Categories
ବିଶେଷ ଖବର

ବରିଷ୍ଠ ନେତା ସମୀର ମହାନ୍ତିଙ୍କ ମୁହଁରେ ମିଛ କୁହାଉଛି ବିଜେପି: ଅଭିଯୋଗ କଲା ବିଜେଡ଼ି

ଭୁବନେଶ୍ଵର: ଶାନ୍ତିପ୍ରିୟ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ବଲପୁରରେ ଶାନ୍ତି ଫେରି ଆସିଛି। କିନ୍ତୁ ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ଚାହୁଁଥିବା ବିଜେପି ଏହା ସହି ପାରୁନାହିଁ। ସେଥିପାଇଁ ଓଡ଼ିଶା ବିଜେପି ନେତାମାନେ ବାଉଳିଚାଉଳି ହୋଇ ବିବୃତି ଦେଉଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି।

ଆଜି ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି, ଦେଖି ଖୁସି ଲାଗିଲା ଯେ ବହୁତ ଦିନ ପରେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ପଦାକୁ ବାହାରିଲେ ଏବଂ ଗଣମାଧ୍ୟମ ଆଗରେ ବିବୃତି ଦେଲେ। ତେବେ ତାଙ୍କ କଥା ଶୁଣି ଲାଗିଲା; ଗଣମାଧ୍ୟମରେ ସେ ଯାହା କହିଲେ, ତାହା ତାଙ୍କର ନିଜସ୍ୱ ମତାମତ ନୁହେଁ। ଅନ୍ୟ କାହାର ବାଧ୍ୟବାଧକତାରେ ସେ ଏଭଳି ବିବୃତି ଦେଇଛନ୍ତି। ତେବେ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ନେଇ ସମୀର ବାବୁଙ୍କ ମୁହଁରେ ଆଜି ଯାହା କୁହାଗଲା, ତାହା ଶୁଣି ଆମକୁ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧ, ହିଂସା ଓ ଦଙ୍ଗାର ତାଲିକା ଦେଖିଲେ, ଓଡ଼ିଶା ଏସବୁ ରାଜ୍ୟଠାରୁ ଢେର୍ ତଳେ ଅଛି।

ଡ.ମହାନ୍ତି ଆହୁରି କହିଲେ ଯେ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ବୋଲି ସମସ୍ତେ ଜାଣନ୍ତି। ମାତ୍ର ବିଡ଼ମ୍ବନା ହେଲା ଓଡ଼ିଶା ବିଜେପିର ନେତାମାନେ କ୍ରମାଗତ ଭାବରେ ଓଡ଼ିଶାବାସୀଙ୍କୁ ଅରାଜକ ଆଖ୍ୟା ଦେଇ ଅପମାନିତ କରି ଚାଲିଛନ୍ତି। ବାସ୍ତବରେ ଓଡ଼ିଶା ବିଜେପିର ନେତାମାନେ ହିଁ ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ଶାନ୍ତିପ୍ରିୟ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ବଲପୁରରେ ଶାନ୍ତି ଫେରି ଆସିଥିବାବେଳେ ସମୀର ବାବୁଙ୍କ ମୁହଁରେ ଏଭଳି କୁହାଉଥିବା ଓଡ଼ିଶା ବିଜେପି ନେତାମାନେ ଏହା ସହିପାରୁ ନାହାନ୍ତି।

ଏହି ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ସେମାନଙ୍କର ଯେଉଁ ମନ୍ଦ ଉଦ୍ଦେଶ୍ୟ ରହିଛି, ତାହା ସାଧିତ ହୋଇ ପାରୁନାହିଁ। ତେଣୁ ସେମାନେ ପ୍ରତିଦିନ ବାଉଳିଚାଉଳି ହୋଇ ଗଣମାଧ୍ୟମରେ ଏଭଳି ବୟାନବାଜି କରୁଛନ୍ତି। ଏଭଳି ହୀନ ରାଜନୀନୈତିକ ଷଡ଼ଯନ୍ତ୍ର କରି ବିଜେପି ସାଢେ ଚାରି କୋଟି ଓଡ଼ିଆ ଏବଂ ଓଡ଼ିଶାକୁ ବଦନାମ କରୁଛି। ଶାନ୍ତି ଓ ଭାଇଚାରାରେ ବିଶ୍ୱାସ କରୁଥିବା ସମ୍ବଲପୁରବାସୀ ଆଗାମୀ ଦିନରେ ବିଜେପି ନେତାମାନଙ୍କ ଏଭଳି ହୀନ ରାଜନୀତିର ଉଚିତ ଜବାବ ଦେବେ ବୋଲି ଡ.ମହାନ୍ତି ଚେତାଇ ଦେଇଛନ୍ତି।

Categories
ବିଶେଷ ଖବର

ଅନ୍ୟର ଚାନ୍ଦା ଉପରେ ମତ ଦେବା ପୂର୍ବରୁ ନିଜ ଦଳର ଡୋନେସନର ତଥ୍ୟ ସଂଗ୍ରହ କରୁ ବିଜେପି: ବିଜେଡ଼ି

ଭୁବନେଶ୍ଵର: ଗତ କିଛିଦିନ ହେଲା କିଛି ବିଜେପି ନେତା ରାଜନୈତିକ ଚାନ୍ଦାକୁ ନେଇ ଗଣମାଧ୍ୟମରେ ନାନାପ୍ରକାର ଅରୁଚିକର ଏବଂ ବିଭ୍ରାନ୍ତିକର ବିବୃତି ଦେଇ ଚାଲିଛନ୍ତି। ଏହି କ୍ରମରେ ଆଜି ବିଜେପି ବିଧାୟକ ବୁଧାନ ମୁର୍ମୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତିକୁ ଆକ୍ଷେପ କରି ଯେଉଁ ବୟାନ ଦେଇଛନ୍ତି, ସେଥିରୁ ତାଙ୍କ ଅଜ୍ଞାନତାର ପରିଚୟ ମିଳୁଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।

ଏକ ପ୍ରେସ୍ ବିବୃତିରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି; ବିଜେପି ବିଧାୟକ ବୁଧାନ ମୁର୍ମୁ ବୋଧେ ଜାଣି ନାହାନ୍ତି ଯେ ଦେଶରେ ସର୍ବାଧିକ ଡୋନେସନ ପାଉଥିବା ଦଳ ହେଉଛି ତାଙ୍କ ନିଜ ଦଳ ବିଜେପି। ଏହା ପଛକୁ କଂଗ୍ରେସ ଦଳ ରହିଥିବାବେଳେ ଅନ୍ୟ ଆଞ୍ଚଳିକ ଦଳମାନେ ଏହି ଦୁଇ ଜାତୀୟ ଦଳଠାରୁ ଢେର ପଛରେ ରହିଛନ୍ତି।

ଅନ୍ୟ ରାଜନୈତିକ ଦଳଗୁଡ଼ିକ ଭଳି ବିଜୁ ଜନତା ଦଳକୁ ଯେତିକି ଡୋନେସନ ଆସେ, ତାହାର ଗୋଟି ଗୋଟି ହିସାବ ଜାତୀୟ ନିର୍ବାଚନ କମିସନକୁ ଦେବାକୁ ପଡ଼େ। କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ଅନ୍ୟ ସଂସ୍ଥାଗୁଡ଼ିକ ପାଖରେ ମଧ୍ୟ ଏହାର ହିସାବ ରହିଛି।

ଶ୍ରୀ ଦାସ ଆହୁରି କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସଂପର୍କରେ ମଧ୍ୟ ସେ ରୁଚିହୀନ ଟିପ୍ପଣି ଦେଇ ନିଜ ଅଜ୍ଞାନତାର ପରିଚୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ତାଙ୍କ ସମ୍ପତ୍ତି ତାଲିକା ଦାଖଲ କରନ୍ତି ଏବଂ ତାହା ସର୍ବସାଧାରଣରେ ପ୍ରକାଶିତ ହୁଏ। ତେଣୁ ଏ ବିଷୟରେ କିଛି ନ ଜାଣି ଶ୍ରୀ ମୁର୍ମୁ ବିଜେପି ପ୍ରାୟୋଜିତ ଚ୍ୟାନେଲରେ ଯେଉଁ ବୟାନ ଦେଇଛନ୍ତି ତାହା ମଧ୍ୟ ପ୍ରାୟୋଜିତ ଥିବା ଭଳି ମନେ ହେଉଛି।

