Categories
ବିଶେଷ ଖବର ରାଜ୍ୟ ଖବର

ନବ ଦାସ ହତ୍ୟା ଘଟଣାରେ ବିଜେପି ମନ୍ତବ୍ୟର ଜବାବ ଦେଲା ବିଜେଡି

ଭୁବନେଶ୍ୱର : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣ ସିବିଆଇ ତଦନ୍ତ କରୁ ବୋଲି ଦାବୀ କରିଥିବା ବିଜେପିକୁ ଜବାବ ଦେଇଛି ବିଜେଡି। କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେପି ଏତେ ଡରୁଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପିର ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଅତ୍ୟଧିକ ନିରାଶା ଏବଂ ହତାଶ ହୋଇ ଗଣମାଧ୍ୟମରେ ଦାୟିତ୍ୱହୀନ ଓ ନିରାଧାର ବିବୃତ୍ତି ଦେଉଛନ୍ତି।

ଯେହେତୁ ସେ ଭୁବନେଶ୍ୱର ପୌର ପାଳିକାର ୱାର୍ଡ ସଦସ୍ୟ ଭାବରେ ଜିତିପାରି ନ ଥିଲେ, ତେଣୁ ସେ ନିରାଶ ହୋଇପଡି ଥିଲେ ଏବଂ ଏବେ ତାଙ୍କ ପିତା ରାଜ୍ୟପାଳ ହୋଇଥିବାରୁ ତାଙ୍କୁ ଏପରି ମିଥ୍ୟା, ନିରାଧାର ତଥା ଦାୟିତ୍ୱହୀନ ବିବୃତ୍ତି ଦେଇ ନିଜର ରାଜନୈତିକ ସ୍ଥିତି ପ୍ରମାଣ କରିବାକୁ ପଡୁଛି।

ନବ କିଶୋର ଦାସ ମହାମାରୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଥିଲା। ବିଜେପି କେବେ ତାଙ୍କ ଅବଦାନକୁ ସ୍ୱୀକାର କରି ନାହିଁ। ଏହା କଣ ବିଜେପିର ରାଜନୈତିକ ସୌଜନ୍ୟ? ଏହା କ’ଣ ବିଜେପିର ରାଜନୈତିକ ସଂସ୍କୃତି କି ବୋଲି ଲେନିନ ପ୍ରଶ୍ନ କରିଛନ୍ତି।

ଏହି ଘଟଣାକୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରୁଛି ଏବଂ ଏହାକୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଅନୁଧ୍ୟାନ କରିବେ। ଯେତେବେଳେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଏହି ଘଟଣାର ସିଧାସଳଖ ମନିଟରିଂ କରୁଛନ୍ତି ସେତେବେଳେ ନ୍ୟାୟପାଳିକା ପ୍ରତି ବିଜେପିର କିଛି ସମ୍ମାନ ରହିବା ଉଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ତେବେ ଯେତେବେଳେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ବିଚାରପତିଙ୍କ ଦ୍ୱାରା ଏହାର ତଦାରଖ କରାଯିବ ସେତେବେଳେ ବିଜେପି ନେତାମାନେ କ୍ରାଇମବ୍ରାଞ୍ଚ ଏବଂ ଏହାର ତଦନ୍ତକୁ କାହିଁକି ଡରୁଛନ୍ତି ବୋଲି ଶ୍ରୀ ମହାନ୍ତି ବାରମ୍ବାର ପ୍ରଶ୍ନ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ରାଜନୀତିରୁ ଅବସର ନେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା, ମୋଦୀଙ୍କ ବିଷୟରେ କହିଲେ ବଡ କଥା

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ୟେଦୁରୁପ୍ପା, ଯିଏକି ବିଜେପିର କେନ୍ଦ୍ରୀୟ ସଂସଦୀୟ କମିଟିର ସଦସ୍ୟ ଅଛନ୍ତି, ସେ ରାଜନୀତିରେ ରହିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ବେଲଗାଭିରେ ଗଣମାଧ୍ୟମକୁ ସୂଚନା ଦେଇ ୟେଦୁରପ୍ପା କହିଛନ୍ତି ଯେ, ସେ ଆଗାମୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ଏବଂ ଭବିଷ୍ୟତରେ କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ଯୋଜନା ନାହିଁ। ମୋର ବୟସ ୮୦ ବର୍ଷ। ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବି ନାହିଁ।

ସେ କହିଛନ୍ତି ଯେ, ସେ ସକ୍ରିୟ ରାଜନୀତିରେ ରହିବେ ଏବଂ ବର୍ତ୍ତମାନ ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ରାଜ୍ୟରେ ବିଜେପି ସରକାରକୁ କ୍ଷମତାକୁ ଆଣିବା। ସେ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଫେରିବା ନିଶ୍ଚିତ କରିବା ମୋର ଲକ୍ଷ୍ୟ।

ୟେଦୁରୁପ୍ପା କହିଛନ୍ତି ଯେ, ସେ ଏକ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାବେଳେ କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀ କଲା ବିଜେପି

ଭୁବନେଶ୍ୱର: ଦୁଇ ଦିନ ତଳେ ଜଣେ ପୋଲିସ ଅଧିକାରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି ମାରି ହତ୍ୟା କରିବା ଘଟଣା କେବଳ ରାଜ୍ୟରେ ନୁହେଁ ଦେଶରେ ବି ବିରଳ। ପୋଲିସ୍ ଗୁଳିରେ ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀଙ୍କର ହତ୍ୟା ହେଉଛି ଏବଂ ଦୀର୍ଘ ୨୩ ବର୍ଷ ଧରି ଗୃହ ବିଭାଗର ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ତଦନ୍ତ ନେଇ ନିଜ ପାଟି ନ ଖୋଲିବା ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ।

ଏପରିକି ଏଭଳି ବଡ ଘଟଣାରେ ପୋଲିସ ଡିଜି ଘଟଣା ସ୍ଥଳକୁ ନଯିବା ଓ ଗୃହ ସଚିବ ନୀରବତା ଅବଲମ୍ବନ କରିବା ପଛରେ ବିରାଟ ଷଡଯନ୍ତ୍ର ରହିଛି ବୋଲି କହିବା ସହ ରାଜ୍ୟରେ କିଏ ସରକାର ଚଳାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁ ରାଜ୍ୟରେ ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରାଯାଉଛି, ସେଇଠି ଆଇନ ଶୃଙ୍ଖଳାକୁ ନେଇ ଆଉ କ’ଣ ଆଶା କରାଯାଇପାରେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀଙ୍କୁ ବିଗତ ଦିନରେ ରାଜ୍ୟ ସରକାର ପଦୋନ୍ନତି ଦେଇ ବାରମ୍ବାର ପୁରସ୍କୃତ କରିବା ସହ ମେଡାଲ ଓ ଅର୍ଥରାଶି ମଧ୍ୟ ଦେଇଛନ୍ତି।

ହଠାତ୍ ସେହି ଦକ୍ଷ ପୋଲିସ ଅଧିକାରୀଜଣକ କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲେ ତାହା ଏବେ ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। ସେହିପରି ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ଏହାର ତଦନ୍ତ କରିବ, ଏହା ଆଦୈା ବିଶ୍ୱାସଯୋଗ୍ୟ ହୋଇପାରିବ ନାହିଁ। ଯିଏ କ୍ରାଇମ କଲା ସେହି ବିଭାଗ ତଦନ୍ତ କରିବ, ଯାହାକୁ ଓଡ଼ିଶାବାସୀ ସହଜରେ ଗ୍ରହଣ କରିପାରୁ ନଥିବା ଶ୍ରୀ ମହାନ୍ତି କହିଛନ୍ତି।

ବିଗତ ଦିନରେ ମମିତା ମେହେର ହତ୍ୟାକାଣ୍ଡ, କୁନ୍ଦୁଲି ଗଣଦୁର୍ଷ୍କମ, ଯାଜପୁରର ସ୍ମିତାରାଣି ବିଶ୍ୱାଳଙ୍କର ହତ୍ୟାକାଣ୍ଡ ଭଳି ଅନେକ ଘଟଣାରେ କ୍ରାଇମବ୍ରାଂଚର ତଦନ୍ତ କରିଥିଲେ ହେଲେ ଫଳ ଶୂନ। ରାଜ୍ୟରେ ଦଣ୍ଡବିଧାନ ହାର ମାତ୍ର ୫.୭ ପ୍ରତିଶତ, ଯାହାକି ସମଗ୍ର ଦେଶରେ ସର୍ବନିମ୍ନ। ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଭାଗ ବିଫଳ ସାବ୍ୟସ୍ତ ହୋଇଥିବା ରାଜ୍ୟବାସୀ ଅନୁଭବ କରୁଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେଇ ପୁଣି ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ମନିଟରିଂ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିବା ରାଜ୍ୟ ସରକାରଙ୍କ ଭୟକୁ ସ୍ପଷ୍ଟ କରୁଛି। ଭାରତୀୟ ଜନତା ପାର୍ଟି ଆଜି କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା କରୁନାହିଁ। ବିଗତ ଦିନମାନଙ୍କରେ ଅନେକ ପ୍ରମାଣ ନଷ୍ଟ କରାଯାଇଛି ଏବଂ ଏହି ଘଟଣାରେ ବି ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତା ତିଆରି ହୋଇଛି।

ଏଭଳି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ସ୍ୱଚ୍ଛତା ଅବଲମ୍ବନ କରନ୍ତୁ ଏବଂ ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଅନୀଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ଏହି ରାଜ୍ୟରେ ବିଜେପିର ଅବସ୍ଥା ହୋଇପାରେ ସବୁଠାରୁ ଅଧିକ ଖରାପ, ଆଶ୍ଚର୍ଯ୍ୟ କରୁଛି ଏହି ସର୍ଭେ

ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ବିଜୟ ପାଇଁ ପ୍ରତ୍ୟେକ ବୁଥକୁ ମଜବୁତ କରିବା ଉପରେ ବିଜେପି ଗୁରୁତ୍ୱ ଦେଉଛି। କଂଗ୍ରେସ ଦଳ ମଧ୍ୟ ଏହାର ପ୍ରସ୍ତୁତିରେ ନିୟୋଜିତ ଅଛି। ଏହା ବ୍ୟତୀତ କିଛି ଦଳ ତୃତୀୟ ସାମ୍ମୁଖ୍ୟ ଗଠନରେ ମଧ୍ୟ ନିୟୋଜିତ ଅଛନ୍ତି। ଆସନ୍ତା ସାଧାରଣ ନିର୍ବାଚନର ଫଳାଫଳ ବିଜେପି ବିରୋଧରେ ବିରୋଧୀଦଳ କିପରି ଏକଜୁଟ ହେବେ, ତାହା ଉପରେ ନିର୍ଭର କରିବ। ତେଣୁ ଏକ ସର୍ଭେରେ ବିଜେପି ପାଇଁ ସତର୍କ ଘଣ୍ଟି ବାଜୁଛି।

ଇଣ୍ଡିଆ ଟୁଡେ ଏବଂ ସି-ଭୋଟର ସର୍ଭେ ଅନୁଯାୟୀ, ଯଦିଓ ମୋଦୀଙ୍କ ଯାଦୁ ପୁଣିଥରେ କାମ କରୁଥିବା ଜଣାପଡିଛି, କିନ୍ତୁ କିଛି ରାଜ୍ୟ ଅଛି ଯେଉଁଠାରେ ବିଜେପି ଏକ ବଡ଼ କ୍ଷତିର ସମ୍ମୁଖୀନ ହେଉଛି। ମୁଡ୍ ଅଫ୍ ଦି ନେସନ ନାମରେ କରାଯାଇଥିବା ଏହି ସର୍ଭେରେ ସଂଖ୍ୟାଗରିଷ୍ଠତାର ସଂଖ୍ୟା ହ୍ରାସ ପାଇଥିବାର ଦେଖାଯାଉଛି। କର୍ଣ୍ଣାଟକରେ ବିଜେପିକୁ ସର୍ବାଧିକ କ୍ଷତି ହେଉଥିବା ଦେଖାଯାଉଛି। ଗତଥର ବିଜେପି ଏହି ରାଜ୍ୟର ୨୮ ଟି ସିଟ୍ ମଧ୍ୟରୁ ୨୫ ଟି ଜିତିଥିଲା।

ସର୍ଭେ କ’ଣ କହୁଛି?:

ଏହି ସର୍ଭେ ଅନୁଯାୟୀ, କର୍ଣ୍ଣାଟକରେ ଏନଡିଏ ଏକ ବଡ କ୍ଷତି ସହୁଥିବା ଦେଖାଯାଇଛି ଏବଂ ୟୁପିଏ ଲାଭଦାୟକ ମନେ ହେଉଛି। ରାଜ୍ୟରେ ୟୁପିଏ ୪୩ ପ୍ରତିଶତ ଲାଭ ହାସଲ କରୁଛି। ୨୦୨୩ ନିର୍ବାଚନ ପାଇଁ ଏହି ସଂଖ୍ୟାଗୁଡିକ ଉପସ୍ଥାପିତ ହୋଇଛି। ଯେଉଁଠାରେ ୨୦୧୯ ବର୍ଷରେ ୟୁପିଏ କର୍ଣ୍ଣାଟକରେ ୨ ଟି ସିଟ୍ ଜିତିଥିଲା, ତେବେ ଯଦି ଆଜି ନିର୍ବାଚନ ହୁଏ, ତେବେ ୟୁପିଏ ୧୭ ଟି ସିଟ୍ ପାଉଥିବାର ଦେଖାଯାଉଛି। ଅର୍ଥାତ୍ ୨୫ ଟି ସିଟ୍ ମଧ୍ୟରୁ ଯଦି ୧୭ ଟି ସିଟ୍ ଛାଡିଦିଆଯାଏ, ତେବେ ୮ ଟି ସିଟ୍ ଏନଡିଏ ଆକାଉଣ୍ଟକୁ ଯାଉଥିବା ପରି ମନେହୁଏ।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ଯୋଗଦେବେ ଏହି ୫ କଂଗ୍ରେସ ମନ୍ତ୍ରୀ! ରାହୁଲ ଗାନ୍ଧୀଙ୍କ ଚିନ୍ତା ବଢାଇଲା ଭାଇରାଲ ପୋଷ୍ଟ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ରାଜସ୍ଥାନରେ ରାଜନୈତିକ ବାତାବରଣ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହେଉଛି। ଗୋଟିଏ ପଟେ ସରକାର ଏବଂ ସଂଗଠନରେ ବାକ ଯୁଦ୍ଧ ଚାଲିଥିବାବେଳେ ଅନ୍ୟ ପଟେ ସରକାରଙ୍କ ଶକ୍ତି ମଧ୍ୟ ଦେଖାଯାଉଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଭାଇରାଲ ପୋଷ୍ଟ ଆଉ ଏକ ବିବାଦ ସୃଷ୍ଟି କରିଛି। ଯେଉଁଥିରେ ଦାବି କରାଯାଉଛି ଯେ, ସରକାରଙ୍କ ପାଞ୍ଚଜଣ ମନ୍ତ୍ରୀ ଶୀଘ୍ର ପକ୍ଷ ପରିବର୍ତ୍ତନ କରିପାରନ୍ତି ଏବଂ ସେମାନଙ୍କ ମଧ୍ୟରେ ଅନେକ ବରିଷ୍ଠ ନେତା ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି। ଗତ କିଛି ଦିନ ହେବ ରାଜସ୍ଥାନ ସରକାରଙ୍କ ପାଞ୍ଚଜଣ ମନ୍ତ୍ରୀଙ୍କ ବିଜେପିରେ ଯୋଗ ଦେବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ପୋଷ୍ଟରେ କେତେ ସତ୍ୟ ଅଛି ତାହା ଜଣାଇବାକୁ କେହି ପ୍ରସ୍ତୁତ ନୁହଁନ୍ତି। କିନ୍ତୁ ଜୟପୁର, ଝୁଞ୍ଜୁନ୍ ଏବଂ ନାଗୋର ଜିଲ୍ଲାରେ ମନ୍ତ୍ରୀଙ୍କ ବିଷୟରେ ଅନେକ ଚର୍ଚ୍ଚା ହେଉଛି। କେତେକ ସୂତ୍ରରୁ ଜଣାପଡିଛି ଯେ, ଏହି ପାଞ୍ଚଜଣ ମନ୍ତ୍ରୀ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପାରନ୍ତି। ଜାନୁଆରୀ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଭିଲୱାଡା ଆସିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଜାନୁଆରୀ ୩୦ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ରାଜସ୍ଥାନ ସରକାର ବଜେଟ୍ ଅଧିବେଶନକୁ ଯାଇଛନ୍ତି। ଏଭଳି ପରିସ୍ଥିତିରେ ରାଜସ୍ଥାନର କିଛି ନେତା ଭରତ ଯୋଡୋ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କୁ ଭେଟି ପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ଏଭଳି ପରିସ୍ଥିତିରେ ରାଜସ୍ଥାନରେ ଶକ୍ତି ଏବଂ ସଂଗଠନରେ ପୁନଃ ପରିବର୍ତ୍ତନ ପାଇଁ ଦାବି ମଧ୍ୟ ରହିଛି। ତେଣୁ ଏହାପୂର୍ବରୁ ଏହି ସମୀକରଣ କରାଯାଉଛି ଯେ, ମନ୍ତ୍ରୀଙ୍କ ବିଜେପି ଯିବା ଖବରକୁ ନେଇ ହାଇ କମାଣ୍ଡ ଚିନ୍ତିତ ହେବା ଉଚିତ୍।

ବିଜେପିରେ ଯୋଗଦେବା ବିଷୟରେ ସୋସିଆଲ ମିଡିଆରେ ଆଲୋଚନା ହେଉଥିବା ପାଞ୍ଚଜଣ ମନ୍ତ୍ରୀଙ୍କୁ ସେମାନେ ବିଭିନ୍ନ ଜିଲ୍ଲାର ବୋଲି ଦାବି କରାଯାଉଛି। ସେମାନଙ୍କ ମଧ୍ୟରେ କିଛି ଶକ୍ତିଶାଳୀ ନେତାଙ୍କୁ ମଧ୍ୟ କୁହାଯାଉଛି। କିନ୍ତୁ ସେମାନଙ୍କ ନାମ ସ୍ପଷ୍ଟ ଭାବେ ପ୍ରକାଶ କରାଯାଇ ନାହିଁ। ତେବେ ଏହା କେବଳ ଭାଇରାଲ ହେବା ପାଇଁ ଏକ ପ୍ରୟାସ ନା ଏହା କେବଳ ରାଜନୈତିକ ଚାପ? କାରଣ ଏହି ଭାଇରାଲ ଖବର ଯୋଗୁଁ କଂଗ୍ରେସ କର୍ମୀମାନେ ମଧ୍ୟ ଚିନ୍ତିତ ଅଛନ୍ତି। ସେମାନେ ମଧ୍ୟ ବୁଝନ୍ତି ନାହିଁ ଯେ ସେମାନେ କାହା ସହିତ ରହିବେ ଏବଂ କାହା ସହିତ ରହିବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରୀଣି ବୈଠକ, ଫୋକସରେ ୨୦୨୪ ନିର୍ବାଚନ

ଭୁବନେଶ୍ୱର : ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଗତକାଲି ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ବୈଠକ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ଏହି କାର୍ଯ୍ୟକାରୀଣି ଆସନ୍ତା ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ।

ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସମସ୍ତ କେନ୍ଦ୍ରମନ୍ତ୍ରୀ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ, ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ପ୍ରମୁଖ ଯୋଗ ଦେବେ ।

ଏହି କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରର ହୋଟେଲ ପଦ୍ମଜା ପ୍ରିମିୟମ, ଚନ୍ଦ୍ରଶେଖରପୁରଠାରେ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ, ଆଜି ପଦାଧିକାରୀ ବୈଠକ

ଭୁବନେଶ୍ୱର : ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୨ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ବୈଠକ ଆଜି ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ।

ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସମସ୍ତ କେନ୍ଦ୍ରମନ୍ତ୍ରୀ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ, ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ପ୍ରମୁଖ ଯୋଗ ଦେବେ ।

୨୨ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରର ହୋଟେଲ ପଦ୍ମଜା ପ୍ରିମିୟମ, ଚନ୍ଦ୍ରଶେଖରପୁରଠାରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ କାହିଁକି କରିବେ ଶକ୍ତି ପ୍ରଦର୍ଶନ?

ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଆଗାମୀ ନିର୍ବାଚନ ପାଇଁ ଦଳ ତରଫରୁ ଆରମ୍ଭ ହେବ ରଣନୀତି। ସେଥିପାଇଁ ଦଳ ତରଫରୁ ବଡ ପ୍ରସ୍ତୁତି କରାଯାଇଛି। ତେବେ ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀରେ କରିବେ ନିଜର ଶକ୍ତି ପ୍ରଦର୍ଶନ।

ଏହି ବୈଠକରେ ଯୋଗଦେବା ପାଇଁ ମୋଦୀ ନୂଆଦିଲ୍ଲୀରେ ଏକ ରୋଡ ସୋର ଆୟୋଜନ କରିଛନ୍ତି। ସେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇ ବୈଠକରେ ଯୋଗଦେବେ। ସେଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏପରିକି ଏହାକୁ କିପରି ସିଧାପ୍ରସାଣ କରାଯିବ ସେ ନେଇ ମଧ୍ୟ ଦଳ ପ୍ରସ୍ତୁତି କରିଛି।

ଆଜି ଅପରାହ୍ଣ ୩ଟାରେ ପ୍ରାଧାନମନ୍ତ୍ରୀଙ୍କ ଏହି ରୋଡ୍ ଶୋ ଅନୁଷ୍ଠିତ ହେବ। ସେଥିପାଇଁ ଦିଲ୍ଲୀ ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏପରିକି ମୋଦୀ ଯାଉଥିବା ରାସ୍ତାକୁ ସଂପୂର୍ଣ୍ଣ ସିଲ କରିଦିଆଯାଇଛି। କେବଳ ଚାଲିଚାଲି ଯିବା ପାଇଁ ଅନୁମତି ରହିବ। ତେବେ ସେହି ରାସ୍ତାରେ ଯିବା ଥିବା ଗାଡିମୋଟରକୁ ଅନ୍ୟ ରାସ୍ତାକୁ ପରିବର୍ତ୍ତନ କରାଯାଇଛି। ସେଥିପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ତରଫରୁ ସୂଚନା ଦିଆଯାଇଛି।

ଏପରି ରୋଡ ସୋ’ର କାହିଁକି ହେଲା ଆୟୋଜନ

ନିକଟରେ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବିରାଟ ଭାରତ ଯୋଡ ଯାତ୍ରାର ଆୟୋଜନ କରିଥିଲେ। ଯାହାକି ଜାତୀୟ ରାଜନୀତିରେ ବେଶ ହଇଚଇ ସୃଷ୍ଟି କରିଥିଲା। ଏପରିକି ଜାତୀୟ ରାଜନୀତିରେ ଏହା ଚହଳ ସୃଷ୍ଟି କରିଥିଲା। ସେହିପରି ରାହୁଳଙ୍କ ସାରା ଭାରତରେ କରୁଥିବା ପଦଯାତ୍ରା ପ୍ରତି ଲୋକଙ୍କର ଆଗ୍ରହ ବଢିବାରେ ଲାଗିଛି।

ତାହାକୁ ଟକ୍କର ଦେବା ପାଇଁ ମୋଦି କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଏପରି ଏକ ବଡ ଆୟୋଜନ କରିବାକୁ ନିଷ୍ପତି କରିଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ନଅ ଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଫଳରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ମୋଦୀ ଏହି ରୋଡ ସୋ ର ଆୟୋଜନ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ: ଲଢେଇ ଜୋରଦାର ହେବ ବୋଲି କହିଲେ ପୃଥ୍ଵୀରାଜ

ସୀତାରାମ ଅଗ୍ରୱାଲ

ବାଣପୁର: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳର ସେତେ ଚିନ୍ତା ବଢ଼ି ବଢ଼ି ଯାଉଛି। ବିରୋଧୀ ବିଜେପି ଗତଥର ପରାଜୟ ବରଣ କରିଥିବା ବେଳେ ଆଗାମୀ ନିର୍ବାଚନରେ କିପରି ବିଜୟର ସ୍ୱାଦ ଚାଖିବ, ସେଥିଲାଗି ସଂଗଠନ ଜାରି ରଖିଛି। ଗୋଟାଏ ପଟେ ଚିଲିକା ବିଜେଡିରେ ‘ଢୋଲ ଭିତରେ ମୂଷା’ ର ଅଭିଯୋଗ ହେଉଥିବା ବେଳେ ଏପଟେ ବିଜେପି ଏହାର ଫାଇଦା ନେବ ବୋଲି କୁହାଯାଉଛି।

ପଞ୍ଚାୟତ ନିର୍ବାଚନରେ ଦଳ ଉଭୟ ବାଣପୁର ଓ ଚିଲିକା ବ୍ଲକ ଦଖଲ କରିଥିବା ବେଳେ ସାଧାରଣ ନିର୍ବାଚନରେ ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ଚିଲିକା ବିଧାୟକ ହେବା ନେଇ ଆଶା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ମୋରାମୋରି ପଞ୍ଚାୟତ ବିଜେପିର ବିଶାଳ କର୍ମୀ ସମ୍ମିଳନୀ ସରପଞ୍ଚ ବସନ୍ତ ମାଳିଙ୍କ ସଭାପତିତ୍ୱରେ ଆମ୍ବଝର ଠାରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଚିଲିକା ପୂର୍ବତନ ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ, ପୁରୀ ଲୋକସଭା ସଂଯୋଜକ ଶଙ୍କର ପରିଡ଼ା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଆଦି ଯୋଗଦେଇଥିଲେ। ତେବେ ଉକ୍ତ କର୍ମୀ ସମ୍ମିଳନୀରେ ରେକର୍ଡ ସଂଖ୍ୟକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଶାସକ ବିଜେଡି ବିରୋଧରେ ରଣ ହୁଙ୍କାର ଦେଇଥିବା ବିଜେପି ନେତାମାନେ କହିଛନ୍ତି।

ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କର୍ମୀମାନଙ୍କୁ ଏକମନ ଏକ ପ୍ରାଣ ହୋଇ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ ଜାରି ରଖିବା ନେଇ କହିଥିଲେ। ଭ୍ରଷ୍ଟାଚାରୀ ବିଜେଡି ସରକାରକୁ କିପରି ମୁଳୋତ୍ପାଟନ କରାଯିବ ସେ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ଅନୁରୂପ ଭାବେ ଚିଲିକାର ଜନସାଧାରଣ ମାନେ ଯାହାକୁ ବହୁମୂଲ୍ୟ ଭୋଟ ଦେଇ ଗାଦିରେ ବସାଇଥିଲେ ତାଙ୍କ ଲାଗି ଆଜି ସାଧରଣ ନିରୀହ ଭୋଟର ହନ୍ତସନ୍ତ ହେଉଛନ୍ତି। ଚିଲିକାବାସୀ ୨୦୨୪ରେ ସେଇ ଭୁଲ ଆଉ ପୁନଶ୍ଚ କରିବେ ନାହିଁ ବୋଲି ମନସ୍ତ କରିସାରିଥିବା କହିଥିଲେ ହରିଚନ୍ଦନ। ଚିଲିକାରେ ବିଜେଡି ବିରୁଦ୍ଧରେ ଲଢେଇ ଆହୁରି ତୀବ୍ର ହେବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ସେହିପରି ଭାବେ ସରପଞ୍ଚ ବସନ୍ତ ମାଳି ଏଥିନିମନ୍ତେ ପଞ୍ଚାୟତ ବାସୀଙ୍କ ନିକଟରେ ନତମସ୍ତକ ହୋଇ ଉଭୟ ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ରଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ।

ସେହିଭଳି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ କର୍ମୀଙ୍କୁ ମନୋବଳ ଆହୁରି ଦୃଢ଼ କରିବା ଲାଗି ପରାମର୍ଶ ଦେଇଥିଲେ। ୨୦୧୯ ରେ ଛୋଟିଆ ଭୁଲ ଲାଗି ବିଜେପିର ଉଭୟ ଯୋଗ୍ୟ ପ୍ରାର୍ଥୀ ବିଧାନସଭା ଓ ସଂସଦ ଯାଇପାରିଲେନାହିଁ ବୋଲି କହିବା ସହ ଦୁଃଖ ପ୍ରକାଶ କରିଥିଲେ।  କିନ୍ତୁ ଚଳିତ ସାଧରଣ ନିର୍ବାଚନରେ ଚିଲିକା ହିଁ ପୁରୀ ଲୋକସଭା ଓ ଓଡ଼ିଶା ବିଧାନସଭାର ପ୍ରବେଶ ପଥ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶ୍ରୀ ରଣସିଂହ।

ତେବେ ଚିଲିକା ବିଜେପିର ଭବିଷ୍ୟତ କ’ଣ ହେ,ବ ତାହା ଆଗାମୀ ସାଧାରଣ ନିର୍ବାଚନ ହିଁ ଜଣାପଡ଼ିବ।

Categories
ବିଶେଷ ଖବର ରାଜ୍ୟ ଖବର

ନିଶ୍ଚିନ୍ତକୋଇଲିରେ ବିଜେପିର ମଣ୍ଡଳ ପ୍ରବାସ ପଦଯାତ୍ରା

ନିଶ୍ଚିନ୍ତକୋଇଲି: ୨୦୨୩ରେ ଓଡ଼ିଶାର ଗରିବ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ ବୋଲି ରବିବାର କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ନିଶ୍ଚିନ୍ତକୋଇଲି ଠାରେ ଦଳ ପକ୍ଷରୁ ଆୟୋଜିତ ମଣ୍ଡଳ ବୈଠକ, ପଦଯାତ୍ରା ଓ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଠାରେ ଅସୁରେଶ୍ୱର ମଣ୍ଡଳ ଏବଂ ନିଶ୍ଚିନ୍ତକୋଇଲିର ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ନିଶ୍ଚିନ୍ତକୋଇଲିରେ ଆରମ୍ଭ ହୋଇଥିବା ପଦଯାତ୍ରାରେ ସାମିଲ ହୋଇଥିଲେ।

ଏହି ଅବସରରେ ସେ କହିଛନ୍ତି ଯେ, ଆବାସ ଯୋଜନାରେ ଘର ଆବଣ୍ଟନରେ ଦୁର୍ନୀତି କଥା ଉଠାଇବାରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତା କୁଳମଣି ବରାଳଙ୍କର ହତ୍ୟା ଯୋଜନା ବଧିବଦ୍ଧ ଭାବେ ଶାସକ ଦଳର ବିଧାୟକ ପ୍ରତ୍ୟକ୍ଷ ଭାବରେ କରାଇଲେ। ଯିଏ ମୁଖ୍ୟ ଅଭିଯୁକ୍ତ ଥିଲେ ତାଙ୍କର ବି ସନ୍ଦେହଜନକ ଭାବେ ହତ୍ୟା ହେଲା। କୁଳମଣି ବରାଳଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କଟକ ଜିଲ୍ଲା ସାଲେପୁର ବ୍ଲକ ପାଗା ଛକ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସାଲେପୁର ସମେତ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରକୁ ପଥର ମାଡ, ଟିଏମସିକୁ ଦାୟୀ କଲା ବିଜେପି

କଲିକତା: ପଶ୍ଚିମବଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର କିନ୍ତୁ ବିଜେପି ଏବଂ ଟିଏମସି ନେତାଙ୍କ ମଧ୍ୟରେ ସଂଘର୍ଷର ଖବର ନୁହେଁ, ବରଂ ବନ୍ଦେ ଭାରତ ଟ୍ରେନ୍ କୁ ନେଇ ଚର୍ଚ୍ଚା ହେଉଛି। ବାସ୍ତବରେ ନିକଟରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ପଥର ଫିଙ୍ଗିବା ଘଟଣା ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂଆ ଜଲପାଇଗୁଡିରୁ ହାୱଡା ଫେରୁଥିବା ମାଲଦା ଜିଲ୍ଲାର କୁମାରଗଞ୍ଜ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ଫିଙ୍ଗାଯାଇଛି। ପଥର ଫିଙ୍ଗିବା କାରଣରୁ ଉକ୍ତ ଟ୍ରେନର ସି-୧୩ ବଗି କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ଏଥି ସହ ଭାରତୀୟ ଜନତା ପାର୍ଟି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଟିଏମସି କର୍ମୀଙ୍କୁ ବନ୍ଦେ ଭାରତ ଟ୍ରେନକୁ ପଥର ଫିଙ୍ଗିଥିବା ଅଭିଯୋଗ କରିଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହାକୁ ଟିଏମସିର ଷଡଯନ୍ତ୍ର ବୋଲି କହିଛନ୍ତି। ପ୍ରକାଶ ଯେ, କେନ୍ଦ୍ର ସରକାର ଭାରତୀୟ ରେଳର ଆଧୁନିକୀକରଣ ପାଇଁ ରେକର୍ଡ ବିନିଯୋଗ କରୁଛନ୍ତି। ଏହି କ୍ରମରେ ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ, ତେଜସ ଏକ୍ସପ୍ରେସ, ହମସଫର ଏକ୍ସପ୍ରେସ ଭଳି ଆଧୁନିକ ଟ୍ରେନ ନିର୍ମାଣ କରାଯାଉଛି।

ଡିସେମ୍ବର ୩୦ ତାରିଖ ୨୦୨୨ରେ ବନ୍ଦେ ଭାରତ ଏକ୍ସପ୍ରେସ ହାୱଡା ଏବଂ ନୂଆ ଜଲପାଇଗୁଡି ମଧ୍ୟରେ ଚାଲିବା ଆରମ୍ଭ କରିଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଏହି ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମାତ୍ର ୨ ଦିନ ଚାଲିବା ପରେ ହିଁ ଏଭଳି ଘଟଣା ଘଟିବା ଏହାର ସୁରକ୍ଷା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ବନ୍ଦେ ଭାରତ ଟ୍ରେନରେ ଏହି ପ୍ରକାର ଆକ୍ରମଣ ପ୍ରଥମ ଥର ପାଇଁ ହୋଇନାହିଁ। ଅତୀତରେ ମଧ୍ୟ ଏହି ଟ୍ରେନ୍ ଅନେକ ଥର ଦୁର୍ବୃତ୍ତଙ୍କ ଶିକାର ହୋଇଆସୁଛି। ଡିସେମ୍ବର ୧୫ ତାରିଖ ୨୦୨୨ରେ ଛତିଶଗଡର ନାଗପୁର-ବିଲାସପୁର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପଥର ମାଡ କରାଯାଇଥିଲା। ଏହି କାରଣରୁ ଟ୍ରେନର ଝରକା କାଚ ଭାଙ୍ଗି ଯାଇଥିଲା। ଦୁର୍ଗ ଏବଂ ଭିଲାଇ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିଲା।

Categories
ଆଜିର ଖବର ଜାତୀୟ ଖବର

ବିଜେପି ସହ ସମ୍ପର୍କରେ ଅଛନ୍ତି ଅନେକ ଜେଡିୟୁ ସାଂସଦ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଦାବି

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ତାରକିଶୋର ପ୍ରସାଦ ଏକ ବଡ଼ ଦାବି କରିଛନ୍ତି। ଅନେକ ଜେଡିୟୁ ସାଂସଦ ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି ତାରକିଶୋର ପ୍ରସାଦ ଦାବି କରିଛନ୍ତି। ସେ କହିଛନ୍ତି ଯେ, ସିଏମ ନୀତୀଶ କୁମାର ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଭାବେ ଗ୍ରହଣ କରିଛନ୍ତି, ତେଣୁ ବର୍ତ୍ତମାନ ଜେଡିୟୁ ନେତା ଓ ସାଂସଦମାନେ ସେମାନଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି। ରବିବାର ଦିନ ତାରକିଶୋର ଏକ ଚ୍ୟାନେଲ ସହ ବାର୍ତ୍ତାଳାପରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଜେଡିୟୁ ନେତାମାନେ ଭୟଭୀତ ଅଛନ୍ତି। ଏହି କାରଣରୁ ଜେଡିଏର ଅନେକ ସାଂସଦ ବିଜେପି ସହ ଯୋଗାଯୋଗ କରୁଛନ୍ତି।

ତାରକିଶୋର ପ୍ରସାଦ ଆହୁରି କହିଛନ୍ତି ଯେ, ରାଜନୈତିକ ପରିସ୍ଥିତି ଅନୁଯାୟୀ ସେ ଏହି ଦାବି କରୁଛନ୍ତି। କିଏ ପ୍ରଧାନମନ୍ତ୍ରୀ ହେବେ ତାହା ଜନସାଧାରଣ ସ୍ଥିର କରିବେ, କିନ୍ତୁ ନୀତୀଶ କୁମାର ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ କରିଛନ୍ତି। ଜେଡିୟୁ ନେତା ଓ ସାଂସଦମାନେ ଭବିଷ୍ୟତକୁ ନେଇ ଭୟଭୀତ ହେବାର ଏହି କାରଣ।

ଏହା ପୂର୍ବରୁ ମଧ୍ୟ ଅନେକ ବିଜେପି ନେତା ଏଭଳି ଦାବି କରିଆସୁଛନ୍ତି। ସେମାନେ କହିଛନ୍ତି ଯେ, ୨୦୨୪ ମସିହାରେ ବିଧାନସଭା ନିର୍ବାଚନ ଅଛି, ତେଣୁ ସେମାନେ ବିଜେପି ସହ ଯୋଗାଯୋଗ କରୁଛନ୍ତି। କାରଣ ସେମାନେ ବୁଝୁଛନ୍ତି ଯେ, ସେ ବସୁଥିବା ଡଙ୍ଗା ଏବେ ବୁଡ଼ିବାକୁ ଯାଉଛି।

ଏବେ ତେଜସ୍ୱୀ ଯାଦବ ବିହାରରେ ନୂତନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅନୁମାନ କରାଯାଉଛି। ଏଠାରେ ବିଜେପି ଜେଡିୟୁ ସାଂସଦଙ୍କ ସମ୍ପର୍କରେ ଥିବା କଥା କହୁଛି। ଏଭଳି ପରିସ୍ଥିତିରେ ବିହାର ରାଜନୀତିରେ ପୁଣି ଥରେ ଭୂମିକମ୍ପ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଜେଡିୟୁ କୁ ଆରଜେଡ଼ି ସହିତ ମିଶ୍ରଣ କରାଯିବ ବୋଲି ମଧ୍ୟ ଆଲୋଚନା ହେଉଛି। କିନ୍ତୁ ଜେଡିୟୁ ନେତାମାନେ ଏହାକୁ କ୍ରମାଗତ ଭାବରେ ଅସ୍ୱୀକାର କରୁଛନ୍ତି। ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତୀଶ କୁମାରଙ୍କ ପ୍ରାର୍ଥୀତ୍ୱକୁ ନେଇ ଏକ ବିଶେଷ ଆଲୋଚନା ହୋଇଛି। ଏବେ ବିଜେପି ଦାବି କରୁଛି ଯେ, ସେମାନେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ କରିଛନ୍ତି। ଏହି କାରଣରୁ ତାଙ୍କର ଭବିଷ୍ୟତ ଅନ୍ଧକାରରେ ରହିଛି ଯେଉଁଥିପାଇଁ ସେ ବିଜେପି ସହ ଯୋଗାଯୋଗ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ଅସନ୍ତୋଷ ହୋଇ ନୂତନ ଦଳ ଗଠନ କଲେ ପୂର୍ବତନ ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡୀ

ବେଙ୍ଗାଲୁରୁ: ବିଜେପି ଉପରେ ଅସନ୍ତୋଷ ବ୍ୟକ୍ତ କରିଥିବା ପୂର୍ବତନ ମନ୍ତ୍ରୀ ଗଲି ଜନାର୍ଦ୍ଦନ ରେଡ୍ଡୀ ଏବେ ଏକ ନୂଆ ଦଳ ଘୋଷଣା କରିଛନ୍ତି। ଆଜି ବେଙ୍ଗାଲୁରୁ ସହରର ତାଙ୍କ ଘର ‘ପାରିଜାଥା’ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଜନାର୍ଦ୍ଦନ ରେଡ୍ଡୀ କହିଛନ୍ତି ଯେ, ସେ ନୂଆ ଦଳ’ କଲ୍ୟାଣ ରାଜ୍ୟ ପ୍ରଗତି ପକ୍ଷ’ ସହିତ ରାଜନୀତିରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ।

ଜନାର୍ଦ୍ଦନ ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି ଯେ, “କର୍ଣ୍ଣାଟକର ପ୍ରଗତି ମୋର ପ୍ରକୃତ ଲକ୍ଷ୍ୟ। ବାଟରେ ଯେତେ ବାଧାବିଘ୍ନ ଆସେ ନା କାହିଁକି, ମୋର ଲକ୍ଷ୍ୟ ହେଉଛି ଆଗକୁ ବଢିବା। ସେ ଆହୁରି କହିଛନ୍ତି ଯେ, ମୁଁ ଏପରି ଏକ ଦଳ ଗଠନ କରିବି, ଯାହା ରାଜ୍ୟର ପ୍ରତ୍ୟେକ କୋଣରେ ପହଞ୍ଚିବ। ଆତ୍ମବିଶ୍ୱାସ ପ୍ରକାଶ କରି ଜନାର୍ଦ୍ଦନ କହିଛନ୍ତି ଯେ, ତାଙ୍କ ଦଳ କର୍ଣ୍ଣାଟକର ଲୋକଙ୍କ ହୃଦୟ ଜିତିବ।

ଖୁବ ଶୀଘ୍ର ଜାରି ହେବ ଘୋଷଣା ପତ୍ର:

ଜନାର୍ଦ୍ଦନ କହିଛନ୍ତି ଯେ, “ଆମ ଦଳ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବ ସେ ବିଷୟରେ ମୁଁ ଖୁବ୍ ଶୀଘ୍ର ସୂଚନା ଦେବି। ଦଳର ଘୋଷଣା ପତ୍ର ମଧ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ।

Categories
ଆଞ୍ଚଳିକ

ବାଣପୁର ନଗର ମଣ୍ଡଳ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟ ସମିତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି।

ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ଆଜି ବାଣପୁର ନଗର ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟ ସମିତି ବୈଠକ ସ୍ଥାନୀୟ ଉତ୍ତରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଆଦି ଯୋଗଦେଇ ସଂଗଠନକୁ କିପରି ଆହୁରି ସୁଦୃଢ କରାଯିବ ସେ ନେଇ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସାଧରଣ ସମ୍ପାଦକ ଶ୍ରୀ ହରିଚନ୍ଦନ କର୍ମୀମାନଙ୍କୁ ପରାମର୍ଶ ଦେବା ସହ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ସାଧରଣ ନିର୍ବାଚନରେ ଚିଲିକାବାସୀ ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ମତ ରଖିଥିଲେ।

ମା’ ଭଗବତୀ ମନ୍ଦିର ଓ ବାଣପୁରର ଉନ୍ନତି ପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟକୁ ପ୍ରଶାସନ ଜନସଭା ମାଧ୍ୟମରେ କରିବା ପାଇଁ ଆହ୍ୱାନ ଦେଇଥିଲେ ଶ୍ରୀ ହରିଚନ୍ଦନ। ଯଦି ଏଥିରୁ ବିଚ୍ୟୁତି ହୁଏ ତେବେ ବିଜେପି ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ପଚାଇବା ନାହିଁ ବୋଲି କହିଥିଲେ ଶ୍ରୀ ହରିଚନ୍ଦନ।

ସେହିପରି ଭାବେ ସଂଗଠନକୁ ସୁଦୃଢ କରିବା ପାଇଁ କର୍ମୀମାନଙ୍କୁ ୫ ଗୋଟି ମନ୍ତ୍ର ଦେଇଥିଲେ ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ପାତ୍ର। ଉକ୍ତ ସଭାରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବାଣପୁର ବିଜେପି ନଗର ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ, ପୁରୀ ଲୋକସଭା ସଂଯୋଜକ ଶଙ୍କର ପରିଡ଼ା, ଚିଲିକା ବିଧାନସଭା ପ୍ରଭାରୀ ରତିକାନ୍ତ ପରିଡ଼ା, ଏନଏସିର ସମସ୍ତ ନିର୍ବାଚିତ ବିଜେପି କାଉନସିଲର ଏବଂ ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆଗୁଆ ନିର୍ବାଚନ, ଏହା କେବଳ ଚର୍ଚ୍ଚା ନା କିଛି ରହିଛି ସମ୍ଭାବନା??

ଭୁବନେଶ୍ବର: କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଆମେ ଶୁଣୁଛୁ ଓଡିଶାରେ କୁଆଡେ ଆଗୁଆ ନିର୍ବାଚନ ହେବ। ଏହି ମନ୍ତବ୍ୟ ପରେ ଓଡିଶା ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି। କେବଳ ଧର୍ମେନ୍ଦ୍ର ନୁହଁନ୍ତି, ବହୁ ପୂର୍ବରୁ ଓଡିଶାରେ ଏହି ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଚାଲିଛି।

ତେବେ ଧର୍ମେନ୍ଦ୍ର ପ୍ରଧାନ ଏହିପରି ଏକ ସୂଚନା ପ୍ରଦାନ କରି ରାଜ୍ୟ ରାଜନୀତିକୁ ତାଜା କରି ଦେଇଛନ୍ତି। ସେ ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ପାଖରେ ଭିତିରି ଖବର ସଂଗ୍ରହ କରିବାର ଏକ ଲୋକବଳ କାମ କରୁଛି। ତେଣୁ ସେ ସେହିପରି କିଛି ସୂରାକ ପାଇଥିବାରୁ ଏପରି ଏକ ବିବୃତି ମିଡିଆ ଆଗରେ କହିଲେ ବୋଲି ଧରାଯିବ। ତେବେ କେବଳ ଓଡିଶାର ନୁହେଁ କେନ୍ଦ୍ରରେ ମଧ୍ୟ ବିଜେପି କୁଆଡେ ଆଗୁଆ ନିର୍ବାଚନ କରିବ ବୋଲି ଚର୍ଚ୍ଚା ଚାଲିଛି। ଯାହା ଧର୍ମେନ୍ଦ୍ର କହି ନାହାଁନ୍ତି ବା କହିପାରି ନାହାଁନ୍ତି।

ସେ ଯାହା ହେଉ ନା କାହିଁକି ଏବେ ପ୍ରଶ୍ନ ଉଠିଛି ଯେ, ପ୍ରକୃତରେ ଓଡିଶାରେ ଆଗୁଆ ନିର୍ବାଚନ ହେବ କି ? ଯଦି ହେବ ତେବେ କାହିଁକି ହେବ ? ଏଥିରେ କେଉଁ ଦଳ ଲାଭବାନ ହେବ ଏବଂ କେଉଁ ଦଳର କ୍ଷତି ହେବ ? ଯଦି କେନ୍ଦ୍ରରେ ଆଗୁଆ ନିର୍ବାଚନ ହୁଏ ତେବେ ଓଡିଶାରେ ମଧ୍ୟ ଏକାସାଥୀରେ ନିର୍ବାଚନ ହେବ କି ?

ଏହିପରି ଅନେକ ପ୍ରଶ୍ନ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଆଗୁଆ ନିର୍ବାଚନକୁ ନେଇ ସୃଷ୍ଟି ହେବାରେ ଲାଗିଛି। ତେବେ ଏହାରି ଭିତରେ ଆଉ ଏକ ପ୍ରସଂଗ ରହିଛି ତାହା ହେଲା ଓଡିଶାରେ ବିଜେଡି ବର୍ତ୍ତମାନ ଯେପରି ସ୍ଥିତିରେ ରହିଛି ସେ କାହିଁକି ଆଗୁଆ ନିର୍ବାଚନ ପାଇଁ ଇଚ୍ଛା ପ୍ରକାଶ କରିବ। କାରଣ ବିଗତ ଦିନର ରାଜ୍ୟ ରାଜନୀତି ବା ଉପନିର୍ବାଚନର ପରିସ୍ଥିତକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ବିଜେଡି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏକ ନମ୍ବର। ଯାହାର ସ୍ଥିତି ସୁଦୃଢ ରହିଛି।

ସେଥିପାଇଁ ଗୋଟିଏ ସୁଦୃଢ ସରକାରଙ୍କୁ ଭାଙ୍ଗି ଆଗୁଆ ନିର୍ବାଚନ କରିବା ପାଇଁ ବିଜେଡି କେବେ ବି ଚାହିଁବ ନାହିଁ। ଅନ୍ୟପକ୍ଷରେ ଓଡିଶାରେ ଆଗୁଆ ନିର୍ବାଚନ କଲେ ବିଜେଡି ଏକ ବଡ ଭୁଲ କରି ବସିବ। କାରଣ ଓଡିଶା ବିଧାନସଭା ନିର୍ବାଚନ ହେଲେ ବିଜେପିର ମୋଦୀ ସାହାଙ୍କ ଠାରୁ ଆରମ୍ଭ କରି ଡଜନ ଡଜନ କେନ୍ଦ୍ରୀୟ ନେତା ଓଡିଶାରେ ପଡି ରହିବେ। ଫଳରେ ବିଜେଡିକୁ ଏହି କେନ୍ଦ୍ରୀୟ ମହାଶକ୍ତିକୁ ମୁକାବିଲା କରିବା ପାଇଁ କାଠିକର ପାଠ ହୋଇପଡିବ। ତେଣୁ ବିଜେଡି କାହିଁକି ଆଗୁଆ ନିର୍ବାଚନ କରି କାଦୁଅରେ ପଶିବ।

ତେବେ ଅନ୍ୟ ପ୍ରସଂଗ କଥା ଚିନ୍ତା କରାଯାଏ ତେବେ ବିଜେଡି ଆଗୁଆ ନିର୍ବାଚନ ପାଇଁ ଆଗ୍ରହ ପ୍ରକାଶ କରିବାର ସମ୍ଭାବନା ଯଥେଷ୍ଠ ରହିଛି। ତାହା ହେଲା, ଯଦି କେନ୍ଦ୍ରରେ ବିଜେପି ସରକାର ଆଗୁଆ ନିର୍ବାଚନ ପାଇଁ ଘୋଷଣା କରନ୍ତି ତେବେ ବିଜେଡି ଆଗୁଆ ନିର୍ବାଚନ ଚିନ୍ତା କରିବ।  କାରଣ ଏହାଦ୍ବାରା ବିଜେଡି ଲାଭରେ ରହିବ। କେନ୍ଦ୍ରୀୟ ନେତୃତ୍ବ ସାରା ଦେଶରେ ନିର୍ବାଚନ ପାଇଁ ମାତିବେ। ଓଡିଶା ନିର୍ବାଚନରେ ସେମାନେ ପୁରା ଶକ୍ତି ଅପଚୟ କରିପାରିବେ ନାହିଁ। ଫଳରେ ଓଡିଶା ବିଜେପି ନେତାଙ୍କୁ ଏକା ନବୀନ ସମ୍ଭାଳି ନେଇ ନେବେ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ କେନ୍ଦ୍ରୀୟ ପାଣିପାଗକୁ ଅପେକ୍ଷା କରି ରହିଛି। ସେଠାରେ କଣ ଘଟୁଛି ବା ଆଗକୁ ଘଟିବାର ସମ୍ଭାବନା ରହିଛି ତାହାକୁ ପୁରା ତୀକ୍ଷ୍ମ ଦୃଷ୍ଟିରେ ଅନେଇ ରହିଛି। ସେତେବେଳର ପାଣିପାଗ ଦେଖି ବାତ୍ୟା ମୁକାବିଲାରେ ପାରଙ୍ଗମ ଥିବା ବିଜେଡି ସରକାର ନିର୍ବାଚନ ମହାବାତ୍ୟାକୁ ମୁକାବିଲା କରିବାକୁ ପଦକ୍ଷେପ ନେବ।

Categories
ଆଜିର ଖବର ଜାତୀୟ ଖବର

ହିମାଚଳ ପ୍ରଦେଶର ଏହି ଚାରୋଟି ଜିଲ୍ଲାରେ ଖାତା ଖୋଲିପାରି ନାହିଁ ବିଜେପି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। କଂଗ୍ରେସ ୪୦ ଟି ଆସନ ଏବଂ ବିଜେପି ୨୫ ଟି ଆସନ ଜିତିଛି। ତିନୋଟି ଆସନ ମଧ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ୧୨ ଟି ଜିଲ୍ଲା ମଧ୍ୟରୁ ଚାରିଟିରେ ବିଜେପି ଗୋଟିଏ ବି ଆସନ ଜିତି ପାରି ନାହିଁ। ହମିରପୁର, ସୋଲନ, କିନୌର ଏବଂ ଲାହଲ ସ୍ପିଟିରେ ବିଜେପିର ଆକାଉଣ୍ଟ ଖୋଲାଯାଇ ନାହିଁ। ତେବେ ଏହି ଚାରିଟି ଜିଲ୍ଲାରେ କିନ୍ନର ଏବଂ ଲାହୋଲ୍ ସ୍ପିତିରେ ଗୋଟିଏ ଲେଖାଏଁ ସିଟ୍ ରହିଛି। କଂଗ୍ରେସ ଦଳର ପ୍ରାର୍ଥୀମାନେ ଏହି ଦୁଇଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଆସନ ଜିତିଛି।

ଜିଲ୍ଲା ବିଲାସପୁରର ମୋଟ ଚାରୋଟି ଆସନ ମଧ୍ୟରୁ ବିଜେପି ତିନିଟି ଏବଂ କଂଗ୍ରେସ ଗୋଟିଏ ଆସନ ଜିତିଛି। ଚାମ୍ବାରେ ଥିବା ୫ ଟି ଆସନ ମଧ୍ୟରୁ ବିଜେପି ତିନିଟି ଏବଂ କଂଗ୍ରେସ ଦୁଇଟି ଜିତିଛି। କଂଗ୍ରେସ ହମିରପୁରର ପାଞ୍ଚଟି ସିଟ୍ ମଧ୍ୟରୁ ଚାରିଟି ଏବଂ ସ୍ଵାଧୀନ ପ୍ରାର୍ଥୀ ଗୋଟିଏ ସିଟ୍ ଜିତିଛି। କାଙ୍ଗଡାରେ ମୋଟ ୧୫ଟି ଆସନରେ କଂଗ୍ରେସ ୧୦ ଟି ସିଟ୍ ଜିତିଛି ଏବଂ ବିଜେପି କେବଳ ୪ ଟି ସିଟ୍ ରେ ସନ୍ତୁଷ୍ଟ ହେବାକୁ ପଡିଛି। ଜଣେ ସ୍ୱାଧୀନ ପ୍ରାର୍ଥୀ କଙ୍ଗଡାର ଦେହରା ଆସନରୁ ଜିତିଛନ୍ତି।

Categories
ବିଶେଷ ଖବର

ଗୁଜରାଟ-ହିମାଚଳ ଅପେକ୍ଷା ବିହାରରେ ବିଜେପିର ବିଜୟ ଅଧିକ ଆଶ୍ଚର୍ଯ୍ୟଜନକ, ହାରିଲେ ନୀତୀଶ-ତେଜସ୍ୱୀ

ନୂଆଦିଲ୍ଲୀ: ଗୁଜୁରାଟ, ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ମେନପୁରୀର ଲୋକସଭାରେ ଉପ-ନିର୍ବାଚନର ଫଳାଫଳ ସାରା ଦେଶରେ ଆଲୋଚନା ହେଉଛି। କିନ୍ତୁ ବିହାରର କୁଢନୀ ବିଧାନସଭା ଉପ-ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ପ୍ରାର୍ଥୀ ମନୋଜ କୁଶୱାହା ସମସ୍ତ ସମୀକରଣ ତାଙ୍କ ସପକ୍ଷରେ ଥିବା ସତ୍ତ୍ୱେ ହାରିଯାଇଛନ୍ତି। ଏହି ବିଜୟରେ ସବୁଠାରୁ ବଡ କାରକ ଭାବରେ ଚିରାଗ ପାସୱାନ୍ ଉଭା ହୋଇଛନ୍ତି।

ଏହି ଆସନ ନୀତୀଶ କୁମାରଙ୍କ ସମ୍ମାନର ପ୍ରଶ୍ନ ପାଲଟିଥିଲା। ଆରଜେଡି ସହିତ ସରକାର ଗଠନ କରିବା ପରେ ନୀତୀଶ କୁମାରଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ଥିଲା। ନୀତୀଶ ନିଜକୁ ECB ର ନେତା ଭାବରେ ବିବେଚନା କରନ୍ତି। ଏହା ସହିତ, ଯଦି JDU-RJD ର ଭୋଟ୍ ପ୍ରତିଶତ ଯୋଡାଯାଏ, ତେବେ ବିହାରରେ ଗ୍ରାଣ୍ଡ୍ ଆଲାଏନ୍ସ ଏତେ ମଜବୁତ ଯେ ସେମାନଙ୍କ ସାମ୍ନାରେ ବିଜେପି କୌଣସି ସ୍ଥାନରେ ଠିଆ ହୁଏ ନାହିଁ।

ବିହାରରେ, ଯଦି ଆପଣ ୧୫ ପ୍ରତିଶତ ଯାଦବ, ୧୧ ପ୍ରତିଶତ କୁର୍ମୀ-କୋରି-ନିଶାଦ ଏବଂ ୧୭ ପ୍ରତିଶତ ମୁସଲମାନ ଯୋଗ କରନ୍ତି, ତେବେ ସମୁଦାୟ ୪୩ ପ୍ରତିଶତ ହେବ। କୁଢନୀ ବିଧାନସଭା ଆସନରେ ପ୍ରାୟ ତିନି ଲକ୍ଷ ଭୋଟ୍। କୁଶୱା ୩୮ ହଜାର, ନିଶାଦ ୨୫ ହଜାର, ବୈଷ୍ଣବ ୩୫ ହଜାର, ମୁସଲମାନ ୨୩ ହଜାର, ଭୁମିହାର ୧୮ ହଜାର, ଯାଦବ ୩୨ ହଜାର, ଭୁମିହାରର ଉଚ୍ଚ ଜାତି ୨୦ ହଜାର, ଦଲିତ ୨୦ ହଜାର ଅଛନ୍ତି।|

କୁଶୱାହରେ ସର୍ବାଧିକ ଭୋଟର ଅଛନ୍ତି। ନୀତୀଶ କୁମାର ନିଜକୁ କୁର୍ମି ଏବଂ କୁଶୱାଙ୍କର ନେତା ବୋଲି ଭାବନ୍ତି। ତାଙ୍କ ଦଳରେ ଉପେନ୍ଦ୍ର କୁଶୱାଙ୍କ ପରି ବଡ ନେତା ଅଛନ୍ତି। ଏହା ସହିତ ମନୋଜ ନିଜେ ମଧ୍ୟ କୁଶୱା ଜାତିର ଅଟନ୍ତି। ତଥାପି ଜେଡିୟୁ ଏହି ଆସନରେ ଏକ ପରାଜୟ ହାସଲ କରିଛି।

ବିଶ୍ୱାସ କରାଯାଏ ଯେ, ବିଜେପିର ରଣନୀତି ଏହି ଆସନରେ କାମ କରିଛି, ଯାହା ସମଗ୍ର ବିହାରରେ ଚେଷ୍ଟା କରିବାକୁ ଚାହୁଁଛି। ଯଦି ୧୫ ପ୍ରତିଶତ ଉଚ୍ଚ ଜାତିର, ୨୬ ପ୍ରତିଶତ ଅତ୍ୟଧିକ ପଛୁଆ ଏବଂ ୧୬ ପ୍ରତିଶତ ଦଳିତ ବିହାରରେ ଏକାଠି ହୁଅନ୍ତି, ତେବେ ବିହାର ଜିତିବା କୌଣସି ଦଳ ପାଇଁ ସହଜ ହୋଇପାରେ। ନିକଟରେ ଉତ୍ତରପ୍ରଦେଶରେ ହୋଇଥିବା ନିର୍ବାଚନରେ ​​ବିଜେପି ମଧ୍ୟ ସମାନ ପରୀକ୍ଷଣ କରିଛି।

କୁଢନୀରେ ବିଜେପି ପ୍ରାର୍ଥୀ କେଦାର ପ୍ରସାଦ ଗୁପ୍ତା ନୀତୀଶ କୁମାରଙ୍କ ଜେଡିୟୁ ପ୍ରାର୍ଥୀ ମନୋଜ କୁଶୱାଙ୍କୁ ୩ ହଜାର୬୪୫ ଭୋଟରେ ପରାସ୍ତ କରି ଏହି ସମୀକରଣ ପାଇଁ ରାସ୍ତା ଖୋଲିଛନ୍ତି। ଗୁପ୍ତା ୭୬ ହଜାର ୬୫୩ ଭୋଟ୍ ପାଇଥିବାବେଳେ କୁଶୱାହା ୭୩ ହଜାର ୮ ଭୋଟ୍ ପାଇଛନ୍ତି।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ସୁଶୀଲ କୁମାର ମୋଦୀ କୁଢନୀରେ ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି।

ସୁଶୀଲ ମୋଦୀ କହିଛନ୍ତି ଯେ, ନୀତୀଶ କୁମାରଙ୍କ ଗ୍ରାଣ୍ଡ ଆଲାଇନ୍ସ କୁଢନୀରେ ଜଳ ପରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି, ସମସ୍ତ କୌଶଳ ଆପଣେଇଛି, ତଥାପି ସେଠାରେ ଥିବା ଭୋଟରମାନେ ବିଜେପିର ବିଜୟ ନିଶ୍ଚିତ କରିଛନ୍ତି।

ସୁଶୀଲ ମୋଦୀ କହିଛନ୍ତି ଯେ, ନିର୍ବାଚନରେ ​​ଲାଲୁ ଜୀଙ୍କ ନାମ ମଧ୍ୟ ବ୍ୟବହୃତ ହୋଇଥିଲା, ତାଙ୍କ କିଡନୀ ପ୍ରତିରୋପଣ ପ୍ରସଙ୍ଗରେ ଭାବପ୍ରବଣ କାର୍ଡ ଖେଳାଯାଇଥିଲା, ମୁଖ୍ୟମନ୍ତ୍ରୀ ମଧ୍ୟ ଅନେକ ସଭା କରିଥିଲେ ଏବଂ ଏହି ନିର୍ବାଚନକୁ ସମ୍ମାନର ପ୍ରଶ୍ନ କରିଥିଲେ। କିନ୍ତୁ ଶେଷରେ ଉପ-ନିର୍ବାଚନରେ ​​ବିଜେପି ଜିତିଛି।

Categories
ଆଜିର ଖବର ଜାତୀୟ ଖବର

ହିମାଚଳରେ ବିଜେପି ଠାରୁ ଆଗରେ କଂଗ୍ରେସ: 1000 ରୁ କମ୍ ଭୋଟ ବ୍ୟବଧାନରେ 21 ଟି ଆସନ

ନୂଆଦିଲ୍ଲୀ: ଏକ ରୋମାଞ୍ଚକର କ୍ରିକେଟ୍ ମ୍ୟାଚ୍ ପରି, ହିମାଚଳ ନିର୍ବାଚନ ଗଣନା ଚାଲିଛି। ବର୍ତ୍ତମାନ ବିଜେପି ଠାରୁ କଂଗ୍ରେସ ବହୁତ ଆଗରେ ଅଛି। ବିଜେପି 27 ଟି ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। କିନ୍ତୁ ଏହା ମଧ୍ୟରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଚାଲିଛି। କାରଣ କଂଗ୍ରେସ 38 ଟି ଆସନରେ ଆଗୁଆ ଚାଲିଥିବାବେଳେ 21 ଟି ଆସନରେ 1000 ରୁ କମ୍ ବ୍ୟବଧାନରେ ଉଭୟ ଦଳ ମଧ୍ୟରେ ଟକ୍କର ଜାରି ରହିଛି। ତେଣୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ କେଉଁ ଦଳ କ୍ଷମତାକୁ ଆସିବ, ସ୍ପଷ୍ଟ ଭାବେ କହି ହେବନାହିଁ।

ହିମାଚଳ ପ୍ରଦେଶ ବିଧାନସଭାର ସମୁଦାୟ 68 ଆସନ ଅଛି। ପ୍ରଥମ ଏବଂ ଦ୍ୱିତୀୟ ପ୍ରାର୍ଥୀଙ୍କ ମଧ୍ୟରେ ମାର୍ଜିନ୍ 1000 ରୁ କମ୍ ଅଟେ। ଆସନ୍ତୁ ଏହି 21 ଟି ଆସନର ପୁରା ତାଲିକା ଦେଖିବା…

1- ବଞ୍ଜର- କଂଗ୍ରେସ ପ୍ରାର୍ଥୀ ଠାରୁ ସ୍ୱାଧୀନ ପ୍ରାର୍ଥୀ 636 ଭୋଟ୍ ରେ ଆଗୁଆ।
2- ଭାଟିୟାଟ- କଂଗ୍ରେସ ପ୍ରାର୍ଥୀ ଠାରୁ ବିଜେପି ପ୍ରାର୍ଥୀ 61 ଭୋଟ୍ ରେ ଅଗ୍ରଣୀ ଅଛନ୍ତି।
3- ପଠାନିୟା- କଂଗ୍ରେସ ଏହି ଆସନରେ ଆଗରେ ଅଛି, କିନ୍ତୁ ଭୋଟିଂ ମାର୍ଜିନ୍ 1000 ରୁ କମ୍ ଅଟେ।
4- ବିଲାସପୁର- ବିଜେପି ପ୍ରାର୍ଥୀ ଠାରୁ କଂଗ୍ରେସ 7 ଭୋଟ୍ ରେ ଆଗରେ।
5- ଚିନ୍ତାପୂର୍ଣ୍ଣି- ବିଜେପି ପ୍ରାର୍ଥୀ ଠାରୁ କଂଗ୍ରେସ 776 ଭୋଟ୍ ରେ ଅଗ୍ରଣୀ।
6- ଫତେହପୁର- ବିଜେପି ପ୍ରାର୍ଥୀ ଠାରୁ 432 ଭୋଟ୍ ରେ ଅଗ୍ରଣୀ।
7- ଜସବନ-ପରାଗପୁର- ବିଜେପି ପ୍ରାର୍ଥୀ 886 ଭୋଟରେ ଆଗୁଆ।
8- ଜଭାଲି- ବିଜେପି ପ୍ରାର୍ଥୀ 644 ଭୋଟ୍ ରେ ଆଗୁଆ।
9- ଝଣ୍ଡୁତା: କଂଗ୍ରେସ ପ୍ରାର୍ଥୀ ବିଜେପି ଠାରୁ 84 ଭୋଟ୍ ଆଗରେ।
10- ଲାହୋଲ୍-ସ୍ପିତି- ବିଜେପ୍ ପ୍ରାର୍ଥୀ 35 ଭୋଟ୍ ରେ ଆଗୁଆ।
11- ମନାଲି- ବିଜେପ୍ ପ୍ରାର୍ଥୀ 47 ଭୋଟ୍ ରେ ଆଗୁଆ।
12- ନଚାନ- BJP ପ୍ରାର୍ଥୀ 628 ରେ ଆଗୁଆ।
13- ପାଲମପୁର- BJP ର ପ୍ରାର୍ଥୀ 282 ଭୋଟ୍ ରେ ଅଗ୍ରଣୀ।
14- ଦରଙ୍ଗ- ବିଜେପି ପ୍ରାର୍ଥୀ 43 ଭୋଟ୍ ଅଗ୍ରଣୀ।
15- ଶିମଲା – କଂଗ୍ରେସ ପ୍ରାର୍ଥୀ 899 ଭୋଟ୍ ରେ ଆଗୁଆ।
16- ଶ୍ରୀ ନେନା ଦେବୀଜୀ – କଂଗ୍ରେସ ପ୍ରାର୍ଥୀ 892 ଭୋଟ୍ ରେ ଅଗ୍ରଣୀ।
17- ଶ୍ରୀ ରେଣୁକାଜୀ- ବିଜେପି ପ୍ରାର୍ଥୀ 264 ଭୋଟ୍ ରେ ଆଗୁଆ।
18- ସୁଜାନପୁର୍ – କଂଗ୍ରେସ ପ୍ରାର୍ଥୀ 165 ଭୋଟ ରେ ଆଗୁଆ।
19- ଠିୟୋଗ- କଂଗ୍ରେସ ପ୍ରାର୍ଥୀ 67 ଭୋଟରେ ଆଗରେ।
20- ଉନା- କଂଗ୍ରେସ ପ୍ରାର୍ଥୀ 160 ଭୋଟ୍ ରେ ଅଗ୍ରଣୀ।

Categories
ଆଜିର ଖବର ଜାତୀୟ ଖବର

ପରାଜୟ ସତ୍ତ୍ୱେ ବିଜେପିର ବୃଦ୍ଧି ପାଇଲା ଭୋଟ୍: ୨୦୧୭ ତୁଳନାରେ ୩ ପ୍ରତିଶତ ଅଧିକ ମତ

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ​​ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି। ୧୫ ବର୍ଷ କ୍ଷମତାରେ ରହିବା ପରେ ବିଜେପିକୁ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନରୁ ବାହାର କରିଦିଆଯାଇଛି। କିନ୍ତୁ ପରାଜୟ ସତ୍ତ୍ୱେ ବିଜେପି ୧୦୦ ରୁ ଅଧିକ ସିଟ୍ ଜିତିଛି। ଗତ ନିର୍ବାଚନ ତୁଳନାରେ ଦଳକୁ ୩ ପ୍ରତିଶତ ଅଧିକ ଭୋଟ୍ ମିଳିଥିବା ବିଜେପି ପାଇଁ ଏହା ଏକ ଆଶ୍ବସ୍ତିକର ବିଷୟ ହୋଇଛି।

ପ୍ରକାଶ ଯେ, କର୍ପୋରେସନ ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିକୁ ପୁନର୍ବାର ବିଜୟ ମିଳିଛି। ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ ବୁଧବାର ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ନିର୍ବାଚନରେ ​​ତାଙ୍କ ଦଳ ସପକ୍ଷରେ ଭୋଟ୍ ଦେଇଥିବାରୁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ଵର ସବୁଠାରୁ ବଡ ତଥା ନକାରାତ୍ମକ ଦଳକୁ ପରାସ୍ତ କରିବାରେ ଏହି ଜନାଦେଶ।

Categories
ଆଜିର ଖବର ଜାତୀୟ ଖବର

ଏଥର ଦିଲ୍ଲୀରେ ଚାଲିବ ଝାଡୁ!: MCD ନିର୍ବାଚନରେ ସଂଖ୍ୟାଗରିଷ୍ଠତା ନିକଟରେ ଆପ୍

ନୂଆଦିଲ୍ଲୀ: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି ନିର୍ବାଚନ) ପାଇଁ ଭୋଟ୍ ଗଣନା ଚାଲିଛି। ଅଦ୍ୟାବଧି ୨୦୬ ଟି ଆସନର ଫଳାଫଳ ଆସିଛି। ସେଥିମଧ୍ୟରୁ ୧୧୦ ଟି ଆମ୍ ଆଦମୀ ପାର୍ଟି (AAP) ଏବଂ ୮୯ ଟି ସିଟ୍ ବିଜେପି ଜିତିଛି। କଂଗ୍ରେସ ମାତ୍ର ୯ ଟି ଆସନ ଜିତିବାରେ ସଫଳ ହୋଇଛି। ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିଛନ୍ତି।

ତେବେ ଆଉ ୪୮ ଟି ଆସନର ଫଳାଫଳ ଘୋଷଣା ବାକି ଥିବା ବେଳେ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ୯୦ ପ୍ରତିଶତ ଭୋଟ୍ ଗଣନା ଶେଷ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

MCD ନିର୍ବାଚନ ଫଳାଫଳ ଅପଡେଟ: ​​ବିଜେପି 17, AAP 15 ଏବଂ କଂଗ୍ରେସ 2 ଟି ଆସନରେ ବିଜୟୀ

ନୂଆଦିଲ୍ଲୀ: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି ନିର୍ବାଚନ) ପାଇଁ ଭୋଟ୍ ଗଣନା ଚାଲିଛି। ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଘନିଷ୍ଠ ଲଢେଇ ଚାଲିଛି। ଏପର୍ଯ୍ୟନ୍ତ 35 ଟି ଆସନର ଫଳାଫଳ ଆସିଛି, ସେଥିମଧ୍ୟରୁ 17 ଟି ଆସନ ବିଜେପି ଜିତିଥିବାବେଳେ 15 ଟି ଆମ୍ ଆଦମୀ ପାର୍ଟିକୁ ଯାଇଛି। କଂଗ୍ରେସ ମଧ୍ୟ ଦୁଇଟି ଆସନ ଜିତିବାରେ ସଫଳ ହୋଇଛି। କଂଗ୍ରେସ ପ୍ରାର୍ଥୀ ଆରିବା ଖାନ ଅବୁଲ ଫଜଲଙ୍କଠାରୁ ଜିତିଛନ୍ତି।

ବର୍ତ୍ତମାନ ଗଣନାରେ ଆମ୍ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଛୁଇଁଛି। 130 ଟି ଆସନରେ AAP ଅଗ୍ରଣୀ ରହିଛି। ଏଥିସହ 104 ଟି ଆସନରେ ଆଗୁଆ ଥିବା ବିଜେପି ଦ୍ୱିତୀୟ ନମ୍ବରରେ ରହିଛି। ପ୍ରାରମ୍ଭିକ ଧାରାରେ ବିଜେପି ସଂଖ୍ୟାଗରିଷ୍ଠତାକୁ ଦୁଇଥର ଛୁଇଁଥିଲା, ଏହା ପରେ ଏହା ଉଭୟ ଥର ସଂଖ୍ୟାଗରିଷ୍ଠତା ତଳେ ରହିଥିଲା। ଏଥିସହିତ ଆମ୍ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତାକୁ ଥରେ ଛୁଇଁଥିଲା। ଡିସେମ୍ବର 4 ତାରିଖରେ ଦିଲ୍ଲୀରେ ଏମସିଡି ପାଇଁ ଭୋଟ୍ ଦିଆଯାଇଥିଲା ଯେଉଁଥିରେ 50.48 ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା।