Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତିର୍ତ୍ତୋଲ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ପବିତ୍ର କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ଏବଂ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ କୁମାର ଉତ୍ସବ ସମିତି ପକ୍ଷରୁ ଆୟୋଜିତ ‘ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଓ ପାଣି ଜୟନ୍ତୀ – ୨୦୨୩’ ସମାରୋହରେ ଯୋଗଦେଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତିର୍ତ୍ତୋଲର ମାଟିରେ ଏକ ପ୍ରକାର ମହକ ଅଛି। ଏହି ଅଞ୍ଚଳ ପୁରାତନ ସଭ୍ୟତା ସହ ଯୋଡି ହୋଇ ରହିଥିବା ଚୀନ ପରିବ୍ରାଜକ ହୁଏନସାଂଙ୍କ ଭଳି ଐତିହାସିକମାନେ ମତ ଦେଇଛନ୍ତି। ଅନେକ ପ୍ରାକୃତିକ ଝଡ଼ ଓ ବିପର୍ଯ୍ୟୟକୁ ସାମ୍ନା କରିବା ପରେ ମଧ୍ୟ ଲୋକମାନେ ନିର୍ଭୀକରେ ଜୀବନଯାପନ କରୁଛନ୍ତି। ମା’ ଶାରଳାଙ୍କ ପବିତ୍ର ପୀଠ ଏଠାରେ ଅବସ୍ଥାପିତ।

ଓଡ଼ିଆ ଜାତିର ଆଦିକବି ଶୁଦ୍ରମୂନି ସାରଳା ଦାସ, ଭକ୍ତକବି ଯଶୋବନ୍ତ ଦାସଙ୍କ ପରି ମହାପୁରୁଷଙ୍କ ଦ୍ୱାରା ଏହି ମାଟି ସମୃଦ୍ଧମୟ ହୋଇଛି। ଏହା ଶକ୍ତି ଓ ସାରସ୍ୱତ ସାଧନାର ମିଳନ ସ୍ଥଳୀ। ଆଜି ଭଳି ପବିତ୍ର ଦିନରେ ସେଭଳି ଗାଁକୁ ଆସିବା ମୋର ସୌଭାଗ୍ୟ।

ଆଜିର କାର୍ଯ୍ୟକ୍ରମରେ ପ୍ରଦର୍ଶିତ ମାଆ ଶାରଳାଙ୍କ ଘଟନୃତ୍ୟ ମୋତେ ବିସ୍ମିତ କରିଛି। ଏହି ସ୍ଥାନରୁ ମୁଁ ମୋ ଜୀବନର ଅବିସ୍ମରଣୀୟ ସ୍ମୃତି ନେଇ ଯାଉଛି। ‘କୁମାର ଉତ୍ସବ ସମିତି’ ଦୀର୍ଘ ୫୦ ବର୍ଷ ଧରି ଲୋକକଳା ମାଧ୍ୟମରେ ଆମ ଉତ୍କଳୀୟ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଥିବାରୁ ସମିତିର ସବୁ ବନ୍ଧୁ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଭତ୍ତା ଟଙ୍କା ନଗଦ ଦେବା ପ୍ରସ୍ତାବକୁ ବିରୋଧ କଲେ ଧର୍ମେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତି ଚିନ୍ତାଜନକ। ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି। ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ। ଏହି ସମସ୍ୟା ଆମ ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସୃଷ୍ଟି କରିପାରେ। ତେଣୁ ଡିବିଟି ପ୍ରକ୍ରିୟା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ।

ଓଡ଼ିଶାରେ ୨୦ ଲକ୍ଷ ୯୫ ହଜାର ୬୯୫ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଡିବିଟି ମାଧ୍ୟମରେ ସହାୟତା ପ୍ରଦାନ କରୁଛନ୍ତି । ଏହି ହିତାଧିକାରୀ କୌଣସି ଭ୍ରଷ୍ଟାଚାର ବିନା ସିଧାସଳଖ ନିଜ ବ୍ୟାଙ୍କ୍ ଖାତାରେ ସହାୟତ ରାଶି ପାଉଛନ୍ତି। ଡିବିଟି ବ୍ୟବସ୍ଥା କାରଣରୁ ରାଜକୋଷକୁ ସହାୟକ ହେବା ସହ ନକଲି କିମ୍ବା ଭୁତ ହିତାଧିକାରୀ ବାଦ୍ ପଡିଛନ୍ତି ଏବଂ ମଧ୍ୟସ୍ଥିଙ୍କ ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି ଏବଂ ଭ୍ରଷ୍ଟାଚାର ମୁକ୍ତ ଓ ସ୍ୱଚ୍ଛ ରହିଛି ।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେବା ଭିତ୍ତିରେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜାନୁଆରୀ ୨୦୨୩ ସୁଦ୍ଧା ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୮୨ ହଜାର ୨୬୧ ସକ୍ରିୟ ବ୍ୟାଙ୍କ୍ ମିତ୍ର ମହଜୁଦ୍ ଅଛନ୍ତି। ଏହାବ୍ୟତିତ ଓଡ଼ିଶାରେ ୮ ହଜାର ୪୯୧ଟି ପୋଷ୍ଟ ଅଫିସ ରହିଛି ଏବଂ ଏଥିରେ ଦୁର୍ଗମ ଏବଂ ଗ୍ରାମୀଣ ଅଞ୍ଚଳରେ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ଅଛନ୍ତି। ଭାରତୀୟ ଡାକର ଉପସ୍ଥିତି ଓ ଏହାର ବ୍ୟାପକ ନେଟଓ୍ୱାର୍କକୁ ଡିବିଟି ସହ ଉପଯୋଗ କରିବାର ଆବଶ୍ୟକତା ରହିଛି।

ଓଡ଼ିଶାରେ ୬ ହଜାର ୭୭୨ ଗ୍ରାମ ପଞ୍ଚାୟତକୁ ୨୨ ହଜାର ଜନସେବା କେନ୍ଦ୍ର ସେବା ପ୍ରଦାନ କରୁଛନ୍ତି । ଏହାର ଉପସ୍ଥିତି ଦ୍ୱାରା ଭାରତ ସରକାରଙ୍କ ଅନେକ ସାମାଜିକ ସୁରକ୍ଷା, ଆର୍ଥିକ ସେବା, କୃଷି ଏବଂ କୃଷକ କଲ୍ୟାଣକାରୀ ଯୋଜନା ସଫଳ ରୂପେ କାର୍ଯ୍ୟକାରୀ ହୋଇପାରିଛି।

ଡିବିଟି ଫ୍ରେମଓ୍ୱାର୍କ ସହିତ ବରିଷ୍ଠ ନାଗରିକ ଭତ୍ତା, ସାମାଜିକ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ ଆର୍ଥିକ ଯୋଜନାର ଅର୍ଥ ପ୍ରଦାନକୁ ବର୍ତ୍ତମାନ ଉପଲବ୍ଧ ବ୍ୟାଙ୍କ୍ ମିତ୍ର, ଭାରତୀୟ ଡାକର ବ୍ୟାପକ ନେଟଓ୍ୱାର୍କ ଓ ଜନସେବା କେନ୍ଦ୍ର ବ୍ୟବହାର କରାଯିବା ଦରକାର। ଏ ଗୁଡିକ ଅଭିନବ ଉପାୟରେ ଅପହଞ୍ଚ ଲୋକଙ୍କୁ ସେବା ପ୍ରଦାନ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଆସ ଆମେ ବଡ ସ୍ବପ୍ନ ଦେଖିବା

ଭୁବନେଶ୍ୱର: ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ଅବଧିରେ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ବ୍ୟବହାର କରିବା ଦିଗରେ ସ୍ୱପ୍ନ ଦେଖିବାକୁ ଓଡ଼ିଶାର ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ଭୁବନେଶ୍ୱର ଠାରେ ଯୁବ ସଂଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଆୟୋଜିତ ଯୁବ ଡାଏଲଗ୍ “ଓଡିଶା @୧୦୦ : ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା” କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଆସନ୍ତାକାଲି ଉତ୍କଳ ଦିବସ । ମୋ ମନରେ ସନ୍ଦେହ ନାହିଁ, ଆଗାମୀ ୧୩ ବର୍ଷ ପରେ ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବା ବେଳେ ଓଡ଼ିଶାର ରୂପରେଖ କଣ ହେବ? ଓଡିଆ ଯୁବଶକ୍ତିଙ୍କ ଭାବନାକୁ ଦେଖିଲେ ମୋର ବିଶ୍ୱାସ, ଏକବିଂଶ ଶତାବ୍ଦୀରେ ପରିବର୍ତ୍ତନର ପେଣ୍ଠସ୍ଥଳୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର ଭୂମି ଓଡ଼ିଶା ହିଁ ହେବ ।

ଓଡ଼ିଶାର ଅତୀତ କେବଳ ଗୌରବମୟ ନୁହେଁ, ତା’ର ବର୍ତ୍ତମାନ ମଧ୍ୟ ସମ୍ଭାବନାମୟ । ଏକଦା ବିକାଶ ଦୃଷ୍ଟିରୁ ପଛୁଆ କଳାହାଣ୍ଡି ଆଜି ଇତିହାସ ରଚୁଛି । ସାମାନ୍ୟ ଘରୁ ଆସିଥିବା ବୁର୍ଲା ଇଞ୍ଜିନିୟରିଂର ପିଲା ରକେଟ୍ ଓ ସାଟେଲାଇଟ୍ ମାଧ୍ୟମରେ ହୀରାକୁଦ ଡ୍ୟାମର ପାଣି ଓ ଗଭୀରତାକୁ ବୈଜ୍ଞାନିକ ପ୍ରକ୍ରିୟାରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । ବଲାଙ୍ଗୀରର ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ ‘ଗଗନଯାନ’ର ଅଂଶ ହୋଇଛନ୍ତି । ଓଡ଼ିଆ ଝିଅ ବୈଜ୍ଞାନିକ ସୁସ୍ମିତା ମହାନ୍ତିଙ୍କ ନାଁ ଫୋର୍ବ୍ସ ପତ୍ରିକାରେ ଆସୁଛି ।

ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାକୁ ଆଗକୁ ନେବା ପାଇଁ ସ୍ୱପ୍ନ ଦେଖୁଥିବା ୯ ଜଣ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତଙ୍କ ଅଭିଜ୍ଞତାକୁ ଶୁଣିବା ସହ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ । ସମ୍ବର୍ଦ୍ଧିତ ଯୁବ ଗୀତିକାର ଓ ଗବେଷକ ପ୍ରତୀକ ପଟ୍ଟନାୟକ, ୟୁଟ୍ୟୁବର ଇଶକ ମୁଣ୍ଡା, ଉଦ୍ୟୋଗୀ ମିନୁଶ୍ରୀ ମଧୁସ୍ମିତା, ଓ୍ୱିକିପିଡିଆରେ ସମ୍ପାଦନା କରୁଥିବା ସଂଗ୍ରାମ କେଶରୀ ସେନାପତି, ଯୁବ ଲେଖକ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ନିଜ ପ୍ରତିଭା ମାଧ୍ୟମରେ ଆଗକୁ ବଢିବାର ପ୍ରଚେଷ୍ଟା ଏବଂ ଇଚ୍ଛାଶକ୍ତି ଯୁବଶକ୍ତିଙ୍କ ପାଇଁ ପ୍ରେରଣାଦାୟୀ ।

