ବାଲୁଗାଁ: ୫ ଜୁଆଡି ଗିରଫ, ୧୪ ହଜାର ଟଙ୍କା ସହ ୩ ମୋବାଇଲ ଜବତ

Published: Jul 11, 2024, 10:35 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ପ୍ରବଳ ମାତ୍ରାରେ ଜୁଆ ଖେଳ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ବାଲୁଗାଁ କୁଲାକୁଣ୍ଢେଇ ନିକଟ ଏକ ପରିତ୍ୟକ୍ତ ଘରେ ଜୁଆ ଖେଳ ହେଉଥିବା ଖବରପାଇ ଚଢ଼ାଉ ବେଳେ ୫ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୪ ହଜାର ଟଙ୍କା, ୩ଟି ମୋବାଇଲ ଓ ଗୋଟିଏ ତାସ ମୁଠା ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଅଶୋକ ନଗରର ନିଳାଞ୍ଚଳ ବିଶ୍ୱାସ (୩୮), ଚକ୍ରଧରପୁରର ପ୍ରତାପ କୁମାର ପ୍ରଧାନ (୪୮), ବଡ଼କୁଳର ଦୀପକ କୁମାର ସାହୁ (୩୭), ସୁବୁଦ୍ଧି ପାଟଣାର ଗଣେଷ ସାହୁ (୫୦) ଓ ଛେଡାପଦରର ଗଣେଷ ବେହେରା (୩୦)।

ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୨୨୮/୨୪ ରେ ମାମଲା ରୁଜୁକରି ଆସନ୍ତାକାଲି କୋର୍ଟ ଚାଲାଣ କରାଯିବା ନେଇ ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି।

Related posts