Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରବର୍ତ୍ତନ ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଏହାର ନୂତନ ସ୍ବେଛାସେବୀମାନଙ୍କ ପାଇଁ ଏକ ପ୍ରବର୍ତ୍ତନ କାର୍ଯକ୍ରମ ଆୟୋଜନ କରିଛି।ଚଳିତ ବର୍ଷ ଡିଗ୍ରୀ ସ୍ତରରେ ଅଧ୍ୟାପିକା ଲକ୍ଷ୍ମୀ ପ୍ରିୟା ପଲେଇ ଓ ଉଚ୍ଚମାଧ୍ୟମିକ ସ୍ତରରେ ଅଧ୍ୟାପକ ଜୟନ୍ତ କୁମାର ବିହାରୀ କ୍ରାର୍ଯ୍ୟକ୍ରମ୍ ଅଧିକାରୀ ଭାବରେ ଦାୟିତ୍ଵ ବହନ କରିବାପରେ ଏହାର ପୁନର୍ବିନ୍ୟାସ କରିବା ପାଇଁ ଉଦ୍ୟମ କରିଛନ୍ତି।

ଆଜି ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ସଭାପତିତ୍ବ କରି ଚରିତ୍ର ଗଠନ ଓ ରାଷ୍ଟ୍ର ନିର୍ମାଣ ଉଭୟ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଯୋଜନା ମାଧ୍ୟମରେ ସେବା କରିବା ପାଇଁ ଉପଦେଶ ଦେଇଥିଲେ।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ ଶୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା,ସହ ଅଧିକାରୀ ଡ ସୁଜାତା ମିଶ୍ର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ସେବା ମାଧ୍ୟମରେ ସମାଜ ଗଠନ ଓ ବିକାଶ ନିମନ୍ତେ ଉପଦେଶ ଦେଇଥିଲେ।

ଉଭୟ ପ୍ରୋଗ୍ରାମ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ଏହି କାର୍ଯ୍ୟକ୍ରମର ଦିତୀୟ ଭାଗରେ ସ୍ୱେଚ୍ଛସେଵୀ ମାନଙ୍କୁ power point ମାଧ୍ୟମରେ ଯୋଜନାର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ସୁଯୋଗ ପାଇଲେ ଏଗୁଡ଼ିକୁ ପାଳନ କରିବାପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା।

ପରିଶେଷରେ ଯୋଜନା ଅଧିକାରୀ ଶ୍ରୀ ଜୟନ୍ତ କୁମାର ବିହାରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ବିଶିଷ୍ଟ ସମାଜସେବୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ବାଣପୁର: ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବାଣପୁର ସତସଙ୍ଗ ବିହାରର ପୂର୍ବତନ ସଭାପତି ତଥା ଯୁବ ସାମ୍ବାଦିକ ଓ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ବଡ ଦାଦା ସ୍ବର୍ଗତ ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ଦ୍ଵାଦଶାହ ଅବସରରେ ଗୁରୁବାର ଦିନ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାକୁ ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କ ହାଇସ୍କୁଲ ସହପାଠୀମାନେ ଆୟୋଜନ କରିଥିଲେ। ତନ୍ମଧ୍ୟରୁ ଅବସରପ୍ରାପ୍ତ ଚାଷଙ୍ଗରା ହାଇସ୍କୁଲ ପ୍ରଧାନଶିକ୍ଷକ କବିରାଜ ପ୍ରଧାନ ଉକ୍ତ ସଭାରେ ସଭାପତିତ୍ୱ କରିଥିବା ବେଳେ, ପ୍ରଦୀପ କୁମାର ପାତ୍ର, ବିଶିଷ୍ଟ ବ୍ୟବସାୟୀ ଗୌତମ ସୁବୁଦ୍ଧି, ବିଶିଷ୍ଟ ସମାଜସେବୀ ନନ୍ଦକିଶୋର ମିଶ୍ର, ବିଶିଷ୍ଟ ସମାଜସେବୀ ବୀରଭଦ୍ର କାଣ୍ଡି, ଅବସରପ୍ରାପ୍ତ ଭିଜିଲାନ୍ସ ଏସପି ପ୍ରଦୀପ ଜାଲି, ଅଶୋକ ମହାନ୍ତି ଆଦି ସଭାକୁ ପରିଚାଳନା କରିଥିଲେ।

ଏହି ଅବସରରେ ସମସ୍ତ ସହପାଠୀ ମାନେ ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଉକ୍ତ ସଭାରେ ବାଣପୁର, ବାଲୁଗାଁ ତଥା ଚିଲିକା ଅଞ୍ଚଳର ବହୁ ସାମ୍ବାଦିକ, ଓକିଲ, ରାଜନେତା,ଆରଏସଏସ କର୍ମକର୍ତ୍ତା, ଏବିଭିପି କର୍ମକର୍ତ୍ତା,ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ,ସମାଜସେବୀ, ବ୍ୟବସାୟୀ,ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ଏବଂ ସ୍ଥାନୀୟ ଜନସାଧାରଣ ମାନେ ଯୋଗଦେଇ ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକାରେ ପାଣି ତୋଳା ଯାତ୍ରା ସାରି ବାହୁଡ଼ିଲେ ମା’ ଭଗବତୀ, ଦୁର୍ଗା ଅଷ୍ଟମୀରୁ ମା’ଙ୍କ ଶୟନ ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଭାରତ ସହିତ ଅନ୍ୟାନ୍ୟ ଦେଶରେ ଥିବା ୧୦୮ ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ଶକ୍ତି ପୀଠ ପ୍ରାଚୀନ ପରମ୍ପରା ବହନ କରୁଥିବା ଏକ ପ୍ରଖ୍ୟାତ ପୀଠ। ଏହି ପୀଠର ମହାତ୍ମ୍ୟ, ପର୍ବପର୍ବାଣୀ, ଜାନିଯାତ୍ରା, ନୀତିକାନ୍ତି ଅନ୍ୟାନ୍ୟ ପୀଠମାନଙ୍କ ଠାରୁ ସଂପୂର୍ଣ୍ଣ ନିଆରା।

ସବୁ ଜାନିଯାତ୍ରା, ପର୍ବ ପର୍ବାଣୀର ଦେବୀଙ୍କର ମାନବୀୟ ଲୀଳାର ପରିପ୍ରକାଶ ଦେଖିବାକୁ ମିଳେ। ଯେମିତିକା ଭାଦ୍ରବ ଶୁକ୍ଳ ସପ୍ତମୀରେ ମା’ଙ୍କ ପାଣି ତୋଳା ଯାତ୍ରା ସହିତ ଚିଲିକାରେ ନୌବିହାର ଏବଂ ଭଉଣୀ କାଳିଜା ଙ୍କୁ ଚଳିତ ଶାରଦୀୟ ପର୍ବକୁ ଆମନ୍ତ୍ରଣ ତାର ନିଛକ ବିଶ୍ୱାସ।

ମା’ଙ୍କ ଚାରିଦିଗରେ ଚାରିଭଉଣୀ ଯଥା ପୂର୍ବରେ କାଳିଜାଇ, ପଶ୍ଚିମରେ ବିରିଜାଇ, ଦକ୍ଷିଣରେ ନାରାୟଣୀ ଓ ଉତ୍ତରରେ ଶିଦ୍ଦେଶ୍ଵରୀ ରହି ମା’ଙ୍କ ପୀଠର ସୁରକ୍ଷା କାରିଣୀ ଭାବରେ ପୂଜା ପାଇ ଆସୁଥିବାରୁ ମା’ଭଗବତୀ ଶାରଦୀୟ ପର୍ବକୁ ସମସ୍ତଙ୍କୁ ନିମନ୍ତ୍ରଣ କରି ଆଜ୍ଞାମାଳ ଆଣିବାର ବିଶ୍ଵାଶନୀୟ ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ବର୍ଷର ବିଭିନ୍ନ ମାସରେ ବିଭିନ୍ନ ଦିଗକୁ ଯାତ୍ରା କରି ଭଉଣୀମାନଙ୍କ ସହିତ ଆଧାତ୍ମିକ ସଂପର୍କ ସ୍ଥାପନ ସହିତ ସେମାନଙ୍କ ସହିତ ପର୍ବପର୍ବାଣୀ ଜାନିଯାତ୍ରାରେ ଏକାଠି ହେବା ଏକ ମାନବୀୟ ଲୀଳାର ଏକ ଅନନ୍ୟ ପରମ୍ପରା। ଲଳିତା ସପ୍ତମୀର ଗୋଧୂଳୀ ଲଗ୍ନରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ ନିଜର ସମସ୍ଥ ସେବାୟତଙ୍କ ସହିତ ଘଣ୍ଟ ଛତା କାହାଳୀ ଢ଼ୋଲ ବାଦନରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବାହାରି ବିରାଟ ଥାଟପଟୁଆର ବାଜା ରୋଷଣୀରେ ଜଗନ୍ନାଥପୁର, ବିଷର ପାଟଣା, ଅନ୍ତର କିଆରୀ, ଅଲାଇଡ଼ିହ, ଗୋପୀନାଥପୁର, ବାଲୁଗାଁ ପାଟଣା ସାହି, ଗୁଣ୍ଡୁରୁପୁର, ସାମନ୍ତରାପୁର ଦେଇ ଚିଲିକା କୂଳରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ସୁସଜ୍ଜିତ ନୌକାରେ ମଶାଲତି, ଘଣ୍ଟୁଆ, କାହାଳିଆ, ପାଳିଆ ମାଳି ଓ ପୂଜକ ସାଆନ୍ତ ସହିତ ନିଯୋଗୀ ସେବାୟତଙ୍କୁ ନେଇ ରାତ୍ରିର ଘନ ଅନ୍ଧକାର ଭିତରେ ଚିଲିକାରେ ନୌବିହାର କରିଥିଲେ।

ତେଣେ ଚିଲିକାର ଆରାଧ୍ୟା ମା’ କାଳିଜାଇଙ୍କ ପୀଠରେ ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ମାନସିଂ ହରିଶ୍ଚନ୍ଦ୍ର ଓ ସେବାୟତମାନେ ମା’ଙ୍କୁ ଆଳତି ବନ୍ଦାପନା କରି ମା’ଙ୍କ ଆଜ୍ଞାମାଳକୁ ଗୋଟିଏ ସୁସଜ୍ଜିତ ଆଟିକାରେ ରଖି ଦୀପ ଲଗାଇ ଚିଲିକା ଜଳରେ ଭସାଇ ଦେଇଥିଲେ। ଚିଲିକା ଢେଉରେ ଆଜ୍ଞାମାଳ ସହ ଆଟିକାଟି ଭାସିଭାସି ଆସୁଥିବାବେଳେ ମା’ଭଗବତୀଙ୍କ ନୌକାର ମଙ୍ଗରେ ପୂଜକ ସାଆନ୍ତ ମଙ୍ଗଳ କଳଶ ଦୀପ ଧୂପ ନୈବେଦ୍ୟ ସ୍ଥାପନ କରି ମା’ କାଳିଜାଇଙ୍କୁ ଆରତି ବନ୍ଦାପନା ସହିତମା’ଙ୍କ ଜୟଧ୍ଵନୀ କରି ଘନ ଅନ୍ଧକାର ଭିତରେ ଚିଲିକା ପାଣିରୁ ବିଶ୍ୱାସର ସହିତ ଆଜ୍ଞାମାଳ ତୋଳି ଧରି କଳା ଶାଢ଼ିରେ ବାନ୍ଧି କୂଳକୁ ଫେରିଥିଲେ।

ଆଜ୍ଞାମାଳକୁ ପାଣିରୁ ତୋଳି ଧରିବା ବା ଉଠାଇ ଆଣିବାର ପରମ୍ପରାକୁ “ପାଣି ତୋଳା”ଯାତ୍ରା ବୋଲି ବିଶ୍ୱାସ କରାଯାଏ। ତତ୍ ପରେ ଦୁଇ ଭଉଣୀ ବାଟରେ ସାମନ୍ତରାପୁରର ବିଭୂତି ସାମନ୍ତରା ଓ ଗ୍ରାମବାସୀଙ୍କ ତରଫରୁ ପ୍ରସ୍ତୁତ ଖେଚଡ଼ି, ମାଛ ପୋଡ଼ା, କାକରା, ଅଟକାଳି ଭୋଗଲାଗି ହୋଇ ବାଟରେ ଦଧିବାମନ ମନ୍ଦିର, ଗୁଣ୍ଡରୁପୁର, ପାଟଣା ସାହି ମଠ, ଏବଂ ଶେଷରେ ଅନ୍ତର କିଆରୀ ଗ୍ରାମବାସୀଙ୍କ ଦ୍ଵାରା ପ୍ରସ୍ତୁତ ଚିତା କର୍ଷକ ସମୁହ ପନ୍ତିଭୋଗ ସେବନ କରିବାପରେ ବାଟରେ ଜଗନ୍ନାଥପୁରର ଶ୍ରଦ୍ଧାଳୁ ଓ ବାପଘର ପରିଚ୍ଛାଙ୍କ ଘରମାନଙ୍କରେ ଭୋଗ ସେବନ ସହିତ ମନ୍ଦିରକୁ ବାହୁଡା ବିଜେ କରି ଶୟନ ଅଷ୍ଟମୀରେ ଶୟନ ବିଧିପାଇଁ ମା’ଙ୍କ ଖଟ ଶେଜ ପଲଙ୍କ ସଜ କରାଯାଇଥିଲା।

ପରେ ପୂଜକ ସାଆନ୍ତ ଓ ପାଳିଆ ମାଳି, କାଠି ନାହାକ କାଠି ଠାକୁରାଣିଙ୍କ ଠାରୁ ପାଟ୍ଟଶାଢି ସଂପୂର୍ଣ୍ଣ ଓ ଲାଗି କରି ଶୟନ ବିଧି କରି ମନ୍ଦିର ପ୍ରତିମା କନକ ଦୁର୍ଗାଙ୍କୁ ପଲଙ୍କ ଉପରେ ଶୟନ କରାଇଥିଲେ। ଜଗତ ଜନନୀ ମା’ଭଗବତୀ ସର୍ବଶେଷରେ ଶୟନ କରିଥିବାରୁ ଏହି ସମୟରେ ମନ୍ଦିରରେ ଧୂପ ଆଳତିରେ ଘଣ୍ଟକାହାଳି ବାଜା ବାଜିବା ସଂପୂର୍ଣ୍ଣମନା।

ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରୁ ସହଶ୍ର କୁମ୍ଭବରଣ କରାଯାଇ ଦେବୀଙ୍କୁ ଶୟନରୁ ଉତଥାନ ପରେ ପର୍ବ ଆରମ୍ଭ ହେବାର ପରମ୍ପରା ଏହି ଶକ୍ତି ପୀଠର ମହାନ ପର୍ବ ଭାବରେ ପରିଚିତ।

ମା’ଙ୍କ ଏହି ଯାତ୍ରାକୁ ଶୁଙ୍ଖଳିତ କରିବାପାଇଁ ସ୍ଥାନୀୟ ବାଣପୁର ବାଲୁଗାଁ ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ବାଣପୁର ଓ ବାଲୁଗାଁ ଥାନାଧିକାରୀ, ଦୁଇ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତ୍ତା, ସମସ୍ତ ଗ୍ରାମବାସୀ ବୃନ୍ଦ ଏବଂ ଦେବୋତ୍ତର କାର୍ଯ୍ୟାଳୟର ସମସ୍ଥ କନିକର୍ଭା ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରୁ ୪୨୦ ଲିଟର ଦେଶୀମଦ ଓ ୪.୮ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବାଣପୁର (ସୀତାରାମ ଅଗ୍ରୱାଲ): ବୁଧବାର ପୂର୍ବାହ୍ନରେ ଅବକାରୀ କମିଶନର ନରସିଂହ ଭୋଳ ଓ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଜଙ୍ଗଲ ଅଞ୍ଚଳରୁ ୬୨୦୦ ଲିଟର ମହୁଲ ପୋଚ ନଷ୍ଟ କରାଯିବାସହ ୪୨୦ ଲିଟର ଦେଶୀମଦ ଜବତ କରାଯାଇଛି। ଅନୁରୂପ ଭାବେ ଅଲାଇଡ଼ିହ ଛକ ନିକଟରୁ ୪.୮ କେଜି ଗଞ୍ଜେଇ ଜବତ କରିବାସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ।

ଅଭିଯୁକ୍ତ ଦ୍ବୟ ହେଲେ ବାସୁଦେବ ପ୍ରଧାନ ଓ ଶୁଭେନ୍ଦୁ ଜେନା। ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୩୦/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା କହିଛନ୍ତି।

ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ୟୁନିଟ ଅଧିକାରୀ ଥ୍ରାପା ମାରାଣ୍ଡି, ଖୋର୍ଦ୍ଧା ରେଞ୍ଜ ଅବକାରୀ ଅଧିକାରିଣୀ ତପସ୍ୱିନୀ ବରାଳ, ଏପିଆର ଫୋର୍ସ, ବାଣପୁର ପୋଲିସ ଏବଂ ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ଓ ଟିମ ସାମିଲ ଥିଲେ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ବିଶ୍ଵ ଭ୍ରାତୃତ୍ଵ ଦିବସ ପାଳିତ

ବାଣପୁର (ସୀତାରାମ ଅଗ୍ରୱାଲ): ଯୁଗ ପୁରୁଷ ସ୍ବାମୀ ବିବେକାନନ୍ଦ ୧୮୯୩ ମସିହା ସେପ୍ଟେମ୍ବର ମାସ ୧୧ ତାରିଖ ଦିନ ଆମେରିକାର ଚିକାଗୋ ଠାରେ ବିଶ୍ବ ଧର୍ମ ସମ୍ମିଳନୀରେ ଦେଇଥିବା ବକ୍ତବ୍ୟ ସେଦିନ ସ୍ୱାମୀଜୀଙ୍କୁ ବିଶ୍ବରେ ଏକ ସ୍ୱତନ୍ତ୍ର ପରିଚିତି ଆଣିଦେଇ ଥିଲା।ସେହି ପବିତ୍ର ଦିବସକୁ ସ୍ମରଣୀୟ ରଖିବା ପାଇଁ ବିବେକାନନ୍ଦ କେନ୍ଦ୍ର ଓଡ଼ିଶା ଶାଖା ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରୁଛି। ଆଜି ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ବିଶ୍ଵ ଭ୍ରତୃତ୍ଵ ଦିବସ ପାଳିତ ହୋଇଯାଇଛି।

ବାଣପୁର – ବାଲୁଗାଁ ନଗର ସଂଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ମୁଖ୍ୟ ଅତିଥି ଓ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଲକ୍ଷ୍ମୀ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହି ଦିବସ ପାଳନ କରିବାର ତାତ୍ପର୍ଯ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ।ଇଂରାଜୀ ଅଧ୍ୟାପିକା ମିକି ମନସ୍ଵିନୀଙ୍କ ସଂଯୋଜନାରେ ପରିଚାଳିତ ଏହି ଉତ୍ସବରେ ସଂସ୍କୃତ ବିଭାଗର ଅଧ୍ୟାପକ ଅରବିନ୍ଦ ନାୟକ, ଆଦିତ୍ୟ ସାରଥୀ ବେଦମତ୍ତା, ନଗର ପ୍ରମୁଖ ଅଜୟ କୁମାର ଦାସ, ନଗର ବ୍ୟବସ୍ଥାପକ ସୁକାନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ସମ୍ପର୍କ ପ୍ରମୁଖ ତଥା ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

ପରିଶେଷରେ ଗତ ଛଅ ତାରିଖରେ ମହାବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଓ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର: ୩ କାଠ ଚୋର ଗିରଫ, ଟାଟା ଏସି ସହ କାଠ ଜବତ

ବାଣପୁର (ସୀତାରାମ ଅଗ୍ରୱାଲ): ରବିବାର ରାତିରେ ବାଣପୁର ବ୍ଲକ ଅନ୍ତର୍ଗତ ବରବରା ଜଙ୍ଗଲରୁ କାଠ ଚୋରି କରୁଥିବା ବେଳେ ତିନି ଜଣ କାଠ ଚୋରକୁ ଗିରଫ କରିବାସହ ସେମାନଙ୍କ ନିକଟରୁ ଟାଟା ଏସି ସମେତ ଆଠଟି କାଠ ଗଣ୍ଡି ଜବତ କରିଛି ବାଲୁଗାଁ ବନାଞ୍ଚଳ ବିଭାଗ। ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୁମାରପାରି ଗ୍ରାମର ବିଷ୍ଣୁ ସ୍ବାଇଁ (୨୪), ରାଜୀବ କୁମାର ସ୍ବାଇଁ (୩୩) ଓ ମନ୍ଦର ଗ୍ରାମର ସାଗର ଶବର (୨୩)।

ଖବର ମୁତାବକ ଏସିଆ ମହାଦେଶର ବୃହତ୍ତମ ଶାଗୁଆନ ଜଙ୍ଗଲରୁ ରବିବାର ରାତିରେ ଏହି ତିନି ଅଭିଯୁକ୍ତ କାଠ ଚୋରି କରି ଆଣୁଥିବା ବେଳେ ବରବରା ଗ୍ରାମ ଛକ ଠାରେରାତ୍ରି ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ।

ସେମାନଙ୍କ ନିକଟରୁ ଏକ ଟାଟାଏସି ଗାଡି ସମେତ ଆଠଟି ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଛି।ସୋମବାର ପୂର୍ବାହ୍ନରେ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଏକ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ଶାଳିଆ ବିଦ୍ୟାନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରତାପ ମାଣିକପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରର ଉଦ୍‌ଘାଟନ ବିଦ୍ୟାଳୟର ସଭାପତି ମାଧବ ଚନ୍ଦ୍ର ଦଳେଇଙ୍କ କରକମଳରେ କରାଯାଇଥିଲା।

ଉକ୍ତ ଶିବିରରେ ୨୦୯ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ପ୍ରଦାନ କରିବା ସହିତ ୬୫ ଜଣଙ୍କୁ ଚଷମା ପ୍ରଦାନ କରାଯାଇଛି। ଉକ୍ତ ଶିବିରକୁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ରଶ୍ମି ସୁଦିପ୍ତା ଆଚାର୍ଯ୍ୟ ଓ ଚକ୍ଷୁ ସହାୟକ ମଧୁସ୍ମିତା ମହାପାତ୍ର ଦ୍ବାରା ପରୀକ୍ଷା କରାଯାଇଥିଲା। ମୋତିଆବିନ୍ଦୁ ଅପରେସନ ପାଇଁ ୧୪ ଜଣ ଯୋଗ୍ଯ ହିତାଧିକାରୀଙ୍କୁ ଭୁବନେଶ୍ବରସ୍ଥିତ ରୋଟାରୀ ରୟାଲ ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞଙ୍କ ଦ୍ବାରା ଚିହ୍ନଟ କରାଯାଇ ସେମାନଙ୍କୁ ନିଜ ଦାୟିତ୍ୱରେ ଭୂବନେଶ୍ବର ନେଇ ଆସନ୍ତା କାଲି ଅସ୍ତ୍ରୋପଚାର କରି ତା’ ପର ଦିନ ସେମାନଙ୍କୁ ନିଜ ଗ୍ରାମରେ ପହଁଚାଇବାର ବ୍ଯବସ୍ଥା କରାଯାଇଛି। ଚକ୍ଷୁ ଦାନ ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ଚକ୍ଷୁ ଦାନ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯିବା ପରେ ସେଥି ମଧ୍ୟରୁ ୨୫ ଜଣ ବ୍ଯକ୍ତି ଚକ୍ଷୁ ଦାନ କରିବା ନିମିତ୍ତ ସହମତି ପ୍ରକାଶ କରିଥିଲେ।

କ୍ଳବ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସଂପାଦକ ଅଶୋକ କୁମାର ନାୟକ, ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ବିଜୟ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ସୁରେଶ ଚନ୍ଦ୍ର ବେହେରା, ରବିନାରାୟଣ ନାୟକ, ଜଗଦୀଶ ଲାଖୋଟିଆ, ଗୋପାଳ ଚନ୍ଦ୍ର ନାୟକ, ନନ୍ଦ କିଶୋର ମିଶ୍ର ଓ ସଭ୍ୟ ଡ. ଚିନ୍ତାମଣି ମିଶ୍ର, ଡା. ସିଏ. ମନୋରଞ୍ଜନ ବାରିକ, ସୁନୀଲ କୁମାର ପାତ୍ର, ପ୍ରସନ୍ନ ସାମନ୍ତରାୟ, ହିମାଂଶୁ କୁମାର ପାତ୍ର, ରବୀନ୍ଦ୍ରନାଥ ପ୍ରଧାନ ଓ ଡ. ସୁନୀଲ କୁମାର ପଟ୍ଟନାୟକ, ସୋମନାଥ ସୁବୁଦ୍ଧି ଓ ପ୍ରମୋଦ ପୃଷ୍ଟି ପ୍ରମୁଖଙ୍କ ସହିତ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଅଧୀନସ୍ଥ ଆଶା କର୍ମୀ ମାନେ ଶିବିର ପରିଚାଳନା କରିଥିଲେ।

ଉକ୍ତ ଶିବିରକୁ ବାଲୁଗାଁ ଶ୍ରୀଜଗନ୍ନାଥ ଚକ୍ଷୁ ଚିକିତ୍ସାଳୟ ଓ ମେଡିସିନ୍ ଷ୍ଟୋର ବିଶେଷ ଭାବରେ ସହାୟତା କରିଥିଲେ।

Categories
ଆଞ୍ଚଳିକ

ବାଣପୁର ପାଇକ ସାହିଠାରେ ମହା ଆଡମ୍ବରରେ ପାଳିତ ହେଲା ଗଣେଣ ପୂଜା ଉତ୍ସବ

ବାଣପୁର (ସୀତାରା ଅଗ୍ରୱାଲ): ଶହୀଦ୍‌ କୃତିବାସ ପାଟ୍ଟଶାଣୀଙ୍କ ସ୍ମୃତିରେ ବିଗତ ୩୮ ବର୍ଷ ଧରି ବାଣପୁର ପାଇକ ସାହିଠାରେ ଅଗ୍ରପୂଜ୍ୟ ଶ୍ରୀଗଣେଣଙ୍କ ପୂଜା ମହାସମାରୋହରେ ପାଳନ ହୋଇ ଆସୁଛି। ଏହି ପୂଜାକୁ ପ୍ରତିବର୍ଷ ଶହୀଦ୍‌ କୃତିବାସ କ୍ଲବ୍‌ ଆୟୋଜନ କରୁଛନ୍ତି। ଚଳିତ ବର୍ଷ ମଧ୍ୟ ବେଶ୍‌ ଆଡମ୍ବରପୂର୍ଣ୍ଣ ଭାବେ ଗଜାନନଙ୍କ ପୂଜା ପାଳିତ ହୋଇଛି। କୃତିବାସ କ୍ଲବ୍‌ ତରଫରୁ ୧୦ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉଛି।

ସେହିପରି ଭାବରେ ଗଣେଣ ଭସାଣୀକୁ ମଧ୍ୟ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଏହି କ୍ଲବ ତରଫରୁ ଉଦ୍ୟମ କରାଯାଉଛି। ଏହି ଗଣେଣ ପୂଜା କମିଟିର ସଭାପତି କିରନ ଜେନା, ସମ୍ପାଦକ ସୁନୀଲ ଜେନା, ଶିବ ଶଙ୍କର ସାହୁ, ଜୟକୃଷ୍ଣ ମାର୍ଥା, କ୍ଲବର ସମସ୍ତ ସଦସ୍ୟବୃନ୍ଦ ଏବଂ ପାଇକସାହି ଗ୍ରାମବାସୀବୃନ୍ଦ ଚଳିତଥର ପୂଜାକୁ ସ୍ବଚ୍ଛ ତଥା ଆକର୍ଷଣୀୟ କରିବାରେ ବିଶେଷ ଯୋଗଦାନ ଦେଇଛନ୍ତି।

ଚଳିତ ଥର ତୋରଣରେ ମଧ୍ୟ ସବୁ ବର୍ଷ ପରି ଏହି ପୂଜା କମିଟି ତରଫରୁ ଏକ ଭିନ୍ନ ପ୍ରୟାସ କରାଯାଇଛି। ଗତ ବର୍ଷମାନଙ୍କରେ ଏହି କମିଟି ତରଫରୁ ଜଗନ୍ନାଥ ମନ୍ଦିର, କେଦାର ନାଥ, ବଦ୍ରୀନାଥ ଛାୟାର ତୋରଣ ନିର୍ମାଣ କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ତୋରଣଟି ବେଶ୍‌ ଆକର୍ଷଣୀୟ ହୋଇଛି। କମିଟି ତରଫରୁ ଏହି ଗଣେଣ ପୂଜାର କର୍ତ୍ତା ଭାବରେ ବିକ୍ରମ କେଶରୀ ଜେନା ଦାୟିତ୍ଵ ସମ୍ପାଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀ ହନ୍ତସନ୍ତ: ଖୋଲୁନି ସାଇଟ, ପରଖିଲେ ଉପଜିଲ୍ଲାପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ସୁଭଦ୍ରା ଯୋଜନା ପାଇଁ ଦରଖାସ୍ତ ପ୍ରଦାନ କରିବାକୁ ଜନସେବା କେନ୍ଦ୍ରରେ ମହିଳା ମାନଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଛି। କିନ୍ତୁ ୱେବସାଇଟ ଖୋଲୁ ନଥିବାରୁ ସେମାନେ ନିରାଶ ହୋଇ ଫେରୁଛନ୍ତି। ବର୍ତ୍ତମାନ ସୁଦ୍ଧା ବାଣପୁର ବ୍ଲକରେ ମାତ୍ର ୧୩ ଜଣ ହିତାଧିକାରୀ ଦରଖାସ୍ତ ପ୍ରଦାନ କରିଥିବା ବିଡ଼ିଓ ଶୀତଲ ଅଗ୍ରୱାଲ ଜଣାଇଛନ୍ତି।

ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ହିତାଧିକାରୀମାନଙ୍କୁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ କୁହାଯାଇଛି। ତେଣୁ ପ୍ରଶାସନ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ ମହିଳାମାନେ ସୁବିଧାରେ ଓ ମାଗଣାରେ ଅନଲାଇନ ମାଧ୍ୟମରେ ଦରଖାସ୍ତ ପ୍ରଦାନ କରିବାକୁ ଦୁଇଟି ଲେଖାଏଁ ଜନସେବା କେନ୍ଦ୍ରକୁ ସାମିଲ କରାଯାଇଛି।

ସେବାକେନ୍ଦ୍ର ଗୁଡିକ ଦିନସାରା ସିଷ୍ଟମ ଖୋଲି ଚେଷ୍ଟା କରିବା ସତ୍ତ୍ୱେ ଦରଖାସ୍ତ କରାଯାଇ ପାରୁନାହିଁ। କିନ୍ତୁ ଅଧିକାଂଶ ହିତାଧିକାରୀ ମାନଙ୍କର ଆଧାର ସହ ମୋବାଇଲ ଲିଙ୍କ ନଥିବାରୁ ସରକାରଙ୍କ ତରଫରୁ ଖୋଲାଯାଇଥିବା ସେବାକେନ୍ଦ୍ର ଗୁଡିକରେ ମହିଳା ମାନଙ୍କର ଦିନ ତମାମ ଲମ୍ବା ଲାଇନ ଲାଗୁଛି।

ଅନ୍ୟପକ୍ଷରେ ରାତିରେ ସୁଭଦ୍ରା ସାଇଟ ଖୋଲୁଥିବାରୁ କିଛି ଦଲାଲ ହିତାଧିକାରୀମାନଙ୍କୁ ଶିଖାଇ ମୋଟା ଅଙ୍କର ଅର୍ଥ ନେଇ ଦରଖାସ୍ତ ଭରଣା କରିବାକୁ ପ୍ରଚେଷ୍ଟା ଜାରି ରଖିଥିବା ଖବର ମିଳିଛି। ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତୀରଂଜନ ସେଠୀ, ବିଡିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି ପଦ୍ମନାଭ ଦୋରା ଜନସେବା କେନ୍ଦ୍ର ଗୁଡିକରେ ପହଂଚି ତନଖି କରିଛନ୍ତି।

ସେବାକେନ୍ଦ୍ର ଗୁଡିକରେ ହିତାଧିକାରୀ ନଥିବା ବେଳେ ୱେବସାଇଟ ପରଖିଛନ୍ତି। ତେବେ ଆସନ୍ତା ୧୭ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ହିତାଧିକାରୀ ମାନଙ୍କ ବ୍ୟାଙ୍କ ଖାତାକୁ ଯିବାକୁ ଥିବାବେଳେ ବାଣପୁର ବ୍ଲକରେ ଉକ୍ତ ଦିନ ହିତାଧିକାରୀ ଟଙ୍କା ପାଇବା ସନ୍ଦେହ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ଦେଶିମଦ ସହ ତିନି ଗିରଫ, ମୋଟର ସାଇକେଲ ଜବତ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଂଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ୯୦ ଲିଟର ଦେଶୀମଦ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି। ଖବର ମୁତାବକ ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଅଂଚଳରେ ଅବକାରୀ ବିଭାଗ ତପ୍ତର ହୋଇଛି।

ମଙ୍ଗଳବାର ଅବକାରୀ ଅଧିକାରୀ ସ୍ମିତା ପଣ୍ଡାଙ୍କ ନେତୃତ୍ୱରେ ବାଣପୁର ଅଂଚଳରେ ଚଢ଼ାଉ କରି ଝିଣ୍ଟିକାପଲ୍ଲୀ ଅଂଚଳର ନାରାୟଣ ସାହୁଙ୍କ ନିକଟରୁ ୪୦ଲିଟର, କନ୍ଧ ପୁଞ୍ଜିଆମା ଗ୍ରାମର କାର୍ତ୍ତିକ ଦାସଙ୍କ ନିକଟରୁ ୨୫ଲିଟର ଏବଂ ସରନଈ ସଞ୍ଜୟ ନାୟକଙ୍କ ଠାରୁ ୨୫ଲିଟର ଦେଶୀମଦ ସହ ଏକ ମୋଟର ସାଇକେଲ ଜବତ କରିଛି।

ଉପରୋକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ବାଣପୁର କୋର୍ଟ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ତେବେ ବାଣପୁର ଅଂଚଳରୁ ସମ୍ପୂର୍ଣ୍ଣ ଚୋରାମଦ ବନ୍ଦ କରିବାକୁ ସାଧାରଣ ଲୋକ ଦୃଢ ଦାବି କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ସତସଙ୍ଗ ବିହାରର ସଭାପତିଙ୍କ ପରଲୋକ: ଶେଷ ଦର୍ଶନ କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ

ବାଣପୁର: ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବାଣପୁର ସତସଙ୍ଗ ବିହାରର ସଭାପତି ତଥା ସାମ୍ବାଦିକ ଓ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ବଡ଼ ଦାଦା ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ଆଜି ସକାଳେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଶ୍ରୀ ଅଗ୍ରୱାଲ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ବାଣପୁର ଅଞ୍ଚଳର ବହୁ ଧାର୍ମିକ ଏବଂ ସାମାଜିକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ। ଜଣେ ମିଷ୍ଟଭାସି, ପରୋପକାରୀ ଏବଂ ବଦାନ୍ୟ ବ୍ୟକ୍ତି ଭାବେ ସମଗ୍ର ବାଣପୁର, ବାଲୁଗାଁ ଅଞ୍ଚଳରେ ସେ ବେଶ ଜଣାଶୁଣା ଥିଲେ। ତାଙ୍କର ବିୟୋଗରେ ଆତ୍ମୀୟ ଏବଂ ସହପାଠୀ ମାନେ ମ୍ରିୟମାଣ ହୋଇପଡିଛନ୍ତି। ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କ ଶେଷକୃତ ସ୍ଥାନୀୟ ଅଗ୍ରୱାଲ ସମାଜ ସ୍ମଶାନରେ ସମ୍ପନ୍ନ ହୋଇଥିଲା।

ତେବେ ବିୟୋଗ ଖବର ପାଇ ସ୍ୱର୍ଗତ ଶ୍ରୀ ଅଗ୍ରୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ, ବାଣପୁର ଓ ବାଲୁଗାଁ ସତସଙ୍ଗ ବିହାର କର୍ମକର୍ତ୍ତା, ବାଣପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କର୍ମକର୍ତ୍ତା, ଏବିଭିପି କାର୍ଯ୍ୟକର୍ତ୍ତା, ବାଣପୁର ଓକିଲ ସଂଘ କର୍ମକର୍ତ୍ତା, ବାଣପୁର-ବାଲୁଗାଁ ଅଞ୍ଚଳର ବହୁ ସାମ୍ବାଦିକ, ସମାଜସେବୀ, ବ୍ୟବସାୟୀ ଏବଂ ସ୍ଥାନୀୟ ଜନସାଧାରଣମାନେ ଶେଷ ଦର୍ଶନ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଓ ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବହୁ ଆଡ଼ମ୍ବରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରାତଃ କାଳରେ ରାମଧୁନ ଗାନ କରିବାସହ ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପରେ ଅଧ୍ୟକ୍ଷାଙ୍କ ସମେତ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ସମସ୍ତ କର୍ମଚାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟମାନେ ପ୍ରଭାତଫେରୀ କରି ଗାନ୍ଧିଛକ ନିକଟ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏନଏସି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଓ ସମ୍ପର୍କୀୟ,ଜରାନିବାସ ଅନ୍ତେବାସୀ ମାନଙ୍କୁ ଫଳ, କ୍ଷୀର ପ୍ୟାକେଟ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା।ଅପରାହ୍ନରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ୱରେ କାର୍ଯ୍ୟାଳୟ ସଭା ଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ସ୍ୱଚ୍ଛ ସାଥି, କର୍ମଚାରୀଙ୍କ ସମେତ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।

ଏନଏସି ଅନ୍ତର୍ଗତ ୧୧ ଟି ୱାର୍ଡର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରାଯାଇଥିଲା। ଏନଏସିକୁ ସରସ ସୁନ୍ଦର କରି ଗଢିତୋଳିବା ପାଇଁ ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ସଭା ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ଏହିଅବସରରେ ସହର ମୁଖ୍ୟ ରାସ୍ତା ଓ ଗୋପବନ୍ଧୁ ନଗରରେ ନିର୍ମିତ ଫେବର ବ୍ଲକ ରାସ୍ତାକୁ ଉଦଘାଟନ କରାଯିବାସହ ଇନଣ୍ଡୋର ଷ୍ଟାଡିୟମ ନିକଟରେ ସର୍ବସାଧାରଣଙ୍କ ନିମିତ୍ତ ଶୌଚାଳୟ ଓ ଚିଲିକା କୁଳ ଜେଟି ଠାରେ ଆସ୍ପିରେସିନାଲ ଟଏଲେଟ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ଅନୁରୂପ ଭାବେ ବାଣପୁର ଏନଏସି ରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଉକ୍ତ ଦିବସ ପାଳିତ ହୋଇଯାଇଛି।

Categories
ଆଞ୍ଚଳିକ

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଗୁଡିକ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ଶ୍ରୀ ମହାପାତ୍ର ନିକଟରେ ବାଣପୁର ଉପ କାରାଗାର ପରିଦର୍ଶନ କରି ବନ୍ଦୀ ମାନଙ୍କ ଅଧିକାର ବିଷୟରେ ସେମାନଙ୍କୁ ସଚେତନ କରାଇଥିଲେ। ତତସହିତ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ପ୍ରବଧାନ ଥିବା ସୁବିଧା ଗୁଡିକ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ।

ଅନୁରୂପ ଭାବେ ଗତକାଲି ବାଣପୁର କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଓଡିଶା ହାଇକୋର୍ଟ ଭିଡିଓ କନଫରେନସିଂ ଦ୍ୱାରା କିପରି ରାଜ୍ୟର ଅନ୍ୟ କୋର୍ଟମାନେ ଲାଭବାନ ହେଉଛନ୍ତି,ସୁପ୍ରିମକୋର୍ଟ ର ଇଂରାଜୀ ଭାଷାକୁ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଦ୍ୱାରା କିପରି ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରାଯାଇପାରୁଛି, କୋର୍ଟଗୁଡିକୁ ପ୍ରଦାନ କରାଯାଇଥିବା ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସୁବିଧା ଏବଂ ଦେୱାନୀ ମାମଲାଗୁଡିକର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟ ମଧ୍ୟସ୍ଥତା ଅଧିନିୟମ, ୨୦୦୭  ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସେହିପରି ଭାବେ ଆଜି ବାଣପୁର ବ୍ଲକ ସଭାଗୃହରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ବିଚାରପତି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି. ପଦ୍ମନାଭ ଦୋରା, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ,ଆଇନଜୀବୀ ବିଭୁତି ନାୟକ, ସନ୍ତୋଷ ମହାପାତ୍ର, ସୀତାରାମ ଅଗ୍ରୱାଲ ଯୋଗଦେଇଥିଲେ।

ଉକ୍ତ ସଚେତନତା ଶିବିରରେ ବାଣପୁର ବ୍ଲକର ସମସ୍ତ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ। ସେମାନଙ୍କୁ ବିଚାରପତି ଶ୍ରୀ ମହାପାତ୍ର ତାଲୁକ ଆଇନ ସେବା ବିଷୟରେ ଅବଗତ କରାଇଥିଲେ ଏବଂ ଯେକୌଣସି ଅସହାୟ ନାଗରିକ ଉକ୍ତ ଆଇନର ଆଶ୍ରୟ ନେଇ ନିଃଶୁଳ୍କ ଭାବେ କୋର୍ଟରେ ନିଜର ଅଧିକାର ପାଇଁ ଲଢେଇ କରିପାରିବ ବୋଲି କହିଥିଲେ।

ସେହିପରି ବିଡିଓ ଏବଂ ତହସିଲଦାର ବିଭିନ୍ନ ସରକାରୀ ଯୋଜନା ଏବଂ ସରକାରୀ ସୁବିଧା ବିଷୟରେ ଜନପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ପରିଶେଷରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ‘ସୁଭଦ୍ରା’ ର ଗାଇଡଲାଇନ ବିଷୟରେ ବିସ୍ତୃତ ଭାବେ ଜନପ୍ରତିନିଧିଙ୍କୁ ଅବଗତ କରାଇଥଲେ ବିଡିଓ ଶ୍ରୀମତୀ ଅଗ୍ରୱାଲ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ନାମରେ ୧୦ କୋଟିର ଠକେଇ ଅଭିଯୋଗ, ବାଣପୁର ଥାନାରେ ମାମଲା

ବାଣପୁର (ସୀତାରାମ ଅଗ୍ରୱାଲ): ବିଷ୍ନୁପ୍ରିୟା ନାମ୍ନୀ ଜଣେ ମହିଳାଙ୍କ ନାମରେ ୧୦ କୋଟିର ଠକେଇ ଅଭିଯୋଗରେ ବାଣପୁର ଥାନାରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ମୁତାବକ ମହିଳା ଜଣକ ନୀଳାଦ୍ରି ଓ ଦାମିଆ ଗ୍ରାମ ପଞ୍ଚାୟତର ୩୦୦ ମହିଳାଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ଚଳୁ କରିଦେଇଛି।

ଅଭିଯୁକ୍ତା ବିଷ୍ନୁପ୍ରିୟା ଉକ୍ତ ପଞ୍ଚାୟତର ଅଶିକ୍ଷିତ ମହିଳା ମାନଙ୍କୁ ଠାବ କରି ତାଙ୍କ ନାମରେ ଲୋନ କରିଦେବାକୁ କହି ଜଣ ପିଛା ୫୦୦୦୦ ଲେଖାଏଁ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଟଙ୍କା ଉଠାଣ କରି ଲୋନକାରୀଙ୍କୁ ମାତ୍ର ୫୦୦୦ ଟଙ୍କା ଦେଇ ଅବଶିଷ୍ଟ ଟଙ୍କା ଚତୁରତାର ସହିତ ମୁଁ ସୁଝିବାକୁ କହି ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଲୋନଧାରୀମାନଙ୍କୁ ସୁଝିବାକୁ କହିବାରୁ ଆଜି ସନ୍ଧ୍ୟାରେ ୧୦୦ ରୁ ଉର୍ଦ୍ଧ୍ଵ ମହିଳା ଥାନାକୁ ଆସି ଅଭିଯୋଗ କରିଥିଲେ।

ଥାନା ଅଧିକାରୀ ୪୨୦ ଦଫାରେ ମୋକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଦେଶରେ ଶ୍ରମିକଙ୍କ ଅକାଳ ବିୟୋଗ, ୧୦ ଦିନ ପରେ ଗାଁରେ ପହଞ୍ଚିଲା ମୃତ ଦେହ

ବାଣପୁର (ସୀତାରାମ ଅଗ୍ରୱାଲ): ପରିବାରର ଗୁଜୁରାଣ ମେଣ୍ଟାଇବାକୁ ସୁଦୂର ଆବୁଧାବି ଯାଇଥିବା ଜଣେ ଶ୍ରମିକଙ୍କର ଅକାଳ ମୃତ୍ୟୁ ଘଟିଛି। ଘଟଣାରୁ ଜଣାପଡିଛି ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମର ଅଶୋକ ପ୍ରଧାନ (୩୧) ନିଜ ପରିବାର ପ୍ରତିପୋଷଣ ପାଇଁ ନାସିର କମ୍ପାନୀ ସହାୟତାରେ ଆବୁଧାବିରେ ଶ୍ରମିକ ଭାବେ ଛଅମାସ ପୂର୍ବେ କାମ କରିବାକୁ ଯାଇଥିଲେ।

ଗତ ୨୦ ତାରିଖରେ ରୁମରେ ଶୋଇଥିବା ଅବସ୍ଥାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କମ୍ପାନୀ କର୍ମଚାରୀ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ଶବକୁ ଗ୍ରାମକୁ ପଠାଇବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଆକୁଳ ନିବେଦନ କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମକୁ ଶବ ପଠାଇବାର ସମସ୍ତ ବନ୍ଦୋବସ୍ତ କରିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ମୃତଦେହ ଗ୍ରାମରେ ପହଂଚିଛି।

ତେବେ କଲିକତା ବିମାନ ବନ୍ଦର ଠାରୁ ପରିବାର ଲୋକ ନିଜସ୍ୱ ଖର୍ଚ୍ଚରେ ଶବ ଆଣିଥିବା ଜଣାପଡିଛି। ମୃତ ଅଶୋକଙ୍କର ପରିବାର ଲୋକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ ଅଛନ୍ତି। ସେମାନଙ୍କ ପ୍ରତିପୋଷଣ ନିମିତ୍ତ କମ୍ପାନୀ କର୍ତ୍ତୃପକ୍ଷ ଆର୍ଥିକ ସାହାଯ୍ୟ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ସ୍ବାଗତ ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଦାବରୀଶ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ନବାଗତ ସମ୍ମାନ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆଜି ବିଭାଗ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇ ଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ସଭାପତିତ୍ବ କରି ନବାଗତ ମାନଙ୍କୁ ସ୍ଵାଗତ କରିବା ସହ ଭବିଷ୍ୟତର ସମସ୍ତ ପ୍ରତିଯୋଗିତା ପରୀକ୍ଷା ଗୁଡିକରେ ରାଜନୀତି ବିଜ୍ଞାନର ପ୍ରଶ୍ନ ସର୍ବାଧିକ ଆସୁଥିବାରୁ ଏହି ବିଭାଗର ଛାତ୍ରଛାତ୍ରୀ ମାନେ ଅଧିକ ଲାଭବାନ ହେବେ ବୋଲି ମତ ପ୍ରକାଶ କରିଥିଲେ।

ବିଭାଗୀୟ ମୁଖ୍ୟ ଲକ୍ଷ୍ମୀ ପ୍ରସାଦ ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରି ଜୀବନର ଏହି ତିନି ବର୍ଷ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନେ ପାଠ ପଢ଼ିବା ସହ ମହାବିଦ୍ୟାଳୟର ଏନ୍ ସି ସି, ରେଞ୍ଜର ରୋଭର୍, ଆଦି କାର୍ଯ୍ୟକ୍ରମରେ ଯୋଗଦେଇ ଚରିତ୍ର ଓ ବ୍ୟକ୍ତିତ୍ଵ ଗଠନ ପାଇଁ ଉପଦେଶ ଦେଇଥିଲେ।

ବିଭାଗର ଅନ୍ୟତମ ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା, ଶ୍ରୀଗୋଲକ କୁମାର ବେହେରା, ଅଧ୍ୟାପିକା ପ୍ରତିଭା ମଲ୍ଲିକ ଓ ଅତିଥି ଭାବରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ ସୁଜାତା ମିଶ୍ର ଯୋଗଦେଇ ଛାତ୍ର ଜୀବନକୁ ସଠିକ୍ ମାର୍ଗରେ ଅତିବାହିତ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ।

ତୃତୀୟ ବର୍ଷ ଓ ଦିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ସଭାକାର୍ଯ୍ୟ ଓ ପ୍ରୀତି ଭୋଜନର ଆୟୋଜନ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର: ବିପୁଳ ପରିମାଣରେ ମହୁଲି ଜବତ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମହୁଲି ଜବତ ହୋଇଛି।  ସୂଚନା ମୁତାବକ ଶାଳିଆ ଡ୍ୟାମ ନିକଟସ୍ଥ ପଣସଡିହ ଗ୍ରାମର ଅଭିଯୁକ୍ତ ରବି ଶବର ନିଜ ଘରେ ବେଆଇନ ଭାବେ ମହୁଲି କାରବାର କରୁଥିବାର ଖବର ପାଇ ଆଜି ମଧ୍ୟାହ୍ନରେ ଉଭୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ସମୁଦାୟ ୧୦ କୁଇଣ୍ଟାଲ ମହୁଲି ଜବତ ହୋଇଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଲୁଗାଁ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ଉକ୍ତ ଚଢ଼ାଉରେ ବାଣପୁର ଆଇଆଇସି ରମେଶ କୁମାର ଦେବତ୍ତା ଏବଂ ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ, ମା’ ଯୋଗମାୟା ଭଗବତୀଙ୍କ ଏକ ସଙ୍ଗେ ଧରାବତରଣ ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ’ ଯୋଗମାୟାଙ୍କ ସହିତ ପ୍ରଭୁ ଗୁରୁଣ୍ଡି ଗୋପାଳଙ୍କ ଜନ୍ମବିଧି ଏକ ସଂଙ୍ଗେ ନିଆରା ବିଧିରେ ଅନୁଷ୍ଠିତ ହୋଇଯାଇଛି। ଭାଦ୍ରବ କୃଷ୍ଣ ଅଷ୍ଟମୀ ‘ଜନ୍ମାଷ୍ଟମୀ’ ତିଥିର ମଧ୍ୟରାତ୍ରରେ ମା’ ଙ୍କ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିର ବେଢ଼ାରେ ଏହି ଉତ୍ସବ ଗୁପ୍ତ ନୀତିର ସହିତ ପାଳିତ ହୋଇଛି। ସଂଧ୍ୟାରେ ମା’ଙ୍କ ବଡ଼ସିଂହାର ପୂର୍ବରୁ ପାଳିଆମାଳି ସେବକ ଶୟନ ଚକଡ଼ା କୁ ଧୋପଖାଳ କରି ଆସନପାରିଥିଲେ।

ପୂଜାରୀ ସାଆନ୍ତ ସିଂହାସନରୁ ଶ୍ରୀଶ୍ରୀ ଗୁରୁଣ୍ଡିଗୋପାଳ ଦେବ, ଶ୍ରୀ ଶ୍ରୀଚନ୍ଦ୍ରଶେଖରଦେବ ଓ ମା’ କାଠି ଠାକୁରାଣିଙ୍କୁ ଏକତ୍ର ଆଣି ଆସନ ଉପରେ ଉପବେସନ କରାଇ ଦୀପ, ଧୂପ, ପୁଷ୍ପ ଚ଼ନ୍ଦନ ନୈବେଦ୍ୟଠା କରିବା ପରେପରେ ଜନ୍ମବିଧି ଆରମ୍ଭ ହୋଇଥିଲା। ପୂର୍ବରୁ ପଲେଇ ସେବକ ଏନ୍ତୁଡ଼ି ପାଇଁ ପାଳରେ ତିଆରି ଅଟା,ଅଙ୍ଗାର,ଚ଼ଷୁ, ନାଭିକଟା ପାଇଁ ଶିମପତ୍ର ଆଣି ଯୋଗାଇଥିଲେ। ଗୁରୁଣ୍ଡିଗୋପାଳଙ୍କୁ ନାଭିକଟା ମଣ୍ଡପରେ ରଖାଇ ସିମପତ୍ରରେ ନାଭିକଟା ବିଧିକରାଇ ମହାସ୍ନାନ ପରେଚଷୁ ଅଙ୍ଗାରନିଆଁରେ ଗୋପାଳଙ୍କୁ ଏନ୍ତୁଡ଼ି ସେକା ବିଧିପରେ ଆସନ ବିଜେ କରାଇଥିଲେ।ପରେ ମା’ଭଗବତୀ ଯୋଗମାୟା , ଚନ୍ଦ୍ରଶେଖର ଏବଂ ଗୁରୁଣ୍ଡିଗୋପାଳଙ୍କ ପାଖରେ ଏକତ୍ର ମୁଆଁ, ରାଶି କୋରା, ନଡ଼ିଆ କୋରା ଇତ୍ୟାଦି ଶୀତଳ ମଣୋହୀ ହୋଇ ଜନ୍ମ ଆଳତୀ ବଢ଼ିଥିଲା ପରେ ଠାକୁର ଠାକୁରାଣିଙ୍କୁ ବଡ଼ ସିଂହାର ପରେ ପହଡ଼ ପଡ଼ିଥିଲା।

ଓଡ଼ିଶାର ସର୍ବତ୍ର ବିଷ୍ଣୁ ମନ୍ଦିରମାନଙ୍କରେ ଜନ୍ମାଷ୍ଟମୀରେ କେବଳ ଶ୍ରୀକୃଷ୍ଣଙ୍କ ଜନ୍ମବିଧି ମହାସମାରୋହରେ ପାଳିତ ହେଉଥିବାବେଳେ, ବାଣପୁରର ଏହି ପ୍ରାଚୀନ ଶକ୍ତିପୀଠରେ ଦୁର୍ଗା ମାଧବଙ୍କ ଉପାସନାର ପ୍ରତୀକ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମା’ଭଗବତୀ ଯୋଗମାୟାଙ୍କ ମଧ୍ୟ ଧରାବତରଣ ବିଧିବିଧାନ ପରମ୍ପରା ନିଆରା ଢ଼ଙ୍ଗରେ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ପ୍ରଭୁଶ୍ରୀକୃଷ୍ଣ ମଥୁରାରେ ଜନ୍ମଗ୍ରହଣ କରିବା ପୂର୍ବରୁ ଦେବୀ ଭଗବତୀଙ୍କୁ ଗୋପନଗରୀର ନନ୍ଦ ଯୋଶଦାଙ୍କ ଘରେ ଯୋଗମାୟା “ବିଜୁଳିକନ୍ୟା” ଭାବରେ ଜନ୍ମ ଗ୍ରହଣ କରି କଂସାସୁର ପରି ଆସୁରିକ ଶକ୍ତିମାନଙ୍କୁ ସଂହାର କରିବାରେ ସହଯୋଗ କରିବାକୁ କରିଥିବା ନିବେଦନ ରକ୍ଷାକରି ମା’ଦେବୀ ଭଗବତୀ ଉକ୍ତଦିନ ଧରାବତରଣ କରିଥିବା କଥା ବ୍ୟାସଦେବଙ୍କ ରଚିତ ସଂସ୍କୃତ ଭାଗବତରେ ଉଲ୍ଲେଖ ଥିବାରୁ ମା’ଙ୍କ ପୀଠରେ ଏହି ଉତ୍ସବ ପାଳନ କରାଯାଉଥିବା କଥା ବିଶ୍ୱାସ କରାଯାଏ।

ଭାଦ୍ରବ କୃ କୃଷ୍ଣ ନବମୀ ଦିନ ମା’ଭଗବତୀଙ୍କ ବାମ୍ଫି ନିକଟରେ ମୀନଧରା ନୀତି ସହିତ ନନ୍ଦ ଉତ୍ସବ ଦିନଏହି ଉତ୍ସବ ବାଣପୁରରେ ଦୁର୍ଗାମାଧବ ଉପାସନାର ଅନନ୍ୟ ପରମ୍ପରା ବୋଲି ଦେବୋତ୍ତର କାର୍ଯ୍ୟାଳୟରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଓଡ଼ିଶା ପୂର୍ତ୍ତ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନ ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ପରିଦର୍ଶନରେ ଆସି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରଥମେ ମା’ ଭଗବତୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ମନ୍ଦିର ବେଢା ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ବ୍ଲୁ ପ୍ରିଣ୍ଟ ଦେଖିଥିଲେ। ପୂର୍ବ ସରକାର ଦ୍ୱାରା ଅନୁମୋଦିତ ହୋଇଥିବା ଉନ୍ନୟନ ପ୍ରକଳ୍ପକୁ ପ୍ରଶାସନିକ ଅନୁମତି ମିଳିନଥିବାରୁ କାର୍ଯ୍ୟ ବନ୍ଦ ଥିବା ବେଳେ ଆଜି ମନ୍ତ୍ରୀ ତାହାକୁ ତୁରନ୍ତ ଅନୁମୋଦନ କରାଇଥିଲେ।

ଏହି ଅବସରରେ ଏଣ୍ଡାଓମେଣ୍ଟ ସଭାପତି ତଥା ବାଣପୁର ତହସିଲଦାର ଏବଂ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଉନ୍ନୟନ ପ୍ରକଳ୍ପ ବିଷୟରେ ମନ୍ତ୍ରୀ ପଚାରି ବୁଝିଥିଲେ। ଏହି ଅବସରରେ ମନ୍ଦିର ସେବାୟତ ଏବଂ ସ୍ଥାନୀୟ ଜନସାଧାରଣ ମାନେ ମନ୍ଦିର ଉନ୍ନତିକୁ ନେଇ ବିଭିନ୍ନ ପ୍ରସ୍ତାବ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମନ୍ଦିର ଚତୁଃପାର୍ଶ୍ୱ ପରିଦର୍ଶନ କରିବା ସହ ପ୍ରସ୍ତାବିତ ବସ ପାର୍କିଙ୍ଗ, ଯାତ୍ରୀ ବିଶ୍ରାମ କେନ୍ଦ୍ର, ନୂତନ ରିଙ୍ଗ ରୋଡ ସ୍ଥାନ ଆଦି ବୁଲି ଦେଖିଥିଲେ। ଉନ୍ନୟନ କାର୍ଯ୍ୟ ପାଇଁ ବେସରକାରୀ ଜମି ଅଧିଗ୍ରହଣ ଏକ ମୁଖ୍ୟ ସମସ୍ୟା ଥିବା ବେଳେ ତାହାକୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରାଯାଇ କିପରି ଉନ୍ନୟନ କାର୍ଯ୍ୟରେ ସାମିଲ କରାଯାଇପାରିବ ତାହାକୁ ଗୁରୁତ୍ୱ ଦେଇଥିଲେ ମନ୍ତ୍ରୀ।

ତତସହିତ ଭଗବତୀ ମନ୍ଦିର ନିକଟରେ ଥିବା କେନାଲ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଯାହାଦ୍ୱାରା ଉନ୍ନୟନ କାର୍ଯ୍ୟ କ୍ଷିପ୍ର ଗତିରେ ହୋଇପାରିବ। ତେବେ ଯଥାଶୀଘ୍ର ଉନ୍ନୟନ ତଥା ସୌଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରିବାକୁ ଓବିସିସି କୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ।

ତେବେ ଉନ୍ନୟନ କାର୍ଯ୍ୟ ନିମନ୍ତେ ସାଧାରଣ ଜନତା ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଗୁରୁତ୍ୱ ଦେବାକୁ ସ୍ଥାନୀୟ ପ୍ରଶାସନ ଏବଂ ଓବିସିସି କୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ।  ଏହାପରେ ମନ୍ତ୍ରି ବାଣପୁର ପ୍ରଜାପିତା ବ୍ରହ୍ମକୁମାରୀ ସେଣ୍ଟର ଯାଇ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚୋରା ମଦ ବନ୍ଦ ପାଇଁ ଅବକାରୀ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଚଢାଉ, ଜବତ ହେଲା 17ଶହ ଲିଟର ଦେଶୀମଦ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋଦ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ନିର୍ବାଚନ ମଣ୍ଡଳୀ ଚିଲିକା ଅନ୍ତର୍ଗତ ବାଣପୁରରେ ଚୋରାମଦ ଚଢାଉ ଜୋରଦାର କରାଯାଇଛି। ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ତତ୍ୱାବଧାନରେ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ହଜାର ହଜାର ଦେଶୀ ମଦ ଜବତ ହେବା ସହ ଏକାଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ନାରଣଦେଇପୁର ଗ୍ରାମର ଅଭିଯୁକ୍ତ ଅଶୋକ କୁମାର ବେହେରାଙ୍କ ନିକଟରୁ 230 ଲିଟର ଦେଶୀ ମଦ ଓ ବାଇକ ଜବତ ହୋଇଥିବା ବେଳେ ନଛିପୁର ଗ୍ରାମର ଗୁଣ ଚନ୍ଦ୍ରଙ୍କ ନିକଟରୁ 30 ଲିଟର ଦେଶୀ ମଦ ଜବତ ହୋଇଛି।

ସେହିପରି ଭାବେ ସାନସିରେଇପୁର ଅଞ୍ଚଳରୁ ଏକ ଟାଟା ଏସି ଗାଡ଼ିରୁ 1500 ଲିଟର ଦେଶୀ ମଦ ଜବତ କରାଯାଇ ଅଭିଯୁକ୍ତ ପ୍ରକାଶ ମାଟିଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର ଥାରପା ମାରାଣ୍ଡି, ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ତପସ୍ୱିନୀ ବରାଳ,ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ସନ୍ତୋଷ ସାହୁ,ମୋବାଇଲ ୟୁନିଟ ଏସଆଇ ରୋହିତ କୁମାର ଦଣ୍ଡସେନା, ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ଏବଂ ଟିମ ସାମିଲ ଥିଲେ।

ଅବକାରୀ ମନ୍ତ୍ରୀ ସାରା ରାଜ୍ୟରେ ଚୋରାମଦ କାରବାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଅବକାରୀ ଚଢ଼ାଉ ଜାରି ରହିଛି। ବେଆଇନ ଦେଶୀ ମଦ ଭାଟିକୁ ଚି଼ହ୍ନଟ କରାଯାଇ ଭଙ୍ଗାଯାଉଛି।

Categories
ଆଞ୍ଚଳିକ

ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ: ବାଣପୁରରେ ଜବତ ହେଲା ବିପୁଳ ପରିମାଣର ଦେଶୀ ମଦ ଓ ପୋଚ

ବାଣପୁର (ସୀତାରାମ ଅଗ୍ରୱାଲ): ବେଆଇନ ଦେଶୀ ମଦ କାରବାରକୁ ନେଇ ସାରା ରାଜ୍ୟରେ ତାତି ଧରିଥିବା ବେଳେ ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ସାରା ରାଜ୍ୟରେ ଅବକାରୀ ବିଭାଗ ଦ୍ୱାରା ଧରପଗଡ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଅବକାରୀ ଓ ପୋଲିସ ମିଳିତ ଚଢ଼ାଉ କରି ହଜାର ହଜାର ଲିଟର ପୋଚ ଓ ଦେଶୀ ମଦ ନଷ୍ଟ କରିଛି।

ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କ ଉପସ୍ଥିତିରେ ବାଣପୁର ଥାନା ଶାଳିଆ ଡ୍ୟାମ ଜଙ୍ଗଲ ଅଞ୍ଚଳ ଏବଂ ଦାଶରଥୀପୁର ଗ୍ରାମ କେନାଲ ପାର୍ଶ୍ୱ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସମୁଦାୟ ୧୭ ହଜାର ଲିଟର ପୋଚ ଏବଂ ୧୧୬୦ ଲିଟର ଦେଶୀ ମଦ ଜବତ କରାଯାଇ ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ, ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ, ବାଲୁଗାଁ ଅବକାରୀ ଅଧିକାରିଣୀ, ବାଣପୁର ପୋଲିସ ଏବଂ ଏପିଆର ଫୋର୍ସ ସାମିଲ ଥିଲେ।