ଜାତୀୟବାଦୀ ନେତା ପର୍ଶୁରାମ ହରିଚନ୍ଦନଙ୍କ ୪୬ତମ ଶ୍ରାଦ୍ଧବାର୍ଷିକୀ ପାଳିତ

Published: May 26, 2023, 8:29 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନ ୧୧ଟା ସମୟରେ ଜାତୀୟବାଦୀ ନାଟ୍ୟକାର ଓ ଗାନ୍ଧିବାଦୀ ସମାଜସେବୀ ତଥା ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ହରିଚନ୍ଦନଙ୍କର ୪୬ ତମ ଶ୍ରାଦ୍ଧତ୍ସବ ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଶିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର, ବାଣପୁର ଗ୍ରାମୀଣ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ଶାଳିଆ ସାହିତ୍ୟ ସଂସଦର ସଭାପତି ବାଳମୁକୁନ୍ଦ ଦାସ ଓ ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।

ଡା. ସୁରେନ୍ଦ୍ର ନାଥ ଦାସ ଅତିଥି ପରିଚୟ କରିଥିବା ବେଳେ, ଶିକ୍ଷାବିତ ଗୋଲଖ ବିହାରୀ ପଟ୍ଟନାୟକ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ପର୍ଶୁରାମ ସ୍ମୃତି କମିଟି ଓ ପର୍ଶୁରାମ ମହାବିଦ୍ୟାଳୟ ର ମିଳିତ ଉଦ୍ୟମରେ ଆୟୋଜିତ ଏହି ଉତ୍ସବରେ, ପର୍ଶୁରାମଙ୍କ ଉତ୍ସର୍ଗୀକୃତ ସମାଜସେବା, ମୂଲ୍ୟବୋଧ ଭିତ୍ତିକ ରାଜନୀତି ଓ ଜାତୀୟ ଚେତନାକୁ ଉଦ୍ରେକ କରିବା ପାଇଁ ତାଙ୍କର ନାଟକ ରଚନା, ଆଗାମୀ ବଂଶଧରମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିବା ସହିତ, ବିସ୍ମୃତି ଗର୍ଭରୁ ପାଇକ ବିଦ୍ରୋହର ଅନନ୍ୟ ଯୋଦ୍ଧା ବିପ୍ଳଵୀ କୃତିବାସଙ୍କୁ ଆଲୋକକୁ ଆଣି, ପର୍ଶୁରାମ ହରିଚନ୍ଦନ ଯଥାର୍ଥରେ ଜଣେ ଐତିହାସିକର ପରିଚୟ ଦେଇଛନ୍ତି ବୋଲି ବକ୍ତାମାନେ ତାଙ୍କ ବକ୍ତ୍ୟବରେ କହିଥିଲେ।

ପର୍ଶୁରାମଙ୍କ ସୁପୁତ୍ର ତଥା ପୂର୍ବତନ ବିଧାୟକ ଡା. ବିଭୁତି ଭୂଷଣ ହରିଚନ୍ଦନ, ପୌତ୍ର ବିଜେପି ନେତା ଦୁଷ୍ମନ୍ତ ହରିଚନ୍ଦନ, ଶତସିଂହ ହରିଚନ୍ଦନ, ଶରତ ଛାଟୋଇ, ଅନନ୍ତ ପଲେଇ, ଦେବେନ୍ଦ୍ର ହରିଚନ୍ଦନ, ରମେଶ ଚନ୍ଦ୍ର ସାମନ୍ତସିଂହାର ପ୍ରମୁଖ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ।

Related posts