ବିଜେଡି ଡୋନେସନର ଉତ୍ସ ସଂପର୍କରେ ମତ ଦେବା ପୂର୍ବରୁ ସେ ପ୍ରଥମେ ତାଙ୍କ ନିଜ ଦଳ ବିଜେପି ଯେଉଁ ବିପୁଳ ଡୋନେସନ ଲାଭ କରିଛି, ସେ ନେଇ ତଥ୍ୟ ସଂଗ୍ରହ କରନ୍ତୁ ବୋଲି ଶ୍ରୀ ଦାସ ତାଙ୍କୁ ପରାମର୍ଶ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ନେଇ ସିଇଓଙ୍କ ନିକଟରେ କଣ ଅଭିଯୋଗ କଲା ବିଜେପି

ଭୁବନେଶ୍ୱର: ଝାରସଗୁଡା ଉପନିର୍ବାଚନର ଗତକାଲି ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏନେଇ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପ୍ରଚାର ବେଶ୍ ସରଗରମ ହୋଇଛି। ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଉପନିର୍ବାଚନ ହେଉଥିବା ନିର୍ବାଚନ ମଣ୍ଡଳୀରେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀମାନଙ୍କୁ ବଳଦି କରାଯାଇଥାଏ।

ସେହି ଅନୁଯାୟୀ ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷିରେ ଗତ ମାର୍ଚ୍ଚ ୧୮ତାରିଖରେ ଝାରସୁଗୁଡାରେ କାର୍ଯ୍ୟରତ ୧୦ଜଣ ପୋଲିସ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଥିଲା। ଏହା ଭିତରେ ବଦଳିର ୩୭ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ଅଧିକାରୀଙ୍କୁ ସେଠାରୁ କାର୍ଯ୍ୟରୁ ନିବୃତ କରାଯାଇ ନାହିଁ। ଫଳରେ ଝାରସୁଗୁଡା ଉପନିର୍ବାଚନ ପ୍ରଚାରର କ୍ରିୟା କଳାପରେ ଶାସକ ଦଳ ସପକ୍ଷରେ ସେମାନେ ପ୍ରଚାର କାର୍ଯ୍ୟ କରୁଥିବାର ଦେଖାଯାଉଛି।

ବଦଳି ହୋଇଥିବା ଅଧିକାରୀମାନେ ସେ ସ୍ଥାନ ନଛାଡିବା ପର୍ଯ୍ୟନ୍ତ ଅବାଧ, ମୁକ୍ତ ନିର୍ବାଚନ ସମ୍ଭବ ନୁହେଁ। ତୁରନ୍ତ ବଦଳି କରାଯାଇଥିବା ପୋଲିସ ଅଧିକାରୀଙ୍କୁ ଝାରସୁଗୁଡାରୁ ବିଦା କରାଯାଉ। ଝାରସୁଗୁଡାରେ କିଭଳି ଆଇନ ଶୃଙ୍ଖଳା ଓ ଅବାଧ ମୁକ୍ତ ନିର୍ବାଚନ ଅନୁଷ୍ଠିତ ହେବ ସେଥିନେଇ ଆଜି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ସିଇଓଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

ବିଜୁ ଜନତା ଦଳ ସରକାରୀ ଅଧିକାରୀମାନଙ୍କୁ ନିଜ ଦଳର ପ୍ରଚାର ପ୍ରସାର କାର୍ଯ୍ୟରେ ଲଗାଉଛନ୍ତି ଯାହା ନିର୍ବାଚନ ଆଚରଣ ବିରୋଧୀ। ପୋଲିସ ପ୍ରଶାସନ ଓ ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରାଇବା ବିଜେଡିର ଚିରାଚରିତ ଅଭ୍ୟାସ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ମହିଳାମୋର୍ଚ୍ଚାର ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ମେୟର ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଝଟକା, ବିଜେପିରେ ଯୋଗ ଦେଲେ ମହିଳା କାଉନସିଲର

ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ୍ ଆଦମୀ ପାର୍ଟିର ଜଣେ ମହିଳା କାଉନସିଲର ବିଜେପିରେ ଯୋଗ ଦେଇଛନ୍ତି। ଦ୍ୱାରକାରୁ ଆମ୍ ଆଦମୀ ପାର୍ଟିର କାଉନସିଲର ସୁନୀତା ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା ତାଙ୍କୁ ଦଳରେ ସାମିଲ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ମେୟର ପଦବୀ ପାଇଁ ନିର୍ବାଚନ ଏପ୍ରିଲ ୨୬ ତାରିଖରେ ଅନୁଷ୍ଠିତ ହେବ। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ​​୨୫୦ ଟି ସିଟ୍ ମଧ୍ୟରୁ ବିଜେପି ୧୦୪ ଟି ସିଟ୍ ଜିତିଛି। ଯେଉଁଠାରେ ଏଏପି ୧୩୪ ଟି ସିଟ୍ ପାଇଛି। ମେୟର ନିର୍ବାଚନ ପୂର୍ବରୁ ବିଜେପିର ଦୁଇଜଣ କାଉନସିଲର ବିଜେପିରେ ଯୋଗ ଦେଇଥିଲେ ଏବଂ ଏହାର କାଉନସିଲରଙ୍କ ସଂଖ୍ୟା ୧୦୬ କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଆଉ ଜଣେ କାଉନସିଲର ଝାଡୁ ଛାଡି ପଦ୍ମ ଧରିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ର ମେୟର ନିର୍ବାଚନ ପାଇଁ ଅଧ୍ୟକ୍ଷ ଭାବେ ବରିଷ୍ଠ ଏଏପି କାଉନସିଲର ମୁକେଶ ଗୋୟଲଙ୍କୁ ମନୋନୀତ କରିଛନ୍ତି। କେଜ୍ରିୱାଲ ଏକ ଟୁଇଟ୍‌ରେ କହିଛନ୍ତି ଯେ, ପ୍ରିଜାଇଡିଂ ଅଫିସରଙ୍କ ନିଯୁକ୍ତି ଲାଗି ଫାଇଲ ଉପ-ରାଜ୍ୟପାଳ ଭି.କେ ସକ୍ସେନାଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ଆମ୍ ଆଦମୀ ପାର୍ଟିକୁ ବଡ ଝଟକା, ବିଜେପିରେ ଯୋଗ ଦେଲେ ଶତାଧିକ କର୍ମୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ରାଜନୈତିକ ଯୁଦ୍ଧ ମଧ୍ୟରେ ଆମ୍ ଆଦମୀ ପାର୍ଟି (AAP) ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି, ଯେତେବେଳେ ଦଳର ଜିଲ୍ଲା ସଭାପତିଙ୍କ ସମେତ ଶହ ଶହ କର୍ମୀ ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ରାଜ୍ୟ ସଭାପତି ବିରେନ୍ଦ୍ର ସଚ୍ଚେଦେବା, ସାଂସଦ ମନୋଜ ତିୱାରୀ, ଦଳର ବରିଷ୍ଠ ନେତା ହରିଶ ଖୁରାନା ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

