ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ୟୁଥ ରେଡ଼କ୍ରସ, ରେଡ ରିବନ କ୍ଲବ ଓ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଉଦ୍ୟମରେ ଆଜି ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଆଜି ପ୍ରାତଃ ସମୟରୁ ଛାତ୍ର ଛାତ୍ରୀମାନେମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଏଡ଼ସ ସଚେତନତା ନାରା ଦେଇ ଚିଲିକାକୂଳର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ।
ଏହାପରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛାତ୍ର ଛାତ୍ରୀମାନେ ଏକାଠି ହୋଇ ଡାକ୍ତର ସୁନୀଲ କୁମାର ସ୍ୱାଇଁଙ୍କ ଠାରୁ ବାଲୁଗାଁ ସମନ୍ୱିତ ଏଚ ଆଇ ଭି କେନ୍ଦ୍ରରେ ପଞ୍ଜିକୃତ ଏଡ଼ସ ସଂକ୍ରମିତଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଏଡ୍ସ ସଚେତନତା ଶୋଭାଯାତ୍ରା ପରେ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଡ୍ସ ରୋଗର ସାମ୍ପ୍ରତିକ ଭୟାବହତା ସମ୍ପର୍କରେ ଡକ୍ଟର ସୁବୁଦ୍ଧି ଆଲୋଚନା କରିବା ସହ ସଠିକ ମାର୍ଗ ଗ୍ରହଣ କଲେ ବିଶ୍ୱ ଏଡ୍ସ ମୁକ୍ତ ହୋଇପାରିବ ବୋଲି କହିଥିଲେ।
ମୁଖ୍ୟ ଅତିଥି ତଥା ଚିଲିକା ବାଲୁଗାଁ ରୋଟାରୀ କ୍ଲବର ସଭାପତି ଡକ୍ଟର ମାନସ ମୋହନ ବଳିୟାରସିଂହ ହ୍ୟୁମାନ ଇମ୍ୟୁନୋ ଡେଫିସିଏନସି ସିଣ୍ଡ୍ରୋମ (ଏଚଆଇଭି ) ଭାଇରସ ସଂକ୍ରମଣର ବୈଷୟିକ ଜ୍ଞାନ ପ୍ରଦାନ କରିଥିଲେ। ସମଗ୍ର ବିଶ୍ୱର ଏହି ଦିଗରେ କିପରି ବ୍ୟାପକ ଗବେଷଣା ଓ ପରୀକ୍ଷା ନିରୀକ୍ଷା ଚାଲିଛି ତାହାର ବିବରଣୀ ପ୍ରଦାନ କରିଥିଲେ। ଯୁବବର୍ଗ ସଠିକ ମାର୍ଗ ଗ୍ରହଣ କଲେ ହିଁ ଏଡ୍ସର ସଂକ୍ରମଣରୁ ରକ୍ଷା ପାଇପାରିବେ ବୋଲି କହିଥିଲେ।
ଏହାପରେ ୟୁଥ ରେଡ଼କ୍ରସ ଓ ରେଡ ରିବନ କ୍ଲବ ଉପଦେଷ୍ଟା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଏଡ୍ସ ନିରାକାରଣରେ ଛାତ୍ର ଛାତ୍ରୀଙ୍କ ଦାୟିତ୍ୱ ଓ ସଚେତନତା ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରିବା ସହ ବିଶ୍ୱ ଏଡ୍ସ ଦିବସ ଅବସରରେ ଆୟୋଜିତ ହୋଇଥିବା କୁଇଜ, ସ୍ଲୋଗାନ ଓ ପୋଷ୍ଟର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ। ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ମିଳିତ ଭାବେ ଏହି ପୁରସ୍କାର ବିତରଣ କରିଥିଲେ।
ଏହି ଅବସରରେ ଏନସିସି ଅଧିକାରୀ ଚନ୍ଦନ ନାୟକ, ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ବରିଷ୍ଠ ସ୍ଵେଚ୍ଛାସେବୀ ସଂଗ୍ରାମ କେଶରୀ ବେହେରା ଶିକ୍ଷାର୍ଥୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁଏନଏସଏସ ଅଧିକାରୀ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ୟୁଥ ରେଡକ୍ରସ ଅଧିକାରୀ ଅଧ୍ୟାପକ ଧୋବୀ ଚରଣ ପରିଡ଼ା।