Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି। କିନ୍ତୁ ଯେପର୍ଯ୍ୟନ୍ତ ଟୀକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନ ବାହାରିଛି ଏହି ମହାମାରୀ ବିରୁଦ୍ଧରେ ଫଳପ୍ରଦ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ବ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ କରିବା ଏବେ ନିତାନ୍ତ ଅପରିହାର୍ଯ୍ଯ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ। ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ  ଏହି ଅବସରରେ ନିବେଦନ କରିଥିଲେ। ଗହଳି ନ ଯିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନଲକ-୩ ପରେ ଦେଶର ହଟସ୍ପଟ ଅଞ୍ଚଳରୁ   ଆମର ଭାଇଭଉଣୀମାନେ ଘରକୁ ଫେରିଛନ୍ତି। ଆମର କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ, ନିଷ୍ଠା ଏବଂ ଗଞ୍ଜାମର ଜନସାଧାରଣଙ୍କର ସହଯୋଗ ଯୋଗୁ ଗଞ୍ଜାମ ଜିଲ୍ଲା ଏହି ମହାମାରୀ ବିରୁଦ୍ଧରେ ସଫଳତାର ସହ ଲଢେଇ ଜାରି ରଖିଛି। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଏବଂ ଗଞ୍ଜାମର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କରୋନା ମହାମାରୀ କବଳରୁ ଲୋକମାନଙ୍କ ଜୀବନରକ୍ଷା ନିମନ୍ତେ ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସାମାଜିକ ଦୂରତ୍ବ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଗୁରୁତ୍ବ ଦେଇଥିଲେ। ବ୍ରହ୍ମପୁରର ଏହି ଦୁଇଟି ହସ୍‌ପିଟାଲ ଜିଲ୍ଲାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ସହାୟକ ହେବ ବୋଲି ଜଂଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଶାପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରର ସାସଂଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ। ବ୍ରହ୍ମପୁର ମ୍ୟୁନିସ୍‌ପାଲ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ବ୍ରହ୍ମପୁରର କନିଷି ଠାରେ ଥିବା ଅମିତ୍‌ ହସ୍‌ପିଟାଲରେ କଟକର ଅଶ୍ବିନୀ ହସ୍‌ପିଟାଲ ପକ୍ଷରୁ ଏହି ୧୫୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍‌ପିଟାଲ ସ୍ଥାପନ କରାଯାଇଥିବାବେଳେ ଏଥିରେ ୨୪ଟି ଆଇସିୟୁ ବେଡ୍ ରହିଛି। ସେହିପରି ଏମକେସିଜି ହସ୍‌ପିଟାଲର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍‌ପିଟାଲ ଆରମ୍ଭ କରାଯାଇଛି । ଏଥିରେ ମଧ୍ୟ ୧୫୦ଟି ଶଯ୍ୟା ରହିଛି ଏବଂ ୨୪ଟି ଆଇସିୟୁ ବେଡ୍ ଅଛି। ପୂର୍ବରୁ ବ୍ରହ୍ମପୁରର ଶିତଳାପଲ୍ଲୀଠାରେ ଟାଟା କୋଭିଡ ହସ୍‌ପିଟାଲରେ ଚିକିତ୍ସା ଜାରି ରହିଛି।

Categories
ଆଞ୍ଚଳିକ

ମୋ ପରିବାର ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଂପ୍ରତି କରୋନା ମହାମାରୀ ଲାଗି ରାଜ୍ୟରେ ସୃଷ୍ଟି ହୋଇଥିବା ରକ୍ତ ଅଭାବ ଦୂର କରବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱେଚ୍ଚାକୃତ ରକ୍ତଦାନ ସକାଶେ ଆହ୍ୱାନ ଦେଇଛନ୍ତି। ବ୍ରହ୍ମପୁର ସରକାରୀ ରକ୍ତଭଣ୍ଡାରରେ ଗଚ୍ଛିତ ରକ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ଓଡ଼ିଶା ମୋ ପରିବାର ତରଫରୁ ଏମ୍‌କେସିଜି ମେଡ଼ିକାଲ୍ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଯେତେ ଦିନ ପର୍ଯ୍ୟନ୍ତ ରକ୍ତର ଅଭାବ ଦୂର ହେବ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। କୋଭିଡ଼ ନିର୍ଦ୍ଦେଶାବଳୀ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା କରି ପ୍ରତ୍ୟକ୍ଷ ଅନୁଷ୍ଠିତ ହେବାକୁ ଥିବା ଏହି ରକ୍ତଦାନ ଶିବିରକୁ ପ୍ରତ୍ୟେକ ଦିନ ଉତ୍ସାହୀ ଯୁବକମାନେ ଆସି ରକ୍ତଦାନ କରିବାକୁ ବିଧାୟକ ବିକ୍ରମ ପଣ୍ଡା ନିବେଦନ କରିଛନ୍ତି। ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Categories
ଆଞ୍ଚଳିକ

ଅବକାରୀ ଚଢ଼ାଉ: ୫ହଜାର ଲିଟିର ଦେଶୀ ମଦ ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଏକ ବଡ଼ଧରଣର ଅବକାରୀ ଚଢ଼ାଉ ହୋଇ ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ କମ୍ଭଝରୀ ଗ୍ରାମରେ ବ୍ୟାପକ ଦେଶୀ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ଏବଂ ତହସିଲ୍‌ଦାର ଖବର ପାଇଥିଲେ। ଉଭୟ ବିଭାଗର ବହୁ କର୍ମଚାରୀଙ୍କ ସହ ଅତିର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ପ୍ରାୟ ୫୦୦୦ ଲିଟର ଦେଶୀ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆହତ ଯୁବକଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍ଧାର କରି ମେଡ଼ିକାଲ୍ ନେବାରେ ସହାୟତା କରିଥିଲେ। ଆଜି ଜଣେ ଯୁବକ ବ୍ରହ୍ମପୁର ଆଡ଼ୁ ଆନ୍ଧ୍ରା ପଟକୁ ଯାଉଥିବାବେଳେ କନିଷି ଛକ ନିକଟରେ ଦୁର୍ଘଟଣାରେ ଶିକାର ହୋଇଥିଲେ। ସେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାବେଳେ ଜିଲ୍ଲାପାଳ ଉକ୍ତ ରାସ୍ତା ଦେଇ ଯାଉଥିଲେ। ସେ ଆହତ ଯୁବକଙ୍କୁ ଦେଖିବା କ୍ଷଣି ଗାଡ଼ିରୁ ଓହ୍ଲାଇ ତୁରନ୍ତ ମେଡ଼ିକାଲ୍ ପଠାଇବା ବ୍ୟବସ୍ଥା କରିଥିଲେ। ଆହତ ଯୁବକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଡ଼ାକ୍ତର ରୋଗୀଙ୍କୁ କଲେ ଅଛୁଆଁ: ଛଟପଟ ହୋଇ କାଜୁଆଲ୍‌ଟିରେ ରୋଗୀର ଜୀବନ ଗଲା

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁରରେ ଗତକାଲି ଆମ୍ବୁଲାନସ ରୋଗୀ ନନେବାରୁ ଜଣକ ମୃତ୍ୟୁ ଘଟଣା ମନରୁ ନ ଲିଭିଲା ବେଳେ ଆଜି ଡ଼ାକ୍ତରଙ୍କ ଅବହେଳାରୁ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଏକ ହୃଦୟ ବିଦାରକ ତଥା ମାନବିକତାହୀନ ଘଟଣା ଆଜି ଘଟିଯାଇଛି। ଏମ୍‌କେସିଜି ମେଡ଼ିକାଲ୍‌ରେ କାଜୁଆଲ୍‌ଟିରେ ଜନୈକ ବ୍ୟକ୍ତି ଚିକିତ୍ସା ସୁବିଧା ନ ପାଇ ଛଟପଟ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଦୁଃଖଦାୟକ ତଥା ମାନବିକହୀନ ଘଟଣା ଆଜି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯେତେ ମାଠିବୁ ମାଠ ନୀତିରେ ଚାଲିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା।

ଘଟଣାରୁ ପ୍ରକାଶ ଯେ ତିନିଦିନ ତଳେ ଆମ୍ବପୁଆ ନିକଟସ୍ଥ ପ୍ରମୋଦ ଚନ୍ଦ୍ର ବେହେରା (୫୦)ଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। କିନ୍ତୁ ତା’ ପୂର୍ବରୁ ସେ ମଧୁମେହ ରୋଗ ଏବଂ ଉଚ୍ଚରକ୍ତଚାପରେ ପୀଡ଼ିତ ଥିଲେ। କରୋନା ଭୟରେ ସେ ଗତକାଲି ସ୍ଥାନୀୟ ସିଟି ହସ୍‌ପିଟାଲ୍‌କୁ ଯାଇ କୋଭିଡ଼୍ ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ଆଜି ସକାଳେ ହଠାତ୍ ସେ ଗୁରୁତର ହୋଇପଡ଼ିଥିଲେ ଏବଂ ନାକରୁ ସାମାନ୍ୟ ରକ୍ତସ୍ରାବ ହୋଇଥିଲା। ଏହାଦେଖିବା ପରେ ସଂଗେ ସଂଗେ ତାଙ୍କ ସ୍ତ୍ରୀ, ତାଙ୍କ ଶଳା ବ୍ରହ୍ମପୁର ଏମ୍‌କେସିଜି କାଜୁଆଲ୍‌ଟିକୁ ନେଇ ଆସିଥିଲେ। ୧୧ଟା ବେଳେ ସେମାନେ ତାଙ୍କୁ କାଜୁଆଲଟିକୁ ଆଣିଥିବାବେଳେ ୪୦ରୁ ୪୫ମିନିଟ୍‌ ବିତିଯାଇଥିଲେ ବି ତାଙ୍କୁ କେହି ଡାକ୍ତର ଦେଖିବା ତ ଦୂରର କଥା କେହି ତାଙ୍କ ନିକଟକୁ ଆସିନଥିଲେ। ତେବେ ଗଣମାଧ୍ୟମର କିଛି ବ୍ୟକ୍ତି ଫୋନ କରିବା ପରେ ଡାକ୍ତର ପହଞ୍ଚି ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ହେଉଛି ବ୍ରହ୍ମପୁର ଏମ୍‌କେସିଜିର ସ୍ୱାସ୍ଥ୍ୟସେବା। ପ୍ରତ୍ୟେକ ଦିନ ଏହିଭଳି ଘଟଣା ଘଟିଯାଉଥିଲେ ମଧ୍ୟ ନା’ ଜିଲ୍ଲା ପ୍ରଶାସନ ନା’ ମେଡ଼ିକାଲ୍ କର୍ତ୍ତୃପକ୍ଷ ଗୁରୁତର ଭାବେ ନେଉଥିବା ଦୃଷ୍ଟିଗୋଚର ହୋଇପାରୁନାହିଁ। ଟଳି ପଡ଼ୁଛନ୍ତି ଗୋଟିଏ ପରେ ଗୋଟିଏ ନିରୀହ ପ୍ରାଣୀ। ସୂଚନାଥାଉକି ପ୍ରମୋଦ ଚନ୍ଦ୍ର ବେହେରା ଗଜପତି ଜିଲ୍ଲା ମୋହନା ସାଉଥ୍‌କୋ ଚନ୍ଦ୍ରଗିରି ଅଂଚଳର ଜଣେ ଲାଇନ୍ ମ୍ୟାନ। ଏହି ଖବର ପ୍ରସାରିତ ହେବା ପରେ ଚନ୍ଦ୍ରଗିରି ଅଂଚଳରେ ଶୋକର ଛାୟା ଖେଳିଯାଇଛି। କାରଣ ସେ ଜଣେ ନିହାତି ଭଦ୍ର ଏବଂ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଉକ୍ତ ଅଂଚଳରେ ତାଙ୍କର ସୁନାମ ଥିଲା।

ତେବେ ଜିଲ୍ଲାପାଳ ସ୍ୱାସ୍ଥ୍ୟସେବା ଠିକ୍ ଅଛି ବୋଲି ଯେଉଁ ଭିଡ଼ିଓ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରୁଛନ୍ତି ଏହି ଘଟଣା ପରେ ତାହା ହାସ୍ୟାସ୍ପଦ। ଜିଲ୍ଲାପାଳ ସ୍ୱାସ୍ଥ୍ୟସେବା ଠିକ୍ ଥିବା ନେଇ ଯେଉଁ ତଥ୍ୟ ଦେଉଛନ୍ତି ତାହା କେବଳ କାଗଜ କଲମରେ ସୀମିତମାତ୍ର। ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ କାଜୁଆଲ୍‌ଟି ଏବଂ ଆଇସୋଲେସନ୍ ୱାର୍ଡ଼ରେ ଦୈନିକ ୨୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ମୃତ୍ୟୁ ହେଉଛି। ସମସ୍ତ ମୃତ୍ୟୁ କରୋନା ଜନିତ କି ନୁହେଁ, ତାହାର ପ୍ରମାଣ ନାହିଁ। କରୋନା ଆକ୍ରାନ୍ତ ହୁଅନ୍ତୁ ଅଥବା ସାଧାରଣ ରୋଗୀ ଅନ୍ୟ କୌଣସି କାରଣରୁ ଗୁରୁତର ହୋଇ ମେଡ଼ିକାଲରେ ପହଞ୍ଚିଲେ ଡାକ୍ତରମାନେ ତାଙ୍କୁ ଅଛୁଆଁ କରୁଛନ୍ତି। ଡାକ୍ତରମାନଙ୍କର ଏପରି କାର୍ଯ୍ୟ କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଗଞ୍ଜାମ ଏମ୍‌କେସିଜିରେ ଚାଲିଥିବା ଏପ୍ରକାର ଅବ୍ୟବସ୍ଥା ବିଷୟରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

କରୋନା ସଚେତନତାକୁ ନେଇ ପିପୁଲ୍ସ ଫର୍ ଦି ପବ୍ଲିକ୍‌ର ସାଧାରଣ ବୈଠକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସାଧାରଣ ଜନତା ତଥା ଗରିବ, ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକଙ୍କ ସମସ୍ୟା ପାଇଁ ଲଢ଼ୁଥିବା ପିଫୁଲ୍ସ ଫର୍ ଦି ପବ୍ଲିକ୍ ସଂଗଠନର ଆଜି ଦ୍ୱିତୀୟ ସାଧାରଣ ବୈଠକ ବାବାଜି ତୋଟା ସାହି ସ୍ଥିତ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ସାମାଜିକ ଦୂରତା ରକ୍ଷା କରାଯାଇ ଅନୁଷ୍ଠିତ ହୋଇଥିଲା। ପୂର୍ବ ବୈଠକରେ ସହରରେ କରୋନା ସମସ୍ୟା ସଂପର୍କରେ ଆଲୋଚନା କରାଯାଇ ପ୍ରଶାସନକୁ ଏକ ତିନିସୂତ୍ରୀ ସମାଧାନ ପନ୍ଥା ନେଇ ମହାନଗର ନିଗମ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଏହି ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ବିଷୟରେ ଆଲୋଚନା ହେବା ସହ ସଦସ୍ୟମାନଙ୍କ ତରଫରୁ ଆଗତ ପ୍ରସ୍ତାବମାନ ଆଲୋଚନା ହୋଇଥିଲା। ପୂର୍ବ ବୈଠକ ତିନିସୂତ୍ରୀ ଦାବି ଯଥା ଦୋକାନୀମାନଙ୍କ କୋଭିଡ଼୍ ଟେଷ୍ଟ, ସଟ୍‌ଡ଼ାଉନ୍ ନ କରିବା, ଚାଷୀମାନଙ୍କ ଶସ୍ୟ ନଷ୍ଟ ନ କରିବା ବିଷୟରେ ଗଂଜାମ ଜିଲ୍ଲା ପ୍ରଶାସନ ଗୋଟିଏ ପ୍ରସ୍ତାବକୁ ଆଦୃତ କରିଥିବାବେଳେ ଅନ୍ୟ ଦୁଇଗୋଟି ବିଷୟ ଗ୍ରହଣ କରିଛନ୍ତି।

ଆଜିର ବୈଠକରେ ବିଭିନ୍ନ ନୂତନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା ହୋଇଥିଲା। ମେଡ଼ିକାଲ୍‌ରେ ଅକ୍ସିଜେନ୍ ଅଭାବରେ ରୋଗୀର ମୃତ୍ୟୁ, କୋଭିଡ଼୍ ରୋଗୀମାନଙ୍କୁ ପୋଜିଟିଭ୍ ଓ ନେଗେଟିଭ୍ ପ୍ରମାଣପତ୍ର ପ୍ରଦାନ କରିବା, ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଆମ ପୋଲିସ୍ ଅଭିଯାନକୁ ତ୍ୱରାନ୍ୱିତ କରିବା, ସହରାଞ୍ଚଳରେ ପଜିଟିଭ୍ ପରିବାର ରହୁଥିବା ଘର ଏବଂ ସାହିକୁ ବିଶୋଧନ, ଟେଷ୍ଟିଂ ଲ୍ୟାବ ବ୍ରହ୍ମପୁରରେ ସ୍ଥାପନ, ଘର ସଂଗରୋଧରେ ରହୁଥିବା ରୋଗୀ ଏବଂ ତା’ ପରିବାରକୁ ଔଷଧ ବଣ୍ଟନ ଏବଂ ପରାମର୍ଶ, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା, ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ୱାର୍ଡ଼ କମିଟିକୁ ତ୍ୱରାନ୍ୱିତ କରିବା, ସଂଗଠନ ଦ୍ୱାରା ଦ୍ୱାର ପ୍ରସ୍ତୁତ ସଚେତନ କାର୍ଯ୍ୟକ୍ରମ ଅନ୍ତର୍ଗତ ସହରର ବିଭିନ୍ନ ସ୍ଥାନରେ ବେନର ଲଗାଇବା ପାଇଁ ମହାନଗର ନିଗମ ଠାରୁ ଅନୁମତି, ସମାଜ ଭିତରେ ସମସ୍ତଙ୍କ ମାନସିକତାରେ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଏକ ଯୁବ ସଚେତନତା ଟିମ୍ ଗଠନ କରିବା ଓ ସେମାନଙ୍କୁ ଟ୍ରେନିଂ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବା ପ୍ରମୁଖ। ସଦସ୍ୟମାନଙ୍କ ଅନୁମତିରେ ଏହି ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଥିଲା।

