Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନିଜ ଜୀବନକୁ ବାଜି ଲଗାଇ ପାଣିଟାଙ୍କି ଉପରେ ଅନଲାଇନରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢାଖୋଲ: ବିଶ୍ୱରେ କରୋନା ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ସରକାର ଗତ ମାର୍ଚ୍ଚ ମାସରୁ ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକୁ ସଂପୂର୍ଣ ବନ୍ଦ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିବାକୁ ସରକାର ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଗ୍ରାମାଂଚଳର ସମସ୍ତ ପିଲାମାନଙ୍କ ଠାରେ ଏସବୁର ସୁବିଧା ଉପଲବ୍ଧ ହୋଇପାରୁନାହିଁ। ସେମିତି ଏକ ଗାଁ ସମ୍ବଲପୁର ଜିଲ୍ଲାରେ ରହିଛି ଯେଉଁଠି ପିଲାମାନେ ପାଣିଟାଙ୍କି ଉପରକୁ ଚଢି ପାଠପଢୁଥିବାର ଦେଖିବାକୁ ମିଳିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଘୋଷରାମାଳ ପଂଚାୟତର ଲାଣ୍ଡିମାଳ ଗ୍ରାମର ଛାତ୍ରଛାତ୍ରୀମାନେ ଗାଁରେ କୌଣସି ନେଟୱର୍କର ସୁବିଧା ନ ଥିବାରୁ ସେମାନେ ବାଧ୍ୟ ହୋଇ ଗ୍ରାମରେ ଥିବା ପାଣି ଟାଙ୍କି ଉପରେ ଚଢି ଜୀବନକୁ ବାଜି ଲଗାଇ ଅନଲାଇନରେ ପାଠ ପଢୁଥିବାର ଦୃଶ୍ୟ ଆମ ପ୍ରତିନିଧିଙ୍କ ନଜରକୁ ଆସିଛି।

ସରକାର ପିଲାମାନେ ଅନଲାଇନରେ ପାଠ ପଢିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଗ୍ରାମାଂଚଳରେ ଏସବୁର ସୁବିଧା ଓ ସମସ୍ତଙ୍କ ପାଖରେ ମୋବାଇଲ ଫୋନର ସୁବିଧା ଅଛି କି ନାହିଁ ସେ ସଂପର୍କରେ ଅବଗତ ନାହାନ୍ତି। ଯାହା ପାଖରେ ଅଛି ସେଇ ଗାଁରେ ନେଟୱର୍କର ସୁବିଧା ମଧ୍ୟ ନାହିଁ। ସରକାର କେମିତି ଅନଲାଇନ ପାଠ ପଢାକୁ ଗୁରୁତ୍ୱ ଦେଲେ ତାହା ଆଦୌ ବୁଝାପଡୁନାହିଁ ବୋଲି ଲାଣ୍ଡିମାଳର ଏହି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ସରକାର ଏ ସଂପର୍କରେ ଚିନ୍ତା କରିବାର ସମୟ ଆସିଛି ବୋଲି ଅଭିଭାବକ ମାନେ ମଧ୍ୟ ପ୍ରକାଶ କରିଛନ୍ତି।

ଲାଣ୍ଡିମାଳରେ କୌଣସି ଟାଓାର ମଧ୍ୟ ନାହିଁ। ପାଣିଟାଙ୍କି ଉପରକୁ ଚଢିଲେ ସେଠାରେ ନାକଟିଦେଉଳ କିମ୍ବା ରିଆମାଳ ନେଟୱର୍କ ଆସିଥାଏ। ଯା’ ଫଳରେ ପିଲାମାନେ କିଛି ସମୟ ପର୍ଯ୍ୟନ୍ତ ପଢିବାର ସୁଯୋଗ ପାଇଥାନ୍ତି। ହେଲେ ବର୍ଷା ଦିନରେ ସେ ସବୁର ସୁବିଧା ମଧ୍ୟ ହୋଇ ପାରି ନଥାଏ। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।