
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଝରିଆଟାଙ୍ଗୀ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ନବରଙ୍ଗପୁର ଜିଲ୍ଲାର ବିପିନ ପାଇକ (୪୦) ବୋଲି ଜଣାପଡିଛି।
ସୂଚନା ମୁତାବକ ବିପିନ ପ୍ରତିବର୍ଷ ଝରିଆଟାଙ୍ଗୀ ଗ୍ରାମର ରମେଶ ପ୍ରଧାନଙ୍କ ଜମିରେ କାମ କରିବା ପାଇଁ ଆସିଥାନ୍ତି। ତେବେ ଆଜି ଅପରାହ୍ନରେ ଜମି ମାଲିକ ରମେଶ ଏବଂ ବିପିନ ଜମିରେ କାର୍ଯ୍ୟ କରୁଥିବା ବେଳେ ବିପିନଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ବିପିନ ସେଠାରେ ଟଳି ପଡିଥିଲେ।
ତାଙ୍କୁ ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ବାଣପୁର ମେଡିକାଲକୁ ନିଆଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ମେଡିକାଲ ପକ୍ଷରୁ ନାଚୁଣୀ ଥାନାକୁ ଜଣାଇଦିଆଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।