ଚିଲିକାରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ: ସାଂସଦ ମାନସ ମଙ୍ଗରାଜଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଉଠିଲା ସ୍ଵର

Published: Mar 5, 2024, 9:32 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ଓଡ଼ିଶାର ପ୍ରବାଦ ପୁରୁଷ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ ଉତ୍ସବ ଚିଲିକା ନିର୍ବାଚନମଣ୍ଡଳି ଅନ୍ତର୍ଗତ ସୁନାଖଳା ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ର ସାମନ୍ତସିଂହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ଚନ୍ଦ୍ର ମଙ୍ଗରାଜ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ସାଧାରଣ ସମ୍ପାଦକ ମନୋଜ ପ୍ରଧାନ, ଚିଲିକା ସଂଯୋଜକ ମାନସ ପ୍ରଧାନ, ଜଗତବଲ୍ଲଭ ମହାରଥା ପ୍ରମୁଖଙ୍କ ସହ ବହୁ ବିଜୁ ପ୍ରେମୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।

ଅତିଥି ମାନେ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ରାଜନୈତିକ ଜୀବନରେ ତାଙ୍କର ଓଡ଼ିଶାରେ ଥିବା ଭୂମିକାକୁ ଲୋକଙ୍କ ପାଖରେ ବକ୍ତବ୍ୟ ରଖିଥିଲେ। ଏବଂ ବିଜୁବାବୁଙ୍କ ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ କରିପାରିଥିବାରୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପୁଣି ଏକ ହୋଇ ତାଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ।

ଅତିଥିମାନେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଚିଲିକା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇ ବିଜୁ ଜନତା ଦଳର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ। ସାଂସଦ ମଙ୍ଗରାଜ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଏକାଠି କାର୍ଯ୍ୟ କରିବା ସହ ଦଳକୁ ମଜବୁତ କରିବା ଏବଂ ଓଡିଶାକୁ ଏକ ସଶକ୍ତ, ସମୃଦ୍ଧ ଓ ନବୀନ ଓଡିଶା ଗଠନ କରିବାକୁ ଶପଥ ପାଠ କରାଇଥିଲେ।

Related posts