Categories
ଆଜିର ଖବର ରାଜ୍ୟ ଖବର

ଠିକା ଶିକ୍ଷକ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଲେ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେବ: ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷା ହେଉଛି ଶିଶୁର ସାମଗ୍ରିକ ବିକାଶର ମୂଳଦୁଆ। ଯେଉଁ ଠାରେ ଗୁଣାତ୍ମକ ଓ ଉନ୍ନତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରହିଛି, ସେହି ଦେଶ ବା ରାଜ୍ୟ ସେତିକି ବିକଶିତ ଓ ଉନ୍ନତ। ଉତ୍ତମ ପ୍ରାଥମିକ ଶିକ୍ଷା ଗ୍ରହଣ କଲେ ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା, ଧନ୍ଦା ମୂଳକ ବା ଉନ୍ନତ ଜ୍ଞାନ କୌଶଳ ପାଇ ସେହି ଭୂଖଣ୍ଡ ଉନ୍ନ୍ନତ, ଦକ୍ଷ, କୁଶଳୀ ମାନବ ସମ୍ବଳ ପ୍ରାପ୍ତ କରି ସାମଗ୍ରିକ ସ୍ତରରେ ବିକାଶର ଚରମ ସୋପାନରେ ପହଂଚି ପରିବ।

ବର୍ତ୍ତମାନର ଠିକା ଶିକ୍ଷକ ନିଯୁକ୍ତି ଶିକ୍ଷା ବ୍ୟବସ୍ଥାରେ ଘୋର ଅବନତି ର ବାଟ ଫିଟାଇବ ବୋଲି ଓଡ଼ିଶ ଅଭିଭାବକ ମହାସଂଘ ପ୍ରକାଶ କରିଛି। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ପୁଣି ଥରେ ଠିକାରେ ୨୦ ହଜାର ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସେମାନଙ୍କୁ ଜିଲ୍ଲାପରିଷଦ ଶିକ୍ଷକ ଓ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଜନା ଭିତିକ ବା ସମଗ୍ର ଶିକ୍ଷା ଯୋଜନାରେ ନିଯୁକ୍ତି ଦିଆଯିବ।

ସେହି ଶିକ୍ଷକ ମାନଙ୍କୁ ବର୍ଷିକିଆ ଠିକା ନିଯୁକ୍ତି ଦିଆଯିବ। ବର୍ଷ କୁ ବର୍ଷ ସେମାନଙ୍କ ନିଯୁକ୍ତି ନବୀକରଣ କରାଯିବ। ଏହି ବ୍ୟବସ୍ଥାକୁ ଓଡିଶା ଅଭିଭାବକ ମହାସଂଘ ଘୋର ବିରୋଧ କରିବା ସହିତ ତୁରନ୍ତ ନିଷ୍ପତି ବଦଳାଇ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବୀ କରିଛି।

ଫିନଲାଣ୍ଡ, ଡେନମାର୍କ, ନାରୱେ ଭଳି ବିକଶିତ ଦେଶର ସ୍ଥାୟୀ ନିଯୁକ୍ତି ଭଳି ଆମ ରାଜ୍ୟରେ ମଧ୍ୟ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବାକୁ ଦାବୀ କରିଛି। ନଚେତ ଆଗାମୀ ଦିନରେ ଅଧୋପତନ ଆଡକୁ ଯାଉଥିବା ଓଡିଶାର ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ମହାସଂଘ ଜୋରଦାର ଆନ୍ଦୋଳନ କରିବ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ବିଗତ ବର୍ଷ ମାନଙ୍କରେ ସରକାର ଶିକ୍ଷା ସହାୟକ, ଶିକ୍ଷlକର୍ମୀ, ଗଣ ଶିକ୍ଷକ, ପାରା ଶିକ୍ଷକ, ବ୍ଲକ ଗ୍ରାଣ୍ଟ, ଗ୍ରାଣ୍ଟ ଇନ ଏଡ଼, ଆଦି ଅନେକ ଶିକ୍ଷକ ନିଯୁକ୍ତି ଦେଇ ଥିବାରୁ ସରକାରୀ ଶିକ୍ଷା ବ୍ୟବସ୍ଥା ଆଜି ସମ୍ପୂର୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପହଂଚିଛି।

ଠିକା ନିଯୁକ୍ତି ଦେଲେ ଶିକ୍ଷକ ମାନଙ୍କ ପାଖରେ ଜବାବ ଦେହି, ଉତ୍ତର ଦାୟିତ୍ୱ ଓ ଦାୟିତ୍ୱ ବୋଧ ରହିବ ନାହିଁ। ତେଣୁ ସେମାନଙ୍କର ପିଲାମାନଙ୍କୁ ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆଦୌ ସ୍ପୃହା ରହିବ ନାହିଁ। ଯେହେତୁ ସେମାନେ ମାତ୍ର ବର୍ଷକ ପାଇଁ ନିଯୁକ୍ତି ହେବେ ତେଣୁ ପିଲାମାନଙ୍କ ଶିକ୍ଷା ପ୍ରାପ୍ତିରେ ଏହି ବ୍ୟବସ୍ଥା ଏକ ବିରାଟ ପ୍ରାଚୀର ସହିତ ପ୍ରତିବନ୍ଧକ ହୋଇ ଛିଡା ହେବ।

ଶିକ୍ଷକ ମାନେ ସେମାନଙ୍କ ନିଯୁକ୍ତି ଓ ଦରମା ତଥା ପ୍ରାପ୍ୟ ପାଇଁ ସବୁବେଳେ ସାନ୍ଦିହାନ ଅବସ୍ଥାରେ ରହିବେ। ବର୍ଷର ଅନେକ ସମୟରେ ବିଭିନ୍ନ ବର୍ଗର ଶିକ୍ଷକ ମାନେ ଯେପରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ପୁଣି ସେହି ବ୍ୟବସ୍ଥା ଓ ବିଭ୍ରାଟ ରେ ଆଉ ଏକ ଫର୍ଦ୍ଦ ଯୋଡି ହେବ।

ସ୍କୁଲ ବନ୍ଦ କରି ଶିକ୍ଷକ ମାନେ ପୁଣି ଆନ୍ଦୋଳନକୁ ଆସିବେ ସେପଟେ ଶିକ୍ଷା ବ୍ୟବସ୍ଥାରେ ଚରମ ଅବହେଳା ହୋଇ ପିଲାମାନେ ଉତ୍ତମ ଶିକ୍ଷା ପାଇବାରେ ବଂଚିତ ହେବା ସହିତ ଆଗାମୀ ଭବିଷ୍ୟତ ମାନଙ୍କ ଶିକ୍ଷା ଗ୍ରହଣ ପାଇଁ ଅଭିଭାବକ ମାନେ ସନ୍ଦିହାନ ଅବସ୍ଥାରେ ରହିବେ। ଏହା ମଧ୍ୟ ପ୍ରାଇଭେଟ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁହାଇବ।

ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅଭିଭାବକ ମାନେ ଆର୍ଥିକ ଶୋଷଣର ଶିକାର ହେବେ। ସରକାର ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ ପାଇଁ ଗତ ଅକ୍ଟୋବର ମାସରେ ଘୋଷଣା କରିସାରିଥିବା ବେଳେ ପୁଣି କାହିଁକି ଠିକା ନିଯୁକ୍ତି ତାହା ପୁଣି ବିକାଶର ଅତ୍ୟନ୍ତ ଉପଯୋଗୀ ଶିକ୍ଷା ବ୍ୟବସ୍ଥାରେ ପୁଣି ଗୁରୁ ମାନଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଆପଣାଇ ଅଛନ୍ତି ତାହା ଆଦୌ ବୁଝା ପଡ଼ୁ ନାହିଁ। ତେଣୁ ଠିକା ଶିକ୍ଷକ ନିଯୁକ୍ତି ବନ୍ଦ କରିବା ସହିତ ଶିକ୍ଷକ ମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜନ ନ କରିବାକୁ ଓଡିଶା ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ସରକାରଙ୍କୁ ଦାବୀ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଜାତୀୟ ଶିକ୍ଷା ନୀତିର ଶୁଭାରମ୍ଭ

ଡେରାଡୁନ/ହରିଦ୍ୱାର: ଶିକ୍ଷା ବ୍ୟବସ୍ଥାକୁ ନୂଆ ରୂପ ଦେବା ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରିବା ପାଇଁ ରବିବାର ଉତ୍ତରାଖଣ୍ଡରେ ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) କ୍ରିୟାନ୍ୱୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜାତୀୟ ଶିକ୍ଷା ନୀତି ହେଉଛି ଦାର୍ଶନିକ ଦସ୍ତାବିଜ, ଯାହା ଜ୍ଞାନ ଆଧାରିତ ଅର୍ଥନୀତି ଓ ସମାଜ ଗଠନ ଦିଗରେ ସହାୟକ ହେବ। ଦେବଭୂମି ଓ ଜ୍ଞାନଭୂମି ଉତ୍ତରାଖଣ୍ଡ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଖୁସିର ବିଷୟ। ନୂଆ ଶିକ୍ଷା ନୀତି ଆଧାରରେ ପିଲାଙ୍କୁ ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ମୌଳିକ ଶିକ୍ଷା ପ୍ରଦାନ କରାଯିବ। ଖେଳ ଶିକ୍ଷାକୁ ପ୍ରାଥମିକତା ଦିଆଯିବ। ଏହି ତିନି ବର୍ଷର ଅବଧିକୁ ଶିକ୍ଷା ନୀତିରେ ବାଲବାଟିକା ଭାବରେ ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ବାଲବାଟିକାକୁ ସ୍କୁଲ ବ୍ୟବସ୍ଥାରେ ଅନ୍ତର୍ଭୃକ୍ତ କରାଯାଇଛି। ଏହିପରି ଏକ ବ୍ୟବସ୍ଥାକୁ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହେଉଛି ଉତ୍ତରାଖଣ୍ଡ ।ନୂଆ ଶିକ୍ଷା ନୀତି ୩ରୁ ୨୩ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିର ଜ୍ଞାନ, ଗୁଣାତ୍ମକ ଶିକ୍ଷା, କୌଶଳ ସହ କ୍ଷମତା ବଢ଼ାଇବାରେ ସହଯୋଗୀ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂହ ରାଓ୍ୱତଙ୍କ ସହ ରାଜ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେ କହିଛନ୍ତି ଉତ୍ତରାଖଣ୍ଡ ବାଲବାଟିକା, ଆଞ୍ଚଳିକ ଭାଷା, ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ, ଦକ୍ଷତା ବିକାଶ ସହ ଅନେକ ପଦକ୍ଷେପକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରୁଛି। ଏକ ସୁଦୃଢ଼ ଶିକ୍ଷା ଏବଂ ଦକ୍ଷତା ବିକାଶ ଇକୋସିଷ୍ଟମ ସହ ଉତ୍ତରାଖଣ୍ଡ ରାଜ୍ୟର  ଯୁବପିଢିଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ଆବଶ୍ୟକୀୟ ଜ୍ଞାନ ଓ ଦକ୍ଷତା ଭିତ୍ତିରେ ପ୍ରସ୍ତୁତ କରିବ।

ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ  ହେଉଛି। ଆମେ ଶିଳ୍ପ ବିପ୍ଳବ ୪.୦ର ମଧ୍ୟଭାଗରେ ଅଛୁ। ପ୍ରଯୁକ୍ତିବିଦ୍ୟା କ୍ରମାଗତ ଭାବରେ ଶିକ୍ଷାର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରୁଛି। ଶିକ୍ଷା ଏବଂ ଡିଜିଟାଲ ବିଶ୍ୱବିଦ୍ୟାଳୟ ପାଇଁ ଭାରତ ସରକାର ୨୬୦ ଟିଭି ଚ୍ୟାନେଲ ଆଣୁଛନ୍ତି। ଉତ୍ତରାଖଣ୍ଡ ଯୁବବର୍ଗ ଆଗାମୀ ଦିନର ଭବଷ୍ୟତର ଆହ୍ୱାନକୁ ସାମ୍ନା କରିବା ପାଇଁ ସମର୍ଥ। ଆଜିର ଶୁଭାରମ୍ଭ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଙ୍ଗତ୍ରି ଠାରୁ ଆରମ୍ଭ କରି ସୌରଜଗତ ତଥା ଆମର ଯୁବପିଢିଙ୍କୁ ବିଶ୍ୱକୁ ଅନ୍ୱେଷଣ କରିବାକୁ ହେବ। ଆମ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ ହେବା ସହ ଯୁବପିଢ଼ିଙ୍କ ଆକାଂକ୍ଷାକୁ ପୂରଣ କରିବ। ଉତ୍ତରାଖଣ୍ଡର ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ଇକୋସିଷ୍ଟମ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହରିଦ୍ୱାର ସ୍ଥିତ ପତଞ୍ଜଳି ଯୋଗପୀଠ ଠାରେ ବାବା ରାମଦେବଙ୍କ ସହ ଆଚାର୍ଯ୍ୟ କୁଲମ ବାର୍ଷିକ ସମାରୋହରେ ଯୋଗ ଦେଇଥିଲେ। ଏହାବ୍ୟତିତ ଉତ୍ତରାଖଣ୍ଡର ଶିକ୍ଷା ମନ୍ତ୍ରୀଙ୍କ ସହ ରାନିପୁର ସ୍ଥିତ ହରିଦ୍ୱାର ରାଜକୀୟ ଇଣ୍ଟର କଲେଜ ପରିଦର୍ଶନ କରିବା ସହ  ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରାଚୀନ ଭାରତୀୟ ଜ୍ଞାନ କୌଶଳକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ମତ ପ୍ରକାଶ କଲେ ବିଶେଷଜ୍ଞ

ଭୁବନେଶ୍ୱର: ପ୍ରାୟ ଦୁଇ ଶତାବ୍ଦୀ ଧରି ଭାରତୀୟମାନଙ୍କ ମନସ୍ତତ୍ୱରେ ଗୋଟିଏ ବିଷୟ ବସା ବାନ୍ଧି ରହିଛି ଯେ ସମସ୍ତ ବୈଜ୍ଞାନିକ ତତ୍ୱର ଉତ୍ପତ୍ତି ଓ ବିକାଶ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଘଟିଛି ଓ ଭାରତ ଭଳି ଅଣ-ପାଶ୍ଚାତ୍ୟ ଦେଶରେ ବିଜ୍ଞାନ ବୋଲି ବିଶେଷ କିଛି ନ ଥିଲା। କିନ୍ତୁ ପ୍ରାଚୀନ ଭାରତୀୟ ବୈଜ୍ଞାନିକ ଜ୍ଞାନ କୌଶଳର ଉପଯୋଗୀତାକୁ ଲୋକଲୋଚନକୁ ଆଣି ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ନିମନ୍ତେ ସମୟ ଆସିଛି।

ଇଣ୍ଡିଆନ୍ ନଲେଜ ସିଷ୍ଟମ (ଆଇକେଏସ୍‌) ବା ଭାରତୀୟ ଜ୍ଞାନ କୌଶଳର ଧାରାକୁ ଏବେ ଏକ ବିକଳ୍ପ ଭାବେ ଗ୍ରହଣ କରି ଶିକ୍ଷା ବ୍ୟବସ୍ଥାରେ ଅନ୍ତୁର୍ଭୁକ୍ତ କରିବା ଆବଶ୍ୟକ ବୋଲି ଖଡ଼ଗପୁର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିର ଡିପାର୍ଟମେଂଟ ଅଫ୍ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍‌ର ଅଧ୍ୟାପକ ପ୍ରଫେସର ଅନୁରାଧା ଚୌଡରି କହିଛନ୍ତି।

ଆଜି ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଆଇକେଏସ୍‌କୁ ପୁଣି ଥରେ ଜନମାନସକୁ ଫେରାଇ ଆଣିବା ନିମନ୍ତେ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ନେଇ ସୋଆର ଶୀର୍ଷ ନେତୃତ୍ୱ ସଙ୍ଗରେ ପ୍ରଫେସର ଚୌଡରୀ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ୍ ଅଧ୍ୟାପକ ପ୍ରଫେସର ରିଚା ଚୋପ୍ରା ଆଲୋଚନା ସମୟରେ ମତ ପ୍ରକାଶ କରିଥିଲେ।

ସୋଆରେ କାର୍ଯ୍ୟ କରୁଥିବା ସୋଆ ସେଂଟର୍ ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ପକ୍ଷରୁ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌କୁ ନେଇ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଯୋଜନା ରହିଛି।

ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ସଭାରେ ସଭାପତିତ୍ୱ କରିଥିବା ବେଳେ ସୋଆ ଆଡଭାଇଜରି ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆର ଚିଫ୍ କନ୍‌ସଲ୍‌ଟାଂଟ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି, ସୋଆ ପ୍ରୋ-ଭାଇସ୍ ଚାନ୍‌ସେଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏକ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ଅନୁଷ୍ଠାନର ଡିନ୍‌, ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ପ୍ରାଚୀନର ମୁଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା ଉପସ୍ଥିତି ଥିଲେ।

ପ୍ରଫେସର ଚୌଡରୀ କହିଲେ ଯେ ୨୦୨୦ ନୂତନ ଶିକ୍ଷା ନୀତିରେ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌କୁ ବିଶେଷ ଗୁରୁତ୍ୱ ଦିଆଯାଇଛି ଓ ବର୍ତ୍ତମାନ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ଏହାର ଉପଯୋଗୀତାକୁ ନେଇ ବିଶ୍ଳେଷଣ କରିବା ନିମନ୍ତେ ଆବଶ୍ୟକତା ରହିଛି।

ପ୍ରଫେସର ଚୋପ୍ରା କହିଥିଲେ ଯେ ସୋଆ ଓଡ଼ିଶା ପରିପ୍ରେକ୍ଷୀରେ ଏହି ବିଷୟକୁ ଆଲୋଚନା କରିବା ଉଚିତ୍। ଏହାଛଡ଼ା ଆଇକେଏସ୍ ଉପରେ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇପାରେ। ଡକ୍ଟର ପଣ୍ଡା କହିଲେ ଯେ ପ୍ରାଚୀନ୍ ମାତ୍ର ଦୁଇ ବର୍ଷରୁ କମ୍ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଦୁଇଟି ଗୁରତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇପାରିଛି ଓ ଆଗକୁ ଓଡ଼ିଶାର ଆଦିବାସୀ ରୀତିନୀତିକୁ ନେଇ ଗବେଷଣା କରିବାର ଯୋଜନା ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ବ୍ଲକରେ ପ୍ରହସନ ପାଲଟିଛି ଶିକ୍ଷା ବ୍ୟବସ୍ଥା: ୬୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ

ରମେଶ ମହନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଏକ ରକମ ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଏକ ସୁନ୍ଦର ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟ ଏକ ମନ୍ଦିର ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ କୁହାଯାଉଥିବା ବେଳେ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ନିଜର ଭବିଷ୍ୟତ ତିଆରି କରିବାର ମୂଳଦୁଆ ପକାଇଥାନ୍ତି। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର କୋଟି କୋଟି ଟଙ୍କା ନିବେଶ କରୁଥିବା ଡଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ସ୍କୁଲ ଗୁଡିକର ଅବସ୍ଥା କହିଲେ ନ ସରେ। ଖୋଲା ଆକାଶ ତଳେ ଭଙ୍ଗା ଦଦରା କାନ୍ଥ ଘରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଖରା ବର୍ଷା ଆଉ ଶୀତ କାକରକୁ ଖାତିରି ନକରି ପାଠ ପଢୁଛନ୍ତି ବିଦ୍ୟାର୍ଥୀ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାୟପୁର ପଞ୍ଚାୟତରେ।

ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର ବିଳାସପୁର୍ ଗ୍ରାମରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଅନନ୍ତ ଗାଦିବ୍ରହ୍ମ ସଂସ୍କୃତ ବିଦ୍ୟାଳୟରେ ପାଖାପାଖି ୬୦ ବିଦ୍ୟାର୍ଥୀଙ୍କୁ ପାଠ ପଢାଇବା ପାଇଁ ୬ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ଏହି ବିଦ୍ୟାଳୟଟି ଗତ ଫନି ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। କେବଳ ରହିଯାଇଥିଲା ଭଙ୍ଗା ଦଦରା ଅବସ୍ଥାରେ ଚାରି ପାଖ କାନ୍ଥ। ଏବେ ଯାଏ ସେଇ ବିପଦପୂର୍ଣ୍ଣ ଚାରି କାନ୍ଥ ଓ ଖୋଲା ଆକାଶ ତଳେ ଚାଲିଛି ପାଠପଢ଼ା। ଏମିତିକି ଶିକ୍ଷକ ମାନେ ବସିବା ଚେୟାର ଟେବୁଲ ମଧ୍ୟ ଭାଙ୍ଗି ଯାଇଛି।

କିଛିଦିନ ପୂର୍ବେ ଏହି ବିଦ୍ୟାଳୟରୁ ଚୋରି ହୋଇଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ବିଦ୍ୟାଳୟକୁ ମରାମତି କରାଯିବା ପାଇଁ ସରକାରୀ ଅନୁଦାନ ଆସିଥିବା କୁହାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନର ଉଦାସୀନତା ହେତୁ ଠିକାଦାର ପକ୍ଷରୁ ଆଜି ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ ନାହିଁ ବୋଲି କୁହାଯାଉଛି। ଏବାବଦରେ ଉକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ପକ୍ଷରୁ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କାହା ସ୍ବାର୍ଥରେ ଏହି ବିଦ୍ୟାଳୟକୁ ଅଣଦେଖା କରାଯାଉଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଶୁଣିବାକୁ ମିଳୁଛି ଶିକ୍ଷା ବିଭାଗର କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ମରାମତି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏହି ବିଦ୍ୟାଳୟରେ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଥିବା ବିଦ୍ୟାର୍ଥୀ ମାନଙ୍କର ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇ ଯାଉଥିବାରୁ ଯଥାଶୀଘ୍ର ଉଚ୍ଚ ପ୍ରଶାସନିକ ଅଧିକାରୀ ଏହି ବିଦ୍ୟାଳୟ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଏନେଇ ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧିକାରୀ ସୁଷମା ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଶ୍ରୀମତୀ ମଲ୍ଲିକ କୌଣସି ମନ୍ତବ୍ୟ ଦେବାକୁ ସିଧା ସଳଖ ମନା କରିଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରୁଛନ୍ତି ନିଜେ ରାଜ୍ୟ ସରକାର: ଭି. ଚନ୍ଦ୍ରଶେଖର ନାଇଡ଼ୁ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶିକ୍ଷା ମାଫିଆଙ୍କ ଚାପରେ ଆସି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଧ୍ୱଂସ କରୁଛନ୍ତି ଖୋଦ୍ ଓଡ଼ିଶା ସରକାର। ଆଉ ଏହାର ଜ୍ୱଳନ୍ତ ପ୍ରମାଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି। ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ସମଗ୍ର ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ ହେବାକୁ ଥିବା ବେଳେ କେବଳ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ୧୮୬ଟି ସ୍କୁଲ ବନ୍ଦ ହେବାକୁ ଯାଉଛି। କାହା ସ୍ୱାର୍ଥରେ ବିଜେଡ଼ି ନେତୃତ୍ୱାଧିନ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଲେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ଜନସଂଖ୍ୟା ବଢ଼ିଥିଲେ ମଧ୍ୟ ସ୍କୁଲଗୁଡ଼ିକୁ ଛାତ୍ରଛାତ୍ରୀ ନ ଆସିବା ନିଶ୍ଚିତ ଏକ ଉଦ୍‌ବେଗଜନକ ଘଟଣା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ ଯୁଗୋପଯୋଗୀ ନୁହେଁ, ଆଧୁନିକ ସମୟରେ ଘରୋଇ ଶିକ୍ଷାନୁଷ୍ଠାନ ତାଳଦେଇ ସରକାରୀ ବିଦ୍ୟାଳୟ ଗତିକାରିପାରୁ ନାହାନ୍ତି। ଶ୍ରୀ ନାଇଡ଼ୁ ଆହୁରି କହିଛନ୍ତି ଦେଶର ୮୬ତମ ସଂବିଧାନ ସଂଶୋଧନରେ ୬ ରୁ ୧୪ ବର୍ଷ ବୟସ ପିଲାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦିଆଯିବ। ଏହା ସହ କଂଗ୍ରେସ ନେତୃତ୍ୱାଧିୀନ ୟୁପିଏ-୨ ସରକାର ସମୟରେ ରାଇଟ ଟୁ ଏଜୁକେଶନ ଆରମ୍ଭ କରାଯାଇଥିଲା।

ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ରରେ କଂଗ୍ରେସ ସରକାର ଲୋକମାନଙ୍କର ସର୍ବନିମ୍ନ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଆସୁଥିବାବେଳେ ସଂଘୀୟ ବ୍ୟବସ୍ଥାରେ ଥିବା ଓଡ଼ିଶା ସରକାର ନାଗରିକର ମୌଳିକ ଅଧିକାରକୁ ହତ୍ୟା କରୁନାହାନ୍ତି କି ବୋଲି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଶ୍ରୀ ନାଇଡ଼ୁ ପ୍ରଶ୍ନ କରିଛନ୍ତି। ବନ୍ଦ ହେବାକୁ ଥିବା ସ୍କୁଲ ନିକଟସ୍ଥ ବଡ଼ସ୍କୁଲରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ପୁରୁଣା ସ୍କୁଲର ଭିତ୍ତିଭୂମି କ’ଣ ହେବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ବନ୍ଦ ହେବାକୁ ଥିବା ସ୍କୁଲର ଶିକ୍ଷକ ତଥା ଟ୍ରେନିଂ ନେଇଥିବା ଶିକ୍ଷକ ଆଶାୟୀଙ୍କ ଚାକିରିର ଭବିଷ୍ୟତ ନେଇ ସରକାର ସୁନିଶ୍ଚିତ କରନ୍ତୁ। କଂଗ୍ରେସ ସରକାର ସମୟରେ ବିଭିନ୍ନ ଯୋଜନା ଆରମ୍ଭ ହୋଇଥିବାବେଳେ ଏହି ସବୁ ଯୋଜନା ଚାଲୁ ରଖିବା ନେଇ ବର୍ତ୍ତମାନ ସୁନିଶ୍ଚିତ କରନ୍ତୁ ବୋଲି ଶ୍ରୀ ନାଇଡ଼ୁ ଦାବି କରିଛନ୍ତି। ଗୋଟିଏ ସ୍କୁଲ ହତା ଭିତରେ ପ୍ରାଥମିକ ଓ ହାଇସ୍କୁଲ ରହିବା ଯୋଗୁଁ ଦେଖାଦେଇଥିବା ଅସମାନତା ପ୍ରତି ଦୃଷ୍ଟି ଦେବା କ’ଣ ସରକାରଙ୍କ ଦାୟିତ୍ୱ ନୁହେଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

ଶିକ୍ଷକମାନଙ୍କ ଦରମାଠାରୁ ଆରମ୍ଭ କରି ଡ଼୍ରେସ କୋଡ଼, ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ, ସବୁ କ୍ଷେତ୍ରରେ ତାରତମ୍ୟ ରହୁଛି। ତେବେ ସବୁଠାରୁ ଉଦ୍‌ବେଗଜନକ ବିଷୟ ପୂର୍ବରୁ ସ୍କୁଲର ଆବଶ୍ୟକତା ଦେଖି ସ୍କୁଲ ବିକାଶ ପାଣ୍ଠିର ଖର୍ଚ୍ଚ ହେଉଥିବାବେଳେ ଏବେ ପଞ୍ଚାୟତ ଏ ପାଣ୍ଠିର ଖର୍ଚ୍ଚ କରୁଛି, ଯାହାକି ସମନ୍ୱୟର ଅଭାବ ବୋଲି ସେ କହିଛନ୍ତି। ତେଣୁ ତୁରନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତି ସରକାର ପ୍ରତ୍ୟାହାର କରି ସ୍କୁଲରେ କାହିଁକି ପିଲା ବଢ଼ୁନାହାନ୍ତି ଏବଂ ସ୍କୁଲଗୁଡ଼ିକର ମୌଳିକ ସମସ୍ୟା ସମାଧାନ କରିବାକୁ ସେ ଦାବି କରିଛନ୍ତି।