Categories
ଆଜିର ଖବର ରାଜ୍ୟ ଖବର

ମାତୃଭାଷାକୁ ବଂଚାଇ ରଖିବା ପାଇଁ ନିଜଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ: ପ୍ରଫେସର ଗାୟତ୍ରୀବାଳା ପଣ୍ଡା

ଭୁବନେଶ୍ୱର: ବିଶ୍ୱରେ ୭୦୦୦ ରୁ ଊର୍ଦ୍ଧ୍ୱ ଭାଷା ରହିଥିବା ବେଳେ ତନ୍ମଧ୍ୟରୁ ଅନେକ ଲୋପ ପାଇବାକୁ ବସିଲାଣି। ଓଡ଼ିଆ ଏକ ସମୃଦ୍ଧ ତଥା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ତେବେ ଆମେ ଆମ ମାତୃଭାଷାକୁ ଅଧିକ ସମୃଦ୍ଧ ଓ ବଂଚାଇ ରଖିବା ପାଇଁ ନିଜ ଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ। କାରଣ ନିଜଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଦୀର୍ଘସ୍ଥାୟୀ ହୋଇଥାଏ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପ୍ରାଚୀନ୍‌ର ମୁଖ୍ୟ ତଥା ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା।

ସୋଆରେ ଶୁକ୍ରବାର ଦିନ ବିଶ୍ୱ ମାତୃଭାଷା ଦିବସର ରଜତ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେବା ପରିପ୍ରେକ୍ଷୀରେ ପ୍ରଫେସର ପଣ୍ଡା କହିଥିଲେ ଯେ ଓଡ଼ିଆ ଭାଷାକୁ ବଂଚାଇବା ସହ ପ୍ରତ୍ୟେକ ପରିବାର ତଥା ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ପିଲାମାନଙ୍କୁ ନିଜ ମାତୃଭାଷା ପ୍ରତି ଆକୃଷ୍ଟ କରାଇବା ଜରୁରୀ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

କାର୍ଯ୍ୟକ୍ରମରେ ବିଶିଷ୍ଟ ଐତିହାସିକ ଡକ୍ଟର ନିବେଦିତା ମହାନ୍ତି ‘ଓଡ଼ିଆ ଜାତି ନିର୍ମାଣରେ ଭାଷାର ଭୂମିକା’ ପ୍ରସଙ୍ଗରେ ଆଲୋଚନା କରି ବ୍ୟାସକବି ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପକୁ ଉଦ୍ଧୃତ କରି ଆଜି ବି ସମାଜରେ ଜଣେ ଜଣେ ରେବତୀ ବଂଚିଛନ୍ତି ବୋଲି କହିଥିଲେ। ଫକୀରମୋହନଙ୍କ ସମୟରେ ନାରୀମାନଙ୍କୁ ନେଇ ଅନେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ରହିଥିବା ବେଳେ ଏହାକୁ ଅନୁଭବ କରି ନିଜ ରଚନାରେ ସେ ଏହା ଉପରେ ମନ୍ତବ୍ୟ ରଖିଥିଲେ।

ଏହି ଅବସରରେ ବିଶିଷ୍ଟ କବୟିତ୍ରୀ ଡକ୍ଟର ଅପର୍ଣ୍ଣା ମହାନ୍ତି ମାତୃଭାଷାକୁ ମା’ ସହ ଜଡ଼ିତ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ମା’ ମାନଙ୍କର ଭୂମିକା ଗୁରୁତ୍ୱପୂ୍‌ର୍ଣ୍ଣ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଦ୍ୟାଳୟର ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ମାନସ ବେହେରା ‘ଓଡ଼ିଆ ଭାଷାର ପ୍ରାୟୋଜିତ ସମ୍ଭାବନା: ଇତିହାସ ପୃଷ୍ଠଭୂମିରେ’ ପ୍ରସଙ୍ଗରେ ଆଲେଚନା କରିଥିଲେ। ଓଡ଼ିଆ ଭାଷାକୁ ସବୁସ୍ତରରେ ପ୍ରଚଳିତ କରିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ହେବା ଜରୁରୀ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଶେଷରେ ସାରୋଳଦାସ ମହାଭାରଥର ସମ୍ପାଦକ ପ୍ରଫେସର ଗୌରାଙ୍ଗ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଚୀନ୍‌ର ଆନ୍‌ଥ୍ରୋପୋଲଜି ଓ ଟ୍ରାଇବାଲ୍ ଷ୍ଟଡିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର (ଡକ୍ଟର) ନିହାର ରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟିଏଚ୍‌ଇ ୱାର୍ଲ୍ଡ ରିପୁଟେସନ୍ ର‌୍ୟାଙ୍କିଙ୍ଗସ: ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ

ଭୁବନେଶ୍ୱର: ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ମଙ୍ଗଳବାର ପ୍ରକାଶିତ ଟାଇମ୍‌ସ ହାୟାର ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ରିପୁଟେସନ୍ ର‌୍ୟାଙ୍କିଙ୍ଗସ୍ ୨୦୨୫ ତାଲିକାରେ ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ସ୍ଥାନିତ ହୋଇଛି।

ଏହି ତାଲିକାରେ ସୋଆ ବ୍ୟତୀତ ସ୍ଥାନ ପାଇଥିବା ଦେଶର ଅନ୍ୟ ୩ଟି ଶିକ୍ଷାନୁଷ୍ଠାନ ହେଉଛି ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍‌ସ, ବେଙ୍ଗାଲୁରୁ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଦିଲ୍ଲୀ ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ୍‌। ଦେଶର କେବଳ ଏହି ୪ଟି ଶିକ୍ଷାନୁଷ୍ଠାନ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ସୋଆ ହେଉଛି ଏକମାତ୍ର ଘରୋଇ ଶିକ୍ଷାନୁଷ୍ଠାନ। ଏହି ୪ଟି ଶିକ୍ଷାନୁଷ୍ଠାନ ୨୦୧-୩୦୦ ର‌୍ୟାଙ୍କ ମଧ୍ୟରେ ସ୍ଥାନିତ ହୋଇଛନ୍ତି। ଏହି ବର୍ଷ ୩୮ଟି ଦେଶର ୩୦୦ ଶିକ୍ଷାନୁଷ୍ଠାନକୁ ନେଇ ଏହି ର‌୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି।

ବିଶ୍ୱବ୍ୟାପୀ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟରୁ ଚଳିତ ବର୍ଷର ତାଲିକାରେ ହାରଭାର୍ଡ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲଗାତାର ୧୪ ବର୍ଷ ଧରି ଏହି ସ୍ଥାନ ବଜାୟ ରଖିଛି। ସେହିପରି ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି) ଏବଂ ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍ କେମ୍ବ୍ରିଜ ଯୁଗ୍ମ ଭାବେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି।

୨୦୨୪ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନଆଇଆରଏଫ୍‌) ର‌୍ୟାଙ୍କିଙ୍ଗରେ ସୋଆ ସାରା ଦେଶରେ ୧୪ ତମ ସ୍ଥାନରେ ରହିଥିବା ବେଳେ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ (ନାକ୍‌) ଦ୍ୱାରା ସର୍ବୋଚ୍ଚ ଗ୍ରେଡ ଏ++ ଦ୍ୱାରା ପୁନଃସ୍ୱୀକୃତି ପାଇଛି। ସେହିପରି ସୋଆ ୨୦୨୨ ରେ ୟୁନିଭର୍ସିଟି ଗ୍ରାନ୍‌ଟସ କମିସନ୍ (ୟୁଜିସି) ପକ୍ଷରୁ କ୍ୟାଟେଗୋରୀ ୧ ଗ୍ରେଡେଡ୍ ଅଟୋନୋମୀ ଷ୍ଟାଟସ୍ ମାନ୍ୟତା ପାଇଛି। ଏହି ବିଶ୍ୱବିଦ୍ୟାଳୟ ବିଶ୍ୱ ସ୍ତରରେ କ୍ୟୁଏସ୍ ଏବଂ ଟିଏଚ୍‌ଇ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସରେ ମଧ୍ୟ ସ୍ଥାନ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ନାରୀ ହିଂସା ବିରୋଧରେ ବିଶାଳ ଶୋଭାଯାତ୍ରା: ସାମିଲ ହେଲେ ସୋଆ, କିଟର ଛାତ୍ରାଛାତ୍ରୀ

ଭୁବନେଶ୍ଵର: ଆଜି ଭୁବନେଶ୍ଵରରେ ଓଡିଶା ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ନାରୀ ହିଂସା ବିରୋଧରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶୋଭାଯାତ୍ରାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଓ କିଟ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ସାମିଲ ହୋଇଥିବା ବେଳେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମଧ୍ୟ ଅଂଶଗ୍ରହଣ କରିଥିଲେ। ଉକ୍ତ ଶୋଭାଯାତ୍ରା ରାମମନ୍ଦିରରୁ ଆରମ୍ଭ ହୋଇ ବୁଦ୍ଧ ମନ୍ଦିରଠାରେ ଶେଷ ହୋଇଥିଲା।

ଓଡିଶା ଯୁବ ସାଂସ୍କୃତିକ ସଂସଦର ପ୍ରତିଷ୍ଠାତା ସଭାପତି ମାନସୀ ପ୍ରଧାନ ଏହାର ନେତୃତ୍ଵ ନେଇଥିଲେ। ଏହି ଅବସରରେ ମହିଳାମାନଙ୍କୁ ସମାଜରେ ଯେଉଁଭଳି ଅତ୍ୟାଚାର, ହିଂସା ହେଉଛି, ତାହାର ସୁରକ୍ଷା ପାଇଁ ଆମେ ସର୍ବଦା ଚେଷ୍ଟା କରିବୁ ବୋଲି ଶ୍ରୀମତୀ ପ୍ରଧାନ କହିଥିଲେ। ଏହି ସମୟରେ ଶିଶୁ କନ୍ୟାଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ସୁରକ୍ଷା ପାଇଁ ଓଡିଶା ଯୁବ ସାଂସ୍କୃତିକ ସଂସଦ (ଓୱାଇଏସଏସ) ୧୯୮୭ ମସିହାରୁ ଏପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଛି ବୋଲି ପ୍ରତିଷ୍ଠାତା ସଭାପତି କହିଥିଲେ। ବର୍ତ୍ତମାନ ପରିସ୍ଥିତିରେ ନାରୀମାନଙ୍କ ପ୍ରତି ହେଉଥିବା ହିଂସା ଉପରେ ଉଲ୍ଲେଖ କରି ଶ୍ରୀମତୀ ପ୍ରଧାନ କହିଥିଲେ ଯେ, ”ଯାହାର କେହି ନାହିଁ, ତାହା ପାଇଁ ଓୱାଇଏସଏସ ଅଛି।”

ଉଲ୍ଲେଖ ଯୋଗ୍ୟ ଯେ, ଶୋଭାଯାତ୍ରା ପରେ ବୁଦ୍ଧ ମନ୍ଦିର ଅଡିଟୋରିୟମ ହଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯେଉଁଥିରେ ମିଳିତ ଜାତିସଂଘର ଅଧିକାରିଣୀ ବୈଶାଳୀ ମହାନ୍ତି ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ବୈଶାଳୀ କେବଳ ମିଳିତ ଜାତିସଂଘର ଅଧିକାରିଣୀ ଭାବେ କାର୍ଯ୍ୟ କରି ଓଡିଶା ପାଇଁ ଗୌରବ ଆଣିନାହାନ୍ତି, ସେ ଓଡିଶା ସଂସ୍କୃତିକୁ ମଧ୍ୟ ବିଶ୍ଵ ଦରବାରରେ ପହଞ୍ଚାଇଛନ୍ତି। ସେ ବିଦେଶର ରୋମ, ପ୍ୟାରିସ ଭଳି ସହରରେ ଓଡଶୀ ନୃତ୍ୟର ପ୍ରଚାର ପ୍ରସାର କରୁଛନ୍ତି।

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡାଃ. ପ୍ରସନ୍ନ ପାଟ୍ଟଶାଣୀ ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ବେଦାନ୍ତ କମ୍ପାନୀର ସିଓଓ ନିତିନ କୁମାର ତିୱାରୀ, ସୋସିଆଲ ୱେଲଫେୟାର ବୋର୍ଡର ପୂର୍ବତନ ଅଧ୍ୟକ୍ଷା ନିବେଦିତା ନାୟକ, କବି ତଥା ଲେଖିକା ବିଜୟଲକ୍ଷ୍ମୀ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ସମୟରେ ନାରୀ ହିଂସା ଏବଂ ଏହାକୁ ସମାଜରୁ ମୂଳୋତ୍ପାଟନ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହିତ ଅତିଥିମାନେ ବାର୍ତ୍ତାଳାପ କରିଥିଲେ। ଏହାପରେ ଓୱାଇଏସଏସ ର ପ୍ରତିଷ୍ଠାତା ସଭାପତି ମାନସୀ ପ୍ରଧାନଙ୍କ ବ୍ୟକ୍ତିଗତ ୱେବସାଇଟର ଶୁଭାରମ୍ଭ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ, ମହିଳାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଚାରୁଲତା ମହାନ୍ତି, ବିଷ୍ଣୁପ୍ରିୟା ସାମନ୍ତରାୟ, ସୁଶ୍ରୀ ସୋନାଲି ନାୟକ ସହଯୋଗ କରିଥିଲେ।

ସଭା ଶେଷରେ ଜାନକୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗବେଷଣା କାର୍ଯ୍ୟ ପ୍ରଣାଳୀ ନେଇ ସୋଆରେ ଦଶ ଦିନିଆ କର୍ମଶାଳା

ଭୁବନେଶ୍ୱର: ଗବେଷଣା କରୁଥିବା ବ୍ୟକ୍ତି ବିଶେଷଙ୍କର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ସୋମବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଗବେଷଣା କାର୍ଯ୍ୟ ପ୍ରଣାଳୀ ସମ୍ପର୍କିତ ଏକ ୧୦ ଦିନିଆ କର୍ମଶାଳା ଆରମ୍ଭ ହୋଇଛି।

ଗବେଷଣା କରୁଥିବା ଛାତ୍ରଛାତ୍ରୀ ଏବଂ ବ୍ୟକ୍ତି ବିଶେଷଙ୍କୁ ଗବେଷଣା କ୍ଷେତ୍ରରେ ଆବଶ୍ୟକୀୟ ଦକ୍ଷତା ଓ ଜ୍ଞାନର ବୃଦ୍ଧି କରିବା ହିଁ ଏହି କର୍ମଶାଳାର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସୋଆ ପରିଚାଳିତ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌)ର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା କହିଛନ୍ତି।

ଇଣ୍ଡିଆନ୍ କାଉନ୍‌ସିଲ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର୍‌)ର ପୃଷ୍ଠପୋଷକତା ଏବଂ ପ୍ରାଚୀନ୍ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ସାମାଜିକ ବିଜ୍ଞାନ ଏବଂ ମାନବିକ ଶିକ୍ଷା କ୍ଷେତ୍ରରେ ଗବେଷଣା କରୁଥିବା ବିଭିନ୍ନ ରାଜ୍ୟର ପ୍ରାୟ ୪୦ ଜଣ ଯୋଗ ଦେଇଥିଲେ।

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗର ପୂର୍ବତନ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଆର୍ ଶିବପ୍ରସାଦ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗବେଷଣାର କାର୍ଯ୍ୟ ପ୍ରଣାଳୀ ଉପରେ ଗୁରୁତ୍ୱ ଦେବା ସହ ଏହା ଗବେଷଣାର ଗୁଣବତାକୁ ବୃଦ୍ଧି କରିଥାଏ ବୋଲି କହିଥିଲେ।

ଗବେଷଣା କାର୍ଯ୍ୟ ପ୍ରଣାଳୀରେ ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରି ସେ କହିଥିଲେ ଯେ କୌଣସି ଗବେଷଣା ବ୍ୟକ୍ତି କୈନ୍ଦ୍ରିକ ନୁହେଁ । ମିଳିତ ଉଦ୍ୟମରେ ଏହା ସଫଳ ହୋଇଥାଏ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସୋଆ ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟପ୍ରଣାଳୀ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହିଥିଲେ।

ରଚନାତ୍ମକ ଏବଂ ଅଭିନବ ଚିନ୍ତାଧାରା ଗବେଷଣା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ତେବେ ଏହି କାର୍ଯ୍ୟକୁ ବ୍ୟବସ୍ଥିତ ଢ଼ଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ନନ୍ଦ କହିଥିଲେ। ଗୋଟିଏ ପିଏଚ୍‌ଡି ଡିଗ୍ରୀ ହାସଲ କରିବା ଗବେଷଣାର ଲକ୍ଷ୍ୟ ନୁହେଁ। ଗୋଟିଏ ଡକ୍ଟରେଟ୍ ଡିଗ୍ରୀ ହାସଲ କରିବାର ଅର୍ଥ ହେଉଛି ସେହି ବ୍ୟକ୍ତି ଜଣକ ବର୍ତ୍ତମାନ ଅଧିକ ଗବେଷଣା କରିବା ନିମନ୍ତେ ପ୍ରଶିକ୍ଷିତ ବୋଲି ପ୍ରଫେସର ନନ୍ଦ କହିଥିଲେ।

କାର୍ଯ୍ୟକ୍ରମରେ ପ୍ରାଚୀନ୍‌ର ନୃତତ୍ୱ ଏବଂ ଜନଜାତି ଶିକ୍ଷା ବିଭାଗର ଆସୋସିଏଟ୍ ପ୍ରଫେସର ତଥା ଏହି କର୍ମଶାଳାର କୋର୍ସ ଡାଇରେକ୍ଟର ଡକ୍ଟର ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ‘ଗ୍ରାଣ୍ଡ ହୋମ୍ କମିଂ’- ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ

ଭୁବନେଶ୍ୱର: ନିଜ ଶିକ୍ଷାନୁଷ୍ଠାନ ପ୍ରତି ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବଡ଼ ଦାୟିତ୍ୱ ରହିଛି। ତେଣୁ ଯେଉଁଠାରୁ ଶିକ୍ଷା ଗ୍ରହଣ କରିଛ ସେହି ଶିକ୍ଷାନୁଷ୍ଠାନ ସହ କିଭଳି ଯୋଡ଼ି ହୋଇ ରହିହେବ ଏବଂ ତାହାର ମାନକୁ କିଭଳି ଉଚ୍ଚକୁ ନେଇ ହେବ ସେ ଦିଗରେ ପୁରାତନ ଛାତ୍ରଛାତ୍ରୀମାନେ ଯତ୍ନବାନ ହେବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ।

ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଆଚର୍ଯ୍ୟ ନିଜକୁ ମଧ୍ୟ ସୋଆର ଜଣେ ପୁରାତନ ଛାତ୍ର ବୋଲି ନିଜ ଭାଷଣ ପ୍ରସଙ୍ଗରେ କହିଥିଲେ। ସୋଆର ପ୍ରଥମ ସମାବର୍ତନ ଉତ୍ସବରେ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିବାରୁ ନିଜକୁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଭାବେ ଅଭିହିତ କରିଥିଲେ ପ୍ରଫେସର ଆଚାର୍ଯ୍ୟ। ଏହି ପରିପ୍ରେକ୍ଷୀରେ ନିଜ ଶିକ୍ଷାନୁଷ୍ଠାନ ସହ ପୁରାତନ ଛାତ୍ରଛାତ୍ରୀ ସମ୍ପର୍କ ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଅଭିନେତା ତଥା ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୨୦୧୩ ବ୍ୟାଚର ଛାତ୍ର ଶ୍ରୀ ଦୀପନ୍ୱୀତ ଦାସମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଭିନୟ ଜୀବନ ସୋଆରୁ ଆରମ୍ଭ ହୋଇଥିଲା ବୋଲି ଗର୍ବର ସହ କହିଥିଲେ। ସୋଆର ଡ୍ରାମା କ୍ଲବ ‘ଟନେଲ୍ ଷ୍ଟୁକ୍‌୍‌’ରେ ଅଭିନୟ କରିବା ପରଠାରୁ ହିଁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ବଢ଼ିଥିଲା ବୋଲି ସେ କହିଥିଲେ। ‘ଦମନ୍‌’, ‘ପ୍ରତୀକ୍ଷା’ ଏବଂ ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ ପରବ’ର ଅଭିନେତା ତଥା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପୁରସ୍କାର ପାଇଥିବା ଶ୍ରୀ ଦାସମହାପାତ୍ର ନିଜ କ୍ୟାରିୟରର ଶ୍ରେୟ ସୋଆକୁ ହିଁ ଦେଇଥିଲେ। ଅଭିନୟ କରିବାର ସ୍ୱପ୍ନ ସେ ସୋଆରୁ ହିଁ ଦେଖିଥିଲେ ବୋଲି ସେ କହିଥିଲେ। ସେହିପରି ନିଜ ଭାଷା, ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଚଳଚ୍ଚିତ୍ରକୁ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ ଲୋଡିଥିଲେ ଶ୍ରୀ ମହାପାତ୍ର।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମାବେଶରେ ସାମିଲ ହୋଇଥିବା ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ସୋଆ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପୂର୍ବର ଛାତ୍ରଛାତ୍ରୀ ହୁଅନ୍ତୁ ଅଥବା ମାନ୍ୟତା ପାଇବା ପରେ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀ ସମସ୍ତେ ସୋଆର ଅବିଚ୍ଛେଦ ଅଂଗ ବୋଲି କହିଥିଲେ। ଶିକ୍ଷାନୁଷ୍ଠାନ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କ ମା’ ଓ ସନ୍ତାନ ସଦୃଶ ବୋଲି ପ୍ରଫେସର ନନ୍ଦ କହିଥିଲେ। ତେଣୁ କେହି କାହାଠାରୁ କେବେ ବି ଦୂରେଇ ରହିପାରିବେ ନାହିଁ ବୋଲି ସେ କହିଥିଲେ। ସୋଆର ପୁରାତନ ଛାତ୍ରଛାତ୍ରୀମାନେ ରାଜନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ଭଳି ଅନେକ କ୍ଷେତ୍ରରେ ସମ୍ମାନଜନକ ସ୍ଥିତିରେ ଥିବା ବେଳେ ଜାହିର କରିଥିବା ବେଳେ ନିଜ ବିଶ୍ୱବିଦ୍ୟାଳୟକୁ ନେଇ ଗର୍ବ କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ।
୨୦୦୧ରୁ ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ଗ୍ରହଣ କରିଥିବା ସୋଆର ପୁରାତନ ଛାତ୍ରଛାତ୍ରୀମାନେ ଏହି ସମାବେଶରେ ଏକତ୍ରିତ ହୋଇଥିଲେ।

କାର୍ଯ୍ୟକ୍ରମରେ ସୋଆ ଆଲୁମିନଜ୍‌ର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ତଥା ଡିନ୍ ଆଲୁମିନାୟୀ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କହିଥିଲେ ଯେ ୨୦୩୬ରେ ବିକଶିତ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତ ଗଠନରେ ସୋଆର ପୁରାତନ ଛାତ୍ରଛାତ୍ରୀମାନଙ୍କର ଅନେକ ଭୂମିକା ରହିବ।

ସେହିପରି ସୋଆର ଇଣ୍ଡଷ୍ଟ୍ରି ଏନଗେଜ୍‌ମେଂଟ ଆଣ୍ଡ କର୍ପୋରେଟ ରିଲେସନ୍ସର ନିର୍ଦ୍ଦେଶକ ରିପ୍ତି ରଞ୍ଜନ ଦାଶ ନିଜ ବକ୍ତବ୍ୟରେ ପୁରାତନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ନିଜ ନିଜ ମଧ୍ୟରେ ଯୋଗାଯୋଗ, ଉତ୍ତମ ସମ୍ପର୍କ, ଜ୍ଞାନର ଆଦାନ ପ୍ରଦାନ ଓ କ୍ୟାରିୟରରେ ସହଯୋଗ କଲାଭଳି କାର୍ଯ୍ୟ କରିବା ଉଚିତ୍‌। ଆଲୁମିନାୟୀମାନେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କର ଲାଟେରାଲ କ୍ୟାମ୍ପସ ନିଯୁକ୍ତିରେ ସହାୟକ ହେବା ସହ ସେମାନଙ୍କର ମାର୍ଗଦର୍ଶକ ହୁଅନ୍ତୁ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ- ଅଟଳ ଇନ୍‌କ୍ୟୁବେସନ୍ ସେଂଟରର ଡିଜିଏମ୍ ଶ୍ରୀ ରାଜୀବ କୁମାର ଅନୁଷ୍ଠାନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ସମାବେଶରେ ସୋଆର ୨୦ ଜଣ ବିଶିଷ୍ଟ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସୋଆ ଆଲୁମିନାୟୀଜ୍‌ର ଆବାହକ ଶ୍ରୀ ଅଭିଷେକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଓଡ଼ିଶାର ସ୍ୱାନମଧନ୍ୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଶନିବାର ସକାଳେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌, ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟ, ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସମ୍ ନର୍ସିଂ କଲେଜ, ସେଂଟର ଫର ବାୟୋଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜ କଲେଜରେ ଏକତ୍ରିତ ହୋଇଥିବା ବେଳେ ସଂପୃକ୍ତ ଅନୁଷ୍ଠାନର ଡିନ୍ ଓ ସିନିୟର ପ୍ରଫେସରମାନେ ମଧ୍ୟ ଉପସ୍ଥିତ ଥିଲେ। ଅପରାହ୍ନରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ସୋଆ କ୍ୟାମ୍ପସ ୨ ଅଡିଟୋରିୟମ୍‌ରେ ଏକତ୍ରିତ ହୋଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକା: ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ

ଭୁବନେଶ୍ୱର: ଖେଳ ଆରମ୍ଭ ହେବାର ମାତ୍ର କେତୋଟି ମିନିଟ୍ ପରେ ନିର୍ଭରଶୀଳ ରକ୍ଷଣ ଭାଗ ଖେଳାଳୀ ଅମିତ ରୋହିଦାସଙ୍କୁ ରେଡକାର୍ଡ ମିଳିଲା। ସେତେବେଳକୁ ଖେଳର ପ୍ରାୟ ଦୁଇ – ତୃତୀୟାଂଶ ବାକୀ ଅଛି। ମାତ୍ର ୧୦ ଜଣ ଖେଳାଳୀଙ୍କୁ ନେଇ ଭାରତ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡାର ପୁରୁଷ ହକି ପ୍ରତିଯୋଗିତାରେ କିପରି ଗ୍ରେଟ ବ୍ରିଟେନ୍‌କୁ ପରାଜିତ କରି ପାରିଲା?

ଏହି ପ୍ରଶ୍ନ ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ୪ଜଣ ସ୍ୱନାମଧନ୍ୟ ଖେଳାଳୀଙ୍କୁ ଏକ ଆଲୋଚନା କାର୍ଯ୍ୟକ୍ରମରେ ପଚାରିଥିଲେ।

ମଧ୍ୟଭାଗ ଖେଳାଳୀ ଶାମ୍‌ଶେର ସିଂହ କହିଥିଲେ ଯେ ଅମିତଙ୍କୁ ଖେଳରୁ ବାହାର କରିଦେବା ଭାରତୀୟ ଦଳ ପାଇଁ ଏକ ବଡ ଧକ୍କା ଥିଲା। କାରଣ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନ୍ କୁ ହରାଇବା କଷ୍ଟକର ବୋଲି ସମସ୍ତେ ଭାବୁଥିଲେ ବୋଲି ଶାମ୍‌ଶେର କହିଥିଲେ। “ଆମ ମଧ୍ୟରେ ଏକତା ଥିଲା ଓ ଏହି ପରିସ୍ଥିତରେ ଆମେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସୁଟ୍ ଆଉଟ୍‌ରେ ଏହି ମ୍ୟାଚ ୪-୨ ରେ ଜିତି ପାରିଲୁ”, ବୋଲି ସେ କହିଥିଲେ।

ଏହି ଆଲୋଚନାରେ ଶାମ୍‌ଶେରଙ୍କ ବ୍ୟତୀତ ଜରମନ୍‌ପ୍ରୀତ ସିଂହ, ରାଜକୁମାର ପାଲ ଓ ବରୁଣ କୁମାର ଯୋଗ ଦେଇଥିଲେ । ଏହି ୪ଜଣ ଖେଳାଳୀ ଦିଲ୍ଲୀ ଏସଜି ପାଇପର୍ସ ଦଳ ପକ୍ଷରୁ ରାଉକେଲାଠାରେ ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ହକି ଇଣ୍ଡିଆ ଲିଗରେ ଭାଗ ନେବା ପୂର୍ବରୁ ଭୁବନେଶ୍ୱରରେ ଅଭ୍ୟାସ କରୁଛନ୍ତି । ସେମାନଙ୍କ ସହିତ ବିଶିଷ୍ଟ କ୍ରୀଡା ସାମ୍ବାଦିକ ତଥା ଏସଜି ସ୍ପୋର୍ଟସ୍ ଆଣ୍ଡ ଏଂଟରଟେନ୍‌ମେଂଟର ଉପସଭାପତି ଶ୍ରୀ ଦିଗ୍‌ବିଜୟ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ ।

ପ୍ୟାରିସ୍‌ରେ ଅନୁଷ୍ଠିତ ଏହି କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଉପସ୍ଥିତ ଥିବା ଶ୍ରୀ ସିଂହଦେଓ କହିଥିଲେ ଯେ ଅମିତଙ୍କୁ ରେଡକାର୍ଡ ମିଳିବା ପରେ ଏହି ମ୍ୟାଚରେ ଭାରତ ଜିତିବ ବୋଲି କେହି ଚିନ୍ତା କରି ନ ଥିଲେ । ମାତ୍ର ଭାରତୀୟ ଦଳ ଅଭୂତପୂର୍ବ ପ୍ରଦର୍ଶନ କରି ଏହି ମ୍ୟାଚରେ ବିଜୟୀ ହୋଇପାରିଥିଲା ।

ମଧ୍ୟଭାଗ ଖେଳାଳୀ ରାଜକୁମାର ପାଲ କହିଲେ ଭାରତୀୟ ଦଳରେ ସବୁ ଖେଳାଳୀ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିଥାନ୍ତି ।

ନିଜ କ୍ରୀଡା ଜୀବନର ଆରମ୍ଭରୁ ତାଙ୍କ ବିରୁଦ୍ଧରେ ହୋଇଥିବା ଏକ ଅଭିଯୋଗ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେବାକୁ ଯାଉଥିଲା ବୋଲି ଜରମନ୍‌ପ୍ରୀତ ସିଂହ ଏକ ପ୍ରଶ୍ନର ଉତରରେ କହିଥିଲେ । ଏହି ଅଭିଯୋଗ ମୋତେ ନିରାଶ କରିଥିଲା । ମାତ୍ର ମୋର ପରିବାରବର୍ଗ ମୋତେ ସଂପୂର୍ଣ୍ଣ ସମର୍ଥନ କରିଥିଲେ । ମୁଁ ମଧ୍ୟ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିବା ପାଇଁ ସମସ୍ତ ଉଦ୍ୟମ କରି ନିଜକୁ ଉତ୍ସାହିତ କରିଥିଲି ବୋଲି ସେ କହିଥିଲେ ।

ଏକ ପ୍ରଶ୍ନର ଉତରରେ ବରୁଣ କୁମାର କହିଥିଲେ ଯେ ଯଦିଓ ଦେଶରେ କ୍ରିକେଟ ପ୍ରତି ଅଧିକ ସମର୍ଥନ ଥିବା ଜଣାପଡେ, ଭାରତୀୟ ହକି ଦଳ କ୍ରମାଗତ ଦୁଇଥର ଟୋକିଓ ଏବଂ ପ୍ୟାରିସ୍ ଅଲମ୍ପିକସ କ୍ରୀଡାରେ କ୍ରମାଗତ ଭାବେ ବ୍ରୋଞ୍ଜ ପଦକ ଲାଭ କରିବା ପରେ ହକି ପ୍ରତି ଆଗ୍ରହ ବୃଦ୍ଧି ପାଉଛି ।

ଆପଣମାନେ ହକିକୁ ସମର୍ଥନ ଜଣାଇ ଏହାର ଉନ୍ନତି ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଖେଳାଳୀମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କୁ ଭାରତର ଗୌରବ ବୋଲି କହିଥିଲେ ।
ଜରମନ୍‌ପ୍ରୀତ ସିଂହ ଛାତ୍ରଛାତ୍ରୀମାନଙ୍କୁ ହକି ଇଣ୍ଡିଆ ଲିଗ୍‌ରେ ଦିଲ୍ଲୀ ଏସଜି ପାଇପର୍ସ ଦଳକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମକୁ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ପରିଚାଳନା କରିଥିଲେ ।

ସୋଆରେ ଖେଳାଳୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରମାନେ ଖେଳାଳୀମାନଙ୍କୁ ନିଜ ଗହଣରେ ପାଇ ବେଶ୍ ଉତ୍ସାହିତ ହୋଇଥିଲେ ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆରେ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ରବିବାର ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆରମ୍ଭ ହୋଇଛି। ୮ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୦ଟି ଦେଶରୁ ପ୍ରାୟ ୭୦୦ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଏହି ଟୁର୍ଣ୍ଣାମେଂଟ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ବିଭିନ୍ନ ବୟସର ଖେଳାଳୀମାନେ ଆଗ୍ରହର ସହ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ଏହାକୁ ଏକ ଉଚ୍ଚକୋଟୀର କାର୍ଯ୍ୟକ୍ରମ ବୋଲି ଅଭିହିତ କରିବା ସହ ଏହା ସାହାଯ୍ୟରେ ଚେସ୍ ଖେଳକୁ ଅଧିକ ଲୋକାଭିମୁଖୀ କରିହେବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ସୋଆ, ରୋଟାରୀ ଇନ୍‌ଟରନ୍ୟାସ୍‌ନାଲ ଏବଂ ଏମ୍‌ପ୍ରିଓ ଗ୍ରୁପ୍‌ର ମିଳିତ ସହଯୋଗରେ ଆୟୋଜିତ ହେଉଥିବା ବେଳେ ଏହି ଟୁର୍ଣ୍ଣାମେଂଟରେ ମୋଟ ପୁରସ୍କାର ରାଶି ୪୦ ଲକ୍ଷ ଟଙ୍କା ରଖାଯାଇଛି।

‘ଏ’ କ୍ୟାଟେଗୋରୀରେ ୧୯୦୦ କିମ୍ବା ତଦୁର୍ଦ୍ଧ ଏଲୋ ରେଟିଂ ଥିବା ପ୍ରାୟ ୧୨୦ ଜଣ ଖେଳାଳୀ ଭାଗ ନେଇଥିôବା ବେଳେ କ୍ୟାଟେଗୋରୀ ‘ବି’ରେ ୧୯୦୦ ରୁ କମ୍ ଏଲୋରେଟିଂ ଥିବା ଖେଳାଳୀ ଏବଂ କ୍ୟାଟେଗୋରୀ ‘ସି’ରେ ୧୬୦୦ରୁ କମ୍ ଏଲୋରେଟିଂ ଥିବା ଖେଳାଳୀ ସାମିଲ ହୋଇଛନ୍ତି।

କ୍ୟାଟେଗୋରୀ ‘ଏ’ର ମୋଟ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରହିଥିବା ବେଳେ ସର୍ବାଧିକ ପୁରସ୍କାର ସାଢ଼େ ୫ ଲକ୍ଷ ଟଙ୍କା ରଖାଯାଇଛି। ସେହିପରି କ୍ୟାଟେଗୋରୀ ‘ବି’ ଏବଂ କ୍ୟାଟେଗୋରୀ ‘ସି’ ନିମନ୍ତେ ସାଢ଼େ ସାତ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରଖାଯାଇଛି।

ସୋଆର ଦ୍ୱିତୀୟ କ୍ୟାମ୍ପସ୍‌ରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଂଟର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତର ବିଧାୟକ ବାବୁ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଂଟର ଅର୍ଗାନାଇଜିଂ କମିଟିର ଅଧ୍ୟକ୍ଷ ତଥା ଏମ୍ପ୍ରିଓ ଗ୍ରୁପ୍‌ର ନିର୍ଦ୍ଦେଶକ ଡାକ୍ତର ଅବିନାଶ ସାମଲ, ଟୁ୍‌ର୍ଣ୍ଣାମେଂଟର ଅର୍ଗାନାଇଜିଂ କମିଟିର ସହ ଅଧ୍ୟକ୍ଷ ତଥା ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏଓସିଓର ସଚିବ ତଥା ଟୁର୍ଣ୍ଣାମେଂଟର ନିର୍ଦ୍ଦେଶକ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର ଏବଂ ସୋଆର ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ଓ ମାଲା ରେଡି ବିଶ୍ୱବିଦ୍ୟାପୀଠ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଓ ହାଇଦ୍ରାବାଦ ସ୍ଥିତ ମାଲା ରେଡି ବିଶ୍ୱବିଦ୍ୟାପୀଠ ମଧ୍ୟରେ ଶୁକ୍ରବାର ଦିନ ଏଠାରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ଏହି ବୁଝାମଣା ପତ୍ର ଅନୁଯାୟୀ ସୋଆ ଓ ଏମ୍‌ଆର୍‌ଭି ସହଯୋଗ ଭିତିରେ ଶିଳ୍ପ ଜଗତର ଆବଶ୍ୟକତାକୁ ଆଖିରେ ରଖି ଶୈକ୍ଷିକ ପାଠ୍ୟକ୍ରମ ପ୍ରସ୍ତୁତ କରିବେ ଯେପରି ଭବିଷ୍ୟତର ଆବଶ୍ୟକତାକୁ ଏହା ପୂରଣ କରିବ।

ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟ ଏକତ୍ର ଶିକ୍ଷା, ଗବେଷଣା, ନୂତନ ପ୍ରବର୍ତନ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜ୍ଞାନର ଆଦାନ ପ୍ରଦାନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ।
ସ୍ୱାସ୍ଥ୍ୟ ସେବା, ମେଡିକାଲ୍ ଟେକ୍ନୋଲଜି, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ଲାଇଫ୍ ସାଇନ୍ସ ଓ ଇଞ୍ଜିନିୟରିଂ ଇତ୍ୟାଦି କ୍ଷେତ୍ରରେ ଗବେଷଣା ନିମନ୍ତେ ଜାତୀୟ ତଥା ଆନ୍ତର୍ଜାତିକ ସଂସ୍ଥାର ଅର୍ଥ ଯୋଗାଣ ନିମନ୍ତେ ଉଭୟ ବିଶ୍ୱବିଦ୍ୟାଳୟ ମିଳିତ ଉଦ୍ୟମ କରିବେ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଏମ୍‌ଆର୍‌ଭିର ରେଜିଷ୍ଟ୍ରାର ଡକ୍ଟର ମନ୍ଥନ ଜାନୋଡିଆ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ସମୟରେ ଏମ୍‌ଆର୍‌ଭିର ଚିଫ୍ ଇନୋଭେସନ୍ ଅଫିସର ଡକ୍ଟର ବିକାଶ ସାହୁ ଓ ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ ଅଫିସର ଡକ୍ଟର ଏଲୋଜିତା ରାଉତ ଉପସ୍ଥିତ ଥିଲେ। ସୋଆର ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଓ ପ୍ରଫେସର ଇ. ସୁବୁଦ୍ଧି ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଜଳବାୟୁ ପରିବର୍ତ୍ତନ ନେଇ ଡିସେମ୍ବର ୮ ରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ବିଶେଷଜ୍ଞ, ପରିବେଶବିତ୍‌, ବ୍ୟବସାୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସମାଜସେବୀମାନେ ଆସନ୍ତା ଡିସେମ୍ବର ୮ ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଆୟୋଜିତ ହେବାକୁ ଥିବା ଏକ ଦିବସୀୟ ଜାତୀୟ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଓ ଏହାର ଭବିଷ୍ୟତ ନିମନ୍ତେ ଆହ୍ୱାନ ସମ୍ପର୍କରେ ଆଲୋଚନା କରିବେ।

‘କ୍ଲାଇମେଟ ଚେଞ୍ଜ: ପ୍ରସ୍‌ପେକ୍ଟସ୍ ଆଣ୍ଡ ଚ୍ୟାଲେଞ୍ଜେସ୍‌’ ଶୀର୍ଷକ ଏହି ଏକ ଦିବସୀୟ ଜାତୀୟ ସମ୍ମିଳନୀ ସୋଆ ଏବଂ ସାମାଜିକ ଅନୁଷ୍ଠାନ ଏଭର ଗ୍ରୀନ୍ ଫୋରମ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଛି।

ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତନ ଏବଂ ଭବିଷ୍ୟତରେ ଏହାକୁ ନେଇ ଯେଉଁ ସମସ୍ୟା ସୃ୍‌ଷ୍ଟି ହେବାକୁ ଯାଉଛି ସେ ବିଷୟରେ ଆଲୋଚନା କରାଯିବ ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି।

ଏଭର ଗ୍ରୀନ୍ ଫୋରମ୍‌ର ପ୍ରତିଷ୍ଠାତା ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ଜେନା କହିଛନ୍ତି ଯେ ଏହି ସମ୍ମିଳନୀରେ ବିଜ୍ଞାନ ଓ ଜଳବାୟୁ, ପରିବେଶ ଉପରେ ଜଳବାୟୁ ପରିବର୍ତନର ପ୍ରଭାବ, ଖାଦ୍ୟ ସୁରକ୍ଷା, ଜଳ ସମ୍ପଦ, ଶକ୍ତି ଓ ଏହାର ମଣିଷର ସ୍ୱାସ୍ଥ୍ୟ ଉପରେ ପ୍ରଭାବକୁ ନେଇ ଆଲୋଚନା କରାଯିବ।

ଏହି ସମ୍ମିଳନୀରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜି, ପୁନେର ନିର୍ଦ୍ଦେଶକ ଡକ୍ଟର ଆର୍‌. କ୍ରିଷ୍ଣନ୍‌, ଇନ୍‌ଟରନ୍ୟାସ୍‌ନାଲ୍ ସୋସାଇଟି ଫର୍ ଏଗ୍ରିକଲ୍‌ଚରାଲ୍ ମେଟିଓରୋଲୋଜିର ସଭାପତି ଡକ୍ଟର ନବାଂଶୁ ଚଟ୍ଟୋପାଧ୍ୟାୟ, ମିଜୋରାମ୍‌ର ମୁଖ୍ୟ ବନ୍ୟ ସଂରକ୍ଷକ ଅଶୋକ କୁମାର ବିଶ୍ୱାଳ, ସୋଆର ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚରର ଡିଷ୍ଟିଙ୍ଗଉଇସଡ ପ୍ରଫେସର ଡକ୍ଟର ଉମା ଚରଣ ମହାନ୍ତି, ବାରଣାସୀ ସ୍ଥିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜିଓ ଫିଜିକ୍ସର ପ୍ରଫେସର ରାଜୀବ ଭାଟିଆ, ସିସିଏସ୍‌ଏର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ଭିଜିଟିଂ ପ୍ରଫେସର ଡକ୍ଟର ନିହାର ରଞ୍ଜନ ଦାସ, ଆଇସିଏଆର୍ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଂଟ, ଭୁବନେଶ୍ୱରର ପ୍ରମୁଖ ବୈଜ୍ଞାନିକ ଡକ୍ଟର ପ୍ରମୋଦ କୁମାର ପଣ୍ଡା, ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ଏବଂ ମେରାଇନ୍ ଡିଭିଜନ୍‌, ଡବ୍ଲୁଡବ୍ଲୁଏଫ୍ ଇଣ୍ଡିଆର ଷ୍ଟେଟ୍ ଲିଡ ୍‌- ଓଡ଼ିଶା ଶ୍ରୀମତି ସାଧ୍ୱୀ ସିନ୍ଦୁରା ନିଜର ବକ୍ତବ୍ୟ ରଖିବେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଡିସେମ୍ବର ୧୫ ରୁ ସୋଆରେ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୫ ତାରିଖରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ୮ ଦିନ ଧରି ହେଉଥିବା ଏହି ପ୍ରତିଯୋଗିତାରେ ୨୫ଟି ଦେଶର ପ୍ରାୟ ୭୦୦ ପ୍ରତିଯୋଗୀ ୩ ଟି ବିଭିନ୍ନ କ୍ୟାଟେଗୋରୀରେ ଭାଗ ନେବେ।

ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ସୋଆ, ରୋଟାରୀ ଇନ୍‌ଟରନ୍ୟାସ୍‌ନାଲ ଏବଂ ଏମ୍‌ପ୍ରିଓ ଗ୍ରୁପ୍‌ର ମିଳିତ ସହଯୋଗରେ ଅନୁଷ୍ଠିତ ହେବ  ଏହି ଟୁର୍ଣ୍ଣାମେଂଟରେ ମୋଟ ପୁରସ୍କାର ରାଶି ୪୦ ଲକ୍ଷ ଟଙ୍କା ରଖାଯାଇଛି ବୋଲି ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟୁର୍ଣ୍ଣାମେଂଟର ଅର୍ଗାନାଇଜିଂ ଚେୟାରମ୍ୟାନ୍ ଡାକ୍ତର ଅବିନାଶ ସାମଲ୍ କହିଛନ୍ତି।

ଏଓସିଏର ସଚିବ ତଥା ଟୁର୍ଣ୍ଣାମେଂଟର ନିର୍ଦ୍ଦେଶକ ଥିବା ଶ୍ରୀ ଭଟ୍ଟ ଏହି ଅବସରରେ କହିଛନ୍ତି ଯେ ‘ଏ’ କ୍ୟାଟେଗୋରୀରେ ୧୯୦୦ କିମ୍ବା ତଦୁର୍ଦ୍ଧ ଏଲୋ ରେଟିଂ ଥିବା ପ୍ରାୟ ୧୨୦ ଜଣ ଖେଳାଳୀ ଭାଗ ନେଉଥିôବା ବେଳେ କ୍ୟାଟେଗୋରୀ ‘ବି’ରେ ୧୯୦୦ ରୁ କମ୍ ଏଲୋ ରେଟିଂ ଥିବା ଖେଳାଳୀ ଏବଂ କ୍ୟାଟେଗୋରୀ ‘ସି’ରେ ୧୬୦୦ ଏଲୋ ରେଟିଂରୁ କମ୍ ଥିବା ଖେଳାଳୀ ପ୍ରତିଯୋଗିତାରେ ସାମିଲ ହେବେ।

