Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ଦୁଇ ପୂର୍ବତନ ସରପଞ୍ଚ ଓ ଶତାଧିକ କର୍ମୀ

ବାଣପୁର: ଆଜି ଚିଲିକା ବିଜେପି ର ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପୁରୀ ଲୋକସଭା ସାଂସଦ ଡ଼ା ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଉକ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ବାଣପୁର ଏନଏସି ସ୍ଥିତ କୃତ୍ତିବାସ ଭବନ ଠାରେ ଆୟୋଜିତ ଉକ୍ତ ମିଶ୍ରଣ ପର୍ବରେ ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର‌ ପୂର୍ବତନ ସରପଞ୍ଚ ଆଶାମଣୀ ସାହୁ, କୁଲେଇ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ଏବଂ ନୀଳାଦ୍ରିପ୍ରସାଦ ପଞ୍ଚାୟତର‌ ବହୁ ୱାର୍ଡ ସଭ୍ୟ/ସଭ୍ୟା, ବିଜେଡ଼ିର କାର୍ଯ୍ୟକର୍ତ୍ତା ଓ କୁଲେଇ ପଞ୍ଚାୟତର ବିଜେଡି କାର୍ଯ୍ୟକର୍ତ୍ତା ମାନେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିକାଶ ମୂଳକ କାର୍ଯ୍ୟକଳାପରେ ଅନୁପ୍ରାଣିତ‌ ହୋଇ‌ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି।

ଦଳରେ ସାମିଲ ହୋଇଥିବା ସମସ୍ତ ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭା.ଜ.ପା ପରିବାରକୁ ସ୍ବାଗତ କରିଥିଲେ ମନ୍ତ୍ରୀ ଓ ସାଂସଦ। ଏହି ମିଶ୍ରଣ ପର୍ବ ଚିଲିକା ନିର୍ବାଚନ ମଣ୍ଡଳୀ ସମେତ ଓଡ଼ିଶାରେ ‘ବିଜେପିର ବିଜୟ ସଂକଳ୍ପ’ ଯାତ୍ରାକୁ ସୁଦୃଢ଼ କରିବ ଏବଂ ଆଜିର ମିଶ୍ରଣ ପର୍ବ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ୍ କରିବ ବୋଲି ଉଭୟ ନେତା ପ୍ରକାଶ କରିଥିଲେ।

ଏହି ମିଶ୍ରଣ ପର୍ବ ସମାରୋହରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସଂଗଠକ ଜିତେନ୍ଦ୍ର ଭୋଳ ଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦମାନେ ଉପସ୍ଥିତ ଥିଲେ।

ସୂଚନା ଥାଉକି ଉକ୍ତ ମିଶ୍ରଣ ପର୍ବ ଫଳରେ ନୀଳାଦ୍ରି ପ୍ରସାଦ ପଞ୍ଚାୟତର ବିଜେଡି ଭାଡ଼ି ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିବା ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୫: ବାଣପୁରରେ ଯୋଗ କଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପ୍ରଶାସନ ତରଫରୁ ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟ ଠାରେ ଥିବା ଇନଡୋର ଷ୍ଟାଡିୟମରେ ବିଶାଳ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଅଞ୍ଚଳବାସୀଙ୍କ ସହ ଯୋଗରେ ଭାଗ ନେଇଥିଲେ।

ଅନୁରୂପ ଭାବେ ଉକ୍ତ ଶିବିରରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ତହସିଲଦାର ଟି. ପଦ୍ମନାଭ ଦୋରା, ବିଡ଼ିଓ ଶୀତଲ ଅଗ୍ରୱାଲ,ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା ପ୍ରମୁଖ ଭାଗ ନେଇଥିଲେ।

ଉକ୍ତ ଯୋଗ କାର୍ଯ୍ୟକ୍ରମରେ ଗୋଦାବରୀଶ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଞ୍ଚଳ ବାସିନ୍ଦାଙ୍କୁ ଯୋଗଗୁରୁ ସୁବ୍ରତ କୁମାର ମାନ୍ଧାତା ଯୋଗ ଶିକ୍ଷା ଦେବା ସହ ଯୋଗର ବିଭିନ୍ନ କାର୍ଯ୍ୟକାରିତା ସମର୍କରେ ଅବଗତ କରାଇଥିଲେ। ଯୋଗ କରି ନିଜ ଶରୀର ନିରୋଗ ରଖିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତଙ୍କୁ ନିବେଦନ କରିବା ସହ କେବଳ ଯୋଗ ଦିବସରେ ଯୋଗ କଲେ ହେବନାହିଁ ବରଂ ପ୍ରତ୍ୟହ ଯୋଗ କରିବା ଆବଶ୍ୟକ ବୋଲି କହିଥିଲେ।

ପରିଶେଷରେ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର, ବନ୍ଧୁ ଏବଂ ସମାଜକୁ ଯୋଗକରିବାକୁ ଉତ୍ସାହିତ କରି ସୁସ୍ଥ ରହିବାକୁ ଶପଥ ପାଠ କରାଯାଇଥିଲା।

Categories
ଆଞ୍ଚଳିକ

ଖୋଲିଲା ମା’ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ କେତେ ମିଳିଲା ଦାନ ରାଶି?

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲାଯାଇ ହୁଣ୍ଡିରୁ ଆଦାୟ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ସହିତ ସୁନାରୂପାର କିଛି ଦ୍ରବ୍ୟ ସ୍ଥାନୀୟ ୟୁ.କୋ ବ୍ୟାଙ୍କରେ ଥିବା ମନ୍ଦିର ଜମା ଖାତାରେ ଜମା କରାଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି, ସ୍ଥାନୀୟ ତହସିଲଦାର ଟି ପଦ୍ମନାଭ ଦୋରା, ବିଡ଼ିଓ ଶୀତଲ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର କର୍ମଚାରୀ, ସେବାୟତ ଓ ସ୍ଥାନୀୟ ପୋଲିସ୍ ଙ୍କ ଉପସ୍ଥିତିରେ ମା’ଭଗବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଭିତର ହୁଣ୍ଡି ଖୋଲିଥିଲା।

ଖୋଲାଯାଇଥିବା ହୁଣ୍ଡିରୁ ସଂଗୃହୀତ ଅର୍ଥ ଗଣତି ପରେ ୧,୧୮,୪୯୦ (ଏକ ଲକ୍ଷ ଅଠର ହଜାର ଚାରିଶହ ନବେ) ଟଙ୍କାର ନୋଟ ଏବଂ ୧୮,୯୩୮ (ଅଠର ହଜାର ନଅଶହ ଅଠତିରିଶି) ଟଙ୍କାର ମୁଦ୍ରା ସର୍ବମୋଟ ୧,୩୭,୪୨୮ (ଏକ ଲକ୍ଷ, ସତତିରିଶି ହଜାର, ଚାରିଶହ ଅଠେଇଶି) ଟଙ୍କା ସହିତ ୧ ଗ୍ରାମର ଏକ ରୂପାମୁଦ୍ରା, ୨୯୦ ମିଲିଗ୍ରାମର ଦୁଇଟି ରୂପା ଆଖି ସଂଗ୍ରହ କରାଯାଇ ମନ୍ଦିର ନାମରେ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଥିବା ଜମା ଖାତାରେ ଜମା କରାଯାଇଛି।କାର୍ଯ୍ୟାଳୟର କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, ପାଳିଆ ମାଳି ସଂଜୟ ମହାପାତ୍ର ଓ ସ୍ଥାନୀୟ ପୋଲିସ୍ ଏହି କାର୍ଯ୍ୟରେ ସହଯୋଗ କରିଥିଲେ।

ଶ୍ରଦ୍ଧାଳୁମାନଙ୍କ ଦାନ ଏହି ଅର୍ଥ ମା’ଙ୍କ ଦୈନନ୍ଦିନ ନୀତିକାନ୍ତି ସେବାରେ ଲାଗିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ପ୍ରକାଶ

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇ ନୂତନ ଶ୍ରେଣୀ ଗୃହ ଉଦଘାଟନ କଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ବର୍ଷ ନୂତନ ଭାବେ ଖୋଲିଥିବା ଯୁକ୍ତ ଦୁଇ ବିଜ୍ଞାନ ନୂତନ ଶ୍ରେଣୀ ଗୃହର ଉଦଘାଟନ ଉତ୍ସବ ଏବଂ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ସଭାପତି ରାଜ କିଶୋର ଭୋପାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ।

ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଦ୍ୟାଳୟ ସମ୍ପାଦକ ତଥା ବରିଷ୍ଠ ଆଇନଜିବି ଶ୍ୟାମସୁନ୍ଦର ମିଶ୍ର, ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ, ଯୁକ୍ତ ଦୁଇ ଅଧ୍ୟକ୍ଷ ବିଜୟ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବାଣପୁର ଶିଶୁ ମନ୍ଦିରେ ଚଳିତ ବର୍ଷ ନୂତନ ଭାବେ ଦ୍ୱାଦଶ ଶ୍ରେଣୀ ଖୋଲିଥିବା ବେଳେ ବିଜ୍ଞାନ ପରୀକ୍ଷାଗାର ଗୃହକୁ ମନ୍ତ୍ରୀ ଉଦଘାଟନ କରିଥିଲେ।

ଚଳିତ ବର୍ଷ ବାଣପୁର ବ୍ଲକରେ ଶତକଡା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଦଶମ ଶ୍ରେଣୀର ଦୁଇଜଣ ଏବଂ ଶତକଡା ୮୫ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖିଥିବା ଦ୍ୱାଦଶ ଶ୍ରେଣୀର ନଅ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଓ ଅତିଥିମାନେ ସମ୍ବର୍ଦ୍ଧନା ଦେବା ସହ ସେମାନଙ୍କର ଉତ୍ତୋରୋତ୍ତର କାମନା କରିଥିଲେ।

ବାଣପୁର ଶିଶୁ ମନ୍ଦିର ଆମ ପରିବାରର ଏକ ଅଂଶବିଶେଷ ବୋଲି କହିବା ସହ ଏହାର ସମସ୍ତ ଅସୁବିଧାକୁ ଦୂର କରିବା ମୋର କର୍ତ୍ତବ୍ୟ ବୋଲି ଆଇନ ମନ୍ତ୍ରୀ ବିଦ୍ୟାଳୟର କର୍ମକର୍ତ୍ତାମାନଙ୍କୁ କହିଥିଲେ।

ଅନୁରୂପ ଭାବେ ଉକ୍ତ ବିଦ୍ୟାଳରେ ଚଳିତ ଶିକ୍ଷାବର୍ଷରୁ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଯୁକ୍ତ ଦୁଇ ବିଜ୍ଞାନ ପ୍ରାରମ୍ଭ ହୋଇଥିବାରୁ ବିଦ୍ୟାଳୟର କର୍ମକର୍ତ୍ତାମାନେ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ପଞ୍ଚଭୂତରେ ବିଲୀନ ହେଲେ ନୌସେନା ଅଧିକାରୀ, ପୈତୃକ ଗ୍ରାମରେ ଶୋକାକୁଳ ପରିବେଶ

ବାଣପୁର: ପଶ୍ଚିମବଙ୍ଗ ସ୍ଥିତ ନୌସେନାରେ କାର୍ଯ୍ୟରତ ଦେବରାଜ ମହାରଣାଙ୍କ ପାର୍ଥିବ ଶରୀରକୁ ଆଜି ବାଣପୁର ଠାରେ ମହା ଆଡମ୍ବରରେ ବଜାର ପରିକ୍ରମା କରାଯାଇ ତାଙ୍କ ପୈତୃକ ଗ୍ରାମ ଗାଲୁଆ ଠାରେ ଅନ୍ତିମସତ୍କାର କରାଯାଇଛି। ପ୍ରକାଶ ଥାଉ କି ସ୍ବର୍ଗତ ଯୋଗେନ୍ଦ୍ର ମହାରଣାଙ୍କ ସର୍ବ କନିଷ୍ଠ ପୁତ୍ର ଥିଲେ ଦେବରାଜ। ୧୯୯୪ ମସିହାରେ ଦେଶମାତୃକାର ସେବା ପାଇଁ ସେ ନୌସେନାର ତଟରଖି ବାହିନୀରେ ଯୋଗଦେଇ ସେ ୧୯୯୪ରେ ବେଷ୍ଟ କ୍ୟାଡେଟ ଭାବେ ଚିଲିକା ସ୍ଥିତ ଆଇଏନଏସ ଚିଲିକାରେ ସମ୍ମାନିତ ହୋଇଥିଲେ। ପରେ ସେ ବିଭିନ୍ନ ଜଳ ଜାହାଜରେ ଭାରତ ମହାସାଗର ଓ ଆରବ ସାଗର ଭଳି ଜଳ ପଥରେ ଭାରତର ସୁରକ୍ଷା ପାଇଁ କାର୍ଯ୍ୟକରିଛନ୍ତି।

ସେ ଡାମନଡିଉ ମୁମ୍ବାଇ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ଚେନ୍ନାଇ ଓ କୋଲକାତା ଆଦି ସ୍ଥାନରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ପଶ୍ଚିମବଙ୍ଗର କୋଲକାତାରେ କାର୍ଯ୍ୟରତ ଥିଲେ। କିଛିଦିନ ହେବ ସେ ମଧୁମେହ ରୋଗରେ ପିଡିତ ଥିଲେ କିନ୍ତୁ ଡିଉଟିରୁ ଅବ୍ୟାହତ ନେଇ ନ ଥିଲେ। ଗତ ୬ ତାରିଖରେ ସେ କୋଲକାତାର କମାଣ୍ଡୋ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ। ସେଠାରେ ତାଙ୍କର ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା।

ଆଜି ତାଙ୍କର ପାର୍ଥିବ ଶରୀରକୁ ବାଣପୁରର ବହୁ ବୁଦ୍ଧିଜୀବୀ, ଶିକ୍ଷକ, ଓକିଲ, ଜନ ପ୍ରତିନିଧି ଓ ଜନ ସାଧାରଣ ସାମିଲ ହୋଇ ବାଣପୁର ବିଷରପାଟଣା ଛକ ଠାରୁ ତାଙ୍କର ପୈତୃକ ଗ୍ରାମ ଗାଲୁଆ ଗ୍ରାମ ପର୍ଯନ୍ତ ନେଇଥିଲେ। ସେଠାରେ ତାଙ୍କୁ ନୌସେନାର ଅଧିକାରୀ, ବହୁ ପଞ୍ଚାୟତ ପ୍ରତିନିଧି, ବାଣପୁର ଥାନା ଅଧିକାରୀ, ଚିଲିକା ସାହିତ୍ୟ ସମାଜର ସଭାପତି ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ଓ ସଭ୍ୟମାନେ ପୁଷ୍ପମାଳ ଦେଇ ଶେଷ ସମ୍ମାନ ଜଣାଇଥିଲେ।

ଏକମାତ୍ର ପୁତ୍ର ସନ୍ଦୀପ ମହାରଣା ମୁଖାଗ୍ନୀ ଦେଇ ଥିଲେ। ପୁତୁରା ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ବୀର ପୁତ୍ରକୁ ହରାଇ ବାଣପୁରରେ ଶୋକର ଛାୟା ଖେଳି ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସହିଦ କୃତିବାସ ପାଟ୍ଟଶାଣୀଙ୍କ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ

ଖୋର୍ଦ୍ଧା/ବାଣପୁର: ଦୀର୍ଘ ତିନିଦିନ ଧରି ଚାଲିଥିବା ଗୌରବମୟ ବାଣପୁର ମୁକ୍ତି ଦିବସ ସମାରୋହ କବିତା ପାଠୋତ୍ସବ, ଆଲୋଚନା ଚକ୍ର ଉଦ୍‌ଯାପିତ ହୋଇଯାଇଛି। ଐତିହାସିକ ପଲଟଣ ପଡ଼ିଆର ଛାୟା ମଣ୍ଡପଠାରେ ଅପରାହ୍ନରେ ମୁକ୍ତି ଦିବସ ସ୍ମୃତିକମିଟିର ସଂପାଦକ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଆଡ଼ଭୋକେଟ୍ ମୁରଲୀଧର ସାମନ୍ତ ସିଂହାର, ଡଃ ନୃସିହଚରଣ ପ୍ରଧାନ, ଅଧ୍ୟାପକ ଲକ୍ଷ୍ମୀପ୍ରସାଦ ମିଶ୍ର, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ସଂଗଠକ ନନ୍ଦକିଶୋର ମିଶ୍ର, ସମାଜସେବୀ ସଂଧ୍ୟାଦେବୀ, ଅନନ୍ତଚରଣ ଖଟେଇ, କବୟିତ୍ରୀ ରୋଜାଲିନ୍ ମିଶ୍ର, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ଶିକ୍ଷାବିତ୍ ଲକ୍ଷ୍ମୀଚରଣ ପ୍ରଧାନ, ଶିଶିର କୁମାର ଦାସ, ବୈରାଗୀ ଚରଣ ବଳ, ମାଧବଚନ୍ଦ୍ର ବାରିକ୍, ଜୟକୃଷ୍ଣ ଦାସ, ସୁରେଶ ଚନ୍ଦ୍ର ପରୀଡ଼ା, ପ୍ରଭାତ କୁମାର ବେହେରା, ସୁଶାନ୍ତ କୁମାର ଦାସ, ବ୍ରଜକିଶୋର ଜେନା, ରମେଶ କୁମାର ମହାପାତ୍ର, ମନୋରଞ୍ଜନ ଦାଶ, ନବକିଶୋର ପ୍ରଧାନ, ଉମାକାନ୍ତ ସାହୁ, ଗାୟକ କଳାକାର ଚ଼ିରଞ୍ଚି ପରୀଡ଼ା ପ୍ରମୁଖ ଯୋଗ ଦେଇ ସହିଦ କୃତ୍ତିବାସ ପାଟ୍ଟଶାଣୀଙ୍କ ବାଣପୁରର ସ୍ଵାଧୀନତା ପାଇଁ ତ୍ୟାଗ ବଳିଦାନ ପ୍ରତି ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଐତିହାସିକ ପଲଟଣ ପଡ଼ିଆରେ ସହୀଦପାଟ୍ଟଶାଣୀଙ୍କ ଭବ୍ୟ ଅଶ୍ଵାରୋହୀ ଆପାଦ ମସ୍ତକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହିତ ପାଇକ ଶ୍ରେଷ୍ଟ ଦଳବେହେରା ଦୀନବଂଧୁ ସାମନ୍ତରାୟ ମହାରଥାଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ବାଣପୁରର ୧୮୧୭ ପ୍ରଥମ ପାଇକ ବିଦ୍ରୋହକୁ ଭାରତ ବର୍ଷର ପ୍ରଥମ ସ୍ଵାଧୀନତା ଆନ୍ଦୋଳନର ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଲେ ତାହା ହିଁ ହେବ ସହୀଦଙ୍କ ପ୍ରତି ସମୁଚିତ ଶ୍ରଦ୍ଧାଞ୍ଜଳି ବୋଲି ମଞ୍ଚରେ ମତ ପ୍ରକାଶ ପାଇଥିଲା।

ସଭାର ପ୍ରାରମ୍ଭରେ ପ୍ରଥମେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶେଷରେ ଚିଲିକା ସାହିତ୍ୟ ସମାଜର ସହ ସଂପାଦକ ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ନୂତନ ବିଇଓ ଙ୍କ ଯୋଗଦାନ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ସନାତନ ଜାଲି (ଓଇଏସ) ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ଜାଲି ଏହା ପୁର୍ବରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେମୋରିଆଲ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ପୁର୍ବରୁ ବାଣପୁର ବିଇଓ ଭାବେ ମଧ୍ୟ କାର୍ଯ୍ୟରତ ଥିବାବେଳେ ଦକ୍ଷତାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ।

ତେବେ ସାଧାରଣ ନିର୍ବାଚନ ପୁର୍ବରୁ ତାଙ୍କର ବ୍ରହ୍ମପୁରକୁ ବଦଳି ହୋଇଥିଲା। ଆଜି କାର୍ଯ୍ୟରେ ଯୋଗଦାନ କରିବା ପରେ ତାଙ୍କୁ ସମସ୍ତ କର୍ମଚାରୀ, ସିଆରସିସି, ବିଆରସିସି ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ଭେଟି ସ୍ୱାଗତ କରିଥିଲେ।

ତେବେ ବାଣପୁର ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ ହୋଇଥିବାବେଳେ ସରକାରଙ୍କ ନୂତନ ଶିକ୍ଷାନୀତିକୁ ଆଗାମୀ ଦିନରେ କିପରି ସଠିକ ଭାବେ ଏଠାରେ ଲାଗୁ କରାଯିବା ସହ ବ୍ଲକ ଓ ଏନଏସି ରେ ଅବସ୍ଥିତ ସମସ୍ତ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ କରାଯିବ ସେଦିଗରେ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ସ୍କୁଲ ଖୋଲିବାକୁ ଆଉ ଦିନ କେଇଟା ବାକିଥିବା ବେଳେ ନୂତନ ଶିକ୍ଷାବର୍ଷରେ ଛାତ୍ର ଛାତ୍ରୀ ମାନେ କିପରି ସୁରୁଖୁରୁରେ ପାଠପଢିବେ ସେ ଦିଗରେ ସେ ଯତ୍ନବାନ ହେବେ ବୋଲି ମଧ୍ୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମୁକ୍ତି ଦିବସ ପାଳିତ, ବିପ୍ଲବୀ କୃତିବାସ ପାଟଶାଣିଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ବାଣପୁର: ଏହି ତିନିଦିନ ବାଣପୁର ମୁକ୍ତି ଦିବସ। ପ୍ରତ୍ୟେକ ବାଣପୁର ବାସୀଙ୍କ ପାଇଁ ଏହି ତିନିଦିନ ଗର୍ବ ଆଉ ଗୌରବର ଦିନ। ୧୮୩୬ ମସିହା ଜୁନ୍ ପହିଲାରେ ଅରାଙ୍ଗଗଡ଼ର ଦଳବେହେରା କୃତ୍ତିବାସ ପାଟ୍ଟଶାଣି ଏହି ଦିନ ଶତାଧିକ କନ୍ଧ ପାଇକ ଓ ସାନସିରେଇ ପୁର, ଭାପୁର, ବାଁଳୋଇ, ସାହାସପୁର, ବୋରିଗାଁ, ବେତୁଲି, ଭେଟେଶ୍ଵର ଇତ୍ୟାଦି ଗ୍ରାମର ଶତଶତ ପାଇକସେନାଙ୍କୁ ସାଥିରେ ନେଇ ଐତିହାସିକ ପଲଟଣ ପଡ଼ିଆରେ ଥିବା ବ୍ରିଟିଶ ବାହିନୀ ଉପରେ ଆକ୍ରଣ କରି ଖଜଣାଖାନା ଲୁଟ୍, ବାଣପୁର ଥାନାପୋଡ଼ି କରି ବ୍ରିଟିଶ୍ ବାହିନୀକୁ ଏଠାରୁ ତଡ଼ି ବାଣପୁରକୁ ବ୍ରିଟିଶ୍ ଶାସନ ମୁକ୍ତ କରି ସ୍ଵାଧୀନତା ଘୋଷଣା କରିଥିଲେ। ବିପ୍ଲବୀ କୃତ୍ତିବାସଙ୍କ ଏହି ଦୁର୍ବାର ବିପ୍ଲବ ବ୍ରିଟିଶ୍ ଶାସକଙ୍କ ହୃଦକମ୍ପନ ସୃଷ୍ଟି କରି ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା ଯାହା ପରାଧୀନଭାରତ ବର୍ଷର ଏକ ଅନନ୍ୟ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଉକ୍ତ ତିନିଦିନ ବାଣପୁର ବାସୀଙ୍କ ପାଇଁ ମୁକ୍ତି ଦିବସ ଭାବରେ ବାଣପୁର ଇତିହାସ ପୃଷ୍ଟାରେ ଲିପି ବଦ୍ଧ ହୋଇ କାଳକାଳକୁ ସ୍ମରଣୀୟ ଦିବସ ଭାବରେ ରହିଛି ଓ ରହିଥିବ ମଧ୍ୟ। ସେହି ଦେଶପ୍ରେମୀ ବୀରପୁଙ୍ଗବ ଶେଷରେ ଦେଶ ଦ୍ରୋହୀ ଙ୍କ ପ୍ରରୋଚନାରେ ବ୍ରିଟିଶ୍ ହାତରେ ଧରାପଡ଼ି ପ୍ରଥମେ ଜେଲ୍ ତାପରେ କଳାପାଣି ଦଣ୍ଡ ଭୋଗି ସୁଦୂର ଆଣ୍ଡାମାନ ଦ୍ଵୀପରେ ଥିବା ସେଲୁଲାର୍ ଜେଲ୍ ରେ ପ୍ରାଣତ୍ୟାଗ କରି ମା’ମାଟିର ସ୍ଵାଧୀନତା ପାଇଁ ବଳିଦାନ ଦେଇ ସହିଦ ହୋଇଥିଲେ। ସେହି ବୀରବିପ୍ଲବୀଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ
କରାଯାଇଥିଲା।

ମୁକ୍ତି ଦିବସ ସ୍ମୃତି କମିଟିର ସଂପାଦକ ବାଳମୁକୁନ୍ଦଦାସଙ୍କ ସହିତ ସାହିତ୍ୟସିନ୍ଦୁରାର ଆବାହକ ଗୋଲକ ବିହାରୀ ପରୀଡା,ପାଇକ କବି କୃଷ୍ଣଚନ୍ଦ୍ରପାଠାଗାରର ସଭାପତି ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଐତିହାସିକ ପଞ୍ଚୁଦୋଳଯାତ୍ରା କମିଟିର ସଂପାଦକ ମାଧବଚନ୍ଦ୍ର ବାରିକି, ସହ ସଂପାଦକ ଜୟକୃଷ୍ଣ ଦାସ, ଚିଲିକା ସାହିତ୍ୟ ସମାଜର ଉପଦେଷ୍ଟା ରବୀନ୍ଦ୍ରନାଥ ମାନସିଂ, ଶିକ୍ଷାବିତ୍ ଶିଶିର କୁମାର ଦାସ, କବି ବି.ଦିଗାମ୍ବର ,ପତ୍ରକାର ଅଶୋକ କୁମାର ପାଇକରାୟ, ପୃଷ୍ଠଭୂମୀର ସଂପାଦକ ବ୍ରଜକିଶୋର ଜେନା, ଅଧ୍ୟାପକ ଗୋଲକ ବିହାରୀ ସାହୁ ପ୍ରମୁଖ ସହୀଦ କୃତ୍ତିବାସ ପାଟଶାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ତ୍ୟାଗ ଓ ବଳିଦାନ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପଞ୍ଚାୟତ ସମିତି ସାଧାରଣ ବୈଠକରେ ଯୋଗଦେଲେ ଆଇନ ମନ୍ତ୍ରୀ

ବାଣପୁର: ଶୁକ୍ରବାର ଦିନ ବାଣପୁର ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକରେ ଓଡ଼ିଶା ସରକାରଙ୍କ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ,କୃଷି ବିଭାଗ,ଜଳ ଯୋଗାଣ ଓ ପରିମଳ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ,ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ମନରେଗା ଓ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଆଗମୀ ଦିନରେ ଆଳୁ ଉତ୍ପାଦନରେ ରାଜ୍ୟକୁ ସ୍ବାବଲମ୍ବୀ କରିବା ପାଇଁ ଆମ୍ଭ ବାଣପୁର ଅଞ୍ଚଳରେ ଚାଷୀଙ୍କୁ ଉତ୍ସାହିତ ଓ ତାଲିମ୍ ପ୍ରଦାନ କରି ଆଳୁ ଚାଷ ନିମନ୍ତେ ଉଦ୍ୟମ କରିବା ପାଇଁ ଆଗମୀ ୧୫ ଦିନ ମଧ୍ୟରେ ସଂପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ କୃଷି ବିଭାଗୀୟ ଅଧିକାରୀଙ୍କୁ ମାନ୍ୟବର ମନ୍ତ୍ରୀ ମହୋଦୟ ନିର୍ଦ୍ଦେଶ ଦେଇଥିଲେ।

ଚାଷୀଙ୍କ ଉତ୍ପାଦିତ ଖାଦ୍ୟଶସ୍ୟର ରପ୍ତାନୀ ବୃଦ୍ଧି କରିବା, ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହିତ ଅଭାବୀ ବିକ୍ରିକୁ ରୋକିବାର ଲକ୍ଷ୍ୟ ନେଇ ବାଣପୁର ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି।ବାଣପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ସୌନ୍ଦର୍ଯ୍ୟ ଓ ସୁଗନ୍ଧ ବିତରଣ କରୁଥିବା ଗେଣ୍ଡୁଫୁଲ, ମଲ୍ଲୀ ଫୁଲ ଚାଷ ପାଇଁ ଉପଯୁକ୍ତ ତାଲିମ୍ ପ୍ରଦାନ ସହ ଉନ୍ନତ ପ୍ରଣାଳୀରେ ଚାଷ ପାଇଁ ପ୍ରତ୍ୟେକ ଚାଷୀ ମାନଙ୍କୁ ପରାମର୍ଶ ଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକ ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ବାଣପୁର ବ୍ଲକ ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ସମେତ ସରପଞ୍ଚ,ସମିତି ସଭ୍ୟ/ସଭ୍ୟା,ଜିଲ୍ଲାପରିଷଦ ସଭ୍ୟାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ୩ ଗିରଫ

ବାଣପୁର/ବାଲୁଗାଁ: ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଉପ ଅଧିକ୍ଷକ କ୍ଷେତ୍ରମୋହନ ଜଗଦୀଶ ଚନ୍ଦ୍ର ପେରେରେଙ୍କ ତତ୍ୱବାଧାନରେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇ, ଉପ ନିରୀକ୍ଷକ ଅମରେନ୍ଦ୍ର ଶତପଥି, ଜିଲ୍ଲା ଭ୍ରାମ୍ୟମାଣ ଉପ ନିରୀକ୍ଷକ ସୁଜିତ କୁମାର ନାଗ ଜିଲ୍ଲା ପୋଲିସ ଫୋର୍ସ, ବାଣପୁର ପୋଲିସ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଣପୁର ଥାନା ଅନ୍ତର୍ଗତ କୋଶରଡ଼ା ଓ ଶାଳିଆଡ୍ୟାମ ଅଞ୍ଚଳରେ ଚଢ଼ାଉ କରି ୭୦୦୦ ଲିଟର ମହୁଲ ପୋଚ, ୨୦୦୦ ଲିଟର ଦେଶୀମଦ ଓ ବ୍ୟବହୃତ ସାମଗ୍ରୀ ସବୁ ନଷ୍ଟ କରାଯାଇଛି। ଏହାପରେ ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ୩୦୭ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିବାସହ ଜଣେ ମହିଳା ସମେତ ତିନି ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ କୃଷ୍ଣ ମୋହନ ସାହୁ, ଗୀତାଞ୍ଜଳି ସାହୁ ଓ କିଶୋର ସାହୁ। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।

ଏହି ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଏସଆଇ ସୁନିତା ମହାରଣା,ସଞ୍ଜୟ କୁମାର ସୁବୁଦ୍ଧି,ଏଏସଆଇ ସଞ୍ଜୟ କୁମାର ରାଉତ,ମୀନକେତନ ମହାଳିକ,କନେଷ୍ଟବଳ ଅଶେଷ ପ୍ରଧାନ,ରଞ୍ଜିତ ପଟେଲ,ମନୋଜ କୁମାର ଜୟସିଂ,ବିକାଶ କୁମାର ରାଉତ,ସସ୍ମିତା ସେଠୀ,କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସନ୍ଦେହଘେରରେ ବାଣପୁର ଏନଏସି ସ୍ବଚ୍ଛସାଥୀଙ୍କ ମୃତ୍ୟୁ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଣପୁର ଏନଏସି କାର୍ଯ୍ୟାଳୟରେ ସ୍ୱଚ୍ଛସାଥି ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ କୋଟବିଦ୍ୟାଧରପୁର ଗ୍ରାମର କୋଠଘରେ ମିତା ବାରିକ (୩୧) ନାମକ ମହିଳା ଭଡ଼ାସୂତ୍ରରେ ରହୁଥିଲେ। ସେ ଉକ୍ତ ଗ୍ରାମର ତ୍ରିଲୋଚନ ପରିଡ଼ାଙ୍କୁ ୧୨ ବର୍ଷ ତଳେ ବିବାହ କରିଥିବାବେଳେ ସ୍ୱାମୀ ତ୍ରିଲୋଚନ ବିଦେଶରେ କାମ କରୁଛନ୍ତି। ମିତା ବାଣପୁର ଏନଏସି କାର୍ଯ୍ୟାଳୟରେ ସ୍ୱଚ୍ଛସାଥି ଭାବେ କାର୍ଯ୍ୟରତ ଥିବାବେଳେ ଗତକାଲି ସଂନ୍ଧ୍ୟାରେ ଭଡାରେ ରହୁଥିବା କୋଠଘରେ ନିଜ ଚୁନିରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ।

ତେବେ ଏ ନେଇ ମିତାଙ୍କ ମାତା ଶାନ୍ତିଲତା ବାରିକ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ କେସ ନମ୍ବର ୧୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ତେବେ ମୃତ ମିତାଙ୍କ ମାତା ଶାନ୍ତିଲତା ଆର୍ଥିକ ଅନଟନ ଲାଗି ମିତା ଆତ୍ମହତ୍ୟା କରିଥିବା ଏତଲାରେ ଲେଖିଥିବା ବେଳେ ତାଙ୍କର ମୃତ୍ୟୁ ସନ୍ଦେହଘେରରେ ଅଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ସୂଚନା ଥାଉକି ମୃତ ମିତାଙ୍କ ଦୁଇ ଗୋଟି ସନ୍ତାନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର:ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବେରୁଆଁବାଡ଼ି ଗ୍ରାମର ଜଣେ ଯୁବକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ମାନଗୋବିନ୍ଦ ସ୍ୱାଇଁଙ୍କ ପୁତ୍ର ଅରୁଣ ସ୍ୱାଇଁ (୨୨)।

ନାଚୁଣୀ ପୋଲିସ ସୂଚନା ମୁତାବକ ଅରୁଣ ଖୋର୍ଦ୍ଧା ସ୍ଥିତ ଏକ କଲେଜରେ ଡିପ୍ଲୋମା ପାଠ ପଢ଼ୁଥିବା ବେଳେ ଆଜି ସକାଳେ ପରୀକ୍ଷା ଦେବାପାଇଁ ଏକ ବାଇକରେ ଖୋର୍ଦ୍ଧା ଅଭିମୁଖେ ବାହାରିଥିଲେ। ତେବେ ନାଚୁଣୀ ଥାନା ଅନ୍ତର୍ଗତ ଦେଓଗାଁ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଅରୁଣ ଏକ ଗଛରେ ବାଇକକୁ ପିଟିଦେଇଥିଲେ। ଫଳରେ ଅରୁଣ ରାସ୍ତାରେ ଛିଟିକିପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଦ୍ୱାରା ବାଣପୁର ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଅରୁଣଙ୍କ ମାତାଙ୍କ ଅଭିଯୋଗକ୍ରମେ ଏ ନେଇ ନାଚୁଣୀ ପୋଲିସ କେସ ନମ୍ବର ୧୫୦/୨୫ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ କେଶବ ବେହେରା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ମହୁଲିଆ ଗ୍ରାମ ପରିଦର୍ଶନ କଲେ ଆଇନ ମନ୍ତ୍ରୀ, ନେଲେ ବଡ଼ ପଦକ୍ଷେପ

ବାଣପୁର: ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାମିଆ ବରବରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧ ନଂ ବୁଥ୍ ମହୁଲିଆ ଗ୍ରାମକୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ପରିଦର୍ଶନ କରିବା ଅବସରରେ ବହୁ ଦିନ ଧରି ବନ୍ଦ୍ ହୋଇ ରହିଥିବା ମହୁଲିଆ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଆସନ୍ତା ୩ ସପ୍ତାହ ମଧ୍ୟରେ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ‌ କରିଥିଲେ। ତତ୍ ସହିତ ବିଦ୍ୟାଳୟକୁ ନୂତନ ଶିକ୍ଷକ ନିଯୁକ୍ତି ଦେଇ ପୁନଃ ସେଠାରେ ଶିକ୍ଷାଦାନ ବ୍ୟବସ୍ଥା ଜାରି ରଖିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ସେହିଭଳି ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପରିଦର୍ଶନ କରିବା ରାସ୍ତାରେ ଏସିଆ ମହାଦେଶର ସର୍ବବୃହତ ଶାଳ, ଶାଗୁଆନ ଜଙ୍ଗଲ ରାସ୍ତା ଯାହାକି ଦାମିଆ ବରବରା ଠାରୁ ମହୁଲିଆ ଗ୍ରାମ ସହିତ ସିବିଡା ଏବଂ ଲାଣ୍ଡରୁ ଗ୍ରାମକୁ ସଂଯୋଗ ରହିଛି, ଉକ୍ତ ସଂରକ୍ଷିତ ଜଙ୍ଗଲ ରାସ୍ତାକୁ ସୁଗମ ଯାତାୟାତ ବ୍ୟବସ୍ଥା କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଜିଲ୍ଲାପାଳଙ୍କ ସହ ବିଶଦ ଆଲୋଚନା କରିଥିଲେ। ତତ୍ ସହିତ ଜଙ୍ଗଲ ମାଟି ରାସ୍ତା ମଧ୍ୟରେ ହାତୀ ଓ ବନ୍ୟ ଜନ୍ତୁ ମାନଙ୍କ ଚଳପ୍ରଚଳକୁ ଧ୍ୟାନରେ ରଖି ରାସ୍ତା ନିର୍ମାଣ ପାଇଁ ରାଜସ୍ୱ ବିଭାଗ, ବନ ବିଭାଗ, ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ଆଗମୀ ଦିନରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ‌ ବୋଲି କହିଥିଲେ।

ଆଗମୀ ଦିନରେ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେଲେ ମହୁଲିଆ ଅଂଚଳ ଏକ ପରିବେଶ ପର୍ଯ୍ୟଟନ ସ୍ଥଳୀର ରୂପ ପାଇବ। ଯାହା ଫଳରେ ଜଙ୍ଗଲର ଉତ୍ପାଦକତା ବଢିବ, ଜଙ୍ଗଲାଞ୍ଚଳ ବାହାରେ ଲୋକେ ଗଛ ଲଗାଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରିପାରିବେ ଏବଂ ଲୋକଙ୍କୁ ଜୀବିକା ଯୋଗାଣ ସହିତ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇପାରିବ। ମହୁ, ଝୁଣା ଆଦି ବନଜାତ ଦ୍ରବ୍ୟକୁ ଯୁବବର୍ଗଙ୍କ କର୍ମନିଯୁକ୍ତି ସହ ଯୋଡ଼ିବାରେ ସହାୟକ ହେବ ବୋଲି ମାନ୍ୟବର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ‌।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରଣା, ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ସମେତ ଜିଲ୍ଲାର ବିଭିନ୍ନର ବିଭାଗୀୟ ଅଧିକାରୀ,ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ପଞ୍ଚାୟତରେ ଅଭିଯୋଗ ଶୁଣିଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

ଖୋର୍ଦ୍ଧା/ବାଣପୁର: ଆଜି ସକାଳ ୭ ଘଟିକା ସମୟରୁ ପୂର୍ବାହ୍ ୧୧ ଘଟିକା ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରିମୁଣ୍ଡା ଗ୍ରାମ ପଂଚାୟତର ପତିତପାବନ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରା଼ଣା ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀସାଗରିକା ନାଥଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ବାଣପୁର ପଂଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଗମ୍ଭାରୀ ମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ  ପ୍ରେମାଞଳି ପଟ୍ଟନାୟକ, ବି ଡି ଓ ଶୀତଳ ଅଗ୍ରୱାଲ, ତହସିଲଦାର ପଦ୍ମନାଭ ଦୋରା, ଡେପୁଟି କଲେକ୍ଟର ଆର୍ତ୍ତତ୍ରାଣ ମଲ୍ଲିକ, ଡେପୁଟି କଲେକ୍ଟର ଶ୍ରିତପା ମିଶ୍ର, ସହକାରୀ ଜିଲ୍ଲାପାଳ ଭୁବନେଶ୍ଵରୀ କଅଁର ଯୋଗଦେଇଥିଲେ।

ଆଜିର ଅଭିଯୋଗ ଶିବିରକୁ ମୋଟ ୮୮ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୭୩ ଗୋଟି ଅଭିଯୋଗ ବ୍ୟକ୍ତିଗତ, ୦୮ ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା। ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୦୫ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ।  ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଗାମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତର ଭେଟେଶ୍ୱର ଗ୍ରାମର ମିନତୀ ସ୍ୱାଇଁଙ୍କୁ ୦୫ ହଜାର, ନୂଆସାହି ଦେଓଗାଁ ଗ୍ରାମର ଗଗନ ପ୍ରଧାନଙ୍କୁ ୧୫ ହଜାରକୁ ନେଇ ମୋଟ ୨ ଜଣ ଅଭିଯୋଗ କାରୀଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପରେ ଜିଲ୍ଲାପାଳ ଶ୍ରୀ ରାଣା ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି, ଓଡିଶା ଜୀବିକା ମିଶନ, ଗ୍ରାମୀଣ ଗୃହ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଶିବିର, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସ୍ବଚ୍ଛତା ଷ୍ଟଲ୍, ଉଦ୍ୟାନ କୃଷି, ମତ୍ସ୍ୟ, ଏସ ଏସ ଇ ପି ଡି, ଆୟୁଷ୍ମାନ ଆରୋଗ୍ୟ, ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଜିବୀ କଲ୍ୟାଣ ସେବା, ପ୍ରାଣୀ ସମ୍ପଦ ସେବା,ବେଟି ବଚାଓ ବେଟି ପଢ଼ାଓ, ଆଦ୍ଵିକା, ଭି ଏଚ୍ ଏସ ଏନ୍ ଡି, ପୋଷଣ ପକ୍ଷ ଆଦି ସଚେତନତା ଷ୍ଟଲ୍ ବୁଲି ଦେଖିଥିଲେ।

ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଇଂ ରଶ୍ମିତା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପର୍ଶୁରାମ ହରିଚନ୍ଦନଙ୍କ ୪୮ତମ ଶ୍ରାଦ୍ଧୋତ୍ସବ‌ ପାଳନ

ବାଣପୁର: ଆଜି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ପର୍ଶୁରାମ ସ୍ମୃତି କମିଟିଙ୍କ ମିଳିତ ଆନୁକୁଲ୍ୟରେ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ବିପ୍ଲବୀ ଜନନେତା, ନାଟ୍ୟକାର ତଥା ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପର୍ଶୁରାମ ହରିଚନ୍ଦନଙ୍କ ୪୮ତମ ଶ୍ରାଦ୍ଧୋତ୍ସବ‌ ପାଳନ ହୋଇଯାଇଅଛି। ପ୍ରଥମେ ପତିତପାବନ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଭୁ ଶ୍ରୀ ଗଣେଶ ଓ ମା’ ସରସ୍ଵତୀଙ୍କୁ ପ୍ରଣାମ ଜଣାଇବା ସହ ପର୍ଶୁରାମ ହରିଚନ୍ଦନ ଓ ଭାଗିରଥି ମାଲୁଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ମତ୍ସ୍ୟ, ପଶୁସମ୍ପଦ କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହାପରେ ଅନୁଷ୍ଠିତ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତି କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଉତ୍କଳ ସଂସ୍କୃତି ମହାବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚ଼ିବ ଡ଼କ୍ଟର ଚନ୍ଦ୍ରଶେଖର ହୋତା, ପର୍ଶୁରାମ ହରିଚନ୍ଦନ ସ୍ମୃତି କମିଟିର ସଭାପତି ଗୋଲକ ବିହାରୀ ପଟ୍ଟନାୟକ, ପର୍ଶୁରାମ ହରିଚନ୍ଦନ ସ୍ମୃତି କମିଟିର ସମ୍ପାଦକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ପର୍ଶୁରାମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରେମରାଜ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପର୍ଶୁରାମ ହରିଚନ୍ଦନଙ୍କ ସାଂସ୍କୃତିକ ପ୍ରତିଷ୍ଠା,ସାମାଜିକ ପରିଚ଼ିତ,ରାଜନୈତିକ ପାରଦର୍ଶିତା ଏବଂ ଜନସେବାର ପରାକାଷ୍ଠା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ତାହାରି ବିଷୟରେ ଅଭିଭାଷଣ ରଖିବା ସହ ତାଙ୍କ ଦ୍ଵାରା ରଚ଼ିତ ନାଟକଗୁଡ଼ିକ ‘ବିପ୍ଲବୀ କୃତ୍ତିବାସ’, ‘ଅଭିଶପ୍ତ ଦୁର୍ଗ’, ‘ହିନ୍ନାଙ୍ଗୀ’, ‘କପିଳେନ୍ଦ୍ରଦେବ’ ଇତ୍ୟାଦି‌ ଓଡ଼ିଶାର ସାରସ୍ଵତ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି।ତାଙ୍କ ରଚିତ ନାଟକ ଯୁଗଯୁଗ ଧରି ଓଡ଼ିଆ ଜାତିକୁ ପ୍ରଜ୍ବଳିତ ମଶାଲର ବହ୍ନିଶିଖା ପରି ଅଗଣିତ ଓଡ଼ିଆ ନାଟକ ପାଠକଙ୍କ ହୃଦୟରେ ଏକ ନୂତନ ଦିଶା ଦେଖାଇବାରେ ସହାୟକ ହୋଇପାରିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ପାଇକଶ୍ରେଷ୍ଠ ବିପ୍ଲବୀ ବୀର କୃତ୍ତିବାସଙ୍କୁ ବିସ୍ମୃତ ଗର୍ଭରୁ ଆଲୋକକୁ ଆଣିବା,ଓଡ଼ିଆଜାତି ପାଇଁ ପର୍ଶୁରାମ ହରିଚ଼ନ୍ଦନଙ୍କର ସର୍ବଶ୍ରେଷ୍ଠ ଅବଦାନ।ଯଦି ପର୍ଶୁରାମ ହରିଚ଼ନ୍ଦନଙ୍କ ବଳିଷ୍ଠ ଲେଖନୀରୁ ନିସୃତ ଐତିହାସିକ ଗବେଷଣା ସମ୍ବଳିତ କୃତ୍ତିବାସଙ୍କ ଜୀବନୀ ସମ୍ପର୍କୀତ ନିବନ୍ଧ ୧୯୫୦ ମସିହା ଡ଼ିସେମ୍ବର ମାସର ଝଙ୍କାର ପତିକ୍ରାରେ ପ୍ରକାଶ ପାଇନଥାନ୍ତା,ହୁଏତ ଇତିହାସର ଅତଳ ଗର୍ଭରେ ଓଡ଼ିଆ ଜାତିର ଏହି ଅନନ୍ୟ ବୀର ଙ୍କ ରକ୍ତରଞ୍ଜିତ ଇତିହାସ ଚ଼ିର ଦିନ ପାଇଁ ସମାଧି ଲଭିଥାନ୍ତା।

ଏହି କାର୍ଯ୍ୟକ୍ରମ ଅବସରରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ,ସ୍ବର୍ଗତ ହରିଚନ୍ଦନଙ୍କ ନାତି ତଥା ବରିଷ୍ଠ ବିଜେପି ନେତା ଦୁଷ୍ମନ୍ତ ହରିଚ଼ନ୍ଦନ,ଶତସିଂହ ହରିଚ଼ନ୍ଦନ, ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ନୃସିଂହ ଚରଣ ପ୍ରଧାନ,ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି,ବିଶିଷ୍ଟ ଶିକ୍ଷାବିତ ବାଳମୁକୁନ୍ଦ ଦାସ, ସଂଗ୍ରାମ କେଶରୀ ସାହୁ, ପର୍ଶୁରାମ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀଙ୍କ ସମେତ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ,ବୁଦ୍ଧିଜୀବୀ,ସମାଜସେବୀ,ଶିକ୍ଷାବିତ୍ ଓ ବହୁ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଅନାସ୍ଥା ଭୋଟିଂରେ ହାରିଲେ ନୀଳାଦ୍ରିପ୍ରସାଦ ସରପଞ୍ଚ ଉମାକାନ୍ତ ସାହୁ

ଖୋର୍ଦ୍ଧା/ବାଣପୁର: ଗତକାଲି ଅନାସ୍ଥା ଭୋଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅଧୀନସ୍ଥ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ଗ୍ରାମପଞ୍ଚାୟତର ସରପଞ୍ଚ ଉମାକାନ୍ତ ସାହୁ ପରାସ୍ତ ହୋଇଛନ୍ତି। ସମୁଦାୟ ୧୩ ଜଣ ୱାର୍ଡ ସଭ୍ୟ ଥିବାବେଳେ ୧୧ଜଣ ସଭ୍ୟ ସରପଞ୍ଚ ଉମାକାନ୍ତ ସାହୁଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।

ସଭ୍ୟ ସଭ୍ୟାଙ୍କ ଅଭିଯୋଗ ମୁତାବକ ସରପଞ୍ଚ ଉମାକାନ୍ତ ସେମାନଙ୍କୁ ଅଣଦେଖା କରି ପଞ୍ଚାୟତର ପ୍ରକଳ୍ପଗୁଡିକୁ ଅନୁମୋଦନ କରିବା, ରାସନ ସାମଗ୍ରୀ ଠିକଭାବେ ବଣ୍ଟନ ନ କରିବା, ପ୍ରକଳ୍ପଗୁଡିକୁ ନିଜେ ନିମ୍ନମାନର କାର୍ଯ୍ୟ କରି ଅର୍ଥ ଆତ୍ମସାତ କରିବା ଭଳି ଗୁରୁତର ଅଭିଯୋଗ ଆଣି ମାର୍ଚ୍ଚ ୨୮ ତାରିଖରେ ସଭ୍ୟମାନେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ଏକ ପ୍ରସ୍ତାବ କରିଥିଲେ। ବାଣପୁର ବିଡିଓ, ଜିଲ୍ଲା ପଞ୍ଚାୟତ ଅଫିସକୁ ଉକ୍ତ ପ୍ରସ୍ତାବ ସମ୍ପର୍କରେ ଅବଗତ କରିଥିଲେ। ଏବଂ ଚଳିତ ମାସ ୩ ତାରିଖରେ ଅନାସ୍ଥା ପାଇଁ, ଖୋର୍ଦ୍ଧା ଉପଜିଲ୍ଲାପାଙ୍କୁ ଲିଖିତ ଭାବେ ମଧ୍ୟ ଜଣାଇଥିଲେ।

ଉପ ଜିଲ୍ଲାପାଳ ଏହାକୁ ଗ୍ରହଣ କରି ଗତକାଲି ଅନାସ୍ଥା ଭୋଟିଂ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ରିଟର୍ନିଙ୍ଗ ଅଫିସର ଭାବେ ଚିଲିକା ତହସିଲଦାର ଯୋଗଦେଇ ସଭ୍ୟ ସଭ୍ୟା ମାନଙ୍କର ଭୋଟିଂ କରାଇଥିଲେ।

ଭକ୍ତ ଅନାସ୍ଥା ଭୋଟରେ ଅନାସ୍ଥା ସପକ୍ଷରେ ୧୧ଜଣ ସଭ୍ୟ ସଭ୍ୟା ଭୋଟ ଦେଇଥିବା ବେଳେ ଦୁଇଜଣ ଭୋଟିଂରୁ ବିରତ ରହିଥିଲେ। ସେହିପରି ଭାବେ ଅନାସ୍ଥା ବିପକ୍ଷରେ କେବଳ ସରପଞ୍ଚ ଉମାକାନ୍ତ ନିଜେ ଭୋଟ ଦେଇଥିଲେ।

ପ୍ରକାଶ ଥାଉକି ଅନାସ୍ଥାକୁ ବିରୋଧ କରି ସରପଞ୍ଚ ଉମାକାନ୍ତ ଉଚ୍ଚ ନ୍ୟାୟାଳୟରେ ପୁର୍ବରୁ ଏକ ରିଟ ପିଟିସନ ଦାୟର କରିଥିଲେ। ତେବେ ଉକ୍ତ ପିଟିସନକୁ ବିଚାରକୁ ନେଇ ଆସନ୍ତା ଜୁଲାଇ ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବାବେଳେ ଉକ୍ତ ମାମଲାର ଚୂଡାନ୍ତ ରାୟ ଆଧାରରେ ହିଁ ପ୍ରଶାସନ କୌଣସି ନିଷ୍ପତ୍ତି ନେଇପାରିବ ବୋଲି ହାଇକୋର୍ଟ କହିଛନ୍ତି।

ତେବେ ବାଣପୁର ବ୍ଲକ ପ୍ରଶାସନ ତରଫରୁ ଅନାସ୍ଥା ଭୋଟିଂର ସମସ୍ତ ତଥ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସଭ୍ୟ ଓ ସଭ୍ୟମାନେ ଅପେକ୍ଷା କରିଥିବା କହିଛନ୍ତି। ତେବେ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ପୂର୍ବପରି ସ୍ଥିତାବସ୍ଥା ଜାରି ରହିବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ଫଳାଫଳ, ଜାଣନ୍ତୁ କିଭଳି ରହିଛି ଚଳିତ ବର୍ଷର ରେଜଲ୍ଟ?

ବାଣପୁର: ବାଣପୁର ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ+୨ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି।

ଏହି ଅନୁଷ୍ଠାନର ବିଜ୍ଞାନ ବିଭାଗରେ ୨୯୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨୮ ଜଣ ପ୍ରଥମ ଶ୍ରେଣୀ, ୧୦୨ ଜଣ ଦ୍ବିତୀୟ ଶ୍ରେଣୀ ଓ ୩୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୧ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି।

କଳାରେ ୩୧୯ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୧୧୪ଜଣ ପ୍ରଥମ ଶ୍ରେଣୀ ୫୭ ଜଣ ଦ୍ବିତୀୟ ଶ୍ରେଣୀ ଓ ୧୧୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୫ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ସେହିଭଳି ବାଣିଜ୍ୟରେ ୭ ଜଣଙ୍କ ମଧ୍ୟରୁ ୩ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ଧନ୍ଦାମୂଳକ ଶିକ୍ଷାର ବିଜ୍ଞାନ ବିଭାଗର ୫ ଜଣଙ୍କ ମଧ୍ୟରୁ ଜଣେ ଦ୍ୱିତୀୟ ଶ୍ରେଣୀ ଓ ଜଣେ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଳାରୁ ୨୨ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୩ଜଣ ଦ୍ୱିତୀୟ ଶ୍ରେଣୀ ଓ ୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଓ +୨ ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର ସମସ୍ତ ସଫଳ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ପରୀକ୍ଷାର ସହ ପରିଚାଳିକା ଅଧ୍ୟାପିକା ସଂଘମିତ୍ରା ଘଟୁଆରୀ, ନୟନା ପ୍ରଧାନ, ସହଯୋଗୀ କର୍ମଚାରୀ ମନୋଜ କୁମାର ପରିମାଣିକ, ମୁକେଶ କୁମାର ମହାପାତ୍ର, ବିଭୁଦେନ୍ଦୁ ବିଧାର, ଗୋପୀନାଥ ସାହୁ, ଧନ୍ଦା ମୁଳକ ଶିକ୍ଷାର ସଂଯୋଜକ ଅଧ୍ୟାପକ ଗୌରୀ ଶଙ୍କର ସୁବୁଦ୍ଧି ଓ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ସେମାନଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚ଼ିଲିକାରେ ଆଇନ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବାଣପୁର/ଚିଲିକା: ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ସ୍ଥିତ ଗମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଙ୍କାଳ ଗ୍ରାମ ନିକଟରେ ୩୫.୩୧ ଲକ୍ଷ ଟଙ୍କା‌ ବିନିମୟରେ ଅଶୋକ ନାଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଓ କୁମାଣ୍ଡୋଳ ପାଟଣା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରଳସିଂହ ସ୍ଥିତ ୨୧.୨୯ ଲକ୍ଷ ଟଙ୍କା‌ ବିନିମୟରେ ଜୟମଙ୍ଗଳ ପ୍ରକଳ୍ପ ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ। ଏହି ପ୍ରକଳ୍ପ ଗୁଡ଼ିକ ହେବା ଦ୍ୱାରା ଚାଷୀ ଭାଇ ଓ ଭଉଣୀମାନେ ନିଜ ଜମିରେ ଜଳସେଚନ କରି ଉପକୃତ ହୋଇପାରିବେ।

ଚ଼ିଲିକା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ମୋ ପାଇଁ ପ୍ରାଥମିକତା। ଆଗାମୀ ଦିନରେ ଆହୁରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହ ବିକଶିତ ଚ଼ିଲିକା ଗଠନ କରାଯିବା ନେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ବିଜେପି ନେତା ଦୁଷ୍ମନ୍ତ ହରିଚ଼ନ୍ଦନ,ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା,ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ଗୋଲକ ବିହାରୀ ପଟ୍ଟନାୟକ, ବାଣପୁର ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ମାଧବ ପ୍ରଧାନ, ଗମ୍ଭାରୀମୁଣ୍ଡା ଗ୍ରା:ପ ସରପଞ୍ଚଙ୍କ ପ୍ରତିନିଧି ଚିନ୍ମୟ ପଟ୍ଟନାୟକ, ସମିତିସଭ୍ୟା ଅନିତା ପ୍ରଧାନ, ବରିଷ୍ଠ ନେତା ସୁମନ୍ତ ପଟ୍ଟନାୟକ, ଚ଼ିଲିକା ବ୍ଲକ ସାଂସଦ ପ୍ରତିନିଧି ଦୀନବନ୍ଧୁ ସାହୁଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ସିବିଏସଇ ଦଶମ ଶ୍ରେଣୀରେ “ସେଣ୍ଟ ଜାଭିୟର ହାଇସ୍କୁଲ” ଛାତ୍ରଛାତ୍ରୀଙ୍କ ସଫଳତା

ବାଣପୁର: ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀର ପରୀକ୍ଷାର ଫଳ ମେ ୧୩ ତାରିଖରେ ପ୍ରକାଶ ପାଇଥିଲା। ଚଳିତ ବର୍ଷ ଏହି ପରୀକ୍ଷାରେ ବାଣପୁରର ସୁନାମଧନ୍ୟ ଇଂରାଜୀ ଶିକ୍ଷା ଅନୁଷ୍ଠାନ “ସେଣ୍ଟ ଜାଭିୟର ହାଇସ୍କୁଲ” ର ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ପ୍ରଶଂସନୀୟ ପ୍ରଦର୍ଶନ କରିବା ସହ ସମଗ୍ର ବାଣପୁର ଏବଂ ଚିଲିକା ବ୍ଲକରେ ସର୍ବଶ୍ରେଷ୍ଠ ମାର୍କ ଆଣି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହି ପରୀକ୍ଷାରେ ବିଦ୍ୟାଳୟର ଛାତ୍ର ଆୟୁଷ ସାମନ୍ତରାୟ ସର୍ବଶ୍ରେଷ୍ଠ ୯୭. ୨ ଶତକଡା ମାର୍କ ଆଣିଥିବା ବେଳେ ଆୟୁଷ ସୁବୁଦ୍ଧି ୯୦. ୮, କିର୍ତ୍ତୀ ସ୍ବୟଂସୁ ଲେଙ୍କା ୯୦, ତନ୍ମୟ କୁମାର ବାରିକ ୮୪. ୪, ଅଭିଜିତ ପ୍ରଧାନ ୮୩. ୪, ଶିବାଶିଷ ପ୍ରଧାନ ୮୩, ଆଦ୍ୟସା ଷଡଙ୍ଗୀ ୮୩. ୮, ସାୟନ୍ତନ ଷଡ଼ଙ୍ଗୀ ୮୩. ୬, ଶୁଭ୍ରାଂଶୁ ଶେଖର ନାୟକ ୮୧, ସରୋଜ କୁମାର ରଣା ୮୦ ପ୍ରତିଶତ ମାର୍କ ଆଣିଛନ୍ତି।

ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଶକ୍ତି ପ୍ରସାଦ ମହାନ୍ତି ସମସ୍ତ ଛାତ୍ରଛାତ୍ରୀଙ୍କ ମଙ୍ଗଳକାମନା କରିବା ସହ ଛାତ୍ରଛାତ୍ରୀ ମାନଙ୍କର ସଫଳତାର ଶ୍ରେୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀମାନଙ୍କୁ ପ୍ରଦାନ କରିଛନ୍ତି। ଏହା ସହ ଆଗକୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କିପରି ଅଧିକରୁ ଅଧିକ ଶିକ୍ଷା କ୍ଷେତ୍ରରେ ବାଣପୁର ପାଇଁ ଗୌରବ ଆଣିପାରିବେ ଏହି ଦିଗରେ କାର୍ଯ୍ୟ କରିବା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତିଶୃତି ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: “ଅପରେସନ ସିନ୍ଦୂର” ରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି

ବାଣପୁର: ସ୍ଥାନୀୟ ଅଗ୍ରଣୀ ସାହିତ୍ୟ ସିନ୍ଦୂରା ଅନୁଷ୍ଠାନ ତରଫରୁ ପହଲଗାଓଁ ର ଆତଙ୍କୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ତରଫରୁ “ଅପରେସନ ସିନ୍ଦୂର” ରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିବା ଭାରତୀୟ ସେନା ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ବିଜୟ ଦିବସ ପାଳନ କରାଯାଇଥିଲା।

ସାହିତ୍ୟ ସିନ୍ଦୂରା ଅନୁଷ୍ଠାନର ସଭାପତି ଗୋଲଖ ବିହାରୀ ପରିଡ଼ାଙ୍କ ଆବାହକତ୍ୱରେ ତଥା ଶିକ୍ଷାବିତ୍ ଚିନ୍ତାମଣି ମିଶ୍ର ଏବଂ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ବିଶିଷ୍ଟ ଗାଳ୍ପିକ ଶିବ ମିଶ୍ର, ବର୍ଷୀୟାନ କବି ପୁରୁଷୋତ୍ତମ ମହାପାତ୍ର, ଗବେଷକ ମଦନମୋହନ ମହାପାତ୍ର, ପନ୍ତା କୂଳିଆ କବି ଦିଗମ୍ବର ବିଶ୍ୱାଳ, କବି ବାଳମୁକୁନ୍ଦ ଦାସ, ପ୍ରାକ୍ତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ବ୍ରଜକିଶୋର ଜେନା, ରଙ୍କନାଥ ସେଠୀ, ଆଇନଜୀବୀ ଶରତ ପଟ୍ଟନାୟକ, ରାଜକିଶୋର ରଥ, ତ୍ରିଲୋଚନ ବାରିକ, ବିଷ୍ଣୁପ୍ରିୟା ବାରିକ, ରବିନ୍ଦ୍ରନାଥ ମାନସିଂହ, ସଂଧ୍ୟା ରାଣୀ ହରିଚନ୍ଦନ, ଅନନ୍ତ ଚରଣ ଖଟେଇ, ଶୁଶାନ୍ତ କୁମାର ଦାଶ, ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳୀର ପାନୀୟ ଜଳ ଯୋଗାଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ବାଣପୁର: ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ପାନୀୟ ଜଳ ଯୋଗାଣ ଓ ନୂତନ ନଳକୂପ ଖନନ, ନଳକୂପର ମରାମତି ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସଂପର୍କରେ ସମୀକ୍ଷା କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

ବିଶେଷକରି ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଓ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ସୀମାରେ ସମାପ୍ତ କରିବା ଉପରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ।

ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରାଥମିକତା ଦେଇଛନ୍ତି । ଏହାକୁ ସୁନିଶ୍ଚିତ କରିବା ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ରଶ୍ମିତା ଦାସ, ବାଣପୁର ବ୍ଲକ ବିଡ଼ିଓ ଶ୍ରୀମତୀ ଶୀତଲ୍ ଅଗ୍ରୱାଲ,ଚିଲିକା ବ୍ଲକ ବିଡ଼ିଓ ସୁଶ୍ରୀ ପୁନମ ମହାପାତ୍ରଙ୍କ ସମେତ ଅନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।