Categories
ଆଜିର ଖବର ରାଜ୍ୟ ଖବର

ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ  

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ। ଏହାସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟର ଉନ୍ମୋଚନ ସହ ୪୨ଟି ଡାକଘର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ପ୍ରଧାନ ମଙ୍ଗଳବାର ଦିନ ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର – ଦର୍ଶନ ନଗର – ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିବେ। ସମ୍ବଲପୁର ଭେଦିକ ଆନ୍ତର୍ଜାତିକ ସ୍କୁଲରେ ରୋବୋଟିକ୍ ସେଣ୍ଟରର ଲୋକାର୍ପଣ କରିବେ। ପରେ ମାଝିପାଲି ଠାରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଡିହେବେ। ଏହି ଦିନ ପ୍ରଧାନମନ୍ତ୍ରୀ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବହୁମୁଖୀ ସଭାଗୃହର ଶିଳାନ୍ୟାସ, ଫୁଟବଲ ଫର୍ ସ୍କୁଲ୍(ଏଫ୪ଏସ) କାର୍ଯ୍ୟକ୍ରମର ଶୁଭାରମ୍ଭ ବ୍ୟତିତ ଦେଶବ୍ୟାପୀ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟ ଓ ଡାକ ଘର ଉନ୍ମୋଚନ କରିବେ। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ତଥା ଧନୁଯାତ୍ରା, ନୂଆଖାଇ ପର୍ବ, ସମ୍ବଲପୁରୀ ବନ୍ଧ, ଶୀତଳ ଷଷ୍ଠୀ ଯାତ୍ରା ଓ ସମ୍ବଲପୁରୀ ନୃତ୍ୟ ଉପରେ ଡାକ ଟିକେଟ୍ ଉନ୍ମୋଚିତ ହେବ। ଏହାସହ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ କରିବେ।

ଏହା ପରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରରେ ପିଏମ ସ୍ୱନିଧି ଯୋଜନା ସମ୍ପର୍କୀତ ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନାର ଶୁଭାରମ୍ଭ କରିବେ। ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିକଟରେ ଲୋକାର୍ପିତ ହୋଇଥିବା ଝାରସୁଗୁଡ଼ାର ନବନିର୍ମିତ ମୁଖ୍ୟ ଡାକଘର ଐତିହ୍ୟ ଭବନ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

କୁମାରାଙ୍ଗ ପଞ୍ଚାୟତରେ ବୁଲିଲା ‘ଶ୍ରୀଜଗନ୍ନାଥ ଅର୍ପଣ ରଥ’

ବାଣପୁର (ସୀତାରାମ ଅଗ୍ରୱାଲ): ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଓଡିଶା। ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ‘ଶ୍ରୀଜଗନ୍ନାଥ ଅର୍ପଣ ରଥ’ ଗାଁ ଗାଁ ବୁଲି ଘରୁ ଘରୁ ସଂଗ୍ରହ କରୁଛି ଚାଉଳ, ଗୁଆ। ଯାହା ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ବେଳେ ଅର୍ପଣ କରାଯିବ।

ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ଠାରେ ପ୍ରତି ଘର ଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଛି।

ଏଥିରେ ସରପଞ୍ଚ ସରୋଜିନୀ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମନୋଜ କୁମାର ପ୍ରଧାନ, ନାଏବ ସରପଞ୍ଚ ବ୍ୟୋତକେଶ ମହାପାତ୍ର, ପଞ୍ଚାୟତ ଗ୍ରାମ ସେବକ ନୃସିଂହ ଚରଣ ଜେନା, ଗ୍ରାମ ସେବିକା ବନ୍ଦନା ପ୍ରଧାନ, ବାଣପୁର ଜେଇ, ବାଣପୁର ବ୍ଲକ ମିଶନ ଶକ୍ତି ସଭାପତି କବିତା ରାଣୀମହାପାତ୍ର, ସେକ୍ରେଟାରୀ ବେବିନା ତ୍ରିପାଠି, ତୁମୁରାପୁଟ ଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚ ଅକ୍ଷୟ କୁମାର ସେଠୀ, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଯଦୁ ପ୍ରଧାନ, ପଞ୍ଚାୟତ ସଭାପତି ନବକିଶୋର ସ୍ବାଇଁ, ଯୁବ ସଭାପତି ଆଲୋକ ପ୍ରଧାନ, ବିଜୁ ଛାତ୍ର ଜନତା ଦଳର ସୋସିଆଲ ମିଡ଼ିଆ ସଂଯୋଜକ ରଞ୍ଜିତ ନାୟକ,ଏସେଜି ଗ୍ରୁପ ର ମହିଳା, ସିଆରପି, ଯୁବ, ଛାତ୍ର, ୱାର୍ଡ ମେମ୍ବର ଆଦି ଯୋଗଦେଇ ଭବ୍ୟ ରଥକୁ ସ୍ଵାଗତ କରିଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ପରିକ୍ରମା କଲା ଅର୍ପଣ ରଥ

ଚିଲିକା (ସୀତାରାମ ଅଗ୍ରୱାଲ): ଚଳିତ ମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅର୍ପଣ ରଥ ପରିକ୍ରମା କରୁଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ବାଲୁଗାଁ ଏନଏସି ଠାରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଅର୍ପଣ ରଥକୁ ସ୍ୱାଗତ କରି ୧ନଂ ୱାର୍ଡ ଅନ୍ତର୍ଗତ ଅଶୋକ ନଗର, ସୂର୍ଯ୍ୟ ନଗର ଓ ଶାନ୍ତି ନଗର ପରିକ୍ରମା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଯୁବ ସଂଗଠକ ସନ୍ତୋଷ ପାଇକରାୟ, ବିଜେଡି ନଗରମଣ୍ଡଳ ସଭାପତି ଜୟନ୍ତ ସ୍ୱାଇଁ, ସମସ୍ତ କାଉନସିଲର, ଏନଏସି କର୍ମଚାରୀ, ମିଶନ ଶକ୍ତିର ଶତାଧିକ ମହିଳା ଏବଂ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇ ଶହ ଶହ ଶ୍ରଦ୍ଧାଳୁଙ୍କ ଘରୁ ଗୁଆ, ଚାଉଳ, ନଡିଆ ସଂଗ୍ରହ କରିଥିଲେ। ସଂକୀର୍ତ୍ତନ ମଣ୍ଡଳୀ ସହ ମହିଳା ଓ ପୁରୁଷ ଜଗନ୍ନାଥ ପ୍ରେମୀଙ୍କ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଥିଲା ପରିବେଶ। ଘରେ ଘରେ ମହିଳା ଓ ପୁରୁଷମାନେ ସ୍ୱତଃପ୍ରତ ଭାବେ ଅକ୍ଷତ ଅରୁଆ ଚାଉଳ, ନଡିଆ ଓ ଗୁଆ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା।

ଅନୁରୂପ ଭାବେ ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର, ସୋରଣ, ହାଟବରଡି, ଆଙ୍କୁଲା, ସିଙ୍ଗେଶ୍ୱର, ସାନନଈରୀ ଆଦି ପଞ୍ଚାୟତରେ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରାଯିବାସହ ପ୍ରତି ପଞ୍ଚାୟତର ନୋଡାଲ ଅଧିକାରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଜଗନ୍ନାଥ ପ୍ରେମୀ ମହିଳା ଓ ପୁରୁଷ ମାନେ ଘରକୁ ଘର ବୁଲି ଚାଉଳ,ଗୁଆ ସଂଗ୍ରହ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୌମ୍ୟ ସ୍ବରୂପ ନାୟକଙ୍କ ପ୍ରଥମ ହିନ୍ଦୀ କାବ୍ୟ ସଂକଳନ “ବାଇସ୍କୋପ” ର ଲୋକାର୍ପଣ ଉତ୍ସବ

ଭୁବନେଶ୍ବର: ଗତ ନଭେମ୍ବର ମାସ ୬ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ କଟକ ସ୍ଥିତ ପାନୁ ନିବାସ ଅଡିଟୋରୀୟମ୍ ରେ ତରୁଣ କବି ସୌମ୍ୟ ସ୍ବରୂପ ନାୟକଙ୍କ ପ୍ରଥମ ହିନ୍ଦୀ କାବ୍ୟ ସଂକଳନ “ବାଇସ୍କୋପ୍” ପୁସ୍ତକର ଲୋକାର୍ପଣ ହେଇଛି। ପକ୍ଷୀଘର ପ୍ରକାଶନୀ ତରଫରୁ ପ୍ରକାଶିତ ଏଇ ବାଇସ୍କୋପ୍” ର ଲୋକାର୍ପଣ ଉତ୍ସବ ଏକ ବର୍ଣ୍ଣାଢ୍ୟ ସାହିତ୍ୟ ପରିବେଶରେ ଆୟୋଜିତ ହେଇଥିଲା। ଏଥ୍‌ପାଇଁ ମଞ୍ଚରେ ସୌମ୍ୟ ସ୍ବରୂପଙ୍କ ସହିତ ଅତିଥ୍‌ ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦକ ତଥା ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ଓ ସଂଗ୍ରାମ ଜେନା, ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀ, ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଉପସ୍ଥିତ ଥିଲେ।

ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପରେ ସୌମ୍ୟ ସ୍ବରୂପ ନାୟକଙ୍କ ହିନ୍ଦୀ କାବ୍ୟ ସଂକଳନ “ବାଇସ୍କୋପ୍” କୁ ଲୋକାର୍ପଣ କରାଯାଇଥିଲା। ସୌମ୍ୟ ସ୍ବରୂପ ନିଜ ଲେଖକୀୟ
ଅଭିଭାଷଣରେ କହିଥିଲେ ଯେ, ଏଇ କାବ୍ୟ ସଂକଳନ ମାଧ୍ୟମରେ ତାଙ୍କ ଭିତରେ ଥିବା ବାଇସ୍କୋପ୍ ରେ ସେ ନିଜ ଜୀବନର ଓ ସମାଜର ବିଭିନ୍ନ ଦିଗକୁ ଦେଖିବାକୁ ଚେଷ୍ଟା କରୁଛନ୍ତି।

ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀ ଏଇ କବିତା ପ୍ରକାଶନର ଯାତ୍ରା ସହିତ ନିଜ ଅଭିବ୍ୟକ୍ତିରେ କହିଥିଲେ ଯେ, ଏତେ କମ୍ ବୟସରେ ଜାତୀୟ ସ୍ତର ପାଇଁ ସୌମ୍ୟ ସ୍ବରୂପ ନାୟକଙ୍କ କୃତି ପ୍ରଶଂସନୀୟ।

ଏହାପରେ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ” ବାଇସ୍କୋପ୍ ” ର କେତୋଟି କବିତା ସମୀକ୍ଷା କରି କହିଥିଲେ ଯେ, କବିତାର ପ୍ରତ୍ୟକ ଟି ଧାଡି ଭିତରେ କେବଳ ପ୍ରେମ ଆଉ ଆଦର୍ଶ ନାହିଁ କିଛି ଅନ୍ତଃସ୍ବର ବି ରହିଛି। ବିଶେଷ ଅତିଥି ଅମରେଶ ପଟ୍ଟନାୟକ ତାଙ୍କ ଅଭିଭାଷଣରେ
କହିଥିଲେ, ଆଜିକାଲି ଦୁନିଆରେ କବି ଓ ଲେଖକ ମାନଙ୍କ ପାଇଁ ସାହିତ୍ୟ ସୃଷ୍ଟି ହେଉଛି ଗୋଟେ ବଡ ସଂଘର୍ଷ। ଏଇ ସଂଘର୍ଷକୁ ଜାରି ରଖ୍ ଜୀବନକୁ ଆଗେଇ ନେବା ପାଇଁ ସେ ସୌମ୍ୟ ସ୍ବରୂପଙ୍କୁ ଆହ୍ଵାନ ଦେଇଥିଲେ।

ଏଥି ସହିତ ସଂଗ୍ରାମ ଜେନାଙ୍କ ଭାଷଣ ଲୋକାର୍ପଣ ଉତ୍ସବରେ ସାହିତ୍ୟ ପରିବେଶକୁ ଆହୁରି ରୁଚିମନ୍ତ କରିଥିଲା ଆଉ ସୌମ୍ୟ ସ୍ବରୂପ ଙ୍କ ଏଇ ଜାତୀୟ ସ୍ତରର ପ୍ରଚେଷ୍ଟା ପାଇଁ ସେ ପ୍ରଶଂସା କରିଥିଲେ।

ଏଇ ଲୋକାର୍ପଣ ଉତ୍ସବରେ ସୌମ୍ୟ ସ୍ବରୂପ ନାୟକଙ୍କ ଦୁଇଟି ବିଶେଷ ହିନ୍ଦୀ କବିତା “କାଲା ” ଓ ” ତୁମ୍ ହି ଜନ୍ମତ୍ ହୋ”, ମୋହନ ମଜିଠିଆ ତାଙ୍କର ଗୁରୁ ଗମ୍ଭୀର ସ୍ବରରେ ଆବୃତ୍ତି କରି ଶୁଣାଇଥିଲେ, ଯାହାକି ଉତ୍ସବର ମୁଖ୍ୟ ଆକର୍ଷଣ ହେଇଥିଲା।

ଏମାନଙ୍କ ବ୍ୟତୀତ ଓଡ଼ିଶାର ବିଶିଷ୍ଟ କବି, ଲେଖକ, ସମାଲୋଚକ ସର୍ବଶ୍ରୀ ଅମୀୟ ମହାପାତ୍ର, ସୁରେଶ ନାଏକ, ପ୍ରସନ୍ନ ସ୍ବାଇଁ, ଦୀପ୍ତି ଦାସ, ଅଜୟ ମହାପାତ୍ର, ମୋହିତ ଚକ୍ରବର୍ତ୍ତୀ, ଜ୍ଞାନ ହୋତା, ଜ୍ଞାନୀ ଦେବାଶିଷ, ଶରତ ନାୟକ, ପ୍ରମୁଖ କବିମାନେ ଉପସ୍ଥିତ ରହି ତାଙ୍କ ଅଭିଭାଷଣରେ ସୌମ୍ୟ ସ୍ବରୂପ ନାୟକଙ୍କୁ ଶୁଭେଚ୍ଛା ଜଣେଇ ଆଶୀର୍ବାଦ ଜ୍ଞାପନ କରିଥିଲେ।

ଶେଷରେ ସୌମ୍ୟ ସ୍ବରୂପ ନାୟକଙ୍କ ବାପା ଓଡ଼ିଆ ସିନେମା ଜଗତର ଗୀତିକାର ତଥା
ସଂଳାପ ଲେଖକ ଡ଼. ନିର୍ମଳ ନାୟକ ନିମନ୍ତ୍ରିତ ଅତିଥ୍‌ମାନଙ୍କ ସହିତ ଉପସ୍ଥିତ ଥିବା ମିଡ଼ିଆ
ବନ୍ଧୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ଏଇ କାବ୍ୟ ସଂକଳନ କିଛି ପୁସ୍ତକାଳୟ ସହିତ
Online Shoping Site Amazon ରେ ଉପଲବ୍ଧ ବୋଲି ସୂଚନା ଦେଇଥିଲେ ଏବଂ ୟାକୁ
ପଢି ମତାମତ ଦେବା ପାଇଁ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୂଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ଉତ୍ସବରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ: କଂଗ୍ରେସ ପକ୍ଷରୁ ଥାନାରେ ମାମଲା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଗତ ୧୪ ତାରିଖ ଦିନ ଓଡିଶାର ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ଥାନାରେ ମାମଲା ଦାଏର କରାଯାଇଥିବା ଜଣାପଡିଛି।

ଅଭିଯୋଗ ଅନୁସାରେ ଜୟପାଟଣା ବ୍ଲକ ମଙ୍ଗଳପୁର ଠାରେ ମୂଖ୍ୟମନ୍ତ୍ରୀଙ୍କ ସମେତ ଗୃହ ରାଷ୍ଟ୍ର ମନ୍ତ୍ରୀ ଓ ବହୁ ମନ୍ତ୍ରୀ, ବିଧାୟକ, ୫ଟି ସଚିବ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ସଭା ମଂଚରେ ଉପସ୍ଥିତ ଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନ କରାଯାଇ ୩ ହଜାରରୁ ଅଧିକ ଜନସମାଗମ କରାଯାଇଥିଲା।

ସରକାରୀ କାର୍ଯ୍ୟକ୍ରମରେ ବହୁମାତ୍ରାରେ ଦଳୀୟ ପତାକା ବ୍ୟବହାର କରାଯାଇ ରାଜକୋଷରୁ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ୧୩ ତାରିଖ ଦିନ ମନ୍ତ୍ରୀ, ଏମଏଲଏ ମାନେ ବିଭିନ୍ନ ଗ୍ରାମକୁ ଯାଇ କୋଭିଡ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ଠୁଳ କରିଥିବା ବେଳେ ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏନେଇ କଂଗ୍ରେସ ଦଳ ପକ୍ଷରୁ ଧର୍ମଗଡ, କୋକସରା ଏବଂ ଜୟପାଟଣା ଥାନାରେ ପୃଥକ ଅଭିଯୋଗ ପତ୍ର ଦାଖଲ କରାଯାଇଥିବା ଜଣାପଡିଛି।