ଦକ୍ଷେଶ୍ୱର ମନ୍ଦିର ଚୋରି ଘଟଣାରେ ବାଣପୁରରେ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ

Published: Dec 23, 2020, 7:42 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ୨୨ ଗୋଟି ମୂଲ୍ୟବାନ ମୂର୍ତ୍ତି ଚୋରି ହେବାର ଚବିଶ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ବିତିଯାଇଛି। ହେଲେ ପୋଲିସ ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ। ଏହି ପ୍ରତିବାଦରେ ଆଜି ସଂଧ୍ୟାରେ ଦକ୍ଷେଶ୍ୱର ମନ୍ଦିର ସାମ୍ନାରେ ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି ଉକ୍ତ ବିକ୍ଷୋଭର ନେତୃତ୍ୱ ନେଇ ଐତିହାସିକ ମନ୍ଦିରରୁ ହୋଇଥିବା ଚୋରିର ପର୍ଦ୍ଦାଫାଶ କରିବା ସହ ଯଥାଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ। ଏଥିପାଇଁ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଚିଲିକା ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ ଯଥାଶୀଘ୍ର ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଗୁରୁତର ଭାବେ ଏଥିପ୍ରତି ଦୃଷ୍ଟିଦେବାକୁ ଶ୍ରୀ କାଣ୍ଡି ଅନୁରୋଧ କରିଥିଲେ।

ଉକ୍ତ ବିକ୍ଷୋଭରେ ବାଣପୁର ବିଜେପି ନଗର ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ଶ୍ୟାମ ସୁନ୍ଦର ପ୍ରଧାନ, ଶଙ୍କର ସାହୁ, ଦିଲ୍ଲୀପ ପାତ୍ର, ଚିରିଞ୍ଜିବି ପରିଡ଼ା, ରବୀନ୍ଦ୍ର ବେହେରା ଏବଂ ଅନ୍ୟ ବିଜେପି କର୍ମୀମାନେ ସାମିଲ ଥିଲେ।

Related posts