ବିରେନ୍ଦ୍ର ସଚ୍ଚଦେବା ଭାରତୀୟ ଜନତା ପାର୍ଟିର ଉତ୍ତରୀୟ ପିନ୍ଧି ଏଏପି ନେତାମାନଙ୍କୁ ଦଳରେ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ ଏହି ସମସ୍ତ ନେତାମାନେ ଦିଲ୍ଲୀର ଲୋକଙ୍କ ପରି ପ୍ରତାରଣା ଅନୁଭବ କରୁଛନ୍ତି। ମିଥ୍ୟା ଆଧାରରେ ଦିଲ୍ଲୀ ସରକାର କ୍ଷମତାକୁ ଆସିଛି ଏବଂ ଆଜି ଦଳରୁ ଦୁର୍ନୀତି ଏବଂ ଘୋଟାଲା ମାମଲା ସାମ୍ନାକୁ ଆସୁଛି। ଦିଲ୍ଲୀରୁ ଦୁର୍ନୀତି ସମ୍ପୂର୍ଣ୍ଣ ରୂପେ ଦୂର ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ସେମାନଙ୍କ ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖିବ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କ ବିଫଳତା ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ଦେବା ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ଶ୍ରୀ ଗଣେଶି ଲାଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ଘଟଣାକୁ ୯ଦିନ ବିତିଥିଲେ ବି ମୁଖ୍ୟମନ୍ତ୍ର ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ପୂର୍ବ ବର୍ଷ ହନୁମାନ ଜୟନ୍ତୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା କିନ୍ତୁ ଏଥର ହନୁମାନ ଜୟନ୍ତୀର ଗଣ୍ଡଗୋଳ ଯୋଜନାବଦ୍ଧ ଥିଲା ବୋଲି ଆଇଆଇସି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଓ ଏସ୍‌ପି ଏହାକୁ ସ୍ୱୀକାର କରିଛନ୍ତି।

ଶୋଭାଯାତ୍ରାର ଭିଡିଓ ପୋଲିସ ପାଖରେ ଅଛି କିନ୍ତୁ ଏଥିପ୍ରତି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଗତ ୧୪ତାରିଖ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରାଗଲା। କାହା ନିର୍ଦ୍ଦେଶରେ ସରକାର ଚାଲିଛି, କିଏ ଏ ସରକାର ଚଲଉଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି।

ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ମୋହନ ଚରଣ ମାଝୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାଏକ, ବୁଧାନ ମୁର୍ମୁ, କେ.ନାରାୟଣ ରାଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ନେତା ସମ୍ବିତ ପାତ୍ରଙ୍କ ପଖାଳଖିଆ ଫଟୋକୁ ନେଇ କାହିଁକି ହେଉଛି ତୀବ୍ର ସମାଲୋଚନା

ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଭିନ୍ନ ସମୟରେ ତାଙ୍କର ଭିନ୍ନ ଭିନ୍ନ ଫଟୋକୁ ନେଇ ସେ ସବୁ ବେଳେ ସମାଲୋଚନାର ଶିକାର ହୋଇଥାନ୍ତି। କେତେବେଳେ ସେ ଜଗନ୍ନାଥଙ୍କ ମୃତ୍ତିକୁ ମୁଣ୍ଡରେ ଧରି ଅଭିନୟ କରିଥାନ୍ତି, କେତେବେଳେ କେଉଁଠି ପୂଜା କରିବା ହେଉ। ସେ ସବୁବେଳେ ଏପରି କିଛି କରି ମିଡିଆରେ ରହିବା ପାଇଁ ଚେଷ୍ଠା କରିବାରେ ଲାଗିଛନ୍ତି।

ହେଲେ ବେଳେ ବେଳେ ଏପରି ଚର୍ଚ୍ଚାରେ ରହିବା ଚେଷ୍ଠା ଅପଚେଷ୍ଠାରେ ପରିଣତ ହୋଇଯାଏ। ଯାହାଦ୍ବାରା ସେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ସହିତ ନିନ୍ଦା ମଧ୍ୟ କରାଯାଉଥିବାର ନଜର ରହିଛି। ପୁରୀରେ ଜଗନ୍ନାଥ ମୂର୍ତ୍ତିକୁ ଧରି ସେ ଯେପରି ନାଟକବାଜୀ କଲେ ତାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

ସେହିପରି ତାଙ୍କର ଆଉ ଏକ ଫଟୋକୁ ନେଇ ସେ ସମାଲୋଚନାର ଶିକାର ହୋଇଛନ୍ତି। ଏହି ଫଟୋରେ ସମ୍ବିତ ପାତ୍ର ଜଣେ ଗରିବ ଘରେ ବସି ପଖାଳ ଖାଉଥିବାର ଦେଖାଯାଇଛି। ତାଙ୍କ ପାଖରେ କେତେକ ଛୋଟ ଝିଅ ତାଙ୍କ ଖାଇବା କଂସାକୁ ବଡ ବିକଳ ମନରେ ଅନାଇ ରହିଛନ୍ତି। ଏହି ଫଟୋଟି ସେ ନିଜେ ଟୁଇଟରରେ ପକାଇବା ପରେ ତାହା ବର୍ତ୍ତମାନ ବିଭିନ୍ନ ମହଲରେ ନିନ୍ଦା କରାଯାଇ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ଫଟୋଟି ଗତ ୧୭ ତାରିଖରେ ଉଠାଯାଇଛି। ସମ୍ବିତ ରଣପୁର ବିଧାନସଭା ପରିଦର୍ଶନରେ ଯାଇଥିବା ବେଳେ ସେ ଏହି ଫଟୋଟି ଉଠାଇ ଟୁଇଟରରେ ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ” ଆଜି ରଣପୁର ବିଧାନସଭା ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତର ଜାମୁଗଣ୍ଡ ଗ୍ରାମ ପରିଦର୍ଶନ କରିବା ସମୟରେ ଜଣେ ଭଉଣୀଙ୍କ ଘରେ ପଖାଳ ଭୋଜନ କଲି। ଓଡ଼ିଆ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଓଡ଼ିଆ ପ୍ରାଣର ପ୍ରତୀକ ହେଉଛି ପଖାଳ।”

ଫଟୋରେ କେତେକ ମହିଳା ଏବଂ ଛୋଟ ଝିଅ ଅଛନ୍ତି। ହେଲେ ସେମାନଙ୍କ ମୁଖମଣ୍ଡଳରେ କାହାରି ବି ଖୁସିର ଚିହ୍ନ ପରିଲକ୍ଷିତ ହୋଇ ନାହିଁ। ଫଳରେ ଏହାକୁ ନେଇ ଟୁଇଟରେ ପ୍ରବଳ ବିରୋଧ କରାଯାଇଛି। ଏପରିକି ଫେସବୁକରେ ମଧ୍ୟ ତାଙ୍କର ଏହି ଫଟୋକୁ ନେଇ ସମାଲୋଚନା କରାଯାଇଛି।

ଅନେକ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି ଯେ ସମ୍ବତ ଗରିବ ଘରର ଖାଦ୍ୟ ଖାଇ ବଡଲୋକି ହେବାର ଦେଖାଇ ହୋଇଛନ୍ତି। କେତେକ ଛୁଆମାନଙ୍କୁ ସାଙ୍ଗରେ ଧରି ଖାଇଥିଲେ ଭଲ ହୋଇଥାଆନ୍ତା ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

ସେହିପରି ଆଉ ଜଣେ ଟୁଇଟରେ ପ୍ରତିକ୍ରିୟା ଦେଇ ଉଲ୍ଲେଖ କରିଛନ୍ତି ଯେ, ‘ପିଲାଏ ଏମିତି ମୁହଁ ଶୁଖେଇ ବସିଛନ୍ତି, ଆପଣଙ୍କ କେମିତି ମନ ହୁଏ ନିଜେ ଚକାପାରି ଆଗେ ଖାଇ ନେବାକୁ?’। ସେମିତି ଆଉ ଜଣେ କହିଛନ୍ତି ଯେ, “ଏମାନଙ୍କ ମୁହଁ କହୁଛି ଆପଣ ବିନା ନିମନ୍ତ୍ରଣ ରେ ପଶି ଖାଇଗଲେ ଖାଲି ଗୋଟେ ଫୋଟୋ ଉଠେଇବା ପାଇଁ ଓ ତାଙ୍କ ର ଭାଗ ଭି ଖାଇଦେଲେ। ସରକାର ଏଭଳି ଜନତା ଙ୍କ ଥାଳି ରୁ ଖାଉ ଥାଏ।”

ସତ୍ୟବଚନ ନାମିତ ଏକ ଟୁଇଟରରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନଙ୍କ ଘରେ ପଖାଳ ଖାଇ ଭଉଣୀ ସମ୍ବୋଧନ କରୁଚ, ସେଇମାନଙ୍କ ଭାତହାଣ୍ଡିରେ ଲାତ ମାରୁଚ ??? ଗ୍ୟାସ ୪୨୫ ରୁ ୧୧୬୦ କରୁଚ ??? ଏହାକୁ କହନ୍ତି କୃତଘ୍ନ ବିଶ୍ୱାସଘାତକ ଏହସାନ୍ ଫରାମୋସ୍।

ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ଏଥର ବିଜେପିରୁ ପୁଣି ଥରେ ପ୍ରତିଦ୍ବନ୍ଦିତା କରିବେ। ସେଥିପାଇଁ ସେ ପୁରୀ ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳିରେ ବାରମ୍ବାର ଗସ୍ତ କରିବାରେ ଲାଗିଛନ୍ତି। ହେଲେ ଅନେକ ସମୟରେ ତାଙ୍କର ନାଟକୀୟ ଆଚାରବ୍ୟବହାର ଏହି ଗସ୍ତକୁ ଫିକା କରିଦେଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି ପ୍ରକାଶ କଲା ଷ୍ଟାର ପ୍ରଚାରକ ତାଲିକା, ଦୁଇ ନମ୍ବରରେ ଜୁଏଲ, ତିନି ନମ୍ବରରେ ଧର୍ମେନ୍ଦ୍ର

ଭୁବନେଶ୍ବର: ଆଜି ବିଜେପି ମଧ୍ୟ ଝାରସୁଗୁଡା ଉପନିର୍ବାଚନ ପାଇଁ ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଚାଳିଶ ଜଣିଆ ଏହି ତାଲିକାରେ ପ୍ରଥମେ ଅଛନ୍ତି ଦଳର ସଭାପତି ମନମୋହନ ସାମଲ। ଏହାପରେ ଦ୍ବିତୀୟରେ ଅଛନ୍ତି ଜୁଅଲ ଓରାମ। ତୃତୀୟକୁ ଖସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ

ଏଥର ଝାରସୁଗୁଡା ଉପନିର୍ବାଚନ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଦଳ ପ୍ରଥମ ଥର ପାଇଁ ଲଢେଇ କରୁଛି। ସେଥିପାଇଁ ମନମୋହନ ବେଶ ମାପିଚୁପି ଏହି ତାଲିକା ପ୍ରସ୍ତୁତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅଜିତ ପାୱାର ବିଜେପିରେ ଯୋଗ ଦେବା ଖବରକୁ ନେଇ ଚେତାବନୀ ଦେଲା ଏକନାଥ ସିନ୍ଦେଙ୍କ ଦଳ

ମୁମ୍ବାଇ: ବରିଷ୍ଠ ଏନସିପି ନେତା ଅଜିତ ପାୱାର ବିଜେପି ଯିବାକୁ ନେଇ କଳ୍ପନା ଜଳ୍ପନାର ମଧ୍ୟରେ ମହାରାଷ୍ଟ୍ରରେ ରାଜନୈତିକ ଉତ୍ତେଜନା ଜୋରଦାର ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଶିବସେନା (ଏକନାଥ ସିନ୍ଦେ ଦଳ) ଏକ ବଡ ବିବୃତ୍ତି ମଧ୍ୟ ଦେଇଛି। ଶିବସେନା ମୁଖପାତ୍ର ସଞ୍ଜୟ ଶିରସାଟ କହିଛନ୍ତି ଯେ, ଯଦି ଅଜିତ ପାୱାର ଏନସିପି ନେତାଙ୍କ ସହ ବିଜେପି ସହ ହାତ ମିଳାନ୍ତି, ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ସରକାରଙ୍କ ଅଂଶ ହେବେ ନାହିଁ।

ସଞ୍ଜୟ ଶିରସାଟ ମଙ୍ଗଳବାର ଦିନ ମୁମ୍ବାଇରେ କହିଛନ୍ତି ଯେ, ସେ ଅନୁଭବ କରିଛନ୍ତି ଯେ ଏନସିପି ସିଧାସଳଖ ବିଜେପି ସହ ହାତ ମିଳାଇବ ନାହିଁ। ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ଏବଂ ବିଜେପିର ଏକ ମିଳିତ ସରକାର ଅଛି। ଆମର ରଣନୀତି ସ୍ପଷ୍ଟ ବୋଲି ଶିରସାଟ କହିଛନ୍ତି। NCP ହେଉଛି ସେହି ଦଳ ଯାହା ପ୍ରତାରଣା କରେ। ଆମେ ସେମାନଙ୍କ ସହିତ ଏକାଠି ଶାସନ କରିବୁ ନାହିଁ। ଯଦି ବିଜେପି ଏନସିପି ସହିତ ଯାଏ, ତେବେ ମହାରାଷ୍ଟ୍ର ଏହାକୁ ପସନ୍ଦ କରିବ ନାହିଁ। ଆମେ ବାହାରକୁ ଯିବାକୁ ସ୍ଥିର କଲୁ (ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଠାରୁ)। କାରଣ ଲୋକମାନେ କଂଗ୍ରେସ ଏବଂ ଏନସିପି ସହିତ ରହିବାକୁ ପସନ୍ଦ କରୁନଥିଲେ।

ଶ୍ରୀ ଶିରସାଟ କହିଛନ୍ତି ଯେ, ଅଜିତ ପାୱାର କିଛି କହି ନାହାଁନ୍ତି। ଏହାର ଅର୍ଥ ସେ ଏନସିପିରେ ରହିବାକୁ ଚାହୁଁନାହାଁନ୍ତି। ଶିବସେନା ନେତା କହିଛନ୍ତି ଯେ, ଆମେ କଂଗ୍ରେସ ଏବଂ ଏନସିପି ଛାଡିଛୁ କାରଣ ଆମେ ସେମାନଙ୍କ ସହ ରହିବାକୁ ଚାହୁଁନାହୁଁ। ସେଠାରେ ଅଜିତ ପାୱାରଙ୍କର ସମ୍ପୂର୍ଣ୍ଣ ସ୍ୱାଧୀନତା ନାହିଁ। ତେଣୁ ଯଦି ସେ ଏନସିପି ଛାଡନ୍ତି, ଆମେ ତାଙ୍କୁ ସ୍ୱାଗତ କରିବୁ। ଯଦି ସେମାନେ ଏନସିପି ନେତାଙ୍କ ସହ ଆସନ୍ତି, ତେବେ ଆମେ ସରକାରଙ୍କ ଅଂଶ ହେବୁ ନାହିଁ।

ଶିବସେନା ମୁଖପାତ୍ର କହିଛନ୍ତି ଯେ, ତାଙ୍କ ପୁଅ ପାର୍ଥ ପୱାରଙ୍କ ପରାଜୟ ଯୋଗୁଁ ଅଜିତ ପାୱାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟରେ ବିଚାରାଧୀନ ୧୬ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ଆବେଦନ ମାମଲାରେ ତାଙ୍କର ଅସନ୍ତୋଷର କୌଣସି ସମ୍ପର୍କ ନାହିଁ। ମହାରାଷ୍ଟ୍ରର ମାଭଲ ନିର୍ବାଚନମଣ୍ଡଳୀରୁ ୨୦୧୯ ଲୋକସଭା ନିର୍ବାଚନରେ ​​ପାର୍ଥ ପୱାରଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ନିକଟରେ ଶିରସାଟ ଏକନାଥ ସିନ୍ଦେ ନେତୃତ୍ୱାଧୀନ ଶିବସେନାର ମୁଖପାତ୍ର ଭାବରେ ନିଯୁକ୍ତ ହୋଇଥିଲେ। ସେ କହିଛନ୍ତି ଯେ, ଅଜିତ ପାୱାରଙ୍କ ସମ୍ପର୍କରେ ରହିବା ଏକ ନୂଆ କଥା ନୁହେଁ, କିନ୍ତୁ ଗଣମାଧ୍ୟମ ଦ୍ୱାରା ଦର୍ଶାଯାଇଥିବା ତାଙ୍କର ଅସନ୍ତୋଷ ଆମର ମାମଲା (ସୁପ୍ରିମକୋର୍ଟରେ ବିଚାରାଧୀନ) ସହିତ କୌଣସି ସମ୍ପର୍କ ନାହିଁ। ତାଙ୍କ ପୁଅ ପାର୍ଥ ପୱାରଙ୍କ ପରାଜୟ ଯୋଗୁଁ ଅଜିତ ପାୱାର ରାଗିଛନ୍ତି।

ସେ କହିଛନ୍ତି ଯେ ନଭେମ୍ବର ୨୦୧୯ ରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଅଜିତ ପାୱାର ଦାୟୀ। ଯେଉଁଥିରେ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଅଢେଇ ବର୍ଷ ପରେ ଶରଦ ପାୱାର କହିଛନ୍ତି ଯେ, ରାଷ୍ଟ୍ରପତି ଶାସନ ହଟାଇବା ପାଇଁ ଏହା ଏକ ପ୍ରୟୋଗ ଥିଲା। ଅଜିତ ପାୱାର ଆଜି ପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦେଇନାହାଁନ୍ତି। ନଭେମ୍ବର ୨୦୧୯ ରେ ଗୁପ୍ତ ଭାବେ ଗଠିତ ହୋଇଥିବା ଦେବେନ୍ଦ୍ର ଫଡନାଭିସ୍-ଅଜିତ ପାୱାର ସରକାର କେବଳ ତିନି ଦିନ ରହିପାରିଥିଲା।

ଶ୍ରୀ ଶିରସାଟ କହିଛନ୍ତି ଯେ, ଅଜିତ ପାୱାର ଜଣେ ବଡ ନେତା ଏବଂ ତାଙ୍କ ମନରେ କ’ଣ ଘଟୁଛି ସେ ସହଜରେ କୁହନ୍ତି ନାହିଁ। ବିଜେପିରେ ଯୋଗ ଦେବା ଗୁଜବକୁ ଅଗ୍ରାହ୍ୟ କରି ଅଜିତ ପାୱାର କହିଛନ୍ତି ଯେ, ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ମୋ ଦଳ ପାଇଁ କାର୍ଯ୍ୟ ଜାରି ରଖିବି। ଏନସିପିରେ କୌଣସି ପାର୍ଥକ୍ୟ ଏବଂ ବିଜେପି ସହିତ ହାତ ମିଳାଇବା ଖବରରେ କୌଣସି ସତ୍ୟତା ନାହିଁ। ଆମେ ସମସ୍ତେ (ପାର୍ଟି ବିଧାୟକ) ଏନସିପି ସହିତ ଅଛୁ।

Categories
ଆଜିର ଖବର ଜାତୀୟ ଖବର

ପୁଣି ବିଜେପିରେ ଯୋଗଦେବେ କି ଟିଏମସି ନେତା ମୁକୁଲ ରୟ?, ଦେଲେ ବଡ ବିବୃତ୍ତି

ନୂଆଦିଲ୍ଲୀ: ବରିଷ୍ଠ ତୃଣମୂଳ କଂଗ୍ରେସ (ଟିଏମସି) ନେତା ମୁକୁଲ ରୟ କହିଛନ୍ତି ଯେ, ସେ ବିଜେପିରେ ଯୋଗଦେବେ। ଗଣମାଧ୍ୟମଜୁ ଟିଏମସି ବିଧାୟକ କହିଛନ୍ତି ଯେ, ସେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡାଙ୍କୁ ଭେଟିବେ। ମୁଁ ପୁଣି ବିଜେପିକୁ ଯିବି। ମୁଁ ମଧ୍ୟ ଶୁଭ୍ରାଂଶୁଙ୍କ ସହ ଫୋନରେ କଥା ହୋଇଛି। ସେ ମଧ୍ୟ ବିଜେପିରେ ଯୋଗଦେବା ଉଚିତ୍।

ଅପହରଣ ଘଟଣାକୁ ଅସ୍ୱୀକାର କରି ମୁକୁଲ ରୟ କହିଛନ୍ତି ଯେ, ଦିଲ୍ଲୀରେ ରହିବାକୁ ବିଜେପି ବ୍ୟବସ୍ଥା କରିଛି। ମୁଁ କୈଳାଶ ବିଜୟବର୍ଗିଆଙ୍କ ସହ କଥା ହୋଇଛି, ମୁଁ ଆଉ ଟିଏମସି ଫେରିବି ନାହିଁ। ଶ୍ରୀ ରୟ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି।

ନିଖୋଜ ହେବାପରେ ମୁକୁଲ ରୟ କ’ଣ କହିଥିଲେ?:

ଏହାପୂର୍ବରୁ ସୋମବାର ରାତିରେ ରୟଙ୍କ ପରିବାର ଦାବି କରିଥିଲେ ଯେ, ସେ ସନ୍ଧ୍ୟା ଠାରୁ ନିଖୋଜ ଅଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ରୟଙ୍କ ପରିବାର ଦାବି କରିଛନ୍ତି ଯେ, ସେ “ମାନସିକ ସ୍ଥିତିରେ ନାହାଁନ୍ତି” ଏବଂ ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ରାଜନୀତି ଖେଳିବା ଉଚିତ ନୁହେଁ।

ନିଖୋଜ ହେବାର ଦାବି ଉପରେ ମୁକୁଲ ରୟ ମଙ୍ଗଳବାର ସକାଳେ ଦିଲ୍ଲୀରେ କହିଛନ୍ତି, “ମୁଁ ଦିଲ୍ଲୀ ଆସିଛି। କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ନାହିଁ। ମୁଁ ବହୁ ବର୍ଷ ଧରି ସାଂସଦ ରହିଆସିଛି। ମୁଁ ଦିଲ୍ଲୀ ଆସି ପାରିବି ନାହିଁ କାହିଁକି? ଏହାପୂର୍ବରୁ ମୁଁ ନିୟମିତ ଭାବେ ଦିଲ୍ଲୀ ଆସୁଥିଲି।

ଟିଏମସି ନେତୃତ୍ୱ ସହ ମତଭେଦ ପରେ ୨୦୧୭ ରେ ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରୟ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି କରାଯାଇଥିଲା। ୨୦୨୧ ବିଧାନସଭା ନିର୍ବାଚନରେ ​​ଶ୍ରୀ ରୟ ବିଜେପି ଟିକେଟରେ ଜିତିଥିଲେ। କିନ୍ତୁ ଫଳାଫଳ ଘୋଷଣା ହେବାର ପ୍ରାୟ ଏକ ମାସ ପରେ ଟିଏମସି ଫେରି ଆସିଥିଲେ।

ଟିଏମସି ଫେରିବା ପରଠାରୁ ସେ ସର୍ବସାଧାରଣଙ୍କ ଆଖିରୁ ଦୂରେଇ ରହିଛନ୍ତି। ତାଙ୍କ ଅସୁସ୍ଥତାକୁ ଦର୍ଶାଇ ସେ ଗତ ବର୍ଷ ପଶ୍ଚିମବଙ୍ଗ ବିଧାନସଭାରେ ପବ୍ଲିକ ଆକାଉଣ୍ଟସ କମିଟିର ସଭାପତି ପଦ ଛାଡିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡ଼ିର ଅଭିଯୋଗ: ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବିଜେପି

ଭୁବନେଶ୍ଵର: ଓଡ଼ିଶାବାସୀଙ୍କୁ ଅରାଜକ କହି ବାରମ୍ଵାର ଅପମାନିତ କରୁଥିବା ବିଜେପି ଏବେ ପୁଣିଥରେ ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ଆଜି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯେତେବେଳେ ସମ୍ବଲପୁରରେ ଏକ ସ୍ପର୍ଶକାତର ଘଟଣା ଘଟିଛି ଏବଂ ଧୀରେ ଧୀରେ ଶାନ୍ତି ଫେରିଆସୁଛି, ସେତିକିବେଳେ ବିଜେପି ନେତାମାନେ ସମ୍ବଲପୁରରେ ପଶି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି। ବିଜେପି ଶାସିତ ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଲେ, ସରକାର କୌଣସି ରାଜନୈତିକ ଦଳର ପ୍ରତିନିଧି ଦଳକୁ ସେଠାକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ। ଯେତେବେଳେ ଉତ୍ତରପ୍ରଦେଶର ହାଥରସ୍, ଲଖିମପୁର ଖେରିରେ ସ୍ପର୍ଶକାତର ଘଟଣା ଘଟିଥିଲା, ବିଜେପି ସରକାର ସେଠାକୁ କୌଣସି ଦଳର ଲୋକଙ୍କୁ ଛାଡ଼ି ନଥିଲା।

ନିଜ ଶାସିତ ରାଜ୍ୟରେ ବିଜେପି ଗୋଟିଏ ନୀତି ଆପଣାଉଥିବାବେଳେ ଓଡ଼ିଶାର ବିଜେପି ନେତାମାନେ ଏଠି ନିଜ ପାଇଁ ଭିନ୍ନ ନୀତି ଆପଣାଉଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ କେବଳ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ସମ୍ବଲପୁର ଯାଇ ପୁନର୍ବାର ହିଂସାକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି।

ଶ୍ରୀ ବାବୁ ଆହୁରି କହିଛନ୍ତି ଯେ, ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପି ନେତାଙ୍କ ଏଭଳି ହୀନ ଉଦ୍ୟମକୁ ଦେଖୁଛନ୍ତି ଏବଂ ସେମାନଙ୍କ ଅସଲ ଉଦ୍ଦେଶ୍ୟ ମଧ୍ୟ ବୁଝିଛନ୍ତି। ତେଣୁ ଆଗାମୀ ଦିନରେ ଓଡ଼ିଶାବାସୀ ବିଜେପିକୁ ଠିକଣା ଜବାବ ଦେବେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ନେତାଙ୍କ କଥା ରଖିଲେ ରେଳ ମନ୍ତ୍ରୀ: କାଳୁପଡ଼ା ଘାଟ ରେଳ ଷ୍ଟେସନରେ ରହଣି କରିବ ଏହି ଟ୍ରେନ୍

ସୀତାରାମ ଅଗ୍ରୱାଲ

କାଳୁପଡ଼ା: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ଖୁବ ଶୀଘ୍ର ରହିବ ପ୍ରଶାନ୍ତି ଏକ୍ସପ୍ରେସ। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ।

ସୂଚନା ମୁତାବକ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା। ତେବେ ଏହାକୁ ଗୁରୁତ୍ୱ ଦେଇ ନିକଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ଅନୁରୋଧ କରିଥିଲେ। ଯାହା ଫଳରେ ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରେଳବାଇ ବୋର୍ଡ ଉକ୍ତ ଅନୁରୋଧକୁ ମାନି ନେଇଛି ଏବଂ ଖୁବ କମ ଦିନ ମଧ୍ୟରେ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହିବ ବୋଲି ସୂଚନା ଦେଇଛନ୍ତି ବିଜେପି ନେତା ଶ୍ରୀ ହରିଚନ୍ଦନ।

ଏଥି ନିମନ୍ତେ ଉଭୟ ବିଜେପି ନେତା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଶାନ୍ତି ଏକ୍ସପ୍ରେସ କାଳୁପଡ଼ା ଘାଟ ରେଳ ଷ୍ଟେସନ ରେ ରହିବା ଦ୍ୱାରା ଚିଲିକା, ରଣପୁର ଏବଂ ଖୋର୍ଦ୍ଧା ନିର୍ବାଚନମଣ୍ଡଳି ର ବହୁ ଜନସାଧାରଣ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି l

Categories
ବିଶେଷ ଖବର

“ମୁଁ ଏନସିପିରେ ଅଛି ଏବଂ ରହିବି”: ଅଜିତ ପାୱାରଙ୍କ ବିଜେପିରେ ଯୋଗଦେବା କଳ୍ପନାରେ ଲାଗିଲା ବିରାମ

ମୁମ୍ବାଇ: ପୁଣିଥରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖାଦେଇଛି। ଏନସିପି ନେତା ଅଜିତ ପାୱାରଙ୍କ ବିଷୟରେ ଚର୍ଚ୍ଚା ଚାଲିଛି ଯେ, ସେ ବିଜେପିରେ ସାମିଲ ହୋଇପାରନ୍ତି। କିନ୍ତୁ ଆଜି ଅଜିତ ପାୱାର ନିଜେ ଆଗକୁ ଆସି ଏହାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଏନସିପିରେ ଅଛି ଏବଂ ରହିବି। ଏହି ବିବୃତ୍ତି ସହିତ ଅଜିତ ପାୱାରଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏତେ କୋଳାହଳ ମଧ୍ୟରେ ଏନସିପି କର୍ମଚାରୀମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏହାପୂର୍ବରୁ ଅଜିତ ପାୱାରଙ୍କ ବିଜେପିରେ ଯୋଗଦେବା କଳ୍ପନାକୁ ମଧ୍ୟ ଶରଦ ପାୱାର ପ୍ରତ୍ୟାଖ୍ୟାନ କରିଥିଲେ। ଶରଦ ପାୱାର ଗଣମାଧ୍ୟମକୁ କହିଛନ୍ତି, “ରିପୋର୍ଟରେ କୌଣସି ସତ୍ୟତା ନାହିଁ। ଅଜିତ ପାୱାର କୌଣସି ବୈଠକ ଡାକିନାହାଁନ୍ତି। ସେ ଦଳ ପାଇଁ କାମ କରୁଛନ୍ତି, ଏସବୁ ଆପଣଙ୍କ ମନରେ ଚାଲିଛି।”

ଉଲ୍ଲେଖନୀୟ କଥା ହେଉଛି, ଏନସିପି ବିଧାୟକ ଆନ୍ନା ବନସୋଡେ ଆଜି ଅଜିତ ପାୱାରଙ୍କୁ ଭେଟିଥିଲେ। ବୈଠକ ପରେ ଆନ୍ନା ଗଣମାଧ୍ୟମକୁ କହିଥିଲେ ଯେ, ମୁଁ ଗତକାଲି ଅଜିତ ପାୱାରଙ୍କ ସହ ଅଛି, ଆଜି ମଧ୍ୟ ଅଛି ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ସହିତ ରହିବି। ଆମେ ତାଙ୍କର ବିଶ୍ୱସ୍ତ କର୍ମୀ। ସେ ଯାହା ନିଷ୍ପତ୍ତି ନେବେ, ଆମେ ତାହା ଗ୍ରହଣ କରିବୁ। ତାଙ୍କ ସହିତ ୪୦ ରୁ ଅଧିକ ବିଧାୟକ ଅଛନ୍ତି। ଅଜିତ ପାୱାର ଆମଠାରୁ କିମ୍ବା ଅନ୍ୟ ବିଧାୟକଙ୍କଠାରୁ କୌଣସି ଦସ୍ତଖତ ନେଇ ନାହାଁନ୍ତି। ଶରଦ ପାୱାର ଏପର୍ଯ୍ୟନ୍ତ ଆମ ସହ ଯୋଗାଯୋଗ କରିନାହାଁନ୍ତି। ଏହା ପରେ ବିଜେପିରେ ଯୋଗଦେବା ନେଇ ଆଲୋଚନା ଅଧିକ ତୀବ୍ର ହୋଇଥିଲା, କିନ୍ତୁ ବର୍ତ୍ତମାନ ଅଜିତ ପାୱାର ପରିସ୍ଥିତିକୁ ସ୍ପଷ୍ଟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର ରାଜନୀତିରେ ହଲଚଲ, ବିଜେପିରେ ସାମିଲ ହୋଇପାରନ୍ତି ଅଜିତ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ରାଜନୈତିକ ହଲଚଲ ବୃଦ୍ଧି ପାଇଛି। ଅଜିତ ପାୱାର ବିଜେପି ସହ ଯାଇପାରନ୍ତି ବୋଲି ଖବର ଆସୁଛି। ଯଦିଓ ଅଜିତ ପାୱାରଙ୍କ ସହିତ ୧୧ ରୁ ୧୨ ଜଣ ବିଧାୟକ ଅଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ସରକାର ଅଛି।

ଅଜିତ ପାୱାର ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ଏକ ବଡ଼ ଦାବି କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇଟି ବଡ଼ ରାଜନୈତିକ ବିସ୍ଫୋରଣ ହେବ ବୋଲି ସୁପ୍ରିୟା ସୁଲେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଟିକେଟ୍ ନମିଳିବାରୁ ବିଜେପି ଛାଡି କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର

ନୂଆଦିଲ୍ଲୀ: କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ବଡ଼ ଝଟକା ଲାଗିଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଟିକେଟ୍ ମିଳିନଥିବାରୁ ବିଜେପିରୁ ଇସ୍ତଫା ଦେଇଛନ୍ତି ଏବଂ କଂଗ୍ରେସରେ ଯୋଗ ଦେଇଛନ୍ତି। ରବିବାର ଦିନ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବା ଜଗଦୀଶ ଶେଟ୍ଟର ରବିବାର ରାତିରେ କଂଗ୍ରେସ ନେତାମାନଙ୍କୁ ଭେଟିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦୁଇଟି କମିଟି ଗଠନ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର : ଆସନ୍ତା ମେ ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ଝାରସୁଗୁଡା ଉପ-ନିର୍ବାଚନ। ବିଜେପି ପ୍ରାର୍ଥୀ ଭାବେ ଯୁବ ନେତା ତଥା ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ। ନିର୍ବାଚନର ସୁପରିଚାଳନା ଓ ସୁପ୍ରଚାର ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୁଇଟି କମିଟିର ନାମ ଘୋଷଣା କରିଛନ୍ତି।

ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ସାଂସଦ ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାୟକ ଏବଂ ଗୋଲକ ପ୍ରସାଦ ମହାପାତ୍ର ସଦସ୍ୟ ଅଛନ୍ତି।

ସେହିପରି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ସାସଂଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ତଥା ରାଜ୍ୟ ଉପସଭାପତି ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଛନ୍ତି।

ସେହିପରି ବିଧାୟକ ଶଂକର ଓରାମ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଧାୟକ ତଥା ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଂକର ଭୋଇ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ ଏବଂ ବରିଷ୍ଠ ନେତା ରଂଜନ କୁମାର ପଟେଲ ସଦସ୍ୟ ଅଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

କଂସ ଜାଣିଥିଲା କୃଷ୍ଣ ତାଙ୍କୁ ବଧ କରିବେ, ସେହିଭଳି ବିଜେପି ଜାଣିଛି କେଜ୍ରିୱାଲ ତାଙ୍କୁ ଅନ୍ତ କରିବେ: ଆପ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ତଦନ୍ତ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସିବିଆଇ ନିକଟରେ ହାଜର ହୋଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଆପ କୁ ଭଗବାନ କୃଷ୍ଣ ଏବଂ ବିଜେପିକୁ କଂସ ବୋଲି କହିଛନ୍ତି।

ରାଘବ ଚଢା କହିଛନ୍ତି ଯେ, “କଂସ ଜାଣିଥିଲେ ଯେ କୃଷ୍ଣ ତାଙ୍କୁ ବଧ କରିବେ, ସେହିପରି ବିଜେପି ଜାଣିଛି ଯେ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଶେଷ କରିବେ। ତେଣୁ ବିଜେପି କେଜ୍ରିୱାଲଙ୍କୁ ରାଜନୈତିକ ସ୍ତରରେ ହତ୍ୟା କରିବାକୁ ଚେଷ୍ଟା କରୁଛି। ଯେଭଳି କଂସ କୃଷ୍ଣଙ୍କର ବାଳ ବାଙ୍କ କରିପାରିନଥିଲା, ସେଇଭଳି କେଜ୍ରିୱାଲଙ୍କର ବିଜେପି କିଛି ବି କରିପାରିବ ନାହିଁ।”

Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ବଡ ଝଟକା, ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ରବିବାର ଦିନ ବିଜେପିରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ୧୦ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିରୁ ଟିକେଟ୍ ନ ପାଇ ସେ ଦଳରୁ ଇସ୍ତଫା ଘୋଷଣା କରିଛନ୍ତି। ସେ ଦଳ ଏବଂ ବିଧାନସଭାରୁ ଇସ୍ତଫା ଦେବେ ବୋଲି କହିଛନ୍ତି। ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିବାବେଳେ ବିଧାନସଭାରେ ବିରୋଧୀ ଦଳର ନେତା ଥିବା ଶ୍ରୀ ଶେଟ୍ଟର ମଧ୍ୟ କହିଛନ୍ତି ଯେ, ସେ ଆଗାମୀ ବିଧାନସଭା ନିର୍ବାଚନରେ ​​ନିଶ୍ଚିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଦଳରେ ତାଙ୍କର ଅବଦାନ ତଥା ରାଜ୍ୟର ପ୍ରମୁଖ ପଦବୀରେ ଥିବା ଦାୟିତ୍ଵକୁ ମନେ ପକାଇ ଶ୍ରୀ ଶେଟ୍ଟର କହିଛନ୍ତି ଯେ, “ଯେଉଁଭଳି ଭାବେ ମୋତେ ଅପମାନିତ କରାଯାଇଛି, ସେଥିରେ ମୁଁ ବିବ୍ରତ। ମୁଁ ଭାବିଲି ମୁଁ ତାଙ୍କୁ ଚ୍ୟାଲେଞ୍ଜ କରିବା ଉଚିତ୍। ସେଥିପାଇଁ ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି। ମୁଁ ସିରସି ଯିବି ଏବଂ ବିଧାନସଭା (ବାଚସ୍ପତି) ରେ ମୋର ଇସ୍ତଫା ଦାଖଲ କରିବି।

ଲିଙ୍ଗାୟତ ନେତା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବିରୋଧରେ ଏକ ସୁଚିନ୍ତିତ ଷଡଯନ୍ତ୍ର ରଛାଯାଇଛି। ଏହାପୂର୍ବରୁ ଶନିବାର ରାତିରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବାସଭବନରେ ଶେଟ୍ଟରଙ୍କୁ ଭେଟିଥିଲେ। ଭାରତୀୟ ଜନତା ପାର୍ଟି (ବିଜେପି) ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଟ୍ଟର (୬୭) ଙ୍କୁ ଯୁବକମାନଙ୍କ ପାଇଁ ମେ ’୧୦ ତାରିଖ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ କହିଛି।

ବମ୍ମାଇ, ଯୋଶୀ ଏବଂ ପ୍ରଧାନଙ୍କ ସହ ସାକ୍ଷାତ ପୂର୍ବରୁ ଶେଟ୍ଟର ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ପରିବାରରକୌଣସି ସଦସ୍ୟଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କୁ ପ୍ରସ୍ତାବ ଦିଆଯାଇଛି, କିନ୍ତୁ ସେ ଏଥିରେ ସହମତ ନୁହଁନ୍ତି ବୋଲି କହିଛନ୍ତି।

Categories
ବିଶେଷ ଖବର

କର୍ଣ୍ଣାଟକ ନିର୍ବାଚନ: ଟିକେଟ୍ ନମିଳିବାରୁ ବର୍ତ୍ତମାନ ବିଜେପି ଛାଡି କଂଗ୍ରେସରେ ଯୋଗ ଦେବେ ଏହି ବଡ ନେତା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କର୍ଣ୍ଣାଟକ ବିଜେପିରେ ଅସନ୍ତୋଷ ଲାଗିରହିଛି। ଏସବୁ ମଧ୍ୟରେ ରାଜ୍ୟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଟିକେଟ୍ ନ ପାଇବାରୁ ବିଜେପି ଉପରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସରେ ଯୋଗଦେଇପାରନ୍ତି। ସେ ଆଜି ବେଙ୍ଗାଲୁରୁରେ ବରିଷ୍ଠ କର୍ଣ୍ଣାଟକ କଂଗ୍ରେସ ନେତା ଡି ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମମେୟାଙ୍କୁ ଭେଟିଛନ୍ତି। କଂଗ୍ରେସ ନେତାମାନଙ୍କୁ ଭେଟିବା ପରେ ଲକ୍ଷ୍ମଣ କହିଛନ୍ତି ଯେ, ମୁଁ ଭାବୁଛି ଯେ ନିର୍ବାଚନରେ ​​ବିଜେପିର ବଡ ନେତାଙ୍କୁ ଏହିପରି ଅଣଦେଖା କରାଯିବା ଉଚିତ ନୁହେଁ।

ଲକ୍ଷ୍ମଣ ସାବଦୀ ବୁଧବାର ଦିନ ବିଜେପି ଛାଡିବାକୁ ଘୋଷଣା କରିଥିଲେ। ନିର୍ବାଚନ ସମ୍ପର୍କରେ ଦଳର ହାଇକମାଣ୍ଡ ଦ୍ୱାରା ପ୍ରକାଶିତ ତାଲିକା ପରେ ମଙ୍ଗଳବାର ତାଙ୍କ ନିଷ୍ପତ୍ତି ନିଆଯାଇଛି। ଏହି ତାଲିକାରେ ଦଳ ତାଙ୍କୁ ଟିକେଟ ଦେବାକୁ ମନା କରିଦେଇଛି। ତେଣୁ ଦଳର ଏହି ନିଷ୍ପତ୍ତିକୁ ବିରୋଧ କରି ସେ ନିଜେ ବିଜେପି ସହ ସମ୍ପର୍କ ଛିନ୍ନ କରିଛନ୍ତି। ସୂଚନାନୁସାରେ, ସାବଦୀଙ୍କୁ କଂଗ୍ରେସ ନିର୍ବାଚନରେ ​​ପ୍ରାର୍ଥୀ କରିପାରେ।

ଏନେଇ କୌଣସି ସର୍ତ୍ତ ନାହିଁ ବୋଲି କଂଗ୍ରେସର ଡି ଶିବକୁମାର କହିଛନ୍ତି। ସେମାନେ ଅନୁଭବ କରୁଛନ୍ତି ଯେ, ସେମାନଙ୍କୁ ଅପମାନିତ କରାଯାଇଛି। ଏହିପରି ବଡ ନେତାମାନଙ୍କୁ କଂଗ୍ରେସ ଦଳକୁ ଆଣିବା ଆମର କର୍ତ୍ତବ୍ୟ। ସେଠାରେ ୯ କିମ୍ବା ୧୦ ରୁ ଅଧିକ ବିଧାୟକ ଅଛନ୍ତି ଯେଉଁମାନେ ଆମ ସହିତ ଯୋଗଦେବାକୁ ଚାହୁଁଛନ୍ତି। କିନ୍ତୁ ଆମର ସ୍ଥାନ ନାହିଁ। ଲକ୍ଷ୍ମଣ ଜଣେ ଶକ୍ତିଶାଳୀ ଲିଙ୍ଗାୟତ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ପରେ କର୍ଣ୍ଣାଟକର ଏହି ସମ୍ପ୍ରଦାୟର ଦ୍ୱିତୀୟ ପ୍ରଭାବଶାଳୀ ବିଜେପି ନେତା ଥିଲେ।

୬୩ ବର୍ଷୀୟ ଲକ୍ଷ୍ମଣ ତିନି ଥର ବିଧାୟକ ରହିଛନ୍ତି। ବୁଧବାର ଦଳ ଛାଡିବା ପରେ ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ଏକ କଠୋର ନିଷ୍ପତ୍ତି।

ଲକ୍ଷ୍ମଣ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ମୋର ନିଷ୍ପତ୍ତି ନେଇଛି। ମୁଁ ଭିକ ମାଗୁଥିବା ପାତ୍ର ସହିତ ବୁଲୁଥିବା ଲୋକମାନଙ୍କ ମଧ୍ୟରୁ ଜଣେ ନୁହେଁ। ମୁଁ ଜଣେ ଆତ୍ମ ସମ୍ମାନକାରୀ ରାଜନେତା। ମୁଁ କାହାର ପ୍ରଭାବରେ କାମ କରୁନାହିଁ।

Categories
ବିଶେଷ ଖବର

ଆଇନଶୃଙ୍ଖଳାକୁ ଆଳ କରି ଓଡିଶା ଲୋକଙ୍କୁ ଅପମାନିତ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର: ସମ୍ବେଦନଶୀଳ ଆଇନ୍ ଶୃଙ୍ଖଳା ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାଜନୀତି ନକରିବାକୁ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଆଜି ଏଠାରେ ସାମ୍ବାଦିକମାନଙ୍କୁ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦେଶର ବିଜେପି ଶାସିତ ରାଜ୍ୟ ଯଥା ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ତୁଳନାରେ ଓଡିଶାର ଆଇନ୍‌ଶୃଙ୍ଖଳା ପରିସ୍ଥିତି ବେଶ୍ ଭଲ ରହିଛି। ଏପରିକି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାକୁ ଯାଇଥିବା ମଧ୍ୟପ୍ରଦେଶ ତୁଳନାରେ ଓଡିଶାର ଆଇନ୍‌ଶୃଙ୍ଖଳା ସ୍ଥିତି ବେଶ୍ ଭଲ।

ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା ଓ ଏହାକୁ ନେଇ ରାଜନୀତି କରିବା ବଦଳରେ ସଂଯମତାର ସହ ମୁକାବିଲା କରାଯିବା ଆବଶ୍ୟକ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଢ ଭାବେ ପରିଚାଳନା ଏବଂ ପରିସ୍ଥିତିକୁ ଶାନ୍ତ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ଯାହା ସମସ୍ତେ ଦେଖୁଛନ୍ତି।

କେନ୍ଦ୍ର ସରକାରଙ୍କର ଜଣେ ଦାୟିତ୍ୱସମ୍ପନ୍ନ ମନ୍ତ୍ରୀ ଭାବେ ଯଦି ଆପଣ ଏହାକୁ ନେଇ ରାଜନୀତି କରିବା ବଦଳରେ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥାନ୍ତେ ତେବେ ଭଲ ହୋଇଥାନ୍ତା ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ଓଡିଶାର ଲୋକେ ଶାନ୍ତିପ୍ରିୟ ଏବଂ ଓଡିଶା ମଧ୍ୟ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଓଡିଶାର ଲୋକଙ୍କୁ ଆଇନହୀନ ବୋଲି କହି ସେମାନଙ୍କୁ ଅପମାନିତ ନକରିବାକୁ ଶ୍ରୀମତୀ ମିଶ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କହିଛନ୍ତି।

Categories
ବିଶେଷ ଖବର

ଝାରସୁଗୁଡା ଉପ-ନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ଵର: ଆଜି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜି ଠାରୁ ୨୦ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ସେଥିପାଇଁ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ତେବେ ଏପ୍ରିଲ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏବଂ ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ସେହିଭଳି ମେ’ ୧୦ ତାରିଖରେ ଭୋଟଗ୍ରହଣ ହେବ। ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ଏବଂ ମେ’ ୧୩ ତାରିଖରେ ଭୋଟଗଣତି ହେବ।

ପ୍ରକାଶ ଥାଉ କି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳଗୁଡିକ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ବୁଧବାର ବିଳମ୍ବିତ ରାତିରେ ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଛି।