Categories
ଆଞ୍ଚଳିକ

ବାଣପୁର: ଯୁବକଙ୍କୁ ଅପହରଣ କରି ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅନ୍ତର୍ଗତ ଖଣନ୍ତ ଗ୍ରାମର ଜଣେ ଯୁବକଙ୍କୁ ଆଜି ଅପରାହ୍ନରେ ମଟରସାଇକେଲ ସହ ଅପହରଣ କରି ୬ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି। ସୂଚନା ମୁତାବକ ଖଣନ୍ତ ଗ୍ରାମର ନୀଳାଞ୍ଚଳ ପରିଡା ନାମକ ଜଣେ ଯୁବକଙ୍କ ଘରକୁ ଆସି କିଛି ଦୁର୍ବୃତ୍ତ ଗାଳି ଗୁଲଜ ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ନୀଳାଞ୍ଚଳ ବଜାରକୁ ଯିବା ସମୟରେ ବାଟରେ ଛକି ରହିଥିବା ଦୁର୍ବୃତ୍ତ ମାନେ ଗାଡି ସହ ତାଙ୍କୁ ଅପହରଣ କରିଥିଲେ।

ଦୀକ୍ଷିତପଡା ଶଙ୍ଖ ଠାରେ ଥିବା ଏକ ବରଗଛ ପାଖରେ ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ନୀଳାଞ୍ଚଳ ସେଠାରେ ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ମୋବାଇଲ, ସୁନାଚେନ ଓ ୫୦୦୦ଟଙ୍କା ନେଇ ଫେରାର ହୋଇଯାଇଥିବା ନୀଳାଞ୍ଚଳଙ୍କ ମା ମାଣିକ ପରିଡା ବାଣପୁର ଥାନାରେ ଅଭିଯୋଗ କରିଛନ୍ତି।

ପରିବାର ଲୋକ ସେଠାରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ନୀଳାଞ୍ଚଳଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାବେଳେ ଡାକ୍ତର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିବା ଜଣାଯାଇଛି।

ତେବେ ପୋଲିସ ତଦନ୍ତ କରି ଦୋଷୀ ମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ଖଣନ୍ତ ଗ୍ରାମବାସୀ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ନୂତନ ସିଭିଲ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ତଥା ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଭୂମିପୂଜା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ଅନ୍ୟତମ ବିଚାରପତି ଦେବବ୍ରତ ଦାଶ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ।

ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଜଜ ନିଶିଥ ନିଶାଙ୍କ,ବାଣପୁର ଜେଏମଏଫସି ସ୍ନାତକୀ ଦାସ, ଚିଲିକା ଜେଏମଏଫସି ବିକାଶ ଗୋଏଲ, ଉଭୟ ହାଇକୋର୍ଟ ତଥା ଖୋର୍ଦ୍ଧା ଜିଲ୍ଲା ବିଚାର ବିଭାଗର ରେଜିଷ୍ଟ୍ରାର, ପଦସ୍ଥ ବିଚାର ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ , ଏସପି ସିଦ୍ଧାର୍ଥ କଟାରିଆଙ୍କ ସମେତ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ,ତହସିଲଦାର ଟି.ପଦ୍ମନାଭ ଦୋରା ବିଶେଷ ଅତିଥି ଭାବେ ଉପସ୍ଥିତ ରହିଥିଲେ।

ଏହି ଅବସରରେ ବାଣପୁର ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ସୁଧୀର ପ୍ରଧାନଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଆଇନଜୀବୀ ଙ୍କ ପକ୍ଷରୁ ଉଭୟ ଅତିଥିଙ୍କୁ ପାଛୋଟି ନିଆଯାଇ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ: ‘ଶାଳିଆ ପ୍ରେସ କ୍ଲବ’ର ବାର୍ଷିକ ଆଲୋଚନା ଚକ୍ର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁ ସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ର ବାର୍ଷିକ ଆଲୋଚନା ଚକ୍ର ଆଜି ବାଣପୁରସ୍ଥିତ ଶାଳିଆ ଡ୍ୟାମ ମା’ ଡୋମଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ, ବାଣପୁର ଓ ଚିଲିକା ଅଞ୍ଚଳର ସାମ୍ବାଦିକଙ୍କୁ ନେଇ ଗଠିତ ‘ଶାଳିଆ ପ୍ରେସ କ୍ଲବ’ର ସଭାପତି ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ସମ୍ପାଦକ ସୁଧୀର କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘ ଦ୍ୱାରା ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ଉନ୍ନତି ପାଇଁ ‘ଶାଳିଆ ପ୍ରେସ କ୍ଲବ’ ସର୍ବଦା ବଦ୍ଧପରିକର ବୋଲି ସଂଘ ସଭାପତି ଶ୍ରୀ ସାହୁ ମତ ରଖିଥିଲେ। ତତସହିତ ଅବହେଳିତ, ନିଷ୍ପେସିତ ଏବଂ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ ସଂଘ ଅହରହ ଚେଷ୍ଟିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା।

ପରିଶେଷରେ ଆଗାମୀ ବର୍ଷରେ କ୍ଲବ ପକ୍ଷରୁ ବାଣପୁର-ବାଲୁଗାଁରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ଅନୁଷ୍ଠିତ ସଭାକୁ ଉପସଭାପତି ସିତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରୀୟ ଯୁବଵିକାଶ କାର୍ଯ୍ୟକ୍ରମର ଉଦଯାପନୀର ମହାସମାରୋହ

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶା ସରକାରଙ୍କ ଯୁବବିକାଶ କାର୍ଯ୍ୟକ୍ରମର ଉଦଯାପନୀ ମହାସମାରୋହ ଆଜି ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ଅଡିଟୋରିୟମରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ରୋଟାରିୟାନ ବିଜୟ କୁମର ନନ୍ଦ ମୂଖ୍ୟ ଅତିଥି, ବାଣପୁର ଥାନା ଭାରପ୍ରାପ୍ତ ଅଧକାରୀ ରମେଶ କୁମାର ଦେବତା, ସମ୍ମ।ନିତ ଅତିଥ ଓ ବାଣପୁର ବିଜ୍ଞାପିତକ ଅ°ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନୟକ, ସମ୍ମନିତ ଅତିଥି ପୂର୍ବତନ ଉପାଧ୍ୟକ୍ଷ ଦାଶରଥୀ ସାହୁ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ଏହି ବହୁମୁଖୀ କାର୍ଯ୍ୟକ୍ରମର ଭୁୟସି ପ୍ରସ°ଶା କରିଥିଲେ।

ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଅଧ୍ୟକ୍ଷତା କରିଥିବା ବେଳେ ଡିଗ୍ରୀ ନୋଡାଲ ଅଧିକାରୀ ଡ଼ ଏସ୍ ପି ଏନ୍ ଏସ୍ ବର୍ମା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପାଠପଢିବା ସହ ସଙ୍ଗୀତ, କ୍ରୀଡା, ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନକରିଥିଲେ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର ନୀତନିଷ୍ଠ ହୋଇ ଛାତ୍ର ଜୀବନ ଅତିବାହିତ କରିବାପାଇଁ କହିଥିବା ବେଳେ ଯୁକ୍ତ ଦୁଇ ନୋଡାଲ ଅଫିସର ଜୟନ୍ତ କୁମାର ବିହାରୀ ଦୀର୍ଘ ଏକ ମାସଧରି ଚାଲିଥିବା କାର୍ଯ୍ୟକ୍ରମର ଏକ ସ°କ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ।କୋର୍ଡିନେଟର ରଶ୍ମିତା ମହାରଣା, ହିଟଲର ବେହେରା ବାଦଲ ବେହେରା ନିଜ ନିଜ କ୍ଷେତ୍ରରେ ହୋଇଥିବା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କ ନାମ ଘୋଷଣା କରିଥିଲେ ଓ ଅତିଥି ମାନଙ୍କଦ୍ଵାରା ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅଧ୍ୟାପିକା ମିକି ମନସ୍ଵିନୀ କାର୍ଯ୍ୟକ୍ରମ ସ°ଯୋଯନା କରିଥିଲେ।ଉତ୍ସବରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇ ଏହାକୁ ସମ୍ପୂର୍ଣ୍ଣ ସଫଳ କରିଥିଲେ।ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Categories
ଆଞ୍ଚଳିକ

ଦୀର୍ଘ ୨୦ ବର୍ଷ ପରେ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ମସିହା ସ୍ନାତକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ ଉତ୍ସବ ପାଳିତ ହୋଇଯାଇଛି। ଭୁବନେଶ୍ବର ସ୍ଥିତ ଶିଖରଚଣ୍ଡୀ ପୀଠରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ମାଆ ଶିଖରଚଣ୍ଡୀଙ୍କ ନିକଟରେ ଉପସ୍ଥିତ ବନ୍ଧୁମାନେ ପ୍ରାର୍ଥନା କରି ବନ୍ଧୁ ମିଳନ ଉତ୍ସବକୁ ଆରମ୍ଭ କରିଥିଲେ।

ଏହି ସମୟରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ବନ୍ଧୁମାନେ ଦୀର୍ଘ ୨୦ ବର୍ଷ ପରେ ଏକାଠି ବସି ସୁଖ ଦୁଃଖ ବାଣ୍ଟିବା ସମୟରେ ଛାତ୍ର ଜୀବନର ଅନୁଭୂତିକୁ ମନ ପକାଇ ଭାବ ବିହ୍ଵଳ ହୋଇପଡିଥିଲେ। ହେଲେ ଏହି ସମୟରେ ଆହୁରୀ ଅନେକ ବନ୍ଧୁ ଆସିବାକୁ ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଉକ୍ତ ଉତ୍ସବରେ ସାମିଲ ହୋଇପାରିନଥିଲେ। ତେଣୁ ଏହାକୁ ଆହୁରୀ ସ୍ମରଣୀୟ କରିବା ପାଇଁ ଆଗାମୀ ଫେବୃଆରୀ ମାସରେ ପୁନଃ ବନ୍ଧୁମିଳନ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ପରିସର ମଧ୍ୟରେ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା।

ତେବେ ସିଦ୍ଧାର୍ଥ ଶଙ୍କର ଶ୍ୟାମାପାଦ ଦାଶ ଓ ରଞ୍ଜନ କୁମାର ନାୟକଙ୍କ ସଂଯୋଜନାରେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ସୁମିତ ପ୍ରଜ୍ଞ ଷଡ଼ଙ୍ଗୀ, ରଞ୍ଜୟ କୁମାର ସାହୁ, ସଞ୍ଜୟ କୁମାର ଗୁରୁ, ଅଶୋକ କୁମାର ଘଡ଼ାଇ, ଟି. ମୋହନ ଦାସ, ଦିଲ୍ଲୀପ କୁମାର ସ୍ୱାଇଁ, ଧନେଶ୍ୱର ଭୋଳ, ରଙ୍ଗନାଥ ବେହେରା, ଶକ୍ତିମାନ୍ ପାତ୍ର, ଶକ୍ତି ପ୍ରସାଦ ଦାସ, କୁନା ମୁଦୁଲି, ଗୀତାଞ୍ଜଳି ଦାସ, ସସ୍ମିତା ରାଉତ, ସର୍ବେଶ୍ୱର ନାୟକ ଓ ହିମାଂଶୁ ଶେଖର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଗତ ଦିନର ସ୍ମୃତି, ଅନୁଭୂତି ଆଦାନ ପ୍ରଦାନ କରିଥିଲେ। ଏଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବନ୍ଧୁ ସାମିଲ ଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଗୋଠରୁ ଛେଳି ଚୋରି ଅଭିଯୋଗ, ୪ ମୃତ ଛେଳି ଉଦ୍ଧାର, ଜଣଙ୍କୁ ଅଟକ ରଖିଲା ପୋଲିସ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମନଇଛାପୁର ଗ୍ରାମରେ ୧୦ ଗୋଟି ଛେଳି ଚୋରି ଅଭିଯୋଗରେ ପୋଲିସ ଜଣକୁ ଅଟକ ରଖିଛି।

ସୂଚନା ମୁତାବକ କୁଲେଇ ଗ୍ରାମ ପଞ୍ଚାୟତ ମତପଖରା ଗ୍ରାମର ବଇଁଶୀ ପାତ୍ର ମନଇଚ୍ଛାପୁରର ଜନୈକ ବ୍ୟକ୍ତିଙ୍କ ଜମିରେ ଜମି ଉର୍ବର ପାଇଁ ୧୨ ଗୋଟି ଛେଳି ଗତ ରାତିରେ ଛାଡିଥିଲେ।  ଉକ୍ତ ଛେଳି ମଧ୍ୟରୁ ୧୦ଟି ଛେଳି ଗାଏବ ହେବା ସମ୍ପର୍କେ ବଂଶୀ ବାଣପୁର ଥାନାର ଦ୍ୱାରସ୍ତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ୪ଟି ଛେଳିକୁ ମୃତ ଅବସ୍ଥାରେ ଉଦ୍ଧାର କରାଯଇଥିବା ବେଳେ ସେମାନଙ୍କର ବ୍ୟବଚ୍ଛେଦ କରାଯାଇଛି।

ତେବେ ଅବଶିଷ୍ଟ ଛେଳି ଗୁଡିକୁ ଉଦ୍ଧାର କରାଯାଇ ନଥିବା ବେଳେ ବାଣପୁର ପୋଲିସ ଜଣଙ୍କୁ ଥାନାରେ ଅଟକ ରଖିଛି। ଅଟକ ବ୍ୟକ୍ତି ଜଣକ ବରଡ଼ି ଗ୍ରାମର ବୋଲି ଜଣାପଡିଛି। ପ୍ରକାଶ ଥାଉକି ଆଗକୁ ନୂଆବର୍ଷ ଥିବାବେଳେ ଏକାଧିକ ଛେଳି ଚୋରୀକୁ ନେଇ ଅଞ୍ଚଳରେ କୌତୁହଳ ଦେଖାଯାଇଛି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ‘ଖାଦ୍ୟ ଉତ୍ସବ’ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” ଅନ୍ତର୍ଗତ ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ‘ଖାଦ୍ୟ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଆଠଟି ମହାବିଦ୍ୟାଳୟରୁ ପ୍ରତିଯୋଗୀମାନେ ଆସି ଖାଦ୍ୟ ରନ୍ଧନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ଯୋଗଦେଇଥିବା ବାଲୁଗାଁ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା  ଝରଣା ନାଥ, ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ ଏବଂ ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମନସ୍ତତ୍ଵ ବିଭାଗ ଅଧ୍ୟାପିକା କଲ୍ୟାଣୀ ବୈରୀଗଞ୍ଜନଙ୍କୁ ଗୋଦାବରୀଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ।  +୨ ବିଭାଗର ନୋଡାଲ ଅଫିସର ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଜୟନ୍ତ କୁମାର ବିହାରୀ ପ୍ରତିଯୋଗୀମାନଙ୍କ ବ୍ୟବସ୍ଥା ବୁଝିବା ସହିତ ସେମାନଂକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ରସାୟନ ବିଭାଗର ଅଧ୍ୟାପିକା ଉତ୍କଳିକା ପାଢ଼ୀ, ଅଧ୍ୟାପକ ମନୋଜ ନାୟକ, ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଅଭିଜିତ ସାହୁ, ଦର୍ଶନ ଅଧ୍ୟାପକ ହିଟଲର ବେହେରା ଏବଂ ଇଂରାଜୀ ବିଭାଗର ଅଧ୍ୟାପିକା ମିକି ମନସ୍ବିନୀ। ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି କରିବା ସହିତ ମାଣ୍ଡିଆକୁ ପ୍ରାଥମିକତା ଦେଇ ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ ରନ୍ଧନ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ରାଣୀପଡା ଗ୍ରାମରେ ଅଗ୍ନିକାଣ୍ଡ, ସଟ ସର୍କିଟ ସନ୍ଦେହ

ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଯାଇଛି। ଉକ୍ତ ଗ୍ରାମର ରବୀନ୍ଦ୍ର ବାରିକ ଘରେ ଶୋଇଥିବା ବେଳେ ରାତି ପାଖାପାଖି ୨ ଘଟିକା ସମୟରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା।

ଚାହୁଁ ଚାହୁଁ ଦୁଇ ବଖରା ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲା। ତେବେ ରବୀନ୍ଦ୍ରଙ୍କ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ରବୀନ୍ଦ୍ର ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ଉଦଯାପନୀ ଦିବସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତିନି ଦିବସ ବ୍ୟାପି ଅନୁଷ୍ଠିତ ରଜତ ଜୟନ୍ତୀ ସମାରୋହ ଆଜି ଉଦଯାପିତ ହୋଇଯାଇଛି। ଉକ୍ତ ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ଯୋଗଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତି ସଭପତି ରାଜକିଶୋର ଭୋପାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶା ସଭାପତି ଡଃ କିଶୋର ଚନ୍ଦ୍ର ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ ଅଧ୍ୟକ୍ଷ ଡା ସମ୍ବିତ ପାତ୍ର ଏବଂ ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରା ଯୋଗଦେଇଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତିକୁ ପଛରେ ପକାଇ ନିଜ ସଭ୍ୟତାକୁ ଆପଣାଇବାକୁ କହିଥିଲେ।

ବିଦ୍ୟାଳୟରେ ଗୁରୁଜୀ ଗୁରୁମା ମାନେ ବିଦ୍ୟାର ଶିକ୍ଷାଦିଅନ୍ତି କିନ୍ତୁ ଭଲ ମଣିଷ ହେବାକୁ ହେଲେ ନିଜ ପରିବାରର ସବୁଠାରୁ ଅଧିକ ଦାଇତ୍ୱ। ତେଣୁ ପିଲା ମାନଙ୍କୁ ଭଲ ମଣିଷ ହେବାକୁ ଶିକ୍ଷା ଦେବାପାଇଁ ଅତିଥି ମାନେ ଉପସ୍ଥିତ ଅଭିଭାବକମାନଙ୍କୁ ଉପଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପିଲା ମାନଙ୍କୁ ଈଶ୍ୱର ବିଶ୍ୱାସୀ ହେବା ପାଇଁ ମୁଖ୍ୟ ଅତିଥି ପ୍ରେରଣା ଦେଇଥିଲେ।

ସମସ୍ତ ଅତିଥି ମାନେ ନିଜର ଅଭିଭାଷଣ ରଖିବା ସହ ରାଷ୍ଟ୍ର ଗଠନ ଦିଗରେ ସରସ୍ବତୀ ଶିଶୁ ମନ୍ଦିରର ଭୂମିକା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରିଚାଳନା ସମିତି ସମ୍ପାଦକ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ କ୍ରୀଡାପରିଷଦର ବାର୍ଷିକ ଉତ୍ସବ ଆୟୋଜିତ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ କ୍ରୀଡାପରିଷଦର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ୨୬ ଓ ୨୭ ତାରିଖ ଦୁଇଦିନ ଧରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ ଆଜି ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟଙ୍କ ସଭାପତିତ୍ୱ ରେ ଆୟୋଜିତ ଭଵ୍ୟ ସମାରୋହରେ ନୂତନ ଓଡିଶା ଉନ୍ନତ ଓଡିଶା ଆନୁକୂଲ୍ୟରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ଶୂରପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷ ବିନାୟକ ହୋତା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।କ୍ରୀଡାପରିଷଦର ଉପ ସଭାପତି ପୁଲୀନ ବିହାରୀ ଜେନା ବିବରଣୀ ପିଠ କରିଥିଲେ ଅତିଥିଭାବରେ ବାଣପୁର ବିଜ୍ଞାପିତ ଅ°ଚଳ ପରିଷଦର ଅଧ୍ୟକ୍ଷ ଶ୍ରୁ ମିଟୁ ନାୟକ ପୁରସ୍କାର ପ୍ରଦାନକରି ମହାବିଦ୍ୟାଳୟର ବିକାଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ପୁରାତନ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଓ ବର୍ତ୍ତମାନର କ୍ରୀଡା ଶିକ୍ଷକ ଦେବାଶିଷ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର, ନୋଡାଲ ଅଫିସର ଜୟନ୍ତ କୁମାର ବିହିରୀ, କ୍ରୀଡାପରିଷଦର ସହ ଉଫ ସଭାପତି ଅଜୟ କୁମାର ଦାଶ, ପ୍ରଭାତ କୁମାର ଶାସମଲ, ଆଶ୍ଵିନୀ ବାରିକ, ଚିତ୍ରସେନ ପ୍ରଧାନ ଓ ଏନ୍ ସି ସି ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

ଏନ୍ ସି ସି ଅଧିକାରୀ ଡ଼ ଗୁରୁକିଶୋର ନାୟକ ମ°ଚ ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।

Categories
ଆଞ୍ଚଳିକ

ଗମ୍ଭାରିମୁଣ୍ଡା: ୨୯ ବର୍ଷ ପରେ ପତିତପାବନ ବାଣୀ ମନ୍ଦିରର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ ବାଣୀ ମନ୍ଦିର ୧୯୯୪ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା’ ଖିଲାମୁଣ୍ଡାଙ୍କ ପିଠରେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ କାଶୀନାଥ ଲେଙ୍କା, ଧନେଶ୍ଵର ଭୋଳ, ସୁରେଶ ସାମନ୍ତରାୟ, ଦୂର୍ଗାପ୍ରସାଦ ମହାରଣା, ଗୌରହରି ଦଳବେହେରା ଓ ଯୁଧିଷ୍ଠିର ସ୍ଵାଇଁଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା।

ଦୀର୍ଘ ୨୯ ବର୍ଷ ପରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ। ଯାହାକୁ ନେଇ ୧୯୯୪ ବ୍ୟାଚର ବନ୍ଧୁମାନେ ଭାବବିହ୍ଵଳ ହୋଇପଡିଥିଲେ। ଏହି ସମୟରେ ବନ୍ଧୁମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା। ଏତେ ବର୍ଷର ବ୍ୟବଧାନ ଯୋଗୁଁ ସମସ୍ତ ବନ୍ଧୁମାନଙ୍କର ଚେହେରାରେ ଅନେକ ପରିବର୍ତ୍ତନ ଘଟିଥିବାରୁ ପରସ୍ପରକୁ ଚିହ୍ନିବାରେ କଷ୍ଟକର ହୋଇପଡିଥିଲା। ତଥାପି ସେମାନେ ପୁରୁଣା ସ୍ମୃତିକୁ ମନ ପକାଇ ନିଜ ନିଜ ମଧ୍ୟରେ ପରିଚିତ ହୋଇଥିଲେ।

ତେବେ ସେମାନଙ୍କର ମିଳିତ ପ୍ରୟାସରେ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ଚଳିତ ବର୍ଷ ପରି ଆଗାମୀ ବର୍ଷ ମାନଙ୍କରେ ଏଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବ ଏବଂ ରହିଯାଇଥିବା ବନ୍ଧୁମାନଙ୍କୁ ଏକାଠି କରିବାକୁ ପ୍ରୟାସ କରିବେ ବୋଲି ଆମ ପ୍ରତିନିଧିଙ୍କୁ ୧୯୯୪ ବ୍ୟାଚର ବ୍ୟବସ୍ଥାପକ ଗ୍ରୁପ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ଛତିଶଗଡ ରାଜ୍ୟପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତିନିଦିନ ଧରି ପାଳନ ହେବାକୁ ଥିବା ରଜତ ଜୟନ୍ତୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି। ସକାଳେ କଳସ ଓ ମଶାଲ ଶୋଭାଯାତ୍ରା ମା’ଭଗବତୀ ମନ୍ଦିରରୁ ବାହାରି ବିଦ୍ୟାଳୟରେ ପହଁଚିଲା ପରେ ଅପରାହ୍ନରେ ଗାୟତ୍ରୀ ମହାଯଂଜ୍ଞ, ଏବଂ ଶାରୀରିକ ଓ ରଙ୍ଗମଞ୍ଚ ଅନୁଷ୍ଠିତ ହୋଇଥିଲା।

ଆଜିର ଉଦଘାଟନ ଉତ୍ସବର ସଭା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜକିଶୋର ଭୋପାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ସଭାପତି କୁଳମଣି ମିଶ୍ର, ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଗୁଜୁରାଟ ବାନପ୍ରସ୍ତ ସାଧକ ଆଶ୍ରମ ସଚିବ ସ୍ୱାମୀ ମୁକ୍ତାନନ୍ଦଜୀ ପରିବ୍ରାଜକ ଯୋଗ ଦେଇଥିଲେ।

ମୁଖ୍ୟବକ୍ତାଙ୍କ ଅଭିଭାଷଣରେ ଅଭିଭାବକମାନେ ନିଜ ମନର କଥାକୁ ପିଲା ଉପରେ ଲଦି ଦିଅନ୍ତୁ ନାହିଁ ବୋଲି କହିଥିଲେ। ପିଲାର ମସ୍ତିକ ଧାରଣ କ୍ଷମତାଠାରୁ ଅଧିକ ବୋଝ ନ ଲଦି ପିଲା ଉପରେ ଭରସା ରଖନ୍ତୁ। ଏହି ବିଦ୍ୟାମନ୍ଦିରରେ ଖାଲି ବିଦ୍ୟା ଅଧ୍ୟୟନ କରାଯାଇ ନଥାଏ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବାକୁ ମଧ୍ୟ ପିଲା ମାନଙ୍କୁ ଶିକ୍ଷା ଦିଆଯାଏ।

ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଭାରତର ସଂସ୍କୃତିକୁ ସାରା ବିଶ୍ୱ ଆଜି ଗ୍ରହଣ କରିଛି ବୋଲି କହିଥିଲେ। ଭାରତର ସଂସ୍କୃତି ଯୁଦ୍ଧ ନୁହେଁ ସର୍ବଦା ଶାନ୍ତିର ବାର୍ତ୍ତାଦିଏ। ଭାରତୀୟ ଦର୍ଶନ ହେଉଛି ବସୁଧେୟିବ କୁଟୁମ୍ବକମ। ତେଣୁ ଏହି ଦର୍ଶନରେ ଅନୁପ୍ରାଣିତ ହେବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବାଣପୁର ମାଟି ହେଉଛି ଏକ ବୀର ମାଟି, ଏହାର ଐତିହ୍ୟ ବହୁ ପ୍ରାଚୀନ, ଏ ଜାତି ହେଉଛି ସ୍ୱାଭିମାନର ଜାତି। ଏହାକୁ ରକ୍ଷା କରିବା ଦାୟିତ୍ୱ ହେଉଛି ପିଲା ମାନଙ୍କର। ମୋ ମା, ମୋ ମାଟି, ମୋ ଭାଷା ଓ ମୋ ଦେଶକୁ ରକ୍ଷା କରିବାକୁ ମହାମହିମ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ବାଣପୁର ଅଂଚଳର ବିଭିନ୍ନ ବର୍ଗ ଯଥା ଶିକ୍ଷାବିତ, ଡାକ୍ତର ଏବଂ ସମାଜସେବୀଙ୍କୁ ଉପଢୌକନ ଦେଇ ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।  ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରାଜ୍ୟପାଳଙ୍କ ଆଗରେ ପାଇକ ଆଖଡ଼ାର କଳା କୌଶଳ ପ୍ରଦର୍ଶନ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିଥିଲେ।

ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ: ବିପୁଳ ପରିମାଣରେ ପୋଚ ଓ ଦେଶୀ ମହୁଲି ମଦ ଜବତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଜଙ୍ଗଲ ଏବଂ ଦାଶରଥିପୁର ଗ୍ରାମରେ ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣରେ ପୋଚ ଓ ଦେଶୀ ମହୁଲି ମଦ ଜବତ କରି ନଷ୍ଟ କରିଛି। ଚଢ଼ାଉରେ ସମୁଦାୟ ୧୯୬୦୦ କେଜି ମହୁଲ ପୋଚ ଏବଂ ୧୪୬୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇ ନଷ୍ଟ କରାଯାଇଛି। ତେବେ ଜଙ୍ଗଲର ସୁଯୋଗ ନେଇ ଅଭିଯୁକ୍ତ ମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ଉକ୍ତ ଚଢ଼ାଉରେ ବାଣପୁର ତହସିଲଦାର ପଦ୍ମନାଭ ଦୋରା,ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନା, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ମୋବାଇଲ ଏସଆଇ ରୋହିତ ଦଣ୍ଡସେନା, ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର, ଟାଙ୍ଗୀ ଅବକାରୀ ଅଧିକାରୀ ତପନ ସ୍ୱାଇଁ, ଖୋର୍ଦ୍ଧା ଅବକାରୀ ଅଧିକାରୀ ପ୍ରକାଶ ଷଡ଼ଙ୍ଗୀ ଏବଂ ବାଣପୁର ପୋଲିସ ଏବଂ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ବାଣପୁର ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲରେ ଅନୁଷ୍ଠିତ ହେଲା ‘ମାଗଣା ହାଟ’

ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ପରିସରରେ ଆଜି ‘ମାଗଣା ହାଟ’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ବହୁ ହିତାଧିକାରୀମାନେ ନିଃଶୁଳ୍କ ଭାବେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉକ୍ତ ହାଟରୁ ଗ୍ରହଣ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ସ୍କୁଲ ପକ୍ଷରୁ ପୂର୍ବରୁ ବାଣପୁରବାସୀଙ୍କ ଠାରୁ ସଂଗ୍ରହ କରାଯାଇଥିବା କମ୍ବଳ, ଚାଉଳ, ପୋଷାକ, ପାଠ୍ୟ ଉପକରଣ, ଶିଶୁ ମାନଙ୍କ ପୋଷାକ ଆଦିକୁ ନିଃଶୁଳ୍କ ଭାବେ ହାଟ ମାଧ୍ୟମରେ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଉକ୍ତ କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାର ଦେଖାଯାଇଛି। ପାଖାପାଖି ଚାରି ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ମାନେ ଉକ୍ତ ହାଟକୁ ଆସି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଗ୍ରହର ସହକାରେ ଗ୍ରହଣ କରିଥିଲେ।

ମାତ୍ର କେଇ ଘଣ୍ଟା ମଧ୍ୟରେ ହାଟ ଖାଲି ହୋଇଯାଇଥିବାର ଦେଖିବାକୁ ମିଳିଥିଲା। ଏପରିକି ବହୁ ବଞ୍ଚିତ ହିତାଧିକାରୀ ମାନେ ଅଗ୍ରିମ ହାଟ ପାଇଁ ଉତ୍କଣ୍ଠାର ସହକାରେ ଚାହିଁ ବସିବା ସହ ସେମାନଙ୍କ ନାମ ମଧ୍ୟ ପଞ୍ଜିକରଣ କରିଛନ୍ତି।

ତେବେ ଏହାକୁ ମିଶାଇ ଚତୁର୍ଥ ଥର ବାଣପୁରରେ ଏପରି କାର୍ଯ୍ୟକ୍ରମ ହୋଇଥିବାବେଳେ ସମଗ୍ର ବାଣପୁରବାସି ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲର ଉକ୍ତ ମହତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଛନ୍ତି। ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବରାଜ ପାଲଟାସିଂହ,ସତ୍ୟନାରାୟଣ ପ୍ରଧାନ, ରବିନାରାୟଣ ହୋତାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର ହଳନ୍ଦା ଉପ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ

ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ହଳନ୍ଦା ଉପ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ ସଭାପତି ଗୋପୀନାଥ ମହାରଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ସାତଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମାଣଧୀନ ବାୟୋଲୋଜିକାଲ ପ୍ଲାଣ୍ଟ ଏବଂ୬୫ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ନୂତନ ମେଡିକାଲ ଗୃହ ବାବଦରେ ପୁଙ୍ଖାନୁଫଙ୍ଖ ଆଲୋଚନା କରାଯାଇଥିଲା।

ଉପ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଗ୍ରାମଗୁଡିକର ଜନସାଧାରଣଙ୍କ ପାଇଁ ସାପ କାମୁଡା, କୁକୁର କାମୁଡା ଇଞ୍ଜେକ୍ସନ ମହଜୁଦ ରଖିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଗକୁ ଖରାଦିନ ଆସିବାକୁ ଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଂଶୁଘାତ ଜନିତ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲିବାକୁ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଏଠାରେ ଜରୁରୀ କାଳୀନ ସେବା ନିମିତ୍ତ ଏକ ୧୦୮ ଆମ୍ବୁଲାନ୍ସ ସେବା ଉପଲବ୍ଧ କରିବାକୁ ସ୍ଥାନୀୟ ଜନସାଧାରଣ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କୁ ଅନୁରୋଧ କରିଥିଲେ। ଉକ୍ତ ବୈଠକରେ ସମସ୍ତ ଆଶାକର୍ମୀ, ଉପ ସ୍ଵାସ୍ତ୍ୟଅଧିକାରୀ ଶ୍ରୀମତୀ ସୁନନ୍ଦା ମିଶ୍ର, ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁରବାସୀ ପଚାରୁଛନ୍ତି: ହେ.. ଏନଏସି, ହୋ.. ପୁର୍ତ୍ତ ବିଭାଗ, ଆଉ କେତେଦିନ ଶୋଇବ ??

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏକ ବହୁ ପୁରାତନ ଓ ଗୁରୁତ୍ୱପୂର୍ଣ ସହର ହୋଇଥିବା ବେଳେ ୧୯୭୩ ମସିହାରେ ଏହାକୁ ଏନଏସି ମାନ୍ୟତା ମିଳିଥିଲା। ତେବେ ୫୦ ବର୍ଷ ପରେ ମଧ୍ୟ ସହରର ଆଖିଦୃଷ୍ଟିଆ ଉନ୍ନତି ହୋଇପାରିନାହିଁ। ପ୍ରଶାସନ ଓ ରାଜନେତାଙ୍କ ଇଛାଶକ୍ତି ଅଭାବରୁ ସହରରେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ।

ବାଣପୁର ଏନଏସି ର ମୁଖ୍ୟ ସମସ୍ୟା ଡ୍ରେନେଜ ଓ ପାର୍କିଂ ହୋଇଥିବା ବେଳେ ଏଥିପ୍ରତି ଆଖି ବୁଜିଦେଇଛି ପ୍ରଶାସନ। ସହରର ଦୋଳବେଦି ଛକଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବାବେଳେ ଏଥି ପ୍ରତି ଟିକେ ହେଲେ ଦୃଷ୍ଟି ଦେଉନି ପ୍ରଶାସନ।

ହସ୍ତଗତ ତଥ୍ୟ ମୁତାବକ ଉକ୍ତ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଏହି ବିଭାଗର। ତେବେ ଉକ୍ତ ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି। ଦୁଇ ଦଶନ୍ଧି ପୁର୍ବରୁ ନିର୍ମାଣ ହୋଇଥିବା ଏହି ରାସ୍ତାର ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡିଛି। ରାସ୍ତାରେ ଏକାଧିକ ସ୍ଥାନରୁ କଂକ୍ରିଟ ଉଠିଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଖାଲଖମା ଓ ଫାଟ ସୃଷ୍ଟି ହୋଇଛି। ଫଳରେ ନିତିଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।

ଅନୁରୂପ ଭାବେ ଉକ୍ତ ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ମୁଖ୍ୟରାସ୍ତା ଜଳମଗ୍ନ ହେଉଛି ଫଳରେ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଣପୁର ସହରରେ ଡ୍ରେନେଜ ବ୍ୟବସ୍ଥା ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଥିବା ବେଳେ ଏଯାବତ ଏହାର ସମାଧାନ କରିବା ଦିଗରେ ବିଫଳ ରହିଛି ପୂର୍ତ୍ତ ବିଭାଗ।

ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ଏକାଧିକ ଥର ଅବଗତ କରାଯାଇଥିବା ବେଳେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉଦ୍ୟମକ୍ରମେ ମୁଖ୍ୟ ରାସ୍ତା ଡ୍ରେନେଜ ନିର୍ମାଣ ପାଇଁ ଗତବର୍ଷ ପାଖାପାଖି ୨୧ କୋଟି ଅର୍ଥରାଶିର ଏସ୍ଟିମେଟ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଇଯାଇଥିବା ବେଳେ ତାହା ଅଦ୍ୟାବଧି ମଞ୍ଜୁର ହୋଇନାହିଁ। ଯାହାଫଳରେ ଚଳିତ ବର୍ଷାଋତୁରେ ପୁଣି ଜଳମଗ୍ନ ହେବ ବାଣପୁର।

ସେହିପରି ଭାବେ ଅଗଷ୍ଟ ୮ ତାରିଖରେ ୫-ଟି ଅଧ୍ୟକ୍ଷଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ନିକଟରେ ତହସିଲ ଓ ପୂର୍ତ୍ତବିଭାଗ ପକ୍ଷରୁ ଅସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ କିଛି ରାସ୍ତା ଖୋଳାଯାଇଥିବା ବେଳେ ଅଦ୍ୟାବଧି ସାଢେ ଚାରି ମାସ ହେଲାଣି କିନ୍ତୁ ଏଯାବତ କୌଣସି ଡ୍ରେନେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହଁ।

ଯାହାଫଳରେ ପ୍ରବଳ ଜନଅସନ୍ତୋଷ ଦେଖାଯାଇଛି। ସେହି ସମୟରେ ୫-ଟି ଅଧ୍ୟକ୍ଷଙ୍କ ବାଣପୁର କାର୍ଯ୍ୟକ୍ରମ ବାତିଲ ହୋଇ ନାଚୁଣୀ ହୋଇଯାଇଥିବାରୁ ପୂର୍ତ୍ତବିଭାଗ ଆଉ ଏଥିପ୍ରତି ଦୃଷ୍ଟି ଦେଉନି ବୋଲି ଅଭିଯୋଗ ହେଉଛି। ଖୋଳାଯାଇଥିବା ରାସ୍ତା କଡ଼ରେ ଥିବା ବାସିନ୍ଦା ଓ ଦୋକାନୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏଥି ଲାଗି ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ହେଉଛି।

ଅନ୍ୟପକ୍ଷରେ ଏପରି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ନଦେଇ ପୂର୍ତ୍ତବିଭାଗ ଚୁପ ବସିଛି। ପୂର୍ତ୍ତବିଭାଗ ଅଧୀନରେ ଥିବା ମୁଖ୍ୟରାସ୍ତାର ଉଭୟପାର୍ଶ୍ୱରେ ଜବରଦଖଲ ଥିବା ବେଳେ, ଏହାକୁ ଉଛେଦ କରିବା ଦିଗରେ କୌଣସି ପଦକ୍ଷେପ ମଧ୍ୟ ଗ୍ରହଣ କରୁନାହିଁ ବିଭାଗ। ଯାହାଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟିହେଉଛି। ସମ୍ପ୍ରତି ଚିଲିକା ନିର୍ବାଚନମଣ୍ଡଳି ବିଧାୟକ ଶୂନ୍ୟ ଥିବା ବେଳେ ଅନ୍ୟାନ୍ୟ ନିର୍ବାଚିତ ଜନପ୍ରତିନିଧି ମଧ୍ୟ ଚୁପ ବସିଛନ୍ତି। କାହାକୁ ଉକ୍ତ ସମସ୍ୟା ଦେଖାଯାଉନାହିଁ।

ବାଣପୁର ତହସିଲଦାର, ବିଡିଓ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଉକ୍ତ ସମସ୍ୟାକୁ ଦେଖି ନଦେଖିଲା ପରି ଚୁପ ରହୁଛନ୍ତି। ପ୍ରତିଦିନ ସମସ୍ତ ଅଧିକାରୀ ମାନେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ସମସ୍ୟାର ସମାଧାନ ଦିଗରେ କାହାରି ଆନ୍ତରିକତା ରହୁନାହିଁ।

ତେବେ ଏ ନେଇ ପୂର୍ତ୍ତବିଭାଗ ବାଲୁଗାଁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁଙ୍କୁ ଯୋଗାଯୋଗ କରାଯିବାରୁ ପେଟ୍ରୋଲ ପମ୍ପ ଡ୍ରେନ ନିର୍ମାଣ କାର୍ଯ୍ୟ ଦିନେ ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି କହିଛନ୍ତି। ସେହିପରି ଭାବେ ମୁଖ୍ୟ ରାସ୍ତାର ସ୍ଥାୟୀ ମରାମତି କାର୍ଯ୍ୟ ଆଗାମୀ ଆର୍ଥିକ ବର୍ଷରେ ହେବ ବୋଲି କହିବା ସହ ଖୁବଶୀଘ୍ର ସାମୟିକ ମରାମତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ତେବେ ଏ ଦିଗରେ ଖୋର୍ଦ୍ଧା ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବାପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର: ଭାରତୀୟ ଜନତା ପାର୍ଟିର ସିଦ୍ଧେଶ୍ଵରୀ ମଣ୍ଡଳର‌ ଚ଼ିନ୍ତନ ବୈଠକ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଗମ୍ଭାରୀମୁଣ୍ଡା ଠାରେ ଭାରତୀୟ ଜନତା ପାର୍ଟି ସିଦ୍ଧେଶ୍ଵରୀ ମଣ୍ଡଳର‌ ଚ଼ିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ଲୋକପ୍ରିୟ ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ଖୋର୍ଦ୍ଧା ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ଶିକ୍ଷାବିତ୍ ତଥା ଦଳର ପୁରୁଖା ନେତା ଗୋଲକ ବିହାରୀ ପଟ୍ଟନାୟକ, ବରିଷ୍ଠ ନେତା ରମେଶ ଚନ୍ଦ୍ର ସାମନ୍ତସିଂହାର, ମାଧବ ପ୍ରଧାନ, ଗମ୍ଭାରୀମୁଣ୍ଡା ପଞ୍ଚାୟତର‌ ସମିତିସଭ୍ୟା ଅନିତା ପ୍ରଧାନ‌, ମଣ୍ଡଳ ସାଧାରଣ ସମ୍ପାଦକ ତପନ ପ୍ରଧାନ, ବିସ୍ତାରକ ଦେବେନ୍ଦ୍ର ପାଇଟିଆଲ୍, ଶରତ ଛାଟୋଇ, ପ୍ରକାଶ ବେହେରା, ପ୍ରଭାଶିଷ ପ୍ରଧାନ, ଦେବେନ୍ଦ୍ର ହରିଚ଼ନ୍ଦନ ଯୋଗ ଦେଇଥିଲେ।

ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବିସ୍ମୃତ ଆଲୋଚ଼ନା ହେବା ସହ ସଂଗଠନ କୁ ବୁଥ୍ ସ୍ତରରେ ଆହୁରି ଦୃଢ଼ କରିବା ପାଇଁ ଆଲୋଚ଼ନା ହୋଇଥିଲା। ଏହି ବୈଠକରେ ମଣ୍ଡଳ ର ସମସ୍ତ ଛାମୁଆ ନେତା ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ବିଷ ପିଇ ଆତ୍ମହତ୍ୟା କଲେ ମହିଳା

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଆତ୍ମହତ୍ୟା ଜନିତ ମାମଲା ସାମ୍ନାକୁ ଆସିଛି। ଅପରାହ୍ନରେ ବିଷ୍ଣୁଡିହ ଗ୍ରାମର ସୁଦାମ ବାରିକଙ୍କ ପତ୍ନୀ ପଲିଶ୍ରୀ ବାରିକ (୪୬) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ପଲ୍ଲିଶ୍ରୀ କୌଣସି କାରଣରୁ ଆଜି ଅପରାହ୍ନରେ ଘରେ ବିଷ ପିଇଦେଇଥିଲେ। ପରିବାରବର୍ଗ ସଙ୍ଗେସଙ୍ଗେ ତାଙ୍କୁ ବାଲୁଗାଁ ମେଡିକାଲ ନେଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ପଲିଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ବାଣପୁର ଥାନାକୁ ଡାକ୍ତର ସୂଚନା ଦେବା ପରେ ପୋଲିସ ବାଲୁଗାଁ ମେଡିକାଲ ଯାଇ ମୃତ ପଲ୍ଲିଶ୍ରୀଙ୍କ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବାଣପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବ୍ଲକ୍ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଣପୁର ଆଜି ୨୫ ଟି ପାହାଚକୁ ପଛରେ ପକାଇ ତାର ବିମୋହିତ ପରିସରରେ ପାଳନ କରିବାକୁ ଯାଉଛି “ରଜତ ଜୟନ୍ତୀ” ସମାରୋହ। ସେହି ସମାରୋହ ନିମନ୍ତେ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ୍ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ରକ୍ତ ଦାନ ଶିବିର।

ପ୍ରତିଯୋଗିତା ବିଭାଗରେ ବକୃତା, କୁଇଜ୍, ପ୍ରବନ୍ଧ ଆଦି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ। ତଦନୁସାରେ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଡା. ମଧୁସୂଦନ ସେନାପତି ଓ ତାଙ୍କ ସହଯୋଗୀ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତି, ବିଦ୍ଵତ ପରିଷଦ, ପ୍ରଧାନ ଆଚାର୍ଯ୍ୟ, ଆଚାର୍ଯ୍ୟ/ଆଚାର୍ଯ୍ୟା ବୃନ୍ଦଙ୍କ ପୂର୍ଣ୍ଣ ସହଯୋଗରେ ଉକ୍ତ ଶିବରର କାର୍ଯ୍ୟ ସମାପ୍ତ ହୋଇଥିଲା।

ଏହି ଶିବିରରେ ଗୁରୁଜୀ ଗୁରୁମା, ଅଭିଭାବକ, ପୂର୍ବ ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁ ବୃନ୍ଦ ମାନେ ରକ୍ତଦାନ କରି ଶିବିରକୁ ସଫଳ କରିବାରେ ହାତ ବଢାଇଥିଲେ।

Categories
ଆଞ୍ଚଳିକ

ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରରେ ନୂଆଁଖାଇ: ମା’ଙ୍କ ପାଖରେ ଲାଗି ହେଲା “ନବାନ୍ନ”

ବାଣପୁର (ସୀତାରାମ ଅଗ୍ରୱାଲ): ବିଛା ୨୮ ଦିନ, ମାର୍ଗଶୀର ଶୁକ୍ଳ ଦ୍ଵିତୀୟା ତିଥି ଗୁରୁବାର ଅମୃତବେଳାରେ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ଓ ମା’ ଭଗବତୀଙ୍କ ପାଖରେ ଲାଗି ହେଲା “ନବାନ୍ନ”। କାହିଁ କେଉଁ କାଳରୁ ଚଳି ଆସିଥିବା ପରମ୍ପରା ଅନୁସାରେ ମନ୍ଦିରଗଣକ ଶରତ ଚନ୍ଦ୍ର ପଣ୍ଡିତରାୟ ପ୍ରଥମେ ଲଗ୍ନସ୍ଥିର କରି ଚିଟାଉ ଦେଇଥିଲେ। ସେହି ଅନୁସାରେ ମା’ଙ୍କ ଜମିରୁ ଆଦାୟ ନୂଆ ଧାନ ନୂଆବିରି ଆଣି ଚାଷି ଉପିପ୍ରଧାନ ମନ୍ଦିର କାର୍ଯ୍ୟାଳୟରେ ଜମା ଦେଇଥିଲେ। ନୂଆ ଧାନରୁ ନୂଆ ଚାଉଳ, ନୂଆ ଚୁଡ଼ା ପ୍ରସ୍ତୁତ ହୋଇଥିଲା। ପ୍ରତ୍ୟୁଷରୁ ବେଢ଼ା ଖାଡ଼କା ବୁଲି ପ୍ରଧାନ ମନ୍ଦିର ବାହାର ବେଢ଼ା ଓ ପାଳିଆ ମାଳି ପବିତ୍ର ନାୟକ, ଶିବ ନାୟକ, ସଂଗ୍ରାମ ମହାପାତ୍ର ଶଙ୍କର ନାୟକ ଭିତର ଶୋଧ କରି ଧୋପଖାଳ କରିଥିଲେ।

ସୁଆର ସେବକ ଟୁଟୁ ପଣ୍ଡା, ରଂଜନ ଷଡ଼ଙ୍ଗୀ ଗୋବର ଗଙ୍ଗାଜଳରେ ରୋଷଶାଳା ଲିପା ପୋଛା କରି ଶୋଧ କରିଥିଲେ। ନୂଆ ଚୁଲିପଡ଼ିଥିଲା। ଦେବା ଦେବୀଙ୍କୁ ନୂତନ ବସ୍ତ୍ର, ଏଣ୍ଡୁରିପାଇଁ ନୁଆଁ ହାଣ୍ଡି ନୂଆ ଅଥର କନା ସହିତ ସମସ୍ତ ଦ୍ରବ୍ୟ ମନ୍ଦିର କାର୍ଯ୍ୟାଳୟରୁ ଆଣି କାଳୁ ଦଣ୍ଡ ସେଣା ଯୋଗାଇ ଦେଇଥିଲେ। ସକାଳୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପସ୍ରାଦ ଅର୍ପଣ, ବେଶ, ବଲ୍ଲଭ ଆଳତୀ,ସାଧାରଣ ଦର୍ଶନ ପରେ ଅମୃତ ବେଳା ଦିବା ୨ ଘ/ ୧୭ମି ଗତେ ଦେବା ଦେବୀଙ୍କ ପାଖରେ ନୂଆ ଚାଉଳ ନୂଆବିରି, ନୂଆ ଚୂଡାରୁ ପ୍ରସ୍ତୁତ ଖେଚେଡ଼ି, ଡାଲି,ଆମ୍ବିଳ, ମହୁର, ଶାଗମୁଗ,ଏଣ୍ଡୁରି, ଘସା ବିଡ଼ିଆ, ଫଳ ମୂଳ ଇତ୍ୟାଦି ନୈବେଦ୍ୟ ଆକାରରେ ଠା କରାଯାଇ ଘଣ୍ଟା କାହାଳି ବୀର ବାଦ୍ୟବାଜି ପରିଛା ସାଆନ୍ତ ପ୍ରସନ୍ନ ମହାପାତ୍ର ଧୂପ ବଢାଇ ଆଳତି କରିଥିଲେ। ପରମ୍ପରା ଅନୁସାରେ ମା’ଙ୍କୁନବାନ୍ନ ଲାଗି ପର୍ଯ୍ୟନ୍ତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ କୌଣସି ପ୍ରକାର ଯଜମାନି ଭୋଗରାଗ ଲାଗି ବନ୍ଦ ଥିଲା।

ପରେନିଯୋଗୀ ସେବାୟତମାନେ ମା’ଙ୍କ ନବାନ୍ନ ପ୍ରସାଦ ସେବନ କରି ସମସ୍ତ ଶ୍ରଦ୍ଧାଳୁଙ୍କୁ ମଧ୍ଯ ନବାନ୍ନପ୍ରସାଦବଣ୍ଟନ କରିଥିଲେ। ମା’ ଙ୍କ ମନ୍ଦିରର ପ୍ରଚଳିତ ଏହି ନବାନ୍ନ ନୀତିକାନ୍ତି ସଂପୂର୍ଣ୍ଣ ନିଆରା ଢ଼ଙ୍ଗରେ ପାଳିତ ହେବାର ବିଧି କାହିଁ କେଉଁ କାଳରୁ ଚଳି ଆସୁଥିବା କଥା ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଞ୍ଚଳିକ

ବାଣପୁର ମା ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ତଦାରଖ କଲେ ଓବିସିସି ଟିମ

ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିରର ରୂପାନ୍ତରିକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଓବିସିସି ର ଏକ ଉଚ୍ଚସ୍ତରୀୟ ଟିମ ଗତକାଲି ଅନୁଧ୍ୟାନ କରିଛନ୍ତି। ଓବିସିସି ଏମଡ଼ି ଜୟକୃଷ୍ଣ ଦାସଙ୍କ ନେତୃତ୍ୱରେ ସିନିଅର ସିଜିଏମ ପୂର୍ଣଚନ୍ଦ୍ର ମହାପାତ୍ର, ସିଜିଏମ ପ୍ରିୟବ୍ରତ ସାମନ୍ତରାୟ, ଜିଏମ ଅକ୍ଷୟ କୁମାର ସାହୁ ଏବଂ ଠିକାଦାର ବଳଦେବ ପଣ୍ଡା ଆଦି ମନ୍ଦିର ଯାଇ ତଦାରଖ କରିଥିଲେ।

ଉକ୍ତ ଟିମ ମନ୍ଦିରରେ ଆରମ୍ଭ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ସହ 5T ରେ ମନ୍ଦିରର ରୂପାନ୍ତରିକରଣ, ବସ ପାର୍କିଙ୍ଗ, ପ୍ରାଚୀର ନିର୍ମାଣ ଆଦି ବିଭିନ୍ନ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ନିକଟରେ ଉକ୍ତ ଉନ୍ନୟନ ପ୍ରକଳ୍ପରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଓବିସିସି ଏମଡ଼ି ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିନିମନ୍ତେ ସେ ବାଣପୁର ଜନସାଧାରଣଙ୍କ ସହାୟତା ମଧ୍ୟ ଲୋଡିଛନ୍ତି ।