କଣ୍ଠଶିଳ୍ପୀ ଅଭିପ୍ସା ପଣ୍ଡା, ଉଦ୍ୟୋଗୀ ବୀରେନ ସାହୁ, ପରିବେଶପ୍ରେମୀ ରାହୁଲ ମହାରଣା ଓ ସାହିତ୍ୟିକ ଦୀଲେଶ୍ୱର ରଣାଙ୍କ ଭଳି ସାମାନ୍ୟ ଘରର ପିଲାଙ୍କର ନିଜ ଦକ୍ଷତା ବଳରେ ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ଅଧିକ ପରିଚିତ କରାଇବା ଓ ବିଶ୍ୱକଲ୍ୟାଣ ଦିଗରେ ବ୍ରତୀ ହେବାର ପ୍ରଚେଷ୍ଟା ହିଁ ଓଡ଼ିଆ ଜାତିର ସ୍ୱପ୍ନ ଓ ସଂକଳ୍ପ ପୂର୍ଣ୍ଣ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱର ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବା ପାଇଁ ‘ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା’ । ନିଜ ପାଇଁ ନୁହେଁ ଅନ୍ୟ ମାନଙ୍କ ପାଇଁ ସ୍ୱପ୍ନ ଦେଖିବା । ନିଜର ସ୍ୱପ୍ନ ଲେଖି ୯୦୯୦୦୦୨୦୩୬ରେ ପଠାଇବା ପାଇଁ ଶ୍ରୀ ପ୍ରଧାନ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜନୀତିକୁ ଆସୁଥିବା ମହିଳାଙ୍କୁ ଅସମ୍ମାନ ଆଦୌ ଶୋଭନୀୟ ନୁହେଁ: ବିଜେଡି

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନିଜ ପିତାଙ୍କୁ ହରାଇଥିବା ଓଡିଆ ଆଦିବାସୀ ମହିଳା ବର୍ଷା ସିଂହ ବରିହାଙ୍କ ବିରୋଧରେ ଓଡ଼ିଶା ବିଜେପି ନେତାମାନେ କିପରି ଅପମାନିତ, ଅଶୋଭନୀୟ ଏବଂ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ କୁହାଯାଇଛି ଯେ “ନମ୍ରତାର ସହିତ ମୁଁ ରାଜ୍ୟ ବିଜେପି ନେତାମାନଙ୍କୁ ନିବେଦନ କରିବାକୁ ଚାହେଁ ଯେ ସାଧାରଣ ଜୀବନରେ ପ୍ରବେଶ କରୁଥିବା ମହିଳାଙ୍କୁ ଅସମ୍ମାନ କରାନଯାଉ, କାରଣ ଏଭଳି ଆଚରଣକୁ ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଓଡ଼ିଶାବାସୀ ଆଦୌ ପ୍ରଶଂସା କରିବେ ନାହିଁ।”

ବରିଷ୍ଠ ବିଜେପି ନେତା ଶ୍ରୀ ରମା ରଞ୍ଜନ ବଳିଆରସିଂ ଏବଂ ଅନ୍ୟମାନଙ୍କ ଲୁହ ଓଡିଶାର ଲୋକ ବିଶେଷକରି ମହିଳାମାନଙ୍କର ଭାବନାକୁ ସ୍ପଷ୍ଟ ଭାବେ ସୂଚିତ କରୁଛି ଯେ ପଦ୍ମପୁର ଉପନିର୍ବାଚନ ସମୟରେ ଓଡିଶା ବିଜେପିର ନେତାମାନେ ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ କିଭଳି ଅପମାନିତ କରିବା ସହିତ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ।

ଡକ୍ଟର ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ମହିଳାମାନେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ କି ବାର୍ତ୍ତା ଦେଉଛୁ। ଯଦି ତୁମେ ସାଧାରଣ ଜୀବନରେ ପ୍ରବେଶ କର ତେବେ ତୁମକୁ ଅପମାନିତ କରାଯିବ। ରାଜନୀତିରେ ମହିଳାମାନଙ୍କର ଅଂଶଗ୍ରହଣ ଭାରତରେ ବହୁତ କମ୍ ଅଟେ ଏବଂ ଏହି ପ୍ରକାରର ଅପମାନଜନକ ମନ୍ତବ୍ୟ ଏବଂ ଆଚରଣ ମହିଳାମାନଙ୍କୁ ରାଜନୀତିରେ ପ୍ରବେଶରୁ ଦୂରେଇ ଦେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେବଳ ବିଜେଡିର ସଭାପତି ନୁହଁନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କୁ ଓଡିଶାବାସୀ ବିଶ୍ୱାସ କରିଛନ୍ତି ଏବଂ ବିଶେଷକରି ମହିଳାମାନେ ତାଙ୍କୁ ଜଣେ ବରିଷ୍ଠ ଷ୍ଟେଟସ୍‍ମ୍ୟାନ ଭାବରେ ଦେଖନ୍ତି। ଏହାକୁ ପ୍ରତିପାଦନ କରିବା ତାଙ୍କର ନୈତିକ ଦାୟିତ୍ୱ ଅଟେ। ରାଜନୀତି ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏହା ହେଉଛି ମହିଳାଙ୍କ ସମ୍ମାନ ଏବଂ ସାଧାରଣ ଜୀବନରେ ସେମାନଙ୍କର ଅଂଶଗ୍ରହଣ ବିଷୟରେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଝିବା ଉଚିତ ଯେ ଏହା ରାଜନୀତିରେ ପ୍ରବେଶ କରୁଥିବା ମହିଳାଙ୍କ ପ୍ରତି ଅସମ୍ମାନ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବରେ ଗ୍ରହଣ ନକରିବା ଉଚିତ୍‍। ଏହି ପ୍ରକ୍ରିୟାରେ ସେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ବିବୃତ୍ତି ଭିତରକୁ ଟାଣିବାକୁ ଚେଷ୍ଟା କରିଛନ୍ତି ଯାହା ଦୁର୍ଭାଗ୍ୟଜନକ ଏବଂ ବିଭ୍ରାନ୍ତିକର।

ଆମେ ନିଶ୍ଚିତ ଯେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାମାନେ ବର୍ଷା ସିଂ ବରିହାଙ୍କ ସମେତ ଦେଶରେ ମହିଳାଙ୍କ ବିରୋଧରେ କରାଯାଉଥିବା ବ୍ୟକ୍ତିଗତ ଅପମାନଜନକ ବିବୃତ୍ତିକୁ ନିଶ୍ଚିତ ନିନ୍ଦା କରିବେ ବୋଲି ଡକ୍ଟର ପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରକୁ ସବଡିଭିଜନ କରିବା ପାଇଁ ନା ଅଛି ରାଜନୈତିକ ଇଚ୍ଛାଶକ୍ତି, ନା ହେଉଛି ଆନ୍ଦୋଳନ

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ପଦମପୁରକୁ ଜିଲ୍ଲା ଘୋଷଣା ହେବ ବୋଲି ଯୋଜନା ଚାଲିଛି। ଏହି ସମୟରେ ଅନ୍ୟ କେତେକ ଅଞ୍ଚଳକୁ ମଧ୍ୟ ଜିଲ୍ଲା ଘୋଷଣା କରିବା ଦାବୀ ଆରମ୍ଭ ହୋଇଯାଇଛି। ଏପରିକି କେତେ ଅଞ୍ଚଳବାସୀ ସବଡିଭିଜନ ଏବଂ କେତେକ ଏନଏସି ଘୋଷଣା ପାଇଁ ମଧ୍ୟ ଦାବୀ କରିବା ଆରମ୍ଭ କରିଦେଇଛନ୍ତି।

ତେବେ ଏ ସବୁ ଦାବୀ ଭିତରେ ଯଦି ନୂତନ ଉପଖଣ୍ଡ ବା ସବଡିଭିଜନ ମାନ୍ୟତା ତାଲିକା ଦେଖାଯିବ ତେବେ ରାଜ୍ୟରେ ସର୍ବାଗ୍ରେ ରହିବ ଖୋର୍ଦ୍ଧା ଜିଲ୍ଲା ବାଣପୁର ନାମ। କାରଣ ଇତିହାସର ପୃଷ୍ଠା ଯଦି ଓଲଟାଇବା ତେବେ ବାଣପୁରର ସ୍ଥାନ ସ୍ଵତନ୍ତ୍ର। ଏଠାର ମୁଖ୍ୟ ଆକର୍ଷଣ ହେଉଛି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ମନ୍ଦିର।

ଏଥିସହିତ ବେତ ତିଆରି କଳା ହସ୍ତଶିଳ୍ପୀ ପାଇଁ ସାର ଦେଶରେ ବାଣପୁରର ଏକ ନିଆରା ପରିଚୟ ସୃଷ୍ଟି କରିଛି। ଶାଳିଆ ଡ୍ୟାମ, ଦକ୍ଷେଶ୍ୱର ମନ୍ଦିର, ଡୁଡୁଆ ଜଳପ୍ରପାତ, ବରବରା ସ୍ଥିତ ଏସିଆର ସର୍ବବୃହତ ଶାଗୁଆନ ଜଙ୍ଗଲ ଆଦି ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ବାଣପୁରର ମାନକୁ ଆହୁରି ବୃଦ୍ଧି କରୁଛି।

ଐତିହାସିକ ଗୁରୁତ୍ୱ ଅନୁଯାୟୀ, ବାଣପୁର ଥିଲା ପାଇକ ବିଦ୍ରୋହର ଏକ କେନ୍ଦ୍ରସ୍ଥଳୀ। ପଲଟନ ପଡିଆ ଏହାର ମୂକସାକ୍ଷୀ। ସ୍ଵାଧୀନତା ପୂର୍ଵରୁ ଓ ପରେ ବହୁ ସୁଯୋଗ୍ୟ ସନ୍ତାନମାନଙ୍କୁ ସୃଷ୍ଟି କରିଛି ଏ ମାଟି। ଏହି ମାଟିରୁ ବହୁ ସ୍ଵାଧୀନତା ସଂଗ୍ରାମୀ, ଲେଖକ, କବି, ସମାଜସେବୀ, ମନ୍ତ୍ରୀ, ରାଜନେତା ସର୍ବଭାରତୀୟ ସ୍ତରରେ ସକ୍ରିୟ ଥିଲେ ଏବଂ ଏବେ ମଧ୍ୟ ରହିଛନ୍ତି।

