Categories
ଆଜିର ଖବର ରାଜ୍ୟ ଖବର

କୋଟିଆ ପ୍ରସଙ୍ଗରେ ଓଡ଼ିଶା ବିଜେପି ନେତାଙ୍କୁ ବିଜେଡିର ଟାର୍ଗେଟ୍

ଭୁବନେଶ୍ଵର: କେନ୍ଦ୍ରରେ ୯ ବର୍ଷ ହେଲା ବିଜେପି ସରକାର ଶାସନ କରୁଛି। ଓଡ଼ିଶାରୁ ବିଜେପିର ୮ ଜଣ ସାଂସଦ ଲୋକସଭାକୁ ଯାଇଛନ୍ତି। ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି। ମାତ୍ର ଓଡ଼ିଶା ବିଜେପିର ଏହି ନେତାମାନେ କେବେ ସଂସଦରେ କୋଟିଆ ପ୍ରସଙ୍ଗ ଉଠାଇଛନ୍ତି କି? ଦିନକ ପାଇଁ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ରଖିଛନ୍ତି କି? ନିଜ ଦାୟିତ୍ବ ନିର୍ବାହ ନକରି ସେମାନେ ଏବେ କୋଟିଆକୁ ନେଇ ହୀନ ରାଜନୀତି ଚଳାଇଛନ୍ତି। ସେମାନେ ଚାହୁଁଛନ୍ତି କୋଟିଆ ଓଡ଼ିଶାରୁ ଯାଉ ଏବଂ ଓଡ଼ିଶା ଅପଦସ୍ତ ହେଉ। ଆଜି ବିଧାନସଭାରେ ବିଜେପି ବିଧାୟକମାନେ କୋଟିଆ ପ୍ରସଙ୍ଗ ଉଠାଇବା ପରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ସେମାନଙ୍କୁ ଏଭଳି ଢଙ୍ଗରେ କଡ଼ା ଜବାବ ଦେଇଛନ୍ତି।

ବିଧାନସଭା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାହୁ କହିଛନ୍ତି ଯେ ବିଧାନସଭାରେ ସମସ୍ତଙ୍କର କହିବାର ଅଧିକାର ଅଛି। ବିରୋଧୀ ଦଳ ମଧ୍ୟ ବିଧାନସଭାରେ ଓଡ଼ିଶାବାସୀଙ୍କ ବିଭିନ୍ନ ସମସ୍ୟା ଉଠାଇବା କଥା। ମାତ୍ର ଓଡ଼ିଶାବାସୀଙ୍କ ସ୍ବାର୍ଥ ବା ହିତ ଲାଗି ସେମାନଙ୍କର କୌଣସି ଆନ୍ତରିକତା ନାହିଁ। ବିରୋଧୀ ଦଳ ପାଖରେ ବିଶେଷ କିଛି ପ୍ରସଙ୍ଗ ନ ଥିବାରୁ ଗତ ପ୍ରାୟ ମାସେ ହେଲା ସେମାନେ ୨/୩ଟି ପ୍ରସଙ୍ଗ ବାରମ୍ବାର ଉଠାଇ ଚାଲିଛନ୍ତି। ଏଭଳି କରି ସେମାନେ ବିଧାନସଭାକୁ ମକେରିରେ ପରିଣତ କରି ସାରିଲେଣି।

କୋଟିଆ ପ୍ରସଙ୍ଗରେ ବିଜେପିକୁ ତୀବ୍ର ସମାଲୋଚନା କରି ଶ୍ରୀ ସାହୁ କହିଛନ୍ତି, କୋଟିଆ ଏକ ଅନ୍ତଃରାଜ୍ୟ ସୀମା ବିବାଦର ପ୍ରସଙ୍ଗ ହୋଇଥିଲେ ମଧ୍ୟ ବିଜେପି ଏହାକୁ ନେଇ କେବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ି ନାହିଁ। ଓଡ଼ିଶାର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଦୀର୍ଘ ବର୍ଷ ଧରି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ପଦରେ ରହିଲେ। ମାତ୍ର ଓଡ଼ିଶା ବିଜେପିର ନେତାମାନେ କୋଟିଆ ସମସ୍ୟା ସମାଧାନ ପାଇଁ ତାଙ୍କ ପାଖରେ ମଧ୍ୟ କେବେ ଫେରାଦ ହୋଇନାହାନ୍ତି। ଏଥିରୁ ଜଣାପଡ଼ୁଛି, ଓଡ଼ିଶାର ସୀମା ସମସ୍ୟାର ସମାଧାନ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡ଼ିଶା ବିଜେପିର କୌଣସି ଆନ୍ତରିକତା କେବେ ନ ଥିଲା କି ଆଜି ମଧ୍ୟ ନାହିଁ। ବିଭିନ୍ନ ପ୍ରସଙ୍ଗରେ ସେମାନେ କେବଳ ମିଥ୍ୟା ପ୍ରଚାର କରି ନିମ୍ନ ମାନର ରାଜନୀତି କରିବା ଶିଖିଛନ୍ତି। କୋଟିଆ ପ୍ରସଙ୍ଗରେ ମଧ୍ୟ ସେମାନେ ତାହାହିଁ କରୁଛନ୍ତି।

ଏହା ବ୍ୟତୀତ କୋଟିଆରେ ବହୁ ସଂଖ୍ୟାରେ ରହୁଥିବା ଦୋରା ଜାତିର ଲୋକେ ମୂଳତଃ ଆଦିବାସୀ ହୋଇଥିଲେ ମଧ୍ୟ ସେମାନଙ୍କୁ ଏଯାଏ ଅନୁସୂଚିତ ଜନଜାତିର ମାନ୍ୟତା ମିଳି ନାହିଁ। ଅପରପକ୍ଷରେ ସୀମା ସେପଟେ ଆନ୍ଧ୍ରପ୍ରଦେଶରେ ରହୁଥିବା ଦୋରାମାନଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦୋରା ଜାତିକୁ ଏସ୍ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏତେବର୍ଷ ହେଲା କେନ୍ଦ୍ର ସରକାର ଏହା କାହିଁକି କରୁନାହାନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଯାହା କରିବା କଥା ତାହା କରୁଥିବା ଦର୍ଶାଇ ଶ୍ରୀ ସାହୁ କହିଛନ୍ତି ଯେ କୋଟିଆ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ସାଙ୍ଗକୁ କୋଟିଆବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ୧୦୦ କୋଟିର ପ୍ୟାକେଜ୍ ପ୍ରଦାନ କରିଛନ୍ତି। ତେଣୁ ଏଠି ମୁହଁ ଭୁରୁଡ଼ି ନ ମାରି ଓଡ଼ିଶା ବିଜେପି ନେତାମାନେ ଯଦି ପାରୁଛନ୍ତି ଦିଲ୍ଲୀ ଯାଆନ୍ତୁ ଏବଂ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରରେ ଥିବା ନିଜ ନେତାମାନଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ଜୟ ଜଗନ୍ନାଥ ସ୍ଲୋଗାନକୁ ନେଇ ଏମିତି କାହିଁକି କହିଲା ଓଡିଶା କଂଗ୍ରେସ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ବିଜେଡ଼ି ନେତୃବୃନ୍ଦ ତଥା ମୁଖ୍ୟମନ୍ତ୍ରୀଙ୍କ “ଜୟ ଜଗନ୍ନାଥ” ଧ୍ୱନୀ ଉପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରତିକ୍ରୀୟାରେ କହିଛନ୍ତି ଯେ ଗତ କିଛିଦିନ ତଳେ ରାଜ୍ୟ ବିଜେଡ଼ି ଦଳ ନିଜ ନେତାଙ୍କ ଉପରୁ ଭରଷା ତୁଟାଇ ଦଳର ନିର୍ବାଚନ ସଂକେତ ତାଙ୍କର ଗର୍ବ ବୋଲି ଧ୍ୱନି ଦେଇ ଗଣମାଧ୍ୟମକୁ ପ୍ରକମ୍ପିତ କଲେ ।

ଏବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ହୋଇଛି ଜୟ ଜଗନ୍ନାଥ ଧ୍ୱନି, ଭଲ କଥା ଆମେ ସ୍ୱାଗତ କରୁଛୁ । କିନ୍ତୁ ୨୩ ବର୍ଷ ଶାସନ ପରେ ଓଡ଼ିଆ ଜାତିର ଆରାଧ୍ୟ ଦେବତାଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ମନେ ପଡ଼ିଲା? ଓଡ଼ିଶା କଂଗ୍ରେସ ଦଳର ସଭାପତି ମନୋନୟନ ପରେ ଶ୍ରୀ ଶରତ ପଟ୍ଟନାୟକ ତାଙ୍କର ପ୍ରଥମ ନବସଂକଳ୍ପ ସମାବେଶରେ ଆହ୍ୱାନ ଦେଇ କଂଗ୍ରେସ କର୍ମୀ ଓ କର୍ମକର୍ତାଙ୍କୁ ବାର୍ତା ଦେଇଥିଲେ ଯେ ଆମେ ସର୍ବଧର୍ମ ସମନ୍ୱୟରେ ବିଶ୍ୱାସ କରୁ । କିନ୍ତୁ ଓଡ଼ିଆ ଜାତିର ଠାକୁର ଆମର ନେତା ପଣ୍ଡିତ ଗୋପବନ୍ଧୁଙ୍କ ଭାଷାରେ “ଉତ୍କଳେ ନେତାର ନାହିଁ ପ୍ରୟୋଜନ ଉତ୍କଳର ନେତା ସ୍ୱୟଂ ନାରାୟଣ”।

ଏଣୁ ସମସ୍ତ କଂଗ୍ରେସ କର୍ମକର୍ତା ସଭାର ଆରମ୍ଭରେ ଜୟ ଜଗନ୍ନାଥ ଧ୍ୱନି ଦେବାକୁ ଆହ୍ୱାନ ଦେଇଥିଲେ । ସେହି ପଥକୁ ଆଜି ମୁଖ୍ୟମନ୍ତ୍ରୀ ବାଛି ନେଇଛନ୍ତି । ବିଗତ ଦିନମାନଙ୍କରେ ଯେଉଁମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ତାସହ ସଂଲଗ୍ନ ମଠ ମନ୍ଦିର ସଂସ୍କୃତିକୁ ଧ୍ୱଂସ କରି ଦେଇଛନ୍ତି ସେହି ମାନଙ୍କ ମୁହଁରେ ଆଜି ଜୟ ଜଗନ୍ନାଥ ଧ୍ୱନି ସଇତାନର ବେଦପାଠ ଭଳି ଲାଗୁଛି । ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତାଙ୍କ ରତ୍ନଭଣ୍ଡାର ଚାବି ମିଳିଲା ନାହିଁ, ତା ଉପରେ ଯେଭଳି ପ୍ରହେଳିକା ସୃଷ୍ଟି କରାଗଲା ଏବେ ମଧ୍ୟ ସାଢ଼େ ଚାରିକୋଟି ଓଡ଼ିଆ ସଂଦେହ ଘେରରେ ଅଛନ୍ତି । ରତ୍ନ ଭଣ୍ଡାର ଖୋଲାଯାଇ ରତ୍ନର ହିସାବ ସମସ୍ତ ଦାବି ସତ୍ୱେ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ।

ପର୍ଯ୍ୟଟନର ବିକାଶ ନାମରେ ଆଧ୍ୟାତ୍ମ୍ୟ ଭାବନାପ୍ରତି କୁଠାରଘାତ କରୁଥିବା ସରକାର ସୌନ୍ଦର୍ଯ୍ୟ କରଣ ନାମରେ ଗତ ଦୁଇବର୍ଷ ହେବ ଶହ ଶହ କୋଟି ଟଙ୍କାରେ କ୍ରଂଟାକ୍ଟରଙ୍କୁ ପୋଷା ଚାଲିଛି । ପ୍ରଭୁ ସବୁ ଦେଖୁଛନ୍ତି, ମଣିଷର ମୃତ୍ୟୁ ପାଖେଇ ଆସିଲେ, ମଣିଷ ପ୍ରଭୁଙ୍କ ଶରଣାପନ୍ନ ହୁଏ । ବିଜେଡ଼ିର ସର୍ବସ୍ୱଙ୍କର ସେହି ଅବସ୍ଥା ଆସିଯାଇଛି । ପ୍ରଭୁ ତାଙ୍କ ସହାୟ ହୁଅନ୍ତୁ ।

ବିମଳ ପ୍ରଶନ୍ନ ଦାସ କମିଶନଙ୍କ ନାମରେ ଦ୍ୱାହି ଦେଇ କାର୍ଯ୍ୟକରୁଥିବା ସରକାର କମିଶନଙ୍କ ପ୍ରକୃତ ରିପୋର୍ଟକୁ ଯଥାଶୀଘ୍ର ସାର୍ବଜନୀନ କରିବା ସହ ପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟଟି ତୁରନ୍ତ କରନ୍ତୁ ବୋଲି କଂଗ୍ରେସ ଦଳ ଦୃଢ଼ ଦାବି କରୁଛି । ଆଜିର ଏହି ସାମ୍ବଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ସର୍ବଶ୍ରୀ ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ସାଂସଦ ସସ୍ମିତ ପାତ୍ର ମଧ୍ୟ କହିଲେ ‘ଜୟ ଜଗନ୍ନାଥ’

ଭୁବନେଶ୍ବର: ବିଜେଡିର ଟାଣୁଆ ସାଂସଦ ଡ. ସସ୍ମିତ ପାତ୍ର ମଧ୍ୟ କହିଲେ ଜୟ ଜଗନ୍ନାଥ। ସେ କହିବାର କାରଣ ରହିଛି। ଯେତେବେଳେ ବିଜେଡିର ସମସ୍ତ ନେତା ମନ୍ତ୍ରୀ ବିଧାୟକ ସାଂସଦ ଜୟ ଜଗନ୍ନାଥ ସ୍ଲୋଗାନ ଦେଇ ଭିଡିଓ ପୋଷ୍ଟିଂ କଲେ ସେତେବେଳେ କେତେକ ବିରୋଧୀ ସମାଲୋଚନା କଲେ। ତାହା ହେଲା ବିଜେଡି ସାଂସଦ ସସ୍ମିତ ପାତ୍ର କାହିଁକି ଜୟ ଜଗନ୍ନାଥ କହୁ ନାହାଁନ୍ତି।

ଏପରି ଟିପଣ୍ମୀ ପରେ ଦିଲ୍ଲୀରେ ଥିବା ସସ୍ମିତ ଥରେ ନୁହେଁ ଦୁଇଥର ଭିନ୍ନ ପୋଷାକରେ ଜୟ ଜଗନ୍ନାଥ କହି ଭିଡିଓ ପୋଷ୍ଟିଂ କରିଛନ୍ତି। ସେ ସଂସଦ ଭବନରେ ଥରେ ହାପ ଜ୍ୟାକେଟ ପିନ୍ଧି କହିଥିବା ବେଳେ ପୁଣି ପଂଜାବୀ ଏବଂ ବେକରେ ନାଲି ଉତ୍ତରୀୟ ପକାଇ ଜୟ ଜଗନ୍ନାଥ କହିଛନ୍ତି। ଏପରି ଭିଡିଓ ଦେଖିବା ପରେ ବିରୋଧୀ ମୁହଁ ବନ୍ଦ ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ‘ଶଙ୍ଖ ମୋ ଗର୍ବ’ ପରେ ଏବେ ‘ଜୟ ଜଗନ୍ନାଥ’ ସ୍ଲୋଗାନ, ହେଲେ ଏମିତି କାହିଁକି ?

ଭୁବନେଶ୍ବର: ବିଜୁ ଜନତା ଦଳ କେତେବେଳେ କଣ କରୁଛି ତାହା କାହାକୁ ଜଣା ନ ଥାଏ। କାରଣ ଦଳ ଲୋକଙ୍କ ନିକଟତର ହେବା ପାଇଁ ଜନହୀତକର କାର୍ଯ୍ୟ ସହିତ ପ୍ରଚାରର ନୂଆ ନୂଆ ମାଧ୍ୟମ ମଧ୍ୟ ଆପଣେଇବାରେ ଲାଗିଛି। ଯାହା ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଖୋରାକ ଯୋଗାଉଛି।

ନିକଟରେ ବିଜେଡି ଦଳ ତରଫରୁ ‘ଶଙ୍ଖ ମୋ ଗର୍ବ’ କହି ସବୁ ନେତା ସମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟିଂ କରିଥିଲେ। ଉଚ୍ଚ ସ୍ତରୀୟ ନେତାଙ୍କଠାରୁ ଆରମ୍ଭ କରି ତଳ ସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଏହି ସ୍ଲୋଗାନ ଦେଇ ଭିଡିଓ ପୋଷ୍ଟିଂ କଲେ। ଏପରି ହେଲା ଯେ, ବିରୋଧୀ ତାହାକୁ ବିରୋଧ ନ କରି ଆଉ ଧର୍ଯ୍ୟ ଧରି ରହି ପାରିଲେ ନାହିଁ।

‘ଶଙ୍ଖ ମୋ ଗର୍ବ’ କହିବାର କିଛି ସମୟ ମଧ୍ୟରେ ବିରୋଧୀ ଏହାକୁ ବିରୋଧ କରିବା ଆରମ୍ଭ କଲେ। କେତେକ ‘ବାପାମା ମୋ ଗର୍ବ’ କହି ଭିଡିଓ ପୋଷ୍ଟିଂ କଲେ। ସେହିପରି କେତେକ ‘ଓଡିଶା ମୋ ଗର୍ବ’ କହି ବିଜେଡିକୁ ପରୋକ୍ଷରେ ସମାଲୋଚନା କଲେ। ହେଲେ ଏସବୁକୁ ସମାଲୋଚନା ନେଇ ବିଜେଡି ନେତା ଚୁପଚାପ। ସେମାନେ ନା ଏହାକୁ ନେଇ କୌଣସି ଭିଡିଓ ପୋଷ୍ଟିଂ କଲେ ନା କିଛି ଉତ୍ତର ଦେଲେ।

ଏହି ‘ଶଙ୍ଖ ମୋ ଗର୍ବ’ କିଛିଦିନ ଚାଲିବା ପରେ ସମସ୍ତେ ଚୁପଚାପ ହେଲେ। ଏବେ ପୁଣି ହଠାତ ବିଜେଡି ନୂଆ ନାରା ନେଇ ସାମାଜିକ ଗଣମାଧ୍ୟମ ଆଗକୁ ଆସିଛି। ଏଥର ନାରା ହେଲା ‘ଜୟ ଜଗନ୍ନାଥ’। ପୂର୍ବପରି ସବୁ ନେତା ମନ୍ତ୍ରୀ, ବିଧାୟକ ସାଂସଦ ଏହି ଜୟ ଜଗନ୍ନାଥ ନାରା ଦେଇ ଭିଡିଓ ପୋଷ୍ଟିଂ କରିବାରେ ଲାଗିଛନ୍ତି। ଏହି ସ୍ଲୋଗାନ ମଧ୍ୟ ପୂର୍ବ ପରି ଗାଁ ଗଣ୍ଡାକୁ ବ୍ୟାପିବାରେ ଲାଗିଛି। ଜଗନ୍ନାଥ ଫଟୋ କିମ୍ବା ମୂର୍ତ୍ତି ଆଗରେ ଛିଡା ହୋଇ ଏହି ସ୍ଲୋଗାନ ଦିଆଯାଉଛି।

ତେବେ ବିଜେଡି ଏଥର ଏକ ନୂଆ ତରିକା ଆପଣେଇଛି, ଯେପରି ବିରୋଧୀ କିଛି କହିବାକୁ ବା ସମାଲୋଚନା କରିବାକୁ ରାସ୍ତା ପାଇବେ ନାହିଁ। କାରଣ ‘ଜୟ ଜଗନ୍ନାଥ’ ସ୍ଲୋଗାନକୁ ନେଇ କେହି କିଛି କହିପାରିବେ ନାହିଁ। ଏହା ଦ୍ବାରା ବିଜେଡି ଦୁଇଟି ଫାଇଦା ହାସଲ କରିବାକୁ ଯାଉଛି। ଜୟ ଜଗନ୍ନାଥ କହି ବିରୋଧୀଙ୍କ ବିରୋଧକୁ ଚୁପ କରାଇଥିବା ବେଳେ, ଅନ୍ୟପଟେ ଏହି ସ୍ଲୋଗାନ ଦ୍ବାରା ଧର୍ମିକ ସୂତାରେ ଲୋକଙ୍କୁ ବାନ୍ଧି ରଖିବାରେ ସାହାଯ୍ୟ କରିଛି।

ତେବେ ବର୍ତ୍ତମାନ ରାମ ନବମୀର ସମୟ ଥିବାରୁ କେତେକ ବିରୋଧି, ବିଜେଡିର ଏହି ନାରାକୁ ମୁକାବିଲା କରିବା ପାଇଁ ‘ଜୟ ଶ୍ରୀରାମ’ କହି ଭିଡିଓ ପୋଷ୍ଟିଂ କରିବାରେ ଲାଗିଛନ୍ତି। ତେବେ ସେ ଯାହା ହେଲେ ମଧ୍ୟ ବିଜେଡି ପ୍ରଥମେ କିଛି ନୂଆ କରି ଦେଖାଇବା ପରେ ବିରୋଧୀ ବିରୋଧ କରିବା ଆରମ୍ଭ କରୁଛନ୍ତି। ଲାଗୁଛି ସତେ ଯେପରି ବିରୋଧୀଙ୍କୁ ଉସକାଇବା ପାଇଁ ବିଜେଡି ଏପରି ନୂଆ ନୂଆ ତରିକା ବଜାରକୁ ଛାଡୁଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ବିଧାୟକ ପ୍ରାର୍ଥି ହେବାକୁ ବିଜେଡିର ଆଶାୟୀ ମାଳମାଳ, ହେଲେ ରହୁନି ତାଳମେଳ

