ବାଣପୁର କଲେଜ ପୁରାତନ ଛାତ୍ରସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Published: Apr 2, 2023, 8:12 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଉକ୍ତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି। ସେଥିପାଇଁ ଅଧ୍ୟକ୍ଷ ବିନାୟକ ହୋତାଙ୍କ ପ୍ରୟାସ ଓ ପୁରାତନ ଛାତ୍ର ସଙ୍ଘର ସଭାପତି ଡା. ଦେବେନ୍ଦ୍ର ନାଥ ମାନସିଂହଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ପୁରାତନ ଛାତ୍ରସଂଘର ସଭାପତିଙ୍କ ସମେତ, ଉପସଭାପତି ତଥା ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ପାଦକ ପ୍ରାଧ୍ୟାପକ ଲଷ୍ମୀ ପ୍ରସାଦ ମିଶ୍ର, ପୁରାତନ ଛାତ୍ର ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅବସରପ୍ରାପ୍ତ ଆଇଏଫଏସ ଆଶୁତୋଷ ସାମନ୍ତ ସିଂହାର ଏବଂ ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚାରଣ ପ୍ରଧାନ ଆଦି ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।

1963 ମସିହାରୁ 2023 ମସିହା ପର୍ଯ୍ୟନ୍ତ ଏଠାରେ ଅଧ୍ୟୟନ କରିଥିବା ବହୁ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ ହୋଇଥିବା ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଅତିଥିମାନେ କଲେଜକୁ ଏକ ଉନ୍ନତ ମାନର କଲେଜରେ ପରିଣତ କରିବାକୁ ହେଲେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଅବଦାନ ରହିବା ଦରକାର ବୋଲି କହିଥିଲେ। ଆଗାମୀ ଦିନରେ ଉକ୍ତ କଲେଜକୁ ନାକ୍ ଟିମ ପରିଦର୍ଶନ, ସରକାରୀ ମାନ୍ୟତା, ଅଟୋନୋମସ ମାନ୍ୟତା ଆଦି ମିଳିବା ଦିଗରେ ପୁରାତନ ଛାତ୍ରସଙ୍ଘ କାର୍ଯ୍ୟ କରିବା ଦିଗରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

ବହୁ ପୁରାତନ ଛାତ୍ରଛାତ୍ରୀ ମୋ’ କଲେଜ ଅଭିଯାନରେ ସାମିଲ ହୋଇ ମହାବିଦ୍ୟାଳୟକୁ ଆର୍ଥିକ ଅନୁଦାନ ଦେବାକୁ ସମ୍ମତି ପ୍ରକାଶ କରିଥିଲେ। ତେବେ ଶିକ୍ଷାନୁଷ୍ଠାନ ତାହାର ହୀରକ ଜୟନ୍ତୀ ପାଳନ କରୁଥିବା ଏବଂ ଏଠାରେ ବହୁ ଛାତ୍ର ଅଧ୍ୟୟନ କରି ମନ୍ତ୍ରୀ, ବିଧାୟକ ଓ ସାଂସଦ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କଲେଜକୁ ସରକାରୀ ଓ ଅଟୋନମସ ମାନ୍ୟତା ନ ମିଳିବା ଦ୍ୱାରା ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଅଧିକ ଶୁଳ୍କ ଦେଇ ପାଠ ପଢିବାକୁ ନେଇ ବହୁ ପୁରାତନ ଛାତ୍ର କ୍ଷୋଭ ପ୍ରକାଶ କରିଥିଲେ।

ପରିଶେଷରେ କମିଟି ଯୁଗ୍ମ ସମ୍ପାଦକ ମହେଶ୍ୱର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Related posts