ବାଣପୁରକୁ ସବଡିଭିଜନ ଦାବୀ କରିବା ଭୌଗଳିକ ଦୃଷ୍ଟି କୋଣରୁ ମଧ୍ୟ ଯଥାର୍ଥତା ରହିଛି। କାରଣ ଛୋଟ ଛୋଟ କାର୍ଯ୍ୟ ପାଇଁ ଜନସାଧାରଣଙ୍କୁ ଦୀର୍ଘ ୭୦ କିଲୋମିଟର ଦୂର ଖୋର୍ଦ୍ଧା ସବଡିଭିଜନକୁ ଯିବାକୁ ପଡୁଛି। ବହୁତ ଉନ୍ନୟନ ମୂଳକ କାର୍ଯ୍ୟର ଅଧିକାରୀଙ୍କ ଦସ୍ତଖତ ଲାଗି ମାସେ ମାସେ ଧରି ପଡ଼ି ରହୁଛି। ଗରିବ, ନିଷ୍ପେସିତ ଲୋକମାନେ ନିଜର ଅଭିଯୋଗ ଲାଗି ଖର୍ଚ୍ଚାନ୍ତ ହୋଇ ଖୋର୍ଦ୍ଧା ଯାଉଛନ୍ତି। ଉପଖଣ୍ଡ ବା ସବଡିଭିଜନ ହେଲେ ଏଠାରେ ବହୁତ ବିକାଶର ଚିତ୍ର ଆଙ୍କି ହୋଇପାରନ୍ତି।

ବର୍ତ୍ତମାନ ବାଣପୁରକୁ ପରିବହନ ଓ ଯୋଗାଯୋଗ ପାଇଁ ବହୁତ ସୁବିଧା ଅଛି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ମଧ୍ୟ ଅଛି। ବାଣପୁର ମେଡିକାଲ ୧୮୬୮ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନୁରୂପ ଭାବେ ବାଣପୁର ତହସିଲ ତାହାର ବହୁ ପୁର୍ବରୁ କାର୍ଯ୍ୟକ୍ଷମ ହୋଇଥିବାର ଲୋକକଥା ଅଛି। ଏତେ ପୁରୁଣା ବ୍ରିଟିଶ ଅମଳର ତହସିଲରେ ଜନସଂଖ୍ୟା ହୁ ହୁ ବଢୁଛି। କିଂତୁ ସବୁ ବ୍ୟବସ୍ଥା ପରେ ବି ଇଛା ଶକ୍ତି ନଥିବାରୁ ବାଣପୁର ଉପଖଣ୍ଡ ବା ସବଡିଭିଜନ ହୋଇ ପାରୁନାହିଁ।

ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ବାଣପୁରର ଐତିହାସିକ ପଲଟନ ପଡିଆକୁ ପ୍ରଚାରରେ ଆସିଥିବା ବେଳେ ଏହାକୁ ସବଡିଭିଜନ ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ବାଣପୁରବାସୀ ସ୍ଥାନୀୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବହୁ ମତରେ ବିଜୟ ମଧ୍ୟ କରାଇଲେ। କିନ୍ତୁ ବର୍ତ୍ତମାନ ସରକାର ଗଠନ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ପୂର୍ଵରୁ ଏହି ସ୍ଥାନକୁ କେନ୍ଦ୍ରମନ୍ତୀ ବି ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ, ସେହି ପ୍ରତିଶୃତି ମଧ୍ୟ ଦେଇଥିଲେ। ଅବଶ୍ୟ ସେମାନେ ଏଠାରୁ ଜନମତ ପାଇ ପାରି ନ ଥିଲେ ସତ କିନ୍ତୁ ପରାଜୟ ପରେ ସେମାନେ ମଧ୍ୟ କେବେ ଏ ବିଷୟରେ ଆଉ ସ୍ବର ଉତ୍ତୋଳନ କଲେ ନାହିଁ। ଅନ୍ୟପକ୍ଷରେ ନିର୍ବାଚନ ପୂର୍ଵରୁ ଯେଉଁ ବୁଦ୍ଧିଜୀବିମାନେ ବାଣପୁର ଉପଖଣ୍ଡ ପାଇଁ ଆନ୍ଦୋଳନ କରୁଥିଲେ ସେମାନେ ସମସ୍ତେ ମଧ୍ୟ ପ୍ରାୟ ନିଷ୍କ୍ରିୟ ହୋଇଗଲା ପରି ମନେହୁଏ।

ତେବେ ଆଗାମୀ ଦିନରେ ପୁଣି ସାଧାରଣ ନିର୍ବାଚନ ଆସୁଥିବା ବେଳେ ପୁନଶ୍ଚ ନେତାମାନେ ଏହି ନିର୍ବାଚନୀ ଧୂଆଁ ବାଣ ଛାଡ଼ିବେ, ଏଥିରେ କୌଣସି ସନ୍ଦେହ ନାଇଁ। କିନ୍ତୁ ଜନତା ଏଥର ଫାଙ୍କା ପ୍ରତିଶୃତିରେ ଆସିବେ ନାହିଁ ବୋଲି କହିଲେଣି। ବେଳ ଥାଉ ଥାଉ ବେଣୀ ବାନ୍ଧିଲା ପରି ଯଦି ନିର୍ବାଚନ ପୂର୍ବରୁ ଏହି ଦାବି ପୁରଣ ନ ହୁଏ ତେବେ ଭୋଟର ବି ତାଙ୍କ ଆକ୍ରୋଶ ଭୋଟରେ ଦେଖାଇବେ ବୋଲି ଚର୍ଚ୍ଚା ଜୋର ଧରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଫସଲ ବୀମା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାଣନ୍ତୁ କଣ ହେଲା ନିଷ୍ପତି

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କୃଷକ ସଂଗଠନର ଅପେକ୍ଷା କ୍ରମେ ପୁଣି ଥରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ଓଡ଼ିଶାର ଚାଷୀଙ୍କ ବୀମାରାଶି ସମେତ ବିଭିନ୍ନ ସମସ୍ୟା ନେଇ ବିସ୍ତୁତ ଆଲୋଚନା କରିବା ସହ ଏ ସଂକ୍ରାନ୍ତୀୟ ଏକ ଚିଠି ପ୍ରଦାନ କରିଛନ୍ତି ।

ଓଡ଼ିଶା ସମେତ ବରଗଡ଼ ଜିଲ୍ଲା ଓ ପଦ୍ମପୁର ଅଞ୍ଚଳର ଚାଷୀଙ୍କ ବୀମାରାଶି ଏବଂ ରାଜ୍ୟ ସରକାର ଓ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ଓ ଫସଲ ବୀମାରାଶି ତଥା ହିତାଧିକାରୀଙ୍କ ତଥ୍ୟ ବିଷୟରେ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର ଚାଷୀଙ୍କ ସମସ୍ୟାକୁ ବୁଝିବା ସହ ବିଭାଗୀୟ ଅଧିକାରୀଙ୍କୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବରଗଡ଼ ଗସ୍ତ ସମୟରେ ସେଠାକାର ଚାଷୀମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ଚୟନ କରାଯାଇଥିବା ଏଚଏଡିଏଫସି ଆର୍ଗୋ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ମାଧ୍ୟମରେ ୨୦୨୧ ଖରିଫ ଋତୁର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବୀମାରାଶିକୁ ପୁଣି ଥରେ ସମୀକ୍ଷା କରିବା ପାଇଁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହିତାଧିକାରୀଙ୍କୁ ବୀମାରାଶି ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ଏଚଡିଏଫସି ଆର୍ଗୋ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ବରଗଡ଼ ଜିଲ୍ଲାର ପାଇକମାଳ, ଝରାବନ୍ଧ, ପଦ୍ମପୁର, ଗାଇସିଲେଟ୍, ସୋହେଲା ଏବଂ ବିଜେପୁର ବ୍ଲକରେ ୨୦୨୧ ଖରିଫ ଋତୁରେ ମରୁଡି ପରିସ୍ଥିତି ଯୋଗୁଁ କ୍ଷୟକ୍ଷତି ହୋଇଥିବା ଚାଷର ବୀମା ଅର୍ଥ ବହୁତ କମ୍ ପ୍ରଦାନ କରିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ଓଡ଼ିଶା ସରକାର ଓ ବୀମା କମ୍ପାନୀ ଦ୍ୱାରା ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ତଥ୍ୟ ଯୋଗୁଁ ସ୍ୱଳ୍ପ ବୀମାରାଶି ମିଳିଥିବା ସେମାନେ କହିଥିଲେ।

ରାଜ୍ୟରେ ଫସଲ ଅମଳ ପରୀକ୍ଷା କରିବାର ଦାୟିତ୍ୱ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ଏବଂ ଯୋଜନା ଏବଂ ସମନ୍ୱୟ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏଡିଏମଙ୍କୁ ଏହାର ତଦାରଖ ଦାୟିତ୍ୱ ଦିଆଯାଇଛି । ପରିତାପର ବିଷୟ, ଫସଲ ଅମଳ ପରୀକ୍ଷା ବୈଜ୍ଞାନିକ ପଦ୍ଧତିରେ କରାନଯିବା ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ବୀମା କମ୍ପାନୀ ମଧ୍ୟରେ ଥିବା ଅସାଧୁ ମେଣ୍ଟକୁ ସ୍ପଷ୍ଟ କରୁଛି । ଫଳସ୍ୱରୂପ ଅନେକ ଗ୍ରାମ ପଞ୍ଚାୟତରେ ୭୬.୫୬ ହାରରେ ବୀମାରାଶି ମିଳିବାର ଆଶା କରାଯାଉଥିବା ବେଳେ ମାତ୍ର ୫ ପ୍ରତିଶତ ବୀମାରାଶି ପୈଠ କରାଯାଇଛି ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବେସରକାରୀ ବୀମା କମ୍ପାନୀ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ମିଶି ଫସଲ ଅମଳ ପରୀକ୍ଷାରେ ହେରଫେର୍ କରିଥିବା କାରଣରୁ ଅପେକ୍ଷାକୃତ କମ୍ ବୀମାରାଶି ପୈଠ କରାଯାଇଛି । ସ୍ଥାନୀୟ ପ୍ରଶାସନର ଉଦାସୀନତା ଏବଂ ବେସରାକରୀ କମ୍ପାନୀ ଏଚଡିଏଫସିର ଚଞ୍ଚକତା କାରଣରୁ ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାଟମଣା ହୋଇଛି । ଏହାକୁ ଗୁରୁତ୍ୱର ସହ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।

ବ୍ୟକ୍ତିଗତ ସ୍ତରରେ ଏହାକୁ ତଦନ୍ତ କରିବା, ପିଏମ ଫସଲ ବୀମା ଯୋଜନାକୁ ସଠିକ୍ ରୂପେ କାର୍ଯ୍ୟକାରୀ କରିବା, ଫସଲ ଅମଳ ପରୀକ୍ଷାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଚଞ୍ଚକତା ଓ ରାଜ୍ୟରେ ପିଏମ ଫସଲ ବୀମା ଯୋଜନାରେ ଅନ୍ତର୍ଭୃକ୍ତ କରାଯାଇଥିବା ବେସରକାରୀ ବୀମା କମ୍ପାନୀର ପରିଚାଳନା ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ନେଇ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କ ସୁରକ୍ଷା କବଚ । ଏହି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥିବା ଫସଲ ପାଇଁ ଚାଷୀଙ୍କୁ ୧ ଲକ୍ଷ ୨୪ ହଜାର କୋଟିରୁ ଅଧିକ ଟଙ୍କା ବୀମାରାଶି ବ୍ୟାଙ୍କ୍ ଖାତାରେ ଜମା କରାଯାଇସରିଛି । ଏହି ଯୋଜନାରେ ବୀମା କମ୍ପାନୀର ଚୟନ ରାଜ୍ୟ ସରକାରମାନେ କରନ୍ତି । ଓଡ଼ିଶାରେ ମଧ୍ୟ ବୀମା କମ୍ପାନୀର ଚୟନ ଓଡ଼ିଶା ସରକାର କରିଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ହେଲେ ରାଜ୍ୟ ସରକାର ସର୍ବେକ୍ଷଣ କରି ଏହାକୁ ବୀମା କମ୍ପାନୀ ସହ ତଥ୍ୟ ପ୍ରଦାନ କରିବେ । କମ୍ପାନୀ ଓ ସରକାରର ଆକଳନ ସଠିକ୍ ରହିଲେ କେନ୍ଦ୍ର ସରକାର ସେହି ବିଷୟରେ ହସ୍ତକ୍ଷେପ କରନ୍ତି ନାହିଁ । ଓଡ଼ିଶାର ଯେବେ ବି ସମସ୍ୟା ଉତ୍ପନ୍ନ ହୋଇଛି କେନ୍ଦ୍ର ସରକାର ହସ୍ତକ୍ଷେପ କରି ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି ।

ବରଗଡ଼ ଜିଲ୍ଲାର ଚାଷୀ ସମସ୍ୟା ଭାରତ ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଏହାର ସମାଧାନ କରାଯାଇଛି । ରାଜ୍ୟ ସରକାର ବୀମା କମ୍ପାନୀ ଠାରୁ ହିତାଧିକାରୀଙ୍କ ପଇସା ପ୍ରଦାନ କରନ୍ତୁ । ଚାଷୀଙ୍କ ବିଷୟ ତଥା ପିଏମ ଫସଲ ବୀମା ଯୋଜନାର ରାଜନୀତିକରଣ କରିବା ଉଚିତ୍ ନୁହେଁ । ଆମ ପ୍ରାଥମିକତା ଚାଷୀଙ୍କ ହିତ ଦୃଷ୍ଟିରେ ରହିବା ଉଚିତ୍ ଏବଂ ଭାରତ ସରକାର ସବୁବେଳେ ଚାଷୀଙ୍କ ହିତରେ ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ସରକାର ମଧ୍ୟ ପଞ୍ଚାୟତ ସ୍ତରରେ ଫସଲ କ୍ଷୟକ୍ଷତି ନେଇ ପରୀକ୍ଷା କରିବା ସହ କେନ୍ଦ୍ରକୁ ଅବଗତ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Categories
ଖେଳ ଜାତୀୟ ଖବର ବିଶେଷ ଖବର

‘ଫୁଟବଲ୍ ଫର୍ ସ୍କୁଲ’ ପାଇଁ ଏମଓୟୁ, ୨ କୋଟି ୫୦ ଲକ୍ଷ ସ୍କୁଲ ପିଲା ଏହି ଖେଳ ସହ ଯୋଡି ହେବେ

ମୁମ୍ବାଇ/ଭୁବନେଶ୍ୱର: ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର‌୍ୟ୍ୟକ୍ରମକୁ ଆରମ୍ଭ କରିବା ପାଇଁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଫିଫାର ସଭାପତି ଜିଆନି ଇନଫାନଟିନୋ ଏବଂ ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ ଏହି ଏମଓୟୁରେ ସ୍ୱାକ୍ଷର କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଫୁଟବଲ ହେଉଛି ଏକ ଲୋକପ୍ରିୟ ଖେଳ। ମୁଁ ପିଲାବେଳେ ଫୁଟବଲ୍ ଖେଳୁଥିଲି। ଆଜି ଦେଶରେ ଫୁଟବଲକୁ ପ୍ରାଥମିକତା ଦିଆଯାଉଥିବା ବେଳେ ‘ଫୁଟବଲ୍ ଫର୍ ସ୍କୁଲ’ କାର‌୍ୟ୍ୟକ୍ରମ ମୋତେ ବ୍ୟକ୍ତିଗତ ଭାବେ ଆନନ୍ଦ ଦେଇଛି।

ଆଗାମୀ ୪ ବର୍ଷ ମଧ୍ୟରେରେ ଫିଫା ଓ ଏଆଇଏଫଏଫ ସହଯୋଗରେ ଦେଶର ୭୦୦ରୁ ଅଧିକ ଜିଲ୍ଲାରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲରେ ‘ଫୁଟବଲ ଫର୍ ସ୍କୁଲ’ କାର‌୍ୟ୍ୟକ୍ରମକୁ ଯୋଡାଯିବ। ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଫୁଟବଲ କ୍ରୀଡା ସହ ଯୋଡାଯିବାର ଯୋଜନା ରହିଛି।

ପିଲାଙ୍କୁ ଶାରୀରିକ ରୂପେ ସୁସ୍ଥ ରଖିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଥିବା ବେଳେ ଶିକ୍ଷାକୁ ସର୍ବସ୍ପର୍ଶୀ କରିବା, ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଫୁଟବଲ କ୍ରୀଡାକୁ ସକାରାତ୍ମକ ମାଧ୍ୟମ ଭାବେ ବ୍ୟବହାର କରାଯାଉଛି। ଏହାବ୍ୟତିତ ଦେଶରେ ନୂଆ କ୍ରେଡିଟ ଫ୍ରେମଓ୍ୱାର୍କର ପ୍ରଣୟନ କରାଯାଉଛି।

ଆଗାମୀ ଦିନରେ କ୍ରୀଡ଼ାକୁ କ୍ରେଡିଟ ଫ୍ରେମଓ୍ୱାର୍କର ରୂପାନ୍ତରଣ କରାଯିବ। ଦେଶର ପ୍ରଥମେ ପାଠ ପଢୁ ନଥିବା ପିଲା ଅଧିକ ଖେଳଖେଳି କରନ୍ତି ବୋଲି ଧାରଣା ଥିଲା। ମାତ୍ର ଏହି ଧାରଣା ଏବେ ଦୂର ହେଉଛି। ଏବେ ମୋଦି ସରକାର ଖେଳକୁ ହିଁ ପାଠପଢାର ମାନ୍ୟତା ଦେଉଛନ୍ତି। ଆସନ୍ତା ଦିନ ମାନଙ୍କରେ ପିଲାଙ୍କ ପାଠ୍ୟ ପୁସ୍ତକରେ ଫୁଟବଲ ଭଳି ଶାରିରୀକ କ୍ରୀଡାକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି କାର‌୍ୟ୍ୟକ୍ରମରେ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ, ମହାରାଷ୍ଟ୍ରର ସ୍କୁଲ ଶିକ୍ଷା ମନ୍ତ୍ରୀ ଦୀପକ କେସରକର, ଫୁଟବଲ ଫର୍ ସ୍କୁଲର ନିର୍ଦ୍ଦେଶିକା ଫତିମା ସିଦିବେ ଓ ଭାରତୀୟ ଫୁଟବଲ ଟିମର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ, ତହିଁରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନ

ଭୁବନେଶ୍ବର, ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସହିତ ସଂପ୍ରସାରଣ ହେବ। ଏ ନେଇ ଜାତୀୟ ଗଣ ମାଧ୍ୟମରେ ଚାଲିଛି ଚର୍ଚ୍ଚା। ତେବେ ପ୍ରଧାନମନ୍ତ୍ରୀଙ୍କ ଘନଘନ ବୈଠକ, ମନ୍ତ୍ରୀମାନଙ୍କ ସହିତ 1-2-1  ଆଲୋଚନା ଏହି ଅଦଳବଦଳକୁ ନିଶ୍ଚିତ କରିଦେଇଛି। ଯେଉଁଦିନଠାରୁ ଏହି ଖବର ଆସିଲାଣି ସେହି ଦିନଠାରୁ କିଏ ମନ୍ତ୍ରୀ ହେବ, କିଏ ବାହାରିବ ସେ ନେଇ ଚର୍ଚ୍ଚା ଜାରୀ ରହିଛି।

ବର୍ତ୍ତମାନ ଓଡିଶାରୁ କିଏ ମନ୍ତ୍ରୀ ହେବ କିଏ ବାହାରିବ ସେ ନେଇ ମଧ୍ୟ ଆଲୋଚନା ଚାଲିଛି। ତେବେ ଏହି ଚର୍ଚ୍ଚା ଭିତରେ ସମସ୍ତଙ୍କର ନଜର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ରହିଛି। କାରଣ ଧର୍ମେନ୍ଦ୍ର 2014 ମସିହାରୁ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ଏବଂ ମୋଦିସାହାଙ୍କ ବେଶ ଘନିଷ୍ଠ ମଧ୍ୟ ଅଛନ୍ତି।  ସେ ହେଉଛନ୍ତି ଏପରି ଜଣେ ମନ୍ତ୍ରୀ ଯେ କି ମୋଦି ସରକାରର ଦୁଇ ପାଳିରେ ଗୋଟିଏ ବିଭାଗ ଦାୟିତ୍ବରେ ରହିଛନ୍ତି।

ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟାରେ ଧର୍ମେନ୍ଦ୍ର ରହିବେ ନା ଯିବେ ସେ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ତେବେ ଦିଲ୍ଲୀ ଗଣମାଧ୍ୟମ ଚର୍ଚ୍ଚା ଅନୁସାରେ ଧର୍ମେନ୍ଦ୍ରଙ୍କୁ ବର୍ତ୍ତମାନ କେହି ହଲାଇ ପାରିବେ ନାହିଁ। କାରଣ ତାଙ୍କର ଦିଲ୍ଲୀରେ ଯେପରି ଦବଦବା ରହିଛି ସେଥିରେ ସେ ଆହୁରି ଶକ୍ତିଶାଳୀ ହେବା ସିନା ହଟିବେ ନାହିଁ।

ତେବେ ବିଶେଷ ସୁତ୍ରରୁ ଯାହା ଖବର ମିଳିଛି ସେହି ଅନୁସାରେ ଧର୍ମେନ୍ଦ୍ରଙ୍କ ବିଭାଗ ବଦଳି ଯାଇପାରେ। କାରଣ ସେ ଦୀର୍ଘ ବର୍ଷ ଧରି ପେଟ୍ରୋଲିୟମ ବିଭାଗ ଦାୟିତ୍ବରେ ରହିଆସିଛନ୍ତି। ବର୍ତ୍ତମାନ ଦେଶରେ ପେଟ୍ରୋଲ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଫଳରେ ଦେଶର ସାଧାରଣ ଖାଉଟି ହନ୍ତସନ୍ତ ହେଲେଣି। ଏପରି ପରିସ୍ଥିତିରେ ଲୋକଙ୍କ ବିଶ୍ବାସଭାଜନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ବିଭାଗ ପରିବର୍ତ୍ତନ କରିପାରନ୍ତି ବୋଲି ଜଣାପଡିଛି।

ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ପାଖରେ ଦୁଇଟି ଗୁରତ୍ବ ପୂର୍ଣ୍ଣ ପେଟ୍ରୋଲିୟମ ଏବଂ ଇସ୍ପାତ ବିଭାଗ ରହିଛି। ଯେହେତୁ ମନ୍ତ୍ରୀ ମଣ୍ଡଳ ସଂପ୍ରସାର କରାଯାଉଛି ଏବଂ ନୂଆ ମୁହଁଙ୍କୁ ସାମିଲ କରାଯିବ, ସେଥିପାଇଁ ମନ୍ତ୍ରୀମାନଙ୍କ ହାତରେ ଆଉ ବହୁ ବିଭାଗ ରହିବ ନାହିଁ। ସେହି ଅନୁସାରେ ଧର୍ମେନ୍ଦ୍ରଙ୍କର ମଧ୍ୟ ଦୁଇଟି ବିଭାଗ ବଦଳରେ ଗୋଟିଏ ବିଭାଗର ମନ୍ତ୍ରୀ ହେବାର ସମ୍ଭାବନା ରହିଛି। ତେବେ ଏହି ଅଦଳବଦଳ ପକ୍ରିୟାରେ ଧର୍ମେନ୍ଦ୍ର ଆହୁରି ଶକ୍ତିଶାଳୀ ହେବେ ବୋଲି ଦିଲ୍ଲୀରେ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଓଡିଶାର ଭାଗ୍ୟ, ବାହାରିବେ ଜଣେ ପଶିବେ ଆଉ ଜଣେ

ଭୁବନେଶ୍ବର, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ତଥା ସଂପ୍ରସାରଣ ନେଇ ଜାତୀୟ ରାଜନୀତି ବେଶ ସରଗରମ ହୋଇ ଉଠିଛି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବୈଠକ ଏହି ଚର୍ଚ୍ଚାକୁ ଆହୁରି ତାଜା କରୁଛି। ସେହିପରି କେତେବେଳେ ମନ୍ତ୍ରୀ ରାଜନାଥ ସିଂ, କେତେବେଳେ ମନ୍ତ୍ରୀ ନୀତିନ ଗଡକରିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଏହି ଅଦଳବଦଳ ସନ୍ଦେହକୁ ଦୃଢିଭୂତ କରୁଛି।

ତେବେ ଜାତୀୟ ରାଜନୀତିରେ ଯେପରି ଚର୍ଚ୍ଚା ଚାଲିଛି ଓଡିଶା ରାଜନୀତିରେ ମଧ୍ୟ ଏହାକୁ ନେଇ ବେଶ କିଛି ଦିନ ଧରି ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ସେଥିମଧ୍ୟରେ ରହିଛି ଓଡିଶାରୁ ଜଣେ ମନ୍ତ୍ରୀ ହଟିବେ, ଆଉ ନୂଆ ଜଣେ ପଶିବେ। ତେବେ କିଏ ବାହାରିବେ କିଏ ପଶିବେ ସେ ନେଇ ଚାଲିଛି ଅଙ୍କ କଷା।

ବର୍ତ୍ତମାନ କେନ୍ଦ୍ରରେ ଓଡିଶାରୁ ଦୁଇଜଣ ମନ୍ତ୍ରୀ ଅଛନ୍ତି। ଜଣେ ହେଲେ ଧର୍ମେନ୍ଦ୍ର ପ୍ରଧାନ ଆଉ ଜଣେ ପ୍ରତାପ ଷଡଙ୍ଗୀ। ତେବେ ଏହି ଦୁଇଜଣଙ୍କ ମଧ୍ୟରୁ ଧର୍ମେନ୍ଦ୍ରଙ୍କ କେନ୍ଦ୍ରରେ ଦବଦବା ସବୁଠାରୁ ଅଧିକ। ସେଥିପାଇଁ ତାଙ୍କୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ କରାଯାଇଛି। ନିକଟ ଭବିଷ୍ୟତରେ ତାଙ୍କ ଦବଦବାରେ କେହି ହାତ ମାରିବାର ନାହିଁ। ତେବେ ଯେଉଁ ମନ୍ତ୍ରୀ ହଟିବାର ଚର୍ଚ୍ଚା ହେଉଛି ସେ ହେଉଛନ୍ତି ପ୍ରତାପ ଷଡଙ୍ଗୀ।

ପ୍ରତାପ ଷଡଙ୍ଗୀଙ୍କୁ ହଟାଇବାର କାରଣରେ କୁହାଯାଉଛି ଯେ ତାଙ୍କର ଦକ୍ଷତା ଭଲ ନାହିଁ। ନିଜ ବିଭାଗକୁ ଠିକରେ ସମ୍ଭାଳିବାରେ ସେ ଅକ୍ଷମ। ତେବେ ସବୁଠାରୁ ଯେଉଁ ଗୁରୁତ୍ବପୂର୍ଣ୍ଣ କଥା ରହିଛି ତାହା ହେଲା ରାଜ୍ୟ ରାଜନୀତିରେ ବିଜେପିର ସେପରି କିଛି ପରିବର୍ତ୍ତନ ହୋଇପାରିଲା ନାହିଁ।

ପ୍ରତାପ ଷଡଙ୍ଗୀ ଯେତେବେଳେ କେନ୍ଦ୍ରମନ୍ତ୍ରୀ ହେଲେ ସେତେବେଳେ ଜାତୀୟ ଗଣମାଧ୍ୟମରେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଏପରିକି ତାଙ୍କୁ ଓଡିଶାର ଯୋଗୀ ଆଦିତ୍ୟନାଥ ବୋଲି କୁହାଗଲା। ଓଡିଶାରେ ବିଜେପିକୁ ଶକ୍ତିଶାଳୀ କରିବାରେ ସେ ବହୁତ କିଛି କରିବେ ବୋଲି କେନ୍ଦ୍ରୀୟ ନେତା ଆଶା କରିଥିଲେ। ହେଲେ ପ୍ରତାପଙ୍କ ମନ୍ତ୍ରୀତ୍ବରେ ରାଜ୍ୟ ବିଜେପିର କୌଣସି ପରିବର୍ତ୍ତନ ହେଲା ନାହିଁ।

ତେବେ ସବୁଠାରୁ ବଡ ଝଟକା ହେଲା ବାଲେଶ୍ବର ଉପନିର୍ବାଚନ। ଏହି ନିର୍ବାଚନ ମଣ୍ଡଳିଟିରେ ପୂର୍ବରୁ ବିଜେପି ବିଧାୟକ ଥିଲେ, ବିଜେପିର ସଂଗଠନ ଥିଲା, ଏଥିସହିତ ତାହା ଖୋଦ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନ ମଣ୍ଡଳି। ଏପରି କ୍ଷେତ୍ରରେ ସେଠାରେ ବିଜେପି ପ୍ରାର୍ଥୀ ହାରିବା କେନ୍ଦ୍ରୀୟ ନେତୃବୃନ୍ଦ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି।

ପ୍ରତାପ ଷଡଙ୍ଗୀଙ୍କୁ ବଦଳାଇ ଓଡିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ବନୀ ବୈଷ୍ଣବଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ଚାଲିଛି। ଏହା ଉଭୟ ରାଜ୍ୟ ତଥା ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ଅଶ୍ବନୀ ବୈଷ୍ଣବଙ୍କ ଦବଦବା ମଧ୍ୟ ରହିଛି। ସେଥିପାଇଁ ସେ ମନ୍ତ୍ରୀ ମଣ୍ଡଳରେ ସାମିଲି ହେବା ନିଶ୍ଚିତ ବୋଲି ଜଣାପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ପାଇଁ ଭାରତ ପ୍ରସ୍ତୁତ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜିକୁ ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍ ଷ୍ଟିନ୍‌ଞ୍ଜଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡ(ଆଇଓପି)ର ଉଦଘାଟନ ହୋଇଛି।

ଏହି ଯୌଥ ଉଦ୍ୟୋଗ ମାଧ୍ୟମରେ ଦେଶରେ ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ଏବଂ ବ୍ୟବହାର ଯୁକ୍ତ ଆଲୁମିନିୟମର ପୁନଃବ୍ୟବହାର କରିବା ପାଇଁ ଆଗାମୀ ଦିନରେ ଯୋଜନା ରଖାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ,ଆଇସି ଫିନର୍ଜି ପ୍ରାଇଭେଟ୍‌ ଲିମିଟେଡ ହେଉଛି ଇଣ୍ଡିଆନ ଅଏଲ ଏବଂ ଇସ୍ରାଏଲର ଫିନର୍ଜି କମ୍ପାନୀର ଯୋଥ ଉଦ୍ୟୋଗ ।

ଏହି କମ୍ପାନୀ ଭାରତୀୟ ଅଟୋମୋଟିଭ୍ ଉତ୍ପାଦନକାରୀ କମ୍ପାନୀକୁ ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜି ଯୋଗାଇବା ଇଣ୍ଡିଆନ ଅଏଲ ଏବଂ ଫିନର୍ଜି କମ୍ପାନୀ ସ୍ୱଚ୍ଛ, ସ୍ଥାୟୀ, ସୁଲଭ ଏବଂ ସୁରକ୍ଷିତ ଉର୍ଜାକୁ ଗୁରୁତ୍ୱ ଦେଇ ଏହାକୁ ଉପଲବ୍ଧ କରିବା ସହ ନୂଆ ଯାତ୍ରା ଆରମ୍ଭ କରିଥିବାରୁ ଏହି ଦୁଇ କମ୍ପାନୀକୁ ସେ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି ଯେ ଅଟୋମୋଟିଭ୍ କ୍ଷେତ୍ରରେ ଆଲୁମିନିୟମ ଏୟାର ଟେକ୍ନୋଲୋଜିର ବ୍ୟବସାୟକୁ ସହଯୋଗ କରିବା ପାଇଁ ଇଣ୍ଡିଆନ ଅଏଲ-ଫିନର୍ଜି ପ୍ରାଇଭେଟ ଲିମିଟେଡ୍ ସହ ଅଟୋମୋଟିଭ୍ ଉତ୍ପାଦନକାରୀ ମାରୁତି ସୁଜୁକି ଏବଂ ଅଶୋକ ଲେଲ୍ୟାଣ୍ଡ ମଧ୍ୟରେ ଲେଟର ଅଫ୍ ଇଂଟେଟ୍ ନେଇମଧ୍ୟ ଆଜି ଚୁକ୍ତି ହୋଇଯାଇଛି । ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ଼ ଉପଲବ୍ଧି । ଏହି ଟେକ୍ନୋଲୋଜି ପରିବହନ କ୍ଷେତ୍ରରେ ପ୍ରଦୂଷଣ କମାଇବାରେ ସହାୟକ ହେବ ।

ଏହି ଯୌଥ ଉଦ୍ୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟରେ ନୂଆଦିଲ୍ଲୀ ଠାରେ ୨୦୧୮ରେ ହୋଇଥିବା ବୁଝାମଣା ପତ୍ର(ଏମଓୟୁ)ର ପ୍ରତିଫଳନ । ପ୍ରଦୂଷଣ କମକରିବା ଭଳି ଉର୍ଜା ମାଧ୍ୟମରେ ଭାରତ ଜଳବାୟୁ ପରିବର୍ତନକୁ ହ୍ରାସ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦର୍ଶାଇଛିା ଏହା ଭବିଷ୍ୟତ ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ପଦକ୍ଷେପ ଆଲୁମିନିୟମ ଏୟାର ବ୍ୟାଟେରୀ ପରିସଂସ୍ଥାନର ସ୍ୱଦେଶୀ ବିକାଶକୁ ସୁବିଧା ପ୍ରଦାନ କରିବା ସହ ବିଦ୍ୟୁତଚାଳିତ ଯାନବାହାନର ଟେକ୍ନୋଲୋଜି କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆକୁ ମଜବୁତ୍ କରିବ । ଏହାସହ ଅନ୍ୟାନ୍ୟ ସ୍ୱଚ୍ଛ ଉର୍ଜା ଦିଗରେ ଗବେଷଣା ଏବଂ ବିକାଶ, ଟେକ୍ନୋଲୋଜି ଟ୍ରାନ୍ସଫର, ପୁଞ୍ଜିନିବେଶ, କ୍ଷମତା ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କାରଣ କଣ ଜାଣିଛନ୍ତି କି ?

ଭୁବନେଶ୍ବର, ଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଗତାକାଲି ଧର୍ମେନ୍ଦ୍ରଙ୍କ ଭୁବନେଶ୍ବରର ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି। ତେବେ ସେ ଏକା ନୁହଁନ୍ତି ତାଙ୍କର କିଛି ସମର୍ଥକ ସହ ଏହି ସାକ୍ଷାତ କରିଛନ୍ତି। ଉଭୟଙ୍କ ଭେଟାଭେଟି ସମୟର ଫଟୋ ମଧ୍ୟ ଉଠାଯାଇଛି। କାରଣ ହେଲା ନୂଆ ବର୍ଷର ଅଭିନନ୍ଦନ କରିବା । ଧର୍ମେନ୍ଦ୍ରଙ୍କୁ ଏକ ସୁନ୍ଦର ଫୁଲତୋଡା ମଧ୍ୟ ଅପରାଜି ଭେଟି ଦେଇଛନ୍ତି।

ତେବେ ନୂଆବର୍ଷ ଅଭିନନ୍ଦନ ଜଣାଇବା କିଛି ନୂଆ କଥା ନୁହେଁ। ହେଲେ ଅପରାଜିତା ପରି ନେତ୍ରୀ ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ଅଭିନନ୍ଦନ କରିବା ଘଟଣା ଟିକିଏ ଖାପଛଡା ଲାଗୁଛି। କାରଣ ବିଗତ କିଛି ମାସ ଧରି ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଯେପରି ଶୀତଳ ଯୁଦ୍ଧ ଚାଲିଛି ତାହା ସମସ୍ତଙ୍କୁ ଜଣା। ଉଭୟ ଗୋଟିଏ ଦଳର ହେଲେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ରହିଛି ମତଭେଦ। ଏହି ମତଭେଦ ଦାଣ୍ଡରେ ପଡି ହାଟରେ ଗଡୁଛି।

କିଛି ମାସ ତଳେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତିଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଯେପରି ଶୀତଳ ଯୁଦ୍ଧ ଚାଲିଲା ତାହା ଦାଣ୍ଡରେ ଗଡିଲା। ଅପରାଜିତାଙ୍କ ସମର୍ଥିତ ନେତା ରଶ୍ମୀରଂଜନ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଥିଲେ। ହେଲେ ହଠାତ୍ ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କୁ ସଭାପତି ପଦରୁ ହଟାଇ ଯତୀନ ମହାନ୍ତିଙ୍କୁ ନିଯୁକ୍ତି ଦେଲେ। କାରଣ ଯତୀନ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଲୋକ। ହେଲା କଣ ହେଲା କେଜାଣି ପୁଣି ଥରେ ସେହି ସମୀର ମହାନ୍ତି ଯତୀନଙ୍କୁ ହଟାଇ ରଶ୍ମୀରଂଜନଙ୍କୁ ସଭାପତି ଭାବେ ନିଯୁକ୍ତି ଦେଲେ। ଏହା ହିଁ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧର ପରିଣାମ ବୋଲି କୁହାଯାଇପାରିବ।

ସେତିକି ନୁହେଁ ବାଲେଶ୍ବର ଉପନିର୍ବାଚନ ହେଉ କିମ୍ବା ପରୀ ଘଟଣା। ଏଥିରେ ଧର୍ମେନ୍ଦ୍ର ବନାମ ଅପରାଜିତା ଅଘୋଷିତ ଯୁଦ୍ଧ ରିତିମତ ଚାଲିଥିଲା। ପରୀ ଘଟଣାରେ ବିଜେପି ତୁମ୍ବି ତୋଫାନ କରିଥିବା ବେଳେ ଅପରାଜିତା ଚୁପ ବସି ରହିଥିଲେ। ଖୋଦ ତାଙ୍କ ଭୁବନେଶ୍ବର ନିର୍ବାଚନ ମଣ୍ଡଳିରେ ବିଜେପି ବଡ ଶୋଭାଯାତ୍ରା କରିଥିଲେ ମଧ୍ୟ ଅପରାଜିତା ଯୋଗ ଦେଇ ନ ଥିଲେ।

ତେବେ ବର୍ତ୍ତମାନ ପରିସ୍ଥିତି କଣ ହେଲା ଯେ, ଅପରାଜିତା ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ଅଭିନନ୍ଦନ ଜଣାଇଛନ୍ତି। ଏକ ବିଶେଷ ସୁତ୍ରର ଖବର ଅନୁସାରେ ଧର୍ମେନ୍ଦ୍ର ବନାମ ଅପରାଜିତା ଘଟଣାକୁ ନେଇ କୁଆଡେ କେନ୍ଦ୍ର ନେତୃବୃନ୍ଦ ଖପ୍ପା।  ଅପରାଜିତା ସମାନ୍ତରଳରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ସେମାନଙ୍କ ପାଖରେ ପ୍ରମାଣ ରହିଛି। ସେ କୌଣସି ଆଗଧାଡିର ଦଳୀୟ ନେତାଙ୍କୁ ନେଉ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି। ଏହା ଦ୍ବାରା ଦଳର ଭାବମୂର୍ତ୍ତି ନଷ୍ଟ ହେଉଥିବାରୁ କେନ୍ଦ୍ରୀୟ ନେତା କୁଆଡେ ଅପରାଜିତାଙ୍କୁ ତାଗିଦ କରିଛନ୍ତି। 2021 ମସିହାରୁ ଯେପରି ସମସ୍ତଙ୍କୁ ନେଇ ସେ କାର୍ଯ୍ୟ କରିବେ ସେଥିପାଇଁ ଉଦ୍ୟମ କରିବାକୁ କୁହାଯାଇଛି।

ଫଳରେ ଅପରାଜିତା ସେହି ସବ୍ କା ସାଥ୍ ଧାରାକୁ  ନୂଆ ବର୍ଷରେ ଆରମ୍ଭ କରିଛନ୍ତି। ଏହାକୁ ମାଧ୍ୟମ କରି ଅପରାଜିତା ଧର୍ମେନ୍ଦ୍ରଙ୍କୁ ଫୁଲ ତୋଡାରେ ସେ ତାଙ୍କ ସହିତ ଅଛନ୍ତି ବୋଲି ପ୍ରମାଣିତ କରିଛନ୍ତି। ସମସ୍ତଙ୍କୁ ଜଣାଇ ଦେଇଛନ୍ତି ଯେ, ଆମେ ସମସ୍ତେ ଏକ। ହେଲେ ସମୟ କହିବ ଯେ, ସେମାନେ ପ୍ରକୃତରେ ଏକ ନା ଦୁଇ।

Categories
ଆଜିର ଖବର ରାଜ୍ୟ ଖବର

ସହରାଞ୍ଚଳ ବିକାଶ ପାଇଁ ଓଡ଼ିଶାକୁ ମିଳିଛି 885 କୋଟି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାକୁ ସହରାଞ୍ଚଳ ବିକାଶ ପାଇଁ 5 ବର୍ଷରେ ମୋଟ 885.58 କୋଟି ଟଙ୍କା  ମିଳିଛି ।  ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଟଳ ମିଶନ ‘ଅମୃତ’  ଯୋଜନାରେ ଏହି ଟଙ୍କା ମିଳିଥିବା ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ, ‘ଅମୃତ’ ଯୋଜନାରେ ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ,  ପୁରୀ, ରାଉରକେଲା ଓ ସମ୍ବଲପୁର ପାଇଁ ବି ଅର୍ଥ ମିଳିଛି ।  ରାଜ୍ୟ ବାର୍ଷିକ କାର୍ୟ୍ୟ ଯୋଜନା(ସାପ) ଅଧୀନରେ 1599କୋଟି ମଞ୍ଜୁର ହୋଇଛି ।

ଏହି ଯୋଜନା ଅଧୀନରେ ଓଡିଶାକୁ 191ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ସେଥିମଧ୍ୟରୁ 152ଟି ପ୍ରକଳ୍ପ ସମାପ୍ତ ହୋଇଛି ଓ ଅବଶିଷ୍ଟ 39 ପ୍ରକଳ୍ପର କାମ ଜାରି ରହିଛି। ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ସିଟି ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରୀକାଳୀନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ପୂରଣ କରୁଛି ।  ଏହା  ଓଡ଼ିଶା ସହରାଞ୍ଚଳ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ତୈଳ ଓ ବାଷ୍ପ କ୍ଷେତ୍ରରେ 5.88 ଲକ୍ଷ କୋଟି ଟଙ୍କା ବ୍ୟୟରେ 8363 ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି

ନୂଆଦିଲ୍ଲୀ, ତୈଳ ଓ ପ୍ରାକୃତିକ ଗ୍ୟାସ ଉଦ୍ୟୋଗ କରୋନା ମହାମାରୀ ସତ୍ତ୍ୱେ କଟକଣା ମଧ୍ୟରେ ଏହାର ଅର୍ଥନୈତିକ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛି। ଚଳିତବର୍ଷ ଏପ୍ରିଲ 20 ତାରିଖରୁ କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ପ୍ରକଳ୍ପ ମଧ୍ୟରୁ 8363 ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। କରୋନା ନିୟମାବଳୀକୁ ପାଳନ କରାଯାଇ ଏହି କାର୍ଯ୍ୟ ଚାଲିଛି। ଏହିସବୁ ପ୍ରକଳ୍ପରେ ପ୍ରାୟ 5.88 ଲକ୍ଷ କୋଟି ଟଙ୍କା ବିନିଯୋଗ ହେବାର ଆଶା କରାଯାଉଛି।

ଏହିସବୁ ପ୍ରକଳ୍ପ ସିପିଏସ୍‌ସି, ଯୁଗ୍ମ ଉଦ୍ୟୋଗ ଓ ସହାୟକ ଉଦ୍ୟୋଗରେ କାର୍ଯ୍ୟକାରୀ ହେଉଛି। ଏଥିରେ ତୈଳ ବିଶୋଧନାଗାର ପ୍ରକଳ୍ପ, ଜୈବ ବିଶୋଧନ, ଇ ଆଣ୍ଡ ପି ପ୍ରକଳ୍ପ, ମାର୍କେଟିଂ ଇନ୍‌ଫ୍ରାଷ୍ଟ୍ରକଚର ପ୍ରକଳ୍ପ, ପାଇପ ଲାଇନ, ସିଜିଡି ପ୍ରକଳ୍ପ ତଥା ଡ୍ରିଲିଂ ଓ ସର୍ଭେ କାମ ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ଯେଉଁ 25ଟି ବୃହତ୍‌ ତୈଳ ଓ ବାଷ୍ପ ପ୍ରକଳ୍ପ ସିପିଏସ୍‌ସି ଓ ଜେଭି ମାଧ୍ୟମରେ କାର୍ଯ୍ୟକାରୀ ହେଉଛି ସେଥିରେ 1,67,248 କୋଟି ଟଙ୍କା ବିନିଯୋଗ ହେବ ବୋଲି ଅନୁମାନ କରାଯାଉଛି। ଏହି ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା 7861 କୋଟି ଟଙ୍କାର କ୍ୟାପେକ୍ସ ପାଣ୍ଠି ବିନିଯୋଗ ହେଲାଣି। ଏହା ମାଧ୍ୟମରେ 76,56,825 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଏହାର ହିସାବ ତଳେ ପ୍ରଦାନ କରାଯାଇଛି।

କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ତୈଳ ଓ ଗ୍ୟାସ କଂପାନୀଗୁଡିକର ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ନିୟମିତ ଭାବେ କରୁଛନ୍ତି। ଚଳିତ ମାସ 24 ତାରିଖରେ ଏଭଳି ଏକ ବ୍ୟାପକ ସମୀକ୍ଷା କରାଯାଇଥିଲା।  ସଂକଟକୁ ସୁଯୋଗରେ ପରିଣତ କରିବାରେ ପେଟ୍ରୋଲିୟମ ଓ ବାଷ୍ପ ଉଦ୍ୟୋଗର ଭୂମିକା ଏବଂ ନିଯୁକ୍ତି କ୍ଷେତ୍ରରେ ଏହା କିପରି ମିଶନ ମୋଡରେ କାର୍ଯ୍ୟ କରୁଛି ସେ ନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ସବିଶେଷ ସମୀକ୍ଷା କରିଥିଲେ। ମିଶନ ମୋଡରେ କାର୍ଯ୍ୟ କରି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସେ ଏହି ଅବସରରେ ପରାମର୍ଶ ଦେଇଥିଲେ। ଏବେ ଦେଶର ଅର୍ଥନୀତିରେ ଯେଉଁ ଆଶାର କିରଣ ସୃଷ୍ଟି ହୋଇଛି ଏବଂ ଯେଉଁ ପ୍ରାରମ୍ଭିକ ସଫଳତା ମିଳିଛି ସେଥିରେ ତୈଳ ଓ ଗ୍ୟାସ ଉଦ୍ୟୋଗଗୁଡିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି। ଜାତୀୟ ଅର୍ଥନୀତି, ନିଯୁକ୍ତି ସୃଷ୍ଟି ଏବଂ ସାମଗ୍ରୀ ପରିବହନ କ୍ଷେତ୍ରରେ ତୈଳ ଓ ଗ୍ୟାସ ଉଦ୍ୟୋଗର ଉଲ୍ଲେଖନୀୟ ଭୂମିକା ଥିବାରୁ ଏହା ନିଷ୍ଠାର ସହ ନିଜର ଦାୟିତ୍ୱ ନିର୍ବାହ କରୁଛି।

ଏହିସବୁ ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ ମଧ୍ୟରୁ ପ୍ରାୟ 120 ଲକ୍ଷ କୋଟି ଟଙ୍କା 2020-21ଆର୍ଥିକ ବର୍ଷରେ ବିନିଯୋଗ କରିବାକୁ କାପେକ୍ସ ଧାର୍ଯ୍ୟ ହୋଇଛି। ସେଥିମଧ୍ୟରୁ 2020 ଅଗଷ୍ଟ 15 ସୁଦ୍ଧା ପ୍ରାୟ 26,576 କୋଟି ଟଙ୍କା ବିନିଯୋଗ ହୋଇସାରିଲାଣି। ଏହି ସମୟ ମଧ୍ୟରେ ଶ୍ରମିକମାନଙ୍କ ମଜୁରି ବାବଦରେ 3,258 କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହି 8363 ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୋଟ ପ୍ରାୟ 33.8 କୋଟି ଶ୍ରମ ଦିବସ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ସୃଷ୍ଟି ହେବ ବୋଲି ହିସାବ କରାଯାଇଛି। ଏହି ଶ୍ରମ ଦିବସ ମଧ୍ୟରୁ 2020-21 ଆର୍ଥିକ ବର୍ଷରେ 9.76 କୋଟି ଶ୍ରମ ଦିବସ ଅଗଷ୍ଟ 15 ସୁଦ୍ଧା ସୃଷ୍ଟି ହୋଇସାରିଛି। ଏହାଛଡା ତୈଳ ଓ ଗ୍ୟାସ ପ୍ରକଳ୍ପର କାର୍ଯ୍ୟକାରିତାରେ ପୁଞ୍ଜି ବ୍ୟୟ ମାଧ୍ୟମରେ 2.2 କୋଟି ଶ୍ରମ ଦିବସ ମଧ୍ୟ ସୃଷ୍ଟି ହୋଇପାରିଛି।

ତୈଳ ଓ ବାଷ୍ପ କଂପାନୀ ସମୂହଙ୍କ ରିପୋର୍ଟ ଅନୁସାରେ 2020-21 ଆର୍ଥିକ ବର୍ଷରେ ସେମାନେ 41,672 କୋଟି ଟଙ୍କାର ନିଯୁକ୍ତି ଭିତ୍ତିକ ଓପେକ୍ସ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି। ଇତିମଧ୍ୟରେ 11,296 କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ଏହି 41,672 କୋଟି ଟଙ୍କାର ଓପେକ୍ସ ମାଧ୍ୟମରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷଭାବେ ପ୍ରାୟ 14.5 କୋଟି ଶ୍ରମ ଦିବସ ସୃଷ୍ଟି ହେବାର ଲକ୍ଷ୍ୟ ରହିଛି। ଚଳିତ ଆର୍ଥିକ ବର୍ଷର ଗତ ଅଗଷ୍ଟ 15 ସୁଦ୍ଧା ଏହି ଓପେକ୍ସ ମାଧ୍ୟମରେ ପ୍ରାୟ 4.4 କୋଟି ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି।

2020-21 ଆର୍ଥିକ ବର୍ଷରେ କାପେକ୍ସ ଓ ନିଯୁକ୍ତି ଭିତ୍ତିକ ଓପେକ୍ସ ବାବଦରେ ମୋଟ 1.62 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରହିଛି। ଏହି ଅର୍ଥ ବିନିଯୋଗ କରି ତୈଳ ଓ ବାଷ୍ପ କଂପାନୀମାନେ ଉଭୟ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷଭାବେ 24 କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ସକ୍ଷମ। ବ୍ୟୟ ହେବାକୁ ଥିବା ଏହି ଅର୍ଥ ବିଭିନ୍ନ ପର୍ଯ୍ୟାୟରେ ଅର୍ଥନୀତିରେ ପଶିବ ଏବଂ ଏହାଦ୍ୱାରା ନିଯୁକ୍ତି ସୁଯୋଗ ବଢିବା ସହ ଦେଶର ଅର୍ଥନୀତି ସମୃଦ୍ଧ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ୧ ଲକ୍ଷ କୋଟି କୃଷି ଭିତ୍ତିଭୂମି ପାଣ୍ଠିର ଶୁଭାରମ୍ଭକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା

ନୂଆଦିଲ୍ଲୀ, ଦେଶର ୮.୫ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ ଆର୍ଥିକ ସହାୟତାର ଷଷ୍ଠ କିସ୍ତି ଜାରି କରିଥିବାରୁ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟିର ଆର୍ଥିକ ସୁବିଧା ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟ୍ୱିଟ ଜରିଆରେ କହିଛନ୍ତି ଏହି ସହଯୋଗୀ ପଦକ୍ଷେପମାନ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ, ଚାଷୀଭାଇମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ଏବଂ ନୂଆ ଓ ଆଗାମୀ ପିଢିର ଟେକ୍ନୋଲୋଜି, ଭିତ୍ତିଭୂମି ଓ ଆଧୁନିକ କୃଷି ପ୍ରଣାଳି ମାଧ୍ୟମରେ କୃଷିଭିତ୍ତିକ ଶିଳ୍ପକୁ ଆଗେଇ ନେବାରେ ସାହାଯ୍ୟ କରିବ।

ମୋଦୀ ସରକାରରେ କୃଷି କ୍ଷେତ୍ରରେ ନିଆଯାଇଥିବା ଗଠନମୂଳକ ଏବଂ ନୀତି ସଂସ୍କାର ଗ୍ରାମୀଣ ଅର୍ଥନୀତିକୁ ନୂଆ ରୂପ ଦେବ ଏବଂ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବ। ଏହାସହ ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ଓ କୃଷି କ୍ଷେତ୍ରରେ ଭାରତକୁ ଅଧିକ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟ୍ୱିଟ କରି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କୁ ଫୋନ କରି ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଭିଡ-୧୯ ଆକ୍ରାନ୍ତ ହୋଇ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପ୍ରଧାନଙ୍କୁ ଫୋନ କରି ତାଙ୍କର ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି ଯେ – ଧର୍ମେନ୍ଦ୍ର ପ୍ରଧାନ କୋଭିଡ-୧୯ ଆକ୍ରାନ୍ତ ଖବର ପାଇବା ପରେ ମୁଁ ଚିନ୍ତିତ। ତାଙ୍କ ସହିତ କଥା ହୋଇଛି ଓ ତାଙ୍କର ଦ୍ରୁତ ଆରୋଗ୍ୟଲାଭ କାମନା କରୁଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ବହୁ ରାଜନୈତିକ ନେତା ଓ କର୍ମୀ ଶ୍ରୀ ପ୍ରଧାନଙ୍କର ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ, ନିଜେ ଟୁଇଟ କରି ଦେଲେ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ବୋଲି ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। “କରୋନା ଲକ୍ଷଣ ଦେଖା ଦେବାରୁ ମୁଁ ନିଜର କଫ ପରୀକ୍ଷା ପାଇଁ ଦେଇଥିଲି ଓ ତାହା ପୋଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଡାକ୍ତରଖାନା ରେ ଭର୍ତ୍ତି ହୋଇଛି ଓ ସୁସ୍ଥ ଅଛି’ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସପ୍ତାହେ ଭିତରେ ଗୃହମନ୍ତ୍ରୀ ଅମିତ ଶାହ ଙ୍କ ପରେ ମୋଦୀ କ୍ୟାବିନେଟର ଆଉ ଜଣେ ବରିଷ୍ଠ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଶ୍ରୀ ପ୍ରଧାନ କରୋନା ଆକ୍ରାନ୍ତ ବୋଲି ଜଣା ପଡିବା ପରେ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ତାଙ୍କର ଆରୋଗ୍ଯ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀମନ୍ଦିର ଖୋଲିଲେ ୫ ଜଣ ଗୁରୁଜନଙ୍କୁ ଦର୍ଶନ କରାଇବା ପାଇଁ ଯୁବମୋର୍ଚ୍ଚା ସଦସ୍ୟଙ୍କୁ କହିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ବର, ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ପାଇଁ ଆହ୍ୱାନ କରିଛନ୍ତି। ଏହି ମର୍ମରେ ରାଜ୍ୟ ଯୁବମୋର୍ଚ୍ଚାର ସଦସ୍ୟମାନେ ନିଜ ଗାଁର ପାଞ୍ଚ ଜଣଙ୍କୁ ପୁରୀ ଶ୍ରୀମନ୍ଦିର ଦର୍ଶନରେ ନିଅନ୍ତୁ। ମନ୍ଦିର ଖୋଲିବା ପରେ ନିଜ ଖର୍ଚ୍ଚରେ ସଦସ୍ୟମାନେ ଏହି କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଯୁବ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗ ଦେଇ ଏହା ଆହ୍ୱାନ କରିବା ସହ ଯୁବ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ସଂଗଠନ, ସମ୍ପର୍କ, ସର୍ବୋପରି ସେବା ଓ ସଂଘର୍ଷ ଆଧାରରେ ଓଡିଶାକୁ ଶୀର୍ଷରେ ପହଁଚାଇବା ପାଇଁ କାମ କରିବାକୁ କହିଛନ୍ତି ପ୍ରଧାନ।

ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ଟଙ୍କା ଓଡିଆ ଲୋକଙ୍କ ସ୍ୱାର୍ଥରେ ଲାଗୁ। ଏଥିପାଇଁ ଜନସଚେତନତା ନକଲେ ସବୁ ପ୍ରଚେଷ୍ଟା ବ୍ୟର୍ଥ ଯିବ । ତେଣୁ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜାଗ୍ରତ ପ୍ରଭାରୀ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ଆଗେଇ ନେବା ସହ ନୂଆ ଆଦର୍ଶର ରାଜନୈତିକ ସଂଗଠନ ତିଆରି କରିବାର ଦାୟିତ୍ୱ ନିଅନ୍ତୁ।

ଓଡିଶାରେ ବିଜେପି ସରକାର ନହେବା ପର୍ଯ୍ୟନ୍ତ ଓ ବିଜେପିକୁ ରାଜ୍ୟରେ ୨୧ରୁ ୨୧ ଲୋକସଭା ଆସନ ନ ମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମାନ, ଅପମାନ, ଅଭିମାନକୁ ଭୁଲି ସାଢେ ୪ କୋଟି ଓଡିଆଙ୍କ ଏକମାତ୍ର ଲକ୍ଷ୍ୟ ଓଡିଶାକୁ ନୂଆ ଶିଖରକୁ ନେବା ପାଇଁ ଦାୟିତ୍ୱ ନିଅନ୍ତୁ ଓ ଆଗାମୀ ଦିନରେ ଓଡିଆ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଆଙ୍କ ହକ୍ ପାଇଁ ନିରନ୍ତର ଆନ୍ଦୋଳନ ଓ କାର୍ଯ୍ୟକ୍ରମ କରନ୍ତୁା

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବ ମହାମାରୀ ସମୟରେ ଓଡିଶା ପାଇଁ ନୂତନ ସମ୍ଭାବନା ସୃଷ୍ଟିର ଆହ୍ବାନ ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ବର : ସୁଦୂର ଆମେରିକାରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମେରିକାର ବିଭିନ୍ନ ପ୍ରମୁଖ ସହରରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କ ସହିତ ଧର୍ମେନ୍ଦ୍ରଏହି ଭିଡିଓ କନ୍‌ଫରେନ୍ସିଂରେ ସାମିଲ ହୋଇଥିଲେ ।

କରୋନା ମହାମାରୀ ସମୟରେ ଦେଶ ତଥା ରାଜ୍ୟର ବିକାଶ ପାଇଁ ନୂତନ ରାସ୍ତା ବାହାର କରିବା ପାଇଁ ଏଥିରେ ଆଲୋଚନା ହୋଇଥିଲା । ଆମେରିକାର 8ଟି ପ୍ରମୁଖ ସହର ହ୍ୟୁଷ୍ଟନ, ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆ, ଓ୍ବାଶିଂଟନ୍‌, ଫ୍ଲୋରିଡା, ମିନିସାଟୋ, ଆଲବାମାଳ ନ୍ୟୁୟର୍କରେ ବସବାସ କରୁଥିବା 18ରୁ ଅଧିକ ପ୍ରତିଷ୍ଠିତ ଓଡିଆଙ୍କ ସହିତ ଧର୍ମେନ୍ଦ୍ର ଆଲୋଚନା କରିଥିଲେ । ଓଡିଆ ମାନେ ବିଭିନ୍ନ ପ୍ରଭାବଶାଳୀ ପଦ ପଦବୀରେ ରହିଥିବା ବେଳେ କରୋନା ଭଳି ଘଡିସନ୍ଧି ମୂହୂର୍ତ୍ତରେ ମିଳିତ ପ୍ରଚେଷ୍ଟା ଜରିଆରେ ଓଡିଶାକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଉଚିତ୍‌ ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ସେହିପରି ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ଏବଂ କ୍ବାରେଣ୍ଟାଇନ୍‌ରେ ରଖିବା ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀ ମନୋଜ ମହାପାତ୍ର ଏହି ଭିଡିଓ କନ୍‌ଫରେନ୍ସିଂର ସଞ୍ଜୋଜନା କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସଭାପତି ଚୟନ ନେଇ ଦ୍ବନ୍ଦ୍ବରେ ବିଜେପି

ସମୀକ୍ଷା ବ୍ୟୁରୋ:

ଆସନ୍ତା କାଲି ହେବାକୁ ଯାଉଛି ରାଜ୍ୟ ବିଜେପି ସଭାପତି ନିର୍ବାଚନ। ସଭାପତି ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ଆଶାୟୀ ଥିବା ବେଳେ ଏହି ଦୌଡରେ ଆଗୁଆ ରହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ଏବଂ ସମୀର ମହାନ୍ତି। ତେବେ ରାଜ୍ୟ ସଭାପତି ଚୟନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଧର୍ମେନ୍ଦ୍ରଙ୍କ ପ୍ରଭାବ। ରାଜ୍ୟର ଏକ ମାତ୍ର ନେତା ଭାବରେ ବିଗତ ୬ ବର୍ଷ ଧରି କ୍ଷମତା ଉପଭୋଗ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ମୋଦି ୨.୦ରେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରାଯାଇଛି। ରାଜ୍ୟରେ ବିଜୁ ଜନତା ଦଳର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା ସତ୍ତ୍ବେ ମଧ୍ୟ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ବିଜେପି ନିଜର ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛି। ତେଣୁ ସଭାପତି ଚୟନରେ ଧର୍ମେନ୍ଦ୍ରଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଏହି ନିର୍ବାଚନ ସହିତ ବିଜେପିର ଗୋଷ୍ଠୀକନ୍ଦଳ ମଧ୍ୟ ସମ୍ମୁଖକୁ ଆସୁଛି। ଅପରପକ୍ଷରେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟ ପଦ୍ମ ଶିବିରର ଦାୟିତ୍ବ ପଶ୍ଚିମ ଓଡ଼ିଶା ନେତାଙ୍କ ହାତରେ ରହିଥିବାବେଳେ ଚଳିତଥର ଉପକୂଳ ଓଡ଼ିଶାର ନେତାଙ୍କୁ ସଭାପତି ଦାୟିତ୍ବ ଦେବା ନେଇ ମଧ୍ୟ ଚର୍ଚ୍ଚା ରହିଛି।

ବିଜେପି ବର୍ତ୍ତମାନ ଏପରି ଏକ ସ୍ଥିତିରେ ରହିଛି ଯେଉଁଠାରୁ ଦଳକୁ ଆଗକୁ ନେବା ପାଇଁ ଦୃଢ ନେତୃତ୍ବର ଆବଶ୍ୟକତା ରହିଛି। ଉଭୟ ହରିଚନ୍ଦନ ଏବଂ ମହାନ୍ତିଙ୍କ ନିକଟରେ ଆବଶ୍ୟକୀୟ ରାଜନୈତିକ ଅଭିଜ୍ଞତା ମଧ୍ୟ ରହିଛି। ମାତ୍ର ନେତୃତ୍ବ ନେବା କ୍ଷେତ୍ରରେ ଉଭୟ ନେତା କୌଣସି ସଫଳତା ହାସଲ କରିନଥିବାରୁ ଏହାକୁ ନେଇ ଦଳୀୟ କର୍ମୀଙ୍କ ମନରେ ସାମାନ୍ୟ ଶଙ୍କା ରହିଥିବା ପ୍ରତୀୟମାନ ହେଉଛି। ନିର୍ବାଚନୀ ବିଜୟ କ୍ଷେତ୍ରରେ ଉଭୟଙ୍କ ରେକର୍ଡ ଅଲୋଡା। ଉଭୟ ନିଜ ନିଜର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଦ୍ବାରା ଆଦୃତ ହୋଇନଥିବାରୁ ଦଳୀୟ କର୍ମୀଙ୍କ ଦ୍ବାରା କେତଦୂର ଗ୍ରହଣୀୟ ହେବେ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ବ୍ୟତୀତ ଭୁବନେଶ୍ବରର ସାଂସଦ ରହିଥିବା ଅପରାଜିତା ଷଡଙ୍ଗୀ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ରହିଥିବା କନ୍ଦଳ ମଧ୍ୟ ସମ୍ମୁଖକୁ ଆସିଛି। ଧର୍ମେନ୍ଦ୍ରଙ୍କ ସହିତ ଅପରାଜିତାଙ୍କ ବିବାଦ ମଧ୍ୟ କର୍ମୀଙ୍କ ନିକଟକୁ ଏକ ଭୁଲ ସନ୍ଦେଶ ଦେଉଛି।

ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ନିର୍ବାଚନ ପାଇଁ ଉପସ୍ଥିତ ରହିଛନ୍ତି। ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ସଂସଦକୁ ନିର୍ବାଚିତ ହେବା ପରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡିଥିବା ବେଳେ ଏହାକୁ ନେଇ ଆଜି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏପରି ପରସ୍ଥିତିରେ ରାଜ୍ୟ ବିଜେପିର ସଭାପତି ଚୟନ ପାଇଁ ଦୁଇ ଆଶାୟୀ ଅତ୍ୟନ୍ତ ଦୁର୍ବଳ ମନେ ହେଉଛନ୍ତି। ଏହି ଦୁଇ ଆଶାୟୀଙ୍କ ମଧ୍ୟରୁ କିଏ ନୂତନ ମଙ୍ଗୁଆଳ ସାଜୁଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ। ଏହି ନୂଆ ମୁଖିଆ ବିଜେପି ପାଇଁ ଲାଭବାନ ହେବେ କି ବୁମେରାଂ ସାବ୍ୟସ୍ତ ହେବ ତାହା  ଆଗାମୀ ସମୟ କହିବ।