Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ଆଜି ୧୫୫ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିପାରେ ବିଜେପି: ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ଏହି ଆସନରୁ ଟିକେଟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ପାଖାପାଖି ୧୫୫ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରଣାସୀରୁ, ଅମିତ ଶାହଙ୍କୁ ଗାନ୍ଧୀନଗରରୁ, ରାଜନାଥ ସିଂହଙ୍କୁ ଲକ୍ଷ୍ନୌରୁ, ସ୍ମୃତି ଇରାନୀଙ୍କୁ ଆମେଠିରୁ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁରରୁ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗ୍ୱାଲିୟର/ଶିବପୁରୀ/ଗୁନାରୁ, ଶିବରାଜ ସିଂହ ଚୌହାନ ଭୋପାଳ/ବିଦିଶାରୁ ଏବଂ ସମ୍ବିତ ପାତ୍ରଙ୍କୁ ପୁରୀରୁ ଟିକେଟ୍ ମିଳିପାରେ।

ଏହାବ୍ୟତୀତ ଭିୱାନୀ ବଲ୍ଲଭଗଡ଼ରୁ ଭୁପେନ୍ଦ୍ର ଯାଦବ, ଡିବ୍ରୁଗଡ଼ରୁ ସର୍ବାନନ୍ଦ ସୋନୋୱାଲ, ରାଜୌରୀ-ଅନନ୍ତନାଗରୁ ରବୀନ୍ଦ୍ର ରାଇନା, କୋଟାରୁ ଓମ୍ ବିର୍ଲା, ଉତ୍ତର-ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀ, ପଶ୍ଚିମ ଦିଲ୍ଲୀରୁ ପରବେଶ ବର୍ମା ଏବଂ ଆସନସୋଲରୁ ଭୋଜପୁରୀ ଗାୟକ ତଥା ଅଭିନେତା ପୱନ ସିଂହଙ୍କୁ ପ୍ରାର୍ଥୀ କରାଯାଇପାରେ।

ଗୁରୁବାର (ଫେବ୍ରୁଆରି ୨୯) ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାତ୍ରି ୧୧ଟାରୁ ୩ଟା ୧୫ ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ୧୭ଟି ରାଜ୍ୟର ୧୫୫ଟି ଲୋକସଭା ଆସନ ଉପରେ ବିଚାର ବିମର୍ଶ କରାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଅମିତ ଶାହା, ରାଜନାଥ ସିଂହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ୟୁପିରେ ସହଯୋଗୀ ଦଳକୁ ୬ ଟି ଆସନ ଏବଂ ଝାଡ଼ଖଣ୍ଡରେ ଏଜେଏସୟୁକୁ ଗୋଟିଏ ଆସନ ଦେବ ବିଜେପି

ନିର୍ବାଚନ କମିଟି ବୈଠକରେ ଏନଡିଏ ସହଯୋଗୀଙ୍କ ସହ ଆସନ ବୁଝାମଣା ଉପରେ ମଧ୍ୟ ଆଲୋଚନା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନମଧ୍ୟରୁ ବିଜେପି ଅପନା ଦଳ, ଆରଏଲଡି ଓ ଅନ୍ୟାନ୍ୟ ଦଳକୁ ୬ଟି ଆସନ ଦେଇପାରେ। ଏହାବ୍ୟତୀତ ଝାଡ଼ଖଣ୍ଡର ୧୪ଟି ଲୋକସଭା ଆସନ ମଧ୍ୟରୁ ଗୋଟିଏ ଆସନ ଗିରିଡିହ ଆସନକୁ ଏଜେଏସ୍ୟୁ ପାଇଁ ଛାଡ଼ିବ।

ପଞ୍ଜାବ, ଆନ୍ଧ୍ର ଓ ତାମିଲନାଡୁରେ ଏବେ ବି ମେଣ୍ଟ ନେଇ ଆଲୋଚନା ଚାଲିଛି

ବିଜେପିକୁ ୩୭୦ରୁ ଅଧିକ ଏବଂ ଏନଡିଏକୁ ୪୦୦ରୁ ଅଧିକ ଆସନ ପାଇଁ ପ୍ରସ୍ତୁତି ପାଇଁ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗତକାଲିର ବୈଠକରେ ପୁରୁଣା ସହଯୋଗୀମାନଙ୍କୁ ସାହାଯ୍ୟ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା।

ଏଥିପାଇଁ ପଞ୍ଜାବରେ ପୁରୁଣା ସହଯୋଗୀ ଅକାଳୀ ଦଳ, ଆନ୍ଧ୍ରପ୍ରଦେଶରେ ଟିଡିପି ଓ ଜନସେନା, ତାମିଲନାଡୁରେ ଏଆଇଏଡିଏମକେକୁ ଏନଡିଏକୁ ଫେରାଇ ଆଣିବା ନେଇ ଆଲୋଚନା ହୋଇଥିଲା। ଏହି ସବୁ ରାଜ୍ୟର ଆସନ ଏବେ ସ୍ଥଗିତ ରହିଛି। ମେଣ୍ଟ କଥା ଉଠିଲେ ଦଳ ସମାନ ଆଧାରରେ ଆସନ ବିଭାଜନ କରିବ, ନଚେତ୍ ଏକାକୀ ଯିବ।
ଆସାମରେ ରହିଛି ୧୪ ଲୋକସଭା ଆସନ: ବିଜେପି ୧୧ରେ ଲଢ଼ିବ, ସହଯୋଗୀ ଦଳ ୩ଟିରେ ଲଢ଼ିବେ

ଆସାମର ୧୪ଟି ଲୋକସଭା ଆସନ ପାଇଁ ବିଜେପି ତା’ର ସହଯୋଗୀ ଦଳସହ ବୁଝାମଣା କରିଛି। ଆସାମରେ ବିଜେପି ୧୧ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଆସାମ ଗଣ ପରିଷଦ (ଏଜିପି) ୨ଟି ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ (ୟୁପିପିଏଲ୍) ଗୋଟିଏ ଆସନରେ ପ୍ରାର୍ଥୀ ଦେବ। ଏଜିପି ବାରପେଟା ଏବଂ ଧୁବ୍ରୀ, ୟୁପିପିଏଲ କୋକ୍ରାଝରରୁ ପ୍ରାର୍ଥୀ ଦେବେ।

ସମ୍ଭାବନା – ୨୦୧୯ ତୁଳନାରେ ୩୩% ଅଧିକ ମହିଳା ପ୍ରାର୍ଥୀ

ଏଥର ଲୋକସଭା ନିର୍ବାଚନରେ ସର୍ବାଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ପ୍ରସ୍ତୁତି ଚଳାଇଛି। ବୁଧବାର (ଫେବ୍ରୁଆରି ୨୮) ଦଳର କୋର୍ ଗ୍ରୁପ୍ ବୈଠକରେ ମଧ୍ୟ ଏହା ଉପରେ ସହମତି ହୋଇଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ମୃତି ଇରାନୀଙ୍କ ସମେତ ରେକର୍ଡ ସଂଖ୍ୟକ ମହିଳାଙ୍କୁ କେଉଁଠି ପ୍ରାର୍ଥୀ କରାଯିବ ସେ ନେଇ ଆଲୋଚନା ହୋଇଥିଲା।

ଗତଥର ତୁଳନାରେ ଏଥର ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୩୩ ପ୍ରତିଶତ ଅଧିକ ହେବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି। ୨୦୧୯ରେ ୫୩ ଜଣ ମହିଳା ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ୩୩% ଅଧିକ ହାରରେ ୭୦ ଜଣ ମହିଳା ଟିକେଟ ପାଇପାରିବେ। ଏହା ପୂର୍ବରୁ କୋର ଗ୍ରୁପ୍ ବୈଠକରେ ୨୩ଟି ରାଜ୍ୟର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ରଖାଯାଇଥିଲା। ନୂଆ ଚେହେରାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ମାର୍ଚ୍ଚ ୧୦ ସୁଦ୍ଧା ୫୦% ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଯୋଜନା

ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୦ ସୁଦ୍ଧା ବିଜେପି ୫୦ ପ୍ରତିଶତ ଲୋକସଭା ଆସନର ନାମ ଘୋଷଣା କରିପାରେ। ୨୦୧୯ ନିର୍ବାଚନରେ ମଧ୍ୟ ଦଳ ସମାନ କାମ କରିଥିଲା। ଗତଥର ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର କିଛି ସପ୍ତାହ ପୂର୍ବରୁ ମାର୍ଚ୍ଚ ୨୧ତାରିଖରେ ବିଜେପି ୧୬୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ଲୋକସଭା ନିର୍ବାଚନ: ଖୁବଶୀଘ୍ର ଖୋଲିବାକୁ ଯାଉଛି ପ୍ରତିଶ୍ରୁତିର ବାକ୍ସ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ମଞ୍ଚ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ମଧ୍ୟ ପ୍ରାୟ ଶେଷ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସଙ୍କେତରୁ ଜଣାପଡୁଛି ଯେ, ବିଜେପି ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପାଇଁ ଦୃଢ଼ ସ୍ଥିତିରେ ରହିଛି। କିନ୍ତୁ ବିରୋଧୀ ଇଣ୍ଡି ମେଣ୍ଟ ବିଜୟ ଆଶା ଛାଡ଼ି ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀ ଇଣ୍ଡି ମେଣ୍ଟ ଏଥର ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେବାକୁ ଯାଉଛି। କଂଗ୍ରେସ କୃଷକମାନଙ୍କୁ ଏମଏସପି ଅର୍ଥାତ ସର୍ବନିମ୍ନ ସହାୟକ ମୂଲ୍ୟରେ ଫସଲ କିଣିବାକୁ ପ୍ରତିଶ୍ରୁତି ଦେଇସାରିଛି। ବିରୋଧୀ ଦଳଗୁଡ଼ିକର ଇଣ୍ଡି ମେଣ୍ଟ ଖୁବ୍ ଶୀଘ୍ର ଏକ ସାଧାରଣ ଇସ୍ତାହାର ପ୍ରକାଶ କରିପାରେ, ଯେଉଁଥିରେ ପ୍ରତ୍ୟେକ ବର୍ଗଙ୍କ ପାଇଁ ଆକର୍ଷଣୀୟ ପ୍ରତିଶ୍ରୁତିର ତାଲିକା ଦେଖିବାକୁ ମିଳିବ।

ଅନ୍ୟପକ୍ଷରେ ବିରୋଧୀଙ୍କ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ ଏଥର ଏକ ବ୍ୟାପକ ଇସ୍ତାହାର ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହୋଇଛି। ଦେଶରେ ୧ କୋଟିରୁ ଅଧିକ ଲୋକଙ୍କ ସହ କଥା ହୋଇ ନିଜର ଇସ୍ତାହାର ପ୍ରସ୍ତୁତ କରିବ ବୋଲି ଦଳ ଦାବି କରିଛି।

ଚମତ୍କାର ପ୍ରତିଶ୍ରୁତି ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି

ବିରୋଧୀ, ବିଶେଷ କରି ଇଣ୍ଡି ମେଣ୍ଟ ବଡ଼ ବଡ଼ ଲୋକପ୍ରିୟ ପ୍ରତିଶ୍ରୁତି ଦେଇ ସାଧାରଣ ନିର୍ବାଚନକୁ ଯାଇପାରନ୍ତି। ମହିଳା ଓ ବେକାରଙ୍କ ପ୍ରତି ମାସର ଦରମା ବ୍ୟତୀତ ଋଣ ଛାଡ଼ର ପ୍ରତିଶ୍ରୁତି ମଧ୍ୟ ଦିଆଯାଇପାରେ। ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ଦଳର ଇଣ୍ଡି ମେଣ୍ଟ ତରଫରୁ ଖୁବଶୀଘ୍ର ଏଭଳି ପ୍ରତିଶ୍ରୁତି ଘୋଷଣା କରାଯାଇପାରେ। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଏହି ଧାରାକୁ ଆଗାମୀ ସାଧାରଣ ନିର୍ବାଚନରେ ଦୋହରାଇବାକୁ ଚାହୁଁଛନ୍ତି ବିରୋଧୀ। ବିଧାନସଭା ନିର୍ବାଚନରେ ଲୋଭନୀୟ ପ୍ରତିଶ୍ରୁତିକୁ ଗେମ୍ ଚେଞ୍ଜରଭାବେ ବିବେଚନା କରାଯାଉଥିଲା। କିନ୍ତୁ ଏପରି ପ୍ରତିଶ୍ରୁତି ଦେଇ କେବଳ ବିରୋଧୀଦଳମାନେ ପଡ଼ିଆକୁ ଓହ୍ଲାଇ ନ ଥିଲେ ତାହା ନୁହେଁ। ବିଜେପି ମଧ୍ୟ ପଛରେ ନ ଥିଲା। ବାସ୍ତବରେ, ଗତ କିଛିବର୍ଷ ହେବ ସମାଜର କିଛି ବର୍ଗଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ରାଶି ସହିତ କିଛି ଉପହାର ଦେବାର ଧାରା ଏକ ବଡ଼ ରାଜନୈତିକ ବାଜି ସାବ୍ୟସ୍ତ ହୋଇଛି।

ମଧ୍ୟପ୍ରଦେଶରେ ନିର୍ବାଚନର ତିନିମାସ ପୂର୍ବରୁ ବିଜେପି ଲାଡଲି ବେହନା ଯୋଜନା ଆରମ୍ଭ କରିଥିଲା। ଏହି ଯୋଜନାରେ ମହିଳାମାନଙ୍କୁ ପ୍ରତି ମାସରେ ୧୨୦୦ ଟଙ୍କା ଦରମା ଦିଆଯାଉଛି। ସେଠାରେ ନିର୍ବାଚନରେ ଦଳ ଏହି ଯୋଜନା ଆଧାରରେ ପ୍ରାର୍ଥୀ କରିଥିଲା।

ଏହା ପୂର୍ବରୁ କଂଗ୍ରେସ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ ପୁରୁଣା ପେନସନ କିମ୍ବା ଶସ୍ତାରେ ବିଜୁଳି ଯୋଗାଇଦେବା ଭଳି ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତି ଏଭଳି ପ୍ରତିଶ୍ରୁତିର ସଫଳତାର ଧାରାକୁ ପୁଣିଥରେ ପ୍ରତିଷ୍ଠିତ କରିଥିଲା। ଆମ୍ ଆଦମୀ ପାର୍ଟି ଏହାକୁ ଦିଲ୍ଲୀରୁ ଆରମ୍ଭ କରିଥିଲା ଏବଂ ପଞ୍ଜାବରେ ଏହା ବଳରେ ତାଙ୍କ ପାଇଁ କ୍ଷମତାର ଦ୍ୱାର ଖୋଲିଥିଲା। ଏହି ପ୍ରତିଶ୍ରୁତି ଯୋଗୁଁ ବିରୋଧୀଙ୍କୁ ଯେଉଁଭଳି ସଫଳତା ମିଳିଛି ତାହାକୁ ଦୃଷ୍ଟିରେ ରଖି ବିଜେପିକୁ ମଧ୍ୟ କେତେକ ରାଜ୍ୟରେ ଲୋଭନୀୟ ପ୍ରତିଶ୍ରୁତି ଦେବାକୁ ପଡ଼ିଥିଲା। ଅର୍ଥାତ୍ ପ୍ରତିଶ୍ରୁତି ରାଜନୀତିର ଯୁଗ ଜାରି ରହିବ ବୋଲି ସଙ୍କେତ ମିଳିଛି।

ତେବେ ଅତୀତରେ ରାଜନୈତିକ ଦଳଗୁଡ଼ିକର ଲୋକପ୍ରିୟ ପ୍ରତିଶ୍ରୁତି ବା ଇସ୍ତାହାରକୁ ଉତ୍ତରଦାୟୀ କରିବାକୁ ପ୍ରୟାସ ହୋଇଛି। କିନ୍ତୁ ରାଜନୈତିକ ଦଳଗୁଡ଼ିକରେ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏ ଦିଗରେ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଉନାହିଁ। ଅତୀତରେ ଅନେକ ଥର ନିର୍ବାଚନ କମିଶନ ସମସ୍ତ ପକ୍ଷଙ୍କୁ ଚିଠି ଲେଖି ମାଗଣାକୁ ପ୍ରାକ୍ଟିକାଲ କରିବାକୁ ପରାମର୍ଶ ଦେଇଥିଲେ। ଆୟୋଗ ସମସ୍ତ ପ୍ରତିଶ୍ରୁତିର ବିସ୍ତୃତ ବିବରଣୀ ସହିତ ଏହାର ସମସ୍ତ ଲାଭ ଏବଂ ଅର୍ଥନୈତିକ ଦିଗ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବାକୁ ପ୍ରସ୍ତାବ ଦେଇଥିଲେ।

ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଇଁ ଆଦର୍ଶ ଆଚରଣ ବିଧି ପରିସରଭୁକ୍ତ ହେବାକୁ ଆୟୋଗ ରାଜନୈତିକ ଦଳଗୁଡ଼ିକୁ କହିଥିଲେ। ସେହି ପ୍ରତିଶ୍ରୁତି ପୂରଣ ପାଇଁ ଯେଉଁ ଆର୍ଥିକ ଉପାୟ ଅବଲମ୍ବନ କରାଯାଇଛି ତାହା ଠିକ୍ କି ନାହିଁ ତାହା ମଧ୍ୟ ଦେଖିବାକୁ ବାକି ରହିଲା। ଖାଲି ସେତିକି ନୁହେଁ ଏହି ପ୍ରତିଶ୍ରୁତି ସାଧାରଣ ଲୋକଙ୍କ ପାଇଁ କିପରି ଲାଭଦାୟକ ହେବ ତାହାର ରୋଡମ୍ୟାପ୍ ମଧ୍ୟ କହିବାକୁ କୁହାଯାଇଛି। ନିର୍ବାଚନୀ ପ୍ରତିଶ୍ରୁତିର ବିବରଣୀ ଦେବାବେଳେ ଆର୍ଥିକ ସ୍ଥିରତା ଉପରେ ପ୍ରତିକୂଳ ପ୍ରଭାବ ବିଷୟରେ ମଧ୍ୟ ଆଲୋଚନା କରାଯିବା ଉଚିତ ବୋଲି ନିର୍ବାଚନ କମିଶନ କହିଥିଲେ। ଏଥିପାଇଁ ନିର୍ବାଚନ ପୂର୍ବରୁ ଏକ ଫର୍ମାଟରେ ସୂଚନା ଦେବାକୁ କମିଶନ ସମସ୍ତ ରାଜନୈତିକ ଦଳକୁ କହିଥିଲେ। ଅର୍ଥାତ୍ ଯଦି କୌଣସି ରାଜନୈତିକ ଦଳ ଏଭଳି ପ୍ରତିଶ୍ରୁତି ଦିଅନ୍ତି, ତେବେ ତାହା ପୂରଣ କରିବା ପାଇଁ କେଉଁଠୁ ପାଣ୍ଠି ବ୍ୟବସ୍ଥା କରାଯିବ ତାହା କହିବା ଦରକାର। ଏହି ପ୍ରତିଶ୍ରୁତି ପୂରଣ ପାଇଁ ଅଧିକ ଟିକସ ଲାଗୁ କରାଯିବ କିମ୍ବା ଏଥିପାଇଁ କେଉଁଠୁ ଋଣ ନିଆଯିବ ବୋଲି ଲୋକଙ୍କୁ କହିବାକୁ ପଡ଼ିବ।

ବିରୋଧୀ ଦଳଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି ଏବଂ ଶାସକ ଦଳକୁ ଅତିରିକ୍ତ ସୁବିଧା ନ ମିଳେ ସେଥିପାଇଁ ୬ମାସ ପୂର୍ବରୁ କୌଣସି ସରକାର ନୂଆ ଯୋଜନା ଘୋଷଣା କରିବେ ନାହିଁ ଏବଂ ଇସ୍ତାହାର ଉପରେ ସ୍ପଷ୍ଟୀକରଣ ମାଗିବାର ଅଧିକାର କମିଶନଙ୍କର ରହିବ ବୋଲି କୁହାଯାଇଛି। ନିର୍ବାଚନ ଆୟୋଗ ମାଗଣା ନିର୍ବାଚନ ଘୋଷଣାକୁ ଭୋଟରଙ୍କୁ ପ୍ରଭାବିତ କରିବା ଶ୍ରେଣୀରେ ଆଣି ବାରଣ କରିପାରିବେ ବୋଲି ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା।

ନିର୍ବାଚନ ଆୟୋଗ ଏହି ମାମଲାରେ ପଦକ୍ଷେପ ନେଇଥିଲେ, ସୁପ୍ରିମକୋର୍ଟରେ ମଧ୍ୟ ଏହାର ଶୁଣାଣି ହୋଇଥିଲା। ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ମାଗଣାର ରାଜନୀତି ଉପରେ ପ୍ରଶ୍ନ ଉଠାଇବା ସହ ସରକାର ଓ ଆୟୋଗଙ୍କୁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମାଗଣାର ରାଜନୀତିକୁ ନେଇ ଲଗାତାର ପ୍ରଶ୍ନ ଉଠାଇଛନ୍ତି। ଏହି ଧାରାକୁ ନେଇ ସରକାରୀ ସ୍ତରରେ ମଧ୍ୟ ଉଦବେଗ ପ୍ରକାଶ ପାଇଥିଲା। କିନ୍ତୁ ବିଜେପି ନିଜେ ଅନେକ ଥର ଏଭଳି ପ୍ରତିଶ୍ରୁତିରୁ ଦୂରେଇ ରହିପାରିନଥିଲା। ଇସ୍ତାହାରର ଆନ୍ତର୍ଜାତିକ ଧାରା ବିଷୟରେ କହିବାକୁ ଗଲେ ଆମେରିକାର ରାଜନୈତିକ ଦଳମାନେ ଇସ୍ତାହାରରେ ପ୍ରସ୍ତାବିତ ନୀତି ବିଷୟରେ କହୁଛନ୍ତି, କୌଣସି ନିର୍ଦ୍ଦିଷ୍ଟ ଲାଭ କିମ୍ବା ପ୍ରତିଶ୍ରୁତି ବିଷୟରେ ନୁହେଁ। ୟୁରୋପୀୟ ଦେଶମାନଙ୍କରେ ଇସ୍ତାହାରକୁ ପ୍ରତିଶ୍ରୁତି ସହିତ ବଜେଟ୍ ଫର୍ମ ଦେବାକୁ ପଡ଼ିଥାଏ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱର ଲୋକସଭା: ଅପରାଜିତାଙ୍କୁ ରୋକିବା ସ୍ଥିତିରେ ନାହିଁ ବିଜେଡି!

ଭୁବନେଶ୍ୱର: ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ଉତ୍ତର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ବିଧାନସଭା ଆସନକୁ ନେଇ ଗଠିତ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଏବେ ବିଜେପି ହାତରେ ରହିଛି। ଆଗାମୀ ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ଯେଉଁ ନେତ୍ରୀଙ୍କୁ ଏଠାରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଛି ସେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁକ୍କାବିଲା କରିପାରିବେ କି ନାହିଁ ତାକୁ ନେଇ ମତଦାତାଙ୍କ ମହଲରେ ସନ୍ଦେହ ରହିଛି। ଗତଥର ଏଠାରୁ କଂଗ୍ରେସ ନିର୍ବାଚନ ଲଢ଼ି ନାହିଁ, ଏହାର ମେଣ୍ଟ ଦଳ ନିର୍ବାଚନ ଲଢ଼ି ମାତ୍ର ୨୩, ୦୨୬ ଭୋଟ ସହିତ ଦୟନୀୟ ସ୍ଥିତିରେ ଥିଲେ।

୧୯୫୨ରୁ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ୮ଥର ବିଜୟୀ ହୋଇଥିଲାବେଳେ ବିଜେଡି ୫ଥର ଓ ସିପିଏମ ୩ଥର ବିଜୟୀ ହୋଇଛି। ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେଡି ପ୍ରାର୍ଥୀ ପ୍ରସନ୍ନ କୁମାର ପାଟଶାଣୀ ଏଠାରୁ ଲଗାତାର ୫ଥର ବିଜୟ ଲାଭ କରିଛନ୍ତି।କିନ୍ତୁ ଗତ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରସନ୍ନ କୁମାର ପାଟଶାଣୀଙ୍କୁ ଏଠାରୁ ପ୍ରାର୍ଥୀ କରାନଯାଇ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଥିଲା। ବିଜେଡି ଆଶା କରୁଥିଲା ଯେ ଦଳର ଭାବମୂର୍ତ୍ତିରେ ଦଳୀୟ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ସହଜରେ ବିଜୟ ଲାଭ କରିବେ। କିନ୍ତୁ ତାହା ହୋଇନଥିଲା। ନିର୍ବାଚନ ମଇଦାନରେ ବିଜେଡି ଓ ବିଜେପି ପକ୍ଷରୁ ଦୁଇ ନବାଗତ ଥିଲେ ହେଁ ମତଦାତାମାନେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜୟୀ କରାଇଥିଲେ।

ଗତ ୨୦୧୯ ନିର୍ବାଚନରେ ବିଜେପି ସପକ୍ଷରେ କୌଣସି ଲହର ନ ଥିବାବେଳେ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହେବାରେ ସକ୍ଷମ ହୋଇଛନ୍ତି। ଗତ ୫ବର୍ଷ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ମଣ୍ଡଳୀରେ ନିରନ୍ତର ଗସ୍ତ କରିବା ସହିତ ନିଜର ଲୋକପ୍ରିୟତା ବୃଦ୍ଧି କରିବାରେ ଲାଗିଛନ୍ତି।

ବିଜେପି ସାଂସଦ ଅପରାଜିତାଙ୍କ ମୁକ୍କାବିଲା କରିବା ପାଇଁ ନାରୀ ନେତ୍ରୀ ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ରଙ୍କୁ ଛାଡ଼ିଛି। ଜଣେ ନାରୀ ନେତ୍ରୀ ହିସାବରେ ସେ ସମଗ୍ର ନିର୍ବାଚନ ମଣ୍ଡଳୀରେ ବୁଲୁଥିଲେ ହେଁ ଅପରାଜିତାଙ୍କ ଭଳି ଜନସମର୍ଥନ ପାଉନଥିବା ଦେଖିବାକୁ ମିଳୁଛି। କାରଣ ଭୁବନେଶ୍ୱରରେ ଥିବା ୩ଟି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକଙ୍କ ମଧ୍ୟରେ ସମନ୍ୱୟ ନାହିଁ। ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆରେ ମଧ୍ୟ ଦଳୀୟ କନ୍ଦଳ ଚାଲିଛି।

ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ବିଧାନସଭା ଆସନର କୌଣସିଟିରେ ବିଜେପି ପ୍ରାର୍ଥୀମାନେ ଗତ ନିର୍ବାଚନରେ ଜିତିବାରେ ସକ୍ଷମ ହୋଇପାରନାହାନ୍ତି। ବିଗତ ବର୍ଷମାନଙ୍କରେ ଦଳୀୟ ନେତାମାନେ ଅପରାଜିତାଙ୍କୁ ସହଯୋଗ କରୁ ନ ଥିଲେ। କିନ୍ତୁ ଅପରାଜିତା ଏଥିରେ ଦବି ନ ଯାଇ ନିଜର ଜନ ସମ୍ପର୍କ ଜାରୀ ରଖିଥିଲେ। ମନମୋହନ ସାମଲ ଦଳର ରାଜ୍ୟ ସଭାପତି ହେବା ପରଠାରୁ ସେ ଅପରାଜିତାଙ୍କୁ ସହଯୋଗ କରିବା ସହିତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁଥିବା ଦେଖିବାକୁ ମିଳୁଛି। ଏତଦ୍‍ଭିନ୍ନ ବର୍ତ୍ତମାନ ଦେଶରେ ଯେପରି ମୋଦିଙ୍କ ଲହର ଆରମ୍ଭ ହୋଇଛି ସେଥିରୁ ବିଜେପି ସାଂସଦ ଅପରାଜିତାଙ୍କୁ ରୋକିବା ବଜଦ ପାଇଁ କଷ୍ଟକର ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ଭୁବନେଶ୍ୱର ଲୋକସଭା ଆସନରୁ ୮ଥର ବିଜୟୀ ହୋଇଥିବା କଂଗ୍ରେସ ଦଳ ପ୍ରାର୍ଥୀ ଦେବା ସ୍ଥିତିରେ ନାହିଁ। ଯାହାଫଳରେ ଗତ ନିର୍ବାଚନରେ କଂଗ୍ରେସ ଏହି ଆସନଟି ସିପିଏମକୁ ଛାଡ଼ି ଦେଇଥିଲା। ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ୨୩,୦୨୬ଭୋଟ ହାସଲ କରିଥିଲେ। ଗତ କିଛି ବର୍ଷ ହେଲା ରାଜ୍ୟରେ କଂଗ୍ରେସ ସଂଗଠନ ଯେପରି ଦୟନୀୟ ସ୍ଥିତିରେ ରହିଥିବାରୁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିପାରିବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି।

ସମସ୍ତେ ଆଶା କରୁଥିଲେ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଓଡ଼ିଶା ଦେଇ ଗସ୍ତ କରିବା ପରେ କଂଗ୍ରେସ ସଂଗଠନ ନୂଆ ଶକ୍ତି ହାସଲ କରିବ। କିନ୍ତୁ ତାହା ହୋଇନାହିଁ। ଏବେ ଦଳର ବରିଷ୍ଠ ନେତାମାନେ ନିଜର ଭବିଷ୍ୟତ ପାଇଁ ଦଳରେ ପଡ଼ି ରହିବା ଅପେକ୍ଷା ବିଜେଡି ଓ ବିଜେପିରେ ଯୋଗଦେବାକୁ ଶ୍ରେ୍ର ମନେକରୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସଠାରୁ ପ୍ରତିଦ୍ୱନ୍ଦ୍ୱୀତା କରିବାର ଆଶା ବୃଥା ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

କଳାହାଣ୍ଡି ଲୋକସଭା: ଏଥର ବିଜେପିରୁ ମାଳବିକା ଦେବୀ! ପ୍ରାର୍ଥୀ ଖୋଜୁଛନ୍ତି ବିଜେଡି ଓ କଂଗ୍ରେସ 

ଭୁବନେଶ୍ୱର: ଭୋକର ଭୂଗୋଳ ଭାବରେ ଦେଶ ବିଦେଶରେ ପରିଚିତ କଳାହାଣ୍ଡି। କଳାହାଣ୍ଡି ରାଜନୀତିରେ ଏବେବି ରାଜପରିବାରର ପ୍ରଭାବ ଅକ୍ଷୁର୍ଣ୍ଣ ରହିଛି। ତେଣୁ ଅଣକଂଗ୍ରେସ ରାଜନୈତିକ ଦଳମାନେ ଏହି ପରିବାରର ସଦସ୍ୟଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଅଗ୍ରାଧିକାର ଦେଇଥାନ୍ତି। କାରଣ କଳାହାଣ୍ଡି ଲୋକସଭା ଆସନରୁ ରାଜପରିବାରର ସଦସ୍ୟମାନେ ୨୦୧୪ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପାର୍ଟି, ସ୍ୱାଧୀନ, ବିଜେପି ଓ ବିଜେଡି ପକ୍ଷରୁ ୯ଥର ନିର୍ବାଚିତ ହୋଇଛନ୍ତି। ଆଗାମୀ ନିର୍ବାଚନରେ ଏହି ପରିବାର ସଦସ୍ୟ ମାଳବିକା ଦେବୀ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଥିବାବେଳେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି।

କଳାହାଣ୍ଡି ଅଞ୍ଚଳକୁ ଅନୁନ୍ନତ ଅଞ୍ଚଳ ଭାବରେ ଗଣାଯାଇଥାଏ। ଏହାସତ୍ତ୍ୱେ ବି କଳାହାଣ୍ଡିର ମତଦାତାମାନେ କୌଣସି ରାଜନୈତିକ ଦଳକୁ ଏକଚାଟିଆ ଜିତିବାର ସୁଯୋଗ ଦେଇନାହାନ୍ତି। କଳାହାଣ୍ଡିର ମତଦାତାମାନେ ନିଜକୁ ରାଜଭକ୍ତ ବୋଲି ପ୍ରମାଣିତ କରିଛନ୍ତି। କାରଣ କଳାହାଣ୍ଡି ରାଜପରିବାରର ପ୍ରତାପ କେଶରୀ ଦେଓ ୧୯୫୭ରୁ ୧୯୭୭ ପର୍ଯ୍ୟନ୍ତ ୫ଥର ସ୍ୱତନ୍ତ୍ର ପାର୍ଟି (୪ଥର) ଓ ସ୍ୱାଧୀନ (ଥରେ) ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ବିକ୍ରମ କେଶରୀ ଦେଓ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ୩ଥର ବିଜେପି ଟିକଟରେ ସଂସକୁ ନିର୍ବାଚିତ ହୋଇଥିଲେ। ବିକ୍ରମ କେଶରୀ ଦେଓ ପରେ ତାଙ୍କ ପୁତ୍ର ଅର୍କକେଶରୀ ଦେଓ ୨୦୧୪ରେ ବିଜେଡି ଟିକଟରେ ସଂସଦକୁ ନିର୍ବାଚିତ ହୋଇଥିଲେ।

୨୦୧୯ରେ ତାଙ୍କୁ ବିଜେଡି ପ୍ରାର୍ଥୀ ନ କରିବାରୁ ସେ ଅସନ୍ତୁଷ୍ଟ ହୋଇ ତାଙ୍କ ପରିବାରର ପୁରୁଣା ଦଳ ବିଜେପିକୁ ଫେରି ଆସିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ବର୍ତ୍ତମାନର ସାଂସଦ ବସନ୍ତ ପଣ୍ଡାଙ୍କୁ ଆଉ ଲୋକସଭା ନିର୍ବାଚନ ଲଢ଼ାଇବ ନାହିଁ ବୋଲି ଦଳୀୟ ସ୍ତରରେ ଚର୍ଚ୍ଚା ଜୋର୍‍ ଧରିଛି। ବସନ୍ତ ପଣ୍ଡା ବିଧାନସଭା ପାଇଁ ଲଢ଼ିବାର ସ୍ଥିର ହୋଇଛି। ତେଣୁ ଆଗାମୀ ନିର୍ବାଚନରେ ଅର୍କକେଶରଙ୍କ ପତ୍ନୀ ମାଳବିକା ଦେବୀ ବିଜେପି ଟିକଟରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେଡି ଗତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କଠାରୁ ୨୬,୮୧୪ ଭୋଟରେ ହାରିଯାଇଥିଲେ। ତେଣୁ ଆଗାମୀ ନିର୍ବାଚନରେ ପୁଷ୍ପେନ୍ଦ୍ର ଲୋକସଭା ପରିବର୍ତ୍ତେ ବିଧାନସଭା ଲଢ଼ିବା ପାଇଁ ଦଳୀୟ କର୍ତ୍ତୃପକ୍ଷକୁ ଜଣାଇ ଦେଇଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏପରି କ୍ଷେତ୍ରରେ ବିଜେଡିକୁ ନୂଆ ପ୍ରାର୍ଥୀ ଖୋଜିବାକୁ ପଡ଼ିବ। ବର୍ତ୍ତମାନ କଳାହାଣ୍ଡିରେ ବିଜେଡିର ସ୍ଥିତି ଦୋହଲି ଯାଇଛି କହିଲେ ଭୁଲ ହେବ ନାହିଁ। କାରଣ ପୂର୍ବତନ ମନ୍ତ୍ରୀ ଦିବ୍ୟସିଂହ ମିଶ୍ର ବିବାଦରେ ଛନ୍ଦି ହୋଇ ମନ୍ତ୍ରୀପଦ ହରାଇଛନ୍ତି। ଅପରପକ୍ଷରେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଆଦିବାସୀ ନେତା ବଳଭଦ୍ର ମାଝୀ ଇତି ମଧ୍ୟରେ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗଦେଇଛନ୍ତି। ତେଣୁ ସାମ୍ପ୍ରତିକ ସ୍ଥିତିରେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେଡି ପାଖରେ ପରିଚିତ ଚେହେରା ନାହାନ୍ତି।

ଏଭଳି ସ୍ଥିତିରେ ଦଳ ନୂଆ ମୁହଁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି କୁହାଯାଉଛି। ରାଜପରିବାରର ବ୍ୟତୀତ ଆଉ ଜଣେ କଳାହାଣ୍ଡି ଲୋକସଭା ଆସନରୁ ଜନତା ଦଳ, ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରୀୟ) ଓ କଂଗ୍ରେସରୁ ମୋଟ ୩ଥର ସଂସଦକୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି, ସେ ହେଲେ ଭକ୍ତ ଚରଣ ଦାସ। ବିଗତ ୩ଟି ନିର୍ବାଚନ ମଧ୍ୟରୁ ସେ ୨୦୦୯ରେ ବିଜୟୀ ହୋଇଥିଲେ ହେଁ ୨୦୧୪ ଓ ୨୦୧୯ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ। ଆଗାମୀ ନିର୍ବାଚନରେ ଭକ୍ତ ଚରଣ ଦାସ ଲୋକସଭା ପରିବର୍ତ୍ତେ ବିଧାନସଭା ଲଢ଼ିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି। ଯଦି ଏ କଥା ସତ୍ୟ ହୁଏ ତେବେ ବିଜେଡି ଭଳି କଂଗ୍ରେସ ମଧ୍ୟ ନୂଆ ଚେହେରା ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡରେ କଂଗ୍ରେସକୁ ବଡ ଝଟକା, ବିଜେପିରେ ଯୋଗ ଦେଲେ ସାଂସଦ ଗୀତା କୋଡା

ନୂଆଦିଲ୍ଲୀ: ଆଜି ଝାଡଖଣ୍ଡରେ କଂଗ୍ରେସ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଏକମାତ୍ର ସାଂସଦ ଗୀତା କୋଡା ବିଜେପିରେ ଯୋଗ ଦେଇଛନ୍ତି। ଗୀତା କୋଡା ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ଏବଂ ବିରୋଧୀ ଦଳର ନେତା ଅମର ବାଉରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ଗୀତା କୋଡା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ। ଗୀତା କୋଡା ସିଂହଭୂମର ସାଂସଦ ଅଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କନ୍ଧମାଳ ଲୋକସଭା: ବିଜଦର ଆଧିପତ୍ୟ ଜାରୀ ଭାଜପା ବଢ଼ୁଛି, କଂଗ୍ରେସ ଖସୁଛି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ନୟାଗଡ଼ର ଦଶପଲ୍ଲା, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି, ଫୁଲବାଣୀ, ବାଲିଗୁଡ଼ା, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ଆସନକୁ ଗଠିତ କନ୍ଧମାଳ ଲୋକସଭା ଆସରେ ବିଗତ ୪ଟି ନିର୍ବାଚନ (୨୦୧୪ରେ ଉପନିର୍ବାଚନ)ରେ ବିଜଦ ପ୍ରାର୍ଥୀମାନେ ସହଜ ବିଜୟ ହାସଲ କରିଛନ୍ତି। ଭାଜପା ଏଠାରେ କ୍ରମାଗତ ଭାବରେ ନିଜର ଭୋଟ ହାର ବୃଦ୍ଧି କରିପାରିଥିବାବେଳେ କଂଗ୍ରେସର ଭୋଟ ହାର କମିବାରେ ଲାଗିଛି। ତେଣୁ ସେହି ଦୃଷ୍ଟିରୁ ବିଜଦର ସାଂସଦ ଅଚ୍ୟୁତ ସାମନ୍ତ ୨୦୨୪ ନିର୍ବାଚନରେ ପୁଣିଥରେ ପ୍ରାର୍ଥୀ ହୋଇପାରନ୍ତି। କିନ୍ତୁ ଲୋକସଭାରେ ୩୭୦ ପାର୍‍ ଲକ୍ଷ୍ୟ ରଖିଥିବା ଭାପା ଏଠାରୁ କାହାକୁ ଲଢ଼ାଇବ ତାହା ସ୍ଥିର ହୋଇନାହିଁ। କଂଗ୍ରେସର ମଧ୍ୟ ପ୍ରାର୍ଥୀ ଖୋଜା ଚାଲିଛି।

ବିଗତ ୩ଟି ନିର୍ବାଚନରେ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜଦ କନ୍ଧମାଳ ଲୋକସଭା ଆସନରୁ ଲଗାତାର ବିଜୟୀ ହୋଇଥିଲେ ହେଁ ୩ଥର ଯାକ ନୂଆ ମୁହଁ ନେଇ ନିର୍ବାଚନ ଲଢ଼ିଛି। ୨୦୦୯ରେ ବିଜଦ ପ୍ରାର୍ଥୀ ରୁଦ୍ରମାଧବ ରାୟ ୩,୧୫,୩୧୪ ଭୋଟ ପାଇଥିଲାବେଳେ ୨୦୧୪ରେ ୪,୨୧,୪୫୮ ଭୋଟ ପାଇଥିଲାବେଳେ ତାଙ୍କ ପରଲୋକ ପରେ ତାଙ୍କ ପତ୍ନୀ ଦଳୀୟ ପ୍ରାର୍ଥୀ ହୋଇ ଉପନିର୍ବାଚନରେ ୪,୭୭,୫୨୯ ଭୋଟ ପାଇଥିଲେ । ୨୦୧୯ରେ ବିଜଦ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। କିଟ୍‍ ସଂସ୍ଥାପକ ଅଚ୍ୟୁତ ସାମନ୍ତଙ୍କୁ ବିଜଦ ପ୍ରାର୍ଥୀ କରିଥିଲା, ଲକ୍ଷ୍ୟଥିଲା ସେ କନ୍ଧମାଳ ଅଞ୍ଚଳର ଗରିବ ଆଦିବାସୀ ପିଲାଙ୍କୁ ମାଗଣାରେ କିସ୍‍ ଅନୁଷ୍ଠାନରେ ପଢ଼ାଉଥିବାରୁ ସେ ସହଜରେ ବିଜୟ ଲାଭ କରିବେ। ତାହାହିଁ ହେଲା। ଅଚ୍ୟୁତ ସାମନ୍ତ ୪,୬୧,୬୨୯ ଭୋଟ ପାଇ ୧,୪୯,୨୧୬ ଭୋଟରେ ଭାଜପାର ମହାମେଘବାହାନ ଐର ଖାରବେଳ ସ୍ୱାଇଁଙ୍କୁ ପରାଜିତ କରିଥିଲେ। ବିଭିନ୍ନ ସର୍ଭେ ରିପୋର୍ଟ ଅନୁସାରେ ବିଜଦର ଲୋକପ୍ରିୟତା ହ୍ରାସ ପାଉଥିବାରୁ ଦଳ ପ୍ରାର୍ଥୀ ପରିବର୍ତ୍ତନର ପଦକ୍ଷେପ ନେଇ ନ ପାରେ। ତେଣୁ ଆପାତତଃ ବିଜଦ ପୁଣିଥରେ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳ ଲୋକସଭା ଆସନରେ ପ୍ରାର୍ଥୀ କରିପାରେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ବିଗତ ୩ଟି ନିର୍ବାଚନରେ ନିଜର ଭୋଟ ପରିମାଣ ବୃଦ୍ଧି କରି ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ଭାଜପା କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳୀୟ ନେତୃତ୍ୱ ଦ୍ୱନ୍ଦ୍ୱରେ ଅଛନ୍ତି। କାରଣ ଗତ ଥରର ଭାଜପା ପ୍ରାର୍ଥୀ ମହାମେଘବାହାନ ଐର ଖାରବେଳ ସ୍ୱାଇଁ ତାଙ୍କ ପୁରୁଣା ଆସନ ବାଲେଶ୍ୱରରୁ ଲଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିସାରିଛନ୍ତି। କିନ୍ତୁ ସେଠାରେ ପ୍ରତାପ ଷଡ଼ଙ୍ଗୀ ଥିବାରୁ ତାଙ୍କୁ ପରିବର୍ତ୍ତନ କରିବା ଦଳୀୟ ନେତୃତ୍ୱଙ୍କ ପାଇଁ କଷ୍ଟକର ବ୍ୟାପାର। ଫଳରେ କନ୍ଧମାଳ ଆସନ ପାଇଁ ଭାଜପାରୁ କିଏ ପ୍ରାର୍ଥୀ ହେବ ଜଣାପଡ଼ୁନାହିଁ। କିନ୍ତୁ ପ୍ରାର୍ଥୀ ହେବା ପାଇଁ ମହାମେଘବାହାନ ଐର ଖାରବେଳ ସ୍ୱାଇଁଙ୍କ ସମେତ ପୂର୍ବତନ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ନାମ ଶୁଣାଯାଉଛି।

କନ୍ଧମାଲ ଲୋକସଭା ଆସନ ଗଠନ ପରଠାରୁ ବିଜୟ ହାସଲ କରିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ତା’ର ସ୍ଥିତିରେ ଉନ୍ନତି କରିବା ପରିବର୍ତ୍ତେ ଅବନ୍ନତି କରିବାରେ ଲାଗିଛି। ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ଏବେ ତୃତୀୟ ସ୍ଥାନକୁ ଖସି ଆସିଛି। ୨୦୦ରେ କଂଗ୍ରେସ ପ୍ରାର୍ଥୀ ସୁଜିତ୍‍ କୁମାର ପାଢ଼ୀ ୧,୬୪,୩୦୭ ଭୋଟ ପାଇଥିଲାବେଳେ ୨୦୧୪ରେ ହରିହର କରଣ ୨,୪୦, ୪୧୧ ଭୋଟ ପାଇଥିଲେ, ୨୦୧୪ ଉପନିର୍ବାଚନରେ ଅଭିମନ୍ୟୁ ବେହେରା ସବୁଠାରୁ କମ୍‍ ୯୦, ୫୩୬ ଭୋଟ ପାଇଥିଲେ। ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ ୧,୩୮,୯୯୩ ଭୋଟ ପାଇଥିଲେ। କଂଗ୍ରେସର ପ୍ରାର୍ଥୀ ପ୍ରତିଥର ବଦଳୁ ଥିବାରୁ ଆଗାମୀ ନିର୍ବାଚନରେ କିଏ ଏଠାରୁ ପ୍ରାର୍ଥୀ ହେବ କହିବା ମୁସ୍କିଲ।

Categories
ଆଜିର ଖବର ଜାତୀୟ ଖବର

ଆଜି ମଧ୍ୟ ଇଡି ସମ୍ମୁଖରେ ହାଜର ହେବେ ନାହିଁ ଅରବିନ୍ଦ କେଜ୍ରିୱାଲ: ଜାଣନ୍ତୁ କ’ଣ କହିଲା ଆପ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ଇଡି ଆଗରେ ହାଜର ହେବେ ନାହିଁ। ଆମ୍ ଆଦମୀ ପାର୍ଟି କହିଛି ଯେ, କେଜ୍ରିୱାଲ ଏବେ ଇଡି ଯିବେ ନାହିଁ। ଏହି ମାମଲା କୋର୍ଟରେ ଅଛି ଏବଂ କୋର୍ଟରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ ତାରିଖରେ ହେବ। ଦୈନିକ ସମନ ପଠାଇବା ପରିବର୍ତ୍ତେ, କୋର୍ଟର ନିଷ୍ପତ୍ତିକୁ ଇଡି ଅପେକ୍ଷା କରିବା ଉଚିତ୍। INDI ସହଯୋଗୀ ଦଳ ଛାଡିବାକୁ ଏହି ପ୍ରକାର ଚାପ ଆମ ଉପରେ ରଖାଯାଉଛି, ଆମେ ମେଣ୍ଟ ଛାଡିବୁ ନାହିଁ। ମୋଦୀ ସରକାର ଆମ ଉପରେ ଏହିପରି ଚାପ ପକାଇବା ଉଚିତ୍ ନୁହେଁ।

ଇଡି ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ସପ୍ତମ ସମନ ପଠାଇ ଆଜି ତାଙ୍କୁ ହାଜର ପାଇଁ ଡାକିଥିଲା। ଏହାପୂର୍ବରୁ, ଇଡି ସୋମବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଡାକିଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ଦିଲ୍ଲୀର ମଦ ଦୁର୍ନୀତିରେ ଅର୍ଥ ହେରଫେର ଯାଞ୍ଚ କରୁଥିବା ଇଡି କେଜ୍ରିୱାଲଙ୍କୁ ସାତଥର ସମନ କରିସାରିଛି। ଗତଥର ଇଡି ସମନକୁ ବେଆଇନ ​​ଏବଂ ଇଡି ସମନ୍ ର ବୈଧତା ପ୍ରସଙ୍ଗ ବର୍ତ୍ତମାନ କୋର୍ଟରେ ଅଛି ବୋଲି AAP କହିଥିଲା। ଇଡି ନିଜେ କୋର୍ଟଙ୍କ ନିକଟକୁ ଯାଇଛି। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ, ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍। ଏହା ଷଷ୍ଠ ଥର ଥିଲା, ଯେତେବେଳେ କେଜ୍ରିୱାଲ ଇଡି ଆଗରେ ହାଜର ହୋଇନଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ମୋଦିଙ୍କୁ ପରାସ୍ତ କରିବାର ରହସ୍ୟ ଖୋଲିଲେ ପ୍ରଶାନ୍ତ କିଶୋର!

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଯେକୌଣସି ସମୟରେ ଲୋକସଭା ନିର୍ବାଚନ ୨୦୨୪ ଘୋଷଣା କରିପାରନ୍ତି। ଦେଶର ଛୋଟ ବଡ଼ ରାଜନୈତିକ ଦଳଗୁଡ଼ିକ ଏହାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶକ୍ତିରେ ତୃତୀୟ ଥର ପାଇଁ ଆଶା ରଖିଛି। ସେପଟେ ବିଜେପିର ଏହି ବିଜୟ ଅଭିଯାନକୁ ରୋକିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ ଦଳ।

ଅନେକ ନିର୍ବାଚନୀ ସର୍ବେକ୍ଷଣରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଏଥର ମଧ୍ୟ ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାର ଫାଇଦା ପାଇବ ଏବଂ ଅନ୍ୟ ନେତାମାନେ ସେମାନଙ୍କ ସମ୍ମୁଖରେ ଚ୍ୟାଲେଞ୍ଜ ଉପସ୍ଥାପନ କରିପାରିବେ ନାହିଁ। ପ୍ରସିଦ୍ଧ ନିର୍ବାଚନ ରଣନୀତିଜ୍ଞ ତଥା ଜନସୁରାଜ ସଂଗଠନର ଆବାହକ ପ୍ରଶାନ୍ତ କିଶୋର କହିଛନ୍ତି ଯେ ତାଙ୍କୁ (ପ୍ରଧାନମନ୍ତ୍ରୀ ମୋଦୀଙ୍କୁ) ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ସେମାନଙ୍କୁ ମଧ୍ୟ ପରାସ୍ତ କରାଯାଇପାରିବ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଏ ଚ୍ୟାଲେଞ୍ଜ କରିପାରିବ?

ଟାଇମ୍ସ ନାଓ, ନବଭାରତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଯେଉଁ ବ୍ୟକ୍ତି ୫ ବର୍ଷ ପାଇଁ ପଡ଼ିଆରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି, ସେ ମୋଦୀଜୀଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇପାରନ୍ତି। କେହି ସେମାନଙ୍କୁ ପରାସ୍ତ କରିପାରିବେ ନାହିଁ କିମ୍ବା ସେମାନେ ଏତେ ଲୋକପ୍ରିୟ ଯେ କେହି ସେମାନଙ୍କ ସାମ୍ନାରେ ଠିଆ ହୋଇପାରିବେ ନାହିଁ ବୋଲି ଏହି ଭ୍ରମରେ ରହନ୍ତୁ ନାହିଁ। ମୋଦିଜୀ ପରାଜିତ ହୋଇ ବିଗତ ୧୦ ବର୍ଷ ମଧ୍ୟରେ ପରାଜିତ ହୋଇଛନ୍ତି ଏବଂ ପରାଜିତ ହୋଇ ରହିବେ।

ରାଜୀବ ଗାନ୍ଧି ଓ ଇନ୍ଦିରା ଗାନ୍ଧୀଙ୍କ ସମୟରେ ମଧ୍ୟ ଲୋକମାନେ ସମାନ ଅନୁଭବ କରିଥିଲେ ଯେ ସେମାନଙ୍କୁ ପରାସ୍ତ କରାଯାଇପାରିବ ନାହିଁ। ୧୯୭୭ରେ ଜେପି ଇନ୍ଦିରା ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଥିଲେ।

‘୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ କୌଣସି ଚ୍ୟାଲେଞ୍ଜ ନାହିଁ’

ପିକେ ତାଙ୍କ ବକ୍ତବ୍ୟ ଜାରି ରଖି କହିଛନ୍ତି, ଯେତେବେଳେ କଂଗ୍ରେସ କହୁଥିଲା ସେତେବେଳେ ଦେଶର ୪ ହଜାରରୁ ଅଧିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୫୦୦ରୁ ୨୭୦୦ ବିଧାୟକ କଂଗ୍ରେସର ଥିଲେ। ଆଜି ବିଜେପିରେ ସେଭଳି ସ୍ଥିତି ନାହିଁ। ଯଦି ଆମେ ଅଧିକ ଯୋଡ଼ିବା ତେବେ ୧୬୦୦ରୁ ୧୭୦୦ ବିଧାୟକ ଅଛନ୍ତି। ଏବେ କୁହାଯାଉଛି ଯେ ଆଜି ପର୍ଯ୍ୟନ୍ତ ଏତେ ମହାନ ନେତା ଜନ୍ମ ହୋଇ ନାହାନ୍ତି ଏବଂ ଜନ୍ମ ନେବେ ନାହିଁ । ହଁ, ୨୦୨୪ରେ ଏହା ଘଟିବ ବୋଲି ମନେ ହେଉନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ବିଜେପି ପାଲଟିଲା ଦଳ ଛଡ଼ାଙ୍କ ଆଡ୍ଡା: ୧୦ ବର୍ଷରେ ୬୦୦ ନେତା ସାମିଲ, ୭ଟି ରାଜ୍ୟରେ ତାଙ୍କର କମାଣ୍ଡ ରହିଛି

ନୂଆଦିଲ୍ଲୀ: ୨୦୧୪ ପରେ ସବୁଠାରୁ ଅଧିକ ନେତା ବିଜେପିକୁ ଯାଇଛନ୍ତି। ଏଡିଆର୍ ରିପୋର୍ଟ ଅନୁଯାୟୀ, ୨୦୧୪ରୁ ୨୦୨୧ ମଧ୍ୟରେ ବିଧାୟକ-ସାଂସଦ ସ୍ତରର ମାତ୍ର ୪୨୬ ଜଣ ନେତା ବିଜେପିରେ ଯୋଗ ଦେଇଛନ୍ତି।

ଭାରତରେ ନିର୍ବାଚନ ଋତୁ ଆରମ୍ଭ ହେବା ମାତ୍ରେ ଦଳବଦଳ ଖେଳ ଆରମ୍ଭ ହୋଇଯାଇଛି। ଗତ ୭ ଦିନ ମଧ୍ୟରେ ୪ଟି ରାଜ୍ୟର ଦୁଇ ଡଜନରୁ ଅଧିକ ନେତା ଦଳ ବଦଳାଇଛନ୍ତି। ଯେଉଁମାନେ ଦଳ ବଦଳାଇଛନ୍ତି ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମେୟର ସ୍ତରର ନେତା ରହିଛନ୍ତି।

ବର୍ତ୍ତମାନ ମହାରାଷ୍ଟ୍ରରୁ ଦଳବଦଳ ଖେଳ ଆରମ୍ଭ ହୋଇଛି, ଯେଉଁଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚୌହାନ ବିଜେପିରେ ଯୋଗ ଦେଇଛନ୍ତି। ରାଜସ୍ଥାନ କଂଗ୍ରେସ ବିଧାୟକ ମହେନ୍ଦ୍ରଜିତ ସିଂହ ମାଲବ୍ୟ ମଧ୍ୟ ପଦ୍ମ ଦଳରେ ଯୋଗ ଦେଇଛନ୍ତି।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଦଳ ବଦଳାଇବାକୁ ନେଇ ଆଲୋଚନା ହୋଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ସେ ୟୁ-ଟର୍ଣ୍ଣ ନେଇଥିଲେ। ତେବେ କମଲନାଥଙ୍କ ଘନିଷ୍ଠ ସହଯୋଗୀ ତଥା ଜବଲପୁର ମେୟର ଜଗତ ବାହାଦୁର ଅନୁ ନିଶ୍ଚିତଭାବେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ଭାରତରେ ଦଳବଦଳର ଏକ ପରିସଂଖ୍ୟାନ

୧୯୬୦-୭୦ମସିହାରେ ହରିୟାଣାରେ ଭାରତରେ ଦଳବଦଳ ଖେଳ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ରାଜନୈତିକ ରୋଗ ସମଗ୍ର ଭାରତରେ ବ୍ୟାପିଯାଇଥିଲା। ୨୦୧୪ ପରେ ନେତାଙ୍କ ଦଳବଦଳ ମାମଲାରେ ଯଥେଷ୍ଟ ବୃଦ୍ଧି ଘଟିଥିଲା।

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ଅନୁଯାୟୀ, ୨୦୧୪-୨୧ ଦଳବଦଳ ଖେଳରେ ସାଂସଦ ଓ ବିଧାୟକ ସ୍ତରରେ ୧୦ରୁ ଅଧିକ ନେତା ଦଳ ବଦଳ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

୧୫ ବର୍ଷ ପରେ ପ୍ରଥମ ଥର ପାଇଁ ସର୍ବନିମ୍ନ ଆସନରେ ଲଢ଼ିବେ କଂଗ୍ରେସ-ବିଜେପି

ନୂଆଦିଲ୍ଲୀ: ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ସର୍ବନିମ୍ନ ଆସନରେ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ଏହାର ମୁଖ୍ୟ କାରଣ ହେଉଛି ଦେଶର ରାଜନୀତିରେ ପୁଣିଥରେ ମେଣ୍ଟ ରାଜନୀତିର ଆଧିପତ୍ୟ ଆରମ୍ଭ ହୋଇଛି । ଉଭୟ ପକ୍ଷରୁ ଯେଉଁ ସମୀକରଣ ପ୍ରସ୍ତୁତ ହେଉଛି ତାହା ଅନୁଯାୟୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ୪୧୦ ଆସନରେ ଏବଂ କଂଗ୍ରେସ ୩୫୦ରୁ ୩୭୦ ଆସନରେ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛି।

୨୦୦୯ରେ ବିଜେପି ୪୩୩, ୨୦୧୪ରେ ୪୨୨ ଓ ୨୦୧୯ରେ ୪୩୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଗତ ୧୫ ବର୍ଷ ଧରି କଂଗ୍ରେସ ମଧ୍ୟ ୪୦୦ରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ୪୪୦, ୨୦୧୪ରେ ୪୬୪ ଓ ୨୦୧୯ରେ ୪୨୧ ପ୍ରାର୍ଥୀ ଦେଇଥିଲା।

ବିଜେପି ୪୦ ଓ କଂଗ୍ରେସ ୨୮ ଦଳ ସହ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ

ପ୍ରଥମ ଥର ପାଇଁ ବିଜେପି ଓ କଂଗ୍ରେସ ଅଧିକରୁ ଅଧିକ ଦଳ ସହ ମେଣ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ବିଜେପି ଏପର୍ଯ୍ୟନ୍ତ ୪୦ଟି ଦଳ ସହ ମେଣ୍ଟ କରିସାରିଛି। ଏଥିରେ ଏନପିପି ଭଳି ଜାତୀୟ ଦଳ ସାମିଲ ଅଛନ୍ତି। ଗତ ୬ ମାସ ମଧ୍ୟରେ ବିଜେପି ପ୍ରାୟ ୧୦ଟି ଦଳ ଯୋଡ଼ିଛି। ଟିଡିପି, ଶିରୋମଣି ଅକାଳୀ ଦଳ, ଏମଏନଏସ, ବିଆରଏସ ଏବଂ ଏଆଇଏଡିଏମକେ ଭଳି ଦଳକୁ ଟାର୍ଗେଟ କରିବା ପାଇଁ ଦଳ ପ୍ରସ୍ତୁତି ଚଳାଇଛି।

ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଭାରତୀୟ ମେଣ୍ଟରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ବର୍ତ୍ତମାନ ଭାରତୀୟ ମେଣ୍ଟରେ ୨୭ଟି ଦଳ ଅଛନ୍ତି। କଂଗ୍ରେସ ବହୁଜନ ସମାଜ ପାର୍ଟି ଏବଂ ପ୍ରକାଶ ଆମ୍ବେଦକରଙ୍କ ଦଳକୁ ସମର୍ଥନ କରିବାକୁ ଚେଷ୍ଟା କରୁଛି।

୨୦୨୪ ରେ କିଏ କେତେ ଆସନରେ ଲଢ଼ିବ: ଶାସକ ବିଜେପିକୁ ନେଇ ପ୍ରଥମ ଚର୍ଚ୍ଚା

୨୦୧୯ରେ ବିଜେପି ୨୨ଟି ଦଳ ସହ ନିର୍ବାଚନରେ ପ୍ରବେଶ କରିଥିଲା। ୫୪୩ଟି ଆସନରୁ ବିଜେପି ୪୩୭ ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବାକି ୧୦୫ଟି ଆସନରେ ଏନଡିଏର ଅନ୍ୟାନ୍ୟ ଦଳମାନେ ପ୍ରାର୍ଥୀ ଦେଇଥିଲେ। ୪୩୭ଟି ଆସନରୁ ବିଜେପି ୩୦୩ଟି ଆସନ ଜିତିଥିବାବେଳେ ସହଯୋଗୀ ଦଳ୧୦୫ ଟି ଆସନରେ ଲଢ଼ି ୪୯ଟି ଆସନ ଜିତିବାରେ ସଫଳ ହୋଇଥିଲେ।

ବିଜେପି ଏଥର ୟୁପିରେ ସର୍ବାଧିକ ଆସନରେ ଲଢ଼ିପାରେ। ବିଜେପି ଏଥର ୟୁପିରେ ୭୦-୭୨ ଟି ଆସନରେ ପ୍ରାର୍ଥୀ ଦେଇପାରେ। ଗତଥର ବିଜେପି ୭୮ଟି ଆସନରେ ପ୍ରାର୍ଥୀ ଦେଇଥିଲା।

ବିହାରରେ ମଧ୍ୟ ମେଣ୍ଟର ପରିସର ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ବିଜେପି ଏଥର ୧୭ରୁ କମ୍ ଆସନରେ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ବିହାରରେ ବିଜେପି ୧୫ରୁ ୧୭ଟି ଆସନରେ ଲଢ଼ିପାରେ।

କର୍ଣ୍ଣାଟକରେ ମଧ୍ୟ ବିଜେପି ଗତଥର ତୁଳନାରେ ଏଥର କମ୍ ଆସନରେ ଲଢ଼ିବ। ଏହାର କାରଣ ହେଉଛି ଜେଡିଏସ ସହ ବିଜେପିର ମେଣ୍ଟ। ଜେଡିଏସ ଅତି କମରେ ୩ଟି ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି ଚଳାଇଛି।

ହରିୟାଣାରେ ମଧ୍ୟ ବିଜେପି ବୁଝାମଣା ଅନୁଯାୟୀ ଜେଜେପିକୁ ୨ଟି ଆସନ ଦେଇପାରେ। ହରିୟାଣାରେ ମୋଟ ୧୦ଟି ଲୋକସଭା ଆସନ ରହିଛି ଏବଂ ଗତଥର ବିଜେପି ସମସ୍ତ ଆସନରେ ବିଜୟୀ ହୋଇଥିଲା।

ବିଜେପି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଞ୍ଜାବରେ ଶକ୍ତିଶାଳୀ ସହଯୋଗୀ ଖୋଜିବାକୁ ଚେଷ୍ଟା କରୁଛି। ଯଦି ସବୁକିଛି ଠିକ୍ ଠାକ୍ ରହେ ତେବେ ନିର୍ବାଚନ ପୂର୍ବରୁ ଆନ୍ଧ୍ରରେ ଟିଡିପି, ପଞ୍ଜାବରେ ଏସଏଡି, ତାମିଲନାଡୁରେ ଏଆଇଏଡିଏମକେ ଏବଂ ତେଲେଙ୍ଗାନାରେ ବିଆରଏସ ସହ ମେଣ୍ଟ ହୋଇପାରେ ବୋଲି କୁହାଯାଉଛି । ଏହି ୪ଟି ରାଜ୍ୟର ୯୪ଟି ଲୋକସଭା ଆସନମଧ୍ୟରୁ ବିଜେପି ୨୫ରୁ ୩୦ଟି ଆସନରେ ଲଢିବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ, ହିମାଚଳ, ଉତ୍ତରାଖଣ୍ଡ ଓ ଦିଲ୍ଲୀର ସମସ୍ତ ଆସନରେ ବିଜେପି ଲଢ଼ିବ।

ପଶ୍ଚିମବଙ୍ଗରେ ବିଜେପି ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ପାଇଁ ଗୋଟିଏ ଏବଂ ଝାଡ଼ଖଣ୍ଡରେ ଗୋଟିଏ ଆସନ ଏଜେଏସୟୁ ପାଇଁ ଛାଡ଼ିପାରେ। ବିଜେପି ଓଡ଼ିଶାର ସମସ୍ତ ଆସନରେ ଲଢ଼ିବ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେଡିର ପରିବର୍ତ୍ତିତ ଆଭିମୁଖ୍ୟ ସହ ମେଣ୍ଟ ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ମହାରାଷ୍ଟ୍ରରେ ବିଜେପି ଗତଥର ତୁଳନାରେ ଅଧିକ ଆସନରେ ଲଢ଼ିପାରେ। ଏହାର ମୁଖ୍ୟ କାରଣ ହେଉଛି ଏଠାରେ ସହଯୋଗୀଦଳ ଦୁର୍ବଳ ହେବା। ଗତଥର ତୁଳନାରେ ବିଜେପି ୨ଟି ଅଧିକ ଆସନରେ ଲଢ଼ିପାରେ।

ଏବେ ଜାଣନ୍ତୁ କଂଗ୍ରେସର ସ୍ଥିତି

୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ୪୦୦ରୁ କମ୍ ଆସନରେ ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ସାରାଦେଶରେ ୩୫୦ରୁ ୩୭୦ ଆସନରେ ଲଢିବାକୁ ଚେଷ୍ଟା କରୁଛି।

କଂଗ୍ରେସ ୨୦୦୯ରେ ୪୪୦, ୨୦୧୪ରେ ୪୬୪ ଏବଂ ୨୦୧୯ରେ ୪୨୧ ଆସନରେ ପ୍ରାର୍ଥୀ ଦେଇଥିଲା, କିନ୍ତୁ ମେଣ୍ଟ ରଣନୀତିରେ ଦଳ ଏଥିରେ ବୁଝାମଣା କରିବାକୁ ନିଷ୍ପତ୍ତି ନେଇଛି।

ସବୁଠାରୁ ବଡ଼ ରାଜ୍ୟ ୟୁପିରେ କଂଗ୍ରେସ ୧୫ରୁ ୧୭ଟି ଆସନରେ ପ୍ରାର୍ଥୀ ଦେଇପାରେ। ଏଠାରେ ଦଳ ସପା ସହ ମେଣ୍ଟ କରିଛି। ବିହାରରେ କଂଗ୍ରେସ ୭-୮ଟି ଆସନରେ ଲଢ଼ିପାରେ। ସେହିପରି ଝାଡ଼ଖଣ୍ଡର ୭ଟି ଓ ପଶ୍ଚିମବଙ୍ଗର ୫ଟି ଆସନରେ କଂଗ୍ରେସ ନିଜ ଚିହ୍ନରେ ପ୍ରାର୍ଥୀ ଦେଇପାରେ।

ମହାରାଷ୍ଟ୍ରରେ ମଧ୍ୟ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯାଉଛି। ଏଠାରେ କଂଗ୍ରେସକୁ ୨୨ଟି ଆସନ ମିଳିବାର ସମ୍ଭାବନା ରହିଛି। ତାମିଲନାଡୁରେ ମଧ୍ୟ କଂଗ୍ରେସ ଭାରତୀୟ ମେଣ୍ଟରେ ଦ୍ୱିତୀୟ ବୃହତ୍ତମ ଦଳ। ଏଠାରେ କଂଗ୍ରେସକୁ ୧୦ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।

ଦିଲ୍ଲୀରେ କଂଗ୍ରେସ ୨ଟି ଆସନରେ ଲଢ଼ିବ ବୋଲି ଚର୍ଚ୍ଚା ହେଉଛି। ଏଠାରେ ସମୁଦାୟ ୭ଟି ଲୋକସଭା ଆସନ ରହିଛି, ଯେଉଁଥିରୁ ଆପ୍ ୫ଟି ରେ ନିର୍ବାଚନ ଲଢ଼ିପାରେ।
କଂଗ୍ରେସ ପଞ୍ଜାବରେ ୧୩, ମଧ୍ୟପ୍ରଦେଶରେ ୨୯, ହରିୟାଣାରେ ୧୦, କର୍ଣ୍ଣାଟକରେ ୨୮ ଏବଂ ତେଲେଙ୍ଗାନାରେ ୧୭ ଆସନରେ ଲଢ଼ିବ। ଅର୍ଥାତ୍ କଂଗ୍ରେସ ଏଠାରେ କାହା ସହ ବୁଝାମଣା କରିବ ନାହିଁ।

ଗୁଜରାଟରେ କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ୧-୨ଟି ଆସନ ଦେଇପାରେ। ଉତ୍ତର-ପୂର୍ବାଞ୍ଚଳରେ କଂଗ୍ରେସ ୨୧ଟି ଆସନରୁ ୧୫ଟିଆସନରେ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛି। ଗୋଆରେ ଉଭୟ ଆସନରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବେ।

ଫେରିଆସୁଛି ମେଣ୍ଟ ରାଜନୀତିର ଯୁଗ:୫ ପଏଣ୍ଟ

୧. ୧୯୮୯ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମେଣ୍ଟ ରାଜନୀତି ଆଧିପତ୍ୟ ବଜାୟ ରଖିଥିଲା। ସରକାର ଗଠନର ସରଳ ଫର୍ମୁଲା ଥିଲା ସର୍ବାଧିକ ସମର୍ଥନ ଭିତ୍ତିରେ ଦଳଗୁଡ଼ିକୁ ଏକାଠି କରିବା। ମେଣ୍ଟ ରାଜନୀତିରେ କଂଗ୍ରେସର ପ୍ରାଧାନ୍ୟ ରହିଥିଲା। ୧୯୮୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ୨୫ ବର୍ଷରୁ ୧୫ ବର୍ଷ ଦେଶର ଶାସନରେ ରହିଛି।

୨. ୨୦୨୪ରେ ବିଜେପି ମେଣ୍ଟ ରାଜନୀତିର ମିଥ୍ୟାକୁ ଭାଙ୍ଗିବା ପାଇଁ କାମ କରିଥିଲା। ବିଜେପି ଏକାକୀ ସରକାର ଗଠନ କରିବାରେ ସଫଳ ହୋଇଥିଲା। ଏହାର ପ୍ରଭାବ ସରକାରଙ୍କ କାର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୧୪ ପରେ ମେଣ୍ଟ ରାଜନୀତି ଶେଷ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା।

୩. ଅଗଷ୍ଟ ୨୦୨୩ରେ ନୀତୀଶ କୁମାର ପ୍ରଥମ ଥର ପାଇଁ ମେଣ୍ଟ ରାଜନୀତିକୁ ଜୋରଦାର କରିଥିଲେ। ପ୍ରଥମ ଥର ପାଇଁ ସେ କଂଗ୍ରେସ ସମେତ ୨୮ଟି ଦଳକୁ ଗୋଟିଏ ମଞ୍ଚରେ ଆଣିଥିଲେ। ୨୦୧୯ ଫଳାଫଳ ଆଧାରରେ ଗୋଟିଏ ମଞ୍ଚକୁ ଆସିଥିବା ଦଳଗୁଡ଼ିକ ପାଖରେ ପ୍ରାୟ ୬୦ ପ୍ରତିଶତ ଭୋଟ ଥିଲା।

୪. ବିରୋଧୀଙ୍କ ଏକତାକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ ମେଣ୍ଟ ରାଜନୀତି ଉପରେ କାମ ଆରମ୍ଭ କରିଛି। ଦଳ ପ୍ରଥମେ ୩୮ଟି ଦଳକୁ ଏକାଠି କରିବା ପରେ ବିରୋଧୀ ଜେଡିୟୁ ଓ ଆରଏଲଡିକୁ ନିଜ ଦଳକୁ ଆଣିଥିଲା।

୫. ୨୦୧୯ ତୁଳନାରେ ଏଥର ବିଜେପି ୩୦ରୁ ୩୫ ଆସନ ହ୍ରାସ କରିପାରେ। କଂଗ୍ରେସକୁ ମଧ୍ୟ ୫୦ଟି ଆସନ ହରାଇବାକୁ ପଡ଼ିପାରେ। ଯଦି ବିଜୟର ଷ୍ଟ୍ରାଇକ୍ ରେଟ୍ ଭୁଲ ହୁଏ, ତେବେ ମେଣ୍ଟ ଦଳଗୁଡ଼ିକ ସରକାର ଚଳାଇବାରେ ବଡ଼ ଭୂମିକା ଗ୍ରହଣ କରିବେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବଲାଙ୍ଗୀର ଲୋକସଭା: ୨୬ ବର୍ଷ ହେଲା ଗୋଟିଏ ପରିବାରର ଦୁଇ ପ୍ରତିଦ୍ୱନ୍ଦ୍ୱୀ, କଂଗ୍ରେସରୁ ଅଣ୍ଟା ଭିଡ଼ିଲେଣି ଅଭିନେତା ମନୋଜ ମିଶ୍ର 

ଭୁବନେଶ୍ୱର: ୧୯୬୨ ମସିହାରୁ ଗଠିତ ହୋଇଥିବା ବଲାଙ୍ଗୀର ଲୋକସଭା ଆସନରେ ଅନୁଷ୍ଠିତ ୧୫ଟି ନିର୍ବାଚନ ମଧ୍ୟରୁ ରାଜପରିବାରର ସଦସ୍ୟମାନେ ଏଠାରୁ ୭ଥର ଜିତିବା ସହିତ ନିଜର ଦବଦବା ବଜାୟ ରଖିଛନ୍ତି। ବିଶେଷ କରି ୧୯୯୮ ପରଠାରୁ ଏହି ସଂସଦୀୟ କ୍ଷେତ୍ର ବଲାଙ୍ଗୀର ରାଜ ପରିବାରର କବଜାରେ ରହିଛି। ଫଳରେ ରାଜ ପରିବାର ବାହାରର ସାଧାରଣ ଲୋକ ଏଠାରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇପାରୁନାହାନ୍ତି। ଏହି ଆସନରେ କଂଗ୍ରେସ ୪ଥର ବିଜୟୀ ହୋଇଥିଲାବେଳେ ବିଜେପି ମଧ୍ୟ ୪ଥର ବିଜୟୀ ହୋଇଛି। ବିଜେଡି ଏଠାରୁ ମାତ୍ର ଦୁଇଥର ବିଜୟୀ ହୋଇଛି। ଏହି ଆସନରେ ମୁଖ୍ୟତଃ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱୀତା ହେଉଥିଲାବେଳେ ରାଜ ପରିବାରର କେହି ଜଣେ ବିଜୟୀ ହୋଇଥାନ୍ତି।

ବିଗତ ୩ଟି ନିର୍ବାଚନରେ ବିଜେଡି ଦୁଇଥର ବିଜୟୀ ହୋଇଥିଲାବେଳେ ବିଜେପି ଥରେ ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ୨୦୦୯ରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୦୯ରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଏଠାରୁ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କୁ ୯୦ ହଜାରରୁ ଅଧିକ ଭୋଟରେ ହରାଇ ଥିଲେ। ସେହି ବର୍ଷ ବିଜେପି ପ୍ରାର୍ଥୀ ତଥା ୨୦୦୪ର ସାଂସଦ ସଂଗୀତା ସିଂହଦେଓ ତୃତୀୟ ସ୍ଥାନକୁ ଚାଲିଯାଇଥିଲେ। ୨୦୧୪ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓଙ୍କୁ ୧ଲକ୍ଷ ୪ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଏହାପରେ ୨୦୧୯ରେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓଙ୍କଠାରୁ ୧୯ ହଜାରରୁ ଅଧିକ ଭୋଟରେ ପରାସ୍ତ ହେଇଥିଲେ।

୨୦୧୯ ପରଠାରୁ ବଲାଙ୍ଗୀର ରାଜ ପରିବାରର ସଦସ୍ୟମାନେ ବିଜେଡି ନେତୃତ୍ୱରେ ସୁ ନଜରରେ ନାହାନ୍ତି। ଏହାସତ୍ତ୍ୱେ ବି ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେଡି ପାଖରେ ଲୋକପ୍ରିୟ ନେତା ନାହାନ୍ତି। ଏହି ନିର୍ବାଚନ ମଣ୍ଡଳୀଟି ସୁବର୍ଣ୍ଣପୁର ଜିଲ୍ଲାର ବୀରମିତ୍ରପୁର, ସୋନପୁର, ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର, ପାଟଣାଗଡ଼, କଣ୍ଟାବାଞ୍ଝି ଓ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ। ସୋନପୁର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ମନ୍ତ୍ରିମଣ୍ଡଳରେ ଜଣେ ବରିଷ୍ଠ ମନ୍ତ୍ରୀ ହୋଇଥିଲେ ବି ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହେବାକୁ ସମଗ୍ର ଅଞ୍ଚଳରେ ସେତିକି ଲୋକପ୍ରିୟ ନୁହଁନ୍ତି। ତେଣୁ ବିଜେଡି ପୁଣିଥରେ ବଲାଙ୍ଗୀର ରାଜ ପରିବାରର ସଦସ୍ୟ କଳିକେଶ ନାରାୟଣ ସିଂହଦେଓଙ୍କୁ ପ୍ରାର୍ଥୀ କରିବା ଛଡ଼ା ଅନ୍ୟଗତି ନାହିଁ।

ବଲାଙ୍ଗୀର ଲୋକସଭା ଆସନରୁ ୪ଥର ବିଜୟଲାଭ କରିଥିବା ସଂଗୀତା ସିଂହଦେଓ ବର୍ତ୍ତମାନ ସାଂସଦ ଅଛନ୍ତି। ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଥିବାବେଳେ ସେ ୧୯୯୮, ୧୯୯୯ ଓ ୨୦୦୪ରେ ଏଠାରୁ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ। ୨୦୦୯, ୨୦୧୪ରେ ଏଠାରୁ ହାରିଯାଥଇଲେ। କିନ୍ତୁ ୨୦୧୯ରେ ସେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କୁ ହରାଇ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ ବିଜେପି ଗତ ବିଧାନସଭାରେ ନିର୍ବାଚନରେ ଭଲ ସଫଳତା ପାଇଥିଲେ ହେଁ ବଲାଙ୍ଗୀର ଜିଲ୍ଲାରେ ବିଫଳ ହୋଇଥିଲା। ପାଟଣାଗଡ଼ ବିଧାନସଭା ଆସନରେ ତାଙ୍କ ସ୍ୱାମୀ କନକବର୍ଦ୍ଧନ ସିଂହଦେଓ ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ୫ଥର ନିର୍ବାଚିତ ହୋଇଥିଲେ ହେଁ ୨୦୧୯ରେ ବିଜେଡିର ଜଣେ ନବାଗତ ପ୍ରାର୍ଥୀ ସରୋଜ ମେହେରଙ୍କଠାରୁ ହାରିଯାଇଛନ୍ତି। ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ସଫଳତା ହାସଲ କରିବାକୁ ଜିଲ୍ଲାରେ ବିଜେପିରେ ଅନ୍ୟ କୌଣସି ନେତା ନାହାନ୍ତି। ତେଣୁ ଆଗାମୀ ନିର୍ବାଚନରେ ବିଜେପି ପୁଣିଥରେ ସଂଗୀତା ସିଂହଦେଓଙ୍କୁ ପ୍ରାର୍ଥୀ କରିପାରେ।

ଏହି ଆସନରୁ କଂଗ୍ରେସ ୪ଥର ବିଜୟୀ ହୋଇଛି। ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ ୧୯୯୧ ଓ ୧୯୯୬ରେ ଏଠାରୁ ବିଜୟୀ ହୋଇଥିଲେ। କିନ୍ତୁ ବିଗତ ୩ଟି ନିର୍ବାଚନରେ ୨୦୧୪ରେ ନିର୍ବାଚନ ଲଢ଼ି ୨ ଲକ୍ଷରୁ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ୨୦୧୯ରେ ସେ ପ୍ରାର୍ଥୀ ହୋଇନଥିଲେ। ତେଣୁ ଆଗାମୀ ନିର୍ବାଚନରେ ସେ ଏଠାରୁ ପ୍ରାର୍ଥୀ ହୋଇନପାରନ୍ତି ବୋଲି କଂଗ୍ରେସ ମହଲରେ ଆଲୋଚନା ହେଉଛି। ନିକଟରେ କଂଗ୍ରେସରେ ଯୋଗଦେଇଥିବା ଅଭିନେତା ମନୋଜ ମିଶ୍ର ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଜନସମ୍ପର୍କ ଯୋଡ଼ିବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ନିର୍ବାଚନମଣ୍ଡଳୀରୁ ପୂର୍ବରୁ ପିସିସି ସଭାପତି ପ୍ରତିଦ୍ୱନ୍ଦ୍ୱୀତା କରି ସଫଳତା ପାଇଥିବାରୁ ସେ ଏଠାରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଏଆଇସିସି ଯାହା ନିଷ୍ପତ୍ତି ନେବ ଦଳର କର୍ମୀମୀନେ ତାହା ମାନିବା ପରମ୍ପରା କଂଗ୍ରେସର ଥିବାରୁ କିଏ ପ୍ରାର୍ଥୀ ହେବ କହିବା ମୁସ୍କିଲ।

ବିଗତ ୩ଟି ନିର୍ବାଚନରୁ ଯେଉଁ ଟ୍ରେଣ୍ଡ ଦେଖିବାକୁ ମିଳୁଛି, ତାହା ହେଲା ବଲାଙ୍ଗୀର ଲୋକସଭା ଆସନରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱୀତା ହେଉଛି। କେବଳ କଂଗ୍ରେସ ଛାଡ଼ିଦେଲେ ବିଜେଡି ଓ ବିଜେପିର ପୂର୍ବର ପ୍ରାର୍ଥୀ ପୁଣିଥରେ ଆଗାମୀ ନିର୍ବାଚନରେ ସାମ୍ନାସାମ୍ନି ହେବେ।

Categories
ଆଜିର ଖବର ଜାତୀୟ ଖବର

ଦୁଇବର୍ଷ ପରେ ଆମେଠିରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଦୁଇବର୍ଷ ପରେ ଆମେଠିରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ୨୦୧୯ ଲୋକସଭା ନିର୍ବାଚନରେ ସେ ଏଠାରୁ ନିର୍ବାଚନ ହାରିଥିଲେ। ଏଠାରେ ତାଙ୍କୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଆଗରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ୱାୟନାଡ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସୋମବାର (୧୯ ଫେବୃଆରୀ ୨୦୨୪) ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ରହିଛି। ନ୍ୟାୟ ଯାତ୍ରା ଆଜି ଅପରାହ୍ନ ୪ଟାରେ ଆମେଠିରେ ପହଞ୍ଚିବ। ଦୁଇବର୍ଷ ପରେ ଆମେଠିରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ୨୦୧୯ରେ ସେ ଏଠାରୁ ଲୋକସଭା ନିର୍ବାଚନ ହାରିଥିଲେ।

ତେବେ ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ରାହୁଲ ପ୍ରଚାର ପାଇଁ ଆମେଠିରେ ପହଞ୍ଚିଥିଲେ। ଏହା ପୂର୍ବରୁ ପ୍ରତାପଗଡ଼ରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ। ସେ ଦାବି କରିଛନ୍ତି ଯେ ନିକଟରେ ସେ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇଥିବାବେଳେ ପୋଲିସ ଦ୍ୱାରା ସମସ୍ତ ମୋବାଇଲ ଫୋନ ଛଡ଼ାଇ ନିଆଯାଇଥିଲା। ଶିବ ମନ୍ଦିର ଭିତରେ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ବିଜେପି ଚାହୁଁନାହିଁ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଆଜି ଆମେଠିର ବାବୁଗଞ୍ଜରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ରାହୁଲ ଗାନ୍ଧି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ନେଇ ଆମେଠିରେ ପହଞ୍ଚିଥିବାବେଳେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଆମେଥିରେ ଉପସ୍ଥିତ ରହିବେ। ଇରାନୀ ଫେବ୍ରୁଆରି ୧୯ରୁ ୪ ଦିନିଆ ଆମେଥି ଗସ୍ତରେ ଯିବେ।

Categories
ବିଶେଷ ଖବର

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀନେତାଙ୍କ ପାଇଁ ଦ୍ୱାର ଖୋଲିଲା ବିଜେପି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଶାସକ ବିଜେପି ନିଜର ଆସନ ସଂଖ୍ୟା ସମ୍ପ୍ରସାରଣ ଲକ୍ଷ୍ୟରେ ବିଭିନ୍ନ ରାଜନୈତିକ ଦଳରୁ ବିଶେଷ କରି କଂଗ୍ରେସରୁ ଅନେକ ନେତାଙ୍କୁ ସାମିଲ କରିବାକୁ ଯାଉଛି । ଏହି ନୂଆ ନେତାଙ୍କୁ ସାମିଲ କରିବା ପଛରେ ଦଳର ସୁଦୃଢ଼ୀକରଣ ମୁଖ୍ୟ ଉଦ୍ଦେଶ୍ୟ ହେବାକୁ ଯାଉଥିବାବେଳେ ବିଜେପି ମଧ୍ୟ ନିଜ ଦଳରେ ପ୍ରବେଶ ପାଇଁ ନେତା ଚୟନ କରିବାବେଳେ ବିରୋଧୀଙ୍କୁ ଦୁର୍ବଳ କରିବାକୁ ଚାହିଁବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।

ନିର୍ବାଚନ ଓ ଆଦର୍ଶଗତ ଦୃଷ୍ଟିରୁ ଦୁର୍ବଳ ଥିବା ଅଞ୍ଚଳରେ ଦଳକୁ ସୁଦୃଢ଼ କରିବା ପାଇଁ ବିଜେପି ନୂଆ ନେତାମାନଙ୍କୁ ଦଳରେ ସ୍ୱାଗତ କରୁଛି । ନିର୍ବାଚନ ପୂର୍ବରୁ ଏଭଳି ଯୋଗଦାନ କାର୍ଯ୍ୟକ୍ରମ ସମଗ୍ର ନିର୍ବାଚନୀ ବାତାବରଣକୁ ଆହୁରି ସୁଦୃଢ଼ କରିବ । କିନ୍ତୁ ଏଥର ମୁଖ୍ୟ ଟାର୍ଗେଟ କଂଗ୍ରେସ ହେବ ଏବଂ ପ୍ରମୁଖ ପ୍ରଭାବଶାଳୀ ନେତାଙ୍କ ବିଦାୟ ସେହି ଦଳକୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦୁର୍ବଳ କରିବ ବୋଲି ଜଣେ ବିଜେପି ନେତା କହିଛନ୍ତି ।

ଏଥିପାଇଁ ବିଜେପି ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ସିଂହ ଯାଦବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ରାଷ୍ଟ୍ରୀୟ ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ସାଧାରଣ ସମ୍ପାଦକ (ସଂଗଠନ) ବି ଏଲ ସନ୍ତୋଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏଥିରେ ସାମିଲ ହେବା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସ୍କ୍ରିନିଂ ଓ ନିଷ୍ପତ୍ତି ନିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସମାଲୋଚକ ଭାବେ କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜକୁ ଉପସ୍ଥାପନ କରି ଆସୁଛନ୍ତି । ମୋଦିଙ୍କ ନୀତିର ପ୍ରମୁଖ ବିରୋଧୀ ଚେହେରାଭାବେ ଉଭା ହେବା ପରେ ବିଜେପିର ରଣନୀତି ମଧ୍ୟ ରାହୁଲଙ୍କୁ ରାଜନୈତିକଭାବେ ଦୁର୍ବଳ କରିବା ଏବଂ ତାଙ୍କ ଦଳରେ ତାଙ୍କର ପ୍ରଭାବକୁ ଦୁର୍ବଳ କରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି । ଗତ କିଛିବର୍ଷ ମଧ୍ୟରେ ବିଜେପି ରାହୁଲଙ୍କ ଟିମରୁ ଅନେକ ଯୁବ ନେତାଙ୍କୁ ସାମିଲ କରି ସେମାନଙ୍କୁ ପ୍ରମୁଖ ପଦବୀରେ ପୁରସ୍କୃତ କରିସାରିଛି । ସେମାନଙ୍କ ମଧ୍ୟରେ ବର୍ତ୍ତମାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରରେ ପୂର୍ତ୍ତ ମନ୍ତ୍ରୀ ଜିତିନ ପ୍ରସାଦ ଏବଂ ବିଜେପିରେ ପଦ ଅପେକ୍ଷାରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍ ପିଏନ୍ ସିଂହ ରହିଛନ୍ତି ।

ସଚିନ ପାଇଲଟ ଏବଂ ମିଲିନ୍ଦ ଦେଓରାଙ୍କୁ ମଧ୍ୟ ସାମିଲ କରିବା ପାଇଁ ବିଜେପି ପକ୍ଷରୁ କିଛି ପ୍ରୟାସ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା, ଯଦିଓ ଦେଓରା ଶେଷରେ ଗତ ରବିବାର ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଛନ୍ତି । କଂଗ୍ରେସ ନେତୃତ୍ୱ ପାଇଲଟଙ୍କୁ ବଜାୟ ରଖିବାରେ ସଫଳ ହୋଇଛନ୍ତି ଏବଂ ତାଙ୍କୁ ଏଆଇସିସି (ଅଖିଳ ଭାରତୀୟ କଂଗ୍ରେସ କମିଟି) ସାଧାରଣ ସମ୍ପାଦକ ପଦରେ ପଦୋନ୍ନତି ଦେଇଛନ୍ତି । କଂଗ୍ରେସରୁ ନେତାମାନେ ବିଦାୟ ନେଲେ ରାହୁଲ ଗାନ୍ଧିଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ । ଏହା ତାଙ୍କ ବିଫଳତା ଉପରେ ଅଧିକ ପ୍ରଭାବ ପକାଇବ ବୋଲି ଜଣେ ବିଜେପି ନେତା କହିଛନ୍ତି ।

କଂଗ୍ରେସର ଅନେକ ପ୍ରମୁଖ ନେତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କରିଛି, ଯେଉଁଥିରେ ବର୍ତ୍ତମାନର ଅନେକ ମୁଖ୍ୟମନ୍ତ୍ରୀ- ହିମନ୍ତ ବିଶ୍ୱ ଶର୍ମା (ଆସାମ), ଏନ୍ ବିରେନ୍ ସିଂହ (ମଣିପୁର) ଏବଂ ପେମା ଖାଣ୍ଡୁ (ଅରୁଣାଚଳ ପ୍ରଦେଶ) ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ – ଯଥା ନାରାୟଣ ରାଣେ (ମହାରାଷ୍ଟ୍ର), କ୍ୟାପଟେନ୍ ଅମରିନ୍ଦର ସିଂହ (ପଞ୍ଜାବ), ବିଜୟ ବହୁଗୁଣା (ଉତ୍ତରାଖଣ୍ଡ), ଏସ୍ ଏମ୍ କ୍ରିଷ୍ଣା (କର୍ଣ୍ଣାଟକ) ଏବଂ ଦିଗମ୍ବର କାମତ (ଗୋଆ) ଏବେ ବିଜେପିରେ ଅଛନ୍ତି ।

ଏହାବ୍ୟତୀତ ବିଜେପି କେରଳରେ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ନିଜର ସମର୍ଥନ ଭିତ୍ତି ବିସ୍ତାର କରିବା ପାଇଁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବାବେଳେ ଦଳ ଏହି ସମ୍ପ୍ରଦାୟର କିଛି ପ୍ରମୁଖ ଚେହେରାଙ୍କୁ ସାମିଲ କରିଛି, ଯେଉଁଥିରେ କେଜେ ଆଲଫୋନ୍ସ (ଯିଏ କି କେନ୍ଦ୍ରମନ୍ତ୍ରୀ ହୋଇଥିଲେ), ଟମ୍ ଭାଡକନ ଏବଂ କଂଗ୍ରେସର ବରିଷ୍ଠ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି ସାମିଲ ହୋଇଛନ୍ତି ।

ବିଜେପି ସୂତ୍ରରୁ ପ୍ରକାଶ ଯେ ଏହାର ନେତାମାନେ ହରିୟାଣା, ମହାରାଷ୍ଟ୍ର, ପଞ୍ଜାବ ଏବଂ ରାଜସ୍ଥାନରେ କଂଗ୍ରେସ ଶିବିରରେ ଅନେକ ସମ୍ଭାବ୍ୟ ସାମିଲଙ୍କ ସହ ଯୋଗାଯୋଗରେ ଅଛନ୍ତି । ବିଜେପିର ଜଣେ ନେତା କହିଛନ୍ତି, କେହି କେହି ଚଳିତ ମାସରେ ହିଁ ବିଜେପିରେ ଯୋଗ ଦେବେ ଏବଂ ଆଉ କିଛି ନିର୍ବାଚନ ପାଖେଇ ଆସିବା ସମୟରେ ଯୋଗଦେବେ ।
ବର୍ତ୍ତମାନ ସୁଦ୍ଧା କୌଣସି ବିରୋଧୀ ଦଳର ନେତାଙ୍କୁ ଦଳରେ ନେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ନାହିଁ । କିନ୍ତୁ କିଛି ଅନୁଗାମୀଙ୍କୁ ଆଣିବାକୁ ପଡ଼ିବ- ଏବଂ ତାଙ୍କ ବିଦାୟ ତାଙ୍କ ପୂର୍ବ ସଂଗଠନକୁ ଦୁର୍ବଳ କରିବା ସହିତ ବିଜେପି ସପକ୍ଷରେ ଆଭିମୁଖ୍ୟ ସୃଷ୍ଟି କରିବ ।

ସେଭଳି ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ କିରଣ କୁମାର ରେଡ୍ଡୀଙ୍କ ଗତ ବର୍ଷର ବିଜେପିରେ ସାମିଲ ହୋଇଥିବା ଉଦାହରଣ ଦେଇ କହିଛନ୍ତି ଯେ, ରାଜ୍ୟରେ ତାଙ୍କର ବିଶେଷ ପ୍ରଭାବ ନ ଥିଲା କିନ୍ତୁ ରେଡ୍ଡୀ ସମ୍ପ୍ରଦାୟର ଅନ୍ୟମାନଙ୍କୁ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଉତ୍ସାହିତ କରିପାରନ୍ତି ।