Categories
ବିଶେଷ ଖବର

ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ୍ କୁ ଉପସ୍ଥାପନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଂସଦରେ ଜାତୀୟ ଗବେଷଣା ଫାଉଣ୍ଡେସନ (ଏନ୍ଆର୍ଏଫ) ବିଲ-୨୦୨୩କୁ ଉପସ୍ଥାପନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବିଲ୍ ଗୃହୀତ ହେଲେ ଦେଶରେ ଏନ୍ଆର୍ଏଫ୍ ପ୍ରତିଷ୍ଠା ପାଇଁ ପଥ ପରିସ୍କାର ହେବ। ଏହା ଦେଶର ଗବେଷଣା ଓ ଉନ୍ନୟନ ପାଇଁ ପାଣ୍ଠି ଯୋଗାଣ ଓ ଏହାର ପ୍ରୋତ୍ସାହନ ଦିଗରେ କାମ କରିବ। ଏହା ମଧ୍ୟ ଦେଶରେ ଗବେଷଣା ଓ ଉନ୍ନୟନ ପରିବେଶକୁ ସୁଦୃଢ କରିବ। ଦେଶର ସବୁ ବିଶ୍ୱ ବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ଗବେଷଣା ଉନ୍ନୟନ ପରୀକ୍ଷାଗାର ଗୁଡିକରେ ଗବେଷଣା ଏବଂ ସହଭାଗିତାରା ଏକ ନୂଆ ସଂସ୍କତି ଓ ବାତାବରଣ ସୃଷ୍ଟି ହୋଇପାରିବ।

ବିଲ୍ ଟି ସାଂସଦର ଅନୁମୋଦନ ଲାଭ କରିବା ପରେ ଆଇନରେ ପରିଣତ ହେବ। ତଦନୁସାରେ ଦେଶରେ ଏକ ଜାତୀୟ ଗବେଷଣା ଫାଉଣ୍ଡେସନ ବା ଏନ୍ଆର୍ଏଫ୍ ପ୍ରତିଷ୍ଠା କରାଯିବ। ନୂଆ ଜାତୀୟ ଶିକ୍ଷାନୀତିର ସୁପାରିସ ଅନୁସାରେ ଏନ୍ଆର୍ଏଫ ଦେଶରେ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଶୀର୍ଷ ଅନୁଷ୍ଠାନ ଭାବେ କାମ କରିବ। ଦେଶରେ ବିଜ୍ଞାନଭିତ୍ତିକ ଗବେଷଣା କିପରି ହେବ ସେଥିପାଇଁ ଏହା ଉଚ୍ଚସ୍ତରୀୟ ରଣକୌଶଳାତ୍ମକ ନିର୍ଦ୍ଦେଶ ପ୍ରଦାନ କରିବ। ପାଞ୍ଚବର୍ଷ (୨୦୨୩-୨୮) ପାଇଁ ଏନ୍ଆର୍ଏଫ ମୋଟ ୫୦, ୦୦୦ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ କରିବ ବୋଲି ହିସାବ କରାଯାଇଛି।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପ୍ରଶାସନିକ ନିୟନ୍ତ୍ରଣରେ ଏନ୍ଆର୍ଏଫ୍ କାର୍ଯ୍ୟ କରିବ। ଏକ ପରିଚାଳନା ମଣ୍ଡଳୀ ଏହାର ଦାୟିତ୍ୱରେ ରହିବ। ଏହି ମଣ୍ଡଳୀ ଏହାର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବ । ଏଥିରେ ବିଭିନ୍ନ ବିଭାଗ ଓ କ୍ଷେତ୍ରର ପ୍ରଖ୍ୟାତ ପେସାଦାର ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସଦସ୍ୟଭାବେ ଗ୍ରହଣ କରାଯିବ। ଏନ୍ଆରଏଫର ପରିସର ବ୍ୟାପକ ହୋଇଥିବାରୁ ଏବଂ ଏଥିରେ ଦେଶର ସବୁ ମନ୍ତ୍ରଣାଳୟର ସମ୍ପୃକ୍ତି ରହୁଥିବାରୁ ପ୍ରଧାନମନ୍ତ୍ରୀ ଏହାର ପଦପ୍ରଯୁକ୍ତ (ଏକ୍ସ ଅଫିସିଓ) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ସେହିଭଳି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାର ଏକ୍ସ ଅଫିସଓ ଉପାଧ୍ୟକ୍ଷ ଦାୟିତ୍ୱରେ ରହିବେ। ଭାରତ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କାର୍ଯ୍ୟନିର୍ବାହୀ ପରିଷଦ ଏହାର ପରିଚାଳନା ଦାୟିତ୍ୱ ନିର୍ବାହ କରିବ।

ଏହି ସଂସ୍ଥା ଉଦ୍ୟୋଗ, ଶିକ୍ଷାବିତ୍, ଶିକ୍ଷାନୁଷ୍ଠାନ, ଉଦ୍ୟୋଗପତି, ଗବେଷଣା ପ୍ରତିଷ୍ଠାନ ଓ ବିଭିନ୍ନ ସରକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାମ କରିବ। ଏହା ମଧ୍ୟ ଗବେଷଣା ଓ ଉନ୍ନୟନ କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଓ ଦିଗ୍ଦର୍ଶନ ଦେବ। ଏହା ମଧ୍ୟ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ନିୟାମକ ଭୂମିକା ନିର୍ବାହ କରିବ।

ଏହି ବିଲ୍ ପାରିତ ହେଲେ ୨୦୦୮ରେ ପ୍ରତିଷ୍ଠା ହୋଇଥିବା ବିଜ୍ଞାନ ଓ ଇଞ୍ଜିନିୟିରିଂ ଗବେଷଣା (ଏସ୍ଇଆରବି) ବୋର୍ଡ ଅବସାନ ଘଟିବ ଏବଂ ସେହି ପୁରୁଣା ନିୟମ ଅଚଳ ହୋଇଯିବö ଏମ୍ଇଆରବିର ସମସ୍ତ କାର୍ଯ୍ୟ ଏନ୍ଆର୍ଏଫକୁ ହସ୍ତାନ୍ତରିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ।

ପୂର୍ବାହ୍ନ ସାଢେ ୧୦ଟାରେ ବେଳେ ପ୍ରଧାନମନ୍ତ୍ରୀ ରାଣୀ କମଳାପତି ରେଳଷ୍ଟେସନରେ ପହଞ୍ଚି ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରାଇବେ। ଏହି ପାଚଟି ବନ୍ଦେ ଭାରତ ଟ୍ରେନ ହେଲା-ଭୋପାଳ(ରାଣୀ କମଳାପତି)-ଇନ୍ଦୋର, ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାଣୀ କମଳାପତି)-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ରାଞ୍ଚି ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମାଡଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ।

ଭୋପାଳ(ରାଣୀ କମଳାପତି) -ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟପ୍ରଦେଶର ଦୁଇ ନଗରୀ ମଧ୍ୟରେ ସହଜ ଓ ଦୃତ ଯାତ୍ରାର  ସୁବିଧା କରିବା ସହ ସେ ଅଞ୍ଚଳରେ ସାଂସ୍କୃତିକ, ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀ ସହ ସଂଯୋଗୀକରଣ ବୃଦ୍ଧି କରିବ ।

ଭୋପାଳ-(ରାଣୀ କମଳାପତି) ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ ମହାକୋଶଳ ଅଞ୍ଚଳ (ଜବଲପୁର)ରୁ କେନ୍ଦ୍ରାଞ୍ଚଳ ଭୋପାଳକୁ ସଂଯୋଗ କରିବ । ସଂଯୋଗକରଣର ଉନ୍ନତି ସହ ସେ ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀଗୁଡିକ ମଧ୍ୟ ସୁବିଧା ପାଇବେ ।

ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ଝାଡଖଣ୍ଡ ଓ ବିହାର ନିମନ୍ତେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ  । ପାଟନା- ରାଞ୍ଚି ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ସହ ଏହି ଟ୍ରେନ ପର୍ଯ୍ୟଟକ, ବ୍ୟବସାୟୀ ଓ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଖୁବ୍ ସୁବିଧାଜନକ ହେବ ।

ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ କର୍ଣ୍ଣାଟକର ଗୁରୁତ୍ୱପୂର୍ଣ୍ଣ ସହର ଧରୱାଡ, ହୁବିଲୀ ସହ ରାଜଧାନୀ ବେଙ୍ଗାଲୁରୁକୁ ସଂଯୋଗ କରିବ  । ଏହା ପର୍ଯ୍ୟଟକ, ଛାତ୍ରଛାତ୍ରୀ, ଶିଳ୍ପପତିମାନଙ୍କ ନିମନ୍ତେ ବେଶ୍ ସୁବିଧାଜନକ ହେବ ।

ଗୋଆ(ମାଡଗାଓଁ)-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଗୋଆ ନିମନ୍ତେ ହେବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ଓ ଗୋଆ ମାଡଗାଓଁ  ଷ୍ଟେସନ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ ଗୋଆର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର ୨୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ ଆମାଜନ: ଆଇଟି ରାଜ୍ୟ ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ହୋଇଥିବା ଆମେରିକା ଗସ୍ତ ଭାରତକୁ କୋଟି କୋଟି ଡଲାରର କାରବାର ଆଣିଥିବାବେଳେ ଏକ କମ୍ପାନୀ ଅଛି ଯାହା ଏହି ଗସ୍ତ ସମୟରେ ଭାରତରେ ଲକ୍ଷ ଲକ୍ଷ ଚାକିରୀ ଯୋଗାଇଦେବାକୁ ନିଶ୍ଚିତ କରିଛି। ପ୍ରଖ୍ୟାତ ଇ-କମର୍ସ କମ୍ପାନୀ ଆମାଜନ ୪-୫ ଲକ୍ଷ ନୁହେଁ ଭାରତରେ ୨୦ ଲକ୍ଷ ଚାକିରି ଯୋଗାଇଦେବାକୁ ନିଶ୍ଚିତ କରିଛି। ଦେଶର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ରାଜ୍ୟ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ତାଙ୍କ ଟୁଇଟରେ ଲେଖିଛନ୍ତି ଯେ, ଆମାଜନ୍ ଇଣ୍ଡିଆ ଦ୍ୱାରା ଏକ ବଡ଼ ବିନିଯୋଗ ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଏହା ଅଧୀନରେ ୨୦୩୦ ସୁଦ୍ଧା ଭାରତରେ ୨୬ ବିଲିୟନ ଡଲାର ଏବଂ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ୍ ଇଣ୍ଡିଆ ଏବଂ ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ସହିତ ଆମେରିକା-ଭାରତ ବୈଷୟିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଦିଗରେ ଏହା ଏକ ପଦକ୍ଷେପ ବୋଲି ପ୍ରମାଣିତ ହେବ।

ଇ-କମର୍ସ କମ୍ପାନୀ ଆମାଜନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତରେ କମ୍ପାନୀର ଅତିରିକ୍ତ ୧୫ ବିଲିୟନ ଡଲାର ବିନିଯୋଗ କରିବାକୁ ଯୋଜନା କରିଛି, ଯାହା ମୋଟ ବିନିଯୋଗକୁ ୨୬ ବିଲିୟନ ଡ଼ଲାରରେ ପହଞ୍ଚାଇବ। ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଣ୍ଡି ଜାସି କହିଛନ୍ତି ଯେ, କମ୍ପାନୀ ଭାରତରେ ୧୧ ବିଲିୟନ ଡଲାର ବିନିଯୋଗ କରିସାରିଛି।

ସେ ଶୁକ୍ରବାର ଦିନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୋର ବହୁତ ଭଲ ଏବଂ ଅର୍ଥପୂର୍ଣ୍ଣ ବାର୍ତ୍ତାଳାପ ହୋଇଛି ଏବଂ ମୁଁ ଅନୁଭବ କରୁଛି ଯେ ଆମର ଅନେକ ଲକ୍ଷ୍ୟ ସମାନ ଅଟେ। ଆମାଜନ ହେଉଛି ଭାରତର ସବୁଠାରୁ ବଡ ନିବେଶକ। ଆମେ ଏପର୍ଯ୍ୟନ୍ତ ୧୧ ବିଲିୟନ ଡଲାର ବିନିଯୋଗ କରିଛୁ ଏବଂ ମୋଟ ପରିମାଣକୁ ୨୬ ବିଲିୟନ ଡଲାରରେ ପହଞ୍ଚାଇବକୁ ଇଚ୍ଛା କରୁଛୁ। ତେଣୁ ଭାଗିଦାରୀର ଭବିଷ୍ୟତ ବିଷୟରେ ଆମେ ବହୁତ ଉତ୍ସାହିତ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଟ୍ୱିଟ୍ କରି କହିଛି ଯେ, ଆମାଜନ୍ ର ଚେୟାରମ୍ୟାନ୍ ତଥା ସିଇଓଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଅର୍ଥପୂର୍ଣ୍ଣ ବୈଠକ କରିଛନ୍ତି। ବୈଦେଶିକବ୍ୟାପାର ମନ୍ତ୍ରଣାଳୟ ଟୁଇଟ୍ କରି କହିଛି ଯେ, ଭାରତର ଲଜିଷ୍ଟିକ୍ ସେକ୍ଟରରେ ଏବଂ ଇ-ବାଣିଜ୍ୟ କ୍ଷେତ୍ରରେ ଆମାଜନ ସହ ସହଯୋଗ ବିସ୍ତାର କରିବାର ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା। ଭାରତରେ ଏମଏସଏମଇର ଡିଜିଟାଇଜେସନକୁ ପ୍ରୋତ୍ସାହିତ କରିବା ପାଇଁ ଆମାଜନର ପଦକ୍ଷେପକୁ ମୋଦୀ ସ୍ୱାଗତ କରିଛନ୍ତି।

Categories
ବିଶେଷ ଖବର

ବିଶ୍ଵ ପାଇଁ ଭଲ ଭାରତ-ଆମେରିକା ବନ୍ଧୁତା”: ଆମେରିକା ରାଷ୍ଟ୍ରପତିଙ୍କ ଟ୍ୱିଟର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତା ଦୁନିଆର ମଙ୍ଗଳ ପାଇଁ ଏକ ଶକ୍ତି ଏବଂ ବିଶ୍ଵକୁ ଉନ୍ନତ କରିବ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟ୍ୱିଟର ଉତ୍ତର ଶ୍ରୀ ମୋଦୀ ଏହିଭଳି ଭାବେ ଦେଇଛନ୍ତି। ବାଇଡେନଙ୍କ ଟ୍ୱିଟର ଜବାବରେ ସେ କହିଛନ୍ତି ଯେ, ବିଶ୍ୱରେ ଆମେରିକା ଏବଂ ଭାରତ ମଧ୍ୟରେ ବନ୍ଧୁତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଶେଷ ହୋଇଥିବା ଆମେରିକା ଗସ୍ତର ଏକ ଭିଡିଓ ମେଣ୍ଟାଜ ସେୟାର କରି ବାଇଡେନ ଟ୍ୱିଟ କରି କହିଛନ୍ତି ଯେ, ଆମେରିକା ଏବଂ ଭାରତ ମଧ୍ୟରେ ବନ୍ଧୁତା ଦୁନିଆର ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ, ଘନିଷ୍ଠ ଏବଂ ଅଧିକ ଗତିଶୀଳ ଅଟେ। ଶ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ଆପଣଙ୍କ ସହ ସମ୍ପୂର୍ଣ୍ଣ ଭାବେ ସହମତ। ଆମ ଦେଶ ମଧ୍ୟରେ ବନ୍ଧୁତା ବିଶ୍ୱବ୍ୟାପୀ ମଙ୍ଗଳ ପାଇଁ ଏକ ଶକ୍ତି। ଏହା ପୃଥିବୀକୁ ଉନ୍ନତ କରିବ। ମୋର ଆମେରିକା ଗସ୍ତ ଆମର ବନ୍ଧନକୁ ଆହୁରି ମଜବୁତ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଏବଂ ଇଜିପ୍ଟ ଗସ୍ତ ପରେ ଭାରତ ଫେରିଛନ୍ତି। ପାଲମ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନେକ ବିଜେପି ସାଂସଦ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପାଞ୍ଚ ଦିନିଆ ଗସ୍ତ ଜୁନ୍ ୨୦ ତାରିଖରେ ଆରମ୍ଭ କରିଥିଲେ। ସେ ୨୧-୨୪ ଜୁନ୍ ରୁ ଆମେରିକା ଗସ୍ତ କରିଥିଲେ। ତାଙ୍କର ଆମେରିକୀୟ ଗସ୍ତ ନ୍ୟୁୟର୍କରେ ଆରମ୍ଭ ହୋଇଥିଲା, ଯେଉଁଠାରେ ସେ ଜୁନ୍ ୨୧ ତାରିଖ ଦିନ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ମିଳିତ ଜାତିସଂଘ ମୁଖ୍ୟାଳୟରେ ଏକ ଐତିହାସିକ ଘଟଣାର ନେତୃତ୍ୱ ନେଇଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ଓ ଇଜିପ୍ଟ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଦଲ ଫତେହ ଅଲ ସିସିଙ୍କ ମଧ୍ୟରେ ୨୫ ଜୁନ୍‌ ୨୦୨୩ରେ ଅଲ-ଇତିହାଦିୟା ପ୍ୟାଲେସ୍‌ ଠାରେ ସାକ୍ଷାତ ଆଲୋଚନା ହୋଇଛି।

ଜାନୁଆରୀ ୨୦୨୩ରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଲ୍‌ ସିସି ଅତିଥି ଭାବେ ଯୋଗ ଦେବାକୁ ଦୁଇ ନେତା ଖୁସିର ସହିତ ସ୍ମରଣ କରିଥିଲେ ଏବଂ ଏହାପରେ ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କ ତ୍ୱରାନ୍ୱିତ ହେବାକୁ ଉଭୟ ସ୍ୱାଗତ କରିଥିଲେ। ଦ୍ୱିପାକ୍ଷିକ ସହଯୋଗକୁ ଗତିଶୀଳ କରିବା ଲାଗି ଇଜିପ୍ଟ କ୍ୟାବିନେଟ୍‌ରେ ପ୍ରତିଷ୍ଠା କରାଯାଇଥିବା ‘ଇଣ୍ଡିଆ ୟୁନିଟ୍‌’ ବିଶେଷ ଉପଯୋଗୀ ହୋଇଥିବା ନେଇ ସେମାନେ ସହମତ ହୋଇଥିଲେ।

ଦୁଇ ଦେଶ ମଧ୍ୟରେ, ବିଶେଷ କରି ବାଣିଜ୍ୟ ଓ ନିବେଶ, ସୂଚନା ପ୍ରଯୁକ୍ତି, ପ୍ରତିରକ୍ଷା ଓ ସୁରକ୍ଷା, ଅକ୍ଷୟ ଶକ୍ତି, କୃଷି, ସ୍ୱାସ୍ଥ୍ୟ ସଂସ୍କୃତି ଓ ନାଗରିକ ସମ୍ପର୍କ ଭଳି କ୍ଷେତ୍ରରେ ସହଭାଗିତାକୁ ଆହୁରି ନିବିଡ଼ କରିବା ନେଇ ଦୁଇ ନେତା ଆଲୋଚନା କରିଥିଲେ।

ଜି-୨୦ରେ ଅଧିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଅଲ୍‌ ସିସି ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଖାଦ୍ୟ ଓ ଇନ୍ଧନ ଅସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଆଲୋକପାତ କରିଥିଲେ ଏବଂ ଗ୍ଲୋବାଲ୍‌ ସାଉଥ୍‌ ବା ଅବିକଶିତ ତୃତୀୟ ବିଶ୍ୱ ରାଷ୍ଟ୍ର ପାଇଁ ଦୃଢ଼ ସ୍ୱର ଉତ୍ତୋଳନ କରିବା ଉପରେ ଜୋର ଦେଇଥିଲେ। ସେପ୍ଟେମ୍ବର ୨୦୨୩ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଅଲ ସିସିଙ୍କୁ ସ୍ୱାଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଇଚ୍ଛା ପ୍ରକଟ କରିଥିଲେ।

ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣି ଉଭୟ ରାଷ୍ଟ୍ର ମଧ୍ୟରେ ‘ରଣନୀତିକ ସହଭାଗିତା’ ପ୍ରତିଷ୍ଠା ନିମନ୍ତେ ଦୁଇ ନେତା ଏକ ରାଜିନାମାରେ ସ୍ୱାକ୍ଷର କରିଥିଲେ। କୃଷି, ପ୍ରତ୍ନତତ୍ତ୍ୱ ଓ ବିରଳ କିର୍ତ୍ତୀରାଜି ଏବଂ ପ୍ରତିଯୋଗିତା ମୂଳକ ଆଇନ କ୍ଷେତ୍ରରେ ତିନୋଟି ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା।

ଇଜିପ୍ଟ ପ୍ରଧାନମନ୍ତ୍ରୀ ମହାମହିମ ମୋସ୍ତାଫା ମାଡବୌଲୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଏନଏସଏ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍‌’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ଅବଦଲ ଫତେହ ଅଲ ସିସି ୨୫ ଜୁନ୍‌ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ନାଗରିକଙ୍କ ତରଫରୁ ଏହି ସମ୍ମାନ ପାଇଁ ରାଷ୍ଟ୍ରପତି ଅଲ ସିସିଙ୍କୁ ଧନ୍ୟବାଦ ଜଣାଇଥିଲେ।

ପ୍ରଥମ ଭାରତୀୟ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପୁରସ୍କାର ପାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଅଲ-ହାକିମ ମସଜିଦ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଇଜିପ୍ଟ ଗସ୍ତ ସମୟରେ କାଇରୋ ସ୍ଥିତ ଅଲ-ହାକିମ ମସଜିଦ ପରିଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଇଜିପ୍ଟର ପର୍ଯ୍ୟଟନ ଏବଂ ପ୍ରାଚୀନତା ମନ୍ତ୍ରୀ ଡକ୍ଟର ମୁସ୍ତାଫା ୱାଜିରୀ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ବୋହରା ସମ୍ପ୍ରଦାୟର ନେତାମାନଙ୍କୁ ମଧ୍ୟ ଭେଟିଥିଲେ, ଯେଉଁମାନେ ଏହି ଫାତିମିଦ୍ ଯୁଗର ଶିଆ ମସଜିଦର ରକ୍ଷଣାବେକ୍ଷଣରେ ସକ୍ରିୟ ଭାବରେ ଜଡିତ ଥିଲେ ଏବଂ ଭାରତ ଏବଂ ଇଜିପ୍ଟ ମଧ୍ୟରେ ଲୋକଙ୍କ ସମ୍ପର୍କକୁ ଦୃଢ ଭାବରେ ଆଲୋକପାତ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ହେଲିଓପଲିସ୍ ଯୁଦ୍ଧ ସ୍ମାରକୀ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଇଜିପ୍ଟ ଗସ୍ତ ସମୟରେ କାଇରୋରେ ଥିବା ହେଲିଓପଲିସ୍ କମନୱେଲଥ ଯୁଦ୍ଧ କବର ସ୍ଥଳୀ ପରିଦର୍ଶନ କରିଥିଲେ।

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଇଜିପ୍ଟ ଏବଂ ଆଡେନରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୪୩୦୦ ରୁ ଅଧିକ ବୀର ଭାରତୀୟ ସୈନିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇଜିପ୍ଟର ବିଶିଷ୍ଟ ଯୋଗ ପ୍ରଶିକ୍ଷିକା ରେମ୍ ଜବାକ୍ ଏବଂ ନାଡା ଆଡେଲଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ଦୁଇ ବିଶିଷ୍ଟ ଯୁବ ଯୋଗ ପ୍ରଶିକ୍ଷିକା ରମ୍ ଜବାକ୍ ଏବଂ ନାଡା ଆଡେଲଙ୍କୁ କାଇରୋରେ ୨୦୨୩ ଜୁନ୍ ୨୪ରେ ସାକ୍ଷାତ କରିଛନ୍ତି।

ଯୋଗ ପ୍ରତି ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିବା ସହ ଉଭୟଙ୍କୁ ଭାରତ ଗସ୍ତ କରିବାକୁ ପ୍ରୋତ୍ସାହିତ କରିଥିଲେ। ଇଜିପ୍ଟରେ ଯୋଗ ପାଇଁ ବଢ଼ୁଥିବା ଉତ୍ସାହ ବାବଦରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଗଣତାନ୍ତ୍ରିକ ଭାବନା ରଖିଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆମ ସମ୍ବିଧାନ ଯେଉଁ ମୂଲ୍ୟବୋଧ ପାଇଁ ଉତ୍ସବ ପାଳିଥାଏ ଗଣତନ୍ତ୍ରର କଳା ଦିନ ତାହାର ସମ୍ପୂର୍ଣ୍ଣ ବିପରୀତ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଦେଶରେ ଏମର୍ଜେନ୍ସି ଲାଗୁ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଦେଶରେ ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଆମ ଗଣତାନ୍ତ୍ରିକ ଆତ୍ମାକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିଥିବା ସେହି ସମସ୍ତ ସାହସୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।

ଆମ ଇତିହାସରେ ଏମର୍ଜେନ୍ସିର ସେହି କଳାଦିନ ସର୍ବଦା ସ୍ମରଣୀୟ ହୋଇ ରହିବ, ଯାହା ଆମ ସମ୍ବିଧାନ ଉତ୍ସବ ପାଳୁଥିବା ମୂଲ୍ୟବୋଧର ସମ୍ପୂର୍ଣ୍ଣ ବିପରୀତ।

Categories
ଆଜିର ଖବର ଜାତୀୟ ଖବର

ଇଜିପ୍ଟର ଗ୍ରାଣ୍ଡ ମୁଫତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନ ନରେନ୍ଦ୍ର ମୋଦୀ ୨୪ ଜୁନ୍ ୨୦୨୩ ରେ ଇଜିପ୍ଟ ଗସ୍ତ ସମୟରେ ଇଜିପ୍ଟର ଗ୍ରାଣ୍ଡ ମୁଫତି, ମହାମହିମ ଡକ୍ଟର ସାକି ଇବ୍ରାହିମ୍‍ ଆଲାମଙ୍କୁ ସାକ୍ଷାତ କରିଛନ୍ତି।

ଗ୍ରାଣ୍ଡ ମୁଫତି ତାଙ୍କର ଭାରତ ଗସ୍ତକୁ ମନେ ପକାଇଥିଲେ ଏବଂ ଭାରତ ଏବଂ ଇଜିପ୍ଟ ମଧ୍ୟରେ ଦୃଢ ଲୋକ ସମ୍ପର୍କ ତଥା ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଗ୍ରାଣ୍ଡ ମୁଫତି ମଧ୍ୟ ଅନ୍ତର୍ଭୂକ୍ତି ଏବଂ ବହୁଳବାଦ ବୃଦ୍ଧିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ।

ସମାଜରେ ସାମାଜିକ ତଥା ଧାର୍ମିକ ସୌହାର୍ଦ୍ଦ୍ୟ ତଥା ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦକୁ ପ୍ରତିହତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଇଜିପ୍ଟର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ଥିବା ଡାର-ଅଲ-ଇଫଟା ଠାରେ ଭାରତ ଆଇଟିରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ଇଜିପ୍ଟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଇଜିପ୍ଟୀୟ କ୍ୟାବିନେଟ୍‌ର ‘‘ଭାରତ ୟୁନିଟ୍‌’’ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଗସ୍ତରେ ଇଜିପ୍ଟରେ ପହଞ୍ଚିବା ପରେ ୨୪ ଜୁନ ୨୦୨୩ରେ ଇଜିପ୍ଟୀୟ କ୍ୟାବିନେଟର ‘‘ଭାରତ ୟୁନିଟ୍‌’’ ସହ ବୈଠକ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ, ଭାରତର ସାଧାରଣତନ୍ତ୍ର ଦିବସ ୨୦୨୩ ସମାରୋହରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦେଲ ଫତେହ ଅଲ୍‌ ସିସି ଯୋଗ ଦେଇଥିଲେ। ତାଙ୍କର ଏହି ଗସ୍ତ ପରେ ଇଜିପ୍ଟ କ୍ୟାବିନେଟର ‘‘ଭାରତ ୟୁନିଟ୍‌’’ ପ୍ରତିଷ୍ଠା କରାଯାଇଥିଲା। ଇଜିପ୍ଟ ପ୍ରଧାନମନ୍ତ୍ରୀ ମହାମହିମ ମୁସ୍ତାଫା ମେଡ୍‌ବୌଲୀଙ୍କ ଅଧ୍ୟକ୍ଷତାରେ ଭାରତ ୟୁନିଟ୍‌ ଗଠନ କରାଯାଇଥିବା ବେଳେ ଏଥିରେ ବହୁସଂଖ୍ୟକ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି।

ଭାରତ ୟୁନିଟ୍‌ ଦ୍ୱାରା ସମ୍ପାଦନ କରାଯାଉଥିବା କାର୍ଯ୍ୟ ଏବଂ ପ୍ରସ୍ତାବିତ ନୂଆ ସହଯୋଗ କ୍ଷେତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ମେଡବୌଲୀ ଏବଂ ତାଙ୍କର କ୍ୟାବିନେଟ ସହଯୋଗୀମାନେ ସୂଚନା ଦେଇଥିଲେ। ଭାରତୀୟ ପ୍ରତିପକ୍ଷଙ୍କ ଠାରୁ ମିଳୁଥିବା ସକାରାତ୍ମକ ପ୍ରତିକ୍ରିୟାକୁ ସେମାନେ ପ୍ରଶଂସା କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ପାଇଁ ଆଗ୍ରହ ପ୍ରକଟ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘‘ଭାରତ ୟୁନିଟ୍‌’’ ପ୍ରତିଷ୍ଠା କରାଯିବାକୁ ପ୍ରଶଂସା କରିଥିଲେ ଏବଂ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ପାଇଁ ଏହି ‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ’କୁ ସ୍ୱାଗତ କରିଥିଲେ। ଏଥିସହିତ ବିଭିନ୍ନ ଆପୋସ ହିତ କ୍ଷେତ୍ରରେ ଇଜିପ୍ଟ ସହିତ ନିବିଡ଼ ଭାବେ କାର୍ଯ୍ୟ କରିବା ନିମନ୍ତେ ଭାରତ ପ୍ରସ୍ତୁତ ଥିବା ସେ କହିଥିଲେ।

ଏହି ବୈଠକରେ ବାଣିଜ୍ୟ ଓ ନିବେଶ, ଅକ୍ଷୟ ଶକ୍ତି, ସବୁଜ ହାଇଡ୍ରୋଜେନ, ଆଇଟି, ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ, ଔଷଧ ଓ ନାଗରିକ ସମ୍ପର୍କ ଆଦି କ୍ଷେତ୍ରରେ ଆପୋସ ସହଯୋଗକୁ ସୁଦୃଢ଼ କରିବାର ମାର୍ଗ ଉପରେ ଆଲୋଚନା କରାଯାଇଥିଲା।

ଇଜିପ୍ଟ ପ୍ରଧାନମନ୍ତ୍ରୀ ମେଡ୍‌ବୌଲୀଙ୍କ ସମେତ ସାତ ଜଣ ଇଜିପ୍ଟ କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ, ସେମାନେ ହେଲେ :

ବିଦ୍ୟୁତ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଡକ୍ଟର ମହମ୍ମଦ ଶେକର ଅଲ୍‌ ମର୍କବୀ

ବୈଦେଶିକ ବ୍ୟାପାର ମନ୍ତ୍ରୀ ମିଃ ସାମେ ଶୌକ୍ରୀ

ଯୋଜନା ଓ ଆର୍ଥିକ ବିକାଶ ମନ୍ତ୍ରୀ ଡକ୍ଟର ହାଲା ଅଲ୍‌ ସୈଦ

ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଡକ୍ଟର ରାନିଆ ଅଲ୍‌ ମଶତ୍‌

ଅର୍ଥ ମନ୍ତ୍ରୀ ମହମ୍ମଦ ମାୟିତ୍‌

ସଞ୍ଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଅମ୍ର ତଲତ୍‌

ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଇଞ୍ଜିନିୟର ଅହମ୍ମଦ ସମିର।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇଜିପ୍ଟରେ ଭାରତୀୟ ସମୁଦାୟ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟକୁ ସରକାରୀ ଗସ୍ତ ସମୟରେ ୨୪ ଜୁନ୍‌ ୨୦୨୩ରେ ଭାରତୀୟ ସମୁଦାୟର ସଦସ୍ୟମାନଙ୍କ ସହିତ କଥା ହୋଇଛନ୍ତି।

ଭାରତୀୟ ସମୁଦାୟ ସହିତ କଥା ହେବା ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଇଜିପ୍ଟ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଥିଲେ।

ଛାତ୍ରଛାତ୍ରୀ, ପେସାଦାର, ବ୍ୟବସାୟୀଙ୍କୁ ନେଇ ଭାରତୀୟ ସମୁଦାୟର ୩୦୦ରୁ ଅଧିକ ସଦସ୍ୟ ଏହି ସମାରୋହରେ ଅଂଶଗ୍ରହଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆଲଫାବେଟ୍ ଇଙ୍କ୍ ଏବଂ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ୨୦୨୩ ଜୁନ୍ ୨୩ରେ ଆଲଫାବେଟ୍ ଇଙ୍କ୍ ଏବଂ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଛନ୍ତି।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ), ଫିନ୍‌ଟେକ୍‌, ସାଇବର ସିକ୍ୟୁରିଟି ଉତ୍ପାଦ ଏବଂ ସେବା ସମେତ ଭାରତରେ ମୋବାଇଲ ଉତ୍ପାଦନ କ୍ଷେତ୍ରରେ ଅଧିକ ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ପିଚାଇଙ୍କୁ ଆମନ୍ତ୍ରଣ କରିଥିଲେ।

ଭାରତରେ ଅନୁସନ୍ଧାନ ଏବଂ ବିକାଶ ଓ ଦକ୍ଷତା ବିକାଶକୁ ବୃଦ୍ଧି ନିମନ୍ତେ ଗୁଗଲ ଏବଂ ଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ପିଚାଇ ଆଲୋଚନା କରିଥିଲେ।

Categories
ବିଶେଷ ଖବର

ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ପାଇଁ ଶ୍ରୀ ମୋଦୀ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଆସନ୍ତୁ ପଢିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଐତିହାସିକ ସମ୍ବୋଧନ।

ବାଚସ୍ପତି ମହୋଦୟ,

ଉପରାଷ୍ଟ୍ରପତି ମହୋଦୟା,

ଆମେରିକା କଂଗ୍ରେସର ସମ୍ମାନନୀୟ ସଦସ୍ୟଗଣ,

ଭାଇ ଓ ଭଉଣୀମାନେ,

ନମସ୍କାର!

ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବା ସବୁବେଳେ ଏକ ସମ୍ମାନର ବିଷୟ। ଦୁଇ ଥର ଏଭଳି କରିବାର ସୁଯୋଗ ମିଳିବା ମୋ ପାଇଁ ଏକ ସୌଭାଗ୍ୟ। ଏହି ସମ୍ମାନ ପାଇଁ, ଭାରତର ୧୪୦ କୋଟି ନାଗରିକଙ୍କ ତରଫରୁ ମୁଁ ନିଜର କୃତଜ୍ଞତା ପ୍ରକାଶ କରୁଛି । ମୁଁ ଦେଖିପାରୁଛି ଯେ ଆପଣମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକ ୨୦୧୬ରେ ଏଠାରେ ଥିଲେ। ପୁରୁଣା ବନ୍ଧୁ ଭାବେ ଆପଣଙ୍କ ସହୃଦୟତାକୁ ମୁଁ ଅନୁଭବ କରିପାରୁଛି । ଅନ୍ୟ ଅଧା ସଦସ୍ୟଙ୍କ ମଧ୍ୟରେ ନୂତନ ବନ୍ଧୁତାକୁ ନେଇ ରହିଥିବା ଉତ୍ସାହକୁ ମଧ୍ୟ ମୁଁ ଦେଖିପାରୁଛି। ୨୦୧୬ରେ ସିନେଟର ହ୍ୟାରୀ ରିଡ୍‌, ସିନେଟର ଜନ୍‌ ମ୍ୟାକେନ୍‌, ସିନେଟର ଓରିନ୍‌ ହ୍ୟାଚ୍‌, ଏଲିଜା କମିଙ୍ଗସ୍‌, ଆଲସୀ ହ୍ୟାଷ୍ଟିଙ୍ଗ୍‌ସ୍‌ ଓ ଅନ୍ୟମାନଙ୍କୁ ମୁଁ ସାକ୍ଷାତ କରିଥିଲି, ଦୁଃଖର ବିଷୟ ସେମାନେ ଆଜି ଆମ ଗହଣରେ ନାହାନ୍ତି। ମୁଁ ସେମାନଙ୍କର ସ୍ମୃତିଚାରଣ କରୁଛି।

ବାଚସ୍ପତି ମହୋଦୟ,

ସାତ ବର୍ଷ ପୂର୍ବରୁ ଏହି ଜୁନ୍‌ ମାସରେ ଏଠାରେ ମୁଁ ଅଭିଭାଷଣ ରଖିବାକୁ ଛିଡ଼ା ହୋଇଥିଲି। ସେତେବେଳେ ହାମିଲଟନ୍‌ ସବୁ ପୁରସ୍କାର ହାତେଇ ନେଇଥିଲା। ଠିକ୍‌ ସେହି ସମୟରେ ମୁଁ କହିଥିଲି, ଇତିହାସର ଦ୍ୱିଧାକୁ ଆମେ ପଛରେ ପକାଇ ଦେଇ ସାରିଛୁ । ଆଜି ଯେତେବେଳେ ଆମର ଯୁଗ ଏକ ଦୋଛକିରେ ଛିଡ଼ା ହୋଇଛି, ମୁଁ ଏଠାରେ ଚଳିତ ଶତାବ୍ଦୀ ପାଇଁ ଆମର ଆହ୍ୱାନ ସମ୍ପର୍କରେ କଥା ହେବାକୁ ଆସିଛି ।

ଆମେ ବର୍ତ୍ତମାନ ସୁଦ୍ଧା ଲମ୍ବା ଏବଂ ଅଙ୍କାବଙ୍କା ରାସ୍ତାରେ ଯାତ୍ରା କରି ଆସିଛୁ, ବନ୍ଧୁତାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ । ସାତ ବର୍ଷ ପୂର୍ବରୁ ଏକ ଗ୍ରୀଷ୍ମ ଋତୁରେ ମୁଁ ଯେତେବେଳେ ଏଠାକୁ ଆସିଥିଲି, ସେବେଠାରୁ ବର୍ତ୍ତମାନ ମଧ୍ୟରେ ଅନେକ କିଛି ବଦଳି ଯାଇଛି। କିନ୍ତୁ ଅନେକ କିଛି ପୂର୍ବ ପରି ସମାନ ରହିଛି – ଯଥା ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତାକୁ ଆହୁରି ନିବିଡ଼ କରିବା ପାଇଁ ଆମର ପ୍ରତିବଦ୍ଧତା। ବିଗତ କିଛି ବର୍ଷ ମଧ୍ୟରେ, ଆର୍ଟିଫିସିଆଇ ଇଣ୍ଟେଲିଜେନ୍ସ ବା ଏଆଇ କ୍ଷେତ୍ରରେ ଅନେକ ପ୍ରଗତି ହୋଇଛି। ଅନୁରୂପ ଭାବେ, ଆଉ ଏକ ଏଆଇ-ଆମେରିକା ଓ ଇଣ୍ଡିଆ (ଭାରତ) ବନ୍ଧୁତାରେ ଆହୁରି ଅନେକ ସ୍ମରଣୀୟ ବିକାଶ ହୋଇଛି ।

ବାଚସ୍ପତି ମହୋଦୟ ଏବଂ ସମ୍ମାନନୀୟ ସଦସ୍ୟଗଣ,

ଲୋକମାନଙ୍କ ସହ ଯୋଡ଼ି ହେବା, ସେମାନଙ୍କ କଥା ଶୁଣିବା ଏବଂ ସେମାନଙ୍କର ଭାବନାକୁ ଅନୁଭବ କରିବା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ଆଉ, ମୁଁ ଜାଣେ ଯେ ଏଥିପାଇଁ ଅନେକ ସମୟ, ଶକ୍ତି, ପ୍ରୟାସ ଓ ଯାତ୍ରା ଆବଶ୍ୟକ ହୋଇଥାଏ। ଆଜି ହେଉଛି ଗୁରୁବାର ଦିନର ଏକ ଅପରାହ୍ଣ-ଆପଣମାନଙ୍କ ମଧ୍ୟରୁ କିଛି ଲୋକଙ୍କ ପାଇଁ ଏକ ବ୍ୟସ୍ତବହୁଳ ଦିନ। ତେଣୁ, ମୋ ପାଇଁ ସମୟ ବାହାର କରିଥିବାରୁ ମୁଁ କୃତଜ୍ଞ। ଏଇ ଗତ ମାସରେ ଆପଣମାନେ କେତେ ବ୍ୟସ୍ତ ରହିଛନ୍ତି ତାହା ମଧ୍ୟ ମୁଁ ଜାଣିଛି ।

ମୁଁ ନିଜେ ଏକ ଜୀବନ୍ତ ଗଣତନ୍ତ୍ରର ଜଣେ ନାଗରିକ ହୋଇଥିବାରୁ, ବାଚସ୍ପତି ମହୋଦୟ ମୁଁ ଗୋଟିଏ କଥା ସ୍ୱୀକାର କରିପାରିବି ଯେ ଆପଣଙ୍କୁ ଖୁବ୍‌ କଷ୍ଟ କାମ ମିଳିଛି ! ମୁଁ ଏହାକୁ ଉତ୍ସାହ, ଅନୁନୟ ଏବଂ ନୀତିର ସଂଘର୍ଷ ସହିତ ଯୋଡ଼ି ପାରିବି। ମୁଁ ବିଭିନ୍ନ ପ୍ରକାର ବିଚାର ଓ ବିଚାରଧାରା ମଧ୍ୟରେ ବିତର୍କକୁ ବୁଝିପାରୁଛି। କିନ୍ତୁ ମୁଁ ଆଜି ଏହା ଦେଖି ଆନନ୍ଦିତ ଯେ ଆପଣ ଆଜି ବିଶ୍ୱର ଦୁଇଟି ମହାନ ଗଣତନ୍ତ୍ର – ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ରହିଥିବା ସମ୍ପର୍କକୁ ପାଳନ କରିବା ଲାଗି ଏକତ୍ରିତ ହୋଇଛନ୍ତି । ଯେତେବେଳେ ଆପଣଙ୍କର ଏକ ମଜବୁତ ଦ୍ୱିଦଳୀୟ ସହମତିର ଆବଶ୍ୟକତା ଦେଖା ଦେବ, ସେଥିରେ ସହଯୋଗ କରି ମୁଁ ଖୁସି ହେବି।  ସଦନରେ ବିଭିନ୍ନ ବିଚାରକୁ ନେଇ ଏକ ପ୍ରତିଯୋଗିତା ହେବା ଏବଂ ନିଶ୍ଚିତ ଭାବେ ହେବା ଜରୁରି । କିନ୍ତୁ, ଯେତେବେଳେ ଆମେ ନିଜ ରାଷ୍ଟ୍ର ପାଇଁ ବକ୍ତବ୍ୟ ରଖିଥାଉ, ଆମେ ଏକ ସ୍ୱରରେ ନିଜର କଥା ରଖିବା ଉଚିତ୍‌। ଆଉ, ଆପଣମାନେ ଏହା କରିପାରିବେ ବୋଲି ଦେଖାଇ ଦେଇଛନ୍ତି। ଅଭିନନ୍ଦନ!

ବାଚସ୍ପତି ମହୋଦୟ,

ସମାନ ଲୋକମାନଙ୍କୁ ନେଇ ଗୋଟିଏ ରାଷ୍ଟ୍ର ଗଠନର ଦୃଷ୍ଟିକୋଣ ସହିତ ଆମେରିକାର ପ୍ରତିଷ୍ଠା ହୋଇଥିଲା। ନିଜର ସମଗ୍ର ଇତିହାସରେ, ଆପଣମାନେ ସାରା ବିଶ୍ୱର ଲୋକମାନଙ୍କୁ ଆଲିଙ୍ଗନ କରିଛନ୍ତି। ଆଉ, ଆପଣ ସେମାନଙ୍କୁ ଆମେରିକୀୟ ସ୍ୱପ୍ନର ସମାନ ଅଂଶୀଦାର କରିଛନ୍ତି । ଏଠାରେ ଲକ୍ଷାଧିକ ଲୋକ ରହୁଛନ୍ତି, ଯେଉଁମାନଙ୍କର ମୂଳଦୁଆ ଭାରତ ସହ ଯୋଡ଼ି ହୋଇ ରହିଛି । ସେମାନଙ୍କ ମଧ୍ୟରୁ କିଛି ଲୋକ ସମ୍ମାନର ସହିତ ଏହି କକ୍ଷରେ ବସିଥାନ୍ତି । ମୋ ପଛରେ ଏମିତି ଜଣେ ଅଛି, ଯିଏ ଇତିହାସ ରଚିଛି ! ମୁଁ ଜାଣିବାକୁ ପାଇଛି ଯେ, ସମୋସା (ସିଙ୍ଗଡ଼ା) କକସ୍‌ ଏବେ ସଦନର ସ୍ୱାଦ ପାଲଟିଛି । ଏହା ଆଗକୁ ବଢ଼ିବ ଏବଂ ଏଠାରେ ଭାରତୀୟ ବ୍ୟଞ୍ଜନର ସମ୍ପୂର୍ଣ୍ଣ ବିବିଧତା ଆଣିବ ବୋଲି ମୁଁ ଆଶା କରୁଛି । ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି, ମହାନ ଆମେରିକୀୟ ଏବଂ ଭାରତୀୟଙ୍କ ଜୀବନ ଜରିଆରେ ଆମେ ପରସ୍ପରକୁ ଅନୁପ୍ରାଣିତ କରିଛୁ। ଆମେ ମହାତ୍ମା ଗାନ୍ଧୀ ଓ ମାର୍ଟିନ ଲୁଥର କିଙ୍ଗ୍‌ ଜୁନିୟରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାଉ।  ଆମେ ଆହୁରି ଅନେକ ଲୋକଙ୍କୁ ମଧ୍ୟ ସ୍ମରଣ କରିଥାଉ ଯେଉଁମାନେ ସ୍ୱାଧୀନତା, ସମାନତା ଏବଂ ନ୍ୟାୟ ପାଇଁ କାର୍ଯ୍ୟ କରିଛନ୍ତି । ଆଜି, ମୁଁ ସେମାନଙ୍କ ମଧ୍ୟରୁ ଜଣେ ତଥା କଂଗ୍ରେସ ସଦସ୍ୟ ଜନ୍‌ ଲିୱିସଙ୍କୁ ମଧ୍ୟ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଚାହୁଁଛି ।

ବାଚସ୍ପତି ମହୋଦୟ,

ଗଣତନ୍ତ୍ର ଆମର ପବିତ୍ର ତଥା ସହଭାଗୀ ଆଦର୍ଶ ମଧ୍ୟରୁ ଅନ୍ୟତମ। ଦୀର୍ଘ ସମୟ ଧରି ଏହା ବିକଶିତ ହୋଇଛି ଏବଂ ଏହା ବିଭିନ୍ନ ରୂପ ଓ ବ୍ୟବସ୍ଥାରେ ବଦଳିଛି । ତେବେ, ସମଗ୍ର, ଇତିହାସରେ ଗୋଟିଏ କଥା ସ୍ପଷ୍ଟ ରହିଛି ।

ଗଣତନ୍ତ୍ର ହେଉଛି ସେହି ଭାବନା ଯାହା ସମାନତା ଏବଂ ସମ୍ମାନକୁ ସମର୍ଥନ କରିଥାଏ।

ଗଣତନ୍ତ୍ର ଏକ ବିଚାର ଯାହା ବିତର୍କ ଓ ଆଲୋଚନାକୁ ସ୍ୱାଗତ କରିଥାଏ।

ଗଣତନ୍ତ୍ର ଏକ ସଂସ୍କୃତି ଯାହା ବିଚାର ଏବଂ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ଦେଇଥାଏ।

ଭାରତ ପ୍ରାଚୀନ କାଳରୁ ଏଭଳି ମୂଲ୍ୟବୋଧ ତଥା ଆଦର୍ଶର ଅଧିକାରୀ ହେବା ଲାଗି ସୌଭାଗ୍ୟ ପାଇଛି।

ଗଣତାନ୍ତ୍ରିକ ଭାବନାର ବିକାଶରେ ଭାରତର ଗଣତନ୍ତ୍ରର ଜନନୀ ଅଟେ।

ହଜାର ହଜାର ବର୍ଷ ପୂର୍ବରୁ ଆମର ସବୁଠୁ ପ୍ରାଚୀନ ଧର୍ମଗ୍ରନ୍ଥରେ କୁହାଯାଇଥିଲା,

‘ଏକମ୍‌ ସତ୍‌ ବିପ୍ରା ବହୁଧା ବଦନ୍ତି’।

ଏହାର ଅର୍ଥ ହେଉଛି – ସତ୍ୟ ଏକ, କିନ୍ତୁ ବୁଦ୍ଧିମାନ ଲୋକମାନେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ବ୍ୟକ୍ତ କରିଥାନ୍ତି।

ଏବେ ଆମେରିକା ସବୁଠୁ ପୁରୁଣା ଏବଂ ଭାରତ ସବୁଠୁ ବଡ଼ ଗଣତନ୍ତ୍ର ।

ଆମର ସହଭାଗିତା ଗଣତନ୍ତ୍ରର ଭବିଷ୍ୟତ ପାଇଁ ଶୁଭ ସଙ୍କେତ ଅଟେ ।

ଆମେ ସମସ୍ତେ ମିଶି ବିଶ୍ୱକୁ ଏକ ଉନ୍ନତ ଭବିଷ୍ୟତ ଦେବା ଏବଂ ଭବିଷ୍ୟତକୁ ଏକ ଉନ୍ନତ ବିଶ୍ୱ ଦେଇପାରିବା।

ବାଚସ୍ପତି ମହୋଦୟ,

ବିଗତ ବର୍ଷ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ସବୁ ମାଇଲଖୁଣ୍ଟ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହା ସ୍ୱତନ୍ତ୍ର ଥିଲା। ଭିନ୍ନ ଭିନ୍ନ ସ୍ୱରୂପରେ ହଜାର ହଜାର ବର୍ଷର ବିଦେଶୀ ଶାସନ ପରେ, ଆମେ ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବାର ଉଲ୍ଲେଖନୀୟ ଯାତ୍ରାକୁ ପାଳନ କରିଥିଲୁ । ଏହା କେବଳ ଗଣତନ୍ତ୍ରର ଉତ୍ସବ ନୁହେଁ, ବରଂ ବିବିଧତାର ଉତ୍ସବ। କେବଳ ସମ୍ବିଧାନ ନୁହେଁ, ସାମାଜିକ ସଶକ୍ତିକରଣର ମଧ୍ୟ ଉତ୍ସବ। କେବଳ ପ୍ରତିଯୋଗିତାମୂଳକ ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥା ନୁହେଁ, ଗୁରୁତ୍ୱପୂର୍ଣ୍ଣ ଏକତା ଓ ଅଖଣ୍ଡତାର ଉତ୍ସବ ।

ଆମ ଦେଶରେ ୨ ହଜାର ୫ଶହରୁ ଅଧିକ ରାଜନୈତିକ ଦଳ ରହିଛନ୍ତି । ହଁ ଆପଣ ଠିକ୍‌ ଶୁଣିଲେ – ଦୁଇ ହଜାର ପାଞ୍ଚ ଶହ । ୨୦ଟି ଭିନ୍ନ ଭିନ୍ନ ଦଳ ଭାରତର ବିଭିନ୍ନ ରାଜ୍ୟରେ ପ୍ରଶାସନ ଚଳାଉଛନ୍ତି । ଆମ ଦେଶରେ ୨୨ଟି ସରକାରୀ ଭାଷା ଏବଂ ଏକ ହଜାରରୁ ଅଧିକ କଥିତ ଭାଷା ରହିଛି, ତଥାପି ଆମେ ଏକ ସ୍ୱରରେ କଥା ହୋଇଥାଉ । ପ୍ରତି ୧୦୦ ମାଇଲ୍‌ ଦୂର ଯିବା ପରେ ଆମର ବ୍ୟଞ୍ଜନ ବଦଳି ଯାଏ। ଡୋସାରୁ ଆଳୁ ପରଟା ଯାଏ ଏବଂ ଶ୍ରୀଖଣ୍ଡରୁ ସନ୍ଦେଶ ଯାଏ, ଆମେ ସବୁ ଖାଦ୍ୟକୁ ଉପଭୋଗ କରିଥାଉ । ଆମ ଦେଶରେ ବିଶ୍ୱର ସବୁ ଧର୍ମାବଲମ୍ବୀ ଲୋକମାନେ ବସବାସ କରନ୍ତି ଏବଂ ଆମେ ସବୁ ଧର୍ମକୁ ସମ୍ମାନ ଜଣାଇଥାଉ । ଭାରତରେ, ବିବିଧତା ଜୀବନର ଏକ ସ୍ୱାଭାବିକ ମାର୍ଗ ।

ଆଜି ବିଶ୍ୱ ଭାରତ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଚାହୁଁଛି । ମୁଁ ଏହି ସଦନରେ ମଧ୍ୟ ସେପରି ଅନୁସନ୍ଧିତ୍ସା ଦେଖି ପାରୁଛି । ବିଗତ ଦଶ ବର୍ଷ ମଧ୍ୟରେ ଆମେରିକା କଂଗ୍ରେସର ଶତାଧିକ ସଦସ୍ୟଙ୍କୁ ସ୍ୱାଗତ କରିବା ଆମ ପାଇଁ ସମ୍ମାନର ବିଷୟ । ସମସ୍ତେ ଭାରତର ବିକାଶ, ଗଣତନ୍ତ୍ର ଏବଂ ବିବିଧତାକୁ ବୁଝିବା ପାଇଁ ଚାହୁଁଛନ୍ତି । ଭାରତ ବର୍ତ୍ତମାନ କ’ଣ କରୁଛି ଏବଂ କିପରି କରୁଛି ତାହା ଜାଣିବା ପାଇଁ ସମସ୍ତେ ଆଗ୍ରହୀ । ଆମ ଭିତରେ ନିବିଡ଼ ବନ୍ଧୁତା ରହିଥିବାରୁ ତାହା ପ୍ରକାଶ କରିବା ମୋ ପାଇଁ ଆନନ୍ଦର ବିଷୟ ।

ବାଚସ୍ପତି ମହାଶୟ,

ପ୍ରଧାନମନ୍ତ୍ରୀ ଭାବେ ମୁଁ ଯେତେବେଳେ ପ୍ରଥମ ଥର ଆମେରିକା ଗସ୍ତରେ ଆସିଥିଲି, ଭାରତ ସେତେବେଳେ ବିଶ୍ୱର ଦଶମ ସର୍ବବୃହତ ଅର୍ଥବ୍ୟବସ୍ଥା ଥିଲା । ଆଜି ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି । ଆଉ ଖୁବ୍‌ଶୀଘ୍ର, ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବ । ଆମେ କେବଳ ବ୍ୟାପକ ପ୍ରଗତି ନୁହେଁ ବରଂ ଦ୍ରୁତ ପ୍ରଗତି ହାସଲ କରୁଛୁ ।  ଭାରତର ବିକାଶ ହେଲେ ସାରା ବିଶ୍ୱ ବିକଶିତ ହୋଇଥାଏ । ସର୍ବୋପରି ଆମେ ବିଶ୍ୱ ଜନସଂଖ୍ୟାର ଏକ ଷଷ୍ଠାଂଶ ! ବିଗତ ଶତାବ୍ଦୀରେ, ଭାରତ ଯେତେବେଳ ସ୍ୱାଧୀନତା ହାସଲ କଲା, ଏହା ଅନେକ ଦେଶକୁ ଉପନିବେଶବାଦ ଶାସନ ଠାରୁ ନିଜକୁ ମୁକ୍ତ କରିବା ପାଇଁ ଅନୁପ୍ରାଣିତ କରିଥିଲା। ଚଳିତ ଶତାବ୍ଦୀରେ, ଭାରତ ଯେତେବେଳେ ବିକାଶର ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରୁଛି, ଏହା ଅନ୍ୟ ଦେଶମାନଙ୍କୁ ମଧ୍ୟ ବିକଶିତ ହେବା ପାଇଁ ଅନୁପ୍ରାଣିତ କରିବ। ଆମର ଲକ୍ଷ୍ୟ ହେଉଛି ସବକା ସାଥ୍‌, ସବକା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ। ଏହାର ଅର୍ଥ ହେଉଛି : ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତଙ୍କ ବିକାଶ, ସମସ୍ତଙ୍କ ବିଶ୍ୱାସ ଏବଂ ସମସ୍ତଙ୍କ ପ୍ରୟାସ।

ଏହି ଲକ୍ଷ୍ୟ କିଭଳି ଦ୍ରୁତ ଗତିରେ ଏବଂ ବ୍ୟାପକତାର ସହିତ ସାକାର ରୂପ ନେଉଛି, ତାହା ମୁଁ କହିବାକୁ ଚାହୁଁଛି । ଆମେ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେଉଛୁ । ୧୫ କୋଟି ଲୋକଙ୍କୁ ଆଶ୍ରୟ ଦେବା ପାଇଁ ଆମେ ପ୍ରାୟ ୪ କୋଟି ଆବାସ ଯୋଗାଇ ଦେଇଛୁ । ଏହା ଅଷ୍ଟ୍ରେଲିୟାର ଜନସଂଖ୍ୟା ଠାରୁ ପ୍ରାୟ ଛଅଗୁଣ ଅଧିକ ! ଆମେ ଏକ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରୁଛୁ ଯାହା ପ୍ରାୟ ୫୦ କୋଟି ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସୁନିଶ୍ଚିତ କରୁଛି । ଏହା ଦକ୍ଷିଣ ଆମେରିକାର ଲୋକସଂଖ୍ୟା ଠାରୁ ଅଧିକ ! ଆମେ ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଯୋଜନା ଜରିଆରେ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେଉଛୁ। ପ୍ରାୟ ୫୦ କୋଟି ଲୋକ ଏହାର ଲାଭ ପାଇଛନ୍ତି । ଏହା ଉତ୍ତର ଆମେରିକାର ଲୋକସଂଖ୍ୟା ସହ ସମାନ । ଆମେ ଡିଜିଟାଲ ଇଣ୍ଡିଆ ନିର୍ମାଣ ଦିଗରେ କାର୍ଯ୍ୟ କରିଛୁ । ଆଜି, ଆମ ଦେଶରେ ପ୍ରାୟ ୮୫ କୋଟି ସ୍ମାର୍ଟ ଫୋନ୍‌ ଓ ଇଣ୍ଟରନେଟ୍‌ ଉପଭୋକ୍ତା ରହିଛନ୍ତି । ଏହା ୟୁରୋପର ଜନସଂଖ୍ୟା ଠାରୁ ଅଧିକ ! ଆମେ ଭାରତରେ ନିର୍ମିତ ୨୨୦ କୋଟି  ଡୋଜ୍‌ କୋଭିଡ ଟିକା ଦେଇ ଆମ ଦେଶବାସୀଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷା ଦେଇଛୁ, ତାହା ପୁଣି ସମ୍ପୂର୍ଣ୍ଣ ମାଗଣାରେ! ହୁଏତ’ ମୁଁ ଖୁବ୍‌ଶୀଘ୍ର ମହାଦେଶରୁ ବାହାରକୁ ଯାଇପାରେ, ତେଣୁ ମୁଁ ଏହି ଠାରେ ବିରାମ ନେଉଛି!

ସମ୍ମାନନୀୟ ସଦସ୍ୟଗଣ,

ବେଦ ବିଶ୍ୱର ସବୁଠୁ ପ୍ରାଚୀନ ଗ୍ରନ୍ଥ । ହଜାର ହଜାର ବର୍ଷ ପୂର୍ବରୁ ସଙ୍କଳିତ ଏହି ଶାସ୍ତ୍ର ମାନବ ଜଗତ ପାଇଁ ଏକ ଶ୍ରେଷ୍ଠ ସମ୍ପଦ । ତତ୍କାଳୀନ ସମୟରେ ମହିଳା ସାଧୁମାନେ ବେଦର ବହୁ ଶ୍ଳୋକ ରଚନା କରିଥିଲେ । ଆଉ ଆଜି, ଆଧୁନିକ ଭାରତରେ, ମହିଳାମାନେ ଆମକୁ ଏକ ଉନ୍ନତ ଭବିଷ୍ୟତ ଦିଗରେ ଆଗେଇ ନେଉଛନ୍ତି । ଭାରତ କେବଳ ମହିଳାଙ୍କୁ ଲାଭ ପହଞ୍ଚାଉଥିବା ବିକାଶ ପାଇଁ ଲକ୍ଷ୍ୟ ରଖିନାହିଁ, ବରଂ ଏହା ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଦିଗରେ ଅଗ୍ରସର ହେଉଛି, ଯେଉଁଠି ମହିଳାମାନେ ବିକାଶ ଯାତ୍ରାରେ ନେତୃତ୍ୱ ନେଉଛନ୍ତି । ସାଧାରଣ ଆଦିବାସୀ ପୃଷ୍ଠଭୂମିରେ ବଢ଼ିଥିବା ଜଣେ ମହିଳା ଆଜି ଆମର ରାଷ୍ଟ୍ର ମୁଖ୍ୟ ହୋଇପାରିଛନ୍ତି ।

ବିଭିନ୍ନ ସ୍ତରରେ ପ୍ରାୟ ଦେଢ଼ ନିୟୁତ ମହିଳା ପ୍ରତିନିଧି ଏବଂ ତାହା ପୁଣି ସ୍ଥାନୀୟ ସରକାରୀ ସ୍ତରରେ ଆମର ନେତୃତ୍ୱ ନେଉଛନ୍ତି । ଆଜି ମହିଳାମାନେ ଆମେ ଦେଶର ସ୍ଥଳ ସେନା, ନୌସେନା ଓ ବାୟୁ ସେନାରେ କର୍ତ୍ତବ୍ୟରତ ଅଛନ୍ତି । ବିଶ୍ୱରେ ସବୁଠୁ ଅଧିକ ସଂଖ୍ୟକ ମହିଳା ପାଇଲଟ୍‌ ଭାରତରେ ଅଛନ୍ତି । ଆହୁରି ମହିଳାମାନେ ଆମ ମଙ୍ଗଳ ମିଶନରେ ନେତୃତ୍ୱ ନେଇ ଆମକୁ ମଙ୍ଗଳ ଗ୍ରହରେ ପହଞ୍ଚାଇ ପାରିଛନ୍ତି । ଜଣେ ଶିଶୁ କନ୍ୟା ପାଇଁ ନିବେଶ ସାରା ପରିବାରରେ ଉନ୍ନତି ଆଣିଥାଏ। ମହିଳାଙ୍କୁ ସଶକ୍ତ କରିବା ଦ୍ୱାରା ରାଷ୍ଟ୍ରର ପରିବର୍ତ୍ତନ ହୋଇଥାଏ।

ବାଚସ୍ପତି ମହୋଦୟ,

ଭାରତ ହେଉଛି ଅଧିକ ଯୁବ ଜନସଂଖ୍ୟା ଥିବା ଏକ ପ୍ରାଚୀନ ରାଷ୍ଟ୍ର । ଭାରତ ନିଜର ପରମ୍ପରା ପାଇଁ ପରିଚିତ । କିନ୍ତୁ ଯୁବ ପିଢ଼ିମାନେ ଏହାକୁ ପ୍ରଯୁକ୍ତିର ଏକ କେନ୍ଦ୍ରରେ ପରିଣତ କରିଛନ୍ତି । ଇନଷ୍ଟାଗ୍ରାମରେ ସୃଜନଶୀଳ ରିଲ୍‌ ତିଆରି କରିବା ହେଉ କିମ୍ବା ରିୟଲ ଟାଇମ୍‌ ପେମେଣ୍ଟ, କୋଡିଂ କିମ୍ବା କ୍ୱାଣ୍ଟମ କମ୍ପ୍ୟୁଟିଂ, ମେସିନ୍‌ ଲର୍ଣ୍ଣିଂ କିମ୍ବା ମୋବାଇଲ୍‌ ଆପ୍‌, ଫିନଟେକ୍‌ କିମ୍ବା ଡେଟା ସାଇନ୍ସ, ସମାଜ କିଭଳି ଆଧୁନିକ ପ୍ରଯୁକ୍ତିକୁ ଗ୍ରହଣ କରିଥାଏ, ଭାରତର ଯୁବକମାନେ ତାହାର ଏକ ଶ୍ରେଷ୍ଠ ଉଦାହରଣ । ଭାରତରେ ପ୍ରଯୁକ୍ତିର ଅର୍ଥ କେବଳ ସୃଜନଶୀଳତା ନୁହେଁ, ବରଂ ସମାବେଶିତା।  ଆଜି ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଗୋପନୀୟତାକୁ ସୁରକ୍ଷା ଦେବା ସହିତ ଲୋକମାନଙ୍କର ଅଧିକାର ଓ ସମ୍ମାନକୁ ସଶକ୍ତ କରୁଛନ୍ତି ।

ବିଗତ ନଅ ବର୍ଷ ମଧ୍ୟରେ, ୧୦୦ କୋଟିରୁ ଅଧିକ ଲୋକ ଏକ ଅଭିନବ ଡିଜିଟାଲ ବାୟୋମେଟ୍ରିକ ପରିଚୟ ପାଇଛନ୍ତି ଯାହାକୁ ସେମାନେ ନିଜର ବ୍ୟାଙ୍କ ଏକାଉଣ୍ଟ ଓ ମୋବାଇଲ୍‌ ଫୋନ୍‌ ସହ ଯୋଡ଼ି ପାରିଛନ୍ତି । ଏହି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ମାତ୍ର କିଛି ସେକେଣ୍ଡ ମଧ୍ୟରେ ନାଗରିକଙ୍କ ନିକଟରେ ଆର୍ଥିକ ସହାୟତା ପହଞ୍ଚାଇବାରେ ଆମକୁ ସହାୟକ ହୋଇଛି । ୮୫ କୋଟି ଲୋକ ସେମାନଙ୍କ ଏକାଉଣ୍ଟରେ ପ୍ରତ୍ୟକ୍ଷ ଆର୍ଥିକ ଲାଭ ପାଇପାରୁଛନ୍ତି । ଗୋଟିଏ ବର୍ଷରେ ତିନି ଥର, ମାତ୍ର ଗୋଟିଏ କ୍ଲିକ୍‌ ଜରିଆରେ, ୧୦ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏପରି ଆର୍ଥିକ ହସ୍ତାନ୍ତର ପରିମାଣ ୩୨୦ ବିଲିୟନ ଡଲାର ଅତିକ୍ରମ କରିସାରିଛି ଏବଂ ଏହି ପ୍ରକ୍ରିୟାରେ ଆମେ ୨୫ ବିଲିୟନ ଡଲାର ଅର୍ଥ ସଞ୍ଚୟ କରିପାରିଛୁ । ଯଦି ଆପଣ ଭାରତ ଗସ୍ତ କରୁଛନ୍ତି, ଆପଣ ଦେଖିବେ ଯେ ଅର୍ଥ ପଇଠ କରିବା ଲାଗି ସମସ୍ତେ ଫୋନ ବ୍ୟବହାର କରୁଛନ୍ତି, ଏପରିକି ଉଠାଦୋକାନୀମାନେ ମଧ୍ୟ।

ବିଗତ ବର୍ଷ, ବିଶ୍ୱରେ ପ୍ରତ୍ୟେକ ୧୦୦ ରିୟଲ ଟାଇମ୍‌ ଡିଜିଟାଲ ପେମେଣ୍ଟ ମଧ୍ୟରୁ ୪୬ଟି ଭାରତରେ ହୋଇଥିଲା । ପାଖାପାଖି ଚାରି ଲକ୍ଷ ମାଇଲ୍‌ ଅପ୍ଟିକାଲ ଫାଇବର କେବୁଲ ସଂଯୋଗ ଏବଂ ଶସ୍ତା ଡେଟା ଦେଶରେ ସୁଯୋଗର ଏକ ବିପ୍ଳବ ଆଣିଛି । କେବଳ ନିଜ ଫୋନରେ ଟ୍ୟାପ୍‌ କରି ଚାଷୀମାନେ ପାଣିପାଗ ସୂଚନା ପାଇପାରୁଛନ୍ତି, ବୟସ୍କମାନେ ସାମାଜିକ ସୁରକ୍ଷା ଅର୍ଥ, ଛାତ୍ରଛାତ୍ରୀ ବୃତ୍ତି ପାଉଛନ୍ତି, ଡାକ୍ତରମାନେ ଟେଲି ମେଡ଼ିସିନ୍‌ ଯୋଗାଇ ଦେଉଛନ୍ତି, ମତ୍ସ୍ୟଜୀବୀମାନେ ମାଛଧରା ସ୍ଥାନ ସମ୍ପର୍କରେ ସୂଚନା ପାଉଛନ୍ତି ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ମିଳିପାରୁଛି ।

ବାଚସ୍ପତି ମହୋଦୟ,

ଗଣତନ୍ତ୍ର, ସମାବେଶିତା ଓ ଦୀର୍ଘସ୍ଥାୟିତ୍ୱ ଭାବନା ଆମକୁ ପରିଭାଷିତ କରିଥାଏ। ଏହା ମଧ୍ୟ ଦୁନିଆ ପାଇଁ ଆମର ଦୃଷ୍ଟିକୋଣକୁ ରୂପ ଦେଇଥାଏ। ଆମେ ପୃଥିବୀ ପାଇଁ ଉତ୍ତରଦାୟୀ ହେବା ସହିତ ଭାରତର ବିକାଶକୁ ଆଗେଇ ନେଉଛୁ ।

ଆମର ବିଶ୍ୱାସ ହେଉଛି : ମାତା ଭୂମିଃ ପୁତ୍ର ଅହଂ ପୃଥିବ୍ୟାଃ।

ଏହାର ଅର୍ଥ ହେଉଛି – ‘‘ପୃଥିବୀ ଆମର ମା’ ଏବଂ ଆମେ ତା’ର ସନ୍ତାନ।’’

ଭାରତୀୟ ସଂସ୍କୃତି ଗଭୀର ଭାବେ ଆମର ପରିବେଶ ଓ ଆମ ପୃଥିବୀକୁ ସମ୍ମାନ କରିଥାଏ। ଦ୍ରୁତତମ ବିକାଶଶୀଳ ଅର୍ଥବ୍ୟବସ୍ଥା ହେବା ସମୟରେ, ଆମେ ଆମର ସୌର କ୍ଷମତାକୁ ୨ହଜାର ୩ଶହ ପ୍ରତିଶତ ବୃଦ୍ଧି କରିଛୁ ! ହଁ, ଆପଣମାନେ ଶୁଣିଛନ୍ତି – ୨ ହଜାର ୩ଶହ ପ୍ରତିଶତ !

ପ୍ୟାରିସ ପ୍ରତିବଦ୍ଧତାକୁ ପୂରଣ କରିବାରେ ଆମେ ପ୍ରଥମ ଜି୨୦ ଦେଶ ହୋଇପାରିଛୁ । ୨୦୩୦ ସୁଦ୍ଧା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ନଅ ବର୍ଷ ପୂର୍ବରୁ ଆମେ ଆମର ଶକ୍ତି ଆବଶ୍ୟକତାରେ ଅକ୍ଷୟ ଶକ୍ତିର ଭାଗକୁ ଚାଳିଶ ପ୍ରତିଶତରେ ପହଞ୍ଚାଇ ପାରିଛୁ । କିନ୍ତୁ ଆମେ ଏତିକିରେ ଅଟକି ନାହୁଁ । ଗ୍ଲାସଗୋ ଶିଖର ସମ୍ମିଳନୀ ଠାରେ, ମୁଁ ମିଶନ୍‌ ଲାଇଫ୍‌ – ଲାଇଫ ଷ୍ଟାଇଲ୍‌ ଫର୍‌ ଏନଭାଇରନ୍‌ମେଣ୍ଟ ପାଇଁ ପ୍ରସ୍ତାବ ଦେଇଥିଲି । ଏହା ଦୀର୍ଘସ୍ଥାୟିତ୍ୱ ପାଇଁ ଏକ ବାସ୍ତବ ଜନ ଆନ୍ଦୋଳନ ଆରମ୍ଭ କରିବାର ମାର୍ଗ। ଏହାକୁ କେବଳ ସରକାରଙ୍କ କାମ ଭାବେ ଛାଡ଼ି ଦିଆଯାଇନାହିଁ ।

ବିବେକପୂର୍ଣ୍ଣ ନିଷ୍ପତ୍ତି ନେବା ସହିତ, ପ୍ରତ୍ୟେକ ବ୍ୟକ୍ତି ସକାରାତ୍ମକ ପ୍ରଭାବ ପକାଇ ପାରିବେ । ଦୀର୍ଘସ୍ଥାୟିତ୍ୱକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଦ୍ୱାରା ବିଶ୍ୱକୁ ଦ୍ରୁତ ଗତିରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲରେ ସହାୟତା ମିଳିପାରିବ। ଆମର ସଂକଳ୍ପ ହେଉଛି ପୃଥିବୀ ଅନୁକୂଳ ବିକାଶ । ଆମର ସଂକଳ୍ପ ହେଉଛି ପୃଥିବୀ ଅନୁକୂଳ ସମୃଦ୍ଧି । ଆମର ସଂକଳ୍ପ ହେଉଛି ପୃଥିବୀ ଅନୁକୂଳ ମାନବ ସମାଜ ଗଠନ।

ବାଚସ୍ପତି ମହୋଦୟ,

ଆମେ ବସୁଧୈବ କୁଟୁମ୍ବକମ୍‌ ବା ସାରା ବିଶ୍ୱ ଏକ ପରିବାର ବିଚାରକୁ ନେଇ ବଞ୍ଚିଥାଉ। ବିଶ୍ୱ ସହିତ ଆମର ସମ୍ପର୍କ ସମସ୍ତଙ୍କ ଲାଭ ପାଇଁ ଉଦ୍ଦିଷ୍ଟ । ‘‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ’’, ବିଶ୍ୱକୁ ସ୍ୱଚ୍ଛ ଇନ୍ଧନ ସହ ଯୋଡ଼ିବା କାର୍ଯ୍ୟରେ ଆମ ସମସ୍ତଙ୍କୁ ସାମିଲ କରିବାକୁ ଚାହୁଁଛି । ‘‘ଏକ ଅର୍ଥ, ଏକ ବିଶ୍ୱ’’ ପଶୁମାନଙ୍କୁ ଏବଂ ଉଦ୍ଭିଦ ସହିତ ସମସ୍ତଙ୍କ ପାଇଁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ଯତ୍ନ ଆଣିବା ଲାଗି ବିଶ୍ୱ କାର୍ଯ୍ୟାନୁଷ୍ଠାନର ଏକ ଦୃଷ୍ଟିକୋଣ ଅଟେ ।

ଆମେ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବା ସମୟରେ ଏହି ଭାବନା ମଧ୍ୟ ପ୍ରତିଫଳିତ ହୋଇଥାଏ – ‘‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ।’’ ଆମେ ଯୋଗ ମାଧ୍ୟମରେ ମଧ୍ୟ ଏକତାର ଭାବନାକୁ ପ୍ରୋତ୍ସାହିତ କରିଥାଉ। ଗତକାଲି ସାରା ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ଲାଗି ଏକ ସଙ୍ଗେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିଲା। ଗତ ସପ୍ତାହରେ, ସବୁ ଦେଶ ଶାନ୍ତି ସୈନିକମାନଙ୍କ ସମ୍ମାନରେ ଏକ ସ୍ମାରକ ପ୍ରାଚୀର ତିଆରି କରିବା ଲାଗି ମିଳିତ ଜାତିସଂଘରେ ଆମର ପ୍ରସ୍ତାବକୁ ଏକାଠି ସମର୍ଥନ କରିଥିଲେ।

ଆଉ ଚଳିତ ବର୍ଷ, ସାରା ବିଶ୍ୱ ଦୀର୍ଘସ୍ଥାୟୀ କୃଷି ଓ ପୋଷଣକୁ ସମାନ ଭାବେ ପ୍ରୋତ୍ସାହନ ଦେବା ଲାଗି ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ କରୁଛି । କୋଭିଡ ସମୟରେ, ଆମେ ଦେଢ଼ଶହରୁ ଅଧିକ ଦେଶରେ ଟିକା ଓ ଔଷଧ ପହଞ୍ଚାଇ ଥିଲୁ। ଆମେ ନିଜ ପାଇଁ ଯେମିତି କରିଥାଉ, ଠିକ୍‌ ସେମିତି ବିପଦ ସମୟରେ ପ୍ରଥମ ସହାୟତାକାରୀ ଭାବେ ଅନ୍ୟମାନଙ୍କ ନିକଟରେ ମଧ୍ୟ ଆମେ ପହଞ୍ଚିଛୁ । ଆମେ ଆମର ସାଧାରଣ ସମ୍ବଳକୁ ସେହି ଲୋକମାନଙ୍କୁ ଦେଇଛୁ ଯେଉଁମାନଙ୍କର ଏହା ସବୁଠୁ ଅଧିକ ଦରକାର । ଆମେ ନିର୍ଭରଶୀଳତା ନୁହେଁ କ୍ଷମତା ନିର୍ମାଣ କରିଥାଉ।

ବାଚସ୍ପତି ମହୋଦୟ,

ଯେତେବେଳେ ମୁଁ ବିଶ୍ୱ ପ୍ରତି ଭାରତର ଦୃଷ୍ଟିକୋଣ ବିଷୟରେ ଆଲୋଚନା କରୁଛି, ସେଥିରେ ଯୁକ୍ତରାଷ୍ଟ୍ର ଆମେରିକା ଏକ ବିଶେଷ ସ୍ଥାନ ରଖିଥାଏ। ମୁଁ ଜାଣିଛି ଯେ ଆମ ସମ୍ପର୍କ ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କଂଗ୍ରେସର ପ୍ରତ୍ୟେକ ସଦସ୍ୟ ଏଥିରେ ଗଭୀର ରୁଚି ରଖିଥାନ୍ତି । ଭାରତରେ ପ୍ରତିରକ୍ଷା ଏବଂ ଏରୋସ୍ପେସ୍‌ କ୍ଷେତ୍ର ବଢ଼ିଲେ, ୱାଶିଂଟନ୍‌, ଏରିଜେନା, ଜର୍ଜିୟା, ଆଲବାମା, ଦକ୍ଷିଣ କ୍ୟାରୋଲିନା ଏବଂ ପେନସିଲଭାନିଆ ରାଜ୍ୟରେ ଉଦ୍ୟୋଗ ବଢ଼ିଥାଏ। ଆମେରିକୀୟ କମ୍ପାନୀମାନେ ବଢ଼ିଲେ, ଭାରତରେ ସେମାନଙ୍କର ଗବେଷଣା ଓ ବିକାଶ କେନ୍ଦ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିଥାଏ। ଭାରତୀୟମାନେ ଅଧିକ ବିମାନ ଯାତ୍ରା କଲେ, ବିମାନଗୁଡ଼ିକର ଗୋଟିଏ ଅର୍ଡରରେ ଆମେରିକାର ୪୪ଟି ରାଜ୍ୟରେ ଦଶ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥାଏ।

ଯେତେବେଳେ ଆମେରିକୀୟ ଫୋନ୍‌ ନିର୍ମାତା ଭାରତରେ ନିବେଶ କରିଥାନ୍ତି, ଏହା ଦୁଇ ଦେଶରେ ନିଯୁକ୍ତି ଓ ସୁଯୋଗର ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍‌ ବିକଶିତ କରିଥାଏ। ଭାରତ ଏବଂ ଆମେରିକା ସେମିକଣ୍ଡକ୍ଟର ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ଉପରେ ମିଳିମିଶି କାମ କଲେ, ଏହା ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ଅଧିକ ବିବିଧ, ନମନୀୟ ଏବଂ ବିଶ୍ୱସନୀୟ କରିବାରେ ସହାୟତା କରିଥାଏ। ବାସ୍ତବରେ, ବାଚସ୍ପତି ମହୋଦୟ, ଶତାବ୍ଦୀର ପ୍ରାରମ୍ଭରେ ଆମର ପ୍ରତିରକ୍ଷା ସହଯୋଗ ନଗଣ୍ୟ ଥିଲା। ଏବେ ଯୁକ୍ତରାଷ୍ଟ୍ର ଆମେରିକା ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଭାଗିଦାର ମଧ୍ୟରୁ ଅନ୍ୟତମ। ଆଜି ଭାରତ ଏବଂ ଆମେରିକା ମହାକାଶ ଓ ସାଗରରେ, ବିଜ୍ଞାନ ଓ ସେମିକଣ୍ଡକ୍ଟରରେ, ଷ୍ଟାର୍ଟଅପ୍‌ ଓ ସ୍ଥିରତାରେ, ପ୍ରଯୁକ୍ତି ଓ ବ୍ୟବସାୟରେ, କୃଷି ଓ ଅର୍ଥରେ, କଳା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ, ଇନ୍ଧନ ଓ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ମାନବୀୟ ପ୍ରୟାସରେ ଏକ ସଙ୍ଗେ କାମ କରୁଛନ୍ତି ।

ଆମେ ଲଗାତାର ଆଗକୁ ବଢ଼ିବା ଜାରି ରଖିପାରିବୁ । କିନ୍ତୁ ଏହାକୁ ସଂକ୍ଷେପରେ କହିବା ଲାଗି, ମୁଁ କହିବି, ଆମର ସହଯୋଗର ପରିଧି ଅସୀମ, ଆମ ତାଳମେଳର କ୍ଷମତା ଅସୀମିତ, ଆମ ସମ୍ପର୍କର ନିବିଡ଼ତା ମଧ୍ୟ ଅତି ସହଜ।

ଏସବୁଥିରେ ଭାରତୀୟ-ଆମେରିକୀୟମାନେ ବଡ଼ ଭୂମିକା ନିର୍ବାହ କରିଛନ୍ତି। ସେମାନେ କେବଳ ‘ସ୍ପେଲିଂ ବୀ’ରେ ନୁହେଁ ସବୁ କ୍ଷେତ୍ରରେ ପ୍ରତିଭାଶାଳୀ। ନିଜ ହୃଦୟ ଓ ମସ୍ତିଷ୍କ, ପ୍ରତିଭା ଓ କୌଶଳ ତଥା ଆମେରିକା ଓ ଭାରତ ପ୍ରତି ନିଜର ଭଲ ପାଇବା ଜରିଆରେ ସେମାନେ ଆମକୁ ଯୋଡ଼ିଛନ୍ତି, ସେମାନେ ଦ୍ୱାର ଖୋଲି ଦେଇଛନ୍ତି, ସେମାନେ ଆମ ଭାଗିଦାରୀର କ୍ଷମତା ପ୍ରଦର୍ଶନ କରିଛନ୍ତି ।

ବାଚସ୍ପତି ମହୋଦୟ, ସମ୍ମାନନୀୟ ସଦସ୍ୟଗଣ,

ଅତୀତରେ ପ୍ରତ୍ୟେକ ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ଆମେରିକାର ରାଷ୍ଟ୍ରପତି ଆମ ସମ୍ପର୍କକୁ ଆଗକୁ ନେଇଛନ୍ତି । କିନ୍ତୁ ଏହାକୁ ନୂଆ ଉଚ୍ଚତାକୁ ନେଇଯିବାର ଗୌରବ ଆମ ପିଢ଼ିକୁ ପ୍ରାପ୍ତ ହୋଇଛି । ଏହା ଚଳିତ ଶତାବ୍ଦୀର ଏକ ନିର୍ଣ୍ଣାୟକ ଭାଗିଦାରୀ ବୋଲି ରାଷ୍ଟ୍ରପତି ବାଇଡେନଙ୍କ କଥାରେ ମୁଁ ସହମତ । କାରଣ ଏହା ଏକ ବଡ଼ ଉଦ୍ଦେଶ୍ୟକୁ ପୂରଣ କରିଥାଏ । ଗଣତନ୍ତ୍ର, ଜନସଂଖ୍ୟା ଏବଂ ଭାଗ୍ୟ ଆମକୁ ସେହି ଉଦ୍ଦେଶ୍ୟ ପ୍ରଦାନ କରିଥାଏ । ଜଗତୀକରଣର ଏକ ପରିଣାମ ସ୍ୱରୂପ ଯୋଗାଣ ଶୃଙ୍ଖଳାର ଅତ୍ୟଧିକ-ଏକତ୍ରୀକରଣ ହୋଇଛି ।

ଯୋଗାଣ ଶୃଙ୍ଖଳାକୁ ବିବିଧ କରିବା, ବିକେନ୍ଦ୍ରିକୃତ କରିବା ଏବଂ ଗଣତାନ୍ତ୍ରିକରଣ କରିବା ଲାଗି ଆମେ ମିଳିମିଶି କାମ କରିବୁ । ପ୍ରଯୁକ୍ତି ଏକବିଂଶ ଶତାବ୍ଦୀରେ ସୁରକ୍ଷା, ସମୃଦ୍ଧି ଓ ନେତୃତ୍ୱକୁ ନିର୍ଦ୍ଧାରଣ କରିବ। ସେଥିପାଇଁ ଆମେ ଦୁଇ ଦେଶ ଏକ ନୂଆ ‘‘ଗୁରୁତ୍ୱପୂର୍ଣ୍ଣ ଓ ଆଧୁନିକ ପ୍ରଯୁକ୍ତି ପାଇଁ ପ୍ରୟାସ’’ ପ୍ରତିଷ୍ଠା କରିଛୁ । ଆମର ଜ୍ଞାନ ଭାଗିଦାରୀ ମାନବ ଜଗତର ସେବା କରିବ ଏବଂ ଜଳବାୟୁ ପରିବର୍ତ୍ତନ, କ୍ଷୁଧା ଓ ସ୍ୱାସ୍ଥ୍ୟର ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ଲାଗି ସମାଧାନ ଖୋଜିବ ।

ବାଚସ୍ପତି ମହୋଦୟ, ସମ୍ମାନନୀୟ ସଦସ୍ୟଗଣ,

ବିଗତ କିଛି ବର୍ଷ ଗମ୍ଭୀର ବିଘଟନକାରୀ ବିକାଶର ସାକ୍ଷୀ ରହିଆସିଛି । ୟୁକ୍ରେନ୍‌ ଯୁଦ୍ଧ ସହିତ, ୟୁରୋପକୁ ଯୁଦ୍ଧ ଫେରିଛି । ଯଦ୍ଦ୍ୱାରା ଏହି କ୍ଷେତ୍ରରେ ଗମ୍ଭୀର ପୀଡ଼ା ଦେଖିବାକୁ ମିଳିଛି । ଏଥିରେ ମହାଶକ୍ତିମାନେ ସାମିଲ ହୋଇଥିବାରୁ, ପରିଣାମ ଭୟାବହ ହେବ । ଗ୍ଲୋବାଲ୍‌ ସାଉଥ୍‌ ଦେଶ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି । ମିଳିତ ଜାତିସଂଘ ଚାର୍ଟର ସିଦ୍ଧାନ୍ତକୁ ସମ୍ମାନ, ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଉପରେ ବିଶ୍ୱ ବ୍ୟବସ୍ଥା ଆଧାରିତ ।

ପୂର୍ବରୁ ଯାହା ମୁଁ ପ୍ରତ୍ୟକ୍ଷ ଭାବେ ଏବଂ ସାର୍ବଜନୀନ ଭାବେ କହିସାରିଛି, ଏହା ଯୁଦ୍ଧର ସମୟ ନହେଁ ବରଂ ଆଲୋଚନା ଓ କୂଟନୀତି ମଧ୍ୟରୁ ଗୋଟିଏର ଯୁଗ । ଆଉ, ଆମ ସମସ୍ତଙ୍କୁ ରକ୍ତପାତ ଏବଂ ମାନବୀୟ ପୀଡ଼ା ରୋକିବା ପାଇଁ ସେସବୁ କରିବାକୁ ହେବ, ଯାହା ଆମେ କରିପାରିବା । ବାଚସ୍ପତି ମହୋଦୟ, ଚାପ ଓ ସଂଘର୍ଷର କଳା ବାଦଲ ଭାରତ ପ୍ରଶାନ୍ତ ମହାସାଗରୀର କ୍ଷେତ୍ରରେ ନିଜର କାୟା ବିସ୍ତାର କରୁଛି । କ୍ଷେତ୍ରୀୟ ସ୍ଥିରତା ଆମ ଭାଗିଦାରୀର ପ୍ରମୁଖ ଚିନ୍ତା ମଧ୍ୟରୁ ଅନ୍ୟତମ।

ଆମର ଏକ ସ୍ୱାଧୀନ, ମୁକ୍ତ ଏବଂ ସମାବେଶୀ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସହଭାଗୀ ଦୃଷ୍ଟିକୋଣ ରହିଛି, ଯାହା ସୁରକ୍ଷିତ ସମୁଦ୍ର ସହ ଯୋଡ଼ି ହୋଇ ରହିଥିବ, ଅନ୍ତର୍ଜାତୀୟ ଆଇନ ଦ୍ୱାରା ପରିଭାଷିତ ହୋଇଥିବ, ଆଧିପତ୍ୟରୁ ମୁକ୍ତ ଥିବ ଏବଂ ଆସିୟାନ୍‌ର କେନ୍ଦ୍ରୀୟତାରେ ରହିଥିବ । ଏପରି ଏକ କ୍ଷେତ୍ର ଯେଉଁଠି ସବୁ ଦେଶ, ଛୋଟ ହୁଅନ୍ତୁ ଅବା ବଡ଼, ନିଜ ପସନ୍ଦରେ ସ୍ୱାଧୀନ ଓ ଭୟମୁକ୍ତ ରହିବେ, ଯେଉଁଠି ପ୍ରଗତି ଋଣର ଅସମ୍ଭବ ବୋଝରେ ଚାପି ହେଉନଥିବ, ଯେଉଁଠି ରଣନୀତିକ ଉଦ୍ଦେଶ୍ୟ ପାଇଁ ଯୋଗାଯୋଗର ଲାଭ ନିଆଯାଉଥିବ, ଯେଉଁଠି ସବୁ ଦେଶ ସହଭାଗୀ ସମୃଦ୍ଧିର ଉଚ୍ଚଭାବନା ନେଇ ଉନ୍ନତି କରୁଥିବେ ।

ଆମର ଦୃଷ୍ଟିକୋଣ, ଅଟକାଇବା କିମ୍ବା ବହିଷ୍କାର କରିବା ଲାଗି ନୁହେଁ, ବରଂ ଶାନ୍ତି ଓ ସମୃଦ୍ଧିର ଏକ ସହଯୋଗୀ କ୍ଷେତ୍ର ନିର୍ମାଣ କରିବା ଉପରେ ଆଧାରିତ । ଆମେ କ୍ଷେତ୍ରୀୟ ପ୍ରତିଷ୍ଠାନ ସହିତ ଏବଂ କ୍ଷେତ୍ର ଭିତରେ ବାହାରେ ନିଜ ଭାଗିଦାରଙ୍କ ସହିତ କାମ କରିଥାଉ। ଏଥିମଧ୍ୟରେ କ୍ଷେତ୍ରୀୟ କଲ୍ୟାଣ ପାଇଁ କ୍ୱାଡ ଏକ ବଡ଼ ଶକ୍ତି ଭାବେ ମୁଣ୍ଡ ଟେକିଛି ।

ବାଚସ୍ପତି ମହୋଦୟ,

୯/୧୧ର ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଏବଂ ମୁମ୍ବାଇରେ ୨୬/୧୧ର ଗୋଟିଏ ଦଶନ୍ଧିରୁ ଅଧିକ ସମୟ ପରେ ମଧ୍ୟ ଆତଙ୍କବାଦ ଓ ଉଗ୍ରବାଦ ସାରା ବିଶ୍ୱ ପାଇଁ ଏକ ଗମ୍ଭୀର ବିପଦ ଭାବେ ଜାରି ରହିଛି। ଏହି ବିଚାରଧାରା ନୂଆ ନୂଆ ରୂପ ଏବଂ ପରିଚୟ ଗ୍ରହଣ କରିଛି, କିନ୍ତୁ ଏହାର ଉଦ୍ଦେଶ୍ୟ ସମାନ ରହିଛି। ଆତଙ୍କବାଦ ମାନବତା ଶତ୍ରୁ ଏବଂ ଏହାର ମୁକାବିଲା କ୍ଷେତ୍ରରେ କୌଣସି କିନ୍ତୁ-ଯଦି ରହିପାରିବ ନାହିଁ । ଆମକୁ ଆତଙ୍କବାଦକୁ ପ୍ରାୟୋଜିତ କରୁଥିବା ଓ ପ୍ରସାରିତ କରୁଥିବା ଶକ୍ତି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ହେବ।

ବାଚସ୍ପତି ମହୋଦୟ,

କୋଭିଡ-୧୯ର ସବୁଠୁ ବଡ଼ ପ୍ରଭାବ ହେଉଛି ଏହି କାରଣରୁ ହୋଇଥିବା ମାନବୀୟ କ୍ଷତି ଏବଂ ଯନ୍ତ୍ରଣା। ମୁଁ କଂଗ୍ରେସ ସଦସ୍ୟ ରନ୍‌ ରାଇଟ୍‌ ଏବଂ ସେହି ସଦସ୍ୟମାନଙ୍କୁ ସ୍ମରଣ କରିବାକୁ ଚାହୁଁଛି ଯେଉଁମାନେ କୋଭିଡ୍‌ରେ ନିଜର ପ୍ରାଣ ହରାଇଥିଲେ। ଆମେ ମହାମାରୀରୁ ବାହାରକୁ ଆସିବା ସମୟରେ, ଆମକୁ ଏକ ନୂଆ ବ୍ୟବସ୍ଥାକୁ ଆକାର ଦେବାକୁ ହେବ । ବିଚାର-ବିମର୍ଶ, ଆପୋସ ସଦ୍‌ଭାବ ଓ ଚିନ୍ତା ବର୍ତ୍ତମାନ ସମୟର ଆବଶ୍ୟକତା। ଗ୍ଲୋବାଲ୍‌ ସାଉଥ୍‌ (ଅବିକଶିତ ତୃତୀୟ ବିଶ୍ୱ ଦେଶ ସମୂହ) ସହ ଯୋଡ଼ି ହେବା ହିଁ ଆଗକୁ ବଢ଼ିବାର ମାର୍ଗ । ସେଥିପାଇଁ ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆଫ୍ରିକୀୟ ସଂଘକୁ ଜି-୨୦ର ପୂର୍ଣ୍ଣ ସଦସ୍ୟତା ଦିଆଯିବା ଉଚିତ୍‌।

ଆମେ ବହୁପକ୍ଷବାଦକୁ ପୁନର୍ଜୀବିତ କରିବା ଆବଶ୍ୟକ ଏବଂ ଉନ୍ନତ ସମ୍ବଳ ଓ ପ୍ରତିନିଧିତ୍ୱ ସହିତ ବହୁପକ୍ଷୀୟ ପ୍ରତିଷ୍ଠାନରେ ସଂସ୍କାର ଆଣିବା ଉଚିତ୍‌ । ଏହା ଆମର ସବୁ ବୈଷୟିକ ପ୍ରଶାସନିକ ସଂସ୍ଥା, ବିଶେଷ କରି ମିଳିତ ଜାତିସଂଘ ଉପରେ ଲାଗୁ ହୋଇଥାଏ। ଯେତେବେଳେ ଦୁନିଆ ବଦଳିଛି, ଆମ ସଂସ୍ଥାଗୁଡ଼ିକ ମଧ୍ୟ ବଦଳିବା ଉଚିତ୍‌ । ନଚେତ୍‌ ନିୟମ ବିନା ପ୍ରତିଦ୍ୱନ୍ଦ୍ୱିତା ହେଲେ ବିଶ୍ୱ ପ୍ରତି ବିପଦ ଦେଖା ଦେବ। ଅନ୍ତର୍ଜାତୀୟ ଆଇନ ଉପରେ ଆଧାରିତ ଏକ ନୂଆ ବିଶ୍ୱ ବ୍ୟବସ୍ଥା ପାଇଁ କାମ କରିବାରେ, ଆମ ଦୁଇ ଦେଶ ଭାଗିଦାର ରୂପରେ ସବୁଠୁ ଆଗରେ ରହିବେ ।
ବାଚସ୍ପତି ମହୋଦୟ ଏବଂ ଏବଂ ବିଶିଷ୍ଟ ଅତିଥିଗଣ,

ଆଜି ଆମ ସମ୍ପର୍କରେ ଏକ ନୂଆ ସକାଳ ଆସିଛି ଯାହାକି ଆମ ଦୁଇ ଦେଶର ଭାଗ୍ୟକୁ ସାକାର ରୂପ ଦେବ ନାହିଁ, ବରଂ ଦୁନିଆର ଭାଗ୍ୟ ମଧ୍ୟ ବଦଳାଇ ଦେବ । ଯୁବ ଆମେରିକୀୟ କବି ଅମାଣ୍ଡା ଗୋର୍ମାନ୍‌ ଯଥାର୍ଥ ଭାବେ ଲେଖିଛନ୍ତି :

‘‘ଯେବେ ଦିନ ଆସେ ଆମେ ଅନ୍ଧକାରରୁ ବାହାରିଥାଉ,

ପ୍ରଜ୍ଜ୍ୱଳିତ ଏବଂ ସାହସୀ ହୋଇ,

ଆମେ ଏଥିରୁ ମୁକ୍ତ ହେବା ମାତ୍ରେ ଏକ ନୂଆ ସକାଳ ଆସେ

ଯେହେତୁ ସେଠାରେ ସବୁବେଳେ ଆଲୋକ ରହିଛି,

ଏହାକୁ ଅନୁଭବ କରିବା ଲାଗି ଆମର ଯଥେଷ୍ଟ ସାହସ ଥାଆନ୍ତା କି।’’

ଆମର ବିଶ୍ୱସନୀୟ ଭାଗିଦାରୀ ଏହି ନୂଆ ସକାଳରେ ସୂର୍ଯ୍ୟ ଭଳି ଅଟେ ଯାହା ଚତୁର୍ଦ୍ଦିଗରେ ଆଲୋକ ଖେଳାଇ ଦେବ ।

ମୁଁ ଲେଖିଥିବା ଏକ କବିତା ଏବେ ମୋର ମନେ ପଡ଼ୁଛି :

ଆକାଶରେ ମୁଣ୍ଡ ଉଠାଇ

ଘନ ବାଦଲକୁ ଚିରି

ଆଲୋକର ସଂକଳ୍ପ ନେବା

ଏବେ ତ’ ସୂର୍ଯ୍ୟ ଉଇଁଛି ।

ଦୃଢ଼ ସଂକଳ୍ପ ସହିତ

ସବୁ ସଂକଟକୁ ପାର୍‌ କରି

ଘନ ଅନ୍ଧକାରକୁ ଦୂରେବା

ଏବେ ତ’ ସୂର୍ଯ୍ୟ ଉଇଁଛି ।।

ବାଚସ୍ପତି ମହୋଦୟ ଏବଂ ସମ୍ମାନନୀୟ ଅତିଥିଗଣ,

ଆମେ ସମସ୍ତେ ଭିନ୍ନ ଭିନ୍ନ ପରିସ୍ଥିତି ଏବଂ ଇତିହାସରୁ ଆସିଛୁ, କିନ୍ତୁ ଆମେ ଗୋଟିଏ ସଂକଳ୍ପ ଏବଂ ସମାନ ଭାଗ୍ୟ ନେଇ ଏକାଠି ଆଗକୁ ବଢ଼ୁଛୁ । ଆମର ଭାଗିଦାରୀ ଆଗକୁ ବଢ଼ିଲେ, ଆର୍ଥିକ ସହନଶୀଳତା ବଢ଼ିଥାଏ, ନବସୃଜନ ବଢ଼ିଥାଏ, ବିଜ୍ଞାନର ପ୍ରସାର ହୋଇଥାଏ, ଜ୍ଞାନ ଆଗକୁ ବଢ଼ିଥାଏ, ମାନବ ଜାତିକୁ ଲାଭ ମିଳିଥାଏ, ଆମ ସମୁଦ୍ର ଏବଂ ଆକାଶ ସୁରକ୍ଷିତ ରହିଥାଏ, ଏହାଦ୍ୱାରା ଗଣତନ୍ତ୍ର ଉଜ୍ଜ୍ୱଳ ହେବ ଏବଂ ବିଶ୍ୱ ରହିବା ପାଇଁ ଏକ ଉନ୍ନତ ସ୍ଥାନ ହୋଇପାରିବ ।

ଏହା ହିଁ ଆମ ଭାଗିଦାରୀର ଲକ୍ଷ୍ୟ। ଚଳିତ ଶତାବ୍ଦୀ ପାଇଁ ଏହା ହିଁ ଆମ ଆହ୍ୱାନ । ବାଚସ୍ପତି ମହୋଦୟ ଏବଂ ସମ୍ମାନନୀୟ ସଦସ୍ୟଗଣ, ଆମ ଭାଗିଦାରୀର ଉଚ୍ଚ ମାନକ ଦୃଷ୍ଟିରୁ ମଧ୍ୟ, ଏହି ଗସ୍ତ ଏକ ମହାନ ସକାରାତ୍ମକ ପରିବର୍ତ୍ତନ ମଧ୍ୟରୁ ଅନ୍ୟତମ । ସାଥୀ ହୋଇ ଆମେ ଏହା ପ୍ରଦର୍ଶିତ କରିବା ଯେ ଗଣତନ୍ତ୍ରର ମୂଲ୍ୟ ରହିଛି ଏବଂ ଗଣତନ୍ତ୍ର ହିଁ ପରିଣାମ ଦେଇଥାଏ। ମୁଁ ଭାରତ-ଆମେରିକା ଭାଗିଦାରୀ ପାଇଁ ଆପଣଙ୍କ ନିରନ୍ତର ସମର୍ଥନ ଉପରେ ଭରସା କରୁଛି ।

ଯେତେବେଳେ ମୁଁ ୨୦୧୬ରେ ଏଠାକୁ ଆସିଥିଲି, ମୁଁ କହିଥିଲି ଯେ, ‘‘ଆମ ସମ୍ପର୍କ ଏକ ମହତ୍ୱପୂର୍ଣ୍ଣ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିଛି ।’’ ଆଜି ହିଁ ସେହି ଭବିଷ୍ୟତ ଆସିଛି । ଏହି ସମ୍ମାନ ପାଇଁ ମୁଁ ପୁଣିଥରେ ବାଚସ୍ପତି ମହୋଦୟ, ଉପରାଷ୍ଟ୍ରପତି ମହୋଦୟା ଏବଂ ସମ୍ମାନନୀୟ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

ଈଶ୍ୱର ଆମେରିକାର ମଙ୍ଗଳ କରନ୍ତୁ ।

ଜୟ ହିନ୍ଦ।

ଭାରତ-ଆମେରିକା ବନ୍ଧୁତା ଜିନ୍ଦାବାଦ୍‌।

Categories
ବିଶେଷ ଖବର

ଜି ୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ପୁଣେରେ ଅନୁଷ୍ଠିତ ଜି -୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା କେବଳ ଆମର ମୂଳଦୁଆ ନୁହେଁ, ଏହା ଭବିଷ୍ୟତର ମାନବିକତା ପାଇଁ ମଧ୍ୟ ଆୟୁଦ୍ଧ ଅଟେ। ପ୍ରଧାନମନ୍ତ୍ରୀ ଶିକ୍ଷା ମନ୍ତ୍ରୀମାନଙ୍କୁ ଶେରପା ବୋଲି କହିଥିଲେ ଏବଂ ସମସ୍ତଙ୍କ ବିକାଶ, ଶାନ୍ତି ଏବଂ ସମୃଦ୍ଧି ପାଇଁ ସେମାନେ ମାନବଜାତିର ନେତୃତ୍ୱ ନେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଆଲୋକପାତ କରି କହିଛନ୍ତି ଯେ ଭାରତୀୟ ଶାସ୍ତ୍ରଗୁଡ଼ିକ ଉଲ୍ଲେଖ କରିଛନ୍ତି ଯେ ଖୁସି ପାଇବାର ଏକ ମାତ୍ର ଚାବିକାଠି ହେଉଛି ଶିକ୍ଷା। ଏକ ସଂସ୍କୃତ ଶ୍ଲୋକ ପଢିବାର ଅର୍ଥ ହେଉଛି ‘ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ, ନମ୍ରତା ଠାରୁ ମୂଲ୍ୟବୋଧ, ମୂଲ୍ୟବୋଧରୁ ଧନ ପ୍ରାପ୍ତ ହୁଏ, ଧନ ଜଣେ ବ୍ୟକ୍ତିକୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ ଏବଂ ଏହା ହିଁ ଆନନ୍ଦ ଆଣିଥାଏ’ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏ କ୍ଷେତ୍ରରେ ସାମଗ୍ରିକ ଏବଂ ବିସ୍ତୃତ ଯାତ୍ରା ଆରମ୍ଭ କରିଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ମୂଳଦୂଆର ସାକ୍ଷରତା ଯୁବପିଢୀ ପାଇଁ ଏକ ଦୃଢ ଆଧାର ଅଟେ ଏବଂ ଭାରତ ଏହାକୁ ଜ୍ଞାନକୌଶଳ ସହିତ ସମ୍ମିଶ୍ରଣ କରୁଛି। ସେ “ନେସନାଲ ଇନିସିଏଟିଭ ଫର ପ୍ରଫିସିଏନ୍ସି ଇନ୍‍ ରିଡିଂ ୱିଥ୍‍ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରେସି” କିମ୍ବା ସରକାରଙ୍କ “ନିପୁଣ ଭାରତ” ପଦକ୍ଷେପ ଆଲୋକପାତ କରି ଖୁସି ବ୍ୟକ୍ତ କରିଛନ୍ତି ଯେ “ମୌଳିକ ଶିକ୍ଷା ଏବଂ ସଂଖ୍ୟା” ମଧ୍ୟ ଜି୨୦ ଦ୍ୱାରା ପ୍ରାଥମିକତା ଭାବରେ ଚିହ୍ନଟ ହୋଇଛି। ୨୦୩୦ ସୁଦ୍ଧା ଏକ ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଉପରେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

ନୂତନ ଇ-ଶିକ୍ଷାକୁ ଅଭିନବ ଭାବରେ ଗ୍ରହଣ ଏବଂ ବ୍ୟବହାର କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ ଉନ୍ନତ ଶାସନ ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ସେ ଏ ଦିଗରେ ସରକାର ନେଇଥିବା ଅନେକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଏବଂ ‘ଯୁବ ଆଙ୍କାକ୍ଷୀ ମାନସିକତା ପାଇଁ ଷ୍ଟଡି ୱେବ୍ସ ଅଫ୍‍ ଆକ୍ଟିଭ୍‌-ଲର୍ନିଙ୍ଗ୍‌’ କିମ୍ବା ‘ସ୍ୱୟମ’ ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ବିଷୟରେ ଉଲ୍ଲେଖ କରିଥିଲେ ଯାହା ୯ମ ଶ୍ରେଣୀରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମ ଆୟୋଜନ ଏବଂ ସକ୍ଷମ କରିଥାଏ ଏବଂ ରିମୋଟ୍‍ ଜରିଆରେ ପାଠପଢା ସହିତ ଗ୍ରହଣୀୟତା, ସମାନତା ଏବଂ ଗୁଣବତ୍ତା ଉପରେ ଧ୍ୟାନ ଦେଇଥାଏ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୩୪ ମିଲିୟନରୁ ଅଧିକ ନାମଲେଖା ଏବଂ ୯୦୦୦ ରୁ ଅଧିକ ପାଠ୍ୟକ୍ରମ ସହିତ ଏହା ଏକ ପ୍ରଭାବଶାଳୀ ଶିକ୍ଷଣ ଉପକରଣ ହୋଇପାରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜ୍ଞାନ ବାଣ୍ଟିବା ପାଇଁ ଡିଜିଟାଲ୍ ଭିତ୍ତିଭୂମି କିମ୍ବା “ଦୀକ୍ଷା ପୋର୍ଟାଲ୍‌” ଯାହା ଦୂରନିରନ୍ତର ଶିକ୍ଷା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଏହା ୨୯ ଟି ଭାରତୀୟ ଏବଂ ୭ ଟି ବିଦେଶୀ ଭାଷାରେ ଶିକ୍ଷାକୁ ସମର୍ଥନ କରେ ଏବଂ ଏପର୍ଯ୍ୟନ୍ତ ୧୩୭ ମିଲିୟନରୁ ଅଧିକ ପାଠ୍ୟକ୍ରମ ସମାପ୍ତ ହୋଇଛି। ଶ୍ରୀ ମୋଦୀ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଗ୍ଲୋବାଲ ସାଉଥରେ ଥିବା ଲୋକଙ୍କ ସହ ଏହି ଅଭିଜ୍ଞତା ଏବଂ ସମ୍ବଳ ସେୟାର କରି କରି ଭାରତ ଖୁସି ହେବ।

କ୍ରମାଗତ ଭାବରେ ଦକ୍ଷ, ପୁନଃ ଦକ୍ଷ ଏବଂ ଅଧିକ ଦକ୍ଷ କରି ଆମର ଯୁବକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟ ବିବରଣୀ ଏବଂ ଅଭ୍ୟାସଗୁଡ଼ିକର ବିକାଶ ସହିତ ସେମାନଙ୍କର ଦକ୍ଷତାକୁ ସମାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଆମେ ଏହି ଦକ୍ଷତା ମ୍ୟାପିଂ କରୁଛୁ ଯେଉଁଠାରେ ଶିକ୍ଷା, ଦକ୍ଷତା ଏବଂ ଶ୍ରମ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇ କାର୍ଯ୍ୟ କରୁଛନ୍ତି। ଶ୍ରୀ ମୋଦୀ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଜି -୨୦ ଦେଶ ବିଶ୍ୱ ସ୍ତରରେ ଦକ୍ଷତା ଆକଳନ କରିପାରିବେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ କରୁଥିବା ପାର୍ଥକ୍ୟଗୁଡିକ ଖୋଜି ପାରିବେ।

ଡିଜିଟାଲ ଜ୍ଞାନକୌଶଳ ଏକ ସମାନତାକାରୀ ଭାବରେ କାର୍ଯ୍ୟ କରିଥାଏ ଏବଂ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରେ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଶିକ୍ଷାକୁ ବୃଦ୍ଧି ତଥା ଭବିଷ୍ୟତର ଆବଶ୍ୟକତା ସହ ଖାପ ଖୁଆଇବା ପାଇଁ ଏହା ଏକ ଶକ୍ତି। ସେ କୃତ୍ରିମ ବୁଦ୍ଧିମତାର ସମ୍ଭାବନା ଉପରେ ମଧ୍ୟ ମତ ରଖିଥିଲେ ଯାହା ଶିକ୍ଷା, ଦକ୍ଷତା ଏବଂ ଶିକ୍ଷା କ୍ଷେତ୍ରରେ ବହୁତ ସମ୍ଭାବନା ପ୍ରଦାନ କରିଥାଏ। ଜ୍ଞାନକୌଶଳ ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗ ଏବଂ ଆହ୍ୱାନ ମଧ୍ୟରେ ସଠିକ୍ ସନ୍ତୁଳନ ସୃଷ୍ଟି କରିବାରେ ସେ ଜି -୨୦ ର ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଅନୁସନ୍ଧାନ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦିଆଯାଇଥିବା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଛନ୍ତି ଯେ ଭାରତ ସାରା ଦେଶରେ ଦଶ ହଜାର “ଅଟଳ ଟିଙ୍କରିଂ ଲ୍ୟାବ” ପ୍ରତିଷ୍ଠା କରିଛି ଯାହା ଆମ ସ୍କୁଲ ପିଲାମାନଙ୍କ ପାଇଁ ଅନୁସନ୍ଧାନ ଏବଂ ନବସୃଜନ ନର୍ସରୀ ଭାବରେ କାର୍ଯ୍ୟ କରୁଛି। ସେ ସୂଚନା ଦେଇଛନ୍ତି ଯେ ୭.୫ ମିଲିୟନରୁ ଅଧିକ ଛାତ୍ରଛାତ୍ରୀ ଏହି ଲ୍ୟାବରେ ୧.୨ ମିଲିୟନରୁ ଅଧିକ ଅଭିନବ ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ଜି୨୦ ଦେଶଗୁଡିକ ନିଜସ୍ୱ ଶକ୍ତି ସହିତ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବାରେ ବିଶେଷ ଭୂମିକା ଗ୍ରହଣ କରିପାରନ୍ତି, ବିଶେଷ କରି ଗ୍ଲୋବାଲ ସାଉଥରେ। ଅନୁସନ୍ଧାନ ସହଯୋଗ ବୃଦ୍ଧି ପାଇଁ ଏକ ପଥ ସୃଷ୍ଟି କରିବାକୁ ସେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅନୁରୋଧ କରିଥିଲେ।

ଆମର ଶିଶୁ ଏବଂ ଯୁବକଙ୍କ ଭବିଷ୍ୟତ ଦିଗରେ ଜି -୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକର ମହତ୍ୱକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ତ୍ୱରାନ୍ୱିତତକାରୀ ଗୋଷ୍ଠୀ ସବୁଜ ପରିବର୍ତ୍ତନ, ଡିଜିଟାଲ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣକୁ ତ୍ୱରାନ୍ୱିତକାରୀ ଭାବରେ ଚିହ୍ନଟ କରିଛନ୍ତି। ଏହି ସବୁ ପ୍ରୟାସର ମୂଳରେ ଶିକ୍ଷା ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୈଠକର ଫଳାଫଳ ଏକ ଅନ୍ତର୍ଭୂକ୍ତ, କାର୍ଯ୍ୟ-ଆଧାରିତ ଏବଂ ଭବିଷ୍ୟତ-ପ୍ରସ୍ତୁତ ଶିକ୍ଷା ଏଜେଣ୍ଡା ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ବସୁଧୈବ କୁଟୁମ୍ବକମ୍ – ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ର ପ୍ରକୃତ ଆବେଗରେ ସମଗ୍ର ବିଶ୍ୱର ଲାଭ କରିବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମାଇକ୍ରନ୍ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ୨୦୨୩ ଜୁନ୍ ୨୧ରେ ମାଇକ୍ରନ୍ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ଭେଟିଛନ୍ତି।

ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ନିମନ୍ତେ ମାଇକ୍ରୋନ୍ ଟେକ୍ନୋଲୋଜିକୁ ଆମନ୍ତ୍ରଣ କରିଛନ୍ତି। ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାର ବିଭିନ୍ନ ଭାଗରେ ଭାରତ ପ୍ରତିଯୋଗିତାମୂଳକ ସୁବିଧା ପ୍ରଦାନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନବମ ବାର୍ଷିକ ଅନ୍ତର୍ଜାତୀୟ ଯୋଗ ଦିବସ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ, ୨୦୨୩ରେ ଆମେରିକାର ନ୍ୟୁୟର୍କ ସହରସ୍ଥିତ ମିଳିତ ଜାତିସଂଘ ମୁଖ୍ୟାଳୟରେ ଥିବା ନର୍ଥ ଲନ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ନେତୃତ୍ୱ ନେଇଥିଲେ।

ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍‌ ପାଇଁ ଯୋଗ’ ରଖାଯାଇଛି। ‘‘ବସୁଧୈବ କୁଟୁମ୍ବକମ୍‌’’ ବା ‘‘ଏକ ପୃଥିବୀ-ଏକ ପରିବାର – ଏକ ଭବିଷ୍ୟତ।’’

ଏହି କାର୍ଯ୍ୟକ୍ରମରେ ୧୩୫ରୁ ଅଧିକ ଦେଶର ହଜାର ହଜାର ଲୋକ ଅତି ଆଗ୍ରହର ସହିତ ସାମିଲ ହୋଇ ଯୋଗ ପ୍ରତି ନିଜର ସମର୍ଥନ ଜଣାଇଥିଲେ। ଏଠାରେ ଆୟୋଜିତ ଗୋଟିଏ ଯୋଗ ଅଧିବେଶନରେ ସର୍ବାଧିକ ସଂଖ୍ୟକ ଦେଶର ଲୋକମାନେ ଅଂଶଗ୍ରହଣ କରିବା ଦ୍ୱାରା ଗିନିଜ୍‌ ୱାର୍ଲ୍ଡ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ ମିଳିତ ଜାତସସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଏକ ଭିଡ଼ିଓ ବାର୍ତ୍ତା ମଧ୍ୟ ପ୍ରସାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ୭୭ତମ ମିଳିତ ଜାତିସଂଘ ମହାସଭାର ଅଧ୍ୟକ୍ଷ ସାବା କୋରୋସୀ, ନ୍ୟୁୟର୍କ ସିଟୀର ମେୟର ଏରିକ୍‌ ଆଡାମ୍ସ, ମିଳିତ ଜାତିସଂଘର ଉପମହାସଚିବ ଏବଂ ମିଳିତ ଜାତିସଂଘ ଦୀର୍ଘସ୍ଥାୟୀ ବିକାଶ ଗୋଷ୍ଠୀର ଅଧ୍ୟକ୍ଷ ସୁଶ୍ରୀ ଅମିନା ଜେ. ମହମ୍ମଦଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଅଂଶଗ୍ରହଣ କରିଥିଲେ। ସେହିପରି ସମାଜର ସବୁ ବର୍ଗର ପ୍ରମୁଖ ବ୍ୟକ୍ତିବିଶେଷ – କୂଟନୀତିଜ୍ଞ, ଅଧିକାରୀ, ଶିକ୍ଷାବିତ୍‌, ସ୍ୱାସ୍ଥ୍ୟ ପେସାଦାର, ପ୍ରଯୁକ୍ତିବିତ୍‌, ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ, ଗଣମାଧ୍ୟମ ବ୍ୟକ୍ତିବିଶେଷ, କଳାକାର, ଆଧ୍ୟାତ୍ମିକ ଗୁରୁ ଏବଂ ଯୋଗ ସାଧକମାନେ ଅଂଶଗ୍ରହଣ କରିଥିଲେ।

ଯୋଗ ଅଧିବେଶନ ପୂର୍ବରୁ, ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଯାହାକୁ ଡିସେମ୍ବର ୨୦୨୨ରେ ଭାରତର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ସମୟରେ ଉଦଘାଟନ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନର୍ଥ ଲନ୍‌ ଠାରେ ଥିବା ପିସ୍‌ କିପିଂ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କ ଠାରେ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଆମେରିକୀୟ ବିଶେଷଜ୍ଞ ଗୋଷ୍ଠିଙ୍କୁ ଭେଟିଛନ୍ତି।

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର, ଏକୀକୃତ ଔଷଧ ଉପରେ ଅଧିକ ଧ୍ୟାନ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରସ୍ତୁତି ସହିତ ସ୍ୱାସ୍ଥ୍ୟର ଡୋମେନ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ପ୍ରଧାନମନ୍ତ୍ରୀ ଏବଂ ବିଶେଷଜ୍ଞମାନେ ଆଲୋଚନା କରିଥିଲେ।

ପାରସ୍ପରିକ ଆଲୋଚନାରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞଙ୍କ ମାନଙ୍କ ମଧ୍ୟରେ:

ଟେକ୍ସାସର ନ୍ୟାସନାଲ୍ ସ୍କୁଲ୍ ଅଫ୍ ଟ୍ରପିକାଲ୍ ମେଡିସିନ୍‌ର ପ୍ରତିଷ୍ଠାତା ଡିନ ଡକ୍ଟର ପିଟର ହୋଟେଜ୍‌।

ଟେକ୍ସାସରେ ଅବସ୍ଥିତ ଭାଇରୋ ଭ୍ୟାକ୍ସର ସିଇଓ ଡକ୍ଟର ସୁନୀଲ ଏ ଡାଭିଡ୍‍।

ଜେନେରାଲ୍ କାଟାଲିଷ୍ଟର ଉପଦେଷ୍ଟା ଡକ୍ଟର ଷ୍ଟିଫେନ୍ କ୍ଲାସ୍କୋ।

ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ହାର୍ଟଟନ୍ ସ୍କୁଲ, ହେଲଥ କେୟାର ମ୍ୟାନେଜମେଣ୍ଟର ପ୍ରଫେସର ଡକ୍ଟର ଲଟନ ଆର ବୁର୍ନସ୍‍।

ଭେରିଲି ଲାଇଫ୍ ସାଇନ୍ସେସ୍‌ର ପ୍ରତିଷ୍ଠାତା ସଭାପତି ଭିଭିଆନ୍ ଏସ୍ ଲି।

ଜନ୍ ହପକିନ୍ସ ବ୍ଲୁମବର୍ଗ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ ଏବଂ ଜନ୍ ହପକିନ୍ସ ସ୍କୁଲ୍ ଅଫ୍ ମେଡିସିନର ଡାକ୍ତର, ନୋବେଲ ବିଜେତା ତଥା ମଲିକୁଲାର ବାୟୋଲୋଜିଷ୍ଟ୍ ଡକ୍ଟର ପିଟର ଆଗ୍ରେ।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୋଆରେ ଅନୁଷ୍ଠିତ ହେଉଥିବା ଜି-୨୦ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅତୁଲ୍ୟ ଭାରତର ଭାବନା ପ୍ରସଙ୍ଗ ଉପସ୍ଥାପନ କରି କହିଥିଲେ ଯେ, ପର୍ଯ୍ୟଟନ ମନ୍ତ୍ରୀମାନେ ବିଶ୍ୱସ୍ତରରେ ଦୁଇ ଟ୍ରିଲିୟନ ଡଲାର ମୂଲ୍ୟର ଏକ କ୍ଷେତ୍ରକୁ ପରିଚାଳନା କରିବା ସତ୍ତ୍ୱେ ସେମାନେ ନିଜେ ପର୍ଯ୍ୟଟନ ହେବାକୁ କମ୍‌ ସୁଯୋଗ ପାଇଥାନ୍ତି। ଭାରତରେ ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଗୋଆ ଠାରେ ଜି୨୦ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକ ଆୟୋଜନ ହେବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ, ବିଦେଶାଗତ ଅତିଥିମାନଙ୍କୁ ନିଜ ଗମ୍ଭୀର ଆଲୋଚନାରୁ କିଛି ସମୟ ବାହାର କରି ଗୋଆର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକ ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ପର୍ଯ୍ୟଟନ ପ୍ରତି ଭାରତର ଆଭିମୁଖ୍ୟ ସଂସ୍କୃତ ପଦ୍ୟ ‘ଅତିଥି ଦେବୋ ଭବ’ ଉପରେ ଆଧାରିତ ଯାହାର ଅର୍ଥ ହେଉଛି ‘ଅତିଥି ହିଁ ଭଗବାନ। ପର୍ଯ୍ୟଟନର ଅର୍ଥ କେବଳ ନୂଆ ସ୍ଥାନ ଦେଖିବା ନୁହେଁ ବରଂ ଏହା ଏକ ବ୍ୟାପକ ଅନୁଭୂତି ପ୍ରଦାନ କରିଥାଏ। ସଙ୍ଗୀତ ହେଉ କିମ୍ବା ଖାଦ୍ୟ, କଳା କିମ୍ବା ସଂସ୍କୃତି, ଭାରତର ବିବିଧତା ବାସ୍ତବରେ ଭବ୍ୟତାପୂର୍ଣ୍ଣ। ଶ୍ରୀ ମୋଦୀ ଆହୁରି କହିଥିଲେ, ହିମାଳୟର ଉଚ୍ଚତା ଠାରୁ ଆରମ୍ଭ କରି ଘନ ଜଙ୍ଗଲ, ଶୁଷ୍କ ମରୁଭୂମି ଠାରୁ ଆରମ୍ଭ କରି ସୁନ୍ଦର ବେଳାଭୂମି ପର୍ଯ୍ୟନ୍ତ, ଦୁଃସାହସିକ କ୍ରୀଡ଼ା ଠାରୁ ଆରମ୍ଭ କରି ଧ୍ୟାନ କେନ୍ଦ୍ର ପର୍ଯ୍ୟନ୍ତ, ଭାରତରେ ସମସ୍ତଙ୍କ ପାଇଁ ସବୁକିଛି ପୂରି ରହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇ କହିଥିଲେ ଯେ, ଭାରତ ନିଜର ଜି-୨୦ ଅଧ୍ୟକ୍ଷତା ସମୟରେ ସାରା ଦେଶର ୧୦୦ଟି ଭିନ୍ନ ଭିନ୍ନ ସ୍ଥାନରେ ପ୍ରାୟ ୨୦୦ ବୈଠକ ଆୟୋଜନ କରୁଛି, ଏହା ଆଗନ୍ତୁକମାନଙ୍କୁ ଭିନ୍ନ ଭିନ୍ନ ଅନୁଭୂତି ପ୍ରଦାନ କରୁଛି। ସେ ଆହୁରି କହିଥିଲେ, ପୂର୍ବରୁ ଭାରତ ଭ୍ରମଣ କରିଥିବା ନିଜର ବନ୍ଧୁମାନଙ୍କୁ ଯଦି ଆପଣ ପଚାରନ୍ତି, ସେ ନିଶ୍ଚିତ ଭାବେ କହିବେ ଯେ ଅନ୍ୟ କୌଣସି ସ୍ଥାନରେ ତାଙ୍କୁ ଏଭଳି ଅନୁଭୂତି ତାଙ୍କୁ ମିଳିନାହିଁ।

ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ ଯେ, ପର୍ଯ୍ୟଟନ କ୍ଷେତ୍ରରେ ଭାରତର ପ୍ରୟାସ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି କରିବା ସହିତ ଏହାର ସମୃଦ୍ଧ ଐତିହ୍ୟକୁ ସୁରକ୍ଷା ଦେବା ପ୍ରତି କେନ୍ଦ୍ରିତ। ଭାରତ ବିଶ୍ୱର ପ୍ରତ୍ୟେକ ପ୍ରମୁଖ ଧର୍ମର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଆଧ୍ୟାତ୍ମିକ ପର୍ଯ୍ୟଟନ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ। ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ମଧ୍ୟରୁ ଅନ୍ୟତମ ପ୍ରାଚୀନ ସହର ବାରଣାସୀରେ ଭିତ୍ତିଭୂମି ଉନ୍ନତିକରଣ କାରଣରୁ ପର୍ଯ୍ୟଟକମାନଙ୍କ ଆଗମନ ଦଶଗୁଣ ବୃଦ୍ଧି ପାଇ ଆଜି ୭୦ ନିୟୁତରେ ପହଞ୍ଚିଛି। ସେ ଆହୁରି ଆଲୋକପାତ କରି କହିଥିଲେ ଯେ, ଭାରତ ଏବେ ନୂଆ ପର୍ଯ୍ୟଟନ ଆକର୍ଷଣ ନିର୍ମାଣ କରୁଛି।

ଏହି ପରିପ୍ରେକ୍ଷୀରେ ସେ ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟୀ ବିଷୟରେ କହିଥିଲେ, ଯାହାକି ଉଦଘାଟନର ଗୋଟିଏ ବର୍ଷ ମଧ୍ୟରେ ୨୭ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ, ବିଗତ ନଅ ବର୍ଷ ମଧ୍ୟରେ, ଦେଶରେ ସମ୍ପୂର୍ଣ୍ଣ ପର୍ଯ୍ୟଟନ ଇକୋସିଷ୍ଟମର ବିକାଶ ଉପରେ ଆମେ ବିଶେଷ ଗୁରୁତ୍ୱାରୋପ କରିଛୁ। ପରିବହନ ଭିତ୍ତିଭୂମି ଠାରୁ ଆରମ୍ଭ କରି ହସ୍ପିଟାଲିଟୀ ବା ଆତିଥେୟତା କ୍ଷେତ୍ର ପର୍ଯ୍ୟନ୍ତ, ଆହୁରି କୌଶଳ ବିକାଶ ଏବଂ ଆମର ଭିସା ପ୍ରଦାନ ପ୍ରଣାଳୀରେ, ଆମେ ପର୍ଯ୍ୟଟନ କ୍ଷେତ୍ରକୁ ଆମ ସଂସ୍କାରର କେନ୍ଦ୍ରରେ ରଖିଛୁ, ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ ଯେ ଅନ୍ୟ କ୍ଷେତ୍ର ତୁଳନାରେ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି, ସାମାଜିକ ଏକତା ଏବଂ ଆର୍ଥିକ ପ୍ରଗତି ଏବଂ ଅଧିକରୁ ଅଧିକ ମହିଳା ଓ ଯୁବକମାନଙ୍କୁ ରୋଜଗାର ଦେବା ପାଇଁ ଅଧିକ ସମ୍ଭାବନା ଭରି ରହିଛି। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ଦ୍ରୁତ ଗତିରେ ହାସଲ କରିବା ପାଇଁ ପର୍ଯ୍ୟଟନ କ୍ଷେତ୍ରର ପ୍ରାସଙ୍ଗିକତାକୁ ଭାରତ ମାନ୍ୟତା ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସବୁଜ ପର୍ଯ୍ୟଟନ, ଡିଜିଟାଲକରଣ, ଦକ୍ଷତା ବିକାଶ, ପର୍ଯ୍ୟଟନ ଏମଏସଏମଇ ଏବଂ ଲକ୍ଷ୍ୟସ୍ଥଳୀ ପରିଚାଳନା ଆଦି ପାଞ୍ଚଟି ଆନ୍ତଃସଂଯୁକ୍ତ ପ୍ରାଥମିକତା କ୍ଷେତ୍ର ଭାରତ ଏବଂ ତୃତୀୟ ବିଶ୍ୱର ପ୍ରାଥମିକତାକୁ ମଧ୍ୟ ପ୍ରତିଫଳିତ କରୁଛି। ଅଭିନବତାକୁ ଆଗେଇ ନେବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅଗମେଣ୍ଟେଡ୍‌ ରିଅଲିଟୀ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ନିମନ୍ତେ ଶ୍ରୀ ମୋଦୀ ପରାମର୍ଶ ଦେଇଥିଲେ। ଦେଶରେ ବିଭିନ୍ନ କଥିତ ଭାଷାର ତୁରନ୍ତ ଅନୁବାଦ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ଦିଗରେ ଭାରତ କାମ କରୁଥିବା ସେ ସୂଚନା ଦେଇଥିଲେ।

ସରକାର, ଉଦ୍ୟମୀ, ନିବେଶକ ଏବଂ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ସହଯୋଗ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ। ପର୍ଯ୍ୟଟନ କମ୍ପାନୀମାନଙ୍କ ପାଇଁ ବ୍ୟବସାୟ ନିୟାମକକୁ ସହଜ କରିବା ଏବଂ ସେମାନଙ୍କୁ ପାଣ୍ଠି ହାସଲ କରିବା ତଥା ଦକ୍ଷତା ବିକାଶରେ ନିବେଶ ଲାଗି ସହାୟତା ଲାଗି ମିଳିତ ଭାବେ କାମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

‘‘ଆତଙ୍କବାଦ ଭାଙ୍ଗିଥାଏ କିନ୍ତୁ ପର୍ଯ୍ୟଟନ ଯୋଡ଼ିଥାଏ’’, ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ସମାଜର ସବୁ ବର୍ଗର ଲୋକମାନଙ୍କୁ ଯୋଡ଼ିବା ଏବଂ ସାମାଜିକ ସଦ୍ଭାବ ପ୍ରତିଷ୍ଠା କରିବା ଲାଗି ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ୟୁଏନଡବ୍ଲୁଟିଓର ସହଭାଗିତାରେ ଜି୨୦ ପର୍ଯ୍ୟଟନ ଡାଶ୍‌ବୋର୍ଡ ବିକଶିତ କରାଯାଉଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ। ଏହି ପ୍ଲାଟଫର୍ମ ପ୍ରଥମ ଥର ପାଇଁ ଶ୍ରେଷ୍ଠ ପଦ୍ଧତି, ଘଟଣା ଅଧ୍ୟୟନ ଏବଂ ପ୍ରେରଣାଦାୟୀ କାହାଣୀଗୁଡ଼ିକୁ ଏକସଙ୍ଗେ ଯୋଡ଼ି ପାରିବ।

ଏହି ବୈଠକରେ ହେଉଥିବା ବିଚାରବିମର୍ଶ ଓ ‘ଗୋଆ ରୋଡମ୍ୟାପ୍‌’ ପର୍ଯ୍ୟଟନର ରୂପାନ୍ତରଣକାରୀ ପ୍ରଭାବକୁ ସାକାର ରୂପ ଦେବା ପାଇଁ ହେଉଥିବା ପ୍ରୟାସକୁ ବହୁଗୁଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ‘‘ଭାରତର ଜି୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ହେଉଛି, ‘ବସୁଧୈବ କୁଟୁମ୍ବକମ୍‌’ – ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’, ଏହା ବିଶ୍ୱ ପର୍ଯ୍ୟଟନର ଲକ୍ଷ୍ୟ ହୋଇପାରିବ’’, ସେ କହିଥିଲେ।

ଗୋଆରେ ଆଗାମୀ ସାଓଜାଓ ପର୍ବ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ସେ କହିଥିଲେ ଯେ, ଭାରତ ହେଉଛି ପାର୍ବଣର ଦେଶ। ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ସବୁ ବିଦେଶୀ ଅତିଥିମାନଙ୍କୁ ଗଣତନ୍ତ୍ରର ଜନନୀରେ ହେଉଥିବା ଗଣତନ୍ତ୍ରର ପର୍ବ ଦେଖିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ, ଗଣତନ୍ତ୍ରର ଏହି ପର୍ବରେ ୧୦୦ କୋଟିରୁ ଅଧିକ ମତଦାତା ଅଂଶଗ୍ରହଣ କରିବେ ଏବଂ ଗଣତନ୍ତ୍ରର ଆଦର୍ଶ ପ୍ରତି ସେମାନଙ୍କର ଅତୁଟ ବିଶ୍ୱାସକୁ ପୁନଃସୁନିଶ୍ଚିତ କରିବେ।

ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଦଶ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଏହାର ବିବିଧତାକୁ ଦେଖିବା ଲାଗି ଆପଣଙ୍କ ପାଇଁ ସ୍ଥାନାଭାବ ଦେଖିବାକୁ ମିଳିବ ନାହିଁ। ଗଣତନ୍ତ୍ର ପର୍ବରେ ଭାରତ ଆସିବା ପାଇଁ ନିମନ୍ତ୍ରଣ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକାର ଥିଙ୍କ ଟ୍ୟାଙ୍କ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକାର ଅନେକ ଅଗ୍ରଣୀ ଥିଙ୍କ ଟ୍ୟାଙ୍କର ବିଶେଷଜ୍ଞଙ୍କୁ ଭେଟିଥିଲେ।

ପ୍ରଧାନମନ୍ତ୍ରୀ ଏବଂ ବିଶେଷଜ୍ଞମାନେ ବିଭିନ୍ନ ବିକାଶମୂଳକ ଏବଂ ଭୂ-ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଅମୃତକାଳ ସମୟରେ ଏହାର ରୂପାନ୍ତର ଆରମ୍ଭ କରୁଥିବା ବେଳେ ଭାରତରେ ସେମାନଙ୍କର ଉପସ୍ଥିତି ବଢାଇବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ କରିଥିଲେ।

ପାରସ୍ପରିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଥିଙ୍କ ଟ୍ୟାଙ୍କ ବିଶେଷଜ୍ଞମାନେ ହେଲେ:

ନ୍ୟୁୟର୍କର କାଉନସିଲ ଅନ୍‍ ଫରେନ ରିଲେସନ (ସିଏଫଆର) ର ରାଷ୍ଟ୍ରପତିଙ୍କ ଦ୍ୱରା କ୍ଷମତାପ୍ରାପ୍ତ ତଥା ପ୍ରତିଷ୍ଠିତ ଫେଲୋ ମାଇକେଲ୍ ଫ୍ରୋନ୍।

ନ୍ୟୁୟର୍କ ସ୍ଥିତ ଏସିଆ ସୋସାଇଟି ପଲିସି ଇନଷ୍ଟିଚ୍ୟୁଟର ଆନ୍ତର୍ଜାତୀୟ ସୁରକ୍ଷା ଏବଂ କୂଟନୀତି ପାଇଁ ଉପସଭାପତି ଡାନିଏଲ୍ ରସେଲ।

ବୋଷ୍ଟନ୍ ସ୍ଥିତ ଉତ୍ତର-ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ଆସୋସିଏଟ୍ ପ୍ରଫେସର ଡକ୍ଟର ମାକ୍ସ ଆବ୍ରାହମ୍ସ।

ଜେଫ୍ ଏମ୍ ସ୍ମିଥ୍‌, ନିର୍ଦ୍ଦେଶକ, ଏସିଆନ୍ ଷ୍ଟଡିଜ୍ ସେଣ୍ଟର, ଦି ହେରିଟେଜ୍ ଫାଉଣ୍ଡେସନ୍‌, ଡିସି।

ୱାଶିଂଟନ୍ ଡିସିରେ ଅବସ୍ଥିତ “ଦି ମାରାଥନ ଇନିସିଏଟିଭ୍‌” ର ସହ-ପ୍ରତିଷ୍ଠାତା ଏଲବ୍ରିଜ୍ କୋଲବି।

ଗୁରୁ ସୋଲେ, ପ୍ରତିଷ୍ଠାତା-ସଦସ୍ୟ, ନିର୍ଦ୍ଦେଶକ (ଭାରତ-ଆମେରିକା ବ୍ୟାପାର), ଇଣ୍ଡସ୍ ଇଣ୍ଟରନେସନାଲ ରିସର୍ଚ୍ଚ ଫାଉଣ୍ଡେସନ୍‌, ଟେକ୍ସାସ୍।