Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମିସେସ୍ ଗ୍ଲୋବାଲ୍ ଇଣ୍ଡିଆ ପ୍ରତିଯୋଗିତାରେ ବ୍ରହ୍ମପୁରର ରାମେଶ୍ୱରୀ ଫାଇନାଲିଷ୍ଟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମୁମ୍ବାଇ ଗ୍ଲୋବାଲ୍ ଇଣ୍ଡିଆ ୨୦୨୦ ତରଫରୁ ହୋଇଥିବା ମିସେସ୍ ଗ୍ଲୋବାଲ୍ ଇଣ୍ଡିଆ ୨୦୨୦ ସିଜନ ୩ ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶାର ବ୍ରହ୍ମପୁରର ରାମେଶ୍ୱରୀ ନନ୍ଦ ଫାଇନାଲିଷ୍ଟ ଭାବେ ଓଡ଼ିଶାରୁ ସେ କେବଳ ଜଣେ ହିଁ ମନୋନୀତ ହୋଇଛନ୍ତି।

ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ନିଜର ପ୍ରତିଭା ଓ ଦକ୍ଷତାର ପ୍ରମାଣ ପ୍ରତିପାଦନ କରି ରାମେଶ୍ୱରୀ ଫାଇନାଲ୍ ରାଉଣ୍ଡରେ ପହଞ୍ଚିଛନ୍ତି। ସୁନ୍ଦର ଚେହେରା ସାଙ୍ଗକୁ ବେଶଭୂଷା ଓ ନିଜର ବୁଦ୍ଧିମତୀର ନିଆରା ଶୈଳୀ ଦୃଷ୍ଟିରୁ ସେ ବେଶ୍ ପ୍ରଶଂସାର ପାତ୍ର ହୋଇଛନ୍ତି।

ପ୍ରତିଯୋଗିତାର ବିଚାରକମାନେ ରାମେଶ୍ୱରୀଙ୍କ ନିଆରା ଷ୍ଟାଇଲ୍‌ର ଖୁବ୍ ପ୍ରଶଂସା କରିଛନ୍ତି। ଫାଇନାଲ୍ ରାଉଣ୍ଡ ଡ଼ିସେମ୍ବରରେ ଅନୁଷ୍ଠିତ ହେବ। ସେ ବ୍ରହ୍ମପୁର ସ୍ଥିତ ଏମ୍‌ଏଭି ସ୍କୁଲରେ ଶିକ୍ଷୟିତ୍ରୀ ଏବଂ ଜଳାଞ୍ଜଳି ଅନୁଷ୍ଠାନର ସଂପାଦିକା ଅଟନ୍ତି। ପୂର୍ବରୁ ସେ ରଜ କୁଇନ୍ ୨୦୧୯, ସ୍ୱୟଂସିଦ୍ଧା, ଶ୍ରେଷ୍ଠ ଶିକ୍ଷୟିତ୍ରୀ, ୟଙ୍ଗ ଆଚଭିର ଆୱାର୍ଡ଼ ସହ ବିଭିନ୍ନ ସମ୍ମାନରେ ସମ୍ମାତିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ଏବଂ ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଉପରେ ଚଢ଼ାଉ: ୨୪ ଘଣ୍ଟାରେ ୮୮ ଜୁଆଡ଼ି ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମର ପ୍ରସିଦ୍ଧ ପର୍ବ କୁମାର ପୂର୍ଣ୍ଣିମୀ ଯେତେ ପାଖେଇ ଆସୁଛି ଜୁଆଖେଳର ମାତ୍ରା ସେତେ ଅଧିକ ଦେଖିବାକୁ ମିଳିଛି। ବ୍ରହ୍ମପୁର ପୋଲିସ୍ ଏବଂ ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ବ୍ୟାପକ କରିଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଗ୍ରାମରେ ୧୨ଟି ଜୁଆଆଡ୍ଡା ଚଢ଼ାଉ ହୋଇ ୬୩ ଜଣକୁ ଗିରଫ କରାଯାଇଥିବାବେଳେ ୧ଲକ୍ଷ ୪୮ହଜାର ୭୮୦ ଟଙ୍କା ଜବତ ହୋଇଛି। ସେହିପରି ୮ଟି ଅବକାରୀ ଚଢ଼ାଉ ହୋଇ ୮ ଜଣକୁ ଗିରଫ କରିବା ସହ ୨୮୯.୯ ଲିଟର ମଦ ଜବତ ହୋଇଛି। ସେହିପରି ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ଜୁଆଆଡ୍ଡା ଚଢ଼ାଉ ହୋଇ ୨୫ ଜଣକୁ ଗିରଫ କରାଯାଇଥିବାବେଳେ ୩ଟି ଅବକାରୀ ଚଢ଼ାଉ କରାଯାଇ ୩ ଜଣ ଗିରଫ ସହ ୫୭ ଲିଟର ମଦ ଜବତ ହୋଇଛି। ଆଗକୁ ମଧ୍ୟ ଏହି ଜୁଆଆଡ୍ଡା ଚଢ଼ାଉ ଜୋର୍‌ଦାର କରାଯିବା ବୋଲି ଉଭୟ ପୋଲିସ୍ ଜିଲ୍ଲା ପକ୍ଷରୁ କୁହାଯାଇଛି।

Categories
ବିଶେଷ ଖବର ସଂସ୍କୃତି

କରୋନାର ଚକ୍ରବ୍ୟୁହରେ ପାର୍ବଣ ଋତୁ: ଶୁଭୁନି ମନ୍ତ୍ର, ନାହିଁ ସରସତା, ନାହିଁ ଆନନ୍ଦ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଦଶହରା ଓ କୁମାର ପୂର୍ଣ୍ଣମୀ ଏଇ ଦୁଇଟି ପର୍ବ ଓ ସାଂସ୍କୃତିକ ଉତ୍ସବ ପାଳନ ପ୍ରତ୍ୟେକ ବର୍ଷ ଆଣିଦିଏ ଏକ ନିଆରା ଅନୁଭବ। ଗାଁରୁ ସହର ସବୁଠି ଦେଖାଯାଉଥିଲା ନୂତନତା ଆନନ୍ଦ ଉଲ୍ଲାସ ଓ ଉତ୍ସାହ ଉଦ୍ଦୀପନା। ଆଜି ଛଡ଼େଇ ନେଇଛି ମହାମାରୀ କରୋନା ଭୟ। ଦୋକାନ ବଜାର ଏକ ପ୍ରକାର ଗହଳିଥିଲେ ମଧ୍ୟ ମନ ଭିତରେ ଭୟଭୟ ଭାବନା ନେଇ ଗ୍ରାହକମାନେ ରୁଚି ଓ ଅରୁଚି କଥା ନ ଭାବି ଖଣ୍ଡେ ଖଣ୍ଡେ ଲୁଗାକିଣି ଫେରିଯିବାର ଦୃଶ୍ୟ ଦେଖିବାକୁ ମିଳୁଛି। ବିଶେଷ କରି ଗଂଜାମର ଦୁର୍ଗାପୂଜା ଏ ବର୍ଷ ଏକ ପ୍ରକାର ନିଷ୍ପ୍ରଭ।

ମା’ଙ୍କ ଆବହନୀ ପାଇଁ ଯେଉଁ ପୂଜାମଣ୍ଡପରେ ରାତି ଦିନ ପୂଜାପାଠ ମନ୍ତ୍ର ସ୍ତବ ବେଦ ଧ୍ୱନୀ ଶୁଭୁଥିଲା ପ୍ରଶାସନିକ ତାଗିଦ୍ ପରେ ଏ ସବୁ ମଉଳିଯାଉଛି। ବ୍ରହ୍ମପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ, ବିଜିପୁର, କମାପଲ୍ଲୀ, ନୂଆ ବସ୍‌ଷ୍ଟାଣ୍ଡ, ଗିରିଜା ଛକରେ ଯେଉଁ ଗହଳି ପୂର୍ବବର୍ଷମାନଙ୍କରେ ଦେଖାଯାଉଥିଲା, ଜନଗହଳି ତ ଦୂରର କଥା ବର୍ତ୍ତମାନ କେଉଁଠି କିଏ ଠିଆ ହୋଇ ସାଙ୍ଗସାଥୀ କଥା ହେବାକୁ ମଧ୍ୟ ଡ଼ରୁଛି। ଦୁର୍ଗା ପୂଜାରେ ଷୋଡ଼ଶ ପୂଜା ପାଇ ମନ୍ଦିରଗୁଡ଼ିକ ମଧ୍ୟ ଏକ ପ୍ରକାର ନୀରବ ପରିବେଶ, ଖାଁ ଖାଁ ଲାଗୁଛି। କୌଣସି ସ୍ପର୍ଶରେ ଶବ୍ଦ ଧ୍ୱନି ନାହିଁ। ଏମିତିରେ ଦୁର୍ଗାପୂଜା ପୂର୍ବରୁ ରହିଥିବା ନୀରବତା ଏକ ପ୍ରକାର ମନରେ ଭରି ଦେଇଛି ଅତୃପ୍ତି ଅସୁସ୍ତି। ୮ ମାସ ହେଲା ସେଇ ସମାନ ଭୟରେ ଜନସାଧାରଣ ରହି ଆସୁଛନ୍ତି। ଯଦିଚ ଗଂଜାମ ସ୍ଥିତି ଚିନ୍ତାଜନକ ନୁହେଁ ତଥାପି ମହାମାରୀ ସଂକ୍ରମଣ ଟଳିବାର ସଂପୂର୍ଣ୍ଣ ଆଶ୍ୱସ୍ତି ଦେଇନାହିଁ।

ଶାରଦୀୟ ଋତୁରେ ବ୍ରହ୍ମପୁରର ଅନେକ ସାହିତ୍ୟ ସଂଗଠନର ସାହିତ୍ୟ ଆସର ବହି ଉନ୍ମୋଚନ ଉତ୍ସବ ହୋଇଥାଏ। କିନ୍ତୁ ଦୀର୍ଘଦିନ ପରେ ମଧ୍ୟ କୌଣସି ସ୍ଥାନରେ ସାହିତ୍ୟ ସମାବେଶ, କବିତା ପାଠ ଉତ୍ସବ ଓ ଆଲୋଚନା ଚକ୍ର ପାଇଁ କାହାର ଉତ୍କଣ୍ଠା ନାହିଁ। ସମସ୍ତଙ୍କ ପାଇଁ କେବଳ ଏଣ୍ଡ୍ରଏଡ଼ ଫୋନ୍ ସାଥୀ। ଏ ମଧ୍ୟରେ ପାର୍ବଣର ଚିତ୍ର ଭିନ୍ନ ପ୍ରକାର ଅରୁଚିକର ଅନୁଭବ। କୁମାର ପୁନେଇଁ ଜହ୍ନି ଓଷା ବ୍ରତ ପାଇଁ କୁମାରୀ ଲାଳନାଙ୍କ ମନରେ ଉତ୍ସାହକୁ ପୁରା ମାରିଦେଇଛି କରୋନା ସଂକଟମୟ ପରିସ୍ଥିତି। କୁମାର ପୁନେଇଁରେ ଆସିବା ପର୍ଯ୍ୟନ୍ତ ଏଇ ୧୦ ଦିନ ଗାଁ ଗାଁରେ ଆସର ଜମି ବହୁ ବନ୍ଧୁ ବାନ୍ଧବଙ୍କ ସମାଗମ ହୁଏ, କିନ୍ତୁ ଏବର୍ଷ ଏପରି ଦୃଶ୍ୟ ନାହିଁ।

କରୋନା ଚକ୍ରବୁହ୍ୟରେ ଫସି ଯାଇଥିବା ବ୍ୟବସାୟୀଙ୍କ ଦୁଃଖ ଭରା କାହାଣୀ ବଡ଼ ବେଦନା ଦାୟକ। ଲକ୍ଷଲକ୍ଷ ଟଙ୍କାର ବଡ଼ ବଡ଼ ଦୋକାନ ପିଣ୍ଢା ମାଡ଼ିବାକୁ ଆଜି ଗ୍ରାହକ ଭୟ କରୁଛି। ଯଦି କୌଣସି ଦୋକାନରେ ସଂଖ୍ୟାଧିକ ଲୋକଙ୍କ ଭିଡ଼ ହୁଏ ବେପାରୀ ଭୟରେ ହାତଯୋଡ଼ି ଗ୍ରାହକଙ୍କୁ ସଚେତନ ମଧ୍ୟ କରୁଛି। ବଡ଼ ଭିନ୍ନ ସଂକଟ ଭିତରେ ଖୁଚୁରା ବେପାରୀ। ସବୁଠୁ ବେଶୀ ଲାଭବାନ ହେଉଛନ୍ତି ଅନ୍‌ଲାଇନ୍ ବ୍ୟବସାୟୀ। ଗ୍ରାହକ ଘରେ ବସି ଅନ୍‌ଲାଇନ୍‌ରେ ଯେକୌଣସି ପୋଷାକ, ଶାଢ଼ୀ, ପରିଧାନ ଅର୍ଡ଼ର କରିଲେ ଏ ସବୁ ଶୀଘ୍ର ଆସୁଛି। କୁମାର ପୁନେଇଁରେ କୋଟି କୋଟି ଟଙ୍କାର ବେପାର କରୁଥିବା ବ୍ରହ୍ମପୁର ବ୍ୟବସାୟୀର ପେଣ୍ଠ ଆଜି ଅବସାଦରେ ଜଣାଶୁଣା ବ୍ୟବସାୟୀ ଲୋହିୟା, ଶ୍ରୀଦୁର୍ଗା, ପଦ୍ମା ସିଲ୍‌କ ପେଲେସ୍‌, ପାର୍ବତୀ ଟେକ୍‌ସଟାଇଲ୍‌ରେ ମଧ୍ୟାହ୍ନରେ ସାମାନ୍ୟ ଭିଡ଼ ଜମୁଥିବା ସମୟରେ ସ୍ଥାନୀୟ ଅଧିବାସୀ ଯିବାକୁ ପସନ୍ଦ କରୁନାହାନ୍ତି। ବାହାର ଅଂଚଳରୁ ସୁଅ ଛୁଟିଥାଏ ଏଇ ଦୋକାନୀଗୁଡ଼ିକୁ। ସହରବାସୀ ସନ୍ଧ୍ୟାରେ ଦୋକାନକୁ ଗଲେ ଶହଶହ ଲୋକଙ୍କ ଭିଡ଼ ଥାଏ କିନ୍ତୁ ପାର୍କିଂର ଅଭାବ। ତଥାପି କିଣିବାକୁ ବାଧ୍ୟ ହୋଇଥାଏ।

ଆଜି ବ୍ରହ୍ମପୁର ତଥା ଗଂଜାମ ଜିଲ୍ଲାରେ କରୋନାର ପାର୍ଶ୍ଵ ପ୍ରତିକ୍ରିୟା। ଶାରଦୀୟ ପାର୍ବଣ ଋତୁର ହସ ମୁହଁରେ ଧନତେରସ୍ ଓ କାଳୀପୂଜା ଆସୁଥିଲେ ମଧ୍ୟ ଏ ବର୍ଷର ଅନୁଭୂତି ସାରା ଜୀବନ ପାଇଁ ମନେ ରହିବ ବୋଲି ଲାଇଟ୍‌, ସାଉଣ୍ଡ, ଟେଣ୍ଟ ସଂଘ କହିଛି। ଏମାନଙ୍କ କ୍ଷତିଭରଣ କରିବା ଆଦୌ ସହଜ ନୁହେଁ। ଶ୍ରାବଣ ଋତୁର ଆଗମନ କାଶତଣ୍ଡୀ ଫୁଲର ସଂଭାରରେ ମା’ଙ୍କ ଆଗମନର ସୂଚନା ଦେଇଥାଏ। କିନ୍ତୁ ଗଂଜାମ ଜିଲ୍ଲାରେ ମୁଖ୍ୟତଃ ବର୍ଷଜାକ ରୀତିମତ ଜୁଆଖେଳ ଚାଲିଥିବାବେଳେ ଅତିମାତ୍ରାରେ ବୃଦ୍ଧି ପାଏ ଏହି ପାର୍ବଣ ଋତୁରେ। ଯାହାକି ଦଶହରାର ଆଗମନର ଚିତ୍ର ଫୁଟି ଉଠେ ବିଭିନ୍ନ ହୋଟେଲ୍‌, ଭଡ଼ାଘର ଓ ବିଭିନ୍ନ ଜୁଆଆଡ୍ଡାରେ। ଗୋଟିଏ ପଟେ କରୋନାର ମାଡ଼କୁ ଭ୍ରୁକ୍ଷେପ ନକରି ଜୁଆଡ଼ିମାନେ ପୋଲିସ୍‌କୁ ଚକ୍‌ମା ଦେଇ ଜୁଆର ପଶରା ମେଲିଥାନ୍ତି। କିଛି ତ ଧରାପଡ଼ନ୍ତି ଏବଂ କିଛି ପୋଲିସ୍‌ର ଛତ୍ରଛାୟା ତଳେ ପରମ୍ପରାକୁ ଦ୍ୱାହି ଦେଇ ଜାରି ରଖନ୍ତି। ପୋଲିସ୍ ଡ଼ାଳେ ଡ଼ାଳେ ଗଲେ ଜୁଆଡ଼ିମାନେ ପତ୍ରେ ପତ୍ରେ ଯାଆନ୍ତି। ଏଠାରେ ଏକ ନିର୍ଦ୍ଦିଷ୍ଟ ଉଦାହରଣ ଦେଲେ କିଛି ଭୁଲ୍ ହେବ ନାହିଁ।

ଯେଉଁଭଳି ଭାବରେ ବିଭିନ୍ନ ସ୍ପର୍ଶକାତର ଅଂଚଳ ଯଥା ସୀମା ମାନଙ୍କରେ ପ୍ରହରୀମାନେ ସଜାଗ ରୁହନ୍ତି, ଶତ୍ରୁର ମୁକାବିଲା କରିବା ପାଇଁ। ଠିକ୍ ସେହିଭଳି ଆଜିର ଏହି ମୋବାଇଲ୍ ଯୁଗରେ ଯେଉଁଠି ଜୁଆଆଡ୍ଡା ଚାଲୁଛି ତାହାର ଚତୁଃପାଶ୍ୱର୍ରେ ମୋବାଇଲ୍ ନେଟୱାର୍କ ଦ୍ୱାରା ତାହା ନିୟନ୍ତ୍ରଣ ହେଉଛି। ଯାହାଫଳରେ ପୋଲିସ୍ ମଧ୍ୟ ସୂଚନା ପାଇ ମଧ୍ୟ ଚଢ଼ାଉରେ ଫେଲ୍ ମାରୁଛି। ସେ ଯାହାବି ହେଉ କରୋନା ସବୁକିଛିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ମଧ୍ୟ ଜୁଆଡ଼ିମାନଙ୍କର ମେରୁଦଣ୍ଡ ସୁଦୃଢ଼ ଅଛି ଏବଂ ଏହି ଋତୁରେ କିଛି ଲୋକର ସର୍ବନାଶ ହେଲା ବେଳେ କିଛି ଲୋକ ମାଲେମାଲ୍ ହେଉଥିବା ଦେଖିବାକୁ ମିଳିଛି।

ସବୁବର୍ଷ ପରି କିନ୍ତୁ ଏଇବର୍ଷ ମନ୍ଦିର ଠାରୁ ଆରମ୍ଭ କରି ସମସ୍ତ ପର୍ବପର୍ବାଣୀକୁ ପ୍ରଶାସନ ବନ୍ଦ କରିଥିବାବେଳେ ଆର୍ଥିକ ଦୃଷ୍ଟିକୋଣରୁ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ତେଣୁ ୨୦୨୧ରେ କିଭଳି ମା’ଙ୍କ ଆଶୀର୍ବାଦରେ ଲୋକଙ୍କ ମେରୁଦଣ୍ଡ ଯେଭଳି ସଳଖିବ ଏତିକି ହିଁ କାମନା।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ହେବ ଡ଼ିଏନ୍‌ଏ ଏବଂ ଫରେନ୍‌ସିକ୍ ଲେବ୍ରୋଟରି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରରେ ଓଡ଼ିଶାର ସ୍ଥାନ ଭାବେ ରିଜିଓନାଲ୍ ଫରେନ୍‌ସିକ୍ ସାଇନସ୍ ଲେବ୍ରୋଟରି ସ୍ଥାପନ ହେବ। ଯେଉଁଠାରେ ଡ଼ିଏନ୍‌ଏ ପରୀକ୍ଷା ଏବଂ ସାଇବର ଫରେନ୍‌ସିକ୍ ଯାଞ୍ଚ ହୋଇପାରିବ। ଏଥିପାଇଁ ଆଜି ଅତିରିକ୍ତ ଡ଼ିଜି ସୁଶାନ୍ତ ନାଥ ବ୍ରହ୍ମପୁର ଗସ୍ତରେ ଆସିଥିଲେ। କମାପଲ୍ଲୀ ସ୍ଥିତ ପୁରୁଣା ବୈଦ୍ୟନାଥପୁର ଥାନା ପରିସରରେ ଏହା ସ୍ଥାପିତ ହେବ। ପୁରୁଣା ବୈଦ୍ୟନାଥପୁର ଥାନାକୁ ପୁନଃ ନୂତନ ଭାବେ ନିର୍ମାଣ କରାଯିବ। ଯେଉଁଭଳି ଭାବେ ସେଠାରେ ବହୁତ ପ୍ରକାର ମେସିନ୍ ଏବଂ ଉପକରଣ ଲାଗିବ। ଜାଗା ଚିହ୍ନଟ ହୋଇ ପରିଦର୍ଶନ ସମୟରେ ପିଡ଼ବ୍ଲୁଡ଼ି ଅଧିକାରୀ, ଏସ୍‌ପି, ଡ଼ିଆଇଜି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ନୀଳକଣ୍ଠନଗର ଶିଶୁବିଦ୍ୟାମନ୍ଦିର ଦଶମ ଓ ଦ୍ୱାଦଶ ଶ୍ରେଣୀ ର‌୍ୟାଙ୍କ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ନୀଳକଣ୍ଠନଗର ସରସ୍ୱତୀ ଶିଶୁମନ୍ଦିରର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସାରା ରାଜ୍ୟରେ ର‌୍ୟାଙ୍କ ରଖିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଏସ୍‌ବିଆଇ ଜୋନାଲ୍ ଅଫିସ, ବ୍ରହ୍ମପୁର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟଅତିଥି ଭାବେ ସ୍କୁଲର ସଂପାଦକ ନାରାୟଣ ପଣ୍ଡା, ମୁଖ୍ୟବକ୍ତା ଭାବେ ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏସ୍‌ବିଆଇର ରବିନ୍ଦ୍ର କୁମାର ସେନାପତି, ସୋମନାଥ ନନ୍ଦ, ରବିନ୍ଦ୍ର କୁମାର ରଥ, ଏମ୍‌.ଏନ୍‌.ସେଶୁ କୁମାର ପ୍ରମୁଖ ଯୋଗ ଦେଇଥିଲେ। ସଭାପତିତ୍ୱ ଡ଼ିଜିଏମ୍ ସାକ୍ୟ ସିହ୍ନା ବୈରାଗୀ, ସଂଯୋଜନା ଓ ସ୍ୱାଗତ ଭାଷଣ ସୋମନାଥ ନନ୍ଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ରାଉତ, ସବ୍ୟସାଚୀ ଆଚାର୍ଯ୍ୟ, ସନ୍ତୋଷ ମିଶ୍ର, ଅସାନ୍ତୁଲୁ ସେଠୀ ପ୍ରଭୃତି ଯୋଗ ଦେଇଥିଲେ। ଏହି ଅବସରରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋନାଲ୍ ଅଫିସ୍ ବ୍ରହ୍ମପୁର ତରଫରୁ ର‌୍ୟାଙ୍କ ରଖିଥିବା ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋନାଲ୍ ଅଫିସ ତରଫରୁ ରବିନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ତଥା ଏସ୍‌ବିଆଇର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡ଼ିକି ଭାଙ୍ଗି ଟଙ୍କା ଲୁଟ୍ ଘଟଣାରେ ୨ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୧୪ ତାରିଖ ଦିନ ପୋଲସରା ଥାନା ଅନ୍ତର୍ଗତ ନରସିଂହପଲ୍ଲୀ ଗ୍ରାମ ନିକଟରେ ଏକ ବାଇକ୍‌ର ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲ। ଏହି ଘଟଣାରେ ପୋଲିସ୍ ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍ ଟଙ୍କା ଏବଂ ବାଇକ୍‌କୁ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୋଦଳା ଅଂଚଳର ଶିବ ଚୌଧୁରୀ ଓ ପି. କ୍ରଷ୍ଣା। ସେମାନଙ୍କ ନିକଟରୁ ୧ ଲକ୍ଷ ୧୦ ହଜାର ଟଙ୍କା ଏବଂ ଚୋରିରେ ବ୍ୟବହୃତ ବାଇକ୍‌କୁ ପୋଲିସ୍ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ହାତୀଓଟ ଗ୍ରାମର ଅମରେନ୍ଦ୍ର ବିଶ୍ୱାଳ ପୋଲସରା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଡ଼ିକିରେ ରଖିଥିଲେ। କିଛି କାମ ପାଇଁ ନରସିଂହପୁରରେ ବାଇକ୍‌କୁ ରଖି ଯାଇଥିବାବେଳେ ଆସିଲା ବେଳେ ଡ଼ିକି ଭଂଗା ଯାଇଛି । ଏନେଇ ସେ ପୋଲସରା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଥାନା କେସ ନଂ ୨୧୮/୨୦ ପ୍ରକାରେ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା। ପରେ ବ୍ୟାଙ୍କର ସିଟି ଟିଭ୍ ଯାଞ୍ଚ ପରେ ଅମରେନ୍ଦ୍ରକୁ ଦୁଇଜଣ ପିଛା କରୁଥିବା ସ୍ପଷ୍ଟ ବାରିହେବାରୁ ପୋଲିସ୍ ଉଭୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

୬୨୧ କିଲୋ ଗଂଜେଇ ଜବତ: ୧ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଜପତି ଜିଲ୍ଲାରୁ ଖୋର୍ଦ୍ଧାକୁ ଚାଲାଣ ହେଉଥିବା ବିପୁଳ ପରିମାଣର ଗଂଜେଇକୁ ଗତକାଲି ବ୍ରହ୍ମପୁରରେ ଇଆଇ ଆଣ୍ଡ ଆଇବି ବ୍ରହ୍ମପୁର ପକ୍ଷରୁ ଜବତ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଗତକାଲି ସକାଳ ୫.୩୦ ସମୟରେ ଗଂଜେଇ ଭର୍ତ୍ତି ଏକ ଅଶୋକ ଲିୟାଲେଣ୍ଡ ଗାଡ଼ି (ଓଡ଼ି ୦୨ ବିବି ୩୩୮୦)ଟି ଯାଉଥିବା ନେଇ ଅବକାରୀ ବିଭାଗ କୌଣସି ବିଶେଷ ସୂତ୍ରୁର ଖବର ପାଇଥିଲା। ବ୍ରହ୍ମପୁର ଏସାର ପେଟ୍ରୋଲ ପମ୍ପ ବିଦ୍ୟୁତ କଲୋନୀ ନିକଟରେ ଗାଡ଼ିଟିକୁ ଅଟକାଇ ଗାଡ଼ିଟି ଯାଞ୍ଚ କରାଯାଇଥିଲା। ଗାଡ଼ି ମଧ୍ୟରୁ ୬୨୧ କିଲୋ ଗଂଜେଇ ଜବତ ହେବା ସହ ଗାଡ଼ି ଚଳାଉଥିବା ଡ଼୍ରାଇଭରକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗିବାଡ଼ିର ମୃତ୍ୟୁଞ୍ଜୟ ସିଂହ (୪୦)। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଅବକାରୀ ଇଆଇଆଣ୍ଡଇବି ବ୍ରହ୍ମପୁର ଆଇଆଇସି ମିହିର କୁମାର ସେଠୀ, ଜେ.କେ ନାୟକ, ଜେ. ମଙ୍ଗରାଜ, ଏଏସ୍‌ଆଇ ତରୁଣ ପାତ୍ର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ମୋ ପରିବାର ପକ୍ଷରୁ ଚାରାବଣ୍ଟନ କାର୍ଯ୍ୟକ୍ରମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସକାଳୁ ବ୍ରଜନଗର ସ୍ଥିତ ମୋ ପରିବାର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସଂପାଦକ ସୁବାସ ମହାରଣାଙ୍କ ତତ୍ତ୍ୱାବଧାନରେ ଓ ସାହି ବାସିନ୍ଧାଙ୍କ ସହଯୋଗରେ ରେଡ଼ିଓ ଷ୍ଟେସନର ବିଭିନ୍ନ ଗଳି ରାସ୍ତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ସାହି ବାସିନ୍ଧାଙ୍କୁ ବେଲ, ଅଁଳା, ଡ଼ାଳିମ୍ବ, ନିମ ଗଛ ଚାରା ବଣ୍ଟନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ମମତା ବିଷୋୟୀ, ବିଜୟ ସାମଲ, ମୁକୁନ୍ଦ ଗୌଡ଼, ସଂଜୟ ଜେନା, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, କୈଳାସ ପଟ୍ଟନାୟକ, ପ୍ରଭାକର ମହାନ୍ତି, ଏଙ୍କଟି ରେଡ଼ି, ସବିତା ବେହେରା, ମମାନି ପାଣି, ବାବୁ ରେଡ଼ିଙ୍କ ସମେତ ସାହିବାସି ଯୋଗ ଦେଇଥିଲେ। ଏହାପରେ ଭାବାନଗର ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟରେ ହିଂଜିଳିକାଟୁ ଅଜୁ ମହାରଣାଙ୍କ ନେତୃତ୍ୱରେ ହିଂଜିଳିବାସୀଙ୍କ ଦ୍ୱାରା ସୁବାସ ମହାରଣା, କୈଳାସ ରଣା ଏବଂ ସଂଘମିତ୍ରା ଦଳେଇଙ୍କୁ ନୂତନ ପଦବୀ ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା।

Categories
ଅପରାଧ ଆଜିର ଖବର ଆଞ୍ଚଳିକ

ଲକ୍ଷାଧିକ ଟଙ୍କାର ଶାଗୁଆଣି ପଟା ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସନ୍ନିକଟ ଲାଠି ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଲକ୍ଷାଧିକ ଟଙ୍କାର କାଠପଟା ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ ଲାଠି ନିକଟସ୍ଥ ଏକ ନିର୍ମାଣାଧୀନ ଘର ପାଖରେ ଶାଳ, ଶାଗୁଆଣି କାଠପଟା ଥିବା ଖବରପାଇ ଡ଼ିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବନବିଭାଗ ମୋବାଇଲ ସ୍କ୍ୱାର୍ଡ଼ ଚଢ଼ାଉ କରିଥିଲା। ଚଢ଼ାଉରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ, ଶାଗୁଆଣି କାଠ ଜବତ ହୋଇଛି। ତେବେ ଏନେଇ କାହାରିକୁ ଧରାଯାଇନାହିଁ। ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଏହି କାଠପଟା ଆଣି ରଖିଥିବା ତାହା ଜଣାପଡ଼ିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲ୍‌ରେ ସପ୍ଲାଇ ଇନିସ୍‌ପେକ୍ଟର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଲାଞ୍ଚ ନେଇ ଭିଜିଲାନସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଅଂଚଳର ତଥା ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ସପ୍ଲାଇ ଇନିସ୍‌ପେକ୍ଟ ଭାବେ କାର୍ଯ୍ୟରତ ସବ୍ୟସାଚୀ ମହାପାତ୍ର। ଜନୈକ ବ୍ୟକ୍ତିଙ୍କ ପିଡ଼ିଏସ୍ ଚାଉଳ ଗମନାଗମନ ବିଲ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନସ ହାତରେ ପଡ଼ିଛନ୍ତି।

ଘଟଣାରୁ ପ୍ରକାଶ ଯେ ଗଂଜାମ ଜିଲ୍ଲା ଧରାକୋଟ ଥାନା ଜାହାଡ଼ା ଗ୍ରାମର ଶବ ପୋଲାଇ ପିଡ଼ିଏସ୍ ଚାଉଳ ନିଜ ଗାଡ଼ିରେ ଯୋଗାଉଥିବାବେଳେ ଏହା ବାବଦକୁ ବହୁ ଟଙ୍କା ବକେୟା ଥିଲା। ଏହି ବିଲ୍ ପାସ୍ ପାଇଁ ସେ ସପ୍ଲାଇ ଇନିସ୍‌ପେକ୍ଟର ସବ୍ୟସାଚୀଙ୍କ ସହ ଯୋଗାଯୋଗ କରିଥିବାବେଳେ ସବ୍ୟସାଚୀ ଏଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଶିବ ପୋଲାଇ ବ୍ରହ୍ମପୁର ଭିଜିଲାନସ ବିଭାଗରେ ଅଭିଯୋଗ କରିବା ପରେ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଭିଜିଲାନସ ବିଭାଗ ଜାଲ ବିଛାଇଥିଲା।

ଆଜି ଦାବି ମୁତାବକ ୧୦ ହଜାର ଟଙ୍କା ଧରି ସବ୍ୟସାଚୀଙ୍କ ସରକାରୀ କ୍ୱାଟରକୁ ଶିବ ଯାଇଥିଲେ ଏବଂ ସେଠାରେ କ୍ୟାମିକେଲ ବୋଳା ଟଙ୍କାଙ୍କୁ ପ୍ରଦାନ କରିଥିଲେ। ସବ୍ୟସାଚୀ ଉକ୍ତ ଟଙ୍କାକୁ ନିଜ ଡ଼ାହାଣ ହାତରେ ଗଣି ମନି ପର୍ସରେ ରଖିବା ପରେ ତୁରନ୍ତ ଭିଜିଲାନସ ଅଧିକାରୀମାନେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ପରୀକ୍ଷା କରିଥିଲେ। ପରେ ତାଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏନେଇ ଭିଜିଲାସନ କେସ ନଂ ୧୨/୨୦ରେ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଥିବା ବ୍ରହ୍ମପୁର ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାରିବାରିକ କଳହର କରୁଣ ପରିଣତି: ୭ ମାସର ଶିଶୁକନ୍ୟାକୁ ହତ୍ୟା କରି ମା’ର ଆତ୍ମହତ୍ୟା ଉଦ୍ୟମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପାରିବାରିକ କହଳ ଯେ କେତେ ଭୟଙ୍କର ହୋଇପାରେ ଆଜି ଭାବିନିପୁର ଅଂଚଳର ଏକ ଘଟଣାକୁ ଦେଖିଲା ପରେ ଜଣାପଡ଼ୁଛି। ପାରବାରିକ କଳହରୁ ଜନୈକ ମା’ ନିଜର ୭ ମାସର ଶିଶୁକନ୍ୟାର ତଣ୍ଟି ଚିପିଦେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛି।

ଘଟଣାରୁ ପ୍ରକାଶ ଯେ ସଦରଥାନା ଅନ୍ତର୍ଗତ ଭାବିନିପୁର ଗ୍ରାମ ମହାନ୍ତି ସାହିରେ କୁଳମଣି ଗୌଡ଼ ଏବଂ ସାବିତ୍ରୀ ଗୌଡ଼ ତିନିବର୍ଷ ହେଲା ବିବାହ କରି ରହୁଛନ୍ତି। ବିବାହର କିଛି ଦିନ ପରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ନେଇଥିଲା। କୁଳମଣିକୁ ପୁଅ ଇଚ୍ଛାଥିବାବେଳେ ଝିଅଟି ଜନ୍ମ ହେବାରୁ ଏନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ଲାଗୁ ରହୁଥିଲା। କିନ୍ତୁ ଆଜି ଅତ୍ୟଧିକ ଗଣ୍ଡଗୋଳ ହେବାରୁ ସ୍ତ୍ରୀ ସାବିତ୍ରୀ ଉତ୍ତେଜିତ ହୋଇ ନିଜ ୭ ମାସ ଝିଅର ତଣ୍ଟି ଚିପି ଦେଇ ହତ୍ୟା କରିଥିଲା। ପରେ ନିଜ ହାତକୁ ବ୍ଲେଡ଼୍‌ରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି।

ଏନେଇ କୁଳମଣିଙ୍କ ନୀଳମଣି ସଦରଥାନାରେ ଅଭିଯୋଗ କରିବା ପରେ ସଦରଥାନା ପୋଲିସ୍ ଘଟଣା ତଦନ୍ତ ଜାରି ରଖିଛି। ମା’କୁ ଅଟକ ରଖିବା ସହ ଘଟଣାର ଅଧିକ ଅନୁସନ୍ଧାନ ଚାଲିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏୟାର ଇଣ୍ଡିଆରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଏୟାର ଇଣ୍ଡିଆରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଭଳି ଏକ ଅଭିଯୋଗ ଗୋଳନ୍ଥରା ଥାନାରେ ହୋଇଛି। ଘଟଣାରୁ ପ୍ରକାଶ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ଗୁପେଶ୍ୱର ପ୍ରଧାନଙ୍କୁ ଗତ ୭.୬.୨୦୨୦ରେ ଏକ ଫୋନ୍ କଲ୍ ଆସିଥିଲା।

ଯେଉଁଥିରେ ରୋହିତ କୁମାର ଶର୍ମା କହୁଥିବା ଜଣେ ବ୍ୟକ୍ତି ନିଜକୁ ଏୟାର ଇଣ୍ଡିଆର ମ୍ୟାନେଜର ବୋଲି ପରିଚୟ ଦେଇ ଗୁପେଶ୍ୱଣଙ୍କ ସହ ଯୋଗାଯୋଗ ରକ୍ଷା କରି ତୁମେ ଅନ୍‌ଲାଇନ୍‌ରେ ଏୟାର ଇଣ୍ଡିଆ ପାଇଁ ଫର୍ମ ପକାଇଛ ତେଣୁ ତୁମର ଆଧାର କାର୍ଡ଼, ପାନ୍ କାର୍ଡ଼ ଏବଂ ସାର୍ଟିଫିକେଟ୍‌ର ଜେରେକ୍ସ ପଠାଇ ତୁମର ଚାକିରି ହେବ ବୋଲି କହିଥିଲେ। ଗୁପ୍ତେଶ୍ୱର ସମସ୍ତ କାଗଜପତ୍ର ପଠାଇଥିଲେ। ଦୁଇଦିନ ପରେ ଫୋନ୍ କରି ତୁମର ସିଲେକସନ ହୋଇଛି ତୁମେ ୨୫୦୦ ଟଙ୍କା ଡ଼କ୍ୟୁମେଣ୍ଟ ଭେରିଫିକେସନ ଚାର୍ଜ ପଠାଅ ବୋଲି କହିଥିଲେ। ସେ ୧୦.୬.୨୦୨୦ରେ ଏହି ଟଙ୍କା ପଠାଇଥିଲେ।

ପୁଣି ୧୫.୬.୨୦୨୦ରେ ୨୫ହଜାର ୫ଶହ, ୧୯.୬.୨୦୨୦ରେ ୩୨ହଜାର ୫୦୦ ଟଙ୍କା ଆଦି ବିିଭିନ୍ନ କାର୍ଯ୍ୟ ପାଇଁ ପଠାଇବାକୁ କହିବାରୁ ପଠାଇଥିଲେ। ପରେ ୨୯.୬.୨୦୨୦ରେ ସିକ୍ୟୁରିଟି ଡ଼ିପୋଜିଟ୍ କହି ୫୦ ହଜାର ଟଙ୍କା ନେଇଥିଲେ। ଶେଷରେ ୩୦.୬.୨୦୨୦ରେ ଟ୍ରେନିଂ ଫି କହି ୧୨ ହଜାର ୫୦୦ ଟଙ୍କା ପଠାଇଥିଲେ। ସମୁଦାୟ ୧ ଲକ୍ଷ ୨୩ ହଜାର ଟଙ୍କା ପଠାଇଥିଲେ।

ବର୍ତ୍ତମାନ ଟଙ୍କା ନେବା ପରେ ସେ ଆଉ ଫୋନ୍ ଉଠାଉନାହାନ୍ତି। ଗୁପ୍ତେଶ୍ୱର ତାଙ୍କ ସହ ଠକେଇ ହୋଇଛି ଭାବି ଆଜି ଗୋପାଳପୁର ଥାନାରେ ମାମଲା ରୁଜୁ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ମ୍ୟାନେଜର ବୋଲାଉଥିବା ରୋହିତ ଶର୍ମା, ସିଲେକ୍ଟର ଦୁଗ୍ୟନ୍ତ ରାନା, ଟେନର ରାଜେଶ, ପାର୍ଶଲ ସାର ରାମ କୁମାର, ଗୋପାଳ ପ୍ରମୁଖ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଗୋଳନ୍ଥରା ପୋଲିସ୍ ଥାନା କେସ ନଂ୨୨୫/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସେପେଟ ଅନ୍ୟଜଣଙ୍କୁ ମଧ୍ୟଠାରୁ ମଧ୍ୟ ଏଭଳି ଢ଼ଂଗରେ ଠକେଇ ହୋଇଛି। ସଂପୃକ୍ତ ଅନ୍ୟ ଜଣେ ଯୁବକଙ୍କ ସହ ଗୁପ୍ତେଶ୍ୱର ମଧ୍ୟ ଆଜି ଏସ୍‌ପି ପିନାକ ମିଶ୍ରଙ୍କୁ ଅଭିଯୋଗ କରିଛନ୍ତି। ଗୁପେଶ୍ୱର ଜଣେ ଗରିବ ପିଲା ହୋଇଥିବାବେଳେ ଚାକିରି ଆଶାରେ ଧାରଉଦ୍ଧାର କରି ଏତେଟଙ୍କା ଦେଇଛି। ତେଣୁ ଘଟଣାର ଅନୁସନ୍ଧାନ କରି ଟଙ୍କା ଫେରସ୍ତ ଯେପରି ମିଳିଯିବ ସେ ଥାନାଧିକାରୀଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ଦୁଇ ଅଧିକାରୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ଲାଞ୍ଚ ନେବା ସମୟରେ ଦୁଇଜଣ ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯାଇଥିଲା। ପ୍ରଥମଘଟଣା କ୍ରମରେ ଫୁଲବାଣୀ ଜିଲ୍ଲା ଟ୍ରେଜେରୀ ଅଧିକାରୀ ଅରୁପ କୁମାର ମିଶ୍ରଙ୍କୁ ଧରାଯାଇଥିବାବେଳେ ଦ୍ୱିତୀୟ ଘଟଣାକ୍ରମେ କନ୍ଧମାଳ ଦାରିଙ୍ଗିବାଡ଼ି ସିମନାବାଡ଼ି ଗ୍ରାମପଞ୍ଚାୟତର ଜିଆର୍‌ଏସ୍ ଦିଲିପ କୁମାର ସାହୁ ମଧ୍ୟ ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ପ୍ରଥମ ଘଟଣା କ୍ରମେ ଫୁଲବାଣୀ ମତ୍ସ୍ୟଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀ ଯିଏକି ଅବସର ନେଇସାରିଛନ୍ତି ତାଙ୍କର ଏରିୟର୍ ବିଲ୍ କରିଦେବାକୁ ଟ୍ରେଜେରୀ ଅଧିକାରୀ ଅରୁପଙ୍କ ସହ ଯୋଗାଯୋଗ କରିଥିଲେ। ଏହା କରିଦେବା ପାଇଁ ଲାଞ୍ଚୁଆ ଅଧିକାରୀ ଅରୁପ ତାଙ୍କୁ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ ବିଭାଗକୁ ଜଣାଇବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଆଜି ପୂର୍ବ ଯୋଜନା ମୁତାବକ ପ୍ରମୋଦ ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେବା ପରେ ଭିଜିଲାନସ ଅଧିକାରୀମାନେ ଉକ୍ତ ସ୍ଥାନରେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ପରୀକ୍ଷା କରିବା ପରେ ଅରୁପଙ୍କୁ ଗିରଫ କରାଯାଇଥିଲା। ଭିଜିଲାନସ କେସ ନଂ ୧୦/୨୦୨୦ରେ ମାମଲା ରୁଜୁ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ଦ୍ୱିତୀୟ ଘଟଣାକ୍ରମରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ସିମନାବାଡ଼ି ଗ୍ରାମର ରଂଜନ ଦିଗାଲ ମନରେଗା କାର୍ଯ୍ୟର ୧ ଲକ୍ଷ ୬୦ ହଜାର ଟଙ୍କା ବିଲ୍ ପାସ କରିବା ପାଇଁ ଗ୍ରାମସେବକ ଦିଲିପ କୁମାର ସାହୁ ତାଙ୍କୁ ୩୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୨୦ ହଜାର ହାତରେ ଦେବେ ଏବଂ ଅନ୍ୟ ୧୨ ହଜାର ତାଙ୍କ ଆକାଉଣ୍ଟରେ ଜମା କରିବାକୁ କହିଥିଲେ। ଏନେଇ ରଂଜନ ଦିଗାଲ ବ୍ରହ୍ମପୁର ଭିଜିଲାନସ ବିଭାଗ ସହ ଯୋଗାଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଆଜି କ୍ୟାମିକେଲ ବୋଳା ଟଙ୍କା ଧରି ରଂଜନ ତାଙ୍କ କାର୍ଯ୍ୟାଳୟକୁ ଯାଇ ଦେବା ବେଳେ ଭିଜିଲାନସ ଅଧିକାରୀମାନେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ଏସ୍‌ବିଆଇ ଆକାଉଣ୍ଟକୁ ମଧ୍ୟ ତଦନ୍ତ କରିଥିଲେ। ତାଙ୍କ କ୍ୱାଟର ଏବଂ ଘରେ ମଧ୍ୟ ଚଢ଼ାଉ କରାଯାଉଛି। ଏନେଇ ଭିଜିଲାନସ କେସ ନଂ ୧୧/୨୦୨୦ରେ ତାଙ୍କୁ ଗିରଫ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ବିଳମ୍ବିତ ରାତ୍ରିରେ ଗୋଟିଏ ଦୋକାନଘର ଉପରେ ଘନଘନ ବୋମାମାଡ଼ କରାଯାଇଥିଲା। ସୂଚନାଥାଉକି ସେହି ଦୋକାନଘରଟି ବାଲାଜିପେଣ୍ଠ ସାହିରେ ରହୁଥିବା ରାଜେନ୍ଦ୍ର ସାହୁଙ୍କର। ଯିଏକି ସଦରଥାନା ଅନ୍ତର୍ଗତ ଭାବିନିପୁର ଯିବା ରାସ୍ତା ବ୍ୟାଙ୍କ କଲୋନୀ ୫ମ ଗଳିରେ ଦୋକାନ କରିଛନ୍ତି। ଦେଖଣାହାରୀଠାରୁ ପ୍ରକାଶ ଯେ, ଗତକାଲି ଝିପ୍ ଝିପ୍ ବର୍ଷା ହେଉଥିବା ସମୟରେ ଦୁଇଜଣ ଯୁବକ ସେହି ରାସ୍ତା ଦେଇ ଚାଲି ଚାଲି ଯାଇ ସେହି ଦୋକାନଘର ଉପକରୁ ବୋମାମାଡ଼ କରିଥିଲେ। ଯାହାଫଳରେ ଦୁଇଟି ବୋମା ଫୁଟିଥିବାବେଳେ ଅନ୍ୟ ଦୁଇଟି ଅଫୁଟା ରହିଥିଲା। ଯାହାକି ପୋଲିସ୍ ଜବତ କରିଛି।

ଏଠାରେ ଅନୁମାନ କରାଯାଉଛି ଯେ, କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହିପରି ବୋମାମାଡ଼ ହୋଇଥାଇପାରେ। କିନ୍ତୁ ଏହି ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଏହି ଦୋକାନର ମଧ୍ୟ କୌଣସି କ୍ଷତି ହୋଇନାହିଁ। ଘଟଣା ଶୁଣିବା ସଂଗେ ସଂଗେ ସଦରଥାନା ପୋଲିସ୍‌, ବୈଦ୍ୟନାଥପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିଲେ। କିନ୍ତୁ ବୋମାମାଡ଼କାରୀଙ୍କ କୌଣସି ପତ୍ତା ମଳିନଥିଲା। ଏନେଇ ସଦରଥାନାରେ ୨୩୬/୨୦ରେ ମାମଲା ରୁଜୁ ହୋଇଛି ଏବଂ ଉକ୍ତ ବୋମାମାଡ଼ କାହିଁକି ଏବଂ କେଉଁମାନେ କରିଛନ୍ତି ତା’ର ଛାନ୍‌ଭିନ୍ ଚାଲିଛି ବୋଲି ସଦରଥାନା ଆଇଆଇସି ସନ୍ତୋଷିନୀ ଓରାମ୍ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣିଜ୍ୟ ପରୀକ୍ଷାରେ ନୀଳକଣ୍ଠନଗର ଶିଶୁମନ୍ଦିର ଛାତ୍ରଛାତ୍ରୀଙ୍କ ସଫଳତା

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଯୁକ୍ତ ୨ ବାଣିଜ୍ୟ ବୋର୍ଡ଼ ପରୀକ୍ଷାରେ ନୀଳକଣ୍ଠନଗର ଶିଶୁବିଦ୍ୟାମନ୍ଦିର ରାଜ୍ୟର ୩ୟ ର‌୍ୟାଙ୍କ ସହ ରେକର୍ଡ଼ ସଫଳତା ହାସଲ କରିଛି। ଆଜି ପ୍ରକାଶିତ ଯୁକ୍ତ ୨ ବାଣିଜ୍ୟ ବୋର୍ଡ଼ ପରୀକ୍ଷାରେ ମହାବିଦ୍ୟାଳୟର ୧୨୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୫ ପ୍ରଥମ ଶ୍ରେଣୀରେ, ୬ ଜଣ ଦ୍ୱିତୀୟ ଶ୍ରେଣୀରେ, ଏବଂ ୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ର ରାହୁଲ ପ୍ରସନ୍ନ ସାହୁ ୫୬୧ (୯୩.୫%), ଏସ୍‌. ସାଇକ୍ରିଷ୍ଣା ପାତ୍ର ୫୫୪, ତୃତୀୟ ସ୍ଥାନରେ ବି. ସ୍ନେହା ରାଣୀ ପାତ୍ର ୫୫୦, ଚତୁର୍ଥ ସ୍ଥାନରେ ଏ. ସନ୍ଧ୍ୟାରାଣୀ ୫୪୮ ନମ୍ବର ରଖିଛନ୍ତି। ସ୍କୁଲର ପ୍ରଥମ ସ୍ଥାନ ହାସଲ କରିଥିବା ରାହୁଲ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରି ଅନୁଷ୍ଠାନ ପାଇଁ ଅପୂର୍ବ ସଫଳତା ଆଣିଛନ୍ତି। ଛାତ୍ରଛାତ୍ରୀଙ୍କ ରାଜ୍ୟସ୍ତରୀୟ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ. ହରିକୃଷ୍ଣ ନାୟକ, ସଂପାଦକ ନାରାୟଣ ପଣ୍ଡା, ଯୁଗ୍ମ ସଂପାଦିକା ଇଂ. ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହ. ସଦସ୍ୟା ବାସନ୍ତୀ ବେହେରା, ଉପଦେଷ୍ଟା ଧର୍ମରାଜୁ ସାହୁ, ନରସିଂହ ଚୌଧୁରୀ, ସୁଦର୍ଶନ ପାଢ଼ୀ, ହରିକୃଷ୍ଣ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବି. ଗଜପତି ରାଓ, ବିଦ୍ୟାଳୟ ଅଧ୍ୟକ୍ଷ ଏସ୍‌. ମୋହନ ରାଓ, ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି: ମାନସ ମଙ୍ଗରାଜ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ସର୍କିଟ୍ ହାଉସ୍‌ଠାରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ମିଡ଼ିଆ ସଂପର୍କ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗୀୟ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ସାମ୍ବାଦିକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ସଂପ୍ରତି ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଇଥିବାବେଳେ ଗଂଜାମ ଜିଲ୍ଲାର ସ୍ଥିତି ଗମ୍ଭୀର। ତେଣୁ ଏହାକୁ ନେଇ ଉଭୟ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅତି ଗୁୁୁରୁତର ଭାବରେ ନେଇଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଗଣମାଧ୍ୟମ ଏବଂ ତା’ର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମଙ୍ଗରାଜ କହିଥିଲେ। ଜିଲ୍ଲାରେ କରୋନାର ମାତ୍ରା ଅହେତୁକ ଭାବେ ବୃଦ୍ଧିର ମୁଖ୍ୟ କାରଣ କ’ଣ ହୋଇପାରେ ବୋଲି ଆଜି ସାମ୍ବାଦିକମାନଙ୍କଠାରୁ ମତ ମଗାଯାଇଥିଲା।

ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ସାମ୍ବାଦିକ କରୋନା ମହାମାରୀ ଅହେତୁକ ବୃଦ୍ଧିକୁ ନେଇ ନିଜ ନିଜର ମତ ଦେଇଥିଲେ। ଯାହାକି ଆଗାମୀ ଦିନରେ କରୋନାକୁ ମୁକାବିଲା କରିବା ପାଇଁ ଏହା ମୁଖ୍ୟ ଅସ୍ତ୍ର ରୂପେ ବ୍ୟବହାର କରାଯାଇପାରିବ ବୋଲି ସାମ୍ବାଦିକମାନେ ଆଶା ବ୍ୟକ୍ତ କରିଥିଲେ। ଗଂଜାମ ଜିଲ୍ଲାର ମୁଖ୍ୟତଃ ପ୍ରଶାସନିକ ଅଧିକାରୀଙ୍କ ଭିତରେ ସମନ୍ୱୟର ଅଭାବ ଏବଂ ସାମ୍ବାଦିକମାନଙ୍କର ମତକୁ ଜିଲ୍ଲା ପ୍ରଶାସନ ଉପେକ୍ଷା କରିବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ସାମ୍ବାଦିକଙ୍କୁ ଅନ୍ଧାରରେ ରଖୁଥିବାକୁ ନେଇ ଆଜି ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ।

Categories
ଆଞ୍ଚଳିକ

ବ୍ରହ୍ମପୁର ପାଇକରି ଭଣ୍ଡାର ସମ୍ପାଦକ କାର୍ଯ୍ୟରୁ ବହିସ୍କୃତ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁର ସମବାୟ ପାଇକରି ଭଣ୍ଡାର ସମ୍ପାଦକ ଶଙ୍କର ପ୍ରସାଦ ଦାସଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଥିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ପୂର୍ବତନ ସମ୍ପାଦକ ଦେବେନ୍ଦ୍ର ଦାସ କାର୍ଯ୍ୟରୁ ଅବସର ନେବାପରେ ବେଆଇନ ଭାବରେ ନିଜ ପୁଅ ଶଙ୍କର ପ୍ରସାଦ ଦାସଙ୍କୁ ଉକ୍ତ ସଂସ୍ଥାର ସମ୍ପାଦକ କାର୍ଯ୍ୟଭାର ପ୍ରଦାନ କରିଥିଲେ। ସମ୍ପାଦକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ବ୍ରହ୍ମପୁର ସମବାୟ ସମିତି ସମୂହ ଉପ-ନିବନ୍ଧକ ବିଶ୍ୱ ରଞ୍ଜନ ଦାସଙ୍କ ନିକଟରେ ଖବର ପହଞ୍ଚିବା ପରେ ଘଟଣାର ତଦନ୍ତ ଖୋଦ ଶ୍ରୀ ଦାସ କରିଥିଲେ ଏବଂ ଉପ-ନିବନ୍ଧକ ତଦନ୍ତ କରି ଜାଣିବାକୁ ପାଇଥିଲେ ନିଯୁକ୍ତିରେ ଅନିୟମିତତା ହୋଇଅଛି।

କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ହାତବାରିସୀ କରି ପୂର୍ବତନ ସମ୍ପାଦକ ଜାଲିଆତି କରି ନିଜ ପୁଅକୁ ବେଆଇନ ଭାବରେ ଉକ୍ତ ସଂସ୍ଥାର ଦାୟିତ୍ୱ ଦେଇଥିବା ନେଇ ପ୍ରମାଣ ମିଳିବା ପରେ ସମ୍ପାଦକଙ୍କୁ ବହିଷ୍କାର କରିବା ପାଇଁ ଉପ-ନିବନ୍ଧକ ନିର୍ଦ୍ଧେଶ କରିଥିଲେ ଯାହାଫଳରେ ପାଇକରି ଭଣ୍ଡାର ଦାୟିତ୍ୱରେ ଥିବା ସହ ସହକାରୀ ସହ ନିବନ୍ଧକ ପ୍ରମୋଦ କୁମାର ପଣ୍ଡା ପାଇକରି ଭଣ୍ଡାର ଚିଠି ସଂଖ୍ୟା ୨୯/୨୦୨୦ରେ ସମ୍ପାଦକଙ୍କୁ ବହିସ୍କୃତ କରିଛନ୍ତି। ପୂର୍ବରୁ ଏହି କାର୍ଯ୍ୟାଳୟର ହୋଇଥିବା ଦୁର୍ନୀତି ଓ ଅନିୟମିତତା ବାବଦରେ ତତ୍କାଳୀନ ଗଞ୍ଜାମ ଜିଲ୍ଲା ସମବାୟ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ ସେତେବେଳର ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ସମବାୟ ସମୂହ ନିବନ୍ଧକ ଭୁବନେଶ୍ୱରଙ୍କ ଠାରେ ଅଭିଯୋଗ କରିଥିଲେ ଏବଂ ମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ନିର୍ଦ୍ଧେଶକ ସ୍ୱତନ୍ତ୍ର ଅଡିଟ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ।

ପାଇକରି ଭଣ୍ଡାରର ଆଦାୟ ହେଉଥିବା ଅର୍ଥ କଲ୍ୟାଣ ମଣ୍ଡପ ଦୋକାନ ଗୃହ ଏବଂ ବିଭିନ୍ନ ଭଣ୍ଡାରର ଅର୍ଥକୁ ଆତ୍ମସାତ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ପରିପେକ୍ଷିରେ ସମ୍ପାଦକଙ୍କୁ ବହିସ୍କୃତ କରିବା ଅନିୟମିତତାର ଜ୍ୱଳନ୍ତ ଉଦାହରଣ। ଏହାର ଏକ ସ୍ୱତନ୍ତ୍ର ଅଡିଟ କଲେ ପ୍ରକୃତ ଅର୍ଥ ହେରଫେରର ଗୁମର ଖୋଲିବ। ପରବର୍ତ୍ତୀ ସମୟରେ ସହକାରୀ ଉପ-ନିବନ୍ଧକ ଶିବ ଶଙ୍କର ସ୍ୱାଇଁଙ୍କୁ ଉକ୍ତ କାର୍ଯ୍ୟାଳୟର ସଭାପତି ଦାୟିତ୍ୱ ଦିଆଯାଇଥିବାବେଳେ ସହ ସହକାରୀ ସହ ନିବନ୍ଧକ ପ୍ରମୋଦ କୁମାର ପଣ୍ଡାଙ୍କୁ କାର୍ଯ୍ୟାଳୟର ସମ୍ପାଦକ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ସରକାର ଯେଉଁ ଉଦ୍ଦେଶ୍ୟରେ ପାଇକରି ଭଣ୍ଡାର ଗଠନ କରିଥିଲେ ତାହା ଲୋକଙ୍କ ସେବାରେ ଆସୁନଥିଲା ବର୍ତ୍ତମାନ ପ୍ରଶାସନର ଏହି ପଦକ୍ଷେପ ପରେ କାର୍ଯ୍ୟାଳୟ ପ୍ରକୃତ ଲୋକଙ୍କ ସେବାରେ ଆସିବ ବୋଲି ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଚନ୍ତି। ଉକ୍ତ କାର୍ଯ୍ୟାଳୟ ଗରିବ ନିଷ୍ପେସିତଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କମ ମୂଲ୍ୟରେ ପ୍ରଦାନ କରିବା ପାଇଁ ଉଦ୍ଧିଷ୍ଟ ଥିବାବେଳେ କିଛି କୁଜିନେତାଙ୍କ କବ୍ଜା ମଧ୍ୟରେ ରହି ଏହା ବାଟମାରଣାର ପେଣ୍ଠସ୍ଥଳି ପାଲଟିଥିଲା।