ଭୁବନେଶ୍ବର: ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ ଚର୍ଚ୍ଚା ହେଉଛି, ଆଗାମୀ ନିର୍ବାଚନରେ ବିଜେଡିରୁ ବିଧାୟକ ପ୍ରାର୍ଥୀ କିଏ ହେବ। କାରଣ ସମସ୍ତେ ଭାବି ନେଇଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ। ଯେହେତୁ ସେ ବର୍ତ୍ତମାନ ସୁଦ୍ଧା ଦଳରେ ସାମିଲ ହୋଇ ନାହାଁନ୍ତି, ସେଥିପାଇଁ ଏହି ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି।

ଏପରି ପରିସ୍ଥିତିକୁ ଦେଖି କେତେକ ନୂଆ ପୁରୁଣା ନେତା ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧି ବସିଛନ୍ତି। ସେମାନେ ନିଜ ନିଜ ଚିହ୍ନା ପରିଚୟ ମାଧ୍ୟମରେ ଲବି ମଧ୍ୟ କରୁଥିବାର ଜଣାପଡିଛି। ସବୁଠାରୁ ବଡ ଆଶା ଯିଏ ବାନ୍ଧିଛନ୍ତି ସେ ହେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ। ସେ ଟିକେଟ ପାଇବେ ବୋଲି ଗୋଡ ଟେକି ବସିଛନ୍ତି। ସେପଟେ ଏହି ଅଞ୍ଚଳର ମାନସ ମଙ୍ଗରାଜ ଯେ କି ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି ସେ ମଧ୍ୟ କୁଆଡେ ଚିଲିକାରୁ ଛିଡା ହେବେ ବୋଲି ଚର୍ଚ୍ଚା ଚାଲିଛି।

ତେବେ ଏହି ତାଲିକା ଛୋଟ ନୁହେଁ କିମ୍ବା ଦୁଇ ବା ତିନି ଜଣ ଭିତରେ ମଧ୍ୟ ସୀମିତ ନାହିଁ। ଏହା ତାଲିକା ଲମ୍ବିବାରେ ଲାଗିଛି। ଆଶ୍ଚର୍ଯ୍ୟର କଥା ନିର୍ବାଚନ ସମୟ ଯେତିକି ଯେତିକି ପାଖେଇ ଆସୁଛି ଏହି ଆଶାୟୀ ତାଲିକା ସେତିକି ବଢିବାରେ ଲାଗିଛି। ତେବେ ଚର୍ଚ୍ଚା ଅନୁସାରେ ଚିଲିକାରେ ବର୍ତ୍ତମାନ ଯେଉଁମାନଙ୍କର ନାମ ବେଶୀ ଆଲୋଚନା ହେଉଛି ସେମାନେ ହେଲେ..

1- ପ୍ରଶାନ୍ତ ଜଗଦ୍ଦେବ, ପୁଣି ଥରେ ଟିକେଟ ପାଇ ପାରନ୍ତି

2-ରଘୁନାଥ ସାହୁ, ପୂର୍ବତନ ବିଧାୟକ

3-ଗୋପୀ ମହାରଣା, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି

4-ମାନସ ମଙ୍ଗରାଜ, ରାଜ୍ୟସଭା ସାଂସଦ

5- ପ୍ରଭାସ ସୁନ୍ଦରାୟ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି  ( ସ୍ତ୍ରୀ ଜିଲ୍ଲା ପରିଷଦ ସଦସ୍ୟା)

6- ସ୍ବାଗତିକା ଜଗଦ୍ଦେବ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ନୀ

ତେବେ ଏହି ତାଲିକାର କିନ୍ତୁ ଶେଷ ନାହିଁ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଯେଉଁମାନେ ଜିତିଛନ୍ତି ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବଡ ଆଶାୟୀ ହୋଇ ରହିଛନ୍ତି। ଏପରିକି ଯେଉଁମାନେ ହାରିଛନ୍ତି ସେମାନଙ୍କର ଆଶା ମଧ୍ୟ ମଉଳି ନାହିଁ। ତେବେ କମ ଚର୍ଚ୍ଚାରେ ଆସୁଥିବା ନାମ ମଧ୍ୟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ

1- ମିଟୁ ନାୟକ, ବାଣପୁର ଏନଏସି ଅଧ୍ୟକ୍ଷ

2-ମନୋଜ ପ୍ରଧାନ, ବିଧାୟକ ପ୍ରତିନିଧି ଏବଂ ପୂର୍ବତନ ସରପଞ୍ଚ

3-ଉତ୍ପଳ ପାଇକରାୟ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ

4- ସନ୍ତୋଷ କୁମାର ଦେବ, ପାରିକୂଦ ରାଜା

ଏତିକି ନୁହେଁ ଆହୁରି ଅନେକ ସରପଞ୍ଚ, ଜିଲ୍ଲାପରିଷଦ ସଦସ୍ୟ ଏହି ଆଶାୟୀ ତାଲିକାରେ ଅଛନ୍ତି, ଯାହା ସମସ୍ତଙ୍କ ନାମ ଲେଖିବା ସମ୍ଭବ ନୁହେଁ।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେବ ଯେ ଏହି ନିର୍ବାଚିତ ପ୍ରତିନିଧୀମାନଙ୍କ ମଧ୍ୟରୁ ଯଦି କେହି ବିଧାୟକ ଟିକେଟ ପାଏ ତେବେ ଅନ୍ୟମାନେ ଅସନ୍ତୁଷ୍ଠ ହୋଇ ବିରୋଧ କରିବା ନିଶ୍ଚିତ। କାରଣ ଚିଲିକାରେ ବର୍ତ୍ତମାନ ଶୀର୍ଷ ନେତା କେହି ନ ଥିବାରୁ ଏମାନଙ୍କ ମଧ୍ୟରେ ତାଳମେଳ ରହୁ ନାହିଁ। ସମସ୍ତେ ଜଣେ ଜଣେ ବଡ ନେତା ବୋଲି ନିଜକୁ ଭାବୁଛନ୍ତି। ଉପରେ ଉପରେ ସମସ୍ତେ ଭଲ, ହେଲେ ଭିତର ଭିତରେ କିଏ କାହାକୁ ଦେଖିପାରୁ ନାହାଁନ୍ତି।

ତେବେ ଚିଲିକାକୁ ନେଇ ବିଜେଡି ଦଳ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସଙ୍କେତ ବା ଆଭାସ ମିଳିପାରି ନାହିଁ। ପ୍ରକୃତରେ କିଏ ଚିଲିକାର ବିଜେଡି ମଙ୍ଗ ଧରିବା ତାହା ଏକ କୁହେଳିକା ଭିତରେ ରହିଛି। ହେଲେ ସବୁବେଳେ ମାଷ୍ଟର ଷ୍ଟ୍ରୋକ ଖେଳୁଥିବା ବିଜେଡି, ଠିକ ନିର୍ବାଚନ ସମୟରେ ଚର୍ଚ୍ଚାରେ ନ ଥିବା ବ୍ୟକ୍ତିଙ୍କୁ ଟିକେଟ ଦେବାର ସମ୍ଭାବନାକୁ ମଧ୍ୟ କେବେ ଏଡାଇ ହେବ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲା ବିଜେଡି, ବିଭୂତି ପୁଣି ସଭାପତି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ଖୋର୍ଦ୍ଧା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ପରେ ଦଳ ତରଫରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ଅନୁସାରେ ପୂର୍ବପରି ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଭାବେ ବିଭୂତି ବଳବନ୍ତରାୟଙ୍କୁ ପୁଣି ନିଯୁକ୍ତି ଦିଆଯାଇଛି।

ଏହି ନୂଆ ବିଜ୍ଞପ୍ତି ଅନୁସାରେ ରାମଚନ୍ଦ୍ର ମହାପାତ୍ରଙ୍କୁ ଉପଦେଷ୍ଠା ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଏହି ନୂଆ ନିଯୁକ୍ତିରେ 39 ଜଣ ଉପସଭାପତି ରହିଛନ୍ତି।

ସେହିପରି 33 ଜଣଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନୂଆ ନିଯୁକ୍ତି ବିଜେଡି 42 ଜଣଙ୍କୁ ସଂପାଦକ ଭାବେ ନେଇଛି। ଏ ନେଇ ପୂର୍ବରୁ ଯେଉଁ ବିଜ୍ଞପ୍ତି ବାହାରିଥିଲା ତାହାକୁ ବାତିଲ କରି ନୂଆକୁ କାର୍ଯ୍ୟକାରୀ କରାଗଲା ବୋଲି କୁହାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଜଣେ ଓଡ଼ିଶା ବିରୋଧୀ ନେତା: ବିଜେଡି

ଭୁବନେଶ୍ଵର: ଓଡ଼ିଶାରେ ବିରୋଧୀଦଳ ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି। ମିଛର ଆଶ୍ରୟ ନେଇ ବିରୋଧୀଦଳ ନେତା ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି। କିନ୍ତୁ ମିଛକୁ ରଣନୀତି କରି ବିରୋଧୀଦଳ କେବେବି ଲୋକଙ୍କ ଭରସା ଜିତି ପାରିବ ନାହିଁ। ଆଜି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟର ଏଭଳି ଜବାବ ଦେଇଛି ବିଜୁ ଜନତା ଦଳ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି, ଜୟନାରାୟଣ ମିଶ୍ର ବିରୋଧୀଦଳ ନେତା ନୁହନ୍ତି, ସେ ଜଣେ ଓଡ଼ିଶା ବିରୋଧୀ ନେତା। ସେ ଯେଉଁଭଳି ଟିପ୍ପଣି ଦେଉଛନ୍ତି, ଏଥିରୁ ସ୍ପଷ୍ଟ ଯେ ଜଣେ ଓଡ଼ିଆ ହୋଇ ମଧ୍ୟ ସେ ଓଡ଼ିଶାର ଉନ୍ନତି ଚାହାନ୍ତି ନାହିଁ। ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର କୌଣସି ଦରଦ ନାହିଁ। ବିଧାନସଭା ଭିତରେ ହେଉ କି ବାହାରେ; ସଦାବେଳେ କେବଳ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସେ ମନ୍ତବ୍ୟ ଦିଅନ୍ତି ଏବଂ ଓଡ଼ିଶାକୁ ନିଂଦିତ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଓଡ଼ିଶା ବିଜେପିକୁ ଆମେ କହିବାକୁ ଚାହୁଁ; ଆପଣ ନିର୍ଲଜ୍ଜ ଭାବେ ମିଛ କହୁଛନ୍ତି। ମାତ୍ର ବାରମ୍ବାର ଯେତେ ମିଛ କହିଲେ ମଧ୍ୟ ମିଛ କେବେ ସତ ପାଲଟିଯିବ ନାହିଁ। ଓଡ଼ିଶାବାସୀ ସବୁ ଜାଣନ୍ତି ଏବଂ ଯଥେଷ୍ଟ ସଚେତନ ଅଛନ୍ତି।

ଆପଣ ଏଭଳି ବାରମ୍ବାର ମିଛ କହି ଚାଲିଥିବାରୁ ଲୋକଙ୍କ ବିଶ୍ଵାସ ଜିତିବାରେ ସମର୍ଥ ହେଉ ନାହାନ୍ତି। ଆମେ ମଧ୍ୟ ଏହା ବିଶ୍ବାସ କରୁ ଯେ ଗଣତନ୍ତ୍ରରେ ସୁସ୍ଥ ବିରୋଧୀଦଳର ଆବଶ୍ୟକତା ରହିଛି। ମାତ୍ର ମିଛ କେବେବି ଏକ ସୁସ୍ଥ ବିରୋଧୀଦଳର ରଣନୀତି ହୋଇପାରିବ ନାହିଁ। ବିରୋଧୀଦଳ ନେତା ହେଉଛନ୍ତି ଓଡ଼ିଶାରେ ଅରାଜକତାର ପ୍ରତୀକ। ଆଇନର ଫାଶରୁ ମୁକୁଳିବା ପାଇଁ ସେ କେବଳ କାର୍ଯ୍ୟାନୁଷ୍ଠାନକୁ ବିଳମ୍ବ କରିବାର କୌଶଳ ଆପଣେଇଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି।

Categories
ବିଶେଷ ଖବର

ଡ୍ରାଇଭର ସଂଘ ଆନ୍ଦୋଳନକୁ ନେଇ ବିଜେପି ତୁଛା ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ଦଶ ଦଫା ଦାବି ନେଇ ଗତକାଲିଠାରୁ ଟ୍ରକ୍ ଡ୍ରାଇଭର ସଂଘ ଚଳାଇଥିବା ଆନ୍ଦୋଳନକୁ ବିଜେପିର ସମର୍ଥନ ଏକ ନାଟକବାଜି ବ୍ୟତୀତ ଅନ୍ୟ କିଛି ନୁହେଁ। ବିଜେପି ଏହାକୁ ନେଇ ତୁଛା ରାଜନୀତି କରିବା ନିନ୍ଦନୀୟ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି।

ଆଜି ଏକ ପ୍ରେସ ବିବୃତିରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି ଯେ, ଦେଶର କୌଣସି ବିଜେପି ଶାସିତ ରାଜ୍ୟରେ ଡ୍ରାଇଭର ସଂଘର ଦାବି ମୁତାବକ କେଉଁ କେଉଁ ସୁବିଧା ପ୍ରଦାନ କରାଯାଉଛି, ବିଜେପି ନେତାମାନେ ତାହା ସ୍ପଷ୍ଟ କରନ୍ତୁ। ଡ୍ରାଇଭର ସଂଘ ଆନ୍ଦୋଳନକୁ ସମର୍ଥନ କରିବାକୁ ଯିବା ପୂର୍ବରୁ ଓଡ଼ିଶା ବିଜେପି ନେତାମାନେ ଏହିସବୁ ସୁବିଧାସୁଯୋଗର ଏକ କପି ସାଂଗରେ ନେଇଯାଇ ସେମାନଙ୍କୁ ଦେଖାଇଥିଲେ ଭଲ ହୋଇଥାନ୍ତା।

ସେ ଆହୁରି କହିଛନ୍ତି ଯେ, ଏବେ ଯେତେବେଳେ ରାଜ୍ୟରେ ବିଭିନ୍ନ ସ୍କୁଲ, କଲେଜରେ ପରୀକ୍ଷା ଚାଲିଛି, ଠିକ୍ ସେତିକିବେଳେ ଡ୍ରାଇଭର ସଂଘ ଗାଡ଼ିମଟର ବନ୍ଦ କରି ଆନ୍ଦୋଳନ କରିବା ଫଳରେ ଛାତ୍ରଛାତ୍ରୀଙ୍କଠୁ ନେଇ ଅଭିଭାବକମାନେ ହଇରାଣ ହେଉଛନ୍ତି। ଏକ ଦାୟିତ୍ୱବାନ ରାଜନୈତିକ ଦଳ ଭାବେ ବିଜେପି ଏହି ସମୟରେ ଡ୍ରାଇଭରମାନଙ୍କୁ ଆନ୍ଦୋଳନରୁ ବିରତ ରହିବା ପାଇଁ ଆହ୍ୱାନ କରିବା କଥା। ଏହାକୁ ନେଇ ରାଜନୀତି କରିବା ସେମାନଙ୍କୁ ଶୋଭା ପାଉ ନାହିଁ।

ରାଜ୍ୟ ସରକାର ଡ୍ରାଇଭର ଓ ମୋଟର କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ଲାଗି ବିଚାର ଆଲୋଚନା କରୁଛନ୍ତି। ଅଥଚ ବିଜେପି ସେମାନଙ୍କୁ ମିଛ ସମର୍ଥନ ଓ ସମବେଦନା ଜଣାଇ ରାଜନୀତି କରିବାକୁ ଚେଷ୍ଟା କରୁଛି। ତେଣୁ ଡ୍ରାଇଭର ଭାଇମାନଙ୍କୁ ଆମର ଅନୁରୋଧ, ସେମାନଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ଓଡ଼ିଶାରେ ଡ୍ରାଇଭର ଓ ମୋଟର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ, ତାହା କେବଳ ରାଜ୍ୟ ସରକାର ହିଁ କରିବେ।

ବିଜେପି ଏଠାରେ ଆନ୍ଦୋଳନୀକାରୀ ମୋଟର କର୍ମଚାରୀଙ୍କୁ ସମର୍ଥନ ଜଣାଇବା ପୂର୍ବରୁ ପ୍ରଥମେ ନିଜଶାସିତ ରାଜ୍ୟମାନଙ୍କରେ ଏହା କରି ଦେଖାଉ। ମୋଟର କର୍ମଚାରୀଙ୍କୁ ଭୁଆଁ ବୁଲାଇ ଓଡ଼ିଶା ବିଜେପି ଡ୍ରାଇଭର ସଂଘ ଆନ୍ଦୋଳନରୁ ରାଜନୈତିକ ଫାଇଦା ହାସଲ କରିବା ଚେଷ୍ଟାରୁ ବିରତ ରହୁ ବୋଲି ଡ. ମହାନ୍ତି କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସାମାଜିକ ଗଣମାଧ୍ୟମରେ ପ୍ରଚାରର ନୂଆ ତରିକା ଗ୍ରହଣ କଲା ବିଜେଡି- ‘ଶଙ୍ଖ ମୋ ଗର୍ବ’

ଭୁବନେଶ୍ବର: ଏବେ କିଛିଦିନ ଧରି ସାମାଜିକ ଗଣମାଧ୍ୟମରେ ବିଜୁ ଜନତା ଦଳ ପ୍ରଚାରର ଏକ ନୂଆ ତରିକା ଗ୍ରହଣ କରିଛି। ତାହା ହେଲା ଫେସବୁକ, ଟୁଇଟର ଏବଂ ଅନ୍ୟ ସାମାଜିକ ମିଡିଆରେ ସବୁ ବିଜେଡି ନେତା ଦୃଶ୍ୟମାନ ହୋଇଛନ୍ତି। ନିଜନିଜ ଫେସବୁକ ପେଜରେ ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ କୁହାଯାଉଛି ଯେ ‘ଶଙ୍ଖ ମୋ ଗର୍ବ’।

ପ୍ରଥମେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ସ୍ଲୋଗାନ ନେଇ ଫେସବୁକରେ ଦୃଶ୍ୟମାନ ହେଲେ। ଏହାପରେ ପରେ ସୁଶାନ୍ତ ସିଂ, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ରିତା ସାହୁ ପରି ବହୁ ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀ ନିଜ ନିଜ ସାମାଜିକ ଗଣମାଧ୍ୟମରେ ଏହି ସ୍ଲୋଗାନ ନେଇ ଉଭା ହୋଇଛନ୍ତି।

 

ଧିରେ ଧିରେ ଏହି ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବଡବଡ ନେତାଙ୍କର ଏପରି ସ୍ଲୋଗାନ ଦେଖି ଅନ୍ୟ ନେତା ତଥା କର୍ମିମାନେ ମଧ୍ୟ ଏପରି ଭିଡିଓ ଅପଲୋଡ କରିବାରେ ଲାଗିଛନ୍ତି। ଯାହା ଜଣାପଡୁଛି ବର୍ତ୍ତମାନ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତ ନେତା ଓ କର୍ମିମାନେ ଏହି ସ୍ଲୋଗାନ କହି ଭିଡିଓ ଅପଲୋଡ କରିବେ। ଫଳରେ ଓଡିଶାର ସୋସିଆଲ ମିଡିଆରେ ବିଜେଡି ଆସନ୍ତା କିଛି ଦିନ ଭିତରେ ପୁରା ଛାଇ ହୋଇଯିବ।

ପୂର୍ବରୁ ବିଜେଡି ନିର୍ବାଚନ ପୂର୍ବରୁ କିଛି ନା କିଛି ନୂଆ ତରିକା ଗ୍ରହଣ କରି ଲୋକଙ୍କୁ ଆକୃଷ୍ଟ କରିଥାଏ। ଠିକ ଓଡିଶାର ସାଧାରଣ ନିର୍ବାଚନ ଆଉ ବର୍ଷେ ପାଖାପାଖି ବାକି ଥିବାରୁ ଦଳ ଏହିପରି ଏକ ଭିନ୍ନ ତରିକା ଗ୍ରହଣ କରିଛି। ପୂର୍ବରୁ ଖୋଦ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆପଣମାନେ ଖୁସି ତ’ କହି ପ୍ରଚାରର ନୂଆ ମାଧ୍ୟମ ସୃଷ୍ଟି କରିଥିଲେ। ଯାହା ଗାଁଗଣ୍ଡା ଚାରିଆଡେ ବେଶ ଚହଳ ପକାଇଛି।

କେବଳ ଏତିକି ନୁହଁ ବର୍ତ୍ତମାନଠାରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ମାରଥନ ଗସ୍ତ କରି ସରକାର କିପରି ଲୋକଙ୍କ ପାଖରେ ଅଛି ତାହାର ପ୍ରମାଣ ଦେବାରେ ଲାଗିଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଓ ବିଜେଡିକୁ ବଦନାମ କରିବା ପାଇଁ ବିଜେପି ନୂଆ ପ୍ରସଂଗ ଖୋଜୁଥିବା ବେଳେ, ଅନ୍ୟପଟେ ବିଜେଡି ଲୋକଙ୍କର ଆସ୍ଥାଭାଜନ ପାଇଁ ଭିନ୍ନ ତରିକା ଆପଣେଇବାରେ ଲାଗିଛି। ଯାହାର ସଦ୍ୟତମ ଉଦାହରଣ ହେଲା ‘ଶଙ୍ଖ ମୋ ଗର୍ବ’।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ନୂଆ ନିଯୁକ୍ତି, ଅତନୁ ଏବଂ ସୁଶାନ୍ତ ସିଂଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର: ବିଜେଡି କେତେକ ନେତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ତାହା ହେଲା ଅତାବିରା ଏବଂ ହିନ୍ଦୋଳ ଏନଏସି ନିର୍ବାଚନ ଥିବାରୁ ତାହାର ପରିଚାଳନା ପାଇଁ ଏହି ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି।

ସେହି ଅନୁସାରେ ଅତାବିରା ଏନଏସି ପାଇଁ ଯେଉଁମାନେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ସେମାନେ ହେଲେ

1-ଅତନୁ ସବ୍ୟସାଚୀ ନାୟକ

2-ସୁଶାନ୍ତ ସିଂ

3-ଦେବେଶ ଆଚାର୍ଯ୍ୟ

ସେହିପରି ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ଯେଉଁମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ

1-ସୁଧୀର କୁମାର ସାମଲ

2-ସୁଶାନ୍ତ କୁମାର ରାଉତ

3-କୁନା ବିହାରୀ ଦାସ

Categories
ବିଶେଷ ଖବର

ମିଶନଶକ୍ତି ମା’ମାନଙ୍କୁ ଅପମାନିତ କରିବାରୁ କ୍ଷାନ୍ତ ରୁହନ୍ତୁ ବିରୋଧୀ: ବିଜେଡ଼ି

ଭୁବନେଶ୍ୱର: ମହିଳା ସଶକ୍ତିକରଣ ମିଶନଶକ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ। ଯାହା ଫଳରେ ଆଜି ଓଡ଼ିଶାରେ ରାଜନୈତିକ ସ୍ତରରେ, ସାମାଜିକ ସ୍ତରରେ, ଆର୍ଥିକ ସ୍ତରରେ ମହିଳାମାନଙ୍କର ବିକାଶ ହୋଇଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ମିଶନଶକ୍ତି ଆଜି ଏକ ଉଦାହରଣ ପାଲଟିଛି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ।

ଆଜି ଗଣମାଧ୍ୟମ ସାମ୍ବାଦିକମାନଙ୍କୁ ଶ୍ରୀ ସାହୁ କହିଛନ୍ତି ଯେ, ମିଶନଶକ୍ତିରେ ମା’ମାନଙ୍କର ରାଜନୈତିକ, ସାମାଜିକ ଓ ଆର୍ଥିକ ସ୍ତରରେ ବିକାଶ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଛି। ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ତାରତମ୍ୟ କମିଛି, ସମତା ଓ ସମାନତା ଆସିଛି। ମହିଳାଟିଏ ଗାଁରେ, ସହରରେ, ସମାଜରେ ମୁଣ୍ଡ ଟେକି ବାଟ ଚାଲୁଛନ୍ତି। ନିଜେ ରୋଜଗାର କରି ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛନ୍ତି। ଏ ହେଉଛି ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ଏହାକୁ ଯେଉଁ ବିରୋଧୀ ଦଳମାନେ ବିରୋଧ କରୁଛନ୍ତି, ସେମାନେ ରୁଗ୍‌ଣ ମାନସିକତାରେ ବର୍ତ୍ତମାନ ପଡ଼ିଛନ୍ତି। ମହିଳାମାନଙ୍କୁ ଆଗକୁ ଆଣିବାର ଦାୟିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଏବଂ ତାକୁ କାର୍ଯ୍ୟକାରୀ କରୁଛନ୍ତି, ଯାହା ଫଳରେ ଓଡ଼ିଶା ଆଜି ବିକାଶର ବହୁ ଆଗକୁ ଯାଇଛି। ପୁରୁଷ ଏବଂ ମହିଳା ଉଭୟଙ୍କ ଭାଗିଦାରୀରେ ସମାଜ ଏକ ବିକଶିତ ସମାଜରେ ପରିଣତ ହୋଇଛି। ‘ମା’ଙ୍କୁ ଭକ୍ତି, ମା’ଙ୍କ ଶକ୍ତି ମିଶନଶକ୍ତି’। ଏହାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଏଥିରୁ ନିବୃତ୍ତ ରୁହନ୍ତୁ । ବିରୋଧୀ ଦଳ ମହିଳା ଜାତିକୁ ଅପମାନିତ କରନ୍ତୁ ନାହିଁ। ଯଦି ଅପମାନ କରିବେ ମା’ମାନେ ଉଚିତ୍ ଜବାବ ଦେଇଛନ୍ତି, ଆଗକୁ ଆହୁରି ମଧ୍ୟ ଜବାବ ଦେବେ ବୋଲି ଶ୍ରୀ ସାହୁ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ବିରୋଧରେ କଣ ପାଇଁ ଗର୍ଜ୍ଜନ କଲା ବିଜୁ ମହିଳା ଜନତା ଦଳ

ଭୁବନେଶ୍ବର: ଆଜି କେନ୍ଦ୍ର ବିରୋଧରେ ପୁଣି ଥରେ ଗର୍ଜ୍ଜନ କରିଛି ବିଜୁ ଜନତା ଦଳ। ଏହାର ବିଜୁ ମହିଳା ଜନତା ଦଳ ରାଜଧାନୀରେ ବିକ୍ଷୋଭ କରିଛି। ବିଶେଷ କରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ବୈମାତୃକ ମନୋଭାବ ନେଇ ଏହି ବିକ୍ଷୋଭ କରାଯାଇଛି।

ରାଜଭବନ ସମ୍ମୁଖରେ ହଜାର ହଜାର ମହିଳା କର୍ମି ଏକଜୁଟ ହୋଇ କେନ୍ଦ୍ରୀୟ ଅବହେଳା ନେଇ ଧାରଣ ଦେଇଛନ୍ତି। ଏହାପରେ ଏକ ବଡ ମହିଳା ପ୍ରତିନିଧୀ ଦଳ ରାଜଭବନକୁ ଚାଲିଚାଲି ଯାଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତରଅନ୍ତର ନିତି ଉପରି ବିଚାର ନ କଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଲୋକସଭା ଆସନରୁ ପୁଣି ଛିଡା ହେବେ ତ ପିନାକୀ ମିଶ୍ର ? ଦ୍ବନ୍ଦରେ ବିଜେଡି କର୍ମି

ଭୁବନେଶ୍ବର: ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପରବର୍ତ୍ତି ରାଜନୈତିକ ଭବିଷ୍ୟତ ନେଇ ବର୍ତ୍ତମାନ କିଛି ଆକଳନ କରାଯାଇ ପାରୁ ନାହିଁ। କାରଣ ତାଙ୍କର କାର୍ଯ୍ୟକଳାପ ଯେପରି ନିଷ୍କ୍ରିୟ ହୋଇପଡିଛି ସେଥିରୁ ଅନୁମାନ କରାଯାଉଛି ଯେ , ସେ ବୋଧହୁଏ ଆଉ ଛିଡା ହେବେ ନାହିଁ। ଫଳରେ ପୁରୀ ଲୋକସଭାର ବିଜେଡି କର୍ମିମାନେ ଦ୍ବନ୍ଦରେ ରହିଛନ୍ତି। ସେମାନଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ପିନାକୀ କଣ ଆଉ ନବୀନଙ୍କ ଗୁଡ ବୁକରେ ନାହାଁନ୍ତି କି ?

ପିନାକୀଙ୍କୁ ନେଇ ଏହି ସନ୍ଦେହ ଗତ ପଞ୍ଚାୟତ ତଥା ପୌର ନିର୍ବାଚନରୁ ଜୋର ଧରିଲା। ତାପୂର୍ବରୁ ପିନାକୀଙ୍କ ନିଷ୍କ୍ରିୟତା ନେଇ ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ଅଞ୍ଚଳରେ ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ପଞ୍ଚାୟତ ତଥା ପୌର ନିର୍ବାଚନରେ କର୍ମିମାନେ ନିଶ୍ଚିତ ହେଲେ ଯେ, ପିନାକୀ ଆଉ ଲୋସସଭା ଲଢିବେ ନାହିଁ। କାରଣ ଏହି ନିର୍ବାଚନ ବେଳେ ପିନାକୀ ବିଲକୁଲ ପ୍ରଚାରକୁ ଓହ୍ଲାଇଲେ ନାହିଁ। କର୍ମିଙ୍କୁ ସାଥ୍ ଦେଲେ ନାହିଁ।

ତେବେ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ପରେ ଆଉ ଏକ ବଡ ଘଟଣା ଘଟିଥିଲା ଯାହାକୁ ନେଇ ସାରା ରାଜ୍ୟ ରାଜନୀତି ପିନାକୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଲା। ତାହା ହେଲା ଗତ ବର୍ଷ ଡିସେମ୍ବରରେ ପୁରୀ ଆୟୋଜିତ ହୋଇଥିଲା ବିଜେଡି ପ୍ରତିଷ୍ଠା ଦିବସ। ଏଥିରେ ଯୋଗଦେବାକୁ ସବୁ ନେତା କର୍ମି ପିନାକୀଙ୍କ ଘର ଆଗେର ଏକଜୁଟ ହୋଇ ଶଙ୍ଖନାଦ କରିଥିଲେ। ହେଲେ ବିଜେଡିର ପୁରୀ ପିଠାଧିଶ ପିନାକୀବାବୁ ଅର୍ନ୍ତଧ୍ୟାନ।

ସେ ହିସମୟରେ ପିନାକଙ୍କ ସ୍ବାସ୍ଥ୍ୟ ଖରାପ ଥିଲା ବୋଲି ଦଳ ତରଫରୁ କୁହାଗଲା। ହେଲେ ଦେହ ଖରାପକୁ ନେଇ ସେତେବେଳେ ସାଂସଦ ଭର୍ତ୍ତୁହରି ମହତାବ ସନ୍ଦେହ ପ୍ରକଟ କରି ବିବୃତି ଦେଇଥିଲେ। ଏସବୁ ଘଟଣା ଭିତରେ ପିନାକୀଙ୍କ ରାଜନୈତିକ ଭବିଷ୍ୟତ ନେଇ ଧିରେ ଧିରେ ସନ୍ଦେହ ବଢୁଥିବା ବେଳେ ସେ ହଠାତ ଗୋପବନ୍ଧୁ ଦାସ ଜନ୍ମପିଠ ନବୀକରଣ ସମାରୋହରେ ପିନାକୀଙ୍କ ଆର୍ବିଭାବ ହେଲା। ହେଲେ ପୂର୍ବରୁ ମାସ ମାସ ଧରି ଯିଏ ନିର୍ବାଚନ ମଣ୍ଡଳୀରୁ ଦୂରେଇ ଯାଇଥିଲା ଏହି ଗୋଟିଏ ଦିନର ଉପସ୍ଥିତି ସେପରି ଭଲ ହାୱା ପ୍ରବାହିତ କଲା ନାହିଁ।

ତେବେ ପିନାକୀଙ୍କ ନିର୍ବାଚନ ମଣ୍ଡଳୀ ନ ଆସିବାକୁ ଦେଖି କର୍ମିମାନେ ତାଙ୍କୁ ଦେଖି କରିବାକୁ ଅବହେଲା କରନ୍ତି ନାହିଁ। ସେ ଯେତେବେଳେ ପୁରୀ କିମ୍ବା ଭୁବନେଶ୍ବର ଆସନ୍ତି ତାଙ୍କୁ କର୍ମିମାନେ ସମସ୍ୟା ନେଇ ସାକ୍ଷାତ କରିବାକୁ ଯାଆନ୍ତି। ହେଲେ କର୍ମିମାନେ ମଧ୍ୟ ପିନାକୀଙ୍କଠାରୁ କୌଣସି ଭଲ ପ୍ରତିକ୍ରିୟା ପାଆନ୍ତି ନାହିଁ। ଅନେକଙ୍କୁ ପିନାକୀ ଦେଖା ମଧ୍ୟ ଦିଅନ୍ତି ନାହିଁ। ଏପରିକି କେତେକ କର୍ମିଙ୍କ ଆଗରେ ପିନାକୀ କୁଆଡେ ଘୋଷଣା କରିସାରିଲେଣି ଯେ ସେ ଆଉ ନିର୍ବାଚନ ଲଢିବେ ନାହିଁ।

ପିନାକୀଙ୍କ ଏପରି ଖୋଲମଖୁଲା ପ୍ରତିକ୍ରିୟା ଦେଖି ବିଜେଡି କର୍ମିମାନେ ପ୍ରମାଦ ଗଣିଲେଣି। ବିଶେଷ କରି ଚିଲିକା ନିର୍ବାଚନ ମଣ୍ଡଳୀରେ କର୍ମିମାନେ ବେଶୀ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। କାରଣ କୋର୍ଟ କଟକଣା ଯୋଗୁଁ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସେଠାକୁ ଯାଉ ନ ଥିବା ବେଳେ ଏପଟେ ସାଂସଦଙ୍କର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଦର୍ଶନ ମିଳୁ ନାହିଁ। ଫଳରେ ସେମାନେ ବର୍ତ୍ତମାନ ନେତୃତ୍ବ ଛେଉଣ୍ଡ ହୋଇ ବୁଲୁଛନ୍ତି।

ତେବେ ପିନାକୀଙ୍କ ନିଷ୍କ୍ରୟତା ପରେ ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନ ପୁରୀ ଲୋକସଭା ଆସନରୁ ବିଜେଡିରୁ କିଏ ଛିଡା ହେବ। ଏହି ପ୍ରଶ୍ନ ଉଠିବା ସ୍ବାଭାବିକ। କାରଣ ପୁରୀ ଲୋକସଭା ପାଇଁ ବିଜେପିରୁ ସମ୍ବିତ ପାତ୍ର ଯେପରି ପରିଶ୍ରମ କରିବାରେ ଲାଗିଲେଣି, ଘରଘର ବୁଲିଲେଣୀ, ସେଥିରେ ବିଜେଡି କର୍ମୀ ଭୟଭୀତ ହୋଇପଡିଲେଣି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପିର ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ଏମିତି ଟିପ୍ପଣୀ ଦେଲେ ବିଜେଡି ନେତ୍ରୀ

ଭୁବନେଶ୍ୱର: ଓଡିଶା ବିଜେପି ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ୨୦୧୪ ରେ ଖୋଲାଖୋଲି ଭାବେ ନବୀନ ନିବାସକୁ ଆସି ୨୦୧୪ ନିର୍ବାଚନ ପାଇଁ ବିଜେଡି ଟିକେଟ ମାଗିଥିଲେ। ୨୦୧୯ ରେ ସେ ପୁନର୍ବାର ଲୁଚିଛପି ନବୀନ ନିବାସ ଆସି ବିଜେଡି ପାର୍ଟି ଟିକେଟ ମାଗିଥିଲେ। ଆମେ ଜାଣୁ ସେ ପୁଣି ୨୦୨୪ ରେ ଲୁଚିଛପି ଆସି ବିଜେଡି ପାର୍ଟି ଟିକେଟ ମାଗିବେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଲେଖାଶ୍ରୀ ଜଣେ ଆତ୍ମ-ଘୋଷିତ ତଦନ୍ତକାରୀ ଅଧିକାରୀ ଏବଂ ଫରେନସିକ୍ ବିଶେଷଜ୍ଞ ଯାହାଙ୍କୁ ତାଙ୍କ ଦଳର କିଛି ଲୋକ ମାମଲାର ତଦନ୍ତ ଉପରେ ଆଲୋଚନା କରିବାକୁ ନିୟୋଜିତ କରିଛନ୍ତି। ସେ ଘଟଣା ସଂକ୍ରାନ୍ତରେ କିଛି ନବୁଝି ନସୁଝି ମତ ରଖନ୍ତି। ତେଣୁ ସେ ଲୋକଙ୍କ ଆଖିରେ ସବୁବେଳେ ଜୋକର ହୋଇଥାନ୍ତି।

ଜଣେ ମହିଳା ଭାବରେ ତାଙ୍କୁ କ’ଣ ତାଙ୍କ ବରିଷ୍ଠ ଦଳର ବିଧାୟକ ତଥା ବିରୋଧୀ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ର ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଯେଭଳି ମାଡ ମାରିଲେ ତାହା ଦିଶୁ ନାହିଁ କି ବୋଲି ସୁଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ସେ ଏ ବିଷୟରେ ଚୁପ୍ ରହିଛନ୍ତି କାରଣ ସେ ଭୟ କରୁଛନ୍ତି ଯେ ତାଙ୍କୁ ମଧ୍ୟ ଶ୍ରୀ ଜୟ ନାରାୟଣ ମିଶ୍ର ଚପଲରେ ମାରି ପାରନ୍ତି ଯେପରି ସେ ଓଡିଶା ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ମାରିଥିଲେ।

ଗଣମାଧ୍ୟମ ଆଗରେ ଏପରି ପୂର୍ବ ପ୍ରସ୍ତୁତ କାହାଣୀ ଉପସ୍ଥାପନ କରିବା ପୂର୍ବରୁ ଆମେ ତାଙ୍କୁ ପୋଲିସର କିଛି ତଦନ୍ତ ଏବଂ ଫରେନସିକ୍ ପାଠ୍ୟକ୍ରମ ପଢିବା ଲାଗି ଅନୁରୋଧ ସହିତ ପୋଲିସକୁ ତାହାର ତଦନ୍ତ ଏବଂ ନ୍ୟାୟପାଳିକାକୁ ସେମାନଙ୍କର କାର୍ଯ୍ୟ କରିବାକୁ ଅନୁମତି ଦିଅନ୍ତୁ ବୋଲି ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟକୁ ସ୍ବତନ୍ତ୍ର ପ୍ୟାହା ପ୍ରଦାନ ନେଇ ରାଜନୀତି ସରଗରମ, ବବି ଖୋଲିଦେଲେ ବିଜେପି ମୁଖା

ଭୁବନେଶ୍ବର: ରାଜ୍ୟରେ ପୁଣି ଥରେ ସ୍ବତନ୍ତ୍ର ପ୍ୟାହା ରାଜନୀତି ଜୋର ଧରିଛି। ବିଗତ ଦିନରେ ଏହାକୁ ନେଇ ବହୁ ତୁମ୍ବି ତୋଫାନ ହୋଇଛି। ଏପରିକି ବିଜେଡି ଦିଲ୍ଲୀରେ ମଧ୍ୟ ଆନ୍ଦୋଳନ କରିଛି। ହେଲେ ଗତକିଛି ବର୍ଷ ଏହି ସ୍ବତନ୍ତ୍ର ପ୍ୟାହା ରାଜନୀତି ଥମିଯାଇଥିବା ବେଳେ ଏବେ ହଠାତ ଏହା ଉପରକୁ ଉଠି ଆସିଛି। ଫଳରେ ବିଜେପି ଉପରେ ବିଜେଡିର ଆକ୍ରମଣ ଆରମ୍ଭ ହୋଇଯାଇଛି।

ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଏହି ପ୍ରସଂଗ ପୁଣି ଥରେ ଉଦଜିବୀତ ହୋଇପଡିଛି। ସାମ୍ବାଦିକ ସମ୍ମିଳନୀରେ ସୀତାରମଣ କହିଥିଲେ ଯେ ଓଡିଶା ନୁହେଁ କୌଣସି ରାଜ୍ୟକୁ ଆଉ ସ୍ବତନ୍ତ୍ର ପ୍ୟାହା ପ୍ରଦାନ କରାଯିବ ନାହିଁ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସୀତାରମଣ ଏହାକୁ ରୋକଠୋକ ମନା କରିଦେଇଥିଲେ।

ଏହାପରେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବା ବବି ଦାସ ଏକ ଟୁଇଟ କରି ବିଜେପିର ମୁଖା ଖୋଲିଦେଲେ। ବବି ବିଜେପିର ନିର୍ବାଚନ ଇସ୍ତାହାର ଉନମୋଚନର ଏକ ଫଟୋ ପୋଷ୍ଟ କରି ଦଳର ପ୍ରତିଶୃତିକୁ ମନେ ପକାଇଛନ୍ତି।

ସେ କହିଛନ୍ତି “ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଡ଼ମ୍ବନା ହେଲା, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ରୋକଠୋକ୍ ମନା କରିଦେଲେ । ଏହା ଓଡ଼ିଶାବାସୀଙ୍କୁ ଚକିତ ଏବଂ କ୍ଷୁବ୍ଧ କରିଛି।’

ବବି ଆହୁରି କହିଛନ୍ତି ଯେ, “ଓଡ଼ିଶା ବିଜେପିକୁ ମୁଁ ଆହ୍ଵାନ କରୁଛି, ରାଜ୍ୟବାସୀ ଆପଣଙ୍କୁ ୮ଜଣ ସାଂସଦ ଦେଇଛନ୍ତି। ୩ଜଣ କେନ୍ଦ୍ରମନ୍ତ୍ରୀ ବି ଅଛନ୍ତି। ତେଣୁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ପାଇଁ ଲଢ଼ନ୍ତୁ। ପ୍ରତିଶ୍ରୁତି ଦେଇ ଧୋକା ଦେଲେ, ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ।”

ପ୍ରଣବ ପ୍ରକାଶ ଏକ ସିରିଜ ଟୁଇଟ କରି ଉଲ୍ଲେଖ କରିଛନ୍ତି ଯେ, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପ୍ୟାହା ପାଇଁ ବିଜେଡି ତାହାର ସଂଗ୍ରାମ ଜାରୀ ରଖିବ। ସେ ଟୁଇଟରେ କହିଛନ୍ତି “କେନ୍ଦ୍ର ସରକାର ଭଲ ଭାବେ ଜାଣନ୍ତି-ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତ୍ରିକ ବିପର୍ଯ୍ୟୟ ଓଡ଼ିଶାର ଚିରସହଚର ସାଜିଥିବାରୁ ସବୁବର୍ଷ ଓଡ଼ିଶାବାସୀ ପ୍ରଭୂତ କ୍ଷତି ସହି ଆସୁଛନ୍ତି। ସେ ଦୃଷ୍ଟିରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଆମର ହକ୍। ଏଥିପାଇଁ ବିଜେଡି ଯେଉଁ ସଂଗ୍ରାମ ଜାରି ରଖିଛି, ଆଗାମୀଦିନରେ ତାକୁ ଆହୁରି ଶାଣିତ କରିବ।”

ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଯାଇଛି।

Categories
ବିଶେଷ ଖବର

ଜୟନାରାୟଣଙ୍କ ପାଇଁ ବିଜେପି ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: ବିଜେପି ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ, ଯାହାଙ୍କ ବିରୁଦ୍ଧରେ ହତ୍ୟା ସମେତ ୧୬ଟି ଅପରାଧିକ ମାମଲା ରହିଛି। ଏଭଳି ଅପରାଧୀ କେବଳ ଜଣେ ବିଧାୟକ ଏବଂ ବିଜେପି ଦ୍ୱାରା ମନୋନୀତ ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କୁ ପୋଲିସ ସୁରକ୍ଷା ମିଳିଥିଲା ଏବଂ ସେ ନିଜେ ତାଙ୍କର ପୋଲିସ ସୁରକ୍ଷା ଫେରାଇ ଦେଇଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ।

ଶ୍ରୀମତୀ ଦେଓ କହିଛନ୍ତି ଯେ ବିଜେପି ବିଧାୟକମାନେ ମାନ୍ୟବର ଓଡ଼ିଶା ରାଜ୍ୟପାଳଙ୍କ ନିକଟକୁ ଯାଇ ଶ୍ରୀ ମିଶ୍ରଙ୍କ ପାଇଁ ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ବରଂ ବିଜେପି ବିଧାୟକମାନେ ତାଙ୍କୁ ଆକ୍ରମଣ କରିଥିବା ମହିଳା ପୋଲିସ ଅଧିକାରୀଙ୍କ ନିକଟରେ କ୍ଷମା ମାଗିବାକୁ ଶ୍ରୀ ମିଶ୍ରଙ୍କୁ କହିବା ଉଚିତ୍‍।

ଆମକୁ ସମୀର ମହାନ୍ତିଙ୍କ ଉପରେ ଦୟା ଆସୁଛି, ଯିଏକି ଓଡିଶା ବିଜେପି ସଭାପତି, ଯାହାଙ୍କୁ ଶ୍ରୀ ମିଶ୍ରଙ୍କ ଦ୍ୱାରା ମାଡ ମରାଯାଇଥିଲା ଏବଂ ଯେଉଁଥିପାଇଁ ଶ୍ରୀ ମିଶ୍ରଙ୍କୁ ୬ ବର୍ଷ ପାଇଁ ବିଜେପିରୁ ନିଲମ୍ବିତ କରାଯାଇଥିଲା। ଏହା ଦେଖି ଆହୁରି ଦୁଃଖ ଲାଗୁଛି ଯେ ଖୋଦ ସମୀର ମହାନ୍ତିଙ୍କୁ ତାଙ୍କ ଦଳରେ ଏଭଳି ଅପରାଧୀଙ୍କୁ ଏବେ ସହ୍ୟ କରିବାକୁ ପଡୁଛି ବୋଲି କହିଛନ୍ତି ଶ୍ରୀମତୀ ଦେଓ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡ଼ି

ଭୁବନେଶ୍ୱର: କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ପ୍ରସଙ୍ଗରେ ଆଜିଠୁ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି। ଆଜି ପ୍ରଥମ ଦିନରେ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧରଣା ଦିଆଯାଇଛି। ଏହାର ପ୍ରତିବାଦରେ ଆଜିଠାରୁ ୧୬ ତାରିଖ ଯାଏଁ ବିଜେଡ଼ି ରାଜ୍ୟବ୍ୟାପୀ ପ୍ରତିବାଦ କରିବ। ଆସନ୍ତାକାଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା କରିବାକୁ ଥିବା ବେଳେ ୧୬ ତାରିଖରେ ବ୍ଲକ ଓ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଜେଡି ଆନ୍ଦୋଳନ କରିବାର ଯୋଜନା କରିଛି।

କେନ୍ଦ୍ରର ଅତିରିକ୍ତ ୫ କେଜି ଚାଉଳ କାଟକୁ ବିରୋଧ କରି ଦଳ ତିନି ଦିନିଆ ପ୍ରତିବାଦ ଆରମ୍ଭ କରିଛି। କେନ୍ଦ୍ର ସରକାର ଏଥର ବଜେଟର କ୍ରୟ ପାଣ୍ଠିରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଥିବା ବିଜେଡ଼ି କହିଛି। ଏଥି ଯୋଗୁଁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବ ଓ କୃଷକଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବେ ବୋଲି ବିଜେଡ଼ି ଅଭିଯୋଗ କରିଛି। ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିଲା। ଏବେ ତାହାକୁ ୪ ଲକ୍ଷ ମେଟ୍ରିକ୍ ଟନକୁ ହ୍ରାସ କରାଯାଇଛି। ତେଣୁ ବିଜେଡ଼ି ଏହାକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ବିଜେଡ଼ି ଦାବିପତ୍ର ଦେବ ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଫେବୃୟାରୀ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟର କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିବା ଏବଂ ଓଡିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଫଳରେ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ବିଶେଷ କରି ପଶ୍ଚିମ ଓଡିଶାର ଚାଷୀମାନେ ଏହା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହେବେ।

ପୂର୍ବରୁ ଓଡିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିବାବେଳେ ବର୍ତ୍ତମାନ ତାହାକୁ ମାତ୍ର ୪ ଲକ୍ଷ ମେଟ୍ରିକ୍ ଟନ୍‌କୁ ହ୍ରାସ କରାଯାଇଛି। କେବଳ ବରଗଡ ପରି ଗୋଟିଏ ଜିଲ୍ଲା ୪ ଲକ୍ଷ ଟନ୍‍ ଉତ୍ପାଦନ କରେ, ଓଡିଶାର ଅନ୍ୟ ୨୯ଟି ଜିଲ୍ଲାର ଚାଷୀଙ୍କ ସହିତ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମନ୍ତ୍ରୀ, ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଡକ୍ଟର ଅରୁଣ କୁମାର ସାହୁ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ସାହୁ କହିଛନ୍ତି ଯେ କେନ୍ଦ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)କୁ ବନ୍ଦ କରିଦେଇଛି ଯାହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍‌ଏଫ୍‍ଏସ୍‌ଏ) ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋଗ୍ରାମ ମାଗଣା ଚାଉଳ ଯୋଗାଉଥିଲା। ପିଏମ୍‌ଜିକେଏୱାଇ ବନ୍ଦ ହେତୁ ଧାନ କ୍ରୟ ମଧ୍ୟ କ୍ଷତିଗ୍ରସ୍ତ ହେବ ଏବଂ କୃଷକମାନେ ଏମ୍‌ଏସ୍‌ପିରୁ ବଞ୍ଚିତ ହେବେ।

କେନ୍ଦ୍ରର ଧାନ କିଣା ନୀତି ଯାହାକି ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ବିଶେଷ କରି ପଶ୍ଚିମ ଓଡିଶାର ଚାଷୀଙ୍କୁ ପ୍ରଭାବିତ କରିବ ସେଥିପାଇଁ ୧୪ ଫେବୃଆରୀ, ୨୦୨୩ ପୂର୍ବାହ୍ନରେ ବିଜୁ ଜନତା ଦଳ ଭୁବନେଶ୍ୱରରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବ ଏବଂ କେନ୍ଦ୍ର ଓଡିଶାର କୃଷକମାନଙ୍କର ସମସ୍ତ ଖାଦ୍ୟ ଶସ୍ୟ ଉଠାଇବାକୁ ଦାବି କରିବ।

ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ ନହୁଏ ତେବେ ବିଜେଡି ଓଡିଶାର କୃଷକଙ୍କୁ ଅବହେଳା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ। ୧୪ ଫେବୃଆରୀ, ୨୦୨୩ରେ, ଏକ ବିଜେଡି ପ୍ରତିନିଧି ଦଳ ଓଡିଶାର ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ ଏବଂ ତାଙ୍କୁ ଆମର ଦାବି ବିଷୟରେ ଜଣାଇବେ ଏବଂ ଲକ୍ଷ ଲକ୍ଷ ଚାଷୀଙ୍କ ସପକ୍ଷରେ ଆମର ଦାବି କେନ୍ଦ୍ର ନିକଟରେ ଉପସ୍ଥାପନ କରିବାକୁ ଅନୁରୋଧ କରିବେ।

ପିଏମ୍‌ଜିକେଏୱାଇ କାର୍ଯ୍ୟକ୍ରମ ବନ୍ଦକୁ ବିରୋଧ କରାଯିବ ଯାହାକି ୩.୨୫ କୋଟି ଲୋକ ତଥା ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ପ୍ରଭାବିତ କରିବ, ୧୫ ଫେବୃଆରୀ, ୨୦୨୩ରେ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ବିଜୁ ଜନତା ଦଳ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ହେଡକ୍ୱାର୍ଟରରେ ସାମୂହିକ ଅଂଶଗ୍ରହଣ ପାଇଁ ଆନ୍ଦୋଳନ କାର୍ଯ୍ୟକ୍ରମ ଆୟୋଜନ କରିବେ।

୧୬ ଫେବୃଆରୀ, ୨୦୨୩ରେ, ବିଜୁ ଜନତା ଦଳ ଓଡିଶାର ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଓଡିଶାର ପ୍ରତ୍ୟେକ ବ୍ଲକ ସମ୍ମୁଖରେ ପ୍ରଦର୍ଶନ ଏବଂ ଆନ୍ଦୋଳନ କରିବେ ଏବଂ ପିଏମ୍‌ଜିକେଏୱାଇ କେନ୍ଦ୍ର ଦ୍ୱାରା ପୁନଃ ଆରମ୍ଭ ଦାବିରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ। ଯଦି ତାହା ଶୀଘ୍ର ନହୁଏ, ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଗରିବ ଏବଂ ଓଡିଶାର କୃଷକଙ୍କ ଅଧିକାର ପାଇଁ ଲଢିବ ବୋଲି ଡକ୍ଟର ସାହୁ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପିର ସେଲଫି ଅଭିଯାନକୁ ନେଇ ତୀବ୍ର ସମାଲୋଚନା କଲା ବିଜେଡି

ଭୁବନେଶ୍ୱର : ସେଲଫି ଅଭିଯାନ ପରିବର୍ତ୍ତେ ମହିଳା ସଶକ୍ତିକରଣ ପାଇଁ ଓଡିଶା ବିଜେପି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ନେଇଥାନ୍ତା ଭଲ ହୋଇଥାନ୍ତା। ଏହା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର।

ବିଜେପିର ସେଲଫି ଅଭିଯାନ ଉପରେ ଗଣମାଧ୍ୟମକୁ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଉଜ୍ୱଳା ଯୋଜନାରେ ୯୦ ଲକ୍ଷ ମହିଳା ୨୦୨୧-୨୨ ମସିହାରେ ସିଲିଣ୍ଡର ରିଫିଲ କରିପାରି ନ ଥିଲେ ଏବଂ ସେମାନେ ଯନ୍ତ୍ରଣା ଭୋଗିଥିଲେ।

କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବା କାରଣରୁ ଓଡିଶାର ଏକ କୋଟିରୁ ଅଧିକ ମହିଳା ପ୍ରତି ମାସରେ ଅତିରିକ୍ତ ଭାବେ ମୁଣ୍ଡପିଛା ପାଉଥିବା ୫ କିଲୋଗ୍ରାମ ମାଗଣା ଚାଉଳରୁ ବଞ୍ଚିତ ହେବେ। କେନ୍ଦ୍ର ଓଡିଶାରୁ ବଳକା ଚାଉଳ ଉଠାଉନଥିବାରୁ ଏବଂ ଧାନ କ୍ରୟ ପରିମାଣ ହ୍ରାସ ଯୋଗୁଁ ମହିଳା କୃଷକ ଏବଂ କୃଷକ ପରିବାରରେ ଥିବା ମହିଳା ସଦସ୍ୟମାନେ ଏହାର ଫଳ ଭୋଗିବେ।

କେନ୍ଦୁ ପତ୍ର ଉପରେ ୧୮% ଜିଏସଟି ଲାଗୁ ଯୋଗୁଁ ଜୀବିକା ପାଇଁ କେନ୍ଦୁ ପତ୍ର ସଂଗ୍ରହ କରୁଥିବା ପ୍ରାୟ ୮ ଲକ୍ଷ ଆଦିବାସୀ ମହିଳା କ୍ଷତିଗ୍ରସ୍ତ ହେଉଛନ୍ତି। ସେଲଫି ଅଭିଯାନ କରିବା ପରିବର୍ତ୍ତେ ଯଦି ମହିଳାଙ୍କ ସହ ଜଡିତ ଏହି ପ୍ରକୃତ ପ୍ରସଙ୍ଗକୁ ଓଡ଼ିଶା ବିଜେପି ଉଠାନ୍ତା ତେବେ ରାଜ୍ୟର ମହିଳାଙ୍କ ମଙ୍ଗଳ ହୁଅନ୍ତା ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। କ୍ରାଇମବ୍ରାଞ୍ଚ ତଦନ୍ତରୁ ଧୀରେ ଧୀରେ ସତ ପଦାକୁ ଆସୁଥିବାବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି।

ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପିର କିଛି ନେତା ପ୍ରତିଦିନ ଲୋକଙ୍କୁ ନୂଆ ନୂଆ ଉଦ୍ଭଟ କାହାଣୀ ଶୁଣାଉଛନ୍ତି। କୌତୂହଳର ବିଷୟ ହେଲା, ସେମାନଙ୍କର ଗୋଟିଏ କାହାଣୀ ସହ ଅନ୍ୟ କାହାଣୀର ତାଳମେଳ ରହୁନାହିଁ।

ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ନେତାମାନେ ଯେଭଳି ନିମ୍ନ ସ୍ତରର ରାଜନୀତି କରୁଛନ୍ତି, ତାହା ଦେଖି ଓଡ଼ିଶାବାସୀ ସେମାନଙ୍କୁ ଘୃଣା କରିବା ଆରମ୍ଭ କଲେଣି। ଏମିତି ହାସ୍ୟାସ୍ପଦ ବୟାନବାଜି କରୁଥିବା ବିଜେପି ନେତାମାନେ ଆଗାମୀ ଦିନରେ ସତ ପଦାକୁ ଆସିବା ପରେ ଲୋକଙ୍କୁ ମୁହଁ ଦେଖାଇ ପାରିବେ ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରୁ ଧାନ କିଣୁ ନାହିଁ କେନ୍ଦ୍ର,ବିଜେପି ନେତାମାନେ ଚୁପ କାହିଁକି ବୋଲି ପ୍ରଶ୍ନ କଲା ବିଜେଡି

ବରଗଡ଼: କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍‍ ରାଶି ହ୍ରାସ କରିଛନ୍ତି। ସ୍ୱାମୀନାଥନ୍ କମିଶନ ରିପୋର୍ଟ ସୁପାରିଶ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି।

ଏହି ବୃହତ୍‍ ୨୦,୦୦୦ କୋଟି ଟଙ୍କା ହ୍ରାସ ଯୋଗୁଁ କୃଷକମାନେ ସେମାନଙ୍କର ଏମ୍‌ଏସ୍‌ପି ପାଇବାରେ ଅସମର୍ଥ ହେବେ ଏବଂ ଧାନ କିଣା କ୍ରମଶଃ ହ୍ରାସ ପାଇବ। ଏହା ଓଡିଶାର କୃଷକମାନଙ୍କୁ ବିଶେଷ ଭାବରେ ପଶ୍ଚିମ ଓଡିଶାର କୃଷକଙ୍କୁ ପ୍ରଭାବିତ କରିବ ଏବଂ ସେମାନଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ବଜେଟ୍‍ରେ ଅର୍ଥ ହ୍ରାସ ଯୋଗୁଁ କେନ୍ଦ୍ର ଏମ୍‌ଏସ୍‌ପିକୁ ୧.୫ ଗୁଣ ବୃଦ୍ଧି କରିବ ନାହିଁ ଏବଂ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବା ପାଇଁ ଚାଷୀଙ୍କ ଦାବି ଅନୁଯାୟୀ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବକୁ ମଧ୍ୟ ପୁଣିଥରେ ପ୍ରତ୍ୟାଖାନ କରିବ। ଯାହାଦ୍ୱାରା ଓଡିଶାର ଲକ୍ଷ ଲକ୍ଷ ଚାଷୀ ଦୁଃଖ ଏବଂ ଯନ୍ତ୍ରଣା ପାଇବେ।

କେନ୍ଦ୍ର ମଧ୍ୟ ଓଡିଶାରୁ ଖାଦ୍ୟଶସ୍ୟ କ୍ରୟ ଲକ୍ଷ୍ୟକୁ ହ୍ରାସ କରିଛି। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଦ୍ୱାରା ଓଡିଶାରୁ ବର୍ଷକୁ ୧୮ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଉଠାଯାଉଥିବା ବେଳେ ବର୍ତ୍ତମାନ ୨୦୨୨-୨୩ ପାଇଁ କେନ୍ଦ୍ର ଏହାକୁ ୮୦% ହ୍ରାସ କରି ମାତ୍ର ୪ ଲକ୍ଷ ଟନ୍‍ କରିଛି।

କେବଳ ଓଡ଼ିଶାର ବରଗଡ ଜିଲ୍ଲା ୪ ଲକ୍ଷ ଟନ୍‍ ଚାଉଳ ଉତ୍ପାଦନ କରେ, ବାକି ୨୯ଟି ଜିଲ୍ଲାର ଅବସ୍ଥା କ’ଣ ହେବ ? ସେହି ୨୯ଟି ଜିଲ୍ଲାର କୃଷକମାନେ କେଉଁଠାରେ ସେମାନଙ୍କର ଧାନ ବିକ୍ରି କରିବେ ? କେନ୍ଦ୍ର ଏହା ଉପରେ ସମ୍ପୂର୍ଣ୍ଣ ନିରବ ରହିଛି।

କେନ୍ଦ୍ରର ଏଭଳି ଅନ୍ୟାୟ ଯୋଗୁଁ ପଶ୍ଚିମ ଓଡ଼ିଶାର କୃଷକମାନେ ଅଧିକ କ୍ଷତିଗ୍ରସ୍ତ ହେବେ। ପଶ୍ଚିମ ଓଡିଶାର ପାଞ୍ଚ ଜଣ ବିଜେପି ସାଂସଦ କ’ଣ କରୁଛନ୍ତି ? ସେମାନେ ୨୦୧୯ରେ ପଶ୍ଚିମ ଓଡିଶାର ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ ମଧ୍ୟ ଧାନ କ୍ରୟ ପାଇଁ ସେମାନେ ପଶ୍ଚିମ ଓଡିଶାର କୃଷକଙ୍କ ସପକ୍ଷରେ ପଦୁଟିଏ ହେଲେ କହୁ ନାହାଁନ୍ତି ।

୨୦୨୪ରେ ସେମାନେ ପୁଣି ଥରେ ସେହି ଭୋଟରଙ୍କୁ କିପରି ସାମ୍ନା କରିବେ, ଯେଉଁମାନେ ୨୦୧୯ରେ ସେମାନଙ୍କୁ ବିଶ୍ୱାସ କରିଥିଲେ? ଧାନ କ୍ରୟ ସହ ପଶ୍ଚିମ ଓଡିଶାର କୃଷକଙ୍କ ସ୍ୱାର୍ଥ ପାଇଁ ପାଟି ନଖୋଲି ଓଡିଶାର କେନ୍ଦ୍ର ମନ୍ତ୍ରୀମାନେ କାହିଁକି ଚୁପ୍ ରହିଛନ୍ତି? ପଶ୍ଚିମ ଓଡ଼ିଶାର କୃଷକ ଏବଂ ଭୋଟରମାନେ ଭବିଷ୍ୟତରେ ଓଡିଶା ବିଜେପିର କେନ୍ଦ୍ରୀୟ ମନ୍ତ୍ରୀ ଏବଂ ପଶ୍ଚିମ ଓଡିଶାର ବିଜେପି ସାଂସଦଙ୍କ ଏଭଳି ନିରବତା ଦେଖି ସେମାନଙ୍କୁ ଆଉ ବିଶ୍ୱାସ କରିବେ କି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ଆମେ ଦାବି କରୁଛୁ ଯେ ଓଡିଶା ଚାଷୀଙ୍କର ସ୍ୱାର୍ଥ ବିଶେଷକରି ପଶ୍ଚିମ ଓଡିଶା ଚାଷୀଙ୍କର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ବଳକା ଖାଦ୍ୟ ଶସ୍ୟକୁ ଧାନ କିଣା ପ୍ରକ୍ରିୟାରେ କେନ୍ଦ୍ର ସରକାର ଖରିଦ କରନ୍ତୁ ଏବଂ ଓଡିଶାର କୃଷକମାନେ କୌଣସି ସ୍ଥିତିରେ ଯେଭଳି ଏମ୍‌ଏସ୍‌ପିରୁ ବଞ୍ଚିତ ହେବେ ନାହିଁ ତାହା ନିଶ୍ଚିତ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।