କନ୍ଧମାଳ ଲୋକସଭା: ବିଜଦର ଆଧିପତ୍ୟ ଜାରୀ ଭାଜପା ବଢ଼ୁଛି, କଂଗ୍ରେସ ଖସୁଛି

Published: Feb 26, 2024, 1:26 pm IST

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ନୟାଗଡ଼ର ଦଶପଲ୍ଲା, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି, ଫୁଲବାଣୀ, ବାଲିଗୁଡ଼ା, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ଆସନକୁ ଗଠିତ କନ୍ଧମାଳ ଲୋକସଭା ଆସରେ ବିଗତ ୪ଟି ନିର୍ବାଚନ (୨୦୧୪ରେ ଉପନିର୍ବାଚନ)ରେ ବିଜଦ ପ୍ରାର୍ଥୀମାନେ ସହଜ ବିଜୟ ହାସଲ କରିଛନ୍ତି। ଭାଜପା ଏଠାରେ କ୍ରମାଗତ ଭାବରେ ନିଜର ଭୋଟ ହାର ବୃଦ୍ଧି କରିପାରିଥିବାବେଳେ କଂଗ୍ରେସର ଭୋଟ ହାର କମିବାରେ ଲାଗିଛି। ତେଣୁ ସେହି ଦୃଷ୍ଟିରୁ ବିଜଦର ସାଂସଦ ଅଚ୍ୟୁତ ସାମନ୍ତ ୨୦୨୪ ନିର୍ବାଚନରେ ପୁଣିଥରେ ପ୍ରାର୍ଥୀ ହୋଇପାରନ୍ତି। କିନ୍ତୁ ଲୋକସଭାରେ ୩୭୦ ପାର୍‍ ଲକ୍ଷ୍ୟ ରଖିଥିବା ଭାପା ଏଠାରୁ କାହାକୁ ଲଢ଼ାଇବ ତାହା ସ୍ଥିର ହୋଇନାହିଁ। କଂଗ୍ରେସର ମଧ୍ୟ ପ୍ରାର୍ଥୀ ଖୋଜା ଚାଲିଛି।

ବିଗତ ୩ଟି ନିର୍ବାଚନରେ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜଦ କନ୍ଧମାଳ ଲୋକସଭା ଆସନରୁ ଲଗାତାର ବିଜୟୀ ହୋଇଥିଲେ ହେଁ ୩ଥର ଯାକ ନୂଆ ମୁହଁ ନେଇ ନିର୍ବାଚନ ଲଢ଼ିଛି। ୨୦୦୯ରେ ବିଜଦ ପ୍ରାର୍ଥୀ ରୁଦ୍ରମାଧବ ରାୟ ୩,୧୫,୩୧୪ ଭୋଟ ପାଇଥିଲାବେଳେ ୨୦୧୪ରେ ୪,୨୧,୪୫୮ ଭୋଟ ପାଇଥିଲାବେଳେ ତାଙ୍କ ପରଲୋକ ପରେ ତାଙ୍କ ପତ୍ନୀ ଦଳୀୟ ପ୍ରାର୍ଥୀ ହୋଇ ଉପନିର୍ବାଚନରେ ୪,୭୭,୫୨୯ ଭୋଟ ପାଇଥିଲେ । ୨୦୧୯ରେ ବିଜଦ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। କିଟ୍‍ ସଂସ୍ଥାପକ ଅଚ୍ୟୁତ ସାମନ୍ତଙ୍କୁ ବିଜଦ ପ୍ରାର୍ଥୀ କରିଥିଲା, ଲକ୍ଷ୍ୟଥିଲା ସେ କନ୍ଧମାଳ ଅଞ୍ଚଳର ଗରିବ ଆଦିବାସୀ ପିଲାଙ୍କୁ ମାଗଣାରେ କିସ୍‍ ଅନୁଷ୍ଠାନରେ ପଢ଼ାଉଥିବାରୁ ସେ ସହଜରେ ବିଜୟ ଲାଭ କରିବେ। ତାହାହିଁ ହେଲା। ଅଚ୍ୟୁତ ସାମନ୍ତ ୪,୬୧,୬୨୯ ଭୋଟ ପାଇ ୧,୪୯,୨୧୬ ଭୋଟରେ ଭାଜପାର ମହାମେଘବାହାନ ଐର ଖାରବେଳ ସ୍ୱାଇଁଙ୍କୁ ପରାଜିତ କରିଥିଲେ। ବିଭିନ୍ନ ସର୍ଭେ ରିପୋର୍ଟ ଅନୁସାରେ ବିଜଦର ଲୋକପ୍ରିୟତା ହ୍ରାସ ପାଉଥିବାରୁ ଦଳ ପ୍ରାର୍ଥୀ ପରିବର୍ତ୍ତନର ପଦକ୍ଷେପ ନେଇ ନ ପାରେ। ତେଣୁ ଆପାତତଃ ବିଜଦ ପୁଣିଥରେ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳ ଲୋକସଭା ଆସନରେ ପ୍ରାର୍ଥୀ କରିପାରେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ବିଗତ ୩ଟି ନିର୍ବାଚନରେ ନିଜର ଭୋଟ ପରିମାଣ ବୃଦ୍ଧି କରି ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ଭାଜପା କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳୀୟ ନେତୃତ୍ୱ ଦ୍ୱନ୍ଦ୍ୱରେ ଅଛନ୍ତି। କାରଣ ଗତ ଥରର ଭାଜପା ପ୍ରାର୍ଥୀ ମହାମେଘବାହାନ ଐର ଖାରବେଳ ସ୍ୱାଇଁ ତାଙ୍କ ପୁରୁଣା ଆସନ ବାଲେଶ୍ୱରରୁ ଲଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିସାରିଛନ୍ତି। କିନ୍ତୁ ସେଠାରେ ପ୍ରତାପ ଷଡ଼ଙ୍ଗୀ ଥିବାରୁ ତାଙ୍କୁ ପରିବର୍ତ୍ତନ କରିବା ଦଳୀୟ ନେତୃତ୍ୱଙ୍କ ପାଇଁ କଷ୍ଟକର ବ୍ୟାପାର। ଫଳରେ କନ୍ଧମାଳ ଆସନ ପାଇଁ ଭାଜପାରୁ କିଏ ପ୍ରାର୍ଥୀ ହେବ ଜଣାପଡ଼ୁନାହିଁ। କିନ୍ତୁ ପ୍ରାର୍ଥୀ ହେବା ପାଇଁ ମହାମେଘବାହାନ ଐର ଖାରବେଳ ସ୍ୱାଇଁଙ୍କ ସମେତ ପୂର୍ବତନ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ନାମ ଶୁଣାଯାଉଛି।

କନ୍ଧମାଲ ଲୋକସଭା ଆସନ ଗଠନ ପରଠାରୁ ବିଜୟ ହାସଲ କରିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ତା’ର ସ୍ଥିତିରେ ଉନ୍ନତି କରିବା ପରିବର୍ତ୍ତେ ଅବନ୍ନତି କରିବାରେ ଲାଗିଛି। ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ଏବେ ତୃତୀୟ ସ୍ଥାନକୁ ଖସି ଆସିଛି। ୨୦୦ରେ କଂଗ୍ରେସ ପ୍ରାର୍ଥୀ ସୁଜିତ୍‍ କୁମାର ପାଢ଼ୀ ୧,୬୪,୩୦୭ ଭୋଟ ପାଇଥିଲାବେଳେ ୨୦୧୪ରେ ହରିହର କରଣ ୨,୪୦, ୪୧୧ ଭୋଟ ପାଇଥିଲେ, ୨୦୧୪ ଉପନିର୍ବାଚନରେ ଅଭିମନ୍ୟୁ ବେହେରା ସବୁଠାରୁ କମ୍‍ ୯୦, ୫୩୬ ଭୋଟ ପାଇଥିଲେ। ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ ୧,୩୮,୯୯୩ ଭୋଟ ପାଇଥିଲେ। କଂଗ୍ରେସର ପ୍ରାର୍ଥୀ ପ୍ରତିଥର ବଦଳୁ ଥିବାରୁ ଆଗାମୀ ନିର୍ବାଚନରେ କିଏ ଏଠାରୁ ପ୍ରାର୍ଥୀ ହେବ କହିବା ମୁସ୍କିଲ।

Related posts