ଖୋଲିଲା ମା’ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ କେତେ ମିଳିଲା ଦାନ ରାଶି?

Published: Jun 18, 2025, 7:30 pm IST

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲାଯାଇ ହୁଣ୍ଡିରୁ ଆଦାୟ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ସହିତ ସୁନାରୂପାର କିଛି ଦ୍ରବ୍ୟ ସ୍ଥାନୀୟ ୟୁ.କୋ ବ୍ୟାଙ୍କରେ ଥିବା ମନ୍ଦିର ଜମା ଖାତାରେ ଜମା କରାଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି, ସ୍ଥାନୀୟ ତହସିଲଦାର ଟି ପଦ୍ମନାଭ ଦୋରା, ବିଡ଼ିଓ ଶୀତଲ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର କର୍ମଚାରୀ, ସେବାୟତ ଓ ସ୍ଥାନୀୟ ପୋଲିସ୍ ଙ୍କ ଉପସ୍ଥିତିରେ ମା’ଭଗବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଭିତର ହୁଣ୍ଡି ଖୋଲିଥିଲା।

ଖୋଲାଯାଇଥିବା ହୁଣ୍ଡିରୁ ସଂଗୃହୀତ ଅର୍ଥ ଗଣତି ପରେ ୧,୧୮,୪୯୦ (ଏକ ଲକ୍ଷ ଅଠର ହଜାର ଚାରିଶହ ନବେ) ଟଙ୍କାର ନୋଟ ଏବଂ ୧୮,୯୩୮ (ଅଠର ହଜାର ନଅଶହ ଅଠତିରିଶି) ଟଙ୍କାର ମୁଦ୍ରା ସର୍ବମୋଟ ୧,୩୭,୪୨୮ (ଏକ ଲକ୍ଷ, ସତତିରିଶି ହଜାର, ଚାରିଶହ ଅଠେଇଶି) ଟଙ୍କା ସହିତ ୧ ଗ୍ରାମର ଏକ ରୂପାମୁଦ୍ରା, ୨୯୦ ମିଲିଗ୍ରାମର ଦୁଇଟି ରୂପା ଆଖି ସଂଗ୍ରହ କରାଯାଇ ମନ୍ଦିର ନାମରେ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଥିବା ଜମା ଖାତାରେ ଜମା କରାଯାଇଛି।କାର୍ଯ୍ୟାଳୟର କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, ପାଳିଆ ମାଳି ସଂଜୟ ମହାପାତ୍ର ଓ ସ୍ଥାନୀୟ ପୋଲିସ୍ ଏହି କାର୍ଯ୍ୟରେ ସହଯୋଗ କରିଥିଲେ।

ଶ୍ରଦ୍ଧାଳୁମାନଙ୍କ ଦାନ ଏହି ଅର୍ଥ ମା’ଙ୍କ ଦୈନନ୍ଦିନ ନୀତିକାନ୍ତି ସେବାରେ ଲାଗିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ପ୍ରକାଶ

Related posts