ଯୁବ ସମାଜ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ୧୦ ବର୍ଷରେ ଓଡ଼ିଶାର ଯୁବ ସମାଜର ବ୍ୟାପକ ଉନ୍ନତି ଓ ସମ୍ପୂର୍ଣ୍ଣ ସଶକ୍ତିକରଣ ହେବ ।

କଟକ ସଦରରେ ବର୍ଷା ସତ୍ତ୍ୱେ ବ୍ୟାପକ ଜନ ସମାବେଶ ଦେଖିବାକୁ ମିଳିଥିଲା । ବର୍ଷାରେ ଏତେ ସଂଖ୍ୟକ ଜନସାଧାରଣ ଓ ବିଜୁ ଜନତା ଦଳର କର୍ମୀଙ୍କୁ ଦେଖି ବିରୋଧୀ ଦିଳର ନିଦ ହଜିଗଲାଣି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବାବୁଙ୍କ ପ୍ରଂଶସା କରି ସେ କହିଲେ ଯେ ଚନ୍ଦ୍ରସାରଥୀ ବାବୁ ସବୁବେଳେ ଏ ଅଞ୍ଚଳ ଏବଂ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ଲାଗିଥାନ୍ତି ।

କଟକ ସଦର ଅଞ୍ଚଳର ବିକାଶ କାମର ହିସାବ ଦେଇ ସେ କହିଲେ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ଉନ୍ନତିକରଣ ପାଇଁ ପ୍ରଥମ କିସ୍ତି ବାବଦରେ ୨୫ କୋଟି, ପରମହଂସ ପୀଠର ଉନ୍ନତିକରଣ ପାଇଁ ୫ କୋଟି, ଚିତ୍ରତ୍ପୋଳା ନଦୀ ଉପରେ ସେତୁ ପାଇଁ ୩୦କୋଟି, ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ୧୭୫ କୋଟି ଦିଆଯିବା ସହିତ ସବୁ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସୁଛନ୍ତି ଅମିତ ଶାହ, କଣ୍ଟାବାଞ୍ଜୀ ନିର୍ବାଚନ ମଣ୍ଡଳି ରୋଡ ସୋ କାହିଁକି ହେଲା ବାତିଲ ??

ଭୁବନେଶ୍ବର: ଆସନ୍ତାକାଲି ପୁଣି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ହେଲେ ସେ କଣ୍ଟାବାଞ୍ଜୀ ପ୍ରଚାରକୁ ବାତିଲ କରିଛନ୍ତି। ପୂର୍ବରୁ କୁହାଯାଇଥିଲା ଯେ, ଅମିତ ଶାହ ପ୍ରଚାରରେ ଆସିଲେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛିଡା ହୋଇଥିବା କଣ୍ଟାବାଞ୍ଜୀ ନିର୍ବାଚନ ମଣ୍ଡଳୀରେ ଏକ ରୋଡ ସୋ କରିବେ। ହେଲେ ଆଜି ତାହାକୁ ବାତିଲ କରାଯାଇ କଟକରେ ରୋଡ ସୋ କରିବେ ବୋଲି ଜଣାପଡିଛି। ତେବେ କଣ ପାଇଁ କଣ୍ଟାବାଞ୍ଜୀ ରୋଡ ସୋ ବନ୍ଦ ହେଲା ସେ ନେଇ ଚାଲିଛି ଚର୍ଚ୍ଚା।

ରାଜ୍ୟ ବିଜେପି କାର୍ଯ୍ୟାଳୟ ଅନୁସାରେ ଅମିତ ଶାହ ଆସନ୍ତାକାଲି ଦିନ ୧୨ଟା ୩୦ରେ  ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡା ଯିବେ । ଦିନ ୧. ୩୦ରେ ସେ ସୋରଡାରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଏହା ପରେ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ସାମିଲ ହେବେ। ସେଠାରୁ କଟକ ଆସିବେ ଅମିତ ଶାହ। ସନ୍ଧ୍ୟା ୫ଟା ୩୦ରେ କଟକରେ ରୋଡ୍ ସୋ’କରିବେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ, ଭୋଟିଂ ବେଳେ ହୋଇଥିଲା ଗଣ୍ଡଗୋଳ

ଭୁବନେଶ୍ବର: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥି ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧିକ ଚିକିତ୍ସାପାଇଁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ପିଞ୍ଜରାହାଡରେ ମାଡ ହୋଇଥିବାର ଜଣାପଡିଛି। ଗତକାଲି ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରୁ ଆଜି ସକାଳେ ତାଙ୍କୁ ଭୁବନେଶ୍ବର ଏମସ ସ୍ଥାନାନ୍ତରିତ କରାଯାଇଛି।

ଗତକାଲି ବ୍ରହ୍ମପୁରର ଗୋସାଣିନୂଆଗାଁରେ ପ୍ରଦୀପ ପାଣିଗ୍ରାହୀ ଏବଂ ସ୍ବାଧୀନ ପ୍ରାର୍ଥୀ ଶିବ ଦାସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସେଠାରେ ରାତି ସାତଟା ପର୍ଯ୍ୟନ୍ତ ଭୋଟିଂ ଚାଲିଥିବାରୁ ତାହା ତଦାରଖ କରିବା ପାଇଁ ପ୍ରଦୀପ ସେଠାକୁ ଯାଇଥିଲେ। ଏ ନେଇ ଖୋଳତାଡ କରିବାକୁ ଶିବ ପାଣିଗ୍ରାହୀ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି।

ଏହି ଘଟଣା ପରେ ପୋଲିସ ଶିବଙ୍କୁ ସେଠାରୁ କାବୁ କରି ଥାନାକୁ ନେଇଯାଇଥିଲେ। ହେଲେ ରାତିରେ ଶିବ ସମର୍ଥକ ଥାନା ଘେରାଉ କରି ତାଙ୍କୁ ଛାଡିଦେବା ପାଇଁ ଦାବୀ କରିଥିଲେ। ଏହି ଘଟଣା ପରେ ବ୍ରହ୍ମପୁରରେ ଉତ୍ତେଜନା ପ୍ରକାଶ ପାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, 27 ଜଣ ନେତାଙ୍କୁ ଦିଆଗଲା ଦାୟିତ୍ବ

ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ସଂଗଠନକୁ ମଜବୁତ କରିବା ପାଇଁ ନେତାମାନଙ୍କୁ ନୂଆନୂଆ ଦାୟିତ୍ବ ପ୍ରଦାନ କରିବାରେ ଲାଗିଛି। ସେହି ଅନୁସାରେ ପୁରୀ ଜିଲ୍ଲାପାଇଁ ଦଳ 27 ଜଣ ନେତାଙ୍କ ନୂଆ ଦାୟିତ୍ବ ପ୍ରଦାନ କରିଛି। ସେମାନେ ହେଲେ

ସେହିପରି ଶ୍ରୀ ସୌମ୍ୟକାନ୍ତ ଜେନା ଏବଂ ମଣ୍ଟୁ ଜେନାଙ୍କୁ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦ କ୍ରମେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଢେଙ୍କାନାଳର ବିଭିନ୍ନ ସ୍ଥାନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ଖୋଲିଲେ ବିଜେପି ମୁଖା

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା ଓ ତାଳଚେରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତ। ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଏବଂ ବିଧାନ ସଭା ପ୍ରାର୍ଥୀ ଶ୍ରୀ ମହେଶ ସାହୁ, ଡଃ ନୃସିଂହ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ବ୍ରଜ କିଶୋର ପ୍ରଧାନ ଓ ମୁକେଶ ପାଳଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଅନୁରୋଧ କରିଛନ୍ତି।

ଆଜିର ଜନସଭାଗୁଡ଼ିକରେ ବିଜେପି ଦଳ ଉପରେ ଶାଣିତ ଆକ୍ରମଣ କରି ଦଳର ମୁଖା ଖୋଲିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ରମନ୍ତ୍ରୀଙ୍କ ସବୁ ଛଳନାକୁ ଲୋକଙ୍କ ସାମନାରେ ଖୋଲିଛନ୍ତି ଶ୍ରୀ ପାଣ୍ଡିଆନ।

ତାଳଚେରରେ ଏକ ବିଶାଳ ଜନସଭାରେ ସେ କହିଲେ କୋଇଲା ରୟାଲଟି ବିଷୟ ଉଠିଲେ କେନ୍ଦ୍ରମନ୍ତ୍ରୀ ରାଗୁଛନ୍ତି। କହୁଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ବହୁତ ପଇସା ମିଳୁଛି, ରୟାଲଟି ବୃଦ୍ଧି ଦରକାର ନାହିଁ। କିନ୍ତୁ କେନ୍ଦ୍ର ସରକାରଙ୍କ ଏମ୍‍.ସି.ଏଲ୍‍. ଲାଭ କରୁଛି ୨୭ ହଜାର ୫୦୦ କୋଟି। ଟ୍ୟାକ୍‍ସକୁ ବାଦ୍‍ ଦେଲେ ଲାଭ କରୁଛି ୧୩ ହଜାର ୭୦୦ କୋଟି । କିନ୍ତୁ ଓଡ଼ିଶା ଏଥିରୁ ପାଉଛି ମାତ୍ର ୪ ହଜାର କୋଟି।

୨୦୦୪ରୁ କୋଇଲା ରୟାଲଟି ସଂଶୋଧନ ହୋଇନି। ଯଦି ରୟାଲଟି ସଂଶୋଧନ ହୋଇଥାନ୍ତା ତେବେ ଓଡ଼ିଶା ପାଇଥାନ୍ତା ୧୦ ହଜାର କୋଟି ଏବଂ ଡି.ଏମ୍‍.ଏଫ୍ ବାବଦରେ ମଧ୍ୟ ୨ ହଜାର କୋଟି। ସମୁଦାୟ ୧୨ ହଜାର କୋଟିରେ ଆପଣଙ୍କ ଅଞ୍ଚଳର ବ୍ୟାପକ ରୂପାନ୍ତରଣ ହୋଇପାରିଥାନ୍ତା। କିନ୍ତୁ ରୟାଲଟି କଥା କହିଲେ କେନ୍ଦ୍ରମନ୍ତ୍ରୀ ରାଗିକି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଓ ଅଶାଳୀନ ଭାଷାରେ ଗାଳି କରୁଛନ୍ତି। ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗାଳି ଦେବା ବହୁ ଦୁଃଖର କଥା। ବିଜେପୁର ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ିଲେ, ତା’ପରେ ୪୦ ହଜାର ଭୋଟରେ ହାରିଲେ। ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରିଲା ବେଳେ ଅଣ୍ଡା ମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଲେ। ଓଡ଼ିଶାର ଏହି ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ସହି ପାରିବେ କି ? ଆପଣମାନଙ୍କ ଆଶୀର୍ବାଦରେ ସେମାନେ ଏଥର ବି ପରାଜୟ ଗ୍ରହଣ କରିବେ।

କେନ୍ଦ୍ରମନ୍ତ୍ରୀ ଆପଣଙ୍କ ଅଞ୍ଚଳର, ଦଶବର୍ଷ ହେଲା ମନ୍ତ୍ରୀ ଅଛନ୍ତି, ଖୁସିର କଥା, କିନ୍ତୁ ଆପଣଙ୍କ ଅଞ୍ଚଳ ପାଇଁ କ’ଣ କରିଛନ୍ତି, ଏ ମାଟିରେ ପୁଅ ହୋଇ କାହିଁକି କରିପାରିଲେ ନାହିଁ ? ନିଜ ଅଞ୍ଚଳ, ନିଜ ମାଟି ପାଇଁ କ’ଣ କରିଛନ୍ତି ? ମନ୍ତ୍ରୀ ହେବାର ୧୦ ବର୍ଷ ବିତିଲା କିନ୍ତୁ ନିଜ ଗାଁ ଲୋକଙ୍କ ମନକୁ ଜିଣିପାରିଲେ ନାହିଁ। ନିର୍ବାଚନ ମଣ୍ଡଳୀ ବଦଳାଇ ନିଜକୁ ସମ୍ୱଲପୁରକୁ କୋରିଅର କରିଦେଲେ। ଏବେ ସେଠି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି।

ନବୀନ ପଟ୍ଟନାୟକ ଓଡ଼ିଶାର କୌଣସି ଜିଲ୍ଲାରେ ନିର୍ବାଚନ ଲଢ଼ିବାକୁ ଡରୁ ନାହାନ୍ତି, କେନ୍ଦ୍ରମନ୍ତ୍ରୀ ନିଜ ମାଟିରେ ଛିଡ଼ା ହେବାକୁ କାହିଁକି ଡରୁଛନ୍ତି।

କେନ୍ତ୍ରମନ୍ତ୍ରୀ ଓଡ଼ିଶାରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ କିମ୍ୱା ଜବାହର ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି ? ଗୋଟିଏ ବି ଦକ୍ଷତା ବିକାଶ କେନ୍ଦ୍ର ଖୋଲିଛନ୍ତି କି ? କଟକ-ସମ୍ୱଲପୁର ରାସ୍ତା ଏ ପର୍ଯ୍ୟନ୍ତ କରିପାରିଲେନି । ତୈଳମନ୍ତ୍ରୀ ଭାବେ ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦର କମେଇ ପାରିଲେ କି ? କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁସ୍କୁଲର 5T ରୂପାନ୍ତରଣ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି । ଯେଉଁ ବ୍ୟକ୍ତିର ସେବା ନୁହେଁ କେବଳ କ୍ଷମତା ଲୋଭ ଥିବ ସେ କେବେ ବି ଜିତି ପାରିବ ନାହିଁ, ମୁଖ୍ୟମନ୍ତ୍ରୀ ଚୌକି ଲୋଭ ଥିବା ବ୍ୟକ୍ତି କେବେ ବି ଭଲ କାମ କରିପାରିବେ ନାହିଁ।

ଦୁଇଦିନ ତଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ ବୋଲି କହିଲେ। କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏଇଟା ହେଉଛି ବିଜେପିର ମାଗଣା ବିଜୁଳି।

ଶ୍ରୀ ପାଣ୍ଡିଆନ ଦୃଢୋକ୍ତି ପ୍ରକାଶ କରି କହିଲେ ଯେ ଜୁନ ୯ ତାରିଖରେ ୯.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବେ, ପ୍ରଥମ ଦସ୍ତଖତ କରିବେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ ରଦ୍ଦ କରିବା ପାଇଁ, ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ, ଆପଣମାନେ ଖୁସି ତ ?

ଡବଲ ଇଞ୍ଜିନ ସରକାର ଦିନରେ ଆପଣଙ୍କୁ ଭୁଆଁ ବୁଲାଉଛନ୍ତି, ଦିନରେ ଲଣ୍ଠନ ଦେଖାଉଛନ୍ତି, ନିର୍ବାଚନ ସରିଗଲେ ଏମାନଙ୍କୁ ଆପଣ ଖୋଜିଲେ ବି ପାଇବେନି।

ପାଲଲହଡାରେ ସ୍ୱାଧିନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପାଣ୍ଡିଆନ କହିଲେ ଯେ ଏହି ପବିତ୍ର ମାଟିର ବରପୁତ୍ରମାନଙ୍କର ସମ୍ମାନ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରିଛନ୍ତି କି ? ଏ ମାଟିରେ ଜନ୍ମ ହୋଇ ଜନ୍ମମାଟିକୁ ଭୁଲି ଯାଇଛନ୍ତି।

ସେ ପୁଣି କହିଲେ ଯେ ସାମ୍ୱାଦିକ ସମ୍ମିଳନୀରେ ବିଜେପି ନେତା ଦାବି କରୁଛନ୍ତି ଯେ କ୍ଷମତାକୁ ଆସିଲେ ଓଡ଼ିଶାକୁ ୧ ନମ୍ୱର କରିବେ। ୧ ନମ୍ୱର ନୁହେଁ, ରାଜ୍ୟକୁ ୨୫ ବର୍ଷ ତଳକୁ ନେଇଯିବେ। ଯେଉଁ ରାଜ୍ୟରେ ଅଛନ୍ତି ସେଠି ଏହାହିଁ କରିଛନ୍ତି।

ଆଜି ସକାଳର ବିଜେପିର ପ୍ରେସ୍‍ମିଟ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ବିଜେପିର ଟାଣୁଆ ନେତାମାନେ ମିଶି ସାମ୍ବାଦିକ ସମ୍ମିଳନୀ କରିଥିଲେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ। କିନ୍ତୁ ନିଜ ନିଜ ଭିତରେ ଝଗଡ଼ା ଲାଗି ବନ୍ଦ ହୋଇଗଲା।

ବିଜେପିକୁ ଚ୍ୟାଲେଞ୍ଜ କରି ସେ କହିଲେ ଯେ ମୁଁ ତାଙ୍କୁ ଆହ୍ୱାନ କରୁଛି ନବୀନ ବାବୁଙ୍କ ବିପକ୍ଷରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ ଯଦି କରନ୍ତୁ। ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ। ଏତେ ମିଛ କଥାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ।

ଶେଷରେ ବିଜେଡିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାର ମାର୍ଜିନରେ ଆଶୀର୍ବାଦ କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଟାଣ କରିବା ପାଇଁ ସେ ଅନୁରୋଧ କରିଥିଲେ। କର୍ମୀମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବୋଧନ କରି ସେ କହିଲେ ଯେ ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦିଅନ୍ତୁ।

ସଭାଗୁଡ଼ିକରେ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ନିଜର ଅଭିଭାଷଣ ରଖି ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇ ନବୀନ ବାବୁଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Odisha Election 2024: ଆଜି ଦିନ ୧୧ ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ

Odisha Election 2024: ଓଡିଶାରେ ଆଜି ଦିନ ୧୧ ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ ମତଦାନ କଳାହାଣ୍ଡି ଏବଂ ନବରଂଗପୁର ସଂସଦୀୟ କ୍ଷେତ୍ରରେ ହୋଇଛି। ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ କଳାହାଣ୍ଡି ଲୋକସଭାରେ ୨୫.୦୩ ପ୍ରତିଶତ ଏବଂ ନବରଙ୍ଗପୁର ରେ ୨୫.୩୦ ପ୍ରତିଶତ ମତଦାନ ହୋଇଛି।

ସେହିପରି କୋରାପୁଟରେ ୨୪.୪୩ ପ୍ରତିଶତ ଏବଂ ବ୍ରହ୍ମପୁର ୧୮.୯୯ ପ୍ରତିଶତ ମତଦାନ ହୋଇଛି। ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫ ଏବଂ  ନୂଆପଡା ବିଧାନସଭା କ୍ଷେତ୍ରରେ ୨୭.୮୮ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବରଗଡରେ ନବୀନ ପଟ୍ଟନାୟକଙ୍କ ବିଶାଳ ଜନସଭା, ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୋକଙ୍କ ଭିତରେ ବିପୁଳ ଉତ୍ସାହ

ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ ବିଶାଳ ଜନସଭାକୁ ଉଦବୋଧନ ଦେଇଛନ୍ତି। ତାଙ୍କ ଉପସ୍ଥିତି ନେଇ ଲୋକଙ୍କ ଭିତରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେ ଲୋକଙ୍କୁ କହିଥିଲେ ଯେ, ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ବିଲ୍‌ ଛାଡ କରିବ, ଜୁଲାଇରୁ ଆଉ ବିଲ୍‌ ଦେବାକୁ ପଡିବ ନାହିଁ, ଆପଣମାନେ ଖୁସି ତ ? ପଚାରିଲେ ମୁଖ୍ୟମନ୍ତ୍ରୀ, ବିପୁଳ ଆନନ୍ଦରେ ସମସ୍ତେ କହିଲେ ହଁ, ଦେଲେ କରତାଳି, ସବୁ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଜନତାଙ୍କ ବିପୁଳ ସମ୍ମତି। ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି, ବି.ଜେ.ପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ କହିଥିଲେ।

ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ, ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ ବୋଲି ଜନତାଙ୍କୁ ନବୀନ ନିବେଦନ କରିଥିଲେ। ଜୁନ୍‌ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକଙ୍କ ପ୍ରଥମ ଦସ୍ତଖତରେ ଆପଣଙ୍କ ବିଜୁଳି ବିଲ୍‌କୁ ଛାଡ ହେବ ବୋଲି ସେଠାରେ ଉପସ୍ଥିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆସିଥିଲେ, ଅସ୍ମିତା କଥା କହିଲେ, କିନ୍ତୁ ସମ୍ବଲପୁରୀ ଭାଷା ପାଇଁ ସେମାନେ କଣ କରିଛନ୍ତି? ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସିଡୁଲରେ ରଖିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ୫ ଥର ଚିଠି ଲେଖିଛନ୍ତି, କେନ୍ଦ୍ର କିଛି କଲା ନାହିଁ, ଖାଲି କହି ଦେଲେ କିଛି ଲାଭ ନାହିଁ, କାମ କରି ଦେଖାଇବାକୁ ହୁଏ ବୋଲି ପାଣ୍ଡିଆନ କହିଥିଲେ।

କେନ୍ଦ୍ରର ବିଜେପି ସରକାର, ଛତିଶିଗଡର ବିଜେପି ସରକାର, ଦୁଇ ସରକାର ମିଶି ଓଡିଶା ବିରୋଧରେ କାମ କଲେ, ମହାନଦୀରେ ଅନେକ ଡ୍ୟାମ, ଆଡିବନ୍ଧ କଲେ, କେନ୍ଦୀୟ ଜଳ ଆୟୋଗ ଏହାକୁ ବନ୍ଦ କରିବାର କଥା, କିନ୍ତୁ କଲେ ନାହିଁ, ଏ ଅଞ୍ଚଳର କେନ୍ଦ୍ରମନ୍ତ୍ରୀ ଆଖି ବନ୍ଦ କରି ରହିଲେ କିନ୍ତୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସୁପ୍ରିମ କୋର୍ଟ ଗଲେ, ଟ୍ରିବ୍ୟୁନାଲ ହେଲା, ତାପରେ ଯାଇ ତାଙ୍କ କାମ ବନ୍ଦ ହେଲା, ଏ ଅଞ୍ଚଳର ଜୀବନଧାରାକୁ ବଞ୍ଚେଇବାକୁ ଉଦ୍ୟମ କରିଛନ୍ତି ନବୀନ ବାବୁ ବୋଲି ପାଣ୍ଡିଆନ କହିଥିଲେ।

ସେ ଆହୁରି କହିଥିଲେ ଯେ, ମହାନ କବି ଗଙ୍ଗାଧର ମେହରଙ୍କ ସ୍ମୃତି ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରି ନାହାନ୍ତି, ଟଙ୍କାଟିଏ ବି ଦେଇ ନାହାନ୍ତି, ମ୍ୟୁଜିୟମ ଓ ସ୍ମୃତି ପୀଠ ସବୁ ମୁଖ୍ୟମନ୍ତ୍ରୀ କରିଛନ୍ତି। ବରଗଡରେ କ୍ୟାନ୍‌ସର ହସ୍ପିଟାଲ କରିବାକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କଥା ଦେଇଥିଲେ, ଏବଂ କରି କି ଦେଖାଇଲେ, ଏହାକୁ ଆହୁରି ବଡ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାକୁ ଓଡିଶାର ସବୁଠୁ ବଡ କ୍ୟାନସ୍‌ର ହସ୍ପିଟାଲ କରାଯିବ। ଉପନିର୍ବାଚନ ବେଳକୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ସଚିବ ସବୁ ଆସିଥିଲେ, କ୍ୟାନସ୍‌ର ରୋଗ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ କଥା ଦେଇଥିଲେ, କିନ୍ତୁ କିଛି କଲେ ନାହିଁ, ସବୁ ଭୁଲି ଗଲେ।

ବିଜେପୁର ଉପନିର୍ବାଚନରେ ସେମାନେ କହିଥିଲେ ଏଠାରେ ଏକ୍ସପ୍ରେସ୍ ଟ୍ରେନ ଚାଲିବ, ପଦମ୍‌ପୁର ଉପନିର୍ବାଚନରେ ସେମାନେ କହିଥିଲେ ଏଠାରେ ଟ୍ରେନ ଚାଲିବ, ଷ୍ଟେସନ ହେବ, ହେଲା କି? ଆପଣମାନେ ଟ୍ରେନ ଦେଖିଲେ କି? କେବଳ ବଡ ବଡ କଥା କହିବା ଛଡା ସେମାନେ କିଛି ଜାଣନ୍ତି ନାହିଁ ବୋଲି ପାଣ୍ଡିଆନ ଜନସମାବେଶକୁ କହିଥିଲେ।

ବରଗଡ ଲୋକସଭା କ୍ଷେତ୍ରରେ ୫ ଜଣ ମହିଳା ପ୍ରାର୍ଥୀ ହୋଇଛନ୍ତି, ଆପଣମାନଙ୍କ ସମ୍ମୁଖରେ ଛିଡା ହୋଇଛନ୍ତି, ଏହା ହେଉଛି ମହିଳା ସଶକ୍ତିକରଣ, ବିଜେପି ଏପରି କାମ ୧୦୦ ବର୍ଷରେ ମଧ୍ୟ କରିପାରିବ ନାହିଁ, କେନ୍ଦ୍ର ମନ୍ତ୍ରୀ ମିଶନ ଶକ୍ତି ବନ୍ଦ କରିବା କଥା କହୁଛନ୍ତି, କିନ୍ତୁ ଆମେ ତାଙ୍କୁ ଏହା କରିବାକୁ ଦେବା ନାହିଁ,

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି ଉପରେ ପାଣ୍ଡିଆନ କହିଲେ ଯେ  ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ, ଏମଏସପି ୩୧୦୦ ଟଙ୍କା କରିବେ ବୋଲି କହିଛନ୍ତି, ୧୦ ବର୍ଷ ଧରି କ୍ଷମତାରେ ରହିଲେ, ଚାଷୀଙ୍କ କଥା ଭାବିଲେ ନାହିଁ, ଏବେ ନିର୍ବାଚନକୁ ୧୦ ଦିନ ଅଛି ସେମାନଙ୍କର ଚାଷୀଙ୍କ କଥା ମନେ ପଡୁଛି, କାରଣ ସେମାନେ ଜାଣିଛନ୍ତି ଯେ ନିର୍ବାଚନରେ ସେମାନେ ଧରାଶାୟୀ ହେବେ, ପ୍ରଧାନମନ୍ତ୍ରୀ ବିଜେପିକୁ ବୁଷ୍ଟର ଡୋଜ୍‌ ଦେବାକୁ ଆସିଛନ୍ତି

ନିର୍ବାଚନ ଆସିଲେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଚାଷୀଙ୍କ କଥା ମନେ ପଡୁଛି, ଏମଏସପି କଥା ମନେପଡୁଛି, ଶୀତଳଭଣ୍ଡାର ମନେ ପଡୁଛି। ୨୦୧୪ରେ, ୨୦୧୯ରେ ଏମଏସପି ଦୁଇ ଗୁଣ କଥା କହିଥିଲେ, କଲେ କି ? ୧୦ ବର୍ଷ କ୍ଷମତାରେ ରହିଲେ, ଚାଷୀ ଆତ୍ମହତ୍ୟା କଲେ, ଦିଲ୍ଲୀରେ ଚାଷୀ ଆନ୍ଦୋଳନ କଲେ, କିନ୍ତୁ ପ୍ରଧାନମନ୍ତ୍ରୀ କିଛି କଲେ ନାହିଁ, ସବୁ ଭୁଲି ଗଲେ, ଏବେ ନିର୍ବାଚନ ୧୦ ଦିନ ଆଗରୁ ପୁଣି ମନେପଡିଲା

ପ୍ରଧାନମନ୍ତ୍ରୀ କହୁଛନ୍ତି ସୌରଶକ୍ତି ଜରିଆରେ ମାଗଣା ବିଜୁଳି ଦେବେ, ତାର ରହସ୍ୟ ହେଉଛି ଆପଣମାନେ ୫୦ ହଜାର ଟଙ୍କା ଜମା କରିବେ, ତା ପରେ ସୌର ପ୍ୟାନେଲ ଲାଗିବ, ଏକ କୋଟି ଘର ମଧ୍ୟରୁ ମାତ୍ର ୩ ଲକ୍ଷ ଘରକୁ ଏହି ସୁବିଧା ମିଳିବ। ଓଡିଶାର ୯୦ ପ୍ରତିଶତ ପରିବାର ବିଏସକେୱାଇ ରେ ଅନ୍ତର୍ଗତ ଆୟୁଷ୍ମାନ ଭାରତ ଓ ବିଏସକେୱାଇ ମଧ୍ୟରେ ପାର୍ଥକ୍ୟ ବୁଝାଇଲେ ପାଣ୍ଡିଆନ।

ଆୟୁଷ୍ମାନ ଭାରତରେ ୫ ଲକ୍ଷ ଟଙ୍କା ସୁବିଧା, ବୀମା କମ୍ପାନୀଙ୍କୁ ପୋଷୁଛନ୍ତି ସରକାର, କିନ୍ତୁ ବିଏସକେୱାଇରେ ସମସ୍ତଙ୍କୁ ୫ ଲକ୍ଷ, ମା ମାନଙ୍କୁ ୧୦ ଲକ୍ଷ, ନବୀନ ସରକାର ସିଧାସଳଖ ଲୋକଙ୍କୁ ସୁବିଧା ଦେଉଛନ୍ତି, ବିଏସକେୱାଇ ସ୍ମାର୍ଟ କାର୍ଡ, ଏଟିଏମ ଭଳି କାମ କରୁଛି, ଆୟୁଷ୍ମାନ ଭାରତରେ ମାତ୍ର ୪୦ ଲକ୍ଷ ପରିବାର ଏହି ସୁବିଧା ପାଇବେ, କିନ୍ତୁ ଆମେ ୯୦ ଲକ୍ଷ ପରିବାରକୁ ବିଏସକେୱାଇ ସୁବିଧା ଦେଉଛୁ, ବାକି ୫୦ ଲକ୍ଷ ପରିବାରଙ୍କ କଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ କାର୍ତ୍ତିକ ପାଣ୍ଡିଆନଙ୍କ ରୋଡ ସୋ, ଯୋଡି ଶଙ୍ଖରେ ଭୋଟ ଦେବାକୁ କଲେ ଅନୁରୋଧ

ଖୋର୍ଦ୍ଧା: ଆଜି ରାତିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଖୋର୍ଦ୍ଧା ସହରରେ ଏକ ବିଶାଳ ରୋଡ ସୋ କରିଛନ୍ତି। ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ଠାରୁ ନୁଆ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏହି ରୋଡ ସୋ କରିଛନ୍ତି। ସାଥିରେ ଥିଲେ ଭୁବନେଶ୍ୱର ବିଜେଡ଼ି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ଖୋର୍ଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ ଜନସାଧାରଣଙ୍କୁ ଉଭୟ ପ୍ରାର୍ଥୀ କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ନବୀନବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ। ଜୁନ 9 ତାରିଖରେ ଶପଥ ନେବେ। ଆପଣମାନଙ୍କ ସହଯୋଗ ଆବଶ୍ୟକ। ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ଯୋଡି ଶଙ୍ଖ ରେ ଭୋଟ ଦେଇ ଜୟଯୁକ୍ତ ପାଇଁ ସେ ଆହ୍ବାନ ଦେଇଥିଲେ।

ଜୁଲାଇ ରୁ ରାଜ୍ୟର 90%ଲୋକଙ୍କୁ ବିଜୁଳି ଦର ଦେବାକୁ ପଡିବ ନାହିଁ ବୋଲି କହିଥିଲେ ପାଣ୍ଡିଆନ। ମୁକୁନ୍ଦପ୍ରସାଦ ଠାରୁ ନୂଆବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏହି ରୋଡ ଶୋ ହୋଇଥିଲା। ପାଇକ ଆଖଡା, ସାମରିକ କଳା, ଯୋଡି ଶଙ୍ଖ, ପାରମ୍ପରିକ ବାଦ୍ୟଯନ୍ତ୍ର ରେ ଦୁଲୁକିଲା ଖୋର୍ଦ୍ଧା ସହର। ବିଜେଡିର ଶତାଧିକ କର୍ମୀ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପୁଷ୍ପ ବର୍ଷା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଡଙ୍ଗାରେ ବସି ମାଓ ପ୍ରଭାବିତ ବିଛିନ୍ନାଞ୍ଚଳ ମତଦାନ କେନ୍ଦ୍ରକୁ ଗଲେ ପୁଲିଂ ପାର୍ଟି

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ଉଭୟ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେବ। ସେଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଯେପରି କେହି ଭୋଟ ଦେବାର ସୁବିଧାରୁ ବଞ୍ଚିତ ନ ହେବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି।

ଆଜି ପୁଲି ପାର୍ଟି ବିଭିନ୍ନ ଅଞ୍ଚଳକୁ ଯାଇ ସେମାନଙ୍କ ନିର୍ଦ୍ଧାରିତ ବୁଥରେ ଅବସ୍ଥାନ କରିସାରିଲେଣି। ସେହିପରି ଓଡିଶାର ବିଛିନ୍ନାଞ୍ଚଳରେ ମଧ୍ୟ ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ଆଜି ନବରଂଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକକୁ ପୁଲିଂ ପାର୍ଟି ଡଙ୍ଗା ମାଧ୍ୟମରେ ମତଦାନ କେନ୍ଦ୍ରକୁ ଯାଇଥିଲେ। ଦୁଇଟି ପୁଲିଂ ପାର୍ଟି ଏହି ସ୍ବତନ୍ତ୍ର ଡଙ୍ଗାରେ ଯାଇ ବିଛିନ୍ନାଞ୍ଚଳ ମତଦାନ କେନ୍ଦ୍ରରେ ପହଞ୍ଚିଥିବାର ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶାରେ ନିର୍ବାଚନ, ଅଛନ୍ତି ୬୨ ଲକ୍ଷ ୮୭ ହଜାର ଭୋଟର, ମହିଳା ସଂଖ୍ୟା ଅଧିକ

ଭୁବନେଶ୍ବର: ଆସନ୍ତାକାଲି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଦେଶର ଚତୁର୍ଥ ପର୍ଯ୍ୟାୟ ହୋଇଥିବା ବେଳେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ୪ ଗୋଟି ସଂସଦୀୟ କ୍ଷେତ୍ର ଯଥା: କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ କାଲି ନିର୍ବାଚନ ଅନୁଷ୍ଠିତ ହେବ।

ଏହି ପର୍ଯ୍ୟାୟରେ ଚାରୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଏମାନଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ମତଦାତା ରହିଛନ୍ତି।

ଏହି ପର୍ଯ୍ୟାୟରେ ମୋଟ ୭୨୮୯ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ପରିସୀମା ଭାବରେ ଏହି ପର୍ଯ୍ୟାୟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସବୁଠୁ ସାନ ଓ କୋରାପୁଟ ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର ।

ବିଧାନସଭା କ୍ଷେତ୍ରମାନଙ୍କ ମଧ୍ୟରେ ବ୍ରହ୍ମପୁର ସବୁଠାରୁ ସାନ ଓ ମାନକାନଗିରି ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର ଅଟେ । ମତଦାତା ସଂଖ୍ୟା ହିସାବରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୧୪୮୦୯୨୨ ଜଣ ମତଦାତା ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୭,୦୦,୭୮୦ ଜଣ ମତଦାତା ରହିଛନ୍ତି । ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ଲକ୍ଷ୍ମୀପୁରରେ ସର୍ବନିମ୍ନ ୧,୭୩,୭୨୧ ଜଣ ଓ ଧର୍ମଗଡ଼ରେ ସର୍ବାଧିକ ୨,୬୧,୭୦୮ ଜଣ ମତଦାତା ରହିଛନ୍ତି ।

ଏହି ଚତୁର୍ଥ ପର୍ଯ୍ୟାୟରେ ସାମଗି୍ରକ ଭାବରେ ୩୯,୯୯୫ ଜଣ ୮୫ ବର୍ଷରୁ ଊଦ୍ଧ୍ୱର୍ ମତଦାତା, ୧୨୯୪ ଜଣ ୧୦୦ ବର୍ଷ ବୟସରୁ ଊଦ୍ଧ୍ୱର୍ ମତଦାତା, ୩୧ ଜଣ ପ୍ରବାସୀ ମତଦାତା ଓ ୬୨୯୬ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନବରଂଗପୁରରେ ପୋଲିଂ ଅଧିକାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ, ସହାୟତା ଘୋଷଣା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲାରେ ଶ୍ରୀ ଅଲେଖ ରନ୍ଧାରୀ ନାମକ ଜଣେ କର୍ତ୍ତବ୍ୟରତ ପଞ୍ଚମ ପୋଲିଂ ଅଧିକାରୀଙ୍କର ଦୁର୍ଘଟଣାରେ ଦୁଃଖଦ ମୃତୁ୍ୟ ହୋଇଛି । ସେ ଡିସ୍‌ପର୍ସାଲ୍‌ ସେଣ୍ଟରରୁ ବୁଥ୍‌ ଅଭିମୁଖେ ଯାଉଥିବାବେଳେ ଉମରକୋଟ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତୁ୍ୟବରଣ କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏଥିରେ ଗଭୀର ଶୋକପ୍ରକାଶ କରିବା ସହ ସ୍ୱର୍ଗତ ରନ୍ଧାରୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏହା ସହ ସେ ଅମର ଆତ୍ମାଙ୍କ ସଦ୍‌ଗତି କାମନା କରିଛନ୍ତି।

ଶ୍ରୀ ଅଲେଖ ରନ୍ଧାରୀ ନବରଙ୍ଗପୁର ଜିଲ୍ଲାର ଏକ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଥିଲେ। ତାଙ୍କ ପରିବାରବର୍ଗଙ୍କୁ ବିଧି ମୁତାବକ ସାହାଯ୍ୟ ବ୍ୟତିରେକ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ଧଳ ଘୋଷଣା କରିଛନ୍ତି । ଏହା ସହ ସେ ଶୀଘ୍ର ବିଧି ମୁତାବକ ବିହିତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ବିଧାନସଭାରେ ଦୁଇ ବିଧାୟକଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ସୋନାଲୀ ସାହୁ

ଭୁବନେଶ୍ବର: ଧିରେଧିରେ ସାରା ଓଡିଶାରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ସେହିପରି ରାଜ୍ୟର ମର୍ଯ୍ୟଦାସଂପର୍ଣ୍ଣ ଆସନ ଖୋର୍ଦ୍ଧାରେ ମଧ୍ୟ ପ୍ରଚାର ଜୋରଦାର ହୋଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ସୋନାଲୀ ସାହୁ ପ୍ରଚାରକୁ ତୀବ୍ର କରିଛନ୍ତି। କାରଣ ସେ ଦୁଇ ଜଣ ବିଧାୟକଙ୍କୁ ଟକ୍କର ଦେଉଛନ୍ତି। ସେମାନେ ହେଲା ବିଧାୟକ ରାଜେନ୍ଦ୍ର ସାହୁ ଏବଂ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।

ଖୋର୍ଦ୍ଧାରୁ ବେଗୁନିଆ ବିଧାୟକ ରାଜେନ୍ଦ୍ରଙ୍କୁ ବିଜେଡି ଟିକେଟ ଦେଇଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ବିଜେପି ଟିକେଟ ଦେଇଛି। ଏହି ଦୁଇ ରଥୀଙ୍କ ସହିତ ଏକା ଲଢେଇ କରୁଛନ୍ତି କଂଗ୍ରେସରୁ ସୋନାଲୀ ସାହୁ।

ସେଥିପାଇଁ ସେ ପ୍ରଚାର ତରିକାକୁ ଭିନ୍ନ ପ୍ରକାରର କରିଛନ୍ତି। ବିଶାଳ ରାଲି କରିବା ସହିତ ଘରକୁ ଘର ବୁଲି ମଧ୍ୟ ପ୍ରଚାର କରିବାରେ ଲାଗିଛନ୍ତି। ଗତକାଲି ସେ ଏବଂ ଭୁବନେଶ୍ବର କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ ମିଳିତ ଭାବେ ପ୍ରଚାର କରିଥିଲେ। ଉଭୟ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଦ୍ୱର୍ଗାପୁର , ବାଜପୁର , ଅଣ୍ଡା , ତାପଙ୍ଗ , ଗାୟବନ୍ଧ , ତୋଟାପଡା , ପାନବରଜ ଓ ଖୋର୍ଦ୍ଧାରେ ରେ ମାରାଥନ ପ୍ରଚାର କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଫୁଲବାଣୀରେ ପ୍ରଧାନମନ୍ତ୍ରୀ ମୋଦୀ, ନବୀନଙ୍କ ନାଁ ନେଇ କଲେ ପ୍ରଚଣ୍ଡ ଆକ୍ରମଣ

ଭୁବନେଶ୍ବର: ଆଜି ଫୁଲବାଣୀରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବ ଅପେକ୍ଷା ଏଥର ରାଜ୍ୟ ସରକାରଙ୍କ ବିରୋଧରେ ଶାଣିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏଥର ସେ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ସେ ନବୀନ ପଟ୍ଟନାୟକଙ୍କୁ ଆହ୍ବାନ ଦେଇଛନ୍ତି।

ଫୁଲବାଣୀ ସଭାରେ ମୋଦୀ କହିଛନ୍ତି ଯେ, ମୁଁ ନବୀନବାବୁଙ୍କୁ ଆହ୍ବାନ କରୁଛି, ସେ ବିନା କାଗଜରେ ଓଡିଶାର ସମସ୍ତ ଜିଲ୍ଲାର ନାମ କହିପାରିବେ କି ? ଯିଏ ନିଜ ରାଜ୍ୟର ଜିଲ୍ଲା ଜାଣିପାରି ନାହିଁ ସେ ଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କର ଦରକାର କି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଓଡିଶା ମାଟିର ନେତାଙ୍କୁ ଆମେ ମୁଖ୍ୟମନ୍ତ୍ରୀ କରିବୁ।

ସେ ବିଶାଳ ଜନସମାବେଶକୁ ଅନୁରୋଧ କରି କହିଥିଲେ ଯେ, ଆପଣମାନେ କେବଳ ପାଞ୍ଚ ବର୍ଷ ଆମକୁ ଶାସନ କରିବା ପାଇଁ ଦିଅନ୍ତୁ। କେବଳ ପାଞ୍ଚବର୍ଷ ପାଇଁ ଶାସନ କ୍ଷମତା ଦିଅନ୍ତୁ ଦେଖିବେ ଓଡିଶା କିପରି ଦେଶରେ ନମ୍ବର ୱାନ ରାଜ୍ୟ ଭାବେ ପରିଗଣତି ହେବ। ଆମର ସମସ୍ତ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାନ୍ତୁ। ସେହିପରି ସବୁ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଆମର ଯେଉଁ ଚାରିଶହ ପାର ନାରା ରହିଛି ତାହାକୁ ସାକାର କରାନ୍ତୁ।

ସେହିପରି ମୋଦୀ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ପ୍ରସଂଗ ମଧ୍ୟ ଲୋକଙ୍କ ସମ୍ମଖରେ ରଖିଥିଲେ। ସେ କହିଥିଲେ ଯେ, ଯେଉଁ ମୁଖ୍ୟମନ୍ତ୍ରୀ ରତ୍ନ ଭଣ୍ଡାର ଚାବି ସୁରକ୍ଷିତ ରଖିପାରୁ ନାହାଁନ୍ତି ସିଏ କିପରି ରାଜ୍ୟ ସମ୍ଭାଳିବ। ରତ୍ନ ଭଣ୍ଡାରର କୁଆଡେ ଡୁପ୍ଲିକେଟ ଚାବି ଅଛି, ହେଲେ ଏହି ଡୁପ୍ଲେକେଟ ଚାବି କିଏ କଲା। ଏହାଦ୍ବାରା ରତ୍ନ ଭଣ୍ଡାରରୁ ଜିନିଷ କୁଆଡେ ଉଭାନ କରାଯାଇଛି କି ବୋଲି ସେ ପ୍ରଶ୍ନ କରିଥିଲେ।

ସେ କହିଥିଲେ ଯେ, ଓଡିଶା ଖଣିଜ ସଂପଦରେ ଭରପୁର। ହେଲେ ଏହି ରାଜ୍ୟର ଲୋକେ ଦୁଃଖି କାହିଁକି। ମୋଦୀ କହିଥିଲେ ଯେ, ମୁଁ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲି। ସେହି ରାଜ୍ୟ ବର୍ତ୍ତମାନ ବେଶ ସମୃଦ୍ଧ ରାଜ୍ୟ ହୋଇପାରିଛି। କିପରି ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ଗୁଜୁରାଟରେ ଲୁଣକୁ ଛାଡି ଦେଲେ ଆଉ କୌଣସି ଖଣିଜ ସଂପଦ ନାହିଁ। ହେଲେ ଆଜି ସେହି ରାଜ୍ୟର ଲୋକେ ବେଶ ଖୁସି ରହିଛନ୍ତି। ସେମିତି ଆପଣମାନେ ଆମକୁ ଶାସନ କରିବାକୁ ଦିଅନ୍ତୁ ଦେଖିବେ ଓଡିଶା ନମ୍ବର ୱାନ ରାଜ୍ୟ କରାଇଦେବୁ।

ଏହି ସଭାରେ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ସାଂସଦ ପ୍ରାର୍ଥୀଙ୍କ ସହିତ ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମିଶନ ଶକ୍ତି ମହିଳାମାନଙ୍କୁ ମିଳିବ ପେନସନ, ଗ୍ୟାରେଣ୍ଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଏସଏଚଜି ମହିଳାଙ୍କ ପାଇଁ ପେନସନ ଗ୍ୟାରେଣ୍ଟି । ବିଜେଡିର ଇସ୍ତାହାରରେ ମହିଳାଙ୍କୁ ଗରୁତ୍ବ ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଆ ମାନଙ୍କୁ ଖୁସି ତ ବୋଲି ପଚାରି ବୁଝିଛନ୍ତି। ଓଡିଶାର ଅଭିବୃଦ୍ଧି କାହାଣୀରେ ମହିଳାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ପାଇଁ ବିନା ସୁଧରେ ୧୫ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେବ।

ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ସବସିଡିଯୁକ୍ତ ଋଣ ଯୋଗାଇବା ପାଇଁ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସହାୟତା କରାଯିବ। ମିଶନ୍ ଶକ୍ତି ମହିଳାଙ୍କ ପାଇଁ ପେନସନ ରହିବ। ସମସ୍ତ ତୃଣମୂଳ ସ୍ତରର ମହିଳା କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଏବଂ ଆଶା ଗୁଡିକ BSKY କଭରେଜ୍ ଏବଂ ସାମାଜିକ ସୁରକ୍ଷା ପେନସନ ମଧ୍ୟ ପାଇବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଜୁଲାଇ ମାସରୁ ଆଉ ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ, ନିର୍ବାଚନ ପ୍ରଚାରରେ ପ୍ରତିଶୃତି ଦେଲେ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ବିଜୁ ଜନତାଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳସରା ଓ ରାଜଗାଙ୍ଗପୁରରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀ ଦିଲୀପ ତିର୍କୀ ଓ ତଳସରା ବିଧାନସଭା ପ୍ରାର୍ଥୀ ଶ୍ରୀ ବିନୟ ଟପ୍ପୋ ଓ ରାଜଗାଙ୍ଗପୁର ବିଧାନସଭା ପ୍ରାର୍ଥୀ ଶ୍ରୀ ଅନିଲ ବରୁଆଙ୍କ ପାଇଁ ଯୋଡ଼ିଶଙ୍ଗରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଆଶିର୍ବାଦ କରିବା ପାଇଁ ଅନୁରୋଧ କରିଛନ୍ତି ।

ବିରୋଧୀ ପ୍ରାର୍ଥୀଙ୍କୁ ଆକ୍ଷେପ କରି ସେ କହିଲେ ଯେ ଆପଣମାନେ ଏଠାରୁ ଜଣକୁ ୪/୫ ଥର ସାଂସଦ କରି ପଠାଇଲେଣି । ସେ କଣ ଆପଣଙ୍କ ସୁଖଦୁଃଖରେ ଆସି ଠିଆ ହେଉଛନ୍ତି ? ଆପଣଙ୍କ ପାଇଁ କାମ କରୁଛନ୍ତି । ସେହିଭଳି ଆପଣ ଯାହାକୁ ବିଧାୟକ କରି ପଠାଇଥିଲେ ୫ ବର୍ଷ ମଧ୍ୟରେ ଥରେ ବି ଆପଣଙ୍କର କୌଣସି ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିନାହାନ୍ତି ।

ସେ କହିଲେ ଯେ କେନ୍ଦ୍ରର ବିଜେପି ସରକାର ୨୦୧୪-୨୦୧୯ ସବୁ ନିର୍ବାଚନରେ ଦର ଦାମ୍‍ କମେଇବା କଥା କହିଛନ୍ତି, କିନ୍ତୁ ଆପଣଙ୍କ ଏଲ୍‍.ପି.ଜି. ସିଲିଣ୍ଡର ଦାମ୍‍ କମିଲା କି, ପେଟ୍ରୋଲ, ଡିଜେଲ ଦାମ କମିଲା କି ? ପ୍ରତିବର୍ଷ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ । ସେହି ହିସାବରେ ଓଡ଼ିଶାରେ ୮୦ ଲକ୍ଷ ନିଯୁକ୍ତି ମିଳିବା କଥା । ସୁନ୍ଦରଗଡ଼ରେ ୫ ଲକ୍ଷ ନିଯୁକ୍ତି ମିଳିବା କଥା । କିନ୍ତୁ ଆପଣମାନେ କେନ୍ଦ୍ରସରକାରଙ୍କ ଠାରୁ ଚାକିରୀ ପାଇଛନ୍ତି କି ? କେବଳ ମିଛ । ବଡ଼ ବଡ଼ ମିଛ କଥା କହି ସେମାନେ କୁମ୍ଭୀର କାନ୍ଦଣା କାନ୍ଦିବେ, ଭୋଟ ନେବେ ତା’ପରେ ଆଉ ଦେଖା ମିଳିବ ନାହିଁ ।

କେନ୍ଦ୍ରମନ୍ତ୍ରୀଙ୍କୁ ଟାରଗେଟ କରି କହିଲେ ଯେ, ଆପଣଙ୍କ କେନ୍ଦ୍ରଶିକ୍ଷା ମନ୍ତ୍ରୀ ୧୦ ବର୍ଷ ହେଲା ମନ୍ତ୍ରୀ ହେଲେଣି । ଓଡ଼ିଶାରେ ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନ କରିଛନ୍ତି କି ? କୌଣସି ସ୍କଲାରସିପ ସ୍କିମ୍‍ କରିଛନ୍ତି କି ? କେବଳ ବଡ଼ ବଡ଼ କଥା କହିବା ଛଡ଼ା ସେମାନେ କିଛି ଜାଣନ୍ତି ନାହିଁ । ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ ରାଜ୍ୟରେ ୧୦ ପ୍ରତିଶତରୁ ମଧ୍ୟ କମ୍ ପିଲା ସ୍କଲାରସିପ ପାଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଆମର ୯୦ ପ୍ରତିଶତ ପିଲାଙ୍କୁ ନୂଆ ଓ ସ୍କଲାରସିପ ଦେଉଛନ୍ତି ।

ବିଜୁ ଜନତା ଦଳର ଇସ୍ତାହାର ପ୍ରସଙ୍ଗରେ ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ବହୁତ ଖୁସି ଖବର ଆଣିଛନ୍ତି । ଜୁଲାଇ ମାସରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ଆଉ ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ । ନବୀନ ସରକାର ଆପଣମାନଙ୍କ ବୋଝ ହାଲ୍‍କା କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ୫ ଟଙ୍କାରେ ମା’ମାନେ, ଛାତ୍ରଛାତ୍ରୀମାନେ ଲକ୍ଷ୍ମୀ ବସର ସୁବିଧା ପାଉଛନ୍ତି। ନୂଆ-ଓ ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା ଦୂର ହୋଇଛି, ଏବେ ପୁଣି ନୂଆ-ଓ ରେ ଝିଅଙ୍କୁ ୧୪ ହଜାର ଓ ପୁଅଙ୍କୁ ୧୨ ହଜାର ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କର କୌଣସି ବାଛବିଚାର ନଥାଏ । ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର, ତେଣୁ ସମସ୍ତଙ୍କୁ ଏବଂ ସବୁ ଅଞ୍ଚଳର ବିକାଶକୁ ସେ ସମାନଦୃଷ୍ଟିରେ ଦେଖନ୍ତି। ମୋର ବିଶ୍ୱାସ ଚଳିତ ନିର୍ବାଚନରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ସଂଖ୍ୟାରେ ଆଶୀର୍ବାଦ କରିବେ ।

ଶ୍ରୀ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ ଚାଷୀ ଭାଇଭଉଣୀମାନଙ୍କ ବନ୍ଧୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଚାଷୀ ଓ ଚାଷର ଉନ୍ନତି ପାଇଁ ସେ ସବୁବେଳେ କାମ କରିଥାନ୍ତି । ଗତକାଲି ଯେଉଁ ଇସ୍ତାହାର ପ୍ରକାଶ ପାଇଛି ସେଥିରେ ମୁଖ୍ୟମନ୍ତ୍ରୀ ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫,୦୦୦ ଟଙ୍କା, ପିଲାମାନଙ୍କ ପାଠ ପଢ଼ିବା ପାଇଁ କାଳିଆ ଛାତ୍ର ବୃତ୍ତି, ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ସେମାନଙ୍କର କୃଷିକାର୍ଯ୍ୟ ଓ ଘରୋଇକାର୍ଯ୍ୟରେ ବ୍ୟବହୃତ ବିଜୁଳି ବିଲ୍‍କୁ ଛାଡ଼ କରିଛନ୍ତି । ବି.ଏସ୍‍.କେ.ୱାଇରେ ସାମିଲ ହୋଇନଥିବା ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ଇସ୍ତାହାର ଅନୁଯାୟୀ ନୂଆ-ଓ ଛାତ୍ରବୃତ୍ତିରେ ଝିଅଙ୍କ ପାଇଁ ୧୪,୦୦୦ ଓ ପୁଅଙ୍କ ପାଇଁ ୧୨,୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ୯୫ ପ୍ରତିଶତ ପିଲା ଏହି ବୃତ୍ତି ପାଉଛନ୍ତି । ଅନ୍ୟ ଯେକୌଣସି ରାଜ୍ୟରେ ବି ଏହି ବୃତ୍ତି ଦିଆଯାଉଛି, କେଉଁଠାରେ ୧୦ ପ୍ରତିଶତରୁ ଅଧିକ ପିଲା ପାଉନାହାନ୍ତି ।

ସୁନ୍ଦରଗଡ଼ ଠାରେ ବିଶ୍ୱକପ୍‍ ହକି ଆୟୋଜନ କରି ସୁନ୍ଦରଗଡ଼କୁ ନୁଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଭାଇଭଉଣୀମାନଙ୍କର କଳା, ସଂସ୍କୃତି, ପରମ୍ପରା ଓ କ୍ରୀଡ଼ାର ବିକାଶ ବିଷୟରେ ଅନ୍ୟ କୌଣସି ସରକାର ଚିନ୍ତା କରନ୍ତି ନାହିଁ, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଏହାର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି।

ତଳସରା ନିର୍ବାଚନ ମଣ୍ଡଳୀରେ ବିକାଶ ହିସାବ ଦେଇ ସେ କହିଥିଲେ ଯେ ଉରାମ୍‍, ଓରାମ୍‍, ଓରାଓଁ, ଧାଙ୍ଗରା ଓ ଓରାଓଁମୁଡି ସମ୍ପ୍ରଦାୟଙ୍କୁ ନୂତନ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି।ମାଦ୍ରି କାଲୋ ସ୍ମୃତି ସଦନ ପାଇଁ ୩୦ ଲକ୍ଷ, ମାଁ ସମଲେଶ୍ୱରୀ ପାଇଁ ୧୦ ଲକ୍ଷ, ସିକାଯୋର ମୁସଲିମ୍‍ ବିବାହ ମଣ୍ଡପ ପାଇଁ ୧୦ ଲକ୍ଷ, ଇବ୍‍ ନଦୀ କୁଡ଼ାବେଗା ନଦୀଗର୍ଭଜଳାଶୟ ପାଇଁ ୧୬୦ କୋଟି ଟଙ୍କା, ସରଫଗଡ଼ ଜଳସେଚନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ୯.୬୦ କୋଟି ଟଙ୍କା, ବାଲିଶଙ୍କରା କୁକୁଡାନାଳ ଡ୍ୟାମ୍‍ ପାଇଁ ୪୦ କୋଟି ଟଙ୍କା, ବାଲିଶଙ୍କରା, ଲେଫ୍‍ରିପଡ଼ା, ସବଡେଗା ଓ ବଡ଼ଗାଁ ବ୍ଲକରେ ସିନ୍ଥେଟିକ୍‍ ହକି ଟର୍ଫ ତାଲିମ କେନ୍ଦ୍ର ପାଇଁ ୪୮ କୋଟି ଟଙ୍କାର କାମ ଚାଲିଛି । ଜିଲ୍ଲାରେ ୬୦,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ବୋନସ୍‍ ଏବଂ ଇନସେଣ୍ଟିଭ୍‍ ଜରିଆରେ ୮.୬ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଦୁଇଜଣ ଯୁବପ୍ରାର୍ଥୀ ଦେଇଛନ୍ତି। ସେମାନେ ଆପଣଙ୍କ ସୁଖଦୁଃଖର ସାଥୀ ହେବେ। ଆପଣ ସେମାନଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଦିଲ୍ଲୀପ ବାବୁ ଭାରତୀୟ ହକି ଟିମ୍‍ର କ୍ୟାପଟେନ୍‍ ଥିଲେ। ସେ ହେଉଛନ୍ତି ଆପଣମାନଙ୍କର ଗୌରବ, ସାରା ରାଜ୍ୟର ଗୌରବ । ତାଙ୍କୁ ଆପଣ ଭୋଟ ଦେଲେ ସାରା ଓଡ଼ିଶାର ସମ୍ମାନ ବଢ଼ିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଟିକେଟ କଟିବା ପରେ ନୀରବି ଗଲେ ଯାଜପୁର ଜିଲ୍ଲାର ତିନି ବିଧାୟକ, ପ୍ରଚାରରେ ମିଳୁନି ଦେଖା

ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ରାଜନୀତି ଧିରେ ଧିରେ ଘନେଇ ଆସୁଥିବା ବେଳେ ହଠାତ ସେଥିରେ ଦେଖାଦେଇଛି ନିରୁତ୍ସାହ। କାରଣ ହେଲା ସେହି ଜିଲ୍ଲାର ତିନି ବିଧାୟକଙ୍କ ଟିକେଟ କଟିବା ପରେ ସେମାନେ ଏକ ପ୍ରକାର ନୀରବି ଯାଇଛନ୍ତି। ନା ପୂର୍ବପରି ସକ୍ରିୟ ହେଉଛନ୍ତି ନା ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।

କୋରେଇରେ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହେବା ପରେ ସେଠାକାର ରାଜନୀତି ସରଗରମ ହୋଇଛି। ହେଲେ ସେଠାକାର ବିଧାୟକ ଅଶୋକ ବଳଙ୍କ ଟିକେଟ କଟିବା ପରେ ସେ ଏକ ପ୍ରକାର ରାଜନୀତିରୁ ଦୂରେଇ ଯାଉଥିବାର ପରିଲକ୍ଷିତ ହୋଇଛି। ସଂଧ୍ୟାରାଣୀ ଦାସ ନାମାଙ୍କନ ଦାଖଲ ବେଳେ ବବି ଦାସ ଯାଜପୁର ଆସିଥିଲେ। ସେତେବେଳେ ଅଶୋକ ବଳଙ୍କ ଦେଖା ମିଳିଥିଲା। ହେଲେ ତା ପରଠାରୁ ସେ ପ୍ରାର୍ଥୀଙ୍କ ସହିତ ବୁଲିବା ଆଉ କେହି ଦେଖି ନାହାଁନ୍ତି।

ସେହିପରି ବଡଚଣାରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅମର ଶତପଥୀଙ୍କ ଟିକେଟ କଟିବା ପରେ ସେ ଭୁବନେଶ୍ବରରେ ରହୁଛନ୍ତି। ସେଠାରେ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପରେ ଅମର ଅସନ୍ତୁଷ୍ଠ ହୋଇଛନ୍ତି। ଉପରେ ମନରେ ସେ ଦଳ ପାଇଁ କାମ କରିବେ ବୋଲି କହୁଥିଲେ ମଧ୍ୟ ଭିତରେ ଭିତରେ ତାଙ୍କର ଆଗ୍ରହ ନାହିଁ। ବଡଚଣା ପ୍ରଚାରରେ ତାହା ସ୍ପଷ୍ଟ ଭାବେ ଜଣାପଡିଛି।

ବଡଚଣାରୁ ଛଅ ଥର ବିଧାୟକ ହୋଇଥିବା ଅମର ଶତପଥୀଙ୍କୁ ଦଳ ଟିକେଟ କାଟିବା ପରେ ଉପସଭାପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ସେଥିରେ ସେ କୁଆଡେ ସନ୍ତୁଷ୍ଠ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ଅନ୍ୟପଟେ ତାଙ୍କ ସମର୍ଥକମାନେ ମଧ୍ୟ କିଏ କେମିତ ସାହାଯ୍ୟ କରିବାକୁ ଆସୁଛନ୍ତି। ହେଲେ ସେମାନଙ୍କ ମନ ମଧ୍ୟ ବର୍ଷାଙ୍କ ପାଖରେ ନାହିଁ।

ସେହିପରି ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀରେ ବିଧାୟିକା ସୁନନ୍ଦା ଦାସଙ୍କ ଟିକେଟ କାଟି ଦଳ ସେଠାରୁ ବିଶ୍ବରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଫଳରେ ସୁନନ୍ଦା ମଧ୍ୟ ଅସନ୍ତୁଷ୍ଠ ହେବା ସ୍ବାଭାବିକ। ଟିକେଟ କଟିବା ପରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କୁ ବିଜେଡି ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛି। ହେଲେ ସେଥିରେ ମଧ୍ୟ ସେ ସନ୍ତୁଷ୍ଠ ନାହାଁନ୍ତି। ଫଳରେ ସୁନନ୍ଦା ମଧ୍ୟ ଏ ପର୍ଯ୍ୟନ୍ତ ମଇଦାନକୁ ଓହ୍ଲାଉ ନାହାଁନ୍ତି। ତେବେ ବିଜେଡି ଏହି ଖବର ଜାଣିବା ପରେ ମାନଭଂଜନ ପାଇଁ ପୁଣି ପ୍ରଚେଷ୍ଠା ଆରମ୍ଭ କରିଥିବାର ଜଣାପଡିଛି।