Categories
ଆଞ୍ଚଳିକ

ବାଲୁଗାଁ: ଉଦଯାପିତ ହେଲା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଉତ୍କଳ ବିଶଵବିଦ୍ୟାଳୟର ପ୍ରଯୋଜନା ଓ ବାଲୁଗାଁ ମହାବିଦ୍ୟାଳୟର ଆନୁକୁଲ୍ୟରେ ଗତ ଜାନୁୟାରୀ ମାସ ୩ ତାରିଖରୁ ଜାନୁୟାରୀ ୮ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶୀତକାଳୀନ ଶିବିର ବାଲୁଗାଁ ମହାବିଦ୍ୟାଳୟରେ ସଭାଗୃହରେ ଆୟୋଜିତ ସଭା ଓ ଆଲୋଚନା ମାଧ୍ୟମରେ ମହାସମାରୋହରେ ଉଦଯାପିତ ହୋଇଅଛି। ଏହି ଅବସରରେ ଆୟୋଜିତ ହୋଇଥିବା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ କଳ୍ପନା ଦାସ ସଭାପତିତ୍ବ କରିଥିବା ସମୟରେ +୨ ଅଧ୍ୟକ୍ଷା ଡଃ ଜୟନ୍ତୀ ସାମଲ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଓଡ଼ିଶାର ସୁପ୍ରସିଦ୍ଧ ସମାଜସେବୀ ତଥା ଜାତୀୟ ଯୁବ ପ୍ରକଳ୍ପର ଟ୍ରଷ୍ଟିବୋର୍ଡ ସଭ୍ୟ ମଧୁସୂଦନ ଦାସ, ଓଡ଼ିଶା ପୁନର୍ଗଠନ ସଂଘର ସମ୍ପାଦକ ମାନସ କୁମାର ଦାସ ଓ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ନନ୍ଦ ଯଥାକ୍ରମେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତାରୂପେ ଯୋଗଦେଇ ନୂତନ ଓଡ଼ିଶା ଓ ଭାରତ ଗଠନ ନିମନ୍ତେ ଯୁବ ସମାଜ ସଂକଳ୍ପ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ଏହି ସ୍ଵତନ୍ତ୍ର ଶିବିରର ବିଭିନ୍ନ ଦିବସରେ ପୋଷ୍ୟଗ୍ରାମ ଓ ଗୋପବନ୍ଧୁ କଲୋନୀ, ଶାନ୍ତି ନଗର ଓ ଉପକୂଳରେ ସଫେଇ ଅଭିଯାନ, ସାକ୍ଷରତା ସର୍ଭେ, ସଡ଼କ ସୁରକ୍ଷା, ଗନ୍ଧିବାଦର ପ୍ରାସଙ୍ଗିକତା, ନାରୀ ସଶକ୍ତିକରଣର ସାମର୍ଥ୍ୟ ବିକାଶ କୌଶଳ, ବୃକ୍ଷରୋପଣ, ତମାଖୁ ମୁକ୍ତ ମହାବିଦ୍ୟାଳୟ ରକ୍ତଦାନ ଓ କୋଭିଡ-୧୯ ସମ୍ପର୍କିତ ସଚେତନତାର ବାର୍ତ୍ତା ଓ ମହତ୍ତ୍ଵ ସମ୍ପର୍କିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପୂର୍ବକ କୌଶଳ ଅର୍ଜନ କରିବାରେ ସାମର୍ଥ୍ୟବାନ ହୋଇଥିଲେ। ବିଭିନ୍ନ ଦିବସରେ ସମ୍ବଳ ଅଧିକାରୀରୂପେ, ଅଧ୍ୟାପିକା ମନସ୍ଵିନୀ ପଟ୍ଟନାୟକ, ହିମାଂଶୁ କୁମାର ଦାସ, ଅଧ୍ୟାପକ ପ୍ରବୀଣ କୁମାର ଜେନା, ବାଣପୁର ଗ୍ରାମୀଣ ମହିଳା ମହାିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟସ୍ତରୀୟ ସମ୍ପାଦକ ଶ୍ରୀ ସୋମ, ଡ଼ଃ ସଂଗ୍ରାମ କେଶରୀ ସାମନ୍ତରାୟ, ଏନ.ସି.ସି ଅଫିସର ଡଃ ଅକ୍ଷର କୁମାର ମିଶ୍ର ପ୍ରମୁଖ ସ୍ବେଚ୍ଛାସେବୀଙ୍କ ଗ୍ରହଣରେ ନିଜର ଅଭିଜ୍ଞତା ପ୍ରକାଶ କରିବା ସହ ଯୁବ ମାନ ପ୍ରାଣକୁ ଉଦୀପିତ କରିଥିଲେ।

ଏହି ଶିବିରରେ ଜାତୀୟ ସେବା ଯୋଜନାର ଜିଲ୍ଲା ମୁଖ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡଃ ଜୟଶ୍ରୀବାଳା ମଲ୍ଲିକ ଓ ସି.ୱାଇ.ଏସ.ଡି ର ସମ୍ପାଦକ ଜିତେନ୍ଦ୍ର କୁମାର ସୁନ୍ଦରାୟ, ଜାତୀୟ ସେବା ଯୋଜନାର ଆଞ୍ଚଳିକ କର୍ଯ୍ୟାଳୟର ଯୁବ ଅଧିକାରୀ ଅଜିତ କୁମାର, ମଳୟ ରଞ୍ଜନ ତ୍ରିପାଠୀ ଓ ନିଖିଳ ପାଣିଗ୍ରାହୀ ପ୍ରମୁଖ ଅଧିକାରୀଗଣ ପରିଦର୍ଶନରେ ଆସି ସ୍ବେଚ୍ଛାସେବୀ କାର୍ଯ୍ୟାବଳୀ ଓ ଶୃଙ୍ଖଳାକୁ ବେଶ ପ୍ରଶଂସା କରିଥିଲେ।

ଏହି ଉଦଯାପନି ସମାରୋହରେ ବିଭିନ୍ନ ଦିବସରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ନିଜର ଉତ୍କର୍ଷତା ନିମନ୍ତେ ସ୍ବେଚ୍ଛାସେବୀ ଆଲୋକ କୁମାର ବେହେରା, ସଂଗ୍ରାମ କେଶରୀ ବେହେରା, ରଶ୍ମିରେଖା ବେହେରା, ସଂଚିତା ନାୟକ, ସୋନାଲି ଜାଲି, ଶୁଭସ୍ମିତା ମହାରଣା, ରାଜସ୍ମିତା ଦସ, ସନ୍ତୋଷ କୁମାର ବାରିକ, କାର୍ତ୍ତିକଶ୍ୱର ଜେନା, ବିଚିତ୍ର ପରିଡ଼ା, ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡଃ କୈଳାସ ଚନ୍ଦ୍ର ମହାରଣା, ଏବଂ ଶିବିରକୁ ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଓ ରୀନା ରାଉତ।

Categories
ଆଞ୍ଚଳିକ

ବାଲୁଗାଁ ନାଚୁଣୀ ରାଜପଥରେ ଦୁର୍ଘଟଣା ଗ୍ରସ୍ତ ହେଲା ବୋଲେରୋ, ଜଣେ ମୃତ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା 16 ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।

ପୋଲିସ ସୂଚନା ମୁତାବକ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳରୁ 10 ଜଣ ସାଙ୍ଗ ଏକାଠି ହୋଇ ଏକ ବୋଲେରୋ ଯୋଗେ ଗଞ୍ଜାମ ତାରାତାରିଣୀ ମନ୍ଦିର ଦର୍ଶନ ପାଇଁ ଗତକାଲି ରାତିରେ ବାହାରିଥିଲେ l ତେବେ କୌଣସି କାରଣବଶତଃ ଆଜି ବଡ଼ି ଭୋରରୁ ନାଚୁଣୀ ବରଡ଼ି ଛକରେ ବୋଲେରୋ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ନଅ ଜଣ ଏବଂ ଡ୍ରାଇଭରଙ୍କୁ ମିଶାଇ ସମୁଦାୟ 10 ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଚନ୍ଦ୍ରମଣି ଜେନାଙ୍କ ପୁତ୍ର ଯଯାତି କେଶରୀ ଜେନା(33) ବୋଲି ଜଣାପଡିଛି। ଆହତମାନଙ୍କୁ ପ୍ରଥମେ ବାଲୁଗାଁ ଏବଂ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି। ନାଚୁଣୀ ପୋଲିସ ଗାଡି ଜବତ କରି ତଦନ୍ତ ଜାରୀ ରଖିଛି।

Categories
ଆଞ୍ଚଳିକ

ବାଲୁଗାଁ: ନୂଆଗଡ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ତିନି ଗୁରୁତର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ନୂଆ ବର୍ଷରେ ଅଘଟଣ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ନୂଆଗଡ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଆଜି ବଡ଼ି ଭୋରରୁ ଭୁବନେଶ୍ୱରରୁ ଏକ କେବୁଲ ବୋଝେଇ ଟ୍ରକ ଏବଂ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଆଗପଛ ହୋଇ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ଠାରେ ଆଇରନ ବୋଝେଇ ଟ୍ରକ ଟି କେବୁଲ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଆଇରନ ବୋଝେଇ ଟ୍ରକ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଗୁରୁତର ଆହତ ହୋଇ ବାଲୁଗାଁ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ‘ଶାଳିଆ ପ୍ରେସ କ୍ଲବ’ର ବାର୍ଷିକ ଆଲୋଚନା ଚକ୍ର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁ ସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ର ବାର୍ଷିକ ଆଲୋଚନା ଚକ୍ର ଆଜି ବାଣପୁରସ୍ଥିତ ଶାଳିଆ ଡ୍ୟାମ ମା’ ଡୋମଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ, ବାଣପୁର ଓ ଚିଲିକା ଅଞ୍ଚଳର ସାମ୍ବାଦିକଙ୍କୁ ନେଇ ଗଠିତ ‘ଶାଳିଆ ପ୍ରେସ କ୍ଲବ’ର ସଭାପତି ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ସମ୍ପାଦକ ସୁଧୀର କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘ ଦ୍ୱାରା ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ଉନ୍ନତି ପାଇଁ ‘ଶାଳିଆ ପ୍ରେସ କ୍ଲବ’ ସର୍ବଦା ବଦ୍ଧପରିକର ବୋଲି ସଂଘ ସଭାପତି ଶ୍ରୀ ସାହୁ ମତ ରଖିଥିଲେ। ତତସହିତ ଅବହେଳିତ, ନିଷ୍ପେସିତ ଏବଂ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ ସଂଘ ଅହରହ ଚେଷ୍ଟିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା।

ପରିଶେଷରେ ଆଗାମୀ ବର୍ଷରେ କ୍ଲବ ପକ୍ଷରୁ ବାଣପୁର-ବାଲୁଗାଁରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ଅନୁଷ୍ଠିତ ସଭାକୁ ଉପସଭାପତି ସିତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାନୁଆରୀ ୪ ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକାରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ। ତେବେ ଜାନୁଆରୀ ୪ ତାରିଖରେ ଅନୁଷ୍ଠାନିକ ଭାବେ ପକ୍ଷୀ ଗଣନା ଅନୁଷ୍ଠିତ ହେବ ବୋଲି ଆଜି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ବାଲୁଗାଁ ବିଭାଗୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ।

ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ। ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେବେ। ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ଜିପିଏସ,ବାଇନାକୁଲାର ବ୍ୟବହାର କରାଯିବ।

ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ଏବଂ ବିଏନଏଚଏସ ସାମିଲ ହେବେ ବୋଲି ଜଣାପଡିଛି।

ସେହିପରି ଭାବେ ମୁମ୍ବାଇ ସ୍ଥିତ ବିଏନଏଚଏସ ର ଉପ ନିର୍ଦେଶକ ଡ଼ଃ ପି ସାଥିୟା ସେଲଭମ , ଅବସରପ୍ରାପ୍ତ ଆରସିସିଏଫ ବ୍ରହ୍ମପୁର ପ୍ରଶାନ୍ତ କୁମାର ମିଶ୍ର, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ ମଧ୍ୟ ପକ୍ଷୀଗଣନାରେ ଉପସ୍ଥିତ ରହିବେ।

Categories
ଆଞ୍ଚଳିକ

ବାଲୁଗାଁର ଏକ ଘରୋଇ ହସପିଟାଲରେ ଉତ୍ତେଜନା, ଡାକ୍ତରଙ୍କ ଅବହେଳା ଅଭିଯୋଗ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଉକ୍ତ ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ପରିବାରବର୍ଗ। ଯାହାଫଳରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।

ସୂଚନା ମୁତାବକ, ବାଲୁଗାଁ ଅଞ୍ଚଳର ଜଣେ ମହିଳା ପ୍ରସୂତି ପାଇଁ ବାଣପୁର ମେଡିକାଲ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ଅପରାହ୍ନରେ ମହିଳାଙ୍କ ପ୍ରସବଜନିତ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତାଙ୍କୁ ବାଣପୁର ମେଡିକାଲ ନେଇଥିଲେ।

ତେବେ ମହିଳାଙ୍କ ଅସ୍ତ୍ରୋପଚାର ଜରୁରୀ ହୋଇପଡିବାରୁ ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲକୁ ଅସ୍ତ୍ରୋପଚାର ପାଇଁ ଉକ୍ତ ମହିଳାଙ୍କୁ ପଠାଇଥିଲେ ଜନୈକ ଡାକ୍ତର। ତେବେ ଡାକ୍ତର ସେଠାରେ ବିଳମ୍ବରେ ପହଞ୍ଚିଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଉକ୍ତ ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।

ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେଠାରେ ଉପସ୍ଥିତଥିଲା। ତେବେ ଆଜି ମୃତକଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବାପରେ ଶବ ଜବତ କରଯାଇ ତଦନ୍ତ କରାଯିବ ବୋଲି ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ଦୁଇ ଗୋଷ୍ଠୀ ପାଳନ କଲେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ: ଦ୍ଵନ୍ଦ୍ଵରେ କର୍ମୀ

ଚିଲିକା (ସୀତାରାମ ଅଗ୍ରୱାଲ): ସାରା ରାଜ୍ୟରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ କ୍ରିଷ୍ଣା ମଣ୍ଡପରେ ନଗରମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ବହୁ ଆଡମ୍ବରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପ୍ରାତଃ ସମୟରେ ବାଣପୁର ମା’ ଭଗବତୀ ମନ୍ଦିର ନିକଟରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଉଭୟ ବାଲୁଗାଁ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ମଧ୍ୟାହ୍ନରେ କ୍ରିଷ୍ଣା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜା ଚକ୍ର ଯୋଗ ଦେଇ ରାଜ୍ୟର ବିକାଶ ଧାରାକୁ ଦ୍ରୁତ ଗତିରେ ଆଗକୁ ନେବାପାଇଁ ଜନସାଧାରଣଙ୍କ ନିକଟତର ହେବାସହ ସୁଖଦୁଃଖରେ କାନ୍ଧରେ କାନ୍ଧ ମିଶାଇ ସହଯୋଗ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଆଗକୁ ଆସୁଛି ସାଧାରଣ ନିର୍ବାଚନ। କର୍ମୀ ଓ ନେତାମାନେ କଠିନ ପରିଶ୍ରମ କରିବା ସହ ଘରେ ଘରେ ନବୀନ ସରକାରଙ୍କ ବିକାଶ ବାର୍ତ୍ତା ପହଞ୍ଚାଇ ଷଷ୍ଠ ଥର ସରକାର ଗଢିବା ନେଇ ସଂକଳ୍ପ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚାରିଟି ଜୋନର ଜିଲ୍ଲା ପରିଷଦ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିଆର ସିଂ, ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ରନାଥ ସାମନ୍ତରସିଂହାର, ବାଣପୁର ବ୍ଲକ ନାରୀନେତ୍ରୀ କବିତା ମହାପାତ୍ର, ଚିଲିକା ବ୍ଲକ ନାରୀନେତ୍ରୀ ସନ୍ତୋଷି ବିଶ୍ୱାଳ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଏବଂ ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇଥିଲେ।

ଅନୁରୂପ ଭାବେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ୨୭ ତମ ପ୍ରତିଷ୍ଠା ଦିବସ ବାଲୁଗାଁ ରାମପୁର ରୋଡ଼ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ରଘୁନାଥ ସାହୁ ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟତା ସାଙ୍ଗକୁ ସାଧାରଣ ଜନତାଙ୍କ ଦୁଃଖ ସୁଖରେ ଜଡ଼ିତ ଥିବାରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜୟ ଓଡ଼ିଶା ନବୀନ ଓଡିଶା ନାରାରେ ସଭାସ୍ଥଳ କମ୍ପି ଉଠୁଥିଲା।

ନବୀନ ସରକାରଙ୍କ ବିଭିନ୍ନ ବିକାଶ ଧାରା ଏବଂ ଶ୍ରୀ ସାହୁଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ପୂର୍ବତନ କାଉନସିଲର ତଥା କାଳିଜାଈ ମୋଟର ବୋଟ ଆସୋସିଏସନର ସଂପାଦକ କୃଷ୍ଣଚନ୍ଦ୍ର ବେହେରା ଶତାଧିକ କର୍ମୀମାନଙ୍କ ସହ ଶ୍ରୀ ସାହୁଙ୍କ ସଭାରେ ବିଜେଡିରେ ଯୋଗଦେଇଥିଲେ। ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଷଷ୍ଠ ଥର ଲାଗି ସରକାର ଗଠନ କରିବାପାଇଁ ଶପଥ ନେଇଥିଲେ।

ଗୋଟିଏ ପାର୍ଶ୍ଵରେ ମାନସ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଅପର ପାର୍ଶ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରତିଷ୍ଠା ଦିବସ ପାଳନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ବିଜେଡି ଜନହିତକର ନାରା ଦେଉଥିବା ବେଳେ ଦଳ ମଧ୍ୟରେ ଗୋଷ୍ଠି କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି। ଯାହାକି ଶ୍ରୀ ମଙ୍ଗରାଜଙ୍କ ସଭାରେ ବହୁ ତୁଙ୍ଗ ନେତା, କର୍ମୀ ସାଙ୍ଗକୁ ଜନସାଧାରଣ ଉପସ୍ଥିତ ଥିଲେ ମଧ୍ୟ ଶ୍ରୀ ସାହୁଙ୍କ ସଭାରେ ଅଳ୍ପ ସଂଖ୍ୟକ ନେତା, କର୍ମୀ ଥିବାବେଳେ ଜନସମୁଦ୍ର ଦେଖାଦେଇଥିଲା।

ତେବେ ଏହି ଅବସରରେ କଲେଜ ଛାତ୍ରୀଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବା ବିଜେପି ଅଭିଯୋଗ କରିଛି। ବାଣପୁରରେ ଅନୁଷ୍ଠିତ ଶୋଭାଯାତ୍ରାରେ କଲେଜ ଛାତ୍ରୀମାନେ ଦଳୀୟ ଚିହ୍ନ ଥିବା ଜର୍ସି ପିନ୍ଧିଥିବାର ଭାଇରାଲ ଭିଡିଓରେ ଦେଖାଯାଉଛି। ଏହାକୁ ନେଇ ବିଜେପି ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ କର୍ମୀ ଅଭାବରୁ ଛାତ୍ରୀମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଛି ବୋଲି ସ୍ଥାନୀୟ ବିଜେପି ନେତା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଓ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏକ ମାସ ଧରି ଚାଲିଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ -ଓ ) ଅନ୍ତର୍ଗତ ସମାଜ ବିକାଶ କାର୍ଯ୍ୟକ୍ରମର ପୁରସ୍କାର ବିତରଣୀ ଉତ୍ସବ ଆୟୋଜିତ ହୋଇଯାଇଛି।

ନିମନ୍ତ୍ରିତ ଅତିଥିମାନେ ସମାଜ ସେବା ଦ୍ୱାରା ଛାତ୍ର ଛାତ୍ରୀମାନଙ୍କର ଯଥାର୍ଥ ବ୍ୟକ୍ତିତ୍ୱ ନିର୍ମାଣ ହେବା ସହ ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଉନ୍ମୋଚିତ ହୁଏ ଓ ରାଷ୍ଟ୍ର ଗଠନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିବଦ୍ଧତା ସୃଷ୍ଟି ହୁଏ ବୋଲି ମତବ୍ୟକ୍ତ କରିଛନ୍ତି।

ଗତକାଲି ପୂର୍ବାହ୍ଣରେ ସମାଜସେବା କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡ଼କ୍ରସ ମିଳିତ ଆୟୋଜନରେ ଡକ୍ଟର ଲଷ୍ମୀଧର ସୁବୁଦ୍ଧି,ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକା ରୀନା ରାଉତ,ମନସ୍ବିନୀ ପଟ୍ଟନାୟକ,ଓ ଧୋବୀ ପରିଡାଙ୍କ ତତ୍ୱାବଧାନରେ ଫାଷ୍ଟ ଏଡ଼ ଟ୍ରେନିଙ୍ଗ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ସମାଜସେବୀ ଅନନ୍ତ ଚରଣ ଖଟେଇ ଉକ୍ତ ପ୍ରାଥମିକ ଚିକିତ୍ସା ସହାୟତା ତାଲିମ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହାପରେ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ଅତିଥିଭାବେ ଯୋଗଦେଇ ଓଡ଼ିଶାର ବିଶିଷ୍ଟ ସମାଜକର୍ମୀ ଶ୍ରୀ ସୋମ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ପ୍ରେରଣାଦାୟୀ ବକ୍ତବ୍ୟ ଦ୍ୱାରା ଅଭିଭୂତ କରିଥିଲେ l ସେ କହିଥିଲେ ଯେ ଯୁବପିଢ଼ିଙ୍କ ମଧ୍ୟରେ ଅଫୁରନ୍ତ ସୃଜନଶୀଳତା ଭରି ରହିଛି l ମହାବିଦ୍ୟାଳୟର ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଏହି ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହୋଇଉଠେ।

ଏଥିସହିତ ରାଷ୍ଟ୍ର ଗଠନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିବଦ୍ଧତା ସୃଷ୍ଟି ହୁଏ। ଧର୍ମ ବର୍ଣ୍ଣ,ଜାତି ନିର୍ବିଶେଷରେ ଛାତ୍ର ଛାତ୍ରୀ ମାନେ ସମାଜ ସେବା କରିବା ଦ୍ୱାରା ଓଡିଶାରେ ଯୁବ ବିକାଶ ସହ ଉନ୍ନତ ଓଡିଶାର ଗଠନ ସମ୍ଭଵପର ହୋଇପାରିବ ବୋଲି ଶ୍ରୀ ସୋମ ପରାମର୍ଶ ଦେଇଥିଲେ l ଏହାପରେ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ, ମୁଖ୍ୟ ଅତିଥି ଶ୍ରୀ ସୋମ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲ ସମାଜ ସେବାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

ଏହି ସମାଜସେବା କାର୍ଯ୍ୟକ୍ରମର ଅନ୍ୟତମ ଆବାହକ ଶିବରlମ ସିଂ, ହିମାଂଶୁ କୁମାର ଦାଶ, ପ୍ରବୀଣ କୁମାର ଜେନା ,ସ୍ୱାତୀ ଝରଣା ନାଥ,ସ୍ଵାଗତିକା ସାହୁ,ପତିତପାବନ ପଣ୍ଡା,କୀର୍ତ୍ତିମୟୀ ବାରିକ, ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,ପ୍ରିୟମ୍ବଦା ମହାପାତ୍ର , ପ୍ରମୁଖ ପରିଚାଳନା କରିଥିଲେ l
ଏହି ଅବସରରେ ଅଧ୍ୟକ୍ଷl ସମାଜସେବା କାର୍ଯ୍ୟକ୍ରମର ସମସ୍ତ ଆବାହକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l

Categories
ଆଞ୍ଚଳିକ

ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁଃବିଂଶତମ ବାର୍ଷିକ ଉତ୍ସବ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁଃବିଂଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ସଭାପତିତ୍ୱ କରିଥିବା ବେଳେ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ କଣ୍ଟ୍ରାକ୍ଟର ଆସୋସିଏସନ ସଭାପତି ଅନିଲ ମହାଲିକ ଓ ମୁଖ୍ୟ ବକ୍ତା ଭାବେ ପୁରୀ ଆଦିତ୍ୟ ବାହିନୀ ଓ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ଶିକ୍ଷା ପ୍ରଣାଳୀର ବିକାଶ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। କୁସଂସ୍କାର, ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତି କରାଇ ରାଷ୍ଟ୍ର ଜୀବନକୁ ସରସ, ସୁସମ୍ପନ୍ନ ଏବଂ ସୁସଂସ୍କୃତ କରିବାକୁ ପରାମର୍ଶ ଦେଇଥିଲେ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।ଉକ୍ତ ସଭାରେ ବିଦ୍ୟାମନ୍ଦିରର ପରିଚାଳନା ସମ୍ପାଦକ ଅନନ୍ତ ପ୍ରସାଦ ସେଠି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନାଚାର୍ଯ୍ୟ ପ୍ରହଲ୍ଲାଦ ଦାଶ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନେ ସଂଗୀତ,ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ। ଅନୁଷ୍ଠିତ ଉତ୍ସବରେ ଛାତ୍ରଛାତ୍ରୀ,ଅଭିଭାବକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ

ବାଲୁଗାଁ: ବାଲୁଗାଁ ସହରର ଗୋପବନ୍ଧୁ ନଗରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ସମାରୋହ ଅଧ୍ୟାପକ ରମାକାନ୍ତ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଅରବିନ୍ଦଙ୍କ ପ୍ରଦର୍ଶିତ ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ଶିକ୍ଷାର୍ଥୀ ମାନଙ୍କର ମନ ପ୍ରାଣ ଶରୀରର ରୂପାନ୍ତର ଦିଗରେ ସହାୟକ ହେବl ସହ ଚେତନlଗତ ବିକାଶ ଓ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଥାଏ ତାହା ଉପସ୍ଥାପିତ କରିଥିଲେ।

ଉକ୍ତ ଉତ୍ସବରେ ବରିଷ୍ଠ ଶିକ୍ଷାବିତ ତଥା ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଅରବିନ୍ଦ ପାଠ ଚକ୍ର ସଂଗଠନର ସଂଯୋଜକ ସୁରେନ୍ଦ୍ର ନାଥ ଜେନା ଓ ପ୍ରକାଶ କୁମାର ମହାପାତ୍ର ଯୋଗ ଦେଇ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଭିନଵ ଶିକ୍ଷା ବ୍ୟବସ୍ଥା, ଶୈକ୍ଷିକ ବାତାବରଣ ଓ ଶିଶୁ ମନସ୍ତତ୍ଵ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ।

ଏହି ସଭାରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବା ବେଳେ ସମ୍ପାଦକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହାପରେ ଛାତ୍ର ଛାତ୍ରୀ ମାନେ ମାତୃ ସଂଗୀତ, ଲୋକ ସଂଗୀତ, ସାମାଜିକ ଉତ୍ତରଣ, ସଚେତନ ମୂଳଜ, ଦେଶାତ୍ମବୋଧକ ତଥା ଆଧ୍ୟାତ୍ମିକ ସଂଗୀତ ଆଧାରିତ ଚିତ୍ତାକର୍ଷକ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସ୍କୁଲ ପରିସରରୁ ପିଲା ଚୋରକୁ ଧରିଲେ ଅଭିଭାବକ, ଥାନାରେ ଦେଲେ ଜିମା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସକାଳେ ବାଲୁଗାଁ ସ୍ଥିତ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ଜଣେ ଯୁବକକୁ ପିଲା ଚୋରି କରୁଥିବା ନେଇ ଅଭିଭାବକ ଓ କର୍ମଚାରୀମାନେ କାବୁକରି ନିର୍ଧୂମ ମାଡ଼ ମାରିବାସହ ଥାନାରେ ଜିମା ଦେଇଥିବା ଖବର ମିଳିଛି। ଖବର ମୁତାବକ ଆଜି ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଲମ୍ପିଆଡ଼ ପରୀକ୍ଷା ଥିବାରୁ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନେ ସକାଳେ ବିଦ୍ୟାଳୟକୁ ଆସିଥିଲେ। ଅଳ୍ପ ସଂଖ୍ୟକ ପିଲା ଆସିଥିବାର ସୁଯୋଗ ନେଇ ଜଣେ ବ୍ୟକ୍ତି ହଠାତ ବିଦ୍ୟାଳୟ ପରିସର ଭିତରେ ପଶି ଜଣେ ଛାତ୍ରକୁ ବିସ୍କୁଟ ମିକ୍ସଚରର ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକୃଷ୍ଟ କରୁଥିବା ବେଳେ ଏଥିରେ ପିଲାଟି ଅମଙ୍ଗ ହେବାରୁ ତାକୁ ଟଣାଓଟରା କରିଥିଲା।ଯାହାଫଳରେ ପିଲାଟି ଜୋରରେ କାନ୍ଦିବାରୁ କିଛି ଅଭିଭାବକ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ।

ପିଲା ଚୋରି କରୁଥିବା ସନ୍ଦେହ ନେଇ ଉକ୍ତ ଯୁବକକୁ ନିର୍ଧୂମ ମାଡ଼ ମାରି ବିଦ୍ୟାଳୟ ପରିସରରେ ଅଟକ ରଖିଥିଲେ। ଛାତ୍ର ଜଣକ ବାଣପୁର ସାନ ହନ୍ତୁଆଡ଼ ଗ୍ରାମର ମନୋରଞ୍ଜନ ପ୍ରଧାନଙ୍କ ପୁଅ ରୋଷନ ପ୍ରଧାନ (୭) ଷ୍ଟାଣ୍ଡର୍ଡ-୧ ଅଧ୍ୟୟନ କରୁଥିବା ଜଣାପଡିଛି। ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଳାଦ୍ରୀଭୂଷଣ ବେହେରା ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

ସମ୍ପୃକ୍ତ ଯୁବକଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ, ରେଳ ଟିକେଟ, ଆଧାରକାର୍ଡ, କିଛି ଟଙ୍କା ଓ ନିଶାଦ୍ରବ୍ୟ ଆଦି ଜବତ ହୋଇଛି। ଆଧାରକାର୍ଡ ଆଧାରରେ ସମ୍ପୃକ୍ତ ବ୍ୟକ୍ତି ଜଣକ କଲିକତା ବର୍ଦ୍ଧମାନ ଅଞ୍ଚଳର ପ୍ରତାପ ବାଗଡ଼ି (୩୩) ବୋଲି ଜଣାପଡିଛି।

ଯୁବକକୁ ୩୬୦/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବିଦ୍ୟାଳୟର ସିସି ଟିଭି ଯାଞ୍ଚ କରି ତଦନ୍ତ ଜାରି ରହିଥିବା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି। ଏଭଳି ଅପ୍ରୀତିକର ପରିସ୍ଥିତି ନେଇ ଅଭିଭାବକ ମହଲରେ ଅସନ୍ତୋଷ ବାତାବରଣ ଦେଖା ଯାଇଥିବା ବେଳେ ବିଦ୍ୟାଳୟର ସୁରକ୍ଷା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ବାଲୁଗାଁ: ମହିଳାଙ୍କ ଗଳିତ ଶବ ଉଦ୍ଧାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଏ ନେଇ ବାଲୁଗାଁ ପୋଲିସ ସୂଚନା ଦେଇଛି।

ସୂଚନା ମୁତାବକ ଆଜି ସକାଳେ ଲମ୍ବୋଦରପୁର ଓ ବାଙ୍କିଆପଲ୍ଲୀ ଗ୍ରାମ ମଝିରେ ଥିବା କଂସାରି ବ୍ରିଜ ନିକଟସ୍ଥ ଏକ ଖଜୁରୀ ଗଛ ମୂଳରେ ଉକ୍ତ ମହିଳାଙ୍କ ଗଳିତ ଶବ ପଡ଼ିଥିବା ଖବର ପାଇ ପୋଲିସ ଶବ ଜବତ କରିଛି। ତେବେ ମହିଳାଙ୍କ ଘର ଲମ୍ବୋଦରପୁର ଗ୍ରାମର ସ୍ବର୍ଗତ ରାଘବ ସିଂହଙ୍କ ଝିଅ ବାସନ୍ତି ସିଂହ ବୋଲି ଜଣାପଡିଥିବା ବେଳେ ସେ ବିକୃତ ମସ୍ତିଷ୍କର ହୋଇଥିବା ସୂଚନା ମିଳିଛି। ତାଙ୍କ ବୟସ ଆନୁମାନିକ ୪୫ ବର୍ଷ ହେବ।

ଶବଟି ଦୀର୍ଘ ଦିନରୁ ସେଠାରେ ପଡିରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ମହିଳାଙ୍କ ମୃତ୍ୟୁ ସନ୍ଦେହଘେରରେ ଥିବାବେଳେ ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଞ୍ଚଳିକ

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ବିପୁଳ ପରିମାଣର ମଦ ସହ ୩ ଅଭିଯୁକ୍ତ ଗିରଫ

ବାଣପୁର /ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଣପୁର, ବାଲୁଗାଁ ଓ ନାଚୁଣୀ ଅଞ୍ଚଳରେ ବାଲୁଗାଁ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରି ବିପୁଳ ପରିମାଣର ଚୋରା ଦେଶୀମଦ ସହ ତିନିଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ ଆଜି ଚଢ଼ାଉ କରି ବାଣପୁର କୋଷରଡ଼ା ଗ୍ରାମର ପ୍ରଫୁଲ୍ଲ ଶବର (୨୫)ଙ୍କ ଠାରୁ ୬୦ ଲିଟର, ବାଲୁଗାଁ ଅଞ୍ଚଳ ଲମ୍ବୋଦରପୁର ଗ୍ରାମର ବିକ୍ରମ ସିଂ (୩୫) ଙ୍କ ଠାରୁ ୩୦ଲିଟର, ବାଣପୁର ଅଞ୍ଚଳ କୁଲେଇ ଗ୍ରାମର ଲିଲି ମହାରଥୀ (୪୩)ଙ୍କ ଠାରୁ ୩୦ଲିଟର ସମୁଦାୟ ୧୨୦ଲିଟର ମଦ ଜବତ କରାଯାଇଛି।

ଅଭିଯୁକ୍ତ ମାନଙ୍କ ନାମରେ ୧୫୯/୧୬୦/୧୬୧ ରେ ଭିନ୍ନ ଭିନ୍ନ ମୋକଦମା କରାଯାଇଥିବା ଅବକାରୀ ଅଧିକାରୀ ବି ମନୋଜ କୁମାର କହିଛନ୍ତି। ତେବେ ଆଗକୁ ଏହିଭଳି ଚୋରା ମଦ କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଜୋରଦାର ଚଢ଼ାଉ କରାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ

ଚିଲିକା (ସୀତାରାମ ଅଗ୍ରୱାଲ): କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ସରକାର ତତ୍ୱାବଧାନରେ ପ୍ରତ୍ୟେକ ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ ସମ୍ବଦ୍ଧରେ ବିକାଶ ସହ ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ କରାଯାଉଛି।  ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଣପୁର ଗୋଦାବରୀଶ ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନକୁ ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ଉଦଘାଟନ କରି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

ସେହିଭଳି ଦ୍ଵିତୀୟ ଅଧିବେଶନର ମୁଖ୍ୟ ଅତିଥି ବାଣପୁର ବ୍ଲକ ଅଧକ୍ଷ ମିଟୁ ନାୟକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେଅତିରିକ୍ତ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ ଓ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା, ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେଇଥିଲେ। ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ୫ଜଣ କୃତୀ ଛାତ୍ରଛାତ୍ରୀ ୫ଟି ବିଭାଗକୁ ଉତ୍ତୀର୍ଣ୍ଣ ହୋଇଥିଲେ।

ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ସୁମନ୍ତ ଜେନା ଭେଟିନାଥ ଦେବ ଉଚ୍ଚ ବିଦ୍ୟାଳୟରୁ ରଚିତା ସାସମଲ, ନୀଳକଣ୍ଠେଶ୍ଵର ବିଦ୍ୟାପୀଠରୁ ଶୁଭମ ସାହୁ, ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ସର୍ବେଶ୍ୱର ବରାଳ ଏବଂ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଳରାମ ସ୍ୱାଇଁ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀକୁ ମନୋନୀତ ହୋଇଥିଲେ।

ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ବିଭାଗରୁ ବିଜ୍ଞାନ ପ୍ରକଳ୍ପ ଆସିଥିଲା। ଉଚ୍ଚ ବିଦ୍ୟାଳୟ ସ୍ତରରୁ ୨୪ଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ୫୪ଟି ପ୍ରକଳ୍ପ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ସିଆରସିସି, ପ୍ରଧାନ ଶିକ୍ଷକ, ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।

ସେହିଭଳି ଶନିବାର ପୂର୍ବାହ୍ନରେ ଚିଲିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠରେ ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟରୁ ୧୨୪ ଟି ବିଜ୍ଞାନ, କୃଷି, ପରିବେଶ, ଘଟଣା ଦୁର୍ଘଟଣା ଓ ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ଉଦଘାଟନୀ ଉତ୍ସବରେ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିକାଶ ଗୋଏଲ,ବିଶିଷ୍ଟ ଅତିଥି ଭାବେ ବିରିବାଡି ସରପଞ୍ଚ ବିଷ୍ଣୁପ୍ରିୟା ସେଣ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଚରଣ ସେଣ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଳାଦ୍ରୀ ଭୂଷଣ ଦାଶ, ମିନତୀ ଶତପଥୀ, ଗୀତାଞ୍ଜଳୀ ନାୟକ, ବିଜ୍ଞାନ ମେଳା କମିଟି ସମ୍ପାଦକ କୁନା ମହତ୍ୱ,ସାଧନ କେନ୍ଦ୍ର ସଂଯୋଜକ ଦେବରାଜ ପରିଡା ପ୍ରମୁଖ ଯୋଗ ଦେଇ ପ୍ରକଳ୍ପ ପରିଦର୍ଶନ କରିବାସହ ତୃଣମୂଳ ସ୍ତରରେ ଥିବା ସୁପ୍ତ ପ୍ରତିଭାଙ୍କୁ ବିକଶିତ କରିବା ଏବଂ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଫଳରେ ଅନେକ କୁନି ବୈଜ୍ଞାନିକ ସୃଷ୍ଟି ହୋଇପାରିବେ ବୋଲି ମତ ଦେଇଥିଲେ।

ଅପରାହ୍ନରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ କଳ୍ପନା ଦାଶ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ସରପଞ୍ଚ ବିଷ୍ଣୁପ୍ରିୟା ସେଣ, ପୂର୍ବତନ ଚିକିତ୍ସା ଅଧିକାରୀ ମଧୁସୂଦନ ସେନାପତି, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶୃଙ୍ଖଳା ଓ ସମାୟାନୁବର୍ତ୍ତୀ ହେବାସହ ସାଧନାରେ ଏକାଗ୍ରତା ରଖିବାପାଇଁ ଦିଗଦର୍ଶନ ଦେଇଥିଲେ।

ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଉତ୍କୃଷ୍ଟ ପ୍ରକଳ୍ପ ପ୍ରଦର୍ଶନ ନେଇ ଅତିଥି ଗହଣରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଜ୍ଞାନ ମେଳା କମିଟିର ସମସ୍ତ ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଜିଏସଟି ରେଡ଼ ବାହାନାରେ ନକଲି ଜିଏସଟି ଅଧିକାରୀ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବିଗତ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ଅଞ୍ଚଳରେ ବିଭିନ୍ନ ଗୋଦାମ ସମେତ ସୁନା ଗହଣା ଦୋକାନରେ ଜିଏସଟି ଟିମ ଚଢ଼ାଉ କରିଛି। ଯାହାଫଳରେ ଦୋକାନୀ ମାଲିକମାନଙ୍କ ଭିତରେ ଏକ ପ୍ରକାର ଛନକା ପଶିଯାଇଛି। ଯାହାର ସୁଯୋଗ ନେଇ ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତି ନିଜକୁ ଜିଏସଟି ଅଧିକାରୀ ପରିଚୟ ଦେଇ ଏକ ବେକରି ଫ୍ୟାକ୍ଟ୍ରିରେ ପହଞ୍ଚି କାଗଜପତ୍ର ଦେଖାଇବାକୁ କହିଥିଲେ।

ଏଥିସହିତ ସମ୍ପୃକ୍ତ ବେକରି ଫ୍ୟାକ୍ଟ୍ରି ମାଲିକଙ୍କ ସହ ନାନାଦି ବଚସା କରି ଲାଞ୍ଚ ମାଗିଥିଲେ। ମାତ୍ର ଫ୍ୟାକ୍ଟ୍ରି ମାଲିକଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଉକ୍ତ ନକଲି ଜିଏସଟି ଅଧିକାରୀଙ୍କ ପରିଚୟପତ୍ର ଦେଖାଇବାକୁ କହିବା ସହ ଆପଣଙ୍କ ଟିମ କାହଁନ୍ତି କହିବାରୁ ସେ ସେଠାରୁ ନିଜ ବାଇକ ଯୋଗେ କ୍ଷିପ୍ର ଗତିରେ ପଳେଇ ଯାଇଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ନକଲି ଜିଏସଟି ଅଧିକାରୀଙ୍କ କାର୍ଯ୍ୟକଳାପ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଆଞ୍ଚଳିକ

ଚିଲିକା: ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସକାଳେ ଚିଲିକା ବ୍ଲକ ବଡକୁଳ ପଞ୍ଚାୟତ ଅନ୍ତର୍ଗତ ମହାନ୍ତି ସାହିର ଲୋକନାଥ ସାହୁଙ୍କ ଘରେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇ ଘର ଓ ଆସବାବପତ୍ର ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।

ଖବର ମୁତାବକ ଆଜି ସକାଳେ ଲୋକନାଥଙ୍କ ସାନ ବୋହୁ ଅମୁଲି ସାହୁ ରୋଷେଇ କରିବାକୁ ଗ୍ୟାସ ଲଗାଇ ଥିବାବେଳେ ଗ୍ୟାସ ଟାଙ୍କି ଲିକ ହୋଇ ସଙ୍ଗେ ସଙ୍ଗେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ଜୀବନ ବିକଳରେ ଘରୁ ପରିବାର ବର୍ଗ ବାହାରକୁ ଚାଲିଆସିଥିଲେ।ନିଆଁ ଲାଗିଥିବା ଦେଖି ସାହି ବାସିନ୍ଦା ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ଆୟତ୍ତ କରିପାରିନଥିଲେ।

ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ମାତ୍ର ନିଆଁ ଆୟତ୍ତ ହେଲାବେଳକୁ ଘର ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ସର୍ବସାନ୍ତ୍ୱ ହୋଇଗଲା ପରେ ଶ୍ରୀ ସାହୁ ନିଜ ସ୍ତ୍ରୀ, ଦୁଇ ପୁଅ ବୋହୂ ଓ ନାତୁଣୀଙ୍କ ଭରଣପୋଷଣ ନେଇ ଚିନ୍ତାରେ ରହିଥିବା ବେଳେ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ: ପବିତ୍ର ଗୋପାଷ୍ଟାମୀ ଅବସରରେ ମା’ ବନଦୁର୍ଗା ଗୋଶାଳାରେ ଗୋ ପୂଜନ ଏବଂ ଯଜ୍ଞ ଅନୁଷ୍ଠିତ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପବିତ୍ର ଗୋପାଷ୍ଟାମୀ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ସୋଲାରୀଠାରେ ମା’ ବନଦୁର୍ଗା ଗୋଶାଳାରେ ଗୋ ପୂଜନ ଏବଂ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ ପ୍ରଦୀପ ଜେନା, ବଜରଙ୍ଗ ଦଳର ସଦସ୍ୟ ରଞ୍ଜିତ ବଡ଼ଜେନା, ସୁବ୍ରତ ମାନ୍ଧାତା ଏବଂ ସମନ୍ତସିଂହାର ପୁର ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସୋଲରୀ ପାହାଡ ପାଦଦେଶରେ ପ୍ରାକୃତିକ ସୁନ୍ଦର ପରିବେଶରେ ଏକ ବର୍ଷ ହେଲା ଏହି ଗୋଶାଳା ନିର୍ମାଣ ହୋଇଥିବା ବେଳେ ଏଠାରେ ପ୍ରାୟ ୧୫୦ ଗୋମାତାଙ୍କର ସେବା କରାଯାଉଛି। ସମନ୍ତସିଂହାର ପୁର ଗ୍ରାମବାସୀ, ବଜରଙ୍ଗ ଦଳ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଗୋଶାଳାରେ ଗୋମାତାଙ୍କ ସେବା କାର୍ଯ୍ୟ କରାଯାଉଛି। ତେବେ କଂସେଇ ଖାନାକୁ ନିଆଯାଉଥିବା ବେଳେ ଏହି ସବୁ ଗାଈଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏତଦବ୍ୟତୀତ ଯେଉଁମାନଙ୍କର ଗାଈ ଅଛନ୍ତି, କିନ୍ତୁ ପାଳନ କରିବାରେ ଅସମର୍ଥ, ସେମାନେ ମଧ୍ୟ ଏହି ଗୋଶାଳାକୁ ଗାଈ ପଠାଇଥା’ନ୍ତି।

କେବଳ ହିନ୍ଦୁମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ଵ ପାଇଁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତାଙ୍କ ନିକଟରେ ୩୩ କୋଟି ଦେବତା ବିରାଜମାନ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ମାନବ ଜାତିକୁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମତା ଏଭଳି ଏକ ଜୀବ, ଯାହାର ପ୍ରତ୍ୟେକ ଜିନିଷ ମଣିଷ ପାଇଁ ଜରୁରୀ। ବାୟୁ ବିନା ମଣିଷ ବଞ୍ଚିବା ଯେପରି ଅସମ୍ଭବ, ଗୋମାତା ବିନା ମଣିଷ ବଞ୍ଚିବା କଷ୍ଟକର। କ୍ଷୀର ଠାରୁ ଗୋବର ପର୍ଯ୍ୟନ୍ତ ଗୋମାତା ଯୋଗାଉଥିବା ବେଳେ ସେମାନଙ୍କର ଯତ୍ନ ପ୍ରତି କାହାର ଧ୍ୟାନ ନାହିଁ। ଏବେ ଗ୍ରାମାଞ୍ଚଳରେ ମଧ୍ୟ ଗାଈ ଗୋରୂଙ୍କୁ ଦେଖିବା ସ୍ଵପ୍ନ ହୋଇପଡୁଛି। ତେଣୁ ମାନବ ସମାଜର ମଙ୍ଗଳ ପାଇଁ ଆମେ ଗୋମାତାଙ୍କ ସୁରକ୍ଷା ଏବଂ ସେବା ଦିଗରେ କାର୍ଯ୍ୟ କରୁଛି ବୋଲି ବଜରଙ୍ଗ ଦଳର ସଦସ୍ୟ ରଞ୍ଜିତ ବଡଜେନା କହିଛନ୍ତି।

Categories
ଆଞ୍ଚଳିକ

ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ସାଧନା ଦିବସ ପାଳିତ

ଚିଲିକା (ସୀତାରାମ ଅଗ୍ରୱାଲ): ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ସାଧନା ଦିବସ ପାଳିତ ହୋଇଯାଇଛି। ବିବେକାନନ୍ଦ କେନ୍ଦ୍ର ପ୍ରତିଷ୍ଠାତା ଏକନାଥ୍ ରାଣାଡ଼େ ଙ୍କ ଜନ୍ମ ଦିବସକୁ ସାଧାନା ଦିବସ ରୂପେ ପାଳନ କରାଯାଏ।

ଏହି ଉତ୍ସବରେ କେନ୍ଦ୍ରର ସଞ୍ଚାଳକ ସତ୍ୟ ନାରାୟଣ ଷଡ଼ଙ୍ଗୀ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲୁଗାଁ କଲେଜ ର୍ ବରିଷ୍ଠ ଅଧ୍ୟାପକ ଡକ୍ଟର୍ କୈଳାସ ମହାରଣା, ତରଣୀସେନ ପ୍ରଧାନ୍, ପ୍ରଦିପ୍ କୁମାର ଦାସ୍ ଯୋଗ ଦେଇ ରାଣାଡେ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।

ବିବେକାନନ୍ଦ କେନ୍ଦ୍ରର ପ୍ରତିଷ୍ଠାର ଉଦ୍ଦେଶ୍ୟ ନେଇ କାର୍ଯ୍ୟକର୍ତ୍ତା ମାନକୁ କହିଥିଲେ। ଝରଣା ଦିଦିଙ୍କ ଐକ୍ୟ ମନ୍ତ୍ର ରୁ କର୍ଯ୍ୟକ୍ରମ ଆରମ୍ଭ୍ ହୋଇଥିଲା। ଶେଷରେ ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ଧନ୍ୟବାଦ ଜ୍ଞପାନ କରିଥିଳେ।

ଏହି କାଯ୍ୟକ୍ରମରେ ମୋଟ ପଚାଶରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ମହିଳାଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ କୋତରୀ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖବର ମୁତାବକ କୋତରୀ ଗ୍ରାମର ଦେବରାଜ ବେହେରାଙ୍କ ସ୍ତ୍ରୀ ସୁଷମା ବେହେରା (୫୫) କାଠ ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଅସୁସ୍ଥତା କାରଣରୁ ସେଠାରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୧୯/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମରାଳ ମାଳିନୀ ନିଳାମ୍ବୁ ଚିଲିକା କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର କଳା, ସଂସ୍କୃତି, ଭାସ୍କର୍ଯ୍ୟ,ଐତିହ୍ୟ ଓ କଳିଙ୍ଗ ବୀର ସାଧବ ପୁଅମାନଙ୍କ ମହାନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣୀୟ କରିବାପାଇଁ ଆସନ୍ତା ୨୬ ତାରିଖରେ ବୋଇତ ବନ୍ଦାଣ ମହୋତ୍ସବ ସୁରୁଖୁରୁରେ ପାଳନ କରିବା ସହ ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା।

ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ତତ୍ୱାଵଧାନରେ ପୁର୍ନବାର ଚଳିତ ବର୍ଷ ବହୁ ଧୁମଧାମରେ ବୋଇତ ବନ୍ଦାଣ ମହୋତ୍ସବ ପାଳିତ ହେବା ନେଇ ସର୍ବ ସନମତି ପ୍ରକାଶ କରିଛନ୍ତି।ଏଥିସହିତ ମସ୍ୟଜୀବୀ ସଙ୍ଘ ଏବଂ ଏନଏସି ପକ୍ଷରୁ ମିଳିତ ଭାବେ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ମହଲରୁ ସହଯୋଗ କରିବାପାଇଁ ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ ଅନୁରୋଧ କରିଛନ୍ତି।

ଅନୁଷ୍ଠିତ ବୈଠକରେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ, ବଣିକ ସଙ୍ଘ ସଭାପତି ରବି ନାରାୟଣ ନାୟକ, ମୋଟର ବୋଟ ସଙ୍ଘ ସଭାପତି ଲକ୍ଷ୍ମୀଧର ତରାଇ ଓ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ସମାଜସେବୀ, ପୋଲିସ ପ୍ରଶାସନ, ଅଗ୍ନିଶମ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ ଓ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଷ୍ଟେସନରୁ ଗଞ୍ଜେଇ ଜବତ: ଅଭିଯୁକ୍ତଙ୍କୁ ଗିରଫ କଲା ଆରପିଏଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ରବି ମହାନ୍ତି (୪୦) ବୋଲି ଜଣାପଡିଛି।

ଖବର ମୁତାବକ ଗତକାଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୪ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ରବି ସଂନ୍ଦିଗ୍ଧ ଅବସ୍ଥାରେ ଏକ ନାଲି ରଙ୍ଗ ଟ୍ରଲି ବ୍ୟାଗ ଧରି ବୁଲୁଥିବାର ଦେଖିବାକୁ ପାଇଥିଲେ। ତାଙ୍କ ବ୍ୟାଗ ତାଲାସି ନିଆଯିବାରୁ ତନ୍ମଧ୍ୟରୁ ୧୪ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ୪୪ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଆରପିଏଫ ଅଭିଯୁକ୍ତ ରବିଙ୍କୁ ଗିରଫ କରି ଆଜି ଖୋର୍ଦ୍ଧା ରୋଡ ଜିଆରପିକୁ ହସ୍ତାନ୍ତର କରିଛି।