Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆ ଥାନା ଅଞ୍ଚଳରୁ ଦେଢ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ: ଚାଲାଣକାରି ଗିରଫ

ଖୋର୍ଦ୍ଧା: ଆଜି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ଚଢ଼ାଉ କରି ୧୫ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ବେଗୁନିଆ ଥାନା ଭାଗଲପୁର ଗ୍ରାମରୁ ଅଭିଯୁକ୍ତ ପ୍ରମୋଦ କୁମାର ସାହୁ (୫୭) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ଉକ୍ତ ଗଞ୍ଜେଇ ଜବତ ହୋଇଛି।

ଜବତ ଗଞ୍ଜେଇର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ଟିମ ଏବଂ ଖୋର୍ଦ୍ଧା ରେଞ୍ଜ ଅବକାରୀ ଟିମ ସାମିଲ ଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବେଗୁନିଆରୁ କାର ସହିତ ୧ ହଜାର ଲିଟରରୁ ଉର୍ଦ୍ଧ୍ଵ ଦେଶୀ ମଦ ଜବତ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରୁ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ବୋଝେଇ କାର ଜବତ କରିଛି। ସୂଚନା ମୁତାବକ ବେଗୁନିଆ ଥାନା ରସୋଳ ଅଞ୍ଚଳରୁ ଏକ ମଦ ବୋଝେଇ ମାରୁତି କାର ଆସୁଥିବାର ଖବର ପାଇଥିଲା ଅବକାରୀ ବିଭାଗ। ବିଳମ୍ବ ନ କରି ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ତେବେ ଦୂରରୁ ଅବକାରୀ ଗାଡ଼ିକୁ ଦେଖି ମଝି ରାସ୍ତାରେ ଅଭିଯୁକ୍ତ ରଜନୀକାନ୍ତ ପାଇକରାୟ ଗାଡ଼ି ଛାଡି ଫେରାର ହେବାକୁ ସକ୍ଷମ ହୋଇଥିଲେ। ଉକ୍ତ ଗାଡିକୁ ଅବକାରୀ ବିଭାଗ ଜବତ କରିବା ସହ ସେଥିରୁ ୧ ହଜାର ୪୦ ଲିଟର ଦେଶୀ ମଦ ଜବତ କରିଛି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୪୪/୨୨-୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଉକ୍ତ ଚଢ଼ାଉରେ ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ଏସଆଇ ବି ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା, ବେଗୁନିଆ ଏବଂ ଭ୍ରାମ୍ୟମାଣ ୟୁନିଟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବେଗୁନିଆ : ବଡ଼ ଧରଣର ଡକାୟତିର ପର୍ଦାଫାଶ କଲା ପୋଲିସ, ଦୁଇ ମହିଳାଙ୍କ ସମେତ ୭ ଗିରଫ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଏକ ବଡ଼ ଡକାୟତିର ପର୍ଦାଫାଶ କରିଛି ପୋଲିସ। ସୂଚନା ମୁତାବକ ଜୁଲାଇ ୧୨ ତାରିଖ ମଧ୍ୟରାତ୍ରିରେ ବେଗୁନିଆ ଗ୍ରାମ ନିଶାମଣି ସେଠିଙ୍କ ଘରେ ତିନି ଜଣ ଦୁର୍ବୁତ୍ତ ଜୋର ଜବରଦସ୍ତ ପଶି ନିଶାମଣିଙ୍କ ମୁହଁରେ ଟେପ ଲଗାଇ, ହାତ ବାନ୍ଧି ଘରୁ ବହୁ ସୁନା ଓ ରୁପା ଅଳଙ୍କାର, ମୋବଇଲ ଓ ଲାପଟପ ଲୁଟି ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ନିଶାମଣି ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ କେଶ ନମ୍ବର ୧୭୧/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା କି କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ ଅନ୍ଧାରୁଆ ଗ୍ରାମର ସବିତା ସେଠି ନାମକ ମହିଳା ଯିଏ ପୁର୍ବରୁ ନିଶାମଣିଙ୍କ ଘରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ ସେ ହିଁ ଉକ୍ତ ଡକାୟତିର ମାଷ୍ଟରମାଇଣ୍ଡ।

ସବିତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ନିଶାମଣି ଛଅ ମାସ ପୂର୍ବେ ତାଙ୍କୁ ଚାକିରୀରୁ ବିଦା କରିଦେଇଥିଲେ। ତେବେ ଏଥିରେ ସବିତା କ୍ରୋଧିତ ହୋଇ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ନିଶାମଣିଙ୍କ ଘରେ ବହୁ ପରିମାଣରେ ସୁନା ଓ ରୁପା ଅଳଙ୍କାର ଏବଂ ନକଦ ଟଙ୍କା ଥିବା ସବିତା ତାଙ୍କ ଭୁବନେଶ୍ୱର ସ୍ଥିତ ଅଟୋ ଚାଳକ ସାଙ୍ଗ ତପନ ସେଠିଙ୍କୁ କହିଥିଲେ ଏବଂ ଘର ର ନକ୍ସା ଓ ଅବସ୍ଥିତିର ସମ୍ପୂର୍ଣ ତଥ୍ୟ ମଧ୍ୟ ଦେଇଥିଲେ।

ଏହାପରେ ନିଶାମଣିଙ୍କ ଘରୁ ଡକାୟତି କରିବା ଲାଗି ତପନ ଯୋଜନା କରିଥିଲେ ଏବଂ ଏଥିରେ ତାଙ୍କ ସାଙ୍ଗ ମନୋଜ ନାୟକ, ଜଗା ସେଠି ଓ ବସନ୍ତ ସେଠିଙ୍କୁ ସାମିଲ କରିଥିଲେ। ଏପରିକି ଡକାୟତିର ଏକ ମାସ ପୁର୍ବରୁ ଉକ୍ତ ଅଭିଯୁକ୍ତମାନେ ନିଶାମଣିଙ୍କ ଘରକୁ ଯାଇ ଲୁଟ ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଥିଲେ। ଅଭିଯୁକ୍ତମାନଙ୍କ ଚିନ୍ହଟ ହେବା ପରେ ଏସପି ସିଦ୍ଧାର୍ଥ କାଟାରିଆ ଙ୍କ ନିର୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଆଇଆଇସି ଲକ୍ଷ୍ମୀ ପ୍ରସାଦ ଶତପଥୀ ଓ ଅତିରିକ୍ତ ଆଇଆଇସି ଶମ୍ଭୁନାଥ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ଡକାୟତିରେ ସାମିଲ ଥିବା ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ସବିତା ସେଠି(୪୧), ତପନ ସେଠି(୩୨), ମନୋଜ ନାୟକ(୪୦),ବସନ୍ତ ପଟ୍ଟନାୟକ(୩୨), ଜଗା ସେଠି(୧୯), ଲିପ୍ସା ସେଠି(୨୬) ଏବଂ ଲୁଟ ସୁନା ଅଳଙ୍କାର କିଣିଥିବା ବଣିକ କେ. ସୂର୍ଯ୍ୟନାରାୟଣ ଆଚାରୀ(୫୧)। ସେମାନଙ୍କ ନିକଟରୁ ପୋଲିସ ଲୁଟ ହୋଇଥିବା ସୁନା ଓ ରୁପା ଅଳଙ୍କାର,ଲାପଟପ ଏବଂ ମୋବାଇଲ ଜବତ କରିଛି।

ସେହିପରି ଭାବେ ଲୁଟ ପାଇଁ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ମଟରସାଇକେଲ ଓ ସମସ୍ତଙ୍କ ମୋବାଇଲ ମଧ୍ୟ ପୋଲିସ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଏସଆଇ ଗାୟତ୍ରୀ ଗୋଛାୟତ, ଏଏସଆଇ ଗଜେନ୍ଦ୍ର ଜେନା, ଏଏସଆଇ ଭୁବନ ବେହେରା, ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।