ବାଣପୁର: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଯୁବକ ଗୁରୁତର

Published: Mar 15, 2024, 3:20 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବେଲପଡା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ଡାଙ୍ଗୁଆ ଗ୍ରାମର ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ (୩୦) ବାଇକ ଯୋଗେ ନାଭାଲ ଅଭିମୁଖେ ଯାଉଥିବା ବେଳେ ଏକ କ୍ରେଟା କାର (ଗାଡି ନଂ- ଓଡ଼ି ୦୧ ଏଜେ ୫୩୫୪) ବାଇକକୁ ପଛ ପାର୍ଶ୍ୱରୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ଶ୍ରୀ ସ୍ବାଇଁ ବାଇକରୁ ଛିଟିକି ରାସ୍ତା ଉପରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ପ୍ରଦ୍ୟୁମ୍ନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ପ୍ରଦ୍ୟୁମ୍ନଙ୍କ ବାମ ହାତ, ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ପ୍ରବଳ ରକ୍ତସ୍ରାବ ଯୋଗୁଁ ଆଶୁଚିକିତ୍ସା କରି ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରିବାସହ ତଦନ୍ତ ଜାରି ରଖିଛି।

Related posts