ବର୍ତ୍ତମାନ ସରକାର କର୍ମଚାରୀ କାର୍ଯ୍ୟଭାର ଗ୍ରହଣ କରିବା ପରେ ଯେଉଁ ମହତ ଉଦ୍ଦେଶ୍ୟ ରଖି ସରକାର ଏହାକୁ ଗଢି ତୋଳିଛନ୍ତି ଲୋକଙ୍କ ପାଖରେ ପ୍ରକୃତ ସୁବିଧା ସୁଯୋଗ ପହଞ୍ଚିବ ଏବଂ ଅନ୍ୟପକ୍ଷରେ ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ଭୁୟସୀ ପ୍ରଶଂସା ମିଳିଥିବା ଦେଖିବାକୁ ମିଳିଛି। ଏବଂ ପ୍ରଶାସନିକ ପଦକ୍ଷେପକୁ ଓଡିଶା ରାଜ୍ୟ ସମବାୟ ସଙ୍ଘ ନିର୍ଦ୍ଧେଶକ ସନାତନ ସଂଗ୍ରାମ ସିଂ ସ୍ୱାଗତ କରିବା ସହ ତଦନ୍ତ କରି ଘୋଟଲାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିବା ପାଇଁ ଦାବି କରିଚନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି। କିନ୍ତୁ ଯେପର୍ଯ୍ୟନ୍ତ ଟୀକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନ ବାହାରିଛି ଏହି ମହାମାରୀ ବିରୁଦ୍ଧରେ ଫଳପ୍ରଦ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ବ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ କରିବା ଏବେ ନିତାନ୍ତ ଅପରିହାର୍ଯ୍ଯ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ। ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ  ଏହି ଅବସରରେ ନିବେଦନ କରିଥିଲେ। ଗହଳି ନ ଯିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନଲକ-୩ ପରେ ଦେଶର ହଟସ୍ପଟ ଅଞ୍ଚଳରୁ   ଆମର ଭାଇଭଉଣୀମାନେ ଘରକୁ ଫେରିଛନ୍ତି। ଆମର କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ, ନିଷ୍ଠା ଏବଂ ଗଞ୍ଜାମର ଜନସାଧାରଣଙ୍କର ସହଯୋଗ ଯୋଗୁ ଗଞ୍ଜାମ ଜିଲ୍ଲା ଏହି ମହାମାରୀ ବିରୁଦ୍ଧରେ ସଫଳତାର ସହ ଲଢେଇ ଜାରି ରଖିଛି। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଏବଂ ଗଞ୍ଜାମର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କରୋନା ମହାମାରୀ କବଳରୁ ଲୋକମାନଙ୍କ ଜୀବନରକ୍ଷା ନିମନ୍ତେ ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସାମାଜିକ ଦୂରତ୍ବ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଗୁରୁତ୍ବ ଦେଇଥିଲେ। ବ୍ରହ୍ମପୁରର ଏହି ଦୁଇଟି ହସ୍‌ପିଟାଲ ଜିଲ୍ଲାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ସହାୟକ ହେବ ବୋଲି ଜଂଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଶାପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରର ସାସଂଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ। ବ୍ରହ୍ମପୁର ମ୍ୟୁନିସ୍‌ପାଲ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ବ୍ରହ୍ମପୁରର କନିଷି ଠାରେ ଥିବା ଅମିତ୍‌ ହସ୍‌ପିଟାଲରେ କଟକର ଅଶ୍ବିନୀ ହସ୍‌ପିଟାଲ ପକ୍ଷରୁ ଏହି ୧୫୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍‌ପିଟାଲ ସ୍ଥାପନ କରାଯାଇଥିବାବେଳେ ଏଥିରେ ୨୪ଟି ଆଇସିୟୁ ବେଡ୍ ରହିଛି। ସେହିପରି ଏମକେସିଜି ହସ୍‌ପିଟାଲର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍‌ପିଟାଲ ଆରମ୍ଭ କରାଯାଇଛି । ଏଥିରେ ମଧ୍ୟ ୧୫୦ଟି ଶଯ୍ୟା ରହିଛି ଏବଂ ୨୪ଟି ଆଇସିୟୁ ବେଡ୍ ଅଛି। ପୂର୍ବରୁ ବ୍ରହ୍ମପୁରର ଶିତଳାପଲ୍ଲୀଠାରେ ଟାଟା କୋଭିଡ ହସ୍‌ପିଟାଲରେ ଚିକିତ୍ସା ଜାରି ରହିଛି।

Categories
ଆଞ୍ଚଳିକ

ମୋ ପରିବାର ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଂପ୍ରତି କରୋନା ମହାମାରୀ ଲାଗି ରାଜ୍ୟରେ ସୃଷ୍ଟି ହୋଇଥିବା ରକ୍ତ ଅଭାବ ଦୂର କରବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱେଚ୍ଚାକୃତ ରକ୍ତଦାନ ସକାଶେ ଆହ୍ୱାନ ଦେଇଛନ୍ତି। ବ୍ରହ୍ମପୁର ସରକାରୀ ରକ୍ତଭଣ୍ଡାରରେ ଗଚ୍ଛିତ ରକ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ଓଡ଼ିଶା ମୋ ପରିବାର ତରଫରୁ ଏମ୍‌କେସିଜି ମେଡ଼ିକାଲ୍ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଯେତେ ଦିନ ପର୍ଯ୍ୟନ୍ତ ରକ୍ତର ଅଭାବ ଦୂର ହେବ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। କୋଭିଡ଼ ନିର୍ଦ୍ଦେଶାବଳୀ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା କରି ପ୍ରତ୍ୟକ୍ଷ ଅନୁଷ୍ଠିତ ହେବାକୁ ଥିବା ଏହି ରକ୍ତଦାନ ଶିବିରକୁ ପ୍ରତ୍ୟେକ ଦିନ ଉତ୍ସାହୀ ଯୁବକମାନେ ଆସି ରକ୍ତଦାନ କରିବାକୁ ବିଧାୟକ ବିକ୍ରମ ପଣ୍ଡା ନିବେଦନ କରିଛନ୍ତି। ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Categories
ଆଞ୍ଚଳିକ

ଅବକାରୀ ଚଢ଼ାଉ: ୫ହଜାର ଲିଟିର ଦେଶୀ ମଦ ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଏକ ବଡ଼ଧରଣର ଅବକାରୀ ଚଢ଼ାଉ ହୋଇ ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ କମ୍ଭଝରୀ ଗ୍ରାମରେ ବ୍ୟାପକ ଦେଶୀ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ଏବଂ ତହସିଲ୍‌ଦାର ଖବର ପାଇଥିଲେ। ଉଭୟ ବିଭାଗର ବହୁ କର୍ମଚାରୀଙ୍କ ସହ ଅତିର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ପ୍ରାୟ ୫୦୦୦ ଲିଟର ଦେଶୀ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆହତ ଯୁବକଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍ଧାର କରି ମେଡ଼ିକାଲ୍ ନେବାରେ ସହାୟତା କରିଥିଲେ। ଆଜି ଜଣେ ଯୁବକ ବ୍ରହ୍ମପୁର ଆଡ଼ୁ ଆନ୍ଧ୍ରା ପଟକୁ ଯାଉଥିବାବେଳେ କନିଷି ଛକ ନିକଟରେ ଦୁର୍ଘଟଣାରେ ଶିକାର ହୋଇଥିଲେ। ସେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାବେଳେ ଜିଲ୍ଲାପାଳ ଉକ୍ତ ରାସ୍ତା ଦେଇ ଯାଉଥିଲେ। ସେ ଆହତ ଯୁବକଙ୍କୁ ଦେଖିବା କ୍ଷଣି ଗାଡ଼ିରୁ ଓହ୍ଲାଇ ତୁରନ୍ତ ମେଡ଼ିକାଲ୍ ପଠାଇବା ବ୍ୟବସ୍ଥା କରିଥିଲେ। ଆହତ ଯୁବକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ।