Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ସହ ସଂପର୍କ: ପଢନ୍ତୁ ସେହି ଅଲୌକିକ କଥା  

କାକଟପୁର: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କାକଟପୁର ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଆରମ୍ଭ ହୋଇଯାଇଛି। ତେବେ ମା’ ଙ୍କର ଏହି ଝାମୁ ଯାତ୍ରା କେଉଁ ଅନାଦୀ କାଳରୁ ପାଳିତ ହୋଇଆସୁଛି। ହେଲେ ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ସହ ମହାପ୍ରଭୁ ଜଗନ୍ନାଥଙ୍କ ସଂପର୍କ ରହିଛି। ଏହାର ଏକ କିମ୍ବଦନ୍ତୀ ରହିଛି, ଯାହାକୁ ନେଇ ଭକ୍ତ ଅଗୋଚର ଅଛନ୍ତି। ଆସନ୍ତୁ ଜାଣିବା ଏହି ଅଲୌକିକ କଥା

ଏକଦା ବର୍ଷେ ଗୋବିନ୍ଦ ଦ୍ଵାଦଶୀ ବୁଡ ପୁରୀରେ ଅନୁଷ୍ଠିତ ହେବାର ଥିଲା, ସେହି ବର୍ଷ ରାଜା ଯଯାତି କେଶରୀ (ରାଜଧାନୀ ଥିଲା ଯାଯପୁର) ଗୋବିନ୍ଦ ଦ୍ଵାଦଶୀ ବୁଡ ଅବସରରେ ମହୋଦଧିରେ ବୁଡ ପକାଇବା ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ। ତେବେ ବୁଡ ପରେ ତୀର୍ଥ ନିକଟସ୍ଥ ଦେବତାଙ୍କୁ ଦର୍ଶନ କରିବାର ବିଧି ଥିବା ହେତୁ ଶ୍ରୀମନ୍ଦିରକୁ ଯାଇ ଦେଖନ୍ତେ ରତ୍ନ ସିଂହାସନ ଖାଲି ପଡିଥିଲା। ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହ ସୋନପୁରର କୋଟସମଲାଏ ଠାରେ ୧୪୪ ବର୍ଷ ଧରି ପାତାଳୀ ହୋଇଥିଲେ।

ସେହି ସମୟରେ ଯଯାତି କେଶରୀ ତତ୍କାଳୀନ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ ମହାପ୍ରଭୁଙ୍କ ଶ୍ରୀବିଗ୍ରହମାନଙ୍କୁ ଉଦ୍ଧାର କରିବା ନେଇ ଚେଷ୍ଟାରତ ହେଲେ। ତେବେ ପାତାଳୀରୁ ଉଦ୍ଧାର କରିବା ପରେ ଶ୍ରୀବିଗ୍ରହମାନେ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେ। ତେଣୁ ନବକଳେବର ପ୍ରକ୍ରିୟାର ଭିତ୍ତିଭୂମି ଏହିଠାରୁ ହିଁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ନବକଳେବର ନିମନ୍ତେ ନିମ୍ବ କାଠର ଆବଶ୍ୟକତା ପଡିଲା। ସେହି ସମୟରେ ପ୍ରାଚୀ ଉପତ୍ୟକା ଅତ୍ୟନ୍ତ ସମୃଦ୍ଧ ଥିଲା ଏବଂ ଏହାର ପଠାରେ ବହୁଳ ପରିମାଣରେ ନିମ୍ବ ବୃକ୍ଷ ଥିଲା।

ପ୍ରାଚୀ ତୀର୍ଥର ଅଧୀଶ୍ବରୀ ମା’ ମଙ୍ଗଳା ସେଠାରେ ପୂଜା ପାଉଥିଲେ। ତେବେ ଶଙ୍କରାଚାର୍ଯ୍ୟ ନବକଳେବର କରିବା ଉଦ୍ଦେଶ୍ୟରେ ମା’ ମଙ୍ଗଳାଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରି ଉକ୍ତ ସ୍ଥାନରୁ ନିମ୍ବ କାଠ କାଟି ଆଣି ଦାରୁ ନିର୍ମାଣ କରିବା ପାଇଁ ସ୍ଥିର କଲେ।

ପରବର୍ତ୍ତୀ ସମୟରେ ଜଣା ପଡିଲା ଯେ ମା’ ମଙ୍ଗଳା ପ୍ରାଚୀ ନଦୀରେ ଆସିଥିବା ବନ୍ୟା ପାଣି ରେ ଭାସିଯାଇଛନ୍ତି ଓ ତାଙ୍କର ପୂର୍ବତନ ପୂଜାସ୍ଥଳ ଦେଉଳି ମଠରେ ଆଉ ନାହାଁନ୍ତି। ତେଣୁ ମା ମଙ୍ଗଳାଙ୍କୁ ଉଦ୍ଧାର କରିବା ପାଇଁ ତତ୍କାଳୀନ ଗଜପତିଙ୍କ ନିର୍ଦ୍ଦେଶାନୁଶାରେ ହଟ ଓ ବଟ ଦୀକ୍ଷିତ ବୋଲି ଦୁଇ ତାନ୍ତ୍ରିକଙ୍କୁ କାକଟପୁରର ପ୍ରାଚୀ ଉପତ୍ୟକାରୁ ମଙ୍ଗଳାଙ୍କ ଅନ୍ୱେଷଣ ନିମନ୍ତେ ପ୍ରେରିତ କରାଗଲା। ସେମାନେ ସେଠାକୁ ଯାଇ ଉକ୍ତ ଗ୍ରାମର ଗ୍ରାମଦେବତୀ କାକଟେଇ ଙ୍କ ନିକଟରେ ମା’ ମଙ୍ଗଳାଙ୍କ ଉଦ୍ଧାର ନିମନ୍ତେ କୃପା ଭିକ୍ଷା କଲେ।

କାକଟେଇ ତାଙ୍କ ଉପରେ ପ୍ରସନ୍ନ ହୋଇ ନିଜେ ଗ୍ରାମର ଗ୍ରାମଦେବତୀ ହେବେ ବୋଲି ତାଙ୍କ ଠାରୁ ବଚନ ନେଇ ମଙ୍ଗଳା ପ୍ରାଚୀ ନଦୀରେ ବୁଡିକି ଅଛନ୍ତି ବୋଲି ତାଙ୍କୁ ସ୍ୱପ୍ନାଦେଶ କଲେ। ଯେହେତୁ ମଙ୍ଗଳା ପ୍ରାଚୀ ନଦୀରେ ବୁଡିକି ଥିଲେ ତେଣୁ ଚୈତ୍ର ମାସର ପ୍ରଥମ ପାଳି ମଙ୍ଗଳବାରରେ ହଟ ଓ ବଟ ଦୀକ୍ଷିତ ପ୍ରାଚୀରୁ ପାଣି ତୋଳି ମା’ ଙ୍କର ଆବାହନ କରିଥିଲେ। କିନ୍ତୁ ସେଠାରେ ମା’ ଙ୍କର କୌଣସି ସନ୍ଧାନ ମିଳିଲା ନାହିଁ। ଏହିପରି ଭାବେ ଚାରିପାଳି ଅନ୍ତ ହେଲେ ମଧ୍ୟ ମା’ ମଙ୍ଗଳାଙ୍କ ଆବିର୍ଭାବର କୌଣସି ସଙ୍କେତ ମିଳିଲା ନାହିଁ। ଏଣେ ଦାରୁ ଅନ୍ୱେଷଣ ପାଇଁ ବନଯାଗଯାତ୍ରୀ ମାନେ ଶ୍ରୀକ୍ଷେତ୍ର ରୁ ଆସିଗଲେଣି।

ତେବେ ଚୈତ୍ର ଶେଷ ପାଳି ମଙ୍ଗଳବାର ଦିନ ହଟ ଓ ବଟ ଦୀକ୍ଷିତ ରାଜଦଣ୍ଡ ଭୟରେ କାକଟେଇଙ୍କ ସମ୍ମୁଖରେ ଅଗ୍ନିଗାଡ କରି ନିଜକୁ ଝାସ ଦେବାକୁ ପ୍ରସ୍ତୁତ ହୁଅନ୍ତେ କଲ୍ୟାଣମୟୀ ଭକ୍ତବତ୍ସଳା ଭଗବତୀ ମଙ୍ଗଳା ପ୍ରାଚୀ ନଦୀରୁ ଆବିର୍ଭାବ ହୋଇ ନିଜ ଭକ୍ତଙ୍କୁ ତାଙ୍କର ଠିକଣା ଦେଲେ ଏବଂ ମା’ ଙ୍କର ମୂର୍ତ୍ତିର ପୁନରୁଦ୍ଧାର କରାଗଲା। ଏହା ହିଁ ମା’ ଙ୍କ ଚଇତି ଯାତ ବା ଝାମୁଯାତର କିମ୍ବଦନ୍ତୀ।

ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ଏକ କାଷ୍ଠ ମଣ୍ଡପରେ ମା’ ମଙ୍ଗଳାଙ୍କୁ ସ୍ଥାପନା କରାଗଲା। ମଙ୍ଗଳପୁର ଗ୍ରାମର ଗ୍ରାମଦେବତୀ ହେଉଛନ୍ତି ମା’ ଦକ୍ଷିଣଚଣ୍ଡୀ।

ଆଜି ମଧ୍ୟ ଶାରଳା ପୀଠ ରୁ ଆସିଥିବା ପାଟୁଆମାନେ ପ୍ରଥମ ଚାରିପାଳି ଘଟ ସାହାଯ୍ୟରେ ପ୍ରାଚୀ ନଦୀରୁ ପାଣି ତୋଳି ମା’ ଙ୍କ ଆଜ୍ଞାମାଳ ପାଇ ମା’ ଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିଥାନ୍ତି ଏବଂ ଶେଷ ପାଳିରେ ଅଗ୍ନି ଗର୍ତ୍ତରେ ରଡ ନିଁଆ ଉପରେ ଚାଲି ମା’ ଙ୍କ ନିକଟରେ ନିଜ ଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥାନ୍ତି।

ଓଡିଆ ଜାତିର ଅସ୍ମିତା ହେଲେ ମହାପ୍ରଭୁ ଓ ଓଡିଆ ଜାତିର ପରିଚୟ ହେଲେ ମହାପ୍ରଭୁ। ତାଙ୍କ କ୍ରିୟାଶକ୍ତି ସମସ୍ତ ଅଷ୍ଟକୀଳଶକ୍ତି ମାନଙ୍କ ମଧ୍ୟରୁ ମା’ ମଙ୍ଗଳା ହେଉଛନ୍ତି ଅନ୍ୟତମା।

ତନ୍ତ୍ରସାର ଅନୁସାରେ – “ମଙ୍ଗଳା ସର୍ବଶୁଭଦା ପ୍ରାଚୀ ନଦୀ ତଟେ ସ୍ଥିତା।”

ସେ ପରଂବ୍ରହ୍ମଙ୍କ ସହଚରୀ ଓ ସହଯୋଗୀ ହୋଇଥିବା ହେତୁ ମଙ୍ଗଳା ହେଉଛନ୍ତି ପରାଶକ୍ତି। ତେବେ ଏ ଜାତି ମହାପ୍ରଭୁଙ୍କୁ ଛାଡି କେବେ ତିଷ୍ଠି ପାରିନି। ଏ ଜାତିର ସମସ୍ତ ପର୍ବପର୍ବାଣୀ ଓ ଶୁଭକର୍ମରେ ମହାପ୍ରଭୁଙ୍କ ସଂଶ୍ଲିଷ୍ଟ ହେବା ବିଧେୟ। ତେବେ ମା’ ମଙ୍ଗଳା ବା ଏଥିରୁ ବାଦ୍ ପଡିଥାନ୍ତେ କେମିତି!

ତେଣୁ ଆଜି ମା’ ମଙ୍ଗଳାଙ୍କ ଝାମୁଯାତ୍ରା ମହାପ୍ରଭୁଙ୍କ ସେହି ଗୌରବମୟ ଗାଥାକୁ ବହନ କରେ।

ମହାପ୍ରଭୁଙ୍କ ସେହି ଗୌରବମୟ ଗାଥାକୁ ବହନ କରେ ମା’ ମଙ୍ଗଳାଙ୍କ ଝାମୁଯାତ୍ରା

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

ଭୁବନେଶ୍ୱର: ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି। ଓଡିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ ପୂଜା ପାଇ ଆସୁଛନ୍ତି। ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ। ମାଙ୍କ ର ଚୈତ୍ର ମଙ୍ଗଳବାରକୁ ସାରା ଓଡିଶାର ମହିଳାମାନେ ଅତ୍ୟନ୍ତ ଭକ୍ତି ଓ ନିଷ୍ଠା ର ସହ ପାଳନ କରିଥାନ୍ତି।

ମା ଙ୍କର ଏହି ପବିତ୍ର ମାସ ଅବସରରେ ଆଜି ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୂଷୁଣ୍ଡପୁର ର ମା ଉଗ୍ରତାରା ଓ ବାଣପୁର ର ମା ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ପୁର୍ତ୍ତ ବିଭାଗର ପର୍ଯ୍ୟଟନ ସ୍ଥଳ ଓ ଐତିହ କିର୍ତ୍ତିରାଜୀର ସମ୍ୱନିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି। ଓଡିଶା ସେତୁ ନିର୍ମାଣ ନିଗମ ଉପରେ ବିକାଶ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ପୁରୀ ଜିଲ୍ଲା ର କାକଟପୁରରେ ବିରାଜିତ ମା ମଙ୍ଗଳା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମା ମାଙ୍ଗଳାଙ୍କ ପୀଠର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି। ନବକଳେବର ସମୟରେ ଦଇତାପତି ସେବକମାନେ ମାଙ୍କ ଆଜ୍ଞାକ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି। ଚୈତ୍ର ମାସରେ ଝାମୁ ଯାତ୍ରା ମାଙ୍କ ପ୍ରସିଦ୍ଧ ପର୍ବ। 5T ଉପକ୍ରମରେ ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନ ରେ ମନ୍ଦିରରେ khondalite ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ।

ଏହା ସହିତ ସେବାୟତ ଭବନ, ଭୋଗ ଦୋକାନ ପ୍ରାଚୀ ନଦୀ କୂଳରେ ମୁଣ୍ଡନ kiosk, ଚନ୍ଦନଘାଟର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ। ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ ଦ୍ୱାର ନିର୍ମାଣ କରାଯିବ। ଯାତ୍ରୀମାନଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକୀକରଣ, Landscaping ଓ ବୃକ୍ଷରୋପଣ କରାଯିବା ସହିତ ପାର୍କିଙ୍ଗ ସ୍ଥଳର ମଧ୍ୟ ବିକାଶ କରାଯିବ। ଓଡିଶା ସେତୁ ନିର୍ମାଣ ନିଗମ ୧୨ ମାସ ମଧ୍ୟରେ ଏହାକୁ ସଂପୁର୍ଣ୍ଣ କରିବ।

ଖୋର୍ଦ୍ଦା ଜିଲ୍ଲା ବାଣପୁରର ମା ଭବବତୀଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥାନ୍ତି। ମାଙ୍କ ପୀଠରେ ଦଶହରା ପର୍ବ ବିପୁଳ ଉତ୍ସାହ ମଧ୍ୟରେ ପାଳନ କରାଯାଇଥାଏ। ନବମ ଶତାବ୍ଦୀରେ ନିର୍ମିତ ମାଙ୍କ ମନ୍ଦିର ର ବିକାଶ ପାଇଁ 5T ଉପକ୍ରମରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିର ର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି। ଏହା ସହିତ ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଓଡିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ କରିବ।

ଖୋର୍ଦ୍ଦା ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ହେଉଛି ଭୁଷୁଣ୍ଡପୁରର ମା ଉଗ୍ରତାରାଙ୍କ ପୀଠ। ୧୩୫୨ ଖ୍ରୀଷ୍ଟାବ୍ଦରେ ନିର୍ମିତ ମା ଉଗ୍ରତାରାଙ୍କ ପୀଠ ଭକ୍ତମାନଙ୍କ ବିଶ୍ୱାସ ର କେନ୍ଦ୍ର ହୋଇ ରହି ଆସିଛି । ଏହି ପୀଠର ବିକାଶ ପାଇଁ ପ୍ରସ୍ତୁତ ଯୋଜନାରେ ମନ୍ଦିରର ବିକାଶ ସହ arrival plaza, ଯାତ୍ରୀ ଙ୍କ ସୁବିଧା, parking landscaping, picnic spot, ଯାତ୍ରା ପଡିଆ ସହିତ ପୋଖରୀ ର ମଧ୍ୟ ପୁନରୁଦ୍ଧାର କରାଯିବ। ଓଡିଶା ସେତୁ ନିର୍ମାଣ ନିଗମ ଦ୍ଵାରା ୧୮ ମାସ ମଧ୍ୟରେ କାମ ଶେଷ କରାଯିବ। ଏହି ତିନି ଗୋଟି ପୀଠର ବିକାଶ ଯୋଜନା କୁ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହ ମଧ୍ୟ ଆଲୋଚନା କରି ଯୋଜନା ସଂପର୍କରେ ସେମାନଙ୍କ ମତାମତ ନେଇଥିଲେ । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ ବିଭିନ୍ନ ସମୟରେ ଏହି ପୀଠ ମାନଙ୍କୁ ଯାଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସଂପର୍କରେ ଆଲୋଚନା କରିଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ ଓ ପୂର୍ତ୍ତ ବିଭାଗ ର ପ୍ରମୁଖ ଶାସନ ସଚିବ ଶ୍ରୀ ଭି.ଭି. ଯାଦବ ଉପସ୍ଥାପନା ରଖିଥିଲେ । ତିନି ପୀଠର ସେବାୟତମାନେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗ ଦେଇଥିଲେ । ସେବାୟତମାନେ ସେମାନଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।