Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ୱାମୀ, ସ୍ତ୍ରୀ ଙ୍କୁ ବିଭତ୍ସ ହତ୍ୟା ମାମଲା, ଅଭିଯୁକ୍ତ ଗିରଫ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ଘୋଷରାମାଲ ପଂଚାୟତର ପାଣ୍ଡୁରିଶିଲା ଗ୍ରାମରେ ଗତ ୨୭ ଜୁଲାଇ ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ନୃଶଂସ ଭାବରେ ହତ୍ୟା କରିବା ଘଟଣାର ପୋଲିସ ପର୍ଦ୍ଦାଫାସ କରିଛି। ମୃତକଙ୍କ ସଡୁ ଗୋପାଳପୁରର ଶିରକା କରମାକୁ ପୋଲିସ ଗିରଫ କରିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରେଢ଼ାଖୋଲ ଏସ ଡ଼ି ପି ଓ ପ୍ରଶାନ୍ତ କୁମାର ମେହେର ପ୍ରକାଶ କରିଛନ୍ତି।

ଅଭିଯୁକ୍ତ ଗୋପାଳପୁର ଗ୍ରାମରୁ ଏକୁଟିଆ ପାଣ୍ଡୁରିଶିଲା ଗ୍ରାମକୁ ଯାଇ ସଡୁ ଓ ଶାଳୀକୁ ହତ୍ୟା କରିବାକୁ ପହଂଚି ଥିଲା। ରାତିରେ ଶାଳୀ ଓ ସଡୁ ଶୋଇଲା ପରେ ପ୍ରଥମେ ଶାଳୀକୁ ଓ ପରେ ସଡୁକୁ ହତ୍ୟା କରିଥିଲା ବୋଲି ପୋଲିସ କହିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ରେଢ଼ାଖୋଲ ପୋଲିସ କେସ ନଂ ୧୮୮ ତା ୨୮/୭/୨୪ ୟୁଏସ୍-୩୩୨ (ବି)୧୦୩(ଆଇ) ବିଏନ୍ଏସ୍‌ରେ ମାମଲା ରୁଜୁ କରିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପାଣ୍ଡୁରିଶିଲା ଗ୍ରାମର ଆବ୍ରାହମ କୁଜୁର (୩୫) ଓ ତାଙ୍କ ସ୍ତ୍ରୀ କୁଆଁରୀ କୁଜୁର (୨୫) ରାତିରେ ଖିଆପିଆ ସାରି ଶୋଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଶୋଇ ପଡ଼ିଥିଲେ। ମୃତକ ଆବ୍ରାହମ ଘରର ବାହାର ବାରଣ୍ଡାରେ ଶୋଇ ଥିବା ବେଳେ ୨ଝିଅ ଓ ପତ୍ନୀ ଭିତର ବାରଣ୍ଡାରେ ଶୋଇ ଥିଲେ। କିନ୍ତୁ ବଡ ଭାଇ ଓ ଭାଉଜ ଓ ବୁଢ଼ୀ ମା ଘରର ଅନ୍ୟ କୋଠରୀରେ ଶୋଇ ଥିଲେ। ପତ୍ନୀ ଆଉ ସ୍ଵାମୀକୁ ଅଭିଯୁକ୍ତ ଘର ଭିତରେ ହତ୍ୟା କରିଥିଲା।