ଟ୍ରେନରୁ ଖସି ଯୁବକ ମୃତ ଘଟଣା: ଗାଁରେ ପହଞ୍ଚିଲା ଯୁବକଙ୍କ ମର ଶରୀର

Published: Nov 13, 2023, 11:07 pm IST

ରଣପୁର: ଟ୍ରେନରୁ ଖସି ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଥିବା ଯୁବକଙ୍କ ମର ଶରୀର ଦୁଇ ଦିନ ପରେ ନିଜ ଗାଁ ରେ ପହଞ୍ଚିଥିଲା। ଯୁବକଙ୍କ ଶବ ଗାଁ ରେ ପହଁଚିଲା ପରେ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତଙ୍କ ମୁହଁରେ ଅଶ୍ରୁ ଧାର ବୋହି ଚାଲିଥିଲା। ଶେଷରେ ଯୁବକଙ୍କ ମର ଶରୀରକୁ ଗାଁ ମଶାଣିରେ ଦାହ କରାଯାଇଥିଲା।

ପରିବାରର ଅଭାବ ଅନଟନ ଯୁବକଙ୍କୁ ମାତ୍ର ୨୫ ବର୍ଷ ବୟସରେ ନିଜ ଭିଟାମାଟି ଛାଡି ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ କରିଥିଲା। ତେଣୁ ଯୁବକ ଜଣକ ନିଜ ପରିବାରର ଭରଣ ପୋଷଣ ପାଇଁ ଗୁଜୁରାଟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ଦୀପାବଳୀ ଅବସରରେ ନିଜ ପରିବାର ତଥା ଗାଁ ସାଙ୍ଗସାଥିଙ୍କ ସହ ମିଶି ଦୀପାବଳୀ ପାଳନ କରି କିଛି ଖୁସି ମୁହୂର୍ତ ବିତାଇବା ପାଇଁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗାଁ ର ପ୍ରକାଶ କୁମାର ପ୍ରଧାନ ଟ୍ରେନ ଯୋଗେ ଗାଁ କୁ ଫେରୁଥିଲେ। କିଏ ଜାଣିଥିଲା ଗାଁ କୁ ଫେରିବା ବାଟରେ ମୃତ୍ୟୁ ତାକୁ ଜଗି ବସିଛି। ଜାଣିଥିଲେ ହୁଏତ ଯୁବକ ଗାଁ ଫେରି ନ ଥାନ୍ତେ। ସୃଷ୍ଟିର ଲିଖନକୁ କିଏ ବା ଏଡେଇ ପାରିବ? କିଏ ଜାଣିଥିଲା ଦୀପାବଳୀରେ ଆଲୋକ ପ୍ରଦାନ କରିବା ପରିବର୍ତ୍ତେ ନିଜ ଜୀବନ ଦ୍ବୀପକୁ ଲିଭାଇ ସମସ୍ତ ଦାୟିତ୍ୱରୁ ମୁକ୍ତ ହୋଇ ଏ ପାରିରୁ ଆର ପାରିକୁ ଚଳିଯିବ।

ଗୁଜୁରାଟରୁ ଗାଁ କୁ ଫେରିବା ବେଳେ ଭରଚୂନ ଷ୍ଟେସନ ନିକଟରେ ଟ୍ରେନରୁ ଖସି ମୃତ୍ୟୁ ବରଣ କରିଥିଲେ। ଦୁଇ ଦିନ ପରେ ଆଜି ତାଙ୍କର ମର ଶରୀରରେ ଗାଁ ରେ ପହଁଚିଲା ପରେ ଗାଁ ମଶାଣିରେ ଶବ ସତ୍କାର କରାଯାଇଛି। ମୃତ ପ୍ରକାଶ ତାଙ୍କ ପିତା ରତ୍ନାକର ପ୍ରଧାନ ଓ ମାତା ଜୟନ୍ତୀ ପ୍ରଧାନଙ୍କ ସାନ ପୁଅ ଥିଲେ। ରତ୍ନାକର ଚାଷ କାମ କରି ନିଜ ପରିବାରର ଗୁଜୁରାଣ ଖୁବ କଷ୍ଟରେ ତୁଲାଉ ଥିବା ବେଳେ ରୋଜଗାରିଆ ପୁଅକୁ ହରାଇ ମାତା ପିତାଙ୍କ ସମେତ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେଣୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି। ପ୍ରକାଶଙ୍କ ଶବ ସତ୍କାର ବେଳେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପରେଶ ମିଶ୍ର, ଦିଲୀପ କୁମାର ଜେନା, ବିରଞ୍ଚି ନାରାୟଣ ପ୍ରଧାନଙ୍କ ସମେତ ଗ୍ରାମର ସମସ୍ତେ ଉପସ୍ଥିତ ଥିଲେ।

Related posts