![](https://thesamikhsya.com/odia/wp-content/uploads/2022/07/delet-120.jpg)
ସୀତାରାମ ଅଗ୍ରୱାଲ
ବାଣପୁର: ଲଗାଣ ବର୍ଷା ଫଳରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଏବଂ ଏନଏସି ର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ କେତେକ ସଡ଼କ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ଏକାଧିକ ବାସିନ୍ଦାଙ୍କ ଘରେ ଫୁଟେ ଫୁଟେ ପାଣି ପ୍ରବେଶ କରିଥିବା ବେଳେ ଜନସାଧାରଣଙ୍କୁ ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛି ପ୍ରଶାସନ। ଜନସାଧାରଣମାନେ ଏହି ବିପଦ ସମୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଖୋଜୁଥିବା ବେଳେ କାହାର ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି।
ତେବେ ଉକ୍ତ ବିଭିଷିକା ମଧ୍ୟରେ ଏକ ପରିବାର ଜଳବନ୍ଦୀରେ ଦୀର୍ଘ ଘଣ୍ଟାଧରି ଫସିରହିଥିବା ବେଳେ ଶେଷରେ ସେମାନଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
ସୂଚନା ମୁତାବକ ବାଣପୁର ବ୍ଲକ ଅନ୍ତର୍ଗତ କୋତରି ଗ୍ରାମର ଏକ ପରିବାରର ଚାରି ଜଣ ସଦସ୍ୟ ଜଳବନ୍ଦୀରେ ଦୀର୍ଘ ସମୟ ଧରି ଫସି ରହିଥିଲେ। ଯେଉଁଥିରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଥିଲେ। ଖବର ପାଇ ଖୋର୍ଦ୍ଧା ଏଏଫଓ ଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ଉକ୍ତ ସ୍ଥାନକୁ ବାଣପୁର ଓ ବାଲୁଗାଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଉକ୍ତ ପରିବାରର ସମସ୍ତ ଚାରି ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିଛନ୍ତି।
ତେବେ ବିପଦ ସମୟରେ ଦେବଦୂତ ସାଜିଥିବା ଅଗ୍ନିଶମ ବାହିନୀର ଉକ୍ତ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।