ବାଲୁଗାଁ: ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Published: Apr 6, 2023, 7:13 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଦିଗନ୍ତର ନୂତନ ଚିନ୍ତାଧାରା ନେଇ ଉଡାଣ-୨୦୨୩ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି କେ ନାରାୟଣ ପାତ୍ର, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ନନ୍ଦ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା କାରମେଲ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ନିର୍ଦ୍ଦେଶକ ସଂଜୀବିତୋ ପାଣି, ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥି ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବିଦ୍ୟାଳୟର ସଭାପତି କିରଣ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଅରୁଣ କୁମାର ବରାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥି ସହିତ ଶିକ୍ଷାର ଅଭିବୃଦ୍ଧି, ପ୍ରତିଯୋଗିତା ମୁଳକ ଶିକ୍ଷା, ଶୈକ୍ଷିକ ପରିବେଶ, ଖେଳକୁଦ ସାଙ୍ଗକୁ ବ୍ୟାୟାମ, ଯୋଗ, ଗୁରୁ ଶିଷ୍ୟର ସମ୍ପର୍କ ସୁଦୃଢ କରିବା ଦିଗରେ ମଞ୍ଚାସିନ ଅତିଥିମାନେ ଆଲୋକପାତ କରିଥିଲେ।

ଏଥିସହିତ ଆଗାମୀ ଦିନରେ ଶିକ୍ଷାପ୍ରଣାଳୀର ବିକାଶ ଦିଗରେ ଯୁବସମାଜ ପ୍ରେରିତ ହୋଇ ବିଦ୍ୟାଳୟର ସମୃଦ୍ଧି ସୁଦୃଢ କରିବା, ଅଭାବଗ୍ରସ୍ତ ଲୋକଙ୍କୁ ସାମାଜିକ କୁସଂସ୍କାର, ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତି କରାଇ ରାଷ୍ଟ୍ର ଜୀବନକୁ ସରସ, ସୁନ୍ଦର, ସୁସମ୍ପନ ଓ ସୁସଂସ୍କୃତ କରିବାନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଳାଦ୍ରୀ ଭୂଷଣ ବେହେରା ମତପୋଷଣ କରିଥିଲେ।

ବିଗତ ଦିନରେ ସମସ୍ତ ଅଭିଭାବକ ମାନେ ସାମଗ୍ରୀକ ଭାବେ ସକରାତ୍ମକ ମନଭାବ ପୋଷଣ କରି ପରିବାର ସଦସ୍ୟଙ୍କ ଭଳି ଅନୁଷ୍ଠାନ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସହାନୁଭୂତିର ସହ ପୂର୍ଣ୍ଣ ସହଯୋଗ କରିଥିବା ନେଇ ବିଦ୍ୟାଳୟର ସଭାପତି ଶ୍ରୀ ପାତ୍ର କହିଛନ୍ତି। ସାନ୍ଧ୍ୟ ଅଧିବେସନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏଥିସହିତ ମେଧାବୀ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ପରୁସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଭଦ୍ରବ୍ୟକ୍ତି, ଅଭିଭାବକ, ଶୁଭେଚ୍ଛୁବୃନ୍ଦ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Related posts