Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜୀବନଶୈଳୀର ପରିବର୍ତ୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହୃଦ୍‌ଘାତକୁ ଏଡାଇହେବ: ବିଶେଷଜ୍ଞ

ଭୁବନେଶ୍ୱର: କରୋନା ମହାମାରୀ ମଣିଷର ସ୍ୱାସ୍ଥ୍ୟଗତ ବ୍ୟବସ୍ଥାକୁ ବିଗାଡି ଦେଇଛି। ଏଭଳି ପରିସ୍ଥିତିରେ ଜୀବନଶୈଳୀରେ ପରିବର୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହିଁ ହୃଦଘାତ ଭଳି ସମସ୍ୟାକୁ ଏଡାଇ ହେବ ବୋଲି ଗୁରୁବାର ବିଶ୍ୱ ହୃଦୟ ଦିବସ ଅବସରରେ ହୃଦରୋଗ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଏକ ଆତ୍ମ କୈନ୍ଦ୍ରିକ ମଣିଷ ଅଧିକ ଚାପରେ ରହିଥାଏ। ତେଣୁ ମାନସିକ ଚାପରେ ନିୟନ୍ତ୍ରଣ ଆଣିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ହୃଦୟ ଦିବସରେ ଏକ ଉପସ୍ଥାପନା ମାଧ୍ୟମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର କାର୍ଡିଓ ଭାସ୍କୁଲାର ଆଣ୍ଡ ଥୋରସିକ୍ ସର୍ଜରୀ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ବନବିହାରୀ ମିଶ୍ର କହିଛନ୍ତି।

ଡାକ୍ତର ମିଶ୍ର କହିଛନ୍ତି କରୋନା ଯୋଗୁଁ ଅନେକ ମୃତ୍ୟୁ ଘଟିଛି ଏବଂ ଏହା ଗୁରୁତର ଭାବେ ଲୋକମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି। ଅନେକ ଲୋକଙ୍କ ରକ୍ତ ଜମାଟ ବାନ୍ଧିବାର ସମସ୍ୟା ମଧ୍ୟ ଦେଖାଦେଇଛି। ତେଣୁ ଲୋକମାନେ ନିଜ ଖାଦ୍ୟ ଗ୍ରହଣ ନେଇ ଅଧିକ ସଚେତନ ହେବା ସହ ଅବ୍ୟବସ୍ଥିତ ଜୀବନଶୈଳୀକୁ ସଜାଡିବା ଆବଶ୍ୟକ ବୋଲି ଡାକ୍ତର ମିଶ୍ର କହିଛନ୍ତି। ସେହିପରି ପ୍ରତ୍ୟେକ ଦିନ ୩୦ ରୁ ୪୫ ମିନିଟ୍ ଚାଲିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ହସ୍ପିଟାଲ୍‌ର ସିନିୟର କନ୍‌ସଲ୍‌ଟାଂଟ ତଥା କାର୍ଡିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଶରତ କୁମାର ସାହୁ ନିୟନ୍ତ୍ରିତ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ମାନସିକ ଚାପକୁ ଏଡାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଶରୀରରେ ଶର୍କରାର ସ୍ତରକୁ କମ୍ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଲେ ଧମନୀରେ କୋଲେଷ୍ଟ୍ରଲ୍‌ର ମାତ୍ରା କମିବ ବୋଲି ଡାକ୍ତର ସାହୁ କହିଛନ୍ତି।

ହୃଦବିଜ୍ଞନ କ୍ଷେତ୍ରରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେଉଥିବା ବେଳେ ହୃଦରୋଗ କ୍ଷେତ୍ରରେ କମ୍ ମାତ୍ରାରେ ଇନ୍‌ଭେସିଭ୍ ଟ୍ରାନ୍ସକ୍ୟାଥେଟର୍ ଚିକିତ୍ସା ଅଧିକ ଗ୍ରହଣୀୟ ହେଉଛି ବୋଲି ଡାକ୍ତର ସାହୁ କହିଥିଲେ।

ସମ୍ ଅଲ୍ଟିମେଟ ମେଡିକେୟାରର କାର୍ଡିଓଲୋଜି ବିଭାଗରେ ଅତ୍ୟାଧୁନିକ ସରଞ୍ଜାମ ସହିତ ପ୍ରଶିକ୍ଷତ ବ୍ୟକ୍ତି ନିୟୋଜିତ ଅଛନ୍ତି। ଆଗାମୀ ଦିନରେ ଭାଲ୍‌ଭ କ୍ଲିନିକ୍‌, କରୋନାରୀ କ୍ଲିନିକ୍‌, ହାର୍ଟ ଫେଲ୍ୟୁୟର୍ କ୍ଲିନିକ୍‌, ପେଡିଆଟ୍ରିକ୍ କ୍ଲିନିକ୍ ଏବଂ ଆରିଥମିୟା କ୍ଲିନିକ ଆରମ୍ଭ କରାଯିବାର ଯୋଜନା ରହିଛି। ସେହିପରି ପେଡିଆଟ୍ରିକ୍ କାର୍ଡିଆକ୍ ସର୍ଜରୀ ଓ ରୋବୋଟିକ୍ କାର୍ଡିଆକ୍ ସର୍ଜରୀ ୟୁନିଟ୍ ସହିତ ହାର୍ଟ ଆଣ୍ଡ ଲଙ୍ଗ ଟ୍ରାନ୍ସପ୍ଲାଂଟ ସର୍ଜରୀ ଆରମ୍ଭ କରାଯିବାର ଯୋଜନା ରହିଛି ବୋଲି ଡାକ୍ତର ମିଶ୍ର ସୁଚନା ଦେଇଛନ୍ତି।

ଏହି ଅବସରରେ ହସ୍ପିଟାଲ୍‌ର ଇନ୍‌ଟରଭେସ୍‌ନାଲ୍ କାର୍ଡିଓଲୋଜିଷ୍ଟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ବିଭୁତେନ୍ଦ୍ର ମହାନ୍ତି କହିଛନ୍ତି ଯେ ବିଶ୍ୱରେ ଅଧିକାଂଶ ମୃତ୍ୟୁ ହୃଦଘାତ ଯୋଗୁଁ ହେଉଛି। ସେହିପରି ପୃଥିବୀର ଭାରତରେ ୬୦ ପ୍ରତିଶତ ହୃଦରୋଗୀ ଅଛନ୍ତି ବୋଲି ସେ କହିଛନ୍ତି।

ଡାକ୍ତର ମହାନ୍ତି କହିଛନ୍ତି ଯେ ଆମେ ହୃଦଘାତ ଜନିତ କୌଣସି ବି ସଂକେତକୁ ଅଣଦେଖା କରିବା ଉଚିତ୍ ନୁହେଁ। କାରଣ ଏକ ତୃତୀୟାଂଶ ହୃଦରୋଗୀଙ୍କ କ୍ଷେତ୍ରରେ ଠିକ୍ ସମୟରେ ହସ୍ପିଟାଲ୍‌ରେ ନ ପହଂଚି ପାରିବା ଯୋଗୁଁ ମୃତ୍ୟୁ ଘଟିଥାଏ। ସେହିପରି ଇସିଜି ରିପୋର୍ଟରେ ସବୁ ଠିକ୍ ଥିଲେ ମଧ୍ୟ ହୃଦଘାତ ହେବାର ସମ୍ଭାବନା ନାହିଁ ବୋଲି କହିହେବ ନାହିଁ।

ଏହି କାର୍ଯ୍ୟକ୍ରମରେ ସୋଆର ଚ୍ୟାନ୍‌ସେଲ୍‌ର ପ୍ରଫେସର ଡି.ପି. ରାୟ, କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସମ୍ମମ୍‌ର କ୍ରିଟିକାଲ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍‌ିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ନର୍ସିଂ ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର୍ (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ସମ୍ମମ୍ ଡେପୁଟି ମେଡିକାଲ ସୁପରିଟେଣ୍ଡେଂଟ୍ ଡାକ୍ତର ଆନନ୍ଦ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ପୂର୍ବରୁ ସିଏମ୍‌ଏସ୍ ବ୍ରିଗେଡିୟର୍ ମିଶ୍ର, ହୃଦ୍‌ବିଜ୍ଞାନ ବିଭାଗର କନ୍‌ସଲ୍‌ଟାନ୍ସ, ଅନ୍ୟାନ୍ୟ ବିଭାଗର ମୁଖ୍ୟ, ରୋଗୀମାନଙ୍କର ଆଟେଣ୍ଡାଂଟ ଏବଂ କର୍ମଚାରୀମାନଙ୍କ ଉପସ୍ଥିତିରେ ସମ୍ମମ୍‌ରେ ଏକ କେକ୍ କଟାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

କରୋନା ସମୟରେ କିପରି ନିୟନ୍ତ୍ରଣ କରିବେ ମାନସିକ ଚାପ, ଜାଣନ୍ତୁ ବିଶେଷଜ୍ଞ ମତ

ଭୁବନେଶ୍ୱର, କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଶରେ ଉଗ୍ରରୂପ ଧାରଣ କରୁଥିବା ସମୟରେ ଲୋକମାନଙ୍କ ଚଳାଚଳରେ ପ୍ରତିବନ୍ଧକ, ଆତ୍ମୀୟସ୍ୱଜନ ଏବଂ ଜଣାଶୁଣା ବ୍ୟକ୍ତିମାନଙ୍କ ମୃତ୍ୟୁ ଖବର ସାଙ୍ଗକୁ ଅତିମାତ୍ରାରେ କରୋନା ସମ୍ପର୍କୀତ ସମ୍ବାଦକୁ ସାମାଜିକ ଗଣମାଧ୍ୟମରୁ ଜାଣିବାର ଆଗ୍ରହ ଲୋକମାନଙ୍କ ମନରେ ମାନସିକ ଚାପକୁ ବଢାଇ ଦେଉଛି ବୋଲି ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ହୃଦରୋଗ ବିଭାଗ ସହକାରୀ ପ୍ରଫେସର ଡାକ୍ତର ଦୀପକ ରଞ୍ଜନ ଦାସ କହିଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆଞ୍ଚଳିକ ଜନ ସମ୍ପର୍କ କାର‌୍ୟ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଆଜି କୋଭିଡ ସମୟରେ ମାନସିକ ଚାପ ନିୟନ୍ତ୍ରଣ ଶୀର୍ଷକ ଏକ ୱେବିନାର ଆଲୋଚନାରେ ଯୋଗଦେଇ ଡାକ୍ତର ଦାସ କହିଛନ୍ତି ଯେ, କରୋନା ସଂକ୍ରମଣ ସମ୍ପର୍କୀତ ବିଭିନ୍ନ କଟକଣା ଲୋକମାନଙ୍କର ରୋଜଗାର, ଚାକିରି, ଜୀବିକା ଆଦିକୁ ପ୍ରଭାବିତ କରିଛି । ଲୋକଙ୍କୁ ଏକୁଟିଆ କରିଦେଇଛି । ବିଭିନ୍ନ ପ୍ରକାରର ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଲୋକଙ୍କର ମାନସିକ ଅବସାଦ ଏବଂ ଚାପ ବୃଦ୍ଧି ପାଉଛି । ଏସବୁ ଉଗ୍ର ରୂପ ଧାରଣ କରି ଆତ୍ମହତ୍ୟା ଭଳି ଘଟଣା ସମଗ୍ର ବିଶ୍ୱରେ ବର୍ତ୍ତମାନ ଦେଖାଦେଇଛି ।

ତେଣୁ ମାନସିକ ଚାପ କମାଇବା ନିମନ୍ତେ ବହି ପଢିବା, ଗୀତ ଶୁଣିବା, ଶାରୀରିକ ବ୍ୟାୟାମ କରିବା, ସାମାଜିକ ଗଣମାଧ୍ୟମ ଏବଂ ଟେଲିଭିଜନରେ ଦୀର୍ଘସମୟ ବ୍ୟୟ ନ କରିବା ଭଳି ଉପଦେଶ ଦେଇଛନ୍ତି । ମାନସିକ ଚାପର କାରଣ, ଲକ୍ଷଣ ଏବଂ ଉପଚାର ଉପରେ ବିସ୍ତୃତ ଆଲୋଚନା କରି ଏ ସମ୍ପର୍କୀତ ଚାପହ୍ରାସର ବିଭିନ୍ନ ଉପାୟ ସମ୍ପର୍କରେ ଡକ୍ଟର ଦାସ ଆଲୋଚନା କରିଥିଲେ ।

ଏଥିରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ଶିକ୍ଷାବିତ୍ ନିରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ, ଦୈନିନ୍ଦିନ ଜୀବନରେ ମାନସିକ ଚାପ ଏକ ଅବିଚ୍ଛେଦ୍ୟ ଅଙ୍ଗ । କିନ୍ତୁ ନିଜର ସମସ୍ୟାକୁ ନିଜେ ନିୟନ୍ତ୍ରଣ ନ କରିଲେ ଏହା ଜଟିଳ ଶାରୀରିକ ସମସ୍ୟାରେ ପରିଣତ ହୁଏ । ତେଣୁ ଏହି ସମସ୍ୟାରୁ ଦୂରେଇ ରହିବାକୁ ହେଲେ ଅନ୍ୟସହ ନିଜକୁ ତୁଳନା ନ କରିବା, ସହନଶୀଳ ହେବା, ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ, ଶାରୀରିକ ଶ୍ରମ ଆଦି ଆବଶ୍ୟକ ବୋଲି କହିଥିଲେ ।

ଶିକ୍ଷାବିତ୍ ଶ୍ରୀମତୀ ସୋମଭଦ୍ରା ତ୍ରିପାଠୀ କରୋନା କଟକଣା ଭିତରେ ଛାତ୍ର ସମାଜର ମାନସ୍ତାତ୍ତ୍ୱିକ ସମସ୍ୟା ବର୍ଣ୍ଣନା କରି ସେମାନଙ୍କ ପାଇଁ ଚିତ୍ରକଳା, ନୃତ୍ୟ, ଗୀତଗାଇବା, ଗୀତ ଶୁଣିବା, ପରିବାରବର୍ଗଙ୍କ ସହ ମିଳିମିଶି ଏକତ୍ର ବସି କଥା ହେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏସବୁ ଦ୍ୱାରା ମାନସିକ ଚାପ ହ୍ରାସ ପାଇବ ବୋଲି ମତ ଦେଇଥିଲେ ।

ଆଞ୍ଚଳିକ ଜନ ସମ୍ପର୍କ କାର‌୍ୟ୍ୟାଳୟ ତଥା ପତ୍ରସୂଚନା କାର‌୍ୟ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ଆଲୋଚନା ପ୍ରସଙ୍ଗରେ ସମସ୍ତଙ୍କର ମାନସିକ ଚାପ ଏବଂ ସମସ୍ୟା ପରସ୍ପରଠାରୁ ଅଲଗା ହୋଇଥିବାରୁ ଏହାର ନିରାକରଣ ନିମନ୍ତେ ପୁସ୍ତକ ପଠନ, ଜ୍ଞାନ ଆହୋରଣ ଆଦି ମାଧ୍ୟମରେ ସମୟର ସଦୁପଯୋଗ କରିବାକୁ ଉପଦେଶ ଦେଇଥିଲେ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କୀତ ଅନେକ ଭୁଲ ତଥ୍ୟ ପ୍ରକାଶ ପାଉଥିବାରୁ ପତ୍ରସୂଚନା କାର‌୍ୟ୍ୟାଳୟର ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ସୂଚନାଗୁଡିକୁ ଗ୍ରହଣ କରିବାକୁ କହିଥିଲେ। ଏଥିସହିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ ।

ଆରଓବି ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନା ଅ।ରମ୍ଭରୁ ବିଷୟ ଉପରେ ସୂଚନା ଦେଇ କରୋନା ସମ୍ପର୍କୀତ ତଥ୍ୟଗୁଡିକ କେଉଁ ଉତ୍ସରୁ ଆସୁଛି ତାହା ତଦାରଖ କରିବା ଉଚିତ ବୋଲି କହିଥିଲେ । ବର୍ତ୍ତମାନ ପରସ୍ପର ମଧ୍ୟରେ ଥିବା ମାନବୀୟ ଆଚରଣ ସଙ୍କଟଗ୍ରସ୍ତ ହୋଇଯାଇଥିବାରୁ ପରସ୍ପର ସହ ଯୋଗାଯୋଗ ରକ୍ଷା, ସରକାରୀ ବ୍ୟବସ୍ଥା ଉପରେ ଭରସା ରଖିବା ଏବଂ ସରକାରୀ ତଥ୍ୟକୁ ବିଶ୍ୱାସକୁ ନିଆଯିବା ଉଚିତ ବୋଲି କହିଥିଲେ ।

ବର୍ତ୍ତମାନ ମାନବିକତା କ୍ଷେତ୍ରରେ ଏହା ଏକ ପରୀକ୍ଷାର ସମୟ ହୋଇଥିବାରୁ ପରସ୍ପର ମଧ୍ୟରେ ଥିବା ସାମାଜିକ ସମ୍ପର୍କକୁ ଦୃଢ କରାଯିବା ଉଚିତ ବୋଲି ମଧ୍ୟ କହିଥିଲେ । କ୍ଷେତ୍ରପ୍ରଚାର ଅଧିକାରୀ ମନମୋହନ ପାଢୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷକ, ଗୃହିଣୀ, ଛାତ୍ରଛାତ୍ରୀ ଆଦି ଯୋଗଦେଇଥିଲେ । ଏଥିରେ ପତ୍ରସୂଚନା କାର‌୍ୟ୍ୟାଳୟର ସମସ୍ତ ଅଧିକାରୀ, ଆରଓବିର ସମସ୍ତ ଅଧିକାରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । କାର‌୍ୟ୍ୟକ୍ରମ ଶେଷର ସତ୍ୟନାରାୟଣ ନନ୍ଦ ଆଲୋଚନାର ସଂକ୍ଷିପ୍ତ ଅବତାରଣା ସହ ଧନ୍ୟବାଦ ଅର୍ପଣ କରିଥିଲେ ।