Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ

ଭୁବନେଶ୍ବର: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ସମ୍ବଲପୁର ଜିଲ୍ଲାରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଅଇଁଠାପାଲି ଜଙ୍କସନ୍‌ ଠାରେ ୬ ଲେନ୍‌ ବିଶିଷ୍ଟ ୩.୫ କିଲୋମିଟର ଲମ୍ବା ଫ୍ଲାଏଓଭର ଏବଂ ୫୩ ନମ୍ବର ଜାତୀୟ ରାଜପଥ (ପୂର୍ବରୁ ୬ ନମ୍ବର ଜାତୀୟ ରାଜପଥ ନାମରେ ପରିଚିତ) ଉପରେ ଦୁଇ ଲେନ୍‌ ବିଶିଷ୍ଟ ଗୋଟିଏ ସଡ଼କ ଓଭର ବ୍ରିଜ୍‌ (ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ) ବା ଆରଓବି (ଏଲ୍‌ଏଚ୍‌ଏସ୍‌) ନିର୍ମାଣ କରାଯିବ ବୋଲି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରସ୍ତାବିଜ ୬ ଲେନ୍‌ ବିଶିଷ୍ଟ ଫ୍ଲାଏଓଭର ନିର୍ମାଣ ଦ୍ୱାରା ଅଇଁଠାପାଲି ଛକରେ ହେଉଥିବା ଟ୍ରାଫିକ୍‌ ଭିଡ଼ ହ୍ରାସ ପାଇବ। ଏହାବ୍ୟତୀତ, ୫୩ ନମ୍ବର ଜାତୀୟ ରାଜପଥ ଉପରେ ତେଲେଇବଣି-ସମ୍ବଲପୁର ୪ ଲେନ୍‌ ବିଶିଷ୍ଟ ପ୍ରକଳ୍ପରୁ ବାଦ୍‌ ଦିଆଯାଇଥିବା ୨ ଲେନ୍‌ ବିଶିଷ୍ଟ ସଡ଼କ ଓଭର ବ୍ରିଜ୍‌ ପ୍ରକଳ୍ପ ନିର୍ମାଣ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ବେତଝରଣ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ବେତଝରଣ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜନୈକ ବ୍ୟକ୍ତିଙ୍କର ଗଳିତ ଶବ ଉଦ୍ଧାର କରିଛି କିସିଣ୍ଡା ପୋଲିସ୍। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, କିସିଣ୍ଡା ଥାନା ବେତଝରଣ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜଣେ ଅଜଣା ବ୍ୟକ୍ତିର ମୃତ ଦେହ ପଡିଥିବା ପୋଲିସ୍ ଖବର ପାଇଥିଲା। କିସିଣ୍ଡା ପୋଲିସ୍ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନରୁ ଜାଣିଲା ଯେ, ମୃତକ ଜଣଙ୍କ ନାକଟିଦେଉଳ ଥାନା ସରାପାଲି ଗ୍ରାମର କୁଳମଣୀ ବିଶ୍ବାଳ (୫୦)। ଶବଟି ପଚିସଢି ଯାଇ ଥିବା ପୋଲିସ୍ କହିଛି। ଘଟଣା ସ୍ଥଳକୁ ରେଢାଖୋଲରୁ ଡାକ୍ତର ଯାଇ ଶଵ ବ୍ୟବଚ୍ଛେଦ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ ବୋଲି କିସିଣ୍ଡା ଥାନାଧିକାରୀ ଅଞଳୀ କୁମ୍ଭାର ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

ମୃତକ ଜଣଙ୍କ ବେଳେ ବେଳେ ବିଭିନ୍ନ ଗ୍ରାମକୁ ଯାଇ ଚୋରୀ କରୁଥିବାରୁ ତାକୁ କେହି ହତ୍ୟା କରିଥାଇପାରେ ବୋଲି ଅଂଚଳରେ ବେଶ୍ ଚର୍ଚ୍ଚା ହେଉଛି। ସେ ପ୍ରାୟତଃ ଜଙ୍ଗଲରେ ରହୁଥିବା ଅଂଚଳବାସୀ ପ୍ରକାଶ କରିଛନ୍ତି। ପାରିପାର୍ଶ୍ବିକ ସ୍ଥିତିରୁ ଯାହା ଅନୁମାନ କରାଯାଉଛି ସେଇ ସ୍ଥାନରେ ଭୋଜି ଭାତ ହୋଇଛି ଏଵଂ କୁଳମଣୀକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ ହେଉଛି ବୋଲି ଚର୍ଚ୍ଚା ହେଉଛି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହେବ ବୋଲି ପୋଲିସ୍ କହିଛି। କିସିଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି କିସିଣ୍ଡା ଥାନାଧିକାରୀଣୀ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଷ୍ଟେସନରେ ପବିତ୍ର ଅଯୋଧ୍ୟାରେ ଭକ୍ତମାନଙ୍କୁ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରତ୍ୟକ୍ଷ ଦର୍ଶନ କରାଇବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟି ରାମ ନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ପାଇଁ ଯାତ୍ରୀ ତଥା ରାମଭକ୍ତଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଉତ୍କଣ୍ଠା ଦେଖାଯାଇଛି। ସୁବିଧାରେ ଭକ୍ତମାନଙ୍କର ଦର୍ଶନ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ଆସ୍ଥା ଟ୍ରେନର ବ୍ୟବସ୍ଥା ହୋଇଛି । ଆଜି ୨୦ଟି ରେଳ ବଗି ବିଶିଷ୍ଟ ‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ ଓଡ଼ିଶାର ଅନେକ ରାମ ଭକ୍ତଙ୍କୁ ନେଇ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି।

୨୦୪୭ ସୁଦ୍ଧା ଭାରତ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ଶ୍ରରାମଙ୍କ ଆଶୀର୍ବାଦରେ ବିକଶିତ ଦେଶ ହେବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି। ଟ୍ରେନରେ ଅଯୋଧ୍ୟା ଯାତ୍ରା କରୁଥିବା ରାମଭକ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସ୍ଥା ଟ୍ରେନର ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ  

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ। ଏହାସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟର ଉନ୍ମୋଚନ ସହ ୪୨ଟି ଡାକଘର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ପ୍ରଧାନ ମଙ୍ଗଳବାର ଦିନ ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର – ଦର୍ଶନ ନଗର – ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିବେ। ସମ୍ବଲପୁର ଭେଦିକ ଆନ୍ତର୍ଜାତିକ ସ୍କୁଲରେ ରୋବୋଟିକ୍ ସେଣ୍ଟରର ଲୋକାର୍ପଣ କରିବେ। ପରେ ମାଝିପାଲି ଠାରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଡିହେବେ। ଏହି ଦିନ ପ୍ରଧାନମନ୍ତ୍ରୀ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବହୁମୁଖୀ ସଭାଗୃହର ଶିଳାନ୍ୟାସ, ଫୁଟବଲ ଫର୍ ସ୍କୁଲ୍(ଏଫ୪ଏସ) କାର୍ଯ୍ୟକ୍ରମର ଶୁଭାରମ୍ଭ ବ୍ୟତିତ ଦେଶବ୍ୟାପୀ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟ ଓ ଡାକ ଘର ଉନ୍ମୋଚନ କରିବେ। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ତଥା ଧନୁଯାତ୍ରା, ନୂଆଖାଇ ପର୍ବ, ସମ୍ବଲପୁରୀ ବନ୍ଧ, ଶୀତଳ ଷଷ୍ଠୀ ଯାତ୍ରା ଓ ସମ୍ବଲପୁରୀ ନୃତ୍ୟ ଉପରେ ଡାକ ଟିକେଟ୍ ଉନ୍ମୋଚିତ ହେବ। ଏହାସହ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ କରିବେ।

ଏହା ପରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରରେ ପିଏମ ସ୍ୱନିଧି ଯୋଜନା ସମ୍ପର୍କୀତ ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନାର ଶୁଭାରମ୍ଭ କରିବେ। ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିକଟରେ ଲୋକାର୍ପିତ ହୋଇଥିବା ଝାରସୁଗୁଡ଼ାର ନବନିର୍ମିତ ମୁଖ୍ୟ ଡାକଘର ଐତିହ୍ୟ ଭବନ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

