
ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି। ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ନୀଳାଦ୍ରି ଗ୍ରାମରେ ଏକ ବହୁଦିନର ତେନ୍ତୁଳି ଗଛ ଉପୁଡି ଅଶୋକ ପ୍ରଧାନଙ୍କ ଘର ଉପରେ ପଡିଯାଇଥିବା ଖବର ହସ୍ତଗତ ହୋଇଛି। ଯାହାଫଳରେ ଅଶୋକଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଘର ପିଣ୍ଢାରେ ବସିଥିବା ଅଶୋକଙ୍କ ଭାଇ ସୁର ପ୍ରଧାନ ଗୁରତର ଆହତ ହେବା ସହ ଗ୍ରାମର ବିଦୁତ ଖୁଣ୍ଟ ଭାଙ୍ଗି ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଛି।
ଖବର ପାଇ ସ୍ଥାନୀୟ ସରପଞ୍ଚ ଉମାକାନ୍ତ ସାହୁ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଆହତ ସୁରଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଖବରପାଇ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଓ ଟିମ ଘଟଣାସ୍ଥଳରେ ପହଂଚି ଘର ଉପରେ ପଡ଼ିଥିବା ଗଛକୁ ହଟାଇଥିବା ଜଣାଯାଇଛି। ତୁରନ୍ତ ଘର ମରାମତି ପାଇଁ ସରକାରୀ ଆର୍ଥିକ ସାହାଯ୍ୟ ପାଇଁ ସରପଞ୍ଚଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
ଅନୁରୂପ ଭାବେ ନୀଳାଦ୍ରି ବାଣପୁର ମୁଖ୍ୟ ରାସ୍ତାରେ ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଏକାଧିକ ବିଶାଳକାୟ ବୃକ୍ଷ କଟି ପଡିଥିବାର ଅଗ୍ନିଶମ ଅଧିକାରୀ ଶ୍ରୀ ଦାସ କହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଗଛକଟା ଜାରି ରହିଥିବାର ଜଣାପଡିଛି।