Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଯୋଗାଣ କରାଯିବାକୁ ଥିବା ସଂଶୋଧିତ ଇଥାନଲ ବ୍ୟବସ୍ଥାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଆଖୁର ବିଭିନ୍ନ ପ୍ରକାରର କଞ୍ଚାମାଲରୁ ଉତ୍ପାଦିତ ହୋଇଥିବା ଇଥାନଲର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଅଧୀନରେ ଏ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ଡିସେମ୍ବର ୨୦୨୧ ଠାରୁ ୩୦ ନଭେମ୍ବର ୨୦୨୨ ଯର୍ଯ୍ୟନ୍ତ ପରବର୍ତ୍ତୀ ୨୦୨୧-୨୨ ଚିନି ଋତୁରେ ଏହାକୁ ଲାଗୁ କରାଯିବ।

ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ନିମ୍ନ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିଛନ୍ତି :

– ସି ହେଭି ମୋଲାସେସ ମାର୍ଗରେ ଉତ୍ପାଦିତ ହେଉଥିବା ଇଥାନଲ ମୂଲ୍ୟ ଲିଟର ପିଛା ୪୫ ଟଙ୍କା ୬୯ ପଇସାରୁ ୪୬ ଟଙ୍କା ୬୬ ପଇସାକୁ ବୃଦ୍ଧି କରାଯାଇଛି।

– ବି ହେଭୀ ମୋଲାସେସ ମାର୍ଗରେ ଉତ୍ପାଦିତ ଇଥାନଲ ମୂଲ୍ୟ ଲିଟର ପିଛା ୫୭ ଟଙ୍କା ୬୧ ପଇସାରୁ ବୃଦ୍ଧି କରି ୫୯ଟଙ୍କା ୮ ପଇସା ନିର୍ଦ୍ଧାରଣ କରାଯାଇଛି।

– ଆଖୁ ରସ, ଚିନି/ଚିନି ରସରୁ ଉତ୍ପାଦିତ ଇଥାନଲ ମୂଲ୍ୟ ଲିଟର ପିଛା ୬୨ ଟଙ୍କା ୬୫ ପଇସାରୁ ୬୩ ଟଙ୍କା ୪୫ ପଇସା କରି ଦିଆଯାଇଛି।

– ଏହା ଅତିରିକ୍ତ, ଜିଏସଟି ଏବଂ ପରିବହନ ଶୁଳ୍କ ମଧ୍ୟ ଲାଗୁ କରାଯିବ।

ରାଷ୍ଟ୍ରାୟତ୍ତ ତୈଳ ଉଦ୍ୟୋଗଗୁଡ଼ିକୁ ଟୁ ଜି ଇଥାନଲର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ସ୍ୱାଧୀନତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କାରଣ ଏହା ଦେଶରେ ଅତ୍ୟାଧୁନିକ ଜୈବଇନ୍ଧନ ବିଶୋଧନାଗାର ପ୍ରତିଷ୍ଠା କରିବା କ୍ଷେତ୍ରରେ ସହାୟକ ହେବ। ସୂଚନାଯୋଗ୍ୟ ଯେ ଶସ୍ୟ ଆଧାରିତ ଇଥାନଲ ମୂଲ୍ୟ ବର୍ତ୍ତମାନ କେବଳ ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ନିର୍ଦ୍ଧାରଣ କରାଯାଉଛି।

ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିବା ଫଳରେ ନିରନ୍ତର ମୂଲ୍ୟ ସ୍ଥିରତା ଯୋଗାଇ ଦେବା ଲାଗି ସରକାରଙ୍କ ଲକ୍ଷ୍ୟ ପୂରଣ ହେବା ସହିତ ଇଥାନଲ ଯୋଗାଣକାରୀମାନଙ୍କୁ ଉଚିତ୍ ମୂଲ୍ୟ ମିଳିପାରିବ। କେବଳ ସେତିକି ନୁହେଁ ଆଖୁ ଚାଷୀଙ୍କ ବକେୟା ପାଉଣା ମଧ୍ୟ ମିଳିପାରିବ। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହିତ ବୈଦେଶିକ ମୂଦ୍ରା ସଞ୍ଚୟରେ ସହାୟକ ହେବ ଏବଂ ପରିବେଶକୁ ମଧ୍ୟ ଲାଭାନ୍ୱିତ କରିପାରିବ।

ଏହି ନିଷ୍ପତ୍ତି ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଟୁଜି ଇଥାନଲ ମୂଲ୍ୟ ନିର୍ଦ୍ଧାରଣ କରିବାରେ ସ୍ୱାଧୀନତା ଦେବ ଯାହାକି ଦେଶରେ ଅତ୍ୟାଧୁନିକ ଜୈବ ବିଶୋଧନାଗାର ପ୍ରତିଷ୍ଠା ନିମନ୍ତେ ସୁବିଧା ପ୍ରଦାନ କରିବ।

ସମସ୍ତ ଡିଷ୍ଟିଲେରୀ ଏହି ଯୋଜନାର ଲାଭ ନେବାରେ ସକ୍ଷମ ହୋଇପାରିବେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଇବିପି କାର୍ଯ୍ୟକ୍ରମ ପାଇଁ ଇଥାନଲ ଯୋଗାଣ କରିପାରିବେ ବୋଲି ଆଶା କରାଯାଉଛି।

ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ଆସୁଛନ୍ତି ଯେଉଁଥିରେ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିପାରିବେ। ବିକଳ୍ପ ଏବଂ ପରିବେଶ ଅନୁକୂଳ ଇନ୍ଧନ ଉପଯୋଗକୁ ପ୍ରୋତ୍ସାହନ ନିମନ୍ତେ ଆଣ୍ଡାମାନ ନିକୋବର ଓ ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ପ୍ରଦେଶକୁ ଛାଡ଼ି ୧ ଏପ୍ରିଲ ୨୦୧୯ ଠାରୁ ସାରା ଦେଶରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯାଇଛି। ଏହି ହସ୍ତକ୍ଷେପ ଇନ୍ଧନ ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇ ଦେବ।

୨୦୧୪ ଠାରୁ ସରକାର ଇଥାନଲର ପ୍ରଭାବୀ ମୂଲ୍ୟ ବିଜ୍ଞପିତ କରିଛନ୍ତି। ୨୦୧୮ରେ ପ୍ରଥମ ଥର ସରକାରଙ୍କ ପକ୍ଷରୁ ଇଥାନଲ ଉତ୍ପାଦନ ଲାଗି ଉପଯୋଗ କରାଯାଉଥିବା କଞ୍ଚା ମାଲ ଆଧାରରେ ଇଥାନଲର ବ୍ୟବଧାନ ମୂଲ୍ୟ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତି ଇଥାନଲ ଯୋଗାଣରେ ଯଥେଷ୍ଟ ସୁଧାର ଆଣିଛି। ଯାହାଫଳରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଇଥାନଲ କ୍ରୟ ପରିମାଣ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ)୨୦୧୩-୧୪ରେ ୩୮ କୋଟି ଲିଟରରୁ ବୃଦ୍ଧି ପାଇ ୨୦୨୦-୨୧ ଇଏସୱାଇ ବର୍ଷରେ ୩୫୦ କୋଟି ଲିଟରରେ ପହଞ୍ଚିଛି।

ଅଂଶୀଦାରମାନଙ୍କୁ ଦୀର୍ଘକାଳିନ ଦୃଷ୍ଟିକୋଣ ପ୍ରଦାନ କରିବା ଉଦ୍ଦେଶ୍ୟରେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ‘ଇବିପି କାର୍ଯ୍ୟକ୍ରମ ଅଧୀନରେ ଦୀର୍ଘକାଳୀନ ଆଧାରରେ ଇଥାନଲ କ୍ରୟ ନୀତି’ ପ୍ରକାଶ କରିଛି। ଏହାର ଅନୁରୂପ, ଇଥାନଲ ଯୋଗାଣକାରୀମାନଙ୍କ ଏକକାଳୀନ ପଞ୍ଜିକରଣ ଓଏମସିଗୁଡ଼ିକ ସମ୍ପୂର୍ଣ୍ଣ କରିସାରିଛନ୍ତି । ତୈଳ ବିପଣନ କମ୍ପାନୀଗୁଡ଼ିକ ସେହି ଯୋଗ୍ୟ ପ୍ରକଳ୍ପ ସମର୍ଥକମାନଙ୍କ ନାମ ମଧ୍ୟ ପ୍ରକାଶିତ କରିଛନ୍ତି ଯେଉଁମାନଙ୍କ ସହିତ ଇଥାନଲର ଅଭାବ ଥିବା ରାଜ୍ୟମାନଙ୍କରେ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ଦୀର୍ଘକାଳୀନ ଚୁକ୍ତି କରାଯିବ। ଅନ୍ୟ ପ୍ରମୁଖ ବୈଶିଷ୍ଟ୍ୟ ଦୀର୍ଘକାଳୀନ ଦୃଷ୍ଟିକୋଣ ପ୍ରଦାନ କରିବା ଏବଂ ନିବେଶକୁ ଆକୃଷ୍ଟ କରିବା ଲାଗି ତୈଳ ବିପଣନ କମ୍ପାନୀଗୁଡ଼ିକୁ ଆଗାମୀ ୨୦୨୧-୨୨ ଇଏସୱାଇ ଶେଷ ସୁଦ୍ଧା ପେଟ୍ରୋଲରେ ୧୦ ପ୍ରତିଶତ ଇଥାନଲ ମିଶ୍ରିତ କରିବା ଏବଂ ୨୦୨୫-୨୬ ଇଏସୱାଇ ଶେଷ ସୁଦ୍ଧା ୨୦ ପ୍ରତିଶତ ମିଶ୍ରଣ ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ନିର୍ଦ୍ଦେଶ ଦେବା ସାମିଲ ରହିଛି। ଏ ଦିଗରେ ଏକ ପଦକ୍ଷେପ ସ୍ୱରୂପ, ମାନନୀୟ ପ୍ରଧାନମନ୍ତ୍ରୀ ବିଶ୍ୱ ପର୍ଯ୍ୟାବରଣ ଦିବସ – ୫ ଜୁନ, ୨୦୨୧ରେ “ଭାରତରେ ଇଥାନଲ ସମ୍ମିଶ୍ରଣ ଲାଗି ରୋଡମ୍ୟାପ ୨୦୨୦-୨୫” ଉପରେ ବିଶେଷଜ୍ଞ ସମିତିର ରିପୋର୍ଟ ଜାରି କରିଛନ୍ତି। ଏସବୁ ପଦକ୍ଷେପ ଦ୍ୱାରା ବ୍ୟବସାୟ କରିବା ସହଜ ହେବ ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପ ସାକାର ହୋଇପାରିବ।

କ୍ରମାଗତ ଭାବେ ବଳକା ଚିନି ଉତ୍ପାଦନ ହେଉଥିବାରୁ ଚିନି ମୂଲ୍ୟ ହ୍ରାସ ପାଉଛି। ଯାହାଫଳରେ ଚିନି ଉଦ୍ୟୋଗରେ ଥିବା କୃଷକମାନଙ୍କୁ ଅର୍ଥ ପଇଠ କରିବା କ୍ଷମତା ହ୍ରାସ ପାଉଛି। ଏଥିଯୋଗୁ ଆଖୁ ଚାଷୀଙ୍କ ବକେୟା ବୃଦ୍ଧି ପାଇଛି। ଆଖୁ ଚାଷୀଙ୍କ ବକେୟା ପାଉଣା କମାଇବା ଲାଗି ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚିନି ଉତ୍ପାଦନକୁ ସୀମିତ କରିବା ଏବଂ ଇଥାନଲର ଘରୋଇ ଉତ୍ପାଦନ ବଢ଼ାବା ଲାଗି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ଏଥିରେ ଇଥାନଲ ଉତ୍ପାଦନ ପାଇଁ ବି-ହେଭୀ ମୋଲାସେସ, ଆଖୁ ରସ, ଚିନି ଏବଂ ଚିନି ରସକୁ ବଦଳାଇବା ଲାଗି ଅନୁମତି ଦେବା ସାମିଲ ରହିଛି। ବର୍ତ୍ତମାନ ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି) ଏବଂ ଚିନିର ପୂର୍ବ-ମିଲ୍ ମୂଲ୍ୟରେ ପରିବର୍ତ୍ତନ ହୋଇଛି, ସେଥିପାଇଁ ବିଭିନ୍ନ ଆଖୁ ଆଧାରିତ କଞ୍ଚା ମାଲରୁ ପ୍ରାପ୍ତ ଇଥାନଲର ପୂର୍ବ-ମିଲ୍ ମୂଲ୍ୟକୁ ସଂଶୋଧନ କରିବାର ଆବଶ୍ୟକତା ରହିଛି।

ଏହାବ୍ୟତୀତ, ଦ୍ୱିତୀୟ ପିଢ଼ି (ଟୁ-ଜି) ଇଥାନଲ କାର୍ଯ୍ୟକ୍ରମ (ଯାହା କୃଷି ଏବଂ ବନ୍ୟଜାତୀୟ ଅବଶେଷ, ଯଥା ଚାଉଳ ଏବଂ ଗହମର ନଡ଼ା/କର୍ଣ୍ଣ କବ୍, ଷ୍ଟୋଭର/ଆଖୁ ଗଛର ଅବଶେଷ, ଉଡୀ ବାୟୋମାସ ଆଦିରୁ ଉତ୍ପାଦନ କରାଯାଇଥାଏ) ଆରମ୍ଭ କରିବା ଲାଗି ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ କେତେକ ପ୍ରକଳ୍ପ ପ୍ରତିଷ୍ଠା କରାଯାଉଛି। ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଜୀ-ବନ ଯୋଜନା’ରେ ଆର୍ଥିକ ସହାୟତା ପାଉଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକୁ ପୂର୍ବରୁ ସିସିଇଏ ଦ୍ୱାରା ଅନୁମୋଦିତ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକ ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ଲାଗୁ ହେବାର ସମ୍ଭାବନା ରହିଛି। ତେଣୁ ଟୁ-ଜି ଇଥାନଲର ମୂଲ୍ୟ ନିର୍ଦ୍ଧାରିତ ହେବା ବାଞ୍ଛନୀୟ।