ବାଣପୁରରେ ବନ୍ଧୁକ ମୂନରେ ଲୁଟ: କାରିଗରଙ୍କ ଠାରୁ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଓ ନଗଦ ଲୁଟିନେଲେ ଦୁର୍ବୃର୍ତ୍ତ

Published: Feb 29, 2024, 8:42 am IST

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁରରେ ପୁଣି ଏକ ଲୁଟ ହୋଇଛି। ଘରେ ପଶି ପିସ୍ତଲ ଦେଖାଇ ଲୁଟେରାମାନେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା।

ସୂଚନା ମୁତାବକ ବାଣପୁର ବଜାରର ସୁନା ଅଳଙ୍କାର କାରିଗର ଦିଲ୍ଲୀପ କୁମାର ପାଲ (୬୪) ଗତକାଲି ରାତି ୧୦.୨୦ ରେ ପାଣି ସାହି ନିକଟସ୍ଥ ସୁନା ଦୋକାନ ବନ୍ଦ କରି ଏକ ବ୍ୟାଗରେ ମରାମତି ନିମନ୍ତେ ଗ୍ରାହକମାନଙ୍କଠାରୁ ଆଣିଥିବା ପାଖାପାଖି ୧୦୦ ଗ୍ରାମ ସୁନା ଏବଂ ନଗଦ ୬୦ ହଜାର ଟଙ୍କା ନେଇ ନଈ ସାହିସ୍ଥିତ ଘରକୁ ଫେରିଥିଲେ।

ତେବେ ଦିଲ୍ଲୀପ ଘରକୁ ପ୍ରବେଶ କରିବା ମାତ୍ରେ ହଠାତ ଘରେ ଭିତରେ ପୁର୍ବରୁ ଛପିଥିବା ଦୁଇ ଜଣ ମୁଖା ପିନ୍ଧାବା ଦୁର୍ବୁତ୍ତ ଦିଲ୍ଲୀପଙ୍କୁ ପିସ୍ତଲ ଓ ଖଣ୍ଡା ଦ୍ୱାରା ଭୟଭୀତ କରାଇ ଉକ୍ତ ବ୍ୟାଗ ଏବଂ ଦିଲ୍ଲୀପଙ୍କ ପତ୍ନୀଙ୍କ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଉଭୟଙ୍କୁ ଘର ଭିତରେ ବନ୍ଧକ ରଖି ବାରିପଟୁ ପ୍ରାଚୀର ଡେଇଁ ଫେରାର ହୋଇଯାଇଥିଲେ ଲୁଟେରା। ଏନେଇ ଆଜି ଦିଲ୍ଲୀପ ଗଣମାଧ୍ୟମକୁ ବୟାନ ଦେଇଥିବା ବେଳେ ଥାନାରେ ଆଜି ଏତଲା ଦେବେ ବୋଲି କହିଛନ୍ତି।

ତେବେ ଉକ୍ତ ଖବର ପ୍ରଚାର ହେବା ମାତ୍ରେ ବାଣପୁରରେ ଚାଞ୍ଚଲ୍ୟ ଖେଳିଯାଇଛି। ବାଣପୁର ବଜାରରେ ଏପରି ଘଟଣାକୁ କେହି ବିଶ୍ୱାସ କରିପାରୁନାହାନ୍ତି। ଯଥାଶୀଘ୍ର ଲୁଟେରାଙ୍କୁ ଗିରଫ ଦାବି ଜୋର ଧରିଛି। ତେବେ ବାରମ୍ବାର ବାଣପୁର ଅଞ୍ଚଳରେ ଚୋରି ଓ ଲୁଟ ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି।

ବିଗତ ଏକ ମାସ ମଧ୍ୟରେ ବାରମ୍ବାର ଏପରି ଘଟଣା ବାଣପୁରରେ ବଢ଼ିଚାଲିଛି। ଦୁର୍ବୁତ୍ତମାନଙ୍କୁ ଦୃଢହସ୍ତରେ ପୋଲିସ ପ୍ରଶାସନ ଦମନ କରୁ ବୋଲି ସାଧାରଣରେ ଦାବି ହେଉଛି।

Related posts