Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଶିଶୁଙ୍କ ଖାଦ୍ୟପାଇଁ ଆସୁଥିବା ସରକାରୀ ଅର୍ଥକୁ ଅଙ୍ଗନବାଡି କର୍ମୀ ବାଟମାରଣା କରିଥିବା ଅଭିଯୋଗ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବିଷ୍ଣୁଡ଼ିହ ପଞ୍ଚାୟତ ଅନ୍ତର୍ଗତ କୋତରି ଗ୍ରାମର ଏକାଧିକ ଗ୍ରାମବାସୀ ବାଣପୁର ବିଡ଼ିଓ ଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଲାକି ତାଙ୍କ ଗ୍ରାମର ଅଙ୍ଗନବାଡି କର୍ମୀ ଶିଶୁମାନଙ୍କ ଖାଦ୍ୟ ପାଇଁ ଆସୁଥିବା ସରକାରୀ ଅଟକଳ ବ୍ୟୟର ହିସାବ ଗ୍ରାମର ଖାଦ୍ୟ ଯାଞ୍ଚ କମିଟିକୁ ସଠିକ ଭାବେ ପ୍ରଦାନ କରିପାରୁନାହାନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସେମାନଙ୍କ ଆକଳନ ଓ ଅଙ୍ଗନବାଡି କର୍ମୀଙ୍କ ହିସାବରେ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଫରକ ହେଉଛି। ତତସହିତ ଗତ ପାଞ୍ଚ ମାସ ହେଲା ଗ୍ରାମର ଶିଶୁମାନେ ଠିକ ଭାବେ ଖାଦ୍ୟ ପାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ।  ସଠିକ ହିସାବ ନଦେବାରୁ ଗ୍ରାମବାସୀମାନେ ନୂତନ ଖାଦ୍ୟ ଯାଞ୍ଚ କମିଟି ମଧ୍ୟ ଗଠନ କରିପାରୁନାହାନ୍ତି।

ତେଣୁ ଉକ୍ତ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଡ଼ିଓ ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ତେବେ ଏ ନେଇ ବାଣପୁର ବିଡ଼ିଓ ବୁଲବୁଲ ବେହେରାଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି, ଏବଂ ଉକ୍ତ ଅଭିଯୋଗର ତଦନ୍ତ ସମସ୍ତ ନିୟମାବଳୀ ଆଧାରରେ କରାଯିବ ବୋଲି କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରୁ ନକଲି ବିଦେଶୀ ସହ ଦେଶୀ ମଦ ଓ ଜିଂଜର ଜବତ, ୩ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ରାତିରେ ପୋଲିସ ଓ ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢାଉ କରି ବହୁ ପରିମାଣରେ ନକଲି ବିଦେଶୀ ମଦ, ଦେଶୀ ମଦ ସମେତ ଜିଂଜର ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ ହୋଇଥିବା ବେଳେ ନୀଳାଦ୍ରିପ୍ରସାଦ ଅଞ୍ଚଳର ଅମିତ ନାୟକଙ୍କ ନିକଟରୁ ୧୪.୯୪ ଲିଟର ନକଲି ବିଦେଶୀ ମଦ, ଗମେଇ ଗ୍ରାମର ଦିଲ୍ଲୀପ ଲେଙ୍କାଙ୍କ ନିକଟରୁ ୫୨ ଲିଟର ଦେଶୀ ମଦ ଓ ଗୋଟେ ବାଇକ ଏବଂ ମନ୍ଦାର ଗ୍ରାମର ସୁରେନ୍ଦ୍ର ଶବରଙ୍କ ନିକଟରୁ ୧୭.୧୦ ଲିଟର ଜିଂଜର ଜବତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ତିନି ଗୋଟି ମାମଲା ରୁଜୁ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାର ଜଣାପଡିଛି। ଉକ୍ତ ଚଢାଉରେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ବାଣପୁର ଥାନା ଏଏସଆଇ ଗଙ୍ଗାଧର ହେମ୍ବ୍ରମ ଏବଂ ଅନ୍ୟ ଅବକାରୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଚିଲିକାର ଏହି ସବୁ ଅଞ୍ଚଳରେ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ପାଞ୍ଚ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ ନାଭାଲ ଗ୍ରୀଡ଼ର ଜରୁରୀକାଳୀନ ମରାମତି କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮.୩୦ ଘଟିକାରୁ ଅପରାହ୍ନ ୧ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର ସୋରଣ, କଳକଳେଶ୍ଵର ଓ ଚଣ୍ଡେଶ୍ବର ପଞ୍ଚାୟତ‌ ବାଦ୍‌ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଅପରାଧ ଆଞ୍ଚଳିକ

ବାଣପୁର: ଚୋରି କରୁଥିଲା ବେଳେ ଧରାପଡ଼ିଲା ଚୋର, ପୋଲିସରେ ଜିମା ଦେଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ସାଇକେଲ ଚୋରି କରୁଥିଲା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲା ଚୋର। ଥାନାରେ ଜିମାଦେଲେ ଗ୍ରାମବାସୀ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବାଲିପଦର ଗ୍ରାମରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ ଗତକାଲି ରାତିରେ ବାଲିପଦର ଗ୍ରାମର ଶରତ ନାୟକଙ୍କ ସାଇକେଲ ଚୋରି କରି ସେହି ଗ୍ରାମର ଅନିଲ ମହାନ୍ତି (୨୨) ନେଉଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।

ତଦନ୍ତରୁ ଜଣାପଡିଛି ଯେ, ଅନିଲ ଜଣେ ପେସାଦାର ସାଇକେଲ ଚୋର। ସେ ସାଇକେଲ ଗୁଡିକୁ ଚୋରି କରି ମାତ୍ର ୩୦୦ ଟଙ୍କାରେ ଅନ୍ୟକୁ ବିକ୍ରି କରିଦେଇଥାନ୍ତି। ତେବେ ତାଙ୍କ ନିକଟରୁ ଦୁଇ ଗୋଟି ଚୋରା ସାଇକେଲ ଉଦ୍ଧାର ହୋଇଥିବା ବେଳେ ଗତବର୍ଷ ମଧ୍ୟ ସେ ସାଇକେଲ ଚୋରି ଅଭିଯୋଗରେ ଗିରଫ ହୋଇଥିଲେ।

ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେସ ନମ୍ବର ୩୯୬/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବ ବୋଲି ସୂଚନା ମିଳିଛି।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ଧୁମଧାମରେ ଅନୁଷ୍ଠିତ ହେବ ବାଣପୁର ଭେଟ ଅମାବାସ୍ୟା: ଜାଣନ୍ତୁ ସମୟ ସାରଣୀ

ବାଣପୁର: ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କ ସହସ୍ରକୁମ୍ଭାଭିଷେକ ହୋଇ ପାର୍ବଣର ଏହି ପ୍ରଥମାର୍ଦ୍ଧ ପୂଜା ଆରମ୍ଭ ହୋଇଥାଏ। ଏହା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ।

ବାଣପୁରରେ ରାଜା ଶାସନ ଚାଲିଥିବା ବେଳେ ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ଅନୁଷ୍ଠିତ ହେଉଥିଲା। ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ପ୍ରତ୍ୟେହ ସାୟଂ କାଳରେ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ବାହାରି ରାଜ ନଅରକୁ ଯାତ୍ରା କରୁଥିଲେ। ସେଠାରେ ଦେବୀ କନକ ଦୁର୍ଗାଙ୍କସହ ମିଳିତ ହୋଇ ପୂଜା ପାଉଥିଲେ। ତେଣୁ ଏହି ପ୍ରଥମାର୍ଦ୍ଧ ପୂଜାକୁ ଏଠାରେ ଭିତରପୂଜା କୁହାଯାଇଥାଏ।

ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ହେଉଥିବା ବେଳେ ମହାଳୟାର ଏହି ଭେଟ ଉତ୍ସବ ବାଣପୁରର ଜନପଦ ଏବଂ ରାଜନଅର ମଧ୍ୟ ସ୍ଥଳରେ ଅନୁଷ୍ଠିତ ହେଉଥିଲା। ସେଥିପାଇଁ ସେହିଠାରେ ଥିବା ଗ୍ରାମର ନାମ ଭେଟେଶ୍ୱର ହେବା ସହ ସେଠାରେ ବିରାଜିତ ଦେବ ଦେବ ମହାଦେବଙ୍କ ନାମ ଶ୍ରୀ ଭେଟିନାଥ ଦେବ ହୋଇଛି ବୋଲି ଐତିହାସିକମାନେ କହିଛନ୍ତି। କିନ୍ତୁ ଘଟଣା କ୍ରମେ ବାଣପୁର ରାଜା ପାରିକୁଦ ଠାରେ ଅବସ୍ଥାନ କରିବା ପରେ ଏହି ପ୍ରଥମାର୍ଦ୍ଧ ପୂଜା ବର୍ତ୍ତମାନ ମା’ ଭଗବତୀଙ୍କ ମନ୍ଦିର ବେଢାରେ ନିର୍ମିତ ସ୍ୱତନ୍ତ୍ର ପୂଜା ଗୃହରେ ଅନୁଷ୍ଠିତ ହେଉଛି। ଏବଂ ପବିତ୍ର ଭେଟ ଉତ୍ସବ ବାଣପୁର ବଜାରରେ କରାଯାଉଛି। ଏହି ପବିତ୍ର ଭେଟ ଉତ୍ସବ ହେଉଥିବା ଅମାବାସ୍ୟାକୁ ବାଣପୁର ଅଂଚଳରେ ଭେଟ ଅମାବାସ୍ୟା କୁହାଯାଏ। ଆସନ୍ତାକାଲି ଏହି ଭେଟ ଉତ୍ସବ ଅବା ଭେଟ ଅମାବାସ୍ୟା ଅନୁଷ୍ଠିତ ହେବାକୁ ଥିବା ବେଳେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସହ ଦେଖିବାକୁ ମିଳିଛି। ତେବେ ଆସନ୍ତାକାଲି ସନ୍ଧ୍ୟା ୮.୩୦ ରୁ ୯.୩୦ ଘଟିକା ମଧ୍ୟରେ ଉକ୍ତ ପବିତ୍ର ଭେଟ ଅମାବାସ୍ୟା ଉତ୍ସବ ଅନୁଷ୍ଠିତ ହେବ ବୋଲି ଦେବୋତ୍ତର କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। କୋଭିଡ କଟକଣା ଉଠିଯାଇଥିବା ହେତୁ ଆସନ୍ତାକାଲି ଭେଟ ଅମାବାସ୍ୟା ରେ ପ୍ରବଳ ଜନସମାଗମ ହେବ ବୋଲି ଅନୁମାନ କରାଯାଉଛି।

