ଚିଲିକାରେ ଗଠନ ହେଲା ସ୍ଵାମୀ ବିବେକାନନ୍ଦ ସେବା ସଂଘ: ଓଜେଏସ୍ ଅଧିକାରୀଣି କୃଷ୍ଣାଙ୍କୁ କଲେ ସମ୍ମାନିତ

Published: Mar 26, 2021, 4:52 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ନୂତନ ସାମାଜିକ ସଂଗଠନ ଗଠିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦ ସେବା ସଂଘ ନାମରେ ଉକ୍ତ ସଂଗଠନ ଗଠିତ ହୋଇଛି। ଚିଲିକାର ସାମାଜିକ କାର୍ଯ୍ୟରେ ସ୍ପୃହା ରଖୁଥିବା ଯୁବକ ମାନଙ୍କୁ ନେଇ ଏହି  ସଂଗଠନ କାମ କରିବ। ସଂଗଠନ ପ୍ରତିଷ୍ଠା ଦିବସରେ ବାଣପୁରରେ ଏକ କାର୍ଯ୍ଯାଳୟର ମଧ୍ୟ ଶୁଭ ଉଦଘାଟନ ହୋଇଯାଇଛି।

ଏହି ଅବସରରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭାବେ ଓଡିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାଣପୁରର ଝିଅ କୃଷ୍ଣା ସୁବୁଦ୍ଧିଙ୍କୁ ସମ୍ମାନିତ କରାଯାଇଛି। ସଂଗଠନର ପ୍ରତିଷ୍ଠା ଦିବସରେ ସଦସ୍ୟମାନେ ଏକ ଶପଥ ପାଠ କରିଥିଲେ। ପ୍ରାୟ ୭୦ ଜଣ ଯୁବକ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ସଂଗଠନର ସଦସ୍ୟତା ଗ୍ରହଣ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ।

ରାଜନୀତିରୁ ଉର୍ଦ୍ଧ୍ଵରେ ରହି ସଂଗଠନର ସର୍ବୋପରି ଉନ୍ନତି, ବିସ୍ତାର ତଥା ପ୍ରଚାର ପ୍ରସାର ନିମନ୍ତେ ନିଜର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ସହ ସମାଜର ଦଳିତ, ଅବହେଳିତ ଏବଂ ନିଷ୍ପେସିତ ଲୋକଙ୍କ ଉନ୍ନତି ପାଇଁ ପ୍ରଚେଷ୍ଟା କରିବେ ବୋଲି ଯୁବକମାନେ ଶପଥ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ସତ୍ୟନାରାୟଣ ଷଡଙ୍ଗୀ (ସ୍ଵାମୀ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶାଖା- ସଞ୍ଚାଳକ), ସମ୍ମାନିତ ଅତିଥି ଭାବେ ଅଜୟ ଦାସ (ସ୍ଵାମୀ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶାଖା- ନଗର ପ୍ରମୁଖ), ବୈରାଗୀ ଚରଣ ବଳ (ସ୍ଵାମୀ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶାଖା – ସମ୍ପର୍କ ପ୍ରମୁଖ) ଏବଂ ମୁଖ୍ୟବକ୍ତା ଜିତେନ୍ଦ୍ର ସାମନ୍ତରାୟ (ସାମାଜ ସେବୀ) ଆଦି ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଅଭିଭାଷଣ ପ୍ରଦାନ କରି ଉତ୍ସାହିତ କରିଥିଲେ।

ଆୟୋଜିତ ସଭାକୁ ସଂଗଠନର ସଭାପତି ବିଦ୍ୟୁତ କୁମାର କାଣ୍ଡି ସଭାପତିତ୍ଵ କରିଥିବା ବେଳେ ପ୍ରଦୀପ କୁମାର ବିଶ୍ଵାଳ ସଭା ପରିଚାଳନା କରିଥିଲେ। ସଂଗଠନର ଉପ ସଭାପତି ଶ୍ରୀକାନ୍ତ ପଲାଇ, ସାଧାରଣ ସମ୍ପାଦକ ଲଲିତ କୁମାର ପ୍ରଧାନ, ଆଶୁତୋଷ ପାଢୀ, ସମ୍ପାଦକ ଶିବ ପ୍ରସାଦ ବଳିୟାରସିଂହ, ନରେଶ ଜେନାଙ୍କ ସମେତ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ।

Related posts