Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ପାଠ୍ୟ ଆଲୋଚନା ଚକ୍ର

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟର ଇତିହାସ ବିଭାଗ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତୋକତର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ମିଳିତ ଆୟୋଜନରେ ତା. ୧୯. ୧୨. ୨୦୨୪ (ଗୁରୁବାର ) ମହାବିଦ୍ୟାଳୟର ଅଡିଟୋରିୟମ ହଲରେ ଏକ ଜାତୀୟ ପାଠ୍ୟ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିଲିକା ଅଞ୍ଚଳର ସମୃଦ୍ଧ ଇତିହାସ, ସଂସ୍କୃତି ଏବଂ ପରିବେଶର ମହତ୍ତ୍ୱ ଅନୁସନ୍ଧାନ କରିବା ସହିତ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ନିରନ୍ତର ପର୍ଯ୍ୟଟନକୁ ଉତ୍ସାହିତ କରିବା ଏହି ଜାତୀୟ ଆଲୋଚନା ଚକ୍ରର ଲକ୍ଷ୍ୟ ରଖାଯାଇଥିଲା।”

ଚିଲିକା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଇତିହାସ ଓ ସାଂସ୍କୃତିକ ଐତିହ୍ୟ “ଶୀର୍ଷକ ଏହି ଜାତୀୟ ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିନାୟକ ହୋତା ସଭାପତିତ୍ୱ କରିଥିଲେ।ବିଭାଗୀୟ ମୁଖ୍ୟ ରଶ୍ମିତା ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ବିନାୟକ ହୋତା ଇତିହାସ ସହିତ ଚିଲିକାର ଐତିହାସିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।

ମୁଖ୍ୟ ଅତିଥି ଡ. କେ. ପି. ପାଢ଼ୀ, ଭାରତ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଅବସର ପ୍ରାପ୍ତ ଡେପୁଟି ସୁପେରିଟେଣ୍ଡେଣ୍ଟ ସାଂସ୍କୃତିକ ଐତିହ୍ୟର ମହତ୍ତ୍ୱ ଏବଂ ଏହାର ସରଂକ୍ଷଣ ସହ ଜଡିତ ଆଇନ ଉପରେ ବକ୍ତୃତା ପ୍ରଦାନ କରିଥିଲେ। ଭାରତୀସଦନ ସରକାରୀ ମହିଳା ମହାବିଦ୍ୟାଳୟ, ପଣ୍ଡିଚେରୀ, ଇତିହାସ ବିଭାଗର ସହକାରୀ ପ୍ରଫେସର ଡ. ବିନୋଦ ବିହାରି ଶତପଥୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପ୍ରାଚୀନ କାଳରେ ଭାରତର ସାମୁଦ୍ରିକ ବାଣିଜ୍ୟରେ ଚିଲିକାର ଭୂମିକା ଉପରେ ତଥ୍ୟ ପ୍ରଦାନ କରିଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ପ୍ରଫେସର ଡ଼. ରମାକାନ୍ତ ଭୂୟାଁ ଇତିହାସ ବିଶେଷଜ୍ଞ ଭାବରେ ଯୋଗଦେଇ ଚିଲିକାର ଐତିହାସିକ ମହତ୍ତ୍ୱ ଏବଂ ଏହି ଅଞ୍ଚଳର ସାମାଜିକ -ସାଂସ୍କୃତିକ କ୍ଷେତ୍ରରେ ଏହାର ଭୂମିକା ବିଷୟରେ ବହୁମୂଲ୍ୟ ଜ୍ଞାନ ପ୍ରଦାନ କରିଥିଲେ। ଅତିଥିମାନଙ୍କ ଦ୍ୱାରା ଏହି କାର୍ଯକ୍ରମରେ ପାଠଚକ୍ରର ଆଲୋଚନା ଏବଂ ଅନୁସନ୍ଧାନକୁ ଡକ୍ୟୁମେଣ୍ଟ କରି ଏକ ପ୍ରକ୍ରିୟା ବୁକଲେଟ ପ୍ରକାଶ ପାଇଲା।

ଡ଼. କୈବଲ୍ୟ ଚରଣ ପତି, ଇତିହାସ ଅଧ୍ୟାପକ,କେ. ବି. ଡି. ଏ. ଭି ମହାବିଦ୍ୟାଳୟ, ନିରାକାରପୁର ଇତିହାସ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ ଏବଂ ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ବାର୍ତ୍ତା ଜଣାଇବା ସହ ଅଂଶଗ୍ରହଣକାରୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ପ୍ରଫେସର ଡ଼. ଅନାମ ବେହେରା ଏହି ଆଲୋଚନାଚକ୍ରର ସଂଯୋଜନା କରିଥିଲେ ଏବଂ ଗୋଦାବରୀଶ ମହାବିଦ୍ୟାଳୟ ର ଆଇ କ୍ଯୁ ଏସି ସେଲ ଏହାକୁ ସମର୍ଥନ ଜଣାଇଥିଲେ।ଡ଼. ଅନାମ ବେହେରା ଆଲୋଚନାଚକ୍ରର ବୈଷୟିକ ଅଧିବେଶନ ସମୟରେ ଚିଲିକା ଚାରିପାଖରେ ଆବିଷ୍କୃତ ହୋଇଥିବା ଅବଶିଷ୍ଟାଂଶ ଉପରେ ଏକ ଅନ୍ତର୍ନିହିତ ବକ୍ତୃତା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡ଼. ଲକ୍ଷ୍ମୀପ୍ରିୟା ପଲେଇ ମଞ୍ଚର ପରିଚାଳନା କରିଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଶ୍ୟାମ ସୁନ୍ଦର ମିଶ୍ର, ଅଧ୍ୟାପକ ପୃଥିବୀରlଜ ପ୍ରଧାନ, ଅଧ୍ୟାପିକା ଅନିତା ଗୌଡ଼ ଜାତୀୟ ଆଲୋଚନାଚକ୍ରର ସୁପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଐତିହାସିକ, ପ୍ରତ୍ନତତ୍ତ୍ଵବିତ, ସାଂସ୍କୃତିକ ବିଶେଷଜ୍ଞ, ଗୋଦାବରୀଶ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼. ଏସ. ପି. ଏନ. ଏସ. ବର୍ମା, ରାଜନୀତି ବିଜ୍ଞାନ ର ଅଧ୍ୟାପକ ଏ. ଏସ. ବେଦମତା, ବାଣିଜ୍ୟ ବିଭାଗର ଅଧ୍ୟାପକ ଜୟନ୍ତ ବିହାରୀ,ଶିକ୍ଷା ବିଭାଗର ଅଧ୍ୟାପିକା ସଂଘମିତ୍ରା ଘଟୁଆରୀ, ହିନ୍ଦୀ ବିଭାଗର ଅଧ୍ୟାପିକା ନୟନା ପ୍ରଧାନ, ସଂସ୍କୃତ ବିଭାଗର ଅଧ୍ୟାପକ ସୁବ୍ରତ ତ୍ରିପାଠୀ, ପ୍ରଶାନ୍ତ କୁମାର ହୋତା, ଦର୍ଶନଶାସ୍ତ୍ରର ଅଧ୍ୟାପିକା ଡ଼. ଅନିତା ଦଳାଇ, ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ପ୍ରଭାତ ସାସମଲ, ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ଡ଼. ଋତୁସ୍ମିତା ମିଶ୍ର ତଥା ଅନ୍ୟାନ୍ୟ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ସଦସ୍ୟମାନେ ଏକତ୍ରିତ ହୋଇ ଚିଲିକା ଅଞ୍ଚଳର ସାଂସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସର୍ବୋତ୍ତମ ପ୍ରୟାସ କରିବା ବିଷୟରେ ଆଲୋଚନା କରିଥିଲେ।

ସ୍ଥାନୀୟ ଐତିହ୍ୟ ସରଂକ୍ଷଣ ଉପରେ ଧାରଣା ବାଣ୍ଟିବା ଏବଂ ଏହି ଅଞ୍ଚଳର ଐତିହ୍ୟ ଏବଂ ସାଂସ୍କୃତିକ ମୂଲ୍ୟବୋଧ ବିଷୟରେ ଅଧିକ ସଚେତନ ସୃଷ୍ଟି କରିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ୨୯ ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଗିରଫ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ବାଲିନାସୀ ରଘୁରାୟ ଘେରି ନିକଟରେ ବନ୍ୟପ୍ରାଣୀ ବିଭାଗ ଚଢ଼ାଉ କରି ୨୯ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଜଣେ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଟାଙ୍ଗୀ ଥାନା ଉଜ୍ଜଳା ଗୋପୀନାଥପୁର ଗ୍ରାମର ଆଲୋକ ପ୍ରଧାନ (୨୮) ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଏକ ବାଇକ, ବାଇନୋକୁଲାର, ମୋବାଇଲ ଫୋନ ଆଦି ଜବତ ହୋଇଛି।

ଉକ୍ତ ଚଢ଼ାଉରେ ଫରେଷ୍ଟଗାର୍ଡ ଜାନକୀ ସାହୁ, ମିନାକୁମାରି ନାୟକ, ନିରଞ୍ଜନ ମହାରଣା, ସୁରକ୍ଷାକର୍ମୀ ବାପି ବେହେରା, ସୁଶାନ୍ତ ସ୍ବାଇଁ ଆଦି ସାମିଲ ଥିଲେ। ତେବେ ଗିରଫ ପକ୍ଷୀ ଶିକାରୀ କଇଁନାଡରେ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଥିଲେ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।

Categories
ଆଞ୍ଚଳିକ

ଚ଼ିଲିକା: ପଞ୍ଚାୟତ ସମିତି ସାଧାରଣ ଅଧିବେଶନ

ଚ଼ିଲିକା: ଆଜି ଅପରାହ୍ନରେ ଚ଼ିଲିକା ବ୍ଲକ ସଭାଗୃହରେ ପଞ୍ଚାୟତ ସମିତି ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚ଼ିଲିକା ବିଧାୟକ ତଥା ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ଜଳ ଯୋଗାଣ ଓ ପରିମଳ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମନରେଗା ଓ ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଏହି ବୈଠକରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ଚ଼ିଲିକା ତହସିଲଦାର କାହ୍ନୁ ଚରଣ ଘଡେଇ, ବିଡ଼ିଓ ହଳଧର ଶବର, ଜିଲ୍ଲାପରିଷଦ ସଦସ୍ୟା, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବ୍ଲକ ଓ ପଞ୍ଚାୟତ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା: ୧୧୭ ଲିଟର ଦେଶୀମଦ ଜବତ, ଦୁଇ ଗିରଫ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ ଓ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ରାଧାକାନ୍ତ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଲୁଗାଁ, ବାଣପୁର, ନାଚୁଣି ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୧୧୭ ଲିଟର ଦେଶୀମଦ ଜବତ ହୋଇଥିବା ବେଳେ ଦୁଇ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ ସହିତ ଏକ ବାଇକ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ସୁନଖଳା ଗ୍ରାମର ଶ୍ୱେତ ବେହେରାଙ୍କ ନିକଟରୁ ୯ ଲିଟର ଓ ଭୁସକା ପଡା ଗ୍ରାମର ଗୌରୀ ଶଙ୍କର ମହାନ୍ତିଙ୍କ ନିକଟରୁ ୧୦୮ ଲିଟର ଦେଶୀ ମଦ ଜବତ କରାଯାଇଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ ପୃଥକ ଭାବେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଏଏସଆଇ ସଞ୍ଜୟ କୁମାର ମୁଦୁଲି, କନେଷ୍ଟବଳ ଆଶୀଷ କୁମାର ପ୍ରଧାନ, ଚିନ୍ମୟୀ ଦାସ, ତୁଷାର ଚମ୍ପତି, କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଭୁଜାଲି ଚୋଟରେ ରାଜସ୍ୱ କର୍ମଚାରୀ ଗୁରୁତର, ଅଭିଯୁକ୍ତକୁ ଗିରଫ କଲା ଟାଙ୍ଗୀ ପୋଲିସ

ଚିଲିକା: ଭୁଜାଲି ଚୋଟରେ ରାଜସ୍ୱ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତର କର୍ମଚାରୀ ହେଲେ ମନୋଜ ହରିଚନ୍ଦନ (୪୬ ବର୍ଷ)। ଚିଲିକା ତହସିଲ କାର୍ଯାଳୟ ଅନ୍ତର୍ଗତ ସୋରଣ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପିଅନ ଭାବେ ସେ କାମ କରୁଛନ୍ତି।

ସୂଚନା ଅନୁଯାୟୀ, ଜାଗା ବାଡ଼ି ମାପ ଚିହ୍ନଟକୁ ନେଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ ମନୋଜ ହରିଚନ୍ଦନ ନୋଟିସ ପ୍ରଦାନ କରିଥିଲେ। ଏହାକୁ ନେଇ ଅଭିଯୁକ୍ତଜଣଙ୍କ ଉତ୍ତ୍ୟକ୍ତ ହୋଇପଡିଥିଲେ। ଯେତେବେଳେ ମନୋଜ ଅଫିସ ଗେଟ ଖୋଲିଥିଲେ, ସେତେବେଳେ ଟୁଟୁ ମହାରଣା ନାମକ ବ୍ୟକ୍ତି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଭୁଜାଲି ଚୋଟ ଯୋଗୁଁ ବେକ, ହାତ, ଛାତି, ଗୋଡ଼, ପେଟରେ ତାଙ୍କର ଗଭୀର କ୍ଷତ ଲାଗିଥିଲା। ଏହା ଯୋଗୁଁ ତାଙ୍କର ପ୍ରବଳ ରକ୍ତ ସ୍ରାବ ହୋଇଥିଲା।

ଏହାପରେ ସେ ଅତି ଗୁରୁତର ହେବାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।

ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଅଭିଯୁକ୍ତକୁ ନିଜ ହେପାଜତକୁ ନେଇଛି। ଟାଙ୍ଗୀ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ମଝିରେ ଭାସୁଛନ୍ତି ରଘୁନାଥ ସାହୁ !!! ନା ଏ କୂଳର ହୋଇ ପାରୁଛନ୍ତି ନା ସେ କୂଳର

ବାଲୁଗାଁ: ଚିଲିକା ନିର୍ବାଚନମଣ୍ଡଳୀରେ ଦିନେ ପାୱାର କରିଡରର ଶୀର୍ଷରେ ଥିବା ପୂର୍ବତନ ବିଧାୟକ ରଘୁନାଥ ସାହୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଦଳ ଓ କର୍ମୀଙ୍କ ପାଇଁ ଅଲୋଡ଼ା ହୋଇପଡିଛନ୍ତି। ଏହାର ନଜିର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ସାଧାରଣ ନିର୍ବାଚନରେ ପରାଜୟ ବରଣ କରିବା ପରେ ରଘୁନାଥଙ୍କ ପାଖକୁ ଆଉ କେହି ବିଜେଡି କର୍ମୀ ଯାଉନାହାନ୍ତି।ଏପରିକି ଖୁଲମଖୋଲା ରଘୁନାଥଙ୍କ ବିରୋଧରେ ବିଷଉଦଗାର କରିବାରେ ଲାଗିଛନ୍ତି।

ନିର୍ବାଚନରେ ପରାଜୟ ପରେ ସେ ଖୋଲାଖୋଲି ଗଣମାଧ୍ୟମରେ ନିଜ ଦଳୀୟ ନେତାଙ୍କୁ ବିରୋଧରେ ବିଷୋଦଗାର କରିଥିଲେ ଯାହା ତାଙ୍କୁ ମହଙ୍ଗା ପଡ଼ିଛି। ଫଳରେ ଚିଲିକା ବିଜେଡିର ସମସ୍ତ ଆଗ ଧାଡ଼ିର କର୍ମୀ ଓ ନେତାମାନେ ରଘୁନାଥ ସାହୁଙ୍କୁ ପ୍ରତ୍ୟାଖ୍ୟାନ କରୁଥିବାର ଦେଖିବାକୁ ମିଳୁଛି। କାରଣ ରଘୁନାଥଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାରୁ  ଆଗ ଧାଡ଼ିର କର୍ମୀ ଓ ନେତା ମାନେ ତାଙ୍କୁ ସହଜରେ ଗ୍ରହଣ କରିବାକୁ ନାରାଜ।

‘ଢୋଲ ଭିତରେ ମୂଷା’ ଏବଂ ‘ବିଭୀଷଣ’ ପରି ଉପାଖ୍ୟାନ ମଧ୍ୟ କର୍ମୀ ତାଙ୍କୁ ଦେଇସାରିଛନ୍ତି। ଚଳିତ ନିର୍ବାଚନରେ ରଘୁନାଥ ବିଜୟ ଲାଭ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ବିଜେପିର ମଜଭୁତ ସଂଗଠନ ଆଗରେ ଫେଲ ମାରିଥିଲେ। ପୃଥ୍ୱୀରାଜ ହରିଚନ୍ଦନଙ୍କ ବଳିଷ୍ଠ ନେତୃତ୍ୱ ଏବଂ ସାଙ୍ଗଠନିକ ଗୋଟି ଚାଳନା ଆଗରେ ରଘୁନାଥଙ୍କ ସମସ୍ତ ରଣନୀତି ଫେଲ ମାରିଛି। ଚିଲିକାରେ ବର୍ତ୍ତମାନ ବିଜେଡି ନେତୃତ୍ୱବିହୀନ ଥିବାବେଳେ କର୍ମୀମାନେ ନୁଆ ନେତାଙ୍କୁ ଖୋଜୁଥିବାର ଦେଖିବାକୁ ମିଳିଛି।

କହିବାକୁ ଗଲେ ବିଜେଡି କର୍ମୀ ମାନେ ରଘୁନାଥ ସାହୁଙ୍କ ନେତୃତ୍ୱକୁ ଗ୍ରହଣ କରିପାରୁ ନ ଥିବା ବେଳେ ଯଦି ଆଗାମୀ ଦିନରେ ଦଳ ଏଠାରେ ନୁଆ ନେତୃତ୍ୱକୁ ଦାୟିତ୍ୱ ନ ଦିଅନ୍ତି ତେବେ ଆଗାମୀ ସମୟରେ ଚିଲିକାରେ ବିଜେଡି ସଂଗଠନରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଅନ୍ୟପକ୍ଷରେ ରଘୁନାଥ ସାହୁଙ୍କ ବିରୁଦ୍ଧରେ ସମସ୍ତ ଆଗଧାଡିର ବିଜେଡି କର୍ମୀମାନେ ଅସନ୍ତୋଷ ଝାଡୁଥିବା ବେଳେ ତାହା ଆଗାମୀ ଦିନରେ ବିସ୍ଫୋରଣର ରୂପ ନେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେପି ର ମିଶ୍ରଣ ପର୍ବ: ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ସରପଞ୍ଚ ଓ ବିଜେଡି କର୍ମୀ

ଚିଲିକା: ଆଜି ଚ଼ିଲିକା ବ୍ଲକ ଅନ୍ତର୍ଗତ ହାଟବରଡ଼ିହ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ମିଶ୍ରଣ ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କ ବିକାଶ ମୂଳକ କାର୍ଯ୍ୟ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କାର୍ଯ୍ୟଧାରାରେ ଆକୃଷ୍ଟ ହୋଇ ହାଟବରଡ଼ିହ ଗ୍ରାମ ପଞ୍ଚାୟତର ସରପଞ୍ଚ ହୁଲ୍ଲାସ ବେହେରା, ବହୁ ଓ୍ବାର୍ଡ଼ ମେମ୍ବର ଏବଂ ବିଜେଡ଼ି କାର୍ଯ୍ୟକର୍ତ୍ତା ମାନେ ବିଜୁ ଜନତା ଦଳ କୁ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ଶ୍ରୀ ବେହେରା ଓ ସାମିଲ୍ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଓ ଚ଼ିଲିକା ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ।

ଏହି ଅବସରରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଜିଲ୍ଲା ଭାଜପା ଉପସଭାପତି ସୁମନ୍ତ ପଟ୍ଟନାୟକ,ଚ଼ଣ୍ଡେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଇନ ମନ୍ତ୍ରୀଙ୍କ ନିରବଛିନ୍ନ ପରିଶ୍ରମ ଦ୍ୱାରା ଚିଲିକାରେ ବିଜେପି ସଂଗଠନ ଆହୁରି ମଜଭୁତ ହେଉଥିବା ଦେଖିବାକୁ ମିଳିଛି।

ଅନୁରୂପ ଭାବେ ଆଜି ନାଚୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ବିଷ୍ଣୁଡ଼ିହ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣତ ଗ୍ରାମର ବହୁ ବିଜେଡ଼ି କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେଲେ।
ଏହି ଅବସରରେ ଯୁବ ସଂଗଠକ ରାଜେଶ ନାୟକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ କାଳିଜାଇ ମୋଟର ବୋଟ ଆସୋସିଏସନ ପକ୍ଷରୁ ଦାବିପତ୍ର

ଖୋର୍ଦ୍ଧା: ପର୍ଯ୍ୟଟନ ୠତୁ ଚାଲିଛି। ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ପକ୍ଷୀ ବିହାର, ନୌବିହାର, ମା କାଳିଜାଇଙ୍କ ଦର୍ଶନ ପାଇଁ ଦୈନନ୍ଦିନ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବାଲୁଗାଁ ତଥା ବଡ଼କୁଳ ପାନ୍ଥନିବସ ଅନ୍ତର୍ଗତ ବିଭିନ୍ନ ମୋଟର ବୋଟ ଆସୋସିଏସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଏପରିକି ପର୍ଯ୍ୟଟକଙ୍କ ଆତିଥେୟ, ସୁରକ୍ଷା, ନୌବିହାର ଓ ଗାଇଡ଼ ଉପରେ ଆସୋସିଏସନ ଓ ନୌଚାଳକ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି।

ମାତ୍ର ପର୍ଯ୍ୟଟନ ସ୍ଥଳୀରେ ଅନେକ ସମୟରେ ପର୍ଯ୍ୟଟକ,ମସ୍ୟଜୀବୀ,ନୌଚାଳକ ତଥା ସ୍ଥାନୀୟ ଲୋକମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏ ନେଇ କାଳିଜାଇ ମୋଟର ବୋଟ ଆସୋସିଏସନ ପକ୍ଷରୁ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ସଚିବ ଏବଂ ଜିଲ୍ଲା ପ୍ରଶାସନକୁ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଯାହାକି ଚିଲିକା କୁଳ ଜେଟି ଓ ମା କାଳିଜାଇ ମନ୍ଦିର ନିକଟରେ ଯାତ୍ରୀ ପ୍ରତିକ୍ଷାଳୟ, ଶୌଚାଳୟ, ପାନୀୟଜଳ, ଆଲୋକୀକରଣ, ୱାଟର ଆମ୍ବୁଲାନ୍ସ, ଜେଟି ଠାରେ ପୁଲିସ ସହାୟତା କେନ୍ଦ୍ର, ପାର୍କ, ପାର୍କିଂ ସ୍ଥଳୀ, ଚିଲିକା କୁଳ, ଚଢେଇଗୁହା, କାଳିଜାଇ ମନ୍ଦିର ନିକଟରେ ଫ୍ଲୋଟିଙ୍ଗ ଜେଟି ନିର୍ମାଣ, ବୋଟ ଗୁଡିକୁ ଫାଇବାର କରିବାକୁ ସରକାରୀ ସହାୟତା ସାଙ୍ଗକୁ ପ୍ରଶିକ୍ଷଣ ଏବଂ ଚିଲିକା କୂଳକୁ ସଂଯୋଗ କରୁଥିବା ରାସ୍ତାଘାଟର ଉରଣତିକରଣ ଉପରେ ଗୁରୁତ୍ୱ ଦେବାକୁ ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ନଳବଣରେ ଅବାଧ ପ୍ରବେଶ ନେଇ ୧୬ ମତ୍ସ୍ୟଜୀବୀ ଗିରଫ, ୩ ଡଙ୍ଗା ଜବତ

ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ମାଛ ଧରାକୁ ନେଇ ୧୬ ଜଣ ମତ୍ସ୍ୟଜୀବୀ ଗିରଫ ସମେତ ୩ ଡ଼ଙ୍ଗା ଜବତ ହୋଇଛି। ସମସ୍ତ ଗିରଫ ଅଭିଯୁକ୍ତ ମାନେ ଚନ୍ଦ୍ରାପୁଟ ଗ୍ରାମର ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେମାନଙ୍କ ନିକଟରୁ ୭୫ ପଟ ଡୁବି ଜାଲ, ୪୭ ଟି ନେଟ ଜାଲ, ୩ଟି ବାଉଁଶ କାତ, ୩ଟି ଥର୍ମ କୁଲ ବାସ୍କ ଓ ୩ଟି ମୋବାଇଲ ଜବତ କରାଯାଇଛି। ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଅବାଧ ପ୍ରବେଶ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ଅମ୍ଳାନ ନାୟକ କହିଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ପର୍ଯ୍ୟଟନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ବାଲୁଗାଁ: ମରାଳମାଳିନୀ ନିଳାମ୍ବୁ ଚିଲିକାରେ ପର୍ଯ୍ୟଟନ ସେବା ବୃଦ୍ଧି ଏବଂ ପ୍ରୋତ୍ସାହନ ନିମିତ୍ତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଆଇଆଇଟିଟିଏମ ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ଦୀର୍ଘ ତିନି ଦିନ ଧରି ବଡ଼କୁଳ ସ୍ଥିତ ଆଦ୍ରଭୂମି ଅନୁସନ୍ଧାନ ତାଲିମ କେନ୍ଦ୍ର ଠାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ବ୍ୟାଚ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ଉକ୍ତ ଶିବିରକୁ ବନ୍ୟପ୍ରାଣୀ ଡିଏଫଓ ତଥା ସିଡ଼ିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ଳାନ ନାୟକ ଉଦଘାଟନ କରିଥିବା ବେଳେ ସିଡିଏ ବୈଜ୍ଞାନିକ ଡ଼ ପ୍ରଦୀପ ରଞ୍ଜନ ମୁଦୁଲି, ଓଟିଡିସି ମ୍ୟାନେଜର ସବ୍ୟସାଚୀ କର, ଡ଼. ସୁଶାନ୍ତ କୁମାର ସାସମଲ ପ୍ରମୂଖ ଉପସ୍ଥିତ ଥିଲେ। ତିନି ଦିନ ଧରି ଏହି ଶିବିରରେ ୫୦ ରୁ ଉର୍ଦ୍ଧ୍ବ ସ୍ଥାନୀୟ ଡଙ୍ଗା ଚାଳକ,ସହ ଚାଳକ, ମସ୍ୟଜୀବୀ, ପର୍ଯ୍ୟଟନ ବିଶେଷଜ୍ଞ, ମୋଟର ବୋଟ ଆସୋସିଏସନ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ସୁଚାରୁରୂପେ ପ୍ରଶିକ୍ଷଣ ନେଇଥିଲେ।

ଭୁବନେଶ୍ୱର ଆଇଆଇଟିଟିଏମ ଅଧ୍ୟକ୍ଷ ଡ଼. ଆଦ୍ୟାଶା ଦାସ ଚିଲିକା ହ୍ରଦରେ ନୌବିହାରକୁ ବୃଦ୍ଧି କରିବା, ପକ୍ଷୀ ସୁରକ୍ଷା ଏବଂ ଚିଲିକା ହ୍ରଦର ସ୍ଥାୟୀ ବିକାଶରେ ସହଯୋଗ କରିବା ପାଇଁ ଡଙ୍ଗା ଚାଳକମାନଙ୍କୁ ଆବଶ୍ୟକକୀୟ ଜ୍ଞାନକୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।ଯାହାକି ପ୍ରଶିକ୍ଷଣ ଅଧିବେଶନରେ ଆତିଥ୍ୟ ଗ୍ରହଣର ସର୍ବୋତ୍ତମ ଅଭ୍ୟାସ, ପର୍ଯ୍ୟଟକଙ୍କ ସହ ପ୍ରଭାବଶାଳୀ ଯୋଗାଯୋଗ, ଜଳରାଶିରେ ସୁରକ୍ଷା ବ୍ୟବସ୍ଥା, ଚିଲିକା ହ୍ରଦର ଅନନ୍ୟ ଇକୋସିଷ୍ଟମ୍ ସଂରକ୍ଷଣ, ସାମଗ୍ରିକ ପର୍ଯ୍ୟଟନ ଅଭିଜ୍ଞତାକୁ ବ୍ୟକ୍ତିଗତ ସେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହିତ ଚିଲିକା ହ୍ରଦ ପର୍ଯ୍ୟଟକଙ୍କ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ସୁନିଶ୍ଚିତ କରିବା ପାଇଁ ନିରନ୍ତର ସହଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା।

ଅନ୍ତିମ ଦିବସରେ ସଫଳତାର ସହ ପ୍ରଶିକ୍ଷଣ ନେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ସିଡ଼ିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ଳାନ ନାୟକ, ବନ୍ୟପ୍ରାଣୀ ରେଞ୍ଜର ରଶ୍ମିତା ଜେନା, ସିଡିଏ ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Categories
ଆଞ୍ଚଳିକ

ଚ଼ିଲିକାରେ ପଞ୍ଚାୟତ ସ୍ତରୀୟ ସମୀକ୍ଷା ବୈଠକ

ବାଲୁଗାଁ: ବୁଧବାର ପୂର୍ବାହ୍ନରେ ଚ଼ିଲିକା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଅଧ୍ୟକ୍ଷତାରେ ଚ଼ିଲିକା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଜିଆରଏସ ମାନଙ୍କ ସହ ଗ୍ରାମପଞ୍ଚାୟତରେ ଚ଼ାଲୁଥିବା ସମସ୍ତ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହିତ ଆବଶ୍ୟକ ଗୁଣବତ୍ତା ବଜାୟ ରଖି କାର୍ଯ୍ୟର‌ ଅଗ୍ରଗତିକୁ ତ୍ବରାନ୍ବିତ କରିବା ଏବଂ ସମସ୍ତ ପ୍ରକଳ୍ପ ଗୁଡିକୁ ଡ଼ିସେମ୍ବର ୩୧ ସୁଦ୍ଧା ଶେଷ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବିଡ଼ିଓ ହଳଧର ଶବର, ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତା ୧୪ ରେ ଚିଲିକା ବୋଇତ ବନ୍ଦାଣ ଉତ୍ସବ

ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଚିଲିକା ବୋଇତ ବନ୍ଦାଣ ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା, ଐତିହ୍ୟ, ବୈଭବ ଓ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସମୃଦ୍ଧିଶାଳୀ ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଜ୍ଜୀବିତ କରିବା ଉଦ୍ବେଶରେ ଆସନ୍ତା ୧୪ ତାରିଖରେ ବୋଇତ ବନ୍ଦାଣ ଉତ୍ସବ ଚିଲିକା କୂଳରେ ସୁରୁଖୁରୁରେ ପାଳନ କରିବାସହ ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା।ବାଲୁଗାଁ ଏନଏସି ଓ ମସ୍ୟଜୀବୀ ସଂଘ ସହଯୋଗରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ବିଭିନ୍ନ ମହଲରୁ ସହଯୋଗ କରିବାକୁ ସହମତି ପ୍ରକାଶ ପାଇଥିଲା।

ଖୋର୍ଦ୍ଧା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଆଇନ ମନ୍ତ୍ରୀଙ୍କ ଓଏସଡି ରୋଶନ ଶତପଥୀ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣାରାଣୀ ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ଚିଲିକା ବିଡ଼ିଓ ହଳଧର ଶବର, ତହସିଲଦାର କାହ୍ନୁ ଚରଣ ଘଡେଇ, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି ପଦ୍ମନାଭ ଦୋରା, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଣପୁର କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା, ବିଭିନ୍ନ ସଙ୍ଘ ଓ ଅନୁଷ୍ଠାନର କର୍ମକର୍ତ୍ତା, ମୋଟର ବୋଟ ସଙ୍ଘ ସଭାପତି, ସମ୍ପାଦକଙ୍କ ସମେତ ବୁଦ୍ଧିଜୀବୀ,ସମାଜସେବୀ,ସିଡିଏ କର୍ମଚାରୀ, ପୋଲିସ ପ୍ରଶାସନ, ଅଗ୍ନିଶମ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ, ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେପି-ବିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି: ଉଭୟ ପକ୍ଷରୁ ବାଣପୁର ଥାନାରେ ଏତଲା

ବାଣପୁର: ସାଧାରଣ ନିର୍ବାଚନ ଶେଷ ହେବାର କିଛି ମାସ ପରେ ଚିଲିକା ନିର୍ବାଚନମଣ୍ଡଳୀରେ ଦେଖାଦେଇଛି ରାଜନୈତିକ ଉଷ୍ମତା। ପଞ୍ଚାୟତ ବୈଠକରେ ବିଜେପି ଓ ବିଜେଡି ସମର୍ଥିତ ଜନ ପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଏବଂ ପରେ ଥାନାକୁ ଯାଇଛି ମାମଲା। ଉଭୟ ପକ୍ଷଙ୍କ ପକ୍ଷରୁ ୨ ଗୋଟି ପୃଥକ ପୃଥକ ଏତଲା ଦିଆଯାଇଥିବା ବେଳେ ଦୁଇ ଗୋଟି ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିବା ବାଣପୁର ଆଇଆଇସି ରମେଶ କୁମାର ଦେବତା କହିଛନ୍ତି।

ସୂଚନା ମୁତାବକ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ମାସିକ ବୈଠକ ଜାରି ରହିଥିବା ବେଳେ ୧୨ ନମ୍ବର ୱାର୍ଡ ର ବିଜେପି ସମର୍ଥିତ ୱାର୍ଡ ସଭ୍ୟା ରଶ୍ମିତା ହୋତା ଗତ ରବିବାର ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ଏବଂ ନିର୍ବାଚିତ ପ୍ରତିନିଧିଙ୍କ ଅଜାଣତରେ କିପରି ପିଡ଼ିଏସ ସାମଗ୍ରୀ ବଣ୍ଟନ କରାଗଲା ବୋଲି ପ୍ରଶ୍ନ କରିଥିଲେ। ଉକ୍ତ ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ସରପଞ୍ଚ ସରୋଜିନୀ ପ୍ରଧାନ ୱାର୍ଡ ସଭ୍ୟା ଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ଏବଂ ଅନ୍ୟ ଜଣେ ୱାର୍ଡ ସଭ୍ୟାଙ୍କୁ ଜାତିଆଣ ଆକ୍ଷେପ କରିଥିବା ବିଜେପି ସମର୍ଥିତ ୱାର୍ଡ ସଭ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ସେହିପରି ଭାବେ ବିଜେପି ସମର୍ଥିତ ୱାର୍ଡ ସଭ୍ୟା ବୈଠକ ଚାଲୁଥିବା ସମୟରେ ମୋବାଇଲରେ ବୈଠକର ଭିଡିଓ ଉତ୍ତୋଳନ କରୁଥିବାରୁ ସରପଞ୍ଚ ଏହାକୁ ବିରୋଧ କରିଥିଲେ ଏବଂ ବାରଣ କରିବାକୁ ସରପଞ୍ଚଙ୍କୁ ୱାର୍ଡ ସଭ୍ୟାମାନେ ଗାଳିଗୁଲଜ କରିଥିବା ବିଜେଡି ସମର୍ଥିତ ସରପଞ୍ଚଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଉଭୟ ଅଭିଯୋଗ କୁ ଆଧାର କରି ପୋଲିସ ଜାତିଆଣ ଆକ୍ଷେପକୁ ମିଶାଇ କେସ ନମ୍ବର ୩୬୩/୨୪ ଏବଂ ୩୬୪/୨୪ ରେ ଦୁଇ ଗୋଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ତେବେ କିଛି ମାସର ଶାନ୍ତି ପରେ ଚିଲିକାରେ ବିଜେପି ବିଜେଡି ମଧ୍ୟରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ରମଶଃ ବାତ୍ୟା ରୂପ ନେଇଛି। ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ପାଇଁ ଚିଲିକା ପଞ୍ଚାୟତ ସମିତି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ସମ୍ମିଳନୀ କକ୍ଷରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ଭାବ୍ୟ ବାତ୍ୟା’ ‘ଦାନା’ ପ୍ରଭାବରେ ଜନସାଧାରଣ,ଗୃହପାଳିତ ପ୍ରାଣୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା।

ବ୍ଲକ ଅନ୍ତର୍ଗତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକୁ ଜନସାଧାରଣଙ୍କ ନିମନ୍ତେ ନିୟୋଜିତ କରିବାସହ ଉକ୍ତ କେନ୍ଦ୍ର ମାନଙ୍କରେ ବିଦ୍ୟୁତ ସଂଯୋଗ, ଆଲୋକୀକରଣ, ମହମବତୀ, ପାନୀୟଜଳ, ଶୁଖିଲା ଓ ରନ୍ଧା ଖାଦ୍ୟ ମହଜୁଦ ରଖିବା ସାଙ୍ଗକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଗଛିତ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ବାତ୍ୟାରେ ଗମନାଗମନ ବେଳେ ଉପୁଜୁଥିବା ଅସୁବିଧା ଦୂର କରିବାକୁ ଆବଶ୍ୟକୀୟ ସରଞ୍ଜାମ ଯଥା ଜେସିବି, ପାଣି ପମ୍ପ, କଟର ଆଦି ଗଛିତ ରଖିବା ଏବଂ ବାତ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣ,ଗୃହପାଳିତ ପ୍ରାଣୀଙ୍କ ସୁବିଧା ନିମିତ୍ତ ସମସ୍ତ କାର୍ଯ୍ୟ ତୁରନ୍ତ ସମ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବାତ୍ୟା ନଟଳିବା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା କରାଯିବା ଉପରେ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ଚିଲିକା ତଟବର୍ତୀ ଅଞ୍ଚଳ ହୋଇଥିବାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଯାତ୍ରୀବାହୀ ଏବଂ ମସ୍ୟଜୀବୀ ଡଙ୍ଗା ଚଳାଚଳ ବାରଣ କରାଯିବା ସହ ଏଦିଗରେ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର ସାଙ୍ଗକୁ ପ୍ରଶାସନ ପକ୍ଷରୁ ତୀକ୍ଷ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବ୍ଲକ ଏଇଇ, ଅତିରିକ୍ତ ତହସିଲଦାର ବିଷ୍ଣୁପ୍ରିୟା ବେହେରା, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡା, ନାଚୁଣି ଆଇଆଇସି ଚନ୍ଦ୍ରଶେଖର ଜେନା, ସମସ୍ତ ବିଭାଗୀୟ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, ଶିକାରୀଙ୍କୁ ରୋକିବା ପାଇଁ ଏଥର ବ୍ୟବହାର ହେବ ଡ୍ରୋନ

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକାରେ ଉଡ଼ିବ ଡ୍ରୋନ କ୍ୟାମେରା। କାରଣ ହେଲା ପକ୍ଷୀ ଶିକାରକୁ ନିୟନ୍ତ୍ରଣ କରିବା ପାଇଁ ଏହି ହାଇଟେକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଚିଲିକାରେ ଶୀତ ଋତୁରେ ପକ୍ଷୀ ଶିକାରକୁ ରୋକିବା ପାଇଁ ଏପରି କଡ଼ା ପଦକ୍ଷେପ ନେଇଛି ବନ୍ୟପ୍ରାଣୀ ବିଭାଗ। ଏ ନେଇ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଚିଲିକାରେ ଅଧିକ ବିଦେଶୀ ପକ୍ଷୀ ଆସିବାର ସମ୍ଭାବନା ଅଛି ଏବଂ ଅକ୍ଟୋବର ୧ ରୁ ଅଦ୍ୟାବଧି ଚିଲିକାରେ 59 ପ୍ରଜାତିର ବିଦେଶୀ ପକ୍ଷୀ ଆସିଥିବା ଡ଼ିଏଫଓ ଶ୍ରୀ ନାୟକ କହିଛନ୍ତି।

ଚଳିତ ବର୍ଷ ଡ୍ରୋନ କ୍ୟାମେରା ସମ୍ପୂର୍ଣ ଚିଲିକାକୁ ଜଗିବ ଏବଂ ପକ୍ଷୀ ଶିକାରୀଙ୍କୁ ଚି଼ହ୍ନଟ କରିବ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦିଗରେ ଶୂନ୍ୟ ସହନଶୀଳତା ନିତି ଆପଣାଯିବ।ପକ୍ଷୀଙ୍କ ଭଳି ଏହି ଡ୍ରୋନ୍ ବି ଆକାଶରେ ଉଡ଼ିବ। ଆକାଶମାର୍ଗରୁ ଶିକାରୀଙ୍କ ଉପରେ ନଜର ରଖିବ।

ଗତ ବର୍ଷ ଗ୍ରୀଷ୍ମଋତୁରେ ଚିଲିକାର ନଳଘାସରେ ନିଆଁ ଲଗାଉଥିବା ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବାରେ ଡ୍ରୋନ୍‌କୁ ଭଲ ସଫଳତା ମିଳିଥିଲା ତେଣୁ ପକ୍ଷୀ ସୁରକ୍ଷାରେ ଡ୍ରୋନ୍ ନିୟୋଜନ ପାଇଁ ନିଷ୍ପତି ହୋଇଛି ବୋଲି କହିଛନ୍ତି ଡିଏଫ୍‌ଓ।

ପ୍ରତିବର୍ଷ ପରି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ମୋଟ ୨୧ଟି କ୍ୟାମ୍ପ୍ କରାଯାଇଛି ଏବଂ ପ୍ରତ୍ୟେକ କ୍ୟାମ୍ପରେ ପାଟ୍ରୋଲିଂ ହେବ ବିଶେଷକରି ପାହାନ୍ତିଆ ସମୟକୁ ବିଭାଗ ଗୁରୁତ୍ଵ ଦେଇଛି କାରଣ ଏହି ସମୟରେ ପକ୍ଷୀ ଶିକାର ମାତ୍ରା ଅଧିକ ହୋଇଥାଏ।

ତତସହିତ ଅନେକ ସମ୍ବେଦନଶିଳ ଅଞ୍ଚଳକୁ ଚି଼ହ୍ନଟ କରାଯାଇଛି। ଯେଉଁଠି ପକ୍ଷୀ ଶିକାର ହେବାର ଆଶଙ୍କା ଅଧିକ ରହିଛି ସେହି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯିବl ପକ୍ଷୀଙ୍କ ଉଡ଼ିବା ସମୟରେ ଡ୍ରୋନ୍ ଯେମିତି କ୍ଷତିକାରକ ସାବ୍ୟସ୍ତ ନ ହୁଏ, ସେଥିପାଇଁ ଚିଲିକା କୂଳେ କୂଳେ ଡ୍ରୋନ୍ ବ୍ୟବହାର କରିବାକୁ ଯୋଜନା କରାଯାଇଛି।

ଅନୁରୂପ ଭାବେ ପର୍ଯ୍ୟଟକଙ୍କୁ ବିଦେଶାଗତ ପକ୍ଷୀ ମାନଙ୍କୁ କିଛି ଖାଦ୍ୟ ନଦେବା ପାଇଁ ଅନୁରୋଧ କରିଛନ୍ତି ଡ଼ିଏଫଓ। ଉକ୍ତ ଖାଦ୍ୟ ଦ୍ୱାରା ବିଦେଶୀ ପକ୍ଷୀ ରୋଗର ଶିକାର ହୋଇପାରନ୍ତି ଏବଂ ଯାହାଦ୍ୱାରା ଅନେକ କ୍ଷତି ଘଟିବ। ତତସହିତ ମୋଟର ବୋଟ ସଂଘକୁ ନିୟମ ମୁତାବକ ନିର୍ଦ୍ଧାରିତ ସଂଖ୍ୟାରେ ଯାତ୍ରୀ ନେବାକୁ ଅନୁରୋଧ କରିଛନ୍ତି ଡ଼ିଏଫଓ ଶ୍ରୀ ନାୟକ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକା ତୀରେ ମହାତ୍ମା ଗାନ୍ଧୀ

ଡକ୍ଟର ସତ୍ୟ ଷଡଙ୍ଗୀ

ପନ୍ଦର ହଜାର ବାଣପୁର ବାସୀ ବାଟ ରହିଥିଲେ ଚାହିଁ,
ବିଜେ ହେବେ ଆସି ନିଖିଳ ଭାରତ ସ୍ୱରାଜ ସମର–ସାଇଁ।

ସେଦିନ ଥିଲା ୧୯୨୭ ମସିହା ଡିସେମ୍ବର ୮ ତାରିଖ। ଅବିଭକ୍ତ ପୁରୀ ଜିଲ୍ଲାର ଦକ୍ଷିଣାଞ୍ଚଳ କେନ୍ଦ୍ର ବାଣପୁରକୁ ମହାତ୍ମା ଗାନ୍ଧୀ ଶୁଭାଗମନ କରିଥିଲେ। ‘ଉତ୍କଳ ଦୀପିକା’ ଲେଖିଛନ୍ତି “ଆଠ ତାରିଖ ଦିନ ମହାତ୍ମାଜୀ ବାଣପୁରକୁ ଶୁଭାଗମନ କରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଘରେ ଅତିଥି ହୋଇଥିଲେ। ସେଦିନ ଉପରବେଳା ବାଲୁକେଶ୍ୱରଙ୍କ ଆମ୍ବ ବଗିଚାରେ ଏକ ବିରାଟ ସଭା ହୋଇଥିଲା। ସଭାରେ ଯୋଗଦେଲେ ଗୁଳି କରାଯିବ ବୋଲି ପୁଲିସ କର୍ମଚାରୀମାନେ ମଫସଲ ଗାଁମାନଙ୍କରେ ପ୍ରଚାର କରିଥିଲେ ସୁଦ୍ଧା ସେଦିନ ହିନ୍ଦୁ, ମୁସଲମାନ, ଆଦିମ ଓ ଅସ୍ପୃଶ୍ୟ ଆଦି ପ୍ରାୟ ୪ ହଜାର ଲୋକ ଉପସ୍ଥିତ ହୋଇଥିଲେ।”

ସଭାରେ ଜନତା ତରଫରୁ ପଣ୍ଡିତ ଗୋଦାବରୀଶ ମିଶ୍ର ମହାତ୍ମାଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ପତ୍ର ପାଠ କରିଥିଲେ। ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱରେ ବିଦ୍ୟମାନ ଥିବା ସତ୍ୟ, ସାହସ ଓ ପବିତ୍ରତା ପ୍ରଭୃତି ଗୁଣାବଳୀର ଅଙ୍ଗୀକାର ସହ ଇଂରେଜ ଅମଳରେ ଏଠାକାର ଜନଜୀବନର ଦୁରବସ୍ଥା ସେଥିରେ ଉପସ୍ଥାପନ କରାଯାଇଥିଲା। ଶେଷରେ ସ୍ଥାନୀୟ ବିକାଶ ପାଇଁ ମହାତ୍ମାଙ୍କ ଆଶୀର୍ବାଦ ଲୋଡ଼ା ଯାଇ କୁହାଯାଇଥିଲା, “ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ଆମ୍ଭମାନଙ୍କୁ ଯେଉଁ ଅନ୍ଧକାର ଘୋଟିଅଛି ତାହା ଖଣ୍ଡନ କରନ୍ତୁ। କ୍ଷମତାକୁ ନଡରି ଭକ୍ତି ଦେଖାଇବା ଆମ୍ଭମାନଙ୍କ ଜୀବନରେ ଏହା ନୂଆ। ଏହି ଘଟଣାରେ ଆମ୍ଭେମାନେ ପ୍ରଥମେ ଶିଖିଲୁଁ କିପରି ମନୁଷ୍ୟ ନିଜ ହୃଦୟରୁ ଇଚ୍ଛାକରି ସ୍ନେହ ଓ ଶ୍ରଦ୍ଧା କରିପାରେ”।

ସଭା ଖୁବ୍ ଶାନ୍ତିପୂର୍ଣ୍ଣ ଥିଲା। ଅନ୍ୟସ୍ଥାନ ଭଳି ମହାତ୍ମାଙ୍କ ପାଦଛୁଇଁବାକୁ ଲୋକେ ଠେଲାପେଲା ହେଉନଥିଲେ। ଗାନ୍ଧିଜୀଙ୍କ ଭାଷଣ ଥିଲା ସାରଗର୍ଭକ। ଜନତାର ଅଭିନନ୍ଦନ ପାଇଁ ଧନ୍ୟବାଦ ଦେବା ସହ ଗାନ୍ଧୀ ଲୋକଙ୍କୁ କହିଥିଲେ, “ଆପଣମାନେ ଡରୁଛନ୍ତି କାହିଁକି? ଯିଏ ଅପରାଧ କରିନାହିଁ ସେ ଭୟ କରିବା ଅନାବଶ୍ୟକ। ଜାଣିରଖନ୍ତୁ ଯଦି ଆପଣ ନିଜେ ଡରୁନାହାନ୍ତି, ତେବେ ଆପଣଙ୍କୁ କେହି ଭୟଭୀତ କରାଇପାରିବ ନାହିଁ। କୌଣସି ପରିସ୍ଥିତିରେ ଡରିଯାଆନ୍ତୁ ନାହିଁ। କାରଣ, ରୋଗଠାରୁ ମଧ୍ୟ ଆହୁରି ମାରାତ୍ମକ ହେଉଛି ଭୟ। ଯେଉଁ ମଣିଷ, ମଣିଷକୁ ଭୟ କରେ ସେ ମଣିଷ ପଦବାଚ୍ୟ ନୁହେଁ। କେବଳ ଭଗବାନଙ୍କୁ ଭୟ କରନ୍ତୁ।” ଲୋକେ ତନ୍ମୟ ହୋଇ ଶୁଣୁଥାନ୍ତି।

ମହାତ୍ମା ଗାନ୍ଧୀଙ୍କ ଅଭିପ୍ରାୟ ଥିଲା ଓଡ଼ିଶାର ଦୀନଦରିଦ୍ର ଲୋକଙ୍କ ଅବସ୍ଥା ଅନୁଭବ କରିବା। ତେଣୁ ତା’ପରଦିନ ସକାଳେ ସାଧାରଣ ଲୋକଙ୍କୁ ଭେଟିବା ସକାଶେ ସେ ଅଚ୍ୟୁତରାଜପୁର ଗ୍ରାମକୁ ଯାଇଥିଲେ। ଲୋକଙ୍କ ଦାରିଦ୍ର୍ୟ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ତାଙ୍କ ରାତ୍ରିଭୋଜନରେ ସୁମିଷ୍ଟ ଫଳ ପରଷା ଯାଇଥିଲେ ହେଁ ସେ ତାହା ତୁଣ୍ଡରେ ନଦେଇ ସ୍ଥାନୀୟ ଆଦିବାସୀ ଦେଇଥିବା ଖଟା ଟଭା ଚାଖି ଉପବାସରେ ରହିଲେ। ଜାତିରପିତା ମହାତ୍ମାଙ୍କ କେଇପଦ କଥା ଯେମିତି ବାଣପୁରବାସୀଙ୍କ ପ୍ରାଣରେ ଜାଗରଣ ଆଣିଲା ସେମିତି ତାଙ୍କର ଏ ମହାନୁଭବତା ବକୁଳବନର କୋକିଳକବିଙ୍କ କବିତାରେ ପ୍ରତିଧ୍ୱନି ତୋଳୁଛି –

ଉପବାସେ ନିଶି ଯାପିଲେ ଭାରତ-ମୁକୁଟ ବିହୀନ ନାହା,
ପଣ ତାଙ୍କ ନାହିଁ ଭୁଞ୍ଜିବେ ଦରିଦ୍ର ପ୍ରଜାଏ ନପାନ୍ତି ଯାହା।

ମହାତ୍ମା ଗାନ୍ଧୀଙ୍କ ଆଗମନ ଯୋଗୁଁ ଏ ଆଞ୍ଚଳ ବିକାଶ ପଥରେ ପାଦ ଦେଲା। ଶିକ୍ଷାର ପ୍ରସାର ହେଲା। ନୂଆ ପିଢିର ନେତୃତ୍ଵ ସମ୍ମୁଖକୁ ଆସିଲା। ଯେଉଁ କର୍ମୀମାନେ ସେଦିନ ଗାନ୍ଧୀଙ୍କ ଗସ୍ତକାର୍ଯ୍ୟକ୍ରମକୁ ସୁଚାରୁ କରିଥିଲେ, ମୁକ୍ତି ସଂଗ୍ରାମର ପରବର୍ତ୍ତୀ ଅଧ୍ୟାୟକୁ ଏହିମାନେ ହିଁ ପରିଚାଳନା କରିଥିଲେ ଓ ସ୍ଵାଧୀନତା ପରେ ରାଜନୀତିର ମଙ୍ଗ ଧରିଥିଲେ।

କୋଟବିଦ୍ୟାଧରପୁର, ବାଣପୁର
ମୋ – ୯୪୩୮୩୬୦୫୧୬

Categories
ଆଞ୍ଚଳିକ

ଚ଼ିଲିକା: ଭାଜପା ର ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ ବୈଠକ

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ସ୍ଥିତ କୁମାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଦୁଲ୍ଲଣୀ ଶାସନ ଗ୍ରାମରେ ଭାରତୀୟ ଜନତା ପାର୍ଟିର ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଜିଲ୍ଲା ଭାଜପା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବରିଷ୍ଠ ନେତା ଦୀନବନ୍ଧୁ ସାହୁ, ନନ୍ଦକିଶୋର ମିଶ୍ର, ସତ୍ୟବାଦୀ ହୋତା, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ତପନ ପ୍ରଧାନ, ବିଜେପି ନେତା ଦିଲ୍ଲିପ ହୋତା, ସରୋଜ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ପ୍ରଥମେ ସମସ୍ତ ଅତିଥି ଗଣ ଏକାତ୍ମ ମାନବବାଦର ପ୍ରଣେତା, ଭାରତୀୟ ଜନସଂଘର ସଂସ୍ଥାପକ ତଥା ଆମ ସମସ୍ତଙ୍କ ପଥ ପ୍ରଦର୍ଶକ ଏବଂ ପ୍ରେରଣାର ସ୍ରୋତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ପ୍ରଣାମ‌ ଜଣାଇଥିଲେ। ଏହାପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ “ସଂଗଠନର ଆତ୍ମା ସଦସ୍ୟତା” ବୋଲି ମତ ରଖିବା ସହ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ନିମନ୍ତେ ରାଷ୍ଟ୍ରବାଦୀ ତଥା ଜାତୀୟତାବାଦୀ ଦଳ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ ଅଭିଯାନ କୁ ଆହୁରି ବ୍ୟାପକ କରିବା ପାଇଁ ଉପସ୍ଥିତ ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ କରିଥିଲେ ଏବଂ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ କେବଳ ଦଳର ବିକାଶ ପାଇଁ ନୁହେଁ,ରାଷ୍ଟ୍ରକୁ ଏକ ସୁଦୃଢ଼ ସରକାର ପ୍ରଦାନ କରିବା ପାଇଁ ମଧ୍ୟ ଏହା ବିଶେଷ ଅବଦାନ ରଖିବ ବୋଲି କହିଥିଲେ।

Categories
ଆଞ୍ଚଳିକ

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଚିଲିକା ମଣ୍ଡଳସ୍ତରୀୟ କୁଇଜ ପ୍ରତିଯୋଗିତା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ପୂର୍ବାହ୍ନରେ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଚିଲିକା ମଣ୍ଡଳସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ବ୍ଲକ ଅନ୍ତର୍ଗତ ସରକାରୀ/ବେସରକାରୀ ୯୭ ବିଦ୍ୟାଳୟରୁ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଚତୁର୍ଥ ଓ ପଞ୍ଚମ ଶ୍ରେଣୀକୁ ଉପ କନିଷ୍ଠ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀକୁ କନିଷ୍ଠ ଏବଂ ନବମ ଓ ଦଶମ ଶ୍ରେଣୀକୁ ବରିଷ୍ଠ ବିଭାଗ ଭାବେ ତିନି ବିଭାଗର ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଉଦଘାଟନ କରିଥିଲେ।ଅପରାହ୍ନରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଡଃ ବିଭୁତି ଭୂଷଣ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଗୋଦାବରୀଶ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ମୁଖ୍ୟ ଡଃ ଏସପିଏନଏସ ବର୍ମା, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ଦାଶ, ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଗୀତାଞ୍ଜଳି ନାୟକ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ନୀଳାଦ୍ରି ଭୂଷଣ ଦାଶ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଧିନା ମଞ୍ଜରୀ ବେହେରା, ସମସ୍ତ ସିଆରସି ପ୍ରମୁଖ ଉପସ୍ଥିତ ଥିଲେ। ଜଣେ ଉତ୍ତମ ନାଗରିକ ନିମିତ୍ତ ନିଜର କର୍ତ୍ତବ୍ୟନିଷ୍ଠା, ପରିଶ୍ରମ, ଉତ୍ତମ ବ୍ୟବହାର, ସଂସ୍କୃତି, ସମାୟାନୁବର୍ତ୍ତୀ ଉପରେ ଧ୍ୟାନ ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହିତ ଜ୍ଞାନ ବିଜ୍ଞାନ, ସାଧାରଣ ଜ୍ଞାନ ଉପରେ ବିଶେଷ ଦୃଷ୍ଟି ଦେବାକୁ ଆମନ୍ତ୍ରିତ ଅତିଥି ମାନେ ପରାମର୍ଶ ଦେଇଥିଲେ।ଉକ୍ତ ପ୍ରତିଯୋଗିତାରେ ଉପ କନିଷ୍ଠ ବିଭାଗରୁ ଇଚାପୁର ପ୍ରାଥମିକ ବିଦ୍ୟାଳୟର ସାଇରାମ ଜେନା, ନିମାଇମଲ୍ଲ ପ୍ରାଥମିକ ବିଦ୍ୟାଳୟର ମାମାଲି ସ୍ବାଇଁ, ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟର ସୂର୍ଯ୍ୟକାନ୍ତ ରାଉଳ, କନିଷ୍ଠ ବିଭାଗରୁ କଇଥାପଲ୍ଲା ପ୍ରାଥମିକ ବିଦ୍ୟାଳୟର ଦେବସ୍ମିତା ସାମନ୍ତରାୟ, ହରିପୁର ଏଲଡି ବିଦ୍ୟାପୀଠର ଶ୍ରୀୟଶ୍ରୀ ପ୍ରିୟଦର୍ଶିନୀ, କୁମାଣ୍ଡଳ ଜେଜେ ବିଦ୍ୟାଳୟର ଅଙ୍କିତା ମହାନ୍ତି ଏବଂ ବରିଷ୍ଠ ବିଭାଗରୁ ସୋରଣ ଭଗବତୀ ବିଦ୍ୟାପୀଠର ଶୁଭସ୍ମିତା ମହାପାତ୍ର, ବାଲୁଗାଁ ଉଚ୍ଚ ବିଦ୍ୟାଳୟର ରୂପାଲି ପାଢ଼ୀ ଓ ଆଲୋକ ପରିମାଣିକ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ଗହଣରେ ପୁରସ୍କୃତ କରାଯାଇଥିଲା।

Categories
ଆଞ୍ଚଳିକ

ଚ଼ିଲିକା: ଭାଜପା ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଗମ୍ଭାରୀମୁଣ୍ଡା ଠାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ସ୍ଥିତ ସିଦ୍ଧେଶ୍ବରୀ ମଣ୍ଡଳ ଅନ୍ତର୍ଗତ ଆୟତପୁର, ଦେଓଗାଁ, ଗମ୍ଭାରୀମୁଣ୍ଡା, ତୋରସିଂହ, କୁଲେଇ, ନାଚୁଣୀ ଓ ମୋରାମୋରୀ‌ ପଞ୍ଚାୟତ ର ସମସ୍ତ ବୁଥ୍ ସଭାପତି ମାନଙ୍କୁ ନେଇ ସଦସ୍ୟତା ଗ୍ରହଣ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବରିଷ୍ଠ ନେତା ଗୋଲକ ବିହାରୀ ପଟ୍ଟନାୟକ,ମଣ୍ଡଳ ସଭାପତି ସୌମ୍ୟରଞ୍ଜନ ସାମନ୍ତରାୟ, ବରିଷ୍ଠ ନେତା ରମେଶ ଚ଼ନ୍ଦ୍ର ସାମନ୍ତସିଂହାର, ମଣ୍ଡଳ ସାଧାରଣ ସମ୍ପାଦକ ତପନ ପ୍ରଧାନ, ପ୍ରଭାଶିଷ ପ୍ରଧାନ, ଗମ୍ଭାରୀମୁଣ୍ଡା ପଞ୍ଚାୟତର‌ ସମିତିସଭ୍ୟା‌ ଅନିତା ପ୍ରଧାନ, ମୋରାମୋରୀ ସରପଞ୍ଚ ବସନ୍ତ ମାଳି, ନାଚୁଣୀ ପଞ୍ଚାୟତ ଭାଜପା ସଭାପତି ଦୟାନିଧି ପଲାଇ, ଦେଓଗାଁ ପଞ୍ଚାୟତ ସଭାପତି ସୁରେଶ ବିଷୋୟୀ, ଆୟତପୁର ପଞ୍ଚାୟତ ସଭାପତି ଦୀପ୍ତିରଞ୍ଜନ ଦାସ, ବରିଷ୍ଠ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ହରିଚ଼ନ୍ଦନ, ସିଦ୍ଧେଶ୍ୱର ସୁବୁଦ୍ଧି, ମନୋଜ ପ୍ରଧାନ ପ୍ରମୁଖ ଯୋଗଦେଇ ସମସ୍ତ ଦେବଦୁଲ୍ଲର୍ଭ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ସଦସ୍ୟତା ଗ୍ରହଣ ଅଭିଯାନ ସମ୍ପର୍କରେ ମାର୍ଗଦର୍ଶନ କରାଇବା ସହ ସଂଗଠନର ଆତ୍ମା ସଦସ୍ୟତା ବୋଲି ମତପ୍ରକାଶ କରିବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ନିମନ୍ତେ ରାଷ୍ଟ୍ରବାଦୀ ତଥା ଜାତୀୟତାବାଦୀ ଦଳ ଭାରତୀୟ ଜନତା ପାର୍ଟି ପରିବାରରେ ଅଧିକରୁ ଅଧିକ‌ ସଦସ୍ୟତା କରାଇବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକାରେ ପାଣି ତୋଳା ଯାତ୍ରା ସାରି ବାହୁଡ଼ିଲେ ମା’ ଭଗବତୀ, ଦୁର୍ଗା ଅଷ୍ଟମୀରୁ ମା’ଙ୍କ ଶୟନ ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଭାରତ ସହିତ ଅନ୍ୟାନ୍ୟ ଦେଶରେ ଥିବା ୧୦୮ ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ଶକ୍ତି ପୀଠ ପ୍ରାଚୀନ ପରମ୍ପରା ବହନ କରୁଥିବା ଏକ ପ୍ରଖ୍ୟାତ ପୀଠ। ଏହି ପୀଠର ମହାତ୍ମ୍ୟ, ପର୍ବପର୍ବାଣୀ, ଜାନିଯାତ୍ରା, ନୀତିକାନ୍ତି ଅନ୍ୟାନ୍ୟ ପୀଠମାନଙ୍କ ଠାରୁ ସଂପୂର୍ଣ୍ଣ ନିଆରା।

ସବୁ ଜାନିଯାତ୍ରା, ପର୍ବ ପର୍ବାଣୀର ଦେବୀଙ୍କର ମାନବୀୟ ଲୀଳାର ପରିପ୍ରକାଶ ଦେଖିବାକୁ ମିଳେ। ଯେମିତିକା ଭାଦ୍ରବ ଶୁକ୍ଳ ସପ୍ତମୀରେ ମା’ଙ୍କ ପାଣି ତୋଳା ଯାତ୍ରା ସହିତ ଚିଲିକାରେ ନୌବିହାର ଏବଂ ଭଉଣୀ କାଳିଜା ଙ୍କୁ ଚଳିତ ଶାରଦୀୟ ପର୍ବକୁ ଆମନ୍ତ୍ରଣ ତାର ନିଛକ ବିଶ୍ୱାସ।

ମା’ଙ୍କ ଚାରିଦିଗରେ ଚାରିଭଉଣୀ ଯଥା ପୂର୍ବରେ କାଳିଜାଇ, ପଶ୍ଚିମରେ ବିରିଜାଇ, ଦକ୍ଷିଣରେ ନାରାୟଣୀ ଓ ଉତ୍ତରରେ ଶିଦ୍ଦେଶ୍ଵରୀ ରହି ମା’ଙ୍କ ପୀଠର ସୁରକ୍ଷା କାରିଣୀ ଭାବରେ ପୂଜା ପାଇ ଆସୁଥିବାରୁ ମା’ଭଗବତୀ ଶାରଦୀୟ ପର୍ବକୁ ସମସ୍ତଙ୍କୁ ନିମନ୍ତ୍ରଣ କରି ଆଜ୍ଞାମାଳ ଆଣିବାର ବିଶ୍ଵାଶନୀୟ ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ବର୍ଷର ବିଭିନ୍ନ ମାସରେ ବିଭିନ୍ନ ଦିଗକୁ ଯାତ୍ରା କରି ଭଉଣୀମାନଙ୍କ ସହିତ ଆଧାତ୍ମିକ ସଂପର୍କ ସ୍ଥାପନ ସହିତ ସେମାନଙ୍କ ସହିତ ପର୍ବପର୍ବାଣୀ ଜାନିଯାତ୍ରାରେ ଏକାଠି ହେବା ଏକ ମାନବୀୟ ଲୀଳାର ଏକ ଅନନ୍ୟ ପରମ୍ପରା। ଲଳିତା ସପ୍ତମୀର ଗୋଧୂଳୀ ଲଗ୍ନରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ ନିଜର ସମସ୍ଥ ସେବାୟତଙ୍କ ସହିତ ଘଣ୍ଟ ଛତା କାହାଳୀ ଢ଼ୋଲ ବାଦନରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବାହାରି ବିରାଟ ଥାଟପଟୁଆର ବାଜା ରୋଷଣୀରେ ଜଗନ୍ନାଥପୁର, ବିଷର ପାଟଣା, ଅନ୍ତର କିଆରୀ, ଅଲାଇଡ଼ିହ, ଗୋପୀନାଥପୁର, ବାଲୁଗାଁ ପାଟଣା ସାହି, ଗୁଣ୍ଡୁରୁପୁର, ସାମନ୍ତରାପୁର ଦେଇ ଚିଲିକା କୂଳରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ସୁସଜ୍ଜିତ ନୌକାରେ ମଶାଲତି, ଘଣ୍ଟୁଆ, କାହାଳିଆ, ପାଳିଆ ମାଳି ଓ ପୂଜକ ସାଆନ୍ତ ସହିତ ନିଯୋଗୀ ସେବାୟତଙ୍କୁ ନେଇ ରାତ୍ରିର ଘନ ଅନ୍ଧକାର ଭିତରେ ଚିଲିକାରେ ନୌବିହାର କରିଥିଲେ।

ତେଣେ ଚିଲିକାର ଆରାଧ୍ୟା ମା’ କାଳିଜାଇଙ୍କ ପୀଠରେ ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ମାନସିଂ ହରିଶ୍ଚନ୍ଦ୍ର ଓ ସେବାୟତମାନେ ମା’ଙ୍କୁ ଆଳତି ବନ୍ଦାପନା କରି ମା’ଙ୍କ ଆଜ୍ଞାମାଳକୁ ଗୋଟିଏ ସୁସଜ୍ଜିତ ଆଟିକାରେ ରଖି ଦୀପ ଲଗାଇ ଚିଲିକା ଜଳରେ ଭସାଇ ଦେଇଥିଲେ। ଚିଲିକା ଢେଉରେ ଆଜ୍ଞାମାଳ ସହ ଆଟିକାଟି ଭାସିଭାସି ଆସୁଥିବାବେଳେ ମା’ଭଗବତୀଙ୍କ ନୌକାର ମଙ୍ଗରେ ପୂଜକ ସାଆନ୍ତ ମଙ୍ଗଳ କଳଶ ଦୀପ ଧୂପ ନୈବେଦ୍ୟ ସ୍ଥାପନ କରି ମା’ କାଳିଜାଇଙ୍କୁ ଆରତି ବନ୍ଦାପନା ସହିତମା’ଙ୍କ ଜୟଧ୍ଵନୀ କରି ଘନ ଅନ୍ଧକାର ଭିତରେ ଚିଲିକା ପାଣିରୁ ବିଶ୍ୱାସର ସହିତ ଆଜ୍ଞାମାଳ ତୋଳି ଧରି କଳା ଶାଢ଼ିରେ ବାନ୍ଧି କୂଳକୁ ଫେରିଥିଲେ।

ଆଜ୍ଞାମାଳକୁ ପାଣିରୁ ତୋଳି ଧରିବା ବା ଉଠାଇ ଆଣିବାର ପରମ୍ପରାକୁ “ପାଣି ତୋଳା”ଯାତ୍ରା ବୋଲି ବିଶ୍ୱାସ କରାଯାଏ। ତତ୍ ପରେ ଦୁଇ ଭଉଣୀ ବାଟରେ ସାମନ୍ତରାପୁରର ବିଭୂତି ସାମନ୍ତରା ଓ ଗ୍ରାମବାସୀଙ୍କ ତରଫରୁ ପ୍ରସ୍ତୁତ ଖେଚଡ଼ି, ମାଛ ପୋଡ଼ା, କାକରା, ଅଟକାଳି ଭୋଗଲାଗି ହୋଇ ବାଟରେ ଦଧିବାମନ ମନ୍ଦିର, ଗୁଣ୍ଡରୁପୁର, ପାଟଣା ସାହି ମଠ, ଏବଂ ଶେଷରେ ଅନ୍ତର କିଆରୀ ଗ୍ରାମବାସୀଙ୍କ ଦ୍ଵାରା ପ୍ରସ୍ତୁତ ଚିତା କର୍ଷକ ସମୁହ ପନ୍ତିଭୋଗ ସେବନ କରିବାପରେ ବାଟରେ ଜଗନ୍ନାଥପୁରର ଶ୍ରଦ୍ଧାଳୁ ଓ ବାପଘର ପରିଚ୍ଛାଙ୍କ ଘରମାନଙ୍କରେ ଭୋଗ ସେବନ ସହିତ ମନ୍ଦିରକୁ ବାହୁଡା ବିଜେ କରି ଶୟନ ଅଷ୍ଟମୀରେ ଶୟନ ବିଧିପାଇଁ ମା’ଙ୍କ ଖଟ ଶେଜ ପଲଙ୍କ ସଜ କରାଯାଇଥିଲା।

ପରେ ପୂଜକ ସାଆନ୍ତ ଓ ପାଳିଆ ମାଳି, କାଠି ନାହାକ କାଠି ଠାକୁରାଣିଙ୍କ ଠାରୁ ପାଟ୍ଟଶାଢି ସଂପୂର୍ଣ୍ଣ ଓ ଲାଗି କରି ଶୟନ ବିଧି କରି ମନ୍ଦିର ପ୍ରତିମା କନକ ଦୁର୍ଗାଙ୍କୁ ପଲଙ୍କ ଉପରେ ଶୟନ କରାଇଥିଲେ। ଜଗତ ଜନନୀ ମା’ଭଗବତୀ ସର୍ବଶେଷରେ ଶୟନ କରିଥିବାରୁ ଏହି ସମୟରେ ମନ୍ଦିରରେ ଧୂପ ଆଳତିରେ ଘଣ୍ଟକାହାଳି ବାଜା ବାଜିବା ସଂପୂର୍ଣ୍ଣମନା।

ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରୁ ସହଶ୍ର କୁମ୍ଭବରଣ କରାଯାଇ ଦେବୀଙ୍କୁ ଶୟନରୁ ଉତଥାନ ପରେ ପର୍ବ ଆରମ୍ଭ ହେବାର ପରମ୍ପରା ଏହି ଶକ୍ତି ପୀଠର ମହାନ ପର୍ବ ଭାବରେ ପରିଚିତ।

ମା’ଙ୍କ ଏହି ଯାତ୍ରାକୁ ଶୁଙ୍ଖଳିତ କରିବାପାଇଁ ସ୍ଥାନୀୟ ବାଣପୁର ବାଲୁଗାଁ ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ବାଣପୁର ଓ ବାଲୁଗାଁ ଥାନାଧିକାରୀ, ଦୁଇ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତ୍ତା, ସମସ୍ତ ଗ୍ରାମବାସୀ ବୃନ୍ଦ ଏବଂ ଦେବୋତ୍ତର କାର୍ଯ୍ୟାଳୟର ସମସ୍ଥ କନିକର୍ଭା ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଚିଲିକା: ପଞ୍ଚାୟତ ସ୍ତରୀୟ ୱାର୍ଡ଼ ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବୁଧବାର ପୂର୍ବାହ୍ନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ବିଭାଗ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତ ସ୍ତରୀୟ ୱାର୍ଡ଼ ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଚିଲିକା ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ନେତୃତ୍ୱରେ ଏହି ଶିବିରରେ ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ପ୍ରଶିକ୍ଷକ ଆକବର ଅଲ୍ଲୀ ଖାଁ, ଏସଆଇଆରଡି ପ୍ରଶିକ୍ଷକ ପ୍ରଣତି ମିଶ୍ରଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ଶିବିରରେ ବ୍ଲକ ଅନ୍ତର୍ଗତ ପାଞ୍ଚଟି ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ଼ ସଦସ୍ୟ/ସଦସ୍ୟା ମାନେ ଯୋଗ ଦେଇଥିଲେ।

ଏହିପରିପ୍ରେକ୍ଷୀରେ ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା, ବଡ଼କୁଳ, ଡୁଙ୍ଗମାଳ, ନିମିକ୍ଷେତା, ଅଠରବାଟିଆ ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଗ୍ରାମାଞ୍ଚଳରେ ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ବିଜୁଳି, ରାସନ କାର୍ଡ, ଭତ୍ତା, ମହିଳା ଓ ଶିଶୁ ବିକାଶ ଆଦି ବିଭିନ୍ନ ସମସ୍ୟାର ସମାଧାନ ଏବଂ ୱାର୍ଡ ସଭ୍ୟ/ସଭ୍ୟା ମାନଙ୍କ କାର୍ଯ୍ୟଦକ୍ଷତା ଦିଗରେ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରର ଉପସ୍ଥିତ ଅଧିକାରୀଙ୍କୁ ନେଇ ଆଲୋଚନା କରାଯାଇଥିଲା।

ଏଥିସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ପଲ୍ଲିସଭା ଅବା ଗ୍ରାମସଭା ମାଧ୍ୟମରେ ସାଧାରଣ ଜନତାଙ୍କୁ ଅବଗତ କରିବାକୁ ପରାମର୍ଶ ଦିଆଯାଇଥିଲା। ଚିଲିକା ବ୍ଲକରେ ପ୍ରତି ଗ୍ରାମପଞ୍ଚାୟତରେ ସାଧାରଣ ଜନତାଙ୍କ ସମସ୍ୟାକୁ ପ୍ରତିହତ ଓ ବିଭିନ୍ନ ସରକାରୀ ଯୋଜନା ପ୍ରତି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ମୂଳ ଲକ୍ଷ୍ୟ ରହିଥିବା ବେଳେ ସମସ୍ତ ୧୭ ଟି ପଞ୍ଚାୟତର ୱାର୍ଡ଼ ସଭ୍ୟଙ୍କୁ ନେଇ ଏହି ଶିବିର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ଜାରି ରହିବ ବୋଲି ବିଡ଼ିଓ ଶ୍ରୀ ଶବର ସୂଚନା ଦେଇଛନ୍ତି।