ଅନୁରୂପ ଭାବେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାଣପୁର ବଜାରରେ ଆସନ୍ତାକାଲି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି। ସେହିପରି ଭାବେ ଭକ୍ତ ମାନେ ଶୃଙ୍ଖଳାର ସହ ଉକ୍ତ ପବିତ୍ର ଉତ୍ସବ କୁ ଉପଭୋଗ କରିବା ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଅପିଲ କରିଛନ୍ତି।

ଭେଟ ଉତ୍ସବ ପରେ ଦେବୀ ବିରଜାଈ ଶ୍ରୀଦକ୍ଷେଶ୍ୱର ମନ୍ଦିର ସ୍ଥିତ ସାତବଖରା ଗୃହକୁ ବିଜେ କରିବାବେଳେ କାଠି ଠାକୁରାଣୀ ମା’ ଭଗବତୀଙ୍କ ମନ୍ଦିରକୁ ଯାତ୍ରା କରିଥାନ୍ତି। ପ୍ରଥମାର୍ଦ୍ଧ ପୂଜା ବା ଭିତର ପୁଜା ଶେଷ ହେବା ପରେ ଆଶ୍ଵିନ ଶୁକ୍ଲ ପ୍ରତିପଦା ଠାରୁ ସାତବଖରା ଗୃହରେ ଅନୁଷ୍ଠିତ ହେଉଥିବା ଉତରାର୍ଦ୍ଧ ପୂଜା ବା ବାହାର ପୂଜା ଆଶ୍ୱିନ ଶୁକ୍ଲ ଅଷ୍ଟମୀରେ ବା ମହାଷ୍ଟମୀ ଯାଏଁ ଚାଲିଥାଏ।

Categories
ଅପରାଧ ଆଜିର ଖବର

ବାଣପୁର: ଗୋରୁ ଚାଲାଣ ସନ୍ଦେହରେ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ, ପୋଲିସର ତଦନ୍ତ ଆରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ତୁମୁରାପୁଟ ଗ୍ରାମ ଛକରେ ଗୋରୁ ଚାଲାଣ ସନ୍ଦେହରେ ଏକ ଗାଡ଼ିକୁ ଅଟକ ରଖିଛନ୍ତି ଗ୍ରାମବାସୀ। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ବାଣପୁର ଆଡୁ ଶାଳିଆ ଡ୍ୟାମ ଦେଇ ଗଞ୍ଜାମ ଅଭିମୁଖେ ଏକ ଗୋରୁ ବୋଝେଇ ଟାଟା ଏସି ଗାଡ଼ି ଯାଉଥିବା ବେଳେ ତାକୁ ତୁମୁରାପୁଟ ଛକରେ ଗୋରୁ ଚାଲାଣ ସନ୍ଦେହରେ ଗ୍ରାମବାସି ଅଟକାଇଛନ୍ତି।

ଉକ୍ତ ଗାଡ଼ିରେ ୫ ଟି ଗୋରୁ ଥିବା ଜଣାପଡିଛି। ତେବେ ଗାଡ଼ି ଚାଳକଙ୍କ ନାମ ବିନୋଦ ପାଇକରାୟ ବୋଲି ଜଣାପଡିଛି। ସେ ନାଚୁଣୀ ଫାଣ୍ଡି ସୁନାଖେଳା ଅଞ୍ଚଳର। ତାଙ୍କ ସହଯୋଗୀ ମଧ୍ୟ ଗାଡିରେ ଥିବା ଜଣାପଡିଛି।

ଖବର ପାଇ ବର୍ତ୍ତମାନ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପରିସରରେ ତାଲୁକ ସ୍ତରୀୟ ଆଇନ ସେବା ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ତାଲୁକ ସ୍ତରୀୟ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବାଣପୁର କୋର୍ଟ ଜେଏମଏଫସି ସ୍ନାତକୀ ଦାସ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଥାନା ଏସଆଇ ଚନ୍ଦନ ଦାସ, ବରିଷ୍ଠ ଆଇନଜୀବୀ ଗୌରୀଶଙ୍କର ଷଡ଼ଙ୍ଗୀ, ଭବାନୀ ଶଙ୍କର ଶତପଥୀ, ଲିଗାଲ କମିଟି ଫ୍ରଣ୍ଟ ଅଫିସ ରିଟର୍ନର ଆଇନଜୀବୀ ସୁଧୀର ପ୍ରଧାନ, ବାଣପୁର ଓକିଲ ସଂଘ ସମ୍ପାଦକ ଜଗନ୍ନାଥ ଭୋଳ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଯୋଗଦେଇଥିଲେ।

ତେବେ ଉକ୍ତ ଶିବିର ଟି ଆମ ଦେଶର ଭବିଷ୍ୟତ ତଥା ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସାଧାରଣ ଓ ଗରିବ ବ୍ୟକ୍ତି କିପରି ଆଇନ ସେବାରୁ ବଞ୍ଚିତ ନହୁଏ ତାହାପ୍ରତି ନ୍ୟାୟପାଳିକା ସଦାସର୍ବଦା ଯତ୍ନବାନ ଅଛି ବୋଲି ବରିଷ୍ଠ ବିଚାରପତି ଶ୍ରୀ ମିଶ୍ର କହିଥିଲେ।

ସେହିପରି ଭାବେ ସାଇବର ସିକ୍ୟୁରିଟି ଓ ସୋସିଆଲ ମିଡ଼ିଆର ଅପବ୍ୟବହାରକୁ ରୋକିବା ଉପରେ ଉକ୍ତ ଶିବିରରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଛାତ୍ରୀ ତଥା ନାଗରିକ ମାନେ ନିଜର ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା, ଏଟିଏମ ପିନ, ଜନ୍ମ ତାରିଖ, ଓଟିପି ଆଦି କାହାକୁ ନଜଣାଇବ ନିମନ୍ତେ ଏସଡିପି ଶ୍ରୀ ବାରିକ ପରାମର୍ଶ ଦେଇଥିଲେ। ସମ୍ପ୍ରତି ସମୟରେ ସାଇବର ଅପରାଧ ବଢୁଥିବା ବେଳେ ଏଥିରେ ସୋସିଆଲ ମିଡ଼ିଆର ପ୍ରମୁଖ ଭୂମିକା ଅଛି ବୋଲି ଏସଡିପିଓ କହିଥିଲେ। ତେଣୁ ଆମେ ଯେତେ ସତର୍କ ଓ ସଚେତନ ହେବା ଅପରାଧ ସେତିକି କମିବ ବୋଲି ଏସଡିପିଓ କହିବା ସହ ନିଜର ବ୍ୟକ୍ତିଗତ ମୋବଇଲ ନମ୍ବର (୯୦୭-୮୯୩-୪୯୩୪) କୁ ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ।

ସେହିପରି ଭାବେ ସମୟ ଥାଉ ଥାଉ ଆମେ ସଜାଗ ହେବା ଜରୁରୀ ବୋଲି ବିଚାରପତି ଶ୍ରୀମତୀ ଦାସ କହିଥିଲେ। ଅନୁରୂପ ଭାବେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଉକ୍ତ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଉଚିତ ବୋଲ ବିଡ଼ିଓ ଶ୍ରୀମତୀ ବେହେରା ମତ ରଖିଥିଲେ।

ସାଇବର ସମ୍ବନ୍ଧୀୟ ମାମଲା ହେଲେ ତାହାକୁ ନଲୁଚାଇ ତୁରନ୍ତ ପୋଲିସ ସହଯୋଗ ନେବା ପାଇଁ ଓକିଲ ସଂଘ ସମ୍ପାଦକ ଶ୍ରୀ ଭୋଳ କହିଥିବା ବେଳେ କୌଣସି ସମସ୍ୟା ଉପୁଜିଲେ ତାଲୁକ ଆଇନ କମିଟିକୁ ଯୋଗାଯୋଗ କରିବା ପାଇଁ ଆଇନଜୀବୀ ଶ୍ରୀ ପ୍ରଧାନ କହିଥିଲେ।

Categories
DurgaPujaNews ଧର୍ମ ବିଶେଷ ଖବର ସଂସ୍କୃତି

ମା’ ଭଗବତୀ ମନ୍ଦିରରେ ବଳି ପ୍ରଥା ଓ ତାହାର କିମ୍ବଦନ୍ତୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦିବ୍ୟରଂଜନ ପରିଡା

ଲୋକକଥା ଓ କିମ୍ବଦନ୍ତୀର ସହର ଆମ ବାଣପୁର। ଯେଉଁ ଭୂଖଣ୍ଡ ଉପରେ ଆମେ ଛିଡା ହେଇଛେ, କେତେ ଇତିହାସର କଥାସବୁ ତା ଭିତରେ ଲୁପ୍ତଭାବେ ସାଇତା ରହିଛି, ଆମେ କଳ୍ପନା ବି କରିପାରିବାନି। ଭାଲେରୀ, ଘଣ୍ଟଶିଳା, ସୋଲରୀ, ମାମୁଁଭଣଜା, ବରକନ୍ୟା ଓ ଶୂଳିଆ ପାହାଡ ପରି ଅନେକ ପାହାଡର ପଥର ଦେହରେ ଲୁପ୍ତ ରହିଛି ଆମର ଇତିହାସ।

