ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ୟୁନିଟ୍-୧ ହାଟରେ ପୁଣି ଅଗ୍ନିକାଣ୍ଡ ଘଟିଛି। ହାଟରେ ଥିବା ଦୁଇଟି ଦୋକାନରେ ହଠାତ୍ ନିଆଁ ଲାଗିଯିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ଗ୍ରୋସରି ଦୋକାନ ସହ ଏକ ପ୍ଲେଟ୍ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।
ପ୍ରାଥମିକ ସୂଚନା ଅନୁସାରେ, ସର୍ଟସର୍କିଟ୍ ଯୋଗୁଁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ବ୍ୟବସାୟୀ ଓ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ନିଆଁ ଦ୍ରୁତଗତିରେ ବ୍ୟାପିବା ଆଶଙ୍କା ଥିବାରୁ ହାଟରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ଦୁଇଟି ଟିମ୍ର ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଛି। ଫଳରେ ନିଆଁ ଅନ୍ୟ ଦୋକାନକୁ ବ୍ୟାପିବାରୁ ରୋକାଯାଇପାରିଛି।
ତେବେ ୟୁନିଟ୍-୧ ହାଟରେ ଅଗ୍ନିକାଣ୍ଡ ଘଟିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହି ହାଟରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୪୦ଟି ଦୋକାନ ଜଳିଯାଇଥିଲା। ଏହାପରେ ପୁଣି ଦୁଇଟି ଦୋକାନରେ ନିଆଁ ଲାଗିବା ଘଟଣାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଅଗ୍ନିକାଣ୍ଡରେ କେତେ ପରିମାଣର ସମ୍ପତ୍ତି କ୍ଷୟକ୍ଷତି ହୋଇଛି, ସେନେଇ ସଠିକ୍ ଆକଳନ ଜାରି ରହିଛି।