ତଦନୁଯାୟୀ ଏହି ସଂଗଠନର ସଭାପତି ରୂପେ ଡ. ସୁବ୍ରତ କୁମାର ସାହୁ, ସଂପାଦକ ରୂପେ ସତୀଶ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରୂପେ ତ୍ରୀପତି ପ୍ରସାଦ ସାହୁ, ଉପସଭାପତି ରୂପେ ସନତ କୁମାର ପଣ୍ଡା ଓ ଗୌରାଙ୍ଗ ଚୌଧୁରୀ, ମିଡ଼ିଆ ସେଲ୍ ରୂପେ ବିଶ୍ୱନାଥ ମାରଣା, ୟୁଥ୍ ସେଲ୍ ପ୍ରଦୀପ କୁମାର ସାହୁ, ଡି. ସନ୍ତୋଷ କୁମାର ଦାସ, ପି. କୁନା ସେନାପତି ଓ ଲୁନା ପରିଡ଼ା ଏବଂ ଏଡ଼୍‌ଭାଇଜର ରୂପେ ଲୋକନାଥ ମିଶ୍ର ଓ ଇଂ. ଭାସ୍କର ବେହେରାଙ୍କୁ ଦାୟିତ୍ୱ ନିର୍ବାହ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ଅବସରରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ବ୍ୟବସାୟ

ମାଲ ପରିବହନ ବଢାଇବା ପାଇଁ ପୂର୍ବ ତଟ ରେଳପଥର ପଦକ୍ଷେପ, ବିଜନେସ ଡେଭଲପମେଣ୍ଟ ୟୁନିଟ ଗଠିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର, ରେଳ ପଣ୍ୟ ପରିବହନ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁବିଧା ଓ ପରିବହନ ବୃଦ୍ଧି ନିମନ୍ତେ ପୂର୍ବ ତଟ ରେଳପଥ ଦ୍ବାରା ବିଜନେସ ଡେଭଲପମେଣ୍ଟ ୟୁନିଟ (ବିଡିୟୁ) ଗଠନ କରାଯାଇଛି। ଜୋନାଲ ସ୍ତରରେ ମୁଖ୍ୟ ମାଲ ପରିବହନ ପ୍ରବନ୍ଧକଙ୍କ ସମନ୍ବୟରେ ଟ୍ରେନ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ ବରିଷ୍ଠ ପ୍ରାଶାସନିକ ଗ୍ରେଡ ସ୍ତରୀୟ ଅଧିକାରୀ କମିଟିରେ ରହିବେ। ମଣ୍ଡଳ ସ୍ତରରେ ବରିଷ୍ଠ ପରିଚାଳନା ପ୍ରବନ୍ଧକଙ୍କ ସମନ୍ବୟରେ ଟ୍ରେନ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ କନିଷ୍ଠ ପ୍ରାଶାସନିକ ସ୍ତରୀୟ ଅଧିକାରୀ ରହିବେ।

ଏହି ୟୁନିଟ ଗୁଡିକ ବାଣିଜ୍ୟ ଓ ଶିଳ୍ପ ସଂସ୍ଥାମାନଙ୍କ ସହିତ ଆଲୋଚନା କରି ସଡକ ପଥରେ ପରିବହନ ହେଉଥିବା ପଣ୍ୟକୁ ରେଳ ଦ୍ବାରା ପରିବହନ କରିବାକୁ ଆକୃଷ୍ଟ କରିବେ। ଏହି ବିଜନେସ ଡେଭଲପମେଣ୍ଟ ୟୁନିଟ (ବିଡିୟୁ) ଗୁଡିକ ଗ୍ରାହକ ଓ ଶିଳ୍ପ ସଂସ୍ଥାମାନଙ୍କ ସହିତ ବାରମ୍ବାର ଆଲୋଚନା କରିବେ। ଏହି ୟୁନିଟ ଭାରତୀୟ ରେଳପଥର ମାଲ ପରିବହନକୁ 2024 ସୁଦ୍ଧା ଦୁଇ ଗୁଣିତ କରିବା ଲକ୍ଷ ଉପରେ ଗୁରୁତ୍ବ ଦେବ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ମାର୍କେଟ୍‌ କମ୍ପ୍ଲେକ୍ସ ସିଲ୍‌

ବ୍ରହ୍ମପୁର : ବ୍ରହ୍ମପୁରର ବଡ଼ବଜାର ଗଣେଶ ମାର୍କେଟ କମ୍ପଲେକ୍ସ ସିଲ୍‌ କରାଯାଇଛି । ଲକ୍‌ଡାଉନ୍‌ରେ ଖୋଲା ରହିଥିବାର ପ୍ରଶାସନ ସିଲ୍‌ କରିଛି । ଜିଲ୍ଲାରେ ଗତକାଲିଠାରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ରହିଛି । ସେହିପରି ସକାଳ 7ଟାରୁ ଅପରାହ୍ନ 12ଘଟିକା ପର୍ଯ୍ୟନ୍ତ ଦୋକାନ ଖୋଲାଯାଇପାରିବ ବୋଲି ନିର୍ଦ୍ଦେଶ ରହିଛି । ଜିଲ୍ଲାରେ ବସ୍‌, ଅଟୋ ଆଦି ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁସଂଖ୍ୟା 6କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସର୍ଟ ସର୍କିଟ୍‌ରୁ ଲାଗିଗଲା ନିଆଁ : ବ୍ରହ୍ମପୁର କୋ-ଅପରେଟିଭ୍ ସୋସାଇଟି ବ୍ୟାଙ୍କର ସଭାପତିଙ୍କ ସମେତ ତିନି ମୃତ

ବ୍ରହ୍ମପୁର: ସର୍ଟ ସର୍କିଟ୍‌ରୁ ଘରେ ନିଆଁ ଲାଗି ୩ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ବ୍ରହ୍ମପୁର କୋ-ଅପରେଟିଭ୍ ସୋସାଇଟି ବ୍ୟାଙ୍କର ସଭାପତି ଅଲେଖ ଚୌଧୁରୀ, ତାଙ୍କର ଶଳା ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଅଛନ୍ତି। ଘର ଭିତରୁ ତିନିଜଣଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଥିବା ଅଲେଖଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଥିଲା। କୌଣସି କାରଣରୁ ସର୍ଟ ସର୍କିଟ୍‌ରୁ ଘରେ ନିଆଁ ଲାଗିଥିଲା । ତିନିଜଣ ଗୋଟିଏ ଘରେ ଶୋଇଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ନିଆଁ ଲାଗି ଯିବା ଫଳରେ ସମସ୍ତେ ଶ୍ୱାସରୁଦ୍ଧ ହୋଇଯାଇଥିଲେ ବୋଲି ଜଣାପଡ଼ିଛି।

Categories
ଫଟୋ ଖବର

ଛତ୍ରପୁର ଚିକିତ୍ସାଳୟକୁ ଆସୁଥିବା ଲୋକମାନଙ୍କ ପାଇଁ ଲାଗିଲା ହ୍ୟୁମାନ୍ ସାନିଟାଇଜେସନ ମେସିନ୍

ବ୍ରହ୍ମପୁର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଚିକିତ୍ସାଳୟ ପରିସରରେ Human Sanitization Machine ଅବସ୍ଥାପିତ କରାଯାଇଅଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲାପାଳ ଓ ରୋଟାରି କ୍ଲବ ସଦସ୍ୟ ମାନେ ଉପସ୍ଥିତରେ ହେଲା ଉଦଘାଟିତ। ଏହି ମେସିନ ଦେଇ ଗଲେ ଆପଣଙ୍କ ସାରା ଦେହ ହେବ ସଂକ୍ରାମଣ ମୁକ୍ତ

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବ୍ରହ୍ମପୁରରୁ ୪ ହଜାର ଲିଟର ଦେଶୀମଦ ଜବତ: ମଦଭାଟି ମାଲିକଙ୍କ ସମେତ ୧୪ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍‌କୁ ମିଳିଛି ବଡ ସଫଳତା। ବୁଧବାର ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇ ୪ ହଜାର ଲିଟର ଦେଶୀ ମଦ ଜବତ କରିବା ସହିତ ୧୪ ଜଣଙ୍କୁ ଗିରଫ କରିଛି। ବୈଦ୍ୟନାଥପୁରର ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ୍‌ ମଙ୍ଗଳବାର ରାତିରେ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟସ୍ଥ ଜଳେଶ୍ବରପୁରର ଏକ ଇଟା କାରଖାନା ଉପରେ ଚଢାଉ କରିଥିଲେ। ଏହି ଚଢାଉରେ ପୋଲିସ୍‌ ୪୭୪୦ ଲିଟର ଦେଶୀମଦ ଜବତ କରିଛି। ୨୦ ଲିଟର ବିଶିଷ୍ଟ ପ୍ଲାଷ୍ଟିକ୍‌ ଜାରକିନ୍‌ରେ ଏହି ଦେଶୀ ମଦ ରଖାଯାଇଥିଲା। ସେହିପରି ୨୩୮୦୦ ଲିଟର ପଲିଥିନ୍‌ ମଦ ଏବଂ ୧୨୨୯୦ ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି। ଏହା ସହିତ ଦୁଇଟି ପ୍ୟାକେଜିଂ ମେସିନ୍‌ ମଧ୍ୟ ଜବତ କରାଯାଇଛି। ପୋଲିସ୍‌ ପକ୍ଷରୁ ଅବକାରୀ ବିଭାଗ ଅଧିନିୟମ ଅନୁଯାୟୀ କେସ୍‌ ନମ୍ବର ୧୦୯/୨୦୨୦ରେ ମାମଲା ରୁଜୁ କରାଯିବା ସହିତ ଦେଶୀ ମଦ ଭାଟି ମାଲିକ ଭାସ୍କର ସାହୁଙ୍କ ସମେତ ୧୪ ଜଣଙ୍କୁ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ସିଟି ସାନିଟେସନ ଫୋରମ୍ ଧର୍ମକୁ ଆଖିଠାର: ପରିମଳ ଚିତ୍ର ନ ଦେଖିବା ଭଲ..!

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର୍‌: ବ୍ରହ୍ମପୁରକୁ ସ୍ୱଚ୍ଛ ପରିମଳ ଓ ପ୍ରଦୂଷଣ ମୁକ୍ତ ପରିବେଶ କରିବାର କେତେ କେତେ ସ୍ୱପ୍ନ ଓ ସଂକଳ୍ପ ଫିକା ପଡ଼ିଯିବା ପରେ ଚକ୍ରବର୍ତ୍ତୀ ସିଂ ରାଠୋର ମହାନଗର କମିଶନର ସାହେବ ସାନିଟେସନ ଫୋରମ୍ ଗଠନ କରି ନିଜ ଦାୟିତ୍ୱ ଅନ୍ୟମାନଙ୍କ କାନ୍ଧରେ ଲଦିଦେଇ କର୍ତ୍ତବ୍ୟପରାୟଣତାର ଏକ ବାହାଦୁରୀ ନେବାର ଯେଉଁ ପ୍ରୟାସ କରିଛନ୍ତି ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ବ୍ରହ୍ମପୁର ସିଟି ସାନିଟେସନ ଫୋରମ୍ ଇଂରାଜୀରେ ଶୁଣିବାକୁ ଯେତିକି ଭଲ ଲାଗୁଛି ଆବର୍ଜନା ସଫା କରିବା ନାମରେ ଦଳେ ବିଚାରବନ୍ତ ମଣିଷଙ୍କୁ ଗୋଟାଗୋଟି କରି ପ୍ରତିମାସରେ ଦୁଇଟି ବୈଠକ ହେଉଛି କିନ୍ତୁ ଗାଁ ପରିମଳ ଧୋବା ତୁଠରୁ ନ୍ୟାୟରେ ପ୍ରତି ସ୍ଥାନ, ପ୍ରତି ବଜାର ଓ ବସ୍‌ଷ୍ଟାଣ୍ଡରେ ପରିମଳର ନଗ୍ନ ରୂପ ଦେଖିବାକୁ ମିଳୁଛି।

ଆଜିକାଲି ଗଣ ଓ ଗଣମାଧ୍ୟମରେ ବିଶେଷ ଭାବରେ ସହର ବିକାଶ ଚିନ୍ତାକରି ଅପର୍ଯ୍ୟାପ୍ତ ଆନନ୍ଦ ପାଉଥିବା ମାତ୍ର ହାତଗଣତି ମଣିଷଙ୍କ ମଧ୍ୟରୁ ସଂକଳ୍ପ ଅଧ୍ୟକ୍ଷ ଇ. ତେଜେଶ୍ୱର ରାଓ, ଆର୍ଯ୍ୟଭଟ୍ଟର ମୁଖ୍ୟ ତଥା ‘ଫୋରମ୍ ଫର ଗଂଜାମ’ର ଆବାହକ ସୁଧୀର ରାଉତ, ଶିକ୍ଷକମାନଙ୍କ ନେତା ଶ୍ୟାମସୁନ୍ଦର ଖାଡ଼ଙ୍ଗାଙ୍କଠାରୁ ନେଇ ପରିବେଶପ୍ରେମୀ ମାନଓ କୁମାର ପାତ୍ର, ମହିଳା ସମାଜସେବୀ ସବିତା ସାହୁକାର, ସ୍ୱରାଜ ସୁବୁଦ୍ଧି ପରି କିଛି ଲୋକଙ୍କ ହାତରେ ସାନିଟେସନ ଫୋରମ୍‌ର ଭାଗ୍ୟ ସହ ସହର ପରିମଳର ଭାଗ୍ୟ ଭିତରେ ଅନେକ ବ୍ୟବଧାନ। କାରଣ ଏଇ ସୀମିତ ସଂଖ୍ୟକ ମଣିଷମାନେ ଆଜିକାଲି ବେଶ୍ ତତ୍ପରତା ପ୍ରକାଶ କରି ଅନେକ ମୂଲ୍ୟବାନ କାର୍ଯ୍ୟ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଯଦି ଏଇମାନେ କେତେ ଦିନ କେତେ ଲୋକଙ୍କୁ ସାନିଟେସନ୍‌ର ବାର୍ତ୍ତା ଦେବେ।

ପ୍ରଥମତଃ ଭାଷାକୁ ମାରିଦେଇ ଇଂରାଜୀରେ ବ୍ରହ୍ମପୁର ସାନିଟେସନ ଫୋରମ୍‌ର ପରିକଳ୍ପନା ବିଚାର କରିଲା କିଏ? ଏହା ଏକ ପ୍ରାଥମିକ ପ୍ରଶ୍ନ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଅନେକ ଆନ୍ଦୋଳନ ଚାଲିଛି ଏପରିକି ବ୍ରହ୍ମପୁର ସହରରେ ମଧ୍ୟ ଏକ ଆନ୍ଦୋଳନ ଭାଷା ସୁରକ୍ଷା ପାଇଁ ମୁଣ୍ଡ ଟେକିଥିଲା। ସୁତରାଂ ବ୍ରହ୍ମପୁର ସ୍ୱଚ୍ଛ ପରିମଳ ସଂଗଠନ ଟିଏ ଗଠିତ ହୋଇଥିଲେ ଶ୍ରୁତିମଧୁର ହୋଇଥାନ୍ତା। ଆଜିକାଲି ଫୋରମ୍ ନାମର ଚାହିଦାବେଶୀ। ଫୋରମ୍ କରି ନିଜ ସ୍ୱାର୍ଥ ଓ ନିଜର ପ୍ରଶସ୍ତିଗାନ କରୁଥିବା ଲୋକଙ୍କୁ ଏକଜୁଟ କରି ସାହିତ୍ୟ, ସଂସ୍କୃତି, କଳା, ପରିବେଶ, ସମାଜସେବାର ଅନେକ ନେତା ତିଆରି ହୁଅନ୍ତି କିନ୍ତୁ ଏମାନଙ୍କ ମହତ୍ତ୍ୱ ଆକାଂକ୍ଷା ବିଚାର ଶେଷରେ ବନ୍ଧା ପଡ଼ିଯାଏ ମାନପତ୍ର, ଉପଢ଼ୌକନ ଓ ଫୁଲତୋଡ଼ାରେ। ବୋଧହୁଏ ବ୍ରହ୍ମପୁର ସାନିଟେସନ ଫୋରମ୍‌ର ଧର୍ମ ପାଳନ କରୁଥିବା କିଛି ମଣିଷ ମନରେ ଏପରି ମିଠା ସ୍ୱପ୍ନ ଯେ ନଥିବ କିଏବା କହିବ?

ବ୍ରହ୍ମପୁର ସାନିଟେସନ ଫୋରମ୍‌ର ମିଠା ଚାଖିବାକୁ ଯାଇ ଆମେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରୁଛୁ। ଏଇ ଫୋରମ୍ କେବଳ ଏକ ପ୍ରହେଳିକା। କବିଙ୍କ ଭାଷାରେ ତୃଷାର୍ତ୍ତ ଶ୍ରାବଣ ବା ଅମାବାସ୍ୟାର ଚନ୍ଦ୍ର। ବ୍ରହ୍ମପୁରକୁ ଆବର୍ଜନା କୁଣ୍ଡରେ ଥୋଇ ଦଳେ ପଦାଧିକାରୀ ନିଜ ଉତ୍ତର ଦାୟିତ୍ୱରୁ ଖସିଯାଇ ତଥାକଥିତ ଆତ୍ମଡ଼ିଣ୍ଡିମ ପ୍ରଚାର ପ୍ରସାରରେ ସହର ବିକାଶଧାରାରେ ନାମ ଯୋଡ଼ିଥିବା ମଣିଷଙ୍କୁ ଡ଼କାଇ ତାଙ୍କ କାନ୍ଧରେ ବନ୍ଧୁକ ଥୋଇ ଗୁଲଗୁଲା ଖାଇବାରେ ମହାନଗର କମିଶନର ସିଦ୍ଧହସ୍ତ।

ବ୍ରହ୍ମପୁର ଆଜି ହତଶ୍ରୀ। ରାସ୍ତାଘାଟ ଓ ଡ଼୍ରେନର ବ୍ୟବସ୍ଥା ଶହେ ପ୍ରତିଶତ ଦାରୁଣ ରୂପର ସ୍ୱାକ୍ଷର ବହନ କରୁଥିବାବେଳେ ହଜାର ହଜାର ପାଇଖାନା ରୂପ ନେଉଥିବା ମୁକ୍ତ ଡ଼୍ରେନ୍ ଗୁଡ଼ିକରେ ସକାଳୁ ସକାଳୁ ମହମହ ହୋଇ ମଳ ଦୁର୍ଗନ୍ଧ ବାସୁଥିବା ବେଳେ ମଳାସୁରକୁ ମହାନଗର ମନେ ପକାଇ ଅରଣ୍ୟ ରୋଦନ କାହିଁକି? ହେଲ୍‌ପଲାଇନ୍ ସ୍ୱଚ୍ଛ ଆପ୍ ମାଧ୍ୟମରେ କିଏ ଜଣାଇବ କାହାକୁ, ଶୁଣିବ କିଏ? ବ୍ରହ୍ମପୁର ସହର ପରିମଳ ଓ ପର୍ଯ୍ୟାବରଣ ସାନିଟେସନ ଫୋରମ ଯଦି ସୁଧାରିଦେବ କରୋନାର ଆତ୍କ ମଣିଷ ମନରୁ ଲିଭିଯିବ। କିଛି ଅବସରବାଦୀ ମଣିଷଙ୍କ ପାଇଁ ଫୋରମ୍ ଗଠନ କରିବା ମଧ୍ୟ ଏକ ନିତିଦିନିଆ ଘଟଣା।

ମିଡ଼ିଆରେ ଚିତ୍ର ଛପାଇ ନାମ ଦେଖାଇ କୌଣସି ସମ୍ମାନ ଓ ସମ୍ବର୍ଦ୍ଧନାର ସ୍ୱପ୍ନିଳ ଦୁନିଆରେ ମସଗୁଲ ଚିତ୍ର ଦେଖୁଥିବା ଚରିତ୍ରଙ୍କୁ ତିଆରି କରିବାରେ ଯଦିଚ ଗଣମାଧ୍ୟମର ଶ୍ରେୟ ଯିବ ତଥାପି ଗଣମାଧ୍ୟମର ଅନୁସନ୍ଧାନ ମୂଳକ ରିପୋର୍ଟ ଟିଏ ଫୁଟି ଉଠିଲେ ଏପରି ଫୋରମ୍ ଗୁଡ଼ିକର ବାସ୍ତବତା କେତେ ସହରବାସୀ ଅନୁଭବ କରନ୍ତେ। ଏଇ ସହର କେବଳ ବୁଢ଼ୀ ଠାକୁରାଣୀ ଭରସାରେ ଚାଲିଚି। ଏକ ପ୍ରକାର ଅଭିଭାବକ ଶୂନ୍ୟ ସହର ବ୍ରହ୍ମପୁରରେ ବ୍ରହ୍ମପୁର ସ୍ୱାସ୍ଥ୍ୟ, ପରିମଳ, ପରିବେଶ, ରାସ୍ତାଘାଟ ଶ୍ରୀହୀନ। ସେପଟେ ଫୋରମ୍‌ଗୁଡ଼ିକ ବକ୍ଷ ବିସ୍ତାର କରି ବିକାଶ ଚିତ୍ର ଭିତରେ ଦେଖୁଛନ୍ତି ଦିବା ସ୍ୱପ୍ନ ଏକ ବିଡ଼ମ୍ବନା।

ବ୍ରହ୍ମପୁର ସାନିଟେସନ ଫୋରମ୍ ଗଠନ ପାଇଁ ଆହୁତ ହୋଇଥିଲା ବୈଠକ। ଯୋଗଦେଇଥିଲେ ସ୍ୱେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ, ସମାଜସେବୀ ଓ ଗଣମାଧ୍ୟମ। ଲକ୍ଷ୍ୟଥିଲା ପରିମଳ ମୁକ୍ତ ସ୍ୱଚ୍ଛ ସହର ବ୍ରହ୍ମପୁର। ତା’ପର ଦିନ ସୁଧୀର ରାଉତଙ୍କ କାନ୍ଧରେ ବ୍ରହ୍ମପୁର ସାନିଟେସନ ଫୋରମ୍ ରଖିଦେଇ ନୂଆ ନୂଆ ସଦସ୍ୟଙ୍କୁ ନେଇ ମାସିକ ଓ ପାକ୍ଷିକ ବୈଠକ ପାଇଁ ନୀତି ମଧ୍ୟ ନିର୍ଦ୍ଧାରଣ କରାଗଲା। ଗୋଟିଏ ବୈଠକରେ ସଦସ୍ୟଙ୍କ ଉପସ୍ଥିତିରେ ଆବାହକଙ୍କ ଅଧ୍ୟକ୍ଷତାରେ ଓ ଅନ୍ୟ ବୈଠକ ସରକାରୀ ବାବୁଙ୍କ ଅଧ୍ୟକ୍ଷତାରେ କିନ୍ତୁ ଯେତିକି ପୁରୁଣା ହେଲା ୩ ମାସ ଭିତରେ ବ୍ରହ୍ମପୁର ସାନିଟେସନ ଫୋରମ୍‌ର ପ୍ରକୃତ ତଥ୍ୟ ପଦାକୁ ଆସିଲା। ଏଇ ଫୋରମ୍ ଆଜି ମୋବାଇଲ୍ ଯନ୍ତ୍ର ନିୟନ୍ତ୍ରଣରେ ପରି ମନେହୁଏ। ସୁଧୀର ରାଉତ, ଇଟି ରାଓଙ୍କ ମାର୍ଗଦର୍ଶନରେ ସ୍ୱଚ୍ଛ ଆପ୍ ସାହାରା କରି ସ୍ୱଚ୍ଛ ବ୍ରହ୍ମପୁରର ପରିକଳ୍ପନା କିନ୍ତୁ ଏହାର ବାସ୍ତବ ଚିତ୍ର ଭିନ୍ନ ଧରଣର। ସଦସ୍ୟମାନେ ଏକ ପ୍ରକାର ନିଜେ ସଚେତନ ରହି ଅନ୍ୟକୁ ସଚେତନତାର ବାର୍ତ୍ତା ଦେବାକୁ ସ୍ୱଚ୍ଛ ଆପ୍ ସ୍ୱର ସହ ସ୍ୱର ମିଶାଇବାକୁ ସଦସ୍ୟଙ୍କୁ ଆହ୍ୱାନ ଦେଲେ କିନ୍ତୁ ଏଇ ସ୍ୱଚ୍ଛ ଆପ୍ ଯେ ବ୍ରହ୍ମପୁର ପରିମଳକୁ ସୁଧାରି ଏକ ସ୍ୱଚ୍ଛ ପର୍ଯ୍ୟାବରଣର ଭବ୍ୟ ସୁନ୍ଦର ସହର ଭେଟିଦେବ ଏହା ସଂପୂର୍ଣ୍ଣ ଭୁଲ ପ୍ରମାଣିତ।

ସହରରେ ସକାଳୁ ସକାଳୁ ଗାଡ଼ି ବୁଲୁଛି। କୁଢ଼ କୁଢ଼ ଅଳିଆ ଆବର୍ଜନାର କୁଣ୍ଡଧରି। ସେପଟେ ବିଚ ରାସ୍ତା ମଝିରେ ମାଛ ମାଂସର ବଜାର ମେଲାଇ ପୁତି ଗନ୍ଧମୟ ପରିବେଶରେ ଲୋକଙ୍କୁ ଅତିଷ୍ଠ କରିବାକୁ ବାଧ୍ୟ କରାଯାଉଛି। ବ୍ରହ୍ମପୁର ସହରରେ ମାଛ ମାଂସ ବଜାର ରାଜପଥରେ କୁଢ଼ କୁଢ଼। ଏହା ସହ ମଦ ଦୋକାନ ଆଗରେ ମଦୁଆଙ୍କ ଭିଡ଼ ଦୌରାତ୍ମ୍ୟ। ଏଇ ନିକଟରେ ଜିଲ୍ଲାପାଳ ଦୁଇତିନୋଟି ମଦ ଦୋକାନକୁ ଦଣ୍ଡିତ କରିଛନ୍ତି। ଏଇ ସହରର ପ୍ରକୃତ ରୂପଆଗରେ ବ୍ରହ୍ମପୁର ସାନିଟେସନର ବିଚାର ସ୍ୱଚ୍ଛତାର ଅମଳିନ ବାର୍ତ୍ତା ଦେବ କିପରି ବୋଲି ବୁଦ୍ଧିଜୀବୀଙ୍କ ମନରେ ପ୍ରଶ୍ନ।

ସହରସାରା ସ୍ୱଚ୍ଛତାର ବାର୍ତ୍ତା ଦେବାକୁ କିଏ କେଉଁ ରୂପରେ ପ୍ରୟାସ କରୁଛନ୍ତି ଅନ୍ୟପଟରେ ସହରବାସୀ ସଂପୂର୍ଣ୍ଣ ଗାଁଟିଏ କରିଦେବା ପରି ନିଜ ନିଜ ଦୁଆର ମୁହଁକୁ ଆବର୍ଜନା କୁଣ୍ଡରେ ପରିଣତ କରି ଚାଲିଛନ୍ତି। ପଲିଥିନ ଯେପରି ଚାଦର ଉପରେ ସହର। ଏବେବି ପଲିଥିନ ଓ ଜରି କାଗଜରେ ଡ଼୍ରେନ୍ ଗୁଡ଼ିକ ରୁଦ୍ଧି ହୋଇ ରହିଛନ୍ତି। ସାମାନ୍ୟ ବର୍ଷାରେ ଏଇ ଭିତରୁ ଯେଉଁ ଦୁର୍ଗନ୍ଧ ବାହାରୁଛି ଏଇ ସ୍ଥାନରୁ ଆଉ ଏକ କରୋନା ପରି ରାକ୍ଷସ ଜନ୍ମ ଏ ସହରରେ ନନେବ କିଏ ବା କହିବ?

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପ୍ରଶାସନର ଖାମଖିଆଲୀ ନୀତି ଯୋଗୁଁ ଟ୍ରାଫିକ୍‌ ସମସ୍ୟାରେ ଅଣନିଃଶ୍ବାସୀ ବ୍ରହ୍ମପୁରବାସୀ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ହଳଦିଆପଦର ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୩ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ଗତ ଫେବୃୟାରୀ ୨, ୨୦୧୬ରୁ ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ପ୍ରାୟ ୪ ବର୍ଷ ବିତିଗଲାଣି। ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପ୍ରସଂଗ ବର୍ତ୍ତମାନ ଶୀତଳ ଭଣ୍ଡାରରେ ପଡ଼ି ରହିଛି। ବ୍ରହ୍ମପୁର ସହରର ଟ୍ରାଫିକ୍ ବ୍ୟବସ୍ଥା ଦିନକୁ ଦିନ ଭୁଷୁଡ଼ିବାବେଳେ ବୁଢ଼ିଆଣୀ ଜାଲ ସଦୃଶ୍ୟ ସହର ବର୍ତ୍ତମାନ। ଦିନକୁ ଦିନ ବ୍ରହ୍ମପୁର ଟ୍ରାଫିକ୍ ସମସ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରିତର ବିବାଦର ସମାଧାନ ହୋଇପାରୁନାହିଁ। ପ୍ରଶାସନ ଆଜିକୁ ଦୀର୍ଘ ତିନିବର୍ଷ ହେଲା ଘରୋଇ ବସ୍ ମାଲିକ ସଂଘ ପାଖରେ ମୁଣ୍ଡ ନୁଆଁଉଛି କହିଲେ କିଛି ଭୁଲ୍ ହେବ ନାହିଁ

ବ୍ରହ୍ମପୁର ଟ୍ରାଫିକ୍ ସମସ୍ୟାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ହଳଦିଆପଦରଠାରେ ଏକ ନୂତନ ବସ୍ ଟର୍ମିନାଲ୍ ନିର୍ମାଣ କରିଥିଲେ। ଇତିମଧ୍ୟରେ ଉଦ୍‌ଘାଟନ ହୋଇ ପ୍ରାୟ ୪ ବର୍ଷ ହୋଇଗଲାଣି। କିନ୍ତୁ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରଣ ହେବାର ନାଁ ଧରୁନି । ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ ଘରୋଇ ବସ୍ ସଂଘ ତାଙ୍କ ଜିଦ୍‌ରେ ଅଟଳ। ବିଭିନ୍ନ ବାହାନା ଏଭଳିକି ହାଇକୋର୍ଟରୁ ରହିତାଦେଶ ଆଣି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରିତ ହେବାକୁ ଦେଉନାହାନ୍ତି । ଏହିପଟେ ଏତେମାତ୍ରାରେ ବସ୍ ବୃଦ୍ଧି ପାଇଲାଣି ଯେ, ସହରବାସୀ ଟ୍ରାଫିକ୍‌ରେ ଅଣନିଶ୍ୱାସୀ ହୋଇଗଲେଣି। ଦିନକୁ ଦିନ ଦୁର୍ଘଟଣା ମଧ୍ୟ ଘଟୁଛି। ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗତ କିଛି ଦିନ ତଳେ ବିଡ଼ିଏ ଏବଂ ବ୍ରହ୍ମପୁର ମ୍ୟୁନିସିପାଲ୍‌ଟି କର୍ପୋରେସନ ମିଳିତ ସହଯୋଗରେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏହି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରିତ ପାଇଁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହାର ସୁଫଳ ମଧ୍ୟ ମିଳିଲା ନାହିଁ ।

ବ୍ରହ୍ମପୁର ଜନସାଧାରଣ ଭାବିଥିଲେ ଏଥର ନିଶ୍ଚିନ୍ତ ଭାବେ ବସ୍‌ଷ୍ଟାଣ୍ଡଟି ସ୍ଥାନାନ୍ତରିତ ହେଲେ ହୁଏତ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ କିନ୍ତୁ ପ୍ରଶାସନର ଖାମଖିଆଲି ମନୋବୃତ୍ତି ଯୋଗୁଁ ଟ୍ରାଫିକ୍ ସମସ୍ୟାକୁ ଦ୍ୱିଗୁଣିତ କରିଦେଲା। ସୂଚନାଥାଉକି ବିଡ଼ିଏ କାମର ବାହାନା ଦେଖାଇ ପୁରାତନ ବସ୍‌ଷ୍ଟାଣ୍ଡକୁ ବିଭିନ୍ନ ଜାଗାରେ ଖୋଳି ବସ୍ ଉକ୍ତ ଜାଗାକୁ ଯିବାକୁ ଦେଇନଥିଲା । ଯାହାଫଳରେ ଗାତ ଖୋଳା ହେବା ଯୋଗୁଁ ବସ୍‌ଗୁଡ଼ିକ ବସ୍‌ଷ୍ଟାଣ୍ଡ ଭିତରେ ପଶି ପାରୁନଥିଲେ। କିନ୍ତୁ ପ୍ରଶାସନକୁ ଚାଲେଞ୍ଜ କରି ସହରର ବିଭିନ୍ନ ନୋ ପାର୍କିଂ ଜାଗାରେ ବସ୍‌ଗୁଡ଼ିକ ଛିଡ଼ା କରାଇଲେ। ଏଥିପ୍ରତି ନା ପୋଲିସ୍ ପ୍ରଶାସନ ନା ଜିଲ୍ଲା ପ୍ରଶାସନ ସବୁ ଦେଖି ନ ଦେଖିଲା ପରି ରହିଲା। ଦୁଇତିନି ଦିନ ବ୍ୟବଧାନରେ ବସ୍ ମାଲିକ ସଂଘ ଏବଂ ପ୍ରଶାସନ ଭିତରେ କି ସମ୍‌ଝୋତା ହେଲା ପୁଣିଥରେ ବସ୍‌ଗୁଡ଼ିକ ବସ୍‌ଷ୍ଟାଣ୍ଡ ଭିତରେ ପ୍ରବେଶ କଲା । କିନ୍ତୁ ପୂର୍ବରୁ ଗୋଟିଏ ପଟେ ବସ୍ ଭିତରେ ପଶି ଅନ୍ୟପଟେ ବାହାରୁଥିଲା।

ଟ୍ରାଫିକ୍ ଜାମ୍ ହେଲେ ବି କିଛି ଟା ସୁବିଧା ଥିଲା। କିନ୍ତୁ ପ୍ରଶାସନ ଗୋଟିଏ ପଟେ ଖୋଳା ହୋଇଥିବା ଜାଗାକୁ ପ୍ୟାକିଂ କରି ବସ୍‌କୁ ଯିବାକୁ ଦେଲା । କିନ୍ତୁ ଅନ୍ୟପଟେ ଯେମିତି ଖୋଳା ହୋଇଥିଲା ସେହିଭଳି ଆଜି ବି ପଡ଼ି ରହିଛି। ନା’ ବିଡ଼ିଏ ସେଠାରେ କୌଣସି କାର୍ଯ୍ୟ କରୁଛି, ନା ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିବା ପାଇଁ ପଦକ୍ଷେପ ନେଉଛି। ଗୋଟିଏ ପଟେ ବସ୍ ପଶିବା ଏବଂ ସେହିପଟେ ହିଁ ପୁଣିଥରେ ବାହାରିବା ବହୁ ଅସୁବିଧା ହେଉଥିଲେ ସୁଦ୍ଧା ଘରୋଇ ବସ୍ ଏବଂ ସରକାରୀ ବସ୍ ତାଙ୍କ ଜିଦ୍‌ରେ ଅଟଳ ଥିଲାପରି ଅଡ଼ି ବସିଛନ୍ତି। ଯାହାଫଳରେ କମାପଲ୍ଲୀ ଛକଠାରୁ ଗେଟ୍ ବଜାର ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ଏତେ ମାତ୍ରାରେ ବଢ଼ିଯାଇଛି ଉକ୍ତ ରାସ୍ତାରେ ସହରବାସୀ ଅଣନିଶ୍ୱାସୀ ହୋଇପଡ଼ନ୍ତି।

ଯଦି ଜିଲ୍ଲା ପ୍ରଶାସନ ଉକ୍ତ ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିପାରୁନାହିଁ ତେବେ ରାସ୍ତାଟାକୁ ଖୋଳି ଟ୍ରାଫିକ୍ ଜାମ କରିବାର କି ଅଧିକାର ଅଛି। ଯେପରି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ଠିକ୍ ସେହିଭଳି ଯଦି ବ୍ରହ୍ମପୁର ସହରରେ କୌଣସି  ଘର ଆଗରେ ଖୋଳାଯାଇଥାଏ ତେବେ ବିଏମ୍‌ସି ଘର ମାଲିକକୁ ଜୋରିମାନା ପକାଇଥାଏ। ରାସ୍ତା ଅବରୋଧ କଲେ ଜୋରିମାନା, ବେଆଇନ ପାର୍କିଂ କଲେ ଜୋରିମାନା, କିନ୍ତୁ ଏ ବ୍ୟବସ୍ଥାକୁ ବିଡ଼ିଏ କିମ୍ବା ବିଏମ୍‌ସିକୁ ଜୋରିମାନା ପକାଇବ କିଏ ବୋଲି ସହରର ବୁଦ୍ଧିଜୀବୀ ଏବଂ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ବିଡ଼ିଏର ଏହି ପଦକ୍ଷେପକୁ ସହରବାସୀ ନିନ୍ଦା କରିବା ସହ ତୁରନ୍ତ ଏହି ଖୋଳାଯାଇଥିବା ରାସ୍ତାକୁ ପୁଣିଥରେ ଚାଲୁ କଲେ ହୁଏତ ଟ୍ରାଫିକ୍ ସମସ୍ୟାର କିଛି ମାତ୍ରାରେ ସମାଧାନ ହୋଇପାରିବ ବୋଲି ସହରବାସୀ ଆଶା ରଖିଛନ୍ତି। ଗୋଟିଏ ପଟେ ବ୍ରହ୍ମପୁର ସହର ଘରୋଇ ବସ୍ ଏବଂ କଲେଜ ବସ୍‌ଗୁଡ଼ିକ ବେଆଇନ ପାର୍କିଂ କରି ରାସ୍ତାଜାମ୍ କରୁôଥିବା ଦେଖିବାକୁ ମିଳୁଛି । ଯଦି ଜିଲ୍ଲା ପ୍ରଶାସନ ବେଆଇନ ପାର୍କିଂ ଏବଂ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରିତକୁ ନେଇ ସାମୁହିକ ପଦକ୍ଷେପ ନେଇପାରିଥାନ୍ତା ତେବେ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଲୋକେ କୁହନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ: ବିଭିନ୍ନ ନର୍ସିଂ ହୋମ୍‌ ଉପରେ କଲା ଚଢାଉ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଏମ୍‌କେସିଜି ପଛ ଭାଗରେ ଥିବା ଅଳିଆ ଗଦାରେ ଏକ ଭୃଣ ପଡ଼ିଥିବାର ଦେଖିବାକୁ ମିଳିଥିଲା, ଯାହାକୁ ନେଇ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ତେବେ ଏହାକୁ ନେଇ ଏବେ ପ୍ରଶାସନ ଚେତିଥିବାବେଳେ ବିଭିନ୍ନ ନର୍ସିଂ ହୋମ ଚଢାଉ କରାଯାଇଛି। ସୂଚନାଯୋଗ୍ୟ, ସମୀକ୍ଷା ନ୍ୟୁଜ୍‌ରେ ପ୍ରକାଶିତ ଏନେଇ ଏକ ଖବର ପ୍ରସାରଣ ପରେ ପ୍ରଶାସନ ଏହା ସମ୍ପର୍କରେ ଏବେ ଦୃଢ ପଦକ୍ଷେପ ନେଇଛି। ଦୁଇଦିନ ତଳେ ବ୍ରହ୍ମପୁର ମେଡ଼ିକାଲ୍ ନିକଟବର୍ତ୍ତୀ  ସିଦ୍ଧାର୍ଥ ନଗର ନାଳରେ ଏକ ଶିଶୁକନ୍ୟାକୁ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ସେହିପରି ବିନାୟକ ଆଚାର୍ଯ୍ୟ କଲେଜ ପାଖରେ ଡ଼ମ୍ପିଂୟାର୍ଡ଼ରେ ଶିଶୁକୁ ଫୋପାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରକାଶିତ ହେବା ପରେ ପ୍ରଶାସନ ଚେତିଥିବାର ପରି ଲାଗୁଛି। ଜିଲ୍ଲା ପ୍ରଶାସନ ବେଆଇନ ନର୍ସିଂ ହୋମ୍‌ ଗୁଡ଼ିକ ଉପରେ ଚଢାଉ କରିଛନ୍ତି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଜି ବ୍ରହ୍‌ପୁରର ବିଭିନ୍ନ ନର୍ସିଂହୋମ୍‌ଗୁଡ଼ିକ ଯଥା ରୋହିନି ଡ଼ାଇଗ୍ଲୋଷ୍ଟିକ୍‌, ଇସାନ୍ ନର୍ସିଂ ହୋମ, ବାଲାଜୀ ଡ଼ାଇଗ୍ନୋଷ୍ଟିକ୍ ହୋମ୍ ଭଳି ବିଭିନ୍ନ ନର୍ସିଂ ହୋମ୍ ଉପରେ ଚଢ଼ାଉ ହୋଇଥିଲା। ଏହି ଟିମ୍‌ରେ ଡା. ବି. ସରୋଜିନି ଦେବୀ ଜିଲ୍ଳା ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଅଧିକାରୀ ଶକ୍ତିକୁମାର ଦିଗାଲ୍ ଜିଲ୍ଲା ମାତୃଶିଶୁ କାର୍ଯ୍ୟକ୍ରମ ପରିଚାଳକ, ଭେଷଜ ନିରୀକ୍ଷକ ଡା. ଦେବାଶିଷ କାଲୋ, ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ପ୍ରମୁଖ ଥିଲେ। କ୍ଳିନିକ୍ ଏବଂ ଡ଼ାଇଗ୍ନୋଷ୍ଟିକ୍ କାଗଜପତ୍ର ସହ ସରକାରୀ ନିୟମର ବିଭିନ୍ନ ଭିତ୍ତିଭୂମିକୁ ପରଖିଥିବା ଦେଖିବାକୁ ମିଳିଛି। କେତେକଙ୍କ କାଗଜପତ୍ରରେ ଅସୁବିଧା ଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଆଗାମୀ ଦିନରେ ଏହି ନର୍ସିଂହୋମ୍‌ଗୁଡ଼ିକ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ ଏବଂ ପିସିପିଏନ୍‌ଡ଼ିଟି ଅନୁଯାୟୀ ସିଲ୍ ହେବାର ସମ୍ଭାବନା ରହିଛି ବୋଲି ପ୍ରାପ୍ତ ସୂଚନାରୁ ଶୁଣିବାକୁ ମିଳୁଛି।

ଦୀର୍ଘଦିନ ହେଲା ପ୍ରଶାସନ କେବଳ ନର୍ସିଂ ହୋମ୍ ଚଢ଼ାଉ କରିବାରେ ପଛଘୁଞ୍ଚା ଦେଉଥିଲା। ସହରରେ ମାଳ ମାଳ ଛତୁଫୁଟିଲା ଭଳି ନର୍ସିଂ ହୋମ୍ ଖୋଲାଯାଉଛି। ଯାହାକି ସରକାରୀ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛନ୍ତି। ଯାହାର ଏକ ନମୁନା ଦେଖିବାକୁ ମିଳିଛି। ଯାହାର ପ୍ରଭାବ ମଧ୍ୟ ଏକରକମ ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସୂଚନାଯୋଗ୍ୟ ଟଙ୍କା ଲୋଭରେ ଏହି ବେଆଇନ ନର୍ସିଂ ହୋମ୍‌ଗୁଡ଼ିକ ଭୃଣହତ୍ୟାଠାରୁ ଆରମ୍ଭ କରି ଭୃଣ ନିରୂପଣ ଏବଂ ସମୟ ପୂର୍ବରୁ ପ୍ରସବ କରାଇବା ଦେଖିବାକୁ ମିଳୁଛି। ଏହି କ୍ଷେତ୍ରରେ ନର୍ସିଂ ହୋମ୍‌ଗୁଡ଼ିକ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଯାହାଫଳରେ ଏହିପରି ଭୃଣହତ୍ୟା ଏବଂ କୋମଳମତି ଶିଶୁକନ୍ୟାକୁ ରାସ୍ତାଘାଟରେ, ଡ଼୍ରେନ୍‌ରେ ଫୋପାଡ଼ୁଥିବା ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳୁଛି। ସହରରେ ଅହେତୁକ ଭାବରେ ବୃଦ୍ଧି ପାଉଛି ଭୃଣହତ୍ୟା ଏବଂ ଅନୈତିକ ସଂପର୍କର ବିକୃତ ଚିତ୍ର ଏଠୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ ସହରରେ ଥିବା ନର୍ସିଂହୋମ୍‌ଗୁଡ଼ିକ କଳାକାରନାମା କରୁଛନ୍ତି।

ପ୍ରତ୍ୟେକ ନର୍ସିଂ ହୋମ୍‌ରେ କେବଳ ସରକାରଙ୍କ ବିଜ୍ଞାପନ ଝୁଲାଇଯାଇଛି କେବଳ ଆଖି ଦୃଶିଆ ପାଇଁ। ଏଠାରେ ଭୃଣ ପରୀକ୍ଷା କରାଯାଏ ନାହିଁ, ଏହା ଏକ ଅପରାଧ କିନ୍ତୁ ବାସ୍ତବ ଚିତ୍ର ଅଲଗା। କିଛି ବ୍ୟକ୍ତି ନର୍ସିଂ ହୋମ୍‌ଗୁଡ଼ିକୁ ଯାଇ ଗର୍ଭରେ ଥିବା ଶିଶୁର ଲିଙ୍ଗ ପରୀକ୍ଷା କରିଥାନ୍ତି। ଯାହାଫଳରେ ଉକ୍ତ ଡ଼ାକ୍ତର, ଉକ୍ତ ଲୋକଠାରୁ ୧୦ ହଜାର ଟଙ୍କାଠାରୁ ଉର୍ଦ୍ଧ୍ୱ ଟଙ୍କା ଦାବି କରନ୍ତି। ଗର୍ଭରେ ଥିବା ସନ୍ତାନ ଯଦି କନ୍ୟା ହୋଇଥାଏ ତେବେ ତାକୁ ନଷ୍ଟ କରିବା ପାଇଁ ମଧ୍ୟ ଉକ୍ତ ନର୍ସିଂ ହୋମ୍‌ର ଡ଼ାକ୍ତରମାନେ ସାହାଯ୍ୟ କରିଥାନ୍ତି। ଅନ୍ୟକ୍ଷେତ୍ରରେ ଅନୈତିକ ସଂପର୍କ ରଖି ଗର୍ଭଧାରଣ କରିଥିବା କୁଆଁରୀ ମା’ମାନେ ଏହି ଅସାଧୁ ନର୍ସିଂହୋମ୍‌ମାନଙ୍କ ଉପରେ ନିର୍ଭର କରିଥାନ୍ତି। ଏହି ନର୍ସିଂହୋମ୍ ଗର୍ଭ ନଷ୍ଟ କରିବାରେ ସାହାଯ୍ୟ କରି ମୋଟା ଅଙ୍କର ପାଉଣା ଦାବି କରନ୍ତି। ନିରୂପାୟ ହୋଇ ତଥା ଲୋକଲଜ୍ଜାରୁ ବର୍ତ୍ତିବାକୁ ଯାଇ ଟଙ୍କା ଦେଇ ଗର୍ଭନଷ୍ଟ କରି ଏହିଭଳି ଶିଶୁଟିକୁ ରାସ୍ତା, ଖେଳପଡ଼ିଆ ଏବଂ ଡ଼୍ରେନରେ ଫୋପାଡ଼ି ଦେଇଥାନ୍ତି। ଗୋଟିଏ ପଟେ ସରକାରଙ୍କର ବେଟି ବଚାଓ ଏବଂ ପରୀ ଭଳି କାର୍ଯ୍ୟକ୍ରମ କେବଳ କାଗଜ କଲମରେ ସୀମିତ କହିଲେ ଅତ୍ୟୁକ୍ତି ହେବନାହିଁ । ନର୍ସିଂ ହୋମ୍‌ ଗୁଡ଼ିକ ଉପରେ ସରକାରୀ ଅଙ୍କୁଶ ଲାଗିବା ସହିତ ବେଆଇନ ନର୍ସିଂହୋମ୍‌ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏପରି ଘଟଣାକୁ ରୋକାଯାଇପାରିବ।

Categories
ଆଞ୍ଚଳିକ

ଏସ୍‌ଏମ୍‌ଆଇଟିର ଚଣ୍ଡିପଦରଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିଶ୍‌ ମିଡିୟମ୍‌ ସ୍କୁଲର ବାର୍ଷିକୋତ୍ସବ

ବ୍ରହ୍ମପୁର: ଏସ୍‌ଏମ୍‌ଆଇଟି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ ଦ୍ବାରା ଚଣ୍ଡିପଦରଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ପରିସର ମଧ୍ୟରେ ଫେବୃଆରୀ ୧୪ ତାରିଖ ଶୁକ୍ରବାର ଦିନ ଅନୁଷ୍ଠାନର ସଭାପତି ଡ. ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।

ଅନୁଷ୍ଠାନର ସଭାପତି ଡ. ଗନ୍ତାୟତ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତା ବୃନ୍ଦାବନ ନାୟକଙ୍କ ଗୁଣଗାନ କରିଥିଲେ ଏବଂ କହିଲେ ଯେ, ଏହି ଅଞ୍ଚଳର କର୍ମବୀର ସ୍ବର୍ଗତ ବୃନ୍ଦାବନ ନାୟକଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏସ୍‌ଏମ୍‌ଆଇଟି ପ୍ରତିଷ୍ଠାନ ଦ୍ବାରା ଏଠାରେ ବୃନ୍ଦାବନ ନାୟକ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ପ୍ରତିଷ୍ଠା କରାଯାଇଛି। ଏହାର ନିଜସ୍ବ ଜମି ଓ କୋଠାବାଡି, କୋମଳମତି ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷକ ଓ ସିବିଏସ୍‌ଇ ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷାଦାନ କରି ଏହି ଅଞ୍ଚଳର ବହୁଦିନର ଆଶା ସଫଳ ହୋଇପାରିଛି। ଡ. ଗନ୍ତାୟତ କୋମଳମତି ଶିଶୁମାନଙ୍କ ବିକାଶ ଓ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ କାମନା କରିଥିଲେ।

ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବି.ଡି.ଏ. ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର କୋପରେଟିଭ୍‌ ବ୍ୟାଙ୍କ୍‌ର ପୂର୍ବତନ ସଭାପତି ଡି. ବିଶ୍ବନାଥ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ହୁଗୁଳାପଟ୍ଟା ସରପଞ୍ଚ ପ୍ରଦୀପ ମଲାଣ, ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ ଓ ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ସ୍କୁଲର ଅଧ୍ୟକ୍ଷା ମମତା ସାହୁ ବିବରଣୀ ପାଠ କରିଥିଲେ। ଆୟୋଜିତ ଉତ୍ସବକୁ ଅନୁଷ୍ଠାନର ଶିକ୍ଷୟିତ୍ରୀ ସଂଘମିତ୍ରା ଦାସ, କେ. ଲିଜା ପାତ୍ର, ରୀତା ଦାସ, ବିଜୟଲକ୍ଷ୍ମୀ ପଣ୍ଡା, ପ୍ରେମଲତା ସାହୁ, ବିଜୟ ଚନ୍ଦ୍ର ବେହେରା, ଏସ୍.ଏସ୍‌. ବିଶ୍ବାଳ ପରିଚାଳନା କରିଥିଲେ। ଅନୁଷ୍ଠାନର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୃତ୍ୟଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।