ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ନିର୍ବାଚନମଣ୍ଡଳୀ ଗୋଳନ୍ଥରା ଥାନା ଅର୍ନ୍ତଗତ ଜାତୀୟ ରାଜପଥ ହଳଦିଆ ପଦର ଠାରେ କିଛି ଅସାମାଜିକ ଯୁବକ ଖଣ୍ଡାରେ ୩ ଜଣ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ କରିଛନ୍ତି। ସନତ ନାୟକ, ସଲୀପ ପାତ୍ର ଓ ସୁନୀଲ ସାମଲଙ୍କୁ ଅଭିଯୁକ୍ତମାନେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିବା ସହ ନିକଟସ୍ଥ ଗୋଟିଏ ଚିକେନ ଦୋକାନ ଓ ଫାଷ୍ଟଫୁଡ୍ ଦୋକାନ ଭିତରେ ପଶି ଦୋକାନ ଭାଙ୍ଗି ଦୋକାନୀ ସୟଦ୍ ଉମର୍ ଓ ବାବୁଲି ପାଳ ସମେତ ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଯୁବକଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଗତ ସାଧାରଣ ନିର୍ବାଚନ ପରେ ସମଗ୍ର ଗୋପାଳପୁର ନିର୍ବାଚନମଣ୍ଡଳୀ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଗଣିତ ହେଉଥିବାବେଳେ ଗତ ଅଗଷ୍ଟ ମାସରେ କନିଷୀ ହାଟରେ ଅବସ୍ଥିତ ଜଣେ ବିଜେଡି ଯୁବ ନେତାଙ୍କର କାର୍ଯ୍ୟାଳୟରେ କିଛି ଯୁବକ ପଶି ଅଫିସ ଭଙ୍ଗାରୁଜା ସହ ଯୁବ ନେତାଙ୍କୁ ଆକ୍ରମଣ କରିଥିଲେ। ଯାହାକି ସେତେବେଳେ ସେହି ଗଣ୍ଡଗୋଳର ଭିଡିଓ ସାଧାରଣ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ପରବର୍ତ୍ତୀ ସମୟରେ ବିଜେଡି ନେତୃବୃନ୍ଦ ଏହି ଭଳି କାର୍ଯ୍ୟକ୍ରମ ବିଷୟରେ ବ୍ରହ୍ମପୁର ଏସ୍ ପି ଙ୍କୁ ଅବଗତ କରାଇଥିଲେ। ପୁଣି ଗତ ଡ଼ିସେମ୍ବର ୨୭ ତାରିଖ ମଧ୍ୟରାତ୍ରରେ ଦୁର୍ଯ୍ୟୋଧନ ରେଡ଼ି ନାମକ ଜଣେ ବ୍ୟକ୍ତିକୁ ଆକ୍ରମଣ ହୋଇଥିଲା।
ଉକ୍ତ ମାମଲାରେ ସୁବାଷ ଦାସ୍, କୁରେଶ ଦାସ, କିରଣ ବେହେରା ଓ ଆଶିଷ ଦଳେଇ ନାମକ ୪ ଜଣ ଯୁବକ ଗିରଫ ହୋଇ ଏହି କିଛି ଦିନ ହେଲା ଜାମିନରେ ଆସିଥିଲେ। ଗତକାଲି ଏହି ଆକ୍ରମଣ ଘଟଣାରେ ସୁବାଷ ଓ ଆଶିସ ସମ୍ପୃକ୍ତ ବୋଲି ଆହତ ଯୁବକ ମାନଙ୍କ ଠାରୁ ପ୍ରକାଶ। ଖବର ପାଇ ଗୋଳନ୍ଥରା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।