ରାଜ୍ୟ ମହିଳା ଓ ଶିଶୁ ବିକାଶ ସଚିବଙ୍କ ବାଣପୁର ଓ ଚିଲିକା ବ୍ଲକ ଗସ୍ତ

Published: Jan 12, 2023, 6:41 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ତଥା ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଧିକାରିଣୀ ଶୁଭା ଶର୍ମା (ଆଇଏଏସ) ବାଣପୁର ଓ ଚିଲିକା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ସଚିବଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଚିଲିକା ସିଡ଼ିପିଓ ଅନୁସୂୟା ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ଆଦି ଉପସ୍ଥିତ ଥିଲେ।

ସଚିବ ପ୍ରଥମେ ବାଣପୁର ଅନ୍ତର୍ଗତ ବ୍ଲକ ନାଚୁଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ ଏବଂ ଏହାପରେ ତୋରସିଂ ଗ୍ରାମ ପଞ୍ଚାୟତର ମହାରଥା ହାଚେରୀ (ମତ୍ସ୍ୟ ପାଳନ କେନ୍ଦ୍ର ) କୁ ଯାଇ କିପରି ମାଛ ଉତ୍ପାଦନ ହେଉଛି ଏବଂ ଏହାଦ୍ୱାରା କିପରି ମହିଳା ମାନେ ସ୍ୱାବଲମ୍ବି ହେଇପାରୁଛନ୍ତି ତାହା ତଦାରଖ କରିଥିଲେ।

ଏହାପରେ ଶ୍ରୀମତୀ ଶର୍ମା ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ୫ଟି ବିଦ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ ଉପଲବ୍ଧ ଥିବା ବିଭିନ୍ନ ଆଧୁନିକ ବ୍ୟବସ୍ଥା ପରଖିବା ସହ ମଧ୍ୟାହ୍ନ ଭୋଜନର ମାନ ପରଖିଥିଲେ।

ପରିଶେଷରେ ନୂଆଗଡ଼ ସ୍ଥିତ ଏକ ବାୟୋଫ୍ଲକ ପରିଦର୍ଶନ କରି ଟାଙ୍ଗୀ ବ୍ଲକ ଅଭିମୁଖେ ଗସ୍ତ କରିଥିଲେ ଶ୍ରୀମତୀ ଶର୍ମା।

ସୂଚନା ଥାଉକି ବାଣପୁର ବ୍ଲକରେ ଦୀର୍ଘ ମାସ ହେଲା ସିଡ଼ିପିଓ ପଦବୀ ଖାଲି ପଡ଼ିଥିବା ହେତୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ମନ୍ଥର ଗତିରେ ହେଉଥିବାର ଅଭିଯୋଗ ହେଉଛି। ବିଡ଼ିଓ ଅସ୍ଥାୟୀ ସିଡ଼ିପିଓ ଦାଇତ୍ୱରେ ଥିବା ବେଳେ ମୂଳ ଦାଇତ୍ୱ କାର୍ଯ୍ୟାଭାର ବୃଦ୍ଧି ଲାଗି ବହୁ ଉନ୍ନୟନ ମୂଳକ କାର୍ଯ୍ୟ ବିଳମ୍ବରେ ହେଉଥିବାର ଅଭିଯୋଗ ହେଉଛି।

ଖୋର୍ଦ୍ଧା ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଯଥାଶୀଘ୍ର ବାଣପୁର ବ୍ଲକରେ ନୂତନ ସିଡ଼ିପିଓଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Related posts