ସତ୍ୟ, ତ୍ରେତୟା, ଦ୍ବାପର ପରେ ଆମେ କଳିଯୁଗର ବସତି ସ୍ଥାପନ କରିଛେ। ଆମର ଗୋଟିଏ ଯୁଗ ପୂର୍ବ ଅର୍ଥାତ୍ ଦ୍ବାପର ଯୁଗର ପ୍ରବଳ ପ୍ରତାପୀ ଶିବଭକ୍ତ ବାଣାସୁରର ବଣଘେରା ରାଜ୍ୟ ବାଣପୁରରେ ଯେଉଁ ସୋଲରୀ ପାହାଡ ଅଛି, ଗବେଷଣାରୁ ଅନେକ ଆଚମ୍ବିତ କଲାପରି ତଥ୍ୟ ମିଳେ। ଅଦ୍ଭୁତଭାବରେ ସେଠାରେ ପାହାଡ ଉପରେ ପୋଖରୀ ଦେଖିବାକୁ ମିଳେ। ଆଉ ସେଠାରେ ଥିବା ରହସ୍ୟମୟୀ ଅଭେଦ୍ୟ ଗୁମ୍ଫାରୁ ବାଣାସୁର ସମ୍ପର୍କରେ ଆହୁରି ଠୋସ୍ ପ୍ରମାଣ ମିଳିବାର ଆଶଙ୍କା କରାଯାଉଛି। ଜଣେ ଶୈବ ହେଇଗଲେ ଆପେ ଶାକ୍ତ ହେବାକୁ ଇଚ୍ଛା ଜାଗ୍ରତ ହୁଏ। କାରଣ ଶକ୍ତି ବିନା ଶିବ ଯେ ଶବ! ତେଣୁ ଶିବପୂଜା ସଙ୍ଗେସଙ୍ଗେ ବାଣାସୁର ମାଆ ଭଗବତୀଙ୍କୁ ଆରାଧନା କରୁଥିବାର କିମ୍ବଦନ୍ତୀ ରହିଛି।

ଚତୁର୍ଦ୍ଦଶ ଶତାବ୍ଦୀର କଥା। ସେତେବେଳର ରାଜା ଜଗନ୍ନାଥ ହରିଚନ୍ଦନ ବାଣପୁରକୁ ଶାସନ କରୁଥାଆନ୍ତି। ସେତେବେଳେ ଆମର ଏ ଭଗବତୀଙ୍କ ମନ୍ଦିର କିମ୍ବା କଳାମୁଗୁନିପଥରର ପ୍ରତିମା ନଥିଲା। କାଳକ୍ରମେ ମନ୍ଦିର ଭାଙ୍ଗି ପ୍ରତିମାଟି ମାଟିରେ ପୋତି ହେଇ ରହିଥିଲା। ରାଜକାର୍ଯ୍ୟ ପାଇଁ ଦେବୀ ଆଶୀର୍ବାଦ ଅବଶ୍ୟମ୍ଭାବୀ। ତେଣୁ ଆଦିଶକ୍ତି ଭଗବତୀ ରାଜାଙ୍କୁ ସ୍ବପ୍ନାଦେଶ ଦେଇ ପୁନଶ୍ଚ ବାଣପୁରରେ ନିଜର ଲୀଳାଖେଳା କରିବାକୁ ମନ ବଳେଇଲେ। ଅବଶ୍ୟ ପରେ ଏକ ତପସ୍ବୀ ସାଧୁଙ୍କ ସଙ୍କେତ ପାଇବା କ୍ଷଣି ରାଜା ଭଗବତୀ ମୁର୍ତ୍ତିଟି ଉଦ୍ଧାରକରି ମନ୍ଦିର ତୋଳି ମାଆଙ୍କୁ ସ୍ଥାପନା କରାଇଲେ।

ଆଶ୍ବିନମାସରେ ମାଆଙ୍କର ଷୋଡଶ ଉପଚାର ପୂଜାରେ ନରବଳି ପକେଇବାର ଏକ ଅନ୍ଧଭାବନା ରାଜାଙ୍କ ମନରେ ଆସିବା କ୍ଷଣି ସେ ଏକ ଅତ୍ୟନ୍ତ ଗରିବ ପରିବାରର ସହମତି କ୍ରମେ କିଛି ଧନ ଓ ଜମି ପ୍ରଦାନ କରି ନରବଳିର ପ୍ରଥା ଆରମ୍ଭ କରିଥିଲେ। ପ୍ରତିବର୍ଷ ଭଗବତୀଙ୍କ ଶାରଦୀୟ ଉପଚାରରେ ଗୋଟିଏ ପୁରୁଷର ବଳି ପଡିବ ବୋଲି କଥା ହେଇଥିଲା। ସମୟକ୍ରମେ ଉକ୍ତ ପରିବାର ପୁରୁଷ ଶୂନ୍ୟ ହେବାକୁ ବସିଲା। ଶେଷକୁ ମାତ୍ର ପୁରୁଷ ଛୁଆଟେ ବାକି ଥିଲା। ସେ ବର୍ଷ ମଧ୍ୟ ଭଗବତୀଙ୍କ ଶାରଦୀୟ ପୂଜାରେ ନରବଳିର ଆବଶ୍ୟକତା ଥିଲା। ହେଲେ କୋଉ ଜନ୍ମକଲା ମାଆ ସହିବ ତା ପୁଅର ଗଣ୍ଡିରୁ ମୁଣ୍ଡକୁ ଅଲଗା କରାଯାଉ ବୋଲି! ତେଣୁ ପୂଜାର ଅବ୍ୟବହିତ ପୂର୍ବ ରାତିରେ ସେ ମାଆଟି ଛୁଆଟିକୁ ସାଙ୍ଗରେ ଧରି ବଣ ଜଙ୍ଗଲ ରାସ୍ତାରେ ଖଲ୍ଲିକୋଟ ରାଜ୍ୟକୁ ଯିବାକୁ ମନସ୍ଥ କଲା।

ରଣପୁରକୁ ଲାଗି ବାଣପୁର ଓ ବାଣପୁରକୁ ଲାଗି ଖଲ୍ଲିକୋଟ ରାଜ୍ୟ ରହିଥାଏ। ଏ ସବୁ ରାଜ୍ୟର ସୀମାନ୍ତକୁ ପାହାଡମାନେ ବିଚ୍ଛିନ୍ନ କରୁଥିଲେ ଯାହା। ଏପଟେ ସନ୍ତାନର ମନର କଥା ବୁଝୁଥିବା ଭଗବତୀ ବ୍ୟଥିତ ହେଲା। ନିଜ ପୀଠରେ ଏ ଅନ୍ଧବିଶ୍ବାସ ପାଇଁ ପ୍ରତିବର୍ଷ ଜଣକର ଜୀବନ ଯାଉଛି। ଆଉ ଆଜି କଅଁଳା ଛୁଆଟିର ଜୀବନ ବଞ୍ଚେଇବାକୁ ଗୋଟେ ମାଆ ଆଉ ଗୋଟେ ମାଆକୁ ଡାହାଣୀ ସମ୍ବୋଧନ କରି ଭତ୍ସନା କରୁଛି। ଆଉ ଧୈର୍ଯ୍ୟଧରି ମନ୍ଦିରରେ ରହିପାରିଲାନି ଭଗବତୀ। ଏକ ନବଯୌବନା ଯୁବତୀର ବେଶ ଧରି ଉକ୍ତ ମାଆପୁଅଙ୍କ ରାସ୍ତାରେ ଆସିଲା। ସେତେବେଳକୁ ସେମାନେ ଭାଲେରୀ ପାହାଡର ପାଦଦେଶରେ ଥିବା ଛତ୍ରଗଡ ଜଙ୍ଗଲରାସ୍ତାରେ ପହଞ୍ଚିସାରିଥାଆନ୍ତି। ଆଉ କିଛି ରାସ୍ତା ଅତିକ୍ରମ କଲା ପରେ ଆରମ୍ଭ ହେବ ଖଲ୍ଲିକୋଟ ରାଜ୍ୟର ସୀମା।

ଜନାକୀର୍ଣ୍ଣ କଣ୍ଟକିତ ରାସ୍ତାରେ ମାଆଟି ପୁଅକୁ କୋଳେଇ କାନ୍ଦିକାନ୍ଦି ଆଗକୁ ବଢୁଥାଏ। ଯୁବତୀଟିକୁ ସେ ରାସ୍ତାରେ ଦେଖି ମାଆଟି ଡରିସାରିଥିଲା। ହେଲେ ଅସାମାନ୍ୟା ସୌନ୍ଦର୍ଯ୍ୟର ଅଧିକାରିଣୀ ସେ ଯୁବତୀର ଦେହର ଆଭା ଆଉ ତା ମିଠା କଥାରେ ସେ ଦୀର୍ଘଶ୍ବାସଟେ ମାରି ସବୁ କଥା ତା’ ଆଗରେ କହିଲା। ଯୁବତୀଟି ସେ ଛୁଆଟିର ମୁଣ୍ଡକୁ ଆଉଁସି ଅଭୟ ଦେଲାପରି ମନେମନେ ହସୁଥାଏ। ଏଥର ଆଉ ସମ୍ଭାଳି ରହିପାରିଲାନି ଯୁବତୀରୂପି ଭଗବତୀ। ଏତେବାଟର ଚାଲିବା ଫଳରେ ମୁଣ୍ଡବିନ୍ଧା ଯୋଗୁଁ ମୁଣ୍ଡଟି ଟିକିଏ ଚିପିଦେବାକୁ ସେ ମାଆକୁ ଅନୁରୋଧ କଲା। ହେଲେ ଇଏ କ’ଣ ! ମୁଣ୍ଡଟି ଚିପିବା ସମୟରେ ସେ ମାଆଟି ଯାହା ଦେଖିଲା, ତା’ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା।

ଯୁବତୀଟିର ମୁଣ୍ଡରେ ଏକାଧିକ ଆଖି! ଛିଟିକିପଡି ନିଜ ଛୁଆକୁ ଜାବୁଡି ଧରିଲା ମାଆଟି। ଅଳ୍ପହସି ମାଆ ସ୍ବୟଂ ସେଠାରେ ପ୍ରକଟ ହେଲା। ଆଉ ସେ ଛୁଆଟିକୁ ଅଭୟ ଦେଇ ସେ ବାଣପୁରରେ ପ୍ରସିଦ୍ଧ ହେଇ ଭଗବତୀର ମହିମା ବିସରଣ କରିବ ବୋଲି ବର ପ୍ରଦାନ କରି ସେଠାରୁ ଉଭେଇଗଲା।

ସେହିଦିନଠାରୁ ବାଣପୁରରେ ନରବଳିପରି କୁତ୍ସିତ ପ୍ରଥାର ବିଲୋପ ହେଲା। ଆଉ ବଳିପ୍ରଥାରୁ ମୁକ୍ତି ପାଇଥିବା ପିଲାଟିର ନାଆଁ ହେଲା ‘ବଳିଜିଣା’। ପ୍ରତିବର୍ଷ ଶାରଦୀୟ ଉତ୍ସବର ଷୋଡଶ ଉପଚାରରେ ବଳି ବେକରେ ଭଗବତୀର ଆଜ୍ଞାମାଳଟେ ପଡିବା କ୍ଷଣି ସେ ମୂର୍ଚ୍ଛାଯାଏ। ଆଉ ସେହି ସମୟରେ ମାଆ ତା’ ସନ୍ତାନର ଗର୍ବ ଅହଙ୍କାର ପରି ଖରାପ ସ୍ବଭାବସବୁର ବଳି ଗ୍ରହଣ କରେ। ପରେ ସେ ସତେଜ ହେଇ ଆଗପରି ସ୍ବାଭାବିକ ହୁଏ।

ଆଜି ମଧ୍ୟ ଦଶହରାରେ ସେହି ବଳି ଜେନାର ପୁରଷ ଦାୟାଦମାନେ ସେହି ନୀତିକୁ ମାନି ଭଗବତୀ ନିକଟରେ ନିଜକୁ ସମର୍ପଣ କରୁଛନ୍ତି। ଆଉ ସେହି ସମୟରେ ତାଙ୍କ ପରିବାର ମୃତ ବ୍ୟକ୍ତିର ଶୋକ କରିବା ସହ ପତ୍ନୀ ବିଧବା ବେଶରେ ରୁହନ୍ତି।

ବି.ଦ୍ର – କୌଣସି ନୀରିହ ଜୀବନ୍ତ ପ୍ରାଣୀର ବଳି କେବେବି ଜଣେ ଶକ୍ତିସ୍ବରୂପା ମାଆ ଚାହେଁନି। ଆମମାନଙ୍କର ଅଜ୍ଞାନତା କାରଣରୁ ପରମ୍ପରା ଆଳରେ ଆମେ ଏମିତି କରୁ। ଯଦି ବଳି ଦେବାର ଅଛି, ତେବେ ନିଜ ଭିତରର ଥିବା ଆତ୍ମବଡିମା, ଗର୍ବ, ଅହଙ୍କାର, ପରଶ୍ରୀକାତରତା ପରି ଖରାପ ଗୁଣସମୂହର ଦିଅ।

ଦିବ୍ୟରଂଜନ ପରିଡା, ଓଡଗାଁ, ବାଣପୁର, ଖୋର୍ଦ୍ଧା

ଯୋଗାଯୋଗ ନଂ- ୯୯୩୮୬୮୪୭୦୬

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ଶାରଦୀୟ ପର୍ବ ଅନୁକୂଳ: ଗୁଆ ଚାଉଳ ଦେଇ ବ୍ରାହ୍ମଣବରଣ କଲେ ରାଜା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପର୍ବ ଆରମ୍ଭ ପାଇଁ ସମସ୍ଥ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଶନିବାର କନ୍ୟା ସଂକ୍ରାନ୍ତି ଦିନ ଦେବୀ ଶୟନରୁ ଉଠିବେ। ଏହି ଦିନକୁ ମୁଳାଷ୍ଟମୀ କୁହାଯାଏ। ପ୍ରଚଳିତ ପ୍ରାଚୀନ ପରମ୍ପରା ଅନୁସାରେ ସପ୍ତମୀ ଦିନ ବଙ୍କାଡଗଡର ରାଜପରିବାର ଅଧୁନା କୃଷ୍ଣପ୍ରସାଦଗଡ଼ର ରାଜା ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ ମା’ଭଗବତୀଙ୍କ ମନ୍ଦିର ପୁରୋହିତ ଓ ସେବାୟତଙ୍କୁ ବାଲୁଗାଁଠାରେ ଥିବା ନିଜ ଉଆସରେ ବ୍ରାହ୍ମଣବରଣି କରି ଶକ୍ତି ପୂଜାର ବିଧି ବିଧାନ ସଂପର୍ଣ୍ଣ କରିବାକୁ ଗୁଆ ଚାଉଳ ପଇତା ମନ୍ତୁରାଇ ପୁରୋହିତଙ୍କୁ ପ୍ରଦାନ କରିବା ସହିତ ମା’ଭଗବତୀଙ୍କ ପର୍ବ ପ୍ରସାଧନ ନିମନ୍ତେ ନୂତନ ପାଟବସ୍ତ୍ର ସହିତ ଚୁଡି ,ଚନ୍ଦନ, ଅଗୁରୁ, ଅତର , ପୁଷ୍ପମାଲ୍ୟ ସହିତ ନୈବେଦ୍ୟ ଅର୍ପଣ କରିଥିଲେ। ମା’ଙ୍କ ଶାରଦୀୟ ଷୋଳ ପର୍ବ ଶୃଙ୍ଖଳିତ ଭାବରେ ପାଳିତ ହେବା ପାଇଁ ରାଜା ସାହେବ ପ୍ରାର୍ଥନା କରିବା ସହିତ ରାଜ୍ୟର ଜନ ସାଧାରଣଙ୍କ ମଙ୍ଗଳ ନିମନ୍ତେ ମା’ଙ୍କ ଆଶୀର୍ବାଦ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ଦିର ପୁରୋହିତ ଶାରଦା ପ୍ରସାଦ ସାମନ୍ତରାୟ, ମା’ଙ୍କ ଆଜ୍ଞାବିଜେ ସେବକ ଭାସ୍କର ନାୟକ, ପାଳିଆ ମାଳି ସେବକ ସୁଧାକର ଭୋପା, ସୁରେନ୍ଦ୍ର ନାୟକ, କାଠି ନାହାକ ପ୍ରତିନିଧି ଗଣେଶ ନାୟକ, ଲିଟନ ଭୋପା, ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଓ ବିଧାୟକ ପ୍ରତିନିଧି ବିକ୍ରମ କେଶରୀ ଜେନା ଉପସ୍ଥିତ ରହି ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ ସହିତ ଆଜ୍ଞାମାଳ କରି ଏହାକୁ ଶୁଭାରମ୍ଭ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଶିକ୍ଷାବିତ୍ ରବୀନ୍ଦ୍ର ନରେନ୍ଦ୍ର ସିଂହ ବର୍ମାଙ୍କ ୨୭ତମ ଶ୍ରାଦ୍ଧୋତ୍ସବ ପାଳିତ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ ଭାଷାତତ୍ତ୍ଵ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର୍ ରବୀନ୍ଦ୍ରନାଥ ନରେନ୍ଦ୍ର ସିଂହ ବର୍ମାଙ୍କର ୨୭ତମ ଶ୍ରାଦ୍ଧ ଉତ୍ସବ ବାଣପୁରର ନେହେରୁ ସେବା ସଂଘର କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସେବା ସଂଘର ସଂପାଦିକା ସରୋଜିନୀଦାଶଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ ମୁଖ୍ୟଅତିଥି, ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣବଳ ସମ୍ମାନୀତ ଅତିଥି, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ମୁଖ୍ୟବକ୍ତା, ସେବା ସଂଘର କୋଷାଧ୍ୟକ୍ଷ ଓମ୍ ପ୍ରକାଶ ଅଗ୍ରୱାଲ ଏବଂ ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ରଥ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ସ୍ଵର୍ଗତ ବର୍ମାଙ୍କ ବହୁମୁଖୀ ପ୍ରତିଭାର ପରିଚୟ ପ୍ରଦାନ କରି ତାଙ୍କସ୍କୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍କୃତି କମିଟିର ସଂପାଦକ ମାୟାଧର ବେହେରା ପରିଚୟ ପ୍ରଦାନ କରିଥିଲା ବେଳେ ପୁତ୍ର ଅଧ୍ୟାପକ ରୁଦ୍ର ପ୍ରସାଦ ନରେନ୍ଦ୍ରସିଂ ବର୍ମା ଧନ୍ୟବାଦାର୍ପଣ କରିଥିଲେ। ଆଶ୍ରମର ପ୍ରଶିକ୍ଷକ ବିରେନ୍ଦ୍ର କୁମାର ତ୍ରିପାଠୀ ଓ ପ୍ରଦୀ ପକୁମାର ଦାସ ଏହାକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି କୃତ୍ତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପହୃତ ନାବାଳିକାଙ୍କୁ ବାଣପୁରରୁ ଉଦ୍ଧାର କଲା କମିସନେରେଟ ପୋଲିସ, ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଅଟକ ରଖିଛି କମିଶନେରେଟ ପୋଲିସ। ସୂଚନା ମୁତାବକ ନିକଟରେ ଜଟଣୀ ଥାନା ଅଞ୍ଚଳର ଜଣେ ନାବାଳିକା ଅପହୃତ ହୋଇଥିବାର ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାରବର୍ଗ।

ଏହି ପରିପ୍ରେକ୍ଷୀରେ ଜଟଣୀ ଥାନାରେ କେସ ନମ୍ବର ୩୨୮/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ପୋଲିସ। ତେବେ ଆଜି କୌଣସି ବିଶେଷସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖିଥିବାର ଜଟଣୀ ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂହ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୋ କଲେଜ ଅଭିଯାନ: ବାଣପୁରରେ ଛାତ୍ରୀମାନଙ୍କ ଦ୍ଵାରା ସାଇକେଲ ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜାଦି କି ଅମୃତ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଏନଏସଏସ, ଏନସିସି,  ରୋଭର୍ସ ଏବଂ ରେଞ୍ଜରର୍ସ ଓ ରେଡକ୍ରସ ୟୁନିଟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସାଇକେଲ ରାଲି ଏବଂ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ସାଇକେଲ ରାଲିଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ମା’ ଭଗବତୀ ମନ୍ଦିର ଦେଇ ସହର ଅତିକ୍ରମ କରି ପଲଟନ ପଡିଆଠାରେ ସମାପ୍ତ ହୋଇଥିଲା।

ସେହିପରି ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପାର୍ଥସାରଥୀ ସାମନ୍ତରାୟ ଙ୍କ ରଚନା ନିର୍ଦେଶନାରେ ‘ ମୁଁ ପାଇକ କହୁଛି’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ନାଟକରେ ଛାତ୍ରୀମାନେ ଭାଗ ନେଇଥିବା ବେଳେ ଖୁବ ଚିତ୍ତାକର୍ଶକ ଢଙ୍ଗରେ ଏହାକୁ ପରିବେଷଣ କରିଥିଲେ। ୧୮୧୭ ମସିହା ବାଣପୁର ପାଇକ ବିଦ୍ରୋହ ଉପରେ ନିର୍ମିତ ହୋଇଥିବା ଉକ୍ତ ନାଟକକୁ ଛାତ୍ରୀମାନେ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଥିଲେ।

ସ୍ୱାଧୀନତା ସଂଗ୍ରାମରେ ବାଣପୁରର ବିଶିଷ୍ଟ ଅବଦାନ ଥିବା ଉକ୍ତ ନାଟକରେ ଦର୍ଶାଯାଇଥିଲା।  ଉକ୍ତ ପଥପ୍ରାନ୍ତ ନାଟକଟି ଗୋଦାବରୀଶ ମହାବିଦ୍ୟାଳୟ କ୍ୟାମ୍ପସ, କୁମାରାଙ୍ଗ ଛକ, ମା’ ଭଗବତୀ ମନ୍ଦିର ସମ୍ମୁଖ, ବାଣପୁର ଥାନା ଏବଂ ପଲଟନ ପଡିଆରେ ଅନୁଷ୍ଠିତ ହୋଇଥିଲା।  ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ବାଣପୁରର ଚର୍ଚ୍ଚିତ ଯୁବ ହାସ୍ୟାଭିନେତା ଜପୁନ୍: ଯାତ୍ରା ଜୁଏଲ୍ ସ୍ବର୍ଣ୍ଣ ମନ୍ଦିରରେ ଦେଖାଉଛନ୍ତି ଜଲବା

ଭୁବନେଶ୍ବର: ଓଡ଼ିଶା ଜନଜୀବନରେ ଯାତ୍ରା ଏକ ସ୍ବତନ୍ତ୍ର ପରିଚୟ ରଖିଛି। ଯାତ୍ରାରେ ପ୍ରଦର୍ଶିତ ହେଉଥିବା କାହାଣୀଗୁଡ଼ିକ ଜନ ଜୀବନର କାହାଣୀ ଦ୍ବାରା ପ୍ରଭାବିତ ହୋଇଥାଏ। ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା। ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଗଭୀର ରେଖାପାତ କରିଥାଏ। ଫିଲ୍ମ, ଟେଲିଭିଜନ୍‌ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା। ଜଣେ ଯାତ୍ରା କଳାକାର ସିଧାସଳଖ ଦର୍ଶକଙ୍କ ସ୍ବୀକୃତ ପାଇଥାଏ। ଏଥିରେ ରିଟେକ୍‌ର ସୁବିଧା ନଥାଏ। ସିଧାସଳଖ ନିଜ ଅଭିନୟର ପ୍ରତିଭା ପ୍ରଦର୍ଶନ କରିବା ହେଉଛି ଯାତ୍ରାର ଅନ୍ୟତମ ଆକର୍ଷଣ। ଥ୍ରୀଡି ଫିଲ୍ମ ଆସିବା ପରେ ମଧ୍ୟ ଯାତ୍ରା ପଛରେ ପଡ଼ିନାହିଁ, ଏବେବି ଯାତ୍ରା ଦର୍ଶକଙ୍କ ମହଲରେ ବେଶ୍‌ ଆଦୃତ। ଯାତ୍ରା କଳାକାରଙ୍କ ନିଆରା ପ୍ରଦର୍ଶନ ହିଁ ଯାତ୍ରାକୁ ସମୃଦ୍ଧ କରିଥାଏ। ଜଲିଉଡ୍‌ର ନୂଆକରି ପାଦ ଥାପିଥିବା ଜପୁନଙ୍କ ସମ୍ପର୍କରେ ଭୀମା ନନ୍ଦଙ୍କ ରିପୋର୍ଟ..

ମଞ୍ଚ ଉପରେ ହଜାର ହଜାର ଦର୍ଶକଙ୍କ ସାମ୍ନାରେ ସେମାନଙ୍କ ମନରେ ଖୁସିର ଲହରି ଖେଳେଇଦେବା ଛୋଟିଆ କଥା ନୁହେଁ। କିନ୍ତୁ ଖୁବ ଅଳ୍ପ ଦିନ ମଧ୍ୟରେ ଯାତ୍ରା ଜଗତରେ ପାଦ ଥାପି ଦର୍ଶକଙ୍କ ମନରେ ଖୁସି ଭରି ଦେଉଛନ୍ତି ଯୁବ ହାସ୍ୟାଭିନେତା ବିପ୍ଳବ ବେହେରା ଓରଫ୍ କୁମାର ଜପୁନ୍।

ପ୍ରକୃତରେ ସତ କଥା ହେଲା ହସାଇବାର ମଜା ସବୁଠାରୁ ନିଆରା ବୋଲି କୁହନ୍ତି ଜପୁନ୍। ଯାହା ହେଉ ମା’ ଶୁଳିଆ ଦେବୀ ଓ ମା’ଭଗବତୀଙ୍କ ଆଶୀର୍ବାଦରୁ ଆଜି ଜଣେ ଯୁବ ହାସ୍ୟାଭିନେତା ଭାବରେ ମୁଁ ଖୁସି ଆଣିପାରୁଛି, ତାହା ସବୁଠାରୁ ବଡ଼ କଥା ବୋଲି ସେ ସମସ୍ତଙ୍କୁ କୁହନ୍ତି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମରେ ଜନ୍ମିତ ତଥା ପିତା ଦିଲ୍ଲୀପ୍ କୁମାର ବେହେରା ଓ ମାତା ପିନାକ୍ଷୀ ଦେବୀଙ୍କ ସାନ ପୁଅ ଅଟନ୍ତି ଜପୁନ୍। ପିଲାଟିବେଳୁ କଳା ପ୍ରତି ଦୁର୍ବଳତା ଥିଲା। ଗାଁ ଡ୍ରାମାରେ ଅଭିନୟ କରୁ କରୁ ଯାତ୍ରା ଜଗତକୁ ଯିବାପାଇଁ ଇଚ୍ଛାପ୍ରକାଶ କଲେ। ପ୍ରଥମେ ଗାଁ ଡ୍ରାମାରେ ଅଭିନୟ କରିବାପାଇଁ ପ୍ରଶାନ୍ତ ପ୍ରଧାନ (ବାଟି ଦାଦା) ସୁଯୋଗ ଦେଇଥିଲେ ଓ ଭୀମା ନନ୍ଦ ଏହାକୁ ଦୃଢ଼ ଭାବରେ ସମର୍ଥନ କରିଥିଲେ। ସେ ସୁଯୋଗକୁ ମଧ୍ୟ ସଦୁପ ବ୍ୟବହାର କରିଥିଲେ ଜୁପୁନ୍।

ଗାଁ ଡ୍ରାମାରେ ଅଭିନୟ କରିଥିବା କେତେଗୁଡ଼ିଏ ନାଟକ ମଧ୍ୟରୁ”ବନ୍ଧା ପଡ଼ିଗଲା ପଣତ କାନି”, “କାଲିର ବନ୍ଧନ କଳା ଚନ୍ଦନ”, “କି ରଙ୍ଗେ ନାଚୁଚି କନକ ଗୋରୀ”, “କିଣିନେଲା ମନ କଳା ନାଗର”, “ମିଛୁଆ ରାଧୁଆ ଗପ ସରିଲା”, “ଭାଇ ଭଉଣୀ ର ନୂଆ କାହାଣୀ”, “କିଏ ପୋଛିଦବ ଆଖିର ଲୁହ” ଓ “ମୁଁ ଇଶ୍ଵର ବେହେରା ଝିଅ” ପ୍ରଭୃତି ନାଟକ ରେ ଦମ୍ ଦାର୍ ଅଭିନୟ କରି ଗ୍ରାମାଞ୍ଚଳରେ ପ୍ରଶଂସା ସାଉଁଟିଥିବା ଜପୁନ୍ ଏବେ ନୂଆକରି ଗଢ଼ିଉଠିଥିବା ଆଗଧାଡିର ଯାତ୍ରାନୁଷ୍ଠାନ ମୁକ୍ତିକାନ୍ତ ସାମଲ୍ ଙ୍କ ଯାତ୍ରା ଜୁଏଲ୍ ସ୍ବର୍ଣ୍ଣ ମନ୍ଦିରରେ ହାସ୍ୟାଭିନେତା ଭାବରେ ଅଭିନୟ ଜାରି ରଖିଛନ୍ତି।

ପାର୍ଟି ପ୍ରଯୋଜିତ ନାଟକ ଡଃ ଦୀପକ୍ ଜେନା ଙ୍କ ରଚିତ ଓ ବିକ୍ରମ ନାୟକ (ନନ୍ଦୁ ସାର୍) ଙ୍କ ନିର୍ଦ୍ଦେଶିତ “ଆଖିଏ ଲୁହ କୁ ଛାତିଏ କୋହ”ନାଟକରେ ଢେଙ୍କାନାଳ ଚରିତ୍ର, ଇଂ ଆଶୁତୋଷ ମହାପାତ୍ର ଙ୍କ ରଚିତ ଓ ନିର୍ଦ୍ଦେଶିତ “ତୁ ହସୁଥିବୁ ମୁଁ କାନ୍ଦୁଥିବି”ନାଟକରେ ବାଃ ଚରିତ୍ର ଓ ଅନୁଷ୍ଠାନ ର ଅନୁସନ୍ଧାନ ନାଟକ ବିବାଦୀୟ ଅଭିନେତ୍ରୀ ରାଣୀପଣ୍ଡାଙ୍କ ସତ୍ୟ କାହାଣୀ ଉପରେ ଆଧାରିତ ଡଃ ଦୀପକ୍ ଜେନାଙ୍କ ରଚିତ ଓ ଲିଟିଲ୍ ମାଷ୍ଟର ବିନୋଦ ରାଉତ୍ ଙ୍କ ନିର୍ଦ୍ଦେଶିତ “ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାଣିପଣ୍ଡା” ନାଟକରେ କନେଷ୍ଟବଳ କଲମ କାଣ୍ଡି ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକ ମାନଙ୍କ ପାଖରୁ ପ୍ରଶଂସା ସାଉଁଟିଛନ୍ତି ଜୁପୁନ୍।

ବାପା ମାଆଙ୍କ ଭଲପାଇବା ଓ ଆଶୀର୍ବାଦ, ଗୁରୁ ବିଜୟ ସ୍ବାଇଁଙ୍କ ପ୍ରେରଣା, ଗାଁ ଡ୍ରାମାରେ ଅଭିନୟ କରୁଥିବା ସମସ୍ତ କଳାକାର ଭାଇ ମାନଙ୍କ ଆଶିର୍ବାଦ, କାର୍ତ୍ତିକ ବାବୁଙ୍କ ସହଯୋଗ ଓ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ସମର୍ଥନ ଯୋଗୁଁ ସେ ଆଜି ଏତେ ବାଟ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି। ମା’ ଶୁଳିଆ ଦେବୀ ଓ ମା’ ଭଗବତୀଙ୍କ ଆଶୀର୍ବାଦରୁ ଭବିଷ୍ୟତରେ ନିଜକୁ ଜଣେ ଆଗଧାଡିର ହାସ୍ୟାଭିନେତା ଭାବରେ ପରିଚିତ କରାଇବାକୁ ଆଶାରଖିଛନ୍ତି। ନିଜ ବାପା ମାଆଙ୍କୁ ଜୀବନ ଠୁ ଅଧିକ ଭଲପାଉଥିବା ଜପୁନ୍ କହିଛନ୍ତି ମୋ ବାପା ମାଆଙ୍କ ଆଶୀର୍ବାଦ ମୋ ଉପରେ ଅଛି ମାନେ ମୁଁ ନିଶ୍ଚୟ ଆଗକୁ ଯିବି।

Categories
ଆଜିର ଖବର ରାଜ୍ୟ ଖବର

କାମ ସାରି ବାଣପୁର ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କଲେ ବ୍ୟାଙ୍କ ମ୍ୟାନେଜର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ ହରିପୁର ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଅଜଣା ଗାଡି ଧକ୍କା ଯୋଗୁଁ ଜଣେ ବ୍ୟାଙ୍କ ପରିଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ବ୍ୟାଙ୍କ ପରିଚାଳକ ଜଣଙ୍କ ବାଣପୁରର ପ୍ରଫୁଲ୍ଲ ବାରିକ (୫୫) ବୋଲି ଜଣାପଡିଛି। ସେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର କୁହୁଡି ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ।

ଗତ କାଲି ସଂଧ୍ୟ୍ୟାରେ କୁହୁଡିରୁ ବ୍ୟାଙ୍କ କାମ ସାରି ପ୍ରଫୁଲ୍ଲ ନିଜ ସ୍କୁଟି ଯୋଗେ ବାଣପୁର ଫେରୁଥିଲେ। ସ୍କୁଟିରେ ବାଣପୁର ଫେରୁଥିବା ବେଳେ ହରିପୁର ଛକରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା। କ୍ରମେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଟାଙ୍ଗୀରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ମୃତ ଦେହ ଟାଙ୍ଗୀ ମେଡିକାଲକୁ ପରିବାର ଲୋକେ ଫେରାଇ ଆଣିଥିଲେ। ବର୍ତ୍ତମାନ ଟାଙ୍ଗୀ ମେଡିକାଲରେ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇବା ବ୍ୟବସ୍ଥା କରୁଥିବା ଜଣା ପଡିଛି। ତେବେ ବାଣପୁରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଥିବାରୁ ଶବକୁ ଖୋର୍ଦ୍ଧା ନପଠାଇ ବାଣପୁର ମେଡିକାଲ ପଠେଇବା ପାଇଁ ପରିବାର ପକ୍ଷରୁ ଟାଙ୍ଗୀ ପୋଲିସକୁ ଅନୁରୋଧ କରାଯାଉଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି ସ୍ବାସ୍ଥ୍ୟ

ଚିଲିକା: ଏଥର ନିୟମ ନମାନିଲେ ଡିଜେ ବଜାଳିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ, ଏସଡିପିଓ ଦେଲେ ସଂକେତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ, ପର୍ବପର୍ବାଣି, ରାଲି, ବିବାହ, ବ୍ରତଘରେ ଆଦି ଡ଼ିଜେ ଜୋରସୋରରେ ବାଜୁଥିବା ବେଳେ ନା ରହୁଛି କଟକଣା, ନା ରହୁଛି ସମୟ ଅବଧି। କିଏ ସକାଳୁ ଡ଼ିଜେ ବଜାଉଛି ତ ଆଉ କିଏ ମଧ୍ୟରାତ୍ରି ଯାଏଁ ଡିଜେ ବଜାଉଛି। ତେବେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି ଛୋଟ ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦୀରୋଗୀ। ଏକ ନିର୍ଦ୍ଦିଷ୍ଟ ଡେସିମିଲ ପରିଧି ମଧ୍ୟରେ ଡ଼ିଜେ ବାଜିବା କଥା। ଅନୁରୂପ ଭାବେ ଡ଼ିଜେ ବଜାଇବା ନିମନ୍ତେ ଅନୁମତି ପତ୍ର ମଧ୍ୟ ଉପଜିଲ୍ଲାପାଳଙ୍କ ଠାରୁ ଆଣିବା କଥା। କିନ୍ତୁ ବାଣପୁର-ବାଲୁଗାଁ ଅଞ୍ଚଳରେ ଏହାର ବ୍ୟତିକ୍ରମ ଘଟୁଛି। ସବୁ କଟକଣାକୁ ଜନସାଧାରଣ ମାନେ ଫୁ କରି ଉଡାଇଦେଉଛନ୍ତି।

ବାଣପୁର ଏକ ପୁରୁଣା ସହର ହୋଇଥିବା ବେଳେ ଏହାର ରାସ୍ତା ଗୁଡ଼ିକ ଅତି ସଂକୀର୍ଣ୍ଣ ଏବଂ ଘର ଗୁଡ଼ିକ ମଧ୍ୟ ବହୁ ପୁରାତନ। ଏହି ପରିସ୍ଥିତିରେ ଯଦି ଉକ୍ତ ରାସ୍ତା ଦେଇ ଜୋର ଶବ୍ଦରେ ଡ଼ିଜେ ବାଜୁଛି ତେବେ ଘରର ଅବସ୍ଥା କଣ ହେବ ତାହା ସହଜରେ ଅନୁମେୟ। ଅନୁରୂପ ଭାବେ ଚଳିତ ବର୍ଷ ଗଣେଶ ପୂଜା ଭଷାଣିରେ ଡ଼ିଜେ ବାଜିବାକୁ ନେଇ ଉକ୍ତ ଅଂଚଳରେ ଛୋଟ ମୋଟ ଗଣ୍ଡଗୋଳ ମଧ୍ୟ ଉପୁଜିଥିବାର ଦେଖାଯାଇଛି।

ତେବେ ଏଥିରେ ଅତିଷ୍ଠ ହୋଇ ଗତକାଲି ବାଣପୁର ଅଞ୍ଚଳର ଜଣେ ଯୁବକ ଖୋର୍ଦ୍ଧା ଏସପିଙ୍କୁ ଟ୍ୱିଟ କରିଥିବାର ମଧ୍ୟ ଦେଖାଯାଇଛି। ପୋଲିସ ପ୍ରଶାସନ ଏବଂ ଉଭୟ ତହସିଲଦାର ଏ ଦିଗରେ ଉଚିତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି। ତେବେ ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ପଚାରିବାରୁ ପୋଲିସ ଉଭୟ ଅଞ୍ଚଳରେ ଯଥାସମ୍ଭବ ପାଟ୍ରୋଲିଂ ଜାରି ରଖିଛି ଏବଂ ଯଦି ଏପରି ସମସ୍ୟାର କେହି ସମ୍ମୁଖୀନ ହେଉଛନ୍ତି, ତେବେ ସେ ବ୍ୟକ୍ତି ତୁରନ୍ତ ଏସଡିପିଓ ଙ୍କ ବ୍ୟକ୍ତିଗତ ନମ୍ବର (୯୦୭-୮୯୩-୪୯୩୪) କୁ କଲ କିମ୍ବା ହ୍ଵାଟ୍ସଆପରେ ମେସେଜ କରିବାକୁ ଅନୁରୋଧ କରିଛନ୍ତି। ଏବଂ ଅମାନିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର ଓ ଚିଲିକା ବ୍ଲକର ମନରେଗା ଏବଂ ସ୍ୱଚ୍ଛ ଭାରତ ମିଶନ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସମ୍ମିଳନୀ କକ୍ଷରେ ବାଣପୁର ଓ ଚିଲିକା ବ୍ଲକର ମନରେଗା ଏବଂ ସ୍ୱଚ୍ଛ ଭାରତ ମିଶନ ଯୋଜନା ଅନ୍ତର୍ଗତ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକଟି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ବାଣପୁର ଓ ଚିଲିକା ବ୍ଲକର ମନରେଗା ଓ ସ୍ୱଚ୍ଛ ଭାରତ ମିଶନ ପ୍ରକଳ୍ପର ଅଗ୍ରଗତି ବିଷୟରେ ଶ୍ରୀ ରାଉତରାୟ ସମୀକ୍ଷା କରିଥିଲେ। ଅନୁରୂପ ଭାବେ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ଅନ୍ତର୍ଗତ ଉଭୟ ବ୍ଲକରେ ୫ ଲକ୍ଷ ୭୫ ହଜାର ଗୋଟି ଶ୍ରମ ଦିବସ ସୃଷ୍ଟି ଲକ୍ଷ ହାସଲ କରିବା ସହ ଡିସେମ୍ବର ମାସ ଶେଷ ସୁଦ୍ଧା ଉଭୟ ବ୍ଲକର ସମସ୍ତ ଗ୍ରାମଗୁଡିକୁ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଓଡ଼ିଏଫ ପ୍ଲସ ଗ୍ରାମ ଘୋଷଣା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ରାଉତରାୟ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ ଉଭୟ ବ୍ଲକର ବିଡ଼ିଓ, ଏଇଇ, ଜେଇ, ଏପିଓ, ଜିଆରଏସ, ପିଇଓ, ବିଆରସି ଏବଂ ଜିଲ୍ଲାସ୍ତରରୁ ଏମସି ଓ ସ୍ୱଚ୍ଛ ଭାରତ ମିଶନ ପରାମର୍ଶଦାତା ଉପସ୍ଥିତି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୈରାତ ଉତ୍ସ ନିଲାମ ଇସ୍ତାହାର ପ୍ରତ୍ୟାହାର ଦାବି: ବାଣପୁର ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ। ସୈରାତ ଉତ୍ସ ନିଲାମ ଇସ୍ତାହାର ପ୍ରତ୍ୟାହାର ଦାବିରେ କଲେ ଘେରାଉ।

ସୂଚନା ମୁତାବକ ଅଗଷ୍ଟ ତାରିଖ ୧୬ ତାରିଖରେ ବାଣପୁର ତହସିଲ ଅଧିନସ୍ଥ ନରେନ୍ଦ୍ରପୁର ମୌଜାର ଖାତା ନମ୍ବର ୩୩୯ ର ପ୍ଲଟ ୨୦୧ ଓ ୧୩୧, କୋଳଥଡିହ ମୌଜାର ଖାତା ନମ୍ବର ୧୫୧ ର ପ୍ଲଟ ୪୨୧, ଶୂଳିଆପଲ୍ଲି ମୌଜାର ଖାତା ନମ୍ବର ୧୬୫ ର ପ୍ଲଟ ୪୨୫ ଏବଂ ତୋରସିଂହ ମୌଜାର ଖାତା ନମ୍ବର ୨୩୨ ର ପ୍ଲଟ ୬୪୯/୭୫୨ ର ସମୁଦାୟ ୧୭୦ ଏକର ଅନାବାଦୀ ସ୍ଥାନରେ ଅବସ୍ଥିତ ଥିବା ମୁଗୁନି ଓ ଢ଼ୀମା ପଥରଯୁକ୍ତ ପର୍ବତ ଗୁଡିକୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ଲିଜ ସୂତ୍ରରେ ନିଲାମ ଦେବା ନେଇ ଏକ ଇସ୍ତାହାର ପ୍ରକାଶ କରାଯାଇଥିଲା। ଏଥି ନିମନ୍ତେ ଆବେଦନକାରି ମାନେ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୨ ତାରିଖ ଅପରାହ୍ନ ୫.୩୦ ଘଟିକା ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟର ଟେଣ୍ଡର ବାକ୍ସରେ ଦରଖାସ୍ତ ପକାଇପାରିବେ। ତେବେ ଏହାକୁ ଘୋର ବିରୋଧ କରିଛନ୍ତି ସମ୍ପୃକ୍ତ ମୌଜାର ଗ୍ରାମବାସୀମାନେ।

ଆଜି ମଧ୍ୟାହ୍ନରେ ବାଣପୁର ତହସିଲ ଅନ୍ତର୍ଗତ କୋଳଥଡିହ, ତୋରସିଂହ, ନରେନ୍ଦ୍ରପୁର, ଓଡଗାଁ ଏବଂ ଆଙ୍କୁଲାପଦର ଗ୍ରାମର ଶତାଧିକ ଜନସାଧାରଣ ‘ଜଙ୍ଗଲ ସୁରକ୍ଷା ମଞ୍ଚ’ ର ଆହ୍ଵାନକ୍ରମେ ଏକାଠି ହୋଇ ଏକ ବିରାଟ ପଦଯାତ୍ରାରେ ବାଣପୁର ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ଏହି ପଦଯାତ୍ରାରେ ଉପରିସ୍ଥ ପାଞ୍ଚ ଗୋଟି ଗ୍ରାମର ଶତାଧିକ ନାଗରିକମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ରାସ୍ତାରେ ଯାଉଥିବାର ଦେଖାଯାଇଥିଲା। ଏବଂ ପରିଶେଷରେ ଉକ୍ତ ନିଲାମ ଇସ୍ତାହାରକୁ ପ୍ରତ୍ୟାହାର ଦାବିରେ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କୁ ପୃଥକ ଭାବେ ପାଞ୍ଚ ଗୋଟି ଦାବିପତ୍ର ପ୍ରଦାନ କରିଥିଲେ।

ସେମାନଙ୍କ ଦାବି ଥିଲା ଯେ, ଉକ୍ତ ସବୁ ପର୍ବତ ଅଞ୍ଚଳରେ ଜଙ୍ଗଲ ବିଭାଗ ଓ ସିଡ଼ିଏ ପକ୍ଷରୁ ବନିକରଣ ଯୋଜନା ହାତକୁ ନିଯାଇଥିବାବେଳେ ଗ୍ରାମବାସୀ ମଧ୍ୟ ନିଜ ପ୍ରଚେଷ୍ଟାରେ ଜଙ୍ଗଲ ସୃଷ୍ଟି କରୁଛନ୍ତି। ସେହିପରି ଭାବେ କେତେକ ପର୍ବତ ପାଦଦେଶରେ ଜନବସତି ରହୁଥିବା ବେଳେ ନିଲାମ ପରବର୍ତ୍ତୀ ସମୟରେ ଡିନାମାଇଟ ବ୍ଲାଷ୍ଟ ଦୃଶ୍ୟ ଅତି ଭୟଙ୍କର ରୂପ ନେଇପାରେ। ଯାହାଫଳରେ ଧନଜୀବନ ହାନିର ଆଶଙ୍କା ରହୁଛି।

ସେହିପରି ଭାବେ ପର୍ବତ ପାଦଦେଶରେ ଏକାଧିକ ଜଳାଶୟ ଅଛି ଯାହାକି ନିଲାମ ଦେଲେ ନଷ୍ଟ ହୋଇଯିବ। ଗୃହପାଳିତ ପଶୁ ମାନେ ମଧ୍ୟ ପର୍ବତ ପାଦଦେଶରେ ବସବାସ କରୁଛନ୍ତି ଏବଂ କୃଷକ ବିଲ ଚାଷ କରୁଛନ୍ତି। ସେହିପରିଭାବେ ବର୍ଷା ବାତ୍ୟା ଆସିଲେ ପର୍ବତ ଗୁଡିକ ଢାଲ ପରି ଗ୍ରାମବାସୀଙ୍କୁ ସୁରକ୍ଷା ଦେଇଆସୁଛି, ଯାହାକି ନିଲାମ ଦେଲେ ଗ୍ରାମବାସୀ ଅସୁରକ୍ଷିତ ହୋଇଯିବେ। ପର୍ବତର ୫୦ ମିଟର ପରିଧି ମଧ୍ୟରେ ବହୁ ପ୍ରାଥମିକ ବିଦ୍ୟାଳୟ, ମିଶନ ଶକ୍ତି ଗୃହ, ଅଙ୍ଗନବାଡି କେନ୍ଦ୍ର ଆଦି ଅଛି ଯାହାକି ନିଲାମ ହେଲା ପରେ ନଷ୍ଟ ହୋଇଯିବ।

ଅନୁରୂପ ଭାବେ ପର୍ବତ ପାଦଦେଶରେ ଗ୍ରାମର ଶିଶୁମାନେ ଖେଳକୁଦ କରିବା ସହ ଯୁବକ ମାନେ ସେନାବାହିନୀରେ ଭର୍ତ୍ତି ହେବା ପାଇଁ କସରତ କରିଥାନ୍ତି। ଏହିପରି ନାନା ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ନିଲାମ ଇସ୍ତାହାର ପ୍ରତ୍ୟାହାରକୁ ନେଇ ଗ୍ରାମବାସୀ ମାନେ ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ଦେବାସହ ତାହାର ନକଲ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ, ବିଡ଼ିଓ, ବ୍ଲକ ଅଧ୍ୟକ୍ଷ ଆଦିଙ୍କୁ ପଠାଇଛନ୍ତି।

ତେବେ ଏ ନେଇ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ ସେ ଯଥାଶୀଘ୍ର ଉକ୍ତ ଦାବିପତ୍ରଗୁଡିକୁ ସରକାରଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଯୌତୁକ ଜନିତ ବଧୂ ହତ୍ୟା ହୋଇଥିବାର ଅଭିଯୋଗ ହେଉଛି। ଅଭିଯୋଗ କରିଛନ୍ତି ପେଣ୍ଡୁରାପଲ୍ଲୀ ଗ୍ରାମର ବଧୂଙ୍କ ପିତା ଅନୁ ବେହେରା।

ଅଭିଯୋଗ ମୁତାବକ ଅନୁଙ୍କ ଝିଅ ଶ୍ରଦ୍ଧାଞ୍ଜଳି ବେହେରା (୨୨) ତିନି ବର୍ଷ ତଳେ ଭେଟେଶ୍ୱର ଗ୍ରାମର ଶେଷଦେବ ପଲେଇଙ୍କ ପୁତ୍ର ଦୀପକ ପଲେଇ (୨୯) ଙ୍କ ସହ କୋର୍ଟ ମ୍ୟାରେଜ କରିଥିଲେ। ତେବେ ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର, ଯାଆ ଆଦି ତାଙ୍କୁ ବାରମ୍ବାର ଯୌତୁକ ନିର୍ଯ୍ୟାତନା ଦେବାରୁ ଗତକାଲି ଶ୍ରଦ୍ଧାଞ୍ଜଳି ବିଷ ପିଇ ଦେଇଥିଲେ।

ତାଙ୍କୁ ବାଣପୁର ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରିଥିଲେ। ତେବେ ସେଠାରେ ଶ୍ରଦ୍ଧାଞ୍ଜଳି ମୃତ୍ୟୁବରଣ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଆଇପିସି ଦଫା ୪୯୮ (କ), ୩୦୪(ଖ), ୩୦୬, ୩୪, ୪ ଡ଼ିପି ଆକ୍ଟ ରେ କେସ ନମ୍ବର ୩୫୫/୨୨ ରେ ମାମଲା ରୁଜୁ କରି ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମି ଦୀପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମିଳିଲା ଆଉ ଏକ ମୃତଦେହ: ତିନି ଦିନ ମଧ୍ୟରେ ଦ୍ଵିତୀୟ ଘଟଣା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଗ୍ରାମ ଶାଳିଆ ନଦୀ ବାଉଁଶବୁଦା ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଆଜି ସଂନ୍ଧ୍ୟାରେ ଦେଖିବାକୁ ମିଳିଛି।  ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ କେହି ମାରିକି ବୁଦାରେ ଫୋପାଡ଼ିଦେଇଥିବା ସନ୍ଦେହ କରାଯାଉଛି।

ଖବର ପାଇ ବାଣପୁର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।  ସୂଚନା ଥାଉକି ଗତ ତିନି ଦିନ ତଳେ ସତସଙ୍ଗ ବିହାର କେନାଲ ରୋଡରେ ଅନୁରୂପ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ବେଳେ ଏଯାବତ ତାଙ୍କ ପରିଚୟ ମିଳିପାରିନାହିଁ। ତାଙ୍କୁ କେହି ମାରିଦେଇଥିବାର ଚର୍ଚ୍ଚା ହେଉଛି। ତେବେ କ୍ରମାଗତ ଭାବେ ଏପରି ମୃତ୍ୟୁ ଘଟଣା ଦେଖି ବାଣପୁରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସତସଙ୍ଗ ବିହାର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳୁ ଜଣେ ଯୁବକଙ୍କର ମୃତଦେହ ଗୋଟିଏ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି। ଯୁବକଙ୍କ ବୟସ ଆନୁମାନିକ ୪୦ ଭିତରେ ହେବ। ତାଙ୍କ ଶରୀରରେ ବସ୍ତ୍ର ନଥିବା ବେଳେ ଏକ ସବୁଜ ରଙ୍ଗର ଅନ୍ତଃ ବସ୍ତ୍ର ପିନ୍ଧିଛନ୍ତି। ଗୋଟେ ଗାମୁଛାକୁ ବେକରେ ଲଗାଇ ଯୁବକ ଜଣକ ଗଛରେ ଝୁଲିଛନ୍ତି। ବର୍ତ୍ତମାନ ଉକ୍ତ ସ୍ଥାନରେ ଜନସାଧାରଣ ରୁଣ୍ଡ ହୋଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ସେଠାରେ ପହଂଚିନାହିଁ।

ତେବେ ଯୁବକଜଣଙ୍କ କିଏ ଆଉ ସେ କାହିଁକି ଆତ୍ମହତ୍ୟା କଲେ ପୋଲିସର ଅନୁସନ୍ଧାନ ପରେ ସ୍ପଷ୍ଟ ହେବ।

Categories
ଆଜିର ଖବର ରାଜ୍ୟ ଖବର

ସାବଧାନ!: ବାଣପୁରରେ ମାତିଛନ୍ତି ଡିଜିଟାଲ ଲୁଟେରା, ମହିଳାଙ୍କ ଏଟିଏମ ବଦଳ କରି ଲୁଟିନେଲେ ଟଙ୍କା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଡିଜିଟାଲ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଟଙ୍କା ଲୁଟ କରିବାର ଲୁଟେରା ମାନେ ନୂଆ ତରିକା ଆପଣଉଛନ୍ତି। ସହରର ବିଭିନ୍ନ ଏଟିଏମ କାଉଣ୍ଟର ପାଖେ ସଜାଗ ରହୁଛନ୍ତି ଉକ୍ତ ଲୁଟେରା ଏବଂ ଅନଭିଜ୍ଞ ଗ୍ରାହକଙ୍କୁ ଦେଖି ଲୁଟୁଛନ୍ତି ଟଙ୍କା। ଏପରି ଘଟଣା ବାଣପୁରରେ ନିତିଦିନ ଘଟୁଥୁବା ବେଳେ ଖୁବ କମ ଏତଲା ଥାନାକୁ ଆସୁଛି।

ତେବେ ଗତକାଲି ବାଣପୁର ଥାନାରେ ଏପରି ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ବାଣପୁର ଥାନା ବାଁଳେଇ ଗ୍ରାମର ପୁଷ୍ପାଞ୍ଜଳି ଭୋଳ ଗତକାଲି ମଧ୍ୟାହ୍ନରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏସବିଆଇ ଏଟିଏମକୁ ଟଙ୍କା ଉଠାଣ ପାଇଁ ନିଜ ଛୋଟ ଶିଶୁକୁ ଧରି ଯାଇଥିଲେ। ତେବେ ପୁର୍ବରୁ ସେଠାରେ ଲୁଟେରା ମାନେ ସକ୍ରିୟ ଥିଲେ। କେହି ଜଣେ ଦୁର୍ବୁତ୍ତ ପୁଷ୍ପାଞ୍ଜଳିଙ୍କୁ ଭଉଣୀ ସମ୍ବୋଧନ କରି ଏଟିଏମରୁ ପଇସା ଉଠାଇଦେବେ ବୋଲି କହିଥିଲେ।

ତେବେ ପୁଷ୍ପାଞ୍ଜଳିଙ୍କ ଠାରୁ ଏଟିଏମ କାର୍ଡ ନେଇ ଦୁର୍ବୁତ୍ତ ଜଣକ ମେସିନ ମଧ୍ୟରେ ଭର୍ତ୍ତି କରିଥିଲେ ଏବଂ ପୁଷ୍ପାଞ୍ଜଳି ପିନ ନମ୍ବର ଟାଇପ କରିଥିଲେ। ସେହି ସମୟରେ ଦୁର୍ବୁତ୍ତ ଜଣକ ପିନ ଜାଣିଦେଇଥିଲେ ଏବଂ ପୁଷ୍ପାଞ୍ଜଳି ସାମାନ୍ୟ ଅନ୍ୟମନସ୍କ ହେବା ସମୟରେ ଦୁର୍ବୁତ୍ତ ଜଣକ ସଙ୍ଗେସଙ୍ଗେ ତାଙ୍କ ଏଟିଏମ କାର୍ଡକୁ ବଦଳି କରି ମଞ୍ଜୁ ପ୍ରଧାନ ନାମକ ଜଣେ ମହିଳାଙ୍କ ଏଟିଏମ କାର୍ଡ ଧରାଇଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ପୁଷ୍ପାଞ୍ଜଳିଙ୍କ ଏଟିଏମ କାର୍ଡରେ ଥିବା ସମସ୍ତ ୯ ହଜାର ୮୦୦ ଟଙ୍କା କାଢିନେଇଥିଲେ।

ଏହା ଜାଣିଲା ପରେ ପୁଷ୍ପାଞ୍ଜଳି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।  ଘଟଣାର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବାଣପୁରରେ ଏପରି ଘଟଣା ବଢ଼ିବାରେ ଲାଗିଛି। ବାଲୁଗାଁ ଏସଡିପିଓ ଏ ଦିଗରେ ଜନସାଧାରଣଙ୍କ ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ପ୍ରତ୍ୟେକ ଏଟିଏମ ସେଣ୍ଟର ଗୁଡ଼ିକ ପାଖରେ ବୁଲୁଥିବା ଅଭ୍ୟାସଗତ ଅପରାଧି ତଥା ଡିଜିଟାଲ ଲୁଟେରାଙ୍କୁ ଠାବ କରି ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି।