ସୋରଣ ଚିଲିକାକୁଳ ମାଛପେଣ୍ଠରେ ପୋଲିସ ଓ ତହସିଲର ମିଳିତ ଚଢ଼ାଉ

Published: Jun 4, 2021, 5:33 pm IST

ସୀତାରାମ ଅଗ୍ରୱାଲ

ଚିଲିକା:

ଖୋର୍ଦ୍ଧା ଜିଲ୍ଲାର ଚିଲିକା, ଟାଙ୍ଗୀ ଓ ବାଣପୁର ଅଞ୍ଚଳରେ ଏବେ କରୋନା ସଂକ୍ରମଣ ସାମାନ୍ୟ ହେବାରେ ଲାଗିଛି। କିନ୍ତୁ ସେଠାରେ ଏଯାଏଁ କରୋନା ବିପଦ ଟଳି ନାହିଁ। ନିୟମକୁ ଅଣଦେଖା କଲେ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବା ଆଶଙ୍କା ରହିଛି। ସଂକ୍ରମଣକୁ ରୋକିବା ଦିଗରେ ସ୍ଥାନୀୟ ପ୍ରଶାସନ, ପୋଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ଚିଲିକା କୁଳ ନିକଟରେ ଥିବା ମାଛ ଆମଦାନୀ ପେଣ୍ଟସ୍ଥଳୀ ସୋରଣରେ କୋଭିଡ଼ ଗାଇଡ଼ଲାଇନକୁ ନମାନି ଦୋକାନୀ ଏବଂ ଗ୍ରାହକମାନେ ମାଛ କିଣା ବିକା କରୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଆଜି ଅଚାନକ ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜରିପଡା ଆରଆଇ ଜ୍ୟୋତିରଞ୍ଜନ ରଥ ଓ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ମିଳିତ ସହଯୋଗରେ ତହସିଲ ଓ ପୋଲିସର ଏନଫୋର୍ଶମେଣ୍ଟ ଟିମ ସୋରଣ ପେଣ୍ଠରେ ଚଢ଼ାଉ କରି ମାଛ ଦୋକାନୀ ଓ ଅମାନିଆ ଲୋକଙ୍କଠାରୁ ୫ହଜାର ୫ଶହ ଟଙ୍କା ଫାଇନ ଆଦାୟ କରିବା ସହ ସାମାଜିକ ଦୂରତ୍ୱ ଓ ମୁହଁରେ ମାସ୍କ ପରିଧାନ କରିବାକୁ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ।

ଆଗାମୀ ଦିନରେ ଯଦି ଏଠାରେ ଏଭଳି ସ୍ଥିତି ଉପୁଜେ ତେବେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ସୂଚନା ଦେଇଛନ୍ତି।

Related posts