କ୍ୟାଟେଗୋରୀ ‘ଏ’ର ମୋଟ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରହିଥିବା ବେଳେ ସର୍ବାଧିକ ପୁରସ୍କାର ସାଢ଼େ ୫ ଲକ୍ଷ ଟଙ୍କା ରଖାଯାଇଛି। ସେହିପରି କ୍ୟାଟେଗୋରୀ ‘ବି’ ଏବଂ କ୍ୟାଟେଗୋରୀ ‘ସି’ ନିମନ୍ତେ ସାଢ଼େ ସାତ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଥିବା ସେ କହିଛନ୍ତି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୋଆର ଛାତ୍ର ମଙ୍ଗଳ ଡିନ୍ ତଥା ଅର୍ଗାନାଇଜିଂ କମିଟିର ସହ ଅଧ୍ୟକ୍ଷ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସୋଆର ସ୍ପନ୍ସରଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍‌ସଲ୍‌ଟାନ୍ସି (ଏସ୍‌ଆର୍‌ଆଇସି)ର ଡିନ୍ ପ୍ରଫେସର ପି.କେ. ପାତ୍ର, ଏଓସିଏର କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ଇନ୍‌ଟରନ୍ୟାସ୍‌ନାଲ୍ ଆର୍‌ବିଟର ତାପସ କୁମାର ମହାନ୍ତି, ଏଓସିଏର ଏଗ୍‌ଜିକ୍ୟୁଟିଭ୍ କମିଟିର ସଦସ୍ୟ ସୁର୍ଯ୍ୟକାନ୍ତ ବିଶୋଇ ପ୍ରମଖ ଉପସ୍ଥିତ ଥିଲେ।

ସୋଆର ଦ୍ୱିତୀୟ କ୍ୟାମ୍ପସ୍‌ରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ବର୍ତମାନ ସୁଦ୍ଧା ବୋସ୍‌ନିଆ, କଲମ୍ବିଆ, ଫ୍ରାନ୍ସ, କାଜାକ୍‌ସ୍ତାନ,ପାରାଗୁଏ, ୟୁଏସ୍‌ଏ, ଭିଏତନାମ୍‌, ବେଲାରୁସ, ଇଜିପ୍ଟ, ଫିଲିପାଇନ୍ସ, ଋଷିଆ, ସ୍ଲୋଭାକିଆ ଓ ଭାରତର ଚେସ୍ ଖେଳାଳୀମାନେ ଭାଗ ନେବେ। ଏମାନଙ୍କ ମଧ୍ୟରୁ ୭୦ ଜଣ ପ୍ରତିଯୋଗୀ ଟାଇଟଲ୍ ହୋଲ୍‌ଡର ବୋଲି ଶ୍ରୀ ଭଟ୍ଟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ‘ପ୍ରାଚୀନ’ ପକ୍ଷରୁ ପ୍ରକାଶିତ ଦୁଇଟି ପୁସ୍ତକ ଉତ୍ସର୍ଗୀକୃତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭାଷା, ସଂସ୍କୃତି ଓ ଐତିହ୍ୟ କେନ୍ଦ୍ର ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରକାଶିତ ଦୁଇଟି ପୁସ୍ତକ ‘ଯୁଗଭଞ୍ଜଙ୍କ ଦଶପୋଈ’ ଓ ‘ପ୍ରାଚୀନ ଓଡିଆ ଅଭିଲେଖ’ ଓଡିଆ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି। ଏହି ଦୁଇଟି ପୁସ୍ତକକୁ ସୋମବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି। ଏହି ସମୟରେ ପ୍ରାଚୀନର ମୁଖ୍ୟ ପ୍ରଫେସର (ଡକ୍ଟର) ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ।

ଏହି ପୁସ୍ତକ ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଁରେ ୧୮୭୫ ମସିହାରେ ପ୍ରକାଶ ପାଇଥିବା ବେଳେ ପୁର୍ନବାର କୋଲକାତାରେ ୧୯୫୨ ମସିହାରେ ପ୍ରକାଶିତ ହୋଇଥିଲା।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ପୁସ୍ତକଟି ଉପେନ୍ଦ୍ର ଭଞ୍ଜଙ୍କ ରଚନା ନୁହେଁ ବରଂ ବଉଦର ତତ୍କାଳୀନ ରାଜା ଯୁଗଭଞ୍ଜ ହେଉଛନ୍ତି ଏହାର ରଚୟିତା। ପ୍ରଥମ ପ୍ରକାଶନର ପ୍ରାୟ ଦେଢଶହ ବର୍ଷ ପରେ ଏହି ପୁସ୍ତକର ସ୍ରଷ୍ଟା ଯେ ଅନ୍ୟ ଜଣେ ବ୍ୟକ୍ତି ତାହା ଦୁଇଜଣ ଗବେଷକ ପ୍ରମାଣିତ କରିଛନ୍ତି। ପୁସ୍ତକଟି ଗୀତର ଭାବ ଅନୁଯାୟୀ ଚିତ୍ରିତ କରାଯାଇଛି ତେଣୁ ଆଖିରେ ଲାଖିଯିବା ଭଳି ଏହି ପୁସ୍ତକଟିକୁ ଚିତ୍ରପୋଥି କୁହାଯାଏ। ଦଶପୋଈକୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଓ ଗୌରାଙ୍ଗ ଚରଣ ଦାଶ ସମ୍ପାଦନା କରିଛନ୍ତି।

ଦ୍ୱିତୀୟ ପୁସ୍ତକ ‘ପ୍ରାଚୀନ ଓଡିଆ ଅଭିଲେଖ’କୁ ସମ୍ପାଦନା କରିଛନ୍ତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ। ଓଡିଶାର ଜଣେ ବିଶିଷ୍ଟ ଲିପିତତ୍ୱବିଦ୍ ଭାବେ ପରିଚିତ ପ୍ରଫେସର ଆଚାର୍ଯ୍ୟ ପୁସ୍ତକରେ ଉରଜାମ ଶିଳାଲେଖ ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଖୋଦିତ ଓଡିଆ ଶିଳାଲେଖ ଓ ତାମ୍ରଲେଖ ଗୁଡିକର ମୂଳପାଠ ଓ ଅନୁବାଦ ଏହି ପୁସ୍ତକରେ ସ୍ଥାନିତ କରାଯାଇଛି।

ପୁସ୍ତକର ଆରମ୍ଭ ରେ ଏକ ଦୀର୍ଘ ମୁଖବନ୍ଧ ରହିଥିବା ବେଳେ ଶେଷରେ ଶିଳାଲେଖ ଓ ତାମ୍ରଲେଖ ଗୁଡିକର ଫଟୋ ମଧ୍ୟ ରହିଛି। ଏହି ମୁଖ ବନ୍ଧ ପ୍ରାଚୀନ ଓଡିଆ ଭାଷା ଓ ଇତିହାସର ପୁନର୍ମୂଲ୍ୟାୟନ କ୍ଷେତ୍ରରେ ଏକ ପ୍ରାମାଣିକ ଗ୍ରନ୍ଥ। ସୋଆର ଏହି ଦୁଇ ସଂଭ୍ରାନ୍ତ ପ୍ରକାଶନ ଓଡିଆ ସାହିତ୍ୟ ଓ ଭାଷାର ଇତିହାସ ରଚନାରେ ଦୁଇଟି ପ୍ରାମାଣିକ ଗ୍ରନ୍ଥ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କମ୍ୟୁନିଟି ରେଡ଼ିଓ ପକ୍ଷରୁ ‘ଆମର ବରିଷ୍ଠ, ଆମର ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍‌ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ପକ୍ଷରୁ ‘ଆମର ବରିଷ୍ଠ, ଆମର ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନସ୍ଥ ଅଭୟ ଯୋଜନା ଦ୍ୱାରା ଅଧାରିତ ଓ କମ୍ୟୁନିଟି ରେଡ଼ିଓ ଆସୋସିଏସନ୍ (ସିଆର୍‌ଏ) ଦ୍ୱାରା
ପରିଚାଳିତ ଏହି ଅଟଳ ଭାୟୋ ଅଭ୍ୟୁଦୟ ଯୋଜନା (ଅଭୟ) କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ
ନାଗରିକମାନେ ବ୍ୟକ୍ତିଗତ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୁବିଧା ପାଇପାରିବେ।

ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବେତାର କେନ୍ଦ୍ର ମାଧ୍ୟମରେ
ସେମାନଙ୍କୁ ଅବଗତ କରାଯିବାର ଯୋଜନା ସହ ସେମାନଙ୍କୁ ସମ୍ମାନ ଦେବା ଏବଂ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା, ଯତ୍ନ ଓ ସୁରକ୍ଷା ପ୍ରଦାନ କରିବା ଏହି ଅଭୟ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ୨୦୨୪ ନଭେମ୍ବର ରୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଜାରୀ ରହିବ। ଏହି
କାର୍ଯ୍ୟକ୍ରମ ମାଧ୍ୟମରେ ସମୁଦାୟ ୨୪ଟି ଅଧ୍ୟାୟ ପ୍ରସାରିତ ହେବା ସହ ୧୦ଟି ନ୍ୟାରୋ କାଷ୍ଟିଙ୍ଗ ଦ୍ୱାରା ବୟୋଜ୍ୟେଷ୍ଠ ମାନଙ୍କ ପାଖରେ ସଚେତନତା ବାର୍ତା ପହଂଚାଇବା ସୋଆ କମ୍ୟୁନିଟି ରେଡ଼ିଓର ଲକ୍ଷ୍ୟ ଅଟେ।

ସୋଆ କମ୍ୟୁନିଟି ରେଡ଼ିଓ ପକ୍ଷରୁ ଆୟୋଜିତ ଏହି କାର୍ଯକ୍ରମରେ ୩୦ରୁ ଊର୍ଦ୍ଧ୍ୱ
ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅଭୟ ଯୋଜନାକୁ ନେଇ
ପ୍ରସ୍ତୁତ ହୋଇଥିବା ନାଟକକୁ ଶୁଣିବା ସହ ସରକାରଙ୍କ ସମସ୍ତ ଯୋଜନାର ସାରମର୍ମ ବୁଝିଥିଲେ। ଏନେଇ ସମସ୍ତ ପ୍ରଶ୍ନୋତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ସୋଆ କମ୍ୟୁନିଟି ରେଡ଼ିଓ ଇନ୍‌ଚାର୍ଜ ହନୀ ପଟ୍ଟନାୟକଙ୍କ ତତ୍ୱାବଧାନରେ
ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରେଡିଓ ଜକି ରମାବଲ୍ଲଭ ମହାପାତ୍ର, ଶୁଭଶ୍ରୀ ପାତ୍ର,
ଶୁଭଶ୍ରୀ ସାହୁ ଏବଂ ଶୁଭଶ୍ରୀ ଶୁଭସ୍ମିତା ସ୍ୱାଇଁ ପରିଚାଳନା କରିଥିବା ବେଳେ ସାଉଣ୍ଡ
ଅପରେଟର ଶ୍ରୀ ପବିତ୍ର କୁମାର ସାହୁ ଏବଂ ସାଉଣ୍ଡ ଇଞ୍ଜିନିୟରିଂ ଶ୍ରୀ ସତ୍ୟ ରଞ୍ଜନ ସ୍ୱାଇଁ ସମସ୍ତସହଯୋଗ ଯୋଗାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଂଟିବାୟୋଟିକ୍‌କୁ ଅଧିକ ବିକଶିତ କରିବା ନିମନ୍ତେ ସମାଜର ସବୁବର୍ଗଙ୍କ ସହଯୋଗ ଆବଶ୍ୟକ: ବିଶେଷଜ୍ଞ

ଭୁବନେଶ୍ୱର: କୋଭିଡ ମହାମାରୀରେ ଭାରତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜୀବନର ରକ୍ଷାକାରୀ ସାଜିଥିଲା ଜୀବାଣୁକୁ ଅକାମୀ କରୁଥିବା ଆଂଟିବାୟୋଟିକ। ତେଣୁ ଏଭଳି ଆଂଟିବାୟୋଟିକ୍‌ଗୁଡ଼ିକୁ ଅଧିକ ମାତ୍ରାରେ ବିକଶିତ କରିବା ପାଇଁ ସମାଜର ସହଯୋଗର ଆବଶ୍ୟକତା ରହିଛି। ଏହା ଜାତୀୟ ସୁରକ୍ଷା ନିମନ୍ତେ ଆବଶ୍ୟକ ବୋଲି ଶିଳ୍ପ ଏବଂ ସାମୁଦ୍ରିକ ଜୈବପ୍ରଯୁକ୍ତିବିଦ୍ୟା ଉପରେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ବିଶେଷଜ୍ଞ ମତ ଦେଇଛନ୍ତି।

ନଭେମ୍ବର ୪ ଓ ୫ ଦୁଇ ଦିନ ଧରି ‘ରିସର୍ଚ୍ଚ ଆଣ୍ଡ ଇନୋଭେସନ୍‌ସ ଇନ୍ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ମେରାଇନ୍ ବାୟୋଟେକ୍ନୋଲେଜି: ଏ ସର୍କୁଲାର ଇକୋନୋମି’ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିବାବେଳେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚେନ୍ନାଇର ବି.ଏସ୍‌. ଅବ୍‌ଦୁର ରହେମାନ୍ କ୍ରେସେଂଟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲେଜି (ଡିମ୍‌ଡି ଟୁ ବି ୟୁନିଭର୍ସିଟି)ର ଉପକୁଳପତି ପ୍ରଫେସର ଏନ୍‌. ତାଜୁଦ୍ଦିନ କହିଥିଲେ ଯେ ବିଶ୍ୱରେ ବର୍ତମାନ ପରିବେଶର ପ୍ରଦୂଷଣ ଏବଂ ପୁଷ୍ଟିହୀନତା ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏଥି ନିମନ୍ତେ ଜୈବବିଜ୍ଞାନର ସହଯୋଗର ଅନେକ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କୃଷି କ୍ଷେତ୍ରକୁ ବିକଶିତ କରିବା ପାଇଁ ଜୈବବିଜ୍ଞାନ ହିଁ ଏକ ମାତ୍ର ଆଶାର ଆଲୋକ। କୃଷି ଏବଂ ଜୈବବିଜ୍ଞାନ ହାତ ମିଶାଇଲେ ହିଁ ବିଜ୍ଞାନ ବିକଶିତ ହେବ ବୋଲି ସେ କହିଛନ୍ତି। ଜୈବବିଜ୍ଞାନ ହିଁ ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳ ବୋଲି ସେ କହିଥିବା ବେଳେ ଭାରତରେ ବର୍ତମାନ ଜୈବବିଜ୍ଞାନ କ୍ଷେତ୍ରରେ ୬୦୦୦ଷ୍ଟାର୍ଟଅପ୍‌, ୭୬୦ଟି କମ୍ପାନୀ ଏବଂ ୮୦୦ଟି ଉତ୍ପାଦ ଉପଲବ୍ଧ ବୋଲି ସେ ସୂଚନା ଦେଇଥିଲେ।

ପ୍ରତ୍ୟେକ ପଦାର୍ଥର ପୁନଃବ୍ୟବହାର ଏବଂ ପୁନଃପରିଚାଳନା ହେଉଛି ଜୈବବିଜ୍ଞାନର ପ୍ରକୃତ ଉଦ୍ଦେଶ୍ୟ ବୋଲି ପ୍ରଫେସର ରାଉଳ କହିଛନ୍ତି।

ସୋଆ ପରିଚାଳିତ ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର) ଏହି କର୍ମଶାଳାର ଆୟୋଜନ କରିଥିବାବେଳେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନସ୍ଥ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଏହାର ପୃଷ୍ଠପୋଷକ ରହିଛି। ଏହା ବ୍ୟତୀତ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆରଡିସି) ଓ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ୨୦୨୫ ନଭେମ୍ବର ମାସରେ ସୋଆ ପକ୍ଷରୁ ଜୈବବିଜ୍ଞାନକୁ ନେଇ ଏକ ଆନ୍ତର୍ଜାତିକ କର୍ମଶାଳାର ଆୟୋଜନ କରାଯାଉଥିବା ବେଳେ ଏହା ପୂର୍ବରୁ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୯ଟି ଗବେଷଣା କେନ୍ଦ୍ର ରହିଥିବା ବେଳେ ସିଆଇବିଆର୍ ଏହାର ୧୮ତମ ଗବେଷଣା କେନ୍ଦ୍ର ବୋଲି ପ୍ରଫେସର ନନ୍ଦ କହି ଏହି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କହିଥିଲେ।

କାର୍ଯ୍ୟକ୍ରମରେ କୋଲକାତା ସ୍ଥିତ ୟୁଜିସି-ଡିଏଇ ସିଏସ୍‌ଆର୍‌ର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଅନିନ୍ଦିତା ଚକ୍ରବର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଯୁକ୍ତିବିଦ୍ୟା ବିନା ବିଜ୍ଞାନର ଅସ୍ତିତ୍ୱ ନାହିଁ ବୋଲି କହିବା ସହ ସୋଆର ଏହି ପଦକ୍ଷେପ ଖୁବ୍ ପ୍ରଶଂସନୀୟ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ସୋଆ ସିଆଇବିଆର୍‌ର ନିର୍ଦ୍ଦେଶକ ତଥା ଏହି ଜାତୀୟ ସମ୍ମିଳନୀର ଆବାହକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂପୃକ୍ତ କେନ୍ଦ୍ର ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱରେ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲଜି ଓ ମେରାଇନ୍ ବାୟୋଟେକ୍ନୋଲଜିର ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତନ ଭଳି ଜଟିଳ କ୍ଷେତ୍ରରେ ବିଶେଷ ଭୂମିକା ରହିଛି। ଏହି ବିଷୟ ବସ୍ତୁକୁ ନେଇ ହିଁ ସମ୍ମିଳନୀର ଆୟୋଜନ କରାଯାଇଥିବା ପ୍ରଫେସର ଥାଟ୍ଟୋଇ କହିଥିଲେ।

ସମ୍ମିଳନୀରେ ବିଶିଷ୍ଟ ଗବେଷକ, ଶିଳ୍ପ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକ ଯୋଗ ଦେଇଛନ୍ତି ।
୨୦୨୩ ମସିହାରେ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ସିଆଇବିଆର୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର, କୃଷି, ପରିବେଶ, ଫାର୍ମାସ୍ୟୁଟିକ୍ସ ଏବଂ ମେଡିକାଲ୍ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରିବା ବୋଲି ପ୍ରଫେସର ଥାଟ୍ଟୋଇ କହିଛନ୍ତି।

ବର୍ତ୍ତମାନ ବିଶ୍ୱରେ ପରିବେଶକୁ ନେଇ ଉଦ୍‌ବେଗ ସୃଷ୍ଟି ହେଉଥିବା ବେଳେ ହ୍ୱାଇଟ୍ ବାୟୋଟେକ୍ନୋଲୋଜି ଏବଂ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜିର ଅନେକ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଡକ୍ଟର ଶୀବାନି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅର୍ଗାନାଇଜିଂ ସେକ୍ରେଟାରୀ ଡକ୍ଟର ଅମ୍ରିତା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ସସ୍ମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଶିଳ୍ପ ଏବଂ ସାମୁଦ୍ରିକ ଜୈବପ୍ରଯୁକ୍ତିବିଦ୍ୟା ଉପରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆସନ୍ତା ନଭେମ୍ବର ୪ ଓ ୫ ଦୁଇ ଦିନ ଧରି ‘ରିସର୍ଚ୍ଚ ଆଣ୍ଡ ଇନୋଭେସନ୍‌ସ ଇନ୍ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ମେରାଇନ୍ ବାୟୋଟେକ୍ନୋଲେଜି: ଏ ସର୍କୁଲାର ଇକୋନୋମି’ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଛି।

ସୋଆର ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର) ଏହି କର୍ମଶାଳାର ଆୟୋଜନ କରିଥିବାବେଳେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନସ୍ଥ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଏହାର ପୃଷ୍ଠପୋଷକ ରହିଛି। ଏହା ବ୍ୟତୀତ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆରଡିସି) ଓ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି।

ସମ୍ମିଳନୀରେ ବିଶିଷ୍ଟ ଗବେଷକ, ଶିଳ୍ପ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଅଭିନବ ଜୈବପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଉପରେ ଆଲୋଚନା କରାଯିବ ବୋଲି ସୋଆ ସିଆଇବିଆର୍‌ର ନିର୍ଦ୍ଦେଶକ ତଥା ଏହି ଜାତୀୟ ସମ୍ମିଳନୀର ଆବାହକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ କହିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱରେ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲଜି ଓ ମେରାଇନ୍ ବାୟୋଟେକ୍ନୋଲଜିର ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତନ ଭଳି ଜଟିଳ କ୍ଷେତ୍ରରେ ବିଶେଷ ଭୂମିକା ରହିଛି। ଏହି ବିଷୟ ବସ୍ତୁକୁ ନେଇ ହିଁ ସମ୍ମିଳନୀର ଆୟୋଜନ କରାଯାଇଥିବା ପ୍ରଫେସର ଥାଟ୍ଟୋଇ କହିଛନ୍ତି।

ପ୍ରଫେସର ଥାଟ୍ଟୋଇ କହିଛନ୍ତି ଯେ ମେରାଇନ୍ ବାୟୋଟେକ୍ନୋଲଜି ଦ୍ୱାରା ସାମୁଦ୍ରିକ ସଂପଦର ଅଶେଷ ସମ୍ଭାବନାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବା ସହ ଜୈବପ୍ରଯୁକ୍ତିରେ ଶୈକ୍ଷିକ ଗବେଷଣା ଓ ବ୍ୟବହାରିକ ପ୍ରୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବ। ଶିଳ୍ପ ପ୍ରୟୋଗ ପାଇଁ ଜୈବିକ ପ୍ରକିୟା ଗୁଡିକୁ ବ୍ୟବହାର କରିବା ଦ୍ୱାରା ଏହି କ୍ଷେତ୍ର ଗୁଡିକରେ ପାରମ୍ପରିକ ପଦ୍ଧତିର ସ୍ଥାୟୀ ବିକଳ୍ପ ସୃଷ୍ଟି ହେବ।

୨୦୨୩ ମସିହାରେ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ସିଆଇବିଆର୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର, କୃଷି, ପରିବେଶ, ଫାର୍ମାସ୍ୟୁଟିକ୍ସ ଏବଂ ମେଡିକାଲ୍ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରିବା ବୋଲି ପ୍ରଫେସର ଥାଟ୍ଟୋଇ କହିଛନ୍ତି।
ବର୍ତମାନ ବିଶ୍ୱରେ ପରିବେଶକୁ ନେଇ ଉଦ୍‌ବେଗ ସୃଷ୍ଟି ହେଉଥିବା ବେଳେ ହ୍ୱାଇଟ୍ ବାୟୋଟେକ୍ନୋଲୋଜି ଏବଂ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜିର ଅନେକ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୌରଶକ୍ତିକୁ ନେଇ ଟିପିସିଓଡିଏଲ୍ ପକ୍ଷରୁ ସୋଆରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ‘ଗ୍ରୀଡ୍ କନେକ୍ଟେଡ୍ ରୁଫ୍ ଟପ୍ ସୋଲାର ସିଷ୍ଟମ୍‌’ ଉପରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ଅକ୍ଟୋବର ୨୮ ଓ ୨୯ ତାରିଖରେ ଆୟୋଜିତ ହୋଇଯାଇଛି।

ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ପ୍ରାୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜ୍‌ଲି ଯୋଜନା’ କାର୍ଯ୍ୟକ୍ରମକୁ ସଫଳ କରିବା। ଏହାର ମୂଳ ଲକ୍ଷ୍ୟ ହେଉଛି ସାରା ଦେଶରେ ସବୁଜ ଶକ୍ତିକୁ ପ୍ରୋତ୍ସାହନ ଦେଇ ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରିବା।

ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜି (ଏମ୍‌ଏନ୍‌ଆରଇ) ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ ନ୍ୟାସ୍‌ନାଲ୍ ପାୱାର ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ (ଏନ୍‌ପିଟିଆଇ) ସହଭାଗିତାରେ ଓଡ଼ିଶାରେ ଏହି ପ୍ରଶିକ୍ଷଣ କାର୍ଯ୍ୟ କରାଯାଉଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଏହା ଆୟୋଜିତ ହୋଇଥିଲା।

କର୍ମଶାଳାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା, ଓଡ଼ିଶା ଡିଷ୍ଟକମ୍‌ସ ଏଲ୍ ଆଣ୍ଡ ଡି ମୁଖ୍ୟ ତଥା ସିନିୟର ଜେନେରାଲ ମ୍ୟାନେଜର (ଏଚ୍‌ଆର୍‌) ବୁଦ୍ଧିଶ କୁମାର ବେହେରା ଏବଂ ଦୁର୍ଗାପୁର ସ୍ଥିତ ଏନ୍‌ପିଟିଆଇର ଡେପୁଟି ଡାଇରେକ୍ଟର ମୋତିଲାଲ୍ ସେନାପତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଟୋବର ୨୪ ସନ୍ଧ୍ୟାରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳ ଅତିକ୍ରମ କରିପାରେ ଘୂର୍ଣ୍ଣିବାତ୍ୟା଼ ‘ଦାନା’: ସୋଆ ସିଇସି

ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଗଭୀର ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇସାରିଥିବା ବେଳେ ଏହା ଏବେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସକାଳେ ଏହି ଘୂର୍ଣ୍ଣିବାତ୍ୟା ପାରାଦ୍ୱୀପର ଦକ୍ଷିଣ ପୂର୍ବରେ ୫୩୦ କିମି ଦୂରରେ ଥିôବାବେଳେ ଏହା ଉତର ପଶ୍ଚିମ ଦିଗରେ ଗତି କରୁଛି। ଗୁରୁବାର ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ରାଜନଗର ନିକଟରେ ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି।

ଏହି ବାତ୍ୟାର ପ୍ରଭାବ ଅଧିକ ମାତ୍ରାରେ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ଏହି ସମୟରେ ପବନର ବେଗ ଘଂଟା ପ୍ରତି ୮୦ କିମି ରହିବ। ବୁଧବାର ରାତି ୧୧ଟାରୁ ଏହିସବୁ ଜିଲ୍ଲାଗୁଡ଼ିକରେ ତୀବ୍ର ପବନ ବହିବା ଆରମ୍ଭ ହୋଇପାରେ। ପବନର ବେଗ ଗୁରୁବାର ପୂର୍ବାହ୍ନ ସୁଦ୍ଧା ଘଂଟା ପ୍ରତି ୧୦୦ ରୁ ୧୨୦ କିମି ହେବାର ସମ୍ଭାବନା ରହିଛି।

ଘୂର୍ଣ୍ଣିବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ସମୟରେ ଭୁବନେଶ୍ୱର ସହର ଏବଂ ଏହାର ଆଖପାଖ ଅଂଚଳରେ ପବନର ବେଗ ଘଂଟା ପ୍ରତି ୪୫ରୁ ୬୦ କିମି ରହିବାର ସମ୍ଭାବନା ଥିବା ବେଳେ ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାଗୁଡ଼ିକରେ ୭୫ ରୁ ୯୦ କିମି ଏବଂ ଗଞ୍ଜାମ ଜିଲ୍ଲାରେ ୩୫ରୁ ୪୫ କିମି ରହିବାର ସମ୍ଭାବନା ରହିଛି।

ଉପକୂଳବର୍ତ୍ତୀ ଅଂଚଳରେ ବୁଧବାର ରାତିରୁ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ମୟୁରଭଞ୍ଜ, ଖୋର୍ଦ୍ଧା ଏବଂ ଢ଼େଙ୍କାନାଳ ଜିଲ୍ଲାଗୁଡ଼ିକରେ ଗୁରୁବାର ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅତ୍ୟାଧୁନିକ କୃଷି ନିମନ୍ତେ ସୋଆ ଏବଂ ହାଇଡେନ୍‌ମେଟ ସଲ୍ୟୁସନ୍ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ବେଙ୍ଗାଲୁରୁ ସ୍ଥିତ ହାଇଡେନ୍‌ମେଟ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି।

ମଞ୍ଜି ବୁଣିବା ଠାରୁ ଆରମ୍ଭ କରି ଫସଲ ଅମଳ, ଫସଲର ପ୍ରକୃତ ସ୍ଥିତିର ତଦାରଖ ସହ ଜଳ ଓ ପୋଷଣର ନିଅଂଟ, ତଥା ରୋଗ ନିୟନ୍ତ୍ରଣ ସହ ଫସଲକୁ କୀଟ ଆକ୍ରମଣରୁ ରକ୍ଷା କରି ଉନ୍ନତମାନର ଫସଲ ଅମଳ କରିବାର ଜ୍ଞାନ ପ୍ରଦାନ କରିବା ହେଉଛି ଦୁଇ ଅନୁଷ୍ଠାନ ମଧ୍ୟରେ ଏହି ସହଭାଗିତାର ପ୍ରମୁଖ ଲକ୍ଷ୍ୟ।

ଏହି ଲକ୍ଷ୍ୟ ପୂରଣ ନିମନ୍ତେ ଦୁଇ ଅନୁଷ୍ଠାନ ମଧ୍ୟରେ ମିଳିତ ଭାବେ ଗବେଷଣା ଏବଂ କର୍ମଶାଳା ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ହାଇଡେନ୍‌ମେଟ ସଲ୍ୟୁସନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କରନ୍ ରଙ୍ଗରାଜନଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

ବୁଝାମଣା ଅନୁଯାୟୀ ହାଇଡେନ୍‌ମେଟ ସଲ୍ୟୁସନ୍‌ସ ସୋଆରେ ଏକ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରିବା ସହ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀର ଫସଲ କିମ୍ବା ମୃତିକା ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ (ଆଇଓଟି) ସେନ୍ସର୍ ମଧ୍ୟ ସ୍ଥାପନ କରିବ। ଏହିସବୁକୁ ହାଇଡେନ୍‌ମେଟ ସଲ୍ୟୁସନ୍ସର ସ୍ମାର୍ଟ ଟେକ୍ନୋଲୋଜି –ବେସ୍‌ଡ ଏଗ୍ରିକଲ୍‌ଚର ଏନାବ୍ଲର୍ (ଷ୍ଟେଜ୍‌) ପ୍ଲାଟଫର୍ମ ତଦାରଖ କରିବ।

ଆବଶ୍ୟକତା ଅନୁଯାୟୀ ହାଇଡେନ୍‌ମେଟ ବୈଷୟିକ ମାନବ ସମ୍ବଳ ଏବଂ ଅନ୍ୟ ସୁବିଧା ମଧ୍ୟ ଯୋଗାଇବ। ଏତଦ୍ ବ୍ୟତୀତ ସୋଆର ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ହାଇଡେନ୍‌ମେଟ ସଲ୍ୟୁସନ୍ସର ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିବା ସହ ପ୍ରଶିକ୍ଷଣ ପାଇପାରିବେ। ଉଭୟ ଅନୁଷ୍ଠାନ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍ (ଏଫପିଓ) ଗୁଡ଼ିକ ସହ ମିଳିତ ଭାବେ ରାଜ୍ୟର କୃଷକ ସମାଜର ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ।

ଏହି ବୁଝାମଣା ସ୍ୱାକ୍ଷରିତ କରିବା କ୍ଷେତ୍ରରେ ହାଇଡେନ୍‌ମେଟ ସଲ୍ୟୁସନ୍ସର ସହପ୍ରତିଷ୍ଠାତା ତଥା ମୁଖ୍ୟ ବ୍ୟବସାୟିକ ଅଧିକାରୀ ଗିରିଜା ପଟେଲ୍‌ଙ୍କର ପ୍ରମୁଖ ଭୂମିକା ରହିଥିଲା।

ଏହି ଅବସରରେ ହାଇଡେନ୍‌ମେଟ ସଲ୍ୟୁସନ୍ସର ମୁଖ୍ୟ ପରିଚାଳନା ଅଧିକାରୀ ଜୀବନ ସଂଗ୍ରାମ ଦାସ, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସୋଆ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚରର ନିର୍ଦ୍ଦେଶକ ପ୍ରଫେସର ଆର୍‌.କେ. ପଣ୍ଡା ଓ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ନେଇ ଆଜି ସୋଆରେ ସମ୍ମିଳନୀ

ଭୁବନେଶ୍ୱର: ପ୍ରତିରକ୍ଷା ବିଶେଷଜ୍ଞ, ସରଞ୍ଜାମ ଉତ୍ପାଦନକାରୀ, ନିବେଶକ, ଗବେଷକ ଏବଂ ସେନା ଅଧିକାରୀମାନେ ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନର ସମ୍ଭାବନାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆଜି ଏକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି।

‘ମିଶନ୍‌: ମେକ୍ ଇନ୍ ଓଡ଼ିଶା ଫର୍ ଡିଫେନ୍ସ ଇଣ୍ଡଷ୍ଟ୍ରୀ-ଅପର୍ଚୁନିଟିଜ୍ ଗାଲୋର’ ଶୀର୍ଷକ ଏହି ସମ୍ମିଳନୀ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ୍‌, ସୋଆ ଏବଂ ସୋଆ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ର ମିଳିତ ସହଯୋଗରେ ଆୟୋଜନ କରାଯାଇଛି। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ‘ଉଦ୍ୟୋଗପତି ଏବଂ ଶିଳ୍ପ କ୍ଷେତ୍ରର ବିଶେଷଜ୍ଞଙ୍କୁ ଗୋଟିଏ ମଂଚରେ ଏକିତ୍ରିତ କରିବା’ ବୋଲି ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏଫର ଉପଦେଷ୍ଟା ବ୍ରିଗେଡିୟର ଏଲ୍‌.ସି. ପଟ୍ଟନାୟକ ସୂଚନା ଦେଇଛନ୍ତି।

ରାଷ୍ଟ୍ରୀୟ ସୁରକ୍ଷା, ଅର୍ଥନୈତିକ ବିକାଶ ଓ ନିଯୁକ୍ତିର ସୁଯୋଗକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଓଡ଼ିଶାରେ ପର୍ଯ୍ୟାପ୍ତ କଂଚାମାଲ, ଭିତିଭୂମି, କୁଶଳୀ ମାନବସମ୍ବଳ ଏବଂ ରପ୍ତାନୀର ସମସ୍ତ ସୁଯୋଗ ରହିଥିବା ବେଳେ ରାଜ୍ୟରେ ଅଧିକ ମାତ୍ରାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ହୋଇପାରି ନାହିଁ। ଏହି କ୍ଷେତ୍ରରେ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବ୍ରିଗେଡିୟର ପଟ୍ଟନାୟକ କହିଛନ୍ତି।

ଏହି ସମ୍ମିଳନୀର ପ୍ରମୁଖ ପ୍ରସଙ୍ଗ ରହିଛି ସ୍ଥାନୀୟ ବୁଦ୍ଧିମତାକୁ ନେଇ ସ୍ୱଦେଶୀ ପଦାର୍ଥର ଉତ୍ପାଦନ ଏବଂ ଓଡ଼ିଶାର କୁଶଳୀ ମାନବସମ୍ବଳକୁ ନେଇ ବିଶ୍ୱସ୍ତରୀୟ ପ୍ରତିରକ୍ଷା ଉତ୍ପାଦ, ଅଭିନବ ଉପାୟ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରି ଓଡ଼ିଶାର ଉନ୍ନତି ସାଧନ କରିବା ବୋଲି ସେ କହିଛନ୍ତି।

ଏଥି ସହିତ ବିଶ୍ୱ ପ୍ରତିରକ୍ଷା ବଜାରରେ ଓଡ଼ିଶାକୁ ପ୍ରତିପାଦିତ କରି ବିଦେଶୀ ନିବେଶକକୁ ଆକର୍ଷିତ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି।

ସାମ୍ବାଦିକ ସମ୍ମିଳନୀରେ ମେଜର ଜେନେରାଲ୍ (ଅବସରପ୍ରାପ୍ତ) ଆର.ସି.ପାଢ଼ୀ, ଏଭିଏମ୍ (ଅବସରପ୍ରାପ୍ତ) ଏମ୍‌. ମହନ୍ତ, କର୍ଣ୍ଣେଲ୍ (ଡକ୍ଟର) ପି.ସି. ପଟ୍ଟନାୟକ, ଓସିଏଫ୍‌ର ୱିମେନ୍ ୱିଙ୍ଗର ଚେୟାରମ୍ୟାନ୍ ଶ୍ରୀମତି ଉଶଷୀ ରଥ ଏବଂ ଏଗ୍‌ଜିକ୍ୟୁଟିଭ ଡାଇରେକ୍ଟର ତଥା ଉପଦେଷ୍ଟା ଶ୍ରୀ ପ୍ରମୋଦ କୁମାର ଶତପଥୀ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ: ଗ୍ୱାଲିୟରର ଆଇଆଇଟିଟିଏମ୍‌ ପୂର୍ବତନ ନିର୍ଦ୍ଦେଶକ

ଭୁବନେଶ୍ୱର: ବିଶ୍ୱରେ ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ। ଭାରତ ଶାନ୍ତିର ଦୂତ। ଶାନ୍ତି ଓ ମୈତ୍ରୀ ଭାବକୁ ପାଥେୟ କରି ବସୁଧୈବ କୁଟୁମ୍ବକମ୍‌ରେ ବିଶ୍ୱାସ କରେ ଆମ ଦେଶ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏହି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହି ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ (ଆଇଆଇଟିଟିଏମ୍‌), ଗ୍ୱାଲିୟରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏସ୍‌.କେ. ଲେଙ୍କା କହିଥିଲେ ଯେ ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ।

ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ପ୍ରସଙ୍ଗ ରହିଛି ‘ପର୍ଯ୍ୟଟନ ଓ ଶାନ୍ତି’। ଏହି ପରିପ୍ରେକ୍ଷୀରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏହି ପ୍ରସଙ୍ଗ ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପୋଷ୍ଟର, ବକ୍ତୃତା ଓ ରଚନା ପ୍ରତିଯୋଗିତାକୁ ସ୍ୱାଗତ କରିଥିଲେ ପ୍ରଫେସର ଲେଙ୍କା।

ଏହି ଅବସରରେ ପିପୁଲ୍ ଗ୍ରୁପ୍ ଅଫ୍ ହୋଟେଲ୍ସର ସିଇଓ ଶ୍ରୀ ସୁବ୍ରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ପର୍ଯ୍ୟଟନର ସୀମା ବେଶ ପରିବ୍ୟାପ୍ତ। ଆମ ସଂସ୍ପର୍ଶରେ ପ୍ରତ୍ୟେକ ଦିନ ଯୋଡ଼ି ହେଉଥିôବା ଅନେକ ବ୍ୟକ୍ତି ପର୍ଯ୍ୟଟନ ସହ ସମ୍ପୃକ୍ତ। ଏ କ୍ଷେତ୍ରରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବେଶ ଉଜ୍ଜ୍ୱଳ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ଦେଇ ଚଳିତ ବର୍ଷର ପର୍ଯ୍ୟଟନ ଦିବସର ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।
ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏସ୍‌ଏଚ୍‌ଏମ୍‌ର ରିସର୍ଚ୍ଚ ସ୍କଲାର  ଶୁଭ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ଫାର୍ମାସି ଓ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ (ଏସ୍‌ପିଏସ୍‌) ଓ ସେଂଟର ଅଫ୍ ବାୟୋଟେକ୍ନୋଲୋଜିରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆଜି ଏକ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଉପାଧି ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ କରିଥିବା ୨୦୨୦-୨୪ ବ୍ୟାଚର ବି.ଫାର୍ମ, ୨୦୨୨- ୨୪ ବ୍ୟାଚର ଏମ୍ ଫାର୍ମ, ୨୦୨୨- ୨୪ ବ୍ୟାଚର ଏମ୍‌.ଏସ୍‌.ସି (ବାୟୋଟେକ୍ନୋଲୋଜି) ଓ ୨୦୧୯-୨୪ ବ୍ୟାଚର ଇନ୍‌ଂଟିଗ୍ରେଡ ଏମ୍‌.ଏସ୍‌.ସି ଇନ୍ ବାୟୋଟେକ୍ନୋଲୋଜି ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ପ୍ରଫେସର ନନ୍ଦ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ମହାମାରୀ ସମୟରେ ଫାର୍ମାସିଷ୍ଟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ। ଏହି ଡିଗ୍ରୀ ଛାତ୍ରଛାତ୍ରୀ ମାନଙ୍କର କଠିନ ପରିଶ୍ରମ, ନିଷ୍ଠା, ଶୃଙ୍ଖଳା, ସମୟାନୁବର୍ତିତା ତଥା ଶିକ୍ଷକ ଓ ଅଭିଭାବକଙ୍କର ସହଯୋଗରେ ଏହା ସମ୍ଭବପର ହୋଇପାରିଛି। ଫାର୍ମାସି ଓ ବାୟୋଟେକ୍ନନୋଲୋଜି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଓତଃପ୍ରୋତ ଭାବେ ଜଡିତ। ସୋଆ ବିଶ୍ୱବିଦ୍ୟାଳୟଏଥିପାଇଁ ଖୁବ୍ ସକ୍ରିୟ ଅଟେ।

ସୋଆ ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ବୁଝାମଣା କରିଛି, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ।

ପ୍ରଫେସର ନନ୍ଦ କହିଥିଲେ ଯେ ସୋଆ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ୨୦୨୪ରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍ ଅନୁଯାୟୀ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସୁଯୋଗ ପାଇଛନ୍ତି। ସେମାନେ ଏହି ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ।

ପ୍ରଫେସର ନନ୍ଦ କହିଥିଲେ ଯେ, ଗବେଷଣା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ସୋଆରେ ଅନେକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି ଏବଂ ଅଟଳ ଇନୋଭେସନ୍ ମିଶନ ଅଧୀନରେ ଏକ ଇନ୍‌କ୍ୟୁବେସନ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା, ସହଭାଗିତା, ପାଟେଂଟ ଓ ଷ୍ଟାର୍ଟଅପ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ। ଏହି କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନେ ଆଗ୍ରହ ରଖୁଛନ୍ତି।

ଏହି କାର୍ଯ୍ୟକ୍ରମରେ ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ମହାବିଦ୍ୟାଳୟର ରିପୋର୍ଟ ପ୍ରଦାନ କରିଥିବାବେଳେ ଏସ୍‌ପିଏସ୍‌ର ପ୍ରଫେସର ଦିବ୍ୟଜ୍ୟୋତି ଦାସ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ବିଭାଗର ମୁଖ୍ୟ, ଏକାଡେମିକ କାଉନ୍‌ସିଲ୍ ସଦସ୍ୟ ଏବଂ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ଡିଗ୍ରୀ ପ୍ରଦାନ କରାଯାଇଛି।

ଆଇଏଏସ୍‌ର ୨୦୨୦-୨୦୨୪ ବ୍ୟାଚର ବିଏସ୍‌ସି ଏଗ୍ରିକଲ୍‌ଚର (ଅନର୍ସ) ଓ ୨୦୨୩ ବ୍ୟାଚ୍‌ର ଏମ୍‌.ଏସ୍‌ସି ଏଗ୍ରିକଲ୍‌ଚର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ବର୍ତମାନ ସାରା ବିଶ୍ୱ ଜଳବାୟୁ ପରିବର୍ତନର ମୁକାବିଲା କରୁଥିବା ବେଳେ ଏଭଳି ଗୁରୁତର ସମସ୍ୟାର ସମାଧାନର ବାଟ ବାହାର କରିବା ନିମନ୍ତେ ସୋଆରୁ ଶିକ୍ଷା ସମାପ୍ତ କରୁଥିବା ଯୁବ କୃଷିବିଜ୍ଞାନୀମାନେ ଆଗଭର ହେବା ଆବଶ୍ୟକ।

ଜଳବାୟୁ ପରିବର୍ତନ ସହିତ ଖାଦ୍ୟ ସୁରକ୍ଷା ମଧ୍ୟ ବିଶ୍ୱରେ ଆଉ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଏସବୁ କ୍ଷେତ୍ରରେ ସମାଜର ହିତ ନେଇ ଛାତ୍ରଛାତ୍ରୀମାନେ କାର୍ଯ୍ୟ କରନ୍ତୁ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଦେଶର ଶ୍ରେଷ୍ଠ ୧୪ ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମାନକୁ ଉଚ୍ଚକୁ ନେବା ପାଇଁ ଆହ୍ୱାନ ଦେଇ ପ୍ରଫେସର ନନ୍ଦ କହିଥିଲେ ଯେ ବର୍ତମାନ ବିଶ୍ୱରେ ଚାଟ୍ ଜିପିଟିର ଆବିର୍ଭାବ ହୋଇଛି। ମାତ୍ର ଗବେଷଣାରତ ଛାତ୍ରଛାତ୍ରୀମାନେ ଏହା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହେବା ଉଚିତ୍ ନୁହେଁ ବୋଲି ସେ ଉପଦେଶ ଦେଇଥିଲେ।

ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କୁଷି ମହାବିଦ୍ୟାଳୟର ରିପୋର୍ଟ ପ୍ରଦାନ କରିଥିବା ବେଳେ ଏଂଟୋମୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବି.କେ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏକାଡେମିକ କାଉନ୍‌ସିଲ୍‌ର ସଦସ୍ୟ, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟି ଉପସ୍ଥିତ ଥିଲେ।