୭ କେନ୍ଦ୍ର ମନ୍ତ୍ରୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିନାହିଁ ବିଜେପି, ଲୋକସଭା ପାଇଁ କେଉଁଠି ଲଢିବେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟସଭାର ୫୬ ଟି ଆସନ ପାଇଁ ୨୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥର ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ନୂଆ ଚେହେରା ଦେଇଛି। ଏଥର ୭ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ଆଉ ରାଜ୍ୟସଭା ପ୍ରାର୍ଥୀ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଏହି କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ କିଛି ନେତା ଏଥର ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ତାଲିକାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ମାନସୁଖ ମାଣ୍ଡଭିୟା, ରାଜୀବ ଚନ୍ଦ୍ରଶେଖର, ପୁରୁଷୋତ୍ତମ ରୂପାଲା, ନାରାୟଣ ରାଣେ ଏବଂ ଭି ମୁରଲୀଧରନଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ।

ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ନିର୍ବାଚନ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ?:

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ବାସିନ୍ଦା। ଏଭଳି ପରିସ୍ଥିତିରେ ସେ ଢେଙ୍କାନାଳ କିମ୍ବା ସମ୍ବଲପୁର ଆସନରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ବିଜୁ ଜନତା ଦଳ ଗତ ଚାରିଥର ଢେଙ୍କାନାଳରେ ଜିତି ଆସୁଛି। ଗତ ଦୁଇଥର ବିଜେପି ଏଠାରେ ଦ୍ୱିତୀୟ ସ୍ଥାନରେ ରହିଛି। ସମ୍ବଲପୁର ଆସନରୁ କେବଳ ବିଜେପି ସାଂସଦ ଅଛନ୍ତି। ଏଠାରେ ଉଭୟ ଆସନରେ ବିଜେପି ପାଇଁ କଡା ପ୍ରତିଯୋଗିତା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: କୋଇଲା ପରିବହନ ଖର୍ଚ୍ଚ ହ୍ରାସ କରିବା ପାଇଁ ପିଟ୍-ହେଡ୍‌ରେ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ଆଗକୁ ବଢ଼ାଇବା ପାଇଁ କୋଇଲା ମନ୍ତ୍ରଣାଳୟ କୋଇଲା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ତାପଜ ଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି। କେନ୍ଦ୍ର ସରକାର ସରକାର ଏନଏଲସିଆଇଏଲ୍ ମାଧ୍ୟମରେ ତଲାବିରାଠାରେ ୩ x ୮୦୦ ମେଗାୱାଟ ଅଲଟ୍ରା ସୁପର କ୍ରିଟିକାଲ ଥର୍ମାଲ ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଅନୁମୋଦନ କରିଛନ୍ତି। ଏନଏଲସିଆଇଏଲକୁ ୨୩ ନିୟୁତ ଟନ୍‌ (ଏମଟି) ପିକ୍ ରେଟେଡ୍ କ୍ଷମତା ବିଶିଷ୍ଟ ମୋଟ ୫୫୩ ନିୟୁତ ଟନ୍ ଖଣିଜ ଭଣ୍ଡାର ଥିବା ତଲାବିରା କୋଇଲା ଖଣି ଆବଣ୍ଟନ କରାଯାଇଛି। କାର୍ଯ୍ୟକ୍ଷମ ହେବା ପରେ ଏହି ପିଟ୍ ହେଡ୍ ପ୍ଲାଣ୍ଟ ୟୁନିଟ୍ ପିଛା ୩.୬୫ ଟଙ୍କା (୨.୪୦ ଟଙ୍କା ନିର୍ଦ୍ଧାରିତ ମୂଲ୍ୟ ଏବଂ ୧.୨୫ ଟଙ୍କା ପରିବର୍ତ୍ତନଶୀଳ ମୂଲ୍ୟ) (ପ୍ରାୟ) ମୂଲ୍ୟରେ ବିଦ୍ୟୁତ୍ ଉତ୍ପାଦନ କରିବ ଯାହାକି ଦେଶର ଟିପିପିମାନଙ୍କ ଦ୍ୱାରା ଉତ୍ପାଦିତ ସବୁଠାରୁ ଶସ୍ତା ବିଦ୍ୟୁତ ଶକ୍ତି ମଧ୍ୟରୁ ଅନ୍ୟତମ।    

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ସମ୍ବଲପୁରଠାରେ ଏନଏଲସି ଇଣ୍ଡିଆ ଲିମିଟେଡ୍ (ଏନଏଲସିଆଇଏଲ)ର ୨,୪୦୦ ମେଗାୱାଟ ସୁପରକ୍ରିଟିକାଲ ତାପଜ ବିଦ୍ୟୁତ ପ୍ଲାଣ୍ଟର ଶିଳାନ୍ୟାସ କରିବେ । ଆତ୍ମନିର୍ଭର ଭାରତର ପରିକଳ୍ପନା ସହ ସମ୍ପୂର୍ଣ୍ଣ ରୂପେ ସମନ୍ୱିତ ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏଲ୍‌ସିଆଇଏଲ୍) ତଲାବିରା ତାପଜ ବିଦ୍ୟୁତ୍‌ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ଏହି ଅତ୍ୟାଧୁନିକ ପ୍ରକଳ୍ପ ବିଶ୍ୱସନୀୟ, ସୁଲଭ ଓ ନିରନ୍ତର ଶକ୍ତି ଯୋଗାଇବା, ଦେଶର ଶକ୍ତି ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ଏବଂ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ନିର୍ମାଣ କରାଯିବା ।

ଏହି ପିଟହେଡ୍ ପାୱାର ଷ୍ଟେସନକୁ ଏନଏଲସିଆଇଏଲର କ୍ୟାପ୍ଟିଭ୍ କୋଇଲା ବ୍ଲକ, ତଲାବିରା ୨ ଏବଂ ୩ ସହିତ ଗୁରୁତ୍ୱପୂର୍ଣ୍ଣ ଭାବରେ ସଂଯୋଗ କରାଯିବ, ଯାହା ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବ । ତାପଜ ବିଦ୍ୟୁତ କେନ୍ଦ୍ରରେ ଅଧିକ ଦକ୍ଷତା,  ଅଙ୍ଗାରକାମ୍ଳ ହ୍ରାସ ଏବଂ ୧୦% ପରିବେଶ ଅନୁକୂଳ ବାୟୋମାସ୍ କୋ-ଫାୟାରିଂ ପଦକ୍ଷେପ ରହିଛି।

ବିଦ୍ୟୁତ୍‌ କ୍ରୟ ଚୁକ୍ତି (ପିପିଏ) ମାଧ୍ୟମରେ ଓଡ଼ିଶାକୁ ୮୦୦ ମେଗାୱାଟ୍, ତାମିଲନାଡୁକୁ ୧୫୦୦ ମେଗାୱାଟ୍, କେରଳକୁ ୪୦୦ ମେଗାୱାଟ୍ ଏବଂ ପୁଡୁଚେରୀକୁ ୧୦୦ ମେଗାୱାଟ୍ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିସାରିଛି। ମୁଖ୍ୟ ପ୍ଲାଣ୍ଟ ପାଇଁ ୧୮,୨୫୫ କୋଟି ଟଙ୍କା ମୂଲ୍ୟର ଇଞ୍ଜିନିୟରିଂ, କ୍ରୟ ଓ ନିର୍ମାଣ (ଇପିସି) ଚୁକ୍ତି ବିଏଚଇଏଲକୁ ପ୍ରଦାନ କରାଯାଇଛି। ପ୍ରଥମ ୮୦୦ ମେଗାୱାଟ୍ ବିଦ୍ୟୁତ ୟୁନିଟ୍ ଆରମ୍ଭରୁ ୫୨ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଏବଂ ପରବର୍ତ୍ତୀ ୟୁନିଟ୍ ଗୁଡ଼ିକ ୬ ମାସ ବ୍ୟବଧାନରେ ଅନ୍‌ଲାଇନରେ ଆସିବ ବୋଲି ଆଶା କରାଯାଉଛି।

ଏହି ଐତିହାସିକ ପ୍ରକଳ୍ପ ଭାରତର ଶକ୍ତି ସ୍ଥିରତାକୁ ସୁଦୃଢ଼ କରିବା ଦିଗରେ ଏକ ଉପଯୁକ୍ତ ପଦକ୍ଷେପ, ଯାହା ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଶକ୍ତି ସମାଧାନକୁ ଗ୍ରହଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି । ଏହା ଏକ ସବୁଜ ଭବିଷ୍ୟତ ପାଇଁ ଆମର ପ୍ରତିବଦ୍ଧତାକୁ ସୂଚାଇଥାଏ ତଥା ଶକ୍ତି ନିରାପତ୍ତା ଓ ପରିବେଶ ପରିଚାଳନା ପାଇଁ ରାଷ୍ଟ୍ରର ପ୍ରଗତିର ପ୍ରତୀକ ଭାବରେ ଠିଆ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

କାଠ ପୋଲ ହିଁ ୯ଟି ଗାଁର ସାହା ଭରସା: ସ୍ଥାନୀୟ ବାସିନ୍ଦାଙ୍କ ଚେତାବନୀ, “ସେତୁ ନାହିଁ ତ ଭୋଟ ନାହିଁ”

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସ୍ବାଧୀନତାର ବହୁ ବର୍ଷ ପରେ ମଧ୍ୟ ଲୋକ ମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। କେଉଁଠି ରାସ୍ତା ନାହିଁ ତ କେଉଁଠି ପୋଲ ନାହିଁ। ଯାହା ଫଳରେ ଗ୍ରାମାଞ୍ଚଳର ଲୋକ ମାନେ ବ୍ଲକ୍ ଅଫିସ୍ ହେଉ ବା ଡାକ୍ତରଖାନା ହେଉ ଯିବା ଆସିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ସେମିତି ଗାଁ କେତୋଟି ରହିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅଞ୍ଚଳରେ। ଯାହାକି କାଠ ପୋଲ ତିଆରି କରି ଗ୍ରାମବାସୀ ଯିବା ଆସିବା କରୁଛନ୍ତି। ବ୍ଲକ୍ ର ବାଟଗାଁ ଏବଂ ସାଲେଭଟା ପଂଚାୟତ ଦେଇ ଯାଇଥିବା ଟିକିରା ନଦୀ ଉଭୟ ପଂଚାୟତର ଅଧିବାସୀ ମାନଙ୍କ ପାଇଁ ବାଧକ ସାଜିଛି। ନଦୀ ଉପରେ ପୋଲ ଟିଏ ନଥିବାରୁ ସାଲେଭଟା ପଂଚାୟତ ର କଂଢଳ, ବସାଲୋଇ, ବାବୁତଇଲା, ନେଭରାପାଳ, ରୋହିନିଗାଡ଼ିଆ, ଗୋହିରାନାଲି, ତୁଳସୀତଇଲା, ଡେରାପଥର, ଶଙ୍କରପାଲି ଆଦି ଗ୍ରାମବାସୀଙ୍କୁ ଟିକିରା ନଦୀପାଇଁ ତିନି କିଲୋମିଟର ରାସ୍ତାକୁ ୨୦ କିଲୋମିଟର ରାସ୍ତା ବୁଲିକି ଯିବାକୁ ପଡୁଛି। ଏହି ନଅ ଖଣ୍ଡ ଗ୍ରାମରେ ପ୍ରାୟ ତିନି ହଜାର ଆଦିବାସୀ ଓ ହରିଜନ ଲୋକ ବସବାସ କରନ୍ତି।

ଉକ୍ତ ଗ୍ରାମବାସୀ ମାନେ ସାଲେଭଟା ପଂଚାୟତ ଅଧୀନରେ ଥିଲେବି ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ ଓ ବଜାର ଆଦି ବିଭିନ୍ନ କାର୍ଯ୍ୟ ପାଇଁ ବାଟଗାଁ ପଂଚାୟତ ଉପରେ ନିର୍ଭର କରିଥାନ୍ତି। ଏହା ସହ କଣ୍ଢଳ ଗ୍ରାମରେ ଏକ ସେବାଶ୍ରମ ସ୍କୁଲ ରହିଥିବା ବେଳେ ଶହେ ଶଯ୍ୟା ବିଶିଷ୍ଟ ଏକ ଛାତ୍ରବାସ ମଧ୍ୟ ରହିଛି। ଯାହା ଫଳରେ କଣ୍ଢଳ ଓ ଗଦାଧରପୁର ରାସ୍ତାର ଟିକିରା ନଦୀରେ ପୋଲଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନେ ଲୋକମାନେ ଜୀବନକୁ ବାଜି ଲଗେଇ ନଦୀରେ ଯାତାୟାତ କରନ୍ତି।

ଏହି ଗ୍ରାମ ଗୁଡିକୁ ବର୍ଷାଦିନେ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ଆସିପାରେ ନାହିଁ।  ଯାହା ଫଳରେ ରୋଗୀ ମୃତ୍ୟୁମୁଖରେ ପଡେ। ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ସଂପ୍ରୁକ୍ତ ଗ୍ରାମବାସୀ। ଯଦି ଏହି ନାଳ ଉପରେ ଏକ ପୋଲ ତିଆରି କରା ନ ଯାଏ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟବର୍ଜନ କରିବାକୁ ଧମକ ଦେଇଛନ୍ତି ୯ ଖଣ୍ଡ ଗ୍ରାମର ବାସିନ୍ଦା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନିଜ ଜୀବନକୁ ବାଜି ଲଗାଇ ପାଣିଟାଙ୍କି ଉପରେ ଅନଲାଇନରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢାଖୋଲ: ବିଶ୍ୱରେ କରୋନା ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ସରକାର ଗତ ମାର୍ଚ୍ଚ ମାସରୁ ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକୁ ସଂପୂର୍ଣ ବନ୍ଦ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିବାକୁ ସରକାର ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଗ୍ରାମାଂଚଳର ସମସ୍ତ ପିଲାମାନଙ୍କ ଠାରେ ଏସବୁର ସୁବିଧା ଉପଲବ୍ଧ ହୋଇପାରୁନାହିଁ। ସେମିତି ଏକ ଗାଁ ସମ୍ବଲପୁର ଜିଲ୍ଲାରେ ରହିଛି ଯେଉଁଠି ପିଲାମାନେ ପାଣିଟାଙ୍କି ଉପରକୁ ଚଢି ପାଠପଢୁଥିବାର ଦେଖିବାକୁ ମିଳିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଘୋଷରାମାଳ ପଂଚାୟତର ଲାଣ୍ଡିମାଳ ଗ୍ରାମର ଛାତ୍ରଛାତ୍ରୀମାନେ ଗାଁରେ କୌଣସି ନେଟୱର୍କର ସୁବିଧା ନ ଥିବାରୁ ସେମାନେ ବାଧ୍ୟ ହୋଇ ଗ୍ରାମରେ ଥିବା ପାଣି ଟାଙ୍କି ଉପରେ ଚଢି ଜୀବନକୁ ବାଜି ଲଗାଇ ଅନଲାଇନରେ ପାଠ ପଢୁଥିବାର ଦୃଶ୍ୟ ଆମ ପ୍ରତିନିଧିଙ୍କ ନଜରକୁ ଆସିଛି।

ସରକାର ପିଲାମାନେ ଅନଲାଇନରେ ପାଠ ପଢିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଗ୍ରାମାଂଚଳରେ ଏସବୁର ସୁବିଧା ଓ ସମସ୍ତଙ୍କ ପାଖରେ ମୋବାଇଲ ଫୋନର ସୁବିଧା ଅଛି କି ନାହିଁ ସେ ସଂପର୍କରେ ଅବଗତ ନାହାନ୍ତି। ଯାହା ପାଖରେ ଅଛି ସେଇ ଗାଁରେ ନେଟୱର୍କର ସୁବିଧା ମଧ୍ୟ ନାହିଁ। ସରକାର କେମିତି ଅନଲାଇନ ପାଠ ପଢାକୁ ଗୁରୁତ୍ୱ ଦେଲେ ତାହା ଆଦୌ ବୁଝାପଡୁନାହିଁ ବୋଲି ଲାଣ୍ଡିମାଳର ଏହି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ସରକାର ଏ ସଂପର୍କରେ ଚିନ୍ତା କରିବାର ସମୟ ଆସିଛି ବୋଲି ଅଭିଭାବକ ମାନେ ମଧ୍ୟ ପ୍ରକାଶ କରିଛନ୍ତି।

ଲାଣ୍ଡିମାଳରେ କୌଣସି ଟାଓାର ମଧ୍ୟ ନାହିଁ। ପାଣିଟାଙ୍କି ଉପରକୁ ଚଢିଲେ ସେଠାରେ ନାକଟିଦେଉଳ କିମ୍ବା ରିଆମାଳ ନେଟୱର୍କ ଆସିଥାଏ। ଯା’ ଫଳରେ ପିଲାମାନେ କିଛି ସମୟ ପର୍ଯ୍ୟନ୍ତ ପଢିବାର ସୁଯୋଗ ପାଇଥାନ୍ତି। ହେଲେ ବର୍ଷା ଦିନରେ ସେ ସବୁର ସୁବିଧା ମଧ୍ୟ ହୋଇ ପାରି ନଥାଏ। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।