ବାଲୁଗାଁ ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Jun 9, 2022, 7:37 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: କରୋନା ମହାମାରୀ ନିମନ୍ତେ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ ପୋଲିସ ସମିତି ସଭାପତି ବିଭୁତି ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ପୋଲିସ ଉପଖଣ୍ଡ ଅଧିକାରୀ ମାନସ ରଞ୍ଜନ ବାରିକ, ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ସମେତ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧିମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ।

ଚିଲିକା ହ୍ରଦ ତଥା ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଇଁ ପରିଚିତ ବାଲୁଗାଁ ସହରର ବିଭିନ୍ନ ସମସ୍ୟା ନେଇ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା। ସହରର ମୁଖ୍ୟ ସମସ୍ୟା ଟ୍ରାଫିକ ସମସ୍ୟା ହୋଇଥିବା ବେଳେ ଏଦିଗରେ ପ୍ରଶାସନ ପକ୍ଷରୁ ଧ୍ୟାନ ଦେବା ସହ ତୁରନ୍ତ ସମାଧାନ ପାଇଁ ପାର୍କିଂ ବ୍ୟବସ୍ଥା, ଉଠାଦୋକାନୀମାନଙ୍କୁ ତାଗିଦ, ଅମାନିଆ ଗାଡି ଚାଳକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ, ରାସ୍ତାଘାଟରୁ ବୁଲା ଗାଈଗୋରୁଙ୍କୁ କାଞ୍ଜିଆହୁଦାରେ ରଖିବା ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ସହରରେ ମଦ୍ୟପଙ୍କ ଦୌରାତ୍ମ୍ୟ, ଚୋରି, ରାହାଜାନୀ ଦିଗରେ ଧ୍ୟାନ ଦେବା ସହ ସହରରେ ଚାରିଆଡେ ସିସି ଟିଭି ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Related posts